Mission Chandrayaan has become a symbol of the spirit of New India: PM Modi
India has made G-20 a more inclusive forum: PM Modi
India displayed her best ever performance in the World University Games: PM Modi
'Har Ghar Tiranga' a resounding success; Around 1.5 crore Tricolours sold: PM Modi
Sanskrit, one of the oldest languages, is the mother of many modern languages: PM Modi
When we connect with our mother tongue, we naturally connect with our culture: PM Modi
Dairy Sector has transformed the lives of our mothers and sisters: PM Modi

ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍‌’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ ଅର୍ଥାତ୍ ମହାଦେବଙ୍କ ମାସ, ଉତ୍ସବ ଏବଂ ଉଲ୍ଲାସର ମାସ । ଚନ୍ଦ୍ରଯାନର ସଫଳତା ଏହି ଉତ୍ସବର ଖୁସିକୁ ବହୁ ଗୁଣ ବୃଦ୍ଧି କରିଦେଇଛି । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ପହଂଚିବାର ତିନି ଦିନରୁ ଅଧିକ ସମୟ ହେଲାଣି । ଏହା ଏତେ ବଡ଼ ସଫଳତା ଯେ, ଏହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା କମ୍ ହେବ । ଆଜି ଆପଣଙ୍କ ସହିତ କଥା ହେଉଥିବାବେଳେ ମୋର ଗୋଟିଏ ପୁରୁଣା କବିତାର କିଛି ପଂକ୍ତି ମନେ ପଡ଼ୁଛି . . .

ଆକାଶରେ ମୁଣ୍ଡ ଉଠାଇ

ଘନ ମେଘଖଣ୍ଡକୁ ଭେଦି

ଆଲୋକର ସଂକଳ୍ପ ନେଇ

ଆକାଶେ ସୂରୁଜ ଆସିଛି ଉଇଁ ।

 

ଦୃଢ଼ ସଂକଳ୍ପ ସହ ଆଗେଇ

ପ୍ରତିକୂଳତାକୁ ବାଟରୁ ହଟେଇ

ଅନ୍ଧକାରକୁ ଦେବାକୁ ଦୂରେଇ

ଆକାଶେ ସୂରୁଜ ଆସିଛି ଉଇଁ ।

 

ଆକାଶରେ ମୁଣ୍ଡ ଉଠାଇ

ଘନ ମେଘକୁ ଦେବାକୁ ଉଡ଼ାଇ

ଆକାଶେ ସୂରୁଜ ଆସିଛି ଉଇଁ ।

ମୋ ପରିବାରଜନ, ଅଗଷ୍ଟ ୨୩ ତାରିଖ ଦିନ ଭାରତ ଏବଂ ଏହାର ଚନ୍ଦ୍ରଯାନ ଏହା ପ୍ରମାଣିତ କରିଦେଇଛନ୍ତି ଯେ, ଜହ୍ନ ଉପରେ ମଧ୍ୟ ସଂକଳ୍ପର ସୂର୍ଯ୍ୟୋଦୟ ହୋଇଥାଏ । ଚନ୍ଦ୍ରଯାନ ଅଭିଯାନ ନୂତନ ଭାରତରେ ସେହି ଉତ୍ସାହର ପ୍ରତୀକ ପାଲଟିଯାଇଛି, ଯିଏ ପ୍ରତ୍ୟେକ ପରିସ୍ଥିତିରେ ବିଜୟ ହାସଲ୍ କରିବାକୁ ଚାହେଁ, ଏବଂ ପ୍ରତ୍ୟେକ ପରିସ୍ଥିତିରେ କିପରି ବିଜୟ ହାସଲ କରିବାକୁ ହୁଏ ତାହା ଜାଣେ ।

ବନ୍ଧୁଗଣ, ଏହି ଅଭିଯାନର ଗୋଟିଏ ଦିଗ ଏଭଳି ମଧ୍ୟ ଥିଲା, ଯାହା ବିଷୟରେ ଆଜି ମୁଁ ବିଶେଷ ଭାବେ ଆପଣଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି । ଆପଣମାନଙ୍କର ମନେଥିବ, ଏଥର ଲାଲକିଲ୍ଲାରୁ ମୁଁ କହିଛି ଯେ, ଆମକୁ ୱିମେନ୍ ଲେଡ୍ ଡେଭେଲପ୍‌ମେଂଟ୍ କୁ ଜାତୀୟ ଚରିତ୍ର ରୂପେ ସଶକ୍ତ କରିବାକୁ ହେବ । ଯେଉଁଠି ମହିଳା ଶକ୍ତିର ସାମର୍ଥ୍ୟ ଯୋଡ଼ି ହୋଇଯାଏ, ସେଠାରେ ଅସମ୍ଭବକୁ ମଧ୍ୟ ସମ୍ଭବ କରିହୁଏ । ଭାରତର ଚନ୍ଦ୍ରଯାନ ଅଭିଯାନ, ନାରୀଶକ୍ତିର ମଧ୍ୟ ଏକ ଜ୍ୱଳନ୍ତ ଉଦାହରଣ । ଏହି ସମ୍ପୂର୍ଣ୍ଣ ଅଭିଯାନରେ ଅନେକ ମହିଳା ବୈଜ୍ଞାନିକ ଏବଂ ଯନ୍ତ୍ରୀ ସିଧାସଳଖ ଭାବେ ଯୋଡ଼ି ହୋଇ ରହିଛନ୍ତି । ସେମାନେ ଭିନ୍ନ ଭିନ୍ନ ପ୍ରଣାଳୀର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରକଳ୍ପ ପରିଚାଳକ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି । ଭାରତର ଝିଅମାନେ ଏବେ ଅନନ୍ତ ପ୍ରତୀତ ହେଉଥିବା ମହାକାଶର ଆହ୍ୱାନକୁ ମଧ୍ୟ ସାମ୍ନା କରୁଛନ୍ତି । କୌଣସି ଦେଶର ଝିଅମାନେ ଯଦି ଉଚ୍ଚାକାଂକ୍ଷୀ ହୋଇଯାଆନ୍ତି, ତାହେଲେ ସେହି ଦେଶକୁ ବିକଶିତ ହେବାକୁ କିଏ ବା ରୋକିପାରିବ?

ବନ୍ଧୁଗଣ, ଆମେ ଏତେ ଉଚ୍ଚକୁ ଏଥିପାଇଁ ଯାତ୍ରା କରିଛୁ, କାରଣ ଆଜି ଆମର ସ୍ୱପ୍ନ ମଧ୍ୟ ବଡ଼ ଏବଂ ଆମର ପ୍ରଚେଷ୍ଟା ମଧ୍ୟ ବଡ଼ ଧରଣର ହୋଇଛି । ଚନ୍ଦ୍ରଯାନ-୩ର ସଫଳତାରେ ଆମ ବୈଜ୍ଞାନିକମାନଙ୍କ ସହିତ ଅନ୍ୟ କିଛି କ୍ଷେତ୍ରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତ ଯନ୍ତ୍ରାଂଶ ଏବଂ ବୈଷୟିକ ଆବଶ୍ୟକତାଗୁଡ଼ିକୁ ପୂର୍ଣ୍ଣ କରିବାରେ ଅନେକ ଦେଶବାସୀଙ୍କ ଅବଦାନ ରହିଛି । ସମସ୍ତଙ୍କ ପ୍ରଚେଷ୍ଟା ମିଳିତ ହେଲା, ତେଣୁ ସଫଳତା ମଧ୍ୟ ମିଳିଲା । ଏହାହିଁ ଚନ୍ଦ୍ରଯାନ-୩ର ସବୁଠାରୁ ବଡ଼ ସଫଳତା । ଆଗକୁ ମଧ୍ୟ ଆମ ମହାକାଶ କ୍ଷେତ୍ର ସମସ୍ତଙ୍କ ମିଳିତ ଉଦ୍ୟମରେ ଏଭଳି ଅଗଣିତ ସଫଳତା ହାସଲ କରିବ ବୋଲି ମୁଁ କାମନା କରୁଛି ।

ମୋର ପରିବାରଜନ, ସେପ୍ଟେମ୍ବର ମାସଟି ଭାରତର ସାମର୍ଥ୍ୟର ସାକ୍ଷୀ ହେବାକୁ ଯାଉଛି । ଆଗାମୀ ମାସରେ ଆୟୋଜିତ ହେବାକୁ ଥିବା ଜି-୨୦ ନେତାମାନଙ୍କ ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଏହି ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ୪୦ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଅନେକ ବୈଶ୍ୱିକ ସଂସ୍ଥା ରାଜଧାନୀ ଦିଲ୍ଲୀକୁ ଆସୁଛନ୍ତି । ଜି-୨୦ ସମ୍ମିଳନୀର ଇତିହାସରେ ଏହା ଆଜି ପର୍ଯ୍ୟନ୍ତର ସର୍ବବୃହତ ଭାଗିଦାରୀ ହେବ । ନିଜର ଅଧ୍ୟକ୍ଷତାର କାର୍ଯ୍ୟକାଳ ସମୟରେ ଭାରତ ଜି-୨୦କୁ ଆହୁରି ସର୍ବବ୍ୟାପୀ (ଇନ୍‌କ୍ଲୁସିଭ) ମଂଚରେ ପରିଣତ କରିଦେଇଛି । ଭାରତର ନିମନ୍ତ୍ରଣ ଯୋଗୁଁ ହିଁ ଆଫ୍ରିକାନ ୟୁନିୟନ ଜି-୨୦ରେ ଯୋଗ ଦେଇଛି ଏବଂ ଆଫ୍ରିକାର ଲୋକଙ୍କ ସ୍ୱର ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ମଂଚ ପର୍ଯ୍ୟନ୍ତ ପହଂଚିପାରିଛି । ବନ୍ଧୁଗଣ, ଗତବର୍ଷ ବାଲିରେ ଭାରତକୁ ଜି-୨୦ର ଅଧ୍ୟକ୍ଷତାର ଦାୟିତ୍ୱ ମିଳିବା ପର ଠାରୁ ଏ ଯାଏଁ ଏତେସବୁ ଘଟିଛି, ଯାହା ଆମକୁ ଗୌରବାନ୍ୱିତ କରୁଛି । ଦିଲ୍ଲୀରେ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନର ପରମ୍ପରାକୁ ଭଙ୍ଗ କରି ଆମେ ଏହାକୁ ଦେଶର ଭିନ୍ନ ଭିନ୍ନ ସହରକୁ ନେଇଗଲୁ । ଦେଶର ୬୦ଟି ସହରରେ ଏହା ସହିତ ଜଡ଼ିତ ପ୍ରାୟଃ ୨୦୦ଟି ବୈଠକର ଆୟୋଜନ କରାଗଲା । ଜି-୨୦ର ପ୍ରତିନିଧିମାନେ ଯେଉଁଠାକୁ ବି ଗଲେ, ସେଠାରେ ଜନସାଧାରଣ ଉତ୍ସାହର ସହିତ ସେମାନଙ୍କୁ ସ୍ୱାଗତ ଜଣାଇଲେ। ଏହି ପ୍ରତିନିଧିମାନେ ଆମ ଦେଶର ବିବିଧତାକୁ ଦେଖି, ଆମର ଜାଜ୍ଜ୍ୱଲ୍ୟମାନ (ଭାଇବ୍ରାଣ୍ଟ) ଗଣତନ୍ତ୍ରକୁ ଦେଖି ଗଭୀର ଭାବେ ପ୍ରଭାବିତ ହେଲେ । ଭାରତରେ ଅନେକ ସମ୍ଭାବନା ଭରି ରହିଥିବା କଥା ମଧ୍ୟ ସେମାନେ ଅନୁଭବ କଲେ ।

ବନ୍ଧୁଗଣ, ଜି-୨୦ରେ ଆମ ଅଧ୍ୟକ୍ଷତା, ଜନସାଧାରଣଙ୍କ ଅଧ୍ୟକ୍ଷତା ଅଟେ, ଯେଉଁଥିରେ ଜନଭାଗିଦାରୀର ଚିନ୍ତାଧାରା ସର୍ବାଗ୍ରେ ରହିଛି । ଜି-୨୦ର ୧୧ଟି ଏନ୍‌ଗେଜମେଂଟ୍ ଗ୍ରୁପରେ ଆକାଡେମିଆ, ସିଭିଲ ସୋସାଇଟି, ଯୁବବର୍ଗ, ମହିଳା, ଆମ ସାଂସଦ, ଉଦ୍ୟମୀ ଏବଂ ସହରାଂଚଳ ପ୍ରଶାସନ ସହିତ ଜଡ଼ିତ ଲୋକେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ । ଏହାକୁ ନେଇ ସାରା ଦେଶରେ ଯେଉଁସବୁ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି, ସସବୁ ସହିତ ପ୍ରାୟଃ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଲୋକେ ଜଡ଼ିତ । ଜନସହଭାଗୀତାର ଆମର ଏହି ପ୍ରଚେଷ୍ଟାରେ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ବିଶ୍ୱ ରେକର୍ଡ଼ ମଧ୍ୟ ସୃଷ୍ଟି ହୋଇଛି । ବାରାଣାସୀଠାରେ ହୋଇଥିବା ଜି-୨୦ କ୍ୱିଜ୍‌ରେ ୮୦୦ଟି ବିଦ୍ୟାଳୟର ଏକ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ କରିବା ଗୋଟିଏ ନୂତନ ବିଶ୍ୱ ରେକର୍ଡ଼ । ଅପରପକ୍ଷରେ ଲମ୍ବାନୀ କାରିଗରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ । ୪୫୦ ଜଣ କାରିଗର ପ୍ରାୟଃ ୧୮୦୦ ୟୁନିକ୍ ପ୍ୟାଚେସ୍‌ର ଆଶ୍ଚର୍ଯ୍ୟଜନକ ସଂଗ୍ରହ ସୃଷ୍ଟି କରି ନିଜର ଅନନ୍ୟ କୌଶଳର ପରିଚୟ ପ୍ରଦାନ କରିଥିଲେ । ଜି-୨୦ରେ ଆସିଥିବା ପ୍ରତ୍ୟେକ ପ୍ରତିନିଧି କଳା କ୍ଷେତ୍ରରେ ଆମ ଦେଶର ବିବିଧତାକୁ ଦେଖି ବହୁତ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ସୁରତରେ ମଧ୍ୟ ଏହିଭଳି ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରାଗଲା । ସେଠାରେ ଆୟୋଜିତ ଶାଢ଼ୀ ୱାକାଥନ୍‌ରେ ୧୫ଟି ରାଜ୍ୟର ୧୫,୦୦୦ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଯୋଗୁଁ ସୁରତର ବସ୍ତ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବା ସହିତ ଭୋକାଲ୍ ଫର୍ ଲୋକାଲ୍ ମଧ୍ୟ ଶକ୍ତିଶାଳୀ ହେଲା ଏବଂ ଲୋକାଲ୍‌, ଗ୍ଲୋବାଲ୍ ହେବାର ମାର୍ଗ ମଧ୍ୟ ସୃଷ୍ଟି ହେଲା । ଶ୍ରୀନଗରରେ ଜି-୨୦ ବୈଠକ ଶେଷ ହେବା ପରେ କାଶ୍ମୀରରେ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବହୁମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେଉଛି । ସମସ୍ତ ଦେଶବାସୀଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଆସନ୍ତୁ, ଆମେ ସମସ୍ତେ ମିଶି ଜି-୨୦ ସମ୍ମିଳନୀକୁ ସଫଳ କରିବା, ଦେଶର ଗୌରବ ବୃଦ୍ଧି କରିବା ।

ମୋର ପରିବାରଜନ, ‘ମନ୍ କି ବାତ୍‌’ର ଅଧ୍ୟାୟରେ ଆମେ ଆମ ଯୁବପିଢ଼ିର ସାମର୍ଥ୍ୟ ବିଷୟରେ ପ୍ରାୟତଃ ଆଲୋଚନା କରିଥାଉଁ । କ୍ରୀଡ଼ା ଆଜି ଏଭଳି ଗୋଟିଏ କ୍ଷେତ୍ର, ଯେଉଁଠି ଆମ ଯୁବବନ୍ଧୁମାନେ ନିରବଚ୍ଛିନ୍ନ ଭାବେ ନୂଆ ନୂଆ ସଫଳତା ହାସଲ କରିଚାଲିଛନ୍ତି । ‘ମନ୍ କି ବାତ୍‌’ରେ ଆଜି ମୁଁ ଏଭଳି ଗୋଟିଏ ଟୁର୍ଣ୍ଣାମେଂଟ୍ ବିଷୟରେ ଆଲୋଚନା କରିବାକୁ ଚାହୁଁଛି ଯେଉଁଥିରେ ନିକଟ ଅତୀତରେ ଆମ କ୍ରୀଡ଼ାବିତ୍‌ମାନେ ଦେଶର ଗୌରବକୁ ବୃଦ୍ଧି କରିଛନ୍ତି । ମାତ୍ର କିଛିଦିନ ପୂର୍ବରୁ ଚୀନ୍‌ରେ ୱାର୍ଲ୍‌ଡ ୟୁନିଭର୍ସିଟି ଗେମ୍ସର ଆୟୋଜନ ହୋଇଥିଲା । ଏହି କ୍ରୀଡ଼ାରେ ଭାରତ ଆଜି ପର୍ଯ୍ୟନ୍ତର ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଆମ ଖେଳାଳିମାନେ ମୋଟ ୨୬ଟି ପଦକ ଜିତିଲେ, ଯେଉଁଥିରେ ୧୧ଟି ସ୍ୱର୍ଣ୍ଣପଦକ ଥିଲା । ଏ କଥା ଜାଣି ଆପଣ ଖୁସି ଅନୁଭବ କରିବେ ଯେ, ୧୯୫୯ରୁ ଆଜି ପର୍ଯ୍ୟନ୍ତ ଯେତେ ୟୁନିଭର୍ସିଟି ଗେମ୍ସର ଆୟୋଜନ ହୋଇଛି, ସେ ସବୁଥିରେ ମିଳିଥିବା ମୋଟ ପଦକ ସଂଖ୍ୟା ହେଉଛି ମାତ୍ର ୧୮ । ଏତେ ଦଶନ୍ଧିରେ ମାତ୍ର ୧୮ଟି, ଅଥଚ ଏଥର ଆମ ଖେଳାଳିମାନେ ୨୬ଟି ପଦକ ଜିତିପାରିଛନ୍ତି । ତେଣୁ, ୱାର୍ଲ୍‌ଡ ୟୁନିଭର୍ସିଟି ଗେମ୍ସରେ ପଦକ ଜିତିଥିବା କିଛି ଯୁବ କ୍ରୀଡ଼ାବିତ୍‌, ଛାତ୍ର ବର୍ତମାନ ଫୋନ୍ ଲାଇନ୍‌ରେ ମୋ ସହିତ ଯୋଡ଼ି ହୋଇଛନ୍ତି । ପ୍ରଥମେ ମୁଁ ଏମାନଙ୍କ ସମ୍ପର୍କରେ ଆପଣଙ୍କୁ କିଛି ସୂଚନା ଦେଉଛି । ଉତ୍ତରପ୍ରଦେଶର ବାସିନ୍ଦା ପ୍ରଗତି ତୀରଚାଳନା ପ୍ରତିଯୋଗିତାରେ ପଦକ ଜିତିଛନ୍ତି । ଆସାମର ଅମ୍ଳାନ ଆଥ୍‌ଲେଟିକ୍ସରେ ପଦକ ଜିତିଛନ୍ତି । ଉତ୍ତରପ୍ରଦେଶର ପ୍ରିୟଙ୍କା ରେସ୍ ୱାକ୍‌ରେ ପଦକ ଜିତିଛନ୍ତି । ମହାରାଷ୍ଟ୍ରର ଅଭିଦନ୍ୟା ବନ୍ଧୁକଚାଳନାରେ ପଦକ ଜିତିଛନ୍ତି ।

ପ୍ରଗତି : ସାର୍‍,

ମୋଦିଜୀ : ମୋର ପ୍ରିୟ ଯୁବ ଖେଳାଳୀଗଣ, ନମସ୍କାର ।

ଖେଳାଳିମାନେ : ଆଜ୍ଞା ନମସ୍କାର ।

ମୋଦିଜୀ : ଆପଣମାନଙ୍କ ସହିତ କଥା ହେବାରେ ମୋତେ ବହୁତ ଭଲ ଲାଗୁଛି । ସର୍ବପ୍ରଥମେ ମୁଁ ଭାରତର ବିଶ୍ୱବିଦ୍ୟାଳୟମାନଙ୍କରେ ଚୟନ କରାଯାଇଥିବା ଦଳ - ଆପଣମାନଙ୍କୁ - ଯିଏ ଭାରତର ନାଁକୁ ଗୌରବାନ୍ୱିତ କରିଛନ୍ତି, ଅଭିନନ୍ଦନ ଜଣାଉଛି । ଆପଣମାନେ ୱାର୍ଲ୍‌ଡ ୟୁନିଭର୍ସିଟି ଗେମ୍ସରେ ନିଜ ପ୍ରଦର୍ଶନ ମାଧ୍ୟମରେ ପ୍ରତ୍ୟେକ ଦେଶବାସୀକୁ ଗୌରବାନ୍ୱିତ କରିଦେଇଛନ୍ତି । ତେଣୁ, ପ୍ରଥମେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।

ପ୍ରଗତି, ଆମର ବାର୍ତ୍ତାଳାପ ମୁଁ ଆପଣଙ୍କ ଠାରୁ ଆରମ୍ଭ କରୁଛି । ପ୍ରଥମେ ଆପଣ ମୋତେ ଏ କଥା କହନ୍ତୁ ଯେ, ଦୁଇଟି ପଦକ ଜିତିକରି ଆପଣ ଏଠାରୁ ଯିବାପରେ ସେଠାରେ ଏତେ ବଡ଼ ବିଜୟ ମିଳିବ ବୋଲି ଚିନ୍ତା କରିଥିଲେ କି? ଏବେ କ’ଣ ଅନୁଭବ କରୁଛନ୍ତି?

ପ୍ରଗତି : ସାର୍‌, ମୁଁ ବହୁତ ଗର୍ବ ଅନୁଭବ କରୁଥିଲି, ମୋ ଦେଶର ପତାକାକୁ ଏତେ ଉଚ୍ଚରେ ଉଡ଼ାଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଥରେ ସ୍ୱର୍ଣ୍ଣପଦକ ପାଇଁ ହେଉଥିବା ମୁକାବିଲାରେ ହାରିଯାଇଥିବାରୁ ଅନୁତାପ କରୁଥିଲି । କିନ୍ତୁ ଦ୍ୱିତୀୟ ଥର କୌଣସିମତେ ଜିତିବା ପାଇଁ ମନରେ ଦୃଢ଼ସଂକଳ୍ପ କରୁଥିଲି । ପ୍ରତ୍ୟେକ ପରିସ୍ଥିତିରେ ଆମ ଦେଶର ପତାକାକୁ ସବୁଠାରୁ ଉଚ୍ଚରେ ରଖିବା ପାଇଁ ମନସ୍ଥ କରିଥିଲି । ଶେଷରେ ଯେତେବେଳେ ଆମେ ମୁକାବିଲାରେ ବିଜୟ ହାସଲ କଲୁ, ସେତେବେଳେ ସେହି ପୋଡିୟମ୍ ଉପରେ ହିଁ ଆମେ ଅତି ଆନନ୍ଦରେ ଏହାକୁ ସେଲିବ୍ରେଟ୍ କରିଥିଲୁ । ସେହି ମୂହୁର୍ତ୍ତଟି ଖୁବ୍ ସୁନ୍ଦର ଥିଲା । ଏତେ ଗର୍ବ ଅନୁଭବ ହେଉଥିଲା, ଯାହାର ତୁଳନା ନାହିଁ ।

ମୋଦିଜୀ : ପ୍ରଗତି, ଆପଣଙ୍କୁ ତ ଅନେକ ଶାରୀରିକ ଅସୁବିଧା ଭୋଗ କରିବାକୁ ପଡ଼ିଥିଲା । ସେଥିରୁ ମଧ୍ୟ ଆପଣ ମୁକୁଳି ପାରିଲେ । ଏ କଥା ଦେଶର ଯୁବବର୍ଗଙ୍କ ପାଇଁ ବଡ଼ ପ୍ରେରଣାଦାୟକ । କ’ଣ ହୋଇଥିଲା ଆପଣଙ୍କର?

ପ୍ରଗତି : ସାର୍‍, ୫ ମେ ୨୦୨୦ରେ, ମତେ ସାର୍‍ ବ୍ରେନ୍‍ ହେମରେଜ୍‍ ହେଇଥିଲା । ମୁଁ ଭେଣ୍ଟିଲେଟରରେ ଥିଲି । ମୁଁ ବଞ୍ଚିବି ନା ନାହିଁ ଆଉ ବଞ୍ଚିବି ତ କେମିତି ବଞ୍ଚିବି, ତା'ର ଠିକ୍‍ଠିକଣା ନଥିଲା । କିନ୍ତୁ ଏତିକି ତ ଥିଲା, ମୋ ଭିତରେ ସାହସ ଥିଲା ଯେ ମୋତେ ଫେରିବାର ଅଛି, ପଡ଼ିଆରେ ଠିଆ ହେବାର ଅଛି, ତୀରଚାଳନା ପାଇଁ । ମୋର ଜୀବନ ବଞ୍ଚିଛି ତ ସବୁଠୁ ବଡ଼ ହାତ ଭଗବାନଙ୍କର ଅଛି, ତା'ପରେ ଡାକ୍ତରଙ୍କର ଆଉ ତୀରଚାଳନାର ।

ମୋଦି ଜୀ : ଆମ ସହିତ ଅମ୍ଳାନ ମଧ୍ୟ ଅଛନ୍ତି । ଅମ୍ଳାନ, ଆପଣଙ୍କର ଆଥ୍‍ଲେଟିକ୍ସ ପ୍ରତି ଏତେ ଅଧିକ ରୁଚି କିପରି ବଢ଼ିଲା ସେକଥା ଟିକିଏ କହନ୍ତୁ ।

ଅମ୍ଳାନ : ଆଜ୍ଞା ନମସ୍କାର ସାର୍‍

ମୋଦି ଜୀ : ନମସ୍କାର । ନମସ୍କାର ।

ଅମ୍ଳାନ : ସାର୍‍, ଆଥ୍‍ଲେଟିକ୍ସ ପ୍ରତି ତ ଆଗରୁ ସେତେ ରୁଚି ନ ଥିଲା । ପ୍ରଥମେ ଫୁଟବଲ ପ୍ରତି ବେଶି ଥିଲା; କିନ୍ତୁ ମୋ ଭାଇର ଜଣେ ସାଙ୍ଗ, ସେ ମତେ କହିଲା କି ଅମ୍ଳାନ ତୁ ଆଥ୍‍ଲେଟିକ୍ସରେ, ପ୍ରତିଯୋଗିତାକୁ ଯିବା ଉଚିତ । ତ ମୁଁ ଭାବିଲି, ହଉ ଠିକ୍‍ ଅଛି । ପ୍ରଥମେ ଯେତେବେଳେ ମୁଁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଲି ମୁଁ ସେଥିରେ ହାରିଗଲି । ମୋତେ ସେହି ପରାଜୟ ଆଦୌ ଭଲ ଲାଗିଲାନି । ଏପରି କରୁକରୁ ମୁଁ ଆଥ୍‍ଲେଟିକ୍ସକୁ ଆସିଗଲି । ପୁଣି ଏମିତି ହିଁ ଧୀରେଧୀରେ ଏବେ ମଜା ଲାଗୁଛି । ଏମିତି ହିଁ ମୋର୍‍ ରୁଚି ବଢ଼ିଗଲା ।

ମୋଦି ଜୀ : ଅମ୍ଳାନ, ଅଧିକ ଅଭ୍ୟାସ କୋଉଠି କରିଛନ୍ତି ସେ ବିଷୟରେ ଟିକେ କହନ୍ତୁ ।

ଅମ୍ଳାନ : ମୁଁ ହାଇଦ୍ରାବାଦରେ ହିଁ ଅଧିକ ଅଭ୍ୟାସ କରିଛି; ସାଇ ରେଡ୍ଡି ସାର୍‍ଙ୍କ ଅଧୀନରେ । ତା' ପରେ ଭୁବନେଶ୍ୱରକୁ ଗଲି ତ ସେଇଠି ମୋର ପେସାଦାର ଖେଳ ଆରମ୍ଭ ହେଲା ସାର୍‍ ।

ମୋଦି ଜୀ : ଆଚ୍ଛା ଆମ ସାଂଗରେ ପ୍ରିୟଙ୍କା ମଧ୍ୟ ଅଛନ୍ତି । ପ୍ରିୟଙ୍କା, ଆପଣ ୨୦ କିଲୋମିଟର ରେସ୍‍ ୱାକ୍‍ ଦଳର ସଦସ୍ୟ ଥିଲେ । ସମଗ୍ର ଦେଶ ଆଜି ଆପଣଙ୍କୁ ଶୁଣୁଛି, ଆଉ ସେମାନେ ଏହି କ୍ରୀଡ଼ା ସମ୍ପର୍କରେ ଜାଣିବାକୁ ଚାହାନ୍ତି । ଆପଣ କହନ୍ତୁ ଯେ ଏଥିପାଇଁ କୋଉ ପ୍ରକାରର କୌଶଳର ଆବଶ୍ୟକତା ଥାଏ । ଆଉ ଆପଣଙ୍କ କ୍ୟାରିୟର୍‍ କୋଉଠୁ ଆସି କୋଉଠି ପହଞ୍ଚିଛି?

ପ୍ରିୟଙ୍କା : ମୋ ଭଳିଆ ଲୋକ ପାଇଁ ଇଭେଣ୍ଟ୍‍ରେ ବହୁତ କଷ୍ଟକର, କାହିଁକିନା ଆମର ପାଞ୍ଚଜଣ ବିଚାରକ ଠିଆ ହୋଇଥାନ୍ତି । ଯଦି ଆମେ ଭାଗ ବି ନେଉ ତେବେ ମଧ୍ୟ ସେମାନେ ଆମକୁ ବାହାର କରିଦେବେ କିମ୍ବା ଟିକିଏ ରାସ୍ତାରୁ ଯଦି ବାହାରିଯିବ, ଜମ୍ପ୍‍ ଆସିଯିବ ତେବେ ମଧ୍ୟ ଆମକୁ ବାହାର କରିଦିଅନ୍ତି । କିମ୍ବା ଆମେ ଯଦି ଆଣ୍ଠୁ ବଙ୍କା କରୁ ତେବେ ବି ଆମକୁ ବାହାର କରି ଦିଅନ୍ତି ଏବଂ ମତେ ତ ଦୁଇଟି ଚେତାବନୀ ବି ମିଳିଥିଲା । ତା'ପରେ ମୁଁ ନିଜର ଗତି ଉପରେ ଏତେ ନିୟନ୍ତ୍ରଣ କଲି ଯେ କୋଉଠି ନା କୋଉଠି ମତେ ଅନ୍ତତଃ ଦଳ ପାଇଁ ପଦକ ତ ଏଇଠୁ ଜିତିବାର ଅଛି; କାହିଁକିନା ଆମେ ଦେଶପାଇଁ ଏଠାକୁ ଆସିଛୁ ଆଉ ଆମକୁ ଖାଲି ହାତରେ ଫେରିବାର ନାହିଁ ।

ମୋଦି ଜୀ : ଆଜ୍ଞା, ବାପା, ଭାଇ ସମସ୍ତେ ଠିକ୍‍ ଅଛନ୍ତି?

ପ୍ରିୟଙ୍କା : ଆଜ୍ଞା ହଁ, ସବୁ ଭଲ । ମୁଁ ତ ସମସ୍ତଙ୍କୁ କହେ ଯେ ଆପଣ, ଆମମାନଙ୍କୁ ଏତେ ପ୍ରେରଣା ଦିଅନ୍ତି ଯେ, ସତରେ ସାର୍‍, ବହୁତ ଭଲ ଲାଗୁଛି, କାହିଁକିନା ୱାର୍ଲଡ ୟୁନିଭର୍ସିଟି ଭଳି ଖେଳକୁ, ଭାରତରେ ଏତେ ଗୁରୁତ୍ୱ ବି ଦିଆଯାଏନି; କିନ୍ତୁ ଏବେ ଏତେ ସମର୍ଥନ ମିଳୁଛି ଯେ ଏହି କ୍ରୀଡ଼ା ବିଷୟରେ ମଧ୍ୟ ଟ୍ୱିଟ୍‍ ଦେଖିବାକୁ ମିଳୁଛି; ପ୍ରତ୍ୟେକ ଲୋକ ଟ୍ୱିଟ୍‍ କରୁଛନ୍ତି ଯେ ଆମେ ଏତେ ପଦକ ଜିତିଲୁ, ତ ବହୁତ ଭଲ ଲାଗୁଛି ଯେ ଅଲିମ୍ପିକ୍ସ ଭଳିଆ ଏହାକୁ ମଧ୍ୟ ଏତେ ପ୍ରୋତ୍ସାହନ ମିଳୁଛି । 

ମୋଦି ଜୀ : ପ୍ରିୟଙ୍କା, ମୋ ତରଫରୁ ଅଭିନନ୍ଦନ । ଆପଣ ନାଁ ଉଜ୍ଜ୍ୱଳ କରିଛନ୍ତି । ଆସନ୍ତୁ ଆମେ ଅଭିଦନ୍ୟାଙ୍କ ସହ କଥା ହେବା ।

ଅଭିଦନ୍ୟା : ନମସ୍ତେ ସାର୍‍ ।

ମୋଦି ଜୀ : ନିଜ ସମ୍ପର୍କରେ କିଛି କହନ୍ତୁ ।

ଅଭିଦନ୍ୟା : ସାର୍‍ ମୁଁ କୋହ୍ଲାପୁର, ମହାରାଷ୍ଟ୍ର ବାସିନ୍ଦା । ମୁଁ ବନ୍ଧୁକଚାଳନା ପ୍ରତିଯୋଗିତାରେ ୨୫ ମିଟର ସ୍ପୋର୍ଟସ୍‍ ପିସ୍ତଲ ଆଉ ୧୦ ମିଟର ଏୟାର୍‍ ପିସ୍ତଲ୍‍, ଉଭୟରେ ଭାଗ ନିଏ । ମୋର ବାପାମାଆ ଉଭୟ ହାଇସ୍କୁଲ୍‍ ଶିକ୍ଷକ, ତ ମୁଁ ୨୦୧୫ରେ ପ୍ରଥମେ ବନ୍ଧୁକ ଚାଳନା ଆରମ୍ଭ କଲି । ଯେତେବେଳେ ମୁଁ ବନ୍ଧୁକ ଚାଳନା ଆରମ୍ଭ କଲି, ସେତେବେଳେ କୋହ୍ଲାପୁରରେ ସେତିକି ସୁବିଧାସୁଯୋଗ ମିଳୁନଥିଲା । ବସ୍‍ରେ ବଡ଼ଗାଓଁରୁ କୋହ୍ଲାପୁର ଯିବାପାଇଁ ଦେଢ଼ଘଣ୍ଟା ଲାଗେ, ଫେରିବା ପାଇଁ ଆଉ ଦେଢ଼ଘଣ୍ଟା, ଏବଂ ଚାରିଘଣ୍ଟା ତାଲିମ୍‍, ତ ଏମିତିରେ, ୬-୭ ଘଣ୍ଟା ଯିବାଆସିବା ଆଉ ତାଲିମରେ ଯାଉଥିଲା । କେବେକେବେ ମୁଁ ସ୍କୁଲ୍‍ ବି ଯାଇପାରୁ ନଥିଲି; ତ ମୋ ବାପାମା' କହିଲେ ଯେ ଝିଅ, ତୁ ଗୋଟାଏ କାମ କର, ଆମେ ତତେ ଶନିବାର-ରବିବାର ଶୁଟିଂ ରେଞ୍ଜ ନେଇକି ଯିବୁ, ଆଉ ବାକି ସମୟ ତୁ ଅନ୍ୟାନ୍ୟ ଖେଳ ଖେଳେ । ମୁଁ ବହୁତ ଗୁଡ଼ାଏ ଖେଳ ଖେଳୁଥିଲି ଛୋଟବେଳେ, କାହିଁକିନା ମୋର ବାପାମା' ଉଭୟଙ୍କର କ୍ରୀଡ଼ାରେ ରୁଚି ଥିଲା, କିନ୍ତୁ ସେମାନେ କିଛି କରିପାରିନଥିଲେ; ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା ଆଉ ଏ ବିଷୟରେ ସେତେ ଜ୍ଞାନ ମଧ୍ୟ ନଥିଲା । ତେଣୁ ମୋ ମାଆଙ୍କର ବଡ଼ ସ୍ୱପ୍ନ ଥିଲା ଯେ ମୁଁ ଦେଶର ପ୍ରତିନିଧିତ୍ୱ କରିବା ଉଚିତ ଆଉ ଦେଶ ପାଇଁ ପଦକ ମଧ୍ୟ ଜିତିବା ଦରକାର। ମୁଁ ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଛୋଟବେଳୁ ଖେଳକୁଦରେ ରୁଚି ରଖିଲି ଆଉ ମୁଁ ତାଏକ୍ୱୋଣ୍ଡୋ ମଧ୍ୟ କଲି । ସେଥିରେ ମଧ୍ୟ ମୁଁ ବ୍ଲାକ୍‍ବେଲ୍ଟ ଏବ ବକ୍ସିଂ, ଜୁଡୋ, ଫେନ୍ସିଂ ଆଉ ଡିସ୍‍କସ୍‍ ଥ୍ରୋ ଭଳି ବହୁତ ଗୁଡ଼ାଏ କ୍ରୀଡ଼ାରେ ଭାଗ ନେବାପରେ ମୁଁ ୨୦୧୫ରେ ବନ୍ଧୁକ ଚାଳନାକୁ ଆସିଲି । ପୁଣି ୨-୩ ବର୍ଷ ମୁଁ ବହୁତ ସଂଘର୍ଷ କଲି ଏବଂ ପ୍ରଥମ ଥର ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍‍ସିପ୍‍ ପାଇଁ ମାଲେସିଆ ଯିବାକୁ ମନୋନୀତ ହେଲି । ସେଥିରେ ମୋର କାଂସ୍ୟପଦକ ଜିତିଲି, ତ ସେଇଠୁ ପ୍ରକୃତରେ ମତେ ଉତ୍ସାହ ମିଳିଲା । ତା'ପରେ ମୋ ସ୍କୁଲ୍‍ ମୋ ପାଇଁ ଗୋଟିଏ ଶୁଟିଂ ରେଞ୍ଜ୍‍ ତିଆରି କଲା । ମୁଁ ସେଇଠି ତାଲିମ୍‍ ନେଲି ଆଉ ମତେ ସେମାନେ ତାଲିମ ପାଇଁ ପୁଣେ ପଠାଇଦେଲେ । ସେଇଠି ଗଗନ ନାରଙ୍ଗ ସ୍ପୋର୍ଟସ୍‍ ଫାଉଣ୍ଡେସନ ଅଛି "ଗନ୍‍ ଫର୍‍ ଗ୍ଲୋରି” ସେଇଠି ତାଲିମ ନେଉଛି । ଏବେ ଗଗନ ସାର୍‍ ମତେ ବହୁତ ପ୍ରୋତ୍ସାହିତ କରୁଛନ୍ତି ଏବଂ ମୋ ଖେଳକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରୁଛନ୍ତି ।

ମୋଦି ଜୀ : ଆଚ୍ଛା, ଆପଣ ଚାରିଜଣ ମତେ କିଛି କହିବାକୁ ଯଦି ଚାହାନ୍ତି ମୁଁ ଶୁଣିବାକୁ ଚାହୁଁଛି । ପ୍ରଗତି ହୁଅନ୍ତୁ, ଅମ୍ଳାନ ହୁଅନ୍ତୁ, ପ୍ରିୟଙ୍କା ହୁଅନ୍ତୁ ବା ଅଭିଦନ୍ୟା ହୁଅନ୍ତୁ । ଆପଣ ସମସ୍ତେ ମୋ ସହିତ ସମ୍ପର୍କରେ ଅଛନ୍ତି ତ କିଛି କହିବାର ଥିଲେ ମୁଁ ନିଶ୍ଚୟ ଶୁଣିବି ।

ଅମ୍ଳାନ : ସାର୍‍, ମୋର ଗୋଟିଏ ପ୍ରଶ୍ନ ଅଛି ସାର୍‍ ।

ମୋଦି ଜୀ : ଆଜ୍ଞା

ଅମ୍ଳାନ : ଆପଣଙ୍କୁ କୋଉ କ୍ରୀଡ଼ା ସବୁଠୁ ବେଶି ଭଲ ଲାଗେ ସାର୍‍?

ମୋଦି ଜୀ : କ୍ରୀଡ଼ା ଜଗତରେ ଭାରତକୁ ଆହୁରି ଆଗକୁ ଯିବାର ଅଛି ଏବଂ ଏଥିପାଇଁ ମୁଁ ଏସବୁ ଜିନିଷକୁ ବହୁତ ଗୁରୁତ୍ୱ ଦେଉଛି । କିନ୍ତୁ ହକି, ଫୁଟବଲ, କବାଡ଼ି, ଖୋ-ଖୋ, ଏସବୁ ଆମର ମାଟି ସହିତ ସମ୍ପୃକ୍ତ ଖେଳ । ଏଥିରେ ତ ଆମେ ପଛରେ ପଡ଼ିବା କଥା ନୁହଁ ଏବଂ ମୁଁ ଦେଖୁଛି ଯେ ତୀରଚାଳନାରେ ଆମ ଲୋକେ ବହୁତ ଭଲ କରୁଛନ୍ତି । ବନ୍ଧୁକ ଚାଳନାରେ ମଧ୍ୟ ଭଲ କରୁଛନ୍ତି । ଆଉ ଦ୍ୱିତୀୟ କଥା, ମୁଁ ଦେଖୁଛି ଯେ ଆମର ଯୁବପିଢ଼ି ଭିତରେ, ଏପରିକି ପରିବାରରେ ମଧ୍ୟ କ୍ରୀଡ଼ା ପ୍ରତି ଆଗରୁ ଯେଉଁ ଭାବ ଥିଲା ଏବେ ତାହା ନାହିଁ । ଆଗରୁ ପିଲାମାନେ ଖେଳିବାକୁ ଗଲେ ସେମାନଙ୍କୁ ମନା କରାଯାଉଥିଲା; ଆଉ ଏବେ ସମୟ ବହୁତ ବଦଳିଛି ଏବଂ ଆପଣମାନେ ଯେଉଁ ସଫଳତା ନେଇ ଆସୁଛନ୍ତି ତାହା ସମସ୍ତ ପରିବାରକୁ ପ୍ରେରଣା ଦେଇଥାଏ । ପ୍ରତ୍ୟେକ କ୍ରୀଡ଼ାରେ ଯେଉଁଠିକୁ ବି ଆମ ପିଲାଏ ଯାଆନ୍ତି ଦେଶପାଇଁ କିଛି ନା କିଛି କରିକି ଆସନ୍ତି । ଆଉ ଏ ଖବର ଆଜି ଦେଶରେ ଗୁରୁତ୍ୱର ସହ ପ୍ରସାରଣ ମଧ୍ୟ କରାଯାଏ, ଅନ୍ୟମାନଙ୍କୁ କୁହାଯାଏ ଏବଂ ସ୍କୁଲ୍‍ କଲେଜରେ ଚର୍ଚା ମଧ୍ୟ ହୁଏ । ସେ ଯାହାହେଉ, ମୋତେ ବହୁତ ଭଲ ଲାଗିଲା; ମୋ ତରଫରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ବଧେଇ । ବହୁତ ଶୁଭକାମନା । 

ଯୁବ ଖେଳାଳି : ବହୁତ ବହୁତ ଧନ୍ୟବାଦ । ଥ୍ୟାଙ୍କ୍‍ ୟୁ ସାର୍‍ । ଧନ୍ୟବାଦ । 

ମୋଦି ଜୀ : ଧନ୍ୟବାଦ । ନମସ୍କାର ।

ମୋର ପରିବାରଜନ, ଏଥର ୧୫ ଅଗଷ୍ଟ ଅବସରରେ ଦେଶ "ସବ୍‍କା ପ୍ରୟାସ'ର ସାମର୍ଥ୍ୟ ଦେଖିଲା । ସମସ୍ତ ଦେଶବାସୀଙ୍କ ପ୍ରୟାସ "ହର୍‍ ଘର୍‍ ତିରଙ୍ଗା ଅଭିଯାନ'କୁ ବାସ୍ତବରେ "ହର୍‍ ମନ୍‍ ତିରଙ୍ଗା ଅଭିଯାନ”ରେ ପରିଣତ କରିଦେଲା । ଏହି ଅଭିଯାନ ସମୟରେ ଅନେକ ରେକର୍ଡ ବି ହେଲା । ଦେଶବାସୀ କୋଟିକୋଟି ସଂଖ୍ୟାରେ ତ୍ରିରଙ୍ଗା କିଣିଲେ । ଦେଢ଼ ଲକ୍ଷ ଡାକଘର ଜରିଆରେ ପ୍ରାୟ ଦେଢ଼ କୋଟି ତ୍ରିରଙ୍ଗା ବିକ୍ରି କରାଯାଇଥିଲା । ଏହାଦ୍ୱାରା ଆମର ଶ୍ରମିକ, ବୁଣାକାରମାନଙ୍କୁ, ବିଶେଷ କରି ମହିଳାମାନଙ୍କର ଶହଶହ କୋଟି ଟଙ୍କା ଆୟ ମଧ୍ୟ ହେଲା । ତ୍ରିରଙ୍ଗା ସହ ସେଲ୍‍ଫି ପୋଷ୍ଟ୍‍ କରିବାରେ ମଧ୍ୟ ଏଥର ଦେଶବାସୀ ନୂଆ ରେକର୍ଡ ସୃଷ୍ଟି କଲେ । ଗତବର୍ଷ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରାୟ ୫ କୋଟି ଦେଶବାସୀ ତ୍ରିରଙ୍ଗା ସହିତ ସେଲ୍‍ଫି ପୋଷ୍ଟ୍‍ କରିଥିଲେ । ଏ ବର୍ଷ ଏହି ସଂଖ୍ୟା ୧୦ କୋଟିରୁ ଅଧିକ ହୋଇଛି । 

ବନ୍ଧୁଗଣ, ଏବେ ଦେଶରେ ଦେଶଭକ୍ତିର ଭାବନାକୁ ଜାଗ୍ରତ କରୁଥିବା ଅଭିଯାନ "ମୋ ମାଟି ମୋ ଦେଶ” ଜୋର୍‍ସୋର୍‍ରେ ଚାଲିଛି । ସେପ୍ଟେମ୍ବର ମାସରେ ଦେଶର ଗାଁ ଗାଁରେ, ପ୍ରତ୍ୟେକ ଘରୁ ମାଟି ଜମା କରିବାର ଅଭିଯାନ ଚାଲିବ । ଦେଶର ପବିତ୍ର ମାଟି ହଜାର ହଜାର ଅମୃତ କଳସରେ ଜମା କରାଯିବ । ଅକ୍ଟୋବର ଶେଷରେ ହଜାରହଜାର ଅମୃତ କଳସ ଯାତ୍ରା ସହିତ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିବ । ଏହି ମାଟିରେ ହିଁ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ କରାଯିବ । ମୋର ବିଶ୍ୱାସ ଯେ ପ୍ରତ୍ୟେକ ଦେଶବାସୀଙ୍କ ପ୍ରୟାସ ଏହି ଅଭିଯାନକୁ ମଧ୍ୟ ସଫଳ କରିବ ।

ମୋର ପରିବାରଜନ, ଏଥର ମତେ ସଂସ୍କୃତ ଭାଷାରେ ଅନେକ ପତ୍ର ମିଳିଛି । ତା’ର କାରଣ ହେଲା ଶ୍ରାବଣ ମାସର ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯାଏ ।

ସର୍ବେଭ୍ୟଃ ବିଶ୍ୱ-ସଂସ୍କୃତ-ଦିବସସ୍ୟ ହାର୍ଦ୍ୟଃ ଶୁଭକାମନାଃ 

ଆପଣ ସମସ୍ତଙ୍କୁ ବିଶ୍ୱ ସଂସ୍କୃତ ଦିବସର ବହୁତ ବହୁତ ଅଭିନନ୍ଦନ । ଆମେ ସବୁ ଜାଣନ୍ତି ଯେ ସଂସ୍କୃତ ଦୁନିଆର ସବୁଠାରୁ ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ଅନେକ ଆଧୁନିକ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ । ସଂସ୍କୃତ ନିଜର ପ୍ରାଚୀନତା ସଙ୍ଗେ ସଙ୍ଗେ ନିଜର ବୈଜ୍ଞାନିକତା ଏବଂ ବ୍ୟାକରଣ ପାଇଁ ମଧ୍ୟ ପ୍ରସିଦ୍ଧ । ଭାରତରେ ଅନେକ ପ୍ରାଚୀନ ଜ୍ଞାନକୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସଂସ୍କୃତ ଭାଷାରେ ହିଁ ସଂରକ୍ଷିତ କରାଯାଇଛି । ଯୋଗ, ଆୟୁର୍ବେଦ ଏବଂ ଦର୍ଶନଶାସ୍ତ୍ର ଭଳି ବିଷୟ ଉପରେ ଗବେଷଣା କରୁଥିବା ଲୋକମାନେ ଏବେ ଅଧିକରୁ ଅଧିକ ସଂସ୍କୃତ ଶିଖୁଛନ୍ତି । ଅନେକ ସଂସ୍ଥାନ ମଧ୍ୟ ଏ ଦିଗରେ ବହୁତ ଭଲ କାମ କରୁଛନ୍ତି । ଯଥା – Sanskrit Promotion Foundation, Sanskrit for Yog, Sanskrit for Ayurveda ଏବଂ Sanskrit for Buddhism ଆଦି ଅନେକ ପାଠ୍ୟକ୍ରମ କରାଉଛନ୍ତି । ସଂସ୍କୃତ ଭାରତୀ ଲୋକମାନଙ୍କୁ ସଂସ୍କୃତ ଶିଖାଇବାର ଅଭିଯାନ ଚଳାଉଛି । ଏଥିରେ ଆପଣମାନେ ୧୦ ଦିନିଆ ସଂସ୍କୃତ ସମ୍ଭାଷଣ ଶିବିରରେ ଭାଗ ନେଇପାରିବେ । ମୁଁ ଖୁସି ଯେ ଏବେ ଲୋକମାନଙ୍କ ଭିତରେ ସଂସ୍କୃତକୁ ନେଇ ସଚେତନତା ଏବଂ ଗର୍ବଭାବ ବଢ଼ିଛି । ୟା ପଛରେ ବିଗତ ବର୍ଷମାନଙ୍କରେ ଦେଶର ବିଶେଷ ଯୋଗଦାନ ମଧ୍ୟ ରହିଛି । ଯେମିତିକି ତିନୋଟି ସଂସ୍କୃତ Deemed Universityକୁ ଦୁଇ ହଜାର କୋଡ଼ିଏରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି । ବିଭିନ୍ନ ସହରରେ ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ଅନ୍ତର୍ଗତ ଅନେକ କଲେଜ ଏବଂ ସଂସ୍ଥାନ ପରିଚାଳିତ ହେଉଛି । ଆଇଆଇଟି ଏବଂ ଆଇଆଇଏମ ଭଳି ଅନୁଷ୍ଠାନମାନଙ୍କରେ ସଂସ୍କୃତ କେନ୍ଦ୍ରଗୁଡ଼ିକ ବହୁତ ଲୋକପ୍ର୍ରିୟ ହୋଇପାରୁଛି ।

ବନ୍ଧୁଗଣ, ପ୍ରାୟତଃ ଆପଣ ଗୋଟିଏ କଥା ନିଶ୍ଚୟ ଅନୁଭବ କରିଥିବେ ଯେ (ମୂଳ) ବା ଜଡ଼ ସହିତ ଯୋଡ଼ିହେବା, ଆମ ସଂସ୍କୃତି ସହିତ ଯୋଡ଼ିହେବାରେ ଆମ ପରମ୍ପରାର ବଡ଼ ସଶକ୍ତ ମାଧ୍ୟମ ହେଉଛି ଆମର ମାତୃଭାଷା । ଯେତେବେଳେ ଆମେ ଆମ ମାତୃଭାଷା ସହିତ ଯୋଡ଼ିହେଉ ସେତେବେଳେ ଆମେ ସହଜରେ ଆମ ସଂସ୍କୃତି ସହିତ ମଧ୍ୟ ଯୋଡ଼ି ହୋଇଯାଉ । ନିଜ ସଂସ୍କାର ସହିତ ଯୋଡ଼ି ହୋଇଯାଉ, ନିଜ ପରମ୍ପରା ସହିତ ଯୋଡ଼ି ହୋଇଯାଉ, ନିଜର ଚିରପୁରାତନ ଭବ୍ୟ ବୈଭବ ସହିତ ମଧ୍ୟ ଯୋଡ଼ି ହୋଇଯାଉ । ସେହିଭଳି ଦେଶର ଆଉ ଏକ ମାତୃଭାଷା ହେଉଛି, ଗୌରବଶାଳୀ ତେଲୁଗୁ ଭାଷା । ଅଗଷ୍ଟ ୨୯ ତାରିଖରେ ତେଲୁଗୁ ଦିବସ ପାଳନ କରାଯିବ ।

ଅନ୍ଦରିକୀ ତେଲଗୁ ଭାଷା ଦିନୋତ୍ସବ ଶୁଭାକାଂକ୍ଷଲୁ ।

ଆପଣ ସମସ୍ତଙ୍କୁ ତେଲଗୁ ଦିବସର ଅନେକ ଅନେକ ଅଭିନନ୍ଦନ । ତେଲୁଗୁ ଭାଷାର ସାହିତ୍ୟ ଓ ଐତିହ୍ୟ ଭିତରେ ଭାରତୀୟ ସଂସ୍କୃତିର ବହୁତ ଅମୂଲ୍ୟ ରତ୍ନ ଲୁଚିରହିଛନ୍ତି । ତେଲୁଗୁର ଏହି ଐତିହ୍ୟର ଲାଭ ଦେଶକୁ ପ୍ରାପ୍ତ ହେଉ, ସେଥିପାଇଁ ଅନେକ ପ୍ରୟାସ କରାଯାଉଛି ।

ମୋର ପ୍ରିୟ ପରିବାରଜନ, ‘ମନ୍ କି ବାତ୍‌’ର ଅନେକ ଅଧ୍ୟାୟରେ ଆମେ ପର୍ଯ୍ୟଟନ ବିଷୟରେ କଥା ହୋଇଛନ୍ତି । ଗୋଟିଏ ଜିନିଷ ବା ସ୍ଥାନକୁ ନିଜ ଆଖିରେ ଦେଖିବା, ବୁଝିବା ଏବଂ ତା’ସହିତ କିଛି ସମୟ ବିତେଇବା ଗୋଟିଏ ଅଲଗା ଅନୁଭୂତି ହେଇଥାଏ । କେହିଜଣେ ସମୁଦ୍ର ବିଷୟରେ କେବେବି ବର୍ଣ୍ଣନା କରୁନା’ କାହିଁକି, ଆମେ ସମୁଦ୍ରକୁ ନ ଦେଖିଲେ ତା’ର ବିଶାଳତା ଅନୁଭବ କରିପାରିବା ନାହିଁ । କେହି ହିମାଳୟ ବିଷୟରେ ଯେତେ ବି ବଖାଣିଲେ ମଧ୍ୟ ଆମେ ତାକୁ ନ ଦେଖିଲାଯାଏଁ ତା’ର ସୁନ୍ଦରତାର ଆକଳନ କରିପାରିବା ନାହିଁ । ସେଥିପାଇଁ ମୁଁ ପ୍ରାୟ ଆପଣମାନଙ୍କୁ କହିଥାଏ ଯେ ଯେତେବେଳେ ସୁଯୋଗ ମିଳୁଛି, ଆମ ଦେଶର ସୌନ୍ଦର୍ଯ୍ୟ, ନିଜ ଦେଶର ବିଭିନ୍ନତାକୁ ଦେଖିବାକୁ ଯିବା ଉଚିତ୍ । ଅନେକ ସମୟରେ ଆଉଗୋଟେ କଥା ମଧ୍ୟ ଦେଖାଯାଏ ଯେ’ ଆମେ ଦୁନିଆର କୋଣଅନୁକୋଣ ଯେତେ ଦେଖିଆସିଥିଲେ ମଧ୍ୟ ଆମ ନିଜ ସହର ବା ରାଜ୍ୟର ଅନେକ ସୁନ୍ଦର ସ୍ଥାନ ବିଷୟରେ ଆମେ ଅଜଣା ଥାଉ ।

ଅନେକ ସମୟରେ ଏଭଳି ଦେଖାଯାଏ ଯେ’ ଲୋକ ନିଜ ସହରର ଐତିହାସିକ ସ୍ଥଳ ବିଷୟରେ ବିଶେଷ ଜାଣିନଥାନ୍ତି । ଧନ୍‌ପାଲ୍‌ଜୀଙ୍କ ସହିତ ମଧ୍ୟ ଏହିଭଳି କିଛି ହୋଇଥିଲା । ଧନ୍‌ପାଲ୍ ଜୀ ବେଙ୍ଗାଲୁରୁର Transport Officeରେ ଡ୍ରାଇଭର ଭାବରେ କାମ କରୁଥିଲେ । ପ୍ରାୟ ୧୭ ବର୍ଷ ପୂର୍ବରୁ ତାଙ୍କୁ Sight Seeing ବିଭାଗରେ ଦାୟିତ୍ୱ ମିଳିଥିଲା । ଲୋକ ଏହାକୁ ବେଙ୍ଗାଲୁରୁ ଦର୍ଶିନୀ ନାମରେ ଜାଣନ୍ତି । ଧନ୍‌ପାଲ୍ ଜୀ ପର୍ଯ୍ୟଟକମାନଙ୍କୁ ସହରର ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇଯାଉଥିଲେ । ଏହିଭଳି ଏକ Tripରେ ଯାଉଥିଲାବେଳେ ଜଣେ ପର୍ଯ୍ୟଟକ ତାଙ୍କୁ ପଚାରିଲେ ବେଙ୍ଗାଲୁରୁରେ ଟ୍ୟାଙ୍କକୁ “ସ୍ୟାଙ୍କୀଟ୍ୟାଙ୍କ” କାହିଁକି କୁହାଯାଏ? ତାଙ୍କୁ ବହୁତ ଖରାପ ଲାଗିଲା । କାରଣ ଏହାର ଉତ୍ତର ତାଙ୍କୁ ଜଣାନଥିଲା । ତେଣୁ ସେ ନିଜ ଜ୍ଞାନ ବଢ଼ାଇବା ଉପରେ ଧ୍ୟାନ ଦେଲେ । ନିଜ ଐତିହ୍ୟ ସମ୍ବନ୍ଧରେ ଜାଣିବାର ପ୍ରବଳ ଚେଷ୍ଟା ଭିତରେ ତାଙ୍କୁ ଅନେକ ପଥର ଏବଂ ଶିଳାଲେଖ ମିଳିଲା । ଏହି କାମରେ ଧନ୍‌ପାଲ୍ ଜୀଙ୍କର ମନ ଏଭଳି ଲାଗିଗଲା ଯେ’ ସେ epigraphy ଅର୍ଥାତ୍ ଶିଳାଲେଖ ସମ୍ବନ୍ଧୀୟ ଜ୍ଞାନ ବିଷୟରେ ଡିପ୍ଲୋମା ମଧ୍ୟ କରିନେଲେ । ଯଦିଓ ଏବେ ସେ Retired ହୋଇସାରିଲେଣି, ତଥାପି ବେଙ୍ଗାଲୁରୁର ଇତିହାସ ଗବେଷଣା କରିବାର ତାଙ୍କର ସଉକ ଆଜି ମଧ୍ୟ ରହିଛି ।

ବନ୍ଧୁଗଣ! ବ୍ରାୟନ୍ ଡ଼ି ଖାରପ୍ରନ୍‌ଙ୍କ ବିଷୟରେ କହିବାକୁ ମୋତେ ଆଜି ବହୁତ ଖୁସି ଲାଗୁଛି । ସେ ମେଘାଳୟରେ ରହନ୍ତି ଏବଂ ସ୍ଫେଲିଓଲୋଜୀ ବିଷୟରେ ତାଙ୍କର ଅଦ୍ଭୁତ ଉତ୍ସାହ ରହିଛି । ସରଳ ଭାଷାରେ କହିଲେ ତା’ର ଅର୍ଥ ହେଉଛି ଗୁମ୍ଫାଗୁଡ଼ିକ ବିଷୟରେ ଅଧ୍ୟୟନ କରିବା । ଅନେକ ବର୍ଷ ପୂର୍ବରୁ ତାଙ୍କ ଭିତରେ ଏହି ଆଗ୍ରହ ସୃଷ୍ଟି ହେଲା – ଯେତେବେଳେ ସେ କେତେଗୁଡ଼ିଏ ଗପବହି ପଢ଼ିଲେ । ୧୯୬୪ରେ ଜଣେ ସ୍କୁଲ ଛାତ୍ର ଭାବରେ ସେ ତାଙ୍କର ପ୍ରଥମ Exploration କଲେ । ୧୯୯୦ ମସିହାରେ ନିଜ ବନ୍ଧୁଙ୍କ ସହିତ ମିଶି ଗୋଟିଏ Association ସ୍ଥାପନା କଲେ ଏବଂ ଏହା ମାଧ୍ୟମରେ ମେଘାଳୟର ଅଜଣା ଗୁମ୍ଫାଗୁଡ଼ିକର ଅନୁସନ୍ଧାନ ଆରମ୍ଭ କଲେ । ଦେଖୁ ଦେଖୁ ନିଜ ଟିମ୍ ସହିତ ସେ ମେଘାଳୟର ୧୭୦୦ରୁ ଅଧିକ ଗୁମ୍ଫା ଆବିଷ୍କାର କଲେ ଏବଂ ନିଜ ରାଜ୍ୟକୁ World Cave Map (ବିଶ୍ୱ ଗୁମ୍ଫା ମାନଚିତ୍ର)ରେ ସ୍ଥାନିତ କରିପାରିଲେ । ଭାରତର ସବୁଠାରୁ ଳମ୍ବା ଏବଂ ଗଭୀର ଗୁମ୍ଫାମାନଙ୍କ ମଧ୍ୟରୁ କେତେକ ମେଘାଳୟ ରାଜ୍ୟରେ ଅବସ୍ଥିତ ବ୍ରାୟନ୍ ଜୀ ଏବଂ ତାଙ୍କର ଦଳ Cave fauna ଅର୍ଥାତ୍ ଗୁମ୍ଫାର ଜୀବଜନ୍ତୁମାନଙ୍କ ବିଷୟରେ ଡକ୍ୟୁମେଣ୍ଟ ତିଆରି କଲେ ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ । ମୁଁ ଏହି ସମ୍ପୂର୍ଣ୍ଣ ଟିମ୍‌ର ପ୍ରଚେଷ୍ଟାକୁ ପ୍ରଶଂସା କରୁଛି ଏବଂ ଏହାସହିତ ମୋର ଅନୁରୋଧ ଆପଣମାନେ ମେଘାଳୟର ଗୁମ୍ଫାଗୁଡ଼ିକ ବୁଲିବାର ଯୋଜନା ଅବଶ୍ୟ କରନ୍ତୁ ।

ମୋର ପ୍ରିୟ ପରିବାରଜନ; ଆପଣମାନେ ସମସ୍ତେ ଜାଣନ୍ତି ଯେ’ ଗୋପାଳନ କ୍ଷେତ୍ର ଆମ ଦେଶର କ୍ଷେତ୍ରମାନଙ୍କ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆମର ମାଆ-ଭଉଣୀମାନଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ ଏହି କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଇ କିଛିଦିନ ତଳେ ମୋତେ ଗୁଜୁରାଟର ବନାସ୍ ଡାଏରୀର ଏକ ଉତ୍ସାହଜନକ ପ୍ରୟାସ ସମ୍ବନ୍ଧରେ ଜାଣିବାକୁ ମିଳିଲା ବନାସ୍ ଡାଏରୀ ଏସିଆର ସବୁଠାରୁ ବଡ଼ ଡାଏରୀର ମାନ୍ୟତା ପାଇଛି । ଏଠାରେ ପ୍ରତିଦିନ ହାରାହାରି ୭୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇଥାଏ । ତା’ପରେ ଏହାକୁ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଏ । ଏଠାକାର ଦୁଗ୍ଧ ଅନ୍ୟ ରାଜ୍ୟରେ ଯଥାସମୟରେ ପହଞ୍ଚାଇବା ପାଇଁ ଆଜିଯାଏ ଟ୍ୟାଙ୍କର ବା Milk Trainର ସାହାଯ୍ୟ ନିଆଯାଉଥିଲା । କିନ୍ତୁ ଏଥିରେ ମଧ୍ୟ କିଛି କମ୍ ଅସୁବିଧା ନ ଥିଲା । ପ୍ରଥମତଃ Loading ଏବଂ Unloadingରେ ବହୁତ ସମୟ ଲାଗୁଥିଲା ତଥା ଅନେକ ଥର ଦୁଗ୍ଧ ଖରାପ ବି ହୋଇଯାଉଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ଗୋଟିଏ ନୂଆ ପ୍ରୟାସ କଲା । Railwayଦ୍ୱାରା ପାଲନପୁର୍‌ଠାରୁ ନ୍ୟୁ ରେୱାଡ଼ୀ ପର୍ଯ୍ୟନ୍ତ Truck-on-Track ସୁବିଧା ଆରମ୍ଭ କରାଗଲା । ଏଥିରେ ଦୁଗ୍ଧଭର୍ତ୍ତି ଟ୍ରକକୁ ସିଧା ଟ୍ରେନରେ ଚଢ଼ାଇ ଦିଆଗଲା । ଅର୍ଥାତ୍ ପରିବହନର ବହୁତ ବଡ଼ ଅସୁବିଧା ଦୂର ହେଲା । Truck-on-Track ବ୍ୟବସ୍ଥାର ପରିଣାମ ବହୁତ ସନ୍ତୋଷଜନକ ହେଲା । ପ୍ରଥମେ ଯେଉଁ ଦୁଗ୍ଧକୁ ପହଞ୍ଚାଇବା ପାଇଁ ତିରିଶ ଘଣ୍ଟା ସମୟ ଲାଗୁଥିଲା, ଏବେ ତାହା ଅଧାରୁ କମ୍ ସମୟ ଭିତରେ ପହଞ୍ଚିପାରୁଛି । ଏହାଦ୍ୱାରା ଇନ୍ଧନରୁ ହେଉଥିବା ପ୍ରଦୂଷଣ କମ୍ ହେବା ସଙ୍ଗେ ସଙ୍ଗେ ଇନ୍ଧନ ବାବଦ ଖର୍ଚ୍ଚ ମଧ୍ୟ କମ୍ ହେଉଛି । ଫଳରେ ଟ୍ରକ୍ ଡ୍ରାଇଭରମାନଙ୍କର ମଧ୍ୟ ଲାଭ ହୋଇଛି । ସେମାନଙ୍କ ଜୀବନ ଧାରଣର ମାନ ମଧ୍ୟ ସହଜ ହୋଇପାରିଛି ।

ବନ୍ଧୁଗଣ; ସମୂହ ପ୍ରଚେଷ୍ଟା ମାଧ୍ୟମରେ ଆମର ଡାଏରୀଗୁଡ଼ିକ ମଧ୍ୟ ଆଧୁନିକ ଭାବନା ସହିତ ଆଗକୁ ଆଗେଇଚାଲିଛି । ବନାସ୍ ଡାଇରୀ ପରିବେଶ ସଂରକ୍ଷଣ ଦିଗରେ ମଧ୍ୟ କିପରି ଅଗ୍ରଗତି କରିଛି ସିଡ୍ୱାଲ୍ ବୃକ୍ଷରୋପଣ ଅଭିଯାନରୁ ତା’ର ପରିଚୟ ମିଳିଥାଏ । ବାରାଣାସୀ Milk ୟୁନିୟନ୍ ଆମ ଡାଇରୀ ଫାର୍ମରମାନଙ୍କର ଆୟ ବଢ଼ାଇବା ପାଇଁ Manure Management ଉପରେ କାମ କରୁଛି । କେରଳର ମାଲାବାର Milk ୟୁନିୟନ ଡାଇରୀର ପ୍ରଚେଷ୍ଟା ମଧ୍ୟ ଅତ୍ୟନ୍ତ ନିଆରା । ଏହା ପଶୁମାନଙ୍କର ରୋଗ ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବିକଶିତ କରିବା କାର୍ଯ୍ୟରେ ଲାଗିଛି ।

ବନ୍ଧୁଗଣ, ଆଜି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋପାଳନକୁ ବିଭିନ୍ନ ଦିଗରେ ପ୍ରୟୋଗ କରୁଛନ୍ତି । ରାଜସ୍ଥାନର କୋଟାରେ ଡାଇରୀ ଫାର୍ମ କରିଥିବା ଅମନ୍‌ପ୍ରୀତ୍ ସିଂଙ୍କ ବିଷୟରେ ଆପଣମାନେ ଜାଣିବା ନିହାତି ଉଚିତ । ସେ ଗୋପାଳନ ସଙ୍ଗେ ସଙ୍ଗେ ବାୟୋଗ୍ୟାସ୍ ଉପରେ ମଧ୍ୟ ଧ୍ୟାନକେନ୍ଦ୍ରିତ କଲେ ଏବଂ ଦୁଇଟି ବାୟୋଗ୍ୟାସ୍ ପ୍ଲାଣ୍ଟ ଲଗାଇଲେ । ଏହାଦ୍ୱାରା ତାଙ୍କର ବିଜୁଳିଶକ୍ତି ପାଇଁ ଲାଗୁଥିବା ଖର୍ଚ୍ଚ ପ୍ରାୟତଃ ୭୦ ପ୍ରତିଶତ କମିଗଲା । ତାଙ୍କର ଏହି ପ୍ରୟାସ ସାରାଦେଶର ଗୋପାଳକମାନଙ୍କୁ ପ୍ରେରିତ କରିବ । ଆଜି ଅନେକ ବଡ଼ ବଡ଼ ଗୋପାଳନ ସଂସ୍ଥା ବାୟୋଗ୍ୟାସ୍ ଉପରେ ଧ୍ୟାନକେନ୍ଦ୍ରିତ କରୁଛନ୍ତି । ଏହିଭଳି Community driven value addition ବହୁତ ଉତ୍ସାହଜନକ । ମୋର ବିଶ୍ୱାସ, ଦେଶରେ ଏହିଭଳି ଧାରା ନିରନ୍ତର ଜାରି ରହିବ ।

ମୋର ପରିବାରଜନ; ‘ମନ୍ କି ବାତ୍‌’ରେ ଆଜିପାଇଁ ଏତିକି । ଏବେ ପର୍ବପର୍ବାଣୀର ଋତୁ ମଧ୍ୟ ଆସିଗଲାଣି । ଆପଣ ସମସ୍ତଙ୍କୁ ରକ୍ଷାବନ୍ଧନର ଅଗ୍ରୀମ ଶୁଭକାମନା । ପର୍ବପର୍ବାଣୀ ଏବଂ ଆନନ୍ଦ ସମୟରେ ଆମେ Vocal-for-Local ର ମନ୍ତ୍ରକୁ ଭୁଲିବା ଉଚିତ ନୁହେଁ । ‘ଆତ୍ମନିର୍ଭର ଭାରତ’ ଅଭିଯାନ ପ୍ରତ୍ୟେକ ଦେଶବାସୀର ଅଭିଯାନ । ଯେତେବେଳେ ଉତ୍ସବର ବାତାବରଣ ଅଛି ସେତେବେଳେ ଆସ୍ଥା ସହିତ ଆମେ ସ୍ଥାନ ତଥା ତା’ର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ତ ରଖିବା; କିନ୍ତୁ ତାହା ସବୁଦିନ ପାଇଁ ରଖିବା । ଆରଥରକୁ ପୁଣି ଆପଣମାନଙ୍କ ସହିତ ‘ମନ୍ କି ବାତ୍‌’ ହେବ, କିଛି ନୂଆ ବିଷୟ ସହିତ ପୁଣି ସାକ୍ଷାତ ହେବ । ଆମେ ଦେଶବାସୀଙ୍କର କିଛି ନୂତନ ପ୍ରୟାସ ଏବଂ ତା’ର ସଫଳତାର ଚର୍ଚ୍ଚା ମନଭରି କରିବା । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ।

ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.