ଅମୃତ ମହୋତ୍ସବ ଏବଂ ସ୍ୱାଧୀନତା ଦିବସର ବିଶେଷ ଅବସରରେ ଆମେ ଦେଶର ସାମୂହିକ ଶକ୍ତି ଦେଖିଛୁ: ପ୍ରଧାନମନ୍ତ୍ରୀ
ହଜାର ହଜାର ବର୍ଷ ପୂର୍ବେ ଆମ ସଂସ୍କୃତିରେ ଜଳ ଏବଂ ଜଳ ସଂରକ୍ଷଣର ଗୁରୁତ୍ୱ ବ୍ୟାଖ୍ୟା କରାଯାଇଛି: ପ୍ରଧାନମନ୍ତ୍ରୀ ମୋଦୀ
ଅମୃତ ସରୋବର ନିର୍ମାଣ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ସେପ୍ଟେମ୍ବରରେ ପୋଷଣ ମାହ ଅଭିଯାନରେ ଯୋଗଦେବାକୁ ସମସ୍ତଙ୍କୁ ଅନୁରୋଧ: ପ୍ରଧାନମନ୍ତ୍ରୀ ମୋଦୀ
ମିଳିତ ଜାତିସଂଘ 2023 କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି: ପ୍ରଧାନମନ୍ତ୍ରୀ
ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ମିଲେଟ୍ସ ଉତ୍ପାଦକ, ଏହା କ୍ଷୁଦ୍ର କୃଷକମାନଙ୍କ ପାଇଁ ଲାଭଦାୟକ: ପ୍ରଧାନମନ୍ତ୍ରୀ ମୋଦୀ
ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଯୋଗୁଁ ଦେଶରେ ଡିଜିଟାଲ ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି: ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହି ଅଗଷ୍ଟ ମାସରେ ଆପଣମାନଙ୍କ ଚିଠି, ବାର୍ତ୍ତା ଓ କାର୍ଡ଼ଗୁଡ଼ିକ ମୋ କାର୍ଯ୍ୟାଳୟକୁ ତ୍ରିରଙ୍ଗାମୟ କରିଦେଇଛି । ମୋତେ ହୁଏତ ଏମିତି କୌଣସି ଚିଠି ମିଳିନି, ଯାହା ଉପରେ ତ୍ରିରଙ୍ଗା ନାହିଁ ବା ସ୍ୱାଧୀନତା ସହ ସମ୍ପର୍କିତ କଥା ନ ଲେଖା ହୋଇଛି । ପିଲାମାନେ, ଯୁବବନ୍ଧୁମାନେ ତ ଅମୃତ ମହୋତ୍ସବ ଉପରେ ଖୁବ ସୁନ୍ଦର ସୁନ୍ଦର ଚିତ୍ର ଓ କଳାକୃତି ମଧ୍ୟ ଆଙ୍କି ପଠାଇଛନ୍ତି । ସ୍ୱାଧୀନତାର ଏହି ମାସର ସମଗ୍ର ଦେଶରେ, ପ୍ରତ୍ୟେକ ସହରରେ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତଧାରା ପ୍ରବାହମାନ ହେଉଛି । ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ଏହି ବିଶେଷ ଅବସରରେ ଆମେ ଦେଶର ସାମୂହିକ ଶକ୍ତିକୁ ଦେଖିପାରିଛୁ । ଗୋଟିଏ ଚେତନାର ଅନୁଭୂତି ମିଳିଛି । ଏତେ ବଡ଼ ଦେଶ, ଏତେଗୁଡ଼ିଏ ବିବିଧତା, କିନ୍ତୁ ତ୍ରିରଙ୍ଗା ଉଡ଼ାଇବାର କଥା ଯେତେବେଳେ ଆସିଲା, ସେତେବେଳେ ପ୍ରତ୍ୟେକ ସେହି ଗୋଟିଏ ଭାବଧାରାରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଲା । ଲୋକେ ସ୍ୱୟଂ ତ୍ରିରଙ୍ଗାର ଗୌରବର ପ୍ରହରୀ ହୋଇ ଆଗେଇ ଆସିଲେ । ଆମେ ସ୍ୱଚ୍ଛତା ଅଭିଯାନ ଓ ଟିକାକରଣ ଅଭିଯାନରେ ଦେଶର ଉତ୍ସାହ ଲକ୍ଷ୍ୟ କରିଥିଲୁ । ଅମୃତ ମହୋତ୍ସବରେ ଆମକୁ ପୁଣିଥରେ ଦେଶଭକ୍ତିର ସେହି ଉତ୍ସାହ ଦେଖିବାକୁ ମିଳୁଛି । ଆମ ସୈନ୍ୟମାନେ ପର୍ବତର ସୁଉଚ୍ଚ ଶିଖରରେ, ଦେଶର ସୀମାରେ ଓ ସାଗର ବକ୍ଷରେ ତ୍ରିରଙ୍ଗା ଉଡ଼ାଇଲେ । ଲୋକେ ତ୍ରିରଙ୍ଗା ଅଭିଯାନ ପାଇଁ ଭିନ୍ନ ଭିନ୍ନ ଅଭିନବ ଭାବନା ମଧ୍ୟ ବାହାର କଲେ – ଯେମିତିକି ଯୁବବନ୍ଧୁ କୃଷ୍ଣିଲ୍ ଅନିଲ୍ କଲେ । ଅନିଲ୍ ଜଣେ ପଜଲ୍ ଆର୍ଟିଷ୍ଟ ଓ ସେ ରେକର୍ଡ଼ ସମୟରେ ସୁନ୍ଦର ତ୍ରିରଙ୍ଗା ମୋଜାଇକ୍ ଆର୍ଟ ତିଆରି କରିଛନ୍ତି । କର୍ଣ୍ଣାଟକର କୋଲାରରେ ଲୋକେ ୬୩୦ ଫୁଟ୍ ଲମ୍ବା ଓ ୨୦୫ ଫୁଟ୍ ଚଉଡ଼ା ତ୍ରିରଙ୍ଗା ଧରି ଗୋଟିଏ ନିଆରା ଦୃଶ୍ୟ ସୃଷ୍ଟି କଲେ । ଆସାମରେ ସରକାରୀ କର୍ମଚାରୀମାନେ ଦିଘାଲିପୁଖୁରୀ ଯୁଦ୍ଧ ସ୍ମାରକୀରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ନିଜ ହାତରେ ୨୦ ଫୁଟର ତ୍ରିରଙ୍ଗା ତିଆରି କଲେ । ସେହିଭଳି, ଇନ୍ଦୋରରେ ଲୋକେ ମାନବ ଶୃଙ୍ଖଳ ମାଧ୍ୟମରେ ଭାରତର ମାନଚିତ୍ର ତିଆରି କଲେ । ଚଣ୍ଡିଗଡ଼ରେ ଯୁବବନ୍ଧୁମାନେ ବିଶାଳ ମାନବ ତ୍ରିରଙ୍ଗା ପ୍ରସ୍ତୁତ କଲେ । ଏହି ଦୁଇଟିଯାକ ପ୍ରୟାସକୁ ଗିନିଜ୍ ରେକର୍ଡ଼ରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ସହିତ ହିମାଚଳ ପ୍ରଦେଶର ଗଙ୍ଗୋଟ୍ ପଂଚାୟତରେ ଗୋଟିଏ ଖୁବ ପ୍ରେରଣାଦାୟୀ ଉଦାହରଣ ମଧ୍ୟ ଦେଖିବାକୁ ମିଳିଲା । ଏଠାରେ ପଂଚାୟତରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକମାନଙ୍କ ପିଲାମାନଙ୍କୁ ମୁଖ୍ୟ ଅତିଥି ରୂପେ ସାମିଲ କରାଗଲା ।

ବନ୍ଧୁଗଣ, ଅମୃତ ମହୋତ୍ସବର ଏହି ରଙ୍ଗ କେବଳ ଭାରତରେ ହିଁ ନୁହେଁ, ବରଂ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲା । ବୋଟସ୍ୱାନାରେ ଥିବା ସ୍ଥାନୀୟ କଣ୍ଠଶିଳ୍ପୀମାନେ ଭାରତର ସ୍ୱାଧୀନତାରେ ୭୫ ବର୍ଷ ପାଳନ କରିବା ପାଇଁ ୭୫ଟି ଦେଶାତ୍ମବୋଧକ ଗୀତ ଗାଇଲେ । ଏଥିରେ ଆଉ ଗୋଟିଏ ବିଶେଷ କଥା ହେଲା, ଯେ ଏହି ୭୫ଟି ଗୀତ ହିନ୍ଦୀ, ପଞ୍ଜାବୀ, ଗୁଜରାଟି, ବଙ୍ଗଳା, ଅସମିଆ, ତାମିଲ, ତେଲୁଗୁ, କନ୍ନଡ଼ ଓ ସଂସ୍କୃତ ଭାଷାଗୁଡ଼ିକର ଥିଲା । ସେହିପରି ନାମିବିୟାରେ ଭାରତ-ନାମିବିୟାର ସାଂସ୍କୃତିକ-ପରମ୍ପରାଗତ ସମ୍ପର୍କକୁ ନେଇ ବିଶେଷ ଡାକଟିକଟ ଜାରି କରାଗଲା ।

ବନ୍ଧୁଗଣ, ମୁଁ ଆଉ ଗୋଟିଏ ଖୁସିର କଥା କହିବାକୁ ଚାହୁଁଛି । ଏହି କିଛିଦିନ ତଳେ ମୋତେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୋଟିଏ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ମିଳିଲା । ସେଠାରେ ସେମାନେ ଦୂରଦର୍ଶନର ଧାରାବାହିକ ସ୍ୱରାଜର ସ୍କ୍ରିନିଂର ବ୍ୟବସ୍ଥା କରିଥିଲେ । ମୋତେ ଏହାର ପ୍ରିମିୟର ଦେଖିବାର ସୁଯୋଗ ମିଳିଲା । ଏହା ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଅଜଣା ନାୟକ-ନାୟିକାଙ୍କ ପ୍ରୟାସ ସହ ଦେଶର ଯୁବବର୍ଗଙ୍କୁ ପରିଚିତ କରାଇବାର ଗୋଟିଏ ସୁନ୍ଦର ପଦକ୍ଷେପ । ଏହା ଦୂରଦର୍ଶନରେ ପ୍ରତି ରବିବାର ରାତି ୯ଟାରେ ପ୍ରସାରିତ ହେଉଛି ଆଉ ୭୫ ସପ୍ତାହଯାଏଁ ଏହାର ପ୍ରସାରଣ କରାଯିବ ବୋଲି ମୋତେ ସୂଚନା ଦିଆଯାଇଛି । ଆପଣମାନେ ସମୟ ବାହାର କରି ନିଜେ ଏହାକୁ ଦେଖନ୍ତୁ, ନିଜ ଘରେ ପିଲାମାନଙ୍କୁ ଦେଖାନ୍ତୁ ବୋଲି ମୋର ଆପଣମାନଙ୍କୁ ଅନୁରୋଧ । ଆଉ ସୋମବାର ଦିନ ସ୍କୁଲ-କଲେଜ ଖୋଲିଲେ ସେଠାରେ ତ ଏହାର ରେକର୍ଡ଼ିଂକୁ ନେଇ ବିଶେଷ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯାଇପାରେ, ଯାହାଫଳରେ ସ୍ୱାଧୀନତାର ଜନ୍ମର ଏହି ମହାନାୟକମାନଙ୍କ ପ୍ରତି ଆମ ଦେଶରେ ଗୋଟିଏ ନୂତନ ସଚେତନତା ସୃଷ୍ଟି ହୋଇପାରିବ । ସ୍ୱାଧୀନତାର ଅମୃତ ମହୋତ୍ସବ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଯାଏଁ ଚାଲିବ । ଦେଶ ପାଇଁ, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଆମେ ଯାହାକିଛି ଲେଖୁଛୁ କିମ୍ବା ଆୟୋଜନ କରୁଛୁ, ସେ ସବୁକୁ ଆଗେଇ ନେବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଆମ ପୂର୍ବପୁରୁଷମାନଙ୍କ ଜ୍ଞାନ, ଆମ ପୂର୍ବପୁରୁଷମାନଙ୍କ ଦୂରଦୃଷ୍ଟି ଓ ଆମ ପୂର୍ବପୁରୁଷମାନଙ୍କ ଏକାତ୍ମଚିନ୍ତନ ଆଜି ମଧ୍ୟ କେତେ ଗୁରୁତ୍ୱପୂର୍ଣ୍ଣ । ଏହାର ଗଭୀରତା ଆମକୁ ଆଶ୍ଚର୍ଯ୍ୟଚକିତ କରୁଛି । ହଜାର ହଜାର ବର୍ଷ ପୁରାତନ ଆମର ଋଗବେଦ । ଋଗବେଦରେ କୁହାଯାଇଛି –

ଓମାନ-ମାପୋ ମାନୁଷୀଃ ଅମୃକ୍ତମ୍ ଧାତ ତୋକାୟ ତନୟାୟ ଶଂ ୟୋଃ ।

ୟୂୟଂ ହିଷ୍ଠା ଭିଷଜୋ ମାତୃତମା ବିଶ୍ୱସ୍ୟ ସ୍ଥାତୁଃ ଜଗତୋ ଜନିତ୍ରୀଃ । ।

ଅର୍ଥାତ୍, ହେ ଜଳ, ଆପଣ ମାନବତାର ପରମ ମିତ୍ର । ଆପଣ ଜୀବନଦାୟିନୀ, ଆପଣଙ୍କ ଠାରୁ ହିଁ ଅନ୍ନ ଉତ୍ପନ୍ନ ହୋଇଥାଏ ଓ ଆପଣଙ୍କ ଦ୍ୱାରା ହିଁ ଆମ ସନ୍ତାନମାନଙ୍କ ହିତ ସାଧିତ ହୋଇଥାଏ । ଆପଣ ଆମ ପାଇଁ ସୁରକ୍ଷା ପ୍ରଦାନକାରୀ ଓ ସମସ୍ତ ଦୁର୍ଗୁଣରୁ ଦୂରରେ ରଖନ୍ତି । ଆପଣ ସର୍ବୋତ୍ତମ ଔଷଧି ଏବଂ ଆପଣ ହିଁ ଏହି ବ୍ରହ୍ମାଣ୍ଡର ପାଳନକର୍ତ୍ତା ।

ଚିନ୍ତାକରନ୍ତୁ, ଆମ ସଂସ୍କୃତିରେ ହଜାର ହଜାର ବର୍ଷ ପୂର୍ବେ ଜଳ ଓ ଜଳ ସଂରକ୍ଷଣର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହି ଜ୍ଞାନକୁ ଯେତେବେଳେ ଆମେ ଆଜିର ପରିପ୍ରେକ୍ଷୀରେ ଦେଖୁଛୁ, ସେତେବେଳେ ରୋମାଂଚିତ ହୋଇଉଠୁଛୁ । କିନ୍ତୁ, ଏହି ଜ୍ଞାନକୁ ଦେଶ ଯେତେବେଳେ ନିଜର ସାମର୍ଥ୍ୟ ରୂପେ ଗ୍ରହଣ କରୁଛି ସେତେବେଳେ ଏହାର ଶକ୍ତି ଅନେକ ଗୁଣ ବୃଦ୍ଧି ପାଉଛି । ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍’ରେ ହିଁ ଚାରିମାସ ପୂର୍ବେ ମୁଁ ଅମୃତ ସରୋବର କଥା କହିଥିଲି । ତା ପରେ ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଲାଗିପଡ଼ିଲେ ଆଉ, ଦେଖୁ ଦେଖୁ ଅମୃତ ସରୋବର ନିର୍ମାଣ ଗୋଟିଏ ଜନ-ଆନ୍ଦୋଳନରେ ପରିଣତ ହୋଇଯାଇଛି । ଯେତେବେଳେ ଦେଶ ପାଇଁ କିଛି କରିବାର ଭାବନା ଥାଏ, ନିଜ କର୍ତ୍ତବ୍ୟ ପ୍ରତି ସଚେତନତା ଥାଏ, ଆଗାମୀ ପିଢ଼ି ପାଇଁ ଚିନ୍ତା ଥାଏ, ସେତେବେଳେ ସାମର୍ଥ୍ୟ ଜୁଟିଯାଏ ଆଉ ସଂକଳ୍ପ ମହତ୍ ହୋଇଯାଏ । ମୋତେ ତେଲଙ୍ଗାନାର ୱାରଙ୍ଗଲର ଗୋଟିଏ ସୁନ୍ଦର ଉଦ୍ୟମ ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଗୋଟିଏ ନୂଆ ଗ୍ରାମପଂଚାୟତ ଗଠିତ ହୋଇଛି, ଯାହାର ନାଁ ହେଉଛି – ମଙ୍ଗତ୍ୟା-ୱାଲ୍ୟା ଥାଣ୍ଡା । ଏହା ଏକ ଜଙ୍ଗଲ ନିକଟବର୍ତ୍ତୀ ଗାଁ । ଏହା ଗାଁ ପାଖରେ ଏଭଳି ଗୋଟିଏ ଜାଗା ଥିଲା ଯେଉଁଠାରେ ବର୍ଷାଦିନେ ବହୁ ପରିମାଣରେ ଜଳ ଏକତ୍ରିତ ହୋଇଯାଉଥିଲା । ଗ୍ରାମବାସୀଙ୍କ ପଦକ୍ଷେପ ଯୋଗୁଁ ଏବେ ଏହି ସ୍ଥାନକୁ ଅମୃତ ସରୋବର ଅଭିଯାନ ଅନ୍ତର୍ଗତ ବିକଶିତ କରାଯାଉଛି । ଏଥର ବର୍ଷାଋତୁରେ ହୋଇଥିବା ବର୍ଷାଜଳରେ ଏହି ସରୋବର ଜଳପୂର୍ଣ୍ଣ ହୋଇଯାଇଛି ।

ମୁଁ ମଧ୍ୟପ୍ରଦେଶର ମାଣ୍ଡଲାଠାରେ ମୋଚା ଗ୍ରାମପଂଚାୟତରେ ତିଆରି ହୋଇଥିବା ଅମୃତ ସରୋବର ବିଷୟରେ ମଧ୍ୟ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି । ଏହି ଅମୃତ ସରୋବର କାହ୍ନା ଜାତୀୟ ଉଦ୍ୟାନ ନିକଟରେ ନିର୍ମାଣ କରାଯାଇଛି ଏବଂ ଏହା ଏହି ଅଂଚଳର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଉତ୍ତରପ୍ରଦେଶର ଲଳିତପୁରଠାରେ ନବନିର୍ମିତ ଶହୀଦ୍ ଭଗତ୍ ସିଂ ଅମୃତ ସରୋବର ମଧ୍ୟ ଅନେକ ଲୋକଙ୍କୁ ଆକର୍ଷିତ କରୁଛି । ଏଠାକାର ନିୱାରୀ ଗ୍ରାମପଂଚାୟତରେ ଅବସ୍ଥିତ ଏହି ସରୋବର ୪ ଏକର ଜାଗାରେ ପରିବ୍ୟାପ୍ତ । ସରୋବର କୂଳରେ କରାଯାଇଥିବା ବୃକ୍ଷରୋପଣ ଏହାର ଶୋଭା ବର୍ଦ୍ଧନ କରୁଛି । ସରୋବର ନିକଟରେ ସ୍ଥାପିତ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗାକୁ ଦେଖିବାକୁ ମଧ୍ୟ ଲୋକେ ଦୂର-ଦୂରାନ୍ତରୁ ଆସୁଛନ୍ତି । ଅମୃତ ସରୋବରର ଏହି ଅଭିଯାନ କର୍ଣ୍ଣାଟକରେ ମଧ୍ୟ ଜୋରସୋରରେ ଚାଲିଛି । ଏଠାକାର ବାଗଲକୋଟ୍ ଜିଲ୍ଲାର ବିଲ୍କେରୁର୍ ଗାଁରେ ଲୋକେ ବହୁତ ସୁନ୍ଦର ଅମୃତ ସରୋବର ନିର୍ମାଣ କରିଛନ୍ତି । ପ୍ରକୃତରେ ଏହି ଅଂଚଳରେ ପାହାଡ଼ରୁ ବାହାରିଥିବା ପାଣି ଯୋଗୁଁ ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା । ଚାଷୀମାନଙ୍କ ଫସଲର ବହୁତ କ୍ଷତି ହେଉଥିଲା । ଅମୃତ ସରୋବର ନିର୍ମାଣ ପାଇଁ ଗାଁର ଲୋକେ ପାଣିକୁ ଚାନାଲାଇଜ୍ କରି ଗୋଟିଏ ପଟକୁ ନେଇଆସିଲେ । ଏହାଦ୍ୱାରା ଏହି ଅଂଚଳରେ ବନ୍ୟା ସମସ୍ୟା ମଧ୍ୟ ଦୂର ହୋଇଗଲା । ଅମୃତ ସରୋବର ଅଭିଯାନ ଆମର ଆଜିର ଅନେକ ସମସ୍ୟାର ସମାଧାନ କରିବା ସହ ଆମର ଆଗାମୀ ପିଢ଼ି ପାଇଁ ବିଶେଷ ଭାବେ ଜରୁରୀ । ଏହି ଅଭିଯାନ ଅଧୀନରେ ଅନେକ ସ୍ଥାନରେ ପୁରୁଣା ଜଳାଶୟଗୁଡ଼ିକର ମଧ୍ୟ କାୟାକଳ୍ପ କରାଯାଉଛି । ଅମୃତ ସରୋବରର ଉପଯୋଗ ପ୍ରାଣୀମାନଙ୍କ ତୃଷା ନିବାରଣ ସହ ଚାଷବାସ ପାଇଁ ମଧ୍ୟ ବ୍ୟବହୃତ ହେଉଛି । ଏହି ପୋଖରୀଗୁଡ଼ିକ ଯୋଗୁଁ ଆଖପାଖ ଅଂଚଳର ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବା ବେଳେ ଏହାର ଚାରିପାଖରେ ସବୁଜିମା ମଧ୍ୟ ବୃଦ୍ଧି ପାଉଛି । କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଲୋକେ ଅମୃତ ସରୋବରରେ ମତ୍ସ୍ୟ ପାଳନର ପ୍ରସ୍ତୁତିରେ ମଧ୍ୟ ଲାଗିପଡ଼ିଛନ୍ତି । ମୋର ଆପଣମାନଙ୍କୁ, ବିଶେଷକରି ମୋର ଯୁବବନ୍ଧୁମାନଙ୍କୁ ଅନୁରୋଧ ଯେ ଆପଣମାନେ ଅମୃତ ସରୋବର ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତୁ ଏବଂ ଜଳ ସଂଚୟ ଓ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଚେଷ୍ଟାକୁ ଆହୁରି ଶକ୍ତିଶାଳି କରନ୍ତୁ, ଏହାକୁ ଆଗେଇ ନିଅନ୍ତୁ । .......

ମୋର ପ୍ରିୟ ଦେଶବାସୀଗଣ, ଆସାମର ବୋନଗାଇ ଗାଁରେ ଏକ ଚମତ୍କାର ପ୍ରକଳ୍ପ ଚଳାଯାଉଛି- ପ୍ରୋଜେକ୍ଟ ସମ୍ପୂର୍ଣ୍ଣା । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି କୁପୋଷଣ ବିରୋଧରେ ଲଢ଼େଇ ଏବଂ ଏହି ଲଢ଼େଇର ପଦ୍ଧତି ମଧ୍ୟ ବହୁତ ନିଆରା । ଏଥିରେ କୌଣସି ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ସୁସ୍ଥ ଶିଶୁର ମାଆ ଜଣେ ପୁଷ୍ଟିହୀନ ଶିଶୁର ମାଆକୁ ପ୍ରତି ସପ୍ତାହରେ ସାକ୍ଷାତ କରେ ଓ ପୋଷଣ ସମ୍ବନ୍ଧୀୟ ସବୁ ତଥ୍ୟ ଉପରେ ଆଲୋଚନା କରେ । ଅର୍ଥାତ୍ ଜଣେ ମାଆ, ଆଉ ଜଣେ ମାଆର, ମିତ୍ର ପାଲଟି ତା’ର ସାହାଯ୍ୟ କରେ, ତାକୁ ଶିକ୍ଷା ଦିଏ । ଏହି ପ୍ରକଳ୍ପ ସାହାଯ୍ୟରେ, ଏହି ଅଂଚଳରେ, ବର୍ଷକରେ ୯୦ ପ୍ରତିଶତରୁ ଅଧିକ ପିଲାଙ୍କର ପୁଷ୍ଟିହୀନତା ଦୂର ହୋଇଛି । ଆପଣ କଳ୍ପନା କରିପାରୁଛନ୍ତି, ପୁଷ୍ଟିହୀନତା ଦୂର ପାଇଁ କ’ଣ ଗୀତ-ସଙ୍ଗୀତ ଏବଂ ଭଜନକୁ ମଧ୍ୟ ବ୍ୟବହାର କରାଯାଇପାରିବ? ମଧ୍ୟପ୍ରଦେଶର ଦତିୟା ଜିଲାର ‘ମେରା ବଚ୍ଚା ଅଭିଯାନ’! ଏହି ‘ମେରା ବଚ୍ଚା ଅଭିଯାନ’ରେ ଏହାର ସଫଳତାପୂର୍ବକ ପ୍ରୟୋଗ କରାଯାଇଛି । ଏଥିରେ ଜିଲାରେ ଭଜନ-କୀର୍ତ୍ତନ ଆୟୋଜିତ ହେଲା, ଯେଉଁଥିରେ ପୋଷଣ ଗୁରୁ କୁହାଯାଉଥିବା ଶିକ୍ଷକମାନଙ୍କୁ ଡକାଗଲା । ଗୋଟିଏ ମାଟିହାଣ୍ଡି କାର୍ଯ୍ୟକ୍ରମ ମଧ୍ୟ ହେଲା, ଏଥିରେ ମହିଳାମାନେ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ମୁଠାଏ ଲେଖାଏ ଖାଦ୍ୟାନ୍ନ ନେଇ ଆସନ୍ତି ଏବଂ ସେହି ଖାଦ୍ୟାନ୍ନରେ ଶନିବାର ଦିନ ‘ବାଳଭୋଜି’ର ଆୟୋଜନ କରାଯାଏ । ଏହାଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କର ଉପସ୍ଥିତି ବଢ଼ିବା ସହିତ ପୁଷ୍ଟିହୀନତା ମଧ୍ୟ କମ୍ ହୋଇଛି । ପୁଷ୍ଟିହୀନତା ପ୍ରତି ସଚେତନତା ବଢ଼ାଇବା ପାଇଁ ଏକ ନିଆରା ଅଭିଯାନ ଝାଡ଼ଖଣ୍ଡରେ ମଧ୍ୟ ଚାଲୁଛି । ଝାଡ଼ଖଣ୍ଡର ଗିରିଡିହରେ ସାପସିଡ଼ିର ଏକ ଖେଳ ପ୍ରସ୍ତୁତ କରାଯାଇଛି । ଖେଳଖେଳରେ ପିଲାଏ ଭଲ ଓ ଖରାପ ଅଭ୍ୟାସ ସମ୍ପର୍କରେ ଶିଖନ୍ତି ।

ବନ୍ଧୁଗଣ, ପୁଷ୍ଟିହୀନତା ସହିତ ସମ୍ପୃକ୍ତ ଏତେସବୁ ଅଭିନବ ପ୍ରୟୋଗ ସମ୍ପର୍କରେ ମୁଁ ଆପଣଙ୍କୁ ଏଇଥିପାଇଁ କହୁଛି, କାରଣ ଆମ ସଭିଙ୍କୁ ମଧ୍ୟ ଆସନ୍ତା ମାସରେ ଏହି ଅଭିଯାନ ସହିତ ସମ୍ପୃକ୍ତ ହେବାକୁ ପଡ଼ିବ । ସେପ୍ଟେମ୍ବର ମାସ, ପର୍ବପର୍ବାଣୀ ସାଙ୍ଗକୁ ପୋଷଣ ସହିତ ସମ୍ପୃକ୍ତ ବଡ଼ ଅଭିଯାନ ପାଇଁ ମଧ୍ୟ ସମର୍ପିତ । ଆମେ ପ୍ରତିବର୍ଷ ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ପୋଷଣ ମାସ ପାଳନ କରୁ । ପୁଷ୍ଟିହୀନତା ବିରୋଧରେ ସମଗ୍ର ଦେଶରେ ଅନେକ ସୃଜନଶୀଳ ଓ ବିବିଧ ଉଦ୍ୟମ କରାଯାଉଛି । ପ୍ରଯୁକ୍ତିର ଉତ୍ତମ ବ୍ୟବହାର ଓ ଜନଭାଗିଦାରୀ ମଧ୍ୟ ପୋଷଣ ଅଭିଯାନର ମହତ୍ୱପୂର୍ଣ୍ଣ ଅଂଗ ପାଲଟିଛି । ଦେଶରେ ଲକ୍ଷଲକ୍ଷ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ୍ ଫୋନ୍ ଦେବାଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି ସେବାର ଉପଲବ୍ଧତାକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ପୋଷଣ ଟ୍ରାକର୍ ମଧ୍ୟ ଉନ୍ମୋଚନ କରାଯାଇଛି । ସମସ୍ତ ଆକାଂକ୍ଷୀ ଜିଲା ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୧୪ରୁ ୧୮ ବର୍ଷର ଝିଅମାନଙ୍କୁ ମଧ୍ୟ ପୋଷଣ ଅଭିଯାନ ପରିସରକୁ ଅଣାଯାଇଛି । ପୁଷ୍ଟିହୀନତା ସମସ୍ୟାର ନିରାକରଣ କେବଳ ଏସବୁ ପଦକ୍ଷେପ ଭିତରେ ହଁ ସୀମିତ ନାହିଁ- ଏହି ଲଢ଼େଇରେ ଆହୁରି ଅନେକ ଉଦ୍ୟମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦାହରଣ ସ୍ୱରୂପ, ଜଳ ଜୀବନ ମିଶନକୁ ହିଁ ନିଅନ୍ତୁ, ତ ଭାରତକୁ କୁପୋଷଣମୁକ୍ତ କରାଇବାରେ ଏହି ମିଶନର ମଧ୍ୟ ବହୁତ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ପୁଷ୍ଟିହୀନତାର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାରେ ସାମାଜିକ ସଚେତନତା ସହିତ ସଂପୃକ୍ତ ପ୍ରୟାସ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଆପଣ ଆଗାମୀ ପୋଷଣ ମାସରେ ପୁଷ୍ଟିହୀନତା ବା ମାଲନ୍ୟୁଟ୍ରିସନକୁ ଦୂର କରିବାର ପ୍ରଚେଷ୍ଟାରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । 

ମୋର ପ୍ରିୟ ଦେଶବାସୀଗଣ, ଚେନ୍ନଇର ଶ୍ରୀଦେବୀ ବର୍ଦରାଜନ୍ ଜୀ ମୋ ପାଖକୁ ଏକ ଅନୁସ୍ମାରକ ପଠାଇଛନ୍ତି । ସେ ମାଇଗଭରେ ନିଜ କଥା ଏମିତି କିଛି ଲେଖିଛନ୍ତି- ନୂଆ ବର୍ଷ ଆସିବା ପାଇଁ ଏବେ ୫ ମାସରୁ ମଧ୍ୟ କମ୍ ସମୟ ବାକି ଅଛି ଏବଂ ଆମ ସମସ୍ତେ ଜାଣୁ ଯେ ଆଗାମୀ ନୂଆ ବର୍ଷ ଇଂଟରନେସନାଲ୍ ଇୟର୍ ଅଫ୍ ମିଲେଟ୍ସ ଭାବରେ ପାଳନ କରାଯିବ । ସେ ମୋତେ ଦେଶର ଏକ ମିଲେଟ୍ ମାନଚିତ୍ର ମଧ୍ୟ ପଠାଇଛନ୍ତି । ଏଥିସହ ସେ ପଚାରିଛନ୍ତି ଯେ ଆପଣ କ’ଣ ‘ମନ୍ କୀ ବାତ୍’ର ଆଗାମୀ ଅଧ୍ୟାୟରେ ଏହା ଉପରେ ଆଲୋଚନା କରିପାରିବେ ? ମୋତେ, ନିଜ ଦେଶବାସୀଙ୍କ ମଧ୍ୟରେ ଏହିପରି ଉତ୍ସାହ ଦେଖି ବହୁତ ଆନନ୍ଦ ଅନୁଭବ ହୋଇଥାଏ । ଆପଣଙ୍କର ମନେଥିବ ଯେ ଜାତିସଂଘ ଏକ ପ୍ରସ୍ତାବ ଗୃହୀତ କରି ୨୦୨୩ (ଦୁଇ ହଜାର ତେଇଶ)କୁ ଇଂଟରନେସନାଲ୍ ଇୟର୍ ଅଫ୍ ମିଲେଟ୍ସ ଘୋଷିତ କରିଛି । ଆପଣଙ୍କୁ ଏହା ଜାଣି ମଧ୍ୟ ବହୁତ ଖୁସି ଲାଗିବ ଯେ ଭାରତର ଏହି ପ୍ରସ୍ତାବକୁ ୭୦ରୁ ଅଧିକ ଦେଶର ସମର୍ଥନ ମିଳିଥିଲା । ଆଜି, ସମଗ୍ର ବିଶ୍ୱରେ, ଏହି ମୋଟା ଖାଦ୍ୟାନ୍ନ-ମିଲେଟ୍ସର ଆକର୍ଷଣ ବଢ଼ିବଢ଼ି ଚାଲିଛି । ବନ୍ଧୁଗଣ, ଯେତେବେଳେ ମୁଁ ମୋଟା ଖାଦ୍ୟାନ୍ନର କଥା କହୁଛି ତ ମୋର ଏକ ପ୍ରଚେଷ୍ଟା ବିଷୟରେ ମଧ୍ୟ ଆଜି ଆପଣଙ୍କ ସହ ସେୟାର୍ କରିବାକୁ ଚାହୁଁଛି । ବିଗତ କିଛି କାଳ ମଧ୍ୟରେ ଭାରତକୁ ଯେତେବେଳେ କୌଣସି ବିଦେଶୀ ଅତିଥି ଆସିଛନ୍ତି, ରାଷ୍ଟ୍ରାଧ୍ୟକ୍ଷ ଭାରତ ଆସିଛନ୍ତି ମୋର ଚେଷ୍ଟା ରହେ ଯେ ଭୋଜନରେ ଭାରତର ମିଲେଟ୍ସ ଅର୍ଥାତ ଆମର ମୋଟା ଖାଦ୍ୟାନ୍ନରୁ ତିଆରି ଭୋଜନ ଯେମିତି ତିଆରି କରାଯିବ ଏବଂ ଏଥିରୁ ଏହି ଅଭିଜ୍ଞତା ହୋଇଛି ଯେ ଏହି ମହାନୁଭବମାନଙ୍କୁ ଏହି ଭୋଜନ ବହୁତ ପସନ୍ଦ ଆସିଥାଏ, ଏବଂ ଆମର ମୋଟା ଖାଦ୍ୟାନ୍ନ ସମ୍ପର୍କରେ, ମିଲେଟ୍ସ ସମ୍ପର୍କରେ, ବହୁତ କିଛି ତଥ୍ୟ ଏକାଠି କରିବାକୁ ସେମାନେ ପ୍ରୟାସ ମଧ୍ୟ କରନ୍ତି । ମିଲେଟ୍ସ – ମୋଟା ଖାଦ୍ୟାନ୍ନ, ପ୍ରାଚୀନ କାଳରୁ ଆମ କୃଷି, ସଂସ୍କୃତି ଓ ସଭ୍ୟତାର ଅଂଶ ହୋଇ ରହିଆସିଛି । ଆମର ବେଦରେ ମିଲେଟସର ଉଲ୍ଲେଖ ରହିଛି ଏବଂ ସେହିପରି ପୁରାଣରୁ ଏବଂ ତୋଲକାପ୍ପିୟମରେ ମଧ୍ୟ ଏହା ସମ୍ପର୍କରେ କୁହାଯାଇଛି । ଆପଣ ଦେଶର ଯେକୌଣସି ଅଂଚଳକୁ ଯାଆନ୍ତୁ, ଆପଣଙ୍କୁ ସେଠାକାର ଲୋକଙ୍କ ଖାଦ୍ୟପେୟରେ ଅଲଗା ଅଲଗା ପ୍ରକାରର ମିଲେଟ୍ସ ନିଶ୍ଚିତ ଦେଖିବାକୁ ମିଳିବ । ଆମର ସଂସ୍କୃତି ଭଳି ମିଲେଟ୍ସରେ ମଧ୍ୟ ବହୁତ ବିବିଧତା ରହିଛି । ଯଅ, ବାଜରା, ମାଣ୍ଡିଆ, ସୁଆଁ, କଙ୍ଗନି, ଚୀନା, କୋଦୋ, କୁଟ୍କି, କୁଟ୍ଟୁ, ଏହିସବୁ ତ ମିଲେଟ୍ସ । ଭାରତ, ବିଶ୍ୱରେ, ମିଲେଟ୍ସର ସବୁଠୁ ବଡ଼ ଉତ୍ପାଦକ ଦେଶ । ଏଥିପାଇଁ ଏହି ଉଦ୍ୟମକୁ ସଫଳ କରିବାର ବଡ଼ ଦାୟିତ୍ୱ ମଧ୍ୟ ଆମ ଭାରତବାସୀଙ୍କ କାନ୍ଧ ଉପରେ ନ୍ୟସ୍ତ । ଆମ ସମସ୍ତଙ୍କୁ ମିଳିମିଶି ଏହାକୁ ଜନଆନ୍ଦୋଳନରେ ପରିଣତ କରିବାର ଅଛି ଏବଂ ଦେଶର ଲୋକଙ୍କ ମଧ୍ୟରେ ମିଲେଟ୍ସ ପ୍ରତି ସଚେତନତା ବଢ଼ାଇବାର ଅଛି ଏବଂ ବନ୍ଧୁଗଣ, ଆପଣ ତ ଭଲଭାବେ ଜାଣନ୍ତି ଯେ ମିଲେଟ୍ସ, ଚାଷୀଙ୍କ ପାଇଁ ମଧ୍ୟ ଲାଭଜନକ ଏବଂ ତା’ ବି ବିଶେଷତଃ ଛୋଟଚାଷୀଙ୍କୁ । ପ୍ରକୃତରେ ବହୁତ କମ୍ ସମୟରେ ଏହି ଫସଲ ପ୍ରସ୍ତୁତ ହୋଇଯାଏ ଏବଂ ଏଥିରେ ଅଧିକ ପାଣିର ଆବଶ୍ୟକତା ମଧ୍ୟ ନଥାଏ । ଆମର ଛୋଟ ଚାଷୀଙ୍କ ପାଇଁ ତ ମିଲେଟ୍ସ ବିଶେଷ ରୂପେ ଲାଭଦାୟକ । ମିଲେଟ୍ସର କୁଣ୍ଡାକୁ ଉତ୍ତମ ପଶୁଖାଦ୍ୟ ବୋଲି ମଧ୍ୟ ଧରାଯାଏ । ଆଜିକାଲି ଯୁବପିଢ଼ି ସୁସ୍ଥ ଜୀବନ ଓ ଭୋଜନକୁ ନେଇ ବହୁତ ସଚେତନ । ଏହି ଦୃଷ୍ଟିରୁ ଦେଖିଲେ ମଧ୍ୟ ମିଲେଟ୍ସରେ ପ୍ରୋଟିନ, ଫାଇବର ଓ ମିନେରାଲସ ଯଥେଷ୍ଟ ରହିଛି । କିଛି ଲୋକ ତ ଏହାକୁ ସୁପରଫୁଡ଼ ମଧ୍ୟ କହନ୍ତି । ମିଲେଟ୍ସ ଦ୍ୱାରା ଗୋଟିଏ ନୁହେଁ, ଅନେକ ଲାଭ ମିଳେ । ମେଦବହୁଳତାକୁ କମ୍ କରିବା ସହ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃତପିଣ୍ଡ ସମ୍ପର୍କିତ ରୋଗର ବିପଦକୁ ମଧ୍ୟ କମ୍ କରିଥାଏ । ଏଥିସହ ଏହା ପେଟ ଓ ଯକୃତ୍ ରୋଗଗୁଡ଼ିକରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ । କିଛି ସମୟ ପୂର୍ବରୁ ହିଁ ଆମେ ପୁଷ୍ଟିହୀନତା ବିଷୟରେ ଆଲୋଚନା କରୁଥିଲେ । ପୁଷ୍ଟିହୀନତା ସହ ଲଢ଼ିବା ପାଇଁ ମଧ୍ୟ ମିଲେଟ୍ସ ବହୁତ ଲାଭଦାୟକ, କାହିଁକି ନା ଏହା ପ୍ରୋଟିନ ସହିତ ଶକ୍ତିରେ ମଧ୍ୟ ଭରିରହିଥାଏ । ଦେଶରେ ଆଜି ମିଲେଟ୍ସକୁ ପ୍ରୋତ୍ସାହନ ଦେବାପାଇଁ ବହୁତ କିଛି କରାଯାଉଛି । ଏଥିସହ ସମ୍ପୃକ୍ତ ଗବେଷଣା ଏବଂ ଇନ୍ନୋଭେସନ ଉପରେ ଗୁରୁତ୍ୱ ଦେବା ସହିତ ଏଫପିଓଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି, ଯେପରିକି ଉତ୍ପାଦନ ବଢ଼ାଯାଇପାରିବ । ମୋର, ନିଜର ଚାଷୀ ଭାଇଭଉଣୀମାନଙ୍କୁ, ମୁଁ କହିବାକୁ ଚାହେଁ ଯେ ମିଲେଟ୍ସ, ଅର୍ଥାତ ମୋଟା ଖାଦ୍ୟାନ୍ନକୁ ଅଧିକରୁ ଅଧିକ ଆପଣାନ୍ତୁ ଏବଂ ଏହାର ଲାଭ ଉଠାନ୍ତୁ । ମୋତେ ଏହା ଦେଖି ବହୁତ ଖୁସି ଲାଗେ ଯେ ଆଜି ଏପରି ଅନେକ ଷ୍ଟାଟ୍-ଅପ୍ସର ଉଦୟ ହୋଇଛି, ଯେଉଁମାନେ ମିଲେଟ୍ସ ଉପରେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ମିଲେଟ୍ କୁକିଜ୍ ତିଆରି କରୁଛନ୍ତି ତ ଆଉ କେତେ ମିଲେଟ୍ସ୍ ପାନ୍ କେକ୍ସ ଏବଂ ଦୋସା ମଧ୍ୟ ତିଆରି କରୁଛନ୍ତି । ସେହିପରି କେତେକ ଅଛନ୍ତି, ଯେଉଁମାନେ ମିଲେଟ୍ ଏନର୍ଜି ବାର୍ ଏବଂ ମିଲେଟ୍ ଜଳଖିଆ ପ୍ରସ୍ତୁତ କରୁଛନ୍ତି । ମୁଁ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ପର୍ବପର୍ବାଣୀର ଏହି ଋତୁରେ ଆମେ ଅଧିକାଂଶ, ଭୋଜନରେ ମଧ୍ୟ ମିଲେଟ୍ସର ଉପଯୋଗ କରୁ । ଆପଣ ନିଜ ଘରେ ତିଆରି ହେଉଥିବା ଏପରି ଭୋଜନର ଫଟୋ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ଶେୟାର୍ କରନ୍ତୁ, ଯେପରିକି ଲୋକଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ବଢ଼ିବାରେ ସହାୟତା ମିଳିବ ।

ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ତଳେ ମୁଁ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲା ଜୋର୍ସିଙ୍ଗ ଗ୍ରାମର ଗୋଟିଏ ଖବର ଜାଣିଲି । ଖବରଟି ଏକ ଏମିତି ପରିବର୍ତ୍ତନ ସମ୍ବନ୍ଧରେ ଥିଲା ଯାହାପାଇଁ ଗାଁର ଲୋକମାନେ ବର୍ଷ ବର୍ଷ ଧରି ପ୍ରତୀକ୍ଷାରେ ଥିଲେ । କଥାଟି ହେଲା ଏଇ ମାସରେ ଜୋରସିଙ୍ଗ ଗ୍ରାମରେ ସ୍ୱାଧୀନତା ଦିବସଠାରୁ ୪ଜି ଇଂଟରନେଟ୍ ସେବା ଆରମ୍ଭ ହେଲା । ଆଗରୁ ଯେମିତି ଗାଁରେ ବିଜୁଳି ଲାଇନ୍ ପହଂଚିଗଲେ ଲୋକମାନେ ଖୁସି ହୋଇଯାଉଥିଲେ, ନୂଆ ଭାରତରେ ସେଇଭଳି ଖୁସି ୪ଜି ଆସିଗଲେ ଅନୁଭୂତ ହେଉଛି । ଅରୁଣାଚଳ ଓ ନର୍ଥଇଷ୍ଟର ଦୂରଦୂରାନ୍ତ ଅଂଚଳରେ ୪ଜି ଇଣ୍ଟରନେଟ ସେବା ଗୋଟାଏ ନୂଆ ସୁର୍ୟୋଦୟ ଭଳି ହୋଇଛି – ଇଣ୍ଟରନେଟ୍ ସଂଯୋଗ ଦ୍ୱାରା ଏକ ନୂଆ ସକାଳ ହୋଇଛି । ଯେଉଁ ସୁବିଧାଗୁଡ଼ିକ ପୂର୍ବେ କେବଳ ବଡ଼ ସହରରେ ମିଳୁଥିଲା, ଡିଜିଟାଲ ଇଣ୍ଡିଆ ଦ୍ୱାରା ତାହା ଆଜି ଗାଁ ଗହଳିରେ ଉପଲବ୍ଧ ହୋଇପାରିଛି । ଫଳରେ ଏବେ ଗାଁମାନଙ୍କରେ ନୂତନ ଡିଜିଟାଲ୍ ଉଦ୍ୟୋଗୀ ସୃଷ୍ଟି ହେଉଛନ୍ତି । ରାଜସ୍ଥାନର ଅଜମେର୍ ଜିଲ୍ଲାର, ସେଠା ସିଂହ ରାୱତ ଏବେ ଦର୍ଜି ଅନଲାଇନ E Store ଚଲାଉଛନ୍ତି । ଆପଣମାନେ ଭାବୁଥିବେ, ଏ କେମିତି ହେଲା, ଅନଲାଇନ !! ବାସ୍ତବରେ ସେଠାସିଂହ ରାୱତ କୋଭିଡ୍ ପୂର୍ବରୁ ଟେଲରିଂ କାମ କରୁଥିଲେ, କୋଭିଡ୍ ଆସିଲା, କିନ୍ତୁ ରାୱତଜୀ ଏଇ Challengeକୁ ଅସମ୍ଭବ ନ ଭାବି ଏକ ସୁଯୋଗରେ ପରିବର୍ତ୍ତିତ କରିଦେଲେ । ସେ ସାଧାରଣ ସେବା କେନ୍ଦ୍ର ଅର୍ଥାତ୍ CSC E-Store join କଲେ ଏବଂ ଅନଲାଇନ କାମ ଆରମ୍ଭ କରିଦେଲେ । ସେ ଦେଖିଲେ ଯେ ଲୋକମାନେ ଅଧିକ ସଂଖ୍ୟାରେ ମାସ୍କ ପାଇଁ Order ଦେଉଛନ୍ତି । ସେ କିଛି ମହିଳାଙ୍କୁ କାମରେ ଲଗେଇଲେ ଏବଂ ମାସ୍କ ତିଆରି କରିବା ଆରମ୍ଭ କରିଦେଲେ । ତାପରେ ‘ଦର୍ଜୀ ଅନଲାଇନ୍’ ନାମକ ନିଜର ଗୋଟେ ଅନଲାଇନ Store ଖୋଲିଲେ ଯେଉଁଥିରେ ସେ କନାରେ ତିଆରି ସାମଗ୍ରୀଗୁଡ଼ିକ ବିକିବାକୁ ଲାଗିଲେ । ଡିଜିଟାଲ ଇଣ୍ଡିଆ ର ତାକତ୍ ବଳରେ ସେଠାସିଂହଙ୍କର କାମ ଏତେ ବଢ଼ିଯାଇଛି ଯେ ତାଙ୍କୁ ସାରାଦେଶରୁ Order ମିଳୁଛି । ସେ ନିଜର ଏହି କାମରେ ଶହଶହ ମହିଳାଙ୍କୁ ରୋଜଗାର ଦେଇପାରିଛନ୍ତି । ଡିଜିଟାଲ ଇଣ୍ଡିଆ ଦ୍ୱାରା ଉତ୍ତରପ୍ରଦେଶର ଉନ୍ନାଓ ଗ୍ରାମର ଓମପ୍ରକାଶ ସିଂହ ମଧ୍ୟ ଜଣେ ଡିଜିଟାଲ ଉଦ୍ୟୋଗୀ (Entrepreneur) ହୋଇପାରିଛନ୍ତି । ସେ ତାଙ୍କ ଗାଁରେ ଏକ ହଜାରରୁ ଅଧିକ ବ୍ରଡବ୍ୟାଣ୍ଡ ସ୍ଥାପିତ କରିଛନ୍ତି । ଓମପ୍ରକାଶ ତାଙ୍କ ସାଧାରଣ ସେବା କେନ୍ଦ୍ର ପାଖାପାଖି ନିଃଶୁଳ୍କ ୱାଇଫାଇ ଜୋନ୍ ମଧ୍ୟ ଆରମ୍ଭ କରିଛନ୍ତି, ଫଳରେ ଆଖପାଖର ଲୋକମାନେ ଆବଶ୍ୟକତା ବେଳେ ସୁବିଧା ପାଇପାରୁଛନ୍ତି । ଓମପ୍ରକାଶଙ୍କର କାମ ଏତେ ବଢ଼ିଯାଇଛି ଯେ ସେ କୋଡ଼ିଏରୁ ଅଧିକ ଲୋକଙ୍କୁ ଚାକିରି ଦେଇପାରିଛନ୍ତି । ଏ ଲୋକମାନେ ଗ୍ରାମର ସ୍କୁଲ, ହସପିଟାଲ, ତହସିଲ ଅଫିସ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଯାଏ ବ୍ରଡବ୍ୟାଣ୍ଡ ଯୋଗାଇ ଦେଉଛନ୍ତି ଏବଂ ତା’ଦ୍ୱାରା କିଛି ରୋଜଗାର ବି କରିପାରୁଛନ୍ତି । ସାଧାରଣ ସେବା କେନ୍ଦ୍ର ଭଳି ସରକାରୀ E Market Place ମାନେ GEM Portal ମଧ୍ୟ ଏହିଭଳି ଅନେକ ସଫଳ କାହାଣୀ ଦେଖିବାକୁ ମିଳୁଛି ।

ବନ୍ଧୁଗଣ ଗାଁମାନଙ୍କରୁ ମୋତେ ଏଇଭଳି ଅନେକ ଖବର ମିଳୁଛି ଯେଉଁଥିରେ ଲୋକମାନେ ଇଣ୍ଟରନେଟ୍ ଯୋଗୁଁ ହେଉଥିବା ପରିବର୍ତ୍ତନର କଥା କହୁଛନ୍ତି । ଇଣ୍ଟରନେଟ୍ ଆମର ଯୁବବନ୍ଧୁମାନଙ୍କର ପଢ଼ିବା ଏବଂ ଶିଖିବାର ଉପାୟକୁ ମଧ୍ୟ ବଦଳେଇଦେଇଛି । ଯେମିତିକି ଉତ୍ତରପ୍ରଦେଶର ଗୁଡ଼ିୟା ସିଂହ । ସେ ଯେତେବେଳେ ଉନ୍ନାୱର ଅମୋଇୟା ଗାଁରେ ନିଜର ଶାଶୁଘରକୁ ଆସିଲେ, ସେ ନିଜର ପଢ଼ିବା ବିଷୟରେ ଚିନ୍ତିତ ହୋଇପଡ଼ିଲେ । କିନ୍ତୁ ଭାରତନେଟ୍ ତାଙ୍କର ଏହି ଚିନ୍ତାର ସମାଧାନ କରିଦେଲା । ଗୁଡିୟା ଇଣ୍ଟରନେଟ୍ ମାଧ୍ୟମରେ ତାଙ୍କର ପାଠପଢ଼ା ବଜାୟ ରଖିଲେ ଏବଂ ଗ୍ରାଜୁଏସନ୍ ମଧ୍ୟ ପୁରା କରିପାରିଲେ । ଗାଁ ଗାଁରେ ଏଇଭଳି ଅନେକ ଜୀବନ ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ନୂତନ ଶକ୍ତି ପାଇପାରୁଛନ୍ତି । ଆପଣମାନେ ମୋତେ ଗ୍ରାମୀଣ ଡିଜିଟାଲ ଉଦ୍ୟୋଗୀମାନଙ୍କ ସମ୍ବନ୍ଧରେ ଅଧିକରୁ ଅଧିକ ଲେଖି ଜଣାନ୍ତୁ ଏବଂ ତାଙ୍କର ସଫଳ କାହାଣୀକୁ ସୋସିଆଲ ମିଡିଆ ରେ ମଧ୍ୟ ସେୟାର କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, କିଛି ସମୟ ପୂର୍ବରୁ ମୋତେ ହିମାଚଳ ପ୍ରଦେଶରୁ ଜଣେ ‘ମନ୍ କି ବାତ୍’ର ଶ୍ରୋତା ରମେଶଜୀଙ୍କର ଚିଠି ମିଳିଲା । ରମେଶଜୀ ତାଙ୍କ ପତ୍ରରେ ପାହାଡ଼ର ଅନେକଗୁଡ଼ିଏ ବିଶେଷତା ସମ୍ବନ୍ଧରେ ଲେଖିଛନ୍ତି । ସେ ଲେଖିଛନ୍ତି - ପାହାଡ଼ ଉପରେ ବସତିଗୁଡ଼ିକ ହୁଏତ ଦୂରେଇ ଦୂରେଇ ରହିଛି ହେଲେ ଲୋକମାନଙ୍କର ହୃଦୟଗୁଡ଼ିକ ପରସ୍ପରର ଖୁବ୍ ନିକଟବର୍ତ୍ତୀ ହୋଇରହିଛନ୍ତି । ସତରେ ପାହାଡ଼ରେ ବସବାସ କରୁଥିବା ଲୋକମାନଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା । ପାହାଡ଼ର ଜୀବନଶୈଳୀ ଓ ସଂସ୍କୃତି ଦ୍ୱାରା ଆମକୁ ଏଇ ପ୍ରଥମ ଶିକ୍ଷା ମିଳୁଛି ଯେ ଯଦି ଆମେ ପରିସ୍ଥିତିର ଚାପରେ ନ ପଡ଼ିବା ତେବେ ଆମେ ସହଜରେ ତା’ଉପରେ ବିଜୟଲାଭ କରିପାରିବା ।

ଆଉ ଦ୍ୱିତୀୟ ଶିକ୍ଷାଟି ହେଲା–କେମିତି ଆମେ ସ୍ଥାନୀୟ ସାଧନ ଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିବା । ମୁଁ ଯେଉଁ ପ୍ରଥମ ଶିକ୍ଷା ବିଷୟରେ କହିଲି, ଆଜିକାଳି ସ୍ପିତି ଅଂଚଳରେ ତା’ର ଏକ ସୁନ୍ଦର ଚିତ୍ର ଦେଖିବାକୁ ମିଳୁଛି । ସ୍ପିତି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ସେଠାରେ ଏବେ ମଟର ତୋଳିବାର କାମ ଚାଲିଛି । ପାହାଡ଼ି ଅଂଚଳରେ ଏହା ଏକ ପରିଶ୍ରମଯୁକ୍ତ କଷ୍ଟ କାମ ଅଟେ । କିନ୍ତୁ ଏଠାକାର ମହିଳାମାନେ ଏକତ୍ରିତ ହୋଇ ଜଣେ ଅନ୍ୟର କ୍ଷେତରୁ ମଟର ତୋଳନ୍ତି । ଏ କାମ କଲାବେଳେ ସେମାନେ ଆଂଚଳିକ ଲୋକଗୀତ ‘ଛପରା ମାଝି ଛପରା’ ଗୀତ ମଧ୍ୟ ବୋଲନ୍ତି । ଅର୍ଥାତ୍ ଏଠି ପରସ୍ପରକୁ ସହଯୋଗ କରିବା ମଧ୍ୟ ଲୋକପରମ୍ପରାର ଗୋଟିଏ ଅଙ୍ଗ ହୋଇଥାଏ । ସ୍ପିତିରେ ସ୍ଥାନୀୟ ସାଧନର ସଦୁପଯୋଗର ବଳିଷ୍ଠ ଉଦାହରଣ ମଧ୍ୟ ଦେଖିବାକୁ ମିଳେ । ସ୍ପିତି ଅଂଚଳରେ ଯେଉଁ କୃଷକମାନେ ଗାଈ ପାଳନ୍ତି, ତାଙ୍କର ଗୋବରକୁ ସଂଗ୍ରହ କରି ଶୁଖାଇ ବସ୍ତା ବାନ୍ଧି ରଖନ୍ତି । ଯେତେବେଳେ ଶୀତ ଆସେ, ସେତେବେଳେ ଏହି ବସ୍ତାଗୁଡ଼ିକୁ ଗାଈ ରହୁଥିବା ଜାଗା, ଯାହାକୁ ଖୁଡ୍ ବା ଗୁହାଳ କହନ୍ତି, ସେଠାରେ ବିଛାଇଦିଅନ୍ତି । ବରଫପାତ ଭିତରେ ଏହି ବସ୍ତାଗୁଡ଼ିକ ଗାଈମାନଙ୍କୁ ଥଣ୍ଡାରୁ ସୁରକ୍ଷା ଦେଇଥାଏ । ଶୀତଦିନ ପରେ ପୁଣି ଏଇ ଗୋବରକୁ ବିଲରେ ଖତ ହିସାବରେ ବ୍ୟବହାର କରାଯାଏ । ଅର୍ଥାତ୍ ପଶୁମାନଙ୍କର ବର୍ଜ୍ୟବସ୍ତୁ ଦ୍ୱାରା ସେମାନଙ୍କ ସୁରକ୍ଷା ତଥା କ୍ଷେତ ପାଇଁ ସାର ବି ହେଲା । ଚାଷ ପାଇଁ ଖର୍ଚ୍ଚ ବି କମ୍ ହେଲା ଏବଂ ଉତ୍ପାଦନ ବି ଅଧିକ ହେଲା । ତେଣୁ ଏ ଅଂଚଳ ଆଜି ପ୍ରାକୃତିକ ଚାଷ ପାଇଁ ଏକ ପ୍ରେରଣା ପାଲଟିଯାଇଛି ।

ବନ୍ଧୁଗଣ, ଏହିଭଳି ଅନେକ ପ୍ରଶଂସନୀୟ କାର୍ଯ୍ୟ ଆମର ଆଉ ଏକ ପାହାଡ଼ୀ ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳେ । ଉତ୍ତରାଖଣ୍ଡରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ତଥା ଔଷଧୀ ମିଳେ । ଏଗୁଡ଼ିକ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତା’ଭିତରେ ଗୋଟିଏ ଫଳ ହେଲା “ବେଡ଼ୁ” । ଏହା Himalayan fig ନାମରେ ମଧ୍ୟ ପରିଚିତ । ଏହି ଫଳରେ ଭିଟାମିନ୍ ଏବଂ ଖଣିଜପଦାର୍ଥ ଭରପୁର ମାତ୍ରାରେ ଥାଏ । ଲୋକମାନେ ଫଳ ଭାବରେ ତ ଏହାକୁ ଖାଇଥାନ୍ତି, ତା’ଛଡ଼ା ଅନେକ ରୋଗର ଔଷଧ ଭାବରେ ମଧ୍ୟ ୟାର ବ୍ୟବହାର ହୋଇଥାଏ । ଏହି ଫଳର ଏଭଳି ବିଶେଷତ୍ୱ ଯୋଗୁଁ ଆଜିକାଲି ବେଡ଼ୁ ଜୁସ୍, ଜାମ୍, ଚଟଣୀ, ଆଚାର ଓ ଏହାକୁ ଶୁଖାଇ Dry fruit ଭାବରେ ବଜାରରେ ବିକ୍ରି କରାଗଲାଣି । ପିଥୋରାଗଡ଼ ପ୍ରଶାସନର ଉଦ୍ୟମ ଏବଂ ସ୍ଥାନୀୟ ଲୋକମାନଙ୍କର ସହଯୋଗ ଦ୍ୱାରା ବେଡ଼ୁକୁ ଭିନ୍ନ ଭିନ୍ନ ରୂପରେ ବଜାରରେ ବିକ୍ରି କରିବାରେ ସଫଳତା ମିଳିଛି । ବେଡ଼ୁକୁ ‘ପାହଡ଼ି ଅଂଜୀର’ ନାମରେ branding କରି ଅନଲାଇନ ମାର୍କେଟରେ ବି ବିକ୍ରି କରାଯାଉଛି । ଏହାଦ୍ୱାରା କୃଷକମାନଙ୍କୁ ଆୟର ଏକ ନୂତନ ସ୍ରୋତ ମିଳିବା ସାଥେ ସାଥେ ବେଡ଼ୁର ଔଷଧୀୟ ଗୁଣର ଲାଭ ଦୂରଦୂରାନ୍ତରେ ପହଂଚିପାରିଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କି ବାତ୍’ ଆରମ୍ଭରେ ଆମେ ‘ଆଜାଦି କା ଅମୃତ ମହୋତ୍ସବ’ ସମ୍ପର୍କରେ କଥାହେଲେ । ସ୍ୱାଧୀନତା ଦିବସର ଏହି ମହାନ୍ ପର୍ବ ସହିତ ଆଗାମୀ ଦିନରେ ଆହୁରି ଅନେକ ପର୍ବ ଆସିବ । ଏଇ କିଛିଦିନ ପରେ ହିଁ ଭଗବାନ ଗଣେଶଙ୍କ ଆରାଧନାର ପର୍ବ ଗଣେଶ ଚତୁର୍ଥୀ ପଡ଼ିବ । ଗଣେଶ ଚତୁର୍ଥୀ ମାନେ ଗଣପତିଙ୍କର ଆଶୀର୍ବାଦର ପର୍ବ । ଗଣେଶ ଚତୁର୍ଥୀ ପୂର୍ବରୁ ଆଉ ଏକ ପର୍ବ ‘ଓଣମ୍’ ମଧ୍ୟ ଆରମ୍ଭ ହେବ । ବିଶେଷକରି କେରଳରେ ଶାନ୍ତି ଓ ସମୃଦ୍ଧିର ଭାବନା ସହିତ ‘ଓଣମ୍’ ପାଳନ କରାଯିବ । ଅଗଷ୍ଟ ୩୦ ତାରିଖ ଦିନ ହରିତାଳିକା ତୃତୀୟା ମଧ୍ୟ ପଡ଼ୁଛି । ଓଡ଼ିଶାରେ ସେପ୍ଟେମ୍ବର ୧ ତାରିଖ ଦିନ ନୂଆଖାଇ ପର୍ବ ମଧ୍ୟ ପାଳନ କରାଯିବ । ‘ନୂଆଖାଇ’ର ଉଦ୍ଦେଶ୍ୟ ହେଉଛି ନୂଆ ଖାଇବା । ଏହା ମଧ୍ୟ ଅନ୍ୟ ଉତ୍ସବମାନଙ୍କ ଭଳି ଆମ କୃଷି ପରମ୍ପରା ସହ ଜଡ଼ିତ ଏକ ପର୍ବ । ଏହାମଧ୍ୟରେ ଜୈନ ସମାଜର ସମ୍ବତ୍ସରୀ ପର୍ବ ମଧ୍ୟ ଆୟୋଜିତ ହେବ । ଆମର ଏହି ସମସ୍ତ ପର୍ବ ଆମର ସାଂସ୍କୃତିକ ସମୃଦ୍ଧି ଏବଂ ଜୀବନ୍ତତାର ପରିଚାୟକ । ମୁଁ ଆପଣ ସମସ୍ତଙ୍କୁ ଏହି ଉତ୍ସବ ଏବଂ ବିଶେଷ ଅବସରଗୁଡ଼ିକ ପାଇଁ ଶୁଭକାମନା ଜଣାଉଛି । ଏହି ପର୍ବଗୁଡ଼ିକ ସଙ୍ଗେ ସଙ୍ଗେ କାଲି ଅଗଷ୍ଟ ୨୯ ତାରିଖ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଖେଳଦିବସ ମଧ୍ୟ ପାଳିତ ହେବ । ଆମର ଯୁବ ଖେଳାଳିମାନେ ବିଶ୍ୱମଂଚରେ ଆମର ତ୍ରିରଙ୍ଗାର ମର୍ଯ୍ୟାଦା ବଢ଼ାନ୍ତୁ, ଏହାହିଁ ଧ୍ୟାନଚାନ୍ଦଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ହେବ । ଦେଶ ପାଇଁ ଆମେ ସମସ୍ତେ ମିଳିମିଶି ଏଇଭଳି କାମ କରିଚାଲିବା, ଦେଶର ସମ୍ମାନ ଉଚ୍ଚ କରିବା, ଏଇ କାମନା ସହିତ ମୁଁ ନିଜର ବକ୍ତବ୍ୟ ଶେଷ କରୁଛି । ଆସନ୍ତା ମାସରେ ପୁଣି ଆପଣଙ୍କ ସହିତ ‘ମନ୍ କି ବାତ୍’ ରହିବ । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why India making its own bullet trains is a big deal – explained

Media Coverage

Why India making its own bullet trains is a big deal – explained
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s Departure Statement ahead of his visit to Seychelles
June 27, 2026

At the invitation of my friend, H.E. Dr. Patrick Herminie, President of the Republic of Seychelles, I will undertake a State Visit to Seychelles from 27-29 June 2026 to participate in the Golden Jubilee celebrations of the National Day of Seychelles as the Guest of Honour.

Seychelles is a valued maritime neighbour and a key partner in our Vision MAHASAGAR and our shared commitment to the Global South. This year, we also mark the 50th anniversary of the establishment of our diplomatic relations which are rooted in mutual trust, shared democratic values, respect for diversity and deep affinity between our peoples.

Building on the successful State visit of President Herminie to India in February 2026, I look forward to our discussions aimed at further strengthening our enduring friendship. Together, we will work to advance the progress of our peoples, and promote security and prosperity in the Indian Ocean region.

During the visit, I will have the honour of becoming the first Indian Prime Minister to address the National Assembly of Seychelles. This historic opportunity reflects the strong democratic values and parliamentary traditions that bind our two nations.

I also look forward to interacting with the vibrant Indian community in Seychelles, who have been nurturing the special friendship between India and Seychelles for generations, and serving as a living bridge between our two nations.

I am confident that my visit will further deepen the longstanding bonds between the two countries, enhance maritime cooperation in the Indian Ocean region, and advance our shared vision of a secure, peaceful and prosperous Indian Ocean region.