ଟୋକିଓ ଅଲିମ୍ପିକ୍ସରେ ଆମ ହକି ଦଳର ପ୍ରଦର୍ଶନ ପାଇଁ ମେଜର ଧ୍ୟାନଚାନ୍ଦ ଜୀ ଗର୍ବିତ ହେବେ: ପ୍ରଧାନମନ୍ତ୍ରୀ ମୋଦୀ
ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
ଏଥର ଅଲିମ୍ପିକ୍ସ ଏକ ବଡ ପ୍ରଭାବ ପକାଇଛି, ଯୁବକମାନେ କ୍ରୀଡା ସହିତ ଜଡିତ ସମ୍ଭାବନାକୁ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ମନ କୀ ବାତ : ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶକୁ ଜନମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ଇନ୍ଦୋରର 'ୱାଟର ପ୍ଲସ୍ ସିଟି' ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି ,କହିଛନ୍ତି- ଏହା ସ୍ୱଚ୍ଛତା ବଜାୟ ରଖିବାରେ ସହାୟକ ହେବ
#CelebratingSanskrit: ସଂସ୍କୃତ ଭାଷାକୁ ଲୋକପ୍ରିୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ କରିଛନ୍ତି, ସୋସିଆଲ ମିଡିଆରେ ଅନନ୍ୟ ଉଦ୍ୟମ ସେୟାର କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି
ମନ କୀ ବାତ : ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଆମର ଦକ୍ଷ ମାନବ ଶକ୍ତିର ପ୍ରୟାସକୁ ପ୍ରଶଂସା କରିଛନ୍ତି

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମେ ସମସ୍ତେ ଜାଣିଛୁ ଯେ ଆଜି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ । ଆମ ଦେଶ ତାଙ୍କ ସ୍ମୃତିରେ ଏହି ଦିନଟିକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ମଧ୍ୟ ପାଳନ କରିଥାଏ । ମୁଁ ଭାବୁଥିଲି ଯେ, ଆଜି ମେଜର ଧ୍ୟାନଚାନ୍ଦଙ୍କ ଆତ୍ମା ଯେଉଁଠି ବି ଥିବ, ବହୁତ ଖୁସି ଅନୁଭବ କରୁଥିବ । କାରଣ ବିଶ୍ୱରେ ହକି କ୍ଷେତ୍ରରେ ଭାରତ ପାଇଁ ସୁନାମ ଆଣିବାର କାମ ଧ୍ୟାନଚାନ୍ଦଙ୍କ ହକି ହିଁ କରିଥିଲା । ଆଉ ତା ପରେ, ଚାରି ଦଶନ୍ଧି ପରେ, ଭାରତର ଯୁବଗୋଷ୍ଠୀ, ଭାରତର ପୁଅ-ଝିଅମାନେ ହକିକୁ ପୁନର୍ଜୀବନ ପ୍ରଦାନ କଲେ । ଯେତେ ପଦକ ମିଳିଲେ ବି ହକିରେ ଯେପର୍ଯ୍ୟନ୍ତ ପଦକ ନ ମିଳିଛି ଭାରତର କୌଣସି ନାଗରିକ ବିଜୟର ଆନନ୍ଦ ଅନୁଭବ କରିପାରନ୍ତି ନାହିଁ । ଏଥର ଚାରି ଦଶନ୍ଧି ପରେ ହକିରେ ପଦକ ମିଳିଲା । ଆପଣ କଳ୍ପନା କରିପାରୁଥିବେ, ମେଜର ଧ୍ୟାନଚାନ୍ଦଙ୍କ ଆତ୍ମା କେତେ ପ୍ରସନ୍ନତା ଅନୁଭବ କରୁଥିବ ? ତାଙ୍କର ସମ୍ପୂର୍ଣ୍ଣ ଜୀବନ କ୍ରୀଡ଼ା ପ୍ରତି ସମର୍ପିତ ଥିଲା । ତେଣୁ ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆମେ ଯେଉଁ ଆକର୍ଷଣ ଦେଖୁଛୁ କିମ୍ବା ପିଲାମାନେ ଖେଳକୁଦରେ ଉନ୍ନତି କଲେ ବାପା-ମା’ଙ୍କ ଯେଉଁ ଖୁସି ଦେଖୁଛୁ, କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ମୋ ମତରେ ଏହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ।

ବନ୍ଧୁଗଣ, ଯେତେବେଳେ ଖେଳକୁଦ କଥା ଉଠେ, ସେତେବେଳେ ଆମ ଆଖି ଆଗରେ ଯୁବଗୋଷ୍ଠୀ ଦେଖାଯିବା ସ୍ୱାଭାବିକ । ଆଉ ଯେତେବେଳେ ଯୁବପିଢ଼ି ଆଡ଼କୁ ସୂକ୍ଷ୍ମତାର ସହ ଲକ୍ଷ୍ୟ କରୁଛୁ, ସେତେବେଳେ କେତେ ବଡ଼ ପରିବର୍ତ୍ତନ ଦେଖାଯାଉଛି । ଆଜି ଯୁବବର୍ଗଙ୍କର ଚିନ୍ତାଧାରା ବଦଳିଯାଇଛି । ଆଜିର ଯୁବପିଢ଼ିର ମନ ସେହି ପୁରୁଣା ଗତାନୁଗତିକ ଢଙ୍ଗରୁ ବାହାରି କିଛି ନୂଆ କରିବାକୁ ଚାହୁଁଛି, କିଛି ଭିନ୍ନ କରିବାକୁ ଚାହୁଁଛି । ଆଜିର ଯୁବପିଢ଼ି ସେହି ପୁରୁଣା ରାସ୍ତାରେ ଯିବା ପସନ୍ଦ କରୁନି । ନୂଆ ବାଟ ତିଆରି କରିବାକୁ ଚାହୁଁଛି । ଅଜଣା ରାଇଜକୁ ମାଡ଼ିଯିବାକୁ ଚାହୁଁଛି । ନୂତନ ପଥ, ନୂତନ ଲକ୍ଷ୍ୟ, ନୂତନ ବାଟ, ନୂତନ ଇଚ୍ଛା, ଥରେ ମନରେ ସ୍ଥିର କରିନେଲେ, ତାକୁ ହାସଲ କରିବା ପାଇଁ ସେମାନେ ପ୍ରାଣପଣେ ସେଥିରେ ଲାଗିପଡ଼ୁଛନ୍ତି । ଦିନରାତି ପରିଶ୍ରମ କରୁଛନ୍ତି । ଏ କଥା ଆମେ ଲକ୍ଷ୍ୟ କରୁଛୁ । କିଛିଦିନ ତଳେ ହିଁ ଭାରତ ନିଜର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କଲା । ଆଉ ଦେଖୁ ଦେଖୁ ଆମର ଯୁବପିଢ଼ି ସେହି ସୁଯୋଗକୁ ହାତେଇ ନେଲା । ଏହାର ଲାଭ ଉଠାଇବା ପାଇଁ କଲେଜରେ, ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ, ଘରୋଇ କ୍ଷେତ୍ରରେ କାମ କରୁଥିବା ଯୁବଗୋଷ୍ଠୀ ଆଗେଇ ଆସିଲେ । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆଗାମୀ ଦିନମାନଙ୍କରେ କୃତ୍ରିମ ଉପଗ୍ରହଗୁଡ଼ିକର ଗୋଟିଏ ବଡ଼ ସଂଖ୍ୟା ପ୍ରସ୍ତୁତ ହେବ - ଯାହାକୁ ଆମ ଯୁବପିଢ଼ି, ଛାତ୍ରଛାତ୍ରୀ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ପରୀକ୍ଷାଗାରରେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବେ ।

ସେହିଭଳି, ଆଜି ଯେଉଁଠି ବି ଗଲେ, କାହାରି ଘରକୁ ଗଲେ, ସେ ପରିବାରଟି ପଛେ ଧନିକ ଶ୍ରେଣୀର ହୋଇଥାଉ, କିନ୍ତୁ ପରିବାରର ଯୁବଶ୍ରେଣୀ ସହ କଥା ହେଲେ, ସେମାନେ କହୁଛନ୍ତି ଯେ, ସେମାନେ ପରିବାରର ପରମ୍ପରାରୁ ଦୂରକୁ ଯାଇ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି – କହୁଛନ୍ତି, ମୁଁ ଷ୍ଟାର୍ଟ ଅପ୍ କରିବି । ମାନେ, ରିସ୍କ ନେବାକୁ (ଆହ୍ୱାନମୂଳକ କାମ କରିବାକୁ) ସେମାନଙ୍କ ମନରେ ବହୁତ ଉତ୍କଣ୍ଠା ଦେଖାଯାଉଛି । ଆଜି ଛୋଟ ଛୋଟ ସହରମାନଙ୍କରେ ବି ଷ୍ଟାର୍ଟ ଅପ୍ ସଂସ୍କୃତି ବିସ୍ତାର ଲାଭ କରିବାରେ ଲାଗିଛି । ମୁଁ ଏଥିରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଖିପାରୁଛି । କିଛିଦିନ ତଳେ ଆମ ଦେଶରେ ଖେଳଣା ସମ୍ପର୍କରେ ଆଲୋଚନା ହେଉଥିଲା । ଦେଖୁ ଦେଖୁ ଯେତେବେଳେ ଆମର ଯୁବଗୋଷ୍ଠୀଙ୍କ ନଜର ଏହି କ୍ଷେତ୍ର ଉପରେ ପଡ଼ିଲା, ସେମାନେ ବିଶ୍ୱରେ ଭାରତୀୟ ଖେଳଣାକୁ ଏକ ନୂତନ ପରିଚୟ ପ୍ରଦାନ କରିବାକୁ ମନସ୍ଥ କଲେ । ସେମାନେ ନୂଆ ନୂଆ ପ୍ରୟୋଗ କରିଚାଲିଛନ୍ତି । ବିଶ୍ୱର ଖେଳଣା ବଜାର ବହୁତ ବଡ଼ - ପ୍ରାୟଃ ୬–୭ ଲକ୍ଷ କୋଟି ଟଙ୍କାର ଖେଳଣା ବ୍ୟବସାୟ ହେଉଛି । ଏଥିରେ ଭାରତର ଅଂଶ ଖୁବ କମ ରହିଛି । ହେଲେ ଖେଳଣା କେମିତି ତିଆରି ହୋଇପାରିବ, ଖେଳଣାରେ ବିବିଧତା କ’ଣ ସବୁ ରହିପାରିବ, ଏଥିରେ କି ପ୍ରକାର ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ, ଶିଶୁ ମନସ୍ତତ୍ୱ ଅନୁରୂପ କେଉଁଭଳି ଖେଳଣା ତିଆରି କରାଯାଇପାରିବ, ଆମ ଯୁବଗୋଷ୍ଠୀ ଆଜି ସେ ଦିଗରେ ମନୋନିବେଶ କରୁଛନ୍ତି । ସେ ଦିଗରେ କିଛି ଯୋଗଦାନ ଦେବାକୁ ଚାହୁଁଛନ୍ତି । ବନ୍ଧୁଗଣ, ଆଉ ଗୋଟିଏ କଥା, ଯାହା ମନକୁ ଖୁସିରେ ଭରିବା ସହ ବିଶ୍ୱାସରେ ଦୃଢ଼ କରିଥାଏ । ଆଉ ସେ କଥାଟି କ’ଣ ସେକଥା ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ? ସାଧାରଣତଃ ଆମର ଏଠି ଏକ ପ୍ରକାର ଅଭ୍ୟାସ ପାଲଟି ସାରିଥିଲା – ଚାଲିଛି . . . ଚଳିବ . . . । କିନ୍ତୁ ଏବେ ମୁଁ ଲକ୍ଷ୍ୟ କରୁଛି ଯେ, ଆମ ଦେଶର ଯୁବପିଢ଼ି ଏବେ ଶ୍ରେଷ୍ଠତ୍ୱ ଆଡ଼କୁ ନିଜକୁ କେନ୍ଦ୍ରିତ କରୁଛନ୍ତି । ନିଜକୁ ସର୍ବୋତମ କରିବାକୁ ଚାହୁଁଛନ୍ତି । ସର୍ବୋତମ ଉପାୟରେ କରିବାକୁ ଚାହୁଁଛନ୍ତି । ଏହା ଦେଶର ଗୋଟିଏ ବହୁତ ବଡ଼ ଶକ୍ତି ରୂପେ ଉଭାହେବ ।

ବନ୍ଧୁଗଣ, ଏଥର ଅଲମ୍ପିକ୍ସ ବହୁତ ବଡ଼ ପ୍ରଭାବ ସୃଷ୍ଟି କରିଛି । ଅଲମ୍ପିକ କ୍ରୀଡ଼ା ଶେଷ ହୋଇସାରିଲାଣି । ଏବେ ପାରା-ଅଲିମ୍ପିକ୍ସ ଚାଲିଛି । ଏହି କ୍ରୀଡ଼ା ଜଗତରେ ଯାହା ବି ହେଲା, ବିଶ୍ୱ ସହ ତୁଳନା କଲେ ଏହା ଯଥେଷ୍ଟ କମ୍ ହୋଇପାରେ, କିନ୍ତୁ ଦେଶରେ ଗୋଟିଏ ନୂତନ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଯଥେଷ୍ଟ । ଆଜିର ଯୁବପିଢ଼ି କେବଳ କ୍ରୀଡ଼ାକୁ ଦେଖୁନି, ବରଂ ଏଥିରେ ରହିଥିବା ସମ୍ଭାବନାର ସନ୍ଧାନରେ ଲାଗିପଡ଼ିଛି । ଏହାର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମକୁ ବହୁତ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛି, ନିଜର ସାମର୍ଥ୍ୟକୁ ଦେଖୁଛି, ଏବଂ କୌଣସି ନା କୌଣସି ରୂପରେ ନିଜକୁ ଏଥିରେ ସଂଶ୍ଳିଷ୍ଟ କରିବାକୁ ଚାହୁଁଛି । ସେମାନେ ଏବେ ପାରମ୍ପରିକ ଢଙ୍ଗକୁ ଛାଡ଼ି ନୂତନ କ୍ଷେତ୍ରଗୁଡ଼ିକୁ ଚୟନ କରୁଛନ୍ତି । ମୋର ଦେଶବାସୀଗଣ, ଯେତେବେଳେ ଏତେ ଗତିଶୀଳତା ଆସିଛି, ତେଣୁ ପ୍ରତ୍ୟେକ ପରିବାରରେ କ୍ରୀଡ଼ା ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି । ଆପଣମାନେ ହିଁ ମୋତେ କୁହନ୍ତୁ - ଏହି ଗତିଶୀଳତାକୁ କ’ଣ ଅଟକାଇବା ଉଚିତ ହେବ କି ? ନା ଆଜ୍ଞା । ଆପଣମାନେ ମଧ୍ୟ ମୋ ଭଳି ଭାବୁଥିବେ । ଏବେ ଦେଶରେ କ୍ରୀଡ଼ା, ଖେଳକୁଦ, ଖେଳୁଆଡ଼ ମନୋବୃତ୍ତି ଅଟକିବା ଉଚିତ ନୁହେଁ । ଏହି ଗତିଶୀଳତାକୁ ପାରିବାରିକ ଜୀବନରେ, ସାମାଜିକ ଜୀବନରେ, ଜାତୀୟ ଜୀବନରେ ସ୍ଥାୟୀ କରିବାକୁ ହେବ, ଶକ୍ତିରେ ଭରି ଦେବାକୁ ହେବ, ନିତ୍ୟ ନୂତନ ଶକ୍ତିରେ ଭରି ଦେବାକୁ ହେବ । ଘର ହେଉ, ବାହାର ହେଉ, ଗାଁ ହେଉ କି ସହର ହେଉ, ଆମ ଖେଳପଡ଼ିଆ ଖାଲି ରହିବା ଉଚିତ ନୁହେଁ । ସମସ୍ତେ ଖେଳନ୍ତୁ । ଆପଣମାନଙ୍କର ମନେ ଅଛି ନା ? ଲାଲକିଲ୍ଲାରୁ ମୁଁ କହିଥିଲି – ସବକା ପ୍ରୟାସ – ହଁ ଆଜ୍ଞା, ସମସ୍ତଙ୍କ ଉଦ୍ୟମ । ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ ଭାରତ କ୍ରୀଡ଼ା କ୍ଷେତ୍ରରେ ସେହି ଶିଖରକୁ ସ୍ପର୍ଶ କରିପାରିବ, ଯାହା ପାଇଁ ସେ ଯୋଗ୍ୟ । ମେଜର ଧ୍ୟାନଚାନ୍ଦଙ୍କ ଭଳି ମହାନ ବ୍ୟକ୍ତିମାନେ ଯେଉଁ ବାଟ ଦେଖାଇଛନ୍ତି, ସେହି ବାଟରେ ଅଗ୍ରସର ହେବା ଆମ ଦାୟିତ୍ୱ । ଅନେକ ବର୍ଷ ପରେ ଦେଶରେ ଏଭଳି ସମୟ ଆସିଛି, ଯେତେବେଳେ ପରିବାର ହୁଅନ୍ତୁ, ସମାଜ ହେଉ, ରାଜ୍ୟ ହୁଅନ୍ତୁ ବା ଦେଶ – ସମସ୍ତେ ଏକ ମନ ପ୍ରାଣ ହୋଇ ଯୋଡ଼ି ହୋଇଛନ୍ତି ।

ମୋର ପ୍ରିୟ ଯୁବବନ୍ଧୁଗଣ, ଏହି ଅବସରର ଲାଭ ଉଠାଇ ଆମେ ବିଭିନ୍ନ ପ୍ରକାର କ୍ରୀଡ଼ାରେ ପାରଙ୍ଗମ ହେବା ଉଚିତ । ଗାଁ – ଗାଁରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ନିରନ୍ତର ଭାବେ ଚାଲିବା ଆବଶ୍ୟକ । ପ୍ରତିଯୋଗିତା ଦ୍ୱାରା ହିଁ କ୍ରୀଡ଼ାର ବିକାଶ ଘଟେ ଏବଂ ନୂତନ କ୍ରୀଡ଼ାବିତ୍ ସୃଷ୍ଟି ହୁଅନ୍ତି । ଆସନ୍ତୁ, ଆମେ ସମସ୍ତ ଦେଶବାସୀ ଯଥାସମ୍ଭବ କ୍ରୀଡ଼ାର ଏହି ଗତିଶୀଳତାକୁ ପ୍ରୋତ୍ସାହିତ କରିବା, ଏଥିରେ ନିଜର ଯୋଗଦାନ ଦେବା, ସବକା ପ୍ରୟାସ - ଏହି ମନ୍ତ୍ରକୁ ସାକାର କରି ଦେଖାଇବା ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ଜନ୍ମାଷ୍ଟମୀର ମହାପର୍ବ ପାଳନ କରାଯିବ । ଜନ୍ମାଷ୍ଟମୀ ଅର୍ଥାତ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମର ପର୍ବ । ଆମେ ଭାଗବାନଙ୍କ ସମସ୍ତ ରୂପ ସହ ପରିଚିତ । ଅଝଟିଆ କାହ୍ନୁଠାରୁ ଆରମ୍ଭ କରି ବିରାଟ ରୂପ ଧାରଣ କରିଥିବା ଶ୍ରୀକୃଷ୍ଣଙ୍କ ଯାଏ, ଶାସ୍ତ୍ର ସାମର୍ଥ୍ୟଠାରୁ ଆରମ୍ଭ କରି ଶସ୍ତ୍ର ସାମର୍ଥ୍ୟ ପର୍ଯ୍ୟନ୍ତ, କଳା ହେଉ, ସୌନ୍ଦର୍ଯ୍ୟ ହେଉ, ମାଧୁର୍ଯ୍ୟ ହେଉ, ସବୁଠି ରହିଛନ୍ତି ଶ୍ରୀକୃଷ୍ଣ । କିନ୍ତୁ ଏ କଥା ମୁଁ ଏଥିପାଇଁ କହୁଛି ଯେ, ଜନ୍ମାଷ୍ଟମୀଠାରୁ କିଛି ଦିନ ପୂର୍ବେ ମୁଁ ଗୋଟିଏ କୌତୁହଳପ୍ରଦ ଅନୁଭୁତି ଲାଭ କରିଛି, ତେଣୁ ସେ ବିଷୟରେ ଆପଣଙ୍କୁ କିଛି କହିବା ପାଇଁ ମୋର ଇଚ୍ଛା ହେଉଛି । ଆପଣମାନଙ୍କର ମନେଥିବ, ଚଳିତ ମାସ ୨୦ ତାରିଖ ଦିନ ଭଗବାନ ସୋମନାଥଙ୍କ ମନ୍ଦିର ସହ ଜଡ଼ିତ ନିର୍ମାଣ କାର୍ଯ୍ୟ ଲୋକାର୍ପିତ ହୋଇଛି । ସୋମନାଥ ମନ୍ଦିରଠାରୁ ପ୍ରାୟଃ ତିନି ଚାରି କିଲୋମିଟର ଦୂରରେ ରହିଛି ଭାଲ୍କା ତୀର୍ଥ । ଏହା ସେହି ସ୍ଥାନ ଯେଉଁଠି ଭଗବାନ ଶ୍ରୀକୃଷ୍ଣ ଏହି ଧରାପୃଷ୍ଠରେ ନିଜର ଅନ୍ତିମ କ୍ଷଣ ବିତାଇଥିଲେ । କହିବାକୁ ଗଲେ ଏହି ଲୋକରେ ତାଙ୍କ ଲୀଳାର ସେଠାରେ ପରିସମାପ୍ତି ଘଟିଥିଲା । ସୋମନାଥ ଟ୍ରଷ୍ଟ ଦ୍ୱାରା ସେହି ସମଗ୍ର ଅଂଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଚାଲିଛି । ମୁଁ ଭାଲ୍କା ତୀର୍ଥ ଏବଂ ସେଠାରେ ଚାଲିଥିବା କାମ ବିଷୟରେ ଭାବୁଥିବା ବେଳେ ହଠାତ ମୋ ନଜର ଗୋଟିଏ ସୁନ୍ଦର ଆର୍ଟ ବୁକ୍ ଉପରେ ପଡ଼ିଲା । ଏହି ବହିଟି କେହି ମୋ ଘର ବାହାରେ ମୋ ପାଇଁ ରଖିଦେଇ ଯାଇଥିଲା । ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନେକ ଭବ୍ୟ ରୂପ, ଅନେକ ସୁନ୍ଦର ଛବିମାନ ଥିଲା । ଛବିଗୁଡ଼ିକ ଖୁବ ଆକର୍ଷକ ଏବଂ ଅର୍ଥପୂର୍ଣ୍ଣ ଥିଲା । ମୁଁ ବହିର ପୃଷ୍ଠା ଲେଉଟାଇବା ଆରମ୍ଭ କଲି । ମୋର ଜିଜ୍ଞାସା ଆହୁରି ବୃଦ୍ଧି ପାଇଲା । ଯେତେବେଳେ ମୁଁ ଏହି ବହି ଓ ଏଥିରେ ଥିବା ଚିତ୍ରଗୁଡ଼ିକୁ ଦେଖିଲି, ସେଥିରେ ମୋ ପାଇଁ ଗୋଟିଏ ବାର୍ତ୍ତା ଲେଖାଥିଲା । ଏହାକୁ ପଢ଼ିବା ପରେ ସେହି ବ୍ୟକ୍ତି, ଯିଏ ଏହି ବହି ମୋ ପାଇଁ ଛାଡ଼ିଯାଇଥିଲେ, ତାଙ୍କୁ ଭେଟିବା ପାଇଁ ମୋର ଇଚ୍ଛା ହେଲା । ମୋ କାର୍ଯ୍ୟାଳୟ କର୍ମଚାରୀ ତାଙ୍କ ସହ ଯୋଗାଯୋଗ କଲେ । ପରଦିନ ତାଙ୍କୁ ଦେଖା କରିବାକୁ ଡକାଇଲେ । ସେହି ଆର୍ଟ ବୁକ୍ ଦେଖି ମୋ ମନରେ ବହୁତ ଜିଜ୍ଞାସା ସୃଷ୍ଟି ହୋଇଥିଲା । ଏହି ଜିଜ୍ଞାସା ଭିତରେ ମୋର ସାକ୍ଷାତ ହେଲା ଯଦୁରାଣୀ ଦାସୀଙ୍କ ସହିତ । ସେ ଜଣେ ଆମେରିକୀୟ ମହିଳା । ତାଙ୍କ ଜନ୍ମ ଆମେରିକାରେ ହୋଇଥିଲା । ଆମେରିକାରେ ବଡ଼ ହେଲେ । ଯଦୁରାଣୀ ଦାସୀ ଇସ୍କନ ସହ ଜଡ଼ିତ । ହରେକୃଷ୍ଣ ଆନ୍ଦୋଳନ ସହ ଜଡ଼ିତ । ତାଙ୍କର ବହୁତ ବଡ଼ ବିଶେଷତ୍ୱ ହେଲା ଯେ ସେ ଭକ୍ତି କଳାରେ ନିପୂଣା । ଆପଣମାନେ ଜାଣିଥିବେ ଯେ, ମାତ୍ର ଦୁଇ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧ ତାରିଖ ଦିନ ଇସ୍କନର ପ୍ରତିଷ୍ଠାତା ଶ୍ରୀଲ୍ ପ୍ରଭୁପାଦ ସ୍ୱାମୀଙ୍କର ୧୨୫ ତମ ଜୟନ୍ତୀ ପାଳନ କରାଯିବ । ଯଦୁରାଣୀ ଦାସୀ ଏହି ପରିପ୍ରେକ୍ଷୀରେ ଭାରତ ଆସିଥିଲେ । ମୋ ଆଗରେ ଏହା ଏକ ବଡ଼ ପ୍ରଶ୍ନ ଥିଲା ଯେ, ଯାହାର ଜନ୍ମ ଆମେରିକାରେ ହୋଇଛି, ଯିଏ ଭାରତୀୟ ଚିନ୍ତାଧାରାରୁ ଏତେ ଦୂରରେ ରହିଛନ୍ତି, ସେ କିଭଳି ଭଗବାନ ଶ୍ରୀକୃଷ୍ଣଙ୍କ ଏତେ ଆକର୍ଷଣୀୟ ଛବି ଆଙ୍କିପାରୁଛନ୍ତି ? ମୋର ତାଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଲା । କିନ୍ତୁ ଏହାର ମାତ୍ର କିଛି ଅଂଶ ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ - ଯଦୁରାଣୀ ଜୀ, ହରେକୃଷ୍ଣ । ମୁଁ ଭକ୍ତି କଳା ସମ୍ପର୍କରେ କିଛି ଅଧ୍ୟୟନ କରିଛି । କିନ୍ତୁ ଆପଣ ଆମ ଶ୍ରୋତାବନ୍ଧୁମାନଙ୍କୁ ଅଧିକ କିଛି କୁହନ୍ତୁ । ଆପଣଙ୍କର ଏହା ପ୍ରତି ଐକାନ୍ତିକ ମମତା ଓ ଆକର୍ଷଣ ଖୁବ୍ ଗଭୀର ।

ଯଦୁରାଣି ଜୀ – ତେଣୁ ଭକ୍ତି କଳା ଯାହା ଉପରେ ଆମର ଏକ ନିବନ୍ଧ ରହିଛି – ଭକ୍ତି କଳା ଦ୍ୟୋତ । ଯାହା ସୂଚାଇଦିଏ ଯେ ଏହି କଳା ମାନସ ବା କଳ୍ପନାପ୍ରସୂତ ନୁହେଁ । ବରଂ ଆମର ପ୍ରାଚୀନ ବୈଦିକଶାସ୍ତ୍ର ଯେପରିକି ବ୍ରହ୍ମସଂହିତାରୁ, ଗୋସ୍ୱାମୀଙ୍କ ବୃନ୍ଦାବନରୁ ଏପରିକି ସ୍ୱୟଂ ବ୍ରହ୍ମାଙ୍କର ମୁଖନିସୃତ । ଈଶ୍ୱର ଶ୍ରେଷ୍ଠ - କୃଷ୍ଣ ହିଁ ସଚ୍ଚିଦାନନ୍ଦ ଏହାହିଁ ଅନପେକ୍ଷ । ସେ କିପରି ବଂଶୀ ଧାରଣ କରନ୍ତି, କିପରି ତାଙ୍କର ପରିବ୍ୟାପ୍ତ ସତା ପ୍ରତ୍ୟେକ ସତା ପାଇଁ ଅଭିପ୍ରେତ ... ଯେପରିକି ଶ୍ରୀମଦ୍ ଭାଗବତରେ କୁହାଯାଇଛି । ତାଙ୍କ କାନରେ କର୍ଣ୍ଣିକା ପୁଷ୍ପ, ତାଙ୍କ ପାଦପଦ୍ମ ବୃନ୍ଦାବନର ମାଟି ପାଣିରେ ପ୍ରସ୍ଫୁଟିତ । ଗାଈଗୋଠରେ ତାଙ୍କରି ଅପାର ମହିମାର ସ୍ୱର ଝଙ୍କୃତ । ତାଙ୍କ ବଂଶୀସ୍ୱନ କେତେ ସୌଭାଗ୍ୟବନ୍ତଙ୍କ ମନ ଓ ହୃଦୟକୁ କରିଛି ସିକ୍ତ ଓ ମଥିତ! ଏଣୁ ସବୁକିଛି ବୈଦିକ ଶାସ୍ତ୍ରମତେ ଅନୁସୃତ ଏବଂ ଏହି ଶାସ୍ତ୍ରର ଅପ୍ରାକୃତ ବଳିଷ୍ଠ ପ୍ରଭାବ ଅପ୍ରତିହତ – କେବେ ମନ୍ଦୀଭୂତ ନୁହେଁ । କାରଣ ଭାବାତୀତ ବ୍ୟକ୍ତିତ୍ୱ ଏବଂ ନିଷ୍ଠାବାନ ମନୀଷୀମାନଙ୍କ ଦ୍ୱାରା ଏହି କଳା ଉର୍ଜ୍ଜସ୍ୱଳ । ଏଣୁ ଏହି କଳା ଏକ ପରିବର୍ତ୍ତନୀୟତା । ଏହା ମୋର ନିଜସ୍ୱ ଆବେଗ ନୁହେଁ ।

ପ୍ରଧାନମନ୍ତ୍ରୀ - ଯଦୁରାଣୀ ଜୀ, ଆପଣଙ୍କ ପାଇଁ ମୋର ଏକ ଭିନ୍ନ ପ୍ରଶ୍ନ । ୧୯୬୬ରୁ ପରୋକ୍ଷରେ ଓ ୧୯୭୬ରୁ ପ୍ରତ୍ୟକ୍ଷ ଭାବେ ଆପଣ ଭାରତ ସହ ଦୀର୍ଘକାଳ ଧରି ସମ୍ପୃକ୍ତ । ଆପଣ କହିବେ କି ଆପଣଙ୍କ ପାଇଁ ଭାରତ କ’ଣ ଅର୍ଥ ବହନ କରେ ?

ଯଦୁରାଣୀ ଜୀ - ପ୍ରଧାନମନ୍ତ୍ରୀ ମହୋଦୟ, ଭାରତ ମୋ ପାଇଁ ସର୍ବତୋ ଭାବେ ସବୁକିଛି । ମାନ୍ୟବର ରାଷ୍ଟ୍ରପତିଙ୍କୁ ମୁଁ କିଛିଦିନ ତଳେ କହୁଥିଲି ବୈଷୟିକ ପ୍ରଗତିରେ ଭାରତ ଅନେକ ବାଟ ଆଗେଇଯାଇଛି ଏବଂ ଟ୍ୟୁଟର, ଇନଷ୍ଟାଗ୍ରାମ, ଆଇଫୋନ୍ ପରି ଯୋଗାଯୋଗ ଉପକରଣ ତଥା ସୁଉଚ୍ଚ ଅଟ୍ଟାଳିକା ଏବଂ ବିଭିନ୍ନ ପ୍ରକାରର ସୁଖ ସୁବିଧା ସବୁ ପାଶ୍ଚାତ୍ୟ ପରମ୍ପରାର ଅନୁକରଣ । କିନ୍ତୁ ଏସବୁ ଭାରତର ପ୍ରକୃତ ଗୌରବ ନୁହେଁ । ଭାରତର ପୂର୍ଣ୍ଣ ଉପଲବଧି ହେଉଛି ଏ ଧରାରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ ଏବଂ ଅନେକ ଅବତାରର ପୃଷ୍ଠଭୂମିରେ ଏ ଦେଶର ସଂସ୍କୃତି ବହୁଦା ରୂପାନ୍ତରିତ ହୋଇଛି । ଶିବଙ୍କର ଧରାବତରଣ ହୋଇଛି, ପ୍ରଭୁ ଶ୍ରୀରାମଙ୍କର ଧରାବତରଣ ହୋଇଛି । ସବୁ ପବିତ୍ର ନଦନଦୀ ଏ ମାଟିକୁ ସୁଜଳା କରିଛି । ବୈଷ୍ଣବ ସଂସ୍କୃତିର ସମସ୍ତ ପୂଣ୍ୟତୀର୍ଥ ଏହି ଭାରତରେ । ଏ ବ୍ରହ୍ମାଣ୍ଡରେ ବୃନ୍ଦାବନ ହିଁ ଧ୍ୟେୟ । ବୈକୁଣ୍ଠରେ ମାଳମାଳ ବିରାଜିତ ଅସଂଖ୍ୟ ଗ୍ରହ ବୃନ୍ଦାବନର ନିର୍ଯ୍ୟାସରୁ ହିଁ ସୃଷ୍ଟ । ବୃନ୍ଦାବନ ହିଁ ଦ୍ୱାରକାର ଉତ୍ସ । ବୃନ୍ଦାବନ ହିଁ ଏ ସମସ୍ତ ପାର୍ଥିବ ସୁଖର ଉତ୍ସ । ଜାଗତିକ ସୃଷ୍ଟିର ସୂତ୍ରଧାର ହିଁ ବୃନ୍ଦାବନ । ଏଣୁ ଭାରତକୁ ମୁଁ ଭଲପାଏ ।

ପ୍ରଧାନମନ୍ତ୍ରୀ - ଯଦୁରାଣୀ ମହାଶୟା, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ହରେକୃଷ୍ଣ ।

ବନ୍ଧୁଗଣ, ବିଶ୍ୱର ଲୋକେ ଆଜି ଯେତେବେଳେ ଭାରତୀୟ ଆଧ୍ୟାତ୍ମ ଏବଂ ଦର୍ଶନ ସମ୍ପର୍କରେ ଏତେ କଥା ଚିନ୍ତା କରୁଛନ୍ତି, ସେତେବେଳେ ଏହି ମହାନ ପରମ୍ପରାକୁ ଆଗେଇ ନେବା ଆମର ମଧ୍ୟ କର୍ତ୍ତବ୍ୟ । ଯାହା କାଳ ସହ ବହିଯିବ ତାହାକୁ ତ୍ୟାଗ କରିବାକୁ ହେବ । କିନ୍ତୁ ଯାହା କାଳାତୀତ, ତାକୁ ଆଗକୁ ନେଇଯିବାକୁ ହେବ । ଆମେ ନିଜ ପର୍ବଗୁଡ଼ିକ ପାଳନ କରିବା, ସେଗୁଡ଼ିକ ପଛରେ ରହିଥିବା ବୈଜ୍ଞାନିକ ଚିନ୍ତାଧାରାକୁ ବୁଝିବା, ତା’ ପଛରେ ନିହିତ ଅର୍ଥକୁ ବୁଝିବା । କେବଳ ସେତିକି ନୁହେଁ, ପ୍ରତ୍ୟେକ ପର୍ବପର୍ବାଣୀ ପଛରେ କିଛି ନା କିଛି ବାର୍ତ୍ତା ରହିଛି, କିଛି ନା କିଛି ସଂସ୍କାର ରହିଛି । ସେସବୁକୁ ଆମକୁ ଜାଣିବାକୁ ହେବ, ପାଳନ କରିବାକୁ ହେବ ଏବଂ ଆଗାମୀ ପିଢ଼ି ପାଇଁ ଉତ୍ତରାଧିକାର ରୂପରେ ଏହାକୁ ଆଗେଇ ନେବାକୁ ହେବ । ମୁଁ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଜନ୍ମାଷ୍ଟମୀ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା କାଳଖଣ୍ଡରେ ସ୍ୱଚ୍ଛତା ବିଷୟରେ ମୋତେ ଯେତିକି କହିବା ଉଚିତ ଥିଲା, ବୋଧହୁଏ ତାହା କିଛିଟା କମିଯାଇଥିଲା । ଆହୁରି ମଧ୍ୟ ମୋର ମନେହେଉଛି ଯେ ସ୍ୱଚ୍ଛତା ଅଭିଯାନକୁ ଆମେ ସାମାନ୍ୟତମ ମଧ୍ୟ ଅନ୍ତର କରିଦେବା ନାହିଁ । ରାଷ୍ଟ୍ର ନିର୍ମାଣ ପାଇଁ ‘ସବ୍କା ପ୍ରୟାସ’ କିପରି ‘ସବକା ବିକାଶ’ କରିଥାଏ ଏହାର ଉଦାହରଣ ଆମକୁ ପ୍ରେରଣା ମଧ୍ୟ ଦିଏ ଏବଂ କିଛି କରିବା ପାଇଁ ଏକ ନୂଆ ଶକ୍ତି ଭରିଦିଏ, ନୂଆ ବିଶ୍ୱାସ ଭରିଦିଏ, ଆମର ସଂକଳ୍ପରେ ପ୍ରାଣ ସଂଚାର କରିଥାଏ । ଆମେ ଏହା ଭଲଭାବେ ଜାଣୁ ଯେ ଯେତେବେଳେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନ କଥା ଆସେ, ସେତେବେଳେ ଇନ୍ଦୋର ନାଁ ହିଁ ଆସେ, କାରଣ ଇନ୍ଦୋର ସ୍ୱଚ୍ଛତାକୁ ନେଇ ଏକ ବିଶେଷ ପରିଚିତି ହାସଲ କରିଛି ଏବଂ ଇନ୍ଦୋରର ନାଗରିକ ଏଥିପାଇଁ ଅଭିନନ୍ଦନର ମଧ୍ୟ ଅଧିକାରୀ । ଆମର ଏହି ଇନ୍ଦୋର ଅନେକ ବର୍ଷ ଧରି ‘ସ୍ୱଚ୍ଛ ଭାରତ ରାଙ୍କିଙ୍ଗ୍’ରେ ପ୍ରଥମ ସ୍ଥାନରେ ରହିଆସିଛି । ଏବେ ଇନ୍ଦୋରର ଲୋକ ସ୍ୱଚ୍ଛ ଭାରତର ଏହି ରାଙ୍କିଙ୍ଗ୍ ଦ୍ୱାରା ସନ୍ତୁଷ୍ଟ ହୋଇ ବସିଯିବାକୁ ଚାହାନ୍ତି ନାହିଁ । ସେମାନେ ଆଗକୁ ବଢ଼ିବାକୁ ଚାହାନ୍ତି, କିଛି ନୂଆ କରିବାକୁ ଚାହାନ୍ତି ଏବଂ ସେମାନେ କ’ଣ କରିବାକୁ ମନ ଭିତରେ ପଣ କରିଛନ୍ତି; ସେମାନେ ‘ୱାଟର ପ୍ଲସ୍ ସିଟି’ ତିଆରି କରିବା ପାଇଁ ପ୍ରାଣପଣେ ଲାଗିଛନ୍ତି । ‘ୱାଟର ପ୍ଲସ୍ ସିଟି’ ଅର୍ଥାତ ଏପରି ଏକ ସହର, ଯେଉଁଠି ବିଶୋଧନ ବିନା କୌଣସି ପ୍ରକାରର ବର୍ଜ୍ୟଜଳକୁ କୌଣସି ସାର୍ବଜନୀନ ଜଳସ୍ରୋତରେ ମିଶିବାକୁ ଦିଆଯାଏ ନାହିଁ । ଏଠାକାର ନାଗରିକମାନେ ନିଜେ ଆଗକୁ ବାହାରି ନିଜର ନାଳନର୍ଦ୍ଦମାଗୁଡ଼ିକୁ ସିୱର୍ ଲାଇନ୍ ସହ ସଂଯୋଗ କରିଛନ୍ତି । ସ୍ୱଚ୍ଛତା ଅଭିଯାନ ମଧ୍ୟ ଚଳାଇଛନ୍ତି ଏବଂ ଏହି କାରଣରୁ ସରସ୍ୱତୀ ଓ କାହ୍ନୁ ନଦୀରେ ପଡ଼ୁଥିବା ମଇଳା ପାଣି ମଧ୍ୟ କମ୍ ହୋଇଛି ଓ ସୁଧାର ଆସୁଥିବା ଦୃଷ୍ଟିଗୋଚର ହୋଇଛି । ଆଜି ଯେତେବେଳେ ଆମର ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଆମେ ମନେ ରଖିବା ଆବଶ୍ୟକ ଯେ ସ୍ୱଚ୍ଛ ଭାରତ ଅଭିଯାନର ସଙ୍କଳ୍ପକୁ ଆମେ କେବେ ମନ୍ଥର ହେବାକୁ ଦେବା ନାହିଁ । ଆମ ଦେଶର ଯେତିକି ଅଧିକ ସହର ‘ୱାଟର ପ୍ଲସ୍ ସିଟି’ ହେବ ସେତିକି ସ୍ୱଚ୍ଛତା ମଧ୍ୟ ବଢ଼ିବ, ଆମର ନଦୀଗୁଡ଼ିକ ମଧ୍ୟ ସଫା ରହିବ ଓ ପାଣି ବଂଚାଇବାର ଏକ ମାନବୀୟ ଦାୟିତ୍ୱ ତୁଲାଇବା କ୍ଷେତ୍ରରେ ସଂସ୍କାର ମଧ୍ୟ ଆସିବ ।

ବନ୍ଧୁଗଣ, ମୋ ପାଖକୁ ବିହାର ମଧୁବନୀରୁ ଏକ ଉଦାହରଣ ଆସିଛି । ମଧୁବନୀର ଡକ୍ଟର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ ଏବଂ ସେଠାକାର ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ମିଶି ଏକ ଭଲ ପ୍ରୟାସ କରିଛନ୍ତି । ଏହାର ଲାଭ ଚାଷୀଙ୍କୁ ତ ହେଉଛି, ଏହାଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ନୂଆ ଶକ୍ତି ମିଳୁଛି । ବିଶ୍ୱବିଦ୍ୟାଳୟର ଏହି ପ୍ରଚେଷ୍ଟାର ନାମ “ସୁ-କ୍ଷେତ ମଡେଲ୍” । ସୁ-କ୍ଷେତ ମଡେଲର ଉଦ୍ଦେଶ୍ୟ ହେଉଛି ଗାଁରେ ପ୍ରଦୂଷଣକୁ କମ୍ କରିବା । ଏହି ମଡେଲ୍ ଅନୁସାରେ ଗାଁର ଚାଷୀମାନଙ୍କଠାରୁ ଗୋବର ଏବଂ କ୍ଷେତଘରୁ ବାହାରୁଥିବା ଅନ୍ୟ ଆବର୍ଜନାଗୁଡ଼ିକୁ ଏକତ୍ର କରାଯାଏ ଓ ତା’ ବଦଳରେ ଗ୍ରାମବାସୀଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇଁ ପଇସା ଦିଆଯାଏ । ଯେଉଁ ଆବର୍ଜନା ଗାଁରେ ଏକତ୍ରିତ ହୁଏ ସେଥିରେ ଭର୍ମି କମ୍ପୋଷ୍ଟ୍ ତିଆରି କରିବା ପାଇଁ ମଧ୍ୟ କାମ କରାଯାଉଛି । ଅର୍ଥାତ ସୁ-କ୍ଷେତ ମଡେଲର ଚାରିଟି ଲାଭ ସିଧାସିଧା ଦୃଷ୍ଟିକୁ ଆସୁଛି । ପ୍ରଥମ ତ ଗାଁକୁ ପ୍ରଦୂଷଣରୁ ମୁକ୍ତି, ଦ୍ୱିତୀୟ ଗାଁକୁ ଆବର୍ଜନାରୁ ମୁକ୍ତି, ତୃତୀୟ ଗ୍ରାମବାସୀଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡର୍ ପାଇଁ ପଇସା ଓ ଚତୁର୍ଥ, ଗାଁର ଚାଷୀମାନଙ୍କୁ ଜୈବିକ ସାର । ଆପଣ ଭାବନ୍ତୁ, ଏହିପରି ପ୍ରୟାସ ଆମ ଗାଁର ଶକ୍ତିକୁ କେତେ ଅଧିକ ବଢ଼ାଇପାରିବ । ଏହା ହିଁ ତ ଆତ୍ମନିର୍ଭରତାର ବିଷୟ । ମୁଁ ଦେଶର ପ୍ରତ୍ୟେକ ପଂଚାୟତକୁ କହିବି ଯେ ଏପରି କିଛି କରିବା ପାଇଁ ସେମାନେ ମଧ୍ୟ ନିଶ୍ଚିତଭାବେ ଚିନ୍ତା କରନ୍ତୁ । ଆଉ ବନ୍ଧୁଗଣ, ଆମେ ଯେତେବେଳେ ଗୋଟିଏ ଲକ୍ଷ୍ୟ ନେଇ ବାହାରିପଡ଼ୁ, ଫଳ ମିଳିବା ନିଶ୍ଚିତ ହୋଇଯାଏ । ଏବେ ଦେଖନ୍ତୁ ନା ଆମର ତାମିଲନାଡୁ ଶିବଗଙ୍ଗା ଜିଲାର କାଞ୍ଜିରଙ୍ଗାଲ୍ ପଂଚାୟତକୁ । ଦେଖନ୍ତୁ ଏହି ଛୋଟିଆ ପଂଚାୟତ କ’ଣ କରିଛି, ଏଇଠି ଆପଣଙ୍କୁ ‘ୱେଷ୍ଟ୍’ରୁ ‘ୱେଲଥ’ର ଆଉ ଗୋଟିଏ ମଡେଲ୍ ଦେଖିବାକୁ ମିଳିବ । ଏଠାରେ ସ୍ଥାନୀୟ ଲୋକଙ୍କ ସହ ମିଶି ଗ୍ରାମପଂଚାୟତ ଆବର୍ଜନାରୁ ବିଜୁଳି ଉତ୍ପାଦନ କରିବାର ଏକ ସ୍ଥାନୀୟ ପ୍ରକଳ୍ପ ନିଜ ଗାଁରେ ହିଁ ତିଆରି କରିଛି । ସମଗ୍ର ଗାଁରୁ ଆବର୍ଜନା ଏକାଠି କରାଯାଏ, ସେଥିରେ ବିଜୁଳି ଉତ୍ପାଦିତ ହୁଏ ଆଉ ବଳୁଥିବା ଜିନିଷକୁ କୀଟନାଶକ ରୂପେ ମଧ୍ୟ ବିକ୍ରି କରିଦିଆଯାଏ । ଗାଁର ଏହି ପାୱାର୍ ପ୍ଲାଣ୍ଟ ଦୈନିକ ଦୁଇ ଟନ ଆବର୍ଜନାକୁ ନିଷ୍କାସନ କରିବାର କ୍ଷମତା ରଖିଛି । ଏଥିରୁ ଉତ୍ପାଦିତ ବିଦ୍ୟୁତ୍ ଗାଁର ଷ୍ଟ୍ରିଟଲାଇଟ୍ ଏବଂ ଅନ୍ୟାନ୍ୟ ଆବଶ୍ୟକତାରେ ଉପଯୋଗ ହେଉଛି । ଏହାଦ୍ୱାରା ପଂଚାୟତର ପଇସା ତ ବଂଚୁଛି, ସେହି ପଇସା ଅନ୍ୟ ବିକାଶ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏବେ ମୋତେ କହନ୍ତୁ, ତାମିଲନାଡୁର ଶିବଗଙ୍ଗା ଜିଲାର ଏକ ଛୋଟିଆ ପଂଚାୟତ ଆମ ସମସ୍ତ ଦେଶବାସୀଙ୍କୁ କିଛି କରିବାର ପ୍ରେରଣା ଦେଇଛି ନା ଦେଇନି । ଏମାନେ ଚମତ୍କାର ହିଁ କରିଛନ୍ତି ନା ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ ଏବେ ଭାରତର ସୀମା ଭିତରେ ସୀମିତ ହୋଇ ରହିନାହିଁ । ପୃଥିବୀର ଭିନ୍ନଭିନ୍ନ କୋଣରେ ମଧ୍ୟ ‘ମନ୍ କୀ ବାତ୍’ର ଚର୍ଚ୍ଚା ହେଉଛି ଏବଂ ବିଦେଶରେ ରହୁଥିବା ଆମର ଭାରତୀୟ ସମୁଦାୟର ଲୋକେ ମଧ୍ୟ ମୋତେ ବହୁତ ନୂଆ ନୂଆ ସୂଚନା ଦେଇଥାନ୍ତି ଏବଂ ମୋତେ ମଧ୍ୟ କେବେକେବେ ‘ମନ୍ କୀ ବାତ୍’ରେ ବିଦେଶରେ ଯେଉଁ ନିଆରା କାର୍ଯ୍ୟକ୍ରମ ସବୁ ଚାଲେ ତା’ର କଥା ଆପଣଙ୍କ ସହ ବାଣ୍ଟିବାକୁ ଭଲ ଲାଗେ । ଆଜି ମଧ୍ୟ ମୁଁ ଆପଣଙ୍କୁ ଏପରି କେତେକ ଲୋକଙ୍କ ସହ ପରିଚୟ କରାଇବି, କିନ୍ତୁ ତା’ ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ ସ୍ୱର ଶୁଣାଇବାକୁ ଚାହୁଁଛି । ଟିକିଏ ଭଲରେ ଶୁଣନ୍ତୁ ।

##

(ରେଡିଓ ୟୁନିଟି ନାଇଂଟି ଏଫ୍ ଏମ୍)

ସମସ୍ତଙ୍କୁ ନମସ୍କାର । ମୋ ନାଁ ଗଙ୍ଗା । ଆପଣମାନେ ଶୁଣନ୍ତୁ ରେଡ଼ିଓ ୟୁନିଟି ନାଇଂଟି ଏଫ୍ଏମ୍ – ଏକ ଭାରତ ଶ୍ରେଷ୍ଠ ଭାରତ । ଏକତା ମୂର୍ତ୍ତିର ମାର୍ଗଦର୍ଶିକା ଏବଂ ରେଡ଼ିଓ ୟୁନିଟି ମାଧ୍ୟମରେ ମୁଁ ଜଣେ ଆର୍ଜେ । ସମସ୍ତଙ୍କୁ ବହୁତ ଶୁଭକାମନା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମହୋଦୟଙ୍କୁ ଲୌହପୁରୁଷ କୁହାଯାଏ । ୨୦୧୩ ମସିହାରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଲୁହା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ୧୩୪ ଟନ୍ ଲୁହା ସଂଗ୍ରହ କରାଯାଇଥିଲା । ଝାଡ଼ଖଣ୍ଡର ଜଣେ କୃଷକ ଗୋଟିଏ ମୁଦଗର ଦାନ କରିଥିଲେ । ଆପଣମାନେ ଶୁଣନ୍ତୁ ରେଡ଼ିଓ ୟୁନିଟି ନାଇଂଟି ଏଫ୍ଏମ୍ – ଏକ ଭାରତ ଶ୍ରେଷ୍ଠ ଭାରତ ।

##

ବନ୍ଧୁଗଣ, ଭାଷା ତ ଆପଣମାନେ ବୁଝିସାରିଥିବେ । ରେଡିଓରେ ସଂସ୍କୃତରେ କଥା କୁହାଯାଉଛି ଏବଂ ଯିଏ କହୁଛନ୍ତି ସେ ହେଲେ ଆର୍ଜେ ଗଙ୍ଗା । ଆର୍ଜେ ଗଙ୍ଗା ଗୁଜରାତର ରେଡିଓ ଜକିମାନଙ୍କ ଗ୍ରୁପର ଜଣେ ସଦସ୍ୟା । ତାଙ୍କର ଅନ୍ୟ ବନ୍ଧୁମାନେ ମଧ୍ୟ ଅଛନ୍ତି, ଯେପରିକି ଆର୍ଜେ ନୀଲମ୍, ଆର୍ଜେ ଗୁରୁ ଓ ଆର୍ଜେ ହେତଲ୍ । ଏ ସମସ୍ତେ ମିଶି ଗୁଜରାତର କେୱଡିୟାରେ ଏବେ ସଂସ୍କୃତ ଭାଷାର ମାନ ବଢ଼ାଇବାକୁ ଲାଗିପଡ଼ିଛନ୍ତି ଏବଂ ଆପଣ ଜାଣିଥିବେ ଯେ ଏହି କେୱଡିୟା ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି, ଆମ ଦେଶର ଗୌରବ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ରହିଛି, ସେହି କେୱଡିୟା କଥା ମୁଁ କହୁଛି । ଆଉ ଏମାନେ ଏପରି ରେଡିଓ ଜକି, ଯେଉଁମାନେ ଏକାସାଂଗେ ଅନେକ ଭୂମିକା ତୁଲାଇଥାନ୍ତି । ଏମାନେ ଗାଇଡ୍ ରୂପରେ ମଧ୍ୟ ନିଜ ସେବା ଦିଅନ୍ତି, ଏବଂ ତା’ସହିତ କମ୍ୟୁନିଟି ରେଡିଓ ଇନିସିଏଟିଭ୍-ରେଡିଓ ୟୁନିଟି ୯୦ ଏଫ୍ଏମର ପରିଚାଳନା ମଧ୍ୟ କରନ୍ତି । ଏହି ଆର୍ଜେମାନେ ନିଜର ଶ୍ରୋତାଙ୍କୁ ସଂସ୍କୃତ ଭାଷାରେ କଥା ହୁଅନ୍ତି, ସେମାନଙ୍କୁ ସଂସ୍କୃତରେ ସୂଚନା ଉପଲବ୍ଧ କରାଇଥାନ୍ତି ।

ବନ୍ଧୁଗଣ, ଆମର ଏଠି ସଂସ୍କୃତ ସଂପର୍କରେ କୁହାଯାଇଛି-

ଅମୃତମ୍ ସଂସ୍କୃତମ୍ ମିତ୍ର, ସରସମ୍ ସରଳମ୍ ବଚଃ  ।

ଏକତା ମୂଳକମ୍ ରାଷ୍ଟ୍ରେ, ଜ୍ଞାନ ବିଜ୍ଞାନ ପୋଷକମ୍ ।

ଅର୍ଥାତ ଆମର ସଂସ୍କୃତ ଭାଷା ଯେପରି ସରସ, ସେପରି ସରଳ ମଧ୍ୟ ।

ସଂସ୍କୃତ ନିଜର ବିଚାର, ନିଜର ସାହିତ୍ୟ ମାଧ୍ୟମରେ ଏହି ଜ୍ଞାନବିଜ୍ଞାନ ଓ ରାଷ୍ଟ୍ର ଏକତାର ମଧ୍ୟ ପୋଷଣ କରିଥାଏ, ତାକୁ ମଜଭୁତ କରିଥାଏ । ସଂସ୍କୃତ ସାହିତ୍ୟରେ ମାନବତା ଓ ଜ୍ଞାନର ଏପରି ଦିବ୍ୟ ଦର୍ଶନ ରହିଛି ଯାହା ପ୍ରତ୍ୟେକଙ୍କୁ ଆକର୍ଷିତ କରିପାରେ । ନିକଟରେ ମୋତେ ଏପରି କେତେକ ଲୋକଙ୍କ ସଂପର୍କରେ ଜାଣିବାକୁ ମିଳିଲା, ଯେଉଁମାନେ ବିଦେଶରେ ସଂସ୍କୃତ ପଢ଼ାଇବାର ପ୍ରେରଣାଦାୟକ କାର୍ଯ୍ୟ କରୁଛନ୍ତି । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଶ୍ରୀମାନ ରଟଗର କୋର୍ଟେନହର୍ଷ୍ଟ, ଯିଏ ଆୟର୍ଲାଣ୍ଡର ଜଣେ ଜଣାଶୁଣା ସଂସ୍କୃତର ବିଦ୍ୱାନ ଓ ଶିକ୍ଷକ ଏବଂ ସେ ସେଠାକାର ପିଲାଙ୍କୁ ସଂସ୍କୃତ ପଢ଼ାନ୍ତି । ଏପଟେ ଆମ ପ୍ରାଚ୍ୟରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବାରେ ସଂସ୍କୃତ ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡ. ଚିରାପତ ପ୍ରପଣ୍ଡବିଦ୍ୟା ଏବଂ ଡ କୁସୁମା ରକ୍ଷାମଣି, ଏହି ଦୁଇଜଣ ଥାଇଲାଣ୍ଡରେ ସଂସ୍କୃତ ଭାଷାର ପ୍ରଚାର-ପ୍ରସାରରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନେ ଥାଇ ଓ ସଂସ୍କୃତ ଭାଷାର ତୁଳନାତ୍ମକ ସାହିତ୍ୟ ମଧ୍ୟ ରଚନା କରିଛନ୍ତି । ଏପରି ଜଣେ ପ୍ରଫେସର ହେଉଛନ୍ତି ଶ୍ରୀମାନ ବୋରିସ ଜାଖରିନ, ରୁଷିଆର ମସ୍କୋ ଷ୍ଟେଟ୍ ୟୁନିଭର୍ସିଟିରେ ସେ ସଂସ୍କୃତ ପଢ଼ାନ୍ତି । ସେମାନେ ଅନେକ ଗବେଷଣା ସନ୍ଦର୍ଭ ଓ ପୁସ୍ତକ ଲେଖିଛନ୍ତି । ସେ ଅନେକ ପୁସ୍ତକର ସଂସ୍କୃତରୁ ରୁଷୀୟ ଭାଷାକୁ ଅନୁବାଦ ମଧ୍ୟ କରିଛନ୍ତି । ସେହିପରି ସିଡନୀ ସଂସ୍କୃତ ସ୍କୁଲ୍ ଅଷ୍ଟ୍ରେଲିଆର ସେହି ପ୍ରମୁଖ ଅନୁଷ୍ଠାନ ଭିତରୁ ଗୋଟିଏ, ଯେଉଁଠି ବିଦ୍ୟାର୍ଥୀମାନଙ୍କୁ ସଂସ୍କୃତ ଶିକ୍ଷା ଦିଆଯାଏ । ଏହି ସ୍କୁଲ୍ ପିଲାଙ୍କ ପାଇଁ ସଂସ୍କୃତ ବ୍ୟାକରଣ କ୍ୟାମ୍ପ୍, ସଂସ୍କୃତ ନାଟକ ଓ ସଂସ୍କୃତ ଦିବସ ଭଳି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥାଏ ।

ବନ୍ଧୁଗଣ, ନିକଟ ଅତୀତରେ ଯେଉଁ ପ୍ର୍ରୟାସ ହୋଇଛି, ସେଥିରେ ସଂସ୍କୃତକୁ ନେଇ ଏକ ନୂଆ ସଚେତନତା ଆସିଛି । ଏହି ଦିଗରେ ଆମେ ଅଧିକ ଚେଷ୍ଟା କରିବାର ସମୟ ଆସିଛି । ଆମର ଐତିହ୍ୟକୁ ବଂଚାଇ ରଖିବା, ତା’ର ବିକାଶ କରିବା, ନୂଆ ପିଢ଼ି ପାଖରେ ପହଂଚାଇବା ଏସବୁ ଆମର କର୍ତବ୍ୟ ଏବଂ ଭାବୀ ପିଢ଼ିର ଏହା ଉପରେ ଅଧିକାର ମଧ୍ୟ ଅଛି । ଏବେ ଏହି କାମ ପାଇଁ ମଧ୍ୟ ସମସ୍ତେ ଅଧିକ ପ୍ରୟାସ କରିବାର ସମୟ । ବନ୍ଧୁଗଣ, ଯଦି ଆପଣ ଏହିଭଳି ପ୍ରଚେଷ୍ଟା କରୁଥିବା କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି, ବା ଏଭଳି କିଛି ସୂଚନା ଆପଣଙ୍କ ପାଖରେ ଅଛି ତେବେ ଦୟାକରି #CelebratingSanskrit ସହ ସୋସିଆଲ୍ ମିଡିଆରେ ତାଙ୍କ ସମ୍ପର୍କିତ ସୂଚନା ନିଶ୍ଚୟ ବାଣ୍ଟନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା କିଛିଦିନ ମଧ୍ୟରେ ହିଁ ‘ବିଶ୍ୱକର୍ମା ଜୟନ୍ତୀ’ ଆସୁଛି । ଭଗବାନ ବିଶ୍ୱକର୍ମାଙ୍କୁ ଆମର ଏଠି ବିଶ୍ୱର ସୃଜନ ଶକ୍ତିର ପ୍ରତୀକ ଧରାଯାଏ । ଯିଏ ବି ନିଜର ଦକ୍ଷତା ଦ୍ୱାରା କୌଣସି ବସ୍ତୁର ନିର୍ମାଣ କରେ, ସୃଜନ କରେ, ହେଉପଛେ ତାହା ସିଲେଇ-ଏମ୍ବ୍ରଏଡୋରୀ, ସଫ୍ଟୱେର୍ ହେଉ ବା ସାଟେଲାଇଟ୍, ଏସବୁ ଭଗବାନ ବିଶ୍ୱକର୍ମାଙ୍କର ପ୍ରକଟୀକରଣ । ପୃଥିବୀରେ ଦକ୍ଷତାର ପରିଚୟ ଆଜି ସିନା ନୂଆ ଭାବେ ହେଉଛି, କିନ୍ତୁ ଆମର ମୁନିଋଷିମାନେ ତ ହଜାର ହଜାର ବର୍ଷ ତଳୁ ସ୍କିଲ୍ ଓ ସ୍କେଲ୍ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ସେମାନେ ଦକ୍ଷତାକୁ, କୌଶଳକୁ, ଆସ୍ଥା ସହ ଯୋଡ଼ି ଆମର ଜୀବନଦର୍ଶନର ଅଂଶ କରିଦେଇଛନ୍ତି । ଆମ ବେଦରେ ମଧ୍ୟ କେତେକ ସୂକ୍ତ ଭଗବାନ ବିଶ୍ୱକର୍ମାଙ୍କ ପାଇଁ ସମର୍ପିତ ହୋଇଛି । ସୃଷ୍ଟିରେ ଯେତେ ବଡ଼ ବଡ଼ ରଚନା ଅଛି, ଯାହା ବି ନୂଆ ଓ ବଡ଼ କାମ ହୋଇଛି, ଆମ ଶାସ୍ତ୍ରରେ ସେସବୁର ଶ୍ରେୟ ଭଗବାନ ବିଶ୍ୱକର୍ମାଙ୍କୁ ହିଁ ଦିଆଯାଇଛି । ଏହା ଗୋଟିଏ ଦୃଷ୍ଟିରୁ ଏହି କଥାର ସଂକେତ ଯେ ସଂସାରରେ ଯାହାକିଛି ବି ବିକାଶ ଏବଂ ନବୋନ୍ମେଷ ହେଉଛି, ତାହା ଦକ୍ଷତା ବା କୌଶଳ ଜରିଆରେ ହିଁ ହେଉଛି । ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଓ ତାଙ୍କ ପୂଜା ପଛରେ ଏହି ଭାବ ରହିଛି ଏବଂ ଆମର ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି-

ବିଶ୍ୱସ୍ୟ କୃତେ ଯସ୍ୟ କର୍ମବ୍ୟାପାରଃ ସଃ ବିଶ୍ୱକର୍ମା ।

ଅର୍ଥାତ, ଯିଏ ସୃଷ୍ଟି ଓ ନିର୍ମାଣ ସହ ସଂପୃକ୍ତ ସମସ୍ତ କର୍ମ କରନ୍ତି ସେ ହିଁ ବିଶ୍ୱକର୍ମା । ଆମ ଶାସ୍ତ୍ର ଦୃଷ୍ଟିରେ ଆମ ଆଖପାଖରେ ନିର୍ମାଣ ଓ ସୃଜନରେ ଲାଗିଥିବା ଯେତେ ଦକ୍ଷ ଓ କୁଶଳୀ ଲୋକ ଅଛନ୍ତି ସେମାନେ ଭଗବାନ ବିଶ୍ୱକର୍ମାଙ୍କ ଉତ୍ତରାଧିକାରୀ । ଏମାନଙ୍କ ବିନା ଆମେ ଆମ ଜୀବନର କଳ୍ପନା ମଧ୍ୟ କରିପାରିବା ନାହିଁ । ଆପଣ ଚିନ୍ତା କରି ଦେଖନ୍ତୁ, ଆପଣଙ୍କ ଘରେ ବିଜୁଳିରେ କିଛି ସମସ୍ୟା ଦେଖାଦେଲା ଏବଂ ଆପଣଙ୍କୁ କୌଣସି ଇଲେକ୍ଟ୍ରିସିଆନ୍ ମିଳିଲେ ନାହିଁ ତ କ’ଣ ହେବ ? ଆପଣଙ୍କୁ କେତେ ବଡ ଅସୁବିଧା ଭୋଗିବାକୁ ହେବ । ଆମର ଜୀବନ ଏପରି ଅନେକ କୁଶଳୀ ଲୋକଙ୍କ ଦ୍ୱାରା ଚାଲେ । ଆପଣ ନିଜର ଆଖପାଖକୁ ଦେଖନ୍ତୁ, ଲୁହା କାମ କରୁଥିବା ଲୋକ ହେଉ, ମାଟିରେ ବାସନ ତିଆରି କରୁଥିବା ଲୋକ ହେଉ, କାଠରେ ଜିନିଷ ତିଆରି କରୁଥିବା ଲୋକ ହେଉ, ବିଦ୍ୟୁତ୍ କାମ କରୁଥିବା ଲୋକ ହେଉ, ଘର ରଂଗ କରୁଥିବା ଲୋକ ହେଉ, ସଫେଇକର୍ମୀ ହେଉ କିମ୍ବା ମୋବାଇଲ୍ ଲ୍ୟାପଟପ୍ ମରାମତି କରୁଥିବା ଲୋକ ହେଉ, ଏହି ସମସ୍ତ ବନ୍ଧୁ ନିଜର କାର୍ଯ୍ୟଦକ୍ଷତା ଦ୍ୱାରା ହିଁ ପରିଚିତ ହୋଇଥାନ୍ତି । ଆଧୁନିକ ସ୍ୱରୂପରେ ଏମାନେ ଜଣେ ଜଣେ ବିଶ୍ୱକର୍ମା । କିନ୍ତୁ ବନ୍ଧୁଗଣ, ଏହାର ଆଉ ଏକ ଦିଗ ମଧ୍ୟ ଅଛି ଏବଂ ଏହା କେବେ କେବେ ଚିନ୍ତାରେ ମଧ୍ୟ ପକାଇଦିଏ ଯେ ଯେଉଁ ଦେଶରେ, ଯାହାର ସଂସ୍କୃତିରେ, ପରମ୍ପରାରେ, ଚିନ୍ତାରେ, ଦକ୍ଷତାକୁ, କୁଶଳୀ ମାନବସମ୍ବଳକୁ ଭଗବାନ ବିଶ୍ୱକର୍ମାଙ୍କ ସହ ଯୋଡ଼ିଦିଆଯାଇଛି, ସେଠାରେ ସ୍ଥିତି କିପରି ବଦଳିଗଲା । ଗୋଟିଏ ସମୟରେ ଆମର ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ର ଜୀବନ ଉପରେ କୌଶଳର ବହୁତ ବଡ଼ ପ୍ରଭାବ ରହିଥିଲା; କିନ୍ତୁ ଦୀର୍ଘବର୍ଷର ପରାଧିନତାରେ ଦକ୍ଷତାକୁ ଏହିପରି ସମ୍ମାନ ଦେବାର ଭାବନା ଧୀରେ ଧୀରେ ବିସ୍ମୃତ ହୋଇଗଲା । ଏପରି କିଛି ଭାବନା ହୋଇଗଲା ଯେ ଦକ୍ଷତା ଆଧାରିତ କାର୍ଯ୍ୟକୁ ଛୋଟ ଧରାଗଲା ଏବଂ ଏବେ ଆଜି ଦେଖନ୍ତୁ, ସମଗ୍ର ପୃଥିବୀ ସବୁଠୁ ବେଶି ଦକ୍ଷତା ଅର୍ଥାତ ସ୍କିଲ୍ ଉପରେ ହିଁ ଗୁରୁତ୍ୱ ଦେଉଛି । ଭଗବାନ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ କେବଳ ଔପଚାରିକତାରେ ହିଁ ସଂପୂର୍ଣ୍ଣ ହେବନାହିଁ । ଆମକୁ ଦକ୍ଷତାକୁ ସମ୍ମାନ ଦେବାକୁ ହେବ, ଦକ୍ଷ ହେବାକୁ ପରିଶ୍ରମ କରିବାକୁ ପଡ଼ିବ । ଦକ୍ଷ ହୋଇଥିବାର ଗର୍ବ ହେବା ଉଚିତ । ଯେତେବେଳେ ଆମେ କିଛି ନା କିଛି ନୂଆ କରିବା, କିଛି ସୃଜନ କରିବା, ଏପରି କିଛି ତିଆରି କରିବା ଯେଉଁଥିରେ ସମାଜର ମଙ୍ଗଳ ହେବ, ଲୋକଙ୍କ ଜୀବନ ସହଜ ହୋଇଯିବ, ସେତେବେଳେ ଆମର ବିଶ୍ୱକର୍ମା ପୂଜା ସାର୍ଥକ ହେବ । ଆଜି ପୃଥିବୀରେ କୁଶଳୀ ଲୋକଙ୍କ ପାଇଁ ସୁଯୋଗର ଅଭାବ ନାହିଁ । ପ୍ରଗତିର ଅନେକ ବାଟ ଆଜି କୌଶଳ ଦ୍ୱାରା ପ୍ରସ୍ତୁତ ହେଉଛି । ତେଣୁ ଆସନ୍ତୁ, ଏଥର ଆମେ ଭଗବାନ ବିଶ୍ୱକର୍ମାଙ୍କ ପୂଜାରେ ଆସ୍ଥା ସହିତ ତାଙ୍କର ସନ୍ଦେଶକୁ ମଧ୍ୟ ଆପଣାଇବାର ସଂକଳ୍ପ କରିବା । ଆମ ପୂଜାର ଭାବ ଏଭଳି ହେବା ଦରକାର ଯେ ଆମେ କୌଶଳର ମହତ୍ୱକୁ ବୁଝିବା ଏବଂ କୁଶଳୀ ଲୋକ, ଯେଉଁଠି ବି କାମ କରୁଥାନ୍ତୁ ନା କାହିଁକି, ସେମାନଙ୍କୁ ଉଚିତ ସମ୍ମାନ ମଧ୍ୟ ଦେବା ।

ମୋର ପ୍ରିୟ ଦେଶବାସୀଗଣ, ଏହି ସମୟ ସ୍ୱାଧୀନତାର ୭୫ତମ ବର୍ଷର । ଏହି ବର୍ଷ ତ ଆମକୁ ପ୍ରତିଦିନ ନୂଆ ସଂକଳ୍ପ ନେବାର ଅଛି, ନୂଆ ଚିନ୍ତା କରିବାର ଅଛି ଏବଂ କିଛି ନୂଆ କରିବା ପାଇଁ ନିଜର ଉତ୍ସାହକୁ ବଢ଼ାଇବାର ଅଛି । ଆମର ଭାରତ ଯେତେବେଳେ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମର ଏହି ସଂକଳ୍ପ ହିଁ ତା’ର ସଫଳତାର ମୂଳଦୁଆରେ ଦୃଷ୍ଟିଗୋଚର ହେବ । ସେଥିପାଇଁ, ଆମେ ଏହି ସୁଯୋଗକୁ ହାତଛଡ଼ା କରିବା ନାହିଁ । ଆମେ ଏଥିରେ ନିଜର ଅଧିକରୁ ଅଧିକ ଯୋଗଦାନ ଦେବା ଏବଂ ଏହି ପ୍ରୟାସଗୁଡ଼ିକ ମଧ୍ୟରେ, ଆମକୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ । ଦୱାଇ ଭି, କଡ଼ାଇ ଭି । ଦେଶରେ ୬୨ କୋଟିରୁ ଅଧିକ ପାନ ଟିକା ଦିଆଯାଇସାରିଲାଣି, କିନ୍ତୁ ତଥାପି ମଧ୍ୟ ଆମକୁ ସାବଧାନ ରହିବାକୁ ପଡ଼ିବ, ସତର୍କତା ରଖିବାକୁ ହେବ । ଆଉ ହଁ, ସବୁବେଳ ପରି, ଆପଣ ଯେତେବେଳେ ମଧ୍ୟ କିଛି ନୂଆ କରୁଛନ୍ତି, ନୂଆ ଭାବୁଛନ୍ତି, ସେଥିରେ ମୋତେ ମଧ୍ୟ ନିଶ୍ଚିତ ସାମିଲ୍ କରନ୍ତୁ । ମୁଁ ଆପଣଙ୍କ ପତ୍ର ଏବଂ ମେସେଜକୁ ଅପେକ୍ଷା କରିବି । ଏହି କାମନା ସହ, ଆପଣ ସମସ୍ତଙ୍କୁ ଆଗାମୀ ପର୍ବଗୁଡ଼ିକ ପାଇଁ ପୁଣିଥରେ ବହୁତ ବଧେଇ । ବହୁତ ବହୁତ ଧନ୍ୟବାଦ ।

ନମସ୍କାର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.