ତୁମକୁରୁ ଇଣ୍ଡଷ୍ଟିଆଲ ଟାଉନସିପ୍‍ ଏବଂ ତୁମକୁରୁରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
“ଡବଲ୍‌-ଇଞ୍ଜିନ୍ ସରକାର କର୍ଣ୍ଣାଟକକୁ ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ଗଢିତୋଳିଛି”
“ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଆମକୁ ବିଦେଶୀ ର୍ନିଭରଶୀଳତାକୁ କମ୍ କରିବାକୁ ପଡିବ”
“ଦେଶ ପ୍ରଥମ” ର ଆବେଗ ସହିତ ସଫଳତା ନିଶ୍ଚିତ ହୋଇଛି”
“ଏହି କାରଖାନା ଏବଂ ହାଲ୍‍ ର ବଢୁଥିବା ଶକ୍ତି ମିଥ୍ୟା ପ୍ରଚାରକଙ୍କ ମୁଖା ଖୋଲି ଦେଇଛି”
“ଫୁଡ୍ ପାର୍କ ଏବଂ ହାଲ୍ ପରେ ତୁମକୁରୁକୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏକ ବଡ଼ ଉପହାର ଯାହା ତୁମକୁରୁକୁ ଦେଶର ଏକ ବୃହତ ଶିଳ୍ପ କେନ୍ଦ୍ର ଭାବରେ ବିକାଶ କରିବାରେ ସାହାଯ୍ୟ କରିବ”
“ଡବଲ୍ ଇଞ୍ଜିନ ସରକାର ସାମାଜିକ ଭିତ୍ତିଭୂମି ସହିତ ଶାରିରୀକ ଭିତ୍ତିଭୂମି ପ୍ରତି ସମାନ ଧ୍ୟାନ ଦେଉଛନ୍ତି”
“ଏହି ବଜେଟ୍ ସମର୍ଥ ଭାରତ, ସମ୍ପନ୍ନ ଭାରତ, ସ୍ୱୟଂସମ୍ପୂର୍ଣ୍ଣ ଭାରତ, ଶକ୍ତିମାନ ଭାରତ, ଗତିବାନ ଭାରତ ଦିଗରେ ଏକ ବଡ଼ ପଦକ୍ଷେପ”
“ଏହି ବଜେଟରେ ଦିଆଯାଇଥିବା ଟିକସ ସୁବିଧା ଯୋଗୁଁ ମଧ୍ୟବିତ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ପରିଲକ୍ଷିତ ହୋଇଛି”
“ମହିଳାମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତି ପରିବାରରେ ସେମାନଙ୍କର ସ୍ୱର ମଜବୁତ କରେ ଏବଂ ଏହି ବଜେଟରେ ଏଥିପାଇଁ ଅନେକ ବ୍ୟବସ୍ଥା ରହିଛି”

ତୁମକୁରୁ ଜିଲ୍ଲେ, ଗୁବବି ତାଲୁକିନା, ନିଦ୍ଦର ନଗରଦା, ଆତ୍ମୀୟ ନାଗରିକ - ଅ ବନ୍ଧୁ, ଭଗି-ନିୟରେ, ନିମଗେଲ୍ଲା, ନନ୍ନା ନମସ୍କାର ଗଡୁ!

କର୍ଣ୍ଣାଟକ ସନ୍ଥ ଋଷି ଓ ମନିଷୀମାନଙ୍କର ଭୂମି ଅଟେ । ଆଧ୍ୟାତ୍ମ, ଜ୍ଞାନ- ବିଜ୍ଞାନର ମହାନ ଭାରତୀୟ ପରମ୍ପରାକୁ କର୍ଣ୍ଣାଟକ ସର୍ବଦା ସଶକ୍ତ କରିଛି । ଏଥିରେ ମଧ୍ୟ ତୁମ୍‌କୁରୁର ବିଶେଷ ସ୍ଥାନ ରହିଛି । ସିଦ୍ଧ ଗଙ୍ଗା ମଠର ଏଥିରେ ବହୁତ ବଡ ଭୂମିକା ରହିଛି । ପୂଜ୍ୟ ଶିବକୁମାର ସ୍ୱାମୀ ଜୀ ଉତରାଧିକାର ସ୍ୱରୂପ ଯେଉଁ ‘ତ୍ରିବିଧା ଦସୋହୀ’ ଅର୍ଥାତ୍ “ଅନ୍ନା” “ଅକ୍ଷରା” ଏବଂ “ଆସରେ” ଛାଡି ଯାଇଛନ୍ତି ତାକୁ ଆଜି ଶ୍ରୀ ସିଦ୍ଧଲିଙ୍ଗା ମହାସ୍ୱାମୀ ଜୀ ଆଗକୁ ବଢାଉଛନ୍ତି । ମୁଁ ପୂଜ୍ୟ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଗୁବ୍‌ବିସ୍ଥିତ ଶ୍ରୀ ଚିଦମ୍ବରା ଆଶ୍ରମ ଏବଂ ଭଗବାନ ଚନ୍ନବଶ୍ୱେଶ୍ୱରଙ୍କୁ ମଧ୍ୟ ମୁଁ ପ୍ରଣିପାତ କରୁଛି!

ଭାଇ ଓ ଭଉଣୀମାନେ,

ସନ୍ଥମାନଙ୍କ ଆଶୀର୍ବାଦରୁ ଆଜି କର୍ଣ୍ଣାଟକର ଯୁବକମାନଙ୍କୁ ରୋଜଗାର ଦେଉଥିବା, ଗ୍ରାମୀଣ ଏବଂ ମହିଳାମାନଙ୍କୁ ସୁବିଧା ଦେଉଥିବା, ଦେଶର ସେନା ଏବଂ ମେଡ ଇନ ଇଣ୍ଡିଆକୁ ବଳ ଦେଉଥିବା, ଶହ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି । ଆଜି ଦେଶର ଏକ ବହୁତ ବଡ ହେଲିକପ୍ଟର କାରଖାନା ତୁମକୁରୁକୁ ମିଳିଛି । ଆଜି ତୁମକୁରୁ ଇଣ୍ଡଷ୍ଟିଆଲ ଟାଉନସିପର ମଧ୍ୟ ଶିଳାନ୍ୟାସ ହୋଇଛି ଏବଂ ଏଥି ସହିତ ତୁମ୍‌କୁରୁ ଜିଲ୍ଲାର ଶହ ଶହ ଗାଁକୁ ପାନୀୟ ଜଳ ଯୋଗାଣ ଯୋଜନା ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

କର୍ଣ୍ଣାଟକ ଯୁବ ପ୍ରତିଭା, ଯୁବ ନବସୃଜନର ଭୂମି ଅଟେ । ଡ୍ରୋନ୍ ବିନିର୍ମାଣଠାରୁ ନେଇ ଲଢୁଆ ବିମାନ ତେଜସ ନିର୍ମାଣ ପର୍ଯ୍ୟନ୍ତ, କର୍ଣ୍ଣାଟକର ବିନିର୍ମାଣ କ୍ଷେତ୍ରର ଶକ୍ତିକୁ ବିଶ୍ୱ ଦେଖୁଛି । ଡବଲ ଇଞ୍ଜିନ ସରକାର କର୍ଣ୍ଣାଟକକୁ ପୁଞ୍ଜିନିବେଶକାରୀମାନଙ୍କ ପ୍ରଥମ ପସନ୍ଦ ଭାବେ ଗଢି ତୋଳିଛି । ଡବଲ ଇଞ୍ଜିନ ସରକାର କିଭଳି କାମ କରେ, ଆଜି ଯେଉଁ ହେଲିକପ୍ଟର କାରଖାନାର ଲୋକାର୍ପଣ ହୋଇଛି, ତାହାର ଏକ ଉଦାହରଣ ମଧ୍ୟ ଅଟେ । ୨୦୧୬ ମସିହାରେ ଏକ ସଙ୍କଳ୍ପ ସହିତ ମତେ ଏହାର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଥିଲା ଏବଂ ସଙ୍କଳ୍ପ ଏହା ଥିଲା ଯେ ଆମକୁ ଆମର ପ୍ରତିରକ୍ଷା ଆବଶ୍ୟକତାଗୁଡିକ ପାଇଁ ବିଦେଶ ଉପରେ ନିର୍ଭରଶୀଳତାକୁ ଅତି ମାତ୍ରାରେ ହ୍ରାସ କରି ଚାଲିବାକୁ ପଡିବ । ମୁଁ ଖୁସି ଯେ, ଆଜି ଶହ ଶହ ଏଭଳି ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ, ଯାହା ଭାରତରେ ହିଁ ନିର୍ମାଣ କରାଯାଉଛି, ଯାହାକୁ ଆମର ସେନା ବାହିନୀ ବ୍ୟବହାର କରୁଛି । ଆଜି ଆଧୁନିକ ଆସଲ୍ଟ ରାଇଫଲଠାରୁ ନେଇ, ଟ୍ୟାଙ୍କ, ତୋପ, ନୌସେନା ପାଇଁ ବିମାନବାହୀ ଜାହାଜ, ହେଲିକପ୍‌ଟର, ଫାଇଟର ଜେଟ୍‌, ପରିବହନ ବିମାନ ସବୁ କିଛି ଭାରତ ନିଜେ ତିଆରି କରୁଛି । ୨୦୧୪ ପୂର୍ବର ଏହି ସଂଖ୍ୟାକୁ ଟିକିଏ ମନେ ପକାନ୍ତୁ ତ, ମନେ ପକାନ୍ତୁ! ୨୦୧୪ ପୂର୍ବରୁ ୧୫ ବର୍ଷରେ ଏରୋସ୍ପେଶ କ୍ଷେତ୍ରରେ ଯେତିକି ପୁଞ୍ଜିନିବେଶ କରାଯାଇଛି, ତାର ୫ ଗୁଣା ନିବେଶ ଗତ ୮-୯ ବର୍ଷରେ ହୋଇସାରିଛି । ଆଜି ଆମେ ଆମ ସେନାବାହିନୀକୁ କେବଳ ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ତ ଯୋଗାଇ ଦେଉଛୁ, ଏହାଛଡା ଆମର ପ୍ରତିରକ୍ଷା ରପ୍ତାନୀ ମଧ୍ୟ ୨୦୧୪ ତୁଳନାରେ ଅନେକ ଅଧିକ ଗୁଣା ବୃଦ୍ଧି ପାଇଛି । ଭବିଷ୍ୟତରେ ଏଇଠି ତୁମକୁରୁରେ ହିଁ ଶହ ଶହ ହଜାର ହଜାର ହେଲିକପ୍ଟର ତିଆରି ହେବ ଏବଂ ଏହା ଦ୍ୱାରା ଏଠାରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ । ଯେତେବେଳେ ଏହି ଭଳି ବିନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଥାଏ, ଆମ ସେନାବାହିନୀର ଶକ୍ତି ତ ବୃଦ୍ଧି ପାଇଥାଏ, ହଜାର ହଜାର ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ମଧ୍ୟ ମିଳିଥାଏ । ତୁମକୁରୁର ହେଲିକପ୍ଟର କାରଖାନା ଦ୍ୱାରା ଏଠାରେ ନିକଟରେ ଅନେକ ଛୋଟ ଛୋଟ ଉଦ୍ୟୋଗକୁ, ବ୍ୟବସାୟ – କାରବାରକୁ ମଧ୍ୟ ବଳ ମିଳିବ । 

ବନ୍ଧୁଗଣ,

ଯେତେବେଳେ ନେସନ ଫାଷ୍ଟ, ରାଷ୍ଟ୍ର ପ୍ରଥମ ଏହି ଭାବନା ନେଇ କାର୍ଯ୍ୟ କରାଯାଏ, ସେତେବେଳେ ସୁନିଶ୍ଚିତ ସଫଳତା ମିଳିଥାଏ । ଗତ ୮ ବର୍ଷରେ ଆମେ ଗୋଟିଏ ପଟେ ସରକାରୀ କାରଖାନା, ସରକାରୀ ପ୍ରତିରକ୍ଷା କମ୍ପାନୀଗୁଡିକର କାର୍ଯ୍ୟଧାରାରେ ସଂସ୍କାର ଆଣିଛୁ, ସେଗୁଡିକୁ ଅଧିକ ସଶକ୍ତ କରିଛୁ, ସେଇଠି ଅନ୍ୟପକ୍ଷରେ ଘରୋଇ କ୍ଷେତ୍ରଗୁଡିକ ପାଇଁ ମଧ୍ୟ ଦ୍ୱାର ଉନ୍ମୁକ୍ତ କରିଛୁ । ଏହାଦ୍ୱାରା କେତେ ସୁଫଳ ମିଳିଲା, ତାହା ଆମେ ହାଲ- ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡରେ ମଧ୍ୟ ଦେଖୁଛୁ । ଏବଂ କିଛି ବର୍ଷ ପୂର୍ବର କଥା ମୁଁ ଆଜି ମନେ ପକାଇବାକୁ ଚାହିଁବି, ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସ୍ମରଣ କରିପାରିବେ, ଇଏ ସେହି ‘ହାଲ’ ହେଉଛି, ଯାହାକୁ ବାହାନା ବନେଇ କରି ଆମ ସରକାର ଉପରେ ବିଭିନ୍ନ ପ୍ରକାରର ମିଥ୍ୟା ଅଗିଯୋଗ ଲଗାଗଲା । ଏହି ସେହି ହାଲ, ଯାହା ନାଁ ନେଇ ଲୋକମାନଙ୍କୁ ଉତେଜିତ କରିବା ପାଇଁ ଚକ୍ରାନ୍ତ କରାଯାଇଥିଲା, ଲୋକମାନଙ୍କୁ ଉସକେଇ ଦିଆଗଲା । ସଂସଦର ଘଂଟା ଘଂଟାର ସମୟ ନଷ୍ଟ କରି ଦେଲେ କିନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମିଥ୍ୟା କେତେ ବି ବଡ ହେଉ ନାଁ କାହିଁକି, କେତେ ଥର କୁହା ଯାଉ ନାଁ କାହିିଁକି, କେତେ ହିଁ ପ୍ରମୁଖ ବ୍ୟକ୍ତିଙ୍କ ଦ୍ୱାରା ମଧ୍ୟ କୁହା ଯାଉ, କିନ୍ତୁ ଦିନେ ନା ଦିନେ ତାକୁ ସତ୍ୟ ସମ୍ମୁଖରେ ପରାଜିତ ହେବାକୁ ପଡିବ । ଆଜି ହାଲର ଏହି ହେଲିକପ୍ଟର କାରଖାନା, ହାଲର କ୍ରମବର୍ଦ୍ଧିଷ୍ଣୁ ସାମର୍ଥ୍ୟ, ଅନେକ ଗୁଡିଏ ପୁରୁଣା ମିଛ, ଓ ମିଥ୍ୟା ଆରୋପ ଲଗାଇଥିବା ବ୍ୟକ୍ତିମାନଙ୍କର ପର୍ଦ୍ଦାଫାଶ କରୁଛି, ନିଜେ ହିଁ ବାସ୍ତବତାକୁ ବଖାଣୁଛି । ଆଜି ସେହି ହାଲ ଭାରତର ସେନାବାହିନୀ ପାଇଁ ଆଧୁନିକ ତେଜସ୍ ତିଆରି କରୁଛି, ବିଶ୍ୱର ଆକର୍ଷଣର କେନ୍ଦ୍ର ପାଲଟିଛି । ଆଜି ହାଲ୍ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ସୁଦୃଢ କରୁଛି ।

ବନ୍ଧୁଗଣ,

ଆଜି ଏଠାରେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ହେଲିକପ୍ଟର କାରଖାନା ପରେ ତୁମକୁରୁକୁ ଏକ ବଡ ଉପହାର ମିଳିଛି, ଯାହା ହେଉଛି ଫୁଡ ପାର୍କ । ଏଇ ଯେଉଁ ନୂଆ ଇଣ୍ଡଷ୍ଟ୍ରିଆଲ ଟାଉନସିପ ସ୍ଥାପିତ ହେବ, ଏହାଦ୍ୱାରା ତୁମକୁରୁ କର୍ଣ୍ଣାଟକର କେବଳ ନୁହେଁ, ବରଂ ଭାରତର ଏକ ବୃହତ ଔଦ୍ୟୋଗିକ କେନ୍ଦ୍ର ଭାବରେ ବିକଶିତ ହେବ । ଏହା ଚେନ୍ନାଇ- ବେଙ୍ଗାଲୁରୁ ଶିଳ୍ପ କରିଡରର ମଧ୍ୟ ଅଂଶ ଅଟେ । ଏବେ ଚେନ୍ନାଇ- ବେଙ୍ଗାଲୁରୁ, ବେଙ୍ଗାଲୁରୁ-ମୁମ୍ବାଇ ଏବଂ ହାଇଦ୍ରାବାଦ-ବେଙ୍ଗାଲୁରୁ ଶିଳ୍ପ କରିଡର ଉପରେ କାମ ଚାଲୁ ରହିଛି । ଏ ସବୁରେ କର୍ଣ୍ଣାଟକର ଏକ ବହୁତ ବଡ ଭାଗ ରହିଛି । ମୁଁ ଏ କଥାକୁ ନେଇ ମଧ୍ୟ ଖୁସି ଯେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପର ନିର୍ମାଣ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ କରାଯାଉଛି । ମୁମ୍ବାଇ-ଚେନ୍ନାଇ ରାଜପଥ, ବେଙ୍ଗାଲୁରୁ ବିମାନବନ୍ଦର, ତୁମ୍‌କୁରୁ ରେଳ ଷ୍ଟେସନ, ମେଙ୍ଗାଲୁରୁ ବନ୍ଦର ଏବଂ ଗ୍ୟାସ୍ ସଂଯୋଗୀକରଣ, ଏଭଳି ବହୁମୁଖୀ ଆଦର୍ଶ ସଂଯୋଗୀକରଣ ଦ୍ୱାରା ଏହାକୁ ଯୋଡାଯାଉଛି । ଏହାଦ୍ୱାରା ଏଠାରେ ଖୁବ ଅଧିକ ସଂଖ୍ୟାରେ ରୋଜଗାର ଏବଂ ସ୍ୱରୋଜଗାର ସୃଷ୍ଟି ହେବ ।

ବନ୍ଧୁଗଣ,

ଡବଲ ଇଞ୍ଜିନ ସରକାରର ଧ୍ୟାନ ଯେତିକି ବାସ୍ତବିକ ଭିତିଭୂମୀ ଉପରେ ରହିଛି, ସେତିକି ମଧ୍ୟ ଏହା ସାମାଜିକ ଭିତିଭୂମୀ ଉପରେ ପ୍ରାଧାନ୍ୟ ଦେଉଛି । ବିଗତ ବର୍ଷ ମାନଙ୍କରେ ଆମେ ‘ନିବାସକେ ନିରୁ, ଭୂମିଗେ ନିରାବରୀ’ ଅର୍ଥାତ୍ ପ୍ରତ୍ୟେକ ଘରକୁ ଜଳ, ପ୍ରତି କ୍ଷେତକୁ ପାଣି ଯୋଜନାକୁ ପ୍ରାଥମିକତା ଦେଇଛୁ । ଆଜି ସମଗ୍ର ଦେଶରେ ପାନୀୟ ଜଳ ନେଟଓ୍‌ର୍କର ଅଭୂତପୂର୍ବ ବିସ୍ତାର ହେଉଛି । ଚଳିତ ବର୍ଷ ଜଳ ଜୀବନ ମିଶନ୍ ପାଇଁ ବଜେଟରେ ଗତ ବର୍ଷ ତୁଳନାରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଯେତେବେଳେ ପ୍ରତି ଘରକୁ ଜଳ ପହଂଚିଥାଏ, ସେତେବେଳେ ଏହାର ସର୍ବାଧିକ ଲାଭ ଗରିବ ମହିଳା ଏବଂ ଛୋଟ ଛୋଟ ଝିଅମାନଙ୍କୁ ମିଳିଥାଏ । ସେମାନଙ୍କୁ ସ୍ୱଚ୍ଛ ଜଳ ଯୋଗାଡ କରିବା ପାଇଁ ଘର ଠାରୁ ଦୂର ସ୍ଥାନକୁ ଯିବାକୁ ପଡି ନ ଥାଏ । ଗତ ସାଢେ ୩ ବର୍ଷ ମଧ୍ୟରେ ଦେଶରେ ପାଇପ ଯୋଗେ ପାନୀୟ ଜଳର ପରିସର ୩ କୋଟି ଗ୍ରାମୀଣ ପରିବାରରୁ ବୃଦ୍ଧି ପାଇ ୧୧ କୋଟି ପରିବାରରେ ପହଂଚି ପାରିଛି । ଆମ ସରକାର ନିବାସକେ ନୀରୁ ସହି ହିଁ ଭୂମିଗେ ନିରାବରୀ ଅର୍ଥାତ୍ ଘରକୁ ଜଳ ସହ ଭୂମିକୁ ଜଳ ଉପରେ ମଧ୍ୟ ନିରନ୍ତର କାର୍ଯ୍ୟ କରୁଛନ୍ତି । ବଜେଟରେ ଅପର ଭଦ୍ରା ପ୍ରକଳ୍ପ ପାଇଁ ପ୍ରାୟ ସାଢେ ୫ ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ତୁମକୁରୁ, ଚିକମଗଲୁରୁ, ଚିତ୍ରଦୁର୍ଗ ଏବଂ ଦାବଣଗେରେ ସହ କେନ୍ଦ୍ରୀୟ କର୍ଣ୍ଣାଟକର ବଡ ବଡ ମରୁଡି ପ୍ରଭାବିତ କ୍ଷେତ୍ରକୁ ସୁଫଳ ମିଳିବ । ଏହା ପ୍ରତି କ୍ଷେତ ଏବଂ ପ୍ରତି ଘର ପର୍ଯ୍ୟନ୍ତ ଜଳ ପହଂଚାଇବାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କ ପ୍ରତିଶୃତିବଦ୍ଧତାକୁ ଦର୍ଶାଉଛି । ଏହାର ବହୁତ ବଡ ଲାଭ ଆମର କ୍ଷୁଦ୍ର ଚାଷୀମାନଙ୍କୁ ମିଳିବ, ଯେଉଁମାନେ ଚାଷ ପାଇଁ ସିଂଚନ ଜଳ ଉପରେ, ବର୍ଷା ଜଳ ଉପରେ ନିର୍ଭରଶୀଳ ରହି ଆସିଛନ୍ତି ।

ବନ୍ଧୁଗଣ,

ସମଗ୍ର ବିଶ୍ୱରେ ଏହି ବର୍ଷର ଗରିବ ହିତୈଷୀ, ମଧ୍ୟମ ବର୍ଗ ହିତୈଶୀ ବଜେଟର ଚର୍ଚ୍ଚା ଜୋର ଧରିଛି । ବିକଶିତ ଭାରତର ନିର୍ମାଣ ପାଇଁ ସମସ୍ତେ ଯୋଡି ହୁଅନ୍ତୁ, ଏକଜୁଟ ହୁଅନ୍ତୁ, ସମସ୍ତଙ୍କର ପ୍ରୟାସ କିଭଳି ହେବ, ଏଥିପାଇଁ ଏହି ବଜେଟ ଅନେକ ଶକ୍ତି ପ୍ରଦାନ କରିବ । ଯେତେବେଳେ ଭାରତ ଏହାର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତୀ ପାଳନ କରିବ, ସେହି ସଶକ୍ତ ଭାରତର ମୂଳଦୂଆକୁ, ଏହି ଥରର ବଜେଟ ଆହୁରି ମଜବୁତ କରିଛି । ଏହି ବଜେଟ, ସମର୍ଥ ଭାରତ, ସମ୍ପନ୍ନ ଭାରତ, ସ୍ୱୟଂସମ୍ପୁର୍ଣ୍ଣ ଭାରତ, ଶକ୍ତିମାନ ଭାରତ, ଗତିବାନ ଭାରତ ଦିଗରେ ବହୁତ ବଡ ପଦକ୍ଷେପ ଅଟେ । ସ୍ୱାଧୀନତାର ଏହି ଅମୃତ କାଳରେ, କର୍ତବ୍ୟ ପଥରେ ଚାଲିବା ସହ ବିକଶିତ ଭାରତର ସଙ୍କଳ୍ପକୁ ସିଦ୍ଧ କରିବାରେ ଏହି ବଜେଟର ବହୁତ ବଡ ଅବଦାନ ରହିଛି । ଗାଁ, ଗରିବ, ଚାଷୀ, ଅସହାୟ, ଆଦିବାସୀ, ମଧ୍ୟମ ବର୍ଗ, ମହିଳା, ଯୁବା, ବରିଷ୍ଠ ନାଗରିକ, ସମସ୍ତଙ୍କ ପାଇଁ ଏହି ବଜେଟରେ ବଡ ବଡ ନିଷ୍ପତି ନିଆଯାଇଛି । ଏହା ସର୍ବପ୍ରିୟ ବଜେଟ ଅଟେ । ସର୍ବହିତକାରୀ ବଜେଟ ଅଟେ । ସର୍ବ ସବାମେଶୀ ବଜେଟ ଅଟେ । ସର୍ବ ସୁଖକାରୀ ବଜେଟ ଅଟ । ସର୍ବ ସ୍ପର୍ଶୀ ବଜେଟ ଅଟେ । ଏହା ଭାରତର ଯୁବବର୍ଗଙ୍କୁ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିବା ଭଳି ବଜେଟ ଅଟେ । ଏହା ଭାରତର ନାରୀଶକ୍ତିର ଭାଗିଦାରୀକୁ ପ୍ରୋତ୍ସାହିତ କରୁଥିବା ଭଳି ବଜେଟ ଅଟେ । ଏହା ଭାରତର କୃଷି କ୍ଷେତ୍ରକୁ, ଗାଁ ଗଣ୍ଡାକୁ ଆଧୁନିକ କରିବା ଭଳି ବଜେଟ ଅଟେ । ଏହା ଶ୍ରୀଅନ୍ନ, ଶ୍ରୀଅନ୍ନରୁ କ୍ଷୁଦ୍ର ଚାଷୀମାନଙ୍କୁ ବୈଶ୍ୱିକ ଶକ୍ତି ଦେବା ଭଳି ବଜେଟ ଅଟେ । ଏହା ଭାରତରେ ରୋଜଗାର ବଢାଇବା ଭଳି ଏବଂ ସ୍ୱରୋଜଗାରକୁ ଶକ୍ତି ପ୍ରଦାନ କରିବା ଭଳି ବଜେଟ ଅଟେ । ଆମେ ‘ଅବଶ୍ୟକତେ ଆଧାରା ମତୁ ଆଦାୟା’ ଅର୍ଥାତ୍ ଆପଣମାନଙ୍କର ଆବଶ୍ୟକତା, ଆପଣମାନଙ୍କୁ ଦିଆଯାଉଥିବା ସହାୟତା ଏବଂ ଆପଣମାନଙ୍କର ଆୟ, ତିନିଟିକୁ ଧ୍ୟାନରେ ରଖିଛୁ । କର୍ଣ୍ଣାଟକର ପ୍ରତି ପରିବାରକୁ ଏଥିରୁ ସୁଫଳ ମିଳିବ । 

ଭାଇ ଓ ଭଉଣୀମାନେ,

୨୦୧୪ ପରେ ସରକାର ସମାଜର ସେହି ବର୍ଗଙ୍କୁ ସଶକ୍ତ କରିବାକୁ ପ୍ରୟାସ କରୁଛନ୍ତି, ଯେଉଁମାନଙ୍କୁ ପୂର୍ବରୁ ସହାୟତା ମିଳିବା ବେଶ କଷ୍ଟକର ଥିଲା । ଏହି ବର୍ଗ ପର୍ଯ୍ୟନ୍ତ ସରକାରୀ ଯୋଜନାଗୁଡିକ ହୁଏତ ପହଂଚି ପାରୁନଥିଲା, କିମ୍ବା ସେସବୁ ଦଲାଲମାନଙ୍କ ଦ୍ୱାରା ହରିଲୁଟ ହୋଇଯାଉଥିଲା । ଆପଣମାନେ ଦେଖନ୍ତୁ, ବିଗତ ବର୍ଷଗୁଡିକରେ, ଆମେ ସେହିଭଳି ପ୍ରତି ବର୍ଗ ପର୍ଯ୍ୟନ୍ତ ସରକାରୀ ସହାୟତା ପହଂଚାଇଛୁ, ଯେଉଁମାନେ ପୂର୍ବରୁ ଏଥିରୁ ବଂଚିତ ଥିଲେ । ଆମ ସରକାରରେ ‘କାର୍ମିକ-ଶ୍ରମିକ’ ଏଭଳି ପ୍ରତି ବର୍ଗଙ୍କୁ ପ୍ରଥମ ଥର ପାଇଁ ପେନସନ ଏବଂ ବୀମାର ସୁବିଧା ଦିଆଯାଇଛି । ଆମ ସରକାର କ୍ଷୁଦ୍ର ଚାଷୀମାନଙ୍କର ସହାୟତା ପାଇଁ ସେମାନଙ୍କୁ ପିଏମ କିଷାନ ସମ୍ମାନ ନିଧିର ଶକ୍ତି ଦେଇଛନ୍ତି । ଠେଲା, ଫୁଟପାଥରେ କାମ କରୁଥିବା, ଉଠା ଦୋକାନୀଙ୍କୁ ପ୍ରଥମ ଥର ପାଇଁ ଆମେ ବ୍ୟାଙ୍କରୁ ବିନା ବନ୍ଧକରେ ଋଣ ଉପଲବଧ କରାଇଛୁ । ଏହି ବର୍ଷର ବଜେଟ ଏହି ଭାବନାକୁ ଆଗକୁ ବଢାଉଛି । ପ୍ରଥମ ଥର, ଆମର ବିଶ୍ୱକର୍ମା ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଦେଶରେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ବିଶ୍ୱକର୍ମା ଅର୍ଥାତ୍‌, ଆମର ସେହି ସାଥୀ ଯେଉଁମାନେ ନିଜ ହାତର କୌଶଳ ଦ୍ୱାରା, ହାତରେ ଚାଲୁଥିବା କୌଣସି ସାଜ ସରଞ୍ଜାମ ଦ୍ୱାରା କିଛି ନା କିଛି ନିର୍ମାଣ କରିଥାଆନ୍ତି, ସୃଷ୍ଟି କରିଥାଆନ୍ତି, ସ୍ୱରୋଜଗାରକୁ ଆଗକୁ ବଢାଇ ଥାଆନ୍ତି । ଯେପରି ଆମର କମାର, ବଣିଆ, କୁମ୍ଭାର, ବଢେଇ, ମୂର୍ତିକାର, କାରିଗର, ମିସ୍ତ୍ରୀ, ହସ୍ତଶିଳ୍ପୀ, ଆଦି ଆମର ସବୁ ସାଥୀ ଅଛନ୍ତି, ପିଏମ- ବିକାଶ ଯୋଜନା ଦ୍ୱାରା ଏବେ ଏଭଳି ଲକ୍ଷ ଲକ୍ଷ ପରିବାରଙ୍କୁ ସେମାନଙ୍କର କଳା, ସେମାନଙ୍କର କୌଶଳକୁ ଆହୁରି ସମୃଦ୍ଧ କରିବା ପାଇଁ ସାହାଯ୍ୟ ମିଳିବ ।

ବନ୍ଧୁଗଣ,

ଏହି ବୈଶ୍ୱିକ ମହାମାରୀ ସମୟରେ ରାସନକୁ ନେଇ ହେଉଥିବା ଚିନ୍ତାରୁ ମଧ୍ୟ ଆମ ସରକାର ଗରିବ ପରିବାରଙ୍କୁ ମୁକ୍ତ କରିଛନ୍ତି । ଏହି ଯୋଜନାରେ ଆମ ସରକାର ୪ ଳକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ସାରିଛନ୍ତି । ଗାଁରେ ପ୍ରତିଟି ଗରିବ ପରିବାରକୁ ପକ୍କା ଘର ଦେବା ପାଇଁ ବଜେଟରେ ଅଭୂତପୂର୍ବ ୭୦ ହଜାର କୋଟି ଟଙ୍କା ରଖାଯାଇଛି । ଏହାଦ୍ୱାରା କର୍ଣ୍ଣାଟକର ଅନେକ ଗରିବ ପରିବାରଙ୍କୁ ପକ୍କା ଘର ମିଳିବ, ଜୀବନ ବଦଳି ଯିବ । 

ଭାଇ ଓ ଭଉଣୀମାନେ,

ଏହି ବଜେଟରେ ମଧ୍ୟବିତ ବର୍ଗଙ୍କ ହିତ ପାଇଁ ଅଭୂତପୂର୍ବ ନିଷ୍ପତି ନିଆଯାଇଛି । ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଶୂନ୍ୟ ହେବା ଦ୍ୱାରା ମଧ୍ୟବିତ ବର୍ଗଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି । ବିଶେଷ କରି ୩୦ ବର୍ଷରୁ କମ୍ ଯୁବା ବନ୍ଧୁ, ଯେଉଁମାନେ ନୂଆ ନୂଆ ଚାକିରୀ କରିଛନ୍ତି, ନୂତନ ବ୍ୟବସାୟ କରୁଛନ୍ତି, ସେମାନଙ୍କ ଆକାଉଂଟରେ ପ୍ରତି ମାସରେ ଅଧିକ ଟଙ୍କା ସଂଚୟ ହେବାକୁ ଯାଉଛି । କେବଳ ଏତିକି ନୁହେଁ, ଆମର ଯେଉଁ ଅବସରପ୍ରାପ୍ତ କର୍ମଚାରୀ, ଆମର ଯେଉଁ ସିନିଅର ସିଟିଜେନ, ଆମର ଯେଉଁ ବରିଷ୍ଠ ନାଗରିକ ରହିଛନ୍ତି, ସେମାନଙ୍କ ପାଇଁ ଅର୍ଥ ଜମାର ସୀମାକୁ ୧୫ଲକ୍ଷ ଟଙ୍କାରୁ ବୃଦ୍ଧି କରି ୩୦ ଲକ୍ଷ ଅର୍ଥାତ ଦୁଇ ଗୁଣା କରି ଦିଆଯାଇଛି । ଏହାଦ୍ୱାରା ସେମାନଙ୍କୁ ପ୍ରତି ମାସରେ ମିଳୁଥିବା ରିଟର୍ଣ୍ଣ ଆହୁରି ଅଧିକ ବଢିଯିବ । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁମାନଙ୍କ ପାଇଁ ଲିଭ ଏନକ୍ୟାସମେଂଟ ଉପରେ କର ଛାଡ ଦୀର୍ଘ ବର୍ଷ ଧରି କେବଳ ୩ ଲକ୍ଷ ଟଙ୍କା ଥିଲା । ଏବେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲିଭ ଏନକ୍ୟାସମେଂଟକୁ କର ମୁକ୍ତ କରି ଦିଆଯାଇଛି । ଏହାଦ୍ୱାରା ତୁମ୍‌କୁରୁ, ବେଙ୍ଗାଲୁରୁ ସହିତ କର୍ଣ୍ଣାଟକ ଏବଂ ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ନିକଟକୁ ଅଧିକ ଟଙ୍କା ଆସିବ ।

ବନ୍ଧୁଗଣ,

ଆମ ଦେଶର ମହିଳାମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଭାଜପା ସରକାରର ସର୍ବୋଚ୍ଚ ପ୍ରାଥମିକତାଗୁଡିକ ମଧ୍ୟରୁ ଅନ୍ୟତମ ଅଟେ । ମହିଳାମାନଙ୍କ ଆର୍ଥିିକ ଅନ୍ତର୍ଭୁକ୍ତିକରଣ, ଘରେ ସେମାନଙ୍କର ସ୍ୱରକୁ ମଜବୁତ କରିଥାଏ, ଘରର ନିଷ୍ପତି ନେବାରେ ସେମାନଙ୍କର ଭାଗିଦାରୀ ବଢାଇଥାଥାଏ । ଆମର ମାଆ, ଭଉଣୀ, ଓ ଝିଅମାନେ ବ୍ୟାଙ୍କଗୁଡିକ ସହିତ ଅଧିକରୁ ଅଧିକ ମାତ୍ରାରେ ଯୋଡି ହୁଅନ୍ତୁ, ଏଥିପାଇଁ ଏହି ବଜେଟରେ ଆମେ ଅନେକ ବଡ ବଡ ପଦକ୍ଷେପ ନେଇଛୁ । ଆମେ ମହିଳା ସମ୍ମାନ ସଂଚୟ ପତ୍ର ନେଇ ଆସିଛୁ । ଏଥିରେ ଭଉଣୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ, ଯାହା ଉପରେ ସର୍ବାଧିକ ସାଢେ ୭ ପ୍ରତିଶତ ସୁଧ ମିଳିବ । ଏହା ପରିବାର ଏବଂ ସମାଜରେ ମହିଳାମାନଙ୍କ ଭୂମିକାକୁ ଆହୁରି ବୃଦ୍ଧି କରିବ । ସୁକନ୍ୟା ସମୃଦ୍ଧି, ଜନ ଧନ ବ୍ୟାଙ୍କ ଖାତା, ମୁଦ୍ରା ଋଣ, ଏବଂ ବାସଗୃହ ଯୋଗାଇ ଦେବା ପରେ ଏହା ମହିଳା ଆର୍ଥିକ ସଶକ୍ତିକରଣ ପାଇଁ ଏକ ଆହୁରି ବଡ ପଦକ୍ଷେପ ଅଟେ । ଗାଁଗୁଡିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ସାମର୍ଥ୍ୟ ଆହୁରି ବୃଦ୍ଧି କରିବା ପାଇଁ ମଧ୍ୟ ବଜେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଭାଇ ଓ ଭଉଣୀମାନେ,

ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ଏହି ବଜେଟରୁ ସବୁଠାରୁ ଅଧିକ ଧ୍ୟାନ ଦିଆଯାଇଛି । କୃଷକମାନଙ୍କୁ ପ୍ରତିପାଦରେ ଡିଜିଟାଲ ପ୍ରଯୁକ୍ତି ଦ୍ୱାରା ସହାୟତା ମିଳୁ କିମ୍ବା ସମବାୟର ବିସ୍ତାର, ଏହା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏହାଦ୍ୱାରା କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀ ସମସ୍ତଙ୍କୁ ସୁଫଳ ମିଳିବ । ଆଖୁ ଚାଷ ସହିତ ସମ୍ପୃକ୍ତ ସମବାୟ ସମିତିଗୁଡିକୁ ବିଶେଷ ସହାୟତା ମିଳିବା ଦ୍ୱାରା କର୍ଣ୍ଣାଟକର ଆଖୁ ଚାଷୀମାନଙ୍କର ବେଶ ଲାଭ ହେବ । ଭବିଷ୍ୟତରେ ଅନେକ ନୂଆ ନୂଆ ସମବାୟ ସମିତି ମଧ୍ୟ ପ୍ରତିଷ୍ଠା ହୋଇପାରିବ ଏବଂ ଖାଦ୍ୟ ଶସ୍ୟର ଭଣ୍ଡାରଣ ପାଇଁ ସମଗ୍ର ଦେଶରେ ବୃହତ ସଂଖ୍ୟାରେ ଭଣ୍ଡାର ଗୃହ ନିର୍ମାଣ କରାଯିବ । ଏହାଦ୍ୱାରା କ୍ଷୁଦ୍ର ଚାଷୀମାନେ ମଧ୍ୟ ନିଜର ଖାଦ୍ୟ ଶସ୍ୟ ଗଚ୍ଛିତ ରଖି ପାରିବେ ଏବଂ ଉଚିତ୍ ମୂଲ୍ୟ ମିଳିଲେ ହିଁ ବିକ୍ରୀ କରିବାର ସୁବିଧା ପାଇବେ । ଏତିକି ନୁହେଁ ପ୍ରାକୃତିକ ଚାଷରେ କ୍ଷୁଦ୍ର ଚାଷୀମାନଙ୍କର ବ୍ୟୟ କମ୍ ହେଉ, ଏଥିପାଇଁ ହଜାର ହଜାର ସହାୟତା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଉଛି ।

ବନ୍ଧୁଗଣ,

କର୍ଣ୍ଣାଟକରେ ଆପଣମାନେ ସମସ୍ତେ ମିଲେଟସ୍ – ମୋଟା ଶସ୍ୟର ମହତ୍ୱ ବେଶ ଭଲ ଭାବେ ବୁଝନ୍ତି । ଏଥିପାଇଁ ମୋଟା ଶସ୍ୟକୁ ଆପଣମାନେ ସମସ୍ତେ ବହୁ ପୂର୍ବରୁ ‘ସିରି ଧାନ୍ୟା’ ବୋଲି କହିଥାଆନ୍ତି । ଏବେ କର୍ଣ୍ଣାଟକର ଲୋକମାନଙ୍କ ଏହି ଭାବନାକୁ ଦେଶ ଆଗକୁ ବଢାଉଛି । ଆଜି ସମଗ୍ର ଦେଶରେ, ମୋଟା ଶସ୍ୟକୁ ଶ୍ରୀ- ଅନ୍ନର ପରିଚୟ ଦିଆଯାଇଛି । ଶ୍ରୀ- ଅନ୍ନ ଅର୍ଥାତ୍‌, ‘ଧାନ’ ରେ ସର୍ବଶ୍ରେଷ୍ଠ । କର୍ଣ୍ଣାଟକରେ ତ ଶ୍ରୀ ଅନ୍ନ ରାଗି, ଶ୍ରୀ ଅନ୍ନ ନବଣେ, ଶ୍ରୀ ଅନ୍ନ ସାମେ, ଶ୍ରୀ ଅନ୍ନ ହରକା, ଶ୍ରୀ ଅନ୍ନ କୋରଲେ, ଶ୍ରୀ ଅନ୍ନ ଉଦଲୁ, ଶ୍ରୀ ଅନ୍ନ ବରଗୁ, ଶ୍ରୀ ଅନ୍ନ ସଜ୍ଜେ, ଶ୍ରୀ ଅନ୍ନ ବିଡିଜୋଡା, କୃଷକ ଏଭଳି ଅନେକ ଶ୍ରୀ ଅନ୍ନ ଉତ୍ପାଦନ କରୁଛି । କର୍ଣ୍ଣାଟକର ‘ରାଗି ମୁଦ୍ଦେ’, ‘ରାଗୀ ରୋଟି’ ଏହି ସ୍ୱାଦକୁ କିଏ ବା ଭୁଲି ପାରିବ? ଏହି ବର୍ଷର ବଜେଟରେ ଶ୍ରୀ ଅନ୍ନର ଉତ୍ପାଦନରେ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇଛି । ଏହାର ସୁଫଳ କର୍ଣ୍ଣାଟକର ମରୁଡି ପ୍ରଭାବିତ ଅଂଚଳର ଛୋଟ ଛୋଟ ଚାଷୀମାନଙ୍କୁ ଅଧିକ ମାତ୍ରାରେ ମିଳିପାରିବ ।

ବନ୍ଧୁଗଣ, 

ଡବଲ ଇଞ୍ଜିନ ସରକାରଙ୍କ ସଚ୍ଚୋଟ ପ୍ରୟାସ ଯୋଗୁଁ ଆଜି ଭାରତର ନାଗରିକର ବିଶ୍ୱାସ ଚରମ ସୋପାନରେ ପହଂଚିଛି, ଆତ୍ମବିଶ୍ୱାସ ଶିଖର ଛୁଇଁଛି । ଆମେ ପ୍ରତି ଦେଶବାସୀର ଜୀବନକୁ ସୁରକ୍ଷିତ ରଖିବା ପାଇଁ, ଭବିଷ୍ୟତକୁ ସମୃଦ୍ଧ କରିବା ପାଇଁ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ଚାଲିଛୁ, ଆପଣମାନଙ୍କ ନିରନ୍ତର ଆଶୀର୍ବାଦ ହିଁ ଆମ ସମସ୍ତଙ୍କ ପାଇଁ ଶକ୍ତି ଅଟେ, ପ୍ରେରଣା ଅଟେ । ପୁଣି ଥରେ ଆପଣ ସମସ୍ତଙ୍କୁ ବଜେଟ ଏବଂ ଆଜି ତୁମକୁରୁରେ ଯେଉଁ ବିକାଶ ପ୍ରକଳ୍ପଗୁଡିକ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ସେଥିପାଇଁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଆପଣମାନେ ଆଜି ଏତେ ସଂଖ୍ୟାରେ ଏଠାକୁ ଆସିଛନ୍ତି ଆମକୁ ଆଶୀର୍ବାଦ ଦେଉଛନ୍ତି, ମୁଁ ଆପଣ ସମସ୍ତଙ୍କୁ ଅନ୍ତରରୁ ଅଶେଷ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s passenger vehicle sales jump 35% to 4.5 lakh in August as Maruti, M&M drive growth

Media Coverage

India’s passenger vehicle sales jump 35% to 4.5 lakh in August as Maruti, M&M drive growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.