ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

ଆଜକୁ ହଜାର ହଜାର ବର୍ଷ ପୂର୍ବେ ଆମର ବେଦ ପୁରାଣଶାସ୍ତ୍ରମାନ ରଚନା କରାଯାଇଥିଲା । ବେଦରେ ଥିବା ମନ୍ତ୍ରଗୁଡ଼ିକ ମଧ୍ୟରେ ସୂର୍ଯ୍ୟଙ୍କୁ ସମ୍ପର୍କରେ ଥିବା ମନ୍ତ୍ରଟି ସବୁଠାରୁ ଲୋକପ୍ରିୟ । ଏପରିକି ଆଜି ସୁଦ୍ଧା କୋଟି କୋଟି ଭାରତୀୟ ପ୍ରତି ଦିନ ସେହି ମନ୍ତ୍ରଟିକୁ ଉଚ୍ଚାରଣ କରିଥାନ୍ତି । ସାରା ବିଶ୍ୱରେ ଅନେକ ସଂସ୍କୃତିରେ ନିଜ ନିଜ ଢ଼ଙ୍ଗରେ ସୂର୍ଯ୍ୟଙ୍କୁ ସମ୍ମାନ ପ୍ରଦର୍ଶନର ଅଭିନବ ପଦ୍ଧତି ଥିବା ଦେଖିବାକୁ ମିଳେ । ସେମାନେ ସ୍ୱ ସ୍ୱ ଢଙ୍ଗରେ ଏଭଳି ସମ୍ମାନ ପ୍ରଦର୍ଶନ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ସୂର୍ଯ୍ୟଙ୍କର ଏହି ପ୍ରଭାବକୁ ଉତ୍ସବ ଆକାରରେ ମନାଇବା ସକାଶେ ଆଜି ସମଗ୍ର ବିଶ୍ୱକୁ ଏଠାରେ ଏକଜୁଟ କରିଛି । ଏହି ଉତ୍ସବ ସେହି ଦୃଷ୍ଟିରୁ ଆମକୁ ଏକ ଉତ୍ତମ ପୃଥିବୀ ଗଠନରେ ସହାୟକ ହୋଇପାରିବ ।

 

ବନ୍ଧୁଗଣ,

୨୦୧୫ ମସିହାରେ ଆଇଏସଏ ଗୋଟିଏ କ୍ଷୁଦ୍ର ଚାରା ଭାବରେ ଆତ୍ମ ପ୍ରକାଶ କରିଥିଲା । ସେତେବେଳେ ଏହା ଥିଲା ଏକ ଆଶା ଓ ଆକାଂକ୍ଷାର ମୁହୂର୍ତ୍ତ । ଆଜି ଏହା ଏକ ବିଶାଳ ଦ୍ରୁମ ଭାବେ ବିକଶିତ ହୋଇଛି ଏବଂ ନୀତି ଠାରୁ ଆରମ୍ଭ କରି କାର୍ଯ୍ୟଶୈଳୀରେ ଆମମାନଙ୍କୁ ପ୍ରେରଣା ଯୋଗାଉଛି । ଏତେ କମ୍ ସମୟ ମଧ୍ୟରେ, ଆଇ. ଏସ.ଏ.ର ସଦସ୍ୟ ସଂଖ୍ୟା ମଧ୍ୟ ଶହେ ରାଷ୍ଟ୍ରକୁ ଟପି ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏହାତିରିକ୍ତ, ୧୯ ଗୋଟି ଅଧିକ ରାଷ୍ଟ୍ର ମଧ୍ୟ ଏହି ରାଜିନାମାର ଢାଞ୍ଚାକୁ ପୂର୍ଣ୍ଣକାଳୀନ ସଦସ୍ୟତା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅନୁଷ୍ଠାନର ବିକାଶ ‘ଏକ ବିଶ୍ୱ, ଏକ ସୂର୍ଯ୍ୟ, ଏକ ଗ୍ରୀଡ଼’ ପରିକଳ୍ପନା ନିମନ୍ତେ ବେଶ୍ ଗୁରୁତ୍ୱପୂର୍ଣ୍ଣ ପରି ପ୍ରତୀୟମାନ ହୁଏ ।

 

ବନ୍ଧୁଗଣ,

ବିଗତ କିଛି ବର୍ଷ ମଧ୍ୟରେ, ଭାରତ ସବୁଜ ଇନ୍ଧନ କ୍ଷେତ୍ରରେ ବ୍ୟାପକ ପ୍ରଗତି ହାସଲ କରିଛି । ଆମେ ଅକ୍ଷୟ ଶକ୍ତି ପାଇଁ ପ୍ୟାରିସ୍ ପ୍ରତିବଦ୍ଧତା ହାସଲ ଦିଗରେ ବିଶ୍ୱର ପ୍ରଥମ ଜି-୨୦ ସଦସ୍ୟଭୁକ୍ତ ରାଷ୍ଟ୍ର ହେବାର ସୌଭାଗ୍ୟ ଅର୍ଜନ କରିଛୁ । ସୌର ଶକ୍ତିର ବିକାଶ ଦିଗରେ ଉଲ୍ଲେଖନୀୟ ବିକାଶ ହେଉଛି ଏହାର ମୁଖ୍ୟ କାରଣ ଯାହାକି ଆମକୁ ଏହା ହାସଲ କରିବାରେ ସହାୟକ ହୋଇଛି । ଆମର ସୌର ଶକ୍ତି କ୍ଷମତା ବିଗତ ୧୦ ବର୍ଷ ମଧ୍ୟରେ ୩୨ ଗୁଣ ବୃଦ୍ଧି ପାଇଛି । ଏହି ବେଗ ଏବଂ ମାତ୍ରା ଆମକୁ ୨୦୩୦ ମସିହା ସୁଦ୍ଧା ଆମର ଅଣ- ଜୀବାଶ୍ମ ଇନ୍ଧନ ଉତ୍ପାଦନକୁ ପାଞ୍ଚ ଶହ (୫୦୦) ଗିଗାୱାଟରେ ପହଞ୍ଚାଇବା ଦିଗରେ ଅବଶ୍ୟ ସହାୟକ ହୋଇପାରିବ ।

 

ବନ୍ଧୁଗଣ,

ସୌର ଶକ୍ତି କ୍ଷେତ୍ରରେ ଭାରତର ଏହି ବିକାଶ ହେଉଛି ଆମର ସ୍ୱଚ୍ଛ କାର୍ଯ୍ୟକ୍ରମର ପରିଣାମ । ତାହା ଭାରତରେ ହୋଇଥାଉ କିମ୍ବା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ, ସୌର ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ମୂଳ ମନ୍ତ୍ରଟି ହେଲା ସଚେତନତା, ଉପଲବ୍ଧତା ଏବଂ ସୁଲଭତାକୁ ଆହରଣ କରିବା । ପୋଷଣୀୟ ଶକ୍ତି ଉତ୍ସର ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କ ମନରେ ସଚେତନତା ବୃଦ୍ଧି କରିବା ପାଇଁ ଆମକୁ ଘରୋଇ କ୍ଷେତ୍ରରେ ସୌରଶକ୍ତିର ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ କରିବାକୁ ପଡ଼ିବ ଯଦ୍ୱାରା ଏହାର ଉପଲବ୍ଧତା ବୃଦ୍ଧି ପାଇବ । ନିର୍ଦ୍ଦିଷ୍ଟ ଯୋଜନା ଏବଂ ଉପକ୍ରମ ମାଧ୍ୟମରେ, ଆମେ ସୌର ବିକଳ୍ପଟିକୁ ସୁଲଭ ମଧ୍ୟ କରିପାରିବା ।

 

ବନ୍ଧୁଗଣ,

ଆଇଏସଏ ହେଉଛି ଏକ ଆଦର୍ଶ ମଞ୍ଚ ଯାହାକି ସୌରଶକ୍ତି ଆହରଣ ଚିନ୍ତାଧାରା ଓ ଶ୍ରେଷ୍ଠ କାର୍ଯ୍ୟକ୍ରମକୁ ବାସ୍ତବତାରେ ରୂପାନ୍ତରିତ କରିପାରିବ । ଏଥିରେ ଭାରତର ପର୍ଯ୍ୟାପ୍ତ ଅଂଶ ମଧ୍ୟ ରହିଛି । ମୁଁ ଆପଣମାନଙ୍କୁ ଏହାର ଏକ ଉଦାହରଣ ଦେଉଛି ଯାହାକି ନିକଟରେ କରାଯାଇଥିବା ନୀତିଗତ ହସ୍ତକ୍ଷେପର ଏକ ବଳିଷ୍ଠ ପ୍ରମାଣ । କିଛି ମାସ ପୂର୍ବେ, ଆମେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ଶୁଭାରମ୍ଭ କରିଥିଲୁ । ଆମେ ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛୁ । ଆମର ଲକ୍ଷ୍ୟ ହେଲା ୧ କୋଟି ପରିବାରଙ୍କ ଘରର ଛାତ ଉପରେ ସୌର ପାନେଲ ସ୍ଥାପନ କରିବା । ଆମେ ଏଥି ନିମନ୍ତେ ଲୋକମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ହସ୍ତାନ୍ତରଣ କରୁଛୁ । ସ୍ୱଳ୍ପ ସୁଧ, କୋଲାଟରାଲ ମୁକ୍ତ ଋଣ ମଧ୍ୟ ଏହି ଅତିରିକ୍ତ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହୋଇଛି । ବର୍ତ୍ତମାନ, ଏହିସବୁ ପରିବାରରେ ସ୍ୱଚ୍ଛ ଶକ୍ତି ଉତ୍ପାଦିତ ହୋଇ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିଛି । ଅଧିକନ୍ତୁ, ସେମାନେ ମଧ୍ୟ ଚାହିଁଲେ ଅତିରିକ୍ତ ଉତ୍ପାଦିତ ବିଜୁଳିକୁ ଗ୍ରୀଡ଼କୁ ବିକ୍ରି କରିପାରିବେ ଏବଂ ଅର୍ଥ ଉପାର୍ଜନ କରିପାରିବେ । ଏଭଳି ଉପକ୍ରମ ଏବଂ ସମ୍ଭାବ୍ୟ ଉପାର୍ଜନ ଯୋଗୁ, ଏହି ଯୋଜନା ଧୀରେ ଧୀରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ସୌର ଶକ୍ତିକୁ ସୁଲଭ ଏବଂ ଆକର୍ଷଣୀୟ ବିକଳ୍ପ ଭାବରେ ସଭିଏଁ ଦେଖୁଛନ୍ତି । ମୋର ଦୃଢ଼ ବିଶ୍ୱାସ ଯେ ଅନେକ ରାଷ୍ଟ୍ରଙ୍କ ନିକଟରେ ଏଭଳି ମୂଲ୍ୟବାନ ଭାବନା ରହିଛି ଏବଂ ସେମାନେ ଶକ୍ତି ପର୍ଯ୍ୟାନ୍ତରଣରେ ଏଭଳି କାର୍ଯ୍ୟକୁ ଗ୍ରହଣ କରିପାରିବେ ।

 

ବନ୍ଧୁଗଣ,

ସ୍ୱଳ୍ପ ସମୟ ମଧ୍ୟରେ ଆଇଏସଏ ଅନେକ ପ୍ରଗତି ହାସଲ କରିଛି । ୪୪ ଗୋଟି ରାଷ୍ଟ୍ରରେ ଏହା ୧୦ ଗିଗାୱାଟ ବିଜୁଳି ଶକ୍ତି ଉତ୍ପାଦନରେ ସହାୟକ ହୋଇପାରିଛି । ଏହି ସଂଗଠନ ବୈଶ୍ୱିକ ସୌର ପମ୍ପ୍ ମୂଲ୍ୟକୁ କମାଇବା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି  । ଘରୋଇ କ୍ଷେତ୍ର ମଧ୍ୟ ଏଥିରେ ପ୍ରବେଶ କରିଛନ୍ତି, ବିଶେଷ କରି ଆଫ୍ରିକୀୟ ସଦସ୍ୟ ରାଷ୍ଟ୍ରମାନେ ଏହି ସଫଳତା ହାସଲ କରିଛନ୍ତି । ଆଫ୍ରିକା, ଏସିଆ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଏବଂ ଭାରତରେ ଅନେକ ପ୍ରଗତିଶୀଳ ସୌର ଷ୍ଟାର୍ଟ ଅପମାନ ମୁଣ୍ଡ ଟେକିଛନ୍ତି ଏବଂ ସେମାନଙ୍କୁ ସକଳ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହି ଉପକ୍ରମ ଖୁବ୍ ଶୀଘ୍ର ଲାଟିନ୍ ଆମେରିକା ଏବଂ କ୍ୟାରିବୀୟ ରାଷ୍ଟ୍ରମାନଙ୍କୁ ସମ୍ପ୍ରସାରିତ ହେବ । ସେହିସବୁ ଉଲ୍ଲେଖନୀୟ ପଦକ୍ଷେପମାନ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହେଉଛନ୍ତି ।

 

ବନ୍ଧୁଗଣ,

ଶକ୍ତି ପର୍ଯ୍ୟାନ୍ତରଣକୁ ସୁନିଶ୍ଚିତ କରିବା ସକାଶେ ବିଶ୍ୱକୁ ସାମୂହିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ହେବ । ସବୁଜ ଶକ୍ତି ନିବେଶର ଆବଶ୍ୟକତାରେ ଥିବା ସାନ୍ଦ୍ରତା ଅସନ୍ତୁଳନକୁ ଦୂର କରିବାକୁ ପଡ଼ିବ । ଉତ୍ପାଦନ ଓ ପ୍ରଯୁକ୍ତି ଆବଶ୍ୟକତାକୁ ମଧ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ପ୍ରଦର୍ଶନ କରିବାକୁ ହେବ । ନିମ୍ନ ବିକାଶଶୀଳ ରାଷ୍ଟ୍ର ଏବଂ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ସମୂହମାନଙ୍କୁ ସଶକ୍ତ କରିବା ଦିଗରେ ଅଗ୍ରାଧିକାର ପ୍ରଦାନ କରିବାକୁ ପଡ଼ିବ । ସଂଖ୍ୟାଲଘୁ ଗୋଷ୍ଠୀ, ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ସମାଯୋଜନ ଜରିଆରେ ଏକଜୁଟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୋର ଦୃଢ଼ ବିଶ୍ୱାସ ଯେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ନିମନ୍ତେ ଆବଶ୍ୟକ ବାତାବରଣ ସୃଷ୍ଟି କରିବ ।

 

ବନ୍ଧୁଗଣ,

ଏକ ସବୁଜ ଭବିଷ୍ୟତ ଗଠନ ନିମନ୍ତେ ଭାରତ ବିଶ୍ୱ ସହିତ ଏକତ୍ର ମିଶି କାର୍ଯ୍ୟ କରିବା ନିମନ୍ତେ ବଚନବଦ୍ଧ । ବିଗତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଅବସରରେ, ଆମେ ଏକ ବୈଶ୍ୱିକ ଜୈବଇନ୍ଧନ ସଂଗଠନ ଗଠନ କରିବା ଦିଗରେ ନେତୃତ୍ୱ ଗ୍ରହଣ କରିଥିଲୁ । ଆନ୍ତର୍ଜାତିକ ସୌର ସଂଗଠନ ଗଠନରେ ଭାରତ ହେଉଛି ଏକ ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର । ଏକ ସମାବେଶୀ, ସ୍ୱଚ୍ଛ ଏବଂ ସବୁଜ ଗ୍ରହ ଗଠନ ନିମନ୍ତେ ଭାରତ ପକ୍ଷରୁ ସକଳ ପ୍ରକାର ସମର୍ଥନ ଓ କାର୍ଯ୍ୟ ଅବଶ୍ୟ ସମ୍ପାଦନ କରାଯିବ ।

ମୁଁ ପୁଣି ଥରେ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରୁଛି । ସୂର୍ଯ୍ୟଙ୍କ ଶକ୍ତି ବିଶ୍ୱକୁ ଏକ ପୋଷଣୀୟ ଭବିଷ୍ୟତ ଦିଗରେ ଅଗ୍ରସର ହେବା ନିମନ୍ତେ ସାମର୍ଥ୍ୟ ପ୍ରଦାନ କରୁ । ଧନ୍ୟବାଦ, ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.