ଭାରତୀୟ ପ୍ରମୁଖ ଶିଳ୍ପ ସଂସ୍ଥା ଓ ଶହେରୁ ଅଧିକ ଏମଏସଏମଇ ଦ୍ୱାରା ଯୋଗାଯାଇଥିବା ସ୍ୱଦେଶୀ ଯନ୍ତ୍ରୋପକରଣ ସାହାଯ୍ୟରେ ନିର୍ମିତ ହୋଇଛି ଆଇଏନଏସ ବିକ୍ରାନ୍ତ
ଭାରତୀୟ ସାମୁଦ୍ରିକ ଇତିହାସରେ ତିଆରି ହୋଇଥିବା ସର୍ବବୃହତ ଜାହାଜରେ ରହିଛି ଅତ୍ୟାଧୁନିକ ସ୍ୱୟଂକ୍ରିୟ ବ୍ୟବସ୍ଥା
ଉପନିବେଶବାଦକୁ ଜଳାଞ୍ଜଳି ଦେଇ ନୂତନ ନୌସେନା ପତାକା ଉନ୍ମୋଚନ କରିବା ସହ ଏହାକୁ ଛତ୍ରପତି ଶିବାଜୀଙ୍କ ନାମରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
“ଆଇଏନଏସ ବିକ୍ରାନ୍ତ କେବଳ ମାତ୍ର ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ପ୍ରତୀକ”
“ଆଇଏନଏସ ବିକ୍ରାନ୍ତ ଆତ୍ମନିର୍ଭର ଭାରତର ଅନନ୍ୟ ପ୍ରତିଫଳନ”
“ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ପତାକାରେ ଦାସତ୍ୱର ପ୍ରତୀକ ରହିଥିଲା । ମାତ୍ର ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଅନୁପ୍ରେରଣାରେ ନୂତନ ନୌସେନା ପତାକା ସାଗର ଓ ଆକାଶ ବକ୍ଷରେ ଉଡିବ”
“ଆଇଏନଏସ ବିକ୍ରାନ୍ତରେ ନୌସେନାର ଅନେକ ମହିଳା ଯୋଦ୍ଧା ସାମିଲ ହେବେ; ମହାସାଗର ପ୍ରଚଣ୍ଡ ଶକ୍ତି ଓ ନାରୀଶକ୍ତି ବଳରେ ଏହା ନବଭାରତର ଉତ୍ତୁଙ୍ଗ ପରିଚୟ ହେବ”
ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି ।

 ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପସ୍ଥିତ କେରଳର ରାଜ୍ୟପାଳ ଶ୍ରୀମାନ ଅରିଫ୍ ମହମ୍ମଦ ଖାନ୍‌, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ପିନାରାଇ ବିଜୟନଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ୍ ରାଜନାଥ ସିଂହଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସହଯୋଗୀଗଣ, ଚିଫ୍ ଅଫ୍ ନାଭାଲ ଷ୍ଟାଫ୍ ଆଡମିରାଲ ଆର ହରିକୁମାରଜୀ, କୋଚିନ ସିପ୍‌ୟାର୍ଡର ପରିଚାଳନା ନିର୍ଦ୍ଦେଶକ, ସମସ୍ତ ବିଶିଷ୍ଟ ଗଣ୍ୟମାନ୍ୟ ଅତିଥିବୃନ୍ଦ ଏବଂ ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ମୋର ପ୍ରିୟ ଦେଶବାସୀଗଣ !

ଆଜି ଏଠାରେ କେରଳର ସମୁଦ୍ର ତଟରେ ଭାରତର ପ୍ରତ୍ୟେକ ନାଗରିକ, ଏକ ନୂତନ ଭବିଷ୍ୟତର ସୂର୍ଯ୍ୟୋଦୟର ସାକ୍ଷୀ ବନିବାକୁ ଯାଉଛନ୍ତି । ଆଇଏନଏସ ବିକ୍ରାନ୍ତ ଉପରେ ହେଉଥିବା ଏହି ଆୟୋଜନ ବିଶ୍ୱ ଆକାଶରେ ଭାରତକୁ ସୁଦୃଢ଼ ମନୋଭାବର ହୁଂକାର । ସ୍ୱାଧୀନତା ଆନ୍ଦୋଳନରେ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସକ୍ଷମ, ସମର୍ଥ ଏବଂ ଶକ୍ତିଶାଳୀ ଭାରତର ସ୍ୱପ୍ନ ଦେଖିଥିଲେ ତାହାର ଏକ ସଶକ୍ତ ସ୍ୱରୂପ ଆଜି ଆମେ ଏଠାରେ ଦେଖିବାକୁ ପାଉଛୁ ।

ବିକ୍ରାନ୍ତ- ବିଶାଳ, ବିରାଟ ଏବଂ ବିହଙ୍ଗମ ମଧ୍ୟ । ବିକ୍ରାନ୍ତ ବିଶିଷ୍ଟ, ବିକ୍ରାନ୍ତ ବିଶେଷ ମଧ୍ୟ । ବିକ୍ରାନ୍ତ କେବଳ ଏକ ଯୁଦ୍ଧପୋତ ନୁହେଁ । ଏହା ଏକବିଂଶ ଶତାବ୍ଦୀର ଭାରତର ଶ୍ରମ, ପ୍ରତିଭା, ପ୍ରଭାବ ଏବଂ ପ୍ରତିବଦ୍ଧତାର ପ୍ରମାଣ । ଯଦି ଲକ୍ଷ୍ୟ ଦୂରନ୍ତ, ଯାତ୍ରା ଦିଗନ୍ତ, ସମୁଦ୍ର ଏବଂ ପ୍ରତିବନ୍ଧ ଅନନ୍ତ- ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ । ସ୍ୱାଧୀନତାର ଅମୃତ ମହୋତ୍ସବର ଅତୁଳନୀୟ ଅମୃତ ହେଉଛି- ବିକ୍ରାନ୍ତ । ଆତ୍ମନିର୍ଭର ହେଉଥିବା ଭାରତର ଅଦ୍ୱିତୀୟ ପ୍ରତିବିମ୍ବ ହେଉଛି- ବିକ୍ରାନ୍ତ । ଏହା ପ୍ରତ୍ୟେକେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଅମୂଲ୍ୟ ଅବସର । ଏହା ପ୍ରତ୍ୟେ ଭାରତୀୟଙ୍କ ପାଇଁ ମାନ- ସ୍ୱାଭିମାନ ବୃଦ୍ଧି କରିବାର ଅବସର । ମୁଁ ସେଥିପାଇଁ ପ୍ରତ୍ୟେକ ଦେଶବାସୀଙ୍କୁ ବଧେଇ ଜଣାଉଛି ।

ସାଥୀଗଣ,

ଲକ୍ଷ୍ୟ କଠିନ ଠାରୁ କଠିନତର ହୋଇଥାଉ ପଛେ, ସମସ୍ୟା ବଡ଼ରୁ ଆହୁରି ବଡ଼ ହୋଇଥିଲେ ସୁଦ୍ଧା, ଭାରତ ଯେତେବେଳେ ନିଜକୁ ପ୍ରତିବଦ୍ଧ କରିନେଇଥାଏ ସେତେବେଳେ କୌଣସି ଲକ୍ଷ୍ୟ ଅସମ୍ଭବ ହୋଇ ରହେନାହିଁ । ଆଜି ଭାରତ ବିଶ୍ୱର ସେହିସବୁ ଦେଶ ସହିତ ସାମିଲ ହୋଇଯାଇଛି ଯେଉଁମାନେ ସ୍ୱଦେଶୀ ପ୍ରଯୁକ୍ତି ମାଧ୍ୟମରେ ଏତେ ବିଶାଳ ଯୁଦ୍ଧପୋତର ନିର୍ମାଣ କରିପାରିଛନ୍ତି । ଆଜି ଆଇଏନଏସ ବିକ୍ରାନ୍ତ ଦେଶକୁ ଏକ ନୂତନ ବିଶ୍ୱାସରେ ଭରିଦେଇଛି, ଦେଶରେ ଏକ ନୂତନ ଆସ୍ଥା ସୃଷ୍ଟି କରିଛି । ଆଜି ବିକ୍ରାନ୍ତକୁ ଦେଖି ସମୁଦ୍ରର ବିରାଟ ତରଙ୍ଗ ସୁଦ୍ଧା ତାକୁ ଆହ୍ୱାନ କରୁଛନ୍ତି –

ଅମର୍ତ୍ତ୍ୟ ବୀର ପୁତ୍ର ହୋ, ଦୃଢ଼ ପ୍ରତିଜ୍ଞ ସୋଚ ଲୋ,

ପ୍ରଶସ୍ତ ପୁଣ୍ୟ ପନ୍ଥ ହୈ, ବଢ଼େ ଚଲୋ, ବଢ଼େ ଚଲୋ ।

 

ସାଥୀଗଣ,

ଏହି ଐତିହାସିକ ଅବସରରେ ମୁଁ ଭାରତୀୟ ନୌସେନାକୁ, କୋଚିନ୍ ସିପ୍‌ୟାର୍ଡର ସମସ୍ତ ଇଞ୍ଜିନିୟରମାନଙ୍କୁ, ବୈଜ୍ଞାନିକଙ୍କୁ ଏବଂ ମୋର ଶ୍ରମିକ ଭାଇ- ଭଉଣୀମାନଙ୍କ ଅନିନନ୍ଦନ ଜଣାଉଛି, ଯେଉଁମାନେ ଏହି ସ୍ୱପ୍ନକୁ ସାକାର କରିପାରିଛନ୍ତି । କେରଳର ପୁଣ୍ୟଭୂମି ଦେଶକୁ ଏହି ଉପଲବ୍ôଧ ଏକ ଏଭଳି ସମୟରେ ପ୍ରଦାନ କରିଛି ଯେତେବେଳେ ଓନମ୍‌ର ପବିତ୍ର ପର୍ବ ମଧ୍ୟ ଜାରି ରହିଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ଓନମ୍‌ର ହାର୍ଦ୍ଦିକ ଶୁଭକାମନା ପ୍ରଦାନ କରୁଛି ।

ସାଥୀଗଣ,

ଆଇଏନଏସ ବିକ୍ରାନ୍ତର ପ୍ରତ୍ୟେକ ଭାଗର ନିଜସ୍ୱ ବୈଶିଷ୍ଟ୍ୟ ରହିଛି, ନିଜସ୍ୱ ଶକ୍ତି ରହିଛି । ନିଜର ଏକ ବିକାଶ ଯାତ୍ରା ମଧ୍ୟ ରହିଛି । ଏହା ସ୍ୱଦେଶୀ ସାମର୍ଥ୍ୟ, ସ୍ୱଦେଶୀ ସଂସାଧନ ଏବଂ ସ୍ୱଦେଶୀ କୌଶଳର ପ୍ରତୀକ । ଏହାର ଏୟାରୱେଜ୍‌ରେ ଯେଉଁ ଷ୍ଟୀଲ ଖଞ୍ଜାଯାଇଛି, ସେହିସବୁ ଷ୍ଟୀଲ ମଧ୍ୟ ସ୍ୱଦେଶୀ । ଏହି ଷ୍ଟୀଲ ଡିଆରଡିଓର ବୈଜ୍ଞାନିକମାନେ ବିକଶିତ କରିଛନ୍ତି, ଭାରତର କମ୍ପାନୀମାନେ ଏହାର ଉତ୍ପାଦନ କରିଛନ୍ତି ।

ଏହା ଏକ ଯୁଦ୍ଧପୋତ ଠାରୁ ମଧ୍ୟ ବଡ଼, ଗୋଟିଏ ଚଳମାନ ବିମାନଘାଟି, ଏକ ଚଳମାନ ସହର ବୋଲି କୁହାଯାଇପାରିବ । ଏହି ପୋତରୁ ଯେତିକି ବିଜୁଳି ଉତ୍ପାଦନ କରୁଛି, ସେଥିରେ ପାଞ୍ଚ ହଜାର ପରିବାରଙ୍କ ଘରକୁ ଆଲୋକିତ କରାଯାଇପାରିବ । ଏହାର ଫ୍ଲାଇଟ୍ ଡେକ୍ ମଧ୍ୟ ଦୁଇଟି ଫୁଟବଲ ପଡ଼ିଆ ସଙ୍ଗେ ସମାନ । ବିକ୍ରାନ୍ତରେ ଯେତିକି କେବଲ ଏବଂ ତାର ବ୍ୟବହାର କରାଯାଇଛି, ତାହା କୋଚି ଠାରୁ ଆରମ୍ଭ କଲେ କାଶୀ ପର୍ଯ୍ୟନ୍ତ ଟଣାଯାଇପାରିବ । ଏଭଳି ଜଟିଳତା, ଆମର ଇଞ୍ଜିନିୟରମାନଙ୍କ ଶ୍ରମ ଓ ସିଦ୍ଧିର ଉଦାହରଣ । ମେଗା ଇଞ୍ଜନିୟର୍ସଠାରୁ ନେଇ ନାନୋ ସର୍କିଟ୍ସ ପର୍ଯ୍ୟନ୍ତ, ପୂର୍ବରୁ ଭାରତ ପାଇଁ ଯାହା ଅକଳ୍ପନୀୟ ଥିଲା ଏବେ ତାହା ବାସ୍ତବତାରେ ପରିବର୍ତ୍ତିତ ହୋଇପାରିଛି ।

ସାଥୀଗଣ,

ଏଥର ସ୍ୱାଧୀନତା ଦିବସରେ ମୁଁ ଲାଲକିଲ୍ଲା ମଞ୍ଚ ଉପରୁ ‘ପଞ୍ଚ ପଣ’ର ଆହ୍ୱାନ ଦେଇଥିଲି ଏବଂ ଆମର ହରିଜୀ ଏବେ ଏହାର ଉଲ୍ଲେଖ କରିଛନ୍ତି । ଏହି ପଞ୍ଚ ପଣ ମଧ୍ୟରୁ ପ୍ରଥମ ପଣ ହେଲା – ବିକଶିତ ଭାରତର ବିରାଟ ସଂକଳ୍ପ । ଦ୍ୱିତୀୟ ପଣ ହେଲା – ଗୋଲାମୀ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିବା । ତୃତୀୟ ପଣ ହେଲା - ନିଜର ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା । ଚତୁର୍ଥ ଏବଂ ପଞ୍ଚମ ପଣ ହେଲା – ଦେଶର ଏକତା, ଏକଜୁଟତା ଏବଂ ନାଗରିକ କର୍ତ୍ତବ୍ୟ ସମ୍ପାଦନ! ଆଇଏନଏସ ବିକ୍ରାନ୍ତର ନିର୍ମାଣ ଏବଂ ଏହାର ଯାତ୍ରାରେ ଆମେ ଏହି ସମସ୍ତ ପାଞ୍ଚ ପଣର ଶକ୍ତିକୁ ସ୍ପଷ୍ଟଭାବେ ଦେଖି ପାରିବା । ଆଇଏନଏସ ବିକ୍ରାନ୍ତ ଏହି ଶକ୍ତିର ଜୀବନ୍ତ ସଂଯନ୍ତ୍ର । ଆଜି ପର୍ଯ୍ୟନ୍ତ ଏଭଳି ଯୁଦ୍ଧପୋତ କେବଳ ବିକଶିତ ରାଷ୍ଟ୍ରମାନେ ହିଁ ନିର୍ମାଣ କରିପାରୁଥିଲେ । ଆଜି ଭାରତ ଏହି ଲିଗ୍‌ରେ ସାମିଲ ହୋଇ ବିକାଶିତ ରାଷ୍ଟ୍ର ବନିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିଛି ।

ସାଥୀଗଣ,

ଜଳ ପରିବହନ କ୍ଷେତ୍ରରେ ଭାରତର ବହୁତ ବଡ଼ ଗୌରବମୟ ଇତିହାସ ରହିଛି । ଆମର ସମୃଦ୍ଧ ଐତିହ୍ୟ ରହିଛି । ଆମର ଏଠାରେ ନୌକା ଓ ଜାହାଜ ଗୁଡ଼ିକ ଶ୍ଳୋକ ଅନୁସାରେ ନିର୍ମାଣ କରାଯାଇଥାଏ ।

ଦୀର୍ଘିକା ତରିଣଃ ଲୋଲା, ଗତ୍ୱରା ଗାମିନୀ ତରିଃ ।

ଜଂଘାଳା ପ୍ଳବିନୀ ଚୈବ, ଧାରିଣୀ ବେଗିନୀ ତଥା । ।

 

ଏହା ଆମମାନଙ୍କ ଶାସ୍ତ୍ରରେ ଏଭଳି ଭାବେ ବର୍ଣ୍ଣନା କରାଯାଇଛି । ଦୀର୍ଘିକା, ତରଣି ଲୋଲା, ଗତ୍ୱରା, ଗାମିନୀ, ଜଂଘାଲା, ପ୍ଲାବିନୀ, ଧାରିଣୀ, ବେଗିନୀ. .. ଆମର ଏଠାରେ ଜାହାଜଗୁଡ଼ିକ ଏବଂ ନୌକାଗୁଡ଼ିକ ଭିନ୍ନ ଭିନ୍ନ ଆକାର ଏବଂ ପ୍ରକାରର ହୋଇଥାଏ । ଆମର ବେଦଶାସ୍ତ୍ରମାନଙ୍କରେ ମଧ୍ୟ ନୌକା, ଜାହାଜ ଏବଂ ସମୁଦ୍ର ସହିତ ଜଡ଼ିତ କେତେ କେତେ ମନ୍ତ୍ର ରହିଛି । ବୈଦିକ କାଳ ଠାରୁ ଆରମ୍ଭ କରି ଗୁପ୍ତଯୁଗ ଏବଂ ମୌର୍ଯ୍ୟ ଶାସନକାଳ ପର୍ଯ୍ୟନ୍ତ, ଭାରତର ସାମୁଦ୍ରିକ ସାମର୍ଥ୍ୟର ପ୍ରସିଦ୍ଧି ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଥିଲା । ଛତ୍ରପତି ବୀର ଶିବାଜୀ ମହାରାଜ ଏହି ସାମୁଦ୍ରିକ ସାମର୍ଥ୍ୟକୁ ନେଇ ଏଭଳି ନୌସେନାର ନିର୍ମାଣ କରିଥବଲେ ଯାହା ଶତ୍ରୁମାନଙ୍କ ନିଦ ହଜାଇ ଦେଇଥିଲା ।

ଯେତେବେଳେ ଇଂରେଜମାନେ ଭାରତ ଆସିଲେ, ସେମାନେ ଭାରତୀୟ ଜାହାଜ ଏବଂ ତାହାରି ସାହାଯ୍ୟରେ ହେଉଥିବା ଥିବା ବ୍ୟାପାର ଶକ୍ତିକୁ ଦେଖି ଡରି ଯାଇଥିଲେ । ସେଇଥିପାଇଁ ସେମାନେ ଭାରତର ସାମୁଦ୍ରିକ ସାମର୍ଥ୍ୟର ଅଣ୍ଟାକୁ ଭାଙ୍ଗି ଦେବାକୁ ଚିନ୍ତା କରିଥିଲେ । ଇତିହାସ ଏହାର ସାକ୍ଷୀ ଯେ ସେତେବେଳେ କିପରି ଭାବେ ବ୍ରିଟିଶ୍ ସଂସଦରେ ଆଇନ ଅଣାଯାଇ ଭାରତୀୟ ଜାହାଜ ଏବଂ ବ୍ୟାପାରୀମାନଙ୍କ ଉପରେ କଡ଼ା ପ୍ରତିବନ୍ଧ ଜାରି କରିଥିଲେ ।

ଭାରତ ନିକଟରେ ପ୍ରତିଭା ଥିଲା, ଅନୁଭବ ଥିଲା । କିନ୍ତୁ ଆମର ଲୋକମାନେ ଏହି କୁଟିଳତା ନିମନ୍ତେ ମାନସିକ ରୂପରେ ପ୍ରସ୍ତୁତ ନଥିଲେ । ସେଇଥିପାଇଁ ଆମେ ଦୁର୍ବଳ ହୋଇଯାଇଥିଲୁ ଏବଂ ଏହା ପରେ ପରାଧୀନତାର କାଳଖଣ୍ଡରେ ନିଜର ଶକ୍ତିକୁ ଧୀରେ ଧୀରେ ଭୁଲିଯାଇଥିଲୁ । ଏବେ ସ୍ୱାଧୀନତାର ଅମୃତ କାଳରେ ଭାରତ ନିଜର ଏହି ଆତ୍ମବିସ୍ମୃତ ଶକ୍ତିକୁ ପୁଣି ଥରେ ଫେରାଇ ଆଣିପାରିଛି, ଏହାର ଶକ୍ତିକୁ ପୁଣି ଥରେ ଉଜାଗର କରିଛି ।

ସାଥୀଗଣ,

ଆଜି ୨ ସେପ୍ଟେମ୍ବର, ୨୦୨୨ ଏକ ଐତିହାସିକ ଦିନ ଯାହାକି ଇତିହାସକୁ ବଦଳାଇଦେବା ଭଳି ଏକ ଅବସର ଏବଂ ସେଭଳି କାର୍ଯ୍ୟ ସାକାର ହୋଇପାରିଛି । ଆଜ ଭାରତରେ ପରାଧୀନତାର ଏକ ନିଶାଣ, ପରାଧୀନତାର ଏକ ବୋଝକୁ ନିଜ ମୁଣ୍ଡ ଉପରୁ ଉତାରିବାରେ ସକ୍ଷମ ହୋଇପାରିଛି । ଆଜିଠାରୁ ଭାରତୀୟ ନୌସେନାକୁ ଏକ ନୂତନ ଧ୍ୱଜା ମିଳିପାରିଛି । ଏପର୍ଯ୍ୟନ୍ତ ଭାରତୀୟ ନୌସେନାର ଧ୍ୱଜା ଉପରେ ପରାଧୀନତାରର ପରିଚୟ ରହିଆସିଥିଲା । କିନ୍ତୁ ଆଜିଠାରୁ ଛତ୍ରପତି ଶିବାତୀ ମହାରାଜଙ୍କ ଦ୍ୱାରା ପ୍ରେରିତ, ନୌସେନାର ନୂତନ ଧ୍ୱଜା ସମୁଦ୍ର ଏବଂ ଆକାଶରେ ଫରଫର ହୋଇ ଉଡ଼ିବ ।

ଏକଦା ରାମଧାନୀ ସିଂହ ଦିନକର ତାଙ୍କ କବିତା ପଙ୍‌କ୍ତି ଲେଖିଥିଲେ –

ନବୀନ ସୂର୍ଯ୍ୟ କୀ ନୟି ପ୍ରଭା, ନମୋ, ନମୋ, ନମୋ!

ନମୋ ସ୍ୱତନ୍ତ୍ର ଭାରତ କୀ ଧ୍ୱଜା, ନମୋ, ନମୋ, ନମୋ!

ଆଜି ଏହି ଧ୍ୱଜ ବନ୍ଦନା ସହିତ ମଞ୍ଚ ଏହି ନୂତନ ଧ୍ୱଜ, ନୌସେନାର ଜନକ, ଛତ୍ରପତି ବୀର ଶିବାଜୀ ମହାରାଜଙ୍କୁ ସମର୍ପିତ କରୁଛି । ମୋର ବିଶ୍ୱାସ, ଭାରତୀୟତାର ଭାବନା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଏହି ନୂତନ ଧ୍ୱଜା, ଭାରତୀୟ ନୌସେନାର ଆତ୍ମବଳ ଏବଂ ଆତ୍ମସମ୍ମାନକୁ ନୂତନ ଶକ୍ତି ପ୍ରଦାନ କରିବ ।

ସାଥୀଗଣ,

ଆମର ସେନାରେ କି ପ୍ରକାର ପରିବର୍ତ୍ତନ ଆସିବାରେ ଲାଗିଛି, ଏହାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପକ୍ଷ ସମସ୍ତ ଦେଶବାସୀଙ୍କ ସାମ୍‌ନାରେ ମୁଁ ରଖିବାକୁ ଚାହେଁ । ବିକ୍ରାନ୍ତ ଯେତେବେଳେ ଆମର ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ନିମନ୍ତେ ଜଳାବତରଣ କରିବ, ସେତେବେଳେ ଏହା ଉପରେ ନୌସେନାର ଅନେକ ମହିଳା ସୈନିକ ମଧ୍ୟ ମୁତୟନ ହେବେ । ସମୁଦ୍ରର ଅସୀମ ଶକ୍ତି ସହିତ ଅସୀମ ମହିଳା ଶକ୍ତି, ଏହା ନୂତନ ଭାରତର ସୁଦୃଢ଼ ପରିଚୟ ବନିବାକୁ ଯାଉଛି ।

ମୋତେ ସୂଚୀତ କରାଯାଇଛି ଯେ ଏବେ ନୌସେନାରେ ପାଖାପାଖି ୬୦୦ ମହିଳା ଅଫିସର ଅଛନ୍ତି । ଏବେ ଭାରତୀୟ ନୌସେନାରେ ନିଜର ସମସ୍ତ ଶାଖା ମହିଳାମାନଙ୍କ ନିଯୁକ୍ତି ପାଇଁ ଉନ୍ମୁକ୍ତ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଯେଉଁସବୁ ପ୍ରତିବନ୍ଧମାନ ଥିଲା ସେସବୁ ଏବେ ହଟାଇ ନିଆଯାଇଛି । ଯେମିତି ବିରାଟ ଲହରି ନିମନ୍ତେ କେହି ଦାୟୀ ରହନ୍ତି ନାହିଁ ସେହିଭଳି ଭାରତର କନ୍ୟାମାନଙ୍କ ନିମନ୍ତେ ଏବେ କୌଣସି ପ୍ରକାର ପ୍ରତିବନ୍ଧ କିମ୍ବା ବାଧା ବନ୍ଧନ ରହିବନାହିଁ ।

ଏବେ ବର୍ଷେ ଦୁଇବର୍ଷ ତଳେ ୱିମେନ୍ ଅଫିସର୍ସମାନେ ତାରିଣୀ ବୋଟ ନେଇ ସାରା ପୃଥିବୀ ପରିକ୍ରମା କରିଥିଲେ । ଆଗାମୀ ସମୟରେ ମଧ୍ୟ ଏହିଭଳି ପରାକ୍ରମ ନିମନ୍ତେ କେତେ କେତେ କନ୍ୟା ଆଗକୁ ଆଗେଇ ଆସିବେ ଏବଂ ସାରା ଦୁନିଆକୁ ନିଜର ଶକ୍ତି ସହିତ ପରିଚିତ କରାଇବେ । ନୌସେନା ଭଳି ତିନି ସଶସ୍ତ୍ର ସେନାରେ ଯୁଦ୍ଧକ ଭୂମିକରେ ମହିଳାମାନଙ୍କୁ ସାମିଲ କରାଯାଉଛି । ସେମାନଙ୍କ ଲାଗି ନୂଆ ନୂଆ ଦାୟିତ୍ୱ ପ୍ରଦାନର ମାର୍ଗ ଉନ୍ମୋଚିତ ହୋଇଚାଲିଛି ।

ସାଥୀଗଣ,

ଆତ୍ମନିର୍ଭର ଏବଂ ସ୍ୱାଧୀନତା ପରସ୍ପରର ପରିପୂରକ ବୋଲି କୁହାଯାଇଥାଏ । ଯେଉଁ ଦେଶ ଅନ୍ୟ ଦେଶ ଉପରେ ଯେତିକି ମାତ୍ରାରେ ନିର୍ଭରଶୀଳ, ତା’ ପାଇଁ ସଂକଟ ସେତିକି ଅଧିକ । ଯେଉଁ ଦେଶ ଯେତେ ମାତ୍ରାରେ ଆତ୍ମନିର୍ଭରଶୀଳ, ସେ ଦେଶ ସେତିକି ସଶକ୍ତି ହୋଇଥାଏ । କରୋନାର ମହାସଂକଟ ବେଳେ ଆମେ ସଭିଏଁ ଆତ୍ମନିର୍ଭର ହେବାର ଏହି ଶକ୍ତିକୁ ଦେଖିଛୁ, ବୁଝିଛୁ, ଅନୁଭବ ମଧ୍ୟ କରିଛୁ । ସେଥିପାଇ ଆଜି ଭାରତ ଆତ୍ମନିର୍ଭର ହେବା ନିମନ୍ତେ ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରୁଛି ।

ଆଜି ଯଦି ଅଥଳ ସମୁଦ୍ରରେ ଭାରତର ଶକ୍ତି ଉଦ୍‌ଘୋଷଣା କରିବା ନିମନ୍ତେ ଆଇଏନଏସ ବିକ୍ରାନ୍ତ ପ୍ରସ୍ତୁତ ହୋଇଛି, ତେବେ ଅନନ୍ତ ଆକାଶରେ ଏହି ଗର୍ଜନ ଆମର ତେଜସ୍ ମଧ୍ୟ କରୁଛି । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ସମଗ୍ର ଦେଶ ଲାଲକିଲ୍ଲାଠାରୁ ସ୍ୱଦେଶୀ ତୋପର ହୁଂକାର ମଧ୍ୟ ଶୁଣିପାରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପରେ ସଶସ୍ତ୍ର ସେନାରେ ସଂସ୍କାର ଆଣି ଭାରତ ନିଜର ସେନାକୁ ନିରନ୍ତର ଆଧୁନିକରେ ପରିଣତ କରିଚାଲିଛି, ଆତ୍ମନିର୍ଭର କରିଚାଲିଛି ।

ଆମ ସେନା ଏଭଳି ଉପକରଣମାନର ଏକ ସୁଦୀର୍ଘ ତାଲିକା ପ୍ରସ୍ତୁତ କରିଛନ୍ତି, ଯାହାର କ୍ରୟ ଏବେ ସ୍ୱଦେଶୀ କମ୍ପାନୀମାନଙ୍କଠାରୁ ମଧ୍ୟ କରାଯିବ । ଡିଫେନ୍ସ କ୍ଷେତ୍ରରେ ଗବେଷଣା ଏବଂ ବିକାଶନିମନ୍ତେ ୨୫ ପ୍ରତିଶତ ବଜେଟ ମଧ୍ୟ ଦେଶର ବିଶ୍ୱବିଦ୍ୟାଳୟମାନଙ୍କୁ ଏବଂ ଦେଶର କମ୍ପାନୀମାନଙ୍କୁ ଉପଲବ୍ଧ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶରେ ଦୁଇଟି ବଡ଼ ବଡ଼ ପ୍ରତିରକ୍ଷା କରିଡୋର୍‌ର ବିକାଶ କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ନିମନ୍ତେ ଗ୍ରହଣ କରାଯାଇଥିବା ଏହିସବୁ ପଦକ୍ଷେପ ଫଳରେ, ଦେଶରେ ରୋଜଗାରର ଅନେକ ନୂଆ ନୂଆ ଅବସର ସୃଷ୍ଟି ହେଉଛି ।

ସାଥୀଗଣ,

ଥରେ ମୁଁ ଲାଲକିଲ୍ଲାଠାରୁ ନାଗରିକ କର୍ତ୍ତବ୍ୟ ସଂପର୍କରେ ମଧ୍ୟ କହିଥିଲି । ଏଥର ମୁଁ ଏହାକୁ ପୁଣି ଥରେ ଦୋହରାଇ ଥିଲି । ବୁନ୍ଦା ବୁନ୍ଦା ଜଳରେ ଯେମିତି ବିରାଟ ସମୁଦ୍ର ସୃଷ୍ଟି ହୋଇଥାଏ । ସେହିଭଳି ଭାରତର ଜଣେ ଜଣେ ନାଗରିକ ଯଦି ‘ଭୋକାଲ ଫର୍ ଲୋକାଲ’ ମନ୍ତ୍ରକୁ ଆପଣାଇ ଜୀବନ ବଞ୍ଚିବା ଆରମ୍ଭ କରିବେ ସେତେ ଦେଶକୁ ଆତ୍ମନିର୍ଭର ହେବାକୁ ଅଧିକ ସମୟ ଲାଗିବନାହିଁ । ଯେତେବେଳେ ସମସ୍ତ ଦେଶବାସୀ ଲୋକାଲ ନିମନ୍ତେ ଭୋକାଲ୍ ହୋଇଯିବେ ସେତେବେଳେ ସେମାନଙ୍କର ସ୍ୱର କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଶୁଣାଯିବ ଏବଂ ଦେଖୁ ଦେଖୁ ସାରା ବିଶ୍ୱର ଯେଉଁସବୁ ଉତ୍ପାଦନକାରୀ ଅଛନ୍ତି ସେମାନଙ୍କୁ ମଧ୍ୟ ଭାରତରେ ଆସି ଉତ୍ପାଦନର ମାର୍ଗରେ ଚାଲିବାକୁ ମଜବୁର ହେବେ । ଏହି ଶକ୍ତି ଜଣେ ଜଣେ ନାଗରିକଙ୍କ ନିଜ ଶକ୍ତି ଦ୍ୱାରା ସାକାର ହୋଇପାରିବ ।

ସାଥୀଗଣ,

ବର୍ତ୍ତମାନ ସାରା ବିଶ୍ୱର ପରିବେଶ ଯେଉଁଭଳି ଭାବେ ପରିବର୍ତ୍ତନ ହୋଇଚାଲିଛି, ବୈଶ୍ୱିକ ପରିଦୃଶ୍ୟ ବଦଳୁଛି, ସେଥିରେ ବିଶ୍ୱକୁ ବହୁପକ୍ଷିୟ (ମଲ୍ଟି ପୋଲାର) କରିଦେଇଚି । ସେଥିପାଇଁ, ଆଗାମୀ ଦିନରେ ଭବିଷ୍ୟତର ଗତିବିଧି ଏବଂ ସକ୍ରିୟତାର କେନ୍ଦ୍ର କେଉଁଠି ହେବ, ଏହି ଭବିଷ୍ୟଦୃଷ୍ଟି ଖୁବ୍ ଜରୁରି ହୋଇଯାଇଛି । ଉଦାହରଣ ଭାବେ ବିଗତ ବର୍ଷରେ ଇଣ୍ଡୋ- ପାସିଫିକ୍ କ୍ଷେତ୍ର ଏବଂ ଭାରତ ମହାସାଗରର ସୁରକ୍ଷା ଚିନ୍ତାକୁ ନେଇ ଦୀର୍ଘ ସମୟ ଧରି ଏହାକୁ ଅଣଦେଖା କରାଯାଉଥିଲା । କିନ୍ତୁ, ଆଜି ଏହି କ୍ଷେତ୍ର ଆମମାନଙ୍କ ନିମନ୍ତେ ଦେଶର ବଡ଼ ରକ୍ଷା ପ୍ରାଥମିକତାରେ ପରିଣତ ହୋଇଛି । ସେଥିପାଇଁ ଆମେ ନୌସେନା ଲାଗି ବଜେଟ ବୃଦ୍ଧି କରିବା ଠାରୁ ନେଇ ଏହାର କ୍ଷମତା ବୃଦ୍ଧି ପର୍ଯ୍ୟନ୍ତ ପ୍ରତି ଦିଗରେ କାର୍ଯ୍ୟ କରୁଛୁ ।

ଆଜି ଅଫ୍‌-ସୋର୍ ପହରା ଜାହାଜ ହେଉ, ସବ୍‌ମେରିନ୍ ହେଉ, କିମ୍ବା ଯୁଦ୍ଧପୋତ ହେଉ, ଆଜି ଭାରତର ନୌସେନାର ଶକ୍ତି ଅଭୂତପୂର୍ବ ଗତିରେ ବୃଦ୍ଧି ପାଇଚାଲିଛି । ଏହାଦ୍ୱାରା ଆଗାମୀ ସମୟରେ ଆମର ନୌସେନା ଆହୁରି ମଜଭୁତ ହୋଇପାରିବ । ଅଧିକ ସୁରକ୍ଷିତ ‘ସି-ଲେନ୍ସ’, ଉତ୍ତମ ମନିଟରିଂ ଏବଂ ଉତ୍ତମ ସୁରକ୍ଷା ଠାରୁ ନେଇ ଆମର ରପ୍ତାନି, ସାମୁଦ୍ରିକ ବାଣିଜ୍ୟ ଏବଂ ସାମୁଦ୍ରିକ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । ଏହାଦ୍ୱାରା କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର, ଏବଂ ବିଶେଷକରି ଆମର ପଡୋଶୀ ମିତ୍ର ରାଷ୍ଟ୍ରମାନଙ୍କ ନିମନ୍ତେ ବ୍ୟାପାର ଏବଂ ସମୃଦ୍ଧିର ନୂତନ ମାର୍ଗ ଉନ୍ମୋଚିତ ହେବ ।

ସାଥୀଗଣ,

ଆମର ଏଠାରେ ଶାସ୍ତ୍ରମାନଙ୍କରେ କୁହାଯାଇଛି ଏବଂ ବହୁତ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି ଏବଂ ଯେଉଁ କଥାକୁ ଆମର ଲୋକମାନେ ସଂସ୍କାର ଭାବେ ଗ୍ରହଣ କରି ଜୀବନ ବଞ୍ôଚ ଆସୁଛନ୍ତି । ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି –

ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ । 

ଖଳସ୍ୟ ସାଧୋଃ ବିପରୀତମ୍ ଏତଦ୍‌, ଜ୍ଞାନାୟ ଦାନାୟ ରକ୍ଷଣାୟ । ।

ଅର୍ଥାତ୍‌, ଦୁଷ୍ଟର ବିଦ୍ୟା ବିବାଦ କରିବା ନିମନ୍ତେ, ଧନ ଅହଂକାର କରିବା ଲାଗି ଏବଂ ଶକ୍ତି ଅନ୍ୟକୁ ପ୍ରପୀଡ଼ିତ କରିବା ନିମନ୍ତେ ହୋଇଥାଏ । କିନ୍ତୁ, ସଜ୍ଜନମାନଙ୍କ ନିମନ୍ତେ ଜ୍ଞାନ, ଦାନ ଏବଂ ଦୁର୍ବଳମାନଙ୍କ ସୁରକ୍ଷା ଲାଗି ସାଧନ ହୋଇଥାଏ । ଏହା ହେଉଛି ଭାରତର ସଂସ୍କାର, ସେଇଥିପାଇଁ ବିଶ୍ୱକୁ ସଶକ୍ତ ଭାରତର ଅଧିକ ଆବଶ୍ୟକତା ରହିଛି ।

ମୁଁ ଥରେ ପଢ଼ିଥିଲି ଯେ ଥରେ ଯେତେବେଳେ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କୁ କେହିଜଣେ ପଚାରିଥିଲେ, ଆପଣଙ୍କର ବ୍ୟକ୍ତିତ୍ୱ ତ ବେଶ୍ ଶାନ୍ତିପ୍ରିୟ, ଆପଣ ତ ଖୁବ୍ ଶାନ୍ତ ବ୍ୟକ୍ତି ଲାଗୁଛନ୍ତି; ତେବେ ଆପଣ କ’ଣ ଅସ୍ତ୍ରଶସ୍ତ୍ର ଦରକାର କରନ୍ତି? କଲାମ୍ ସାହେବ କହିଥିଲେ– ଶକ୍ତି ଏବଂ ଶାନ୍ତି ପରସ୍ପର ନିମନ୍ତେ ଜରୁରି । ଏବଂ ସେଇଥିପାଇଁ ଆଜି ଭାରତ ବଳ ଏବଂ ପରିବର୍ତ୍ତନ ଉଭୟକୁ ଏକ ସାଙ୍ଗରେ ନେଇ ଆଗେଇ ଚାଲିଛି ।

ମୋର ବିଶ୍ୱାସ, ସଶକ୍ତ ଭାରତ ଶାନ୍ତ ଏବଂ ସୁରକ୍ଷିତ ବିଶ୍ୱକୁ ମାର୍ଗ ପ୍ରଦର୍ଶନ କରିବ । ଏହି ଭାବର ସହିତ, ଆମର ବୀର ଯବାନମାନଙ୍କୁ, ବୀର ସେନାଙ୍କୁ ଆଦର ପୂର୍ବକ ସେମାନଙ୍କ ପାଇଁ ଗର୍ବ ଅନୁଭବ କରି ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ଅବସରକୁ ସେମାନଙ୍କର ବୀରତାକୁ ସମର୍ପିତ କରି ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହତ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ।

ଜୟ ହିନ୍ଦ୍‌!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post posts Rs 15,296 crore revenue in FY26, up 16%: Scindia

Media Coverage

India Post posts Rs 15,296 crore revenue in FY26, up 16%: Scindia
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."