ନମସ୍କାର ସାଥୀଗଣ,

ଏକ ଦୀର୍ଘ ଅନ୍ତରାଳ ପରେ ଆପଣମାନଙ୍କ ସହ ପୁଣି ଥରେ ଦର୍ଶନ ହେଉଛି । ଆପଣମାନେ ସମସ୍ତେ କୁଶଳ ଅଛନ୍ତି ତ? ଆପଣମାନଙ୍କ ପରିବାରବର୍ଗଙ୍କ ପ୍ରତି କୌଣସି ସଂକଟ ଆସିନାହିଁ ତ? ଈଶ୍ୱର ଆପଣମାନଙ୍କୁ ସମସ୍ତଙ୍କୁ କୁଶଳରେ ରଖିଥାନ୍ତୁ ।

ଏକ ବିଶେଷ ବାତାବରଣ ମଧ୍ୟରେ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ବି ଅଛି, କର୍ତ୍ତବ୍ୟ ବି ଅଛି ଏବଂ ସମସ୍ତ ସାଂସଦ କର୍ତ୍ତବ୍ୟର ମାର୍ଗକୁ ଆପଣାଇଛନ୍ତି । ମୁଁ ସମସ୍ତ ସାଂସଦମାନଙ୍କୁ ଏଭଳି ଆଭିମୁଖ୍ୟ ଲାଗି ବଧେଇ ଜଣାଉଛି, ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଧନ୍ୟବାଦ ଅର୍ପଣ କରୁଛି ।

ବଜେଟ ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଥିଲା । ଏଥର ମଧ୍ୟ ଦିନକୁ ଦୁଇ ଥର, ଥରେ ରାଜ୍ୟସଭା ଓ ଥରେ ଲୋକସଭା ପାଇଁ ସମୟ ବଦଳାଇବାକୁ ପଡ଼ିଛି । ଶନିବାର, ରବିବାର ମଧ୍ୟ ଏଥର ବାତିଲ କରିବାକୁ ପଡ଼ିଛି । କିନ୍ତୁ ସମସ୍ତ ସଦସ୍ୟ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି, ସ୍ୱାଗତ କରିଛନ୍ତି ଏବଂ କର୍ତ୍ତବ୍ୟ ପଥରେ ଆଗକୁ ଅଗ୍ରସର ହେବା ସକାଶେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ଅଧିବେଶନ କାଳରେ କେତେଗୋଟି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ । ଅନେକ ବିଷୟ ଉପରେ ଚର୍ଚ୍ଚା ହେବ ଏବଂ ଆମ ସମସ୍ତଙ୍କ ଅନୁଭବ ରହିଛି ଯେ ଲୋକସଭାରେ ଯେତେ ଅଧିକ ଚର୍ଚ୍ଚା ହୋଇଥାଏ ଯେତେ ଗହନ ଚର୍ଚ୍ଚା ହୋଇଥାଏ, ଯେତିକି ବିବିଧତାରେ ପରିପୂର୍ଣ୍ଣ ଚର୍ଚ୍ଚା ହୋଇଥାଏ ସଦନକୁ, ବିଷୟ ବସ୍ତୁକୁ ଏବଂ ଦେଶକୁ ସେତିକି ଲାଭ ପ୍ରାପ୍ତ ହୋଇଥାଏ ।

ଚଳିତ ଥର ମଧ୍ୟ ଏହି ମହାନ ପରମ୍ପରା ସହ ଆମେମାନେ ସମସ୍ତ ସାଂସଦ ମିଳିମିଶି ଏଥିରେ ମୂଲ୍ୟ ସଂଯୋଗ କରିବା, ଏହା ମୋର ବିଶ୍ୱାସ । କରୋନା ମହାମାରୀ ଯୋଗୁ ଯେଉଁ ପରିସ୍ଥିତି ଉତ୍ପନ୍ନ ହୋଇଛି ସେଥିପାଇଁ ଯେଉଁ ସତର୍କତାମୂଳକ ସୂଚନା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଛି, ସେହି ସବୁ ସତର୍କତା ଆମ ସମସ୍ତଙ୍କୁ ପାଳନ କରିବାକୁ ପଡ଼ିବ । ଏବଂ ଏକଥା ମଧ୍ୟ ସ୍ପଷ୍ଟ ଯେ ଯେପର୍ଯ୍ୟନ୍ତ ଏହି ମହାମାରୀର କୌଣସି ପ୍ରତିଷେଧକ ଟୀକା କିମ୍ବା ଔଷଧ ନବାହାରିଛି ଏବଂ ଉପଲବ୍ଧ ନହୋଇଛି, ସେପର୍ଯ୍ୟନ୍ତ ଆମେ ସତର୍କତା ଅନୁପାଳନରେ କୌଣସି ପ୍ରକାର ଢ଼ିଲା ପ୍ରଦର୍ଶନ କରିବା ନାହିଁ । ଆମେ ସଭିଏଁ ଆଶା କରୁଛେ ଯେ ଯଥା ଶୀଘ୍ର ବିଶ୍ୱର ଯେକୌଣସି କୋଣରେ ହେଉ ଏହାର ପ୍ରତିଷେଧକ ଟୀକା ଉପଲବ୍ଧ ହେଉ । ଆମର ବୈଜ୍ଞାନିକମାନେ ଜଲଦି ଏହି ସଫଳତା ହାସଲ କରନ୍ତୁ ଏବଂ ବିଶ୍ୱର ସମସ୍ତଙ୍କୁ ଏଭଳି ସଂକଟରୁ ମୁକ୍ତ କରିବା ନିମନ୍ତେ ଆମେ ଆମର ପ୍ରୟାସରେ ସକ୍ଷମ ହେଉ ।

ଏହି ସଦନର ଆହୁରି ମଧ୍ୟ ଏକ ବିଶେଷ ଦାୟିତ୍ୱ ରହିଛି ଏବଂ ବିଶେଷ କରି ଏହି ଅଧିବେଶନର ତାହା ଅତିରିକ୍ତ ଦାୟିତ୍ୱ । ଆଜି ଆମର ସଶସ୍ତ୍ର ସେନାର ବୀର ଯବାନମାନେ ସୀମାରେ ମୁତୟନ ରହିଛନ୍ତି, ସେମାନେ ସାହସର ସହିତ, ଦୃଢ ମନୋବଳ ସହିତ, ଦୃଢ଼ ସଂକଳ୍ପର ସହିତ ଦୁର୍ଗମ ପାହାଡ଼ ଶିଖର ଉପରେ ମୁତୟନ ରହିଛନ୍ତି । ଏବଂ କିଛି ସମୟ ପରେ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ । ସେମାନେ ଯେଉଁ ବିଶ୍ୱାସର ସହିତ ସେଠାରେ ଦେଶର ସୀମାକୁ ସୁରକ୍ଷିତ ରଖିବା ସକାଶେ ଠିଆ ହୋଇଛନ୍ତି, ମାତୃଭୂମିର ସୁରକ୍ଷା ସକାଶେ ଅଟଳ ଭାବେ ମୁତୟନ ଅଛନ୍ତି, ଏହି ଗୃହ, ଗୃହର ସମସ୍ତ ସଦସ୍ୟ ଏକ ସ୍ୱରରେ, ଏକ ଭାବନାରେ, ଏକ ଭାବରେ, ଏକ ସଂକଳ୍ପରେ ସେମାନଙ୍କୁ ସଂଦେଶ ଦେବେ ଯେ– ସେନାର ଯବାନମାନଙ୍କ ପଛରେ ସମଗ୍ର ଦେଶ ଠିଆ ହୋଇଛି । ସଂସଦ ଏବଂ ସଦସ୍ୟମାନେ ଠିଆ ହୋଇଛନ୍ତି । ସମଗ୍ର ସଦନ ଏକ ସ୍ୱରରେ ଦେଶର ବୀର ଯବାନମାନଙ୍କ ପଛରେ ଠିଆ ହୋଇଛି ।ଏହା ବହୁତ ମଜଭୁତ ସଂଦେଶ ହେବ ଯାହା ଏହି ସଦନ ପ୍ରଦାନ କରିବ । ସମସ୍ତ ସଦସ୍ୟ ଏଥିପାଇଁ ଏକାଠି ହେବେ । ମୋର ଏଥିରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରିବି ଯେ କରୋନା କାଳଖଣ୍ଡରେ ଆପଣମାନଙ୍କୁ ପୂର୍ବ ଭଳି ଅବାଧରେ ସବୁ ସ୍ଥାନରେ ଯାତାୟାତ କରିବାର ଅବସର ମିଳି ନପାରେ । ଆପଣମାନେ ସମସ୍ତେ ନିଜକୁ ନିଜେ ସମ୍ଭାଳିବାକୁ ହେବ, ବନ୍ଧୁଗଣ । ଖବର ତ ଆପଣମାନଙ୍କୁ ମିଳିଯିବ, ଆପଣମାନଙ୍କ ଲାଗି ଏହା କୌଣସି ମୁସ୍କିଲ କାମ ନୁହେଁ । କିନ୍ତୁ ନିଜେ ନିଜକୁ ନିଶ୍ଚିତ ଭାବେ ସମ୍ଭାଳିବାକୁ ହେବ । ଏହା ମୋର ଆପଣମାନଙ୍କୁ ସମସ୍ତଙ୍କୁ ବ୍ୟକ୍ତିଗତ ନିବେଦନ, ପ୍ରାର୍ଥନା ।

ଆପଣମାନଙ୍କୁ ଧନ୍ୟବାଦ ବନ୍ଧୁଗଣ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership