ଭାରତକୁ ଖାଦ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଡକ୍ଟର ସ୍ୱାମୀନାଥନ୍ : ପ୍ରଧାନମନ୍ତ୍ରୀ
ଡକ୍ଟର ସ୍ୱାମୀନାଥନ୍‌ ଜୈବ ବିବିଧତାକୁ ଅତିକ୍ରମ କରି ଜୈବ-ସୁଖ ଭଳି ଏକ ଦୃଷ୍ଟିକୋଣର ଧାରଣା ଦେଇଥିଲେ : ପ୍ରଧାନମନ୍ତ୍ରୀ
ଭାରତ କେବେବି ଏହାର କୃଷକମାନଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ : ପ୍ରଧାନମନ୍ତ୍ରୀ
ଆମ ସରକାର କୃଷକମାନଙ୍କ ଶକ୍ତିକୁ ଦେଶ ପ୍ରଗତିର ମୂଳଦୁଆ ଭାବରେ ସ୍ୱୀକୃତି ଦେଇଛି : ପ୍ରଧାନମନ୍ତ୍ରୀ
ଖାଦ୍ୟ ସୁରକ୍ଷା ଆଧାର ଭିତ୍ତିରେ ଆମ କୃଷି ବୈଜ୍ଞାନିକମାନଙ୍କ ପାଇଁ ପରବର୍ତ୍ତୀ ଚ୍ୟାଲେଞ୍ଜ ହେଉଛି ସମସ୍ତଙ୍କ ପାଇଁ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା : ପ୍ରଧାନମନ୍ତ୍ରୀ

ମୋର କ୍ୟାବିନେଟ ସହଯୋଗୀ ଶିବରାଜ ସିଂହ ଚୌହାନ , ଏମ.ଏସ. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ସ୍ୱାମୀନାଥନ , ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ , ମୁଁ ଦେଖୁଛି ଯେ ସ୍ୱାମୀନାଥନଙ୍କ ପରିବାରର ସମସ୍ତ ସଦସ୍ୟ  ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ସମସ୍ତ ବୈଜ୍ଞାନିକ, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଙ୍କୁ ମୋର ଶୁଭେଚ୍ଛା ଜଣାଉଛି  !

 

କିଛି ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କର ଅବଦାନ କିଛି ଅବଧି  ମଧ୍ୟରେ ସୀମିତ ନୁହେଁ, କି ଗୋଟିଏ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ। ପ୍ରଫେସର ଏମ.ଏସ. ସ୍ୱାମୀନାଥନ ଜଣେ ଏପରି ମହାନ ବୈଜ୍ଞାନିକ ଏବଂ  ଭାରତ ମାତାର ସୁପୁତ୍ର ମଧ୍ୟ  ଥିଲେ। ସେ ବିଜ୍ଞାନକୁ ଜନସେବାର ଉତ୍ତମ  ମାଧ୍ୟମ ଭାବେ ବିବେଚନା  କରିଥିଲେ। ସେ ଦେଶର ଖାଦ୍ୟ ସୁରକ୍ଷାକୁ ତାଙ୍କ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ। ସେ ଏପରି ଚେତନା ଜାଗ୍ରତ କରିଥିଲେ, ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରାଇବ । ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି।

 

ବନ୍ଧୁଗଣ,

 

ଆଜି, ୭ ଅଗଷ୍ଟ, ଜାତୀୟ ହସ୍ତତନ୍ତ ଦିବସ । ଗତ ୧୦ ବର୍ଷ ମଧ୍ୟରେ, ହସ୍ତତନ୍ତ କ୍ଷେତ୍ର ସାରା ଦେଶରେ ଏକ ନୂତନ ପରିଚୟ ଏବଂ ଶକ୍ତି ହାସଲ କରିଛି। ମୁଁ , ହସ୍ତତନ୍ତ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକମାନଙ୍କୁ, ଜାତୀୟ ହସ୍ତତନ୍ତ ଦିବସର ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଡକ୍ଟର ସ୍ୱାମୀନାଥନଙ୍କ ସହ ମୋର ସମ୍ପର୍କ ବହୁତ ବର୍ଷ ପୁରୁଣା ଥିଲା। ଅନେକ ଲୋକ ଗୁଜରାଟର ପୂର୍ବ ପରିସ୍ଥିତି ଜାଣନ୍ତି, ପୂର୍ବରୁ ମରୁଡ଼ି ଏବଂ ଘୂର୍ଣ୍ଣିବାତ୍ୟା ଯୋଗୁଁ କୃଷି ଉପରେ ବହୁତ ସଙ୍କଟ ଥିଲା, କଚ୍ଛର ମରୁଭୂମି ଅବଧି ମଧ୍ୟ ବୃଦ୍ଧି ପାଉଥିଲା। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ସେହି ସମୟରେ ଆମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ କାମ କରିବା ଆରମ୍ଭ କରିଥିଲୁ। ମୋର ମନେ ଅଛି, ପ୍ରଫେସର ସ୍ୱାମୀନାଥନ ଏଥିରେ ବହୁତ ଆଗ୍ରହ ଦେଖାଇଥିଲେ। ସେ ଆମକୁ ପରାମର୍ଶ ଦେଇଥିଲେ ଏବଂ ଆମକୁ ହୃଦୟର ସହିତ ମାର୍ଗଦର୍ଶନ କରିଥିଲେ। ତାଙ୍କ ଅବଦାନ ଯୋଗୁଁ, ଏହି ପଦକ୍ଷେପକୁ ମଧ୍ୟ ଅନେକ  ସଫଳତା ମିଳିଥିଲା। ମୁଁ ତାମିଲନାଡୁରେ ତାଙ୍କ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର ପରିଦର୍ଶନ କରିବାର ପ୍ରାୟ ୨୦ ବର୍ଷ ହୋଇଗଲାଣି। ୨୦୧୭ ମସିହାରେ, ମୁଁ ତାଙ୍କର ପୁସ୍ତକ 'ଦି କ୍ୱେଷ୍ଟ ଫର୍ ଏ ୱାର୍ଲ୍ଡ ୱିଦାଉଟ୍ ହଙ୍ଗର' ପ୍ରକାଶ କରିବାର ସୁଯୋଗ ପାଇଥିଲି। ୨୦୧୮ ମସିହାରେ, ଯେତେବେଳେ ବାରାଣସୀରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ଉଦଘାଟନ ହୋଇଥିଲା, ଆମେ ତାଙ୍କର ସହଯୋଗ ଏବଂ ମାର୍ଗଦର୍ଶନ ମଧ୍ୟ ପାଇଥିଲୁ । ତାଙ୍କ ସହିତ ପ୍ରତ୍ୟେକ ସାକ୍ଷାତ ମୋ ପାଇଁ ଏକ ଶିକ୍ଷଣୀୟ ଅଭିଜ୍ଞତା ଥିଲା। ସେ ଥରେ କହିଥିଲେ, ବିଜ୍ଞାନ କେବଳ ଆବିଷ୍କାର ନୁହେଁ, ବରଂ ବିତରଣର  ବିଷୟ ମଧ୍ୟ ।  ସେ ତାଙ୍କ କାର୍ଯ୍ୟ ମାଧ୍ୟମରେ ଏହାକୁ ପ୍ରମାଣିତ କରିଥିଲେ। ସେ କେବଳ ଗବେଷଣା କରିନଥିଲେ, ବରଂ ଚାଷୀମାନଙ୍କୁ କୃଷି ପଦ୍ଧତି ପରିବର୍ତ୍ତନ କରିବାକୁ ପ୍ରେରଣା ଦେଇଥିଲେ। ଆଜି ମଧ୍ୟ, ତାଙ୍କର ଆଭିମୁଖ୍ୟ ଏବଂ ତାଙ୍କର ଚିନ୍ତାଧାରା ଭାରତର କୃଷି କ୍ଷେତ୍ରରେ ସବୁଠି ଦୃଶ୍ୟମାନ ହେଉଛି । ସେ ପ୍ରକୃତରେ ଭାରତ ମାତାର ଏକ ମଣି ଥିଲେ। ମୁଁ ଏହାକୁ ମୋର ସୌଭାଗ୍ୟ ମନେ କରେ ଯେ ଆମ ସରକାର ଡକ୍ଟର ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାର ସୌଭାଗ୍ୟ ଲାଭ କଲା।

 

ବନ୍ଧୁଗଣ,

ଡକ୍ଟର ସ୍ୱାମୀନାଥନ ଭାରତକୁ ଖାଦ୍ୟଶସ୍ୟରେ ସ୍ୱାବଲମ୍ବୀ କରିବା ପାଇଁ ଏକ ଅଭିଯାନର ନେତୃତ୍ୱ ନେଇଥିଲେ। କିନ୍ତୁ ତାଙ୍କର ପରିଚୟ ସବୁଜ ବିପ୍ଳବଠାରୁ ମଧ୍ୟ ଆହୁରି ଆଗକୁ ଅଗ୍ରସର ହୋଇଥିଲା । ସେ ଚାଷରେ ରାସାୟନିକ ଦ୍ରବ୍ୟର ବର୍ଦ୍ଧିତ ବ୍ୟବହାର ଏବଂ ଏକକ ଚାଷର ସଙ୍କଟ  ବିଷୟରେ ଚାଷୀମାନଙ୍କୁ ସଚେତନ କରୁଥିଲେ। ଅର୍ଥାତ୍, ଗୋଟିଏ ପଟେ ସେ ଶସ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ଚେଷ୍ଟା କରୁଥିଲେ, ଏବଂ ସେହି ସମୟରେ ସେ ପରିବେଶ,  ପୃଥିବୀ  ମାତା  ବିଷୟରେ ମଧ୍ୟ ଚିନ୍ତିତ ଥିଲେ। ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏବଂ ସମସ୍ୟାର ସମାଧାନ କରିବା ପାଇଁ, ସେ ଚିରସବୁଜ ବିପ୍ଳବର ଧାରଣା ଦେଇଥିଲେ। ସେ ଜୈବ-ଗ୍ରାମର ଧାରଣା ଦେଇଥିଲେ, ଯାହା ମାଧ୍ୟମରେ ଗାଁର ଲୋକମାନେ ଏବଂ ଚାଷୀମାନଙ୍କୁ ସଶକ୍ତ କରାଯାଇପାରିବ। ସେ ଗୋଷ୍ଠୀ ବିହନ ବ୍ୟାଙ୍କ ଭଳି ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିଲେ।

 

ବନ୍ଧୁଗଣ,

 

ଡକ୍ଟର ସ୍ୱାମୀନାଥନ ବିଶ୍ୱାସ କରୁଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ପୋଷଣ ସମସ୍ୟାର ସମାଧାନ ସେହି ଫସଲରେ ଲୁଚି ରହିଛି ଯାହାକୁ ଆମେ ଭୁଲିଯାଇଛୁ। ତାଙ୍କର ଧ୍ୟାନ ମରୁଡି ସହନଶୀଳତା ଏବଂ ଲୁଣ ସହନଶୀଳତା ଉପରେ ଥିଲା। ସେ ଏପରି ସମୟରେ ବାଜରା-ଶ୍ରୀଅନ୍ନ ଉପରେ କାମ କରିଥିଲେ ଯେତେବେଳେ କେହି ବାଜରା ବିଷୟରେ ଚିନ୍ତା କରୁନଥିଲେ। ଡକ୍ଟର ସ୍ୱାମୀନାଥନ ବର୍ଷ ବର୍ଷ ପୂର୍ବରୁ ପରାମର୍ଶ ଦେଇଥିଲେ ଯେ ମାନଗ୍ରୁଭର    ଜେନେଟିକ୍ ଗୁଣକୁ ଧାନକୁ ସ୍ଥାନାନ୍ତରିତ କରାଯିବା ଉଚିତ। ଏହା ଫସଲକୁ ଜଳବାୟୁ ଅନୁକୂଳ ମଧ୍ୟ କରିବ। ଆଜି, ଯେତେବେଳେ ଆମେ ଜଳବାୟୁ ଅନୁକୂଳ ପ୍ରସଙ୍ଗରେ କଥା ହେଉ, ଆମେ ଅନୁଭବ କରୁ ଯେ ସେ କେତେ ଆଗକୁ ଚିନ୍ତା କରୁଥିଲେ।

 

ବନ୍ଧୁଗଣ,

 

ଆଜି ସାରା ବିଶ୍ୱରେ ଜୈବ ବିବିଧତା ବିଷୟରେ ଆଲୋଚନା ହେଉଛି, ସରକାର ଏହାକୁ ସୁରକ୍ଷା ଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। କିନ୍ତୁ ଡକ୍ଟର ସ୍ୱାମୀନାଥନ ଆଉ ଗୋଟିଏ ପାଦ ଆଗକୁ ଯାଇ ଜୈବ ଖୁସିର ଧାରଣା ଦେଇଥିଲେ। ଆଜି ଆମେ ଏଠାରେ ସେହି ଧାରଣା ପାଳନ କରୁଛୁ। ଡକ୍ଟର ସ୍ୱାମୀନାଥନ କହୁଥିଲେ ଯେ ଜୈବ ବିବିଧତାର ଶକ୍ତି ମାଧ୍ୟମରେ , ଆମେ ସ୍ଥାନୀୟ ଲୋକଙ୍କ ଜୀବନରେ ବୃହତ ପରିବର୍ତ୍ତନ ଆଣିପାରିବା, ସ୍ଥାନୀୟ ସମ୍ବଳ ବ୍ୟବହାର କରି ଲୋକଙ୍କ ପାଇଁ ନୂତନ ଜୀବିକା ନିର୍ବାହର ଉପାୟ ସୃଷ୍ଟି କରିପାରିବା।  ତାଙ୍କ ବ୍ୟକ୍ତିତ୍ୱ ପରି, ସେ ତାଙ୍କ ଚିନ୍ତାଧାରାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାରେ ଦକ୍ଷତା ହାସଲ  କରିଥିଲେ। ତାଙ୍କ ଗବେଷଣା ନିକେତନ  ମାଧ୍ୟମରେ  ସେ ନିରନ୍ତର, ନୂତନ ଆବିଷ୍କାରର ଲାଭ ଚାଷୀମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଆମର ଛୋଟ ଚାଷୀ, ଆମର ମତ୍ସ୍ୟଜୀବୀ ଭାଇ ଭଉଣୀ, ଆମର ଆଦିବାସୀ ସମ୍ପ୍ରଦାୟ, ସମସ୍ତେ ତାଙ୍କ ପ୍ରୟାସ ଦ୍ୱାରା  ବହୁତ ଲାଭବାନ ହୋଇଛନ୍ତି।

ବନ୍ଧୁଗଣ,

 

ଆଜି ମୁଁ ବିଶେଷ ଭାବରେ ଖୁସି ଯେ ପ୍ରଫେସର ସ୍ୱାମୀନାଥନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଖାଦ୍ୟ ଏବଂ ଶାନ୍ତି ପାଇଁ ଏମ୍.ଏସ୍. ସ୍ୱାମୀନାଥନ ପୁରସ୍କାରର  ଶୁଭାରମ୍ଭ କରାଯାଇଛି। ଏହି ଅନ୍ତର୍ଜାତୀୟ ପୁରସ୍କାର ବିକାଶଶୀଳ ଦେଶର ସେହି ଲୋକମାନଙ୍କୁ ଦିଆଯିବ ଯେଉଁମାନେ ଖାଦ୍ୟ ସୁରକ୍ଷା ଦିଗରେ ମହତ୍ୱପୂର୍ଣ କାର୍ଯ୍ୟ କରିଛନ୍ତି। ଖାଦ୍ୟ ଏବଂ ଶାନ୍ତି ମଧ୍ୟରେ ସମ୍ପର୍କ ଯେତିକି ଦାର୍ଶନିକ, ସେତିକି ବ୍ୟବହାରିକ ମଧ୍ୟ । ଆମ ଦେଶର, ଉପନିଷଦରେ କୁହାଯାଇଛି - ଅନ୍ନମ୍ ନ ନିନ୍ଦ୍ୟାତ୍, ତଦ୍ ବ୍ରତମ୍। ପ୍ରାଣୋ ବା ଅନ୍ନମ୍। ଶରୀରଂ ଅନ୍ନାଦମ୍। ପ୍ରାଣେ ଶରୀରମ୍ ପ୍ରତିଷ୍ଟିତମ୍। ଅର୍ଥାତ୍, ଆମେ ଖାଦ୍ୟ ଶସ୍ୟକୁ ନିନ୍ଦା କିମ୍ବା ଉପେକ୍ଷା କରିବା ଉଚିତ୍ ନୁହେଁ। ଜୀବନ ଅର୍ଥ ହିଁ ଖାଦ୍ୟ।

 

ତେଣୁ, ବନ୍ଧୁଗଣ,

 

ଯଦି ଖାଦ୍ୟ ସଙ୍କଟ ଉତ୍ପନ୍ନ ହୁଏ, ତେବେ ଜୀବନର ସଙ୍କଟ ମଧ୍ୟ ଉତ୍ପନ୍ନ ହୋଇଥାଏ ।  ଯେତେବେଳେ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ସଙ୍କଟ ବୃଦ୍ଧି ପାଏ, ତେବେ ବିଶ୍ୱବ୍ୟାପୀ ଅଶାନ୍ତି ହେବା  ମଧ୍ୟ ସ୍ୱାଭାବିକ କଥା । ତେଣୁ, ଖାଦ୍ୟ ଏବଂ ଶାନ୍ତି ପାଇଁ ଏମ୍.ଏସ୍. ସ୍ୱାମୀନାଥନ ପୁରସ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ନାଇଜେରିଆର ଜଣେ ପ୍ରତିଭାବାନ ବୈଜ୍ଞାନିକ ପ୍ରଫେସର ଏଡେମୋଲା ଏଡେନେଲେଙ୍କୁ ଅଭିନନ୍ଦନ ଜଣାଉଛି, ଯିଏ ପ୍ରଥମେ ଏହି ପୁରସ୍କାର ପାଇଥିଲେ।

 

ବନ୍ଧୁଗଣ,

 

ଡକ୍ଟର ସ୍ୱାମୀନାଥନ୍ ଯେଉଁଠାରେ ଥାଆନ୍ତୁ, ଆଜି ଭାରତୀୟ କୃଷି ଯେଉଁ ଉଚ୍ଚତାରେ ପହଞ୍ଚିଛି ତାହା ଦେଖି ସେ ନିଜକୁ ଗର୍ବିତ ମନେକରୁଥିବେ । ଆଜି ଭାରତ କ୍ଷୀର, ଡାଲି ଏବଂ ଝୋଟ  ଉତ୍ପାଦନରେ ପ୍ରଥମ ଶୀର୍ଷରେ ସ୍ଥାନିତ ହୋଇଛି । ଆଜି ମଧ୍ୟ  ଭାରତ ଚାଉଳ, ଗହମ, କପା, ଫଳ ଏବଂ ପନିପରିବା ଉତ୍ପାଦନରେ ଦ୍ୱିତୀୟ ସ୍ଥାନର ମାନ୍ୟତା ପାଇଛି । ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ ଭାବେ ବିବେଚିତ ହୋଇଛି । ଆମେ ତୈଳ ବିହନରେ ମଧ୍ୟ ରେକର୍ଡ ସୃଷ୍ଟି କରୁଛୁ। ସୋୟାବିନ୍, ସୋରିଷ, ଚିନାବାଦାମ ଉତ୍ପାଦନ ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି।

ବନ୍ଧୁଗଣ,

 

ଆମର କୃଷକଙ୍କ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା। ଭାରତ କେବେବି ଏହାର ଚାଷୀ, ପଶୁପାଳନ  ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ଅବହେଳା  କରିବ ନାହିଁ।  ମୁଁ ଜାଣେ ଯେ ମୋତେ ବ୍ୟକ୍ତିଗତ ଭାବରେ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି । ଆଜି ମୋ ଦେଶର କୃଷକମାନଙ୍କ ପାଇଁ, ମୋ ଦେଶର ମତ୍ସ୍ୟଜୀବୀଙ୍କ ପାଇଁ, ମୋ ଦେଶର ପଶୁପାଳକଙ୍କ ପାଇଁ ପ୍ରସ୍ତୁତ ଅଛି । ଆମେ ନିରନ୍ତର   କୃଷକମାନଙ୍କର ଆୟ ବୃଦ୍ଧି କରିବା, ଚାଷ ଉପରେ ଖର୍ଚ୍ଚ ହ୍ରାସ କରିବା, ଆୟର ନୂତନ ଉତ୍ସ ସୃଷ୍ଟି କରିବା ଲକ୍ଷ୍ୟ ନେଇ  କାର୍ଯ୍ୟ କରୁଛୁ।

 

ବନ୍ଧୁଗଣ,

 

ଆମର ସରକାର କୃଷକମାନଙ୍କ ଶକ୍ତିକୁ ଦେଶର ପ୍ରଗତିର ଆଧାର ଭାବରେ ବିବେଚନା କରେ । ତେଣୁ, ବିଗତ ବର୍ଷଗୁଡ଼ିକରେ ପ୍ରଣୀତ ନୀତିଗୁଡ଼ିକ କେବଳ ସାହାଯ୍ୟ କରିନଥିଲା, ବରଂ କୃଷକମାନଙ୍କଠାରେ ବିଶ୍ୱାସ ବୃଦ୍ଧି କରିବାର ପ୍ରୟାସ ମଧ୍ୟ କରିଥିଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରୁ ମିଳିଥିବା ସିଧାସଳଖ ସହାୟତା ଛୋଟ ଚାଷୀମାନଙ୍କୁ ଆତ୍ମବିଶ୍ୱାସ ଦେଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀମାନଙ୍କୁ ବିପଦରୁ ସୁରକ୍ଷା ଦେଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ମାଧ୍ୟମରେ ଜଳସେଚନ ସହିତ ଜଡିତ ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି। ୧୦ ହଜାର ଏଫପିଓ ଗଠନ ଦ୍ୱାରା କ୍ଷୁଦ୍ର ଚାଷୀଙ୍କ ସଂଗଠିତ ଶକ୍ତି ବୃଦ୍ଧି ପାଇଛି, ସମବାୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସହାୟତା ଗ୍ରାମୀଣ ଅର୍ଥନୀତିକୁ ଏକ ନୂତନ ଗତି ଦେଇଛି। ଇ-ନାମ ଯୋଗୁଁ, ଚାଷୀମାନଙ୍କ ପାଇଁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ସହଜ ହୋଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ନୂତନ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ସଂରକ୍ଷଣ ପାଇଁ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରିଛି। ସମ୍ପ୍ରତି ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହା ଅଧୀନରେ ୧୦୦ଟି ଜିଲ୍ଲାକୁ ଚୟନ କରାଯାଇଛି ଯେଉଁଠାରେ କୃଷି ପଛରେ ପଡ଼ିଯାଇଛି। ଏଠାରେ ସୁବିଧା ଏବଂ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି କୃଷି ପ୍ରତି ନୂତନ ବିଶ୍ୱାସ ସୃଷ୍ଟି କରାଯାଉଛି।

ବନ୍ଧୁଗଣ,

 

ଏକବିଂଶ ଶତାବ୍ଦୀର ଭାରତ ବିକାଶ ପାଇଁ ସମସ୍ତ ଶକ୍ତି ସହିତ କାର୍ଯ୍ୟ କରୁଛି।  ଏହି ଲକ୍ଷ୍ୟ କେବଳ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୃତ୍ତିର ଅବଦାନରେ ହାସଲ କରାଯିବ। ଡକ୍ଟର ସ୍ୱାମୀନାଥନଙ୍କ ଠାରୁ ପ୍ରେରଣା ନେଇ, ଏବେ ଦେଶର ବୈଜ୍ଞାନିକମାନଙ୍କୁ ପୁଣି ଥରେ ଇତିହାସ ସୃଷ୍ଟି କରିବାର ସୁଯୋଗ ମିଳିଛି। ପୂର୍ବ ପିଢ଼ିର ବୈଜ୍ଞାନିକମାନେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥିଲେ। ଏବେ ପୁଷ୍ଟିକର ସୁରକ୍ଷା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆମକୁ ବଡ଼ ପରିମାଣରେ ଜୈବ-ସୁଦୃଢ଼ ଏବଂ ପୁଷ୍ଟିକର ଫସଲ ଚାଷ କରିବାକୁ ପଡିବ, ଯାହା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆମକୁ ରାସାୟନିକ ପଦାର୍ଥର ବ୍ୟବହାର ହ୍ରାସ କରିବା ଏବଂ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ପ୍ରସ୍ତୁତ ହେବାକୁ ପଡିବ।

 

ବନ୍ଧୁଗଣ,

 

ଆପଣମାନେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକ ବିଷୟରେ ଭଲ ଭାବରେ ଅବଗତ। ଆମକୁ ଜଳବାୟୁ-ପ୍ରତିରୋଧୀ ଫସଲର ଅଧିକରୁ ଅଧିକ ପ୍ରଜାତି  ବିକଶିତ କରିବାକୁ ପଡିବ। ଆମକୁ ମରୁଡି ସହିଷ୍ଣୁ, ଉତ୍ତାପ-ପ୍ରତିରୋଧୀ ଏବଂ ବନ୍ୟା-ଅନୁକୂଳନକାରୀ ଫସଲ ଉପରେ ଧ୍ୟାନ ଦେବାକୁ ପଡିବ। ଫସଲ ଚକ୍ରକୁ କିପରି ପରିବର୍ତ୍ତନ କରାଯିବ, କେଉଁ ମାଟି ପାଇଁ କ’ଣ ଉପଯୁକ୍ତ ସେ ବିଷୟରେ ଅଧିକ ଗବେଷଣା ହେବା ଉଚିତ। ଏହା ସହିତ, ଆମକୁ ଶସ୍ତା ମୃତ୍ତିକା ପରୀକ୍ଷା ଉପକରଣ ଏବଂ ପୁଷ୍ଟିକର ପରିଚାଳନା ପଦ୍ଧତି ମଧ୍ୟ ବିକଶିତ କରିବାକୁ ପଡିବ।

 

ବନ୍ଧୁଗଣ,

 

ଆମକୁ ସୌରଚାଳିତ ସୂକ୍ଷ୍ମ ଜଳସେଚନ ଦିଗରେ ଅଧିକ କାମ କରିବାକୁ ପଡିବ। ଆମକୁ ଡ୍ରିପ୍ ସିଷ୍ଟମ୍ ଏବଂ ପ୍ରିସିସନ୍ ସିଞ୍ଚନକୁ ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାକୁ ପଡିବ। ଆମେ କ'ଣ ସାଟେଲାଇଟ୍ ତଥ୍ୟ, ଏଆଇ ଏବଂ ମେସିନ୍ ଲର୍ଣ୍ଣିଂକୁ ମିଶ୍ରଣ କରିପାରିବୁ? ଆମେ କ'ଣ  ଏପରି ଏକ ସିଷ୍ଟମ୍ ସୃଷ୍ଟି କରିପାରିବା ଯାହା ଅମଳର ପୂର୍ବାନୁମାନ କରିପାରିବ, କୀଟପତଙ୍ଗ ଉପରେ ନଜର ରଖିପାରିବ ଏବଂ ବିହନକୁ ମାର୍ଗଦର୍ଶନ କରିପାରିବ? କ'ଣ ଏପରି ଏକ ବାସ୍ତବ-ସମୟ ନିଷ୍ପତ୍ତି ସମର୍ଥନ ପ୍ରଣାଳୀ ପ୍ରତ୍ୟେକ ଜିଲ୍ଲାକୁ ପହଞ୍ଚାଇ ପାରିବ? ଆପଣ ସମସ୍ତ କୃଷି-ପ୍ରଯୁକ୍ତି ଷ୍ଟାଟପକୁ ମାର୍ଗଦର୍ଶନ କରିବା ଜାରି ରଖିବା ଉଚିତ। ଆଜି, ବହୁ ସଂଖ୍ୟକ ନବସୃଜନଶୀଳ ଯୁବପିଢ଼ି କୃଷି ସମସ୍ୟାର ସମାଧାନ ଖୋଜିବାରେ ନିୟୋଜିତ ଅଛନ୍ତି। ଯଦି ଆପଣଙ୍କ  ଭଳି  ଅଭିଜ୍ଞ ଲୋକ, ସେମାନଙ୍କୁ ମାର୍ଗଦର୍ଶନ କରନ୍ତି, ତେବେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଅଧିକ ପ୍ରଭାବଶାଳୀ ଏବଂ ବ୍ୟବହାରକାରୀ-ଅନୁକୂଳ ହେବ।

 

ବନ୍ଧୁଗଣ,

 

ଆମର ଚାଷୀ ଏବଂ ଆମର ଚାଷୀ ସମ୍ପ୍ରଦାୟ ପାଖରେ ପାରମ୍ପରିକ ଜ୍ଞାନର ଭଣ୍ଡାର ଅଛି। ପାରମ୍ପରିକ ଭାରତୀୟ କୃଷି ପଦ୍ଧତି ଏବଂ ଆଧୁନିକ ବିଜ୍ଞାନକୁ ମିଶ୍ରଣ କରି ଏକ ସାମଗ୍ରିକ ଜ୍ଞାନ ଆଧାର ସୃଷ୍ଟି କରାଯାଇପାରିବ। ଫସଲ ବିବିଧତା ମଧ୍ୟ ଆଜି ଏକ ଜାତୀୟ ପ୍ରାଥମିକତା। ଆମକୁ ଆମର ଚାଷୀମାନଙ୍କୁ ଏହାର ଗୁରୁତ୍ୱ କ'ଣ ତାହା କହିବାକୁ ପଡିବ। ଏଥିରୁ କ'ଣ ଲାଭ ମିଳିବ ତାହା ମଧ୍ୟ ବୁଝାଇବାକୁ ପଡିବ, ଏବଂ ଏହା ନ କରିବାର ଅସୁବିଧା କ'ଣ ହେବ ତାହା ମଧ୍ୟ କହିବାକୁ ପଡିବ। ଏଥିପାଇଁ ଆପଣ ଅଧିକ ଭଲ ଉପାୟରେ କାମ କରିପାରିବେ।

 

ବନ୍ଧୁଗଣ,

 

ଗତ ବର୍ଷ ଯେତେବେଳେ ମୁଁ ୧୧ ଅଗଷ୍ଟରେ ପୁସା କ୍ୟାମ୍ପସକୁ ଆସିଥିଲି, ମୁଁ କହିଥିଲି ଯେ କୃଷି ପ୍ରଯୁକ୍ତିବିଦ୍ୟାକୁ ପ୍ରୟୋଗଶାଳାରୁ ଜମି  ପର୍ଯ୍ୟନ୍ତ ନେବା ପାଇଁ ପ୍ରୟାସ ବୃଦ୍ଧି କରାଯିବା ଉଚିତ। ମୁଁ ଖୁସି ଯେ ମେ-ଜୁନ୍ ମାସରେ "ବିକଶିତ କୃଷି ସଂକଳ୍ପ ଅଭିଯାନ" କରାଯାଇଥିଲା। ପ୍ରଥମ ଥର ପାଇଁ ଦେଶର ୭୦୦ ରୁ ଅଧିକ ଜିଲ୍ଲାରେ ପ୍ରାୟ ୨୨୦୦ ବୈଜ୍ଞାନିକ ଦଳ ଅଂଶଗ୍ରହଣ କରିଥିଲେ, ୬୦ ହଜାରରୁ ଅଧିକ କାର୍ଯ୍ୟକ୍ରମ କରାଯାଇଥିଲା, କେବଳ ଏତିକି ନୁହେଁ, ପ୍ରାୟ ୧.୨୫ କୋଟି ସଚେତନ ଚାଷୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରାଯାଇଥିଲା। ଯଥାସମ୍ଭବ ଅଧିକ ଚାଷୀଙ୍କ ପାଖରେ ପହଞ୍ଚିବା ପାଇଁ ଆମର ବୈଜ୍ଞାନିକମାନଙ୍କର ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।

 

ବନ୍ଧୁଗଣ,

 

ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନ ଆମକୁ ଶିଖାଇଥିଲେ ଯେ ଚାଷ କେବଳ ଫସଲ ନୁହେଁ, ଚାଷ ହେଉଛି ଲୋକଙ୍କ ଜୀବନ। ଚାଷ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ, ପ୍ରତ୍ୟେକ ସମ୍ପ୍ରଦାୟର ସମୃଦ୍ଧି ଏବଂ ପ୍ରକୃତିର ସୁରକ୍ଷା, ଏହା ଆମ ସରକାରଙ୍କ କୃଷି ନୀତିର ଶକ୍ତି। ଆମକୁ ବିଜ୍ଞାନ ଏବଂ ସମାଜକୁ ଯୋଡ଼ିବାକୁ ପଡିବ, ଛୋଟ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ପଡିବ ଏବଂ କ୍ଷେତରେ କାମ କରୁଥିବା ମହିଳାମାନଙ୍କୁ ସଶକ୍ତ କରିବାକୁ ପଡିବ। ଆସନ୍ତୁ ଏହି ଲକ୍ଷ୍ୟ ନେଇ ଆଗକୁ ବଢ଼ିବା, ଡକ୍ଟର ସ୍ୱାମୀନାଥନଙ୍କ ପ୍ରେରଣା ଆମ ସମସ୍ତଙ୍କ ସହିତ ଅଛି। ମୁଁ ପୁଣିଥରେ ଆପଣମାନଙ୍କୁ ଏହି ସମାରୋହ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia-Pacific's most AI-ready healthcare markets: Report

Media Coverage

India among Asia-Pacific's most AI-ready healthcare markets: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.