ବୁନ୍ଦେଲଖଣ୍ଡର ଆଉ ଜଣେ ଭୂମିପୁତ୍ର, ମେଜର ଧ୍ୟାନ ଚାନ୍ଦ ଅଥବା ଦାଦା ଧ୍ୟାନ ଚାନ୍ଦଙ୍କୁ କଲେ ସ୍ମରଣ
ବହୁ ସଂଖ୍ୟକ ଲୋକ, ବିଶେଷ କରି ମହିଳାମାନଙ୍କ ଜୀବନକୁ ଉଜ୍ଜ୍ୱଳା ଯୋଜନା ଅସମ୍ଭବ ଭାବେ ଉଜ୍ଜ୍ୱଳ କରିଛି: ପ୍ରଧାନମନ୍ତ୍ରୀ
ଉଜ୍ଜ୍ୱଳା ଯୋଜନା ଭଉଣୀମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା, ସୁବିଧା ଏବଂ କର୍ମନିଯୁକ୍ତି ଯୋଗାଇବାରେ ବିଶେଷ ଭାବେ ପ୍ରୋତ୍ସାହିତ କରିଛି: ପ୍ରଧାନମନ୍ତ୍ରୀ
ମୌଳିକ ସୁବିଧା ଯଥା ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ପୂର୍ବରୁ ହୋଇପାରିଥାନ୍ତା: ପ୍ରଧାନମନ୍ତ୍ରୀ
ଉଜ୍ଜ୍ୱଳା ୨.୦ ଯୋଜନା ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ଲକ୍ଷ ଲକ୍ଷ ପରିବାର ସର୍ବାଧିକ ସୁବିଧା ହାସଲ କରିପାରିବେ: ପ୍ରଧାନମନ୍ତ୍ରୀ
ବାୟୋଇନ୍ଧନ ହେଉଛି ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଇଂଜିନ୍‌, ଦେଶ ବିକାଶର ବାହକ ଏବଂ ଗ୍ରାମାଞ୍ଚଳ ବିକାଶର ସୂତ୍ର: ପ୍ରଧାନମନ୍ତ୍ରୀ
ଭଉଣୀମାନେ ଏକ ଦକ୍ଷ ଭାରତ ନିର୍ମାଣ କରିବା ଦିଗରେ ଥିବା ସମସ୍ୟା ସମାଧାନ କରିବା ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ବିଶେଷ ଭୂମିକା ଗ୍ରହଣ କରିବେ: ପ୍ରଧାନମନ୍ତ୍ରୀ

ନମସ୍କାର,

ଏବେ ଆପଣମାନେ ମା’-ଭଉଣୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମୋତେ ମିଳିଛି। ଏବଂ ମୋ ପାଇଁ ଏହା ଖୁସିର ବିଷୟ ଯେ ରକ୍ଷାବନ୍ଧନର ପର୍ବ ଆଉ କିଛିଦିନ ପରେ ପଡ଼ିବ। ଏବେ ମୋତେ ଆଗୁଆ ମା’-ଭଉଣୀମାନଙ୍କୁ ଆଶୀର୍ବାଦ ମିଳିପାରିଛି। ଏଭଳି ସ୍ଥିତିରେ ଦେଶର କୋଟି କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ଆଜି ଆଉ ଏକ ଉପହାର ଦେବାର ସୁଯୋଗ ମିଳିଛି। ଆଜି ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଓ ଗ୍ୟାସ ଚୁଲା ମିଳିଛି। ମୁଁ ସମସ୍ତ ହିତାଧିକାରୀମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

ମହୋବାରେ ଉପସ୍ଥିତ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପ ସିଂହ ପୁରୀ ଜୀ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ମନ୍ତ୍ରିମଣ୍ଡଳରେ ମୋର ଆଉ ଜଣେ ସାଥୀ

ରାମେଶ୍ୱର ତେଲୀ ଜୀ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀ, ଅନ୍ୟ ବିଧାୟକଗଣ, ଏବଂ ମୋର ଭାଇ ଓ ଭଉଣୀମାନେ,

ଉଜ୍ଜ୍ୱଳା ଯୋଜନା ଦେଶର ଯେତିକି ଲୋକମାନଙ୍କୁ, ଯେତିକି ସଂଖ୍ୟକ ମହିଳାମାନଙ୍କ ଜୀବନକୁ ଆଲୋକିତ କରିଛି, ତାହା ଅଭୂତପୂର୍ବ। ଏହି ଯୋଜନା 2016ରେ ୟୁପିର ବଲିୟାରୁ, ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ମଙ୍ଗଲ ପାଣ୍ଡେଙ୍କ ମାଟିରୁ ଆରମ୍ଭ ହୋଇଥିଲା।  ଆଜି ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ସଂସ୍କରଣ ମଧ୍ୟ ୟୁପିର ମହୋବା ଭଳି ବୀର ଭୂମିରୁ ଆରମ୍ଭ ହେଉଛି। ମହୋବା ହେଉ, ବୁନ୍ଦେଲଖଣ୍ଡ ହେଉ, ଏସବୁ ଅଞ୍ଚଳ ଦେଶ ସ୍ୱାଧୀନତାର ଏକ ପ୍ରକାର ଊର୍ଜାସ୍ଥଳୀ ଭାବେ ପରିଚିତ।  ଏଠାକାର କୋଣ ଅନୁକୋଣରେ ରାଣୀ ଲକ୍ଷ୍ମୀବାଈ, ରାଣୀ ଦୁର୍ଗାବତୀ ମହାରାଜା ଛତ୍ରସାଲ, ବୀରଆଲ୍ହା ଏବଂ  ଉଦଲଙ୍କ ଭଳି ଅନେକ ବୀର-ବୀରାଙ୍ଗନାମାନଙ୍କ ଶୌର୍ଯ୍ୟର ସୁଗନ୍ଧ ରହିଛି। ଆଜି ଯେତେବେଳେ ଦେଶ  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି  ଏହି ଆୟୋଜନ ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରିବାର ଅବସର ନେଇ ଆସିଛି।

ସାଥୀଗଣ,

ଆଜି ମୁଁ ବୁନ୍ଦେଲଖଣ୍ଡର ଆଉ ଜଣେ ମହାନ ସନ୍ତାନଙ୍କୁ ସ୍ମରଣ କରୁଛି। ମେଜର ଧ୍ୟାନଚନ୍ଦ, ଆମର ଦଦ୍ଦା ଧ୍ୟାନଚନ୍ଦ। ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର  ନାମ ଏବେ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ହୋଇଯାଇଛି। ମୋର ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ରହିଛି ଯେ ଅଲିମ୍ପିକ୍ସରେ ଆମ ଯୁବ ସାଥୀମାନଙ୍କର ଅଭୂତପୂର୍ବ ପ୍ରଦର୍ଶନ ଏବଂ ଖେଳରତ୍ନ ସହ ଜଡ଼ିତ ଦଦ୍ଦାଙ୍କ ଏହି ନାମ, ଲକ୍ଷ ଲକ୍ଷ-କୋଟି କୋଟି ଯୁବକଯୁବତୀଙ୍କୁ ଅନୁପ୍ରାଣିତ କରିବ। ଏ ସମ୍ପର୍କରେ ଆମେ ଦେଖିଛୁ ଯେ, ଆମର ଖେଳାଳୀମାନେ ପଦକ ଜିତିବା ସହିତ ଅନେକ ଖେଳରେ ଦମଦାର ପ୍ରଦର୍ଶନ କରି ଭବିଷ୍ୟତର ସଙ୍କେତ ମଧ୍ୟ ଦେଲେ।

ଭାଇ ଓ ଭଉଣୀମାନେ,

ଆମେ ସ୍ଵାଧୀନତାର 75ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ। ଏପରି ସ୍ଥିତିରେ ବିଗତ ସାଢ଼େ ସାତ ଦଶନ୍ଧିର ପ୍ରଗତିକୁ ଆମେ ଦେଖିଲେ, ଆମକୁ ନିଶ୍ଚିତ ଭାବେ ଲାଗେ ଯେ କେତେକ ସ୍ଥିତି, କେତେକ ପରିସ୍ଥିତି ଏପରି ରହିଛି, ଯାହାକୁ ଅନେକ ଦଶନ୍ଧି ପୂର୍ବରୁ ବଦଳା ଯାଇପାରିଥାନ୍ତା। ଘର, ବିଦ୍ୟୁତ, ପାଣି, ଶୌଚାଳୟ, ଗ୍ୟାସ, ସଡ଼କ, ଡାକ୍ତରଖାନା ସ୍କୁଲ, ଏପରି ଅନେକ ମୌଳିକ ଆବଶ୍ୟକତା ରହିଛି, ଯାହାକୁ ପୂରଣ କରିବା ଲାଗି ବହୁଦଶନ୍ଧି ପର୍ଯ୍ୟନ୍ତ ଦେଶବାସୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ଏହାର ସବୁଠୁ ଅଧିକ କ୍ଷତି ଯଦି କେହି ଉଠାଇଥିଲେ ସେମାନେ ହେଉଛନ୍ତି ଆମର ମା’-ଭଉଣୀମାନେ। କୁଡ଼ିଆରୁ ଗଳୁଥିବା ପାଣି ସବୁଠୁ ଅଧିକ ମା’ଙ୍କୁ ସମସ୍ୟାରେ ପକାଇଥାଏ। ବିଦ୍ୟୁତ ଅଭାବର ସବୁଠୁ ଅଧିକ କଷ୍ଟ ମା’ଙ୍କୁ ହୁଏ! ପାଣି ଦୂଷିତ ଯୋଗୁ ପରିବାର ରୋଗଗ୍ରସ୍ତ ହେବାର, ସବୁଠୁ ଅଧିକ ଚିନ୍ତା ହୁଏ ମା’ଙ୍କୁ। ଶୌଚାଳୟର ଅଭାବରେ ଅନ୍ଧାର ହେବାକୁ ଅପେକ୍ଷା, ସମସ୍ୟା ହୁଏ ଭଉଣୀମାନଙ୍କୁ। ବିଦ୍ୟାଳୟରେ ପୃଥକ ଶୌଚାଳୟ ନଥିବାର ସମସ୍ୟା ଆମର ଝିଅମାନଙ୍କୁ।  ଆମ ଭଳି ଅନେକ ପିଢ଼ି ମା’ଙ୍କୁ ଧୂଆଁରେ  ଆଖି ମଳୁଥିବା ଭୀଷଣ ଗରମରେ ମଧ୍ୟ ନିଆଁ ଜଳାଉଥିବା,  ଏପରି ଦୃଶ୍ୟକୁ ଦେଖି ବଡ଼ ହୋଇଛି।

 

ସାଥୀମାନେ,

ଏପରି ପରିସ୍ଥିତି ସହିତ ଆମେ କ’ଣ ସ୍ୱାଧୀନତାର 100ତମ ବର୍ଷ ପର୍ଯ୍ୟନ୍ତ ଆଗକୁ ବଢ଼ିପାରିବା?

ଯେତେବେଳେ ମୌଳିକ ସୁବିଧା ଲାଗି କୌଣସି ପରିବାର, କୌଣସି ସମାଜ ସଂଘର୍ଷ କରିଚାଲିବ ତ’, ସେ ନିଜର ବଡ଼ ସ୍ୱପ୍ନକୁ ପୂରଣ କିପରି ଭାବେ କରିପାରିବ? ସ୍ୱପ୍ନ ପୂରଣ ହୋଇପାରିବ, ଏହି ବିଶ୍ୱାସ ଯେପର୍ଯ୍ୟନ୍ତ ସମାଜକୁ ମିଳିବ ନାହିଁ, ସେପର୍ଯ୍ୟନ୍ତ ସେଗୁଡ଼ିକୁ ପୂରଣ କରିବାର ଆତ୍ମବିଶ୍ୱାସ ସେ କିପରି ଭାବେ ପାଇପାରିବ? ଆହୁରି ବିନା ଆତ୍ମବିଶ୍ୱାସରେ କୌଣସି ଦେଶ କିପରି ଭାବେ ଆତ୍ମନିର୍ଭର ହୋଇପାରିବ?

ଭାଇ ଓ ଭଉଣୀମାନେ,

2014ରେ ଦେଶ ଯେତେବେଳେ ଆମକୁ ସେବା କରିବାର ସୁଯୋଗ ଦେଲା, ସେତେବେଳେ ଏପରି ପ୍ରଶ୍ନ ଆମେ ନିଜକୁ ପଚାରିଥିଲୁ। ସେତେବେଳେ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା ଯେ ଏ ସବୁ ସମସ୍ୟାର ସମାଧାନ ଆମକୁ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଜିବାକୁ ହେବ। ଆମର ଝିଅମାନେ ଘରୁ ଓ ରୋଷେଇ ଘରୁ ବାହାରକୁ ବାହାରି ରାଷ୍ଟ୍ର ନିର୍ମାଣରେ ବ୍ୟାପକ ଯୋଗଦାନ ସେତିକିବେଳେ ଦେଇପାରିବେ, ଯେତେବେଳେ ପ୍ରଥମେ ଘର ଓ ରୋଷେଇ ଘର ସହ ଜଡ଼ିତ ସମସ୍ୟା ସମାଧାନ ହେବ। ସେଥିପାଇଁ, ବିଗତ 6-7 ବର୍ଷରେ ଏପରି ପ୍ରତ୍ୟେକ ସମାଧାନ ଲାଗି ମିଶନ ମୋଡରେ କାମ କରାଯାଉଛି। ସ୍ଵଚ୍ଛ ଭାରତ ମିଶନ ଅନ୍ତର୍ଗତ ସାରାଦେଶରେ କୋଟି କୋଟି ଶୌଚାଳୟ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 2 କୋଟିରୁ ଅଧିକ ଗରିବଙ୍କ ପକ୍କାଘର ନିର୍ମିତ ହୋଇଛି। ଏସବୁ ଘରର ଅଧିକାଂଶ ମାଲିକାନା ଅଧିକାର ଭଉଣୀମାନଙ୍କ ନାମରେ ରହିଛି।

ଆମେ ହଜାର ହଜାର କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରିଛୁ ଏବଂ ସୌଭାଗ୍ୟ ଯୋଜନା ଜରିଆରେ ପାଖାପାଖି 3 କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦେଇଛୁ।  ଆୟୁଷ୍ମାନ ଭାରତ ଯୋଜନା 50 କୋଟିରୁ ଅଧିକ ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଦେଉଛି।

ମାତୃବନ୍ଦନା ଯୋଜନା ଅନ୍ତର୍ଗତ, ଗର୍ଭାବସ୍ଥା ସମୟରେ ଟିକାକରଣ ଏବଂ ପୋଷକ ଆହାର ଲାଗି ହଜାର ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି। ଜନଧନ ଯୋଜନା ଅନ୍ତର୍ଗତ ଆମେ କୋଟି କୋଟି ଭଉଣୀମାନଙ୍କର ବ୍ୟାଙ୍କ ଖାତା ଖୋଲିଛୁ, ଯେଉଁଥିରେ କରୋନା କାଳରେ ପାଖାପାଖି 30 ହଜାର କୋଟି ଟଙ୍କା ସରକାର ଜମା କରାଇଛନ୍ତି। ଏବେ ଜଳ ଜୀବନ ମିଶନ ମାଧ୍ୟମରେ ଗ୍ରାମୀଣ ପରିବାରର ଆମ ଭଉଣୀମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ଜଳ ପହଞ୍ଚାଇବାର କାମ ଜାରି ରହିଛି।

ସାଥୀମାନେ,

ଭଉଣୀମାନଙ୍କର ସ୍ଵାସ୍ଥ୍ୟ, ସୁବିଧା ଓ ସଶକ୍ତିକରଣର ଏହି ସଂକଳ୍ପକୁ  ଉଜ୍ଜ୍ୱଳା ଯୋଜନା ବହୁତ ବଡ଼ ଶକ୍ତି ପ୍ରଦାନ କରିଛି।  ଯୋଜନାର ପ୍ରଥମ ପର୍ଯ୍ୟାୟରେ 8 କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି। ଏହାର କେତେ ଲାଭ ମିଳିଛି, ଏହା ଆମେ କରୋନା କାଳରେ ଦେଖିଛୁ।  ଯେତେବେଳେ ବାହାରକୁ ଯିବା-ଆସିବା ବନ୍ଦ ଥିଲା, କାମ-ଧନ୍ଦା ବନ୍ଦ ଥିଲା, ସେତିକି ବେଳେ କୋଟି କୋଟି ଗରିବ ପରିବାରକୁ ଅନେକ ମାସ ପର୍ଯ୍ୟନ୍ତ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଗଲା। କଳ୍ପନା କରନ୍ତୁ, ଉଜ୍ଜ୍ୱଳା ନଥିଲେ ସଙ୍କଟ କାଳରେ ଆମର ଏହି ଗରିବ ଭଉଣୀମାନଙ୍କର ସ୍ଥିତି କ’ଣ ହୋଇଥାନ୍ତା?

 

ସାଥୀଗଣ,

ଉଜ୍ଜ୍ୱଳା ଯୋଜନାର ଆଉ ଏକ ପ୍ରଭାବ ମଧ୍ୟ ଏହା ହୋଇଛି ଯେ, ସାରା ଦେଶରେ ଏଲପିଜି ଗ୍ୟାସ ସହ ଜଡ଼ିତ ଭିତ୍ତିଭୂମିର ଅନେକ ଗୁଣା ବିସ୍ତାର ହୋଇଛି। ବିଗତ 6-7 ବର୍ଷରେ ସାରା ଦେଶରେ 11 ହଜାରରୁ ଅଧିକ ନୂଆ ଏଲପିଜି ବିତରଣ କେନ୍ଦ୍ର ଖୋଲାଯାଇଛି। ଉତ୍ତର ପ୍ରଦେଶରେ 2014ରେ 2 ହଜାରରୁ ମଧ୍ୟ କମ ବିତରଣ କେନ୍ଦ୍ର ଥିଲା। ଆଜି ୟୁପିରେ ଏମାନଙ୍କ  ସଂଖ୍ୟା 4 ହଜାରରୁ  ଅଧିକ ହୋଇସାରିଛି। ଏହାଫଳରେ ଗୋଟିଏ ପଟେ ହଜାର ହଜାର ଯୁବକମାନଙ୍କୁ ନୂଆ ରୋଜଗାର ସୁଯୋଗ ମିଳିଛି ଏବଂ ଅନ୍ୟପଟେ, ଯେଉଁ ପରିବାର ପୂର୍ବରୁ ଉନ୍ନତ ସୁବିଧାର ଅଭାବ କାରଣରୁ ଗ୍ୟାସ ସଂଯୋଗରୁ ବଞ୍ଚିତ ଥିଲେ, ସେମାନେ ମଧ୍ୟ ଏଥିରେ ଯୋଡ଼ି ହୋଇଛନ୍ତି।  ଏପରି ପ୍ରୟାସ ଫଳରେ ଆଜି ଭାରତରେ ଗ୍ୟାସ କଭରେଜ ଶତପ୍ରତିଶତ ହେବାର ଅତି  ନିକଟତର ହୋଇପାରିଛି। 2014 ସୁଦ୍ଧା ଦେଶରେ ଯେତିକି ଗ୍ୟାସ ସଂଯୋଗ ଥିଲା, ତା’ଠାରୁ ଅଧିକ ବିଗତ 7 ବର୍ଷ ମଧ୍ୟରେ ଦିଆଯାଇଛି।  ସିଲିଣ୍ଡର ବୁକିଂ ଏବଂ ଡେଲିଭରୀ ଠାରୁ ଆରମ୍ଭ କରି ପୂର୍ବରୁ ଯେଉଁ ସମସ୍ୟା ଥିଲା, ତାହା ମଧ୍ୟ ଦୂର କରିବା ଲାଗି ପ୍ରୟାସ କରାଯାଉଛି।

 

ଭାଇ ଓ ଭଉଣୀମାନେ,

ଉଜ୍ଜ୍ୱଳା ଯୋଜନା ଫଳରେ ଯେଉଁ ସୁବିଧା ବୃଦ୍ଧି ପାଇଛି, ସେଥିରେ ଆଜି ଆଉ ଏକ ସୁବିଧା ଯୋଡ଼ି  ହେବାକୁ ଯାଉଛି। ବୁନ୍ଦେଲଖଣ୍ଡ ସମେତ ସମଗ୍ର ୟୁପି ଏବଂ ଅନ୍ୟ ରାଜ୍ୟରେ ଆମର ଅନେକ ସାଥୀ, କାମ କରିବା ଲାଗି ଗାଁରୁ ସହରକୁ ଯାଇଥାନ୍ତି, ଅନ୍ୟ ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ସେଠାରେ ସେମାନଙ୍କ ଆଗରେ ଠିକଣା ପ୍ରମାଣର ସମସ୍ୟା ଦେଖାଦିଏ। ଏପରି ଲକ୍ଷ ଲକ୍ଷ ପରିବାରକୁ ଉଜ୍ଜ୍ୱଳା 2.0 ଯୋଜନା ଫଳରେ ସବୁଠୁ ଅଧିକ ଆଶ୍ୱସ୍ତି ମିଳିବ। ଏବେ ମୋର ଶ୍ରମିକ ସାଥୀମାନଙ୍କୁ ଠିକଣା ପ୍ରମାଣ ଲାଗି ଏଣେତେଣେ ବୁଲିବାକୁ ପଡ଼ିବ ନାହିଁ। ସରକାରଙ୍କୁ ଆପଣଙ୍କ ସଚ୍ଚୋଟତା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ଆପଣଙ୍କୁ କେବଳ ନିଜ ଠିକଣାର କେବଳ ଗୋଟିଏ

ସେଲ୍ପ ଡିକ୍ଲାରେସନ, ଅର୍ଥାତ ନିଜେ ଲେଖି ଦେବାକୁ ହେବ ଏବଂ ଆପଣଙ୍କୁ ଗ୍ୟାସ ସଂଯୋଗ ମିଳିଯିବ।

ବନ୍ଧୁଗଣ,

ସରକାରଙ୍କ ପ୍ରୟାସ ଏବେ ଏ ଦିଗରେ ମଧ୍ୟ ହେଉଛି ଯେ ଆପଣଙ୍କ ରୋଷେଇ ଘରକୁ ପାଣି ଭଳି ଗ୍ୟାସ ପାଇପ ଯିବ।  ଏହା ପିଏନଜି, ସିଲିଣ୍ଡର ତୁଳନାରେ ଅଧିକ ଶସ୍ତା ମଧ୍ୟ ହେବ। ଉତ୍ତର ପ୍ରଦେଶ ସମେତ ପୂର୍ବ ଭାରତର ଅନେକ ଜିଲ୍ଲାରେ ପିଏନଜି କନେକ୍ସନ ଦିଆଯିବାର କାମ ଦ୍ରୁତଗତିରେ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୟୁପିର 50ରୁ ଅଧିକ ଜିଲ୍ଲାରେ ପାଖାପାଖି 21 ଲକ୍ଷ ଘରଗୁଡ଼ିକୁ ଏହା ସହିତ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଭାବେ ସିଏନଜି ଆଧାରିତ ଯାତାୟାତ ଲାଗି ବ୍ୟାପକ ସ୍ତରରେ ପ୍ରୟାସ କରାଯାଉଛି।

ଭାଇ ଓ ଭଉଣୀମାନେ,

ଯେତେବେଳେ  ସ୍ଵପ୍ନ ବଡ଼ ହୋଇଥାଏ ତାହାକୁ ପାଇବା ଲାଗି ପ୍ରୟାସ ମଧ୍ୟ ସେତିକି ବଡ଼ ହେବା ଉଚିତ୍। ଆଜି ବିଶ୍ୱ ବାୟୋଫୁଏଲ ଦିବସରେ ଆମେ ନିଜ ଲକ୍ଷ୍ୟକୁ ପୁଣିଥରେ ସ୍ମରଣ କରିବା ଉଚିତ୍। ବାୟୋଫୁଏଲ କେବଳ ଏକ ସ୍ଵଚ୍ଛ ଇନ୍ଧନ ନୁହେଁ। ବରଂ ଏହା ଇନ୍ଧନରେ ଆତ୍ମନିର୍ଭରଶୀଳତାର ଇଞ୍ଜିନକୁ, ଦେଶର ବିକାଶ ଇଞ୍ଜିନକୁ, ଗାଁର ବିକାଶ ଇଞ୍ଜିନକୁ ଗତି ଦେବାର ଏକ ମାଧ୍ୟମ। ବାୟୋଫୁଏଲ ଏପରି ଏକ ଇନ୍ଧନ ଯାହାକୁ ଆମେ ଘର ଓ ଖେତର ବର୍ଜ୍ୟରୁ, ଗଛଲତାରୁ, ଖରାପ ଶସ୍ୟରୁ ପ୍ରାପ୍ତ କରିପାରିବା।  ଏପରି ହିଁ ଏକ ବାୟୋଫୁଏଲ-ଇଥାନଲ ଉପରେ ଦେଶ ବହୁତ ବଡ଼ ଲକ୍ଷ୍ୟ ନେଇ କାମ କରୁଛି। ବିଗତ 6-7 ବର୍ଷରେ ଆମେ ପେଟ୍ରୋଲରେ 10 ପ୍ରତିଶତ ବ୍ଲେଣ୍ଡିଂ ଲକ୍ଷ୍ୟର ଅତ୍ୟନ୍ତ ନିକଟତର ହୋଇପାରିଛୁ। ଆଗାମୀ 4-5 ବର୍ଷରେ ଆମେ 20 ପ୍ରତିଶତ ବ୍ଲେଣ୍ଡିଂ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗକୁ ବଢ଼ୁଛୁ।  ଦେଶରେ ଏପରି ଗାଡ଼ି ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ଶତ-ପ୍ରତିଶତ ଇଥାନଲ ମାଧ୍ୟମରେ ହିଁ ଚାଲିବ।

ସାଥୀଗଣ,

ଇଥାନଲରେ ଯିବା-ଆସିବା ମଧ୍ୟ ଶସ୍ତା ହେବ, ପର୍ଯ୍ୟାବରଣ ମଧ୍ୟ ସୁରକ୍ଷିତ ରହିବ। କିନ୍ତୁ ସବୁଠୁ ବଡ଼ ଲାଭ ଆମ କୃଷକମାନଙ୍କୁ ମିଳିବ, ଆମ ଯୁବକମାନଙ୍କୁ ମିଳିବ। ଏଥିରେ ମଧ୍ୟ ବିଶେଷ କରି ୟୁପିର କୃଷକ-ଯୁବକମାନଙ୍କୁ ବହୁତ ଲାଭ ମିଳିବ। ଆଖୁରୁ ଯେତେବେଳେ ଇଥାନଲ ପ୍ରସ୍ତୁତ କରିବାର ବିକଳ୍ପ ମିଳିବ ଆଖୁ ଚାଷୀମାନଙ୍କୁ ଅଧିକ ଟଙ୍କା ମିଳିପାରିବ। ବିଗତ ବର୍ଷ ୟୁପିରେ ଇଥାନଲ ଉତ୍ପାଦକମାନଙ୍କ ଠାରୁ 7 ହଜାର କୋଟି ଟଙ୍କାର ଇଥାନଲ କ୍ରୟ କରାଯାଇଛି। ବିଗତ ବର୍ଷ ଇଥାନଲ ସହ ଜଡ଼ିତ, ବାୟୋଫୁଏଲ ସହ ଜଡ଼ିତ ଅନେକ କାରଖାନା ୟୁପିରେ ଖୋଲାଯାଇଛି। ଆଖୁର ଅବଶେଷରୁ କମ୍ପ୍ରେସଡ ବାୟୋଗ୍ୟାସ ତିଆରି କରିବା ଲାଗି, ୟୁପିର 70 ଜିଲ୍ଲାରେ ସିବିଜି ପ୍ଲାଣ୍ଟ ସ୍ଥାପନ କରିବା ଲାଗି ପ୍ରକ୍ରିୟା ଜାରି ରହିଛି। ଏବେ କୃଷି ଅବଶେଷରୁ, ନଡ଼ାରୁ ବାୟୋଫୁଏଲ ତିଆରି କରିବା ଲାଗି 3ଟି ବଡ଼ କମ୍ପ୍ଲେକ୍ସ ତିଆରି କରାଯାଉଛି। ଏଥିମଧ୍ୟରୁ 2ଟି ୟୁପିର ବଦାୟୁଁ ଏବଂ ଗୋରଖପୁରରେ ଏବଂ ଗୋଟିଏ ପଞ୍ଜାବର ଭଟିଣ୍ଡାରେ ତିଆରି କରାଯାଉଛି। ଏହି ପ୍ରୋଜେକ୍ଟ ଫଳରେ କୃଷକମାନଙ୍କୁ ଆବର୍ଜନାର ମୂଲ୍ୟ ମଧ୍ୟ ମିଳିବ, ହଜାର ହଜାର ଯୁବକମାନଙ୍କୁ ରୋଜଗାର ମିଳିବ ଏବଂ ପର୍ଯ୍ୟାବରଣ ସୁରକ୍ଷା ହୋଇପାରିବ।

ସାଥୀଗଣ,

ଏହିପରି ଆଉ ଏକ ମହତ୍ୱପୂର୍ଣ୍ଣ ଯୋଜନା ହେଉଛି, ଗୋବରଧନ ଯୋଜନା। ଏହି ଯୋଜନାରେ ଗୋବରରୁ  ବାୟୋଗ୍ୟାସ ତିଆରି କରିବାକୁ ପ୍ରୋତ୍ସାହନ ମିଳିଥାଏ। ଏହାଫଳରେ ଗାଁରେ ସ୍ୱଚ୍ଛତା ମଧ୍ୟ ଆସିବ ଏବଂ ଏପରି ପଶୁ ଯେଉଁମାନେ  ଡାଏରୀ କ୍ଷେତ୍ର ପାଇଁ ଉପଯୋଗୀ ନୁହନ୍ତି, ସେମାନେ ମଧ୍ୟ ଉପଯୋଗୀ ହୋଇପାରିବେ।  ଯୋଗୀ ଜୀଙ୍କ ସରକାର ଅନେକ ଗୌଶାଳାର ନିର୍ମାଣ ମଧ୍ୟ କରିଛି। ଏସବୁ ଗାଈ ଓ ଅନ୍ୟ ଗୋବଂଶର ଯତ୍ନ ଏବଂ କୃଷକମାନଙ୍କ ଫସଲର ରକ୍ଷା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।

ସାଥୀଗଣ,

ଏବେ ଦେଶ ମୌଳିକ ସୁବିଧା ଯୋଗାଣ ଜରିଆରେ, ଉନ୍ନତ ଜୀବନର ସ୍ୱପ୍ନକୁ ପୂରଣ କରିବା ଦିଗରେ ଆଗକୁ ବଢ଼ୁଛି। ଆଗାମୀ 25 ବର୍ଷରେ ଏହି ସାମର୍ଥ୍ୟ ଆମକୁ ଅନେକ ଗୁଣରେ ବଢ଼ାଇବାର ଅଛି। ସମର୍ଥ ଏବଂ ସକ୍ଷମ ଭାରତର ଏହି ସଂକଳ୍ପକୁ ଆମେ ମିଳିମିଶି ସିଦ୍ଧ କରିବା। ଏଥିରେ ଭଉଣୀମାନଙ୍କର ବିଶେଷ ଭୂମିକା ରହିବ। ମୁଁ ଉଜ୍ଜ୍ୱଳା ଯୋଜନାର ସମସ୍ତ ହିତାଧିକାରୀ ଭଉଣୀମାନଙ୍କୁ, ପୁଣିଥରେ ଶୁଭକାମନା ଜଣାଉଛି। ଆହୁରି ରକ୍ଷା ବନ୍ଧନର ଏହି ପବିତ୍ର ପାର୍ବଣ ପୂର୍ବରୁ ମା’ ଓ ଭଉଣୀମାନଙ୍କର ଏହି ସେବା କରିବାର ଅବସର ମିଳିଥିଲା। ମୁଁ ନିଜକୁ ଧନ୍ୟ ମନେ କରୁଛି। ଆପଣମାନଙ୍କର ଆଶୀର୍ବାଦ ସର୍ବଦା ମିଳୁଥାଉ ଯାହାଫଳରେ ଆମେ ଏକ ନୂଆ ଉତ୍ସାହ ସହିତ ମା’ ଭାରତୀର ସେବା କରିବା ଲାଗି, 130 କୋଟି ଦେଶବାସୀଙ୍କ ସେବା କରିବା ଲାଗି, ଗ୍ରାମ, ଗରିବ, ଦଳିତ, ପୀଡ଼ିତ, ପଛୁଆ ବର୍ଗ ସମସ୍ତଙ୍କ ସେବା କରିବା ଲାଗି ଆପ୍ରାଣ ଉଦ୍ୟମରତ ରହିପାରିବ। ଏହା ସହିତ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”