ହିତାଧିକାରୀମାନଙ୍କୁ ସିକିଲ ସେଲ୍ ଜେନେଟିକ୍ ଷ୍ଟାଟସ୍ କାର୍ଡ ବଣ୍ଟନ କରିଛନ୍ତି
ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଏବି-ପିଏମଜେଏୱାଇ କାର୍ଡ ବଣ୍ଟନ ଆରମ୍ଭ
ରାଣୀ ଦୁର୍ଗାବତୀଙ୍କ ୫୦୦ ତମ ଜନ୍ମ ବାର୍ଷିକୀ ଜାତୀୟ ସ୍ତରରେ ପାଳନ କରାଯିବ
“ଅମୃତ କାଳରେ ସିକିଲ ସେଲ ଆନିମିଆ ବିଲୋପ ପାଇଁ ଏହି ଅଭିଯାନ ଏକ ପ୍ରମୁଖ ମିଶନ ହେବ”
“ଆମ ପାଇଁ, ଆଦିବାସୀ ସମ୍ପ୍ରଦାୟ କେବଳ ଏକ ର୍ନିବାଚନ ସଂଖ୍ୟା ନୁହେଁ ବରଂ ଏକ ସମ୍ବେଦନଶୀଳତା ଏବଂ ଭାବପ୍ରବଣତାର ବିଷୟ"
“ମିଥ୍ୟା ଗ୍ୟାରେଣ୍ଟିରୁ ସାବଧାନ ରୁହନ୍ତୁ ଯେହେତୁ ସେମାନେ ଲୋକଙ୍କୁ ‘ ନିୟତ ମେଁ ଖୋଟ୍ ଔର ଗରିବ ପର୍ ଚୋଟ୍‌' (ମନ୍ଦ ଉଦ୍ଦେଶ୍ୟ ଏବଂ ଗରିବ ଲୋକଙ୍କୁ ଆଘାତ କରିବାର ପ୍ରବୃତ୍ତି) ଦେଇଥାନ୍ତି”

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁ ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ଫଗ୍‌ଗନ ସିଂହ କୁଲସ୍ତେ ମହାଶୟ, ପ୍ରଫେସର ଏସ.ପି ସିଂହ ବଘେଲ ମହାଶୟ, ଶ୍ରୀମତୀ ରେଣୁକା ସିଂହ ସରୁତା ମହାଶୟା, ଡକ୍ଟର ଭାରତୀ ପାୱାର ମହାଶୟା, ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମହାଶୟ, ସାଂସଦ ଶ୍ରୀ ବି.ଡି ଶର୍ମା ମହାଶୟ, ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀଗଣ, ସମସ୍ତ ବିଧାୟକ ଗଣ, ସାରା ଦେଶରୁ ଏହି କାର୍ଯ୍ୟକ୍ରମରେ ସାମିଲ ଅନ୍ୟ ସମସ୍ତ ମହାନୁଭବ, ଏବଂ ଏତେ ବିଶାଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଜୟ ସେୱା, ଜୟ ଜୋହାର । ଆଜି ମୋତେ ରାଣୀ ଦୁର୍ଗାବତୀ ଜୀଙ୍କ ଏହି ପବିତ୍ର ଧରଣୀରେ ଆପଣ ସମସ୍ତଙ୍କ ଗହଣକୁ ଆସିବାର ସୌଭାଗ୍ୟ ମିଳିଛି । ମୁଁ ରାଣୀ ଦୁର୍ଗାବତୀ ଜୀଙ୍କ ଚରଣରେ ନିଜର ଶ୍ରଦ୍ଧାଞ୍ଜଳି ସମର୍ପିତ କରୁଛି । ତାଙ୍କ ପ୍ରେରଣାରେ ଆଜି ‘ସିକଲ ସେଲ ଆନିମିଆ ଉନ୍ମୁଳନ ମିଶନ’ ଏକ ବହୁତ ବଡ଼ ଅଭିଯାନର ଶୁଭାରମ୍ଭ ହେଉଛି । ଆଜି ହିଁ ମଧ୍ୟ ପ୍ରଦେଶରେ 1 କୋଟି ହିତାଧିକାରୀମାନଙ୍କୁ ଆୟୂଷ୍ମ।ନ କାର୍ଡ ମଧ୍ୟ ଦିଆଯାଉଛି । ଇତି ମଧ୍ୟରେ ଏହି ପ୍ରୟାସର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ଆମର ଗୋଣ୍ଡ ସମାଜ, ଭୀଲ ସମାଜ, ଅବା ଆମର ଅନ୍ୟ ଆଦିବାସୀ ସମାଜର ଲୋକ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ, ମଧ୍ୟ ପ୍ରଦେଶର ଡ଼ବଲ ଇଞ୍ଜିନ ସରକାରଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଆଜି ଦେଶ ଶେହଡୋଲର ଏହି ମାଟିରେ ବହୁତ ବଡ ସଂକଳ୍ପ ନେଉଛି । ଏହି ସଂକଳ୍ପ ହେଉଛି ଆମ ଦେଶର ଆଦିବାସୀ ଭାଇ- ଭଉଣୀମାନଙ୍କ ଜୀବନକୁ ସୁରକ୍ଷିତ ରଖିବାର ସଂକଳ୍ପ । ଏହି ସଂକଳ୍ପ ହେଉଛି- ସିକଲ ସେଲ ଆନିମିଆ ରୋଗରୁ ମୁକ୍ତିର । ଏହି ସଂକଳ୍ପ ହେଉଛି- ପ୍ରତ୍ୟେକ ବର୍ଷ ସିକଲ ସେଲ ଆନିମିଆ କବଳରେ ପଡୁଥିବା ଅଢେଇ ଲକ୍ଷ୍ୟ ପିଲା ଏବଂ ସେମାନଙ୍କର ପରିବାର ଲୋକଙ୍କ ଜୀବନ ବଂଚାଇବାର ।

ସାଥୀଗଣ,

ମୁଁ ଦେଶର ଭିନ୍ନ- ଭିନ୍ନ ଅଂଚଳରେ ଆଦିବାସୀ ସମାଜ ମଧ୍ୟରେ ଏକ ଦୀର୍ଘ ସମୟ ଅତିବାହିତ କରିଛି । ସିକଲ ସେଲ ଆନିମିଆ ଭଳି ରୋଗ ହେଉଛି ବହୁତ କଷ୍ଟକର । ଏହାର ରୋଗୀମାନଙ୍କ ହାଡ ଗଣ୍ଠିରେ ସବୁବେଳେ କଷ୍ଟ ହୋଇଥାଏ, ଶରୀର କୁଣ୍ଡେଇ-କାଣ୍ଡେଇ ହୋଇଥାଏ ଏବଂ ହାଲିଆ ଲାଗିଥାଏ । ପିଠି, ଗୋଡ ଏବଂ ଛାତିରେ ଅସହନୀୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଦୀର୍ଘ ସମୟ ଧରି କଷ୍ଟ ସହୁଥିବା ରୋଗୀଙ୍କ ଶରୀରର ଭିତର ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଥାଏ । ଏହି ରୋଗ ପରିବାରକୁ ମଧ୍ୟ ଭାଙ୍ଗି ଦେଇଥାଏ । ଆଉ ଏହି ରୋଗ ନା ପବନ ଦ୍ୱାରା ହୋଇଥାଏ, ନା ପାଣି ଦ୍ୱାରା ହୋଇଥାଏ, ନା ଖାଦ୍ୟ ଦ୍ୱାରା ବ୍ୟାପିଥାଏ । ଏହି ରୋଗ ହେଉଛି ଏଭଳି ଯାହା ମାତା- ପିତାଙ୍କ ଠାରୁ ହିଁ ପିଲାମାନଙ୍କୁ ହୋଇଥାଏ, ଏହା ହେଉଛି ଆନୁବଂଶିକ । ଆଉ ଏହି ରୋଗ ସହିତ ଯେଉଁ ପିଲା ଜନ୍ମ ନେଇଥାଏ, ସେ ସମଗ୍ର ଜୀବନକୁ ଆହ୍ୱାନର ସହିତ ମୁକାବିଲା କରି ଚାଲିଥାଏ ।

ସାଥୀଗଣ,

ସାରା ବିଶ୍ୱରେ ସିକଲ ସେଲ ଆନିମିଆର ଯେତେ ମାମଲା ଥାଏ, ସେଥିରୁ ଅଧା 50 ପ୍ରତିଶତ କେବଳ ଆମ ଦେଶରେ ହିଁ ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଯେ ବିଗତ 70 ବର୍ଷରେ କେବେ ଏହାର ଚିନ୍ତା ହେଲା ନାହିଁ, ଏହାର ମୁକାବିଲା ପାଇଁ କୌଣସି ସଫଳ ଯୋଜନା ପ୍ରସ୍ତୁତ କରାଗଲା ନାହିଁ! ଏଥିରେ ପ୍ରଭାବିତ ଅଧିକାଂଶ ଲୋକ ଆଦିବାସୀ ସମାଜର ଥିଲେ । ଆଦିବାସୀ ସମାଜ ପ୍ରତି ଅଣଦେଖା କରି ଚାଲିଥିବା ପୂର୍ବ ସରକାରଙ୍କ ପାଇଁ ଏହା କୌଣସି ପ୍ରସଙ୍ଗ ନ ଥିଲା । କିନ୍ତୁ ଆଦିବାସୀ ସମାଜର ଏହି ସବୁଠାରୁ ବଡ଼ ସମସ୍ୟାର, ଆହ୍ୱାନର ସମାଧାନ କରିବାର କଷ୍ଟ ଏବେ ଭାଜପା ସରକାର, ଆମ ସରକାର ଉଠାଉଛନ୍ତି । ଆମ ପାଇଁ ଆଦିବାସୀ ସମାଜ କେବଳ ଏକ ସରକାରୀ ସଂଖ୍ୟା ବା ପରିସଂଖ୍ୟାନ ନୁହେଁ । ଏହା ଆମ ପାଇଁ ହେଉଛି ସମ୍ବେଦନଶୀଳତାର ବିଷୟ, ହେଉଛି ଭାବନାତ୍ମକ ବିଷୟ । ଯେତେବେଳେ ମୁଁ ପ୍ରଥମ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି, ତା’ଠାରୁ ବହୁତ ପୂର୍ବରୁ ମଧ୍ୟ ମୁଁ ଏହି ଦିଗରେ ପ୍ରୟାସ କରୁଛି । ଆମର ଯେଉଁ ରାଜ୍ୟପାଳ ମହୋଦୟ ଅଛନ୍ତି, ଶ୍ରୀମାନ ମଙ୍ଗୁଭାଇ ହେଉଛନ୍ତି ଆଦିବାସୀ ପରିବାରର ପ୍ରସିଦ୍ଧ ନେତା । ପ୍ରାୟ 50 ବର୍ଷ ଧରି ମୁଁ ଏବଂ ମଙ୍ଗୁ ଭାଇ ଆଦିବାସୀ ଅଂଚଳରେ ସାଙ୍ଗ ହୋଇ କାର୍ଯ୍ୟ କରି ଆସୁଛୁ । ଆଉ ଆମେ ଆଦିବାସୀ ପରିବାରକୁ ଯାଇ ଏହି ରୋଗରୁ କିପରି ରକ୍ଷା ପାଇବାର ରାସ୍ତା ବାହାରିବ, କିପରି ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ଉପରେ କ୍ରମାଗତ ଭାବେ କାର୍ଯ୍ୟ କରୁଥିଲୁ । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲି ତା’ପରେ ମଧ୍ୟ ମୁଁ ସେଠାରେ ଏହା ସହିତ ଜଡିତ ଅନେକ ଅଭିଯାନ ଆରମ୍ଭ କଲି । ପୁଣି ଯେତେବେଳେ ପ୍ରଧାନମନ୍ତ୍ରୀ ହେବା ପରେ ଜାପାନ ଗସ୍ତରେ ଯାଇଥିଲି, ସେତେବେଳେ ସେଠରେ ମୁଁ ନେବେଲ ପୁରସ୍କାର ବିଜେତା ଜଣେ ବୈଜ୍ଞାନିକଙ୍କୁ ସାକ୍ଷାତ କରିଥିଲି । ମୋତେ ଜଣାଥିଲା ଯେ, ସେହି ବୈଜ୍ଞାନିକ ସିକଲ ସେଲ ଆନିମିଆ ରୋଗ ଉପରେ ବହୁତ ଗବେଷଣା କରି ସାରିଥିଲେ । ମୁଁ ସେହି ଜାପାନୀ ବୈଜ୍ଞାନିକଙ୍କଠାରୁ ମଧ୍ୟ ସିକଲ ସେଲ ଆନିମିଆର ଚିକିତ୍ସା ପାଇଁ ସହାୟତା ମାଗିଥିଲି ।

ସାଥିଗଣ,

ସିକଲ ସେଲ ଆନିମିଆରୁ ମୁକ୍ତିର ଏହି ଅଭିଯାନ, ଅମୃତକାଳର ଏକ ପ୍ରମୁଖ ମିଶନ ହେବ । ଆଉ ମୋର ବିଶ୍ୱାସ ଅଛି ଯେ, ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ କରିବ, 2047 ସୁଦ୍ଧା ଆମେ ସମସ୍ତେ ମିଳିମିଶି, ଏକ ମିଶନ ମୋଡରେ ଅଭିଯାନ ଚଳାଇ ଏହି ସିକଲ ସେଲ ଆନିମିଆରୁ ଆମର ଆଦିବାସୀ ପରିବାରକୁ ମୁକ୍ତି ଦେବା, ଦେଶକୁ ମୁକ୍ତି ଦେବା । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ନିଜର ଦାୟିତ୍ୱ ତୁଲାଇବାକୁ ପଡିବ । ଏହା ଜରୁରୀ ଯେ ସରକାର ହୁଅନ୍ତୁ, ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ, ସମସ୍ତଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ । ସିକଲ ସେଲ ଆନିମିଆର ରୋଗୀମାନଙ୍କୁ ରକ୍ତ ଦେବାକୁ ପଡ଼ିଥାଏ । ଏଥିଲାଗି, ସେମାନଙ୍କ ପାଇଁ ରକ୍ତ ଭଣ୍ଡାର ଖୋଲାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ଅସ୍ଥି ମଜ୍ଜା ପୁନଃରୋପଣର ସୁବିଧା ବୃଦ୍ଧି କରାଯାଉଛି । ସିକଲ ସେଲ ଆନିମିଆର ରୋଗୀମାନଙ୍କର ସ୍କ୍ରିନିଂ ହେଉଛି କେତେ ଜରୁରୀ, ଏହା ଆପଣମାନେ ସମସ୍ତେ ମଧ୍ୟ ଜାଣନ୍ତି । ବିନା କୌଣସି ବାହ୍ୟ ଲକ୍ଷଣ ପ୍ରକାଶ ପାଇ ମଧ୍ୟ ଯେକୌଣସି ଲୋକ ସିକଲ ସେଲର ବାହକ ହୋଇପାରେ । ଏଭଳି ଲୋକ ଅଜାଣତରେ ନିଜ ପିଲାମାନଙ୍କୁ ଏହି ରୋଗ ଦେଇ ପାରିବେ । ଏଥିପାଇଁ ଏହାର ସୂଚନା ପାଇବା ଲାଗି ଯାଂଚ କରିବା, ସ୍କ୍ରିନିଂ କରିବା ହେଉଛି ବହୁତ ଆବଶ୍ୟକ । ଯାଂଚ ନ କରିବା ଦ୍ୱାରା ହୋଇପାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ରୋଗୀଙ୍କୁ ଏଇ ରୋଗ ବିଷୟରେ ଜଣା ପଡ଼ି ନ ଥାଏ । ଯେପରି ପ୍ରାୟ ସମୟରେ ଆମର ମନସୁଖ ଭାଇ କହୁଥିଲେ ଜାତକ କଥା, ବହୁତ ପରିବାରରେ ପରମ୍ପରା ରହିଛି ଯେ, ବିବାହ ପୂର୍ବରୁ ଜାତକ ମେଳକ କରାଯାଇଥାଏ, ଜନ୍ମାକ୍ଷର ମେଳକ କରାଯାଇଥାଏ । ଆଉ ସେ କହିଲେ ଭାଇ ଜାତକ ମେଳକ କରନ୍ତୁ ବା ନ କରନ୍ତୁ, କିନ୍ତୁ ସିକଲ ସେଲର ଯାଂଚ ରିପୋର୍ଟ ଅଛି, ଯେଉଁ କାର୍ଡ ଦିଆ ଯାଉଛି ତାହାକୁ ନିଶ୍ଚୟ ମେଳକ କରିବ ଆଉ ତା’ପରେ ବିବାହ କରିବ ।

ସାଥୀଗଣ,

ସେତେବେଳେ ଆମେ ଏହି ରୋଗକୁ ଗୋଟିଏ ପିଢ଼ୀରୁ ଅନ୍ୟ ପିଢ଼ୀକୁ ସଂକ୍ରମିତ ହେବାକୁ ରୋକି ପାରିବା । ଏଥିପାଇଁ ମୋର ଅନୁରୋଧ ଯେ, ପ୍ରତ୍ୟେକ ବ୍ୟକ୍ତି ସ୍କ୍ରିନିଂ ଅଭିଯାନ ସହିତ ସାମିଲ ହୁଅନ୍ତୁ, ନିଜର କାର୍ଡ ପ୍ରସ୍ତୁତ କରନ୍ତୁ, ରୋଗର ଯାଂଚ କରାନ୍ତୁ । ଏହି ଦାୟିତ୍ୱକୁ ନେବା ପାଇଁ ସମାଜ ନିଜେ ଯେତେ ଆଗେଇ ଆସିବ, ସେତିକି ପରିମାଣରେ ସିକଲ ସେଲ ଆନିମିଆରୁ ମୁକ୍ତି ସହଜ ହେବ ।

ସାଥୀଗଣ,

ରୋଗ କେବଳ ଜଣେ ମଣିଷକୁ ନୁହେଁ, ଯେତେବେଳେ ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ କେବଳ ତାକୁ ହିଁ ନୁହେଁ, କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ପରିବାରରୁ ରୋଗଗ୍ରସ୍ତ ହୋଇଥାଏ, ସେତେବେଳେ ସମ୍ପୂର୍ଣ୍ଣ ପରିବାରକୁ ରୋଗ ପ୍ରଭାବିତ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ରୋଗରେ ପଡ଼ିଥାଏ, ସେତେବେଳେ ସମଗ୍ର ପରିବାର ଦାରିଦ୍ର‌୍ୟ ଏବଂ ଅସହାୟତାର ଜାଲ ମଧ୍ୟରେ ଫସି ଯାଇଥାଏ । ଆଉ ମୁଁ ଏକ ପ୍ରକାରରେ ଆପଣମାନଙ୍କର ପରିବାର ଠାରୁ ଭିନ୍ନ ଅନ୍ୟ କୌଣସି ପରିବାର ମଧ୍ୟରୁ ଆସି ନାହିଁ । ମୁଁ ଆପଣମାନଙ୍କ ମଧ୍ୟରୁ ହିଁ ଆସି ଏଠାରେ ପହଂଚିଛି । ଏଥିପାଇଁ ମୁଁ ଆପଣମାନଙ୍କର ଏହି ସମସ୍ୟାକୁ ଭଲ ଭାବରେ ଜାଣିଛି, ବୁଝିଛି । ଏଥିପାଇଁ ଆମ ସରକାର ଏଭଳି ଗମ୍ଭୀର ରୋଗଗୁଡ଼ିକୁ ସମାପ୍ତ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି । ଏହି ପ୍ରୟାସ ଦ୍ୱାରା ଆଜି ଦେଶରେ ଟିବି ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏବେ ତ ଦେଶ 2025 ପର୍ଯ୍ୟନ୍ତ ଟିବିକୁ ଦ୍ରୁତ ଗତିରେ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଛି ।

ସାଥୀଗଣ,

ଆମ ସରକାର ଗଠନ ହେବା ପୂର୍ବରୁ 2013ରେ କାଲାଜାରର 11 ହଜାର ମାମଲା ସାମ୍ନାକୁ ଆସୁଥିଲା । ଆଜି ଏହା ହ୍ରାସ ପାଇ ଏକ ହଜାରରୁ ମଧ୍ୟ କମ୍ ହୋଇ ଯାଇଛି । 2013ରେ ମ୍ୟାଲେରିଆର 10 ଲକ୍ଷ ମାମଲା ଥିଲା, 2022ରେ ମଧ୍ୟ ଏହା କ୍ରମାଗତ ଭାବେ ହ୍ରାସ ପାଇ 2 ଲକ୍ଷରୁ କମ୍ ହୋଇ ଯାଇଛି । 2013ରେ କୁଷ୍ଠ ରୋଗର 1 ଲକ୍ଷ 25 ହଜାର ରୋଗୀ ଥିଲେ, କିନ୍ତୁ ଏବେ ଏହି ସଂଖ୍ୟା ହ୍ରାସ ପାଇ 70-75 ହଜାର ମଧ୍ୟରେ ରହି ଯାଇଛି । ପ୍ରଥମେ ମସ୍ତିଷ୍କ ଜ୍ୱରର କେତେ ପ୍ରଭାବ ଥିଲା, ଏହା ମଧ୍ୟ ଆମେ ସମସ୍ତେ ଜାଣିଛେ । ବିଗତ କିଛି ବର୍ଷରେ ଏହାର ରେଗୀଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଏହି ସବୁ କେବଳ ମାତ୍ର ପରିସଂଖ୍ୟାନ ବା ତଥ୍ୟ ନୁହେଁ। ଯେତେବେଳେ ରୋଗ ହ୍ରାସ ପାଇଥାଏ, ସେତେବେଳେ ଲୋକ ନିଜେ ଦୁଃଖ, କଷ୍ଟ, ସଙ୍କଟ ଏବଂ ମୃତ୍ୟୁ ଠାରୁ ମଧ୍ୟ ରକ୍ଷା ପାଇଥାଆନ୍ତି ।

ଭାଇ ଓ ଭଉଣୀମାନେ,

ଆମ ସରକାରଙ୍କର ଏହି ପ୍ରୟାସ ରହିଛି ଯେ ରୋଗ କମ୍ ହେଉ, ଏହା ସହିତ ରୋଗ ଉପରେ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହେଉ । ଏଥିପାଇଁ ଆମେ ଆୟୂଷ୍ମାନ ଭାରତ ଯୋଜନା ନେଇ ଆସିଛୁ, ଯାହା ଫଳରେ ଲୋକମାନଙ୍କ ଉପରେ ପଡ଼ିବାକୁ ଥିବା ବୋଝ କମ୍ ହୋଇଛି । ଆଜି ଏଠାରେ ମଧ୍ୟପ୍ରଦେଶରେ 1 କୋଟି ଲୋକଙ୍କୁ ଆୟୂଷ୍ମାନ କାର୍ଡ ଦିଆଯାଇଛି । ଯଦି କୌଣସି ଗରିବଙ୍କୁ କେବେ ହସ୍ପିଟାଲ ଯିବାକୁ ପଡ଼େ, ସେତେବେଳେ ଯଦି ଏହି କାର୍ଡ ତାଙ୍କ ପକେଟରେ ଅଛି, ସେତେବେଳେ 5 ଲକ୍ଷ ଟଙ୍କାର ଏଟିଏମ କାର୍ଡ ଭଳି କାର୍ଯ୍ୟରେ ଆସିବ । ଆପଣ ମନେ ରଖନ୍ତୁ, ଆଜି ଆପଣଙ୍କୁ ଯେଉଁ କାର୍ଡ ମିଳିଛି, ହସ୍ପିଟାଲରେ ତାହାର ମୂଲ୍ୟ ହେଉଛି 5 ଲକ୍ଷ ଟଙ୍କା ସହ ସମାନ । ଯଦି ଆପଣଙ୍କ ପାଖରେ ଏହି କାର୍ଡ ରହିଥିବ ତେବେ କେହି ଆପଣଙ୍କୁ ଚିକିତ୍ସା କରିବା ପାଇଁ ମନା କରି ପାରିବେ ନାହିଁ, ଟଙ୍କା ମାଗି ପାରିବେ ନାହିଁ । ଆଉ ଏହା ହିନ୍ଦୁସ୍ତାନରେ କେଉଁଠାରେ ମଧ୍ୟ ଆପଣଙ୍କକୁ କୌଣସି ଅସୁବିଧା ହେବ ଏବଂ ସେଠାକାର ହାସ୍ପାତାଳକୁ ଯାଇ ମୋଦୀଙ୍କର ଏହି ଗ୍ୟାରେଂଟିକୁ ସେଠାରେ ଦେଖାଇ ଦେବେ, ସେଠାରେ ମଧ୍ୟ ଆପଣଙ୍କୁ ଏହି କାର୍ଡ ଜରିଆରେ ନିଶୁଳ୍କ ଚିକିତ୍ସା ମିଳିବ । ଏହି ଆୟୂଷା୍ମନ କାର୍ଡ, ଗରିବଙ୍କ ଚିକିତ୍ସା ଲାଗି ହେଉଛି 5 ଲକ୍ଷ ଟଙ୍କାର ଗ୍ୟାରେଂଟି ଏବଂ ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି ।

ଭାଇ ଓ ଭଉଣୀମାନେ,

ସାରା ଦେଶରେ ଆୟୂଷା୍ମନ ଯୋଜନା ଅଧୀନରେ ହାସ୍ପାତାଳରେ ପ୍ରାୟ 5 କୋଟି ଗରିବମାନଙ୍କର ଚିକିତ୍ସା ହୋଇ ସାରିଛି । ଯଦି ଆୟୂଷା୍ମନ ଭାରତ କାର୍ଡ ନ ଥାନ୍ତା ତେବେ ଏହି ଗରିବମାନଙ୍କୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ରୋଗର ଉପଚାର କରିବାକୁ ପଡିଥାନ୍ତା। ଆପଣମାନେ କଳ୍ପନା କରନ୍ତୁ, ଏମାନଙ୍କ ମଧ୍ୟରୁ କେତେ ଲୋକ ଏପରି ଅଛନ୍ତି ଯେଉଁମାନେ ଜୀଇଁବାର ଆଶା ଛାଡି ଦେଇଥିବେ । କେତେ ପରିବାର ଏଭଳି ଥିବେ ଯେଉଁମାନଙ୍କୁ ଚିକିତ୍ସା କରିବା ପାଇଁ ନିଜର ଘର, ନିଜର ଚାଷ ଜମି ଆଦିକୁ ବିକ୍ରି କରିବାକୁ ପଡିଥିବ । କିନ୍ତୁ ଆମ ସରକାର ଏଭଳି ପ୍ରତ୍ୟେକ କଷ୍ଟକର ବା ଅସୁବିଧା ସମୟରେ ଗରିବଙ୍କ ସହିତ ଠିଆ ହୋଇଥିବା ଦେଖିବାକୁ ମିଳିଛି । 5 ଲକ୍ଷ ଟଙ୍କାର ଏହି ଆୟୂଷା୍ମନ ଯୋଜନା ଗ୍ୟାରେଂଟି କାର୍ଡ, ହେଉଛି ଗରିବଙ୍କ ସବୁଠାରୁ ବଡ଼ ଚିନ୍ତା ଦୂର କରିବାର ଗ୍ୟାରେଂଟି । ଆଉ ଏଠାରେ ଯେଉଁମାନେ ଆୟୂଷା୍ମନର କାର୍ଯ୍ୟ କରୁଛନ୍ତି, ଟିକେ କାର୍ଡଟା ଆଣନ୍ତୁ- ଆପଣଙ୍କୁ ଏ ଯେଉଁ କାର୍ଡ ମିଳିଛି ନା ସେଥିରେ ଲେଖା ଅଛି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା । ଏହି ଦେଶରେ କେବେ ହେଲେ କୌଣସି ଗରିବଙ୍କୁ କେହି କେବେ ମଧ୍ୟ 5 ଲକ୍ଷ ଟଙ୍କାର ଗ୍ୟାରେଂଟି ଦେଇ ନ ଥିଲେ, ଏହି ମୋର ଗରିବ ପରିବାରଙ୍କ ପାଇଁ ଏଇ ହେଉଛି ଭାଜପା ସରକାର, ଇଏ ହେଉଛନ୍ତି ମୋଦୀ ଯିଏ ଆପଣମାନଙ୍କୁ 5 ଲକ୍ଷ ଟଙ୍କାର ଗ୍ୟାରେଂଟି ଯୁକ୍ତ କାର୍ଡ ଦେଉଛନ୍ତି ।

ସାଥୀଗଣ,

ଗ୍ୟାରେଂଟିର ଏହି ଚର୍ଚ୍ଚା ମଧ୍ୟରେ, ଆପଣମାନଙ୍କୁ ମିଥ୍ୟା ଗ୍ୟାରେଂଟି ଦେଉଥିବା ଲୋକମାନଙ୍କ ଠାରୁ ମଧ୍ୟ ସାବଧାନ ରହିବାର ଅଛି । ଆଉ ଯେଉଁ ଲୋକମାନଙ୍କର ନିଜର କୌଣସି ଗ୍ୟାରେଂଟି ନାହିଁ, ସେମାନେ ଆପଣମାନଙ୍କ ପାଖକୁ ଗ୍ୟାରେଂଟି ଯୁକ୍ତ ନୂଆ- ନୂଆ ସ୍କିମ ନେଇ କରି ଆସୁଛନ୍ତି। ସେମାନଙ୍କର ଗ୍ୟାରେଂଟିରେ ଲୁଚି ରହିଥିବା ଛଳନାକୁ ଜାଣି ରଖନ୍ତୁ । ମିଥ୍ୟା ଗ୍ୟାରେଂଟି ନାମରେ ସେମାନଙ୍କ ପ୍ରତାରଣାର ଖେଳକୁ ମାପି ନିଅନ୍ତୁ ।

ସାଥୀଗଣ,

ଯେତେବେଳେ ସେମାନେ ମାଗଣା ବିଜୁଳିର ଗ୍ୟାରେଂଟି ଦେଉଛନ୍ତି, ସେତେବେଳେ ଏହାର ଅର୍ଥ ହେଉଛି ଯେ ସେମାନେ ବିଜୁଳି ଦର ବଢ଼ାଇବାକୁ ଯାଉଛନ୍ତି । ଯେତେବେଳେ ସେମାନେ ମାଗଣା ଯାତ୍ରା କରିବାର ଗ୍ୟାରେଂଟି ଦେଉଛନ୍ତି, ସେତେବେଳେ ଏହାର ଅର୍ଥ ହେଉଛି ଯେ ସେହି ରାଜ୍ୟର ଯାତାୟାତ ବ୍ୟବସ୍ଥା ନଷ୍ଟ ହେବାକୁ ଯାଉଛି । ଯେତେବେଳେ ସେମାନେ ଭତା ବା ପେନସନ୍ ବଢ଼ାଇବାର ଗ୍ୟାରେଂଟି ଦେଉଛନ୍ତି, ସେତେବେଳେ ଏହାର ଅର୍ଥ ହେଉଛି ଯେ ସେମାନେ ସେହି ରାଜ୍ୟରେ କର୍ମଚାରୀମାନେ ଠିକ୍ ସମୟରେ ଦରମା ମଧ୍ୟ ମିଳି ପାରିବ ନାହିଁ । ଯେତେବେଳେ ସେମାନେ ଶସ୍ତା ଦରରେ ପେଟ୍ରୋଲର ଗ୍ୟାରେଂଟି ଦେଉଛନ୍ତି, ସେତେବେଳେ ଏହାର ଅର୍ଥ ହେଉଛି ଯେ ସେମାନେ ଟିକସ ବଢ଼ାଇ ଆପଣମାନଙ୍କ ପକେଟରୁ ଅର୍ଥ ବାହାର କରି ନେବାର ପ୍ରସ୍ତୁତି କରୁଛନ୍ତି । ଯେତେବେଳେ ସେମାନେ ରୋଜଗାର ବୃଦ୍ଧି କରିବାର ଗ୍ୟାରେଂଟି ଦେଉଛନ୍ତି, ସେତେବେଳେ ଏହାର ଅର୍ଥ ହେଉଛି ଯେ ସେମାନେ ସେଠାକାର ଉଦ୍ୟୋଗ- କାମ ଧନ୍ଦାକୁ ଗୋଳମାଳ କରିଦେବା ଭଳି ନୀତିକୁ ନେଇକରି ଆସିବେ । କଂଗ୍ରେସ ଭଳି ଦଳର ଗ୍ୟାରେଂଟିର ଅର୍ଥ, ଉଦ୍ଦେଶ୍ୟରେ ଶଠତା ଏବଂ ଗରିବଙ୍କ ଉପରେ ଆଘାତ, ଏହା ହେଉଛି ସେମାନଙ୍କର ଖେଳ। ସେମାନେ 70 ବର୍ଷରେ ଗରିବମାନଙ୍କୁ ପେଟପୂରା ଖାଇବାକୁ ଗ୍ୟାରେଂଟି ଦେଇ ପାରିଲେ ନାହିଁ। କିନ୍ତୁ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାଶନର ଗ୍ୟାରେଂଟି ଦେଇଛନ୍ତି, ମାଗଣା ରାଶନ ମିଳୁଛି । ସେମାନେ 70 ବର୍ଷରେ ଗରିବଙ୍କୁ ଦାମୀ ଚିକିତ୍ସା ବ୍ୟବସ୍ଥାରୁ ମୁକ୍ତ କରିବାର ଗ୍ୟାରେଂଟି ଦେଇ ପାରିଲେ ନାହିଁ । କିନ୍ତୁ ଆୟୂଷ୍ମାନ ଯୋଜନା ଦ୍ୱାରା 50 କୋଟି ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମାର ଗ୍ୟାରେଂଟି ମିଳିଛି । ସେମାନେ 70 ବର୍ଷରେ ମହିଳାମାନଙ୍କୁ ଧୂଆଁରୁ ମୁକ୍ତି ଦେବା ପାଇଁ ଗ୍ୟାରେଂଟି ଦେଇ ପାରିଲେ ନାହିଁ । କିନ୍ତୁ ଉଜ୍ଜ୍ୱଳା ଯୋଜନାରେ ପାଖାପାଖି 10 କୋଟି ମହିଳାମାନଙ୍କୁ ଧୂଆଁମୁକ୍ତ ଜୀବନର ଗ୍ୟାରେଂଟି ମିଳିଛି । ସେମାନେ 70 ବର୍ଷରେ ଗରିବଙ୍କୁ ନିଜ ଗୋଡ଼ରେ ଠିଆ କରିବାର ଗ୍ୟାରେଂଟି ଦେଇ ପାରିଲେ ନାହିଁ, କିନ୍ତୁ ମୁଦ୍ରା ଯୋଜନାରେ ସାଢ଼େ 8 କୋଟି ଲୋକଙ୍କୁ ସମ୍ମାନର ସହିତ ସ୍ୱରୋଜଗାରର ଗ୍ୟାରେଂଟି ମିଳିଛି ।

ସେମାନଙ୍କର ଗ୍ୟାରେଂଟିର ଅର୍ଥ ହେଉଛି, କେଉଁଠି ନା କେଉଁଠି କିଛି ଗଡ଼ବଡ଼ ରହିଛି । ଆଜି ଯେଉଁମାନେ ଏକାଠି ଆସିବାର ପ୍ରତିଶ୍ରୁତି ଦେଉଛନ୍ତି, ସାମାଜିକ ଗଣମାଧ୍ୟମରେ ସେମାନଙ୍କର ପୁରୁଣା ବୟାନ ପ୍ରଘଟ ହେଉଛି । ସେମାନେ ସର୍ବଦା ଜଣେ ଅନ୍ୟ ଜଣଙ୍କୁ ପାଣି ପିଇ-ପିଇ ଗାଳି ଦେଇ ଆସୁଥିଲେ । ଅର୍ଥାତ ବିରୋଧି ଏକାଠି ହେବାର ଗ୍ୟାରେଂଟି ନାହିଁ । ଏହି ପରିବାରବାଦୀ ଦଳଗୁଡ଼ିକ କେବଳ ନିଜ ପରିବାରର ମଙ୍ଗଳ ପାଇଁ କାମ କରି ଆସୁଛନ୍ତି । ଅର୍ଥାତ ସେମାନଙ୍କ ପାଖରେ ଦେଶର ସାଧାରଣ ମଣିଷର ପରିବାରକୁ ଆଗକୁ ନେଇ ଯିବାର ଗ୍ୟାରେଂଟି ନାହିଁ । ଯେଉଁମାନଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଅଛି, ସେମାନେ ଜାମିନରେ ଆସି ବାହାରେ ବୁଲୁଛନ୍ତି । ଯେଉଁମାନେ ଘୋଟାଲାର ଅଭିଯୋଗରେ ଦଣ୍ଡ ଭୋଗୁଛନ୍ତି, ସେମାନେ ଗୋଟିଏ ମଂଚରେ ଦେଖିବାକୁ ମିଳୁଛନ୍ତି । ଅର୍ଥାତ ସେମାନଙ୍କ ପାଖରେ ଭ୍ରଷ୍ଟାଚାର ମୁକ୍ତ ଶାସନର ଗ୍ୟାରେଂଟି ନାହିଁ । ସେମାନେ ଗୋଟିଏ ସ୍ୱରରେ ଦେଶ ବିରୋଧି ବୟାନ ଦେଉଛନ୍ତି । ସେମାନେ ଦେଶ ବିରୋଧି ତତ୍ୱଙ୍କ ସହିତ ବୈଠକ କରୁଛନ୍ତି । ଅର୍ଥାତ ସେମାନଙ୍କ ପାଖରେ ଆତଙ୍କବାଦ ମୁକ୍ତ ଭାରତର ଗ୍ୟାରେଂଟି ନାହିଁ । ସେମାନେ ଗ୍ୟାରେଂଟି ଦେଇ ଚାଲିଯିବେ କିନ୍ତୁ ଆପଣମାନଙ୍କୁ ଭୋଗିବାକୁ ପଡ଼ିବ । ସେମାନେ ଗ୍ୟାରେଂଟି ଦେଇ ନିଜ ପକେଟ ଭର୍ତି କରିନେବେ, କିନ୍ତୁ ଆପଣମାନଙ୍କ ପିଲାମାନଙ୍କୁ କ୍ଷତି ସହିବାକୁ ପଡ଼ିବ । ସେମାନେ ଗ୍ୟାରେଂଟି ଦେଇ ନିଜ ପରିବାରକୁ ଆଗକୁ ନେଇଯିବେ, କିନ୍ତୁ ସେମାନଙ୍କ ପାଇଁ ଦେଶକୁ ମୂଲ୍ୟ ଦେବାକୁ ପଡ଼ିବ । ଏଥିପାଇଁ ଆପଣଙ୍କ କଂଗ୍ରେସ ସମେତ ଏଭଳି ପ୍ରତ୍ୟେକ ରାଜନୈତିକ ଦଳଙ୍କର ଗ୍ୟାରେଂଟି ଠାରୁ ସତର୍କ ରହିବାକୁ ପଡ଼ିବ ।

ସାଥୀଗଣ,

ଏହି ମିଥ୍ୟା ଗ୍ୟାରେଂଟି ଦେଉଥିବା ଲୋକମାନଙ୍କର ଆଚରଣ ସବୁବେଳେ ଆଦିବାସୀମାନଙ୍କର ବିରୋଧରେ ରହି ଆସିଛି । ପୂର୍ବରୁ ଜନଜାତୀୟ ସମୁଦାୟର ଯୁବକମାନଙ୍କ ସମ୍ମୁଖରେ ଭାଷା ଜନିତ ବହୁତ ବଡ଼ ଆହ୍ୱାନ ଆସୁଥିଲା । କିନ୍ତୁ, ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଏବେ ସ୍ଥାନୀୟ ଭାଷାରେ ପାଠ ପଢ଼ାଇବାର ସୁବିଧା ଦିଆ ଯାଇଛି । କିନ୍ତୁ ମିଥ୍ୟା ଗ୍ୟାରେଂଟି ଦେଉଥିବା ଲୋକ ଆଉ ଥରେ ପୁଣି ରାଷ୍ଟ୍ରୀୟ ଶିକ୍ଷାନୀତିର ବିରୋଧ କରୁଛନ୍ତି । ଏହି ଲୋକମାନେ ଚାହୁଁ ନାହାଁନ୍ତି ଯେ ଆମର ଆଦିବାସୀ ଭାଇ ଭଉଣୀମାନଙ୍କର ପିଲାମାନେ ନିଜ ଭାଷାରେ ପାଠ ପଢ଼ିପାରନ୍ତୁ । ସେମାନେ ଜାଣିଛନ୍ତି ଯେ ଯଦି ଆଦିବାସୀ, ଦଳିତ, ପଛୁଆ ଏବଂ ଗରିବଙ୍କ ପିଲା ଆଗକୁ ବଢ଼ିଯିବେ, ତେବେ ସେମାନଙ୍କର ଭୋଟ ବ୍ୟାଙ୍କର ରାଜନୀତି ଗୋଲ ହୋଇଯିବ । ମୁଁ ଜାଣିଛି ଯେ ଆଦିବାସୀ ଅଂଚଳରେ ସ୍କୁଲଗୁଡ଼ିକର, କଲେଜ ଗୁଡ଼ିକର କେତେ ମହତ୍ୱ ରହିଛି । ଏଥିପାଇଁ ଆମ ସରକାର 400ରୁ ଅଧିକ ନୂତନ ଏକଲବ୍ୟ ସ୍କୁଲଗୁଡ଼ିକରେ ଆଦିବାସୀ ପିଲାମାନଙ୍କର ଆବାସିକ ଶିକ୍ଷାର ସୁଯୋଗ ଦେଇଛନ୍ତି । କେବଳ ମଧ୍ୟ ପ୍ରଦେଶରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଏଭଳି 24 ହଜାର ବିଦ୍ୟାର୍ଥୀ ପାଠ ପଢ଼ୁଛନ୍ତି ।

ସାଥୀଗଣ,

ପୂର୍ବର ସରକାରମାନେ ଜନଜାତୀୟ ସମାଜକୁ କ୍ରମାଗତ ଭାବେ ଉପେକ୍ଷା କରିଛନ୍ତି । ଆମେ ସ୍ୱତନ୍ତ୍ର ଆଦିବାସୀ ମନ୍ତ୍ରଣାଳୟ ସୃଷ୍ଟି କରି ଏହାକୁ ନିଜର ପ୍ରାଥମିକତା ଦେଲୁ । ଆମେ ଏହି ମନ୍ତ୍ରଣାଳୟର ବଜେଟ 3 ଗୁଣ ବୃଦ୍ଧି କରିଛୁ । ପୂର୍ବରୁ ଜଙ୍ଗଲ ଏବଂ ଜମିକୁ ଲୁଟ କରୁଥିବା ଲୋକଙ୍କୁ ସଂରକ୍ଷଣ ମିଳୁଥିଲା । ଆମେ ଜଙ୍ଗଲ ଅଧିକାର ଆଇନ ଅଧୀନରେ 20 ଲକ୍ଷରୁ ଅଧିକ ସତ୍ୱାଧିକାର ବଂଟନ କରିଛୁ । ସେହି ଲୋକମାନେ ପେସା ଆଇନ ନାମରେ ଦୀର୍ଘ ଏତେ ବର୍ଷ ଧରି ନିଜର ରାଜନୈତିକ ରୁଟି ସେକି ଚାଲିଲେ । କିନ୍ତୁ, ଆମେ ପେସା ଆଇନ ଲାଗୁକରି ଜନଜାତୀୟ ସମାଜକୁ ସେମାନଙ୍କର ଅଧିକାର ଦେଇଛୁ । ପୂର୍ବରୁ ଆଦିବାସୀ ପରମ୍ପରାଗୁଡ଼ିକର ଏବଂ କଳାକୌଶଳକୁ ଉପହାସ କରି ଦିଆଯାଉଥିଲା । କିନ୍ତୁ ଆମେ ଆଦି ମହୋତ୍ସବ ଭଳି ଆୟୋଜନ ଆରମ୍ଭ କଲୁ ।

ସାଥୀଗଣ,

ବିଗତ 9 ବର୍ଷରେ ଆଦିବାସୀ ଗୌରବକୁ ସଜାଡ଼ିବା ଓ ସମୃଦ୍ଧ କରିବା ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ ହୋଇଛି । ଏବେ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଦିନରେ 15 ନଭେମ୍ବରକୁ ସାରା ଦେଶ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରୁଛି । ଆଜି ଦେଶର ଭିନ୍ନ- ଭିନ୍ନ ରାଜ୍ୟରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମର୍ପିତ ସଂଗ୍ରହାଳୟ ନିର୍ମାଣ କରାଯାଉଛି । ଏହି ପ୍ରୟାସ ଗୁଡ଼ିକ ମଧ୍ୟରେ ଆମେ ପୂର୍ବ ସରକାରଙ୍କ ବ୍ୟବହାରକୁ ମଧ୍ୟ ଭୁଲିଯିବା ନାହିଁ । ଯେଉଁମାନେ ଦଶକ- ଦଶକ ପର୍ଯ୍ୟନ୍ତ ଦେଶରେ ସରକାର ଚଳାଇଛନ୍ତି, ସେମାନଙ୍କର ବ୍ୟବହାର ଆଦିବାସୀ ସମାଜ ପ୍ରତି, ଗରିବଙ୍କ ପ୍ରତି ଅସମ୍ବେଦନଶୀଳ ଏବଂ ଅପମାନ-ଜନକ ରହିଥିଲା । ଯେତେବେଳେ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବାର କଥା ଆସିଥିଲା, ସେଥିରେ ଆମେ ଅନେକ ଦଳର ବ୍ୟବହାରକୁ ଦେଖିଛେ । ଆପଣମାନେ ମଧ୍ୟପ୍ରଦେଶର ଲୋକମାନେ ମଧ୍ୟ ସେମାନଙ୍କର ବ୍ୟବହାରର ସାକ୍ଷୀ ରହିଛନ୍ତି । ଯେତେବେଳେ ଶାହଡୋଲ ସମ୍ଭାଗରେ କେନ୍ଦ୍ରୀୟ ଜନଜାତୀୟ ବିଶ୍ୱ ବିଦ୍ୟାଳୟ ଖୋଲିଲା, ସେତେବେଳେ ତା’ର ନାମ ମଧ୍ୟ ସେମାନେ ନିଜ ପରିବାରର ନାମରେ ରଖିଦେଲେ । ଯେତେବେଳେ କି ଶିବରାଜ ମହାଶୟଙ୍କର ସରକାର ଛିନ୍ଦୱାଡ଼ା ବିଶ୍ୱ ବିଦ୍ୟାଳୟର ନାମ ମହାନ ଗୋଣ୍ଡ ବିପ୍ଳବୀ ରାଜା ଶଙ୍କର ଶାହଙ୍କ ନାମରେ ନାମିତ କରିଛନ୍ତି । ଟଂଟୟା ମାମାଙ୍କ ଭଳି ନାୟକଙ୍କୁ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କଲେ, କିନ୍ତୁ ଆମେ ପାତାଲପାନୀ ଷ୍ଟେସନର ନାମ ଟଂଟୟା ମାମାଙ୍କ ନାମରେ ନାମିତ କରିଛୁ । ସେହି ଲୋକମାନେ ଗୋଣ୍ଡ ସମାଜର ଏତେ ବଡ଼ ନେତା ଶ୍ରୀ ଦଲବୀର ସିଂହ ମହାଶୟଙ୍କ ପରିବାରର ମଧ୍ୟ ଅପମାନ କରିଛନ୍ତି । ତାହାର ଭରଣା ମଧ୍ୟ ଆମେ କରିଛୁ, ଆମେ ତାଙ୍କୁ ସମ୍ମାନ ଦେଇଛୁ । ଆମ ପାଇଁ ଆଦିବାସୀ ନାୟକମାନଙ୍କର ସମ୍ମାନ ହେଉଛି ଆମର ଆଦିବାସୀ ଯୁବକମାନଙ୍କର ସମ୍ମାନ, ହେଉଛି ଆପଣ ସମସ୍ତଙ୍କର ସମ୍ମାନ ।

ସାଥୀଗଣ,

ଆମକୁ ଏହି ପ୍ରୟାସକୁ ଆଗକୁ ମଧ୍ୟ ବଳବତର କରି ରଖିବାକୁ ହେବ, ସେମାନଙ୍କୁ ଆହୁରି ଦ୍ରୁତ ଗତି ପ୍ରଦାନ କରିବାକୁ ହେବ । ଆଉ ଏହା ଆପଣମାନଙ୍କ ସହଯୋଗ ଦ୍ୱାରା, ଆପଣମାନଙ୍କର ଆଶୀର୍ବାଦ ଦ୍ୱାରା ହିଁ ସମ୍ଭବ ହେବ । ମୋର ବିଶ୍ୱାସ ଯେ, ଆପଣମାନଙ୍କର ଆଶୀର୍ବାଦ ଏବଂ ରାଣୀ ଦୁର୍ଗାବତୀଙ୍କ ପ୍ରେରଣା ଏହିଭଳି ହିଁ ଆମର ପଥ ପ୍ରଦର୍ଶନ କରି ଚାଲିବ । ଏବେ ଶିବରାଜ ମହାଶୟ କହୁଥିଲେ ଯେ 5 ଅକ୍ଟୋବରକୁ ରାଣୀ ଦୁର୍ଗାବତୀ ଜୀଙ୍କର ପାଂଚଶହ ତମ ଜୟନ୍ତୀ ପଡ଼ୁଛି । ମୁଁ ଆଜି ଯେତେବେଳେ ଆପଣମାନଙ୍କ ଗହଣକୁ ଆସିଛି, ରାଣୀ ଦୁର୍ଗାବତୀ ଜୀଙ୍କର ପରାକ୍ରମର ଏହି ମାଟିକୁ ଆସିଛି, ତେଣୁ ମୁଁ ଆଜି ଦେଶବାସୀଙ୍କ ଆଗରେ ଘୋଷଣା କରୁଛି ଯେ ରାଣୀ ଦୁର୍ଗାବତୀ ଜୀଙ୍କର 5 ଶହ ତମ ଜନ୍ମ ଶତାବ୍ଦୀ ସମଗ୍ର ଦେଶରେ ଭାରତ ସରକାର ପାଳନ କରିବେ । ରାଣୀ ଦୁର୍ଗାବତୀଙ୍କ ଜୀବନକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ ହେବ, ରାଣୀ ଦୁର୍ଗାବତୀଙ୍କ ନାମରେ ଏକ ଚାନ୍ଦିର ମୁଦ୍ରା ଜାରି କରାଯିବ, ରାଣୀ ଦୁର୍ଗାବତୀଙ୍କ ନାମରେ ଡାକଟିକଟ ମଧ୍ୟ ଜାରି କରାଯିବ ଆଉ ଦେଶ ବିଦେଶରେ 500 ବର୍ଷ ପୂର୍ବେ ଜନ୍ମ ନେଇଥିବା ଆମର ମାଆ ଭଳି ଏହି ପବିତ୍ର ମାଆଙ୍କର ସମ୍ମାନ ଏବଂ ତାଙ୍କ ପ୍ରେରଣାର କଥା ହିନ୍ଦୁସ୍ତାନର ଘରେ ଘରେ ପହଂଚାଇବାର ଏକ ଅଭିଯାନ ଚାଲିବ ।

ମଧ୍ୟ ପ୍ରଦେଶ ବିକାଶର ନୂତନ ଶୀଖରକୁ ଛୁଇଁବ, ଆଉ ଆମେ ସମସ୍ତେ ଏକାଠି ମିଳିମିଶି ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା । ଏବେ ମୁଁ ଏଠାରେ କିଛି ଆଦିବାସୀ ପରିବାରଗୁଡ଼ିକ ସହିତ ମଧ୍ୟ ସାକ୍ଷାତ କରିବାକୁ ଯାଉଛି, ସେମାନଙ୍କ ସହିତ ମଧ୍ୟ କିଛି ବାର୍ତାଳାପ କରିବାର ସୁଯୋଗ ମିଳିବାକୁ ଯାଉଛି । ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆସିଲେ ସକଲ ସେଲ, ଆୟୂଷ୍ମାନ କାର୍ଡ ଆପଣମାନଙ୍କର ଆଗାମୀ ପିଢ଼ୀର ଚିନ୍ତା କରିବାର ହେଉଛି ମୋର ବଡ଼ ଅଭିଯାନ । ମୋତେ ଆପଣମାନଙ୍କର ସହଯୋଗ ଆବଶ୍ୟକ । ଆମକୁ ସିକଲ ସେଲ ଠାରୁ ସମଗ୍ର ଦେଶକୁ ମୁକ୍ତି ଦେବାର ଅଛି, ମୋର ଆଦିବାସୀ ପରିବାରକୁ ଏହି ସମସ୍ୟାରୁ ମୁକ୍ତ କରିବାର ଅଛି । ମୋ ପାଇଁ, ମୋ ହୃଦୟ ସହିତ ଜଡ଼ିତ ଏହି କାର୍ଯ୍ୟ ହେଉଛି ଆଉ ଏଥିରେ ମୋତେ ଆପଣମାନଙ୍କର ସହାୟତା ଆବଶ୍ୟକ, ମୋତେ ମୋର ଆଦିବାସୀ ପରିବାରଙ୍କ ସହଯୋଗ ଆବଶ୍ୟକ । ଆପଣମାନଙ୍କୁ ଏହି ପ୍ରାର୍ଥନା କରୁଛି । ସୁସ୍ଥ ରୁହନ୍ତୁ, ସମୃଦ୍ଧ ହୁଅନ୍ତୁ । ଏହି କାମନା ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ !

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump