ମତ୍ସ୍ୟଚାଷ ସହିତ ଜଡ଼ିତ ଲୋକମାନେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଦ୍ୱାରା ମୁଖ୍ୟତଃ ଉପକୃତ ହେବେ : ପ୍ରଧାନମନ୍ତ୍ରୀ ମୋଦୀ
ଏହା ଆମର ଲକ୍ଷ୍ୟ ଯେ ଆଗାମୀ 3-4 ବର୍ଷରେ ଆମେ ଆମର ଉତ୍ପାଦନକୁ ଦ୍ୱିଗୁଣିତ କରି ମତ୍ସ୍ୟ କ୍ଷେତ୍ରକୁ ବୃଦ୍ଧି କରିବୁ: ପ୍ରଧାନମନ୍ତ୍ରୀ ମୋଦୀ
ପିଏମଏମଏସୱାଇ ଏକ ନବୀକରଣ ହୋଇଥିବା ଶ୍ୱେତକ୍ରାନ୍ତି (ଦୁଗ୍ଧ କ୍ଷେତ୍ର) ଏବଂ ମଧୁକ୍ରାନ୍ତି ବିପ୍ଳବ (ମହୁମାଛି ଚାଷ) ପାଇଁ ପଥ ପରିଷ୍କାର କରିବ : ପ୍ରଧାନମନ୍ତ୍ରୀ

ସମସ୍ତଙ୍କୁ ପ୍ରଣାମ,

ଦେଶ ତରଫରୁ, ବିହାର ତରଫରୁ ଗାଁର ତଥା ଗ୍ରାମାଂଚଳର ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ଏବଂ ବ୍ୟବସ୍ଥା ଗୁଡିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ, ମାଛ ଉତ୍ପାଦନ, ଦୁଗ୍ଧ ଉତ୍ପାଦନ ଏବଂ ପଶୁପାଳନ ଓ କୃଷି କ୍ଷେତ୍ରରେ ଅଧ୍ୟୟନ ଏବଂ ଗବେଷଣା ସହିତ ଜଡିତ ଶହ ଶହ କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ ହେଉଛି । ଏଥିପାଇଁ ବିହାରର ଭାଇ-ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବିହାରର ରାଜ୍ୟପାଳ ଫାଗୁ ଚୌହାନ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ନୀତିଶ କୁମାର ମହାଶୟ, କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ମୋର ସାଥୀ ଶ୍ରୀମାନ ଗିରିରାଜ ସିଂହ ମହାଶୟ, କୈଳାଶ ଚୌଧୁରୀ ମହାଶୟ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମହାଶୟ, ସଞ୍ଜିବ ବଲିୟାନ ମହାଶୟ, ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାଇ ସୁଶୀଲ ମହାଶୟ, ବିହାର ବିଧାନସଭାର ଅଧ୍ୟକ୍ଷ ଶ୍ରୀମାନ ବିଜୟ ଚୌଧୁରୀ ମହାଶୟ, ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟାନ୍ୟ ସଦସ୍ୟଗଣ, ସାଂସଦଗଣ, ବିଧାୟକଗଣ, ଏବଂ ମୋର ପ୍ରିୟ ସାଥୀଗଣ,

ସାଥୀଗଣ, ଆଜି ଏସବୁ ଯେତେ ମଧ୍ୟ ଯୋଜନାଗୁଡ଼ିକର ଶୁଭାରମ୍ଭ ହୋଇଛି ସେଗୁଡ଼ିକର ଭିତରେ ରହିଥିବା ଚିନ୍ତାଧାରା ହେଉଛି ଏହା କି ଆମର ଗାଁ ଏକବିଂଶ ଶତାବ୍ଦୀର ଭାରତ, ଆତ୍ମନିର୍ଭର ଭାରତର ଶକ୍ତି ହେଉ, ଉର୍ଜ୍ଜା ହେଉ । ଏହା ଚେଷ୍ଟା ରହିବ କି ଏବେ ଏହି ଶତାବ୍ଦୀରେ ନୀଳ ବିପ୍ଳବ ଅର୍ଥାତ ମତ୍ସ୍ୟପାଳନ ସହିତ ଜଡ଼ିତ କାର୍ଯ୍ୟ, ଶ୍ୱେତ ବିପ୍ଳବ ଅର୍ଥାତ ଡାଏରୀ ସହିତ ଜଡ଼ିତ କାର୍ଯ୍ୟ, ମଧୁ ବିପ୍ଳବ ଅର୍ଥାତ ମହୁ ଉତ୍ପାଦନ ସହିତ ଜଡ଼ିତ କାର୍ଯ୍ୟ, ଆମର ଗାଁକୁ ଆହୁରି ଅଧିକ ସମୃଦ୍ଧ ଏବଂ ସଶକ୍ତ କରିବ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି କରାଯାଇଛି । ଆଜି ଦେଶର 21ଟି ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ କରାଯାଉଛି । ଆଗାମୀ 4-5 ବର୍ଷରେ ଏଥିପାଇଁ 20 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ । ଏଥିମଧ୍ୟରୁ ଆଜି 1700 କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହେଉଛି । ଏହା ମାଧ୍ୟମରେ ବିହାରର ପାଟଣା, ପୂର୍ଣ୍ଣିୟା, ସୀତାମାଢ଼ୀ, ମାଧେପୁରା, କିଷାନଗଞ୍ଜ ଏବଂ ସମସ୍ତିପୁରରେ ଅନେକଗୁଡ଼ିଏ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏହା ଫଳରେ ମତ୍ସ୍ୟ ଉତ୍ପାଦକମାନଙ୍କୁ ନୂତନ ଭିତ୍ତିଭୂମି ମିଳିପାରିବ, ଆଧୁନିକ ଉପକରଣ ମିଳିବ, ନୂତନ ବଜାର ମଧ୍ୟ ମିଳିବ । ଏହାଦ୍ୱାରା ଚାଷବାସ ସହିତ ହିଁ ଅନ୍ୟାନ୍ୟ ମାଧ୍ୟମରୁ ମଧ୍ୟ ରୋଜଗାରର ସୁଯୋଗ ବଢ଼ିବ ।

ସାଥୀଗଣ, ଦେଶର ପ୍ରତ୍ୟେକ ଅଂଚଳରେ, ବିଶେଷ ଭାବେ ସମୁଦ୍ର ଏବଂ ନଦୀ କୂଳରେ ବସତି ସ୍ଥାପନ କରିଥିବା ଅଂଚଳରେ ମତ୍ସ୍ୟର ବ୍ୟବସାୟ-କାରବାରକୁ, ଧ୍ୟାନରେ ରଖି, ପ୍ରଥମ ଥର ପାଇଁ ଦେଶରେ ଏତେ ବଡ଼ ଯୋଜନା ବ୍ୟାପକ ରୂପେ ପ୍ରସ୍ତୁତ କରାଯାଇଛି । ସ୍ୱାଧୀନତା ପରେ ଏହା ଉପରେ ଯେତିକି ନିବେଶ ହୋଇଛି, ସେଥିରୁ ମଧ୍ୟ କେତେ ଗୁଣ ଅଧିକ ନିବେଶ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ କରାଯାଉଛି । ଏବେ ଯେତେବେଳେ ଗିରିରାଜ ମହାଶୟ କହୁଥିଲେ, ତେବେ ବୋଧହୁଏ ଏହିସବୁ ପରିସଂଖ୍ୟାନକୁ ଶୁଣି କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଏପରି ଚାଲିଥିଲା କିନ୍ତୁ ଯେତେବେଳେ ଆପଣ ପ୍ରକୃତ କଥାକୁ ଜାଣିବେ ତ ଆପଣଙ୍କୁ ଲାଗିବ କି ଏହି ସରକାର କେତେ-କେତେ କ୍ଷେତ୍ରରେ କେତେ-କେତେ ଲୋକଙ୍କର ମଙ୍ଗଳ ପାଇଁ କେଉଁ ପ୍ରକାରର ଦୀର୍ଘକାଳୀନ କାର୍ଯ୍ୟସବୁର ଯୋଜନାଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି ।

ଦେଶରେ ମାଛ ବ୍ୟବସାୟ-କାରବାରକୁ ଦେଖିବା ପାଇଁ ଏବେ ସ୍ୱତନ୍ତ୍ର ମନ୍ତ୍ରଣାଳୟ ମଧ୍ୟ ଗଠନ କରାଯାଇଛି । ଏହାଦ୍ୱାରା ମଧ୍ୟ ଆମର ମତ୍ସ୍ୟଜୀବୀ ସାଥୀମାନଙ୍କୁ, ମତ୍ସ୍ୟପାଳନ ଏବଂ ବ୍ୟବସାୟ ସହିତ ଜଡ଼ିତ ସାଥୀମାନଙ୍କୁ ସୁବିଧା ହେଉଛି । ଏହା ମଧ୍ୟ ଲକ୍ଷ୍ୟ ରହିଛି କି ଆଗାମୀ 3-4 ବର୍ଷରେ ମତ୍ସ୍ୟ ରପ୍ତାନୀକୁ ଦୁଇଗୁଣା କରାଯିବ । ଏହା ଫଳରେ କେବଳ ମତ୍ସ୍ୟବିଭାଗ କ୍ଷେତ୍ରରେ ହିଁ ରୋଜଗାରର ଲକ୍ଷ-ଲକ୍ଷ ନୂତନ ସୁଯୋଗ ସୃଷ୍ଟି ହେବ । ଏବେ ମୁଁ ଯେଉଁ ସାଥୀମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲି, ସେମାନଙ୍କ ସହିତ ବାର୍ତ୍ତାଳାପ କରି ତ ମୋର ବିଶ୍ୱାସ ଆହୁରି ଅଧିକ ବଢ଼ିଯାଇଛି । ଯେତେବେଳେ ମୁଁ ରାଜ୍ୟଗୁଡ଼ିକର ବିଶ୍ୱାସ ଦେଖିଲି ଆଉ ମୁଁ ଭାଇ ବ୍ରଜେଶ ମହାଶୟଙ୍କ ସହିତ କଥା ହେଲି, ଭାଇ ଜ୍ୟୋତି ମଣ୍ଡଳଙ୍କ ସହିତ କଥା ହେଲି ଆଉ ଝିଅ ମୋନିକାଙ୍କ ସହିତ କଥା ହେଲି, ଦେଖନ୍ତୁ କେତେ ପରିମାଣରେ ବିଶ୍ୱାସ ପ୍ରତିଫଳିତ ହେଉଛି ।

ସାଥୀଗଣ, ମତ୍ସ୍ୟପାଳନ ଅଧିକାଂଶ ଭାବେ ପରିସ୍କାର ଜଳର ଉପଲବ୍ଧତା ଉପରେ ନିର୍ଭର କରିଥାଏ । ଏହି କାର୍ଯ୍ୟରେ ଗଙ୍ଗା ମାତାଙ୍କୁ ସ୍ୱଚ୍ଛ ଏବଂ ନିର୍ମଳ କରିବାର ମିଶନ ଦ୍ୱାରା ମଧ୍ୟ କିଛି ସାହାଯ୍ୟ ମିଳି ପାରୁଛି । ଗଙ୍ଗାଜୀଙ୍କ ଆଖପାଖରେ ରହିଥିବା ଅଂଚଳଗୁଡ଼ିକରେ ନଦୀରେ ପରିବହନକୁ ନେଇ ଯେଉଁ କାର୍ଯ୍ୟ ଚାଲୁ ରହିଛି, ତାହାର ଲାଭ ମଧ୍ୟ ମତ୍ସ୍ୟପାଳନ କ୍ଷେତ୍ରକୁ ଯେ ମିଳିବ ଏହା ସୁନିଶ୍ଚିତ । ଏହି 15 ଅଗଷ୍ଟରେ ଯେଉଁ ମିଶନ ଡଲଫିନର ଘୋଷଣା କରାଯାଇଛି, ତାହା ମଧ୍ୟ ମତ୍ସ୍ୟସମ୍ପଦ କ୍ଷେତ୍ରରେ ନିଜର ପ୍ରଭାବ ସ୍ୱାଭାବିକ, ଅର୍ଥାତ ଗୋଟିଏ ପ୍ରକାରରେ ବାୟୋପ୍ରଡକ୍ଟକୁ ସାହାଯ୍ୟ, ଅତିରିକ୍ତ ଲାଭ ହିଁ ହେବାକୁ ଯାଉଛି । ମୋତେ ଜଣାଅଛି କି ଆମର ନୀତିଶ ବାବୁ ମହାଶୟ ଏହି ମିଶନ ପାଇଁ ଟିକେ ଅଧିକ ଉତ୍ସାହିତ ଅଛନ୍ତି । ଆଉ ଏଥିପାଇଁ ମୋର ଦୃଢ଼ ବିଶ୍ୱାସ ରହିଛି କି ଯେତେବେଳେ ଗଙ୍ଗାରେ ଡଲଫିନର ସଂଖ୍ୟା ବୃଦ୍ଧି ହେବ, ତେବେ ଏହାର ଲାଭ ଗଙ୍ଗା କୂଳରେ ରହୁଥିବା ଲୋକମାନଙ୍କୁ ହିଁ ମିଳିବ, ସମସ୍ତଙ୍କୁ ମଧ୍ୟ ମିଳିବ ।

ସାଥୀଗଣ, ନୀତିଶ ମହାଶୟଙ୍କ ନେତୃତ୍ୱରେ ବିହାରରେ ପ୍ରତ୍ୟେକଟି ଗାଁକୁ ପାଣି ପହଂଚାଇବା ପାଇଁ ବହୁତ ପ୍ରଶଂସନୀୟ କାର୍ଯ୍ୟ ହେଉଛି । 4-5 ବର୍ଷ ପୂର୍ବେ ବିହାରରେ କେବଳ 2 ପ୍ରତିଶତ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସହିତ ଯୋଡ଼ିଥିଲେ । ଆଜି ଏହି ପରିସଂଖ୍ୟାନ ବୃଦ୍ଧି ହୋଇ 70 ପ୍ରତିଶତରୁ ଅଧିକ ହୋଇଯାଇଛି । ଏହି ସମୟ ମଧ୍ୟରେ ପ୍ରାୟ-ପ୍ରାୟ ଦେଢ଼ କୋଟି ଘରକୁ ଜଳ ଯୋଗାଣ ସହିତ ଯୋଡ଼ାଯାଇଛି । ନୀତିଶ ମହାଶୟଙ୍କର ଏହି ଅଭିଯାନକୁ ଏବେ ଜଳ ଜୀବନ ମିଶନ ଦ୍ୱାରା ନୂତନ ଶକ୍ତି ମିଳିଛି । ମୋତେ ଅବଗତ କରାଯାଇଛି ଯେ, କରୋନାର ଏହି ସମୟ ଭିତରେ ମଧ୍ୟ ବିହାରରେ ପ୍ରାୟ 60 ଲକ୍ଷ ଘରିକୁ ପାଇପ୍ ଦ୍ୱାରା ଜଳ ମିଳିବା ସୁନିଶ୍ଚିତ କରାଯାଇଛି । ଏହା ହେଉଛି ପ୍ରକୃତରେ ଏକ ବହୁତ ବଡ଼ ଉପଲବ୍ଧି । ଏହା ହେଉଛି ଏହି କଥାର ମଧ୍ୟ ଏକ ଉଦାହରଣ ଯେ, ଏହି ସଙ୍କଟର ସମୟରେ ଯେତେବେଳେ ଦେଶରେ ପ୍ରାୟତଃ ସବୁକିଛି ସ୍ତବ୍ଧ ହୋଇଯାଇଥିଲା, ସେତେବେଳେ ମଧ୍ୟ ଆମ ଗାଁଗୁଡ଼ିକରେ କିପରି ଭାବେ ଏକ ଆତ୍ମବିଶ୍ୱାସର ସହିତ କାର୍ଯ୍ୟ ଚାଲୁ ରହିଥିଲା । ଏହା ହେଉଛି ଆମ ଗାଁଗୁଡ଼ିକର ଶକ୍ତିର ପରିଚୟ ଯେ କରୋନା ପରିସ୍ଥିତି ସତ୍ୱେ ମଧ୍ୟ ଶସ୍ୟ, ଫଳ, ପନିପରିବା, ଦୁଗ୍ଧ, ଯାହା ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଥିଲା, ମଣ୍ଡି ପର୍ଯ୍ୟନ୍ତ, ଡାଏରୀ ପର୍ଯ୍ୟନ୍ତ କୌଣସିରେ ଊଣା ହୋଇ ନାହିଁ, ଲୋକମାନଙ୍କ ପାଖରେ ହିଁ ଯାଇ ପହଂଚିଛି ।

ସାଥୀଗଣ, ଏହି ସମୟ ମଧ୍ୟରେ ଖାଦ୍ୟ ଉତ୍ପାଦନ ହେଉ, ଫଳ ଉତ୍ପାଦନ ହେଉ, ଦୁଗ୍ଧ ଉତ୍ପାଦନ ହେଉ, ପ୍ରତ୍ୟେକ ପ୍ରକାରରେ ପ୍ରଚୁର ଉତ୍ପାଦନ ହୋଇଛି । କେବଳ ସରକାର ନୁହେଁ, ଡାଏରୀ ଉଦ୍ୟୋଗ ମଧ୍ୟ ଏହି ଜଟିଳ ପରିସ୍ଥିତି ପରେ ମଧ୍ୟ ରେକର୍ଡ ପରିମାଣରେ କ୍ରୟ କରି ଦେଖାଇଛନ୍ତି । ପିଏମ୍ କିଷାନ ସମ୍ମାନ ନିଧି ଦ୍ୱାରା ମଧ୍ୟ ଦେଶର 10 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ଭାବେ ଅର୍ଥ ପହଂଚି ପାରିଛି । ଏଥିମଧ୍ୟରୁ ପ୍ରାୟ 75 ଲକ୍ଷ କୃଷକ ହେଉଛନ୍ତି ଆମ ବିହାରର ମଧ୍ୟ । ସାଥୀଗଣ, ଯେବେଠାରୁ ଏହି ଯୋଜନା ଆରମ୍ଭ ହୋଇଛି, ସେବେଠାରୁ ଏ ପର୍ଯ୍ୟନ୍ତ ପ୍ରାୟ 6 ହଜାର କୋଟି ଟଙ୍କା ବିହାରର କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ସାରିଛି । ଏହିଭଳି ଅନେକ ଗୁଡ଼ିଏ ପ୍ରୟାସ କାରଣରୁ ଗାଁ ଉପରେ ଏହି ବୈଶ୍ୱିକ ମହାମାରୀର ପ୍ରଭାବକୁ ଆମେ କମ୍ ରୁ ଅତି କମ୍ ପରିମାଣରେ ରଖିବାରେ ସଫଳ ହୋଇଛେ । ଏହି କାର୍ଯ୍ୟ ହେଉଛି ଏଥିପାଇଁ ମଧ୍ୟ ପ୍ରଶଂସନୀୟ କାରଣ ବିହାର କରୋନା ସହିତ ମଧ୍ୟ ବନ୍ୟା ବିଭୀଷିକାର ମଧ୍ୟ ସାହସର ସହିତ ମୁକାବିଲା କରୁଛି ।

ସାଥୀଗଣ, କରୋନା ସହିତ ପ୍ରବଳ ବର୍ଷ ଏବଂ ବନ୍ୟା କାରଣରୁ ବିହାର ସମେତ ଆଖପାଖର ଅଂଚଳରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସହିତ ଆମେ ଭଲ ଭାବେ ପରିଚିତ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର, ଦୁହିଁଙ୍କର ଏହା ପ୍ରୟାସ ହେଉଛି କି ସୁରକ୍ଷାର କାର୍ଯ୍ୟଗୁଡ଼ିକୁ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉ । ଏହି କଥା ଉପରେ ଦୃଢ଼ତାର ସହିତ ଗୁରୁତ୍ୱ ଦିଆଯାଉଛି ଯେ ମାଗଣା ରାସନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଲାଭ ବିହାରର ପ୍ରତ୍ୟେକଟି ଅଭାବୀ ଲୋକଙ୍କ ପାଖରେ ପହଂଚୁ, ବାହାରୁ ଗାଁକୁ ଫେରି ଆସିଥିବା ପ୍ରତ୍ୟେକ ଶ୍ରମିକ ପରିବାର ପାଖରେ ପହଂଚୁ । ଏଥିପାଇଁ ହିଁ, ମାଗଣା ରାସନ ଯୋଜନାକୁ ଜୁନ୍ ପରେ ଦୀପାବଳୀ ଏବଂ ଛଠ୍ ପୂଜା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ସାଥୀଗଣ, କରୋନା ସଙ୍କଟ କାରଣରୁ ସହରରୁ ଫେରି ଆସିଥିବା ଯେଉଁ ଶ୍ରମିକ ସାଥୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଥୀ ପଶୁପାଳନ ଆଡ଼କୁ ବଢ଼ୁଛନ୍ତି । କେନ୍ଦ୍ର ସରକାର ଏବଂ ବିହାର ସରକାରଙ୍କର ଅନେକ ଯୋଜନା ଫଳରେ ସେମାନଙ୍କୁ ପ୍ରୋତ୍ସାହନ ମଧ୍ୟ ମିଳୁଛି । ମୁଁ ଏଭଳି ସାଥୀମାନଙ୍କୁ କହିବି ଯେ ଆଜି ଆପଣମାନେ ଯେଉଁ ପଦକ୍ଷେପ ଉଠାଉଛନ୍ତି, ତାହାର ଭବିଷ୍ୟତ ହେଉଛି ଉଜ୍ଜ୍ୱଳ । ମୋର ଶବ୍ଦଗୁଡ଼ିକୁ ଲେଖି ରଖନ୍ତୁ, ଆପଣମାନେ ଯାହା କରୁଛନ୍ତି ତାହାର ଭବିଷ୍ୟତ ହେଉଛି ଉଜ୍ଜ୍ୱଳ । ସରକାରଙ୍କର ଏହା ନିରନ୍ତର ପ୍ରୟାସ ରହିଛି କି ଦେଶର ଡାଏରୀ ସେକ୍ଟର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ସମ୍ପ୍ରସାରଣ ହେଉ । ନୂତନ ପ୍ରକଳ୍ପ ନିର୍ମାଣ ହେଉ, ନୂତନ ନବସୃଜନ ହେଉ, ଯାହା ଫଳରେ କୃଷକଙ୍କୁ, ପଶୁପାଳକଙ୍କୁ ଅଧିକ ଆୟ ମିଳୁ । ଏହା ସହିତ ଏହି କଥା ଉପରେ ମଧ୍ୟ ଦୃଷ୍ଟି ଦିଆଯାଉ ଯେ, ଦେଶରେ ହିଁ ଉତ୍ତମ ପ୍ରଜାତିର ପଶୁ ସୃଷ୍ଟି ହୁଅନ୍ତୁ, ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତ ବ୍ୟବସ୍ଥା ହେଉ ଆଉ ତାଙ୍କର ଖାଦ୍ୟପେୟ ସ୍ୱଚ୍ଛ ହେଉ, ପୋଷକଯୁକ୍ତ ହେଉ ।

ଏହି ଲକ୍ଷ୍ୟ ସହିତ ଆଜି ଦେଶର 50 କୋଟିରୁ ଅଧିକ ପଶୁଧନଙ୍କୁ ପାଦଜନିତ ଏବଂ ମୁଖଜନିତ ବିଭିନ୍ନ ରୋଗରୁ ମୁକ୍ତ କରିବା ପାଇଁ ମାଗଣା ଟୀକାକରଣ ଅଭିଯାନ ଚାଲୁ ରହିଛି । ପଶୁମାନଙ୍କୁ ଉନ୍ନତ ଚାରା ପାଇଁ ମଧ୍ୟ ଭିନ୍ନ-ଭିନ୍ନ ଯୋଜନା ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଦେଶରେ ଉନ୍ନତ ଦେଶୀ ପ୍ରଜାତିର ବିକାଶ ପାଇଁ ମିଶନ ଗୋକୁଲ ଚାଲୁ ରହିଛି । ଏକ ବର୍ଷ ପୂର୍ବେ ହିଁ ସମଗ୍ର ଦେଶରେ କୃତ୍ରିମ ପ୍ରଜନନର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯାହାର ପ୍ରଥମ ପର୍ଯ୍ୟାୟ ଆଜି ସମ୍ପର୍ଣ୍ଣ ହୋଇଛି ।

ସାଥୀଗଣ, ବିହାର ଏବେ ଉତମ ଦେଶୀ ପ୍ରଜାତିର ବିକାଶକୁ ନେଇ ଦେଶର ଏକ ପ୍ରମୁଖ କେନ୍ଦ୍ର ପାଲଟୁଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ଆଜି ପୂର୍ଣ୍ଣିୟା, ପାଟନା, ବରୌନୀରେ ଯେଉଁ ଆଧୁନିକ ସୁବିଧା ସୃଷ୍ଟି ହୋଇଛି, ସେଥିରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିହାରର ସ୍ଥିତି ଅଧିକ ସୁଦୃଢ଼ ହେବାକୁ ଯାଉଛି । ପୂର୍ଣ୍ଣିୟାରେ ଯେଉଁ କେନ୍ଦ୍ର ପ୍ରତିଷ୍ଠା ହୋଇଛି, ତାହା ହେଉଛି ଭାରତର ସବୁଠାରୁ ବଡ଼ କେନ୍ଦ୍ର ମଧ୍ୟରୁ ଗୋଟିଏ । ଏହାଦ୍ୱାରା କେବଳ ବିହାର ହିଁ ନୁହେଁ, ପୂର୍ବ ଭାରତର ବୃହତ ଅଂଶକୁ ବହୁତ ଲାଭ ହେବ । ଏହି କେନ୍ଦ୍ରରୁ ‘ବଚ୍ଛୋର’ ଏବଂ ‘ରେଡ଼୍ ପୂର୍ଣ୍ଣିୟା’ ଭଳି ବିହାରର ଦେଶୀ ପ୍ରଜାତିର ବିକାଶ ଏବଂ ସଂରକ୍ଷଣକୁ ଆହୁରି ଅଧିକ ପ୍ରୋତ୍ସାହନ ମିଳିବ ।

ସାଥୀଗଣ,

ଗୋଟିଏ ଗାଈ ସାଧାରଣତଃ ଗୋଟିଏ ବର୍ଷରେ ଗୋଟିଏ ଛୁଆ ଜନ୍ମ କରିଥାଏ । କିନ୍ତୁ ଆଇ.ବି.ଏଫ୍. ଟେକ୍ନୋଲୋଜି ଦ୍ୱାରା ଗୋଟିଏ ଗାଈ ସହାୟତାରେ ଏକ ବର୍ଷରେ ଅନେକ ଛୁଆ ପ୍ରୟୋଗଶାଳାରେ ଜନ୍ମ ହୋଇଥାଆନ୍ତି । ଆମର ଲକ୍ଷ୍ୟ ଏହି ଟେକ୍ନୋଲୋଜିକୁ ଗାଁ-ଗାଁ ପର୍ଯ୍ୟନ୍ତ ପହଂଚାଇବା ।

ସାଥୀଗଣ,

ପ୍ରାଣୀମାନଙ୍କର ଉନ୍ନତ ପ୍ରଜାତିଙ୍କ  ସହିତ ହିଁ ସେମାନଙ୍କର ରକ୍ଷାଣାବେକ୍ଷଣ ଏବଂ ସେମାନଙ୍କୁ ନେଇ ସଠିକ୍ ବୈଜ୍ଞାନିକ ସୂଚନା ମଧ୍ୟ ଜରୁରୀ ହୋଇଥାଏ । ଏଥିପାଇଁ ମଧ୍ୟ ବିଗତ ବର୍ଷଠାରୁ ନିରନ୍ତର ଟେକ୍ନୋଲୋଜିର ଉପଯୋଗ କରାଯାଉଛି । ଏହି ଶୃଙ୍ଖଳରେ ଆଜି “ଇ-ଗୋପାଳ” ଆପ୍ପ ଆରମ୍ଭ କରାଯାଇଛି । ଏହି ଇ-ଗୋପାଳ ଆପ୍ପ ଏକ ଏଭଳି ଅନଲାଇନ ଡିଜିଟାଲ ମାଧ୍ୟମ ହେବ ଯାହାଦ୍ୱାରା ପଶୁପାଳକଙ୍କୁ ଉନ୍ନତ ପଶୁଧନ ବାଛିବା ସହଜ ହେବ, ସେମାନଙ୍କୁ ମଧ୍ୟସ୍ଥିଙ୍କ କବଳରୁ ମୁକ୍ତି ମିଳିବ । ଏହି ଆପ୍ପ ପଶୁପାଳକଙ୍କୁ ଉତ୍ପାଦକତାଠାରୁ ନେଇ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଆହାର ସହିତ ଜଡିତ ସମସ୍ତ ସୂଚନା ଦେବ । ଏହାଦ୍ୱାରା କୃଷକମାନଙ୍କୁ ଏହା ଜଣାପଡିବ ଯେ, ସେମାନଙ୍କ ପଶୁକୁ କେତେବେଳେ କ’ଣ ଆବଶ୍ୟକତା ରହିଛି ଆଉ ଯଦି ସେ ରୋଗଗ୍ରସ୍ତ ଅଛି ତେବେ ସେଥିପାଇଁ ସୁଲଭ ଚିକିତ୍ସା କେଉଁଠାରେ ଉପଲବ୍ଧ ହେଉଛି । ଅର୍ଥାତ ଏହି ଆପ୍ପକୁ ପଶୁ ଆଧାରରେ ମଧ୍ୟ ଯୋଡା ଯାଉଛି । ଯେତେବେଳେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତେବେ ଇ-ଗୋପାଳ ଆପ୍ପରେ ପଶୁ ଆଧାର ନମ୍ବର ଯୋଡିବା ଦ୍ୱାରା ସେହି ପଶୁ ସହିତ ଜଡିତ ସମସ୍ତ ସୂଚନା ସହଜରେ ମିଳିଯିବ । ଏହାଦ୍ୱାରା ପଶୁପାଳକଙ୍କୁ ପ୍ରାଣୀ ଖରିଦ-ବିକ୍ରି କରିବା ମଧ୍ୟ ସେତେ ସହଜ ହେବ ।

ସାଥୀଗଣ, କୃଷି ହେଉ, ପଶୁପାଳନ ହେଉ, ମାଛଚାଷ ହେଉ, ଏହି ସବୁର ବିକାଶ ଦ୍ରୁତ ଗତିରେ ହେଉ, ଏଥିପାଇଁ ବୈଜ୍ଞାନିକ ପଦ୍ଧତି ଓ କୌଶଳକୁ ଆପେଣେଇବା ଏବଂ ଗାଁରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରିବାର ବହୁତ ଆବଶ୍ୟକତା ରହିଛି । ଏମିତିରେ ବିହାର, ମଧ୍ୟ କୃଷି ସହିତ ଜଡ଼ିତ ଅଧ୍ୟୟନ ଏବଂ ଗବେଷଣାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ରହିଛି । ଦିଲ୍ଲୀରେ ଆମେ ଏଠାରେ ପୁସା-ପୁସା ଶୁଣି ଚାଲିଛୁ । ତେବେ ବହୁତ କମ୍ ଲୋକଙ୍କୁ ଜଣାଅଛି କି ପ୍ରକୃତ ପୁସା ଦିଲ୍ଲୀରେ ନୁହେଁ, ବରଂ ବିହାରର ସମସ୍ତିପୁରରେ ଅଛି । ଏଠାକାର ଲୋକ ତ ଗୋଟିଏ ପ୍ରକାରରେ ହେଉଛନ୍ତି ସେମାନଙ୍କର ଯାଁଆଳା ଭାଇ ।

ସାଥୀଗଣ, ପରାଧୀନତା ସମୟରୁ ହିଁ ସମସ୍ତିପୁରର ପୁସାରେ ରାଷ୍ଟ୍ରୀୟ ସ୍ତରର କୃଷି ଗବେଷଣା କେନ୍ଦ୍ର ଖୋଲିଥିଲା । ସ୍ୱାଧୀନତା ପରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ଜନନାୟକ କର୍ପୂରୀ ଠାକୁରଙ୍କ ଭଳି ଦୂର ଦୃଷ୍ଟିସମ୍ପନ୍ନ ରାଜନେତା ଏହି ପରମ୍ପରାକୁ ଆଗକୁ ବଢ଼ାଇଥିଲେ । ସେମାନଙ୍କର ପ୍ରୟାସରୁ ପ୍ରେରଣା ନେଇ 2016ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା । ଏହାପରେ ଏହି ବିଶ୍ୱବିଦ୍ୟାଳୟରେ ଏବଂ ଏହା ଅଧୀନରେ ପରିଚାଳିତ ମହାବିଦ୍ୟାଳୟରେ ମଧ୍ୟ ପାଠ୍ୟକ୍ରମକୁ ଏବଂ ସୁବିଧା ସୁଯୋଗର ମଧ୍ୟ ବ୍ୟାପକ ସମ୍ପ୍ରସାରଣ କରାଯାଇଛି । ମୋତିହାରୀରେ କୃଷି ଏବଂ ବନ ବିଜ୍ଞାନର ନୂତନ ମହାବିଦ୍ୟାଳୟ ହେଉ, ପୁସାରେ କୃଷି ଏବଂ ଗ୍ରାମ୍ୟ ପରିଚାଳନା ବିଦ୍ୟାଳୟ ହେଉ, ବିହାରରେ କୃଷି ବିଜ୍ଞାନ ଏବଂ କୃଷି ପରିଚାଳନାର ପାଠ୍ୟକ୍ରମ ପାଇଁ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି । ଏହି କାର୍ଯ୍ୟକୁ ଆହୁରି ଆଗକୁ ବୃଦ୍ଧି କରି କୃଷି ବ୍ୟବସାୟ ଏବଂ ଗ୍ରାମ୍ୟପରିଚାଳନା ବିଦ୍ୟାଳୟର ନୂତନ ଭବନର ଉଦ୍ଘାଟନ ହୋଇଛି । ଏହା ସହିତ ନୂତନ ଛାତ୍ରାବାସ, ଷ୍ଟାଡିୟମ ଏବଂ ଗେଷ୍ଟ ହାଉସର ମଧ୍ୟ ଶିଳାନ୍ୟାସ କରାଯାଇଛି ।

ସାଥୀଗଣ, କୃଷି କ୍ଷେତ୍ରରେ ଆଧୁନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ବିଗତ 5-6 ବର୍ଷରେ ଦେଶରେ ଏକ ବଡ଼ ଅଭିଯାନ ଚାଲୁ ରହିଛି । 6 ବର୍ଷ ପୂର୍ବେ ଯେତେବେଳେ ଦେଶରେ କେବଳ ଗୋଟିଏ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଥିଲା, ଆଜି ସେଠାରେ ଦେଶରେ 3-3ଟି  କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ରହିଛି । ଏଠାରେ ବିହାରରେ ପ୍ରତିବର୍ଷ ଯେଉଁ ବନ୍ୟା ଆସୁଛି, ସେଥିରୁ ଚାଷ-କୃଷକମାନଙ୍କୁ କିପରି ରକ୍ଷା କରାଯିବ, ଏଥିପାଇଁ ମହାତ୍ମାଗାନ୍ଧୀ ଗବେଷଣା କେନ୍ଦ୍ରର ମଧ୍ୟ ନିର୍ମାଣ କରାଯାଇଛି । ଏମିତିରେ ମଧ୍ୟ ମୋତିପୁରରେ ମତ୍ସ୍ୟ ଚାଷ ସହିତ ଜଡ଼ିତ ଆଂଚଳିକ ଗବେଷଣା ଏବଂ ପ୍ରଶିକ୍ଷଣ କେନ୍ଦ୍ର, ମୋତିହାରୀରେ ପଶୁପାଳନ ସହିତ ଜଡ଼ିତ କୃଷି ଏବଂ ଦୁଗ୍ଧ ଉନ୍ନୟନ କେନ୍ଦ୍ର, ଏଭଳି ଅନେକ ସଂସ୍ଥାନ କୃଷିକୁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ସହିତ ସାମିଲ କରିବା ପାଇଁ ଆରମ୍ଭ କରାଯାଇଛି ।

ସାଥୀଗଣ, ଏବେ ଭାରତ ସେହି ସ୍ଥିତିଆଡ଼କୁ ଅଗ୍ରସର ହେଉଛି ଯେତେବେଳେ ଗାଁ ପାଖରେ ହିଁ ଏଭଳି କ୍ଲଷ୍ଟର ନିର୍ମାଣ ହେବ, ଯେଉଁଠାରେ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡ଼ିତ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା ହେବ ଏବଂ ପାଖରେ ତା’ସହିତ ଜଡ଼ିତ ଗବେଷଣା କେନ୍ଦ୍ର ମଧ୍ୟ ରହିବ । ଅର୍ଥାତ ଗୋଟିଏ ପଟରେ ଆମେ କହି ପାରିବା- ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ । ଏହି ତିନୋଟିର ଶକ୍ତି ଯେତେବେଳେ ଏକାଠି ହୋଇ କାର୍ଯ୍ୟ କରିବ, ସେତେବେଳେ ଦେଶର ଗ୍ରାମୀଣ ଜୀବନରେ ବହୁତ ବଡ଼ ପରିବର୍ତନ ହେବା ଥୟ । ବିହାରରେ ଏଥିପାଇଁ ବହୁତ ସମ୍ଭାବନା ରହିଛି । ଏଠାକାର ଫଳ, ସେ ଲିଚୁ ହେଉ, ଜର୍ଦ୍ଦାଳୁ ଆମ୍ବ ହେଉ, ଅଁଳା ହେଉ, ଲହୁଣୀ ହେଉ, ଅବା ପୁଣି ମଧୁବନୀ ପେଂଟିଙ୍ଗସ୍ ହେଉ, ଏଭଳି ଅନେକ ଉତ୍ପାଦ ବିହାରର ପ୍ରତିଟି ଜିଲ୍ଲାରେ ରହିଛି । ଆମକୁ ଏହି ସ୍ଥାନୀୟ ଉତ୍ପାଦ ପାଇଁ ଆହୁରି ଅଧିକ ଭୋକାଲ ହେବାକୁ ପଡ଼ିବ । ଆମେ ଲୋକାଲ ପାଇଁ ଯେତେ ଭୋକାଲ ହେବା, ବିହାର ସେତିକି ଆତ୍ମନିର୍ଭର ପାଲଟିବ, ଦେଶ ମଧ୍ୟ ସେତିକି ଆତ୍ମନିର୍ଭର ହେବ ।

ସାଥୀଗଣ, ମୁଁ ଆନନ୍ଦିତ ଯେ ବିହାରର ଯୁବକ ବିଶେଷ କରି ଆମର ଭଉଣୀମାନେ ପ୍ରଥମରୁ ହିଁ ଏଥିରେ ପ୍ରଶଂସନୀୟ ଯୋଗଦାନ ଦେଉଛନ୍ତି । ଶ୍ରୀବିଧି ଧାନ ଚାଷ ହେଉ, ଲିଜ ସୂତ୍ରରେ ଜମି ନେଇ ପନିପରିବା ଫସଲ ଚାଷ ହେଉ, ଆଜୋଲା ସହିତ ଅନ୍ୟାନ୍ୟ ଜୈବିକ ଖତର ଉପଯୋଗ ହେଉ, କୃଷି ଯନ୍ତ୍ରପାତି ସହିତ ଜଡ଼ିତ କୃଷି ସେବା କେନ୍ଦ୍ର ହେଉ, ବିହାରର ସ୍ତ୍ରୀ ଶକ୍ତି ମଧ୍ୟ ଆତ୍ମନିର୍ଭର ଭାରତ ଅଭିଯାନକୁ ଶକ୍ତି ଦେବାରେ ଆଗରେ ଅଛନ୍ତି । ପୂର୍ଣ୍ଣିୟା ଜିଲ୍ଲାରେ ମକାର ବ୍ୟବସାୟ ସହିତ ‘ଅରଣ୍ୟକ ଏଫପିଓ’ ଏବଂ କୋସି ଅଂଚଳରେ ମହିଳା ଦୁଗ୍ଧ ଚାଷୀଙ୍କ ‘କୌଶୀକି ମିଲ୍କ ପ୍ରଡ୍ୟୁସର କମ୍ପାନୀ’, ଭଳି ଅନେକ ଗୋଷ୍ଠୀ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଏବେ ତ ଆମର ଏଭଳି ଉତ୍ସାହୀ ଯୁବକମାନଙ୍କ ପାଇଁ, ଭଉଣୀମାନଙ୍କ ପାଇଁ କେନ୍ଦ୍ର ସରକାର ବିଶେଷ ପାଣ୍ଠି ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଲକ୍ଷ-ଲକ୍ଷ କୋଟି ଟଙ୍କାର ଏହି ଭିତ୍ତିଭୂମି ପାଣ୍ଠି ଦ୍ୱାରା ଏଭଳି ଏଫପିଓ-କୃଷି ଉତ୍ପାଦକ ସଂଘଗୁଡ଼ିକୁ, ସମବାୟ ଗୋଷ୍ଠୀଙ୍କୁ ଗାଁରେ ଭଣ୍ଡାରଣ, ଶୀତଳଭଣ୍ଡାର ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ଆର୍ଥିକ ସହାୟତା ସହଜରେ ମିଳିପାରିବ । କେବଳ ଏତିକି ନୁହେଁ, ଆମର ଭଉଣୀମାନଙ୍କର ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, ସେମାନଙ୍କୁ ଏବେ ବହୁତ ସହାୟତା ଦିଆଯାଉଛି । ଆଜି ବିହାରରେ ସ୍ଥିତି ଏଭଳି ହୋଇଛି କି ବର୍ଷ 2013-14 ତୁଳନାରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିବା ଋଣରେ 32 ଗୁଣ ବୃଦ୍ଧି ହୋଇଛି । ଏହା ଦର୍ଶାଉଛି ଯେ ଦେଶକୁ, ବ୍ୟାଙ୍କଗୁଡ଼ିକୁ, ଆମ ଭଉଣୀମାନଙ୍କର ସାମର୍ଥ୍ୟ ଉପରେ ସେମାନଙ୍କର ଉଦ୍ୟମଶୀଳତା ଉପରେ କେତେ ଭରସା ଅଛି ।

ସାଥୀଗଣ, ବିହାରର ଗାଁଗୁଡ଼ିକୁ ଦେଶର ଗାଁଗୁଡ଼ିକୁ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର କରିବା ପାଇଁ ଆମର ପ୍ରୟାସ କ୍ରମାଗତ ଭାବେ ବୃଦ୍ଧି ହେବାକୁ ଯାଉଛି । ଏହି ପ୍ରୟାସରେ ବିହାରର ପରିଶ୍ରମୀ ସାଥୀମାନଙ୍କର ଭୂମିକା ମଧ୍ୟ ହେଉଛି ବହୁତ ବଡ଼ ଏବଂ ଆପଣମାନଙ୍କ ଉପରେ ଦେଶର ବହୁତ ବଡ଼ ଆଶା ରହିଛି । ବିହାରର ଲୋକ ଏବେ ଆତ୍ମନିର୍ଭର ବିହାରର ସ୍ୱପ୍ନକୁ ପୂରଣ କରିବା ପାଇଁ ମଧ୍ୟ ନିରନ୍ତର ଭାବେ ଏହିଭଳି କାର୍ଯ୍ୟ କରି ଚାଲିବେ । ବିକାଶ ଯୋଜନା ଗୁଡ଼ିକର ଶୁଭାରମ୍ଭ ପାଇଁ ମୁଁ ପୁଣି ଥରେ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି କିନ୍ତୁ ଆଉଥରେ ମୁଁ ନିଜର ଭାବନା ପ୍ରକଟ କରିବି, ମୁଁ ଆପଣମାନଙ୍କଠାରୁ କିଛି ଆଶା କରୁଛି, ତାହା କହିବି ଆଉ ମୋର ଆଶା ଏହା ଯେ ମାସ୍କ ଏବଂ ଦୁଇ ଗଜର ଦୂରତାର ନିୟମ ନିଶ୍ଚିତ ପାଳନ କରି ଚାଲନ୍ତୁ, ସୁରକ୍ଷିତ ରୁହନ୍ତୁ, ସୁସ୍ଥ ରୁହନ୍ତୁ ।

ନିଜ ଘରେ ଯେଉଁ ଅଧିକ ବୟସ୍କ ଲୋକ ଅଛନ୍ତି, ସେମାନଙ୍କୁ ବାରମ୍ବାର ସମ୍ଭାଳିକି ରଖନ୍ତୁ, ଏହା ହେଉଛି ବହୁତ ଆବଶ୍ୟକ । ପ୍ରତ୍ୟେକ ନାଗରିକ କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ, କାରଣ, ଆମ ପାଖରେ ବୈଜ୍ଞାନିକମାନଙ୍କ ଦ୍ୱାରା ଟୀକା ଯେତେବେଳେ ଆସିବ, ତେବେ ଆସୁ, କିନ୍ତୁ ଇଏ ଯେଉଁ ସ୍ୱତନ୍ତ୍ର ଟୀକା ଅଛି, ତାହା କରୋନାରୁ ବଂଚିବା ପାଇଁ ହେଉଛି ଉତ୍ତମ ଉପାୟ, ବଂଚିବାର ଏହା ହେଉଛି ରାସ୍ତା ଆଉ ଏଥିପାଇଁ ଦୁଇ ଗଜର ଦୂରତା, ମାସ୍କ, କେଉଁଠାରେ ଛେପ ପକାଇବା ନାହିଁ, ବୟସ୍କମାନଙ୍କର ଚିନ୍ତା କରିବା, ଏହି ବିଷୟକୁ ମୁଁ ବାରମ୍ବାର ସ୍ମରଣ କରାଉଛି । ଆଜି ଆପଣମାନଙ୍କ ଗହଣକୁ ଆସିଛି, ପୁଣିଥରେ ମନେ ପକାଇ ଦେଉଛି କି ମୋତେ ପୁଣିଥରେ ଆପଣଙ୍କ ଗହଣକୁ ଆସିବାର ସୁଯୋଗ ମିଳିଲା, ଏଥିପାଇଁ ମୁଁ ରାଜ୍ୟ ସରକାରଙ୍କର ବହୁତ-ବହୁତ, ଆମର ଗିରିରାଜ ମହାଶୟଙ୍କୁ, ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ବହୁତ-ବହୁତ ଧନ୍ୟବାଦ!!!  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived