‘‘ଗୋଆ ଲୋକଙ୍କ ସ୍ନେହ ତଥା ଆଶୀର୍ବାଦ ପ୍ରତିବଦଳରେ ଏହି ବିକଶିତ ବିମାନବନ୍ଦର ଟର୍ମିନାଲ ହେଉଛି ଏକ ପ୍ରଚେଷ୍ଟା’’
‘‘ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଜରିଆରେ ପାରିକର ଜୀ ସମସ୍ତ ଲୋକଙ୍କ ସ୍ମୃତିରେ ରହିବେ’’
‘‘ପୂର୍ବରୁ, ଯେଉଁ ସ୍ଥାନର ଭିତ୍ତିଭୂମି ବିକାଶ ଅତ୍ୟନ୍ତ ଜରୁରି ଥିଲା, ସେସବୁକୁ ଅଣଦେଖା କରାଯାଉଥିଲା’’
‘‘ପୂର୍ବ ୭୦ ବର୍ଷରେ ୭୦ଟି ବିମାନବନ୍ଦର ତୁଳନାରେ ବିଗତ ୮ ବର୍ଷରେ ୭୨ ନୂଆ ବିମାନବନ୍ଦର ନିର୍ମାଣ ହୋଇଛି’’
‘‘ବିଶ୍ୱର ତୃତୀୟ ସର୍ବବୃହତ୍ ବେସାମରିକ ବିମାନ ଚଳାଚଳ ବଜାର ହୋଇଛି ଭାରତ’’
‘‘ଏକବିଂଶ ଶତାବ୍ଦୀର ଭାରତ ହେଉଛି ନୂଆ ଭାରତ ଯାହା କି ବିଶ୍ୱ ଦରବାରରେ ଛାପ ଛାଡ଼ିଛି, ଏବଂ ଫଳସ୍ୱରୂପ ବିଶ୍ୱର ଦୃଷ୍ଟିକୋଣ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି’’
‘‘ଯାତ୍ରାକୁ ଅନୁକୂଳ କରିବା ଏବଂ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ ପାଇଁ ଉଦ୍ୟମ ଅବ୍ୟାହତ ରହିଛି’’
‘‘ଆଜି, ୧୦୦% ସନ୍ତୃପ୍ତି ମଡେଲର ଆଦର୍ଶ ଉଦାହରଣ ହୋଇପାରିଛି ଗୋଆ’’

ସମେସ୍ତ ଗୋୟକାର ଭାବ- ଭୟଣୀଂକ, ମାୟେ ମୌଗାଚୋ ନମସ୍କାର!

ଗୋୟାଁନ୍ତ ଯେବନ, ହ୍ମାକାଂ ସଦାଂଚ ଖୋସ ଭୌଗତା!

ମଞ୍ଚ ଉପରେ ଉପସ୍ଥିତ ଗୋଆର ରାଜ୍ୟପାଳ ପି.ଏସ ଶ୍ରୀଧରନ ପିଲ୍ଲାଇ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ମହାଶୟ, କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ ।

ଗୋଆର ଲୋକମାନଙ୍କୁ ଏବଂ ଦେଶର ଲୋକମାନଙ୍କୁ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭବ୍ୟ ବିମାନବନ୍ଦର ପାଇଁ ବହୁତ- ବହୁତ ଶୁଭେଚ୍ଛା । ବିଗତ 8 ବର୍ଷ ମଧ୍ୟରେ ଯେତେବେଳେ ମଧ୍ୟ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି, ସେତେବେଳେ ଗୋଟିଏ କଥା ମୁଁ ନିଶ୍ଚିତ ଭାବେ ଦୋହରାଇଛି । ଆପଣମାନେ ଯେଉଁ ଭଲ ପାଇବା, ଯେଉଁ ଆଶୀର୍ବାଦ ଆମକୁ ଦେଇଛନ୍ତି, ତାହାକୁ ମୁଁ ସୁଧ ସମେତ ଫେରାଇବି, ବିକାଶ କରି ଫେରାଇବି । ଏହି ଆଧୁନିକ ବିମାନବନ୍ଦର ଟର୍ମିନାଲ ସେହି ସ୍ନେହ ଓ ଭଲ ପାଇବାକୁ ଫେରାଇବାର ହେଉଛି ଏକ ପ୍ରୟାସ । ମୁଁ ଏହି କଥା ପାଇଁ ମଧ୍ୟ ଖୁସି ଯେ ଏହି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ମୋର ପ୍ରିୟ ସହଯୋଗୀ ଏବଂ ଗୋଆର ସୁପୁତ୍ର, ସ୍ୱର୍ଗୀୟ ମନୋହର ପାରିକର ମହାଶୟଙ୍କ ନାମରେ ରଖାଯାଇଛି । ଏବେ ମନୋହର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ମାଧ୍ୟମରେ ପାରିକର ମହାଶୟଙ୍କର ନାମ, ଏହି ବିମାନ ବନ୍ଦର ଦେଇ ଯାତାୟାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ମୃତିରେ ରହିବ ।

ସାଥୀଗଣ,

ଆମ ଦେଶରେ, ଭିତ୍ତିଭୂମିକୁ ନେଇ ଦଶକ- ଦଶକ ପର୍ଯ୍ୟନ୍ତ ଯେଉଁ ଅଭିବ୍ୟକ୍ତି ରହିଛି, ସେଥିରେ ସରକାରଙ୍କ ଦ୍ୱାରା ଲୋକମାନଙ୍କର ଆବଶ୍ୟକତା ଠାରୁ ଅଧିକ, ଭୋଟ- ବ୍ୟାଙ୍କକୁ ପ୍ରାଥମିକତା ଦିଆଯାଇଛି । ଏହି କାରଣରୁ ଅଧିକାଂଶ ସମୟରେ ଏଭଳି ପ୍ରକଳ୍ପଗୁଡ଼ିକ ଉପରେ ହଜାର- ହଜାର କୋଟି- କୋଟି ଟଙ୍କା ଖର୍ଚ୍ଚ କରାଗଲା, ଯେଉଁଗୁଡ଼ିକର କୌଣସି ନିଜସ୍ୱ ଆବଶ୍ୟକତା ହିଁ ନ ଥିଲା । ଆଉ ଏହି କାରଣରୁ, ଅଧିକାଂଶ ସମୟରେ ଯେଉଁଠାରେ ଭିତ୍ତିଭୂମି ଲୋକମାନଙ୍କ ପାଇଁ ଆବଶ୍ୟକ ହୋଇଥାଏ, ସେଗୁଡ଼ିକୁ ଅଣଦେଖା କରି ଦିଆଯାଉଥିଲା । ଗୋଆର ଏହି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର, ହେଉଛି ଏହାର ହିଁ ଏକ ଉଦାହରଣ । କେବଳ ଗୋଆବାସୀମାନଙ୍କର ହିଁ ନୁହେଁ ବରଂ ସମଗ୍ର ଦେଶବାସୀଙ୍କର ଏହା ଏକ ବହୁତ ପୁରୁଣା ଦାବି ରହି ଆସିଥିଲା ଯେ ଏଠାରେ ଗୋଟିଏ ବିମାନବନ୍ଦର ଦ୍ୱାରା କାମ ଚଳୁ ନାହିଁ, ଗୋଆକୁ ଦ୍ୱିତୀୟ ବିମାନବନ୍ଦର ଆବଶ୍ୟକ । ଯେତେବେଳେ ଅଟଳ ବିହାରୀ ବାଜପେୟୀ ମହାଶୟଙ୍କର ସରକାର କେନ୍ଦ୍ରରେ ଥିଲା, ସେତେବେଳେ ଏହି ବିମାନବନ୍ଦର ବିଷୟରେ ଯୋଜନା କରାଯାଇଥିଲା । କିନ୍ତୁ ଅଟଳ ମହାଶୟଙ୍କ ସରକାର ଯିବା ପରେ ଏହି ବିମାନବନ୍ଦର ପାଇଁ ବହୁତ କିଛି କରାଗଲା ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଅଟକି ରହିଲା । 2014ରେ ଗୋଆ ବିକାଶର ଡବଲ ଇଞ୍ଜିନ ଲଗାଇଲା । ଆମେ ପୁଣିଥରେ ଦ୍ରୁତ ଗତିରେ ସମସ୍ତ ପ୍ରକ୍ରିୟା ଶେଷ କଲୁ ଆଉ 6 ବର୍ଷ ପୂର୍ବେ ମୁଁ ଏଠାକୁ ଆସି ଏହାର ଶିଳାନ୍ୟାସ କରିଥିଲି । ମଝିରେ କୋର୍ଟ କଚେରୀ ଠାରୁ ନେଇ ମହାମାରୀ ପର୍ଯ୍ୟନ୍ତ ଅନେକ ପ୍ରତିବନ୍ଧକ ଆସିଲା । କିନ୍ତୁ ଏହି ସବୁ ପରେ ମଧ୍ୟ ଆଜି ଏହି ଭବ୍ୟ ବିମାନବନ୍ଦର ନିର୍ମାଣ ହୋଇ ପ୍ରସ୍ତୁତ ହୋଇ ପାରିଛି । ଏବେ ଏଠାରେ ବର୍ଷରେ ପ୍ରାୟ 40 ଲକ୍ଷ ଯାତ୍ରୀଙ୍କ ଯାତାୟାତର କରିବାର ସୁବିଧା ରହିଛି । ଆଗାମୀ ସମୟରେ ଏହି କ୍ଷମତା ସାଢ଼େ 3 କୋଟି ପର୍ଯ୍ୟନ୍ତ ପହଂଚି ପାରିବ। ଏହି ବିମାନବନ୍ଦର ଦ୍ୱାରା ନିଶ୍ଚିତ ରୂପେ ପର୍ଯ୍ୟଟନକୁ ବହୁତ ବଡ଼ ଲାଭ ହେବ । 2 ଟି ବିମାନବନ୍ଦର ହେବା କାରଣରୁ ମାଲ ପରିବହନ କେନ୍ଦ୍ର ରୂପେ ମଧ୍ୟ ଗାଁ ପାଇଁ ସମ୍ଭାବନା ଗୁଡ଼ିକ ବହୁତ ବଢ଼ି ଯାଇଛି । ଫଳ- ପନିପରିବା ଠାରୁ ନେଇ ଔଷଧ ଉତ୍ପାଦ ପର୍ଯ୍ୟନ୍ତର ରପ୍ତାନିକୁ ଏହାଦ୍ୱାରା ବହୁତ ଶକ୍ତି ମିଳିବ ।

ସାଥୀଗଣ,

ମନୋହର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଆଜି ଦେଶର ଭିତ୍ତିଭୂମିକୁ ନେଇ ପରିବର୍ତ୍ତିତ ସରକାରୀ ଚିନ୍ତାଧାରା ଏବଂ ଅଭିବ୍ୟକ୍ତିର ମଧ୍ୟ ହେଉଛି ପ୍ରମାଣ । 2014 ପୂର୍ବରୁ ସରକାରଙ୍କର ଯେଉଁଭଳି ବ୍ୟବହାର ଥିଲା, ସେହି କାରଣରୁ ବିମାନ ଯାତ୍ରା, ଏକ ଆରାମଦାୟକ ଯାତ୍ରା​‌ ରୂପେ ସ୍ଥାପିତ ହୋଇ ଯାଇଥିଲା । ଅଧିକାଂଶ ସମୟରେ ଏହାର ଲାଭ ସମୃଦ୍ଧ- ସମ୍ପନ୍ନ ଲୋକମାନେ ହିଁ ପାଇ ପାରୁଥିଲେ । ପୂର୍ବର ସରକାରମାନେ ଏହା ଚିନ୍ତା ମଧ୍ୟ କରି ନ ଥିଲେ ଯେ ସାଧାରଣ ଜନତା ମଧ୍ୟ, ମଧ୍ୟମବର୍ଗ ମଧ୍ୟ ସେତିକି ପରିମାଣରେ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେତେବେଳେର ସରକାରମାନେ ଯାତାୟାତର ଦ୍ରୁତ ମାଧ୍ୟମ ଗୁଡ଼ିକ ଉପରେ ନିବେଶ କରି ନ ଥିଲେ, ବିମାନବନ୍ଦରର ବିକାଶ ପାଇଁ ସେତିକି ଅର୍ଥ ମଧ୍ୟ ଖର୍ଚ୍ଚ କରାଗଲା ନାହିଁ । ଏହାର ପରିଣାମ ଏହା ହେଲା ଯେ ଦେଶରେ ବିମାନ ଯାତ୍ରା ସହିତ ଜଡ଼ିତ ଏତେ ବଡ଼ ଶକ୍ତି ରହିଥିବା ସତ୍ୱେ ମଧ୍ୟ ଆମେ ସେଥିରେ ପଛରେ ରହିଗଲେ ଆମେ ତାହାକୁ ସଠିକ ରୂପ ଦେଇ ପାରିଲେ ନାହିଁ । ଏବେ ଦେଶ ବିକାଶର ଆଧୁନିକ ଚିନ୍ତାଧାରା ସହିତ କାର୍ଯ୍ୟ କରୁଛି ସେତେବେଳେ ଆମେ ତାହାର ପରିଣାମ ମଧ୍ୟ ଦେଖୁଛୁ ।

ସାଥୀଗଣ,

ସ୍ୱାଧୀନତାଠାରୁ ନେଇ 2014ପର୍ଯ୍ୟନ୍ତ ଦେଶରେ ଛୋଟ- ବଡ଼ ବିମାନବନ୍ଦର ସଂଖ୍ୟା​​‌ କେବଳ 70 ଥିଲା ସତୁରୀ (ସେଭେନ୍ଟି) । ଅଧିକାଂଶ କେବଳ ବଡ଼ –ବଡ଼ ସହରଗୁଡ଼ିକରେ ହିଁ ବିମାନ ଯାତ୍ରାର ବ୍ୟବସ୍ଥା ଥିଲା। କିନ୍ତୁ ଆମେ ବିମାନ ଯାତ୍ରାକୁ ଦେଶର ଛୋଟ- ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚାଇବାର ଗରୁ ଦାୟିତ୍ୱ ଗ୍ରହଣ କଲୁ । ଏଥିପାଇଁ ଆମେ ଦୁଇଟି ସ୍ତରରେ କାର୍ଯ୍ୟ କଲୁ । ପ୍ରଥମ, ଆମେ ସମଗ୍ର ଦେଶରେ ବିମାନବନ୍ଦରର ନେଟୱର୍କର ବିସ୍ତାର କଲୁ । ଦ୍ୱିତୀୟ, ଉଡାଣ ଯୋଜନା ମାଧ୍ୟମରେ, ସାଧାରଣ ମନୁଷ୍ୟଙ୍କୁ ମଧ୍ୟ ବିମାନରେ ଯାତ୍ରା କରିବାର ସୁଯୋଗ ମିଳିଲା । ଏହି ପ୍ରୟାସ ଗୁଡ଼ିକର ଅଦ୍ଭୂତପୂର୍ବ ପରିଣାମ ଆସିଛି । ବିଗତ 8 ବର୍ଷରେ ଦେଶରେ, ଏବେ ସିନ୍ଧିଆ ମହାଶୟ ଖୁବ୍ ବିସ୍ତୃତ ଭାବେ ଜଣାଇଲେ ବିଗତ 8 ବର୍ଷରେ ଦେଶରେ ପ୍ରାୟ 72 ନୂତନ ବିମାନବନ୍ଦର ପ୍ରସ୍ତୁତ କରାଯାଇଛି । ଏବେ ଚିନ୍ତା କରନ୍ତୁ, ସ୍ୱାଧୀନତା ପରେ 70 ବର୍ଷରେ 70 ପାଖାପାଖି ବିମାନବନ୍ଦର ଆଉ ଏବେ 7-8 ବର୍ଷରେ ଆହୁରି ନୂତନ 70 ବିମାନବନ୍ଦର । ଅର୍ଥାତ ଏବେ ଭାରତରେ ବିମାନବନ୍ଦର ସଂଖ୍ୟା ଦୁଇ ଗୁଣା ହୋଇ ସାରିଛି । ବର୍ଷ 2000ରେ ସାରା ଦେଶରେ ବର୍ଷେ ବ୍ୟାପି 6 କୋଟି ଲୋକ ବିମାନ ଯାତ୍ରାର ଲାଭ ନେଉଥିଲେ । 2020ରେ କରୋନା କାଳ ପୂର୍ବରୁ ଏହି ସଂଖ୍ୟା 14 କୋଟିରୁ ଅଧିକ ହୋଇ ଯାଇଥିଲା । ଏଥିରେ ମଧ୍ୟ ଏକ କୋଟିରୁ ଅଧିକ ସାଥୀମାନେ ଉଡାଣ ଯୋଜନାର ଲାଭ ଉଠାଇ ବିମାନ ଯାତ୍ରା କରିଥିଲେ ।

ସାଥୀଗଣ,

ଏହି ପ୍ରୟାସ ଗୁଡ଼ିକ କାରଣରୁ ଆଜି ଭାରତ ଦୁନିଆର ତୃତୀୟ ସବୁଠାରୁ ବଡ଼ ବିମାନ ଚଳାଚଳ ବଜାର ହୋଇ ସାରିଛି । ଉଡାଣ ଯୋଜନା ଯେଉଁଭଳି ଭାବେ ଦେଶର ମଧ୍ୟମବର୍ଗର ସ୍ୱପ୍ନକୁ ପୂରଣ କରିଛନ୍ତି, ତାହା ତ ନିଶ୍ଚିତ ରୂପେ କୌଣସି ବିଶ୍ୱବିଦ୍ୟାଳୟ ପାଇଁ, ଶୈଖିକ ଜଗତ ପାଇଁ ହେଉଛି ଅଧ୍ୟୟନର ବିଷୟ । ବହୁତ ବର୍ଷ ହୋଇ ଯାଇ ନାହିଁ ଯେତେବେଳେ ମଧ୍ୟମବର୍ଗ ଦୀର୍ଘ ଦୂରତା ପାଇଁ ପ୍ରଥମେ ଟ୍ରେନର ଟିକେଟକୁ ହିଁ ଯାଞ୍ଚ କରୁଥିଲା । ଏବେ କମ୍ ଦୂରତା ପାଇଁ ମଧ୍ୟ ପ୍ରଥମେ ଉଡାଜାହାଜର ରୁଟ୍ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି, ତାହାର ଟିକେଟ ଦେଖା ଯାଉଛି ଆଉ ପ୍ରଥମେ ଏହା ଚେଷ୍ଟା କରାଯାଉଛି ଯେ, ଉଡାଜାହାଜରେ ହିଁ ଚାଲିଯିବା । ଯେଭଳି- ଯେପରି ଭାବେ ଦେଶରେ ବିମାନ ସଂଯୋଗର ସଂପ୍ରସାରଣ ହୋଇ ଯାଉଛି, ବିମାନ ଯାତ୍ରା ସମସ୍ତଙ୍କ ପାଇଁ ସହଜ ସୁଲଭ ହୋଇ ଯାଉଛି ।

 

ଭାଇ ଓ ଭଉଣୀମାନେ,

ଆମେ ପ୍ରାୟତଃ ଶୁଣିଥାଉ ଯେ ପର୍ଯ୍ୟଟନ କୌଣସି ମଧ୍ୟ ଦେଶର ସଫ୍ଟପାୱାରକୁ ବୃଦ୍ଧି କରିଥାଏ ଏବଂ ଏହା ମଧ୍ୟ ହେଉଛି ସତ୍ୟ। କିନ୍ତୁ ଏହା ମଧ୍ୟ ହେଉଛି ସେତିକି ସତ୍ୟ ଯେ ଯେତେବେଳେ କୌଣସି ଦେଶର ଶକ୍ତି ବୃଦ୍ଧି ପାଇଥାଏ, ସେତେବେଳେ ବିଶ୍ୱ ତାହା ବିଷୟରେ ଅଧିକ ଜାଣିବାକୁ ଚାହିଁ ଥାଏ। ଯଦି ସେହି ଦେଶରେ କିଛି ଦେଖିବାର ଅଛି, ଜାଣିବା- ବୁଝିବାର ଅଛି, ତେବେ ବିଶ୍ୱ ନିଶ୍ଚିତ ଭାବରେ ଅଧିକ ଆକର୍ଷିତ ହୋଇଥାଏ । ଯଦି ଆପଣ ଅତୀତକୁ ଫେରିଯିବେ, ତେବେ ଜାଣିପାରିବେ ଯେ ସେତେବେଳେ ଭାରତ ସମୃଦ୍ଧ ଥିଲା, ସେତେବେଳେ ବିଶ୍ୱ ପାଇଁ ଭାରତ ଏକ ଆକର୍ଷଣ ଥିଲା । ସାରା ବିଶ୍ବର ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଏଠାକୁ ଆସୁଥିଲେ, ବ୍ୟବସାୟୀ- ବାଣିଜ୍ୟ ଓ କାରବାର କରୁଥିବା ଲୋକମାନେ ଆସୁଥିଲେ, ଛାତ୍ରମାନେ ଆସୁଥିଲେ । କିନ୍ତୁ ମଝିରେ ପରାଧିନତାର ଏକ ଦୀର୍ଘ ସମୟ ଆସିଲା । ଭାରତର ପ୍ରକୃତି, ସଂସ୍କୃତି, ସଭ୍ୟତା ସମାନ ରହିଥିଲା, କିନ୍ତୁ ଭାରତର ଭାବମୂର୍ତ୍ତି ବଦଳିଗଲା, ଭାରତକୁ ଦେଖିବାର ଦୃ​‌ଷ୍ଟିକୋଣ ବଦଳିଗଲା। ଯେଉଁମାନେ ଭାରତ ଆସିବାକୁ ଆଗ୍ରହୀ ଥିଲେ ସେମାନଙ୍କର ପରବର୍ତ୍ତୀ ପିଢି ମଧ୍ୟ ଜାଣି ନଥିଲେ ଯେ ଭାରତ କେଉଁ କୋଣରେ ପଡ଼ି ରହିଛି।

ସାଥୀଗଣ,

ଏବେ ଏକବିଂଶ ଶତାବ୍ଦୀର ଭାରତ, ହେଉଛି ନୂଆ ଭାରତ । ଆଜି ଯେତେବେଳେ ଭାରତ ବୈଶ୍ବିକ ଦୃଷ୍ଟିକୋଣରେ ନିଜର ନୂତନ ଛବି ନିର୍ମାଣ କରୁଛି, ସେତେବେଳେ ବିଶ୍ୱର ଦୃଷ୍ଟିକୋଣ ମଧ୍ୟ ଦ୍ରୁତ ଗତିରେ ବଦଳୁଛି । ଆଜି ବିଶ୍ୱ ଭାରତକୁ ଜାଣିବାକୁ ଓ ବୁଝିବାକୁ ଚାହୁଁଛି । ଆଜି ଆପଣମାନେ ଡିଜିଟାଲ୍ ପ୍ଲାଟଫର୍ମକୁ ଯାଆନ୍ତୁ ଏତେ ବ୍ୟାପକ ସଂଖ୍ୟରେ ବିଦେଶୀମାନେ, ଭାରତର କାହାଣୀ ବିଶ୍ବକୁ କହୁଛନ୍ତି । ଏହି ସବୁ କଥାକୁ ଧ୍ୟାନରେ ରଖି, ବର୍ତ୍ତମାନ ଦେଶରେ ଯାତ୍ରା ସହଜ ହେବା, ତାହାକୁ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଚିନ୍ତାଧାରା ସହିତ, ବିଗତ 8 ବର୍ଷ ମଧ୍ୟରେ ଭାରତ ସହଜ ଯାତ୍ରାକୁ ପ୍ରୋତ୍ସାହିତ କରିବା ଲାଗି ନିଜର ପର୍ଯ୍ୟଟନ ପ୍ରୋଫାଇଲକୁ ସଂପ୍ରସାରିତ କରିବାର ସମସ୍ତ ପ୍ରକାର ପ୍ରୟାସ କରିଛି । ଆପଣ ଦେଖିବେ, ଯେ ଆମେ ଭିସା ପ୍ରକ୍ରିୟାକୁ ସରଳ କରିଛୁ, ପହଞ୍ଚିବା ସମୟରେ ଭିସା ପ୍ରଦାନ ସୁବିଧାକୁ ବୃଦ୍ଧି କରିଛୁ । ଆମେ ଆଧୁନିକ ଭିତ୍ତିଭୂମି ଏବଂ ଶେଷ-ମାଇଲ ସଂଯୋଗ ଉପରେ ମଧ୍ୟ ଧ୍ୟାନ ଦେଇଛୁ । ଏୟାର କନେକ୍ଟିଭିଟି ସହିତ ହିଁ, ଡିଜିଟାଲ୍ ଯୋଗାଯୋଗ, ମୋବାଇଲ୍ ଯୋଗାଯୋଗ, ରେଳ ଯୋଗାଯୋଗ ଆମେ ସବୁ କିଛି ଉପରେ ଧ୍ୟାନ ଦେଉଛୁ । ଆଜି ଅଧିକାଂଶ ପର୍ଯ୍ୟଟନ ସ୍ଥଳକୁ ରେଳବାଇ ଦ୍ୱାରା ସଂଯୋଗ କରାଯାଉଛି । ତେଜସ୍ ଏବଂ ବନ୍ଦେଭାରତ ଏକ୍ସପ୍ରେସ ଭଳି ଆଧୁନିକ ଟ୍ରେନ୍ ରେଳବାଇର ଏକ ଅଂଶ ପାଲଟିଛି। ଭିସ୍ତାଡୋମ୍ କୋଚ୍ ସେହି ଟ୍ରେନ୍ ପର୍ଯ୍ୟଟକଙ୍କ ଅନୁଭବକୁ ବିସ୍ତାର କରୁଛି । ଆମେ କ୍ରମାଗତ ଭାବରେ ଏହି ସମସ୍ତ ପ୍ରୟାସର ପ୍ରଭାବ ନିରନ୍ତର ଅନୁଭବ କରୁଛୁ । 2015 ମସିହାରେ ଦେଶରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା 14 କୋଟି ଥିଲା। ଗତ ବର୍ଷ ଏହା ପ୍ରାୟ 70 କୋଟିରେ ପହଞ୍ଚି ଯାଇଥିଲା। ଏବେ କରୋନା ପରେ ଦେଶ ତଥା ବିଶ୍ବର ପର୍ଯ୍ୟଟନ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୋଆ ଭଳି ପର୍ଯ୍ୟଟନସ୍ଥଳୀରେ ପ୍ରଥମେ ଟିକା ନେବାର ନିଷ୍ପତ୍ତିରୁ ମଧ୍ୟ ଗୋଆକୁ ଲାଭ ମିଳୁଛି ଏବଂ ଏଥିପାଇଁ ମୁଁ ପ୍ରମୋଦ ମହାଶୟ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଉଛି।

 

ଆଉ ସାଥୀଗଣ,

ଆମେ ସମସ୍ତେ ଜାଣିଛୁ ଯେ ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର- ଆତ୍ମନିଯୁକ୍ତି ପାଇଁ ସର୍ବାଧିକ ସମ୍ଭାବନା ରହିଛି । ସମସ୍ତେ ପର୍ଯ୍ୟଟନରୁ କିଛି କିଛି ରୋଜଗାର କରନ୍ତି, ଏହା ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିଥାଏ । ଆଉ ଗୋଆର ଲୋକଙ୍କୁ ଏ ବିଷୟରେ ବୁଝାଇବାର କୌଣସି ଆବଶ୍ୟକତା ନାହିଁ । ସେଥିପାଇଁ ଡବଲ୍ ଇଞ୍ଜିନ୍ ସରକାର ପର୍ଯ୍ୟଟନ ଉପରେ ଏତେ ଗୁରୁତ୍ୱ ଦେଉଛନ୍ତି, ଯୋଗାଯୋଗର ସମସ୍ତ ମାଧ୍ୟମକୁ ସଶକ୍ତ କରୁଛନ୍ତି । ଏଠାରେ ଗୋଆରେ ମଧ୍ୟ, 2014 ପରଠାରୁ ରାଜପଥ ସହିତ ଜଡିତ ପ୍ରକଳ୍ପ ଗୁଡିକରେ 10 ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । ଗୋଆରେ ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବା ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ କରାଯାଉଛି । କୋଙ୍କଣ ରେଲୱେର ବିଦ୍ୟୁତୀକରଣ ହେବାରୁ ଗୋଆକୁ ମଧ୍ୟ ବହୁତ ଲାଭ ହୋଇଛି।

ସାଥୀଗଣ,

ଯୋଗାଯୋଗର ଏହି ପ୍ରୟାସ ସହିତ ହିଁ ସରକାର ଐତିହ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଆମର ଯେଉଁ ଐତିହ୍ୟ ଓ କିର୍ତ୍ତୀରାଜୀର ରକ୍ଷଣାବେକ୍ଷଣ, ତାହାର ସଂଯୋଗୀକରଣ ଏବଂ ସେଠାରେ ସୁବିଧା ଗୁଡିକ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଗୋଆର ଐତିହାସିକ ଅଗୋଡା ଜେଲ୍ କମ୍ପ୍ଲେକ୍ସ ସଂଗ୍ରହାଳୟର ବିକାଶ ମଧ୍ୟ ହେଉଛି ଏହାର ଏକ ଉଦାହରଣ । ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଆମେ ସାରା ଦେଶରେ ଆମର ଐତିହ୍ୟ ସ୍ଥଳଗୁଡ଼ିକୁ ଆହୁରି ଅଧିକ ଆକର୍ଷଣୀୟ କରୁଛୁ । ଦେଶର ତୀର୍ଥସ୍ଥାନ ଏବଂ ଐତିହ୍ୟ ସ୍ଥଳ ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । 

ସାଥୀଗଣ,

ସେହିପରି ଆଜି ଗୋଆ ସରକାରଙ୍କୁ ମୁଁ ଆଉ ଏକ କଥା ପାଇଁ ପ୍ରଶଂସା କରିବାକୁ ଚାହୁଁଛି। ଗୋଆ ସରକାର ଭୌତିକ ଭିତ୍ତିଭୂମି ସହିତ ସାମାଜିକ ଭିତ୍ତିଭୂମି ଉପରେ ମଧ୍ୟ ସେତିକି ଗୁରୁତ୍ୱ ଦେଉଛନ୍ତି । ଗୋଆରେ ଜୀବନ ଯାପନ ସହଜ ହେଉ, ଏଠାରେ କେହି ଯେପରି ସରକାରୀ ଯୋଜନାର ଲାଭରୁ ବଞ୍ଚିତ ନ ହୁଅନ୍ତୁ, ଏହି ଦିଗରେ ସ୍ବୟଂପୂର୍ଣ୍ଣ ଗୋଆ ଅଭିଯାନ ବହୁତ ସଫଳ ହୋଇଛି, ବହୁତ ଭଲ କାର୍ଯ୍ୟ କରାଯାଇଛି । ଆଜି ଗୋଆ ଶତପ୍ରତିଶତ ପରିପୂର୍ଣ୍ଣତାର ଏକ ଉତ୍ତମ ଉଦାହରଣ ପାଲଟି ଯାଇଛି । ଆପଣ ସମସ୍ତେ ଏହିଭଳି ହିଁ ବିକାଶ କାର୍ଯ୍ୟ ଜାରି ରଖିନ୍ତୁ, ଲୋକଙ୍କ ଜୀବନକୁ ସହଜ କରି ରଖନ୍ତୁ, ଏହି କାମନା ସହିତ, ମୁଁ ଏହି ଭବ୍ୟ ବିମାନବନ୍ଦର ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି । 

ବହୁତ- ବହୁତ ଶୁଭକାମନା । ବହୁତ- ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler exports seen rising up to 20% as Africa demand recovers: Ind-Ra

Media Coverage

Two-wheeler exports seen rising up to 20% as Africa demand recovers: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub