18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ ଭାରତ ସରକାର
ରାଜ୍ୟଗୁଡ଼ିକ ପାଖରେ ଥିବା 25 ପ୍ରତିଶତ ଟିକାକରଣ ସହ ଜଡ଼ିତ କାର୍ଯ୍ୟ ବର୍ତ୍ତମାନ କେନ୍ଦ୍ର ସରକାର କରିବେ : ପ୍ରଧାନମନ୍ତ୍ରୀ
ଏଣିକି ଭାରତ ସରକାର ଉତ୍ପାଦନକାରୀଙ୍କ ଠାରୁ ମୋଟ୍ ଉତ୍ପାଦନର 75 ପ୍ରତିଶତ ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦୀପାବଳି ପର୍ଯ୍ୟନ୍ତ ସମ୍ପ୍ରସାରିତ : ପ୍ରଧାନମନ୍ତ୍ରୀ
ନଭେମ୍ବର ପର୍ଯ୍ୟନ୍ତ, 80କୋଟି ଲୋକଙ୍କୁ ପ୍ରତି ମାସ ମିଳିବ ମାଗଣା ଖାଦ୍ୟଶସ୍ୟ : ପ୍ରଧାନମନ୍ତ୍ରୀ
କରୋନା, ବିଗତ ଶହେ ବର୍ଷର ସବୁଠୁ ମାରାତ୍ମକ ବିପର୍ଯ୍ୟୟ : ପ୍ରଧାନମନ୍ତ୍ରୀ
ଆଗାମୀ ଦିନରେ ଟିକା ଯୋଗାଣ ବୃଦ୍ଧି ପାଇବ : ପ୍ରଧାନମନ୍ତ୍ରୀ
ନୂଆ ଟିକା ବିକାଶର ଅଗ୍ରଗତି ସମ୍ପର୍କରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
ପିଲାଙ୍କ ପାଇଁ ଟିକା ଓ ନାଜାଲ ଭ୍ୟାକ୍ସିନର ପରୀକ୍ଷା ଜାରି ରହିଛି : ପ୍ରଧାନମନ୍ତ୍ରୀ
ଯେଉଁମାନେ ଟିକାକୁ ନେଇ ଆଶଙ୍କା ସୃଷ୍ଟି କରୁଛନ୍ତି ସେମାନେ ଦେଶବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି : ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର! କରୋନାର ଦ୍ୱିତୀୟ ଲହର ସହିତ ଆମ ଭାରତବାସୀଙ୍କର ଲଢେଇ ଜାରି ରହିଛି। ବିଶ୍ୱର ଅନେକ ଦେଶ ଭଳି, ଭାରତ ମଧ୍ୟ ଏହି ଲଢେଇ ସମୟରେ ବହୁତ ବଡ଼ କଷ୍ଟ ମଧ୍ୟ ଦେଇ ଗତି କରିଛି। ଆମମାନଙ୍କ ମଧ୍ୟରୁ ଅନେକ ଲୋକ ନିଜର ପରିଜନଙ୍କୁ, ନିଜର ପରିଚିତ ଲୋକଙ୍କୁ ହରାଇଛନ୍ତି। ଏଭଳି ସମସ୍ତ ପରିବାରଙ୍କ ସହିତ ମୋର ସମ୍ପୂର୍ଣ୍ଣ ସମବେଦନା ରହିଛି।

ସାଥୀଗଣ,

ବିଗତ ଶହେ ବର୍ଷ ମଧ୍ୟରେ ଆସିଥିବା ଏହା ହେଉଛି ସବୁଠାରୁ ବଡ଼ ମହାମାରୀ, ମାରାତ୍ମକ ବିପର୍ଯ୍ୟୟ। ଏ ପ୍ରକାରର ମହାମାରୀ ଆଧୁନିକ ବିଶ୍ୱ ନା କେବେ ଦେଖିଥିଲା, ନା ଅନୁଭବ କରିଥିଲା। ଏତେ ବଡ଼ ବୈଶ୍ୱିକ ମହାମାରୀ ଦ୍ୱାରା ଆମ ଦେଶ ଅନେକ ମୋର୍ଚ୍ଚାରେ ଏକାଠି ହୋଇ ଲଢ଼ିଛି। କୋଭିଡ଼ ହାସ୍ପାତାଳ ନିର୍ମାଣ ଠାରୁ ନେଇ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼଼ାଇବା ହେଉ, ଭାରତରେ ଭେଂଟିଲେଟର ନିର୍ମାଣ ଠାରୁ ନେଇ ପରୀକ୍ଷାଗାରର ଏକ ବହୁତ ବଡ଼ ନେଟୱାର୍କ ପ୍ରସ୍ତୁତ କରିବା ହେଉ, କୋଭିଡ଼ ସହିତ ଲଢ଼େଇ ପାଇଁ ବିଗତ ଏକ ବର୍ଷ ତିନି ମାସ ଧରି ଦେଶରେ ଏକ ନୂତନ ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ କରାଯାଇଛି। ଦ୍ୱିତୀୟ ଲହର ସମୟରେ ଅପ୍ରେଲ ଏବଂ ମଇ ମାସରେ ଭାରତରେ ମେଡିକାଲ ଅକ୍ସିଜେନର ଚାହିଦା ଅକଳ୍ପନୀୟ ଭାବେ ବଢ଼଼ି ଯାଇଥିଲା। ଭାରତର ଇତିହାସରେ କେବେ ମଧ୍ୟ ଏତେ ମାତ୍ରାରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା କେବେ ଅନୁଭବ ହୋଇ ନଥିଲା। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରାଗଲା। ସମସ୍ତ ସରକାରୀ କଳକୁ ଲଗାଇ ଦିଆଗଲା। ଅକ୍ସିଜେନ ରେଳ ଚଲିଲା, ବିମାନ ବାହିନୀର ବିମାନଗୁଡ଼ିକୁ କାର୍ଯ୍ୟରେ ଲଗାଗଲା, ନୌସେନାକୁ ଲଗାଗଲା। ବହୁତ କମ୍‍ ସମୟରେ ତରଳ ମେଡିକାଲ ଅମ୍ଳଜାନର ଉତ୍ପାଦନକୁ 10 ଗୁଣାରୁ ଅଧିକ ବୃଦ୍ଧି କରାଗଲା। ବିଶ୍ୱର ପ୍ରତ୍ୟେକ କୋଣରୁ, ଯେଉଁଠାରୁ ମଧ୍ୟ ଯାହାକିଛି ଉପଲବ୍ଧ ହେଉଥିଲା, ତାକୁ ପ୍ରାପ୍ତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଗଲା, ଅଣାଗଲା। ସେହିଭଳି ଜରୁରୀ ଔଷଧଗୁଡ଼ିକର ଉତ୍ପାଦନ ଅନେକ ଗୁଣ ବୃଦ୍ଧି କରାଗଲା, ବିଦେଶରେ ଯେଉଁଠାରେ ମଧ୍ୟ ଔଷଧ ଉପଲବ୍ଧ ହେଉଥିଲା, ସେଠାରୁ ଆଣିବା ପାଇଁ କୌଣସି ପ୍ରୟାସ ବାକି ରଖାଗଲା ନାହିଁ।

ସାଥୀଗଣ,

କରୋନା ଭଳି ଅଦୃଶ୍ୟ ଏବଂ ରୂପ ବଦଳାଉଥିବା ଶତ୍ରୁ ବିରୁଦ୍ଧରେ ସବୁଠାରୁ ପ୍ରଭାବୀ ଅସ୍ତ୍ର, କୋଭିଡ଼ କଟକଣା ହେଉ, ମାସ୍କ, ଦୁଇଗଜର ଦୂରତା ଏବଂ ଅନ୍ୟ ସମସ୍ତ ସତର୍କତା ଗୁଡ଼ିକୁ ସଠିକ୍‍ ଭାବେ ପାଳନ କରାଗଲା। ଏହି ଲଢ଼େଇରେ ଟିକା ଆମପାଇଁ ହେଉଛି ସୁରକ୍ଷା କବଚ ଭଳି। ଆଜି ସମଗ୍ର ବିଶ୍ୱରେ ଟିକାକରଣ ପାଇଁ ଯେଉଁ ଚାହିଦା ରହିଛି, ସେହି ତୁଳନାରେ ଉତ୍ପାଦନ କରୁଥିବା ଦେଶ ଏବଂ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସଂଖ୍ୟା ହେଉଛି ବହୁତ କମ୍‍, ତାହା ହେଉଛି ବହୁତ ହାତଗଣତି। କଳ୍ପନା କରନ୍ତୁ ଯେ ଏବେ ଆମ ପାଖରେ ଭାରତରେ ପ୍ରସ୍ତୁତ ଟିକା ନଥାନ୍ତା ତେବେ ଆଜି ଭାରତ ଭଳି ବିଶାଳ ଦେଶରେ ପରିସ୍ଥିତି କ’ଣ ହୋଇଥାଆନ୍ତା? ଆପଣ ବିଗତ 50-60 ବର୍ଷର ଇତିହାସ ଦେଖିବେ, ତେବେ ଜଣାପଡ଼ିବ, ଯେ ଭାରତକୁ ବିଦେଶୀ ଟିକା ପାଇବା ପାଇଁ ଦଶକ-ଦଶକ ଧରି ସମୟ ଲାଗି ଯାଉଥିଲା। ବିଦେଶରେ ଟିକାକରଣ କାର୍ଯ୍ୟ ଶେଷ ହୋଇ ଯାଉଥିଲା, ତେବେ ମଧ୍ୟ ଆମ ଦେଶରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିଲା। ପୋଲିଓ ଟିକା ହେଉ, ମିଳିମିଳା ହେଉ, ଯେଉଁଠାରେ ଗାଁରେ ଆମେ ଏହାକୁ ମିଳିମିଳା କହୁ। ମିଳିମିଳାର ଟିକା ହେଉ, ହେପାଟାଇଟିସ-ବି ଟିକା ହେଉ, ଏଥିପାଇଁ ଦେଶବାସୀଙ୍କୁ ଦଶକ-ଦଶକ ଧରି ପ୍ରତୀକ୍ଷା କରିବାକୁ ପଡ଼ିଥିଲା। ଯେତେବେଳେ 2014ରେ ଦେଶବାସୀମାନେ ଆମକୁ ସେବା କରିବାର ସୁଯୋଗ ଦେଲେ, ସେତେବେଳେ ଭାରତରେ ଟିକାକରଣର ବ୍ୟାପକତା, 2014ରେ ଭାରତରେ ଟିକାକରଣର ବ୍ୟାପକତା କେବଳ 60 ପ୍ରତିଶତର ଆଖପାଖରେ ଥିଲା। ଆଉ ଆମ ଦୃଷ୍ଟିରେ ଏହା ବହୁତ ଚିନ୍ତାଜନକ କଥା ଥିଲା। ଯେଉଁ ଗତିରେ ଭାରତର ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଥିଲା, ସେହି ଗତିରେ ଦେଶକୁ ଶତ ପ୍ରତିଶତ ଟିକାକରଣର ବ୍ୟାପକତାର ଲକ୍ଷ୍ୟ ହାସଲ କରିବା ପାଇଁ ପାଖାପାଖି 40 ବର୍ଷ ଲାଗି ଯାଇଥାଆନ୍ତା। ଆମେ ଏହି ସମସ୍ୟାର ସମାଧାନ ପାଇଁ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କଲୁ। ଆମେ ସ୍ଥିରକଲୁ ଯେ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଯୁଦ୍ଧକାଳୀନ ଭିତିରେ ଟିକାକରଣ କରାଯିବ ଏବଂ ଦେଶରେ ଯେଉଁମାନଙ୍କୁ ମଧ୍ୟ ଟିକାର ଆବଶ୍ୟକତା ଅଛି, ସେମାନଙ୍କୁ ଟିକା ଦେବାର ପ୍ରୟାସ ହେବ। ଆମେ ମିଶନ ମୋଡରେ କାର୍ଯ୍ୟ କଲୁ, ଏବଂ କେବଳ 5-6 ବର୍ଷରେ ହିଁ ଟିକାକରଣର ବ୍ୟାପକତା 60 ପ୍ରତିଶତରୁ ବୃଦ୍ଧି ପାଇ 90 ପ୍ରତିଶତରୁ ମଧ୍ୟ ଅଧିକ ହୋଇଗଲା। 60 ରୁ 90, ଅର୍ଥାତ ଆମେ ଟିକାକରଣର ଗତି ମଧ୍ୟ ବଢ଼଼ାଇଲୁ ଏବଂ ପରିସର ମଧ୍ୟ ବୃଦ୍ଧି କଲୁ।

ଆମେ ପିଲାମାନଙ୍କୁ ଅନେକ ପ୍ରାଣଘାତୀ ରୋଗରୁ ରକ୍ଷା କରିବା ପାଇଁ ବହୁ ନୂତନ ଟିକାକୁ ମଧ୍ୟ ଭାରତର ଟିକାକରଣ ଅଭିଯାନର ଅଂଶ କରିଦେଲୁ। ଆମେ ଏହା ଏଥିପାଇଁ କଲୁ, କାରଣ ଆମକୁ ଆମର ଦେଶର ପିଲାମାନଙ୍କର ଚିନ୍ତା ଥିଲା, ଗରିବମାନଙ୍କର ଚିନ୍ତା ଥିଲା, ଗରିବଙ୍କର ସେହି ପିଲାମାନଙ୍କର ଚିନ୍ତାଥିଲା, ଯେଉଁମାନଙ୍କୁ କେବେ ଟିକା ଦିଆଯାଇ ପାରୁ ନଥିଲା । ଆମେ ଶତ ପ୍ରତିଶତ ଟିକାକରଣର ବ୍ୟାପକତା ଦିଗକୁ ବଢ଼଼ୁଥିଲୁ, ଯେତେବେଳେ କି କରୋନା ଭୂତାଣୁ ଆମକୁ ଘେରିନେଲା। କେବଳ ଦେଶ ନୁହେଁ, ବିଶ୍ୱ ସାମ୍ନାରେ ପୁଣି ପୁରୁଣା ଆଶଙ୍କାମାନ ଘେରିବାକୁ ଲାଗିଲା ଯେ ଏବେ ଭାରତ କିଭଳି ଏତେ ବଡ଼ ଜନସଂଖ୍ୟାକୁ ବଞ୍ଚାଇ ପାରିବ? କିନ୍ତୁ ସାଥୀଗଣ, ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ଥାଏ, ନୀତି ସ୍ପଷ୍ଟ ହୋଇଥାଏ, ନିରନ୍ତର ପରିଶ୍ରମ ହୋଇଥାଏ, ସେତେବେଳେ ଭଲ ଫଳ ମିଳିଥାଏ। ସମସ୍ତ ଆଶଙ୍କାକୁ ଦୂର କରିଦେଇ ଭାରତ ଗୋଟିଏ ବର୍ଷ ମଧ୍ୟରେ ହିଁ ଗୋଟିଏ ନୁହେଁ ବରଂ ଦୁଇଟି ମେଡ୍‍ ଇନ୍‍ ଇଣ୍ଡିଆ ବା ଭାରତରେ ପ୍ରସ୍ତୁତ ଟିକାର ଶୁଭାରମ୍ଭ କରିଦେଲା। ଆମ ଦେଶ, ଦେଶର ବୈଜ୍ଞାନିକମାନେ ଏହା ଦେଖାଇଦେଲେ ଯେ ଭାରତ ମଧ୍ୟ ବଡ଼-ବଡ଼ ଦେଶଙ୍କ ପଛରେ ନାହିଁ। ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ କଥା ହେଉଛି, ସେତେବେଳେ ଦେଶରେ 23 କୋଟିରୁ ଅଧିକ ଡୋଜ ଟିକା ଦିଆଯାଇ ସାରିଛି।

ସାଥୀଗଣ,

ଆମର ଏଠାରେ କୁହାଯାଏ- ବିଶ୍ୱାସେନ ସିଦ୍ଧିଃ ଅର୍ଥାତ, ଆମର ପ୍ରୟାସରେ ଆମକୁ ସେତେବେଳେ ସଫଳତା ମିଳିଥାଏ, ଯେତେବେଳେ ଆମର ନିଜ ଉପରେ ବିଶ୍ୱାସ ରହିଥାଏ। ଆମକୁ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଆମ ବୈଜ୍ଞାନିକମାନେ ବହୁତ ହିଁ କମ୍‍ ସମୟ ମଧ୍ୟରେ ଟିକା ପ୍ରସ୍ତୁତି କରିବାରେ ସଫଳତା ହାସିଲ କରି ନେବେ। ଏହି ବିଶ୍ୱାସକୁ ପାଥେୟ କରି ଯେତେବେଳେ ଆମର ବୈଜ୍ଞାନିକ ନିଜର ଗବେଷଣା କାର୍ଯ୍ୟ କରୁଥିଲେ, ସେତେବେଳେ ଆମେ ଲଜିଷ୍ଟିକସ୍‍ ଏବଂ ଅନ୍ୟାନ୍ୟ ପ୍ରସ୍ତୁତି କରିବା ଆରମ୍ଭ କରି ଦେଇଥିଲୁ। ଆପଣମାନେ ସମସ୍ତେ ସେତେବେଳେ ଭଲ ଭାବେ ଜାଣନ୍ତି ଯେ ବିଗତ ବର୍ଷ ଅର୍ଥାତ ଏକ ବର୍ଷ ପୂର୍ବେ, ଗତ ବର୍ଷ ଅପ୍ରେଲ ମାସରେ ଯେତେବେଳେ କରୋନାର ମାତ୍ର କେତେ ହଜାର ମାମଲା ଥିଲା, ସେହି ସମୟରେ ଟିକା ଟାସ୍କ ଫୋର୍ସର ଗଠନ କରାଯାଇଥିଲା। ଭାରତରେ, ଭାରତ ପାଇଁ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ସରକାର ସମସ୍ତ ପ୍ରକାରର ସହାୟତା କଲେ। ଟିକା ନିର୍ମାତାମାନଙ୍କୁ କ୍ଲିନିକାଲ ଟ୍ରାଏଲର ସହାୟତା କରାଗଲା, ଗବେଷଣା ଏବଂ ବିକାଶ ପାଇଁ ଆବଶ୍ୟକ ପାଣ୍ଠି ଦିଆଗଲା, ପ୍ରତ୍ୟେକ ସ୍ତରରେ ସରକାର ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିଲେ।

ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ମିଶନ କୋଭିଡ଼ ସୁରକ୍ଷା ମାଧ୍ୟମରେ ମଧ୍ୟ ସେମାନଙ୍କୁ ହଜାର-ହଜାର କୋଟି ଟଙ୍କା ଉପଲବ୍ଧ କରାଗଲା। ବିଗତ ଅନେକ କିଛି ସମୟରେ ଦେଶ କ୍ରମାଗତ ଭାବେ ଯେଉଁ ପ୍ରୟାସ ଏବଂ ପରିଶ୍ରମ କରୁଛି, ସେଥିରୁ ଆଗାମୀ ଦିନମାନଙ୍କରେ ଟିକାର ଯୋଗାଣ ଆହୁରି ଅଧିକ ବୃଦ୍ଧି ପାଇବାକୁ ଯାଉଛି। ଆଜି ଦେଶରେ ୭ଟି କମ୍ପାନୀ ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କରୁଛନ୍ତି। ଆଉ ତିନୋଟି କମ୍ପାନୀର ଟିକାର ପରୀକ୍ଷଣ ମଧ୍ୟ ଅଗ୍ରଣୀ ସ୍ତରରେ ଚାଲୁ ରହିଛି। ଟିକାର ଉପଲବ୍ଧତା ବୃଦ୍ଧି କରିବା ପାଇଁ ଅନ୍ୟ ଦେଶର କମ୍ପାନୀଗୁଡ଼ିକରୁ ମଧ୍ୟ ଟିକା କ୍ରୟ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଅନ୍ୟ ପକ୍ଷରେ ଏଇ ନିକଟରେ କିଛି ବିଶେଷଜ୍ଞଙ୍କ ଦ୍ୱାରା ଆମର ପିଲାମାନଙ୍କ ଉପରେ ଚିନ୍ତା ପ୍ରକଟ କରାଯାଇଛି। ଏହି ଦିଗରେ ମଧ୍ୟ ଦୁଇଟି ଟିକାର ଟ୍ରାଏଲ ଦ୍ରୁତ ଗତିରେ ଚାଲୁ ରହିଛି। ଏହା ବ୍ୟତୀତ ଏବେ ଦେଶରେ ଏକ ‘ନାଜାଲ’ ଟିକା ଉପରେ ମଧ୍ୟ ଗବେଷଣା ଜାରି ରହିଛି। ଏହାକୁ ସିରିଞ୍ଜରେ ନ ଦେଇ ନାକରେ ସ୍ପ୍ରେ କରାଯିବ। ଦେଶକୁ ଯଦି ନିକଟ ଭବିଷ୍ୟତରେ ଏହି ଟିକା ଉପରେ ସଫଳତା ମିଳେ, ତେବେ ଏହାଦ୍ୱାରା ଭାରତରେ ଟିକାକରଣ ଅଭିଯାନକୁ ଆହୁରି ଗତି ମିଳିବ।

ସାଥୀଗଣ,

ଏତେ କମ୍‍ ସମୟରେ ଟିକା ପ୍ରସ୍ତୁତ କରିବା, ହେଉଛି ନିଜକୁ ନିଜ ମଧ୍ୟରେ ସମ୍ପୁର୍ଣ୍ଣ ମାନବ ଜାତି ପାଇଁ ବହୁତ ବଡ଼ ଉପଲବ୍ଧି।

କିନ୍ତୁ ଏହାର ନିଜସ୍ୱ ସୀମା ମଧ୍ୟ ରହିଛି। ଟିକା ପ୍ରସ୍ତୁତ ହେବା ପରେ ମଧ୍ୟ ବିଶ୍ୱର ବହୁତ କମ୍‍ ଦେଶରେ ଟିକାକରଣ ଆରମ୍ଭ ହେଲା, ଆଉ ଅଧିକାଂଶ ସମୃଦ୍ଧ ଦେଶରେ ମଧ୍ୟ ଆରମ୍ଭ ହେଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଟିକାକରଣକୁ ନେଇ ମାର୍ଗଦର୍ଶୀକା ଦେଲା। ବୈଜ୍ଞାନିକମାନେ ଟିକାକରଣର ରୂପରେଖ ପ୍ରସ୍ତୁତ କରି ରଖିଲେ। ଆଉ ଭାରତ ମଧ୍ୟ ଅନ୍ୟ ଦେଶର ଯେଉଁ ସର୍ବଶ୍ରେଷ୍ଠ ଅଭ୍ୟାସ ଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଥିଲା, ସେହି ଆଧାରରେ ଚରଣବଦ୍ଧ ଭାବେ ଟିକାକରଣ କରିବାକୁ ସ୍ଥିର କଲା। କେନ୍ଦ୍ର ସରକାରଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ହୋଇଥିବା ଅନେକ ବୈଠକ ଗୁଡ଼ିକରେ ଯାହା ମତାମତ ମିଳିଲା, ସଂସଦର ବିଭିନ୍ନ ଦଳର ସାଥୀମାନଙ୍କ ଠାରୁ ଯେଉଁ ମତାମତ ମିଳିଲା, ତାହା ଉପରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦେଲେ। ଏହା ପରେ ହିଁ ସ୍ଥିର କରାଗଲା ଯେ ଯେଉଁମାନଙ୍କୁ କରୋନା ଯୋଗୁଁ ଅଧିକ ବିପଦ ରହିଛି, ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ହିଁ, ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଆଗଧାଡ଼ିର କର୍ମଚାରୀ, 60 ବର୍ଷ ବୟସରୁ ଅଧିକ ନାଗରିକ, ଏକାଧିକ ରୋଗଗ୍ରସ୍ତ 45 ବର୍ଷରୁ ଅଧିକ ଆୟୁର ନାଗରିକ, ଏହି ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବା ଆରମ୍ଭ ହେଲା। ଆପଣ କଳ୍ପନା କରି ପାରିବେ ଯେ ଯଦି କରୋନାର ଦ୍ୱିତୀୟ ଲହର ପୂର୍ବରୁ ଆମର ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯାଇ ନଥାନ୍ତା, ତେବେ କ’ଣ ହୋଇ ଥାଆନ୍ତା? ଚିନ୍ତା କରନ୍ତୁ ଯଦି ଆମର ଡାକ୍ତରମାନଙ୍କୁ, ନର୍ସିଂ ଷ୍ଟାଫଙ୍କୁ ଟିକା ଦିଆ ଯାଇ ନଥାନ୍ତା, ତେବେ କ’ଣ ହୋଇ ଥାଆନ୍ତା? ହସ୍ପିଟାଲର ସଫାଇ କରୁଥିବା ଆମର ଭାଇ ଭଉଣୀମାନଙ୍କୁ, ଆମ୍ବୁଲାନ୍ସର ଡ୍ରାଇଭର ଭାଇ-ଭଉଣୀମାନଙ୍କୁ ଟିକା ଦିଆ ଯାଇ ନଥାନ୍ତା, ତେବେ କ’ଣ ହୋଇ ଥାଆନ୍ତା? ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯିବା ଯୋଗୁଁ ହିଁ ସେମାନେ ନିଶ୍ଚିତ ହୋଇ ଅନ୍ୟମାନଙ୍କ ସେବାରେ ଲାଗି ପାରିଲେ, ଲକ୍ଷ-ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚାଇ ପାରିଲେ। କିନ୍ତୁ ଦେଶରେ ହ୍ରାସ ପାଉଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାଖକୁ ଭିନ୍ନ-ଭିନ୍ନ ପ୍ରସ୍ତାବ ଆସିବାରେ ଲାଗିଲା, ଭିନ୍ନ-ଭିନ୍ନ ଦାବି ହେବାକୁ ଲାଗିଲା। ପଚାରିବାକୁ ଲାଗିଲେ, ସବୁକିଛି ଭାରତ ସରକାର ହିଁ କାହିଁକି ସ୍ଥିର କରୁଛନ୍ତି? ରାଜ୍ୟ ସରକାରଗୁଡ଼ିକୁ କାହିଁକି ସ୍ୱାଧୀନ ଭାବେ ନିଷ୍ପତି ନେବା ପାଇଁ ଛାଡି ଦିଆଯାଉ ନାହିଁ? ରାଜ୍ୟ ସରକାରଙ୍କୁ ଲକଡାଉନର କୋହଳ ନିଷ୍ପତି କାହିଁକି ମିଳୁ ନାହିଁ? ଏକ ପ୍ରକାରର ଟିକା ଡୋଜ୍‍ ସମସ୍ତଙ୍କ ପାଇଁ କାହିଁକି ଫିଟ୍‍ ନୁହେଁ.. ଏଭଳି କଥା କୁହାଗଲା। ଏଭଳି ଦଲିଲ ଦିଆଗଲା ଯେ ସମ୍ବିଧାନରେ ସ୍ୱାସ୍ଥ୍ୟ-ଆରୋଗ୍ୟ, ପ୍ରମୁଖ ଭାବେ ହେଉଛି ରାଜ୍ୟର ବିଷୟ, ଏଥିପାଇଁ ଭଲ ହେବ ଯେ ଏହାସବୁ ରାଜ୍ୟମାନେ କରିବେ। ଏଥିପାଇଁ ଏ ଦିଗରେ ଏକ ଶୁଭାରମ୍ଭ କରାଗଲା। ଭାରତ ସରକାର ଏକ ବୃହତ ମାର୍ଗଦର୍ଶୀକା ପ୍ରସ୍ତୁତ କରି ରାଜ୍ୟଗୁଡ଼ିକୁ ଦେଲେ। ଫଳରେ ରାଜ୍ୟଗୁଡ଼ିକ ନିଜ ଆବଶ୍ୟକତା ଏବଂ ସୁବିଧା ଅନୁସାରେ କାର୍ଯ୍ୟ କରି ପାରିବେ। ସ୍ଥାନୀୟ ସ୍ତରରେ କରୋନା କର୍ଫ୍ୟୁ ଲଗାଇବା ହେଉ, ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିବା ହେଉ, ଚିକିତ୍ସା ସହିତ ଜଡ଼ିତ ବ୍ୟବସ୍ଥାଗୁଡ଼ିକ ହେଉ, ଭାରତ ସରକାର ରାଜ୍ୟଗୁଡ଼ିକର ଏହି ଦାବିକୁ ସ୍ୱୀକାର କଲେ।

ସାଥୀଗଣ,

ଚଳିତ ବର୍ଷ ଜାନୁଆରୀ 16 ତାରିଖରେ ଆରମ୍ଭ ହୋଇ ଅପ୍ରେଲ ମାସ ଶେଷ ପର୍ଯ୍ୟନ୍ତ, ଭାରତର ଟିକାକରଣ କାର୍ଯ୍ୟକ୍ରମ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଅନୁଧ୍ୟାନରେ ହିଁ ଚାଲିଲା। ସମସ୍ତଙ୍କୁ ମାଗଣା ଟିକା ଦେବାର ପଥରେ ଦେଶ ଆଗକୁ ବଢ଼଼ୁଥିଲା। ଦେଶର ନାଗରିକମାନେ ମଧ୍ୟ, ଅନୁଶାସନ ପାଳନ କରି, ନିଜ ପାଳି ଆସିବା ସମୟରେ ଟିକା ନେଉଥିଲେ। ଏହା ମଧ୍ୟରେ ଅନେକ ରାଜ୍ୟ ସରକାରମାନେ ପୁଣି କହିଲେ ଯେ ଟିକାର କାର୍ଯ୍ୟକୁ ବିକେନ୍ଦ୍ରୀକରଣ କରାଯାଉ ଏବଂ ରାଜ୍ୟ ଉପରେ ଛାଡ଼ି ଦିଆଯାଉ। ଭିନ୍ନ-ଭିନ୍ନ ପ୍ରକାରର ସ୍ୱର ଉଠିଲା। ଯେପରିକି ଟିକାକରଣ ପାଇଁ ବୟସ ବର୍ଗ କାହିଁକି କରାଗଲା? ଅନ୍ୟ ପକ୍ଷରେ ଆଉ କେହି କହିଲେ ଯେ ବୟସ ସୀମା କାହିଁକି କେନ୍ଦ୍ର ସରକାର ସ୍ଥିର କରୁଛନ୍ତି? ଏଭଳି ମଧ୍ୟ କିଛି ସ୍ୱର ଉଠିଲା ଯେ, ବୟସ୍କ ମାନଙ୍କୁ କାହିଁକି ପ୍ରଥମେ ଟିକା ଦିଆଯାଉଛି? ଭିନ୍ନ-ଭିନ୍ନ ପ୍ରକାରର ଔଷଧ ମଧ୍ୟ ପ୍ରସ୍ତୁତ କରାଗଲା, ଦେଶର ଗଣମାଧ୍ୟମର ଏକ ନିର୍ଦ୍ଧିଷ୍ଟ ବର୍ଗ ଏହାକୁ ନେଇ ଅଭିଯାନ ମଧ୍ୟ ଆରମ୍ଭ କଲେ।

ସାଥୀଗଣ,

ବହୁ ଚିନ୍ତନ-ମନନ ପରେ ଏହି କଥା ଉପରେ ସହମତି ପ୍ରକାଶ ପାଇଲା ଯେ ରାଜ୍ୟ ସରକାର ନିଜସ୍ୱ ସ୍ତରରେ ମଧ୍ୟ ପ୍ରୟାସ କରିବାକୁ ଚାହୁଁଛନ୍ତି, ତେଣୁ ଭାରତ ସରକାର କାହିଁକି ଆପତି କରିବେ? ଆଉ ଭାରତ ସରକାର କାହିଁକି ଆପତି କରିବେ? ରାଜ୍ୟଗୁଡ଼ିକର ଏହି ଦାବିଗୁଡ଼ିକୁ ଦୃଷ୍ଟିରେ ରଖି, ସେମାନଙ୍କ ଅନୁରୋଧକୁ ଧ୍ୟାନରେ ରଖି 16 ଜାନୁଆରୀରୁ ଯେଉଁ ବ୍ୟବସ୍ଥା ଚାଲି ଆସୁଥିଲା, ସେଥିରେ ପରୀକ୍ଷାମୂଳକ ଭାବେ ପରିବର୍ତନ ଅଣାଗଲା। ଆମେ ଚିନ୍ତାକଲୁ ଯେ ଯଦି ରାଜ୍ୟ ସରକାର ଏହି ଦାବି କରୁଛନ୍ତି, ସେମାନଙ୍କର ଉତ୍ସାହ ଅଛି, ତେବେ ଚାଲନ୍ତୁ ଭାଇ 25 ପ୍ରତିଶତ କାର୍ଯ୍ୟ ସେମାନଙ୍କୁ ସମର୍ପିତ କରି ଦିଆଯାଉ, ସେମାନଙ୍କୁ ଦିଆଯାଉ। ଏହା ହେଉଛି ସ୍ୱାଭାବିକ କଥା, ମଇ ଏକ ତାରିଖରୁ ରାଜ୍ୟଗୁଡ଼ିକୁ 25 ପ୍ରତିଶତ କାର୍ଯ୍ୟ ସେମାନଙ୍କ ଦାୟିତ୍ୱରେ ଦିଆଗଲା, ତାହାକୁ ପୂରଣ କରିବା ପାଇଁ ସେମାନେ ନିଜ-ନିଜ ସ୍ତରରେ ମଧ୍ୟ ପ୍ରୟାସ କଲେ।

ଏତେ ବଡ଼ କାର୍ଯ୍ୟରେ କିଭଳି ସମସ୍ୟା ଆସିଥାଏ, ତାହା ମଧ୍ୟ ସେମାନଙ୍କର ଦୃଷ୍ଟିକୁ ଆସିବାକୁ ଲାଗିଲା, ସେମାନଙ୍କୁ ଜଣା ପଡ଼ିଲା। ସାରା ଦୁନିଆରେ ଟିକାକରଣରେ ସ୍ଥିତି କ’ଣ ଅଛି, ଏହାର ସତ୍ୟତା ସହିତ ରାଜ୍ୟଗୁଡ଼ିକ ପରିଚିତ ହେଲେ। ଆଉ ଆମେ ଦେଖିଲୁ, ଗୋଟିଏ ପଟେ ମଇ ମାସରେ ଦ୍ୱିତୀୟ ଲହର ଅନ୍ୟ ପଟେ ଟିକାକରଣ ପାଇଁ ଲୋକଙ୍କ ମନରେ ବଢ଼଼ୁଥିବା ଉତ୍ସାହ ଏବଂ ତୃତୀୟ ପକ୍ଷରେ ରାଜ୍ୟ ସରକାରଙ୍କ ସମସ୍ୟା। ମଇ ମାସରେ ଦୁଇ ସପ୍ତାହ ଶେଷ ହେଉ-ହେଉ କିଛି ରାଜ୍ୟ ଖୋଲା ମନରେ କହିବାକୁ ଲାଗିଲେ ଯେ ପୂର୍ବର ବ୍ୟବସ୍ଥା ହିଁ ବହୁତ ଭଲ ଥିଲା। ଧୀରେ-ଧୀରେ ଏଥିରେ ରାଜ୍ୟ ସରକାରମାନେ ସାମିଲ ହେବାରେ ଲାଗିଲେ। ଟିକାକରଣର କାର୍ଯ୍ୟ ରାଜ୍ୟ ଉପରେ ଛାଡ଼ି ଦିଆଯାଉ, ଏହାକୁ ନେଇ ଯେଉଁମାନେ ଓକିଲାତି କରୁଥିଲେ, ସେମାନଙ୍କ ବିଚାର ମଧ୍ୟ ବଦଳିବାରେ ଲାଗିଲା। ଏହା ଏକ ଭଲ କଥା ହେଲା ଯେ ଉଚିତ ସମୟରେ ରାଜ୍ୟ, ପୁନଃର୍ବିଚାରର ଦାବି ସହିତ ପୁଣି ଆଗକୁ ଆସିଲେ। ରାଜ୍ୟର ଏହି ଦାବି ଉପରେ ଆମେ ମଧ୍ୟ ଚିନ୍ତାକଲୁ ଯେ ଦେଶବାସୀଙ୍କୁ ଅସୁବିଧା ନ ହେଉ, ସୂଚାରୁ ରୂପେ ସେମାନଙ୍କର ଟିକାକରଣ ହେଉ, ଏଥିପାଇଁ ମଇ ୧ର ପୂର୍ବରୁ ଥିବା, ଅର୍ଥାତ ମଇ 1 ପୂର୍ବରୁ 16 ଜାନୁଆରୀରୁ ଅପ୍ରେଲ ଶେଷ ପର୍ଯ୍ୟନ୍ତ ଯେଉଁ ବ୍ୟବସ୍ଥା ଥିଲା, ପୂର୍ବର ପୁରୁଣା ବ୍ୟବସ୍ଥାକୁ ପୁଣି ଲାଗୁ କରାଯାଉ।

ସାଥୀଗଣ,

ଆଜି ଏହି ନିଷ୍ପତି ନିଆଗଲା ଯେ ରାଜ୍ୟଗୁଡ଼ିକ ପାଖରେ ଟିକାକରଣ ସହିତ ଜଡ଼ିତ ଯେଉଁ 25 ପ୍ରତିଶତ କାର୍ଯ୍ୟ ଥିଲା, ତାହାର ଦାୟିତ୍ୱ ମଧ୍ୟ ଭାରତ ସରକାର ଉଠାଇବେ। ଏହି ବ୍ୟବସ୍ଥା ଆଗାମୀ ଦୁଇ ସପ୍ତାହରେ ଲାଗୁ କରାଯିବ। ଏହି ଦୁଇ ସପ୍ତାହରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନେ ମିଳିମିଶି ନୂତନ ମାର୍ଗଦର୍ଶୀକା ଅନୁସାରେ ଆବଶ୍ୟକ ପ୍ରସ୍ତୁତି କରିନେବେ। ସଂଯୋଗବଶତଃ ଦୁଇ ସପ୍ତାହ ପରେ, 21 ଜୁନ ହିଁ ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। 21 ଜୁନ, ସୋମବାର ଠାରୁ ଦେଶର ପ୍ରତ୍ୟେକ ରାଜ୍ୟରେ, 18 ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକମାନଙ୍କ ପାଇଁ, ଭାରତ ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗାଇ ଦେବେ। ଟିକା ନିର୍ମାତାମାନେ ମୋଟ ଟିକା ଉତ୍ପାଦନର 75 ପ୍ରତିଶତ ଭାରତ ସରକାର ନିଜେ କ୍ରୟ କରି ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇ ଦେବେ। ଅର୍ଥାତ ଦେଶର କୌଣସି ରାଜ୍ୟ ସରକାରଙ୍କୁ ମଧ୍ୟ ଟିକା ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏବେ ସୁଦ୍ଧା ଦେଶର କୋଟି-କୋଟି ଲୋକଙ୍କୁ ମାଗଣା ଟିକା ମିଳିଛି।

ଏବେ 18 ବର୍ଷ ଆୟୁର ଲୋକ ମଧ୍ୟ ଏହା ସହିତ ସାମିଲ ହୋଇଯିବେ। ସମସ୍ତ ଦେଶବାସୀଙ୍କ ପାଇଁ ଭାରତ ସରକାର ହିଁ ମାଗଣାରେ ଟିକା ଉପଲବ୍ଧ କରାଇବେ। ଗରିବ ହୁଅନ୍ତୁ, ନିମ୍ନ ମଧ୍ୟମ ବର୍ଗ ହୁଅନ୍ତୁ, ମଧ୍ୟମ ବର୍ଗ ହୁଅନ୍ତୁ ଅବା ପୁଣି ଉଚ୍ଚ ବର୍ଗ, ଭାରତ ସରକାରଙ୍କ ଅଭିଯାନରେ ମାଗଣାରେ ହିଁ ଟିକା ଦିଆଯିବ। ହଁ, ଯେଉଁ ବ୍ୟକ୍ତି ମାଗଣାରେ ଟିକା ନ ନେବାକୁ ଚାହିଁବେ, ଘରୋଇ ହସ୍ପିଟାଲରେ ଟୀକା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଦେଶରେ ପ୍ରସ୍ତୁତ ହେଉଥିବା ଟିକାର 25 ପ୍ରତିଶତ ଘରୋଇ କ୍ଷେତ୍ରର ହସ୍ପିଟାଲ ସିଧାସଳଖ ନେଇ ପାରିବେ, ଏହି ବ୍ୟବସ୍ଥା ଜାରି ରହିବ। ଘରୋଇ ହସ୍ପିଟାଲ, ଟିକାର ନିର୍ଦ୍ଧାରିତ ମୂଲ୍ୟ ପରେ ଗୋଟିଏ ଡୋଜ୍‍ ଉପରେ ସର୍ବାଧିକ 150 ଟଙ୍କାର ସର୍ଭିସ ଚାର୍ଜ ଦେଇ ନେଇ ପାରିବେ। ଏହାର ଅନୁଧ୍ୟାନ କରିବାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଖରେ ହିଁ ରହିବ।

ସାଥୀଗଣ,

ଆମର ଶାସ୍ତ୍ରରେ କୁହାଯାଇଛି-ପ୍ରାପ୍ୟ ଆପଦଂ ନ ବ୍ୟଥତେ କଦାଚିତ୍‍, ଉଦ୍ୟୋଗମ୍‍ ଅନୁଇଚ୍ଛତି ଚା ପ୍ରମତଃ।। ଅର୍ଥାତ୍‍, ବିଜେତା ବିପଦ ଆସିବାରେ ବିବ୍ରତ ହୋଇ ହାର ମାନି ନିଅନ୍ତି ନାହିଁ, ବରଂ ଉଦ୍ୟମ କରନ୍ତି, ପରିଶ୍ରମ କରନ୍ତି, ଆଉ ପରିସ୍ଥିତି ଉପରେ ବିଜୟ ହାସଲ କରି ଥାଆନ୍ତି। କରୋନାର ଲଢ଼େଇରେ 130 କୋଟିରୁ ଅଧିକ ଭାରତୀୟମାନେ ଏ ପର୍ଯ୍ୟନ୍ତର ଯାତ୍ରାପଥ ପାରସ୍ପରିକ ସହଯୋଗ, ଦିନ-ରାତି ପରିଶ୍ରମ କରି ଅତିକ୍ରମ କରିଛନ୍ତି। ଆଗକୁ ମଧ୍ୟ ଆମର ପଥ, ଆମର ଶ୍ରମ ଏବଂ ସହଯୋଗ ଦ୍ୱାରା ହିଁ ସୁଦୃଢ଼ ହେବ। ଆମେ ଟିକା ପ୍ରାପ୍ତ କରିବାର ଗତି ମଧ୍ୟ ବୃଦ୍ଧି କରିବୁ ଏବଂ ଟିକାକରଣ ଅଭିଯାନକୁ ମଧ୍ୟ ଆହୁରି ଗତି ଦେବୁ। ଆମକୁ ମନେ ରଖିବାକୁ ହେବ ଯେ, ଭାରତରେ ଟିକାକରଣ ଅଭିଯାନର ଗତି ଆଜି ମଧ୍ୟ ବିଶ୍ୱରେ ବହୁତ ଦ୍ରୁତ ଗତିରେ ଅଛି, ଅନେକ ବିକଶିତ ଦେଶଠାରୁ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଆମେ ଯେଉଁ ଟେକ୍ନୋଲୋଜି ମଞ୍ଚ ପ୍ରସ୍ତୁତ କରିଛୁ- କୋୱିନ, ତାକୁ ମଧ୍ୟ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଅନେକ ଦେଶ ମଧ୍ୟ ଭାରତର ଏହି ମଞ୍ଚକୁ ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆମେ ସମସ୍ତେ ଦେଖୁଛେ ଯେ ଟିକାଦାନର ଗୋଟିଏ ଗୋଟିଏ ଡୋଜ ହେଉଛି କେତେ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଡୋଜ ସହିତ ଗୋଟିଏ ଜୀବନ ଯୋଡ଼ି ହୋଇ ରହିଛି। କେନ୍ଦ୍ର ସରକାର ମଧ୍ୟ ଏହି ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ଯେ ପ୍ରତ୍ୟେକ ରାଜ୍ୟକୁ କିଛି ସପ୍ତାହ ପୂର୍ବରୁ ହିଁ ଜଣାଇ ଦିଆଯିବ ଯେ ସେମାନଙ୍କୁ କେବେ କେତେ ଡୋଜ୍‍ ମିଳିବାକୁ ଯାଉଛି। ମାନବତାର ଏହି ପବିତ୍ର କାର୍ଯ୍ୟରେ ବାଦବିବାଦ ଏବଂ ରାଜନୈତିକ ଟଣାଓଟରା, ଏଭଳି କଥାକୁ କେହି ମଧ୍ୟ ଭଲ ବୋଲି ଗ୍ରହଣ କରୁ ନାହାଁନ୍ତି। ଟିକାର ଉପଲବ୍ଧତା ଅନୁସାରେ ସମ୍ପୂର୍ଣ୍ଣ ଅନୁଶାସନ ସହିତ ଟିକା ଦିଆଯାଉଛି, ଦେଶର ପ୍ରତ୍ୟେକ ନାଗରିକ ପର୍ଯ୍ୟନ୍ତ ଆମେ ପହଞ୍ଚିପାରୁ, ଏହା ପ୍ରତ୍ୟେକ ସରକାର, ପ୍ରତ୍ୟେକ ଜନପ୍ରତିନିଧି, ପ୍ରତ୍ୟେକ ପ୍ରଶାସନର ହେଉଛି ସାମୁହିକ ଦାୟିତ୍ୱ।

ପ୍ରିୟ ଦେଶବାସୀଗଣ,

ଟିକାକରଣ ବ୍ୟତୀତ ଆଜି ଆଉ ଏକ ବଡ଼ ନିଷ୍ପତି ବିଷୟରେ ମୁଁ ଆପଣମାନଙ୍କୁ ଅବଗତ କରାଇବାକୁ ଚାହୁଁଛି। ଗତ ବର୍ଷ ଯେତେବେଳେ କରୋନା କାରଣରୁ ଲକଡାଉନ୍‍ କରିବାକୁ ପଡ଼ିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ, 8 ମାସ ପର୍ଯ୍ୟନ୍ତ 80 କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ରାସନର ବ୍ୟବସ୍ଥା ଆମ ଦେଶ କରିଥିଲା। ଚଳିତ ବର୍ଷ ମଧ୍ୟ ଦ୍ୱିତୀୟ ଲହର କାରଣରୁ ମଇ ଏବଂ ଜୁନ ମାସ ପାଇଁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଥିଲା । ଆଜି ସରକାର ଏହି ନିଷ୍ପତି ନେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏବେ ଦୀପାବଳୀ ପର୍ଯ୍ୟନ୍ତ ଆଗକୁ ବୃଦ୍ଧି କରାଯିବ। ମହାମାରୀର ଏହି ସମୟରେ ସରକାର ଗରିବଙ୍କ ପ୍ରତ୍ୟେକ ଆବଶ୍ୟକତା ସହିତ ତାଙ୍କର ବନ୍ଧୁ ହୋଇ ଠିଆ ହୋଇଛନ୍ତି। ଅର୍ଥାତ ନଭେମ୍ବର ମାସ ପର୍ଯ୍ୟନ୍ତ 80 କୋଟିରୁ ଅଧିକ ଦେଶବାସୀଙ୍କୁ, ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ପରିମାଣରେ ମାଗଣା ଖାଦ୍ୟଶସ୍ୟ ଉପଲବ୍ଧ ହେବ। ଏହି ପ୍ରୟାସର ଉଦ୍ଦେଶ୍ୟ ଏହା ଯେ ମୋର କୌଣସି ଗରିବ ଭାଇ- ଭଉଣୀମାନଙ୍କୁ ମଧ୍ୟ, ସେମାନଙ୍କ ପରିବାରକୁ, ଭୋକ ଉପାସରେ ଶୋଇବାକୁ ନପଡ଼ୁ।

ସାଥୀଗଣ,

ଦେଶରେ ହେଉଥିବା ଏହି ପ୍ରୟାସଗୁଡ଼ିକ ମଧ୍ୟରେ ଅନେକ କ୍ଷେତ୍ରରେ ଟିକାକୁ ନେଇ ଭ୍ରମଧାରଣା ଏବଂ ଗୁଜବ ଚିନ୍ତା ବଢ଼ାଇ ଥାଏ। ଏହି ଚିନ୍ତା ମଧ୍ୟ ମୁଁ ଆପଣଙ୍କ ସମ୍ମୁଖରେ ବ୍ୟକ୍ତ କରିବାକୁ ଚାହୁଁଛି। ଯେବେଠାରୁ ଭାରତରେ ଟିକାକରଣ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳ ଠାରୁ କିଛି ଲୋକଙ୍କ ଦ୍ୱାରା ଏଭଳି କଥା କୁହାଗଲା, ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହେଉ। ଏହା ମଧ୍ୟ ପ୍ରୟାସ ହେଲା, ଯେ ଭାରତର ଟିକା ନିର୍ମାତାମାନଙ୍କର ଉତ୍ସାହ ଥଣ୍ଡା ପଡ଼ିଯାଉ ଏବଂ ସେମାନଙ୍କ ସାମ୍ନାରେ ଅନେକ ପ୍ରକାରର ପ୍ରତିବନ୍ଧକ ଆସୁ। ଯେତେବେଳେ ଭାରତର ଟିକା ଆସିଲା, ତେବେ ଅନେକ ମାଧ୍ୟମରେ ଏହି ଶଙ୍କା-ଆଶଙ୍କାକୁ ଆହୁରି ବୃଦ୍ଧି କରାଗଲା। ଟିକା ନ ନେବା ପାଇଁ ଭିନ୍ନ-ଭିନ୍ନ ତର୍କ ପ୍ରଚାରିତ କରାଗଲା। ତାହା ମଧ୍ୟ ଦେଶ ଦେଖିଛି। ଯେଉଁ ଲୋକମାନେ ମଧ୍ୟ ଟିକାକୁ ନେଇ ଆଶଙ୍କା ସୃଷ୍ଟି କରୁଛନ୍ତି, ଗୁଜବ ସୃଷ୍ଟି କରୁଛନ୍ତି, ସେମାନେ ଦେଶର ସାଧାସିଧା ଭାଇ- ଭଉଣୀଙ୍କ ଜୀବନ ସହିତ ବହୁତ ବଡ଼ ଖେଳ ଖେଳୁଛନ୍ତି।

ଏହି ଗୁଜବ ଠାରୁ ସତର୍କ ରହିବାର ଆବଶ୍ୟକତା ଅଛି। ମୁଁ ମଧ୍ୟ ଆପଣ ସମସ୍ତଙ୍କୁ, ସମାଜର ପ୍ରବୃଦ୍ଧ ଲୋକମାନଙ୍କୁ, ଯୁବକମାନଙ୍କୁ ଅନୁରୋଧ କରୁଛି, ଯେ ଆପଣମାନେ ମଧ୍ୟ ଟିକାକୁ ନେଇ ସଚେତନତା ବୃଦ୍ଧି କରିବାରେ ସହଯୋଗ କରନ୍ତୁ। ଏବେ କେତେକ ସ୍ଥାନରେ କରୋନା କର୍ଫ୍ୟୁରେ କୋହଳ କରାଯାଉଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମମାନଙ୍କ ମଧ୍ୟରୁ କରୋନା ଚାଲି ଯାଇଛି। ଆମକୁ ମଧ୍ୟ ସାବଧାନ ରହିବାର ଅଛି, ଏବଂ କରୋନା ଠାରୁ ରକ୍ଷା ପାଇବା ପାଇଁ ମଧ୍ୟ କଡାକଡି ଭାବେ ନିୟମ ପାଳନ କରିବାର ଅଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆମେ ସମସ୍ତେ କରୋନାର ଏହି ଲଢ଼େଇରେ ଜିତିବା, ଭାରତ କରୋନା ଠାରୁ ଜିତିବ। ଏହି ଶୁଭକାମନା ସହିତ, ଆପଣ ସମସ୍ତ ଦେଶବାସୀଙ୍କୁ ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Invites everyone to Join #ParikshaPeCharcha26
February 05, 2026

Prime Minister Shri Narendra Modi invited everyone to join #ParikshaPeCharcha26 to be held tomorrow, 6th February at 10 AM. He highlighted that this year’s edition will feature very interesting topics relating to examinations, notably the importance of remaining stress free and focusing on learning. The Prime Minister emphasized that this platform has always been one he enjoys, as it provides him with the opportunity to interact with bright minds from across the country.

In a post on X, Shri Modi said:

"Do watch #ParikshaPeCharcha26 tomorrow, 6th February at 10 AM. This year’s PPC features very interesting topics relating to examinations, notably the need to remain stress free, focus on learning and more. This is a platform I’ve always enjoyed, as it gives me an opportunity to interact with bright minds from across the country. "