Swami Vivekananda's powerful thoughts continue to shape several minds: PM Modi
India today is a young country and it should develop both spiritually and materially: PM
India is a youthful nation. The thoughts of Swami Vivekananda inspire the youth towards nation building: PM
Unity in diversity is India's strength and countrymen should resolve to maintain oneness: PM
Poverty will be eliminated when the poor are empowered: PM Modi

ଅତୀବ ସମ୍ମାନନୀୟ ମୁରାରୀ ବାପୁଜୀ, ବିବେକାନନ୍ଦ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ପି.ପରମେଶ୍ୱରନ ଜୀ, ମୋର ମନ୍ତ୍ରୀମଣ୍ଡଳର ସହଯୋଗୀ ପୋନ॰ରାଧାକ୍ରିଷ୍ଣନଜୀ, ବିବେକାନନ୍ଦ ଆଶ୍ରମର ସ୍ୱାମୀଜୀ ଚୈତନ୍ୟାନନ୍ଦ ଜୀ, ବାଲକ୍ରିଷ୍ଣନ, ଭାନୁଦାସଜୀ, ବିବେକାନନ୍ଦ କେନ୍ଦ୍ରର ଉପାଧ୍ୟକ୍ଷ ନିବେଦିତା ଜୀ ଏବଂ ମୋର ପ୍ରିୟ ବନ୍ଧୁଗଣ ! ମୁଁ ଆପଣମାନଙ୍କ ଗହଣରେ ସଶରୀରେ ଉପସ୍ଥିତ ରହିବାକୁ ଖୁସି ମଣିଥାନ୍ତି । କିନ୍ତୁ ପ୍ରଯୁକ୍ତିର କ୍ଷମତାକୁ ଧନ୍ୟବାଦ ଆଜି ଏହି ଶୁଭ ଅବସରରେ ଏହି ପ୍ରଯୁକ୍ତି ଆମକୁ ପରସ୍ପର ସହ ସଂଯୁକ୍ତ କରିଛି । ସେ ଯାହା ହେଉ, ମୁଁ ଏହି ଅବସରରେ ଅତିଥି ନୁହେଁ ସତ କିନ୍ତୁ ଏହି ପରିବାରର ମୁଁ ଜଣେ ସଦସ୍ୟ । ମୁଁ ଆପଣମାନଙ୍କ ମଧ୍ୟରୁ ଜଣେ ।

ଜାନୁଆରୀ 12 ତାରିଖ । ଏହା କିଛି ସାଧାରଣ ଦିନ ନୁହେଁ । ଇତିହାସରେ ଏହାର ମାହାତ୍ମ୍ୟ ଖୋଦେଇ ହୋଇ ରହିଛି ଯେଉଁ ଦିନ ଏଭଳି ଏକ ସୁପୁତ୍ରକୁ ଭାରତ ମାତା ଜନ୍ମ ଦେଇଥିଲା । ଯିଏ ଜଣେ ମହାନ ଚିନ୍ତାନାୟକ ଭାବେ, ଆଲୋକବର୍ତ୍ତିକା ରୂପେ ଏବଂ ମହାନ ସାଧୁ ଭାବେ ଭାରତର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପରିଚିତ କରାଇଥିଲେ ।

ଏହି ଅବସରରେ ମୁଁ ପୂଜ୍ୟ ସ୍ୱାମୀ ବିବେକାନନ୍ଦଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଏପରି ଜଣେ ବିଶାଳ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ଅସୀମ ଚିନ୍ତନ ଅସଂଖ୍ୟ ଲୋକଙ୍କୁ ପ୍ରଭାବିତ କରିପାରିଥିଲା ।

ଆଜି ବିବେକାନନ୍ଦପୁରମ ଠାରେ ରାମାୟଣ ଦର୍ଶନମ, ଭାରତମାତା ସଦନମର ଲୋକାର୍ପଣ ହେଉଛି । ହନୁମାନଜୀଙ୍କର 27 ଫୁଟ ଉଚ୍ଚ ବିଶାଳ ପ୍ରତିମା ଯାହାକି ଖଣ୍ଡିଏ ପଥରରେ ନିର୍ମିତ । ତାହା ବି ସ୍ଥାପନ କରାଯାଉଛି । ଆପଣମାନେ ଏହି ସମ୍ବନ୍ଧରେ ମୋ ନିକଟକୁ ଯେଉଁ ଭିଡିଓ ପଠାଇଥିଲେ । ତାକୁ ମୁଁ ଦେଖିଛି ଏବଂ ସେ ଭିଡିଓକୁ ଦେଖିବା ପରେ ମୁଁ କହିପାରିବି ଯେ ସେଥିରେ ଦିବ୍ୟତା ବି ରହିଛି ଓ ଭବ୍ୟତା ବି ରହିଛି ।

ଆଜି ମଧ୍ୟ ବିବେକାନନ୍ଦ କେନ୍ଦ୍ରର ସଂସ୍ଥାପକ ସ୍ୱର୍ଗୀୟ ଏକନାଥ ରାଣାଡେଙ୍କର ଫଟୋ ଚିତ୍ର ଅନାବରଣ କରାଯାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଆଜିର ଏହି ଆୟୋଜନ ସକାଶେ ମୁଁ ମୋ ହୃଦୟରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଭାଇ ଓ ଭଉଣୀମାନେ, ଆଜି ଆପଣମାନେ ଯେଉଁ ସ୍ଥାନରେ ଉପସ୍ଥିତ ହୋଇଛନ୍ତି ତାହା କୌଣସି ସାମାନ୍ୟ ସ୍ଥାନ ନୁହେଁ । ସେ ଭୂମି ଏ ରାଷ୍ଟ୍ରର ତପୋଭୂମି ସଙ୍ଗେ ସମାନ । ଯଦି ହନୁମାନଜୀଙ୍କୁ ନିଜର ଜୀବନର ଉଦ୍ଦେଶ୍ୟ ମିଳିଥିଲା, ତ ତାହା ଏହି ଭୂମିରୁ ହିଁ ମିଳିଥିଲା । ଏହିଠାରେ ଜାମ୍ବବାନ ତାଙ୍କୁ କହିଥିଲେ ଯେ ତୁମ ଜନ୍ମ ଭଗବାନ ଶ୍ରୀରାମଙ୍କ କାର୍ଯ୍ୟ କରିବା ଲାଗି ଉଦ୍ଦିଷ୍ଟ । ଏହି ଭୂମି ଉପରେ ମା ପାର୍ବତୀଙ୍କୁ କନ୍ୟାକୁମାରୀଙ୍କୁ ତାଙ୍କ ଜୀବନର ଉଦ୍ଦେଶ୍ୟ ପ୍ରାପ୍ତ ହୋଇଥିଲା । ଏହି ସେଇ ଭୂମି ଯେଉଁଠାରେ ମହାନ ସମାଜ ସଂସ୍କାରକ ସନ୍ଥ ଥିରୁବଲ୍ଲୁଭରଙ୍କୁ ଦୁଇ ହଜାର ବର୍ଷ ପୂର୍ବେ ଜ୍ଞାନାମୃତ ପ୍ରାପ୍ତ ହୋଇଥିଲା । ଇଏ ସେଇ ଭୂମି ଯେଉଁଠାରେ ସ୍ୱାମୀ ବିବେକାନନ୍ଦଙ୍କୁ ବି ତାଙ୍କ ଜୀବନର ଉଦ୍ଦେଶ୍ୟ ପ୍ରାପ୍ତ ହୋଇଥିଲା । ଏହିଠାରେ ତପସ୍ୟା କରିବା ପରେ ତାଙ୍କୁ ଜୀବନର ଲକ୍ଷ୍ୟ ଓ ସେଇ ଲକ୍ଷ୍ୟ ପ୍ରାପ୍ତି ଲାଗି ମାର୍ଗଦର୍ଶନ ମିଳିଥିଲା । ଏହା ସେଇ ସ୍ଥାନ ଯେଉଁଠାରେ ଏକନାଥ ରାଣାଡେ ଜୀଙ୍କୁ ବି ତାଙ୍କ ଜୀବନର, ଜୀବନ ଯାତ୍ରାର ନୂଆ ମୋଡ ପ୍ରାପ୍ତ ହୋଇଥିଲା । ଏକ ନୂଆ ଲକ୍ଷ୍ୟ ପ୍ରସ୍ଥାପିତ ହୋଇଥିଲା । ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ “ଗୋଟିଏ ଜୀବନ ଗୋଟିଏ ଲକ୍ଷ୍ୟ” ରୂପରେ ଏଇ କାର୍ଯ୍ୟ ଲାଗି ଆହୁତି ଭଳି ସମର୍ପିତ କରିଥିଲେ । ଏଇ ପବିତ୍ର ଭୂମିକୁ, ଏଇ ତପୋଭୂମିକୁ ମୋର ଶତ ଶତ ବନ୍ଦନ, ଶତ ଶତ ପ୍ରଣାମ ।

2014 ରେ ଯେତେବେଳେ ଆମେ ଏକନାଥଜୀଙ୍କର ଜନ୍ମ ଶତାଦ୍ଦୀ ମନାଉଥିଲେ, ସେତେବେଳେ ମୁଁ କହିଥିଲି, ଯେ ଏଇ ଅବସର ଯୁବକମାନଙ୍କ ମନକୁ ଉଜ୍ଜୀବିତ କରିବା ଲାଗି ଉଦ୍ଦିଷ୍ଟ । ଆମର ଭାରତ ଯୁବ ଭାରତ - ତେଣୁ ତାହା ଦିବ୍ୟ ହେଉ, ଭବ୍ୟ ବି ହେଉ । ଆଜି ସାରା ସଂସାର ଭାରତର ଦିବ୍ୟତାର ଅନୁଭୂତିକୁ ଅପେକ୍ଷାରତ । ଏବଂ ଭାରତ ଗରିବ, ଦଳିତ, ପୀଡିତ, ଶୋଷିତ, ବଂଚିତ । ସେମାନେ ବି ଭାରତର ଭବ୍ୟତାକୁ ଆପେକ୍ଷମାଣ ଏବଂ ବିଶ୍ୱ ପାଇଁ ଯାହା ଦିବ୍ୟତା, ଦେଶ ପାଇଁ ତାହା ଭବ୍ୟତା । ଏବଂ ଏହି ଦୁଇ ଶକ୍ତିକୁ ଏକଜୁଟ କରି ଆମକୁ ଦେଶ ନିର୍ମାଣ କାର୍ଯ୍ୟରେ ଆଗକୁ ଅଗ୍ରସର ହେବାକୁ ହେବ । ଭାଇ ଓ ଭଉଣୀମାନେ, ଆଜି ଭାରତ ସାରା ପୃଥିବୀର ସବୁଠାରୁ ଯୁବ ରାଷ୍ଟ୍ର ଭାବେ ପରିଚିତ । ଯୁବ ରାଷ୍ଟ୍ର । ଦେଶର 80 କୋଟିରୁ ଅଧିକ ଲୋକଙ୍କ ଆୟୁ 35 ବର୍ଷରୁ କମ । ସ୍ୱାମୀ ବିବେକାନନ୍ଦ ଆଜି ଆମ ଗହଣରେ ନାହାନ୍ତି । ସଶରୀରେ ନାହାନ୍ତି । କିନ୍ତୁ ତାଙ୍କ ବିଚାରରେ ଏତେ ଶକ୍ତି ରହିଛି, ଏତେ ପ୍ରେରଣା ରହିଛି ଯେ ଦେଶର ଯୁବଶକ୍ତିଙ୍କୁ ଏକଜୁଟ କରି ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ମାର୍ଗ ଦର୍ଶନ କରାଉଛି ।

ଏକନାଥ ରାଣାଡେ ଜୀ ଯୁବକମାନଙ୍କ ଏଇ ଶକ୍ତିକୁ ଏକଜୁଟ କରିବା ସକାଶେ ବିବେକାନନ୍ଦ କେନ୍ଦ୍ର ଓ ସ୍ୱାମୀ ବିବେକାନନ୍ଦ ରକ ମେମୋରିଆଲର ସ୍ଥାପନ କରିଥିଲେ । ଏକନାଥ ରାଣାଡେ ଜୀ କହୁଥିଲେ ଆମକୁ ସ୍ୱାମୀ ବିବେକାନନ୍ଦ ଭଲ ଲାଗନ୍ତି କେବଳ ଏତିକି କହିଦେଲେ କିଛି ହେବନାହିଁ । ଦେଶ ପାଇଁ ସ୍ୱାମୀ ବିବେକାନନ୍ଦ ଯେଉଁ କଳ୍ପନା କରିଛନ୍ତି ତାକୁ ସାକାର କରିବା ଲାଗି ସେଥିରେ ଶତତ ଯୋଗଦାନକୁ ବି ଆମକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରିବାକୁ ହେବ । ଏକନାଥଜୀ ଯେଉଁ ଗୋଟିଏ ଉଦ୍ଦେଶ୍ୟ ଲାଗି ତାଙ୍କର ସମଗ୍ର ଜୀବନ ସମର୍ପିତ କରିଦେଇଥିଲେ ତାହା ଥିଲା – ସ୍ୱାମୀ ବିବେକାନନ୍ଦ ଜୀଙ୍କ ଭଳି ଯୁବକଙ୍କ ନିର୍ମାଣ । ସେ ଯୁବକମାନଙ୍କ ପ୍ରାଣରେ ସଦାସର୍ବଦା ସେଇ ରାଷ୍ଟ୍ର ନିର୍ମାଣ ଆଦର୍ଶ ଜନ୍ମାଇବାକୁ ଚାହୁଁଥିଲେ, ଯେଉଁ ଆଦର୍ଶ, ଯେଉଁ ମୂଲ୍ୟବୋଧ ସ୍ୱାମୀ ବିବେକାନନ୍ଦଜୀଙ୍କ ମନରେ ଥିଲା ।

ମୋର ବହୁତ ସୌଭାଗ୍ୟ ଯେ ଜୀବନର ଅନେକ ବର୍ଷ ପର୍ଯ୍ୟନ୍ତ ଏକନାଥଜୀଙ୍କ ନିକଟତମ ସାଥୀମାନଙ୍କ ସହ କାମ କରିବାର ସୁଯୋଗ ଜୁଟିଥିଲା । ଏହି ଧରିତ୍ରୀ ଉପରେ କେତେଥର ଆସି ସେମାନଙ୍କ ସାନ୍ନିଧ୍ୟ ଲାଭ କରି ଜୀବନର ଉଦ୍ଦେଶ୍ୟ ସାଧନ କରିବାକୁ ସୁଯୋଗ ମିଳିଥିଲା ।

ଏକନାଥଜୀଙ୍କ ଜନ୍ମ ଶତାଦ୍ଦୀ ଅବସରରେ ହିଁ ସ୍ଥିର ହୋଇଥିଲା ଯେ ଆମର ସଂସ୍କୃତି ଏବଂ ଆମର ଚିନ୍ତନ ପ୍ରକ୍ରିୟାରେ ରାମାୟଣର ପ୍ରଭାବକୁ ଦର୍ଶାଇ ଏକ ପ୍ରଦର୍ଶନୀର ଆୟୋଜନ କରାଯିବା ଦରକାର । ଆଜି ରାମାୟଣ ଦର୍ଶନମ ଭବ୍ୟ ରୂପରେ ଆମମାନଙ୍କ ସମ୍ମୁଖରେ ରହିଛି ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଦେଶ ବିଦେଶର ଯେଉଁ ପର୍ଯ୍ୟଟକମାନେ ରକ ମେମୋରିଆଲ ଦେଖିବାକୁ ଏଠାକୁ ଆସୁଛନ୍ତି, ସମ୍ଭବତଃ ରାମାୟଣ ଦର୍ଶନମ ସେମାନଙ୍କୁ ଯଥେଷ୍ଟ ମାତ୍ରାରେ ପ୍ରେରଣା ଯୋଗାଇବ । ପ୍ରଭାବିତ କରିବ । ମର୍ଯ୍ୟାଦାପୁରୁଷ ଶ୍ରୀରାମ ଭାରତର କୋଣ ଅନୁକୋଣରେ ରହିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଅଛନ୍ତି ଏବଂ ସେଇଥିପାଇଁ ଆମେମାନେ ଯେତେବେଳେ ଶ୍ରୀରାମଙ୍କ ବିଷୟରେ କିଛି ଚିନ୍ତାକରୁ, ସେତେବେଳେ ପ୍ରଭୁ ଶ୍ରୀରାମ ଏକ ଆଦର୍ଶ ପୁତ୍ର-ଭାଇ-ପତି, ମିତ୍ର ଏବଂ ଆଦର୍ଶସ୍ଥାନୀୟ ରାଜା ଭାବେ ଆମ ନିକଟରେ ଉପଜୀବ୍ୟ ହୁଅନ୍ତି । ଅଯୋଧ୍ୟା ବି ଏକ ଆଦର୍ଶ ନଗରୀ ଥିଲା । ରାମରାଜ୍ୟ ଏକ ଆଦର୍ଶ ଶାସନ ବ୍ୟବସ୍ଥା ଥିଲା । ସେଇଥିପାଇଁ ପ୍ରଭୁ ଶ୍ରୀରାମ ଏବଂ ତାଙ୍କ ରାଜ୍ୟର ଆକର୍ଷଣ ସମୟାନ୍ତରେ ଦେଶର ମହାନ ବ୍ୟକ୍ତିମାନଙ୍କୁ ନିଜ ନିଜ ଢ଼ଙ୍ଗରେ ରାମାୟଣର ବ୍ୟାଖ୍ୟା କରିବାକୁ ପ୍ରେରିତ କରି ଆସୁଛି । ସେଇସବୁ ବ୍ୟାଖ୍ୟାର ଝଲକ ରାମାୟଣ ଦର୍ଶନମରେ ମିଳିବ ।

ମହାକବି କମ୍ବନ ତାଙ୍କର କମ୍ବ ରାମାୟଣମରେ କୋଶଳ ରାଜ୍ୟକୁ ଏକ ସୁଶାସିତ ରାଜ୍ୟ ବୋଲି ବର୍ଣ୍ଣନା କରିଥିଲେ । ସେ ତାମିଲରେ ଯାହା ଲେଖିଥିଲେ ମୁଁ ଯଦି ତାଙ୍କୁ ଇଂରାଜୀରେ ଅନୁବାଦ କରିବି; ତା ହେଲେ ତାହା ଏଇଭଳି ହେବ । ସେ ଲେଖିଥିଲେ –

None were generous that land as

None was needy

None seemed brave as none defied

Truth was unnoticed as there were no liars

No learning stood out as all were learned

Since no one in that city ever stopped learning

None was ignorant and none fully learned

Since all alike had all the wealth

None was poor and none was rich

ଏହା ଥିଲା କମ୍ବନଙ୍କ ଦ୍ୱାରା ରାମରାଜ୍ୟର ବର୍ଣ୍ଣନା । ମହାତ୍ମା ଗାନ୍ଧୀ ବି ଏଇସବୁ ବିଶେଷତାଗୁଡିକ ଆଧାରରେ ରାମରାଜ୍ୟର କଥା ବଖାଣିଥିଲେ । ନିଶ୍ଚିତ ରୂପେ ଏହା ଏପରି ଶାସନ ଥିଲା । ଯେଉଁଠି ବ୍ୟକ୍ତି କଦାପି ଗୁରୁତ୍ୱ ବହନ କରୁନଥିଲା, ନୀତି ଥିଲା ଗୁରୁତ୍ୱପୂର୍ଣ୍ଣ । ଗୋସ୍ୱାମୀ ତୁଳସୀ ଦାସ ବି ରାମଚରିତମାନସରେ ରାମରାଜ୍ୟ କଥା ବିସ୍ତୃତ ରୂପେ ବର୍ଣ୍ଣନା କରିଯାଇଛନ୍ତି । ରାମରାଜ୍ୟ, ଅର୍ଥାତ ଯେଉଁଠି କେହି ଗରିବ ନଥିବେ, ଦୁଃଖୀ ନଥିବେ, କେହି କାହାକୁ ଘୃଣା କରୁନଥିବ, ଯେଉଁଠି ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିଥିବେ । ଯେଉଁଠାରେ ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ସମନ୍ୱୟ ରହିଥିବ । ସେ ଲେଖି ଯାଇଛନ୍ତି-

ଦୈହିକ ଦୈବିକ ଭୌତିକ ତାପା, ରାମ ରାଜ ହିଁ କାହୁହି ବ୍ୟାପା ।

ସବ ନର କରହିଁ ପରସ୍ପର ପ୍ରୀତି, ଚଲ ହିଁ ସ୍ୱଧର୍ମ ନିରତ ଶ୍ରୁତି ନୀତି ।

ଅଳ୍ପମୃତ୍ୟୁ ନାହିଁ କବନିଉ ପୀରା, ସବ ସୁନ୍ଦର ସବ ବିରୁଜ ଶରୀରା ।

ନହିଁ ଦଶନ୍ଦ୍ର କୋଉ ଦୁଃଖୀ ନଦୀନା, ନହିଁ କୋଉ ଅବୁଧ ନ ଲଚ୍ଛନ ହୀନା ।

ରାମ ରାବଣଙ୍କୁ ହରାଇ ବଡ ହୋଇନଥିଲେ । ପରନ୍ତୁ ରାମ ସେତିକି ବେଳେ ରାମ ହେଲେ ଯେତେବେଳେ ସେ ସେଇସବୁ ଲୋକମାନଙ୍କୁ ସାଥୀରେ ନେଲେ ଯେଉଁମାନେ ସର୍ବହରା ଥିଲେ । ସାଧନହୀନ ଥିଲେ । ସେ ସେଇ ଲୋକଙ୍କ ଆତ୍ମଗୌରବ ଫେରାଇ ଦେଇଥିଲେ ଏବଂ ସେମାନଙ୍କ ମନରେ ବିଜୟର ବିଶ୍ୱାସ ସୃଷ୍ଟି କରିଥିଲେ । ଭଗବାନ ରାମ ତାଙ୍କ ଜୀବନରେ ସେଇ ଭୂମିକାକୁ ସ୍ୱୀକାର କରିନଥିଲେ ଯାହା ତାଙ୍କର ବଂଶ ଦ୍ୱାରା ପ୍ରତିଷ୍ଠିତ ପରମ୍ପରା ଥିଲା । ଗୋଟିଏ ଗୋଟିଏ ବରରେ ଆମେମାନେ କେତେ କଥା ଜାଣିଛୁ । ସେ ଅଯୋଧ୍ୟାରୁ ବାହାରକୁ ବାହାରିଥିଲେ । ସେ ନିଜ ନଗରୀର ସୀମାରୁ ବି ବାହାରକୁ ବାହାରି ନଥିଲେ । କିନ୍ତୁ ପୁରା ବିଶ୍ୱକୁ, ସମଗ୍ର ମାନବଜାତିକୁ ନିଜ ଭିତରେ ସମାହିତ କରି ଆଦର୍ଶ କଣ, ମୂଲ୍ୟ କଣ ତାହା ପ୍ରତିପାଦିତ କରିପାରିଥିଲେ । ମୂଲ୍ୟବୋଧ ପ୍ରତି ଜୀବନର ସମର୍ପଣ ଭାବ କହିଲେ କଣ ବୁଝାଏ ।

ସେ ସେହିଭଳି ଜୀବନ ବଞ୍ଚି ତାହା ପ୍ରତିପାଦିତ କରିଥିଲେ ଏବଂ ସେଇଥି ଲାଗି ମୁଁ ଭାବୁଛି ଯେ ଏ ରାମାୟଣ ଦର୍ଶନମ ନିଜେ ନିଜ ଭିତରେ ବିବେକାନନ୍ଦପୁରମଠାରେ ଏକ ପ୍ରାସଙ୍ଗିକ ଘଟଣା ଏବଂ ଆମେମାନେ ଜାଣିଛେ ଯେ ପ୍ରଗତି ପାଇଁ, ସମାଜକୁ ଯେତିକି ସବଳ ହେବା ଦରକାର, ରାଜ୍ୟ ବି ସେତିକି ସୁରାଜ ହେବା ଉଚିତ ।

ଆମେ ଯେତେବେଳେ ମର୍ଯ୍ୟାଦା ପୁରୁଷ ରାମଙ୍କୁ ଦେଖୁ, ସେତେବେଳେ ବ୍ୟକ୍ତିର ବିକାଶ, ବ୍ୟବସ୍ଥାର ବିକାଶ ଏସବୁ କଥା ସହଜ ଭାବେ ଦୃଶ୍ୟମାନ ହୋଇଥାଏ ।

ଭାଇ ଓ ଭଉଣୀମାନେ, ଏକନାଥଜୀ ବି ସଦାସର୍ବଦା ଚାହୁଁଥିଲେ ଯେ ଦେଶର ଆଧ୍ୟାତ୍ମିକ ଶକ୍ତିକୁ ଉଦ୍ରେକ କରି, ଦେଶର କର୍ମଶକ୍ତି ବା କର୍ମ କୌଶଳକୁ ସକାରାତ୍ମକ ଭାବେ ଉପଯୋଗ କରାଯିବା ଉଚିତ । ଆଜି ଯେତେବେଳେ ବିବେକାନନ୍ଦ କେନ୍ଦ୍ରଠାରେ ହନୁମାନଜୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି ।

ସେତେବେଳେ ତାଙ୍କର ଏଇ କଥନୀର ପ୍ରୋତ୍ସାହନ କଥା ବି ବୁଝାପଡୁଛି ।

ହନୁମାନଜୀ ଅର୍ଥାତ ସେବା, ହନୁମାନଜୀ ଅର୍ଥାତ ସମର୍ପଣ ଭକ୍ତିର ସ୍ୱରୂପ ଥିଲେ । ଯେଉଁଥି ଲାଗି ସେବା ହିଁ ପରମ ଧର୍ମରେ ପରିଣତ ହେଲା । ଯେତେବେଳେ ସେ ସମୁଦ୍ରକୁ ଲଙ୍ଘୁଥିଲେ, ସେତେବେଳେ ମୈନାକ ପର୍ବତ ତାଙ୍କୁ ମଝିରେ ବିଶ୍ରାମ ଦେବାକୁ ଚାହୁଁଥିଲା । କିନ୍ତୁ ସଂକଳ୍ପ ସିଦ୍ଧି ପୂର୍ବରୁ ହନୁମାନଜୀଙ୍କ ଲାଗି ଶିଥିଳତାର ଅବସର ହିଁ ନଥିଲା । ନିଜର ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ସେ ଆରାମ କରିବାକୁ ଚାହିଁନଥିଲେ ।

ହନୁମାନଜୀଙ୍କ ସେବାଭାବ ସମ୍ପର୍କରେ ଭାରତରତ୍ନ ସି॰ରାଜଗୋପଳଚାରୀଜୀ ବି ନିଜ ରାମାୟଣରେ ଉଲ୍ଲେଖ କରିଛନ୍ତି । ଯେତେବେଳେ ହନୁମାନଜୀ ସୀତା ମାତାଙ୍କୁ ଭେଟି ଫେରୁଥିଲେ, ଭଗବାନ ରାମଙ୍କୁ ମାତା ସୀତାଙ୍କ ସକୁଶଳ ବାର୍ତ୍ତା ବର୍ଣ୍ଣନା କରୁଥିଲେ, ସେତେବେଳେ ରାମ କହିଥିଲେ –

“ହନୁମାନ ଯେଉଁ କାର୍ଯ୍ୟକୁ ସାକାର କରି ଦେଖାଇଛନ୍ତି, ସଂସାରରେ ଆଉ କେହି ହେଲେ ଏପରି ଉଦ୍ୟମ ସୁଦ୍ଧା କଳ୍ପନା କରିପାରିବେ ନାହିଁ” । ଅର୍ଥାତ ସମୁଦ୍ରକୁ ଲଙ୍ଘିବା, ମହାପ୍ରତାପୀ ରାବଣ ଓ ତାର ସେନା ଦ୍ୱାରା ସୁରକ୍ଷିତ ଲଙ୍କାପୁରୀ ମଧ୍ୟରେ ପ୍ରବେଶ କରିବା ଏବଂ ନିଜର ରାଜନଙ୍କ ଦ୍ୱାରା ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱକୁ ସମ୍ପନ୍ନ କରିବା ଯାହାକି କେବଳ ସମ୍ପୂର୍ଣ୍ଣ ନଥିଲା ପରନ୍ତୁ ସମସ୍ତଙ୍କ କଳ୍ପନା ବାହାରେ ଥିଲା ।

ତେଣୁ ଭାଇ ଓ ଭଉଣୀମାନେ, ଆମେ ବି ସମସ୍ତଙ୍କ ସାଥୀରେ ଓ ସମସ୍ତଙ୍କ ବିକାଶ ଏଇ ମାର୍ଗଦର୍ଶିକା ସହ ଆଗକୁ ଅଗ୍ରସର ହେଉଛୁ । ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ପାଇଁ ଜନଧନ ଯୋଜନା ମାଧ୍ୟମରେ ଗରିବମାନଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡିବା କାର୍ଯ୍ୟରେ ନିୟୋଜିତ ଅଛୁ । ଆଜି ଗରିବମାନଙ୍କ ପାଇଁ ଏକ ବ୍ୟବସ୍ଥା କରି ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଆମେ ପ୍ରୟାସ କରୁଛୁ । ବୀମା କରିବାର ବିକଳ୍ପ ଅଛି । ଦେଶର କୃଷକମାନଙ୍କୁ ଏହାର ସୁଫଳ ମିଳିଛି । କୃଷକମାନଙ୍କୁ ସବୁଠାରୁ କମ ପ୍ରିମିୟମରେ ଫସଲ ବୀମା ଯୋଜନାର ବ୍ୟବସ୍ଥା କରାଯାଇଛି । କନ୍ୟାସନ୍ତାନ ମାନଙ୍କୁ ବଞ୍ଚାଇବା ସକାଶେ ସେମାନଙ୍କୁ ପାଠ ପଢ଼ାଇବା ଲାଗି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗର୍ଭବତୀ ମହିଳାମାନଙ୍କୁ ଆର୍ଥିକ ସୁବିଧା ଦେବା ନିମନ୍ତେ ଦେଶବ୍ୟାପୀ ଯୋଜନା ପ୍ରଣୟନ କରାଯାଇଛି । 5 କୋଟି ପରିବାର ଯେଉଁ ପରିବାରର ମା’ମାନେ ଜାଳେଣି କାଠକୁ ଚୁଲିରେ ଜଳାଇ ଖାଦ୍ୟ ରାନ୍ଧୁ ଥିଲେ, ପ୍ରତିଦିନ ସେଇ କାଠଚୁଲି ଧୂଆଁରୁ ଚାରି ଶହ ସିଗାରେଟର ଧୂଆଁ ସେମାନେ ନିଃଶ୍ୱାସରେ ଗ୍ରହଣ କରୁଥିଲେ । ତାହା ସେମାନଙ୍କ ଶରୀରକୁ ଯାଉଥିଲା । ସେଇସବୁ ମା’ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯତ୍ନ ମିଳୁ । ପ୍ରାଥମିକ ସୁବିଧା ମିଳୁ । 5 କୋଟି ପରିବାରଙ୍କୁ ଗ୍ୟାସ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ଆମେ ମୁଣ୍ଡକୁ ନେଇଛୁ ଏବଂ ଦେଢ଼ କୋଟି ପରିବାରକୁ ତାହା ଯୋଗାଇ ସାରିଛୁ ।

ଦଳିତ, ପୀଡିତ ଓ ବଞ୍ଚିତଙ୍କ ସେବା, ଏହା ହିଁ ତ ଜନସେବା, ପ୍ରଭୁସେବାର ମନ୍ତ୍ର । ଆମେ ଦେଶର ଦଳିତ ଯୁବକଯୁବତୀମାନଙ୍କୁ Stand up India, Start up India ମାଧ୍ୟମରେ ସଶକ୍ତ କରାଯାଉଛି । ଛୋଟ ଛୋଟ ବ୍ୟାପାରୀମାନଙ୍କୁ କମ ସୁଧରେ ଋଣ ମିଳିପାରିବ, ଖାସ ସେଇଥି ପାଇଁ ମୁଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି । ଦରିଦ୍ର ଲୋକମାନଙ୍କ ଦାରିଦ୍ର୍ୟ ସେତିକି ବେଳେ ଦୂର ହେବ ଯେତେବେଳେ ସେମାନେ ସଶକ୍ତ ହୋଇପାରିବେ । ଯେତେବେଳେ ଗରିବ ଲୋକମାନେ ସଶକ୍ତ ହେବେ, ସେତେବେଳେ ସ୍ୱୟଂ ଦାରିଦ୍ର୍ୟ ଦୂର ହୋଇଯିବ ଏବଂ ଗରିବୀରୁ ମୁକ୍ତିର ଆନନ୍ଦ ସେଇମାନେ ନେଇପାରିବେ ଓ ଏକ ନୂତନ ଶକ୍ତିର ସହ ସେମାନେ ଆଗକୁ ଅଗ୍ରସର ହେବେ ।

ରାମାୟଣରେ ଯେତେବେଳେ ଭଗବାନ ରାମ ଏବଂ ଭରତଙ୍କ ମଧ୍ୟରେ ଶାସନକୁ ନେଇ କଥୋପକଥନ ହେଉଥିଲା । ସେତେବେଳେ ଭଗବାନ ରାମ ଭରତକୁ କହିଥିଲେ –

“କଚ୍ଚିଦ ଅର୍ଥମ ବନିଶ୍ଚିତ୍ୟ ଲଘୁ ମୂଳମ ମହାଉଦୟମ ।

କ୍ଷିପ୍ରମ ଆରଭସେ କର୍ତୁମ ନ ଦୀର୍ଘୟସି ରାଘବ ।”

ଅର୍ଥାତ, ହେ ଭରତ, ଏପରି ଯୋଜନା କାର୍ଯ୍ୟକାରୀ କର ଯାହା ଫଳରେ କମ ବ୍ୟୟରେ ଅଧିକରୁ ଅଧିକ ଲୋକଙ୍କୁ ସୁଫଳ ମିଳିପାରିବ । ରାମଚନ୍ଦ୍ର ଭରତଙ୍କୁ ଏକଥା ବି କହିଥିଲେ ଯେ ଏଇସବୁ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାରେ କଦାଚିତ ବିଳମ୍ବ କରିବା ଅନୁଚିତ ।

ଆୟଃ ତେ ବିପୁଳଃ କଚ୍ଚିତ କଚ୍ଚିଦ ଅଳ୍ପତରୋ ବ୍ୟୟଃ ।

ଅପାତ୍ରେଷୁ ନ ତେ କଚ୍ଚିତ କୋଷ ଗଚ୍ଛତି ରାଘବ ।

ଏହାର ଅର୍ଥ ହେଉଛି ହେ ଭରତ, ଏହି କଥାକୁ ଧ୍ୟାନରେ ରଖିଥିବ ଯେ ଉପାର୍ଜନ ଅଧିକ ହେଉଥିବ ଓ ବ୍ୟୟ କମ । ସେ ଏ କଥାକୁ ବି ଗୁରୁତ୍ୱ ଦେଇଛନ୍ତି ଯେ ଅପାତ୍ରକୁ କଦାପି ରାଜକୋଷରୁ ଫାଇଦା ନମିଳିବା ଉଚିତ ।

ଅପାତ୍ରମାନଙ୍କ ଠାରୁ ସରକାରୀ ରାଜକୋଷକୁ ବଞ୍ଚାଇବା ବି ସରକାରଙ୍କ କାର୍ଯ୍ୟ ସଂସ୍କୃତିର ଅଂଶ ବିଶେଷ । ଆପଣମାନେ ଦେଖିଥିବେ ଯେ ଆମେ ଆଧାର କାର୍ଡ ସହ ସଂଯୋଗ କରି ବ୍ୟାଙ୍କ ଜମାଖାତାରୁ ସିଧା ଆର୍ଥିକ ସହାୟତା ଟ୍ରାନ୍ସଫର କରିବା, ଜାଲ ପଡିକାର୍ଡଧାରୀଙ୍କୁ ହଟାଇବା, ଜାଲ ଗ୍ୟାସ ସଂଯୋଗ ନେଇଥିବା ବ୍ୟକ୍ତିକୁ ହଟାଇବା, ନକଲି ଶିକ୍ଷକମାନଙ୍କୁ ହଟାଇବା, ଅନ୍ୟମାନଙ୍କ ଅଧିକାରକୁ ଲୁଟୁଥିବା ଲୋକଙ୍କୁ ହଟାଇବା - ଏହି ସବୁ କାର୍ଯ୍ୟ ଏ ସରକାର ମିଶନ ମୋଡରେ ହାତକୁ ନେଇଛନ୍ତି ।

ଭାଇ ଓ ଭଉଣୀମାନେ, ଆଜି ଭାରତମାତା ସଦନରେ ପଞ୍ଚଧାତୁରେ ନିର୍ମିତ ମା’ ଭାରତୀଙ୍କ ପ୍ରତିମାର ଅନାବରଣ ହେଉଛି । ମା’ ଭାରତୀଙ୍କ ଏଇ ପ୍ରତୀକର ଲୋକାର୍ପଣ ଅତ୍ୟନ୍ତ ସୌଭାଗ୍ୟର କଥା । ଯେଉଁ ବ୍ୟକ୍ତିଗଣ ଏଇ ବିଶେଷ ଯଜ୍ଞରେ ସାମିଲ ଥିଲେ, ସେମାନଙ୍କୁ ସମସ୍ତଙ୍କୁ ଏଇ ପୂଣ୍ୟ କାର୍ଯ୍ୟ ଲାଗି ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ମୁଁ ବିବେକାନନ୍ଦ ରକ ମେମୋରିଆଲ ନିକଟରେ ନିର୍ମିତ ସନ୍ଥ ଥିରୁବଲ୍ଳୁବରଙ୍କ ପ୍ରତିମାଙ୍କୁ ବି ପ୍ରଣାମ କରୁଛି । ଥିରୁବଲ୍ଳୁବର ଯେଉଁ ସୂତ୍ରବାକ୍ୟ, ଯେଉଁ ମନ୍ତ୍ର ଦେଇଯାଇଛନ୍ତି, ତାହା ଆଜି ବି ସେତିକି ସଠିକ, ତାତ୍ପର୍ଯ୍ୟପୂର୍ଣ୍ଣ ରହିଛି । ଯୁବକମାନଙ୍କ ଲାଗି ତାଙ୍କର ଉକ୍ତି ଥିଲା –

In sandy soil, when deep you delve, you reach the springs below; The more you learn, the freer streams of wisdom flow.

ଅର୍ଥାତ, ବାଲିଆ ମାଟିକୁ ତୁମେ ଯେତେ ଗଭୀରକୁ ଖୋଳିବ, ଦିନେ ନା ଦିନେ ଜଳ ନିକଟରେ ପହଞ୍ଚିବ । ଠିକ ସେହିପରି ଯେମିତି ତୁମେ ଅଧିକ ଶିଖି ଶିଖି ଚାଲିବ, ଦିନେ ନା ଦିନେ ଜ୍ଞାନର ବୁଦ୍ଧିମତାର ଗଙ୍ଗା ନିକଟରେ ଅବଶ୍ୟ ପହଞ୍ଚିବ ।

ଆଜି ଯୁବଦିବସ ଅବସରରେ ଦେଶର ଯୁବସମାଜକୁ ମୋର ଆହ୍ୱାନ - ଶିଖିବାର ଏହି ପ୍ରକ୍ରିୟା ଶିକ୍ଷଣ ପ୍ରକ୍ରିୟାକୁ କଦାପି ରୋକିବାକୁ ଦିଅନାହିଁ । ନିଜ ଭିତରେ ଥିବା ଏଇ ବିଦ୍ୟାର୍ଥୀ ଭାବକୁ କଦାପି ମରିବାକୁ ଦିଅନାହିଁ । ଆପଣମାନେ ଯେତେ ଶଖିବେ, ନିଜର ଆଧ୍ୟାତ୍ମ୍ୟ ଶକ୍ତିକୁ ଯେତିକି ବିକାଶ କରିବେ, ନିଜର କଳାକୌଶଳକୁ ଯେତିକି ବିକଶିତ କରିବେ, ଆପଣମାନଙ୍କର ସେତିକି ବିକାଶ ହେବ ଏବଂ ତା ସହ ଦେଶର ବି ।

ଯେତେବେଳେ ଆଧ୍ୟାତ୍ମିକ ଶକ୍ତି ଓ ସାମର୍ଥ୍ୟ କଥା ଉଠେ, କିଛି ଲୋକ ସେକଥା ବୁଝିପାରନ୍ତି ନାହିଁ । ଏହାକୁ କୌଣସି ଏକ ପଥ (ମାର୍ଗ) ଦୃଷ୍ଟିରେ ଦେଖନ୍ତି । କିନ୍ତୁ Spiritual Power ଏପରି ପଥଠାରୁ ମୁକ୍ତ, ବନ୍ଧନରୁ ମୁକ୍ତ । ଏହାର ସିଧାସଳଖ ସମ୍ବନ୍ଧ ମାନବୀୟ ମୂଲ୍ୟବୋଧ ସହ, ଦୈବିକ ଶକ୍ତି ସହ । ଆମର ପୂର୍ବତନ ରାଷ୍ଟ୍ରପତି ଏବଂ ଏଇ ମାଟିର ସୁପୁତ୍ର ଡକ୍ଟର ଏପିଜେ ଅବଦୁଲ କଲାମ କହୁଥିଲେ ।

“Spirituality to me is the way we relate to God and the Divine. Staying connected with our spiritual life keep us grounded and always be reminded of the value of life and important values such as honesty, loving our neighbours, and many other important traits that will make the workplace a positive environment”

ମୁଁ ଖୁସି ଯେ ଗତ କିଛି ଦଶନ୍ଧି ଧରି ବିବେକାନନ୍ଦ କେନ୍ଦ୍ର ଏଇ ଦିଗରେ ପ୍ରୟାସ ଜାରି ରଖିଛି । ଆଜି ବିବେକାନନ୍ଦ କେନ୍ଦ୍ରର ଦୁଇ ଶହରୁ ଅଧିକ ଶାଖା ରହିଛି । ଦେଶବ୍ୟାପୀ 800ରୁ ଅଧିକ ସ୍ଥାନରେ କେନ୍ଦ୍ରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ଭାରତ ଏବଂ ସଂସ୍କୃତି ଭଳି ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ନିବରଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି ।

ପାଟନାଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ, ଅରୁଣାଚଳର କରବୀ ଅଙ୍ଗଲାଙ୍ଗଠାରୁ ନେଇ କାଶ୍ମୀରର ଅନନ୍ତନାଗ ପର୍ଯ୍ୟନ୍ତ, ରାମେଶ୍ୱରମଠାରୁ ରାଜକୋଟ ପର୍ଯ୍ୟନ୍ତ ଏହାର ଉପସ୍ଥିତି ରହିଛି । ଦୂରଦୂରାନ୍ତ ସ୍ଥାନରୁ ପ୍ରାୟ 28 ହଜାର ଛାତ୍ରଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି ।

ମୁଁ ବିଶେଷ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କର ବିବେକାନନ୍ଦ କେନ୍ଦ୍ର କରୁଥିବା କାର୍ଯ୍ୟର ପ୍ରଶଂସା କରିବାକୁ ଚାହେଁ । ଏକନାଥଜୀଙ୍କ ଜୀବଦ୍ଦଶାରେ ହିଁ ଅରୁଣାଚଳ ପ୍ରଦେଶରେ ସାତଟି ଆବାସିକ ବିଦ୍ୟାଳୟ ଖୋଲିଥିଲା । ଆଜି ଉତ୍ତର ପୂର୍ବାଚଳରେ 50ରୁ ଅଧିକ ସ୍ଥାନରେ ବିବେକାନନ୍ଦ କେନ୍ଦ୍ର ସାମାଜିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିଛି ।

ଅସଂଖ୍ୟ ଛାତ୍ର, ଆଇଆଇଟି ଛାତ୍ର, ଡାକ୍ତର ଏବଂ ବହୁ ପ୍ରଫେସନାଲ ସ୍ୱଇଚ୍ଛାରେ ବିବେକାନନ୍ଦ କେନ୍ଦ୍ରରେ ସେବାବ୍ରତୀ ହୋଇ କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ବେତନ ଦିଆଯାଉନାହିଁ । ବରଂ ସେମାନେ ନିଜ ମନରେ ଥିବା ସେବାଭାବନା ଯୋଗୁ ଏହି କାର୍ଯ୍ୟ କରି ଆସୁଛନ୍ତି । ମୁଁ ସ୍ୱୀକାର କରୁଛି ଯେ ନିଃସ୍ୱାର୍ଥ ଭାବରେ ସମାଜ ସେବା ପାଇଁ ଏହି ସବୁ ସେବାବ୍ରତୀମାନେ ଆମ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ । ସାଧାରଣ ଜୀବନ ବଞ୍ଚି, ସମାଜ ସେବା ନିମନ୍ତେ ସେମାନେ ଆଦର୍ଶ ଉଦାହରଣ ସୃଷ୍ଟି କରିଛନ୍ତି । ଦେଶର ଯୁବକଯୁବତୀମାନଙ୍କ ଲାଗି ସେମାନେ ମାର୍ଗଦର୍ଶକ, ଏକ ପ୍ରକାର ମାର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ ।

ବିବେକାନନ୍ଦ କେନ୍ଦ୍ର ସହ ସଂଶ୍ଳିଷ୍ଟ ଲୋକ ଆଜି ରାଷ୍ଟ୍ର ନିର୍ମାଣରେ ନିଜର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସୁଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି କେନ୍ଦ୍ର ଆଗାମୀ ପିଢ଼ିମାନଙ୍କରେ ଏହିଭଳି ନୂଆ ନୂଆ ବିବେକାନନ୍ଦମାନଙ୍କୁ ସୃଷ୍ଟି କରିଚାଲିବେ ।

ଆଜି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ରାଷ୍ଟ୍ରନିର୍ମାଣ ନିମନ୍ତେ ସକାରାତ୍ମକ ମନୋଭାବ ସହ ନିଜ ନିଜର କର୍ତ୍ତବ୍ୟ ସଂପାଦନ କରି ଆସୁଛନ୍ତି, ସେମାନେ ସମସ୍ତେ ଜଣେ ଜଣେ ବିବେକାନନ୍ଦ । ପ୍ରତ୍ୟେକ ବ୍ୟକ୍ତି, ଯେଉଁମାନେ ଦଳିତ, ପୀଡିତ, ଶୋଷିତ ଓ ବଞ୍ଚିତମାନଙ୍କ ବିକାଶ ଲାଗି କାର୍ଯ୍ୟ କରୁଛନ୍ତି ସେମାନେ ଜଣେ ଜଣେ ବିବେକାନନ୍ଦ । ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ନିଜ ଶକ୍ତିକୁ, ନିଜର ଚିନ୍ତନକୁ ନିଜର ସୃଜନଶୀଳତାକୁ ସମାଜର ହିତ ଉଦ୍ଦେଶ୍ୟରେ ନିୟୋଜିତ କରୁଛନ୍ତି, ସେମାନେ ବି ଜଣେ ଜଣେ ବିବେକାନନ୍ଦ ।

ଆପଣମାନେ ସଭିଏଁ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ତାହା ମାନବିକତା ଲାଗି, ଆମ ସମାଜ ପାଇଁ । ଆମ ଦେଶ ପାଇଁ ଏହା ଏକ ମହାନ ତପସ୍ୟା ସଦୃଶ । ଆପଣମାନେ ଏହିଭଳି ଭାବେ ଦେଶର ସେବା କରିଚାଲନ୍ତୁ, ମୋର ଏତିକି କାମନା ବିବେକାନନ୍ଦଜୀଙ୍କ ଜନ୍ମ ଦିବସ ଅବସରରେ, ଯୁବ ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଆଉ ଥରେ ଅନେକ ଅନେକ ଶୁଭକାମନା । ବାପୁଙ୍କୁ ମୋର ଜୟ ଶ୍ରୀରାମ ଏବଂ ଏଠାରେ ପରମେଶ୍ୱରମଜୀଙ୍କ ସମେତ ସମସ୍ତଙ୍କୁ ପ୍ରଣାମ କରି ମୁଁ ମୋର ବକ୍ତବ୍ୟ ଶେଷ କରୁଛି । ମୋର ବିଶ୍ୱାସ, ମୋତେ ଯେମିତି କନ୍ୟାକୁମାରୀକୁ ଆସିବା ଲାଗି ମୋତେ ଯେଉଁ ନିୟନ୍ତ୍ରଣ ଦିଆଯାଇଛି । ମୋର ନିଜର ଘର ବୋଲି ମୁଁ ଏହାକୁ ହେତୁ କରୁଛି । ଦେଖୁଛି, ମୋତେ ସେଠାକୁ ଯିବାକୁ କେବେ ସୁଯୋଗ ମିଳୁଛି । ସଦାବେଳେ ଦୌଡୁଛି । ଏଇ ଦୌଡିବା ଭିତରେ ଥରେ ଅଧେ ସେଠାକୁ ଯିବାର ସୁଯୋଗ ମିଳିବ, ଏ ବିଶ୍ୱାସ ମୋର ରହିଛି । ସେ ଧରିତ୍ରୀକୁ ପ୍ରଣାମ ଜଣାଇବାକୁ ମୁଁ ନିଶ୍ଚୟ ଯିବି । ଆପଣମାନଙ୍କ ଗହଣରେ କିଛି ସମୟ ବିତାଇବି । ଏହି ଅବସରରେ ମୁଁ ସଶରୀରେ ସେଠାକୁ ଯାଇପାରିଲି ନାହିଁ, ଏ କ୍ଷୋଭ ମୋ ମନ ଭିତରେ ରହିଛି । ତଥାପି ଦୂରରୁ ହେଲେ ସୁଦ୍ଧା ଆପଣମାନଙ୍କ ସହ ଭାବବିନିମୟ ହେଲା । ଏଠାରେ ଦିଲ୍ଲୀରେ ଜାଡ ଓ ସେଠାରେ ଗ୍ରୀଷ୍ମ । ଏଇ ଦୁଇ ସ୍ଥାନ ମଧ୍ୟରେ ଆମେ ନୂଆ ଶକ୍ତି ଓ କାମନା ସହ ଆଗକୁ ବଢ଼ିବା । ଏଇ ବିଶ୍ୱାସର ସହ ଆପଣମାନଙ୍କୁ ସମସ୍ତଙ୍କୁ ଏଇ ପବିତ୍ର ଉତ୍ସବ ଅବସରରେ ଅନେକ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
India digital public infrastructure is charting the journey towards becoming $1-tn digital economy by 2027-28

Media Coverage

India digital public infrastructure is charting the journey towards becoming $1-tn digital economy by 2027-28
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2024
July 20, 2024

India Appreciates the Nation’s Remarkable Rise as Global Economic Powerhouse