ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀମାନ ଜେପି ନଡ୍ଡା ମହୋଦୟ, ଅଶ୍ୱିନୀ ଚୌବେ ମହୋଦୟ, ଅନୁପ୍ରିୟା ପଟେଲ ମହୋଦୟା ଏବଂ ଏହି ମଂଚରେ ଉପସ୍ଥିତ ଶ୍ରୀମାନ ରଣଦୀପ ଗୁଲେରିଆ ମହୋଦୟ, ଶ୍ରୀ ଆଇ.ଏସ. ଝା, ଡା. ରାଜେଶ ଶର୍ମା ଏବଂ ସମସ୍ତ ମହାନୁଭବଗଣ ।

ଦିଲ୍ଲୀର ଲୋକମାନଙ୍କ ଚିକିତ୍ସା ପାଇଁ, ଦିଲ୍ଲୀ ଆସୁଥିବା ଲୋକମାନଙ୍କ ପାଇଁ, ଆପଣମାନଙ୍କ ସମସ୍ତଙ୍କ ପାଇଁ ଆଜି ଏକ ପ୍ରକାର ସ୍ୱତନ୍ତ୍ର ଦିନ ଅଟେ । ଆହୁରି ମୁଁ ଖୁସି ଯେ ଆଜି ଗରିବମାନଙ୍କୁ, ଜନସାଧାରଣଙ୍କୁ, ନିମ୍ନମଧ୍ୟବିତ୍ତବର୍ଗ, ମଧ୍ୟବିତ୍ତ ବର୍ଗମାନଙ୍କୁ ନିଜ ଜୀବନର କଠିନ ପରିସ୍ଥିତିରୁ ପାର ହେବା ଲାଗି, ନିଜର ଏବଂ ଆତ୍ମୀୟଜନଙ୍କ ରୋଗ ବିରୋଧରେ ଲଢ଼ିବାରେ ସହାୟତା ଲାଗି କେତେ ନୂଆ ଆଧାର ସ୍ତମ୍ଭ ମିଳୁଛି । କିଛିକ୍ଷଣ ପୂର୍ବରୁ ଏଠାରେ ପାଖାପାଖି 17ଶହ କୋଟି ଟଙ୍କାର ନୂଆ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଦିଲ୍ଲୀରେ ଥିବା ଦେଶର ଦୁଇଟି ବଡ଼ ଡାକ୍ତରଖାନା-ଏମ୍ସ ଏବଂ ସଫଦରଜଙ୍ଗ ହସପିଟାଲରେ ପାଖାପାଖି 18 ଶହରୁ ଅଧିକ ଶଯ୍ୟାର ନୂଆ କ୍ଷମତା ବୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ ହୋଇଛି ।

ବନ୍ଧୁଗଣ, ଏମ୍ସ ଉପରେ ବୃଦ୍ଧି ପାଉଥିବା ଚାପକୁ ଦେଖି ଦିଲ୍ଲୀର ଏହାର ସମସ୍ତ ପରିସର କ୍ଷମତାକୁ ବୃଦ୍ଧି କରାଯାଉଛି । ଆଜି ତିନି ଶହ କୋଟିରୁ ଅଧିକ ବ୍ୟୟରେ ନିର୍ମାଣ ହେବାକୁ ଥିବା ରାଷ୍ଟ୍ରୀୟ ବୟୋବୃଦ୍ଧ ଚିକିତ୍ସା କେନ୍ଦ୍ର (ନେସନାଲ ସେଂଟର ଫର ଏଜିଂ)ର ମଧ୍ୟ ଶିଳାନ୍ୟାସ ହୋଇଛି । ଏହି ସେଂଟର 200 ଶଯ୍ୟାବିଶିଷ୍ଟ ହେବ । ଆସନ୍ତା ଦେଢ଼ ଦୁଇ ବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବା ଲାଗି ପ୍ରୟାସ କରାଯିବ । ଏଠାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିବ । ଏଥିରେ ବୃଦ୍ଧାବସ୍ଥା, ବିଜ୍ଞାନ ଗବେଷଣା କେନ୍ଦ୍ର ମଧ୍ୟ ରହିବ, ଯେଉଁଠି ବୃଦ୍ଧାବସ୍ଥା ସହ ଜଡ଼ିତ ସମସ୍ୟାକୁ ନେଇ ଗବେଷଣା କରାଯାଇପାରିବ । ଏହାବ୍ୟତୀତ ସଫଦରଜଙ୍ଗ ହସପିଟାଲରେ ମଧ୍ୟ 13ଶହ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯାଇ ଡାକ୍ତରଖାନାରେ ସୁବିଧାକୁ ଆହୁରି ଆଧୁନିକ କରିବାର କାମ ଆରମ୍ଭ ହୋଇଛି । ଏହାର ଅନ୍ତର୍ଗତ ଏଠାରେ ଜରୁରୀକାଳୀନ ବ୍ଲକରେ ଏକ ସୁପର ସ୍ପେଶାଲଟି ବ୍ଲକର ସେବାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । କେବଳ ମେଡ଼ିକାଲ ଏମର୍ଜେନ୍ସି ପାଇଁ 500 ଶଯ୍ୟାର ନୂତନ କ୍ଷମତା ସହିତ ସଫଦରଜଙ୍ଗ ହସପିଟାଲ ଦେଶର ସବୁଠୁ ବଡ଼ ଏମରର୍ଜେନ୍ସି କେୟାର ହସପିଟାଲ ହୋଇପାରିବ ।

ବନ୍ଧୁଗଣ, ଆଜି ଯେଉଁ ପାଞ୍ଚଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ସେଥିମଧ୍ୟରେ ଗୋଟିଏ ପାୱାର ଗ୍ରୀଡ ବିଶ୍ରାମ ସଦନ ମଧ୍ୟ ରହିଛି । ରାଷ୍ଟ୍ରାୟତ୍ତ ଉପକ୍ରମ ଏବଂ ସମାଜ ପ୍ରତି ସେଗୁଡ଼ିକର ଉତ୍ତରଦାୟିତ୍ୱର ଏହା ଏକ ଉତ୍ତମ ଉଦାହରଣ ଅଟେ । ଏହାଦ୍ୱାରା କେବଳ ରୋଗୀଙ୍କୁ ନୁହେଁ ବରଂ ସେମାନଙ୍କ ଯତ୍ନ ନେଉଥିବା ଲୋକମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳୁଛି ।

ବନ୍ଧୁଗଣ, ଠିକ ସମୟରେ ଠିକ ଚିକିତ୍ସା, ଜୀବନ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । କିନ୍ତୁ ଦିଲ୍ଲୀର ଟ୍ରାଫିକ ଅନେକ ସମୟରେ ବାଧକ ସାଜିଥାଏ । ବିଶେଷ କରି ଏମ୍ସର ଭିନ୍ନ ଭିନ୍ନ ସେଂଟର ଏବଂ କ୍ୟାମ୍ପସ ମଧ୍ୟରେ ରୋଗୀ ଏବଂ ଡାକ୍ତରମାନଙ୍କ ଯାତାୟାତକୁ ନେଇ ପୂର୍ବରୁ ବହୁତ ସମସ୍ୟା ଥିଲା । ଏମ୍ସର ମୁଖ୍ୟ ବିଲ୍ଡିଂ ଏବଂ ଜୟ ପ୍ରକାଶ ନାରାୟଣ ଟ୍ରମା ସେଂଟର ମଧ୍ୟରେ ଏହି ସମସ୍ୟା ଏବେ ସୁଧୁରିଯାଇଛି । ପାଖାପାଖି ଏକ କିଲୋମିଟର ଲମ୍ବ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗକୁ ମଧ୍ୟ କିଛି ସମୟ ପୂର୍ବେ ଲୋକାର୍ପଣ କରିବା ଲାଗି ମୋତେ ସୁଯୋଗ ମିଳିଥିଲା । ଏହି ସୁଡ଼ଙ୍ଗ ଦେଇ ରୋଗୀ, ସେମାନଙ୍କ ସମ୍ପର୍କୀୟ, ଡାକ୍ତର ଏବଂ ଜରୁରୀ ଔଷଧ ସରଞ୍ଜାମକୁ ବିନା ବାଧାରେ ନେଇଯିବା ସୁନିଶ୍ଚିତ ହୋଇଛି ।

ବନ୍ଧୁଗଣ, ଭାରତ ଭଳି ଆମର ବିଶାଳ, ବିକାଶଶୀଳ ଦେଶ ଲାଗି ଶସ୍ତା, ସୁଲଭ, ସୁରକ୍ଷିତ ଏବଂ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଡ଼ କରିବା କେତେ ବଡ଼ ଦାୟିତ୍ୱ ଏହା ଆପଣ ଭଲ ଭାବେ ପରିଚିତ ଅଟନ୍ତି । ଗତ 4 ବର୍ଷ ମଧ୍ୟରେ ଜନ ସ୍ୱାସ୍ଥ୍ୟ ସେବାକୁ ନେଇ ଦେଶକୁ ଏକ ନୂଆ ରାହା ମିଳଛି । କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ନୀତି ହସ୍ତକ୍ଷେପ ଦ୍ୱାରା ଆମେ ସେହି ସ୍ଥିତି ଆଡ଼କୁ ବଢ଼ୁଛୁ ଯେଉଁ ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଲାଗି ବୁଲିବାକୁ ପଡ଼ିବ ନାହିଁ, ଅନାବଶ୍ୟକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ସାରାଦେଶରେ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏହା ସରକାରଙ୍କ ନିରନ୍ତର ପ୍ରୟାସର ପରିଣାମ ଅଟେ ଯେ ଆଜି ଦେଶର ଡାକ୍ତରଖାନାରେ ଶିଶୁମାନଙ୍କୁ ଜନ୍ମ ଦେବାର ପ୍ରଚଳନ ସଂସ୍ଥାଗତ ଡେଲିଭରୀ, ଏହାର ପ୍ରଚଳନ ବ୍ୟାପକ ହୋଇଛି । ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ନିରନ୍ତର ଯାଂଚ, ଟିକାକରଣରେ ପାଞ୍ଚଟି ନୂଆ ପ୍ରତିଷେଧକ ସହ ଜଡ଼ିତ ମାତୃତ ଏବଂ ଶିଶୁ ମୃତ୍ୟୁ ହାରରେ ଅଭୂତପୂର୍ବ ହ୍ରାସ ଘଟିଛି । ଏହି ପ୍ରୟାସକୁ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ମଧ୍ୟ ପ୍ରଶଂସା କରିଛନ୍ତି ।

ସାଥୀଗଣ, ସରକାରଙ୍କ ପ୍ରୟାସ ହେଉଛି ବଡ଼ ସହର ଆଖପାଖରେ ଯେଉଁ ସ୍ୱାସ୍ଥ୍ୟର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି, ତାହାକୁ ସୁଦୃଢ଼ କରିବା ସହିତ ଏପରି ସୁବିଧା ଟାଏର-2 ଏବଂ ଟାଏର-3 ସହର ପର୍ଯ୍ୟନ୍ତ କିପରି ପହଁଚାଯିବା ସେଥିପାଇଁ ସରକାର ଦୁଇଟି ବ୍ୟାପକ ସ୍ତରରେ କାମ କରୁଛନ୍ତି । ପ୍ରଥମେ ଆମର ବର୍ତ୍ତମାନ ଯେଉଁ ଡାକ୍ତରଖାନାଗୁଡ଼ିକ ରହିଛି ସେଗୁଡ଼ିକରେ ଆହୁରି ଅଧିକ ସୁବିଧାର ବ୍ୟବସ୍ଥା କରାଯାଉଛି । ଦ୍ୱିତୀୟରେ ଦେଶର ଦୂରଦୂରାନ୍ତ ଇଲାକାରେ ସ୍ୱାସ୍ଥ୍ୟ ସୁବିଧାକୁ ପହଁଚାଯିବ ।

ବନ୍ଧୁଗଣ, ସ୍ୱାଧୀନତାର 70 ବର୍ଷରେ ଯେତୋଟି ଏମ୍ସ ଅନୁମୋଦନ ଲାଭ କରିଥିଲା କିମ୍ବା ନିର୍ମାଣ କରାଯାଇଥିଲା, ତା’ଠାରୁ ଅଧିକ ଗତ 4 ବର୍ଷ ମଧ୍ୟରେ ମଞ୍ଜୁର କରାଯାଇଛି । ଦେଶର 13ଟି ନୂଆ ଏମ୍ସର ଘୋଷଣା କରାଯାଇଛି, ଏଥିମଧ୍ୟରୁ 8ଟି କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହାବ୍ୟତୀତ ସାରା ଦେଶରେ 15ଟି ମେଡ଼ିକାଲରେ ସୁପର ସ୍ପେଶାଲିଟି ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ପ୍ରଗତି ପଥରେ ରହିଛି ।

ବନ୍ଧୁଗଣ, ନିଉ ଇଣ୍ଡିଆ ଲାଗି ଏପରି ସ୍ୱାସ୍ଥ୍ୟ ବ୍ୟବସ୍ଥାର ନିର୍ମାଣ କରାଯାଉଛି ଯେଉଁଠି ଉତ୍ତମ ଏବଂ ପର୍ଯ୍ୟାପ୍ତ ଡାକ୍ତରଖାନା ଥିବ, ଅଧିକ ଶଯ୍ୟା ଥିବ, ଉତ୍ତମ ସୁବିଧା ଥିବ ଏବଂ ଶ୍ରେଷ୍ଠ ଡାକ୍ତର ଏବଂ ସେମାନଙ୍କ ଟିମ ଥିବେ । ଏହି ଲକ୍ଷ୍ୟକୁ ଧାରେ ରଖି ମେଡ଼ିକାଲ ଶିକ୍ଷାରେ ମଧ୍ୟ ନୂଆ ସୁଯୋଗର ନିର୍ମାଣ କରାଯାଉଛି । ଆମ ସରକାର 58ଟି ଜିଲ୍ଲାରେ ଡାକ୍ତରଖାନାକୁ ମେଡ଼ିକାଲ କଲେଜ ଭାବେ ଉନ୍ନତୀକରଣ ଉପରେ କାର୍ଯ୍ୟ କରୁଅଛି । ଏହି ବଜେଟରେ ହିଁ ସରକାର 24 ଟି ନୂଆ ମେଡ଼ିକାଲ କଲେଜ ନିର୍ମାଣ କରିବା ଲାଗି ଘୋଷଣା କରିଛି । ସରକାରଙ୍କ ପ୍ରୟାସ ରହିଛି ଯେ ପ୍ରତି ତିନୋଟି ଲୋକସଭା କ୍ଷେତ୍ରରେ ସର୍ବନିମ୍ନ ଗୋଟିଏ ମେଡ଼ିକାଲ କଲେଜ ନିର୍ମାଣ କରାଯିବ । ଗତ ଚାରି ବର୍ଷ ମଧ୍ୟରେ ଦେଶବ୍ୟାପୀ ମେଡ଼ିକାଲରେ ପାଖାପାଖି 25 ହଜାର ସ୍ନାତକ ଏବଂ ସ୍ନାତକୋତ୍ତର ସିଟ ଯୋଡ଼ାଯାଇଛି । ସରକାର ପ୍ରଶାସନିକ ପ୍ରକ୍ରିୟାକୁ ମଧ୍ୟ ଆହୁରି ପାରଦର୍ଶୀ କରିବା ଲାଗି କାର୍ଯ୍ୟ କରିଛନ୍ତି ।

ବନ୍ଧୁଗଣ, ଏ ସରକାରଙ୍କ ଭିଜନ କେବଳ ଡାକ୍ତରଖାନା, ରୋଗୀ ଏବଂ ଔଷଧ ଓ ଆଧୁନିକ ସୁବିଧାରେ ସୀମିତ ନାହିଁ । କମ ଖର୍ଚ୍ଚରେ ଦେଶର ପ୍ରତ୍ୟେକ ବ୍ୟକ୍ତିର ଚିକିତ୍ସା ସୁନିଶ୍ଚିତ ହେବ, ଲୋକମାନଙ୍କୁ ରୋଗୀ କରୁଥିବା କାରଣକୁ ଶେଷ କରିବା ପାଇଁ ପ୍ରୟାସ ହେଉ, ଏହି ଚିନ୍ତାଧାରା ସହିତ ଜାତୀୟ ସ୍ୱାସ୍ଥ୍ୟ ନୀତିର ନିର୍ମାଣ କରାଯାଇଛି । ଆମ ସରକାର ସ୍ୱାସ୍ଥ୍ୟସେବାକୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରୁ ବାହାରୁ ଆଣିବା ଲାଗି ମଧ୍ୟ ପ୍ରୟାସ କରିଛି । ଆମ ସ୍ୱାସ୍ଥ୍ୟର ଭିଜନ ସହିତ ଆଜି ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ମଧ୍ୟ ଯୋଡ଼ି ହୋଇଛି । ସ୍ୱଚ୍ଛତା ଏବଂ ପାନୀୟ ଜଳ ମନ୍ତ୍ରଣାଳୟ ମଧ୍ୟ ଯୋଡ଼ି ହୋଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ମଧ୍ୟ ଏହା ସହିତ ଯୋଡ଼ାଯାଇଛି । ଆହୁରି ଏ ସମସ୍ତଙ୍କୁ ଆମ ପାରମ୍ପରିକ ସ୍ୱାସ୍ଥ୍ୟ ସେବାକୁ ସଶକ୍ତ କରି ଏବଂ ଆୟୁଷ ମନ୍ତ୍ରଣାଳୟ ଠାରୁ ମଧ୍ୟ ସହଯୋଗ ମିଳୁଛି । ସରକାରଙ୍କ ଭିଜନରେ ରୋଗ ଏବଂ ଦାରିଦ୍ର୍ୟ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରାଯାଇଛି । ଏଗୁଡ଼ିକୁ ଲାଗୁ କରିବା ପାଇଁ ଭରପୂର ପ୍ରୟାସ କରାଯାଇଛି । ଦାରିଦ୍ର୍ୟର ଅନ୍ୟତମ ବଡ଼ କାରଣ ହେଉଛି ରୋଗ ଏବଂ ସେଥିପାଇଁ ରୋଗକୁ ରୋକିବାର ଅର୍ଥ ଦାରିଦ୍ର୍ୟ ମଧ୍ୟ ଦୂର କରିବା । ଏହି ଦିଗରେ ନିରନ୍ତର ପ୍ରୟାସ କରାଯାଉଛି । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଶୌଚାଳୟ ନିର୍ମାଣ, ମିଶନ ଇନ୍ଦ୍ରଧନୁଷ ଅଧୀନରେ ଦୂରଦୂରାନ୍ତ ଇଲାକାରେ ଟିକାକରଣ, ଜାତୀୟ ପୋଷଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ଭଳି ମହତ୍ୱାକାଂକ୍ଷୀ ଯୋଜନା ଗରିବ ଲୋକମାନଙ୍କ ରୋଗ ଉପରେ ହେଉଥିବା ଖର୍ଚ୍ଚ କମ କରୁଛି । ସତର୍କତା ଏବଂ ସୁଲଭ ସ୍ୱାସ୍ଥ୍ୟସେବାକୁ ନେଇ ଯେତେ ଗମ୍ଭୀରତାର ସହିତ ଦେଶରେ ଏବେ କାର୍ଯ୍ୟ କରାଯାଉଛି ତାହା ପୂର୍ବରୁ କେବେ ହୋଇନଥିଲା ।

ଜାତୀୟ ସ୍ୱାସ୍ଥ୍ୟ ନିରାପତ୍ତା ଯୋଜନା କିମ୍ବା ଆୟୁଷ୍ମାନ ଭାରତ ମଧ୍ୟ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ । ଏହି ଯୋଜନା ଅନ୍ତର୍ଗତ ଦେଶରେ ପାଖାପାଖି ଦେଢ଼ ଲକ୍ଷ ଅର୍ଥାତ ଦେଶର ପ୍ରତ୍ୟେକ ବଡ଼ ପଂଚାୟତ ମଧ୍ୟରେ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ମଧ୍ୟ କାମ ଜାରି ରହିଛି । ଭବିଷ୍ୟତରେ ଏହି ସେଂଟରରେ ହିଁ ରୋଗ ଚିହ୍ନଟ ଲାଗି ଟେଷ୍ଟ ଏବଂ ଉପଚାରର ଆଧୁନିକ ସୁବିଧା ଯୋଗାଇ ଦିଆଯିବ । ଏହାର ବହୁତ ବଡ଼ ଲାଭ ଗ୍ରାମ ଏବଂ ପଡ଼ାରେ ରହୁଥିବା ଲୋକମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି । ସେହିପରି ଗୁରୁତର ରୋଗ ସ୍ଥିତିରେ ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ ଉତ୍ତମ ଏବଂ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରିବା ଲାଗି କାମ ଜାରି ରହିଛି । ଏହି ଯୋଜନା ଦ୍ୱାରା ଅଧିକରୁ ଅଧିକ ରାଜ୍ୟକୁ ଯୋଡ଼ିବା ଲାଗି ପ୍ରୟାସ କରାଯାଉଛି । ଘରୋଇ ଡାକ୍ତରଖାନା ସହ ଜଡ଼ିତ ଲୋକମାନଙ୍କ ସହ ମଧ୍ୟ ଆଲୋଚନା ଜାରି ରହିଛି । ସାମଗ୍ରୀକ ଭାବେ ଅନେକ ବିଷୟରେ ସମସ୍ତ ଅଂଶଦାରମାନଙ୍କ ସହିତ ସହମତି ହୋଇସାରିଛି ଏବଂ ଖୁବଶୀଘ୍ର ଏହା ବିଶ୍ୱର ସବୁଠୁ ବଡ଼, ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ସାଥୀଗଣ, ଏହି ଯୋଜନା କେବଳ ଗରିବଙ୍କ ପାଇଁ ଜୀବନଦାନକାରୀ ହେବ ନାହିଁ, ବରଂ ମେଡ଼ିକାଲ କ୍ଷେତ୍ରରେ ଏକ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରିବାକୁ ଥିବା ଏକ ନୂଆ ବିପ୍ଳବର ଉଦାହରଣ ଅଟେ । ଏହି ଯୋଜନା କାରଣରୁ ଆଗାମୀ ଦିନରେ ଦେଶର ଗ୍ରାମ ଏବଂ ଛୋଟ ପଡ଼ାର ଆଖପାଖରେ ଡାକ୍ତରଖାନାଗୁଡ଼ିକର ବଡ଼ ନେଟୱାର୍କ ନିର୍ମାଣ ହେବା ସୁନିଶ୍ଚିତ ଅଟେ । ଖୁବ ବ୍ୟାପକ ମାତ୍ରାରେ ନୂଆ ଡାକ୍ତରଖାନା ଖୋଲିବା ଅତି ସ୍ୱାଭାବିକ ଅଟେ । କାରଣ ଯେତେବେଳେ ରୋଗର ଖର୍ଚ୍ଚ ଅନ୍ୟ କେହି ଉଠାଇବାର ଅଛି ତା’ହେଲେ ରୋଗୀ ଡାକ୍ତରଖାନା ଯିବା ପାଇଁ ପସନ୍ଦ କରିବ, ଯିଏ କି ଏହି କାର୍ଯ୍ୟକୁ ପୂର୍ବରୁ ଏଡ଼ାଇଯାଉଥିଲା । ଆହୁରି ରୋଗୀ ଡାକ୍ତରଖାନାକୁ ଆସିବା ପରେ ଟଙ୍କା ଯେଉଁଠି ମିଳିବା ସୁନିଶ୍ଚିତ ତେଣୁ ଡାକ୍ତରଖାନା ଏବଂ ଡାକ୍ତରମାନ ମଧ୍ୟ ଅନ୍ୟପଟୁ କାମ କରିବା ଲାଗି ପ୍ରସ୍ତୁତ ହେବେ । ଆହୁରି ଏକ ପ୍ରକାରରେ ଏପରି ଏକ ବ୍ୟବସ୍ଥା ବିକଶିତ ହେଉଛି ଯାହା ଦେଶରେ ମାନବ ସମ୍ବଳ ବିକାଶ, ମେଡ଼ିକାଲ କ୍ଷେତ୍ରରେ, ଦେଶ ଭିତରେ ଭିତ୍ତିଭୂମିର ବିକାଶ ଏବଂ ସ୍ୱାସ୍ଥ୍ୟ ସଚେତନ ସମାଜ ରୂପରେ ଆମେ ଏକ ନୂଆ ଯୁଗରେ ପ୍ରବେଶ କରିବାକୁ ଯାଉଛୁ । ଏବଂ ଏହି କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ତ’ ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଆମେ ଜାଣୁ ଯେ ଜଣେ ଡାକ୍ତରଙ୍କ ସହିତ କେତେ ଲୋକଙ୍କୁ କାମ କରିବାକୁ ପଡ଼ିଥାଏ । ଏମାନଙ୍କ ସହଯୋଗରେ ହିଁ ଡାକ୍ତର କିଛି କାର୍ଯ୍ୟ କରିପାରିଥାନ୍ତି । କେବେ ଲୋକମାନଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ହଁ ଆଧୁନିକ ଚିକିତ୍ସା ସେବା ଲାଗି ବଡ଼ ସହର ଆଡ଼କୁ ଆସିବାର ବାଧ୍ୟବାଧକତାକୁ ମଧ୍ୟ ମୁଁ ବୁଝିପାରୁଛି, ଏହା ବ୍ୟାପକ ମାତ୍ରାରେ ହ୍ରାସ ପାଇବ । ଲୋମାନଙ୍କୁ ନିଜ ଘର ପାଖରେ ସବୁ ସୁବିଧା ମିଳିବ ।

ବନ୍ଧୁଗଣ, ଗତ 4ବର୍ଷରେ ସୁଲଭ ସ୍ୱାସ୍ଥ୍ୟସେବାକୁ ନେଇ ଯେଉଁ ଯୋଜନା ସରକାର ଆରମ୍ଭ କରିଛନ୍ତି ଏହାର କେତେ ଲାଭ ସାଧାରଣଜନତାଙ୍କୁ ମିଳିପାରୁଛି ତାହା ଜାଣିବା ଲାଗି ଚଳିତ ମାସର ଆରମ୍ଭ ମୁଁ ଦେଶବ୍ୟାପୀ ଥିବା କେତେଜଣ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲି । ପାଖାପାଖି ତିନି ଲକ୍ଷ କେନ୍ଦ୍ରରେ ଏବଂ ମୁଁ ଅନୁମାନ କରୁଛି ଯେ ପାଖାପାଖି ତିରିଶି- ଚାଳିଶ ଲକ୍ଷ ମୋ ସମ୍ମୁଖରେ ଥିଲେ । ଏହା ଉପରେ ଏବଂ ସାରା ଆଲୋଚନା ମଧ୍ୟରୁ ଯେଉଁ କଥାଟି ସାମ୍ନାକୁ ଆସିଥିଲା, ତାହା ଏହା ଯେ ନିମ୍ନ-ମଧ୍ୟମ ବର୍ଗ ଠାରୁ ଗରିବ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଖର୍ଚ୍ଚରେ ଆଜି ବହୁତ ପରିମାଣରେ ହ୍ରାସ ଆସିପାରିଛି । ସାଥୀଗଣ ଏହାର କାରଣ ଆପଣମାନେ ସମସ୍ତେ ଭଲଭାବେ ଜାଣନ୍ତି । ସରକାରଙ୍କ ଦ୍ୱାରା ପାଖାପାଖି 1100 ଜରୁରୀ ଔଷଧକୁ ମୂଲ୍ୟ ନିୟନ୍ତ୍ରକ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ଏହାଦ୍ୱାରା ଲୋକାମାନଙ୍କର ପାଖାପାଖି ଔଷଧ ପଛରେ ଯେଉଁ ଖର୍ଚ୍ଚ ହେଉଥିବା ସେପରି ପରିବାରଗୁଡ଼ିକର ପାଖାପାଖି 10 ହଜାର କୋଟି ଟଙ୍କାରୁ ଅଧିକ ସଂଚୟ ହୋଇଛି । ଗୋଟିଏ ବର୍ଷରେ 10 ହଜାର କୋଟି ଟଙ୍କାର ସଂଚୟ- ଏବଂ ତାହା ମଧ୍ୟ ଏକ ଯୋଜନାର ପରିଣାମ । ସାରା ଦେଶରେ 3600ରୁ ଅଧିକ ଜନଔଷଧି କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରେ 700ରୁ ଅଧିକ ଔଷଧ ଏବଂ ଦେଢ଼ ସହରୁ ଅଧିକ ସର୍ଜରୀ ସାମଗ୍ରୀ ଶସ୍ତା ଦାମରେ ଉପଲବ୍ଧ । ଅମୃତ ଷ୍ଟୋର୍ସରେ ମଧ୍ୟ ମିଳୁଥିବା 50 ପ୍ରତିଶତ କମ ମୂଲ୍ୟରେ ଔଷଧର ଲାଭ ପାଖାପାଖି 75-80ଲକ୍ଷ ରୋଗୀ ଉଠାଇସାରିଛନ୍ତି । ଏହା ବ୍ୟତୀତ ଆଜି ଷ୍ଟେଣ୍ଟସ ଏବଂ ଆଣ୍ଠୁ ପ୍ରତିରୋପଣର ମୂଲ୍ୟରେ ହ୍ରାସ ହେବା ଯୋଗୁ ଦେଶର ଗରିବ ଏବଂ ମଧ୍ୟବିତ୍ତମାନଙ୍କର ପାଖାପାଖି ସାଢ଼େ 5 ହଜାର କୋଟି ଟଙ୍କାର ସଂଚୟ ହୋଇସାରିଛି । ଏହି ମୂଲ୍ୟ ପୂର୍ବ ତୁଳନାରେ ପାଖାପାଖି ଏକ ତୃତୀୟାଂଶ ହୋଇଯାଇଛି, ତିନିଗୁଣା କମ ହୋଇଛି । ଏଥିସହିତ ଜିଏସଟି ପରେ ମଧ୍ୟ କେତେକ ଔଷଧର ମୂଲ୍ୟ କମ ହେବା ଯୋଗୁ ଲୋକମାନଙ୍କୁ ଲାଭ ମିଳିଛି । ଦେଶର ପାଖାପାଖି ପ୍ରତ୍ୟେକ ଜିଲ୍ଲାରେ ଡାଏଲିସିସି କେନ୍ଦ୍ର ନିର୍ମାଣ କରାଯାଇଛି । ଏଠାରେ ଗରିବ ଲୋକମାନଙ୍କୁ ନିଃଶୁଳ୍କ ଡାଏଲିସିସି ସୁବିଧା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ଅଢ଼େଇ ଲକ୍ଷ ରୋଗୀ ଏହାର ଲାଭ ଉଠାଇସାରିଛନ୍ତି । ଆପଣ ଅନୁମାନ କରିପାରିବେ ଯେ ପୂର୍ବରୁ ଯେଉଁଠି ଗରିବମାନଙ୍କୁ ମାଗଣା ଡାଏଲିସି ପାଇଁ ଶହେ ଶହେ, ଦୁଇ ଶହ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା । ଏବେ ସେମାନଙ୍କୁ ନିଜ ଜିଲ୍ଲାରେ ସୁବିଧା ମିଳିପାରୁଛି । ପୂର୍ବରୁ ଏତେ ଦୂର ଯାଇପାରୁନଥିଲେ ନିଜ ଟଙ୍କାରେ କୌଣସି ଅନ୍ୟ ଡାକ୍ତରଖାନାରେ ଡାଏଲିସିସ କରୁଥିଲା । ଏବେ ଗରିବମାନଙ୍କୁ ମିଳୁଥିବା ମାଗଣା ଡାଏଲିସିସ ସୁବିଧା ଦ୍ୱାରା ଡାଏଲିସିସର ପ୍ରତ୍ୟେକ ସେସନରେ ପାଖାପାଖି 1500ରୁ 2000 ଟଙ୍କା ପର୍ଯ୍ୟନ୍ତ ସଂଚୟ ହେଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପାଖାପାଖି 25 ଲକ୍ଷ ଡାଏଲିସିସ ସେସନ ମାଗଣାରେ କରାଯାଇଛି । ଏହାବ୍ୟତୀତ ନିବାରଣଯୋଗ୍ୟ ସ୍ୱାସ୍ଥ୍ୟ ସେବା ରୂପରେ ଯୋଗ ମଧ୍ୟ ଏକ ନୂଆ ଢଙ୍ଗରେ ନିଜର ପରିଚୟ ପ୍ରତିଷ୍ଠା କରିପାରିଛି । ଯୋଗୀମାନଙ୍କୁ ପରିହାସ କରାଯାଉଥିବା ବେଳେ ଏବେ ଆଜି ସାରା ଦେଶରେ ଯୋଗ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛି ଏବଂ ଲୋକପ୍ରିୟତା ହାସଲ କରିଛି । ମୁଁ ଏହା କେବେହେଲେ କହିପାରିବି ନାହିଁ ଯେ କୌଣସି ଭୋଗୀଙ୍କୁ ଯୋଗ, ଯୋଗୀ କରିଦେବ କିନ୍ତୁ ମୁଁ ଏହା ନିଶ୍ଚିତ ଭାବେ କହିପାରିବି ଯେ ଯୋଗ ଭୋଗୀକୁ ରୋଗୀ ହେବାରୁ ବଞ୍ଚାଇପାରିବ । ଆଜି ଯୋଗ ସାରା ବିଶ୍ୱରେ ଗଣ ଆନ୍ଦୋଳନ ହୋଇପାରିଛି । କିଛିଦିନ ପୂର୍ବରୁ ଆମେ ଦେଖିଥିଲୁ ଯେ କିପରି ସାରା ବିଶ୍ୱରେ 21 ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥିଲା । ଆହୁରି ମୁଁ ଜାଣିବାକୁ ପାଇଛି ଯେ, ଏମ୍ସରେ ମଧ୍ୟ ବର୍ତ୍ତମାନ ଯୋଗକୁ ନେଇ ବେଶ ସଚେତନତା ସୃଷ୍ଟି ହୋଇଛି । ସମସ୍ତ ଡାକ୍ତର ବନ୍ଧୁ ଯୋଗ କରୁଛନ୍ତି । ଏହାଜାଣି ମୋତେ ଭଲ ଲାଗିଲା ।

ବନ୍ଧୁଗଣ, ଦେଶର ପ୍ରତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପହଁଚାଇବା ଏ ସରକାରଙ୍କ ଲକ୍ଷ୍ୟ ଅଟେ କିନ୍ତୁ ଆପଣମାନଙ୍କ ସକ୍ରିୟ ସହଯୋଗ ବିନା, ଆପଣମାନଙ୍କ ସହାୟତା ବିନା, ଅର୍ଥାତ ସାରା ଏହି ମେଡ଼ିକାଲ ଜଗତର ସହାୟତା ବିନା ଏହା ସମ୍ଭବ ନୁହେଁ । ଆଜି ଯେତେବେଳେ ଦେଶ ନିଉ ଇଣ୍ଡିଆର ସଂକଳ୍ପ ସହିତ ଆଗକୁ ବଢ଼ୁଛି, ତା ହେଲେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲୋକମାନଙ୍କୁ ମଧ୍ୟ ନିଜ ପାଇଁ ନୂଆ ସଂକଳ୍ପ ନିର୍ଦ୍ଧାରଣ କରିବା ଉଚିତ । 2022ରେ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପୂରଣ ହେବ, ମୁଁ ଯଦି ମେଡ଼ିକାଲ ପେସାରେ ରହିଛି, ମୁଁ ଡାକ୍ତର ଅଟେ, ମୁଁ ଜଣେ ସହାୟକ ଅଟେ-2022 ସୁଦ୍ଧା ସ୍ୱାସ୍ଥ୍ୟ କ୍ଷେତ୍ରରେ ମୋର ଏହି ସଂକଳ୍ପ ରହିବ ଯେ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପୂରଣ ହେବ ମୁଁ ମଧ୍ୟ ଏତିକି କରିବି, ଏ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ସରକାର 2025 ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ଲାଗି କାର୍ଯ୍ୟ କରୁଛନ୍ତି । ଯକ୍ଷ୍ମା ରୋଗୀଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମାସରେ ଏମାନଙ୍କୁ 500 ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି ।

ବନ୍ଧୁଗଣ, ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଯକ୍ଷ୍ମାମୁକ୍ତି ନିମନ୍ତେ 2030 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଆମେ ଦେଶକୁ ଆହୁରି ଶୀଘ୍ର ଯକ୍ଷ୍ମା ମୁକ୍ତ କରିବା ଲାଗି ସଂକଳ୍ପ ସହିତ କାମ କରିବାକୁ ହେବ, ବିଶ୍ୱ 2030ରେ ହାସଲ କରିବାକୁ ଚାହୁଁଛି, ଆମେ 2025ରେ ଏହାକୁ ହାସଲ କରିବାକୁ ଚାହୁଁଛୁ । ସାରା ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି ଏହା ଏମିତି କ’ଣ କରିପାରିବ? ଦେଶର ମେଡ଼ିକାଲ କ୍ଷେତ୍ର ଉପରେ ମୋର ବିଶ୍ୱାସ ରହିଛି, ଏହାର ସାମର୍ଥ୍ୟ ଉପରେ ଭରସା ରହିଛି, ଏହା ଏହି ଆହ୍ୱାନକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ମୁକାବିଲା କରିବ ଏବଂ ଦେଶକୁ ଗର୍ବିତ କରିବ ବୋଲି ମୋର ଭରସା ରହିଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣର ବିଷୟ ହେଉଛି ମାତୃ ଏବଂ ଶିଶୁ ମୃତ୍ୟୁ ହାର । ମୁଁ ପୂର୍ବରୁ କହିସାରିଛି ଯେ ଗତ ଚାରି ବର୍ଷ ମଧ୍ୟରେ ଏ ବିଷୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କିନ୍ତୁ ମାତା ଏବଂ ଶିଶୁଙ୍କ ମୃତ୍ୟୁ ହାରକୁ ସର୍ବନିମ୍ନ କରିବା ଲାଗି ଆମେ ସମସ୍ତେ ମିଶି ଆମ ପ୍ରୟାସକୁ ଆହୁରି ଅଧିକ ବଢ଼ାଇବାକୁ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ଏବଂ ଜାତୀୟ ପୋଷଣ ଅଭିଯାନ ଅନ୍ତର୍ଗତ ମିଶନ ମୋଡ଼ରେ କାର୍ଯ୍ୟ ଜାରି ରହିଛି । ଏହି ମିଶନକୁ ନିଜ ଜୀବନରେ ମିଶନ ଭାବେ ଗ୍ରହଣ କରାଗଲେ, ଜନ ଆନ୍ଦୋଳନ ଭଳି ଅଧିକରୁ ଅଧିକ ଲୋମାନଙ୍କୁ ଏହା ସହିତ ଯୋଡ଼ାଗଲେ, ନିଶ୍ଚିତ ଭାବେ ଶୀଘ୍ର ଏବଂ ଆଶାନୁରୂପ ଫଳାଫଳ ଆମେ ପାଇପାରିବା । ଏହି ବିଶ୍ୱାସକୁ ନେଇ ଆଗକୁ ବଢ଼ିବାର ଅଛି ।

ବନ୍ଧୁଗଣ, ଆଜି ଦେଶରେ ସଚ୍ଚୋଟତାର ଏହି ବାତାବରଣ ସୃଷ୍ଟି ହୋଇଛି ଯେ ଅଧିକରୁ ଅଧିକ ଲୋକମାନଙ୍କୁ ରାଷ୍ଟ୍ର ନିର୍ମାଣରେ ନିଜର ଉତ୍ତରଦାୟିତ୍ୱକୁ ଆଗଭର ହୋଇ ଆଗେଇ ଆସି ଉଠାଉଛନ୍ତି । ଲୋକମାନଙ୍କ ମଧ୍ୟରେ ଏହି ଭାବନା ଆସୁଛି, ଏହି ବିଶ୍ୱାସ ବୃଦ୍ଧି ପାଇଛି ଯେ ଆମେ ଯେଉଁ ଟିକସ ଦେଉଛି, ତା’ର ଗୋଟିଏ ଗୋଟିଏ ଟଙ୍କା କଲ୍ୟାଣ ପାଇଁ ଖର୍ଚ୍ଚ ହେଉଛି । ଆହୁରି ଏହି ବିଶ୍ୱାସର ପରିଣାମ ସମାଜର ପ୍ରତ୍ୟେକ ସ୍ତରରେ ଆମେ ଦେଖିବାକୁ ପାଉଛୁ । ଆପଣମାନେ ଜାଣିଥିବେ ଯେ ଲାଲକିଲ୍ଲା ଉପରୁ ମୁଁ ଯେତେବେଳେ ଆହ୍ୱାନ କରିଥିଲି ଯେ ଗ୍ୟାସ ସବସିଡି କାହିଁକି ନେଉଛନ୍ତି, ଛାଡ଼ିଦିଅନ୍ତୁ ନା । ଏହି ଟିକିଏ କଥା ମୁଁ କହିଥିଲି ଏବଂ ମୋର ଏହି କଥାକୁ ଏ ଦେଶର କୋଟିଏ 25 ଲକ୍ଷ ପରିବାର ଗ୍ୟାସ ସବସିଡି ଛାଡ଼ି ଦେଇଥିଲେ । ନଚେତ ଆମ ଦେଶରେ ଏପରି ଧାରଣା ରହିଛି ଯେ ଭାଇ କେହି ଛାଡ଼ୁନାହାନ୍ତି, ଥରେ ମିଳିଛି ତ’ ମିଳିଛି ଏବଂ ଏହା ସ୍ୱଭାବରେ ପରିଣତ ହୋଇଯାଇଥାଏ । ଆପଣ ବିମାନରେ ଯାଉଥିବେ, ପାଖରେ ସିଟ ଖାଲିଥିବ, ଆପଣଙ୍କ ସିଟ ହୋଇନଥିଲେ ବି ବିମାନ ଚାଲିବାକୁ ଆରମ୍ଭ କରୁଛି ତା’ହେଲେ ଆପଣ ମୋବାଇଲ ଫୋନ ରଖୁଛନ୍ତି, ପୁସ୍ତକ ରଖୁଛନ୍ତି ଏବଂ ଏତିକି ବେଳେ କେହି ଜଣେ ଆସୁଛନ୍ତି, ସେହି ସିଟରେ ବସିବା ଲାଗି ତା’ହେଲେ କ’ଣ ହୋଇଥାଏ? ସିଟ ଆପଣଙ୍କ ନୁହେଁ ଆପଣ ତ’ ନିଜ ସିଟରେ ବସିଛନ୍ତି ତଥାପି ସେ ଛାଡ଼ିବାର ମନ କରୁନାହିଁ, ୟେ ଲୋକ କେଉଁଠୁ ଆସିଲା? ଏପରି ମାନସିକତା ମଧ୍ୟରେ ଏ ଦେଶର 25 କୋଟି ପରିବାର ଅଛନ୍ତି । 25 କୋଟି ପରିବାର ମଧ୍ୟରେ 1 କୋଟି 25 ଲକ୍ଷ କୋଟି ପରିବାର ଗ୍ୟାସ ସବସିଡି ମୁଁ କହିବା ମାତ୍ରକେ ଛାଡ଼ି ଦେଇଛନ୍ତି । ଅର୍ଥାତ ଦେଶର ଶକ୍ତି, ଦେଶର ମନୋବୃତ୍ତି କିପରି ରହିଛି ଏହା ଆମେ ଅନୁଭବ କରିପାରିବା । ଗୋଟିଏ କଥା ମୁଁ କହିବାକୁ ଚାହୁଁଛି । ଏହିପରି ଗତ କିଛି ଦିନ ତଳେ ରେଳବାଇ ଦ୍ୱାରା, ଆପଣମାନେ ଜାଣିଥିବେ ଯେଉଁ ବରିଷ୍ଠ ନାଗରିକ ଯେଉଁମାନେ ରେଳ ଯାତ୍ରା କରୁଥିଲେ ସେମାନଙ୍କୁ କନସେସନ ମିଳୁଛି, ରିହାତି ମିଳୁଛି । ଏବଂ ମୁଁ ମଧ୍ୟ କେବେ କେବେ ଏହାର ଘୋଷଣା କରିନଥାଏ । ମୁଁ ଭାବୁଛି ଯେ କରିବି ନା କରିବି ନାହିଁ କିନ୍ତୁ ରେଳବାଇ ନିଜ ଫର୍ମରେ ଲେଖି ଦେଇଛି ଯେ ଆପଣ କ’ଣ ନିଜ ସବସିଡି/ରିହାତି ଛାଡ଼ିବା ଲାଗି ସହମତ ଅଛନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଏବଂ ଆମର ଏହି ଦେଶର ଶକ୍ତିକୁ ଚିହ୍ନିବାକୁ ହେବ । କେବଳ ରେଳବାଇର ରିଜର୍ଭେସନର ଆପ୍ଲିକେସନ ଫର୍ମରେ ଏତିକି ଲେଖାଯାଇଛି ଯେ ଆପଣ କ’ଣ ନିଜ ବରିଷ୍ଠ ନାଗରିକ ଲାଭ ଛାଡ଼ିବାକୁ ଚାହୁଁଛନ୍ତି ଏବଂ ମୁଁ ଗର୍ବର ସହିତ କହୁଛି ଯେ ଗତ ଆଠ ନଅ ମାସ ମଧ୍ୟରେ 42 ଲକ୍ଷ ବରିଷ୍ଠ ନାଗରିକ ଯାତ୍ରୀ ନିଜର ରିହାତିର ଲାଭ ନେଇନାହାନ୍ତି, ଛାଡ଼ି ଦେଇଛନ୍ତି । ଅର୍ଥାତ ଦେଶ ଭିତରେ କିପରି ପରିବେଶ ସୃଷ୍ଟି ହୋଇଛି । ସେହିପରି ମୁଁ ଥରେ ଦେଶର ଡାକ୍ତରମାନଙ୍କୁ ଆହ୍ୱାନ କରିଥିଲି । ମୁଁ କହିଥିଲି ଯେ ମାସରେ ଥରେ 9 ତାରିଖ ଦିନକୁ ସେହି ଗରିବ ମା’ଙ୍କୁ ସମର୍ପିତ କରିଦେବା ଉଚିତ । ସେହି ଗରିବର ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ତା’କୁ ଗାଇଡ଼ କରନ୍ତୁ ତା’କୁ କ’ଣ କରିବାକୁ ହେବ ଏବଂ ମୁଁ ଖୁସି ଯେ ହଜାର ହଜାର ସଂଖ୍ୟାରେ ଡାକ୍ତର ଅତ୍ୟନ୍ତ ସେବା ଭାବନା ନେଇ ଆଗକୁ ଆସିଲେ, ସେମାନଙ୍କ ଡାକ୍ତରଖାନା ଆଗରେ ବୋର୍ଡ ଲଗାଇ ଦିଆଗଲା ଯେ 9 ତାରିଖରେ ଏଠାରେ ମାଗଣାରେ ସେବା ମିଳିବ ଏହା ଜାଣି ଗର୍ଭବତୀ ମହିଳାମାନେ ସେହି ଡାକ୍ତରମାନଙ୍କ ପାଖରେ ପହଞ୍ଚିଲେ । କୋଟି କୋଟି ଭଉଣୀମାନେ ଏହାର ଫାଇଦା ପାଇଲେ । ମୁଁ ଚାହିଁବି ଯେ ଆମର ଆହୁରି ଅଧିକ ଡାକ୍ତର ବନ୍ଧୁ ଆଗକୁ ଆସନ୍ତୁ ଏବଂ ଏହା ଏକ ଏପରି ସେବା ଭାବନାର କାର୍ଯ୍ୟ ଅଟେ କାରଣ ଆମେ ସମସ୍ତେ ମିଶି ଏହି ସମସ୍ୟାର ସମାଧାନ ଲାଗି ଦେଶରେ ଦୁଇ ପାଦକୁ ଆଗକୁ ବଢ଼ିବାର ଅଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନସୁଦ୍ଧା ଦେଶରେ କୋଟିଏ 25 ଲକ୍ଷ ଗଭର୍ବତୀ ମହିଳାଙ୍କ ଯାଞ୍ଚ ଏହି ଡାକ୍ତରମାନଙ୍କ ଦ୍ୱାରା ହୋଇଛି, କୋଟିଏ 25 ଲକ୍ଷ । ମୁଁ ଏହି ଅଭିଯାନରେ ସେହି ମୋର ଡାକ୍ତର ବନ୍ଧୁମାନଙ୍କ ସହଯୋଗ ଲାଗି, ପ୍ରତ୍ୟେକ ମେଡ଼ିକାଲ ପେସାଦାରଙ୍କ ଲାଗି କାମ କରୁଥିବା, ସେ ସମସ୍ତଙ୍କୁ ପ୍ରଶଂସା କରୁଛି । ଏବଂ ମୁଁ ଚାହିଁବି ଯେ ଏ କଥାକୁ ଆଗକୁ ବଢ଼ାନ୍ତୁ । ଏହି ସେବା ଭାବନା ବର୍ତ୍ତମାନ ସମୟରେ ଜାତୀୟ ସ୍ୱରାଜ ଅଭିଯାନ ସମୟରେ କରାଯାଉଛି । ଆମେ ମଧ୍ୟ ଏକ କାର୍ଯ୍ୟକ୍ରମ କରିଛୁ ଆପଣମାନଙ୍କୁ କିଛି କଥା 24 ଘଂଟିଆ ଚାନେଲରେ ଦେଖିବାକୁ ମିଳିନଥାଏ ଖବର କାଗଜର ମୁଖ୍ୟ ଖବରରେ ମଧ୍ୟ ନଥାଏ । ଆମେ ଏକ ଗ୍ରାମ ସ୍ୱରାଜ ଅଭିଯାନ କଲୁ । 17 ହଜାର ଗ୍ରାମ ଚୟନ କଲୁ, ଯାହାର କେତେକ ପାରାମିଟର ରହିଥିଲା ଏବଂ 7ଟି କାର୍ଯ୍ୟ ନିର୍ଦ୍ଧାରଣ କଲୁ ସେହି 7ଟି କାମକୁ ସେଠାରେ 100 ପ୍ରତିଶତ ପୂରଣ କରିବାକୁ ହେବ । ସେଥିମଧ୍ୟରୁ ଗୋଟିଏ ଟିକାକରଣ ଥିଲା । ଏହି ଟିକାକରଣର କାର୍ଯ୍ୟକୁ ଆମେ ସଫଳତାପୂର୍ବକ 17 ହଜାର ଗ୍ରାମରେ ସମ୍ପୂର୍ଣ୍ଣ କଲୁ । ଏବେ ଆମେ ନିର୍ଦ୍ଧାରଣ କରିଛୁ ଯେ 15 ଅଗଷ୍ଟ ସୁଦ୍ଧା 115ଟି ଯେଉଁ ଆକାଂକ୍ଷିତ ଜିଲ୍ଲା ଆମେ ଚିହ୍ନଟ କରିଛୁ, ଯାହା ଆଜି ରାଜ୍ୟର ହାରାହାରି ତୁଳନାରେ ପଛରେ ପଡ଼ିଛି କିନ୍ତୁ ସେଗୁଡ଼ିକ ଶକ୍ତିଶାଳୀ ଅଟନ୍ତି । ସେହି 115ଟି ଜିଲ୍ଲାରେ ପାଖାପାଖି 45 ହଜାର ଗ୍ରାମ ରହିଛି ଯେଉଁଠି ଦେଶର ପାଖାପାଖି ଗ୍ରାମୀଣ ଜୀବନର 40 ପ୍ରତିଶତ ଜନସଂଖ୍ୟା ସେହି ସ୍ଥାନରେ ରହୁଛନ୍ତି । ସେମାନଙ୍କ ପାଇଁ 7ଟି ଏପରି କାର୍ଯ୍ୟ କୁହାଯାଇଛି ଯାହା ଆମକୁ ଶତପ୍ରତିଶତ ପୂରଣ କରିବାକୁ ହେବ । ସେଥିମଧ୍ୟରୁ ଗୋଟିଏ ଟିକାକରଣ ଅଟେ । ଅର୍ଥାତ୍ ଏକପ୍ରକାରର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଦେଶରେ ଟିକାକରଣର ପରିଧିକୁ ବଢ଼ାଇବାରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ଯେପରି କାମ କରିଛନ୍ତି ମୁଁ ଭାବୁଛି ସେଗୁଡ଼ିକ ପ୍ରଶଂସନୀୟ ଅଟେ । ଏହା ଆପଣମାନଙ୍କ ପ୍ରୟାସ କାରଣରୁ ସମ୍ଭ ହୋଇଛି ଯେ ଆଜି ଦେଶରେ ଟିକାକରଣକୁ ବଢ଼ାଇବାର ଗତି 6 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଛି । 6 ପ୍ରତିଶତ ଶୁଣିବା ପରେ ଆପଣମାନଙ୍କୁ ଅଧିକ ଲାଗୁନଥିବ । 6 ପ୍ରତିଶତ କିନ୍ତୁ ପୂର୍ବରୁ 1 ପ୍ରତିଶତ ମଧ୍ୟ ନଥିଲା । ଆପଣମାନଙ୍କ ଏହି ପ୍ରତିବଦ୍ଧତା କାରଣରୁ ଦେଶ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟକୁ ହାସଲ କରିବା ଦିଗରେ ବଢ଼ୁଅଛି । ଦେଶରେ ପ୍ରତ୍ୟେକ ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ଟିକାକରରଣ ସଂକଳ୍ପ ନୂତନ ଭାରତର ନିର୍ମାଣରେ, ସୁସ୍ଥ ପରିବାରର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ବନ୍ଧୁଗଣ, ସୁସ୍ଥ ପରିବାରରୁ ହିଁ ସୁସ୍ଥ ସମାଜ ଏବଂ ସୁସ୍ଥ ସମାଜରୁ ହିଁ ସୁସ୍ଥ ରାଷ୍ଟ୍ରର ନିର୍ମାଣ ହୋଇଥାଏ । ଆମେ ସମସ୍ତଙ୍କ ଉପରେ ଏବଂ ବିଶେଷ କରି ଆପଣମାନଙ୍କ ଉପରେ ଦେଶକୁ ସୁସ୍ଥ ରଖିବାର ଉତ୍ତରଦାୟିତ୍ୱ ରହିଛି । ଏବଂ ଏଥିପାଇଁ ରାଷ୍ଟ୍ରପତି ମହୋଦୟ ମଧ୍ୟ ଆପଣମାନଙ୍କ ରାଷ୍ଟ୍ରନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଅଭିହିତ କରିଥିଲେ । ଆସନ୍ତୁ ସରକାରଙ୍କ ସହିତ ମିଶି ‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ । ମା କଶ୍ଚିତ ଦୁଃଖ ଭାଗଭବେତ୍ । ଏହି ନିରାମୟ ଜଗତର ଲାଗି ନିରାମୟ ଲୋକମାନଙ୍କ ପାଇଁ ଏହି ସଂକଳ୍ପକୁ ମନରେ ଧାରଣ କରି ନିଉ ଇଣ୍ଡିଆକୁ ସିଦ୍ଧ କରିବା ଲାଗି ଆମେ ସମସ୍ତେ ଆଗକୁ ବଢ଼ିବା । ଆଜି ଏଠାରେ ଏହି ଆୟୋଜନରେ ମଧ୍ୟ ଯେଉଁ ସୁବିଧା ଦିଲ୍ଲୀ ଏବଂ ଦେଶକୁ ମିଳୁଛି ସେମାନଙ୍କ ପାଇଁ ପୁଣିଥରେ ମୁଁ ବହୁତ ବହୁତ ଅଭିନନ୍ଦନ ସହିତ ବିଭାଗକୁ ମଧ୍ୟ ଅଭିନନ୍ଦନ ଜଣାଉଛି । ସେମାନେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସେହି ସମସ୍ତ କାର୍ଯ୍ୟକୁ ପୂରଣ କରିବାର ଭରପୂର ପ୍ରୟାସ କରିଛନ୍ତି । କାରଣ ମୋର ଇଚ୍ଛା ଯେ ଆମେ ସେହି କାର୍ଯ୍ୟରେ ହାତ ଦେବା ଯାହାକୁ ଆମେ ସମ୍ପୂର୍ଣ୍ଣ କରିପାରିବା । ନଚେତ ଆମ ଦେଶରେ ଅବସ୍ଥା ଏପରି ଥିଲା ଯେ ସଂସଦ ଭିତରେ ରେଳ ବଜେଟରେ ସଂସଦର ପବିତ୍ରତା, ସଂସଦରେ ପ୍ରତିବଦ୍ଧତା ରହିଥାଏ । ମୁଁ ଦେଖିଛି, ବଡ଼ ବଡ଼ କଥା ମୋ ଦୃଷ୍ଟିକୁ ଆସିଛି, ପାଖାପାଖି 15 ଶହ ପ୍ରସ୍ତାବ ଘୋଷଣା କରାଯାଇଥିଲା, କେବଳ ରେଳବାଇ ଗତ ତିରିଶ, ଚାଳିଶ, ପଚାଶ ବର୍ଷରେ, ଏବଂ ମୁଁ ଯେତେବେଳେ ପଚାରିଲି କେଉଁଠି ଅଛି ତ’ କାଗଜପତ୍ରରେ ସୁଦ୍ଧା ନଥିଲା । ଭୂମିଗତ ସ୍ତରରେ କାର୍ଯ୍ୟକାରୀ ହୋଇନଥିଲା । ଆମେ ସେହି ରାସ୍ତାରେ ଯିବାକୁ ଚାହୁଁନାହୁଁ । ଆମେ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାକୁ ଆସିନାହୁଁ, ଆମେ ଏକ ପରିବର୍ତ୍ତନ ଆଣିବାର ସଂକଳ୍ପ ନେଇ ଆସୁଛି ଏବଂ ଆପଣମାନଙ୍କ ସହଯୋଗ ମାଗିବା ଲାଗି ଆସିଛୁ । ଆପଣଙ୍କ ସହଯୋଗ ଏବଂ ସହାୟତାକୁ ନେଇ ଦେଶର ଆଶା ଆକାଂକ୍ଷାକୁ ପୂରଣ କରିବାର ଏକ ସଂକଳ୍ପକୁ ନେଇ ଆମେ ଚାଲିଛୁ । ମୋର ବିଶ୍ୱାସ ଯେ ମୋର ସାଥୀଗଣ ଆପଣମାନେ ମଧ୍ୟ ଆମକୁ ସହଯୋଗ କରିବେ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from Prime Minister Benjamin Netanyahu
August 06, 2026
The two leaders review progress in India-Israel Special Strategic Partnership.
The two leaders exchange views on the recent developments in West Asia.

Prime Minister Shri Narendra Modi received a telephone call from Prime Minister of Israel, H.E. Mr. Benjamin Netanyahu today.

The two leaders reviewed sustained progress in India-Israel Special Strategic Partnership and reaffirmed their commitment to further strengthening the bilateral cooperation across various sectors for the mutual benefit of the two countries.

PM Netanyahu and PM Modi exchanged views on the recent developments in West Asia.

The two leaders agreed to remain in touch.