The nation is proud of the IITs & what IIT graduates have achieved. The success of IITs led to the creation of engineering colleges around the country: PM
IITs have become 'India's Instrument of Transformation': PM Modi
Innovations and Enterprise are going to be the foundation stone for making India a developed economy: PM Modi
Innovation is the buzz-word of 21st century. Any society that does not innovate will stagnate: PM Modi
We must make India the most attractive destination for innovation & enterprise: PM
Innovate in India, Innovate for humanity: PM Modi's appeal to students
Focus on aspirations, set high targets: PM Modi tells students

ଆଜି ହେଉଛି 11 ଅଗଷ୍ଟ, 110 ବର୍ଷ ପୂର୍ବେ ଦେଶର ସ୍ୱାଧୀନତା ପାଇଁ ଆଜିର ଦିନରେ ହିଁ, ଖୁଦୀରାମ ବୋଷ ମାତୃଭୂମି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଦେଇଥିଲେ । ମୁଁ ସେହି ବୀର ବିପ୍ଳବୀଙ୍କୁ ପ୍ରଣାମ କରୁଛି, ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ସାଥୀଗଣ,

ସ୍ୱାଧୀନତା ପାଇଁ ଯେଉଁମାନେ ପ୍ରାଣ ଦେଲେ, ନିଜର ସବୁକିଛି ସମର୍ପିତ କଲେ, ସେମାନେ ଅମର ହୋଇଗଲେ, ସେମାନେ ପ୍ରେରଣାର ମୂର୍ତ୍ତି ପାଲଟି ଗଲେ । କିନ୍ତୁ ଆମେ ହେଉଛେ ସେହି ଲୋକ ଯେଉଁମାନଙ୍କୁ ସ୍ୱାଧୀନତା ପାଇଁ ମରିବାର ସୁଯୋଗ ମିଳିଲା ନାହିଁ, କିନ୍ତୁ ଏହା ମଧ୍ୟ ହେଉଛି ଆମର ସୌଭାଗ୍ୟ ଯେ, ଆମେ ସ୍ୱାଧୀନ ଭାରତ ପାଇଁ ବଂଚି ପାରିବା, ଆମେ ଦେଶର ସ୍ୱାଧୀନତାକୁ ରାଷ୍ଟ୍ରର ନବ ନିର୍ମାଣ ପାଇଁ ଜିଇଁ ଜୀବନର ନୂତନ ଆନନ୍ଦ ଉଠାଇ ପାରିବା । ଆଜି ମୁଁ ନିଜ ସମ୍ମୁଖରେ,ଆପଣମାନଙ୍କ ମଧ୍ୟରେ, ଆପଣମାନଙ୍କ ମୁଖ ମଣ୍ଡଳରେ ଯେଉଁ ଉତ୍ସାହ ଦେଖୁଛି, ଯେଉଁ ଆତ୍ମ ବିଶ୍ୱାସ ଦେଖୁଛି, ତାହା ଆଶ୍ୱସ୍ତ କରୁଛି କି ଆମେ ସଠିକ ମାର୍ଗରେ ଆଗକୁ ବଢ଼ୁଛେ ।

ସାଥୀଗଣ,

ଆଇଆଇଟି ବମ୍ବେ ସ୍ୱାଧୀନ ଭାରତର ସେହି ସଂସ୍ଥାନମାନଙ୍କ ମଧ୍ୟରୁ ହେଉଛି ଗୋଟିଏ, ଯାହାର ପରିକଳ୍ପନା ଟେକ୍ନୋଲଜି ମାଧ୍ୟମରେ ରାଷ୍ଟ୍ର ନିର୍ମାଣକୁ ନୂତନ ଦିଗ ଦେବା ପାଇଁ କରାଯାଇଥିଲା । ବିଗତ 60 ବର୍ଷ ଧରି ଆପଣ ନିରନ୍ତର ଭାବେ ନିଜର ଏହି ମିଶନରେ ଯୋଡ଼ି ହୋଇଛନ୍ତି । 100 ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଯାତ୍ରା ଆଜି 10 ହଜାର ପର୍ଯ୍ୟନ୍ତ ପହଂଚି ସାରିଛି । ଏହି ସମୟ ମଧ୍ୟରେ ଆପଣମାନେ ନିଜକୁ ଦୁନିଆର ଶ୍ରେଷ୍ଠ ସଂସ୍ଥାନ ଭାବେ ମଧ୍ୟ ପ୍ରତିଷ୍ଠିତ କରିଛନ୍ତି । ଏହି ସଂସ୍ଥାନ ନିଜର ହୀରକ ଜୟନ୍ତୀ ପାଳନ କରୁଛି, ଡାଇମଣ୍ଡ ଜୁବଲି । କିନ୍ତୁ ତା’ଠାରୁ ଅଧିକ ମହତ୍ୱପୂର୍ଣ୍ଣ ହେଉଛି କି ସମସ୍ତ ହିରୋ (ନାୟକ), ଯେଉଁମାନେ ଏଠାରେ ମୋ ସମ୍ମୁଖରେ ବସିଛନ୍ତି, ଯେଉଁମାନଙ୍କୁ ଆଜି ଦୀକ୍ଷା ପ୍ରାପ୍ତ ହେଉଛି, ଆଉ ଯେଉଁମାନେ ଏଠାରୁ ଦୀକ୍ଷା ପାଇ, ସମଗ୍ର ଦୁନିଆରେ ଭାରତର ନାମ ଉଜ୍ଜ୍ୱଳ କରୁଛନ୍ତି । ଆଜି ଏହି ଅବସରରେ ସର୍ବ ପ୍ରଥମେ ମୁଁ ଡିଗ୍ରୀ ହାସଲ କରିଥିବା ଦେଶ ବିଦେଶର ବିଦ୍ୟାର୍ଥୀମାନଙ୍କୁ, ଆଉ ସେମାନଙ୍କର ପରିବାରକୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଏଠାରେ ଡକ୍ଟର ରମେଶ ୱାଧୱାନୀ ମହାଶୟଙ୍କୁ ଡକ୍ଟର ଅଫ ସାଇନ୍ସର ଉପାଧି ଦିଆଯାଇଛି । ଡକ୍ଟର ୱାଧୱାନୀଙ୍କୁ ମଧ୍ୟ ମୋ ତରଫରୁ ବହୁତ-ବହୁତ ଶୁଭକାମନା । ରମେଶ ମହାଶୟ ଟେକ୍ନୋଲଜିକୁ ଜନ ସାଧାରଣଙ୍କ ଆବଶ୍ୟକତା ସହିତ ଯୋଡ଼ିବା ପାଇଁ ସାରା ଜୀବନ କାର୍ଯ୍ୟ କରିଛନ୍ତି । ୱାଧୱାନୀ ଫାଉଣ୍ଡେସନ ମାଧ୍ୟମରେ ସେ ଦେଶରେ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି,ଦକ୍ଷତା, ନବସୃଜନ ଏବଂ ଉଦ୍ୟମୀମାନଙ୍କ ପାଇଁ ବାତାବରଣ ସୃଷ୍ଟି କରିବାର କଷ୍ଟ ଉଠାଇଛନ୍ତି । ଗୋଟିଏ ସଂସ୍ଥାନ ହିସାବରେ ଆପଣ ସମସ୍ତଙ୍କ ପାଇଁ ମଧ୍ୟ ହେଉଛନ୍ତି ଗର୍ବର ବିଷୟ । ଏଠାରୁ ଶିକ୍ଷା ହାସଲ କରି ୱାଧୱାନୀ ମହାଶୟଙ୍କ ଭଳି ଅନେକ ଛାତ୍ରଛାତ୍ରୀମାନେ ଆଜି ଦେଶର ବିକାଶରେ ସକ୍ରିୟ ଯୋଗଦାନ ଦେଉଛନ୍ତି । ବିଗତ ଛଅ ଦଶକର ନିରନ୍ତର ପ୍ରୟାସର ପରିଣାମ ହେଉଛି କି ଆଇଆଇଟି ବମ୍ବେ ଦେଶର ବଛାବଛା ଉତ୍କର୍ଷ ପ୍ରତିଷ୍ଠାନ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରି ପାରିଛି । ଆଉ ଏବେ ଆପଣମାନଙ୍କୁ କୁହାଯାଇଛି କି ଆପଣମାନଙ୍କୁ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମିଳିବାକୁ ଯାଉଛି, ଯାହା ଆଗାମୀ ଦିନରେ ଏଠାରେ ଭିତ୍ତିଭୂମିର ବିକାଶ କାର୍ଯ୍ୟରେ ଲାଗିବ । ଏଥିପାଇଁ ମଧ୍ୟ ମୁଁ ଆପଣମାନଙ୍କୁ ଆଉ ଆପଣଙ୍କ ପୁରା ଟିମକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଦେଶ ଆଇଆଇଟିଗୁଡିକୁ ନେଇ ଗର୍ବ କରୁଛି, ଆଉ ଆଇଆଇଟି ସ୍ନାତକମାନେ ଯାହା ହାସଲ କରିଛନ୍ତି । ଆଇଆଇଟିର ସଫଳତା ଦ୍ୱାରା ସାରା ଦେଶରେ ଅନେକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହୋଇଛି । ସେମାନେ ଆଇଆଇଟି ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଯାହାଦ୍ୱାରା ଭାରତ ସାରା ବିଶ୍ୱରେ ସର୍ବ ବୃହତ ବୈଷୟିକ ମାନବ ସମ୍ବଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି । ଆଇଆଇଟି ବିଶ୍ୱ ସ୍ତରରେ ବ୍ରାଣ୍ଡ ଇଣ୍ଡିଆ ନିର୍ମାଣ କରିଛି ଏବଂ ତାହା ସେମାନେ ବର୍ଷ ବର୍ଷ ଧରି କରି ଚାଲିଛନ୍ତି । ଆଇଆଇଟି ସ୍ନାତକ ମାନେ ଆମେରିକା ଯାଇ ସେଠାରେ ନିଜର ଉତ୍କର୍ଷ ପ୍ରତିପାଦିତ କରୁଛନ୍ତି: ପ୍ରଥମେ ବିଶ୍ୱବିଦ୍ୟାଳୟର ଛାତ୍ର ଭାବେ ଏବଂ ପରେ ବୈଷୟିକବିତ ଭାବେ, ଉଦ୍ୟମୀ ଭାବେ, କାର୍ଯ୍ୟନିର୍ବାହୀ ଭାବେ ଏବଂ ଶିକ୍ଷାବିତ ଭାବେ । ଏହା ଆଇଆଇଟି ଛାତ୍ରମାନଙ୍କର ଏକ ବହୁତ ବଡ଼ ସଂଖ୍ୟା, ଯାହା ଭାରତର ଆଇଟି କ୍ଷେତ୍ରକୁ ନିର୍ମାଣ କରିଛି । ଇଟାକୁ ଇଟା ସହିତ ଯୋଡ଼ି ଅବା ମୁଁ କହିବି କ୍ଲିକ୍ ପରେ କ୍ଲିକ୍ କରି ।ପୂର୍ବରୁ ଆଇଟି କ୍ଷେତ୍ରରେ ଭାରତୀୟମାନଙ୍କୁ କଠିନ ପରିଶ୍ରମୀ ଏବଂ ବୁଦ୍ଧିମାନ ଭାବେ ଅନ୍ୟ ଦେଶରେ ଗଣା ଯାଉଥିଲା, ବିଶେଷ କରି ଆମେରିକାରେ । ଏବେ ଭାରତ ଆଇଟି ବିକାଶର କେନ୍ଦ୍ରସ୍ଥଳ ପାଲଟି ଯାଇଛି ।

ଆଉ ଆଜି ଆଇଆଇଟି ସ୍ନାତକ ଭାରତର କିଛି ସର୍ବଶ୍ରେଷ୍ଠ ଷ୍ଟାର୍ଟ-ଅପର ଅଗ୍ରଭାଗରେ ଅଛନ୍ତି । ଏମାନେ ହେଉଛନ୍ତି ସେହି ସବୁ ଷ୍ଟାର୍ଟ ଅପ୍, ଯେଉଁମାନେ ଅନେକ ରାଷ୍ଟ୍ରୀୟ ସମସ୍ୟାଗଡିକୁ ସମାଧାନ କରିବାରେ ଅଗ୍ରଭାଗରେ ରହିଛନ୍ତି । ଯେଉଁମାନେ ଷ୍ଟାର୍ଟ-ଅପ୍ ଆନ୍ଦୋଳନରେ କାର୍ଯ୍ୟ କରୁଛନ୍ତି ଅବା କଲେଜ ଛାଡିବା ପରେ ଷ୍ଟାର୍ଟ-ଅପ୍ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି, ଦୟାକରି ମନେରଖନ୍ତୁ  ଆଜି ଯାହା ସବୁଠାରୁ ବଡ଼ ନିଗମ ହୋଇପାରିଛି ବିଗତ ଦିନରେ ଷ୍ଟାର୍ଟ ଅପ୍ ହିଁ ଥିଲା । ତାହା ହେଉଛି  କଠିନ ପରିଶ୍ରମ ସହିତ ଆଦର୍ଶବାଦର ମିଳିତ ପରିଣାମ । ଏହାକୁ ଜାରି ରଖନ୍ତୁ, ହାର ମାନନ୍ତୁ ନାହିଁ ଆଉ ଆପଣ ନିଶ୍ଚୟ ସଫଳ ହେବେ ।

ମୁମ୍ବାଇ ଭଳି ସହରର ଏଭଳି କ୍ୟାମ୍ପସରେ ରହୁଥିବାରୁ ଆପଣମାନେ ବେଶ ଭାଗ୍ୟବାନ । ଆପଣଙ୍କ ପାଖରେ ଗୋଟିଏ ପଟେ ହ୍ରଦ ଅଛି, ଆଉ ଅନ୍ୟ ପଟେ ପାହାଡ ମଧ୍ୟ ରହିଛି । ବେଳେ ବେଳେ ଆପଣମାନଙ୍କୁ ନିଜ କ୍ୟାମ୍ପସକୁ କୁମ୍ଭୀର ଆଉ ଚିତା ବାଘମାନଙ୍କ ସହିତ ସହଭାଗୀ କରିବାକୁ ପଡୁଥିବ । ଏହା ଏବେ ମଧ୍ୟ ଅଗଷ୍ଟ, କିନ୍ତୁ ମୁଁ ନିଶ୍ଚିତ ଯେ, ଆପଣମାନଙ୍କର ମନୋଭାବ ଆଜି ନୀଳ ବର୍ଣ୍ଣ ଧାରଣ କରିଛି! ମୁଁ ନିଶ୍ଚିତ ଯେ, ବିଗତ 4 ବର୍ଷ ଆପଣ ସମସ୍ତଙ୍କ ପାଇଁ ଏକ ଅଦ୍ଭୁତ ଶିକ୍ଷଣୀୟ ଅନୁଭବ ଆଣିଥିବ ।

ପଛକୁ ଫେରି ଚାହିଁଲେ ଏବଂ ମନେ ପକାଇଲେ କଲେଜର ଉତ୍ସବ, ଆନ୍ତଃ ଛାତ୍ରାବାସ କ୍ରୀଡ଼ା, ଛାତ୍ର-ଶିକ୍ଷକ ସାଙ୍ଗଠନିକ କାର୍ଯ୍ୟରେ ଏକାଠି ହେବା ଭଳି ଅନେକ କିଛି ମନେରହିବା ଭଳି ଘଟଣା ଘଟିଛି । କ’ଣ ଅଧ୍ୟୟନ ବିଷୟରେ ମୁଁ କିଛି ଉଲ୍ଲେଖ କଲି? ଆମ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଦିଆଯାଇ ପାରୁଥିବା ସର୍ବଶ୍ରେଷ୍ଠ ଶିକ୍ଷା ଆପଣମାନେ ଗ୍ରହଣ କରିଛନ୍ତି । ଏଠାରେ ରହୁଥିବା ଛାତ୍ର ଭାରତର ବିବିଧତାକୁ ପ୍ରତିନିଧିତ୍ୱ କରୁଥିଲେ । ବିଭିନ୍ନ ରାଜ୍ୟରୁ, ଭିନ୍ନ ଭିନ୍ନ ଭାଷା କହୁଥିବା, ବିଭିନ୍ନ ପୃଷ୍ଟଭୂମିରୁ ଏଠାକୁ ଆସି ଆପଣମାନେ ଜ୍ଞାନ ଆହରଣ ଏବଂ ଶିକ୍ଷା ଲାଭ କରିବା ପାଇଁ ଏକାଠି ହୋଇଥିଲେ ।

ସାଥୀଗଣ,

ଆଇଆଇଟି ବମ୍ବେ ହେଉଛି ଦେଶର ସେହି ସଂସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ଯାହା ନ୍ୟୁ ଇଣ୍ଡିଆର ନୂତନ ଟେକ୍ନୋଲଜି ପାଇଁ କାମ କରୁଛି । ଆଗାମୀ ଦୁଇ ଦଶକରେ ଦୁନିଆର ବିକାଶ କେତେ ଏବଂ କେମିତି ହେବ, ଏହା ନବସୃଜନ ଏବଂ ନୂତନ ଟେକ୍ନୋଲଜି ସ୍ଥିର କରିବ । ଏପରି ସମୟରେ ଆପଣଙ୍କର ଏହି ସଂସ୍ଥାନର, ଆଇଆଇଟିର ଗୁରୁତ୍ୱ ବହୁତ ମହତ୍ୱପୂର୍ଣ୍ଣ ହୋଇ ଯାଇଥାଏ । ହୁଏତ 5-ଜି ବ୍ରଡ଼ବ୍ୟାଣ୍ଡର ଟେକ୍ନୋଲଜି ହେଉ, କୃତିମ ବୁଦ୍ଧିମତା ହେଉ, ବ୍ଲକ ଚେନ ଟେକ୍ନୋଲଜି ହେଉ, ବୃହତ ତଥ୍ୟ ବିଶ୍ଳେଷଣ ହେଉ କିମ୍ବା ଯନ୍ତ୍ରପାତି ଶିକ୍ଷଣ, ଏ ସବୁ ହେଉଛି ସେହି ଟେକ୍ନିକ ଯାହା ଆଗାମୀ ଦିନ ମାନଙ୍କରେ ସ୍ମାର୍ଟ ବିନିର୍ମାଣ ଏବଂ ସ୍ମାର୍ଟ ସିଟିର ଭିଜନ ପାଇଁ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି ।

ବର୍ତ୍ତମାନ ଠାରୁ କିଛି ସମୟ ପରେ ଯେଉଁ ନୂତନ ଭବନର ଉଦ୍ଘାଟନ ହେବ, ତାହା ମଧ୍ୟ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି । ଶକ୍ତି ବିଜ୍ଞାନ ଏବଂ ଇଂଜିନିୟରିଂ ବିଭାଗ ଏବଂ ପରିବେଶ ବିଜ୍ଞାନ ଏବଂ ଇଂଜିନିୟରିଂ କେନ୍ଦ୍ର ଏହି ନୂତନ ଭବନରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଦେଖି ଶକ୍ତି ଏବଂ ପରିବେଶ ଦେଶ ଏବଂ ଦୁନିଆ ପାଇଁ ହେଉଛି ସବୁଠାରୁ ବଡ଼ ଆହ୍ୱାନ, ଆଉ ମୋର ବିଶ୍ୱାସ ରହିଛି କି ଆଗାମୀ ଦିନମାନଙ୍କରେ ଏଠାରେ ଏହି ଦୁଇଟି କ୍ଷେତ୍ରରେ ଗବେଷଣା ପାଇଁ ଉତ୍ତମ ପରିବେଶ ସୃଷ୍ଟି ହେବ ।

ମୋତେ ଅବଗତ କରାଯାଇଛି କି ଏହି ଭବନରେ ଏକ ସୌର ଗବେଷଣାଗାର ମଧ୍ୟ ସ୍ଥାପିତ କରାଯାଉଛି, ଯାହାଦ୍ୱାରା ଛାତ୍ରମାନଙ୍କୁ ସୌର ଶକ୍ତି ସହିତ ଜଡ଼ିତ ଗବେଷଣା କରିବାରେ ମଧ୍ୟ ସୁବିଧା ହେବ । ସୌର ଶକ୍ତି ବ୍ୟତୀତ ଜୈବ ଇନ୍ଧନ ମଧ୍ୟ ଆଗାମୀ ଦିନମାନଙ୍କରେ ସ୍ୱଚ୍ଛ ଶକ୍ତିର ଏକ ବହୁତ ବଡ଼ ଉତ୍ସ ସିଦ୍ଧ ହେବାକୁ ଯାଉଛି । ମୁଁ କାଲି ଦିଲ୍ଲୀରେ ବିଶ୍ୱ ଜୈବ ଇନ୍ଧନ ଦିବସ ଉପଲକ୍ଷେ ମଧ୍ୟ କହୁଥିଲି କି ଏହା ସହିତ ଜଡ଼ିତ ଟେକ୍ନୋଲଜିକୁ ନେଇ ଇଂଜିନିୟରିଂର ଛୋଟରୁ ନେଇ ବଡ଼ ସଂସ୍ଥାନରେ ପଢ଼ା ହେଉ, ଗବେଷଣା ହେଉ ।

ସାଥୀଗଣ,

ଆଇଆଇଟିକୁ ଦେଶ ଏବଂ ଦୁନିଆ ଭାରତୀୟ ପ୍ରୌଦ୍ୟୋଗିକ ପ୍ରତିଷ୍ଠାନ ରୂପେ ଜାଣିଛି । କିନ୍ତୁ ଆଜି ଆମମାନଙ୍କ ପାଇଁ ଏହାର ପରିଭାଷା ଟିକେ ବଦଳି ଯାଇଛି । ଏହା କେବଳ ଟେକ୍ନୋଲଜିର ପାଠପଢ଼ା ସହିତ ଯୋଡ଼ି ହୋଇ ରହିନାହିଁ, ବରଂ ଆଇଆଇଟି ଆଜି ଭାରତର ପରିବର୍ତ୍ତନର ମାଧ୍ୟମ ହୋଇ ଯାଇଛି । ଆମେ ଯେତେବେଳେ ପରିବର୍ତ୍ତନର କଥା କହୁ, ତ ଷ୍ଟାର୍ଟ-ଅପ୍ ର ଯେଉଁ ବିପ୍ଳବ ଆଡ଼କୁ ଦେଶ ଆଗକୁ ବଢ଼ୁଛି, ତାହାର ଏକ ବହୁତ ବଡ଼ ଉତ୍ସ ହେଉଛନ୍ତି ଆମର ଆଇଆଇଟି ମାନେ । ଆଜି ଦୁନିଆ ଆଇଆଇଟିକୁ ୟୁନିକର୍ଣ୍ଣ ଷ୍ଟାର୍ଟ-ଅପ୍ ର ନର୍ସରୀ ଭାବେ ମାନୁଛି । ଅର୍ଥାତ୍ ସେହି ଷ୍ଟାର୍ଟ-ଅପ୍ ଏବେ ଭାରତରେ ଆରମ୍ଭ ହେଉଅଛି ଯାହାର ଭବିଷ୍ୟତରେ ମୂଲ୍ୟ ଏକ ଆରବ ଡଲାରରୁ ମଧ୍ୟ ଅଧିକ ହେବାର ସମ୍ଭାବନା ବ୍ୟକ୍ତ କରାଯାଉଛି । ଏହା ହେଉଛି ଗୋଟିଏ ପ୍ରକାରରେ ଟେକ୍ନିକର ଦର୍ପଣ,ଯେଉଁଥିରେ ଦୁନିଆକୁ ଭବିଷ୍ୟତ ଦୃଷ୍ଟି ଗୋଚର ହେଉଛି ।

ସାଥୀଗଣ,

ଆଜି ସାରା ଦୁନିଆରେ ଯେତିକି ମଧ୍ୟ ବିଲିୟନ ଡଲାରର ଷ୍ଟାର୍ଟ-ଅପ୍ ରହିଛି, ସେମାନଙ୍କ ମଧ୍ୟରୁ ଡଜନ-ଡଜନ ଏଭଳି ଅଛନ୍ତି ଯେଉଁଗୁଡ଼ିକୁ ଆଇଆଇଟିରୁ ବାହାରିଥିବା ଲୋକମାନେ ସ୍ଥାପିତ କରିଛନ୍ତି । ଆଜି ମୋ ସମ୍ମୁଖରେ ମୁଁ ଭବିଷ୍ୟତର ଏଭଳି ଅନେକ Unicorn Foundersକୁ ଦେଖି ପାରୁଛି ।

ବନ୍ଧୁଗଣ,

ଭାରତକୁ ଏକ ବିକଶିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ  ନବସୃଜନ ଏବଂ ଉଦ୍ୟୋଗ ଏକ ମୂଳଦୁଆ ପ୍ରସ୍ତୁତ କରୁଛି । ଏହି ମୂଳଦୁଆ ଉପରେ ଏକ ଦୀର୍ଘ କାଳୀନ ନିରନ୍ତର ବୈଷୟିକ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସମ୍ଭବ ହେବ ।

 

ଏହା ହେଉଛି କାରଣ ଯେଉଁଥିପାଇଁ ଆମେ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଏବଂ ଅଟଳ ନବସୃଜନ ମିଶନ ଭଳି ଅଭିଯାନ ଆରମ୍ଭ କରିଛୁ । ଯାହାର ପରିଣାମ ଏବେ ମିଳିବାକୁ ଲାଗିଲାଣି । ଆଜି ଭାରତ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଦୁନିଆରେ ଦ୍ୱିତୀୟ ସର୍ବବୃହତ ଅନୁକୂଳ ବାତାବରଣ । 10 ହଜାରରୁ ଅଧିକ ଷ୍ଟାର୍ଟ-ଅପକୁ ଦେଶରେ ବିକଶିତ କରାଯାଇ ପାଣ୍ଠିର ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ସାଥୀଗଣ,

ଆଜି ନବସୃଜନ ସୂଚକାଙ୍କ ମାନ୍ୟତାରେ ଆମେ ନିରନ୍ତର ଉପରକୁ ଉଠୁଛୁ । ଏହାର ଅର୍ଥ ହେଉଛି କି ଏହା ଶିକ୍ଷାରୁ ନେଇ ପରିବେଶ ପର୍ଯ୍ୟନ୍ତ ଆମର ଯେଉଁ ବୌଦ୍ଧିକ ଅଭ୍ୟବ୍ୟକ୍ତି ରହିଛି ତାହାର ପରିଣାମ ଆଜି ଦୁନିଆ ସାମ୍ନାକୁ ଆସୁଛି । ଦେଶରେ ବୈଜ୍ଞାନିକ ମନୋଭାବ ବିକାଶ କରିବା, ଗବେଷଣାର ବାତାବରଣ ସୃଷ୍ଟି କରିବା ପାଇଁ ଉଚ୍ଚ ଶିକ୍ଷାରେ ଭିତ୍ତିଭୂମି ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି ।

ନବସୃଜନ ହେଉଛି ଏକବିଂଶ ଶତାବ୍ଦୀର ଗୁଢ଼ ଶବ୍ଦ । ଯେ କୌଣସି ସମାଜ ନବସୃଜନ କରି ନ କରିବ ତ ସ୍ଥାଣୁ ହୋଇଯିବ । ଭାରତ ଷ୍ଟାର୍ଟ ଅପ୍ର କେନ୍ଦ୍ର ଭାବେ ବିକଶିତ ହେଉଛି, ଯାହା ଦେଖାଉଛି ଯେ,ଏଠାରେ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆମକୁ ଏହାକୁ ଆଗକୁ ବଢାଇ ନେବାକୁ ହେବ ଆଉ ଭାରତକୁ ନବସୃଜନ ଏବଂ ଉଦ୍ୟୋଗର ଆକର୍ଷକ ତଥା କେନ୍ଦ୍ରସ୍ଥଳ କରିବା ଆବଶ୍ୟକ,ଆଉ ଏହା କେବଳ ସରକାରୀ ପ୍ରୟାସରେ ସମ୍ଭବ ହେବନାହିଁ । ଏହା କେବଳ ଆପଣମାନଙ୍କ ଭଳି ଯୁବ ତାରକାମାନଙ୍କ ଦ୍ୱାରା ହୋଇପାରିବ । ସରକାରୀ ଭବନ ଏବଂ ଚିକ୍କଣ କାର୍ଯ୍ୟାଳୟରେ ସର୍ବୋତ୍ତମ ଚିନ୍ତାଧାରା ଆସି ନ ଥାଏ । ତାହା କେବଳ ଆପଣମାନଙ୍କ ଭଳି ଯୁବକମାନଙ୍କ ଚିନ୍ତଧାରାରେ ଆପଣମାନଙ୍କ କ୍ୟାମ୍ପସରୁ ଆସିଥାଏ ।

ମୋର ଆପଣ ମାନଙ୍କୁ ଆପଣ ମାନଙ୍କ ଭଳି ଅନ୍ୟ ଯୁବକ ମାନଙ୍କୁ ଅନୁରୋଧ – ଭାରତରେ ନବସୃଜନ, ମାନବତା ପାଇଁ ହେଉଛି ନବପ୍ରବର୍ତ୍ତନ ।

ଉନ୍ନତ କୃଷି ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ କମ୍ କରିବାଠାରୁ ଆରମ୍ଭ କରି,ସ୍ୱଚ୍ଛ ଶକ୍ତିଠାରୁ ଆରମ୍ଭ କରି ଜଳ ସଂରକ୍ଷଣ, କୁପୋଷଣ ବିରୁଦ୍ଧରେ ପ୍ରଭାବଶାଳୀ ଢ଼ଂଗରେ ଲଢ଼େଇ କରିବା ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା । ଆସନ୍ତୁ, ଭାରତୀୟ ପ୍ରୟୋଗଶାଳାରୁ ଏବଂ ଭାରତୀୟ ଛାତ୍ରମାନଙ୍କ ଠାରୁ ସଦ୍ୟତମ ଚିନ୍ତାଧାରା ପ୍ରକଟ ହେବା ନେଇ ଆଶା କରିବା । ଆମେ ଆମ ତରଫରୁ ଗବେଷଣାର ମନୋବଳ ବୃଦ୍ଧି ଏବଂ ନବସୃଜନର ଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ଯଥା ସମ୍ଭବ ଓ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛୁ ।

ବିଗତ ଚାରି ବର୍ଷରେ 7 ନୂଆ ଆଇଆଇଟି, 7 ନୂଆ ଆଇଆଇଏମ, 2 ଆଇଜର ଏବଂ 11 ଆଇଆଇଆଇଟିକୁ ଅନୁମୋଦନ କରାଯାଇଛି । ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ‘ରାଇଜ’ ଅର୍ଥାତ୍ ଶିକ୍ଷା କ୍ଷେତ୍ରରେ ଭତ୍ତିଭୂମିର ପୁନଃ ସଂସ୍ଥାପନ (Revitalisation of Infrastructure and Systems in Education) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଆଗାମୀ ଚାରି ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାର ଲକ୍ଷ୍ୟ ରଖା ଯାଇଛି । ନୂତନ ସଂସ୍ଥାନ, ନୂତନ ଭିତ୍ତିଭୂମିର ଆବଶ୍ୟକତା ରହିଛି କିନ୍ତୁ ତା’ଠାରୁ ମଧ୍ୟ ଜରୁରୀ ହେଉଛି ସେଠାରୁ ପ୍ରସ୍ତୁତ ହେବାକୁ ଥିବା କୌଶଳ ଶକ୍ତି । ସରକାର ଏହା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି ।

ସାଥୀଗଣ,

ଆଜି ଦେଶରେ ପ୍ରତ୍ୟେକ ବର୍ଷ ପ୍ରାୟ 7 ଲକ୍ଷ ଇଂଜିନିୟରଙ୍କୁ କ୍ୟାମ୍ପସରେ ପ୍ରସ୍ତୁତ କରାଯାଉଛି, କିନ୍ତୁ କିଛି ଲୋକ କେବଳ ଡିଗ୍ରୀ ନେଇ କରି ହିଁ ବାହାରୁଛନ୍ତି । ସେମାନଙ୍କ ମଧ୍ୟରେ କୌଶଳ ଦକ୍ଷତା ସେହି ପରିମାଣରେ ବିକଶିତ ହୋଇ ପାରି ନ ଥାଏ । ମୁଁ ଏଠାରେ ଉପସ୍ଥିତ ଶିକ୍ଷକମାନଙ୍କୁ, ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରୁଛି କି ଏହି ବିଷୟରେ ଚିନ୍ତା କରନ୍ତୁ, କିଭଳି ଗୁଣାତ୍ମକ ସୁଧାର କରାଯାଇ ପାରିବ ସେ ସମ୍ବନ୍ଧରେ ନିଜର ପରାମର୍ଶ ନେଇ ଆସନ୍ତୁ । ପରିମାଣ ହିଁ ନୁହେଁ ବରଂ ଗୁଣାତ୍ମକ ଅଭିବୃଦ୍ଧି ମଧ୍ୟ ଉଚ୍ଚ ସ୍ତରର ହେଉ, ଏହା ସୁନିଶ୍ଚିତ କରିବା ଆପଣ ସମସ୍ତଙ୍କର ହେଉଛି ସାମୁହିକ ଦାୟିତ୍ୱ । ଏଥିପାଇଁ ସରକାର ମଧ୍ୟ ପ୍ରୟାସ କରୁଛନ୍ତି ।

ଆପଣମାନଙ୍କୁ ଜଣା ଥିବ କି ସରକାର ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍ ଯୋଜନା ଚଲାଉଛନ୍ତି । ଏହାଦ୍ୱାରା ପ୍ରତି ବର୍ଷ ସମଗ୍ର ଦେଶର ଏକ ହଜାର ମେଧାବୀ ଇଂଜିନିୟରିଂ ଛାତ୍ରମାନଙ୍କୁ ଗବେଷଣା କରିବା ପାଇଁ ସଂସାଧନ ଉପଲବ୍ଧ କରାଯାଉଛି । କେବଳ ଏତିକି ହିଁ ନୁହେଁ ଏହି ଯୋଜନାରେ ଚୟନ କରାଯାଇଥିବା ଛାତ୍ରମାନଙ୍କୁ ପିଏଚଡି ପାଇଁ, ଆଇଆଇଟି ଏବଂ ଆଇଆଇଏସସି ଭଳି ପ୍ରତିଷ୍ଠିତ ସଂସ୍ଥାନ ମାନଙ୍କରେ ହିଁ ନାମ ଲେଖାଇବାର ବ୍ୟବସ୍ଥା ରହିଛି । ଏହି ଫେଲୋସିପ ଆପଣଙ୍କୁ ଦେଶରେ ରହି ଗବେଷଣା କରିବା ପାଇଁ ଉନ୍ନତ ଧରଣର ସୁବିଧାମାନ ଦେବାର ଅବସର ଉପଲବ୍ଧ କରାଉଛି । ଆଇଆଇଟି ବମ୍ବେର ଛାତ୍ର-ଛାତ୍ରୀମାନେ ମଧ୍ୟ ଏହାର ଲାଭ ଉଠାଇବା ଦରକାର ।

ସାଥୀଗଣ,

ଏଠାରେ ଯେତେ ମଧ୍ୟ ଲୋକ ବସିଛନ୍ତି, ସେମାନେ ହୁଏତ ହେଉଛନ୍ତି ଶିକ୍ଷକ କିମ୍ବା ଭବିଷ୍ୟତର ନେତା । ଆପଣ ଭବିଷ୍ୟତ ସମୟରେ ଦେଶ ପାଇଁ କିମ୍ବା କୌଣସି ସଂସ୍ଥାନ ପାଇଁ ନୀତି ନିର୍ଦ୍ଧାରଣ କାମରେ ଯୋଡ଼ି ହେବାକୁ ଯାଉଛନ୍ତି । ଆପଣ ଯେପରି ଟେକ୍ନୋଲଜି ଏବଂ ନବସୃଜନ ଦ୍ୱାରା ନୂତନ ଷ୍ଟାର୍ଟ ଅପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । କ’ଣ କରିବାର ଅଛି, କିପରି କରିବାର ଅଛି, ଏଥିପାଇଁ ଆପଣଙ୍କର ଏକ ସୁନିଶ୍ଚିତ ଦୃଷ୍ଟିଭଙ୍ଗୀ ମଧ୍ୟ ରହିଥିବ ।

ସାଥୀଗଣ,

ପୁରୁଣା ରୀତି ନୀତିକୁ ଛାଡ଼ିବା ଅଧିକାଂଶ ସମୟରେ ସହଜ ହୋଇ ନ ଥାଏ । ସମାଜ ଏବଂ ସରକାରୀ ବ୍ୟବସ୍ଥା ସହିତ ମଧ୍ୟ ଏହି ସମସ୍ୟା ହୋଇଥାଏ । କଳ୍ପନା କରନ୍ତୁ କି ହଜାର ବର୍ଷ ଧରି ଯେଉଁ ଅଭ୍ୟାସ ବିକଶିତ ହେଲା, ଶହ ଶହ ବର୍ଷ ଧରି ଯେଉଁ ବ୍ୟବସ୍ଥା ଚାଲୁ ରହିଥିଲା, ତାହାକୁ ପରିବର୍ତ୍ତନ ପାଇଁ ସହମତ କରାଇ ନେବା କେତେ କଠିନ କାମ । କିନ୍ତୁ ଯେତେବେଳେ ଆପଣଙ୍କର ଚିନ୍ତାଧାରା ଏବଂ କର୍ମର କେନ୍ଦ୍ରରେ ଉତ୍ସର୍ଗୀକୃତ ମନୋଭାବ, ପ୍ରେରଣା ଦେବା ଏବଂ ଆକାଂକ୍ଷା ରହିଥାଏ, ତ ଆପଣ ସମସ୍ତ ବନ୍ଧନକୁ ଅତିକ୍ରମ କରିବାରେ ସଫଳ ହୋଇଥାଆନ୍ତି ।

ଆଜି ସରକାର ଆପଣ ସମସ୍ତଙ୍କର, ଦେଶର କୋଟି କୋଟି ଯୁବକଙ୍କର ଆକାଂକ୍ଷାକୁ ସାମ୍ନାରେ ରଖି କାର୍ଯ୍ୟ କରୁଛନ୍ତି । ମୋର ଆପଣମାନଙ୍କୁ ସମସ୍ତଙ୍କୁ ଏତିକି ଅନୁରୋଧ ଯେ, ଅସଫଳତାର ଦ୍ୱନ୍ଦକୁ ମନରୁ ବାହାର କରନ୍ତୁ, ସଫଳତା ମିଳିବ କି ମିଳିବ ନାହିଁ, କରିବି କି କରିବି ନାହିଁ, ଦ୍ୱନ୍ଦକୁ ବାହାର କରନ୍ତୁ ଆଉ ଆକାଂକ୍ଷା ଉପରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ । ଉଚ୍ଚ ଲକ୍ଷ୍ୟ, ଉଚ୍ଚ ଚିନ୍ତାଧାରା ଆପଣ ମାନଙ୍କୁ ଅଧିକ ପ୍ରେରିତ କରିବ, ଦ୍ୱନ୍ଦ ଆପଣଙ୍କର ବୁଦ୍ଧିକୁ ସୀମା ମଧ୍ୟରେ ବାନ୍ଧି ଦେବ ।

ସାଥୀଗଣ,

କେବଳ ଆକାଂକ୍ଷା ରହିବା ଯଥେଷ୍ଟ ନୁହେଁ, ଲକ୍ଷ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆପଣମାନଙ୍କ ମଧ୍ୟରୁ ଆଜି ଯେଉଁମାନେ ଶିକ୍ଷା ସମାପ୍ତ କରି ବାହାରକୁ ବାହାରୁଛନ୍ତି କିମ୍ବା ଆଗାମୀ ବର୍ଷମାନଙ୍କରେ ବାହାରିବାକୁ ଯାଉଛନ୍ତି, ଆପଣମାନେ ସମସ୍ତେ କୌଣସି ନା କୌଣସି ସଂସ୍ଥାନ ସହିତ ଯୋଡ଼ି ହେବାକୁ ଯାଉଛନ୍ତି । କୌଣସି ନୂତନ ସଂସ୍ଥାନର ମୂଳଦୁଆ ସ୍ଥାପନ କରିବାକୁ ଯାଉଛନ୍ତି । ମୋର ବିଶ୍ୱାସ ରହିଛି,ଏଭଳି ପ୍ରତ୍ୟେକ କାର୍ଯ୍ୟରେ ଆପଣ ଦେଶର ଆବଶ୍ୟକତାଗୁଡ଼ିକୁ, ଦେଶବାସୀଙ୍କର ଆବଶ୍ୟକତାର ଧ୍ୟାନ ନିଶ୍ଚୟ ରଖିବେ । ଏଭଳି ଅନେକ ସମସ୍ୟା ରହିଛି ଯାହାର ସମାଧାନ ଆପଣମାନେ ସମସ୍ତେ ଖୋଜି ପାରିବେ ।

ସାଥୀଗଣ,

ଶହେ ପଚିଶ କୋଟି ଦେଶବାସୀଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ, ସହଜ ଜୀବନଯାପନକୁ ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ପ୍ରତ୍ୟେକ ପ୍ରୟାସ, ପ୍ରତ୍ୟେକ ବିଚାର ସହିତ ଏ ସରକାର ଠିଆ ହୋଇଛନ୍ତି, ଆପଣଙ୍କ ସହିତ ଚାଲିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ ମୋର ଯେତେବେଳେ ଆପଣମାନଙ୍କ ଭଳି ଛାତ୍ରଗଣ, ବୈଜ୍ଞାନିକ ବନ୍ଧୁଗଣ, ଉଦ୍ୟମୀମାନଙ୍କ ସହିତ ବାର୍ତ୍ତାଳାପ ହୋଇଥାଏ,ତ ମୁଁ ଆଇଆଇଟି ଭଳି ସଂସ୍ଥାନର ଚାରିପାଖରେ ସହର ଆଧାରିତ ବିଜ୍ଞାନ ପୁଞ୍ଜର ଚର୍ଚ୍ଚା ନିଶ୍ଚିତ କରିଥାଏ । ଉଦ୍ଦେଶ୍ୟ ଏହା ହେଉଛି କି ଛାତ୍ର, ଶିକ୍ଷକ, ଶିଳ୍ପ, ଷ୍ଟାର୍ଟ-ଅପ୍ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ ଗୋଟିଏ ହିଁ ସ୍ଥାନରେ, ଜଣେ ଅନ୍ୟ ଜଣଙ୍କର ଆବଶ୍ୟକତା ହିସାବରେ କାମ କରିବାରେ, ଆର ଏଣ୍ଡ ଡି (ଗବେଷଣା ଏବଂ ବିକାଶ) କରିବାର ଅବସର ମିଳୁ । ଏବେ ଯେମିତି କି ମୁମ୍ବାଇର ଯେଉଁ ଅଂଚଳରେ ଆପଣଙ୍କର ସଂସ୍ଥାନ ରହିଛି, ତାକୁ ବିଚାରକୁ ନିଅନ୍ତୁ । ମୋତେ ଅବଗତ କରାଯାଇଛି କି ଏଠାରେ ଗ୍ରେଟର ମୁମ୍ବାଇରେ ପ୍ରାୟ 800 କଲେଜ ଏବଂ ସଂସ୍ଥାନ ରହିଛି,ଯେଉଁଥିରେ ପ୍ରାୟ ସାଢ଼େ 9 ଲକ୍ଷ ଯୁବକ ପାଠ ପଢ଼ୁଛନ୍ତି । ଆଜି ଆମେ ଯେତେବେଳେ ଏଠାରେ ସମାବର୍ତ୍ତନ ପାଇଁ ଏକାଠି ହୋଇଛେ, ଏହା ହେଉଛି ଏହି ସଂସ୍ଥାନର ମଧ୍ୟ ହୀରକ ଜୟନ୍ତୀ, ଏହି ଅବସରରେ ମୁଁ ଆପଣ ମାନଙ୍କୁ ଗୋଟିଏ ସଂକଳ୍ପ ସହିତ ଯୋଡ଼ିବାକୁ ଚାହୁଁଛି । କ’ଣ ଆଇଆଇଟି ବମ୍ବେ, ନଗର ଆଧାରିତ ଉତ୍କର୍ଷ କେନ୍ଦ୍ର ହୋଇ ପାରିବ?

ସାଥୀଗଣ,

ଆପଣ ସମସ୍ତେ ଭଲ ଭାବେ ଜାଣନ୍ତି କି ସରକାର ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ୍)କୁ ଆଇନ ମାଧ୍ୟମରେ ଅଧିକ ସ୍ୱୟତ୍ତତା ଦେଉଛନ୍ତି । ସରକାର ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି କି ଆଇଆଇଏମ୍ ରୁ ଶିକ୍ଷା ଲାଭ କରି ବାହାରୁଥିବା ବିଦ୍ୟାର୍ଥୀ-ପୁରାତନ ଛାତ୍ର, ଏହି ସଂସ୍ଥାନରେ ଆହୁରି ଅଧିକ ସକ୍ରିୟ ଭୂମିକା ତୁଲାନ୍ତୁ । ଆଇଆଇଏମର ପରିଚାଳନା ମଣ୍ଡଳୀରେ ମଧ୍ୟ ସେମାନଙ୍କୁ ପ୍ରତିନିଧିତ୍ୱ ଦିଆଯାଉଛି । ମୁଁ ବୁଝି ପାରୁଛି କି ଆଇଆଇଟି ଭଳି ସଂସ୍ଥାନଗୁଡ଼ିକ ମଧ୍ୟ ନିଜର ପୁରାତନ ଛାତ୍ରମାନଙ୍କର ଅନୁଭବର ସୁଫଳ ଉଠାଇବା ପାଇଁ ଏଭଳି ନିଷ୍ପତ୍ତି ଉପରେ ବିଚାର କରିବା ଆବଶ୍ୟକ। ଏଭଳି ହେବା ଦ୍ୱାରା ପୁରାତନ ଛାତ୍ରମାନଙ୍କୁ ନିଜ ସଂସ୍ଥାନ ପାଇଁ ଅଧିକ କିଛି ଉନ୍ନତ କରିବା ପାଇଁ ସୁଯୋଗ ମିଳିବ । ମୋ ସମ୍ମୁଖରେ ବସିଥିବା ପ୍ରତ୍ୟେକ ଛାତ୍ର ଭବିଷ୍ୟତରେ ପୁରାତନ ଛାତ୍ର ହେବେ ଆଉ ମୋର ଏହି କଥାରେ ଆପଣ ସହମତ ହେବେ କି ପୁରାତନ ଛାତ୍ରମାନେ ହେଉଛନ୍ତି ଏପରି ଏକ ଶକ୍ତି ଯେଉଁମାନେ ଏହି ସଂସ୍ଥାନକୁ ନୂତନ ଶିଖରକୁ ନେବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ । ମୋତେ ଅବଗତ କରାଯାଇଛି କି କେବଳ ଆଇଆଇଟି ବମ୍ବେର 50 ହଜାରରୁ ଅଧିକ ପୁରାତନ ଛାତ୍ର ଅଛନ୍ତି । ସେମାନଙ୍କର ଜ୍ଞାନ, ସେମାନଙ୍କର ଅନୁଭବର ବହୁତ ବଡ଼ ସୁଫଳ ଆପଣମାନଙ୍କୁ ମିଳି ପାରିବ ।

ସାଥୀଗଣ,

ଏଠାରେ ପହଂଚିବା ପାଇଁ ଆପଣ ମାନେ ବହୁତ ପରିଶ୍ରମ କରିଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀ ଏପରି ଥିବେ, ଯେଉଁମାନେ ଅଭାବ ମଧ୍ୟରେ ସଂଘର୍ଷ କରି ଏ ପର୍ଯ୍ୟନ୍ତ ପହଂଚିଛନ୍ତି । ଆପଣମାନଙ୍କ ମଧ୍ୟରେ ଅଦ୍ଭୁତ କ୍ଷମତା ରହିଛି, ଯାହାଦ୍ୱାରା ଉନ୍ନତ ପରିଣାମ ମଧ୍ୟ ଆପଣମାନଙ୍କୁ ମିଳୁଛି । କିନ୍ତୁ ଏଭଳି ମଧ୍ୟ ଲକ୍ଷ ଲକ୍ଷ ଯୁବକ ଅଛନ୍ତି ଯେଉଁମାନେ ଏଠାକୁ ଆସିବା ପାଇଁ ପରିଶ୍ରମ କରୁଛନ୍ତି କିନ୍ତୁ ସେମାନଙ୍କୁ ସଫଳତା ମିଳି ପାରୁ ନାହିଁ । ସେମାନଙ୍କ ମଧ୍ୟରେ ବୁଦ୍ଧିମତାର ଅଭାବ ରହିଛି, ଏପରି ନୁହେଁ । ସୁଯୋଗ ଏବଂ ମାର୍ଗଦର୍ଶନର ଅଭାବ ଯୋଗୁଁ ସେମାନଙ୍କୁ ଏହି ସୁଯୋଗ ମିଳି ପାରି ନାହିଁ । ଏଭଳି ଅନେକ ଛାତ୍ରମାନଙ୍କ ଜୀବନରେ, ସେମାନଙ୍କୁ ମାର୍ଗଦର୍ଶନ କରି ଆପଣ ଏକ ନୂତନ ଶକ୍ତି, ନୂତନ ଚେତନା, ନୂତନ ଆଲୋକ ଆଣି ପାରିବେ । ଏହା ମଧ୍ୟ ଆହୁରି ଉନ୍ନତ ହେବ ଯଦି ଆଇଆଇଟି ବମ୍ବେ ଆଖପାଖର ସ୍କୁଲ ପାଇଁ ଲୋକସମ୍ପର୍କ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ । ଛୋଟ ଛୋଟ ପିଲାମାନଙ୍କୁ ଏଠାକାର କ୍ୟାମ୍ପସକୁ ଆଣିବା ପାଇଁ ବ୍ୟବସ୍ଥା ହେଉ, ଫଳରେ ବୈଜ୍ଞାନିକ ଗବେଷଣା ପାଇଁ ସେମାନେ ଅନୁପ୍ରାଣିତ ହେବେ । ଆପଣମାନଙ୍କର ଜ୍ଞାତସାରରେ ଥିବ କି ଏବେ ଅଟଳ ନବୋନ୍ୱେଷ ଲେ ଭଳି ମଧ୍ୟ ବହୁତ ବଡ଼ ଅଭିଯାନ ଦେଶର ସ୍କୁଲଗୁଡ଼ିକରେ ଚାଲୁ କରାଯାଇଛି । ଯେଉଁଠାରେ କୃତିମ ବୁଦ୍ଧିମତା, 3-ଡି ପ୍ରିଂଟିଙ୍ଗ ଭଳି ନୂତନ ଟେକ୍ନୋଲଜି ଦ୍ୱାରା ପିଲାମାନଙ୍କୁ ପରିଚିତ କରାଯାଉଛି । ସ୍କୁଲ ଗୁଡ଼ିକରେ ଏହିଭଳି ଲୋକସମ୍ପର୍କ ଦ୍ୱାରା ଏହି ଅଭିଯାନକୁ ସହାୟତା ମିଳିବ । ସମ୍ଭବ ହେଉଛି କି ସେହି ଛୋଟ ଛୋଟ କୋମଳମତି ମସ୍ତିଷ୍କକୁ ଅଭିନବ ବିଚାର ଦ୍ୱାରା କେବେ କେବେ ଆମ ବଡ଼ମାନଙ୍କୁ, ଆପଣ ସମସ୍ତଙ୍କୁ  କିଛି ନୂତନ ପ୍ରେରଣା ମିଳିଯିବ ।

ସାଥୀଗଣ,

ଆଜି ଯେଉଁ ଡ଼ିଗ୍ରୀ ଆପଣମାନଙ୍କୁ ମିଳିଛି, ଏହା ଆପଣମାନଙ୍କର ଏକାଗ୍ରତା, ଲକ୍ଷ୍ୟ ପ୍ରତି ଆପଣମାନଙ୍କର ସମର୍ପଣର ହେଉଛି ପ୍ରତୀକ । ମନେ ରଖନ୍ତୁ ଏହା କେବଳ ଏକ ସୋପାନ ମାତ୍ର,ପ୍ରକୃତ ଆହ୍ୱାନ ଆପଣମାନଙ୍କୁ ବାହାରେ ପ୍ରତୀକ୍ଷା କରି ରହିଛି । ଆପଣମାନେ ଆଜି ପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି ଆଉ ଆଗକୁ ଯାଇ କରିବାକୁ ଯାଉଛନ୍ତି, ତାହାଦ୍ୱାରା ଆପଣଙ୍କ ନିଜର, ଆପଣଙ୍କ ପରିବାରର, ଶହେ ପଚିଶ କୋଟି ଦେଶବାସୀଙ୍କ ଆଶା ଓ ବିଶ୍ୱାସ ଜଡିତ ହୋଇଛି । ଆପଣ ଯାହା କରିବେ ତାହାଦ୍ୱାରା ଦେଶର ନୂତନ ପିଢିର ଭବିଷ୍ୟତ ମଧ୍ୟ ନିର୍ମାଣ ହେବ ଏବଂ ନ୍ୟୁ-ଇଣ୍ଡିଆ ମଧ୍ୟ ସୁଦୃଢ ହେବ ।

କୋଟି କୋଟି ଆଶା ଓ ବିଶ୍ୱାସକୁ ପୂରଣ  କରିବାରେ ଆପଣ ସଫଳ ହୁଅନ୍ତୁ, ଏଥିପାଇଁ ପୁଣି ଥରେ ବହୁତ–ବହୁତ ଶୁଭକାମନା, ବହୁତ–ବହୁତ ଶୁଭେଚ୍ଛା ଜଣାଉଛି, ଆପଣ ସମସ୍ତଙ୍କ ମଧ୍ୟରେ କିଛି ସମୟ ଅତିବାହିତ କରିବାର ସୁଯୋଗ ମିଳିଲା ଏଥିପାଇଁ ମୁଁ ନିଜକୁ ନିଜେ ଧନ୍ୟ ମନେ କରୁଛି ।

ବହୁତ–ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"