This year India completed 75 years of her independence and this very year Amritkaal commenced: PM Modi
The various successes of India in 2022 have created a special place for our country all over the world: PM Modi
In 2022 India attained the status of the world's fifth largest economy, crossed the magical exports figure of 400 billion dollars: PM Modi
Atal Ji was a great statesman who gave exceptional leadership to the country: PM Modi
As more and more Indian medical methods become evidence-based, its acceptance will increase across the world: PM Modi
India will soon completely eradicate Kala Azar: PM Modi
Maa Ganga is integral to our culture and tradition, it is our collective responsibility to keep the River clean: PM Modi
The United Nations has included 'Namami Gange' mission in the world's top 10 initiatives aimed at reviving the (natural) ecosystem: PM Modi
'Swachh Bharat Mission' has become firmly rooted in the mind of every Indian today: PM Modi
Corona is increasing in many countries of the world, so we have to take more care of precautions like mask and hand washing: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆମେ ‘ମନ୍ କି ବାତ୍‌’ର ୯୬ତମ ଅଧ୍ୟାୟରେ ଏକାଠି ହୋଇଛୁ। ‘ମନ୍ କି ବାତ୍‌’ର ଆଗାମୀ ଅଧ୍ୟାୟ ୨୦୨୩ର ପ୍ରଥମ ଅଧ୍ୟାୟ ହେବ । ଆପଣମାନେ ଯେଉଁ ବାର୍ତ୍ତାମାନ ପଠାଇଛନ୍ତି ସେଥିରେ ସରିଯାଉଥିବା ୨୦୨୨ ବିଷୟରେ କହିବା ପାଇଁ ବହୁତ ଅନୁରୋଧ କରିଛନ୍ତି। ଅତୀତର ଅବଲୋକନ ହିଁ ତ ସର୍ବଦା ଆମକୁ ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରସ୍ତୁତି ପାଇଁ ପ୍ରେରଣା ଦେଇଥାଏ । ୨୦୨୨ରେ ଦେଶର ଲୋକଙ୍କ ସାମର୍ଥ୍ୟ, ସେମାନଙ୍କ ସହଯୋଗ, ସେମାନଙ୍କ ସଙ୍କଳ୍ପ, ସେମାନଙ୍କ ସଫଳତାର ବ୍ୟାପକତା ଏତେ ଅଧିକ ଥିଲା ଯେ ‘ମନ୍ କି ବାତ୍‌’ରେ ସେସବୁଗୁଡ଼ିକୁ ସାମିଲ୍ କରିବା କଷ୍ଟକର ହେବ । ୨୦୨୨ ପ୍ରକୃତରେ ଅନେକ ଅର୍ଥରେ ବହୁତ ପ୍ରେରଣାଦାୟୀ ଥିଲା, ଚମତ୍କାର ଥିଲା । ଏହି ବର୍ଷ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂର୍ଣ୍ଣ କଲା ଏବଂ ଏହି ବର୍ଷ ଅମୃତକାଳର ଶୁଭାରମ୍ଭ ହେଲା । ଏହି ବର୍ଷ ଦେଶ ଅଧିକ ଗତିଶୀଳ ହେଲା, ସମସ୍ତ ଦେଶବାସୀ ଏକକୁ ଆରେକ ବଳି କାମ କଲେ । ୨୦୨୨ର ବିଭିନ୍ନ ସଫଳତା ଆଜି ସମଗ୍ର ବିଶ୍ୱରେ ଭାରତ ପାଇଁ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି । ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତିର ସ୍ଥାନ ହାସଲ କରିବା, ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ୨୨୦ କୋଟି ଟିକାଦାନର ଅବିଶ୍ୱସନୀୟ ସଂଖ୍ୟା ପାର୍ କରିବାର ରେକର୍ଡ ସୃଷ୍ଟି କରିବା, ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ୪୦୦ ବିଲିୟନ୍ ଡଲାରର ଚମତ୍କାର ରାଶିର ଦ୍ରବ୍ୟ ରପ୍ତାନୀ କରିବା, ୨୦୨୨ ଅର୍ଥାତ୍ ଦେଶର ପ୍ରତ୍ୟେକଙ୍କ ଦ୍ୱାରା ଆତ୍ମନିର୍ଭର ଭାରତର ସଂକଳ୍ପକୁ ଆପଣାଇବା, ଜୀଇଁ କରି ଦେଖାଇବା, ୨୦୨୨ଅର୍ଥାତ୍ ଭାରତର ପ୍ରଥମ ସ୍ୱଦେଶୀ Aircraft Carrier INS Vikrantକୁ ସ୍ୱାଗତ କରିବା, ୨୦୨୨ ଅର୍ଥାତ୍ ମହାକାଶ, ଡ୍ରୋନ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶ୍ରେଷ୍ଠତା ହାସଲ କରିବା, ୨୦୨୨ ଅର୍ଥାତ୍ ପ୍ରତି କ୍ଷେତ୍ରରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନର ବର୍ଷ ଥିଲା । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ - ତାହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ କିମ୍ବା ଆମର ମହିଳା ହକି ଟିମ୍‌ର ବିଜୟ ହେଉ, ଆମର ଯୁବବର୍ଗ ଶ୍ରେଷ୍ଠତା ପ୍ରଦର୍ଶନ କଲେ ।

ବନ୍ଧୁଗଣ ଏସବୁ ସହିତ ୨୦୨୨କୁ ଆଉ ଗୋଟିଏ କାରଣ ଯୋଗୁଁ ସବୁବେଳେ ସ୍ମରଣ କରାଯିବ । ଏହାହେଉଛି ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବଧାରାର ବିସ୍ତାର । ଦେଶର ଲୋକେ ଏକତା ଓ ଏକଜୁଟତାକୁ ପାଳନ କରିବା ପାଇଁ ଅନେକ ଭିନ୍ନ ଧରଣର ଆୟୋଜନ କଲେ । ଗୁଜୁରାଟର ମାଧବପୁର ମେଳା ହେଉ, ଯେଉଁଠି ରୁକ୍ମିଣୀ ବିବାହ ଏବଂ ଭଗବାନ କୃଷ୍ଣଙ୍କ ପୂର୍ବୋତ୍ତର ସହ ସମ୍ପର୍କକୁ ପାଳନ କରାଯାଇଥାଏ କିମ୍ବା କାଶୀ-ତାମିଲ ସଙ୍ଗମମ୍ ହେଉ, ଏହି ପର୍ବଗୁଡ଼ିକରେ ଏକତାର ଅନେକ ରଙ୍ଗ ଦେଖିବାକୁ ମିଳିଲା । ୨୦୨୨ରେ ଦେଶବାସୀମାନେ ଆଉ ଏକ ଅମର ଇତିହାସ ସୃଷ୍ଟି କରିଦେଲେ । ଅଗଷ୍ଟ ମାସରେ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନକୁ କିଏବା ଭୁଲିପାରେ? ସେହି ମୁହୂର୍ତ୍ତରେ ଦେଶବାସୀଙ୍କର ରୋମ ଟାଙ୍କୁରି ଉଠୁଥିଲା । ସ୍ୱାଧୀନତାର ୭୫ ବର୍ଷର ଏହି ଅଭିଯାନରେ ସମଗ୍ର ଦେଶ ତ୍ରିରଙ୍ଗାମୟ ହୋଇଯାଇଥିଲା । ୬ କୋଟିରୁ ଅଧିକ ଲୋକେ ତ୍ରିରଙ୍ଗା ସାଥୀରେ ନିଜର ସେଲ୍‌ଫି ମଧ୍ୟ ପଠାଇଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଗାମୀ ବର୍ଷ ମଧ୍ୟ ଏହିଭଳି ଭାବରେ ଚାଲିବ - ଅମୃତକାଳର ମୂଳଦୁଆକୁ ଆହୁରି ସୁଦୃଢ଼ କରିବ ।

ବନ୍ଧୁଗଣ, ଏହି ବର୍ଷ ଭାରତକୁ G-20 ସମୂହର ଅଧ୍ୟକ୍ଷତାର ଦାୟିତ୍ୱ ମଧ୍ୟ ମିଳିଛି । ଗତଥର ଏ ବିଷୟରେ ମୁଁ ବିସ୍ତୃତ ଭାବେ ଆଲୋଚନା ମଧ୍ୟ କରିଥିଲି । ୨୦୨୩ରେ ଆମକୁ G-20ର ଉତ୍ସାହକୁ ନୂତନ ଶିଖରକୁ ନେଇଯିବାକୁ ହେବ । ଏହି ଆୟୋଜନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ବିଶ୍ୱରେ ଆଡମ୍ବର ସହ ବଡ଼ଦିନ ପର୍ବ ମଧ୍ୟ ପାଳନ କରାଯାଉଛି । ଏହା ଯୀଶୁଖ୍ରୀଷ୍ଟଙ୍କ ଜୀବନ, ତାଙ୍କଦ୍ୱାରା ଦିଆଯାଇଥିବା ଶିକ୍ଷାଗୁଡ଼ିକୁ ମନେପକାଇବାର ଦିନ । ମୁଁ ଆପଣ ସମସ୍ତଙ୍କୁ ବଡ଼ଦିନ ଉପଲକ୍ଷେ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ, ଆଜି ମଧ୍ୟ ଆମ ସମସ୍ତଙ୍କ ଶ୍ରଦ୍ଧେୟ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ । ସେ ଜଣେ ମହାନ ରାଜନେତା ଥିଲେ । ଯିଏ ଦେଶକୁ ଅସାଧାରଣ ନେତୃତ୍ୱ ପ୍ରଦାନ କରିଥିଲେ । ପ୍ରତ୍ୟେକ ଭାରତବାସୀଙ୍କ ହୃଦୟରେ ତାଙ୍କପାଇଁ ଏକ ବିଶେଷ ସ୍ଥାନ ରହିଛି । ମତେ କୋଲକାତାରୁ ଆସ୍ଥାଙ୍କର ଗୋଟିଏ ଚିଠି ମିଳିଛି । ଏହି ଚିଠିରେ ସେ ନିକଟ ଅତୀତରେ କରିଥିବା ତାଙ୍କର ଦିଲ୍ଲୀଯାତ୍ରା ସମ୍ପର୍କରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ସେହି ସମୟରେ ସେ PM Museum ଦେଖିବା ପାଇଁ ସମୟ ବାହାର କଲେ । ଏହି Museumରେ ତାଙ୍କୁ ଅଟଳ ଜୀଙ୍କର Gallery ଖୁବ୍ ଭଲ ଲାଗିଲା । ଅଟଳ ଜୀଙ୍କ ସହିତ ସେଠାରେ ଉଠାଇଥିବା ଫଟୋ ତ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଯାଇଛି । ଅଟଳ ଜୀଙ୍କ ଗ୍ୟାଲେରୀରେ ଆମେ ଦେଶ ପାଇଁ ତାଙ୍କର ବହୁମୂଲ୍ୟ ଅବଦାନର ଝଲକ ଦେଖିପାରିବା । ଭିତ୍ତିଭୂମି ହେଉ, ଶିକ୍ଷା ଆଉ ନ ହେଲେ ବିଦେଶ ନୀତି, ସେ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶିଖରକୁ ନେଇଯାଇଥିଲେ । ମୁଁ ପୁଣିଥରେ ଅଟଳ ଜୀଙ୍କୁ ସହୃଦୟ ପ୍ରଣାମ କରୁଛି ।

ବନ୍ଧୁଗଣ, ଆସନ୍ତାକାଲି ଡିସେମ୍ବର ୨୬ ତାରିଖ ଦିନ ହେଉଛି ‘ବୀର ବାଲ୍ ଦିବସ’, ଆଉ ମତେ ଏହି ଅବସରରେ ଦିଲ୍ଲୀରେ ସାହେବଜାଦା ଜୋରାବର ସିଂହଜୀ ଏବଂ ସାହେବଜାଦା ଫତେ ସିଂହଜୀଙ୍କ ବଳିଦାନ ପାଇଁ ସମର୍ପିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିବ । ଦେଶ ସାହେବଜାଦା ଏବଂ ମାତା ଗୁଜ୍‌ରୀଙ୍କ ବଳିଦାନକୁ ସର୍ବଦା ମନେରଖିବ ।

ମୋର ପ୍ରିୟ ଦେଶବାସୀଗଣ, ଆମର କୁହାଯାଏ ଯେ -

ସତ୍ୟମ୍ କିମ୍ ପ୍ରମାଣମ୍‌, ପ୍ରତ୍ୟକ୍ଷମ୍ କିମ୍ ପ୍ରମାଣମ୍ ।

ଅର୍ଥାତ୍ ସତ୍ୟକୁ ପ୍ରମାଣର ଆବଶ୍ୟକତା ନ ଥାଏ, ଯାହା ପ୍ରତ୍ୟକ୍ଷ ତାକୁ ମଧ୍ୟ ପ୍ରମାଣର ଆବଶ୍ୟକତା ପଡ଼ିନଥାଏ। କିନ୍ତୁ କଥା ଯେତେବେଳେ ଆଧୁନିକ ଚିକିତ୍ସାବିଜ୍ଞାନର ହୋଇଥାଏ ତେବେ ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପ୍ରମାଣ ବା Evidence । ଶହଶହ ବର୍ଷ ଧରି ଭାରତୀୟ ଜୀବନର ଅଂଶ ହୋଇ ରହିଆସିଥିବା ଯୋଗ ଏବଂ ଆୟୁର୍ବେଦ ଭଳି ଆମର ଶାସ୍ତ୍ର Evidence based Medicineର ଅଭାବ ସବୁବେଳେ ଗୋଟିଏ ଆହ୍ୱାନ ହୋଇ ଉଭା ହୋଇଛି - ପରିଣାମ ମିଳିଥାଏ, କିନ୍ତୁ ଏହାର ପ୍ରମାଣ ନ ଥାଏ । କିନ୍ତୁ, Evidence based research ରଯୁଗରେ ଏବେ ଯୋଗ ଏବଂ ଆୟୁର୍ବେଦ, ଆଧୁନିକ ଯୁଗର ପରୀକ୍ଷାନିରୀକ୍ଷାରେ ଠିକ୍ ପ୍ରମାଣିତ ହେଉଥିବାରୁ ମୁଁ ଆନନ୍ଦିତ । ଆପଣମାନେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ବିଷୟରେ ନିଶ୍ଚୟ ଶୁଣିଥିବେ । ଏହି ସଂସ୍ଥା Research, Innovation ଏବଂ Cancer Care କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛି । ଏହି ସେଣ୍ଟର ଦ୍ୱାରା କରାଯାଇଥିବା ଗୋଟିଏ Intensive Researchରେ ଏକଥା ଦେଖିବାକୁ ମିଳିଛି ଯେ Breast Cancer ରୋଗୀଙ୍କ ପାଇଁ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ । ଟାଟା ମେମୋରିଆଲ ସେଣ୍ଟର ନିଜର ରିସର୍ଚ୍ଚର ଫଳାଫଳକୁ ଆମେରିକାରେ ଅନୁଷ୍ଠିତ ବହୁଚର୍ଚ୍ଚିତ Breast Cancer Conferenceରେ ଉପସ୍ଥାପିତ କରିଛନ୍ତି । ଏହି ଫଳାଫଳ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ଦୃଷ୍ଟି ଆକର୍ଷିତ କରିଛି । କାରଣ ରୋଗୀମାନେ କିପରି ଲାଭାନ୍ୱିତ ହେଲେ ତାହା Tata Memorial Centre ପ୍ରମାଣ ସହ ଉପସ୍ଥାପିତ କରିଛି । ସେଣ୍ଟର କରିଥିବା ରିସର୍ଚ୍ଚ ଅନୁଯାୟୀ ନିୟମିତ ଯୋଗାଭ୍ୟାସ ଦ୍ୱାରା Breast Cancerର ରୋଗୀଙ୍କଠାରେ ରୋଗର ପୁନଃଆକ୍ରମଣ ଏବଂ ମୃତ୍ୟୁର ବିପଦରେ ୧୫ ପ୍ରତିଶତ ହ୍ରାସ ହୋଇଛି । ଭାରତୀୟ ପାରମ୍ପରିକ ଚିକିତ୍ସାରେ ଏହା ପ୍ରଥମ ଉଦାହରଣ, ଯାହାକୁ ପାଶ୍ଚାତ୍ୟ ମାନଦଣ୍ଡରେ କଡାକଡି ଭାବେ ପରୀକ୍ଷା କରାଯାଇଛି । ତା’ସହିତ ଏହାହେଉଛି ପ୍ରଥମ ଅଧ୍ୟୟନ ଯେଉଁଥିରେ Breast Cancer ଦ୍ୱାରା ପ୍ରଭାବିତ ମହିଳାମାନଙ୍କ ମଧ୍ୟରେ ଯୋଗ ଦ୍ୱାରା ଜୀବନ ସ୍ତର ଉନ୍ନତ ହେବାର ଜଣାପଡିଛି । ଏହାର ଦୂରଗାମୀ ଲାଭ ମଧ୍ୟ ନଜରକୁ ଆସିଛି । ଟାଟା ମେମୋରିଆଲ ସେଣ୍ଟର ନିଜ ଅଧ୍ୟୟନର ଫଳାଫଳକୁ ପ୍ୟାରିସ୍‌ରେ ଅନୁଷ୍ଠିତ ୟୁରୋପିଆନ୍ ସୋସାଇଟି ଅଫ୍ ମେଡିକାଲ ଅନ୍‌କୋଲୋଜିର ସମ୍ମିଳନୀରେ ଉପସ୍ଥାପିତ କରିଛନ୍ତି ।

ବନ୍ଧୁଗଣ, ଆଜିର ଯୁଗରେ ଭାରତୀୟ ଚିକିତ୍ସା ପଦ୍ଧତିଗୁଡ଼ିକ ଯେତେ ଅଧିକ Evidence-based ହେବ, ସାରା ବିଶ୍ୱରେ ଏହାର ଗ୍ରହଣୀୟତା ସେତିକି ବୃଦ୍ଧି ପାଇବ । ଏହି ଚିନ୍ତାଧାରା ସହ ଦିଲ୍ଲୀର ଏମ୍‌ସରେ ମଧ୍ୟ ଏକ ପ୍ରୟାସ ଜାରି ରହିଛି । ଏଠାରେ ଆମର ପାରମ୍ପରିକ ଚିକିତ୍ସା ପ୍ରଣାଳୀଗୁଡ଼ିକୁ ପ୍ରମାଣିତ କରିବା ପାଇଁ ୬ ବର୍ଷ ପୂର୍ବେ ସେଣ୍ଟର ଫର୍ ଇନ୍‌ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠା କରାଯାଇଛି । ଏଥିରେ ସଦ୍ୟତମ ଆଧୁନିକ କୌଶଳ ଏବଂ ଗବେଷଣା ପ୍ରଣାଳୀର ଉପଯୋଗ କରାଯାଉଛି । ଏହି କେନ୍ଦ୍ର ପୂର୍ବରୁ ପ୍ରତିଷ୍ଠିତ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୨୦ଟି ଲେଖା ପ୍ରକାଶିତ କରିସାରିଛି । ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜିର ଜର୍ଣ୍ଣାଲରେ ପ୍ରକାଶିତ ଗୋଟିଏ ଲେଖାରେ syncope (ସିଙ୍କପି)ରେ ପୀଡ଼ିତ ରୋଗୀମାନଙ୍କୁ ଯୋଗ ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ ସୂଚନା ଦିଆଯାଇଛି । ସେହିଭଳି ନ୍ୟୁରୋଲୋଜି ଜର୍ଣ୍ଣାଲର ଲେଖାରେ ମାଇଗ୍ରେନ୍‌ରେ ଯୋଗ ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ କୁହାଯାଇଛି । ଏହାଛଡ଼ା ଅନ୍ୟ ଅନେକ ରୋଗରେ ମଧ୍ୟ ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଅଧ୍ୟୟନ ଚାଲିଛି । ଯେମିତିକି ହୃଦ୍‌ରୋଗ, ଅବସାଦ ବା ଡିପ୍ରେସନ୍‌, ନିଦ୍ରାହୀନତା ଏବଂ ଗର୍ଭାବସ୍ଥା ସମୟରେ ମହିଳାମାନଙ୍କଠାରେ ଦେଖାଯାଉଥିବା ସମସ୍ୟା ।

ବନ୍ଧୁଗଣ କିଛିଦିନ ପୂର୍ବେ ହିଁ ମୁଁ ୱାର୍ଲଡ ଆୟୁର୍ବେଦ କଂଗ୍ରେସ ଆୟୋଜନ ସମୟରେ ଗୋଆରେ ଥିଲି । ଏଥିରେ ୪୦ରୁ ଅଧିକ ଦେଶର ପ୍ରତିନିଧିମାନେ ସାମିଲ ହୋଇଥିଲେ ଏବଂ ଏଠାରେ ୫୫୦ରୁ ଅଧିକ Scientific Papers ଉପସ୍ଥାପିତ କରାଗଲା । ଭାରତ ସହ ସାରା ବିଶ୍ୱର ପ୍ରାୟ ୨୧୫ କମ୍ପାନୀମାନେ ଏଠାରେ ପ୍ରଦର୍ଶନୀରେ ନିଜର ଉତ୍ପାଦକୁ ପ୍ରଦର୍ଶିତ କରିଥିଲେ । ଚାରିଦିନ ବ୍ୟାପୀ ଏହି ପ୍ରଦର୍ଶନୀରେ ଏକଲକ୍ଷରୁ ଅଧିକ ଲୋକ ଆୟୁର୍ବେଦ ସହ ଜଡ଼ିତ ହେବାର ନିଜର ଅନୁଭୂତିକୁ ଉପଭୋଗ କରିଥିଲେ । ଆୟୁର୍ବେଦ କଂଗ୍ରେସରେ ମଧ୍ୟ ମୁଁ ସାରା ବିଶ୍ୱରୁ ଆସିଥିବା ଆୟୁର୍ବେଦ ବିଶେଷଜ୍ଞଙ୍କ ସମ୍ମୁଖରେ Evidence based research ପାଇଁ ନିବେଦନକୁ ଦୋହରାଇଥିଲି । କରୋନା ବିଶ୍ୱବ୍ୟାପୀ ମହାମାରୀର ଏହି ସମୟରେ ଯେଉଁଭଳି ଭାବରେ ଆମେ ଯୋଗ ଏବଂ ଆୟୁର୍ବେଦର ଶକ୍ତିକୁ ଅନୁଭବ କରିପାରୁଛୁ, ଏଥିରେ ଏହାସହିତ ଜଡ଼ିତ Evidence based research ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ଯୋଗ, ଆୟୁର୍ବେଦ ଏବଂ ଆମର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ସହ ଜଡ଼ିତ ଏଭଳି ପ୍ରଚେଷ୍ଟାଗୁଡ଼ିକ ସମ୍ପର୍କରେ ଆପଣଙ୍କ ପାଖରେ କୌଣସି ସୂଚନା ଥିଲେ ତାହାକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବେ ସେୟାର କରିବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛିବର୍ଷ ଧରି ଆମେ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡ଼ିତ ଅନେକ ବଡ଼ ବଡ଼ ସମସ୍ୟା ଉପରେ ବିଜୟଲାଭ କରିଛୁ । ଏହାର ସମ୍ପୂର୍ଣ୍ଣ ଶ୍ରେୟ ଆମର ମେଡିକାଲ ବିଶେଷଜ୍ଞ, ବୈଜ୍ଞାନିକଗଣ ଏବଂ ଦେଶବାସୀଙ୍କ ଇଚ୍ଛାଶକ୍ତିକୁ ଯାଉଛି । ଆମେ ଭାରତରୁ ବସନ୍ତ ରୋଗ, ପୋଲିଓ ଏବଂ ‘ଗିନି ୱାର୍ମ’ ଭଳି ରୋଗଗୁଡ଼ିକୁ ଲୋପକରି ଦେଖାଇଦେଇଛୁ ।

ଆଜି ‘ମନ୍ କି ବାତ୍‌’ର ଶ୍ରୋତାମାନଙ୍କୁ ମୁଁ ଆଉ ଗୋଟିଏ ଆହ୍ୱାନ ବିଷୟରେ ଜଣାଇବାକୁ ଚାହୁଁଛି ଯାହା ଏବେ ବିଲୁପ୍ତିର ସୀମାରେ ରହିଛି । ଏହି ଆହ୍ୱାନ, ଏହି ରୋଗ ହେଉଛି – ‘କାଲାଜାର’ । ଏହି ରୋଗର ଜୀବାଣୁ Sand Fly କାମୁଡିବା ଦ୍ୱାରା ବ୍ୟାପିଥାଏ । ଯେତେବେଳେ କେହି ‘କାଲାଜାର’ ରୋଗରେ ପୀଡିତ ହୋଇଥାଏ ସେତେବେଳେ ତାକୁ ମାସ ମାସ ଧରି ଜ୍ୱର ହୋଇଥାଏ, ଶରୀରରେ ରକ୍ତର ଅଭାବ ହୋଇଥାଏ, ଦେହ ଦୁର୍ବଳ ହୋଇଯାଇଥାଏ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ । ଏହି ରୋଗ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ କାହାରିକୁ ମଧ୍ୟ ହୋଇପାରେ । କିନ୍ତୁ ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ‘କାଲାଜାର’ ନାମକ ଏହି ରୋଗ ଏବେ ଦ୍ରୁତ ଗତିରେ ଲୋପ ପାଇଚାଲିଛି । କିଛିବର୍ଷ ପୂର୍ବ ଯାଏଁ ‘କାଲାଜାର’ର ପ୍ରକୋପ ୪ଟି ରାଜ୍ୟର ୫୦ରୁ ଅଧିକ ଜିଲ୍ଲାରେ ବ୍ୟାପକ ଭାବେ ଦେଖାଯାଉଥିଲା । କିନ୍ତୁ ଏବେ ଏହି ରୋଗ ବିହାର ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ମଧ୍ୟରେ ସୀମିତ ହୋଇ ରହିଯାଇଛି । ବିହାର-ଝାଡ଼ଖଣ୍ଡର ଲୋକଙ୍କ ସାମର୍ଥ୍ୟ, ସେମାନଙ୍କ ସଚେତନତା, ଏହି ୪ଟି ଜିଲ୍ଲାରୁ ମଧ୍ୟ ‘କାଲାଜାର’କୁ ଲୋପ କରିବାରେ ସରକାରଙ୍କ ପ୍ରଚେଷ୍ଟାରେ ସହଯୋଗ କରିବ ବୋଲି ମୋର ବିଶ୍ୱାସ । ‘କାଲାଜାର’ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୨ଟି କଥା ଉପରେ ବିଶେଷ ଦୃଷ୍ଟି ଦେବାପାଇଁ ମୁଁ ଅନୁରୋଧ କରୁଛି । ପ୍ରଥମଟି ହେଉଛି, Sand Fly ଉପରେ ନିୟନ୍ତ୍ରଣ, ଏବଂ ଦ୍ୱିତୀୟଟି ହେଲା, ତୁରନ୍ତ ଏହି ରୋଗକୁ ଚିହ୍ନଟ କରି ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା । ‘କାଲାଜାର’ର ଚିକିତ୍ସା ସହଜ ଏବଂ ଏହାର ଚିକିତ୍ସା ପାଇଁ ଲାଗୁଥିବା ଔଷଧଗୁଡ଼ିକ ମଧ୍ୟ ବହୁ ପ୍ରଭାବଶାଳୀ ହୋଇଥାଏ । ଆପଣଙ୍କୁ କେବଳ ସତର୍କ ରହିବାକୁ ହେବ । ଜ୍ୱର ହେଲେ ଅବହେଳା କରନ୍ତୁ ନାହିଁ ଏବଂ Sand Flyକୁ ବିନାଶ କରୁଥିବା ଔଷଧଗୁଡ଼ିକ ମଧ୍ୟ ସିଞ୍ଚନ କରୁଥାନ୍ତୁ । ଟିକିଏ ଚିନ୍ତା କରନ୍ତୁ, ଯେତେବେଳେ ଆମ ଦେଶ ‘କାଲାଜାର’ମୁକ୍ତ ହୋଇଯିବ, ତାହା ଆମପାଇଁ କେତେ ଖୁସିର କଥା ହେବ! ‘ସବ୍‌କା ପ୍ରୟାସ’ର ଏହି ଚିନ୍ତାଧାରା ଦ୍ୱାରା ଆମେ ଭାରତକୁ ୨୦୨୫ ଯାଏଁ ଯକ୍ଷ୍ମାମୁକ୍ତ କରିବା ପାଇଁ ମଧ୍ୟ କାମ କରୁଛୁ । ଆପଣମାନେ ଦେଖିଥିବେ, ବିଗତ ଦିନରେ ଯେତେବେଳେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଆରମ୍ଭ ହେଲା, ସେତେବେଳେ ହଜାର ହଜାର ଲୋକ ଯକ୍ଷ୍ମାରୋଗୀଙ୍କ ସାହାଯ୍ୟ ପାଇଁ ଆଗେଇଆସିଲେ । ଏହି ଲୋକେ ନିକ୍ଷ୍ୟୟ ମିତ୍ର ହୋଇ ଯକ୍ଷ୍ମାରୋଗୀଙ୍କ ଯତ୍ନ ନେଉଛନ୍ତି ଏବଂ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି । ଜନସେବା ଏବଂ ଜନଭାଗିଦାରୀର ଏହି ଶକ୍ତି ପ୍ରତ୍ୟେକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପ୍ରାପ୍ତକରି ଦେଖାଉଛି ।

ମୋର ପ୍ରିୟ ଦେଶବାସୀଗଣ, ମାଆ ଗଙ୍ଗାଙ୍କ ସହ ଆମ ପରମ୍ପରା ଓ ସଂସ୍କୃତିର ଅତୁଟ ସମ୍ପର୍କ ରହିଛି । ଗଙ୍ଗା ଜଳ ଆମ ଜୀବନଧାରାର ଅଭିନ୍ନ ଅଙ୍ଗ ଏବଂ ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି:

ନମାମି ଗଙ୍ଗେ ତବ ପାଦ ପଙ୍କଜଂ

ସୁର ଅସୁରୈଃ ବନ୍ଦିତ ଦିବ୍ୟରୂପମ୍ ।

ଭୂକ୍ତିମ୍ ଚ ମୁକ୍ତିମ୍ ଚ ଦଦାସି ନିତ୍ୟମ୍‌

ଭାବ ଅନୁସାରେଣ ସଦା ନରାଣାମ୍ । ।

ଅର୍ଥାତ ହେ ମା ଗଙ୍ଗା! ଆପଣ, ନିଜର ଭକ୍ତମାନଙ୍କୁ, ସେମାନଙ୍କ ଭାବ ଅନୁରୂପ ସାଂସାରିକ ସୁଖ, ଆନନ୍ଦ ଓ ମୋକ୍ଷ ପ୍ରଦାନ କରନ୍ତି । ସମସ୍ତେ ଆପଣଙ୍କ ପବିତ୍ର ଚରଣର ବନ୍ଦନା କରନ୍ତି । ମୁଁ ମଧ୍ୟ ଆପଣଙ୍କ ପବିତ୍ର ଚରଣରେ ପ୍ରଣିପାତ କରୁଛି । ଏପରିସ୍ଥଳେ ଯୁଗଯୁଗ ଧରି କଳକଳ ନାଦରେ ବହୁଥିବା ମାଆ ଗଙ୍ଗାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ବଡ଼ ଦାୟିତ୍ୱ । ଏହି ଉଦ୍ଦେଶ୍ୟରେ, ଆଠ ବର୍ଷ ତଳେ ଆମେ ‘ନମାମି ଗଙ୍ଗେ ଅଭିଯାନ’ ଆରମ୍ଭ କରିଥିଲୁ । ଆମ ସମସ୍ତଙ୍କ ପାଇଁ ଏହା ଗୌରବର କଥା ଯେ ଭାରତର ଏହି ଉଦ୍ୟମକୁ ଆଜି ସମଗ୍ର ବିଶ୍ୱରେ ପ୍ରଶଂସା ମିଳୁଛି । ଜାତିସଂଘ ‘ନମାମି ଗଙ୍ଗେ’ ମିଶନକୁ, ପରିସଂସ୍ଥାକୁ ପୁନରୁଦ୍ଧାର କରୁଥିବା ପୃଥିବୀର ଶ୍ରେଷ୍ଠ ଦଶଟି ଉଦ୍ୟମରେ ଅନ୍ତର୍ଭୁକ୍ତ କରିଛି । ଏହା ଆହୁରି ମଧ୍ୟ ଖୁସିର କଥା ଯେ ସମଗ୍ର ବିଶ୍ୱର ୧୬୦ଟି ଏଭଳି ଉଦ୍ୟମ ମଧ୍ୟରେ ‘ନମାମି ଗଙ୍ଗେ’କୁ ଏହି ସମ୍ମାନ ମିଳିଛି ।

ବନ୍ଧୁଗଣ, ‘ନମାମି ଗଙ୍ଗେ’ ଅଭିଯାନର ସବୁଠୁ ବଡ଼ ଶକ୍ତି ଲୋକଙ୍କ ନିରନ୍ତର ସହଭାଗିତା । ‘ନମାମି ଗଙ୍ଗେ’ ଅଭିଯାନରେ, ଗଙ୍ଗା ପ୍ରହରୀ ଓ ଗଙ୍ଗା ଦୂତମାନଙ୍କର ବଡ଼ ଭୂମିକା ଅଛି । ସେମାନେ ଚାରାରୋପଣ, ଘାଟ ସଫେଇ, ଗଙ୍ଗା ଆଳତୀ, ପଥପ୍ରାନ୍ତ ନାଟକ, ପେଣ୍ଟିଙ୍ଗ ଓ କବିତା ମାଧ୍ୟମରେ ସଚେତନତା ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି । ଏହି ଅଭିଯାନ ଦ୍ୱାରା ଜୈବ ବିବିଧତାରେ ମଧ୍ୟ ବହୁତ ସୁଧାର ଦେଖାଯାଉଛି । ହିଲ୍‌ସା ମାଛ, ଗଙ୍ଗା ଡଲ୍‌ଫିନ ଓ କଇଁଛର ବିଭିନ୍ନ ପ୍ରଜାତିଗୁଡ଼ିକର ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଗଙ୍ଗାର ପରିସଂସ୍ଥା ସ୍ୱଚ୍ଛ ହେବା ଦ୍ୱାରା ଜୀବିକାର ଅନ୍ୟ ସୁଯୋଗ ମଧ୍ୟ ବଢ଼ୁଛି । ଏଠାରେ ମୁଁ “ଜଳଜ ଆଜୀବିକା ମଡେଲ୍‌’ର କଥା କହିବାକୁ ଚାହିଁବି, ଯାହା ଜୈବ ବିବିଧତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି ପର୍ଯ୍ୟଟନ-ଆଧାରିତ ନୌକା ସଫାରିଗୁଡ଼ିକୁ ୨୬ଟି ସ୍ଥାନରେ ଉଦ୍‌ଘାଟନ କରାଯାଇଛି । ‘ନମାମି ଗଙ୍ଗେ’ ମିଶନର ବିସ୍ତାର, ତା’ର ପରିସର ନଦୀର ସଫେଇଠାରୁ ବହୁତ ବଡ଼ । ଏହା, ଯେଉଁଠି, ଆମର ଇଚ୍ଛାଶକ୍ତି ଓ ଅବିରତ ପ୍ରୟାସର ଏକ ପ୍ରତ୍ୟକ୍ଷ ପ୍ରମାଣ, ସେଇଠି ଏହା ପରିବେଶ ସଂରକ୍ଷଣ ଦିଗରେ ବିଶ୍ୱକୁ ଏକ ନୂଆ ରାସ୍ତା ଦେଖାଇପାରିବ ।

ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଆମର ସଙ୍କଳ୍ପ ଶକ୍ତି ମଜଭୁତ ହୋଇଥାଏ, ସେତେବେଳେ ବଡ଼ରୁ ବଡ଼ ଆହ୍ୱାନ ମଧ୍ୟ ସହଜ ହୋଇଯାଏ । ଏହାର ଉଦାହରଣ ରଖିଛନ୍ତି ସିକ୍କିମର ଥେଗୁ ଗାଁର ‘ସଙ୍ଗେ ଶେର୍‌ପା ଜୀ’ । ସେ ଗତ ୧୪ ବର୍ଷ ଧରି ୧୨ ହଜାର ଫୁଟରୁ ମଧ୍ୟ ଅଧିକ ଉଚ୍ଚ ସ୍ଥାନରେ ପରିବେଶ ସୁରକ୍ଷା କାମରେ ଲାଗିଛନ୍ତି । ସଙ୍ଗେ ଜୀ ସାଂସ୍କୃତିକ ଓ ପୌରାଣିକ ମହତ୍ୱ ରହିଥିବା ସୋମ୍‌ଗୋ ହ୍ରଦକୁ ପରିଷ୍କାର ରଖିବାର କଷ୍ଟ ଉଠାନ୍ନ୍‌ି । ସେ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ଏହି ଗ୍ଲେସିୟର୍ ହ୍ରଦର ରଙ୍ଗରୂପକୁ ହିଁ ବଦଳାଇଦେଇଛନ୍ତି । ୨୦୦୮ରେ ସଙ୍ଗେ ଶେର୍‌ପା ଜୀ ଯେତେବେଳେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଦେଖୁଦେଖୁ ତାଙ୍କର ଏହି ଭଲ କାମରେ ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ସହାୟତା ସହିତ ପଂଚାୟତର ସହଯୋଗ ମଧ୍ୟ ମିଳିବାକୁ ଲାଗିଲା । ଆଜି ଆପଣ ଯଦି ସୋମ୍‌ଗୋ ହ୍ରଦକୁ ଦେଖିବାକୁ ଯିବେ, ତେବେ ସେଠାରେ ଚାରିଆଡ଼େ ଆପଣଙ୍କୁ ବଡ଼ ବଡ଼ ଆବର୍ଜନାକୁଣ୍ଡ ଦେଖିବାକୁ ମିଳିବ । ସେଠାରେ ଜମା ହୋଇଥିବା ମଇଳା ଆବର୍ଜନାକୁ ଏବେ ରିସାଇକ୍ଲିଂ ପାଇଁ ପଠାଯାଉଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କପଡ଼ାରେ ତିଆରି ଆବର୍ଜନାରଖା ବ୍ୟାଗ୍ ମଧ୍ୟ ଦିଆଯାଏ, ଯେପରିକି ସେମାନେ ବର୍ଜ୍ୟବସ୍ତୁକୁ ଇଆଡ଼େ ସିଆଡ଼େ ଫିଙ୍ଗିବେ ନାହିଁ । ବର୍ତ୍ତମାନ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇସାରିଥିବା ଏହି ହ୍ରଦକୁ ଦେଖିବାକୁ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ସୋମ୍‌ଗୋ ହ୍ରଦର ସୁରକ୍ଷାର ଏହି ନିଆରା ପ୍ରୟାସ ପାଇଁ ସଙ୍ଗେ ଶେର୍‌ପା ଜୀଙ୍କୁ ଅନେକ ସଂସ୍ଥା ସମ୍ମାନିତ ମଧ୍ୟ କରିଛନ୍ତି । ଏପରି ଏକ ପ୍ରଚେଷ୍ଟା କାରଣରୁ ଆଜି ସିକ୍କିମ୍‌କୁ ଭାରତର ସବୁଠୁ ସ୍ୱଚ୍ଛ ରାଜ୍ୟ ମଧ୍ୟରେ ଗଣାଯାଉଛି । ମୁଁ ସଙ୍ଗେ ଶେର୍‌ପା ଜୀ ଏବଂ ତାଙ୍କର ବନ୍ଧୁମାନଙ୍କ ସହ ସମଗ୍ର ଦେଶର ପରିବେଶ ସୁରକ୍ଷା ଭଳି ସୁନ୍ଦର କାର୍ଯ୍ୟରେ ବ୍ରତୀ ଥିବା ଲୋକଙ୍କୁ ମଧ୍ୟ ହୃଦୟର ସହ ପ୍ରଶଂସା କରୁଛି ।

ବନ୍ଧୁଗଣ, ମୁଁ ଖୁସି ଯେ ଆଜି ‘ସ୍ୱଚ୍ଛ ଭାରତ ମିଶନ’ ପ୍ରତ୍ୟେକ ଭାରତୀୟଙ୍କ ମନରେ ଓତପ୍ରୋତ ଭାବେ ଜଡ଼ିତ ହୋଇସାରିଛି । ୨୦୧୪ ମସିହାରେ ଏହି ଜନ ଆନ୍ଦୋଳନ ଆରମ୍ଭ ହେବା ସହିତ ଏହାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଲୋକେ ଅନେକ ନିଆରା ପ୍ରୟାସ ସବୁ କରିଛନ୍ତି ଏବଂ ଏହି ପ୍ରୟାସ କେବଳ ସମାଜ ଭିତରେ ନୁହେଁ, ବରଂ ସରକାରଙ୍କ ଭିତରେ ମଧ୍ୟ ହେଉଛି । କ୍ରମାଗତ ଏସବୁ ପ୍ରୟାସର ପରିଣାମ ହେଉଛି- ଅଳିଆ ଆବର୍ଜନା ହଟିବା କାରଣରୁ, ଅଦରକାରୀ ଜିନିଷ ହଟିବା କାରଣରୁ, କାର୍ଯ୍ୟାଳୟରେ ବହୁତ ଜାଗା ଖୋଲା ହୋଇଯାଏ ଓ ନୂଆ ସ୍ଥାନ ମିଳିଥାଏ । ପୂର୍ବରୁ ସ୍ଥାନ ଅଭାବରୁ ଦୂର ଜାଗାରେ ଭଡ଼ାରେ କାର୍ଯ୍ୟାଳୟ ଖୋଲିବାକୁ ପଡ଼ୁଥିଲା । ଆଜିକାଲି ସଫାସୁତୁରା କାରଣରୁ ଏତେ ଜାଗା ମିଳିଯାଉଛି ଯେ, ଏବେ ଗୋଟିଏ ସ୍ଥାନରେ ହିଁ ସବୁ ଦପ୍ତର କାର୍ଯ୍ୟ କରୁଛି । ବିଗତ ଦିନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ମୁମ୍ବଇରେ, ଅହମଦାବାଦରେ, କୋଲକାତାରେ, ସିଲଂରେ, ଅନେକ ସହରରେ ନିଜର କାର୍ଯ୍ୟାଳୟରେ ଯଥେଷ୍ଟ ପ୍ରୟାସ କରାଗଲା ଏବଂ ସେହି କାରଣରୁ ଆଜି ତା’ର ଦୁଇ-ଦୁଇ, ତିନି-ତିନି ମହଲା, ସଂପୂର୍ଣ୍ଣ ରୂପେ ନୂଆ କରି କାମରେ ଆସିପାରିଲା, ନୂଆ ସ୍ଥାନ ମିଳିଗଲା । ଏହା ସ୍ୱୟଂ ସ୍ୱଚ୍ଛତା କାରଣରୁ ଆମ ସମ୍ବଳର ସର୍ବାଧିକ ବ୍ୟବହାରର ଉତମ ଅଭିଜ୍ଞତା । ସମାଜରେ ମଧ୍ୟ, ଗାଁ ଗାଁ, ସହର ସହରରେ ମଧ୍ୟ, ସେହିଭଳି କାର୍ଯ୍ୟାଳୟରେ ମଧ୍ୟ, ଏହି ଅଭିଯାନ ଦେଶ ପାଇଁ ସବୁ ଦିଗରୁ ଉପଯୋଗୀ ସାବ୍ୟସ୍ତ ହେଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ନିଜର କଳା-ସଂସ୍କୃତିକୁ ନେଇ ଏକ ନୂଆ ସଚେତନତା ଆସୁଛି, ଏକ ନୂଆ ଚେତନା ଜାଗ୍ରତ ହେଉଛି । ‘ମନ କୀ ବାତ୍‌’ରେ, ଆମେ, ପ୍ରାୟ ଏପରି ଉଦାହରଣଗୁଡ଼ିକର ଚର୍ଚା ମଧ୍ୟ କରିଥାଉ । ଯେପରିକି କଳା, ସାହିତ୍ୟ ଓ ସଂସ୍କୃତି ସମାଜର ସାମୂହିକ ପୁଞ୍ଜି, ସେହିପରି ସେଗୁଡ଼ିକୁ, ଆଗକୁ ବଢ଼ାଇବାର ଦାୟିତ୍ୱ ମଧ୍ୟ ସମଗ୍ର ସମାଜର । ଏପରି ଏକ ସଫଳ ପ୍ରୟାସ ଲାକ୍ଷାଦ୍ୱୀପରେ ହେଉଛି । ଏଠାକାର କଳ୍ପେନୀ ଦ୍ୱୀପରେ ଏକ କ୍ଲବ ଅଛି- କୁମେଲ୍ ବ୍ରଦର୍ସ ଚ୍ୟାଲେଞ୍ଜର୍ସ କ୍ଲବ । ଏହି କ୍ଲବ ଯୁବକଯୁବତୀମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ପାରମ୍ପରିକ କଳାର ସଂରକ୍ଷଣ ପାଇଁ ପ୍ରେରିତ କରିଥାଏ । ଏଠାରେ ଯୁବକଯୁବତୀଙ୍କୁ ସ୍ଥାନୀୟ କଳା କୋଲକଲି, ପରିଚାକଲି, କିଲିପ୍ପାଟ୍ଟ୍ ଓ ପାରମ୍ପରିକ ଗୀତର ତାଲିମ ଦିଆଯାଏ । ଅର୍ଥାତ ପୁରୁଣା ଐତିହ୍ୟ, ନୂଆ ପିଢ଼ି ହାତରେ ସୁରକ୍ଷିତ ହେଉଛି, ଆଗକୁ ବଢ଼ୁଛି ଏବଂ ବନ୍ଧୁଗଣ, ମୋତେ ଖୁସି ଲାଗୁଛି ଯେ ଏହି ପ୍ରକାରର ପ୍ରୟାସ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ହେଉଛି । ଏଇ ନିକଟରେ ହିଁ ଦୁବାଇରୁ ଖବର ଆସିଛି ଯେ ସେଠାକାର କଲାରି କ୍ଲବ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ନିଜର ନାଁ ସାମିଲ କରିଛି । ଯେ କେହି ଭାବିପାରେ ଯେ ଦୁବାଇର କ୍ଲବ ରେକର୍ଡ କଲା ତ ଏଥିରେ ଭାରତ ସହ ତା’ର କ’ଣ ସମ୍ବନ୍ଧ? ପ୍ରକୃତରେ, ଏହି ରେକର୍ଡ, ଭାରତର ପ୍ରାଚୀନ ମାର୍ଶାଲ୍ ଆର୍ଟ କଲାରିପୟଟ୍ଟୁ ସହିତ ସମ୍ପୃକ୍ତ । ଏହି ରେକର୍ଡ ଏକାସଂଗେ ସର୍ବାଧିକ ଲୋକଙ୍କ ଦ୍ୱାରା କଲାରି ପ୍ରଦର୍ଶନ ଦ୍ୱାରା ହୋଇଛି । ଦୁବାଇର କଲାରି କ୍ଲବ ଦୁବାଇ ପୁଲିସ ସହ ମିଶି ଏହି ଯୋଜନା କରିଥିଲା ଏବଂ ୟୁଏଇର ଜାତୀୟ ଦିବସରେ ପ୍ରଦର୍ଶନ କରିଥିଲା । ଏହି ଆୟୋଜନରେ ୪ ବର୍ଷର ପିଲାଠୁ ଆରମ୍ଭ କରି ୬୦ ବର୍ଷ ବୟସର ଲୋକେ କଲାରିରେ ନିଜନିଜ କୌଶଳର ଚମତ୍କାର ପ୍ରଦର୍ଶନ କରିଥିଲେ । ଭିନ୍ନ ଭିନ୍ନ ପିଢ଼ି କିପରି ଏକ ପ୍ରାଚୀନ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି, ପୂରା ମନୋଯୋଗରେ ବଢ଼ାଉଛନ୍ତି, ଏହା ତା’ର ଶ୍ରେଷ୍ଠ ଉଦାହରଣ ।

ବନ୍ଧୁଗଣ, ‘ମନ କୀ ବାତ୍‌’ର ଶ୍ରୋତାମାନଙ୍କୁ ମୁଁ କର୍ଣ୍ଣାଟକର ଗଡକ ଜିଲାରେ ରହୁଥିବା କ୍ୱେମ୍‌ଶ୍ରୀ ଜୀଙ୍କ ସମ୍ପର୍କରେ ଜଣାଇବାକୁ ଚାହୁଁଛି । କ୍ୱେମ୍‌ଶ୍ରୀ ଦକ୍ଷିଣରେ କର୍ଣ୍ଣାଟକର କଳା-ସଂସ୍କୃତିକୁ ପୁନର୍ଜୀବିତ କରିବା ମିଶନରେ ଗତ ୨୫ ବର୍ଷ ଧରି ଅନବରତ ଲାଗିଛନ୍ତି । ଆପଣ କଳ୍ପନା କରିପାରୁଥିବେ ଯେ ତାଙ୍କର ତପସ୍ୟା କେତେ ବଡ଼ । ପ୍ରଥମେ ତ ସେ ହୋଟେଲ୍ ମ୍ୟାନେଜ୍‌ମେଣ୍ଟ ବୃତ୍ତି ସହିତ ସଂପୃକ୍ତ ଥିଲେ । କିନ୍ତୁ, ନିଜର ସଂସ୍କୃତି ଓ ପରମ୍ପରା ସହିତ ତାଙ୍କର ଏତେ ଗଭୀର ଆସକ୍ତି ଥିଲା ଯେ ସେ ଏହାକୁ ନିଜର ମିଶନ କରିଦେଲେ । ସେ ‘କଳା ଚେତନା’ ନାମରେ ଏକ ମଞ୍ଚ ଗଢ଼ିଲେ । ଏହି ମଞ୍ଚ, ଆଜି କର୍ଣ୍ଣାଟକର, ଏବଂ ଦେଶ-ବିଦେଶର କଳାକାରମାନଙ୍କର, ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏଥିରେ ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ସୃଜନଶୀଳ କାମ ମଧ୍ୟ ଅନ୍ତର୍ଭୁକ୍ତ ।

ବନ୍ଧୁଗଣ, ନିଜର କଳା-ସଂସ୍କୃତି ପ୍ରତି ଦେଶବାସୀଙ୍କର ଏହି ଉତ୍ସାହ ‘ନିଜ ଐତିହ୍ୟ ଉପରେ ଗର୍ବ’ର ଭାବନାର ହିଁ ପ୍ରକଟିକରଣ । ଆମ ଦେଶରେ ତ ପ୍ରତି କୋଣ ଅନୁକୋଣରେ ଏପରି କେତେ ରଙ୍ଗ ପଡ଼ିରହିଛି । ଆମେ ମଧ୍ୟ ସେଗୁଡ଼ିକୁ ସାଜସଜ୍ଜା ଓ ସଂରକ୍ଷିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ, ଦେଶର ଅନେକ ଅଞ୍ଚଳରେ ବାଉଁଶରେ ଅନେକ ସୁନ୍ଦର ଓ ଉପଯୋଗୀ ଜିନିଷ ତିଆରି କରାଯାଏ । ବିଶେଷ ଭାବେ ଆଦିବାସୀ ଅଞ୍ଚଳରେ ବାଉଁଶର ଦକ୍ଷ କାରିଗର, ଦକ୍ଷ କଳାକାର ଅଛନ୍ତି । ଯେବେଠୁ ଦେଶରେ ବାଉଁଶ ସମ୍ବନ୍ଧୀୟ ଇଂରେଜ ଅମଳର ଆଇନକୁ ବଦଳାଯାଇଛି, ଏହାର ଏକ ବଡ଼ ବଜାର ଗଢ଼ିଉଠିଛି । ମହାରାଷ୍ଟ୍ରର ପାଲ୍‌ଘର ଭଳି ଅଂଚଳରେ ମଧ୍ୟ ଆଦିବାସୀ ସମାଜର ଲୋକେ ବାଉଁଶରୁ ଅନେକ ସୁନ୍ଦର ଜିନିଷ ତିଆରି କରନ୍ତି । ବାଉଁଶରେ ତିଆରି ବାକ୍‌ସ, ଚଉକି, ଚା’ଦାନି, ଟୋକେଇ, ଓ ଟ୍ରେ ଭଳି ଜିନିଷ ଖୁବ୍ ଲୋକପ୍ରିୟ ହେଉଛି । କେବଳ ସେତିକି ନୁହେଁ, ଏହି ଲୋକେ ବାଉଁଶ ଘାସରୁ ସୁନ୍ଦର କପଡ଼ା ଓ ସାଜସଜ୍ଜାର ଜିନିଷ ମଧ୍ୟ ତିଆରି କରନ୍ତି । ଏହାଦ୍ୱାରା ଆଦିବାସୀ ମହିଳାଙ୍କୁ ରୋଜଗାର ମିଳୁଛି, ଏବଂ ସେମାନଙ୍କ କଳାନୈପୁଣ୍ୟକୁ ପରିଚୟ ମଧ୍ୟ ମିଳୁଛି ।

ବନ୍ଧୁଗଣ, କର୍ଣ୍ଣାଟକର ଏକ ଦମ୍ପତି ଗୁଆ ତନ୍ତୁରେ ତିଆରି ଅନେକ ନିଆରା ଜିନିଷ ଆନ୍ତର୍ଜାତିକ ବଜାରରେ ବିକ୍ରି କରୁଛନ୍ତି । କର୍ଣ୍ଣାଟକ ଶିବମୋଗାର ଏହି ଦମ୍ପତି ହେଉଛନ୍ତି ଶ୍ରୀମାନ ସୁରେଶ ଓ ତାଙ୍କ ପତ୍ନୀ ଶ୍ରୀମତୀ ମୈଥିଳୀ । ଏମାନେ ଗୁଆ ତନ୍ତୁରେ ଟ୍ରେ, ପ୍ଲେଟ୍ ଓ ହାତବ୍ୟାଗ୍‌ଠୁ ଆରମ୍ଭ କରି ଅନେକ ସାଜସଜ୍ଜାର ଜିନିଷ ତିଆରି କରୁଛନ୍ତି । ଏହି ତନ୍ତୁରେ ତିଆରି ଚପଲ୍ ମଧ୍ୟ ଆଜି ବହୁତ ଲୋକଙ୍କର ପସନ୍ଦ ହେଉଛି । ତାଙ୍କ ପ୍ରସ୍ତୁତ ଜିନିଷପତ୍ର ଆଜି ଲଣ୍ଡନ ଓ ଇଉରୋପର ବଜାରମାନଙ୍କରେ ବିକ୍ରି ହେଉଛି । ଏହା ହିଁ ତ ଆମର ପ୍ରାକୃତିକ ସମ୍ବଳ ଓ ପାରମ୍ପରିକ ଦକ୍ଷତାର ଚମତ୍କାରିତା, ଯାହା ସମସ୍ତଙ୍କର ପସନ୍ଦ ହେଉଛି । ଭାରତର ଏହି ପାରମ୍ପରିକ ଜ୍ଞାନ ମଧ୍ୟରେ ବିଶ୍ୱ ଧାରଣକ୍ଷମ ଭବିଷ୍ୟତର ରାସ୍ତା ଦେଖୁଛି । ଆମେ, ନିଜେ ମଧ୍ୟ ଏ ଦିଗରେ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଆମେ ନିଜେ ମଧ୍ୟ ଏପରି ସ୍ୱଦେଶୀ ଓ ସ୍ଥାନୀୟ ଜିନିଷ ବ୍ୟବହାର କରିବା ଏବଂ ଅନ୍ୟକୁ ମଧ୍ୟ ଏହା ଉପହାର ଦେବା । ଏହାଦ୍ୱାରା ଆମର ପରିଚୟ ମଜଭୁତ ହେବ, ସ୍ଥାନୀୟ ଅର୍ଥବ୍ୟବସ୍ଥା ମଧ୍ୟ ମଜଭୁତ ହେବ ଏବଂ ବହୁ ଲୋକଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଏବେ ଆମେ ଧୀରେଧୀରେ ‘ମନ୍ କୀ ବାତ’ର ଶହେତମ ଅଧ୍ୟାୟର ଅଭୂତପୂର୍ବ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେଉଛୁ । ମୋତେ ଅନେକ ଦେଶବାସୀଙ୍କଠାରୁ ଚିଠି ମିଳିଛି, ଯେଉଁଥିରେ ସେମାନେ ଶହେତମ ଅଧ୍ୟାୟ ସମ୍ପର୍କରେ ବଡ଼ ଜିଜ୍ଞାସା ପ୍ରକାଶ କରିଛନ୍ତି । ଶହେତମ ଅଧ୍ୟାୟରେ ଆମେ କି କଥା ହେବା, ତାକୁ କିପରି ସ୍ୱତନ୍ତ୍ର କରିବା, ସେଥିପାଇଁ ଆପଣମାନେ ନିଜ ନିଜର ପରାମର୍ଶ ପଠାଇଲେ ମୋତେ ବହୁତ ଖୁସି ଲାଗିବ । ଆସନ୍ତା ଥର ଆମେ ୨୦୨୩ ରେ ଭେଟିବା । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବର୍ଷ ୨୦୨୩ ପାଇଁ ଶୁଭକାମନା ଜଣାଉଛି । ଏହି ବର୍ଷ ମଧ୍ୟ ଦେଶପାଇଁ ସ୍ୱତନ୍ତ୍ର ହେଉ, ଦେଶ ନୂଆ ଉଚ୍ଚତାକୁ ଛୁଉଁ, ଆମ ସମସ୍ତଙ୍କୁ ମିଶି ସଂକଳ୍ପ ନେବାର ଅଛି, ତାକୁ ସାକାର ମଧ୍ୟ କରିବାର ଅଛି । ବର୍ତ୍ତମାନ ବହୁତ ଲୋକ ଛୁଟି କଟାଇବା moodରେ ଅଛନ୍ତି । ଆପଣ ପବପର୍ବାଣୀର, ଏହି ଅବସରଗୁଡ଼ିକର ଖୁବ୍ ମଜା ନିଅନ୍ତୁ, କିନ୍ତୁ ଟିକିଏ ସତର୍କ ମଧ୍ୟ ରହନ୍ତୁ । ଆପଣ ମଧ୍ୟ ଦେଖୁଛନ୍ତି ଯେ ପୃଥିବୀର ଅନେକ ଦେଶରେ କରୋନା ବଢ଼ୁଛି, ସେଥିପାଇଁ ଆମକୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପରି ସାବଧାନତାଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଆମେ ସାବଧାନ ରହିବା ତ ସୁରକ୍ଷିତ ମଧ୍ୟ ରହିବା ଏବଂ ଆମର ଖୁସିବାସିରେ କୌଣସି ବାଧା ଉପୁଜିବ ନାହିଁ । ଏଥିସହ, ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
UPI Adding Up To 60 Lakh New Users Every Month, Global Adoption Surges

Media Coverage

UPI Adding Up To 60 Lakh New Users Every Month, Global Adoption Surges
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India's best-ever performance at International Maths Olympiad
July 21, 2024

The Prime Minister, Shri Narendra Modi has expressed immense joy and pride over India's exceptional performance in the International Maths Olympiad, where the country secured its best-ever 4th place finish.

The Indian contingent brought home four gold medals and one silver medal.

In a X post, the Prime Minister said;

“It’s a matter of immense joy and pride that India has come 4th in its best-ever performance in the International Maths Olympiad. Our contingent has brought home 4 Golds and one Silver Medal. This feat will inspire several other youngsters and help make mathematics even more popular.”