ପିଏମ-କିସାନ ଯୋଜନାର ତ୍ରୟୋଦଶ କିସ୍ତି ବାବଦରେ ପ୍ରାୟ ୧୬,୦୦୦ କୋଟି ଟଙ୍କା କଲେ ହସ୍ତାନ୍ତର
ପୁନର୍ବିକଶିତ ବେଲଗାଭୀ ରେଳ ଷ୍ଟେସନ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମର୍ପିତ
ଜଳ ଜୀବନ ମିଶନ ଅଧୀନରେ ଛଅଟି ବହୁମୁଖୀ ଗ୍ରାମ ଯୋଜନା ପ୍ରକଳ୍ପଗୁଡ଼ିକ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ
‘‘ବଞ୍ଚିତ ବର୍ଗଙ୍କୁ ପ୍ରାଥମିକତା ଦେଇ ଆଜିର ପରିବର୍ତ୍ତନଶୀଳ ଭାରତ ଗୋଟିଏ ପରେ ଗୋଟିଏ ବିକାଶମୂଳକ ପ୍ରକଳ୍ପକୁ ହାସଲ କରୁଛି’’
‘‘୨୦୧୪ ପୂର୍ବରୁ ଦେଶର କୃଷି ବଜେଟ୍‌ ମାତ୍ର ୨୫,୦୦୦ କୋଟି ଟଙ୍କା ଥିବା ବେଳେ ତାହା ବର୍ତ୍ତମାନ ପାଞ୍ଚ ଗୁଣା ବୃଦ୍ଧି ପାଇ ୧,୨୫,୦୦୦ କୋଟି ଟଙ୍କାରେ ପହଞ୍ଚିଛି’’
‘‘ଭବିଷ୍ୟତର ଆହ୍ବାନକୁ ବିଶ୍ଳେଷଣ କରିବା ସହିତ ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି’’
‘‘ଡବଲ ଇଞ୍ଜିନ ସରକାର ଦ୍ରୁତ ବିକାଶ ପାଇଁ ଏକ ଗ୍ୟାରେଣ୍ଟି’’
‘‘ଖଡ଼ଗେ ଜୀ କଂଗ୍ରେସ ଅଧ୍ୟକ୍ଷ, କିନ୍ତୁ ତାଙ୍କ ସହିତ ଯେପରି ବ୍ୟବହାର କରାଯାଉଛି ସାରା ଦୁନିଆ ଜାଣିଛି ଯେ ରିମୋଟ୍‌ କଣ୍ଟ୍ରୋଲ କାହା ହାତରେ ଅଛି’’
‘‘ସଚ୍ଚୋଟ ମନୋବୃତ୍ତି ନେଇ କାର୍ଯ୍ୟ କଲେ ବାସ୍ତବ ବିକାଶ ସମ୍ଭବ ହୋଇଥାଏ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲଗାଭୀ ଠାରେ ୨,୭୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ଲୋକାର୍ପଣ କରିଛନ୍ତି । ସେ ପିଏମ-କିସାନ ଯୋଜନା ଅଧୀନରେ ତ୍ରୟୋଦଶ କିସ୍ତି ବାବଦରେ ପ୍ରାୟ ୧୬,୦୦୦ କୋଟି ଟଙ୍କାର ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ପୁନର୍ବିକଶିତ ବେଲଗାଭୀ ରେଳ ଷ୍ଟେସନ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଜଳ ଜୀବନ ମିଶନ ଅଧୀନରେ ସେ ଛଅଟି ବହୁମୁଖି ଗ୍ରାମ ଯୋଜନା ପାଇଁ ଶିଳାନ୍ୟାସ କରିଥିଲେ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଲଗାଭୀର ଜନସାଧାରଣଙ୍କ ସ୍ନେହ ଓ ଆଶୀର୍ବାଦ ସରକାରଙ୍କୁ ଜନକଲ୍ୟାଣ ପାଇଁ କାମ କରିବା ଲାଗି ଅନୁପ୍ରାଣିତ କରିଛି ଏବଂ ଏହା ସରକାରଙ୍କ ପାଇଁ ସାମର୍ଥ୍ୟର ଏକ ଉତ୍ସ ପାଲଟିଛି । ବେଲଗାଭୀକୁ ଆସିବା ତାଙ୍କ ପାଇଁ ଏକ ତୀର୍ଥାଟନ ଠାରୁ କମ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଚିତ୍ତୁରର ରାଣୀ ଚେନ୍ନାମ୍ମା ଏବଂ ବିପ୍ଳବୀ କ୍ରାନ୍ତିବୀର ସାଙ୍ଗୋଲ୍ଲି ରାୟନ୍ନାଙ୍କ ଭୂମି। ଉପନିବେଶଦବାଦ ବିରୋଧରେ ସଂଗ୍ରାମ କରିଥିବାରୁ ସେମାନେ ଆଜି ବି ସ୍ମରଣୀୟ ହୋଇ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ବେଲଗାଭୀର ଯୋଗଦାନ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ବର୍ତ୍ତମାନର ସଂଘର୍ଷ ଏବଂ ଭାରତର ପୁନରୁତ୍ଥାନରେ ଏହି ଅଞ୍ଚଳର ଯୋଗଦାନ ରହିଛି । କର୍ଣ୍ଣାଟକର ଷ୍ଟାର୍ଟଅପ୍‌ ସଂସ୍କୃତି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶହେ ବର୍ଷ ପୂର୍ବରୁ ବେଲଗାଭୀ ଷ୍ଟାର୍ଟଅପଗୁଡ଼ିକର ଉତ୍ପତି ସ୍ଥଳ ଥିଲା। ଏହି ଅବସରରେ ସେ ବାବୁରାଓ ପୁସାଲକରଙ୍କ ଉଦାହରଣ ଦେଇଥିଲେ ଯିଏକି ଏଠାରେ ଏକ ୟୁନିଟ୍‌ ପ୍ରତିଷ୍ଠା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଶିଳ୍ପୋଦ୍ୟୋଗର ଆଧାର ପାଲଟିଥିଲା। ବର୍ତ୍ତମାନର ଦଶନ୍ଧିରେ ବେଲଗାଭୀର ଏହି ଭୂମିକାକୁ ଅଧିକ ସୁଦୃଢ଼ କରିବା ଲାଗି ଡବଲ ଇଞ୍ଜିନ ସରକାର ଚାହୁଁଥିବା ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ।

ଆଜି ଶିଳାନ୍ୟାସ କରାଯାଇଥିବା ଏବଂ ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବେଲଗାଭୀର ବିକାଶଧାରାକୁ ଏହା ନୂଆ ଉତ୍ସାହ ଦେବ ଏବଂ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ । ଯୋଗାଯୋଗ ଏବଂ ଜଳଯୋଗାଣ ସୁବିଧା ସହ ଜଡ଼ିତ ଶତାଧିକ କୋଟି ଟଙ୍କାର ପ୍ରକଳ୍ପ ପାଇଁ ସେ ସ୍ଥାନୀୟ ଅଞ୍ଚଳର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବେଲଗାଭୀ ଜରିଆରେ ଦେଶର ସବୁ ଚାଷୀଙ୍କୁ ପିଏମ-କିସାନ ଯୋଜନାରେ ଆଉ ଏକ କିସ୍ତି ଅର୍ଥ ହସ୍ତାନ୍ତର କରାଯାଇ ଏକ ସ୍ବତନ୍ତ୍ର ଉପହାର ମିଳିଛି । ‘‘ମାତ୍ର ଗୋଟିଏ ବଟନ କ୍ଲିକ୍‌ରେ, ୧୬,୦୦୦ କୋଟି ଟଙ୍କା ଦେଶର କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି’’, ପ୍ରଧାନମନ୍ତ୍ରୀ ମତ ଦେଇଥିଲେ । ସେ କହିଥିଲେ ଯେ, ଏତେ ଅଧିକ ପରିମାଣର ଅର୍ଥ ଦଲାଲଙ୍କ ସମ୍ପୃକ୍ତି ବିନା ହସ୍ତାନ୍ତର କରାଯାଇଛି । ଏହା ସାରା ବିଶ୍ବର ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିଛି । କଂଗ୍ରେସ ଶାସନ ସମୟ ସହିତ ତୁଳନା କରି, ଶ୍ରୀ ମୋଦୀ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଉକ୍ତିର ଉଦାହରଣ ଦେଇଥିଲେ । ସେତେବେଳେ ୧ ଟଙ୍କା ହସ୍ତାନ୍ତର କଲେ ଗରିବଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚି ପାରୁଥିଲା। ‘‘କିନ୍ତୁ ଏହା ମୋଦୀ ସରକାର । ଆପଣଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ଗୋଟିଏ ପଇସା ଆପଣଙ୍କ ପାଖରେ ପହଞ୍ଚିଥାଏ,’’ ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଭାରତର ସବୁ ଚାଷୀଙ୍କୁ ଏକ ସୁଖପୂର୍ଣ୍ଣ ହୋଲି ପାଇଁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହୋଲି ପୂର୍ବରୁ ସେମାନଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ବଞ୍ଚିତ ବର୍ଗଙ୍କୁ ପ୍ରାଥମିକତା ଦେଇ ଆଜିର ପରିବର୍ତ୍ତନଶୀଳ ଭାରତ ଗୋଟିଏ ପରେ ଗୋଟିଏ ବିକାଶମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି । ବର୍ତ୍ତମାନର ସରକାର କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ହେଉଛନ୍ତି । ସେ ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କ୍ଷୁଦ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୫ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇସାରିଛି ଏବଂ ଏଥିମଧ୍ୟରୁ ୫୦ ହଜାର କୋଟି ଟଙ୍କା ମହିଳା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଅର୍ଥରାଶି ଚାଷୀଙ୍କ ଛୋଟ କିନ୍ତୁ ଜରୁରି ଆବଶ୍ୟକତା ପୂରଣ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ପୂର୍ବରୁ ଦେଶର କୃଷି ବଜେଟ୍‌ ମାତ୍ର ୨୫,୦୦୦ କୋଟି ଟଙ୍କା ଥିବା ବେଳେ ତାହା ବର୍ତ୍ତମାନ ପାଞ୍ଚ ଗୁଣା ବୃଦ୍ଧି ପାଇ ୧,୨୫,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ସେ କହିଥିଲେ ଯେ, ଦେଶର ଚାଷୀଙ୍କୁ ସମର୍ଥନ କରିବା ଲାଗି ବିଜେପି ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମାଣ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରଯୁକ୍ତିର ବ୍ୟବହାର ଉପରେ ଜୋର ଦେଇଥିଲେ ଯାହାକି ଚାଷୀଙ୍କୁ ସିଧାସଳଖ ଲାଭାନ୍ବିତ କରୁଛି ଏବଂ ଏହି ପରିପ୍ରେକ୍ଷୀରେ ସେ ଜନ ଧନ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ସଂଯୋଗ ଓ ଆଧାରର ଉଦାହରଣ ଦେଇଥିଲେ । ପ୍ରତ୍ୟେକ ଆବଶ୍ୟକତା ସମୟରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ନେଇ ସରକାର କିଷାନ କ୍ରେଡିଟ୍‌ କାର୍ଡ ଜରିଆରେ ଚାଷୀଙ୍କ ସହିତ ଯୋଡ଼ି ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଚଳିତ ବର୍ଷର ବଜେଟ୍‌ରେ କୃଷି କ୍ଷେତ୍ରର ଭବିଷ୍ୟତର ଆବଶ୍ୟକତା ସହିତ ବର୍ତ୍ତମାନର ଚିନ୍ତାଗୁଡ଼ିକୁ ଦୂର କରିବା ଉପରେ ପ୍ରାଥମିକତା ଦିଆଯାଇଛି । ସେ କହିଥିଲେ ଯେ, ବର୍ତ୍ତମାନର ଆବଶ୍ୟକତା ହେଉଛି ଭଣ୍ଡାରଣ ଏବଂ କୃଷି ଖର୍ଚ୍ଚ ହ୍ରାସ କରିବା, କ୍ଷୁଦ୍ର ଚାଷୀଙ୍କୁ ସଂଗଠିତ କରିବା । ଏହି କାରଣରୁ ଚଳିତ ବଜେଟରେ ଭଣ୍ଡାରଣ ସୁବିଧା ଏବଂ ସମବାୟ ସମିତି ଗଠନ ଉପରେ ଜୋର ଦିଆଯାଇଛି । ଅନୁରୂପ ଭାବେ, ପ୍ରାକୃତିକ କୃଷି ଉପରେ ନିର୍ଭରଶୀଳତା ଚାଷୀଙ୍କ ଖର୍ଚ୍ଚ କମାଇବ । ସେ କହିଥିଲେ ଯେ ପିଏମ ପ୍ରଣାମ ଯୋଜନା ସାର ଉପରେ ହେଉଥିବା ଖର୍ଚ୍ଚକୁ ଆହୁରି ହ୍ରାସ କରିବାରେ ସହାୟକ ହେବ ।

‘‘ଭବିଷ୍ୟତର ଆହ୍ବାନକୁ ବିଶ୍ଳେଷଣ କରିବା ସହିତ ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଜଳବାୟୁ ପରିବର୍ତ୍ତନର ଆହ୍ବାନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ମିଲେଟ୍‌ ବା ମାଣ୍ଡିଆ ବାଜରା ଜାତୀୟ ଫସଲର ପାରମ୍ପରିକ ସାମର୍ଥ୍ୟକୁ ପୁନରୁଦ୍ଧାର କରିବା ଉପରେ ଜୋର ଦେଇଥିଲେ । ସେ ସୂଚନା ଦେଇଥିଲେ ଯେ ଏସବୁ ଖାଦ୍ୟଶସ୍ୟ ନିକଟରେ ଯେକୌଣସି ଜଳବାୟୁର ମୁକାବିଲା କରିବାର ସାମର୍ଥ୍ୟ ରହିଛି । ଚଳିତ ବର୍ଷର ବଜେଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ମିଲେଟ୍‌କୁ ‘ଶ୍ରୀ ଅନ୍ନ’ ନାମରେ ଏକ ନୂଆ ପରିଚୟ ମିଳିଛି । ସେ ଆହୁରି କହିଥିଲେ, କର୍ଣ୍ଣାଟକ ମିଲେଟର ମୁଖ୍ୟ କେନ୍ଦ୍ର ହୋଇ ରହିଆସିଛି ଏବଂ ଶ୍ରୀ ଅନ୍ନ ଏଠାରେ ଶ୍ରୀ ଧାନ୍ୟ ନାମରେ ଲୋକପ୍ରିୟ। ରାଜ୍ୟରେ ଚାଷୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଶ୍ରୀ ଅନ୍ନ ଚାଷ କରାଯାଇଥାଏ।  ତତ୍କାଳୀନ ବିଏସ ୟେଦ୍ୟୁରପ୍ପା ସରକାରଙ୍କ ଦ୍ବାରା ଶ୍ରୀ ଅନ୍ନର ପ୍ରୋତ୍ସାହନ ପାଇଁ ଆରମ୍ଭ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଏବଂ କହିଥିଲେ ଯେ ଆମେ ସମସ୍ତେ ଏବେ ଏହାକୁ ସାରା ଦୁନିଆ ଆଗରେ ଉପସ୍ଥାପନ କରିବା ଉଚିତ୍‌। ଶ୍ରୀ ଅନ୍ନର ଲାଭ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାକୁ ଚାଷ କରିବା ପାଇଁ କମ ପରିଶ୍ରମ ଏବଂ କମ ପାଣି ଆବଶ୍ୟକ ହୋଇଥାଏ। ଅନ୍ୟପଟେ ଏହା ଚାଷୀଙ୍କ ଲାଭକୁ ବହୁଗୁଣିତ କରିଥାଏ।

କର୍ଣ୍ଣାଟକ ଏକ ବୃହତ ଆଖୁ ଚାଷ ରାଜ୍ୟ ହୋଇଥିବାରୁ ଏଠାକାର ଆଖୁ ଚାଷୀଙ୍କ ଆବଶ୍ୟକତାକୁ ନେଇ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଆଖୁ ସମବାୟ ସମିତିଗୁଡ଼ିକୁ ଆଖୁ ବିକ୍ରି ଅର୍ଥ ବାବଦରେ ୨୦୧୬-୧୭ ପୂର୍ବର ୧୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପଇଠଯୋଗ୍ୟ ଅର୍ଥରାଶି ଉପରେ ଟିକସ ରିହାତି ଦେବା ନିମନ୍ତେ ଚଳିତ ବଜେଟରେ ଘୋଷଣା କରାଯାଇଛି । ଇଥାନଲ ମିଶ୍ରଣ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଇଥାନଲ ଉତ୍ପାଦନ ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସହାୟକ ହେଉଛି । ସେ ସୂଚନା ଦେଇଥିଲେ ଯେ, ପେଟ୍ରୋଲରେ ଇଥାନଲ ମିଶ୍ରଣ ପରିବାର ଗତ ୯ ବର୍ଷ ମଧ୍ୟରେ ଦେଢ଼ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ସରକାର ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ବାରା କୃଷି, ଶିଳ୍ପ, ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ର ସୁଦୃଢ଼ ହୋଇପାରିବ । ସେ ସୂଚନା ଦେଇ କହିଥିଲେ ଯେ, ୨୦୧୪ ପୂର୍ବରୁ ପାଞ୍ଚ ବର୍ଷରେ କର୍ଣ୍ଣାଟକର ମୋଟ୍‌ ରେଳ ବଜେଟ୍‌ ୪ ହଜାର କୋଟି ଟଙ୍କା ଥିଲା, ଅନ୍ୟପଟେ କେବଳ ଚଳିତ ବର୍ଷ କର୍ଣ୍ଣାଟକ ପାଇଁ ୭,୫୦୦ କୋଟି ଟଙ୍କାର ରେଳ ବଜେଟ୍‌ ଆବଣ୍ଟନ କରାଯାଇଛି । ଆଜି କର୍ଣ୍ଣାଟକରେ ୪୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି ବୋଲି ସେ କହିଥିଲେ । ବେଲଗାଭୀରେ ନୂଆ କରି ଉଦଘାଟିତ ହୋଇଥିବା ଆଧୁନିକ ରେଳ ଷ୍ଟେସନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା କେବଳ ସୁବିଧା ଉନ୍ନତ ହୋଇନାହିଁ ବରଂ ରେଳବାଇ ପ୍ରତି ଥିବା ବିଶ୍ବାସ ବଢ଼ିଛି । କର୍ଣ୍ଣାଟକର ଅଧିକାଂଶ ଷ୍ଟେସନ ଏକ ଆଧୁନିକ ଅବତାର ପାଉଛନ୍ତି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଲୋଣ୍ଡା-ଘଟପ୍ରଭା ରେଳ ଲାଇନର ଦୋହରୀକରଣ ଦ୍ବାରା ରେଳ ଯାତ୍ରା ଆହୁରି ଦ୍ରୁତ ଏବଂ ନିରାପଦ ହୋଇପାରିବ । ବେଲଗାଭୀକୁ ଶିକ୍ଷା, ପର୍ଯ୍ୟଟନ ଓ ସ୍ବାସ୍ଥ୍ୟସେବାର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରେଳ ଯୋଗାଯୋଗ ବଢ଼ିବା ଦ୍ବାରା ଏହିସବୁ କ୍ଷେତ୍ରରେ ସୁଧାର ଆସିପାରିବ ।

 ‘‘ଡବଲ ଇଞ୍ଜିନ ସରକାର ଦ୍ରୁତ ବିକାଶ ପାଇଁ ଏକ ଗ୍ୟାରେଣ୍ଟି’’, ପ୍ରଧାନମନ୍ତ୍ରୀ କହିଥିଲେ । ଜଳଜୀବନ ମିଶନର ଉଦାହରଣ ଦେଇ ଶ୍ରୀ ମୋଦୀ କହିଥିଲେ ଯେ,  ୨୦୧୯ ପୂର୍ବରୁ କର୍ଣ୍ଣାଟକ ଗ୍ରାମାଞ୍ଚଳର ମାତ୍ର ୨୫ ପ୍ରତିଶତ ପରିବାରକୁ ପାଇପ ଜଳ ଯୋଗାଣ ସୁବିଧା ମିଳିଥିଲା । କିନ୍ତୁ ଏବେ ଏହି କଭରେଜ୍‌ ୬୦ ପ୍ରତିଶତ ପରିବାର ନିକଟରେ ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଲଗାଭୀରେ ମଧ୍ୟ ପୂର୍ବରୁ ମାତ୍ର ୨ ଲକ୍ଷ ପରିବାର ନିକଟରେ ଏହି ସୁବିଧା ଥିବା ବେଳେ ଆଜି ଏହା ୪.୫ ଲକ୍ଷ ପରିବାର ନିକଟରେ ପହଞ୍ଚି ପାରିଛି । ସେ କହିଥିଲେ ଯେ ଚଳିତ ବଜେଟରେ ଏହି ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ପୂର୍ବ ସରକାରଙ୍କ ସମୟରେ ଅବହେଳିତ ହୋଇ ରହିଥିବା ସମାଜର ପ୍ରତ୍ୟେକ ଛୋଟ ବର୍ଗର ସଶକ୍ତିକରଣ କ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି । ବାଉଁଶଗ୍ରାମ ବେଣୁଗ୍ରାମ ଭଳି ବେଲଗାଭୀ ସହର ଶିଳ୍ପକାର ଓ ହସ୍ତଶିଳ୍ପୀଙ୍କ ନଗର ଭାବେ ପ୍ରସିଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ପୂର୍ବ ସରକାର ଦୀର୍ଘଦିନ ପର୍ଯ୍ୟନ୍ତ ବାଉଁଶ ଚାଷକୁ ନିଷେଧ କରିଥିଲେ କିନ୍ତୁ ବର୍ତ୍ତମାନର ସରକାର ଆଇନରେ ପରିବର୍ତ୍ତନ ଆଣି ବାଉଁଶ ଚାଷ ଓ ବ୍ୟବସାୟ ପାଇଁ ମାର୍ଗପ୍ରଶସ୍ତ କରିଛନ୍ତି । ଶିଳ୍ପକାର ଓ ହସ୍ତଶିଳ୍ପୀମାନଙ୍କୁ ସହାୟତା କରିବା ଲାଗି ଚଳିତ ବଜେଟରେ ଆରମ୍ଭ କରାଯାଇଥିବା ବିଶ୍ବକର୍ମା ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

କର୍ଣ୍ଣାଟକ ପାଇଁ କଂଗ୍ରେସ ସରକାରଙ୍କ ମନରେ ରହିଥିବା ଘୃଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କର୍ଣ୍ଣାଟକର ନେତାମାନଙ୍କୁ ଅସମ୍ମାନିତ କରିବା ଏକ ପରମ୍ପରା ହୋଇଯାଇଛି । ଏସ ନିଜଲିଙ୍ଗାପ୍ପା ଓ ବିରେନ୍ଦ୍ର ପାଟିଲଙ୍କ ଭଳି ନେତାମାନଙ୍କୁ କଂଗ୍ରେସ ପରିବାର ଦ୍ବାରା କିଭଳି ଅପମାନିତ କରାଯାଇଛି, ଇତିହାସ ତାହାର ସାକ୍ଷୀ ରହିଛି । ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ପ୍ରତି ରହିଥିବା ତାଙ୍କର ସ୍ନେହ ଓ ସମ୍ମାନ ବିଷୟରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଜନସେବା ପ୍ରତି ଶ୍ରୀ ଖଡ଼ଗେଙ୍କ ସମର୍ପଣକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦଳର ସବୁଠୁ ବରିଷ୍ଠ ସଦସ୍ୟଙ୍କୁ ମଧ୍ୟ କଂଗ୍ରେସ ସମ୍ମାନ ଦେଉନାହିଁ । ଛତିଶଗଡ଼ରେ ଆୟୋଜିତ କଂଗ୍ରେସର ଏକ ସମାରୋହରେ ତାଙ୍କୁ ଛତା ନଦେଇ ଟାଣଖରାରେ ଛିଡ଼ା କରିବାକୁ ବାଧ୍ୟ କରାଯାଉଛି।

‘‘ଖଡ଼ଗେ ଜୀ କଂଗ୍ରେସ ଅଧ୍ୟକ୍ଷ, କିନ୍ତୁ ତାଙ୍କ ସହିତ ଯେପରି ବ୍ୟବହାର କରାଯାଉଛି ସାରା ଦୁନିଆ ଜାଣିଛି ଯେ ରିମୋଟ୍‌ କଣ୍ଟ୍ରୋଲ କାହା ହାତରେ ଅଛି’’, ପ୍ରଧାନମନ୍ତ୍ରୀ କହିଥିଲେ ।  ଶ୍ରୀ ମୋଦୀ କହିଥିଲେ ଯେ ଦେଶର ଅଧିକାଂଶ ଦଳ ପରିବାରବାଦ ନୀତିରେ ଚାଲିଛନ୍ତି ଏବଂ ସେମାନଙ୍କ କବଳରୁ ଦେଶକୁ ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । କଂଗ୍ରେସ ଭଳି ଦଳ ଠାରୁ ଦୂରେଇ ରହିବା ଲାଗି ସେ କର୍ଣ୍ଣାଟକର ଜନସାଧାରଣଙ୍କୁ ଚେତାଇ ଦେଇଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ସଚ୍ଚୋଟ ମନୋବୃତ୍ତି ନେଇ କାର୍ଯ୍ୟ କଲେ ବାସ୍ତବ ବିକାଶ ସମ୍ଭବ ହୋଇଥାଏ ।’’ ଡବଲ ଇଞ୍ଜିନ ସରକାରଙ୍କ ବାସ୍ତବ ଉଦ୍ଦେଶ୍ୟ ଏବଂ ବିକାଶ ପାଇଁ ଏହାର ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ । ‘‘କର୍ଣ୍ଣାଟକ ଓ ଦେଶର ବିକାଶକୁ ଗତିଶୀଳ କରିବାକୁ ହେଲେ ଆମକୁ ସବକା ପ୍ରୟାସ ନୀତି ସହିତ ଆଗକୁ ବଢ଼ିବାକୁ ହେବ’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବସଭରାଜ ବୋମ୍ମାଇ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଏବଂ କର୍ଣ୍ଣାଟକ ସରକାରର ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶନ କରିବା ଲାଗି ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିସାନ) ଯୋଜନା ଅଧୀନରେ ୮ କୋଟିରୁ ଅଧିକ ହିତାଧିକାରୀ ଚାଷୀମାନଙ୍କୁ ତ୍ରୟୋଦଶ କିସ୍ତି ଆକାରରେ ପ୍ରାୟ ୧୬,୦୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାର ମାନଙ୍କୁ ୨୦୦୦ ଟଙ୍କାର ତିନିଟି ସମାନ କିସ୍ତିରେ ପ୍ରତି ବର୍ଷ ୬,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଉଛି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁନଃ ବିକଶିତ ବେଲଗାଭୀ ରେଳ ଷ୍ଟେସନ ଅଟ୍ଟାଳିକାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଯାତ୍ରୀ ମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇବା ପାଇଁ ଏହି ରେଳ ଷ୍ଟେସନ ପ୍ରାୟ ୧୯୦ କୋଟି ଟଙ୍କା ମୂଲ୍ୟରେ ପୁନଃ ନିର୍ମାଣ କରାଯାଇଛି । ବେଲାଗାଭିର ଆଉ ଏକ ରେଳ ପ୍ରକଳ୍ପ ଯାହାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ଏବଂ  ତାହା ହେଉଛି ଲୋଣ୍ଡା – ବେଲାଗାଭି - ଘାଟପ୍ରଭା ବିଭାଗ ମଧ୍ୟରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ । ପ୍ରାୟ ୯୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ପ୍ରକଳ୍ପ ବ୍ୟସ୍ତବହୁଳ ମୁମ୍ବାଇ - ପୁଣେ - ହୁବଳି - ବେଙ୍ଗାଲୁରୁ ରେଳ ଲାଇନର ଲାଇନ କ୍ଷମତା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ବାଣିଜ୍ୟ, ବ୍ୟବସାୟ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ବେଲଗାଭୀ ଠାରେ ଥିବା ଜଳ ଜୀବନ ମିଶନ ଅଧୀନରେ ୬ଟି ବହୁ ଗ୍ରାମ ଯୋଜନା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ , ଯାହା ପ୍ରାୟ ୧୫୮୫ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ଏହା ଯୋଗୁଁ ୩୧୫ ରୁ ଅଧିକ ଗ୍ରାମ ଗୁଡିକର ପ୍ରାୟ ୮.୮ ଲକ୍ଷ ଲୋକ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ମୋଦୀ ବେଲଗାଭୀ ଠାରେ ଜଳ ଜୀବନ ମିଶନ ଅଧୀନରେ ଛଅଟି ବହୁମୁଖୀ ଗ୍ରାମ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ ଯାହାକି ୧୫୮୫ କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚ ସହିତ ନିର୍ମାଣ କରାଯିବ ଏବଂ ଏହାଦ୍ବାରା ୩୧୫ରୁ ଅଧିକ ଗ୍ରାମର ୮.୮କୋଟି ଗ୍ରାମବାସୀ ଲାଭାନ୍ବିତ ହେବେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s auto sales hit record high in Q1; PVs log 26% growth: SIAM

Media Coverage

India’s auto sales hit record high in Q1; PVs log 26% growth: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥