ମହାମହିମ,

ଭବ୍ୟ ସ୍ୱାଗତ ପାଇଁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛି । ଆପଣ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ଆମର ପ୍ରଥମ ସାକ୍ଷାତ । ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମୋର ବିଶ୍ୱାସ ଯେ ୪ଜି ନେତୃତ୍ୱରେ ସିଙ୍ଗାପୁର ଅଧିକ ଦ୍ରୁତ ଗତିରେ ଅଗ୍ରଗତି କରିବ ।

 

ମହାମହିମ,

ସିଙ୍ଗାପୁର କେବଳ ଏକ ସହଯୋଗୀ ରାଷ୍ଟ୍ର ନୁହେଁ । ସିଙ୍ଗାପୁର ପ୍ରତ୍ୟେକ ବିକାଶଶୀଳ ଦେଶ ପାଇଁ ପ୍ରେରଣା । ଆମେ ମଧ୍ୟ ଭାରତରେ ଅନେକ ସିଙ୍ଗାପୁର ସୃଷ୍ଟି କରିବାକୁ ଚାହୁଁଛୁ । ଏବଂ ମୁଁ ଖୁସି ଯେ ଆମେ ଏହି ଦିଗରେ ଏକାଠି କାମ କରୁଛୁ । ଆମ ମଧ୍ୟରେ ଗଠିତ ହୋଇଥିବା ମନ୍ତ୍ରୀସ୍ତରୀୟ ରାଉଣ୍ଡଟେବୁଲ ଏକ ଦିଗ୍‍ଦର୍ଶନ ବ୍ୟବସ୍ଥା। ଦକ୍ଷତା, ଡିଜିଟାଲାଇଜେସନ୍, ମୋବିଲିଟି, ସେମିକଣ୍ଡକ୍ଟର ଓ ଏଆଇ ଭଳି ଉନ୍ନତ ଉତ୍ପାଦନ, ସ୍ୱାସ୍ଥ୍ୟସେବା, ସ୍ଥାୟୀତା ଏବଂ ସାଇବର ନିରାପତ୍ତା ଭଳି କ୍ଷେତ୍ରରେ ସହଯୋଗ ଦିଗରେ ପଦକ୍ଷେପ ଚିହ୍ନଟ କରାଯାଇଛି।


ମହାମହିମ,

ସିଙ୍ଗାପୁର ମଧ୍ୟ ଆମର ଆକ୍ଟ ଇଷ୍ଟ ପଲିସିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାପକ । ଗଣତାନ୍ତ୍ରିକ ମୂଲ୍ୟବୋଧ ରେ ମିଳିତ ବିଶ୍ୱାସ ଆମକୁ ଏକାଠି ବାନ୍ଧି ରଖିଥାଏ । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୋତେ ସିଙ୍ଗାପୁର ଆସିବାର ସୁଯୋଗ ମିଳିଛି । ଆମର ରଣନୈତିକ ଭାଗିଦାରୀ ଏକ ଦଶନ୍ଧି ପୂରଣ କରୁଛି । ଗତ ଦଶ ବର୍ଷ ମଧ୍ୟରେ ଆମର ବାଣିଜ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି । ପାରସ୍ପରିକ ପୁଞ୍ଜିନିବେଶ ପ୍ରାୟ ତିନି ଗୁଣ ବୃଦ୍ଧି ପାଇ ୧୫୦ ବିଲିୟନ ଡଲାରରେ ପହଞ୍ଚିଛି। ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯେଉଁଠାରେ ଆମେ ୟୁପିଆଇର ପର୍ସନ ଟୁ ପର୍ସନ ପେମେଣ୍ଟ ସୁବିଧା ଆରମ୍ଭ କରିଥିଲୁ । ଗତ ୧୦ ବର୍ଷ ମଧ୍ୟରେ ସିଙ୍ଗାପୁରର ୧୭ଟି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଛି। ଦକ୍ଷତା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ଆମର ସହଯୋଗ ତ୍ୱରାନ୍ୱିତ ହୋଇଛି । ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ ମଧ୍ୟରେ ହୋଇଥିବା ବୁଝାମଣା ଯୋଗାଯୋଗକୁ ସୁଦୃଢ଼ କରିଛି । ମୁଁ ଖୁସି ଯେ ଆଜି ଆମେ ଏକାଠି ଆମ ସମ୍ପର୍କକୁ ବ୍ୟାପକ ରଣନୈତିକ ଭାଗିଦାରୀର ରୂପ ଦେଉଛୁ ।


ମହାମହିମ,

ସିଙ୍ଗାପୁରରେ ରହୁଥିବା ୩.୫ ଲକ୍ଷ ଭାରତୀୟ ବଂଶୋଦ୍ଭବ ଲୋକ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି। ସିଙ୍ଗାପୁରରେ ସୁଭାଷ ଚନ୍ଦ୍ର ବୋଷ, ଆଜାଦ ହିନ୍ଦ ଫୌଜ ଏବଂ ଲିଟିଲ ଇଣ୍ଡିଆକୁ ଯେଉଁ ସ୍ଥାନ ଓ ସମ୍ମାନ ମିଳିଛି ସେଥିପାଇଁ ଆମେ ସମଗ୍ର ସିଙ୍ଗାପୁର ନିକଟରେ ସର୍ବଦା କୃତଜ୍ଞ । ୨୦୨୫ରେ ଆମେ ଆମ ସମ୍ପର୍କର ୬୦ ବର୍ଷ ପୂରଣ କରିବୁ। ଏହାକୁ ଧୁମଧାମରେ ପାଳନ କରିବାକୁ ହେଲେ ଉଭୟ ଦେଶରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରାଯିବା ଦରକାର। ମୁଁ ଖୁସିର ସହ ସୂଚନା ଦେଉଛି ଯେ ଭାରତର ପ୍ରଥମ ଥିରୁଭାଲ୍ଲୁବର ସାଂସ୍କୃତିକ କେନ୍ଦ୍ର ଖୁବଶୀଘ୍ର ସିଙ୍ଗାପୁରରେ ଖୋଲାଯିବ । ମହାନ ସନ୍ଥ ଥିରୁଭାଲ୍ଲୁଭର ତାମିଲ ଭାଷାରେ ବିଶ୍ୱକୁ ବାଟ ଦେଇଛନ୍ତି। ତାଙ୍କ ରଚନା ଥିରୁକ୍କୁରାଲ ପ୍ରାୟ ୨୦୦୦ ବର୍ଷ ପୂର୍ବର ଅଟେ, କିନ୍ତୁ ଏଥିରେ ଦିଆଯାଇଥିବା ଧାରଣା ଆଜି ମଧ୍ୟ ପ୍ରାସଙ୍ଗିକ । ସେ କହିଛନ୍ତି, "ନୟାନୋଡୁ ନାରୀ ପୂରୀନ୍ଦା ପାମ୍ବୁ ପାରାଟୁମ୍ ଉଲଗୁ। ଅର୍ଥାତ୍ ଯେଉଁମାନେ ନ୍ୟାୟ ଓ ଅନ୍ୟର ସେବା ପାଇଁ ଜଣାଶୁଣା, ସେମାନଙ୍କୁ ବିଶ୍ୱ ପ୍ରଶଂସା କରିଥାଏ। ମୋର ବିଶ୍ୱାସ ଯେ ସିଙ୍ଗାପୁରର ଲକ୍ଷ ଲକ୍ଷ ଭାରତୀୟ, ଏହି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ, ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଯୋଗଦାନ କରୁଛନ୍ତି ।

ମହାମହିମ,

ମୁଁ ସିଙ୍ଗାପୁରରେ ସାଙ୍ଗ୍ରି-ଲା ଡାଏଲଗ ମାଧ୍ୟମରେ ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣଉ ପସ୍ଥାପନ କରିଥିଲି । ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମେ ସିଙ୍ଗାପୁର ସହିତ କାର୍ଯ୍ୟ ଜାରି ରଖିବୁ । ପୁଣି ଥରେ ମୋତେ ଯେଉଁ ସମ୍ମାନ ଓ ଆତିଥେୟତା ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 30, 2026
June 30, 2026

Turning Challenges into Opportunities: PM Modi’s Vision for National Progress