ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ର ଶୁଭାରମ୍ଭ ପାଇଁ ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନକୁ ଜଣାଇଲେ ଅଭିନନ୍ଦନ
‘‘ଏବେ ବି ବିଶ୍ବ ପାଇଁ ଖାଦ୍ୟ ସୁରକ୍ଷା ଏକ ପ୍ରମୁଖ ଚିନ୍ତା ବୋଲି ଚେତାଇ ଦେଇଛି ଶତାବ୍ଦୀର ସବୁଠୁ ଘାତକ ମହାମାରୀ ଏବଂ ଏହାର ପରବର୍ତ୍ତୀ ଯୁଦ୍ଧ ପରିସ୍ଥିତି’’
‘‘ଭବିଷ୍ୟତ ପାଇଁ ମିଲେଟ୍‌କୁ ଏକ ଖାଦ୍ୟ ବିକଳ୍ପ ଭାବେ ଗ୍ରହଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା’’
‘‘ମିଲେଟ୍‌ ଉପଭୋକ୍ତା, ଚାଷୀ ଓ ଜଳବାୟୁ ପାଇଁ ଉପଯୋଗୀ’’
‘‘କୃଷି ଓ ଖାଦ୍ୟ ବିବିଧତାକୁ ବଢ଼ାଇବା ପାଇଁ ମିଲେଟ୍‌ ହେଉଛି ଏକ ଶ୍ରେଷ୍ଠ ମାର୍ଗ’’
‘‘ ‘ମିଲେଟ ମାନସିକତା’ ସୃଷ୍ଟି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଆନ୍ଦୋଳନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଟାଲୀର ରୋମ୍‌ସ୍ଥିତ ଅନ୍ତର୍ଜାତୀୟ ଖାଦ୍ୟ ସଂଗଠନ (ଫାଓ) ର ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମିଲେଟ୍‌ (ମୋଟା ଶସ୍ୟ) ବର୍ଷର ଉଦଘାଟନୀ ସମାରୋହ ଅବସରରେ ବାର୍ତ୍ତା ଦେଇଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ରୋମ ଠାରେ ଅନୁଷ୍ଠିତ ସମାରୋହରେ ଭାରତୀୟ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି । ସେ ସମାରୋହ ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ପ୍ରଧାନମନ୍ତ୍ରୀ ସଂକଳ୍ପ ଏବଂ ପ୍ରୟାସ କାରଣରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବା ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ପରିଷଦ ଗ୍ରହଣ କରିଥିଲା। ଏହାକୁ ସାରା ବିଶ୍ବର ୭୦ରୁ ଅଧିକ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି । ଦୀର୍ଘସ୍ଥାୟୀ କୃଷି ଏବଂ ଏକ ସ୍ମାର୍ଟ ଓ ସୁପରଫୁଡ୍‌ ଭାବେ ମିଲେଟ୍‌ (ମୋଟା ଶସ୍ୟ)ର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ କାର୍ଯ୍ୟକ୍ରମ ସାରା ବିଶ୍ବରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ। ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ପାଇଁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ସଦସ୍ୟ ରାଷ୍ଟ୍ରମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ସୂଚନା ଦେଇଥିଲେ ଯେ, ମାନବ ଜାତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଷ ହୋଇଥିବା ଫସଲ ମଧ୍ୟରେ ମିଲେଟ ଥିଲା ଅନ୍ୟତମ। ଏଥିରେ ପୋଷକ ତତ୍ତ୍ବର ଗୁରୁତ୍ବପୂର୍ଣ୍ଣ ଉତ୍ସ ରହିଛି । ଏହାକୁ ଭବିଷ୍ୟତର ଖାଦ୍ୟ ବିକଳ୍ପ ଭାବେ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ଖାଦ୍ୟ ସୁରକ୍ଷାର ସମସ୍ୟା ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶତାବ୍ଦୀର ସବୁଠୁ ଘାତକ ମହାମାରୀ ଏବଂ ଏହା ପରବର୍ତ୍ତୀ ବିଶ୍ବରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତି ଖାଦ୍ୟ ସଙ୍କଟର ବିପଦ ସମ୍ପର୍କରେ ସାରା ବିଶ୍ବକୁ ଚେତାଇ ଦେଇଛି । ଜଳବାୟୁ ପରିବର୍ତ୍ତନ କିଭଳି ଭାବେ ଖାଦ୍ୟ ଉପଲବ୍ଧତାକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

ମିଲେଟ୍‌ ପାଇଁ ବିଶ୍ବସ୍ତରରେ ଆରମ୍ଭ ହୋଇଥିବା ଅଭିଯାନ ଖାଦ୍ୟ ସୁରକ୍ଷା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଶସ୍ୟ ବଢ଼ିବା ସହଜ, ଜଳବାୟୁ ସହନଶୀଳ ଏବଂ ମରୁଡ଼ି ନିରୋଧୀ ବୋଲି ସେ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ, ମିଲେଟରେ ସନ୍ତୁଳିତ ମାତ୍ରାରେ ପୋଷକ ତତ୍ତ୍ବ ରହିଛି । ଏହାକୁ ପ୍ରାକୃତିକ ଉପାୟରେ ଅମଳ କରାଯାଇପାରିବ ଏବଂ ଏଥିରେ କମ୍‌ ପାଣି ଆବଶ୍ୟକ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପଭୋକ୍ତା, ଚାଷୀ ଓ ଜଳବାୟୁ ପାଇଁ ମିଲେଟ୍‌ ଉପଯୋଗୀ।

କୃଷି କ୍ଷେତ୍ରରେ ଏବଂ ଖାଦ୍ୟ ପ୍ରଣାଳୀରେ ବିବିଧତାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମନୋକଲ୍ଚର ବା ଗୋଟିଏ ଫସଲ ଅମଳ ପ୍ରତି ଅତ୍ୟଧିକ ଗୁରୁତ୍ବ ଦିଆଗଲେ ଆମ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। କୃଷି ଓ ଖାଦ୍ୟ ବିବିଧତାକୁ ବଢ଼ାଇବା ପାଇଁ ମିଲେଟ୍‌ ହେଉଛି ଏକ ଶ୍ରେଷ୍ଠ ମାର୍ଗ ବୋଲି ସେ ସୂଚାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ ‘ମିଲେଟ୍‌ ମାନସିକତା’ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥା ଏ ଦିଗରେ କିଭଳି ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ତାହା ସେ କହିଥିଲେ। ସେ ଆହୁରି କହିଥିଲେ ଯେ ସଂସ୍ଥାଗତ ବ୍ୟବସ୍ଥା ମିଲେଟ୍‌ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିବ ଏବଂ ନୀତିଗତ ପ୍ରୟାସ ମାଧ୍ୟମରେ ଏହାକୁ ଲାଭଜନକ କରିପାରିବ। ବ୍ୟକ୍ତିବିଶେଷମାନେ ସେମାନଙ୍କର ଖାଦ୍ୟ ପ୍ରଣାଳୀରେ ମିଲେଟକୁ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷରେ ପରିଣତ କରିବା ଜରିଆରେ ସ୍ବାସ୍ଥ୍ୟ ସଚେତନ ଓ ପରିବେଶ ଅନୁକୂଳ ବିକଳ୍ପ ଚୟନ କରିପାରିବେ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନିମ୍ନରେ ଦିଆଗଲା:

‘‘ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ର ଶୁଭାରମ୍ଭ ଅବସରରେ ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନକୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।

ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ପାଇଁ ଆମର ପ୍ରସ୍ତାବକୁ ସମର୍ଥନ ଯୋଗାଇ ଦେଇଥିବାରୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି।

ମିଲେଟର ଏକ ଗୌରବଶାଳୀ ଇତିହାସ ରହିଛି ଏବଂ ମାନବଜାତି ଚାଷ କରୁଥିବା ପ୍ରଥମ ଫସଲ ମଧ୍ୟରେ ଏହା ଅନ୍ୟତମ ଥିଲା। ଅତୀତରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଖାଦ୍ୟ ଉତ୍ସ ଥିଲା। କିନ୍ତୁ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଏହାକୁ ଭବିଷ୍ୟତ ପାଇଁ ଏକ ଖାଦ୍ୟ ବିକଳ୍ପ ଭାବେ ଗ୍ରହଣ କରିବା!

ଶତାବ୍ଦୀର ସବୁଠୁ ଘାତକ ମହାମାରୀ ଏବଂ ଏହା ପରବର୍ତ୍ତୀ ବିଶ୍ବରେ ଦେଖା ଦେଇଥିବା ଯୁଦ୍ଧ ପରିସ୍ଥିତି ଖାଦ୍ୟ ସଙ୍କଟର ବିପଦ ସମ୍ପର୍କରେ ସାରା ବିଶ୍ବକୁ ଚେତାଇ ଦେଇଛି । ଜଳବାୟୁ ପରିବର୍ତ୍ତନ ଖାଦ୍ୟ ଉପଲବ୍ଧତାକୁ ପ୍ରଭାବିତ କରିପାରେ।

ଏଭଳି ପରିସ୍ଥିତିରେ, ମିଲେଟ୍‌ ପାଇଁ ବିଶ୍ବସ୍ତରରେ ଆରମ୍ଭ ହୋଇଥିବା ଅଭିଯାନ ଖାଦ୍ୟ ସୁରକ୍ଷା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହି ଶସ୍ୟ ବଢ଼ିବା ସହଜ, ଜଳବାୟୁ ସହନଶୀଳ ଏବଂ ମରୁଡ଼ି ନିରୋଧୀ ।

ଉପଭୋକ୍ତା, ଚାଷୀ ଓ ଜଳବାୟୁ ପାଇଁ ମିଲେଟ୍‌ ଉପଯୋଗୀ। ଉପଭୋକ୍ତାଙ୍କ ପାଇଁ ଏଥିରେ ସନ୍ତୁଳିତ ମାତ୍ରାରେ ପୋଷକ ତତ୍ତ୍ବ ରହିଛି । କମ ପାଣି ଆବଶ୍ୟକ କରୁଥିବାରୁ ଏବଂ ପ୍ରାକୃତିକ ଉପାୟରେ ଅମଳ ପାଇଁ ଉପଯୋଗୀ ହୋଇ ଏହା ଚାଷୀ ଏବଂ ଆମ ପରିବେଶକୁ ଲାଭାନ୍ବିତ କରିଥାଏ।

ଆମ ଜମି ଓ ଆମ ଖାଦ୍ୟ ପ୍ରଣାଳୀରେ ବିବିଧତାର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ମନୋକଲ୍ଚର ବା ଗୋଟିଏ ଫସଲ ଅମଳ ପ୍ରତି ଅତ୍ୟଧିକ ଗୁରୁତ୍ବ ଦିଆଗଲେ ଆମ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏହା ଆମ ଜମିର ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। କୃଷି ଓ ଖାଦ୍ୟ ବିବିଧତାକୁ ବଢ଼ାଇବା ପାଇଁ ମିଲେଟ୍‌ ହେଉଛି ଏକ ଶ୍ରେଷ୍ଠ ମାର୍ଗ।

‘ମିଲେଟ ମାନସିକତା’ ସୃଷ୍ଟି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଆନ୍ଦୋଳନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ । ଉଭୟ ସଂସ୍ଥା ଓ ବ୍ୟକ୍ତିବିଶେଷ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ।

ସଂସ୍ଥାଗତ ବ୍ୟବସ୍ଥା ମିଲେଟ୍‌ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିବ ଏବଂ ନୀତିଗତ ପ୍ରୟାସ ମାଧ୍ୟମରେ ଏହାକୁ ଲାଭଜନକ କରିପାରିବ । ବ୍ୟକ୍ତିବିଶେଷମାନେ ସେମାନଙ୍କର ଖାଦ୍ୟ ପ୍ରଣାଳୀରେ ମିଲେଟକୁ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷରେ ପରିଣତ କରିବା ଜରିଆରେ ସ୍ବାସ୍ଥ୍ୟ ସଚେତନ ଓ ପରିବେଶ ଅନୁକୂଳ ବିକଳ୍ପ ଚୟନ କରିପାରିବେ ।

ମୋର ବିଶ୍ବାସ ରହିଛି ଯେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ ଏକ ସୁରକ୍ଷିତ, ଦୀର୍ଘସ୍ଥାୟୀ ଓ ସୁସ୍ଥ ଭବିଷ୍ୟତ ଦିଗରେ ଏକ ଗଣଆନ୍ଦୋଳନ ଆରମ୍ଭ କରିବ ।

ପୃଷ୍ଠଭୂମି

ମିଳିତ ଜାତିସଂଘ ସାଧାରଣ ପରିଷଦ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ଘୋଷଣା କରିଛି । ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ପ୍ରୟାସ କାରଣରୁ ଏହି ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ପରିଷଦ ଗ୍ରହଣ କରିଥିଲା ଏବଂ ସାରା ବିଶ୍ବରେ ୭୦ରୁ ଅଧିକ ଦେଶ ଏହାକୁ ସମର୍ଥନ କରିଥିଲେ। ଦୀର୍ଘସ୍ଥାୟୀ କୃଷି ଏବଂ ଏକ ସ୍ମାର୍ଟ ଓ ସୁପରଫୁଡ୍‌ ଭାବେ ମିଲେଟ୍‌ (ମୋଟା ଶସ୍ୟ)ର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ କାର୍ଯ୍ୟକ୍ରମ ସାରା ବିଶ୍ବରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଭାରତରେ ପ୍ରତିବର୍ଷ ୧୭୦ ଲକ୍ଷ ଟନ୍‌ ମିଲେଟ ବା ମୋଟା ଶସ୍ୟ ଉତ୍ପାଦିତ ହୋଇଥାଏ ଯାହାକି ଏସିଆରେ ଉତ୍ପାଦିତ ହେଉଥିବା ମୋଟା ଶସ୍ୟର ୮୦%ରୁ ଅଧିକ। ତେଣୁ ଏ ଦିଗରେ ଭାରତ ବିଶ୍ବର ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ସିନ୍ଧୁ ସଭ୍ୟତା ସମୟରେ ମିଲେଟ ଉତ୍ପାଦନ ହେଉଥିଲା ଏବଂ ଘରୋଇ ଖାଦ୍ୟ ଭାବେ ଗ୍ରହଣ କରାଯାଇଥିବା ଶସ୍ୟ ମଧ୍ୟରୁ ଏହା ଅନ୍ୟତମ ଥିଲା ବୋଲି ଐତିହାସିକ ପ୍ରମାଣ ମିଳିଛି । ଏହା ୧୩୧ଟି ଦେଶରେ ଅମଳ ହୋଇଥାଏ ଏବଂ ଏସିଆ ଓ ଆଫ୍ରିକାର ପ୍ରାୟ ୬୦ କୋଟି ଲୋକଙ୍କ ପାଇଁ ଏହା ଏକ ପ୍ରାଚୀନ ଖାଦ୍ୟ।

ଭାରତ ସରକାର ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରିବା ସହିତ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ନିମନ୍ତେ ଘୋଷଣା କରିଛନ୍ତି । ଫଳରେ ଭାରତୀୟ ମିଲେଟ, ଏଥିରୁ ଉତ୍ପାଦିତ ବ୍ୟଞ୍ଜନ, ମୂଲ୍ୟ ସମ୍ବର୍ଦ୍ଧନ ଉତ୍ପାଦ ବିଶ୍ବସ୍ତରରେ ଗ୍ରହଣୀୟ ହୋଇପାରିବ। ବିଶ୍ବସ୍ତରରେ ମିଲେଟର ଉତ୍ପାଦନ ବୃଦ୍ଧି, ଦକ୍ଷ ପ୍ରକ୍ରିୟାକରଣ ଓ ଉପଯୋଗ ସୁନିଶ୍ଚିତ କରିବା, ଫସଲ ବିବିଧତାର ଉନ୍ନତ ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟ ପ୍ରଣାଳୀରେ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ମିଲେଟକୁ ସାମିଲ କରିବା ଲାଗି ସମ୍ପୂର୍ଣ୍ଣ ଖାଦ୍ୟ ପ୍ରଣାଳୀରେ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଲାଗି ‘ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ’ ଏକ ଅଭିନବ ସୁଯୋଗ ଆଣିଛି ।

ଫାଓ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ମିଲେଟ୍ ବର୍ଷ (ଆଇୱାଇଏମ) ୨୦୨୩ର ଉଦଘାଟନୀ ସମାରୋହର ଉଦ୍ଦେଶ୍ୟ ହେଉଛି ସବୁ ଫାଓ ସଦସ୍ୟ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶୀଦାରମାନଙ୍କୁ ସମ୍ପୃକ୍ତ କରି ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ମିଲେଟର ଦୀର୍ଘସ୍ଥାୟୀ କୃଷି ଓ ଉପଯୋଗର ଲାଭ ସମ୍ପର୍କରେ ଆଲୋକପାତ କରିବା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to brave soldiers on Kargil Vijay Diwas
July 26, 2026

Prime Minister Shri Narendra Modi today stated that on Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India.

The Prime Minister noted that their valour in the face of the most formidable conditions will forever remain a source of national pride. He observed that their unwavering patriotism and devotion to duty will continue to inspire generations.

In a post on X, the Prime Minister shared:

"On Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India. Their valour in the face of the most formidable conditions will forever remain a source of national pride. Their unwavering patriotism and devotion to duty will continue to inspire generations."