The Olympics give our players a chance to hoist the Tricolour on the world stage; give them a chance to do something for the country: PM
Charaideo Moidam of Assam is being included in the UNESCO World Heritage Sites: PM Modi
Project PARI is becoming a great medium to bring emerging artists on one platform to popularise public art: PM Modi
The turnover of Khadi Village Industry has crossed Rs 1.5 lakh crore for the first time, with a 400% increase in sales: PM Modi
The government has opened a special centre named 'Manas' to help in the fight against drug abuse: PM Modi
70 percent of the tigers in the world are in our country, thanks to community efforts in tiger conservation: PM Modi
The 'Har Ghar Tiranga Abhiyan' has become a unique festival in upholding the glory of the Tricolour: PM Modi

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ । ଏବେ ସମଗ୍ର ବିଶ୍ୱରେ ପ୍ୟାରିସ୍ ଅଲମ୍ପିକ୍ସ ଚର୍ଚ୍ଚାରେ ରହିଛି । ଅଲମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଥାଏ, ଦେଶ ପାଇଁ କିଛି କରିବାର ସୁଯୋଗ ପ୍ରଦାନ କରିଥାଏ । ଆପଣମାନେ ମଧ୍ୟ ଆମ ଖେଳାଳିମାନଙ୍କ ଉତ୍ସାହ ବର୍ଦ୍ଧନ କରନ୍ତୁ, Cheer for Bharat !!

ବନ୍ଧୁଗଣ, କ୍ରୀଡ଼ା ଜଗତର ଏହି ଅଲମ୍ପିକ୍ସ ଭିନ୍ନ, କିଛିଦିନ ପୂର୍ବରୁ ଗଣିତ ଜଗତରେ ମଧ୍ୟ ଗୋଟିଏ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଯାଇଛି – International Mathematics Olympiad. ଏହି ଅଲିମ୍ପିଆଡରେ ଭାରତର ପ୍ରତିଯୋଗୀମାନେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ଆମ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଚାରୋଟି ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୌପ୍ୟପଦକ ଜିତିଛି । International Mathematics Olympiad – ଏଥିରେ ୧୦୦ରୁ ଅଧିକ ଦେଶର ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି ଏବଂ ମୋଟ ପଦକ ତାଲିକାରେ ଆମ ଦଳ ସର୍ବଶ୍ରେଷ୍ଠ ପାଞ୍ଚଟି ଦଳ ମଧ୍ୟରେ ସ୍ଥାନ ପାଇବାରେ ସଫଳତା ଲାଭ କରିଛି । ଦେଶର ନାଁ ଉଜ୍ଜ୍ୱଳ କରିଥିବା ଏହି ଛାତ୍ରମାନଙ୍କ ନାମ ହେଉଛି - ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ସେହି ପୁଣେର ସିଦ୍ଧାର୍ଥ ଚୋପ୍ଡ଼ା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର୍ ନଏଡାର କନବ ତଲୱାର, ମୁମ୍ବାଇର ରୁଷିଲ୍ ମାଥୁର୍ ଏବଂ ଗୁଆହାଟିର ଆନନ୍ଦୋ ଭାଦୁରୀ ।

ବନ୍ଧୁଗଣ, ଆଜି ‘ମନ୍ କି ବାତ୍’ରେ ମୁଁ ଏହି ଯୁବ ବିଜେତାମାନଙ୍କୁ ବିଶେଷ ଭାବେ ନିମନ୍ତ୍ରିତ କରିଛି । ଏମାନେ ସମସ୍ତେ ବର୍ତ୍ତମାନ ଫୋନ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ : ନମସ୍କାର ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । କେମିତି ଅଛନ୍ତି ?

ଛାତ୍ରମାନେ: ଭଲ ଅଛୁଁ ସାର୍ ।

ପ୍ରଧାନମନ୍ତ୍ରୀ : ଆଚ୍ଛା ବନ୍ଧୁଗଣ, ‘ମନ୍ କି ବାତ୍’ ମାଧ୍ୟମରେ ଦେଶବାସୀ ଆପଣମାନଙ୍କ ଅନୁଭୂତି ସମ୍ପର୍କରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ । ମୁଁ ଆରମ୍ଭ କରୁଛି ଆଦିତ୍ୟ ଏବଂ ସିଦ୍ଧାର୍ଥଙ୍କଠାରୁ । ଆପଣମାନେ ପୁଣେରେ ଅଛନ୍ତି । ପ୍ରଥମେ ମୁଁ ଆପଣମାନଙ୍କ ଠାରୁ ହିଁ ଆରମ୍ଭ କରୁଛି । ଅଲମ୍ପିଆଡ୍ ସମୟରେ ଆପଣଙ୍କ ଅନୁଭୂତି ସମ୍ପର୍କରେ ଆମ ସମସ୍ତଙ୍କୁ କୁହନ୍ତୁ ।

ଆଦିତ୍ୟ : ପିଲାଦିନୁ ଗଣିତରେ ମୋର ରୁଚି ଥିଲା । ଷଷ୍ଠ ଶ୍ରେଣୀରେ ମୋ ଶିକ୍ଷକ ଓମପ୍ରକାଶ ସାର୍ ମୋତେ ଗଣିତ ପଢ଼ାଉଥିଲେ । ଗଣିତରେ ମୋର ଆଗ୍ରହକୁ ସେ ବୃଦ୍ଧି କରିଥିଲେ । ମୋତେ ଶିଖିବାକୁ ମିଳିଲା ଆଉ ମୋତେ ସୁଯୋଗ ମିଳିଲା ।

ପ୍ରଧାନମନ୍ତ୍ରୀ : ଆପଣଙ୍କ ବନ୍ଧୁ କ’ଣ କହିବାକୁ ଚାହୁଁଛନ୍ତି ?

ସିଦ୍ଧାର୍ଥ : ସାର୍, ପୁଣେରୁ ମୁଁ ସିଦ୍ଧାର୍ଥ କହୁଛି । ମୁଁ ଏଥର ଦ୍ୱାଦଶ ଶ୍ରେଣୀ ପାସ୍ କରିଛି । ଏହା ମୋର IMO ର ଦ୍ୱିତୀୟ ଅନୁଭୂତି ଥିଲା । ମୋର ମଧ୍ୟ ପିଲାଦିନୁ ଗଣିତ ପ୍ରତି ଆଗ୍ରହ ଥିଲା । ମୁଁ ଯେତେବେଳେ ଆଦିତ୍ୟ ସହିତ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ଓମପ୍ରକାଶ ସାର୍ ଆମ ଦୁହିଁଙ୍କୁ ତାଲିମ ଦେଇଥିଲେ । ତାହା ଆମକୁ ବହୁତ ସାହାଯ୍ୟ କରିଥିଲା । ଏବେ ମୁଁ କଲେଜରୁ CMIରେ ଅଂଶଗ୍ରହଣ କରିବାକୁ ଯାଉଛି । ଏବେ ଗଣିତ ଓ ସି.ଏସ. ପଢ଼ୁଛି ।

ପ୍ରଧାନମନ୍ତ୍ରୀ : ଆଚ୍ଛା, ମୋତେ ସୂଚନା ଦିଆଯାଇଛି ଯେ, ଅର୍ଜୁନ ବର୍ତ୍ତମାନ ଗାନ୍ଧିନଗରରେ ଅଛନ୍ତି ଆଉ କନବ୍ ଗ୍ରେଟର୍ ନଏଡାରେ ହିଁ ରହୁଛନ୍ତି । ଅର୍ଜୁନ ଆଉ କନବ୍, ଆମେ ଅଲମ୍ପିଆଡ୍ ବିଷୟରେ ଆଲୋଚନା କଲୁ । କିନ୍ତୁ ଆପଣ ଦୁହେଁ ଆମକୁ ନିଜର ପ୍ରସ୍ତୁତି ସହ ଜଡ଼ିତ କିଛି ବିଷୟ ଆଉ କିଛି ବିଶେଷ ଅନୁଭୂତି ସମ୍ପର୍କରେ କହିଲେ ଆମ ଶ୍ରୋତାମାନଙ୍କୁ ଭଲ ଲାଗିବ ।

ଅର୍ଜୁନ : ନମସ୍କାର ସାର୍, ଜୟହିନ୍ଦ୍ । ମୁଁ ଅର୍ଜୁନ କହୁଛି ।

ପ୍ରଧାନମନ୍ତ୍ରୀ : ଜୟହିନ୍ଦ୍, ଅର୍ଜୁନ ।

ଅର୍ଜୁନ : ମୁଁ ଦିଲ୍ଲୀରେ ରହୁଛି । ମୋ ମା’ ଶ୍ରୀମତି ଆଶା ଗୁପ୍ତା ହେଉଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପିକା, ଆଉ ମୋ ବାପା ଶ୍ରୀ ଅମିତ ଗୁପ୍ତା ଜଣେ ଚାଟାର୍ଡ଼ ଆକାଉଂଟାଣ୍ଟ । ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଉଥିବାରୁ ମୁଁ ନିଜକୁ ବହୁତ ଗୌରବାନ୍ୱିତ ମନେକରୁଛି । ସର୍ବପ୍ରଥମେ, ମୋ ସଫଳତାର ଶ୍ରେୟ ମୁଁ ମୋ ପିତା-ମାତାଙ୍କୁ ଦେବାକୁ ଚାହୁଁଛି । ମୁଁ ଭାବୁଛି ଯେ, କୌଣସି ପରିବାରରେ ଜଣେ ସଭ୍ୟ ଯଦି ଏଭଳି କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥାଆନ୍ତି, ତାହେଲେ ତାହା ପଛରେ କେବଳ ସେହି ସଭ୍ୟଙ୍କ ପରିଶ୍ରମ ନୁହେଁ, ବରଂ ସାରା ପରିବାରର ପରିଶ୍ରମ ରହିଥାଏ । ବସ୍ତୁତଃ, ଆମ ପ୍ରଶ୍ନପତ୍ରରେ ତିନୋଟି ପ୍ରଶ୍ନ ଥାଏ ଓ ସେଥିପାଇଁ ସାଢ଼େ ଚାରିଘଣ୍ଟା ସମୟ ଦିଆଯାଇଥାଏ । ମାନେ, ଗୋଟିଏ ପ୍ରଶ୍ନ ପାଇଁ ଦେଢ଼ଘଣ୍ଟା । ତେଣୁ, ଆମେ ଜାଣିଥାଉଁ ଯେ, ଗୋଟିଏ ପ୍ରଶ୍ନର ସମାଧାନ ପାଇଁ ଆମ ହାତରେ କେତେ ସମୟ ରହିଛି । ଘରେ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ବେଳେବେଳେ ଗୋଟିଏ ପ୍ରଶ୍ନକୁ ସମାଧାନ କରିବା ପାଇଁ ଗୋଟିଏ ଦିନ, ଏପରିକି ୩ ଦିନ ମଧ୍ୟ ଲାଗିଥାଏ । ଏଥିପାଇଁ ଆମକୁ ଅନଲାଇନ୍ ପ୍ରଶ୍ନ ଖୋଜିବାକୁ ପଡ଼ିଥାଏ । ଆମେ ଗତବର୍ଷର ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସମାଧାନ ପାଇଁ ମଧ୍ୟ ଚେଷ୍ଟା କରୁ । ଆମେ ଯେତେ ଅଧିକ ପରିଶ୍ରମ କରିଚାଲୁ, ଆମ ଅଭିଜ୍ଞତା ସେତେ ବଢ଼ି ବଢ଼ି ଚାଲିଥାଏ । ସବୁଠାରୁ ବଡ଼ କଥା ହେଲା, ଆମ ସମାଧାନ କରିବାର କ୍ଷମତା ବୃଦ୍ଧି ପାଏ, ଯାହା ଆମକୁ କେବଳ ଗଣିତ ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ : ଆଚ୍ଛା, କନବ୍ ମୋତେ କୌଣସି ବିଶେଷ ଅନୁଭୂତି ସମ୍ପର୍କରେ କହିପାରିବ ? ଏପରି କିଛି ବିଶେଷ ପ୍ରସ୍ତୁତି କରିବାକୁ ପଡ଼େ, ଯାହା ଜାଣିଲେ ଆମ ଯୁବବନ୍ଧୁମାନେ ବେଶୀ ଖୁସି ହେବେ ।

କନବ୍ ତଲୱାର : ମୋ ନାଁ କନବ୍ ତଲୱାର । ମୁଁ ଗ୍ରେଟର୍ ନଏଡା ଉତ୍ତରପ୍ରଦେଶରେ ରହୁଛି । ମୁଁ ଏକାଦଶ ଶ୍ରେଣୀର ଛାତ୍ର । ଗଣିତ ମୋର ପ୍ରିୟ ବିଷୟ । ପିଲାଦିନୁ ମୋତେ ଗଣିତ ଖୁବ ଭଲ ଲାଗେ । ପିଲାଦିନେ ମୋ ବାପା ମୋତେ puzzles ଗୁଡ଼ିଏ ସମାଧାନ ପାଇଁ ଦେଉଥିଲେ । ଯାହାଦ୍ୱାରା ମୋ ଆଗ୍ରହ ବଢ଼ିଚାଲିଲା । ମୁଁ ସପ୍ତମ ଶ୍ରେଣୀରୁ ଅଲମ୍ପିଆଡ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି । ଏଥିରେ ମୋର ଭଉଣୀଙ୍କର ବହୁତ ବଡ଼ ଅବଦାନ ରହିଛି । ମୋ ବାପା-ମା ମଧ୍ୟ ସବୁବେଳେ ମୋତେ ସାହାଯ୍ୟ କରିଛନ୍ତି । HBCSE ଏହି ଅଲମ୍ପିଆଡର ଆୟୋଜନ କରିଥାଏ । ଏହା ଏକ ପାଞ୍ଚଟି ସ୍ତର ବିଶିଷ୍ଟ ପ୍ରକ୍ରିୟା । ଗତବର୍ଷ ଅଳ୍ପ ବ୍ୟବଧାନ ପାଇଁ ମୁଁ ଦଳରେ ସାମିଲ ହୋଇପାରି ନ ଥିଲି । ଏଥିପାଇଁ ମୋ ମନରେ ବହୁତ ଦୁଃଖ ଥିଲା । ସେତେବେଳେ ମୋ ବାପା-ମା ମୋତେ କହିଥିଲେ ଯେ, ହୁଏତ ଆମେ ଜିତିବା, ନହେଲେ ଶିଖିବା । ଯାତ୍ରା ମହତ୍ତ୍ୱ ରଖିଥାଏ, ସଫଳତା ନୁହେଁ । ତେଣୁ ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, Love what you do and do what you love - ନିଜ କାମକୁ ଭଲ ପାଅ, ଆଉ ଯାହା ଭଲପାଅ ତାହା ହିଁ କର । ଯାତ୍ରା ଗୁରୁତ୍ୱପୂର୍ଣ୍ଣ, ସଫଳତା ନୁହେଁ – ନିଜ ବିଷୟକୁ ଭଲ ପାଇଲେ ଓ ଯାତ୍ରାକୁ ଉପଭୋଗ କରିଚାଲିଲେ ଆମକୁ ସଫଳତା ମିଳୁଥିବ ।

ପ୍ରଧାନମନ୍ତ୍ରୀ : କନବ୍, ଆପଣଙ୍କ ରୁଚି ଗଣିତରେ, କିନ୍ତୁ କଥା ଏମିତି କହୁଛନ୍ତି, ଯେମିତି ସାହିତ୍ୟରେ ବି ଆପଣଙ୍କ ରୁଚି ରହିଛି !

କନବ୍ ତଲୱାର: ହଁ ଆଜ୍ଞା, ପିଲାଦିନେ ମୁଁ ବକ୍ତୃତା ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରୁଥିଲି ।

ପ୍ରଧାନମନ୍ତ୍ରୀ : ହଉ, ଚାଲନ୍ତୁ ଏଥର ଆନନ୍ଦଙ୍କ ସହିତ କଥା ହେବା । ଆନନ୍ଦ, ଆପଣ ଏବେ ଗୁଆହାଟିରେ ଅଛନ୍ତି, ଆଉ ଆପଣଙ୍କ ସାଥି ଋଷିଲ୍ ମୁମ୍ବାଇରେ । ଆପଣ ଦୁହିଁଙ୍କୁ ମୋର ଗୋଟିଏ ପ୍ରଶ୍ନ । ଦେଖନ୍ତୁ, ମୁଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ତ କରିଥାଏ, ତା’ଛଡ଼ା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥାଏ । ବହୁତ ଛାତ୍ରଙ୍କୁ ଗଣିତ ନାଁ ଶୁଣିଲେ ବହୁତ ଭୟ ଲାଗେ । ଏହାର ନାଁ ଶୁଣି ହିଁ ସେମାନେ ଛାନିଆ ହୋଇଯାଆନ୍ତି । ଆପଣ କୁହନ୍ତୁ, ଗଣିତକୁ କିପରି ନିଜର ବନ୍ଧୁ କରିହେବ ?

ଋଷିଲ୍ ମାଥୁର: ସାର୍, ମୁଁ ଋଷିଲ୍ ମାଥୁର କହୁଛି । ଛୋଟବେଳେ ଯେତେବେଳେ ଆମକୁ ସଂଖ୍ୟାଗୁଡ଼ିକୁ ଯୋଗ କରିବା ଶିଖାହୁଏ, ସେତେବେଳେ ଆମକୁ କ୍ୟାରି ଫରର୍ୱାର୍ଡ଼ ବିଷୟରେ ଶିଖାହୁଏ । କିନ୍ତୁ କାହିଁକି କ୍ୟାରି ଫରର୍ୱାର୍ଡ଼ କରାଯାଏ, ସେ ବିଷୟରେ ଆମକୁ କେହି କହନ୍ତି ନାହିଁ । ଆମେ ଯେତେବେଳେ ଚକ୍ରବୃଦ୍ଧି ସୁଧ ବିଷୟରେ ପଢ଼ୁ, ଆମେ କେବେହେଲେ ଏ କଥା ପଚାରୁନି ଯେ, ଚକ୍ରବୃଦ୍ଧି ସୁଧର ସୂତ୍ର କେଉଁଠୁ ଆସିଲା । ମୁଁ ଜାଣିବାରେ, ଗଣିତ ପ୍ରକୃତରେ ଚିନ୍ତାକରି କୌଣସି ସମସ୍ୟାର ସମାଧାନ ବାହାର କରିବାର ଗୋଟିଏ କଳା । ତେଣୁ ମୋତେ ଲାଗେ ଯେ, ଆମେ ଗଣିତରେ ଗୋଟିଏ ନୂଆ ପ୍ରଶ୍ନ ଯୋଡ଼ିଦେଲେ, ପ୍ରଶ୍ନ ଉଠେ ଯେ, ଆମେ କାହିଁକି ଏଭଳି କଲୁ ? ଏହା ଏମିତି କାହିଁକି ହେଉଛି ? ତେଣୁ ମୋ ମତରେ, ଏମିତି ଚିନ୍ତା କଲେ, ଲୋକଙ୍କର ଗଣିତରେ ଆଗ୍ରହ ବହୁତ ବୃଦ୍ଧି ପାଇବ । କୌଣସି ଜିନିଷ ଆମେ ବୁଝି ନ ପାରିଲେ, ତା ପ୍ରତି ଆମ ମନରେ ଭୟ ସୃଷ୍ଟି ହୋଇଥାଏ । ତା ଛଡ଼ା ସମସ୍ତେ ଭାବନ୍ତି ଯେ, ଗଣିତ ଗୋଟିଏ ଲଜିକାଲ୍ ବିଷୟ । କିନ୍ତୁ ଗଣିତରେ ସୃଜନଶୀଳତାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ସୃଜନଶୀଳତା ଯୋଗୁଁ ହିଁ ଆମେ ଗତାନୁଗତିକ ବାଟ ଛାଡ଼ି କିଛି ନୂତନ ସମାଧାନ କଥା ଚିନ୍ତା କରିପାରିବା, ଯାହା ଅଲମ୍ପିଆଡରେ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଗଣିତରେ ଆଗ୍ରହ ବୃଦ୍ଧି କରିବାରେ ମ୍ୟାଥ୍ ଅଲମ୍ପିଆଡର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।

ପ୍ରଧାନମନ୍ତ୍ରୀ : ଆନନ୍ଦ, ଆପଣ କିଛି କହିବାକୁ ଚାହୁଁଛନ୍ତି କି ?

ଆନନ୍ଦ ଭାଦୁରୀ: ନମସ୍କାର ପିଏମ୍ ସାର୍ । ଗୁଆହାଟିରୁ ମୁଁ ଆନନ୍ଦ ଭାଦୁରୀ କହୁଛି । ମୁଁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍ କରିଛି । ମୁଁ ଷଷ୍ଠ – ସପ୍ତମ ଶ୍ରେଣୀରେ ସ୍ଥାନୀୟ ଅଲମ୍ପିଆଡରେ ଅଂଶଗ୍ରହଣ କରୁଥିଲି । ସେଇଠୁ ମୋ ଆଗ୍ରହ ସୃଷ୍ଟି ହେଲା । ଏହା ମୋର ଦ୍ୱିତୀୟ IMO ଥିଲା । ମୋତେ ଦୁଇଟିଯାକ IMO ବହୁତ ଭଲ ଲାଗିଲା । ମୁଁ ଋଷିଲଙ୍କ ସହ ଏକମତ । ମୁଁ ଏକଥା କହିବାକୁ ଚାହୁଁଛି ଯେ, ଯେଉଁମାନଙ୍କୁ ଗଣିତକୁ ଭୟ ଲାଗେ, ସେମାନଙ୍କୁ ଧୈର୍ଯ୍ୟର ବହୁତ ଆବଶ୍ୟକତା ରହିଛି । କାରଣ ଗଣିତ ପଢ଼ାଇଲା ବେଳେ ଆମକୁ ଗୋଟିଏ ସୂତ୍ର ଦିଆଯାଏ, ତାକୁ ମୁଖସ୍ଥ କରିବାକୁ ହୁଏ, ପୁଣି ସେହି ସୂତ୍ର ପ୍ରୟୋଗ କରି ସେହିଭଳି ଶହେଟି ପ୍ରଶ୍ନ ସମାଧାନ କରିବାକୁ ହୋଇଥାଏ । କିନ୍ତୁ, ସୂତ୍ରଟି ବୁଝିହେଲା କି ନାହିଁ, ତାହା ଦେଖାଯାଏ ନାହିଁ । କେବଳ ସମାଧାନ କରିଚାଲ, କରିଚାଲ । ଏଭଳି ମୁଖସ୍ଥ କରିଥିବା ସୂତ୍ର ଯଦି ପରୀକ୍ଷା ସମୟରେ ମନେ ନ ପଡ଼ିଲା, ତାହେଲେ କ’ଣ କରିବ ? ତେଣୁ, ମୁଁ କହିବି ଯେ, ଫର୍ମୁଲା ବା ସୂତ୍ରକୁ ବୁଝ, ଯେଉଁକଥା ଋଷିଲ୍ କହୁଥିଲା । ତା’ପରେ ଧୈଯ୍ୟର ସହ ଦେଖ । ଯଦି ଫର୍ମୁଲା ଠିକ ଭାବେ ବୁଝିଯାଇଛ, ତାହେଲେ ଶହେଟି ପ୍ରଶ୍ନର ସମାଧାନ କରିବା ଦରକାର ପଡ଼ିବନି । ଗୋଟିଏ ଦୁଇଟି ପ୍ରଶ୍ନ ସମାଧାନ କଲେ ହେଇଯିବ । ଆଉ ଗଣିତକୁ ଭୟ କରିବା ଦରକାର ନାହିଁ ।

ପ୍ରଧାନମନ୍ତ୍ରୀ ଜୀ: ଆଦିତ୍ୟ ଆଉ ସିଦ୍ଧାର୍ଥ, ଆପଣମାନେ ଯେତେବେଳେ ଆରମ୍ଭରୁ କଥା ହେଉଥିଲେ ସେତେବେଳେ ଠିକରେ କଥାବାର୍ତ୍ତା ହୋଇପାରି ନ ଥିଲା । ଏବେ ଏ ସମସ୍ତ ବନ୍ଧୁମାନଙ୍କୁ ଶୁଣିବା ପରେ ଆପଣଙ୍କୁ ମଧ୍ୟ ନିଶ୍ଚିତ ଲାଗୁଥିବ ଯେ ଆପଣ ମଧ୍ୟ କିଛି କହିବା ପାଇଁ ଚାହୁଁଥିବେ । ଏବେ କ’ଣ ଆପଣ ନିଜର ଅନୁଭବ ଭଲଭାବେ ଶେୟାର୍‌ କରିପାରିବେ ?

ସିଦ୍ଧାର୍ଥ : ବହୁତ୍ କଥା ଅନେକ ଦେଶମାନଙ୍କ ସହିତ ଆଲୋଚନା କରିଥିଲି । ଅନେକ ସଂସ୍କୃତି ରହିଥିଲା ଏବଂ ବହୁତ ଭଲ ଥିଲା ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା, ଯୋଗାଯୋଗ, ଆଉ ଅନେକ ବିଖ୍ୟାତ ଗଣିତଜ୍ଞ ମଧ୍ୟ ଥିଲେ ।

ପ୍ରଧାନମନ୍ତ୍ରୀ ଜୀ: ହଁ, ଆଦିତ୍ୟ ।

ଆଦିତ୍ୟ : ବହୁତ ବଢ଼ିଆ ଅଭିଜ୍ଞତା ଥିଲା, ଆଉ ଆମକୁ ସେମାନେ ବାଥ୍‌ ସିଟି ବୁଲାଇ ଦେଖାଇଥିଲେ । ଆଉ ବହୁତ ଭଲ ଭଲ ଦୃଶ୍ୟ ଦେଖିଥିଲୁ, ପାର୍କକୁ ନେଇଥିଲେ ଆଉ ଆମକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ମଧ୍ୟ ନେଇଥିଲେ । ତାହା ଖୁବ୍ ଭଲ ଅନୁଭବ ଥିଲା ।

ପ୍ରଧାନମନ୍ତ୍ରୀ ଜୀ: ଚାଲନ୍ତୁ ବନ୍ଧୁଗଣ, ଆପଣମାନଙ୍କ ସହିତ କଥାହୋଇ ମତେ ବହୁତ୍ ଭଲ ଲାଗିଲା । ଆଉ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, କାହିଁକିନା ମୁଁ ଜାଣେ ଯେ ଏହିଭଳି ଖେଳ ପାଇଁ ନିଜର ଲକ୍ଷ୍ୟକୁ ବହୁତ କେନ୍ଦ୍ରିତ କରିବାକୁ ପଡ଼ିଥାଏ; ବୁଦ୍ଧି ଖର୍ଚ୍ଚ କରିବାକୁ ହେଇଥାଏ, ଆଉ ପରିବାରର ଲୋକେ ମଧ୍ୟ ବେଳେବେଳେ ବିରକ୍ତ ହୁଅନ୍ତି- ଏ କ’ଣ ଗୁଣନ-ହରଣ, ଗୁଣନ-ହରଣ କରିଚାଲିଛ । କିନ୍ତୁ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା । ଆପଣମାନେ ଦେଶର ସମ୍ମାନ ବଢ଼ାଇଛନ୍ତି, ନାଁ ବଢ଼ାଇଛନ୍ତି । ଧନ୍ୟବାଦ ବନ୍ଧୁଗଣ ।

ଛାତ୍ରଛାତ୍ରୀ : ଥ୍ୟାଙ୍କ୍‌ ୟୁ, ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ଜୀ: ଥ୍ୟାଙ୍କ୍‌ ୟୁ ।

ଛାତ୍ରଛାତ୍ରୀ : ଥ୍ୟାଙ୍କ୍‌ ୟୁ ସାର୍‌, ଜୟ ହିନ୍ଦ୍‌ ।

ପ୍ରଧାନମନ୍ତ୍ରୀ ଜୀ: ଜୟ ହିନ୍ଦ୍‌- ଜୟ ହିନ୍ଦ୍‌ ।

ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା । ‘ମନ୍‌ କୀ ବାତ୍‌’ ସହିତ ଯୋଡ଼ିହେବା ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୋର ବିଶ୍ୱାସ ଯେ ଗଣିତର ଏହି ଯୁବ ମହାରଥୀମାନଙ୍କୁ ଶୁଣିବା ପରେ ଖୁସିରେ ଗଣିତ କଷିବା ପାଇଁ ଅନ୍ୟ ଯୁବକଯୁବତୀମାନଙ୍କୁ ପ୍ରେରଣା ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍‌ କୀ ବାତ୍‌’ରେ, ଏବେ ମୁଁ ସେହି ବିଷୟ କହିବାକୁ ଚାହୁଁଛି, ଯାହାକୁ ଶୁଣି ପ୍ରତ୍ୟେକ ଭାରତବାସୀ ଗର୍ବିତ ହେବେ । କିନ୍ତୁ ଏ ସମ୍ପର୍କରେ କହିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଆପଣ କ’ଣ ଚରାଇଦେଓ ମୈଦାମ୍‌ ନାଁ ଶୁଣିଛନ୍ତି ? ଯଦି ଶୁଣିନାହାନ୍ତି, ତେବେ, ଏବେ ଆପଣ ଏହି ନାଁ ବାରମ୍ବାର ଶୁଣିବେ, ଆଉ ବଡ଼ ଉତ୍ସାହର ସହିତ ଅନ୍ୟକୁ ମଧ୍ୟ କହିବେ । ଆସାମର ଚରାଇଦେଓ ମୈଦାମ୍‌କୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳରେ ସାମିଲ କରାଯାଉଛି । ଏହି ତାଲିକାରେ ଏହା ଭାରତର ୪୩ତମ, କିନ୍ତୁ ଉତ୍ତର-ପୂର୍ବର ପ୍ରଥମ ଐତିହ୍ୟ ସ୍ଥଳ ।

ବନ୍ଧୁଗଣ, ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଙ୍କିମାରୁଥିବ ଯେ ଚରାଇଦେଓ ମୈଦାମ୍‌ ପ୍ରକୃତରେ କ’ଣ, ଆଉ ଏହାର ନାଁ କାହିଁକି ସ୍ୱତନ୍ତ୍ର । ଚରାଇଦେଓର ଅର୍ଥ ହେଉଛି ସାଇନିଂ ସିଟି ଅନ୍‌ ଦି ହିଲ୍ସ ଅର୍ଥାତ୍ ପାହାଡ଼ ଉପରେ ଅବସ୍ଥିତ ଏକ ଉଜ୍ଜ୍ୱଳ ସହର । ଏହା ଅହୋମ ରାଜବଂଶର ପ୍ରଥମ ରାଜଧାନୀ ଥିଲା । ଅହୋମ ରାଜବଂଶର ଲୋକେ ନିଜ ପୂର୍ବପୁରୁଷଙ୍କ ମରଶରୀର ଓ ସେମାନଙ୍କର ମୂଲ୍ୟବାନ୍ ଜିନିଷପତ୍ରକୁ ପାରମ୍ପରିକ ଭାବେ ମୈଦାମ୍‌ରେ ରଖୁଥିଲେ । ମୈଦାମ୍‌, ସ୍ତୂପ ଭଳି ଏକ ଢାଞ୍ଚା, ଯାହାର ଉପର, ମାଟିରେ ଢଙ୍କା ହୋଇଥାଏ ଏବଂ ତଳେ ଗୋଟିଏ ବା ତା’ଠୁ ଅଧିକ କୋଠରି ରହିଥାଏ । ଏହି ମୈଦାମ୍‌ ହେଉଛି ଅହୋମ୍‌ ସାମ୍ରାଜ୍ୟର ଦିବଂଗତ ରାଜା ଏବଂ ଗଣ୍ୟମାନ୍ୟ ଲୋକଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ । ନିଜ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଏହି ପଦ୍ଧତି ଅସାଧାରଣ । ଏହି ସ୍ଥାନରେ ସାର୍ବଜନୀନ ପୂଜା ମଧ୍ୟ ହେଇଥାଏ ।

ବନ୍ଧୁଗଣ, ଅହୋମ ସାମ୍ରାଜ୍ୟ ସମ୍ପର୍କରେ ଦ୍ୱିତୀୟ ତଥ୍ୟ ଆପଣଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦବ । ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ଏହି ସାମ୍ରାଜ୍ୟ ଊନବିଂଶ ଶତାବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ରହିଥିଲା । ଏତେ ଦୀର୍ଘ କାଳଖଣ୍ଡ ପର୍ଯ୍ୟନ୍ତ ଗୋଟିଏ ସାମ୍ରାଜ୍ୟ ତିଷ୍ଠି ରହିବା ବହୁତ ବଡ଼ କଥା । ବୋଧହୁଏ ଅହୋମ ସାମ୍ରାଜ୍ୟର ସିଦ୍ଧାନ୍ତ ଓ ବିଶ୍ୱାସ ଏତେ ମଜବୁତ ଥିଲା ଯେ ତାହା ଏହି ରାଜବଂଶକୁ ଏତେ ସମୟ ଧରି ଅକ୍ଷୁଣ୍ଣ ରଖିଥିଲା । ମୋର ମନେପଡ଼ୁଛି ଯେ, ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ମତେ ଅଦମ୍ୟ ସାହସ ଓ ଶୌର୍ଯ୍ୟର ପ୍ରତୀକ, ମହାନ ଅହୋମ୍‌ ଯୋଦ୍ଧା ଲସିତ୍‌ ବୋରଫୁକନଙ୍କ ସର୍ବୋଚ୍ଚ ପ୍ରତିମାର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଅହୋମ୍‌ ସମ୍ପ୍ରଦାୟ ଆଧ୍ୟାତ୍ମିକ ପରମ୍ପରା ପାଳନ କରି ମତେ ଏକ ଅଲଗା ଅଭିଜ୍ଞତା ମିଳିଥିଲା । ଲସିତ ମୈଦାମରେ ଅହୋମ ସମ୍ପ୍ରଦାୟର ପୂର୍ବପୁରୁଷଙ୍କୁ ସମ୍ମାନ ଅର୍ପଣର ସୌଭାଗ୍ୟ ମିଳିବା ମୋ ପାଇଁ ବହୁତ ବଡ଼ କଥା । ଏବେ ଚରାଇଦେଓ ମୈଦାମ୍‌ ବିଶ୍ୱ ଐତିହ୍ୟ ସ୍ଥଳ ହେବାର ଅର୍ଥ ହେଉଛି ସେଠାକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ । ଆପଣ ମଧ୍ୟ ଭବିଷ୍ୟତରେ ନିଜର ପର୍ଯ୍ୟଟନ ଯୋଜନାରେ ଏହି ସ୍ଥଳକୁ ନିଶ୍ଚିତ ଭାବେ ଅନ୍ତର୍ଭୁକ୍ତ କରିବେ ।

ବନ୍ଧୁଗଣ, ନିଜ ସଂସ୍କୃତି ଉପରେ ଗର୍ବ କରୁଥିବା ଦେଶ ହିଁ ଅଗ୍ରଗାମୀ ହୋଇଥାଏ । ଭାରତରେ ମଧ୍ୟ ଏହିଭଳି ଅନେକ ପ୍ରୟାସ ହେଉଛି । ଏପରି ଏକ ପ୍ରୟାସ ହେଉଛି ପ୍ରୋଜେକ୍ଟ ପରୀ ... ଏବେ ଆପଣ ପରୀ ନାଁ ଶୁଣି ଦ୍ୱନ୍ଦରେ ପଡ଼ନ୍ତୁ ନାହିଁ । ଏହି ପରୀ ସ୍ୱର୍ଗୀୟ କଳ୍ପନା ସହିତ ସଂପୃକ୍ତ ନୁହେଁ, ବରଂ ପୃଥିବୀକୁ ସ୍ୱର୍ଗରେ ପରିଣତ କରୁଛି । ପରୀ, ଅର୍ଥାତ ପବ୍ଲିକ୍‌ ଆର୍ଟ ଅଫ୍‌ ଇଣ୍ଡିଆ । ପ୍ରୋଜେକ୍ଟ ପରୀ, ପବ୍ଲିକ୍‌ ଆର୍ଟକୁ ଲୋକପ୍ରିୟ କରିବା ପାଇଁ ଉଦୀୟମାନ୍ କଳାକାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବାର ଏକ ବଡ଼ ମାଧ୍ୟମ ପାଲଟୁଛି । ଆପଣ ଦେଖିଥିବେ ... ରାସ୍ତା କଡ଼ରେ, କାନ୍ଥରେ, ଅଣ୍ଡର୍‌ପାସ୍‌ରେ ବହୁତ ସୁନ୍ଦର ଚିତ୍ରସବୁ ଅଙ୍କା ହେଇଥାଏ । ଏହି ଚିତ୍ର ଓ କଳାକୃତିକୁ ଏହି କଳାକାରମାନେ ଆଙ୍କିଥାନ୍ତି, ଯେଉଁମାନେ ପରୀ ସହିତ ଜଡ଼ିତ ଅଛନ୍ତି । ଏହାଦ୍ୱାରା ଆମର ସାର୍ବଜନୀନ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ ତ ବଢ଼ିଥାଏ, ତା’ ସଂଗେସଂଗେ ଆମର ସଂସ୍କୃତିକୁ ଆହୁରି ଅଧିକ ଲୋକପ୍ରିୟ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଦିଲ୍ଲୀର ଭାରତ ମଣ୍ଡପମ୍‌କୁ ହିଁ ଉଦାହରଣ ଭାବେ ନିଅନ୍ତୁ । ଏଠାରେ ସମଗ୍ର ଦେଶର ଅଦ୍ଭୁତ କଳାକୃତି ଆପଣଙ୍କୁ ଦେଖିବାକୁ ମିଳିବ । ଦିଲ୍ଲୀର କେତେକ ଅଣ୍ଡର୍‌ପାସ୍‌ ଓ ଫ୍ଲାଇଓଭର୍‌ରେ ମଧ୍ୟ ଆପଣ ଏହିଭଳି ସୁନ୍ଦର ସୁନ୍ଦର ପବ୍ଲିକ୍‌ ଆର୍ଟ ଦେଖିବାକୁ ପାଇବେ । ମୁଁ କଳା ଓ ସଂସ୍କୃତିପ୍ରେମୀଙ୍କୁ ଅନୁରୋଧ କରିବି ଯେ ସେମାନେ ମଧ୍ୟ ପବ୍ଲିକ ଆର୍ଟ ଉପରେ ଅଧିକ କାମ କରନ୍ତୁ । ଏହା ଆମକୁ ଗର୍ବିତ ହେବାର ସୁଖଦ ଅନୁଭୂତି ପ୍ରଦାନ କରିବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍‌ କୀ ବାତ୍‌’ରେ, ଏବେ କଥା ‘ରଂଗର’ । ଏଭଳି ରଂଗର ଯାହା ହରିଆନା ରୋହତକ ଜିଲାର ଅଢେଇ ଶହରୁ ଅଧିକ ମହିଳାଙ୍କ ଜୀବନକୁ ସମୃଦ୍ଧିର ରଂଗରେ ଭରିଦେଇଛି । ହସ୍ତତନ୍ତ ଶିଳ୍ପ ସହିତ ସଂପୃକ୍ତ ଏହି ମହିଳାମାନେ ପ୍ରଥମେ ଛୋଟଛୋଟ ଦୋକାନ ଓ ଛୋଟମୋଟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ; କିନ୍ତୁ ପ୍ରତ୍ୟେକଙ୍କ ଭିତରେ ଆଗକୁ ବଢ଼ିବାର ଇଚ୍ଛା ତ ରହିଥାଏ । ସେଥିପାଇଁ ସେମାନେ ‘ଉନ୍ନତି ସ୍ୱୟଂ ସହାୟକ ଗୋଷ୍ଠୀ’ ସହିତ ଯୋଡ଼ି ହେବାକୁ ନିଷ୍ପତ୍ତି ନେଲେ ଏବଂ ଏହି ଗୋଷ୍ଠୀ ସହିତ ଯୋଡ଼ିହୋଇ ସେମାନେ ବ୍ଲକ୍‌ ପ୍ରିଣ୍ଟିଂ ଓ ରଂଗ କରିବାର ତାଲିମ ହାସଲ କଲେ । କପଡ଼ା ଉପରେ ରଂଗର ଯାଦୁ ଦେଖାଉଥିବା ଏହି ମହିଳାମାନେ ଆଜି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏମାନଙ୍କ ଦ୍ୱାରା ତିଆରି ବେଡ୍‌ କଭର୍‌, ଶାଢ଼ୀ ଓ ଓଢ଼ଣୀର ବଜାରରେ ବହୁତ ଚାହିଦା ରହିଛି ।

ବନ୍ଧୁଗଣ, ରୋହତକର ଏହି ମହିଳାଙ୍କ ଭଳି ଦେଶର ଭିନ୍ନ ଭିନ୍ନ ଅଞ୍ଚଳର କାରିଗର ହସ୍ତତନ୍ତକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ହଉ ବା ମଧ୍ୟପ୍ରଦେଶର ମାହେଶ୍ୱରୀ ଶାଢ଼ୀ, ମହାରାଷ୍ଟ୍ରର ପୈଠାଣି ହଉ ବା ବିଦର୍ଭର ହ୍ୟାଣ୍ଡ୍‌ ବ୍ଲକ୍‌ ପ୍ରିଣ୍ଟ୍‌ସ, ହିମାଚଳର ଭୁଟ୍ଟିକୋର ଶାଲ୍ ଓ ଉଲ୍ କପଡ଼ା ହଉ ଅଥବା ଜାମ୍ମୁକାଶ୍ମୀରର କନି ଶାଲ୍‌ ହଉ, ଦେଶର କୋଣ ଅନୁକୋଣରେ ହସ୍ତତନ୍ତ କାରିଗରଙ୍କ କାମ ଲୋକଙ୍କ ପ୍ରିୟ ହେଇଯାଇଛି । ଆଉ ଆପଣ ଏହା ତ ନିଶ୍ଚୟ ଜାଣିଥିବେ ଯେ କିଛି ଦିନ ପରେ ଅଗଷ୍ଟ ୭ରେ ଆମେ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରିବା । ଆଜିକାଲି ଯେଉଁଭଳି ହସ୍ତତନ୍ତ ଉତ୍ପାଦ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ତାହା ସତରେ ବହୁତ ସଫଳ ଆଉ ଅସାଧାରଣ । ଏବେ ତ ଅନେକ ଘରୋଇ କମ୍ପାନୀ ମଧ୍ୟ ଏଆଇ ମାଧ୍ୟମରେ ହସ୍ତତନ୍ତ ଉତ୍ପାଦ ଓ ସଷ୍ଟେନେବଲ୍ ଫ୍ୟାସନକୁ ପ୍ରୋତ୍ସାହନ ଦେଉଛନ୍ତି । କୋଷା ଏଆଇ, ହ୍ୟାଣ୍ଡ୍‌ଲୁମ୍‌ ଇଣ୍ଡିଆ, ଡି-ଜଙ୍କ୍‌, ନୋଭାଟାକ୍ସ, ବ୍ରହ୍ମପୁତ୍ର ଫେବଲ୍ସ, ଏଭଳି ଅନେକ ଷ୍ଟାର୍ଟଅପ୍‌ ମଧ୍ୟ ହସ୍ତତନ୍ତ ଉତ୍ପାଦକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଏହାକୁ ଦେଖି ମତେ ବହୁତ ଖୁସି ଲାଗୁଛି ଯେ ବହୁତ ଲୋକ ନିଜର ସ୍ଥାନୀୟ ଉତ୍ପାଦକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଆପଣ ମଧ୍ୟ ନିଜର ସ୍ଥାନୀୟ ଜିନିଷକୁ ‘ହ୍ୟାଶ୍‌ଟ୍ୟାଗ୍‌ ମାଇଁ ପ୍ରଡକ୍ଟ ମାଇଁ ପ୍ରାଇଡ୍’ ନାମରେ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍ କରନ୍ତୁ । ଆପଣଙ୍କର ଏହି ଛୋଟିଆ ପ୍ରୟାସ ବହୁ ଲୋକଙ୍କ ଜୀବନକୁ ବଦଳାଇ ଦେବ ।

ବନ୍ଧୁଗଣ, ହସ୍ତତନ୍ତ ସହିତ ଖଦି କଥା ମଧ୍ୟ କହିବାକୁ ଚାହିଁବି । ଆପଣମାନଙ୍କ ଭିତରେ ଏଭଳି କିଛି ଲୋକ ଥିବେ ଯେଉଁମାନେ ଆଗରୁ କେବେ ଖଦି ଜିନିଷ ବ୍ୟବହାର କରିନଥିବେ, କିନ୍ତୁ ଆଜି ବହୁତ ଗର୍ବର ସହ ଖଦି ପିନ୍ଧୁଥିବେ । ଏ କଥା ଜାଣି ମତେ ବହୁତ ଖୁସି ଲାଗୁଛି ଯେ ଖଦି ଗ୍ରାମୋଦ୍ୟୋଗର ବ୍ୟବସାୟ ପ୍ରଥମ ଥରପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଇଯାଇଛି । ଭାବନ୍ତୁ, ଦେଢ଼ ଲକ୍ଷ କୋଟି ଟଙ୍କା !! ଆଉ ଜାଣନ୍ତି ଖଦି ବିକ୍ରି କେତେ ବଢ଼ିଛି ? ୪୦୦ ପ୍ରତିଶତ । ଖଦିର, ହସ୍ତତନ୍ତର, ଏହି ବର୍ଦ୍ଧିତ ବିକ୍ରି, ବହୁସଂଖ୍ୟକ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଏହି ଉଦ୍ୟୋଗ ସହିତ ସବୁଠୁ ବେଶୀ ମହିଳାମାନେ ସଂପୃକ୍ତ ଅଛନ୍ତି, ତେଣୁ ସବୁଠୁ ବେଶୀ ଲାଭ ମଧ୍ୟ ସେମାନଙ୍କୁ ମିଳୁଛି । ମୋର ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ ଯେ ଆପଣଙ୍କ ପାଖରେ ବିଭିନ୍ନ ପ୍ରକାରର ପୋଷାକପତ୍ର ଥିବ ଏବଂ ଆପଣ ଏ ପର୍ଯ୍ୟନ୍ତ ଯଦି ଖଦି ପୋଷାକ କିଣି ନଥିବେ, ତେବେ ଏ ବର୍ଷଠୁ କିଣିବା ଆରମ୍ଭ କରିଦିଅନ୍ତୁ । ଅଗଷ୍ଟ ମାସ ତ ଆସିଯାଇଛି । ଏହା ସ୍ୱାଧୀନତା ମିଳିବାର ମାସ, ବିପ୍ଳବର ମାସ । ଏହାଠୁ ବଢ଼ିଆ ସୁଯୋଗ ଆଉ କ’ଣ ହେଇପାରେ ଖଦି କିଣିବା ପାଇଁ ।

ମୋର ପ୍ରିୟ ଦେଶବାସୀଗଣ,

‘ମନ୍ କି ବାତ୍’ରେ ମୁଁ ଅନେକ ସମୟରେ Drugs ସମସ୍ୟା ସମ୍ପର୍କରେ ଆଲୋଚନା କରିଛି । ଆଜିକାଲି ପ୍ରତ୍ୟେକ ପରିବାର ଚିନ୍ତିତ ଯେ ତାଙ୍କ ପିଲା Drugs କବଳରେ ପଡ଼ିନଯାଉ । ଏବେ ଏଇଭଳି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ର ଖୋଲିଛନ୍ତି - ଯାହାର ନାଁ ହେଲା ‘ମାନସ୍’ । Drugs ବିରୁଦ୍ଧରେ ଲଢ଼େଇ ପାଇଁ ଏହା ଏକ ବଡ଼ ପଦକ୍ଷେପ । ଏଇ କିଛିଦିନ ତଳେ ହିଁ ମାନସର helpline ଆଉ Portalକୁ Lunch କରାଯାଇଛି । ସରକାର ଏକ ଟୋଲ୍ ଫ୍ରି ନମ୍ବର ‘୧୯୩୩’ ଆରମ୍ଭ କରିଛନ୍ତି । ଏହି ନମ୍ବରରେ କଲ୍ କରି ଯେକୌଣସି ବ୍ୟକ୍ତି ଜରୁରୀ ପରାମର୍ଶ ନେଇପାରିବେ କିମ୍ବା rehabilitation ସମ୍ପର୍କୀୟ ସୂଚନା ପାଇପାରିବେ । ଯଦି କାହା ପାଖରେ Drugs ସମ୍ବନ୍ଧିତ କିଛି ଅନ୍ୟ ସୂଚନା ବି ଥାଏ, ତେବେ ଏହି ନମ୍ବରରେ କଲକରି Narcotics Control Bureauକୁ ସୂଚନାଟି ଜଣାଇପାରିବେ । ମାନସ୍ ଲୋକଙ୍କଠାରୁ ପଇଥିବା ପ୍ରତ୍ୟେକଟି ସୂଚନାକୁ ଗୋପନୀୟ ରଖେ । ନିଶାମୁକ୍ତ ଭାରତ ଗଠନରେ ଲାଗିପଡ଼ିଥିବା ପ୍ରତ୍ୟେକ୍ ଲୋକ, ସବୁ ପରିବାର, ସମସ୍ତ ସଂସ୍ଥାମାନଙ୍କୁ ମୋର ଅନୁରୋଧ ଯେ ଆପଣମାନେ ମାନସ୍ ହେଲ୍ପଲାଇନର ସମ୍ପୂର୍ଣ୍ଣ ଉପଯୋଗ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, କାଲି ସାରା ଦୁନିଆରେ Tiger Day ପାଳନ କରାଯିବ । ଭାରତରେ ତ ବାଘ ଆମମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ଆମେ ସମସ୍ତେ ବାଘ ସମ୍ବନ୍ଧୀୟ କଥା ଓ କାହାଣୀ ଶୁଣି ଶୁଣି ବଡ଼ ହେଇଛେ । ବାଘ ସହିତ କେମିତି ତାଳମେଳ ରଖି ଚଳିହବ ସେକଥା ଜଙ୍ଗଲ ପାଖାପାଖି ଥିବା ଗାଁମାନଙ୍କରେ ପ୍ରାୟ ସମସ୍ତେ ଜାଣନ୍ତି । ଆମ ଦେଶରେ ଏମିତି ଅନେକ ଗାଁ ଅଛି ଯେଉଁଠି ମଣିଷ ଓ ବାଘ ଭିତରେ ମୁହାଁମୁହିଁ ହବାର ସ୍ଥିତି କେବେବି ଆସେନି । କିନ୍ତୁ ଯେଉଁଠି ଏଭଳି ସ୍ଥିତି ଆସିଥାଏ, ସେଠାକାର ଲୋକମାନେ ମଧ୍ୟ ବାଘ ସଂରକ୍ଷଣ ଦିଗରେ ଅଭୂତପୂର୍ବ ପ୍ରୟାସ କରୁଛନ୍ତି । ଜନ-ସହଭାଗିତାର ଏହିଭଳି ଏକ ପ୍ରୟାସ ହେଲା “କୁଲହାଢୀ ବନ୍ଦ ପଞ୍ଚାୟତ” । ରାଜସ୍ଥାନର ରଣଥୋମ୍ବରରେ ଆରମ୍ଭ ହୋଇଥିବା “କୁଲହାଢୀ ବନ୍ଦ ପଞ୍ଚାୟତ” ଅଭିଯାନ ବହୁତ ମନଛୁଆ । ସ୍ଥାନୀୟ ଜନସମୁଦାୟ ଶପଥ ନେଇଛନ୍ତି ଯେ ଜଙ୍ଗଲକୁ କୁରାଢ଼ୀ ନେଇ ଯିବେନାହିଁ କିମ୍ବା ଗଛ କାଟିବେ ନାହିଁ । ଏହି ଗୋଟିଏ ନିଷ୍ପତ୍ତି ଦ୍ୱାରା ଏଠାକାର ଜଙ୍ଗଲଗୁଡ଼ିକ ପୁଣି ସବୁଜ ଶ୍ୟାମଳ ହୋଇଉଠୁଛନ୍ତି ଏବଂ ବାଘମାନଙ୍କ ପାଇଁ ଭଲ ବାତାବରଣ ସୃଷ୍ଟି ହେଇପାରୁଛି ।

ସାଥିଗଣ, ମହାରାଷ୍ଟ୍ରର ତାଡ଼ୋବା ଅନ୍ଧାରୀ ବାଘ ସଂରକ୍ଷଣ କେନ୍ଦ୍ର ବାଘମାନଙ୍କର ଏକ ପ୍ରମୁଖ ଆଶ୍ରୟସ୍ଥଳ । ଏଠାକାର ସ୍ଥାନୀୟ ଜନସମୁଦାୟ ବିଶେଷକରି ଗୋଣ୍ଡ୍ ଏବଂ ମାନା ଆଦିବାସୀ ସମ୍ପ୍ରଦାୟର ଆମର ଭାଇଭଉଣୀମାନେ Eco Tourism ଦିଗକୁ ଦ୍ରୁତ ଗତିରେ ଅଗ୍ରସର ହେଉଛନ୍ତି । ସେମାନେ ଜଙ୍ଗଲ ଉପରେ ନିଜର ନିର୍ଭରଶୀଳତାକୁ କମ୍ କରିଦେଇଛନ୍ତି ଯଦ୍ୱାରା ଏଠାରେ ବାଘମାନଙ୍କର ଚଳପ୍ରଚଳ ବଢ଼ିପାରିବ । ଆନ୍ଧ୍ରପ୍ରଦେଶର ନେଲ୍ଲାମଲାଇ ପାହାଡ଼ରେ ରହୁଥିବା ଚେଞ୍ଚୁ ଆଦିବାସୀ ସମ୍ପ୍ରଦାୟର ପ୍ରୟାସ ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ । ସେମାନେ Tiger Trackers ଭାବରେ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁମାନଙ୍କ ସମ୍ପର୍କରେ ପ୍ରତିଟି ସୂଚନା ସଂଗ୍ରହ କରିଛନ୍ତି । ତା’ ସାଥିରେ ମଧ୍ୟ ସେମାନେ ଏ କ୍ଷେତ୍ରରେ ଚାଲୁଥିବା ଅବୈଧ ଗତିବିଧିଗୁଡ଼ିକ ଉପରେ ମଧ୍ୟ ନଜର ରଖିଛନ୍ତି । ସେହିଭଳି ଉତ୍ତରପ୍ରଦେଶର ପିଲିଭିତ୍ରେ ଚାଲୁଥିବା ‘ବାଘମିତ୍ର’ କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଲୋକମାନଙ୍କୁ ବାଘମିତରେ ଭାବରେ କାମ କରିବାର ପ୍ରଶିକ୍ଷଣ ଦିଆଯାଉଛି । ମଣିଷ ଓ ବାଘମାନଙ୍କ ମଧ୍ୟରେ ମୁହାଁମୁହିଁ ହବାର ପରିସ୍ଥିତି ଯେପରି ନ ହବ, ସେ ଦିଗରେ ଏହି ବାଘମିତ୍ରମାନେ ଧ୍ୟାନ ରଖନ୍ତି । ଦେଶର ଭିନ୍ନ ଭିନ୍ନ ଅଂଶରେ ଏହିଭଳି ଅନେକ ପ୍ରୟାସ ଜାରି ରହିଛି । ମୁଁ ଏଠି କେତୋଟି ପ୍ରୟାସ କଥା କହିଲି କିନ୍ତୁ ମୁଁ ବହୁତ ଖୁସି ଯେ ଏ ଦିଗରେ ଜନ-ସହଭାଗିତା ବାଘ ସଂରକ୍ଷଣ କ୍ଷେତ୍ରରେ ବହୁତ କାମରେ ଆସୁଛି । ଏହିଭଳି ପ୍ରୟାସଗୁଡ଼ିକ ଯୋଗୁଁ ହିଁ ଭାରତରେ ବାଘମାନଙ୍କର ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ଆପଣମାନେ ଏକଥା ଜାଣି ଖୁସି ଏବଂ ଗର୍ବ ଅନୁଭବ କରିବେ ଯେ ସାରା ଦୁନିଆରେ ଯେତିକି ବାଘ ଅଛନ୍ତି ତା’ର ଶତକଡ଼ା ସତୁରୀ ଭାଗ ବାଘ ଆମ ଦେଶରେ ଅଛନ୍ତି । ଭାବି ଦେଖନ୍ତୁ ତ, ସତୁରୀ ପ୍ରତିଶତ ବାଘ!! ସେଥିପାଇଁ ତ ଆମ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ବାଘ ଅଭୟାରଣ୍ୟ ଅଛି ।

ବନ୍ଧୁଗଣ, ବାଘ ବଢ଼ିବା ସଙ୍ଗେ ସଙ୍ଗେ ଆମ ଦେଶରେ ଜଙ୍ଗଲ ଅଞ୍ଚଳର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହେଉଛି । ଏ କ୍ଷେତ୍ରରେ ମଧ୍ୟ ସାମୂହିକ ପ୍ରୟାସ ଦ୍ୱାରା ବଡ଼ ସଫଳତା ମିଳୁଛି । ଗତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କ ସହିତ ‘ଏକ ପେଡ୍ ମାଁ କେ ନାମ୍’ ବିଷୟରେ ଚର୍ଚ୍ଚା କରିଥିଲି । ମୁଁ ଖୁସି ଯେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଲୋକ ଏହି ଅଭିଯାନରେ ଯୋଗ ଦେଉଛନ୍ତି । ଏଇ କିଛିଦିନ ପୂର୍ବେ ସ୍ୱଚ୍ଛତା ପାଇଁ ପ୍ରସିଦ୍ଧ ଇନ୍ଦୋରରେ ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ ହେଲା । ସେଠାରେ ‘ଏକ ପେଡ୍ ମାଁ କେ ନାମ୍’ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଚାରାରୋପଣ କରାଗଲା । ନିଜ ମା’ ନାଁରେ ଗଛଟିଏ ଲଗାଇବାର ଏହି ଅଭିଯାନରେ ଆପଣ ବି ଯୋଗ ଦିଅନ୍ତୁ ଏବଂ ସେଲ୍ଫି ନେଇ Social Mediaରେ ପୋଷ୍ଟ କରନ୍ତୁ । ଏହି ଅଭିଯାନ ସହିତ ଯୋଗଦେଲେ ଆପଣଙ୍କୁ ଆପଣ ମା’ ଓ ଧରିତ୍ରୀ ମା’ ଦୁହିଁଙ୍କ ପାଇଁ କିଛି Special କଲାଭଳି ଅନୁଭବ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ୧୫ ତାରିଖ ଆଉ ବେଶୀ ଦିନ ନାହିଁ । ଅଗଷ୍ଟ ସହିତ ଆଉ ଗୋଟିଏ ଅଭିଯାନ ମଧ୍ୟ ଯୋଡ଼ି ହୋଇଯାଇଛି । ‘ହର୍ ଘର ତ୍ରିରଙ୍ଗା ଅଭିଯାନ’ । ଗତ କେତେବର୍ଷ ଧରି ତ ପୁରା ଦେଶରେ ‘ହର ଘର୍ ତ୍ରିରଙ୍ଗା ଅଭିଯାନ’ ପାଇଁ ସମସ୍ତଙ୍କର ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି । ଗରିବ ହଉ, ଧନୀ ହଉ, ଛୋଟ ଘର ହଉ ବା ବଡ଼ ଘର ହଉ ସମସ୍ତେ ତ୍ରିରଙ୍ଗା ଉଡ଼େଇ ଗର୍ବ ଅନୁଭବ କରୁଛନ୍ତି । ତ୍ରିରଙ୍ଗା ସହିତ ସେଲ୍ଫି ନେଇ Social Mediaରେ ପୋଷ୍ଟ କରିବାର Craze ମଧ୍ୟ ଦେଖାଯାଉଛି । ଆପଣମାନେ ଧ୍ୟାନ ଦେଇଥିବେ, ଯେତେବେଳେ କଲୋନୀ ବା Societyର ଗୋଟିଏ ଗୋଟିଏ ଘର ଉପରେ ତ୍ରିରଙ୍ଗା ଉଡ଼ିବା ଆରମ୍ଭ କରୁଛି, ସେତେବେଳେ ଦେଖୁ ଦେଖୁ ଅନ୍ୟ ଘରମାନଙ୍କରେ ମଧ୍ୟ ତ୍ରିରଙ୍ଗା ଉଡ଼ିବା ଆରମ୍ଭ ହେଇଯାଉଛି । ଅର୍ଥାତ୍ ‘ହର୍ ଘର ତ୍ରିରଙ୍ଗା ଅଭିଯାନ’ ତ୍ରିରଙ୍ଗାର ସମ୍ମାନର ଗୋଟିଏ ନିଆରା ଉତ୍ସବରେ ପରିଣତ ହେଇଗଲାଣି । ୟାକୁ ନେଇ ଏବେ ତ ବିଭିନ୍ନ ପ୍ରକାରର ଇନୋଭେସନ ବି ହବାକୁ ଲାଗିଲାଣି । ଅଗଷ୍ଟ ୧୫ ଆସୁ ଆସୁ ଘରେ, ଅଫିସଫରେ, କାରରେ, ତ୍ରିରଙ୍ଗା ଲଗାଇବା ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ଦେଖିବାକୁ ମିଳିଲାଣି । କିଛି ଲୋକ ତ ନିଜ ନିଜର ବନ୍ଧୁ ଓ ପଡ଼ୋଶୀମାନଙ୍କୁ ମଧ୍ୟ ତ୍ରିରଙ୍ଗା ବାଣ୍ଟୁଛନ୍ତି । ତ୍ରିରଙ୍ଗାକୁ ନେଇ ଏ ଉଲ୍ଲାସ, ଏ ଉତ୍ସାହ ପରସ୍ପରକୁ ଯୋଡ଼ିବାର କାମ କରୁଛି ।

ବନ୍ଧୁଗଣ, ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଆପଣ ‘harghartiranga.com’ରେ ତ୍ରିରଙ୍ଗା ସହିତ ଆପଣଙ୍କ ସେଲ୍ଫି ନିଶ୍ଚୟ upload କରିବେ । ମୁଁ ଆପଣଙ୍କୁ ଆଉ ଗୋଟିଏ କଥା ମନେପକେଇ ଦବାକୁ ଚାହେଁ । ପ୍ରତିବର୍ଷ ଅଗଷ୍ଟ ୧୫ ପୂର୍ବରୁ ଆପଣମାନେ ମୋତେ ଅନେକ ପ୍ରସ୍ତାବ ଦେଇଥାନ୍ତି । ଏ ବର୍ଷ ମଧ୍ୟ ଆପଣଙ୍କ ପ୍ରସ୍ତାବ ନିଶ୍ଚୟ ପଠାନ୍ତୁ । MyGov Kò´û NaMoAppùe ମଧ୍ୟ ଆପଣ ନିଜର ପ୍ରସ୍ତାବ ପଠାଇପାରନ୍ତି । ମୁଁ ଅଗଷ୍ଟ ୧୫ର ସମ୍ବୋଧନରେ ଆପଣମାନଙ୍କର ପ୍ରସ୍ତାବକୁ ସାମିଲ କରିବାକୁ ଚେଷ୍ଟା କରିବି ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହେଇ ମୋତେ ବହୁତ ଭଲ ଲାଗିଲା । ଦେଶର ନୂଆ ଉପଲବଧି ସହିତ ଜନ-ସହଭାଗିତାର ନୂତନ ପ୍ରୟାସ ସହିତ ଆରମାସରେ ପୁଣି ଭେଟିବା । ଆପଣ ‘ମନ୍ କି ବାତ୍’ ପାଇଁ ମଧ୍ୟ ଆପଣଙ୍କ ମତାମତ ନିଶ୍ଚୟ ପଠାନ୍ତୁ । ଆଗାମୀ ଦିନରେ ଅନେକ ପର୍ବ ମଧ୍ୟ ଆସୁଛି । ସମସ୍ତ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଶୁଭକାମନା । ଆପଣ ନିଜ ପରିବାର ସହିତ ମିଶି ପର୍ବପର୍ବାଣୀର ଆନନ୍ଦ ନିଅନ୍ତୁ । ଦେଶ ପାଇଁ କିଛି ନା କିଛି କରିବାର ଶକ୍ତି ନିରନ୍ତର ଜାରି ରଖନ୍ତୁ । ବହୁତ ବହୁତ୍ ଧନ୍ୟବାଦ । ନମସ୍କାର ।

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”