The youth of the nation has benefitted by the space sector reforms: PM Modi
Youth are eager to enter politics, seeking the right opportunity and guidance: PM Modi
‘Har Ghar Tiranga’ campaign wove the entire country into a thread of togetherness: PM Modi
#MannKiBaat: PM Modi shares the heartwarming connection between Barekuri villagers and hoolock gibbons
Toy recycling can protect the environment: PM Modi
Today, there is a growing interest in Sanskrit both in India and globally: PM Modi
Children’s nutrition is a priority for the country: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।

ବନ୍ଧୁଗଣ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ ଦେଶର ଯୁବବର୍ଗଙ୍କୁ ଅନେକ ଲାଭ ହୋଇଛି । ତେଣୁ, ଆଜି ‘ମନ୍ କି ବାତ୍’ରେ ମହାକାଶ କ୍ଷେତ୍ର ସହ ଜଡ଼ିତ କିଛି ଯୁବବନ୍ଧୁଙ୍କ ସହିତ କଥା ହେବା ପାଇଁ ମୁଁ ଚିନ୍ତା କଲି । ମୋ ସହିତ କଥା ହେବାପାଇଁ ସ୍ପେସଟେକ୍ ଷ୍ଟାର୍ଟ-ଅପ୍ ଗ୍ୟାଲେକ୍ସାଇର ଟିମ୍ ଯୋଡ଼ି ହୋଇଛନ୍ତି । ଏହି ଷ୍ଟାର୍ଟ-ଅପକୁ ଆଇ.ଆଇ.ଟି. ମାଡ୍ରାସର ପୂର୍ବତନ ଛାତ୍ରମାନେ ଆରମ୍ଭ କରିଥିଲେ । ଏହି ସମସ୍ତ ଯୁବବନ୍ଧୁ ଆଜି ଆମ ସହିତ ଫୋନଲାଇନରେ ଉପସ୍ଥିତ ଅଛନ୍ତି – ସୁୟଶ, ଡେନିଲ୍, ରକ୍ଷିତ, କିଶନ୍ ଆଉ ପ୍ରନିତ । ଆସନ୍ତୁ ଏହି ଯୁବବନ୍ଧୁମାନଙ୍କ ଅନୁଭୂତି ସମ୍ପର୍କରେ ଜାଣିବା ।

ପ୍ରଧାନମନ୍ତ୍ରୀ : ହ୍ୟାଲୋ !

ସମସ୍ତ ଯୁବବନ୍ଧୁ : ହ୍ୟାଲୋ !

ପ୍ରଧାନମନ୍ତ୍ରୀ : ନମସ୍କାର . . .

ସମସ୍ତ ଯୁବବନ୍ଧୁ (ଏକସଙ୍ଗେ) : ନମସ୍କାର ସାର୍ . . .

ପ୍ରଧାନମନ୍ତ୍ରୀ : ବନ୍ଧୁମାନେ, ଏକଥା ଦେଖି ମୋତେ ଖୁସି ଲାଗୁଛି ଯେ, ଆଇ.ଆଇ.ଟି. ମାଡ୍ରାସରେ ଥିବାବେଳେ ଆପଣମାନଙ୍କ ବନ୍ଧୁତା ଆଜି ବି ବେଶ୍ ମଜଭୁତ ହୋଇରହିଛି । ସେଇଥିପାଇଁ ଆପଣମାନେ ମିଶି GalaxEye ଆରମ୍ଭ କରିବାକୁ ନିଷ୍ପତ୍ତି କଲେ । ଆଜି ମୁଁ ସେ ବିଷୟରେ ବି ଟିକିଏ ଜାଣିବାକୁ ଚାହୁଁଛି । ସେ ସମ୍ପର୍କରେ କୁହନ୍ତୁ । ତା ସହିତ ଏ କଥା ବି କୁହନ୍ତୁ ଯେ, ଆପଣମାନଙ୍କ ଜ୍ଞାନକୌଶଳ ଦ୍ୱାରା ଦେଶର କେତେ ଲାଭ ହେବାକୁ ଯାଉଛି ।

ସୁୟଶ : ଆଜ୍ଞା, ମୋ ନାଁ ସୁୟଶ୍ । ଆପଣ ଯାହା କହିଲେ, ଆମେ ସମସ୍ତେ ଆଇ.ଆଇ.ଟି. ମାଡ୍ରାସରେ ପରସ୍ପର ସହ ପରିଚିତ ହେଲୁ । ସେଇଠି ଆମେ ସମସ୍ତେ ପାଠ ପଢ଼ୁଥିଲୁ । ଅଲଗା ଅଲଗା ଶ୍ରେଣୀରେ ଥିଲୁ । ସେହିଠାରୁ ଇଂଜିନିୟରିଂ ପାସ୍ କଲୁ । ସେହି ସମୟରେ ଆମେ ଚିନ୍ତାକଲୁ ଯେ, ହାଇପରଲୁପ୍ ନାମକ ଗୋଟିଏ ପ୍ରୋଜେକ୍ଟ ରହିଛି, ଯାହା ଆମେ ମିଶିକରି କରିବାକୁ ଚିନ୍ତା କରିଥିଲୁ । ସେହି ସମୟରେ ଆମେ ଗୋଟିଏ ଟିମ୍ ଗଠନ କରି ତାହାର ନାଁ ଦେଲୁ “ଆବିଷ୍କାର ହାଇପରଲୁପ୍” । ଏହାକୁ ନେଇ ଆମେ ଆମେରିକା ମଧ୍ୟ ଯାତ୍ରା କଲୁ । ସେହି ବର୍ଷ ଆମ ଦଳଟି ଏସିଆରୁ ଏକମାତ୍ର ଦଳ ଭାବେ ଯାଇଥିଲା ଏବଂ ସେଠାରେ ଆମେ ଜାତୀୟ ପତାକା ଉଡ଼ାଇଥିଲୁ । ସମଗ୍ର ବିଶ୍ୱରୁ ଆସିଥିବା ପ୍ରାୟଃ ଦେଢ଼ ହଜାର ଦଳରୁ ଆମ ଦଳ ଶ୍ରେଷ୍ଠ ୨୦ଟି ଦଳ ମଧ୍ୟରେ ସ୍ଥାନ ପାଇଥିଲା ।

ପ୍ରଧାନମନ୍ତ୍ରୀ : ଯାହାହେଉ, ଆଗକୁ ଶୁଣିବା ପୂର୍ବରୁ ପ୍ରଥମେ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ସୁୟଶ : ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସେହି ଉପଲବ୍ଧି ସମୟରେ ଆମମାନଙ୍କର ବନ୍ଧୁତା ଆହୁରି ଦୃଢ଼ ହେଲା, ଆଉ ଏହିଭଳି କଠିନ ପ୍ରୋଜେକ୍ଟ କରିବା ପାଇଁ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହେଲା । ସେହି ସମୟରେ ୨୦୨୦ରେ spaceXକୁ ଦେଖି ମହାକାଶ କ୍ଷେତ୍ରକୁ ଆପଣ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଥିବା ଘଟଣା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା । ଏହାକୁ ନେଇ ଆମ ମନରେ ବହୁତ ଉତ୍ସାହ ଥିଲା । ଆମେ କ’ଣ ତିଆରି କରୁଛୁ ଏବଂ ଏହାର ଲାଭ କ’ଣ, ସେ ବିଷୟରେ କହିବା ପାଇଁ ମୁଁ ରକ୍ଷିତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ।

ରକ୍ଷିତ : ଆଜ୍ଞା, ମୋ ନାଁ ରକ୍ଷିତ୍ । ଏହି ଜ୍ଞାନକୌଶଳ ଦ୍ୱାରା ଆମର କ’ଣ ଲାଭ ହେବ, ତା ଉତ୍ତର ମୁଁ ଦେଉଛି ।

ପ୍ରଧାନମନ୍ତ୍ରୀ : ରକ୍ଷିତ୍, ଆପଣ ଉତ୍ତରାଖଣ୍ଡର କେଉଁ ଅଂଚଳରୁ ଆସିଛନ୍ତି?

ରକ୍ଷିତ : ସାର୍, ମୁଁ ଅଲମୋଡାର ବାସିନ୍ଦା ।

ପ୍ରଧାନମନ୍ତ୍ରୀ : ମାନେ, ସେହି ବାଲ୍ ମିଠେଇର ସହରରୁ ଆସିଛନ୍ତି ?

ରକ୍ଷିତ : ଆଜ୍ଞା ହଁ, ସେହି ମିଠେଇ ମୋର ଅତି ପ୍ରିୟ ।

ପ୍ରଧାନମନ୍ତ୍ରୀ : ଆମର ଯେଉଁ ଲକ୍ଷ ସେନ୍ ରହିଛନ୍ତି, ସେ ମୋତେ ସବୁବେଳେ ସେହି ମିଠା ପଠାନ୍ତି । ହଉ ରକ୍ଷିତ, ଏଥର କୁହନ୍ତୁ ।

ରକ୍ଷିତ : ସାର୍, ଆମର ଏହି ଜ୍ଞାନକୌଶଳ ଦ୍ୱାରା ମହାକାଶରୁ ବାଦଲକୁ ଭେଦକରି ପୃଥିବୀକୁ ପରିଷ୍କାର ଭାବେ ଦେଖିହେବ । ରାତି ସମୟରେ ମଧ୍ୟ ଏହାଦ୍ୱାରା ଦେଖାଯାଇପାରିବ । ତେଣୁ, ଏହାଦ୍ୱାରା ଆମେ ପ୍ରତିଦିନ ଦେଶର ଯେକୌଣସି ଅଞ୍ଚଳର ସ୍ପଷ୍ଟ ଚିତ୍ର ଉତୋଳନ କରିପାରିବା ଏବଂ ଏଥିରୁ ଯାହା ତଥ୍ୟ ମିଳିବ, ତାହାର ଉପଯୋଗ ଆମେ ଦୁଇଟି କ୍ଷେତ୍ରରେ ବିକାଶ ଦିଗରେ କରିପାରିବା । ପ୍ରଥମଟି ହେଲା, ଭାରତକୁ ଅତ୍ୟନ୍ତ ସୁରକ୍ଷିତ କରିବା । ଆମ ଦେଶର ସୀମା, ସାଗର, ମହାସାଗର ଉପରେ ଆମେ ପ୍ରତିଦିନ ନଜର ରଖିପାରିବା । ଆମ ଶତ୍ରୁମାନଙ୍କ ଗତିବିଧି ଉପରେ ନଜର ରଖିପାରିବା ଏବଂ ଆମ ସଶସ୍ତ୍ର ବାହିନୀକୁ ଗୁପ୍ତତଥ୍ୟ ଯୋଗାଇପାରିବା । ଦ୍ୱିତୀୟଟି ହେଲା, ଭାରତର କୃଷକମାନଙ୍କୁ ସଶକ୍ତ କରିବା । ଆମେ ଗୋଟିଏ ପ୍ରଡକ୍ଟ ତିଆରି କରିସାରିଛୁ, ଯାହା ଭାରତର ଚିଙ୍ଗୁଡ଼ି ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହା ମହାକାଶରୁ ସେମାନଙ୍କ ପୋଖରୀର ଜଳର ମାନ ପରୀକ୍ଷା କରିପାରିବ । ଏଥିପାଇଁ ଏବେ ହେଉଥିବା ଖର୍ଚ୍ଚର ଦଶଭାଗରୁ ଭାଗେ ଖର୍ଚ୍ଚ ହେବ । ଆଗକୁ ଆମେ ସାରା ବିଶ୍ୱ ପାଇଁ ଉତ୍ତମ ମାନର ଉପଗ୍ରହଭିତ୍ତିକ ତଥ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛୁ, ବିଶ୍ୱ ତାପାୟନ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆମକୁ ତଥ୍ୟ ଯୋଗାଇବ ।

ପ୍ରଧାନମନ୍ତ୍ରୀ : ମାନେ, ଆପଣଙ୍କ ଦଳ ଜୟ ଯବାନ ସହ ଜୟ କିଷାନ ମଧ୍ୟ କରିବାକୁ ଯାଉଛି ।

ରକ୍ଷିତ : ହଁ ଆଜ୍ଞା, ନିଶ୍ଚିତ ଭାବେ ।

ପ୍ରଧାନମନ୍ତ୍ରୀ : ବନ୍ଧୁଗଣ, ଆପଣମାନେ ଏତେ ଭଲ କାମ କରୁଛନ୍ତି । ତେବେ, ମୁଁ ଏକଥା ବି ଜାଣିବାକୁ ଚାହୁଁଛି ଯେ, ଆପଣଙ୍କର ଏହି ଜ୍ଞାନକୌଶଳର ସଠିକତା କେତେ ମାତ୍ରାରେ ରହିଛି ?

ରକ୍ଷିତ : ସାର୍, ଆମେ ୫୦ ସେଣ୍ଟିମିଟର ଠାରୁ ବି କମ୍ ରିଜୋଲ୍ୟୁଶନକୁ ଯାଇପାରିବା । ଆଉ ଗୋଟିଏ ଥରରେ ଆମେ ୩୦୦ ବର୍ଗ କିଲୋମିଟର ଅଞ୍ଚଳର ଫଟୋ ଉଠାଇପାରିବା ।

ପ୍ରଧାନମନ୍ତ୍ରୀ : ମୁଁ ଭାବୁଛି, ଦେଶବାସୀ ଯେତେବେଳେ ଏକଥା ଶୁଣିବେ, ସେମାନେ ବହୁତ ଗର୍ବ ଅନୁଭବ କରିବେ । ତେବେ ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି ।

ରକ୍ଷିତ : ଆଜ୍ଞା ।

ପ୍ରଧାନମନ୍ତ୍ରୀ : ସ୍ପେସ୍ ଇକୋସିଷ୍ଟମ୍ ବହୁତ Vibrant ହେଇଚାଲିଛି । ଆପଣଙ୍କ ଦଳ ଏଥିରେ କି ପ୍ରକାର ପରିବର୍ତ୍ତନ ଦେଖୁଛି?

କିଶନ୍ : ମୋ ନାଁ କିଶନ୍ । GalaxEyeର ଆରମ୍ଭ ହେବା ପରେ ଆମେ ଓଘ-ଝଚଇଉର ଆସିବା ଦେଖିଛୁ । ଅନେକଗୁଡ଼ିଏ ନୀତି ମଧ୍ୟ ପ୍ରଣୟନ ହୋଇଛି, ଯେମିତିକି geo-Spatial ଡାଟା ନୀତି ଆଉ ଭାରତ ମହାକାଶ ନୀତି. . . ବିଗତ ତିନିବର୍ଷରେ ଆମେ ଅନେକଗୁଡ଼ିଏ ପରିବର୍ତ୍ତନ ଦେଖିଛୁ । ଅନେକ ପ୍ରଣାଳୀ, ଭିତ୍ତିଭୂମି, ସୁବିଧା ଇସ୍ରୋ ଦ୍ୱାରା ଖୁବ ଭଲଭାବେ ଉପଲବ୍ଧ କରାଯାଇଛି । ଯେମିତିକି, ଆମେ ଇସ୍ରୋକୁ ଯାଇ ଆମ ହାର୍ଡ଼ୱେୟାରକୁ ପରୀକ୍ଷା କରିପାରିବା ବାଟ ଏବେ ଖୁବ ସହଜ ହୋଇଯାଇଛି । ତିନିବର୍ଷ ପୂର୍ବେ ଏସବୁ ଏତେ ସହଜ ନ ଥିଲା । ଆମ ପାଇଁ, ଆମ ଷ୍ଟାର୍ଟଅପ୍ ପାଇଁ ଏବଂ ଆମଭଳି ଅନ୍ୟ ଷ୍ଟାର୍ଟଅପଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ସହାୟକ ହେଲା । ଏବେକାର ଏଫ୍.ଡି.ଆଇ. ପଲିସି ଏବଂ ସୁବିଧା ଉପଲବ୍ଧ ହେବା ଯୋଗୁଁ ଷ୍ଟାର୍ଟଅପଗୁଡ଼ିକ ପାଇଁ ଏହା ଆହୁରି ଉତ୍ସାହଜନକ ହୋଇପାରିଛି । ଏହାଦ୍ୱାରା ସେମାନେ ସହଜରେ ଉନ୍ନତି କରିପାରିବେ, ଯେଉଁଠି ଆଗକୁ ବଢ଼ିବା ଆଗରୁ ବହୁତ ବ୍ୟୟସାପେକ୍ଷ ଏବଂ ସମୟସାପେକ୍ଷ ଥିଲା । କିନ୍ତୁ, ଏବେକାର ନୀତି ଏବଂ IN-SPACe ଆସିବା ପରେ ଷ୍ଟାର୍ଟଅପମନଙ୍କ ପାଇଁ ବହୁତ କିଛି ସହଜ ହୋଇଯାଇଛି । ମୋ ବନ୍ଧୁ ଡେନିଲ୍ ଚାୱଡ଼ା ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ : କୁହନ୍ତୁ ଡେନିଲ୍ . . .

ଡେନିଲ୍ : ସାର୍, ଆଉ ଗୋଟିଏ କଥା ଆମେ ଲକ୍ଷ୍ୟ କରିଛୁ । ଇଂଜିନିୟରିଂ ଛାତ୍ରମାନଙ୍କ ଚିନ୍ତାଧାରାରେ ମଧ୍ୟ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ । ସେମାନେ ଆଗରୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛା କରୁଥିଲେ ଏବଂ ସେହିଠାରେ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ଭାରତରେ ଗୋଟିଏ ସ୍ପେସ୍ ଇକୋ ସିଷ୍ଟମ୍ ଖୁବ ଭଲ ଭାବେ ବିକଶିତ ହୋଇସାରିଲାଣି । ତେଣୁ ସେମାନେ ଭାରତକୁ ଫେରି ଏହି ଇକୋ ସିଷ୍ଟମର ଅଂଶ ହେବାକୁ ଚାହୁଁଛନ୍ତି । ଏ ସମ୍ପର୍କରେ ଏହି ଭଲ ତଥ୍ୟଟିଏ ମିଳିଛି । ଆମ ନିଜ କମ୍ପାନୀରେ ମଧ୍ୟ କିଛି ବିଦେଶ ଫେରନ୍ତା ବ୍ୟକ୍ତି କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ : ମୁଁ ଭାବୁଛି, କିଶନ୍ ଆଉ ଡେନିଲ୍, ଆପଣ ଦୁହେଁ ଯେଉଁ ଦିଗ ସମ୍ପର୍କରେ କହିଲେ, ସେକଥା ଆଡ଼କୁ ଅନେକ ଲୋକଙ୍କ ଦୃଷ୍ଟି ପଡ଼ିନଥିବ । କୌଣସି କ୍ଷେତ୍ରରେ ଯେତେବେଳେ ସଂସ୍କାର ହୁଏ, ସେତେବେଳେ ଏହାର ବହୁବିଧ ପ୍ରଭାବ ପଡ଼ିଥାଏ । ଅନେକ ଲୋକଙ୍କୁ ଏହାଦ୍ୱାରା ଲାଭ ହୋଇଥାଏ ଯାହା ଆପଣ କହିଲେ . . . ଆପଣ ସେହି କ୍ଷେତ୍ରରେ ରହିଥିବାରୁ ଏହା ଆପଣଙ୍କୁ ଦୃଷ୍ଟିକୁ ଆସିଛି, ଏବଂ ଆପଣ ଲକ୍ଷ୍ୟ ମଧ୍ୟ କରିଛନ୍ତି ଯେ ଦେଶର ଯୁବବର୍ଗ ଏବେ ଏହିଠାରେ ହିଁ ରହି ନିଜ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି, ନିଜ ପ୍ରତିଭାକୁ ବିନିଯୋଗ କରିବାକୁ ଚାହୁଁଛନ୍ତି । ଆପଣ ବହୁତ ଭଲକଥା ଲକ୍ଷ୍ୟ କରିଛନ୍ତି । ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି । ଷ୍ଟାର୍ଟଅପ୍ ଏବଂ ମହାକାଶ କ୍ଷେତ୍ରରେ ସଫଳତା ଅର୍ଜନ କରିବାକୁ ଚାହୁଁଥିବା ଯୁବବନ୍ଧୁମାନଙ୍କୁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

ପ୍ରନିତ୍‌ : ମୁଁ ପ୍ରନିତ୍‌ କହୁଛି ଆଉ ମୁଁ ପ୍ରଶ୍ନର ଉତ୍ତର ଦେବି ।

ପ୍ରଧାନମନ୍ତ୍ରୀ : ହଁ ପ୍ରନିତ୍‌, କୁହନ୍ତୁ ।

ପ୍ରନିତ୍‌ : ସାର୍‌, ମୁଁ ମୋର କିଛି ବର୍ଷର ଅଭିଜ୍ଞତାରୁ ଦୁଇଟି କଥା କହିବାକୁ ଚାହୁଁଚି । ପ୍ରଥମ କଥା ହେଲା ଯଦି ନିଜର ଷ୍ଟାର୍ଟ ଅପ୍‌ କରିବାର ଅଛି ତ ବର୍ତ୍ତମାନ ସୁଯୋଗ ରହିଛି, କାହିଁକିନା ସମଗ୍ର ପୃଥିବୀରେ ଭାରତ ଆଜି ସେହି ଦେଶ ପାଲଟିଛି ଯାହା ବିଶ୍ୱର ସବୁଠୁ ଦ୍ରୁତ ବିକାଶ କରୁଥିବା ଅର୍ଥନୀତି, ଆଉ ଏହାର ଅର୍ଥ ହେଲା ନିଜ ପାଖରେ ସୁବିଧାସୁଯୋଗ ବହୁତ ରହିଛି । ଯେପରିକି ମୁଁ ୨୪ ବର୍ଷ ବୟସରେ ଏହାଭାବି ଗର୍ବ ଅନୁଭବ କରୁଛି ଯେ ଆସନ୍ତା ବର୍ଷ ଆମର ଏକ ଉପଗ୍ରହ ଛଡ଼ାଯିବ; ଯାହାର ଆଧାରରେ ଆମର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଓ ସେଥିରେ ଆମର ଏକ ଛୋଟିଆ ଅବଦାନ ରହିଛି । ଏଭଳି କେତେକ ଜାତୀୟ ପ୍ରଭାବଶାଳୀ ପ୍ରକଳ୍ପରେ କାମ କରିବାକୁ ମିଳିଲା । ଏହା ଏପରି ଏକ ଉଦ୍ୟୋଗ ଏବଂ ଏପରି ଏକ ସମୟ, ଯେଉଁ ସମୟରେ ମହାକାଶ ଉଦ୍ୟୋଗ ଆରମ୍ଭ ହେଉଛି । ତେଣୁ ମୁଁ ନିଜର ଯୁବବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ଏ ସୁଯୋଗ କେବଳ ପ୍ରଭାବର ନୁହେଁ, ବରଂ ତାଙ୍କ ନିଜର ଆର୍ଥିକ ବିକାଶର ଏବଂ ଏକ ବୈଶ୍ୱିକ ସମସ୍ୟା ସମାଧାନ କରିବାର । ଆମେ ନିଜ ନିଜ ଭିତରେ ଏକଥା ଆଲୋଚନା କରୁ ଯେ ପିଲାବେଳେ ଆମେ କହୁଥିଲୁ ଯେ ବଡ଼ ହୋଇ ଅଭିନେତା ହେବୁ, କ୍ରୀଡ଼ାବିତ୍‌ ହେବୁ, ତ ଏଇଠି ଏଭଳି କିଛି ଘଟିଥାଏ, କିନ୍ତୁ ଆଜି ଆମେ ଶୁଣୁଛୁ କିଏ କହୁଛି ଯେ ମୁଁ ବଡ଼ ହେବାପରେ ଏଣ୍ଟର୍‌ପ୍ରିନିଅର୍‌ ହେବି, ମହାକାଶ ଉଦ୍ୟୋଗରେ କାମ କରିବି । ଏହା ଆମ ପାଇଁ ବହୁତ ଗର୍ବର ମୁହୂର୍ତ୍ତ ଯେ ଆମେ ଏହି ପୁରା ପରିବର୍ତ୍ତନରେ ଏକ ଛୋଟିଆ ଭୂମିକା ନିଭାଉଛୁ ।

ପ୍ରଧାନମନ୍ତ୍ରୀ : ବନ୍ଧୁଗଣ, ଗୋଟିଏ ପ୍ରକାର ପ୍ରନିତ୍‌, କିଶନ, ଡେନିଲ୍‌, ରକ୍ଷିତ୍‌, ସୁୟଶ ଆପଣମାନଙ୍କ ବନ୍ଧୁତା ଯେତିକି ନିବିଡ଼ ଆପଣଙ୍କ ଷ୍ଟାର୍ଟଅପ୍‌ ମଧ୍ୟ ସେତିକି ମଜଭୁତ୍‌ । ସେଇଥିପାଇଁ ତ ଆପଣମାନେ ଏଭଳି ଚମତ୍କାର କାର୍ଯ୍ୟ କରୁଛନ୍ତି । କିଛିବର୍ଷ ତଳେ ମୋତେ ଆଇଆଇଟି-ମାଡ୍ରାସ୍‌ ଯିବାର ସୁଯୋଗ ମିଳିଥିଲା ଏବଂ ମୁଁ ସେହି ଅନୁଷ୍ଠାନର ଉତ୍କର୍ଷକୁ ନିଜେ ଅନୁଭବ କରିଥିଲି । ଆଉ ଏମିତିରେ ବି ଆଇଆଇଟି ବିଷୟରେ ସମଗ୍ର ପୃଥିବୀରେ ଏକ ସମ୍ମାନଜନକ ଭାବନା ରହିଛି ଏବଂ ସେଇଠୁ ବାହାରୁଥିବା ଆମ ଲୋକେ ଯେତେବେଳେ ଭାରତ ପାଇଁ କାମ କରନ୍ତି ତ ନିଶ୍ଚିତ ଭାବେ କିଛି ନା କିଛି ଭଲ ଅବଦାନ ଦିଅନ୍ତି । ଆପଣ ସମସ୍ତଙ୍କୁ ଏବଂ ମହାକାଶ କ୍ଷେତ୍ରରେ କାମ କରୁଥିବା ଅନ୍ୟ ସମସ୍ତ ଷ୍ଟାର୍ଟଅପ୍‌ଗୁଡ଼ିକୁ ମୋର ବହୁତ ବହୁତ ଶୁଭକାମନା, ଆଉ ଆପଣ ପାଞ୍ଚଜଣଙ୍କ ସହିତ କଥାହୋଇ ମୋତେ ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ ।

ସୁୟଶ : ଥ୍ୟାଙ୍କ୍‌ ୟୁ ସୋ ମଚ୍‌ ।

ମୋର ପ୍ରିୟ ଦେଶବାସୀଗଣ, ଏ ବର୍ଷ ମୁଁ ଲାଲ୍‌କିଲାରୁ କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ଏକ ଲକ୍ଷ ଯୁବକଯୁବତୀଙ୍କୁ ରାଜନୈତିକ ବ୍ୟବସ୍ଥା ସହିତ ଯୋଡ଼ିହେବା ପାଇଁ ଆହ୍ୱାନ କରିଛି । ମୋର ଏ କଥାକୁ ନେଇ ବହୁତ ପ୍ରତିକ୍ରିୟା ଆସିଛି । ଏଥିରୁ ଜଣାପଡ଼ୁଛି ଯେ କେତେ ଅଧିକ ସଂଖ୍ୟାରେ ଆମର ଯୁବପିଢ଼ି ରାଜନୀତିକୁ ଆସିବା ପାଇଁ ପ୍ରସ୍ତୁତ ଅଛନ୍ତି । ବାସ୍‌ ସେମାନଙ୍କୁ ଠିକ୍‌ ସୁଯୋଗ ଓ ଉଚିତ ମାର୍ଗଦର୍ଶନ ଆବଶ୍ୟକ । ଏ ବିଷୟରେ ମୋତେ ସମଗ୍ର ଦେଶର ଯୁବକଯୁବତୀଙ୍କଠାରୁ ଚିଠି ମଧ୍ୟ ମିଳିଛି । ସୋସିଆଲ୍‌ ମିଡିଆରେ ମଧ୍ୟ ବହୁତ ପ୍ରତିକ୍ରିୟା ମିଳୁଛି । ଲୋକେ ବିଭିନ୍ନ ପ୍ରକାରର ପରାମର୍ଶ ଲେଖି ମୋ ପାଖକୁ ପଠାଇଛନ୍ତି । କେତେକ ଯୁବକଯୁବତୀ ଚିଠିରେ ଲେଖଛନ୍ତି ଯେ ଏହା ତାଙ୍କପାଇଁ ସତକୁ ସତ ଅକଳ୍ପନୀୟ । ଦାଦା ବା ମାତାପିତାଙ୍କର କୌଣସି ରାଜନୈତିକ ଇତିହାସ ନ ଥିବା କାରଣରୁ ସେମାନେ ଇଚ୍ଛା କଲେ ମଧ୍ୟ ରାଜନୀତିକୁ ଆସିପାରୁ ନ ଥିଲେ । କେତେକ ଯୁବକଯୁବତୀ ଲେଖିଛନ୍ତି ଯେ ତାଙ୍କ ନିକଟରେ ତୃଣମୂଳ ସ୍ତରରେ କାମ କରିବାର ଭଲ ଅଭିଜ୍ଞତା ରହିଛି, ତେଣୁ ସେମାନେ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହାୟତା କରିପାରିବେ । କେତେଜଣ ଏଇଆ ବି ଲେଖିଛନ୍ତି ଯେ ପରିବାରବାଦୀ ରାଜନୀତି ନୂଆ ପ୍ରତିଭାଙ୍କୁ ଦମନ କରିଥାଏ । କେତେକ ଯୁବକଯୁବତୀ କହିଛନ୍ତି ଯେ ଏହି ଉଦ୍ୟମ ଦ୍ୱାରା ଆମ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବ । ଏଇ ବିଷୟରେ ପରାମର୍ଶ ପଠାଇଥିବାରୁ ମୁଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ମୋର ଆଶା ଯେ ବର୍ତ୍ତମାନ ଆମର ସାମୂହିକ ପ୍ରୟାସ ଦ୍ୱାରା କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ଏଭଳି ଯୁବକଯୁବତୀମାନେ ମଧ୍ୟ ରାଜନୀତିରେ ପ୍ରବେଶ କରିବେ, ସେମାନଙ୍କ ଅଭିଜ୍ଞତା, ଏବଂ ସେମାନଙ୍କ ଉତ୍ସାହ ଦେଶର କାମରେ ଲାଗିବ ।

ବନ୍ଧୁଗଣ, ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ କ୍ଷେତ୍ରରୁ ଏଭଳି ଅନେକ ଲୋକ ଆସିଥିଲେ ଯାହାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା । ସେମାନେ ଭାରତର ସ୍ୱାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଆଜି ଆମକୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ପୁଣିଥରେ ସେହି ଭାବନାର ଆବଶ୍ୟକତା ରହିଛି । ମୁଁ ମୋର ସମସ୍ତ ଯୁବସାଥୀମାନଙ୍କୁ କହିବି ଯେ ସେମାନେ ଏହି ଅଭିଯାନ ସହ ନିଶ୍ଚିତ ଭାବେ ଯୋଡ଼ି ହୁଅନ୍ତୁ । ଆପଣଙ୍କର ଏହି ପଦକ୍ଷେପ ନିଜର ଓ ଦେଶର ଭବିଷ୍ୟତ ପରିବର୍ତ୍ତନକାରୀ ହେବ ।

ମୋର ପ୍ରିୟ ଦେଶବାସୀଗଣ, ‘ହର୍‌ ଘର୍‌ ତ୍ରିରଙ୍ଗା ଔର୍‌ ପୂରା ଦେଶ୍‌ ତ୍ରିରଙ୍ଗା’, ଏଥର ଏହି ଅଭିଯାନ ତା’ର ସର୍ବୋଚ୍ଚ ଶିଖର ସ୍ପର୍ଶ କରିଥିଲା । ଦେଶର କୋଣଅନୁକୋଣରୁ ଏହି ଅଭିଯାନ ସହିତ ସଂପୃକ୍ତ ଅନେକ ଚମତ୍କାର ଚିତ୍ର ଦେଖିବାକୁ ମିଳିଛି । ଆମେ ଘରେ ତ୍ରିରଙ୍ଗା ଉଡ଼ୁଥିବା ଦେଖିଲେ- ସ୍କୁଲ୍‌, କଲେଜ, ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗା ଦେଖିଲେ । ଲୋକେ ନିଜ ଦୋକାନରେ, କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇଲେ, ଲୋକେ ନିଜ ଡେସ୍କଟପ୍‌, ମୋବାଇଲ୍‌ ଏବଂ ଗାଡ଼ିରେ ମଧ୍ୟ ତ୍ରିରଙ୍ଗା ଲଗାଇଲେ । ଯେତେବେଳେ ଲୋକେ ଏକାସାଂଗେ ଯୋଡ଼ି ହୋଇ ନିଜର ଭାବନା ପ୍ରକଟ କରନ୍ତି, ସେତେବେଳେ ପ୍ରତ୍ୟେକ ଅଭିଯାନ ଏହିପରି ସଫଳ ହୁଏ । ଏବେ ଆପଣ ନିଜ ଟିଭି ସ୍କ୍ରିନ୍‌ରେ ଯେଉଁ ଚିତ୍ର ଦେଖୁଛନ୍ତି, ଏହା ଜାମ୍ମୁକାଶ୍ମୀର ଅନ୍ତର୍ଗତ ରିୟାସିର । ଏଠାରେ ୭୫୦ ମିଟର ଲମ୍ବ ପତାକା ସହିତ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରାଯାଇଥିଲା ଏବଂ ଏହି ଶୋଭାଯାତ୍ରା ପୃଥିବୀର ସବୁଠୁ ଉଚ୍ଚ ଚିନାବ ରେଲ୍‌ୱେ ବ୍ରିଜ୍‌ରେ ବାହାର କରାଯାଇଥିଲା । ଯିଏ ବି ଏହି ଚିତ୍ରକୁ ଦେଖିଛି ତା’ର ମନ ଖୁସିରେ ନାଚିଉଠିଛି । ଶ୍ରୀନଗରର ଡାଲ୍‌ ହ୍ରଦରେ ମଧ୍ୟ ତ୍ରିରଙ୍ଗା ଯାତ୍ରାର ମନୋମୁଗ୍ଧକର ଚିତ୍ର ଆମେ ସମସ୍ତେ ଦେଖିଲେ । ଅରୁଣାଚଳ ପ୍ରଦେଶର ଇଷ୍ଟ୍‌ କାମେଙ୍ଗ୍‌ ଜିଲାରେ ମଧ୍ୟ ୬୦୦ ଫୁଟ ଲମ୍ବର ତ୍ରିରଙ୍ଗା ସହ ଶୋଭାଯାତ୍ରା ବାହାର କରାଯାଇଥିଲା । ସେହିପରି ଦେଶର ଅନ୍ୟ ରାଜ୍ୟରେ ସବୁ ବୟସର ଲୋକେ ଏଭଳି ତ୍ରିରଙ୍ଗା ଶୋଭାଯାତ୍ରାଗୁଡ଼ିକରେ ସାମିଲ୍‌ ହୋଇଥିଲେ । ସ୍ୱାଧୀନତା ଦିବସ ଏବେ ଏକ ସାମାଜିକ ପର୍ବରେ ରୂପାନ୍ତରିତ ହୋଇଚାଲିଛି, ଏହା ଆପଣ ମଧ୍ୟ ଅନୁଭବ କରିଥିବେ । ଲୋକେ ନିଜ ଘରକୁ ତ୍ରିରଙ୍ଗା ମାଳାରେ ସଜାଇଥାନ୍ତି । ‘ସ୍ୱୟଂ ସହାୟକ ଗୋଷ୍ଠୀ’ ସହିତ ସଂପୃକ୍ତ ମହିଳାମାନେ ଲକ୍ଷ ଲକ୍ଷ ପତାକା ତିଆରି କରନ୍ତି । ଇ-କମର୍ସ ପ୍ଲାଟଫର୍ମରେ ତ୍ରିରଙ୍ଗାରେ ରଙ୍ଗାୟିତ ଜିନିଷପତ୍ରର ବିକ୍ରି ବଢ଼ିଯାଏ । ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରତି କୋଣ ଅନୁକୋଣରେ, ଜଳ-ସ୍ଥଳ-ଆକାଶ- ସବୁ ସ୍ଥାନରେ ଆମ ଜାତୀୟ ପତାକାର ତିନି ରଙ୍ଗ ଦୃଶ୍ୟମାନ ହୋଇଥାଏ । ହର୍‌ ଘର୍‌ ତ୍ରିରଙ୍ଗା ୱେବ୍‌ସାଇଟ୍‌ରେ ପାଞ୍ଚ କୋଟିରୁ ଅଧିକ ସେଲ୍‌ଫି ମଧ୍ୟ ପୋଷ୍ଟ୍‌ କରାଯାଇଛି । ଏହି ଅଭିଯାନ ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ଦେଇଛି ଓ ଏହାହିଁ ‘ଏକ ଭାରତ୍‌-ଶ୍ରେଷ୍ଠ୍‌ ଭାରତ’ର ନିଦର୍ଶନ ।

ମୋର ପ୍ରିୟ ଦେଶବାସୀଗଣ, ମଣିଷ ଓ ପଶୁଙ୍କ ମଧ୍ୟରେ ପ୍ରେମ ଉପରେ ଆପଣ ଅନେକ ଚଳଚ୍ଚିତ୍ର ଦେଖିଥିବେ! କିନ୍ତୁ ଗୋଟିଏ ବାସ୍ତବ କାହାଣୀ ଆଜିକାଲି ଆସାମରେ ଚର୍ଚ୍ଚା ସୃଷ୍ଟି କରିଛି । ଆସାମର ତିନସୁକିଆ ଜିଲାର ଛୋଟିଆ ଗାଁ ବାରେକୁରିରେ ମୋରାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଏବଂ ଏହି ଗାଁରେ ରହନ୍ତି ‘ହୁଲାକ୍‌ ଗିବନ’, ଏକ ମାଙ୍କଡ଼ର ପ୍ରଜାତି ଯାହାଙ୍କୁ ସେଠାରେ ‘ହୋଲୋ ବନ୍ଦର୍’ କୁହାଯାଏ । ହୁଲାକ୍‌ ଗିବନ ସେହି ଗାଁକୁ ହିଁ ନିଜର ଘର କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁର ଲୋକଙ୍କର ହୁଲାକ୍‌ ଗିବନଙ୍କ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି । ଗ୍ରାମବାସୀ ଆଜି ମଧ୍ୟ ନିଜର ପାରମ୍ପରିକ ପ୍ରଥାକୁ ପାଳନ କରୁଛନ୍ତି । ତେଣୁ ସେମାନେ ସେସବୁ କାମ କରୁଛନ୍ତି ଯାହାଦ୍ୱାରା ଗିବନ୍‌ଙ୍କ ସହିତ ସେମାନଙ୍କର ସମ୍ପର୍କ ଆହୁରି ସୁଦୃଢ଼ ହେବ । ସେମାନେ ଯେତେବେଳେ ଅନୁଭବ କଲେ ଯେ ଗିବନ୍‌ମାନଙ୍କୁ କଦଳୀ ବହୁତ ପସନ୍ଦ, ତ ସେମାନେ କଦଳୀ ଚାଷ ମଧ୍ୟ ଆରମ୍ଭ କରିଦେଲେ । ଏହାଛଡ଼ା ସେମାନେ ସ୍ଥିର କଲେ ଯେ ଗିବନଙ୍କ ଜନ୍ମ ଓ ମୃତ୍ୟୁ ସହିତ ସମ୍ପୃକ୍ତ ରୀତିନୀତିକୁ ଠିକ୍‌ ସେମିତି ପାଳନ କରିବେ, ଯେପରିକି ସେମାନେ ଆପଣାର ଲୋକଙ୍କ ପାଇଁ କରନ୍ତି । ସେମାନେ ଗିବନମାନଙ୍କୁ ବିଭିନ୍ନ ନାଁ ମଧ୍ୟ ଦେଇଛନ୍ତି । ନିକଟରେ ଗିବନଙ୍କ ପାଖଦେଇ ବିଦ୍ୟୁତ୍‌ ତାର ଯାଇଥିବା କାରଣରୁ ସେମାନଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡ଼ୁଥିଲା । ତେଣୁ ଏହି ଗାଁର ଲୋକେ ସରକାରଙ୍କୁ ଏ ବିଷୟ ଜଣାଇଲେ ଏବଂ ଖୁବ୍‌ଶୀଘ୍ର ଏହାର ସମାଧାନର ରାସ୍ତା ମଧ୍ୟ ବାହାର କରାଗଲା । ମୋତେ କୁହାଯାଇଛି ଯେ ଏବେ ଏହି ଗିବନମାନେ ଫଟୋ ପାଇଁ ପୋଜ୍‌ ମଧ୍ୟ ଦେଉଛନ୍ତି ।

ବନ୍ଧୁଗଣ, ପଶୁମାନଙ୍କ ପ୍ରତି ପ୍ରେମ କ୍ଷେତ୍ରରେ ଆମ ଅରୁଣାଚଳ ପ୍ରଦେଶର ଯୁବ ସାଥୀମାନେ ମଧ୍ୟ ପଛରେ ନାହାଁନ୍ତି । ଅରୁଣାଚଳର ଆମର କିଛି ଯୁବବନ୍ଧୁମାନେ 3-ଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ କରିଛନ୍ତି – ଜାଣିଛନ୍ତି କାହିଁକି ? କାରଣ ସେମାନେ ଶିଙ୍ଗ ଆଉ ଦାନ୍ତ ପାଇଁ ବନ୍ୟଜୀବମାନଙ୍କୁ ଶୀକାର ହେବାରୁ ବଞ୍ଚାଇବା ପାଇଁ ଚାହାଁନ୍ତି । ନାବମ ବାପୁ ଏବଂ ଶିଖା ନାନାଙ୍କ ନେତୃତ୍ୱରେ ଏହି ଟିମ୍ ପଶୁମାନଙ୍କର ଭିନ୍ନ ଭିନ୍ନ ଅଙ୍ଗର 3-ଡି ପ୍ରିଣ୍ଟିଙ୍ଗ୍ କରନ୍ତି । ପଶୁମାନଙ୍କର ଦାନ୍ତ ହେଉ ବା ଶିଙ୍ଗ ହେଉ ଏସବୁ 3-ଡି ପ୍ରିଣ୍ଟିଙ୍ଗ୍ ଦ୍ୱାରା ତିଆରି ହୁଏ । ଏଥିରୁ ପୁଣି ଡ୍ରେସ୍ ଓ ଟୋପି ଭଳି ଜିନିଷଗୁଡ଼ିକ ତିଆରି କରାଯାଏ । ଏହା ଏକ ଆଶ୍ଚର୍ଯ୍ୟଜନକ ବିକଳ୍ପ ଯେଉଁଥିରେ Bio-degradable materials ର ପ୍ରୟୋଗ କରାଯାଏ । ଏଭଳି ଏକ ଅଦ୍ଭୁତ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ମୁଁ ତ କହିବି ଯେ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଷ୍ଟାର୍ଟ ଅପ୍ ଆଗକୁ ଆସୁ ଯାହା ଫଳରେ ଆମର ପଶୁମାନଙ୍କର ରକ୍ଷାହେବା ସଙ୍ଗେ ସଙ୍ଗେ ପରମ୍ପରା ମଧ୍ୟ ପ୍ରଚଳିତ ରହିପାରିବ ।

ମୋର ପ୍ରିୟ ଦେଶବାସୀଗଣ, ମଧ୍ୟପ୍ରଦେଶର ଝାବୁଆରେ ଏଭଳି କିଛି ବଢ଼ିଆ କାମ ହେଉଛି ଯାହା ଆପଣମାନେ ଜାଣିବା ନିହାତି ଦରକାର । ସେଠାରେ ଆମ ସଫାଇକର୍ମୀ ଭାଇଭଉଣୀମାନେ କମାଲ୍ କରି ଦେଖାଇଛନ୍ତି । ଏହି ଭାଇଭଉଣୀମାନେ “ଆବର୍ଜ୍ଜନାରୁ ଧନ” ଉକ୍ତିଟିକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି । ଏହି ଦଳଟି ଝାବୁଆର ଏକ ପାର୍କରେ ବର୍ଜ୍ୟବସ୍ତୁରୁ ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଛନ୍ତି । ଏହି କାମ ପାଇଁ ସେମାନେ ଆଖପାଖରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଅର୍ଥାତ୍ ବ୍ୟବହାର ହୋଇଥିବା ବୋତଲ୍ ଟାୟାର୍ ଏବଂ ପାଇପ୍ ଆଦି ଏକତ୍ରିତ କରନ୍ତି । ଏହି କଳାକୃତିଗୁଡ଼ିକରେ ହେଲିକପ୍ଟର, କାର୍ ଏବଂ ତୋପ ମଧ୍ୟ ତିଆରି କରୁଛନ୍ତି । ଅତି ସୁନ୍ଦର ଝୁଲୁଥିବା ଫୁଲଦାନୀ ମଧ୍ୟ ତିଆରି ହୋଇଥାଏ । ବ୍ୟବହାର ହୋଇସାରିଥିବା ଟାୟାର ବ୍ୟବହାର କରି ଏଠାରେ ଆରାମଦାୟକ ବେଞ୍ଚ ମଧ୍ୟ ତିଆରି କରାଯାଇଛି । ସଫାଇ କର୍ମଚାରୀମାନଙ୍କର ଏହି ଦଳ ଏଠାରେ Reduce, Reuse ଏବଂ Recycle ମନ୍ତ୍ରକୁ ଆପଣେଇ ନେଇଛନ୍ତି । ଏସବୁକୁ ଦେଖିବା ପାଇଁ ସ୍ଥାନୀୟ ଲୋକମାନେ ତଥା ଆଖପାଖ ଜିଲ୍ଲାର ଲୋକମାନେ ମଧ୍ୟ ଏଠାକୁ ଆସୁଛନ୍ତି ।

ବନ୍ଧୁଗଣ, ମୁଁ ଖୁସି ଯେ ଆଜି ଆମ ଦେଶର ଅନେକ ଷ୍ଟାର୍ଟଅପ୍ ଟିମ୍ ପରିବେଶର ଉନ୍ନତି ପାଇଁ ଏଭଳି ପ୍ରୟାସମାନ କରିଚାଲିଛନ୍ତି । E-conscious ନାମକ ଟିମ୍ ଅଛି, ଯିଏକି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଉପଯୋଗ କରି ପରିବେଶ ଅନୁକୂଳ ଉତ୍ପାଦ ତିଆରି କରୁଛି । ଆମର ପର୍ଯ୍ୟଟନସ୍ଥଳ ବିଶେଷକରି ପାହାଡ଼ି ଅଞ୍ଚଳରେ ପଡ଼ିଥିବା ଆବର୍ଜନାକୁ ଦେଖି ସେମାନଙ୍କ ମନରେ ଏଭଳି ଆଇଡିଆ ଆସିଲା । ଏହିଭଳି ଲୋକମାନଙ୍କର ଆଉ ଏକ ଦଳ “ଇକୋକାରୀ” ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ବିଭିନ୍ନ ପ୍ରକାର ସୁନ୍ଦର ଜିନିଷ ତିଆରି କରୁଛନ୍ତି ।

ବନ୍ଧୁଗଣ, Toy Recycling ମଧ୍ୟ ଏଇଭଳି ଏକ କ୍ଷେତ୍ର ଯେଉଁଥିରେ ଆମେ ମିଳିମିଶି କାମ କରିପାରିବା । ଆପଣମାନେ ଜାଣିଛନ୍ତି ଯେ ଅନେକ ପିଲା ଖୁବଶୀଘ୍ର ଗୋଟିଏ ଖେଳନାରୁ ବୋର୍ ହୋଇଯାଆନ୍ତି । ସେଇଭଳି ଏମିତି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ସେଇ ଖେଳନା ପାଇଁ ଆଗ୍ରହ ରଖିଥାନ୍ତି । ଏଭଳି ଖେଳନା ଯେଉଁଥିରେ ଏବେ ଆପଣଙ୍କ ପିଲା ଖେଳୁନାହାଁନ୍ତି, ସେଗୁଡ଼ିକୁ ଆପଣ ଏଭଳି ଜାଗାରେ ଦେଇପାରନ୍ତି ଯେଉଁଠି ତା’ର ଉପଯୋଗ ହୋଇପାରିବ । ଏ ମଧ୍ୟ ପରିବେଶ ରକ୍ଷାର ଏକ ଭଲ ବାଟ । ଆମେ ସମସ୍ତେ ମିଶି ଏଭଳି ଚେଷ୍ଟା କଲେ ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ଦେଶ ମଧ୍ୟ ଆଗକୁ ବଢ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ପୂର୍ବେ ଅଗଷ୍ଟ ୧୯ ତାରିଖ ଦିନ ଆମେମାନେ ରକ୍ଷାବନ୍ଧନ ପର୍ବ ପାଳନ କଲେ । ସେହିଦିନ ସାରା ଦୁନିଆରେ ବିଶ୍ୱ ସଂସ୍କୃତ ଦିବସ ମଧ୍ୟ ପାଳନ କରାଗଲା । ଆଜି ମଧ୍ୟ ଦେଶ-ବିଦେଶରେ ଲୋକମାନଙ୍କର ସଂସ୍କୃତ ଭାଷା ପ୍ରତି ବିଶେଷ ଆକର୍ଷଣ ଦେଖାଯାଉଛି । ବିଶ୍ୱର ଅନେକ ଦେଶରେ ସଂସ୍କୃତ ଭାଷାକୁ ନେଇ ବିଭିନ୍ନ ପ୍ରକାରର ଗବେଷଣା ଏବଂ ପ୍ରୟୋଗ କରାଯାଉଛି । ପରବର୍ତ୍ତୀ କଥା କହିବା ପୂର୍ବରୁ ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଛୋଟିଆ ଅଡିଓ କ୍ଲିପ୍ ପ୍ଲେ କରୁଛି ।

# # # Audio Clip # # #

ବନ୍ଧୁଗଣ, ଏହି ଅଡିଓର ସମ୍ବନ୍ଧ ୟୁରୋପର ‘ଲିଥୁଏନିଆ’ ନାମକ ଦେଶ ସହିତ ରହିଛି । ସେଠାକାର ଜଣେ ପ୍ରଫେସର ୱିତିଶ୍ ୱିବୁନାସ୍ ଗୋଟିଏ ନିଆରା ପ୍ରୟାସ କଲେ ଏବଂ ତା’ର ନାଁ ଦେଲେ – ‘ସଂସ୍କୃତ ଅନ୍ ଦ ରିଭରସ୍’ । କିଛି ଲୋକଙ୍କର ଗୋଟିଏ ଦଳ ସେଠାକାର ନୋରିସ୍ ନଦୀକୂଳରେ ଜମାହୋଇ ବେଦ ଏବଂ ଗୀତାର ପଠନ କଲେ । ଏଠାରେ ଗତ କିଛିବର୍ଷ ହେଲା ଏଭଳି ପ୍ରୟାସ ନିରନ୍ତର ଚାଲିଛି । ଆପଣମାନେ ମଧ୍ୟ ସଂସ୍କୃତର ବିକାଶ ପାଇଁ ଏଭଳି ପ୍ରୟାସଗୁଡ଼ିକ ଲୋକଲୋଚନକୁ ଆଣନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆମ ସମସ୍ତଙ୍କ ଜୀବନରେ ଫିଟନେସର ଅନେକ ମହତ୍ତ୍ୱ ରହିଛି । ଫିଟ୍ ରହିବା ପାଇଁ ଆମକୁ ଆମର ଖାଇବା ପିଇବା, ଚାଲିଚଳନ ସବୁଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼େ । ଲୋକମାନଙ୍କୁ ଫିଟନେସ୍ ପ୍ରତି ସଚେତନ କରାଇବା ପାଇଁ ହିଁ ‘ଫିଟ୍ ଇଣ୍ଡିଆ ଅଭିଯାନ’ ଆରମ୍ଭ କରାଯାଇଛି । ସୁସ୍ଥ ରହିବା ପାଇଁ ଆଜି ସବୁ ବୟସର, ସବୁ ଶ୍ରେଣୀର ଲୋକମାନେ ଯୋଗକୁ ଆପଣାଉଛନ୍ତି । ଲୋକମାନେ ଭୋଜନଥାଳିରେ ଏବେ ପରଫୁଡ୍ ମିଲେଟ୍ ଅର୍ଥାତ୍ ଶ୍ରୀଅନ୍ନକୁ ସ୍ଥାନ ଦେବାକୁ ଲାଗିଲେଣି । ଏହି ସମସ୍ତ ପ୍ରୟାସର ଉଦ୍ଦେଦଶ୍ୟ ହେଲା – ସବୁ ପରିବାର ସୁସ୍ଥ ରହୁ ।

ବନ୍ଧୁଗଣ, ଆମ ପରିବାର, ଆମ ସମାଜ ଆଉ ଆମ ଦେଶ ଏ ସମସ୍ତଙ୍କର ଭବିଷ୍ୟତ ଆମ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ ଏବଂ ପିଲାମାନଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ଅତି ଜରୁରୀ ଆବଶ୍ୟକତା ହେଲା ସେମାନଙ୍କୁ ଠିକ୍ ପୋଷଣ ମିଳୁ । ପିଲାମାନଙ୍କର ପୋଷଣ ଦେଶର ପ୍ରାଥମିକତା । ସେମାନଙ୍କ ପୋଷଣ ପ୍ରତି ବର୍ଷସାରା ଆମର ଧ୍ୟାନ ରହୁଛି କିନ୍ତୁ ଗୋଟିଏ ମାସ ଦେଶ ଏ ବିଷୟରେ ବିଶେଷ ଧ୍ୟାନ ଦେଇଥାଏ । ଏଥିପାଇଁ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରାଯାଏ । ପୋଷଣ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୋଷଣ ମେଳା, ଏନିମିଆ ଶିବିର, ନବଜାତ ଶିଶୁମାନଙ୍କର ଘରକୁ ପରିଦର୍ଶନ, ସେମିନାର, ୱେବିନାର ଆଦି ଅନେକ ଆୟୋଜନ କରାଯାଇଥାଏ । କେତେକ ସ୍ଥାନରେ ଅଙ୍ଗନବାଡ଼ି ଯୋଜନାରେ ମା, ଶିଶୁ ଏବଂ କମିଟିର ମଧ୍ୟ ସ୍ଥାପନ କରାଯାଇଛି । ଏହି କମିଟିଗୁଡ଼ିକ କୁପୋଷଣଯୁକ୍ତ ଶିଶୁ, ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କର ମା’ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିୟମିତ ନଜରରେ ରଖାଯାଏ ଏବଂ ସେମାନଙ୍କ ପୋଷଣର ବ୍ୟବସ୍ଥା କରାଯାଏ । ଗତବର୍ଷ ପୋଷଣ ଅଭିଯାନକୁ ନୂତନ ଶିକ୍ଷାନୀତି ସହିତ ମଧ୍ୟ ସଂଯୁକ୍ତ କରାଯାଇଛି । “ପୋଷଣ୍ ଭି, ପଢ଼ାଇ ଭି” ଏହି ଅଭିଯାନ ମାଧ୍ୟମରେ ପିଲାମାନଙ୍କର ସନ୍ତୁଳିତ ବିକାଶ ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଛି । ଆପଣ ମଧ୍ୟ ଆପଣଙ୍କ ଅଞ୍ଚଳରେ ପୋଷଣ ପ୍ରତି ସଚେତନତା ଅଭିଯାନରେ ଯୋଗଦେବା ଉଚିତ । ଆପଣଙ୍କର ଏହି ଛୋଟିଆ ପ୍ରୟାସ ଦ୍ୱାରା କୁପୋଷଣ ବିରୁଦ୍ଧରେ ଏହି ଲଢ଼େଇକୁ ବହୁତ ସାହାଯ୍ୟ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ୍ କି ବାତ୍’ରେ ଏତିକି । ‘ମନ୍ କି ବାତ୍’ ମାଧ୍ୟମରେ ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗୁଛି । ଲାଗୁଛି ସତେ ଯେମିତି ମୁଁ ମୋର ପରିବାର ଲୋକଙ୍କ ସହିତ ବସି ଏକ ହାଲ୍କା ଫୁଲ୍କା ବାତାବରଣରେ ମୋ ମନର କଥା ବ୍ୟକ୍ତ କରୁଛି । ଆପଣମାନଙ୍କ ମନ ସହିତ ଯୋଡ଼ିହେଉଛି । ଆପଣମାନଙ୍କ ମତାମତ, ଆପଣଙ୍କ ପ୍ରସ୍ତାବ ମୋ ପାଇଁ ବହୁତ ମୂଲ୍ୟବାନ । କିଛିଦିନ ମଧ୍ୟରେ ଅନେକ ପର୍ବପର୍ବାଣୀ ଆସିବ । ସେସବୁ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଜନ୍ମାଷ୍ଟମୀ ଉତ୍ସବ ମଧ୍ୟ ଆସୁଛି । ଆସନ୍ତା ମାସର ଆରମ୍ଭରେ ଗଣେଶ ଚତୁର୍ଥୀ ପର୍ବ ମଧ୍ୟ ପଡ଼ିବ । ‘ଓଣମ୍’ ଉତ୍ସବ ମଧ୍ୟ ନିକଟତର ହେଲାଣି । ‘ମିଲାଦ୍ ଉନ୍ ନବୀ’ ପାଇଁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ ଏ ମାସ ୨୯ ତାରିଖରେ ତେଲୁଗୁ ଭାଷା ଦିବସ ମଧ୍ୟ ପାଳିତ ହେବ । ଏହା ବାସ୍ତବରେ ଗୋଟିଏ ଅଦ୍ଭୁତ ଭାଷା । ମୁଁ ଦୁନିଆର ସମସ୍ତ ତେଲୁଗୁଭାଷୀ ଲୋକମାନଙ୍କୁ ତେଲୁଗୁ ଭାଷାଦିବସର ଶୁଭକାମନା ଜଣାଉଛି ।

ପ୍ରପଞ୍ଚ ବ୍ୟାପ୍ତଙ୍ଗା ଉନ୍ନ,

ତେଲୁଗୁ ବାରିକି,

ତେଲୁଗୁ ଭାଷା ଦିନୋତ୍ସବ ଶୁଭାକାଂକ୍ଷିଲୁ ।

ବନ୍ଧୁଗଣ, ମୁଁ ଆପଣ ସମସ୍ତଙ୍କ ଏହି ବର୍ଷାଋତୁରେ ସାବଧାନ ରହିବା ସଙ୍ଗେ ସଙ୍ଗେ ‘Catch the rain movement’ରେ ଯୋଗଦେବାର ଅନୁରୋଧକୁ ଦୋହରାଉଛି । ମୁଁ ଆପଣ ସମସ୍ତଙ୍କୁ ‘ଏକ୍ ପେଡ଼୍ ମାଁ କେ ନାମ୍’ ଅଭିଯାନକୁ ମଧ୍ୟ ମନେ ପକାଇ ଦେବାକୁ ଚାହେଁ । ଅଧିକରୁ ଅଧିକ ଗଛ ଲଗାନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରେରଣା ଦିଅନ୍ତୁ । ଆଗାମୀ ଦିନରେ ପ୍ୟାରିସରେ ପାରାଅଲମ୍ପିକ୍ ମଧ୍ୟ ଆରମ୍ଭ ହେବ । ଆମର ଦିବ୍ୟାଙ୍ଗ ଭାଇଭଉଣୀମାନେ ସେଠାରେ ପହଞ୍ଚିଛନ୍ତି ଶହେ ଚାଳିଶ କୋଟି ଭାରତୀୟ ନିଜର ଆଥଲେଟ୍ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି । ଆପଣମାନେ ମଧ୍ୟ #Cheer4Bharat ମାଧ୍ୟମରେ ନିଜର ଖେଳାଳିମାନଙ୍କୁ ଉତ୍ସାହିତ କରନ୍ତୁ । ଆସନ୍ତା ମାସରେ ଆମେ ପୁଣିଥରେ ଭେଟିବା ଏବଂ ଅନେକ ବିଷୟରେ ଚର୍ଚ୍ଚା କରିବା । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ବହୁତ୍ ବହୁତ୍ ଧନ୍ୟବାଦ, ନମସ୍କାର ।

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”