- ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଏବଂ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ’ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
-ଦେଶରେ ମହିଳା ଓ ଶିଶୁମାନଙ୍କ ପାଇଁ ସର୍ବବୃହତ ସ୍ୱାସ୍ଥ୍ୟ ଆଉଟରିଚ
- ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଦେଶବ୍ୟାପୀ ସରକାରୀ କେନ୍ଦ୍ରରେ ୧ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର
-ଜନଜାତି ଅଞ୍ଚଳରେ ସେବାମୂଳକ କାର୍ଯ୍ୟ ସହ ‘ଆଦି ସେବା ପର୍ବ’ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମଧ୍ୟପ୍ରଦେଶ ପାଇଁ ଏକ କୋଟିତମ ସିକଲସେଲ ସ୍କି୍ରନିଙ୍ଗ ଏବଂ କାଉନସେଲିଙ୍ଗ କାର୍ଡ ବଣ୍ଟନ
- ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ମଧ୍ୟାହ୍ନ ୧୨ଟା ସମୟରେ ଧାରରେ ସେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଏବଂ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ’ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ସହିତ, ଉପସ୍ଥିତ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ସ୍ୱାସ୍ଥ୍ୟ, ପୋଷଣ, ଫିଟନେସ ଏବଂ ଏକ ସ୍ୱସ୍ଥ ଓ ସଶକ୍ତ ଭାରତ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ “ସ୍ୱସ୍ଥ ନାରୀ ସଶକ୍ତ ପରିବାର” ଏବଂ “ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ” ଅଭିଯାନର ଶୁଭାରମ୍ଭ କରିବେ । ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମଗ୍ର ଦେଶର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ଡାକ୍ତରଖାନା ଇତ୍ୟାଦିରେ ଆୟୋଜିତ ହେବ । ଏହି ସମୟରେ ୧ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ, ଯାହା ଦେଶରେ ମହିଳା ଓ ଶିଶୁମାନଙ୍କ ପାଇଁ ସବୁଠାରୁ ବୃହତ ଆଉଟରିଚ୍ ହେବ । ଦେଶବ୍ୟାପୀ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବା, ଏହି ଅଭିଯାନର ପ୍ରମୁଖ ବିଶେଷତା ହେବ ।

 

ଗୋଷ୍ଠୀ ସ୍ତରରେ ମହିଳାଙ୍କ ପାଇଁ ନିବାରକ, ପ୍ରୋତ୍ସାହନକାରୀ ଏବଂ ଉପଚାରାତ୍ମକ ସେବା ପ୍ରଦାନ କରିବା ଦେଶବ୍ୟାପୀ ଏହି ବ୍ୟାପକ ଅଭିଯାନର ଲକ୍ଷ୍ୟ ।  ଏହା ଅଣ-ସଂଚାରିତ ରୋଗ, ଆନେମିଆ,ଟୁ୍ୟବରକୁ୍ୟଲୋସିସ, ସିକିଲସେଲ ରୋଗର ସ୍କ୍ରିନିଙ୍ଗ, ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହା ମଧ୍ୟ ମାତୃ, ଶିଶୁ, କିଶୋରଙ୍କୁ ପ୍ରସବକାଳୀନ ଚିକିତ୍ସା, ଟିକାକରଣ, ପୋଷଣ, ଋତୁସ୍ରାବ ସ୍ୱଚ୍ଛତା ଆଦି ଉପରେ ସଚେତନ କରିବ । ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା, କେନ୍ଦ୍ରୀୟ ସରକାରୀ ପ୍ରତିଷ୍ଠାନ ଏବଂ ପ୍ରାଇଭେଟ ହସପିଟାଲରୁ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଚକ୍ଷୁ ଡାକ୍ତର, ଇଏନଟି, ଡେଣ୍ଟାଲ, ଚର୍ମ ରୋଗ ବିଶେଷଜ୍ଞ ଏବଂ ମାନସିକ ରୋଗ ବିଶେଷଜ୍ଞଙ୍କୁ ଏଥିରେ ସାମିଲ କରାଯିବ ।

ଏହି ଅଭିଯାନରେ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯିବ । ଇ-ରକ୍ତକୋଷ ପୋର୍ଟାଲରେ ରକ୍ତଦାତାମାନଙ୍କୁ ପଞ୍ଜିକୃତ କରାଯିବ ଏବଂ ମାଇଁଗଭ ଦ୍ୱାରା ଅଭିଯାନ ଚଲାଯିବ । ପିଏମ୍-ଜୟ, ଆୟୁଷ୍ମାନ ବୟ ବନ୍ଦନା ଏବଂ ଆଭା ଅଧୀନରେ ହିତାଧିକାରୀଙ୍କୁ ନାମାଙ୍କନ କରାଯିବ । କାର୍ଡ ଭେରିଫିକେସନ ଏବଂ ଅଭିଯୋଗ ଶୁଣାଣି ପାଇଁ ସ୍ୱାସ୍ଥ୍ୟ ଶିବିରରେ ହେଲ୍ପ ଡେସ୍କ ସ୍ଥାପନ କରାଯିବ । ମହିଳା ଓ ପରିବାରମାନଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଯୋଗ ସେସନ, ଆୟୁର୍ବେଦ ପରାମର୍ଶ ଏବଂ ଅନ୍ୟାନ୍ୟ ଆୟୁଷ ସେବା ଆୟୋଜନ କରାଯିବ । ଏହି ଅଭିଯାନ ମୋଟାପଣ ହ୍ରାସ, ପୋଷଣ ବୃଦ୍ଧି ଏବଂ ସ୍ୱେଚ୍ଛାକୃତ ରକ୍ତଦାନକୁ ଗୁରୁତ୍ୱ ଦେଇ ଲୋକମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ଆଡ଼କୁ ପ୍ରୋତ୍ସାହିତ କରିବ । ପୋଷଣ, ପରାମର୍ଶ ଏବଂ ଚିକିତ୍ସା ଭଳି ସାମଗ୍ରିକ ସାମାଜିକ ଆବେଗରେ ଟିବି ଆକ୍ରାନ୍ତମାନଙ୍କୁ ସହାୟତା କରିବାକୁ ଉତ୍ସର୍ଗୀକୃତ ପ୍ଲାଟଫର୍ମ (www.nikshay.in)ରେ ନିକ୍ଷୟ ମିତ୍ର ଭାବେ ପଞ୍ଜିକୃତ ହେବାକୁ ନାଗରିକଙ୍କୁ ଏହା ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦେଶବ୍ୟାପୀ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରକୁ ଗୋଟିଏ କ୍ଲିକରେ ପ୍ରଧାନମନ୍ତ୍ରୀ ନଗଦ ରାଶି ସ୍ଥାନାନ୍ତର କରିବେ । ଦେଶବ୍ୟାପୀ ପ୍ରାୟ ଦଶ ଲକ୍ଷ ମହିଳା ଉପକୃତ ହେବେ ।

ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଦିଗରେ ସଚେନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ସୁମନ ଶକ୍ତି ଚାଟବଟର ଶୁଭାରମ୍ଭ କରିବେ । ଗ୍ରାମାଞ୍ଚଳ ଏବଂ ଦୁର୍ଗମ କ୍ଷେତ୍ରରେ ଗର୍ଭବତୀଙ୍କୁ ଏହି ଚାଟବଟ ସମୟଭିତ୍ତିକ ସଠିକ ସୂଚନା ପ୍ରଦାନ କରିବା ସହ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ କରାଇବ ।

ସିକଲସେଲ୍ ଆନେମିଆ ବିରୋଧରେ ଦେଶର ମିଳିତ ଲଢ଼େଇକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟରେ ଏକକୋଟିତମ ସିକଲସେଲ ସ୍କ୍ରିନିଙ୍ଗ ଏବଂ କାଉନସେଲିଙ୍ଗ କାର୍ଡ ବଣ୍ଟନ କରିବେ ।

ଆଦି କର୍ମଯୋଗୀ ଅଭିଯାନର ଅଂଶ ଭାବେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ପାଇଁ ‘ଆଦି ସେବା ପର୍ବ’ର ଶୁଭାରମ୍ଭ କରିବେ, ଯାହାକି ଦେଶ ଗଠନରେ ଜନଜାତି  ଗର୍ବ ଓ ଆତ୍ମାର ସଙ୍ଗମକୁ ପ୍ରତୀକ ଭାବେ ଗ୍ରହଣ କରିବ । ଏହି ଅଭିଯାନରେ ଜନଜାତି ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ଦକ୍ଷତା ବିକାଶ, ଆଜୀବିକା ବୃଦ୍ଧି,ପରିମଳ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଆଦିକୁ ଗୁରୁତ୍ୱ ଦେଇ ଅନେକ ଗୁଡ଼ିଏ ସେବାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ଏକ ଦୀର୍ଘକାଳୀନ ବିକାଶ ରୋଡମ୍ୟାପ ପ୍ରସ୍ତୁତି ସକାଶେ ଟ୍ରାଇବାଲ ଭିଲେଜ ଆକ୍ସନ ପ୍ଲାନ ଏବଂ ଟ୍ରାଇବାଲ ଭିଲେଜ ଭିଜନ-୨୦୩୦କୁ ଗୁରୁତ୍ୱ ଦିଆଯିବ ।

ଫାଇଭ୍ ଏଫ୍ (5F Vision) ଭିଜନ- ଫାର୍ମରୁ ଫାଇବର, ଫାଇବରରୁ ଫ୍ୟାକ୍ଟୋରି, ଫ୍ୟାକ୍ଟୋରି ଫ୍ୟାସନ ଏବଂ ଫେସନରୁ ଫରେନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଧାର ଠାରେ  ପିଏମ୍ ମିତ୍ର ପାର୍କକୁ ଉଦଘାଟନ କରିବେ । ୨୧୫୦ ଏକର ପରିମିତ ବ୍ୟାପି ଏହି ପାର୍କରେ ସାମାନ୍ୟ ଅପଶିଷ୍ଟ ଉପଚାର ପ୍ରଣାଳୀ, ସୌରଶକ୍ତି ପ୍ଲାଣ୍ଟ, ଆଧୁନିକ ରାସ୍ତା ଏବଂ ଏକ ଆଦର୍ଶ ଔଦ୍ୟୋଗିକ ସହରରେ ପରିଣତ କରିବା ପାଇଁ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ । ଏହା ମଧ୍ୟ କପା ଚାଷୀଙ୍କ ଉତ୍ପାଦନକୁ ଉଚିତ ମୂଲ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ଉଲ୍ଲେଖନୀୟ ଫାଇଦା ଆଣିଦେବ ।

ନୂତନ ଉଦ୍ୟୋଗ ଏବଂ ବ୍ୟାପକ ନିଯୁକ୍ତି ସୁବିଧା ଦେବାକୁ ଅନେକ ଗୁଡ଼ିଏ ବୟନ ଶିଳ୍ପ କମ୍ପାନି ମଧ୍ୟ ୨୩ ହଜାର ୧୪୦ କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପ୍ରାୟ ୩ ଲକ୍ଷ ନିଯୁକ୍ତି ସୁଯୋଗ ଆଣିବା ସହ ରପ୍ତାନିକୁ ମଧ୍ୟ ବଢ଼ାଇବ ।

ପର୍ଯ୍ୟାବରଣ ସଂରକ୍ଷଣ ଏବଂ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜ୍ୟରେ ‘ଏକ ବଗିୟା ମା କେ ନାମ’ ଅଭିଯାନ ପାଇଁ ଏକ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ଜଣେ ମହିଳା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏକ ଚାରା ଉପହାର ପ୍ରଦାନ କରିବେ । ମଧ୍ୟପ୍ରଦେଶରେ ୧୦ ହଜାରରୁ ଅଧିକ ମହିଳା ‘ମା କୀ ବଗିୟା’ର ବିକାଶ କରିବେ । ବୃକ୍ଷର ସୁରକ୍ଷା ନିଶ୍ଚିତ କରିବା ପାଇଁ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଆବଶ୍ୟକ ସମ୍ବଳ ଉପଲବ୍ଧ କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s Rs 175 crore Diving Support Craft projects strengthen Navy’s underwater capabilities

Media Coverage

How India’s Rs 175 crore Diving Support Craft projects strengthen Navy’s underwater capabilities
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026