ବୃହତ ଭିତ୍ତିଭୂମି ପ୍ରକଳ୍ପର ଅଂଶୀଦାରମାନଙ୍କ ପାଇଁ ବିଭାଗୀୟ ବାଧା ଦୂର କରିବା ସହ ସାମଗ୍ରିକ ଯୋଜନା ପ୍ରସ୍ତୁତିକୁ ସଂସ୍ଥାଗତ ରୂପ ଦେବ ପିଏମ ଗତିଶକ୍ତି
ବର୍ତ୍ତମାନ ଏକ କେନ୍ଦ୍ରୀକୃତ ପୋର୍ଟାଲ ଜରିଆରେ ସମସ୍ତ ବିଭାଗ ପରସ୍ପରର ପ୍ରକଳ୍ପକୁ ଦେଖିପାରିବେ
ଯାତ୍ରୀ, ସାମଗ୍ରୀ ଓ ସେବାର ସମନ୍ୱିତ ଏବଂ ବାଧାମୁକ୍ତ ପରିବହନ ଲାଗି ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବ ବହୁମୁଖି ଯୋଗାଯୋଗ ବ୍ୟବସ୍ଥା
ପିଏମ ଗତିଶକ୍ତି ଜରିଆରେ ବହୁସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ପରିବହନ ଖର୍ଚ୍ଚ ହ୍ରାସ ପାଇବ, ଯୋଗାଣ ଶୃଙ୍ଖଳରେ ସୁଧାର ଆସିବ ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ଗୁଣବତ୍ତା ହାସଲ କରିପାରିବେ
ପ୍ରଗତି ମୈଦାନ ଠାରେ ନୂତନ ପ୍ରଦର୍ଶନୀ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଦେଶରେ ଭିତ୍ତିଭୂମିର କାୟାକଳ୍ପ ପରିବର୍ତ୍ତନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ‘ପିଏମ ଗତିଶକ୍ତି-ବହୁମୁଖି ଯୋଗାଯୋଗ (ମଲ୍ଟିମୋଡାଲ କନେକ୍ଟିଭିଟି) ପାଇଁ ଜାତୀୟ ମାଷ୍ଟର ପ୍ଲାନ’ର ଶୁଭାରମ୍ଭ କରିବେ ।

ବିଭିନ୍ନ କାରଣ ଯୋଗୁ ବହୁ ଦଶନ୍ଧି ଧରି ଭାରତରେ ଭିତ୍ତିଭୂମି ନିର୍ମାଣ ବାଧାପ୍ରାପ୍ତ ହୋଇଆସୁଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ରହୁଥିଲା, ଉଦାହରଣ ସ୍ୱରୂପ, ଥରେ ରାସ୍ତା ନିର୍ମାଣ ହୋଇସାରିବା ପରେ, ଅନ୍ୟ ଏଜେନ୍ସିଗୁଡ଼ିକ ଭୂତଳ କେବୁଲ ବିଛାଇବା, ଗ୍ୟାସ ପାଇପଲାଇନ ବିଛାଇବା ଆଦି କାମ ପାଇଁ ରାସ୍ତା ଖୋଳି ଦେଇଥାନ୍ତି । ଏହା କେବଳ ଅଧିକ ଅସୁବିଧା ସୃଷ୍ଟି କରୁନଥିଲା ବରଂ ଅଯଥା ଖର୍ଚ୍ଚ ମଧ୍ୟ ବଢ଼ାଉଥିଲା । ଏହାର ସମାଧାନ ପାଇଁ ସମସ୍ତ କେବୁଲ, ପାଇପଲାଇନ ଆଦିରେ ସମନ୍ୱୟ ବଢ଼ାଇବା ଲାଗି ପ୍ରୟାସ କରାଯାଉଥିଲା । ଦୀର୍ଘ ସମୟ ଅବଧି, ଅନୁମୋଦନ ପ୍ରକ୍ରିୟା, ନିୟାମକ ମଞ୍ଜୁରି ଜନିତ ଜଟିଳତା ଆଦି ଭଳି ଅନ୍ୟ ସମସ୍ୟାର ସମାଧାନ ଲାଗି ମଧ୍ୟ ପ୍ରଦକ୍ଷେପ ଗ୍ରହଣ କରାଯାଉଥିଲା । ବିଗତ ସାତ ବର୍ଷ ଧରି, ସରକାର ସାମଗ୍ରିକ ଆଭିମୁଖ୍ୟ ନେଇ ଭିତ୍ତିଭୂମି ନିର୍ମାଣ ଉପରେ ଅଭୂତପୂର୍ବ ଭାବେ ଗୁରୁତ୍ୱାରୋପ କରିଆସିଛନ୍ତି ।

ବୃହତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସାମଗ୍ରିକ ଯୋଜନା ପ୍ରସ୍ତୁତିକୁ ସଂସ୍ଥାଗତ ରୂପ ଦେବା ମାଧ୍ୟମରେ ପିଏମ ଗତିଶକ୍ତି ଅଂଶୀଦାରମାନଙ୍କ ଲାଗି ଅତୀତର ସବୁ ସମସ୍ୟା ଦୂର କରିବ ।  ପୃଥକ ପୃଥକ ଭାବେ ଯୋଜନା ଏବଂ ଡିଜାଇନ ପ୍ରସ୍ତୁତ କରି ବାଧା ଉତ୍ପନ୍ନ କରିବା ପରିବର୍ତ୍ତେ ଗୋଟିଏ ସାଧାରଣ ଦୃଷ୍ଟି ନେଇ ପ୍ରକଳ୍ପଗୁଡ଼ିକ ଡିଜାଇନ ଏବଂ କାର୍ଯ୍ୟକାରୀ କରାଯିବ । ଏହା ଭାରତମାଳା, ସାଗରମାଳା, ଅନ୍ତର୍ଦେଶୀୟ ଜଳମାର୍ଗ, ଶୁଷ୍କ/ଭୂମି ବନ୍ଦର, ଉଡ଼ାନ ଆଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଭିତ୍ତିଭୂମି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବ । ବୟନ କ୍ଲଷ୍ଟର, ଫାର୍ମାସ୍ୟୁଟିକାଲ କ୍ଲଷ୍ଟର, ପ୍ରତିରକ୍ଷା କରିଡର, ଇଲେକ୍ଟ୍ରୋନିକ ପାର୍କ, ଶିଳ୍ପ କରିଡର, ଫିଶିଂ କ୍ଲଷ୍ଟର, କୃଷି ଜୋନଗୁଡ଼ିକୁ ଏଥିରେ ସାମିଲ କରାଯାଇ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଅଣାଯିବ ଏବଂ ଭାରତୀୟ ବ୍ୟବସାୟକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରାଯିବ । ବିଆଇଏସଏଜି-ଏନ (ଭାସ୍କରାଚାର୍ଯ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ ଆପ୍ଲିକେସନ ଆଣ୍ଡ ଜିଓ-ଇନଫରମେଟିକ୍ସ) ଦ୍ୱାରା ବିକଶିତ ଭୂ-ସ୍ଥାନିକ ଯୋଜନା ଉପକରଣ ସହିତ ଇସ୍ରୋ ଇମେଜିଂକୁ ବ୍ୟବହାର କରାଯାଇ ଏହା ପ୍ରଯୁକ୍ତିର ମଧ୍ୟ ବ୍ୟାପକ ଉପଯୋଗ କରିବ ।

ପିଏମ ଗତିଶକ୍ତି ୬ଟି ମଜବୁତ ସ୍ତମ୍ଭ ଉପରେ ଛିଡ଼ା ହୋଇଛି :

୧. ବ୍ୟାପକତା : ଏହା ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସମସ୍ତ ବର୍ତ୍ତମାନର ପ୍ରକଳ୍ପ ଏବଂ ଯୋଜନା ପ୍ରସ୍ତୁତି ସ୍ତରରେ ଥିବା ପ୍ରକଳ୍ପଗୁଡ଼ିକୁ ଗୋଟିଏ କେନ୍ଦ୍ରୀକୃତ ପୋର୍ଟାଲରେ ସାମିଲ କରିବ । ପ୍ରତ୍ୟେକ ଏବଂ ସମସ୍ତ ବିଭାଗ ଏବେ ପରସ୍ପରର କାର୍ଯ୍ୟକ୍ରମକୁ ଦେଖିପାରିବେ । ବ୍ୟାପକ ଭାବେ ପ୍ରକଳ୍ପର ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତା ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିପାରିବେ।

୨. ପ୍ରାଥମିକତା : ଏହା ମାଧ୍ୟମରେ ବିଭିନ୍ନ ବିଭାଗ କ୍ରସ ସେକ୍ଟରାଲ ଇଣ୍ଟରଆକ୍ସନ ମାଧ୍ୟମରେ ନିଜର ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାରେ ସକ୍ଷମ ହେବେ ।

୩. ଅନୁକୂଳନ : ଜାତୀୟ ମାଷ୍ଟାର ପ୍ଲାନ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନଗୁଡ଼ିକୁ ଚିହ୍ନଟ କରିବା ପରେ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତିରେ ବିଭିନ୍ନ ମନ୍ତ୍ରଣାଳୟକୁ ସହାୟତା କରିପାରିବେ । ଗୋଟିଏରୁ ଅନ୍ୟ ସ୍ଥାନକୁ ସାମଗ୍ରୀ ପରିବହନ ଲାଗି, ଏହି ଯୋଜନା ସମୟ ଏବଂ ଖର୍ଚ୍ଚ ଦୃଷ୍ଟିରୁ ସବୁଠୁ ଅନୁକୂଳ ମାର୍ଗ ଚୟନ କରିବାରେ ସହାୟକ ହେବ ।

୪. ସମକାଳୀନକ୍ରିୟା : ବ୍ୟକ୍ତିଗତ ମନ୍ତ୍ରଣାଳୟ ଏବଂ ବିଭାଗ ଅଧିକାଂଶ ସମୟରେ ପୃଥକ ପୃଥକ ହୋଇ କାର୍ଯ୍ୟ କରିଥାନ୍ତି । ପ୍ରକଳ୍ପର ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସମନ୍ୱୟର ଅଭାବ ରହିଥାଏ ଯାହାଫଳରେ ବିଳମ୍ବ ହୋଇଥାଏ। ପିଏମ ଗତିଶକ୍ତି ପ୍ରତ୍ୟେକ ବିଭାଗ ସହିତ ପ୍ରଶାସନର ପ୍ରତ୍ୟେକ ସ୍ତରର କାର୍ଯ୍ୟକଳାପକୁ ସମକାଳୀନ ଭାବେ କାର୍ଯ୍ୟକାରୀ କରିବାରେ ସହାୟକ ହେବ । ଏହା ସେମାନଙ୍କ ମଧ୍ୟରେ ସାମଗ୍ରିକ ଦୃଷ୍ଟିକୋଣ ସହିତ କାର୍ଯ୍ୟରେ ସମନ୍ୱୟ ସୁନିଶ୍ଚିତ କରିବ ।

୫. ବିଶ୍ଳେଷଣାତ୍ମକ : ଏହି ଯୋଜନା ଜିଆଇଏସ ଆଧାରିତ ଭୂସ୍ଥାନିକ ଯୋଜନା ଏବଂ ୨୦୦ରୁ ଅଧିକ ସ୍ତର ଥିବା ବିଶ୍ଳେଷଣାତ୍ମକ ଉପକରଣ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ଗୋଟିଏ ସ୍ଥାନରେ ପ୍ରଦାନ କରିବ ।

୬. ଗତିଶୀଳ : ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଏବେ ଜିଆଇଏସ ପ୍ଲାଟଫର୍ମ ଜରିଆରେ ବିଭିନ୍ନ କ୍ଷେତ୍ରର ପ୍ରକଳ୍ପର ଅଗ୍ରଗତିକୁ ଦେଖିପାରିବେ, ସମୀକ୍ଷା କରିପାରିବେ ଏବଂ ଅନୁଧ୍ୟାନ କରିପାରିବେ। କାରଣ ଉପଗ୍ରହ ଚିତ୍ର ଉତ୍ତୋଳନ ମାଧ୍ୟମରେ ଏହା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରକଳ୍ପର ଭୂମିଗତ ଅଗ୍ରଗତି ସମ୍ପର୍କରେ ସୂଚନା ଦେବ। ପୋର୍ଟାଲରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ନିୟମିତ ବ୍ୟବଧାନରେ ତଥ୍ୟ ପ୍ରଦାନ କରାଯିବ। ମାଷ୍ଟର ପ୍ଲାନକୁ ବଢ଼ାଇବା ଏବଂ ଅପଡେଟ୍ କରିବା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପକୁ ଚିହ୍ନଟ କରିବାରେ ସହାୟକ ହେବ।

ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ କରି ଆସୁଛନ୍ତି । ପିଏମ-ଗତିଶକ୍ତି ହେଉଛି ଏହି ପ୍ରୟାସର ଏକ ପରିଣାମ । ଏହା ଜୀବନ ଧାରଣକୁ ସହଜ କରିବା (ଇଜ୍ ଅଫ୍ ଲିଭିଂ) ଏବଂ ବ୍ୟବସାୟ ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେବା (ଇଜ୍ ଅଫ୍ ଡୁଇଂ ବିଜନେସ)ରେ ସୁଧାର ଆଣିବ। ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଗୋଟିଏ ପରିବହନ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଜନସାଧାରଣ, ସାମଗ୍ରୀ ଏବଂ ସେବାର ସମନ୍ୱିତ ଏବଂ ବାଧାମୁକ୍ତ ସ୍ଥାନାନ୍ତର ପାଇଁ ସୁବିଧା ପ୍ରଦାନ କରିବ। ଏହା ଅନ୍ତିମ ଦୂରତା ପର୍ଯ୍ୟନ୍ତ ଭିତ୍ତିଭୂମି ସଂଯୋଗ ଉପଲବ୍ଧ କରାଇବ ଏବଂ ଲୋକମାନଙ୍କର ଯାତ୍ରା ସମୟ ହ୍ରାସ କରିବ ।

ପିଏମ ଗତିଶକ୍ତି ଜନସାଧାରଣ ଏବଂ ବ୍ୟବସାୟ ସମୁଦାୟକୁ ଆଗାମୀ ଯୋଗାଯୋଗ ପ୍ରକଳ୍ପ, ଅନ୍ୟ ବ୍ୟବସାୟିକ କେନ୍ଦ୍ର, ଶିଳ୍ପ କ୍ଷେତ୍ର ଏବଂ ପାରିପାର୍ଶ୍ୱିକ ପରିବେଶ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଅନୁକୂଳ ସ୍ଥାନରେ ସେମାନଙ୍କର ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ଲାଗି ଏହା ନିବେଶକମାନଙ୍କୁ ସମର୍ଥ କରିବ। ଫଳରେ ସମନ୍ୱୟ ବୃଦ୍ଧି ପାଇବ। ଏହା ବହୁମୁଖି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ସହାୟକ ହେବ। ପରିବହନ ଖର୍ଚ୍ଚ ହ୍ରାସ ଓ ଯୋଗାଣ ଶୃଙ୍ଖଳରେ ସୁଧାର ଏବଂ ସ୍ଥାନୀୟ ଉଦ୍ୟୋଗ ଓ ଉପଭୋକ୍ତାମାନଙ୍କ ପାଇଁ ଉପଯୁକ୍ତ ଯୋଗାଯୋଗ ସୁନିଶ୍ଚିତ କରିବା ମାଧ୍ୟମରେ ଏହା ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବିଶ୍ୱସ୍ତରରେ ବୃଦ୍ଧି କରିବ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଗତି ମୈଦାନ ଠାରେ ନବନିର୍ମିତ ପ୍ରଦର୍ଶନୀ ପରିସର (ପ୍ରଦର୍ଶନୀ ହଲ ୨ରୁ୫)କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହି ନୂଆ ପ୍ରଦର୍ଶନୀ ହଲରେ ଭାରତୀୟ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ପ୍ରମୁଖ କାର୍ଯ୍ୟକ୍ରମ- ଭାରତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ) ୨୦୨୧ ନଭେମ୍ବର ୧୪-୨୭ ପର୍ଯ୍ୟନ୍ତ ଆୟୋଜନ କରାଯିବ ।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ, ରେଳ ମନ୍ତ୍ରୀ, ବିମାନ ଚଳାଚଳ ମନ୍ତ୍ରୀ, ଜାହାଜ ଚଳାଚଳ ମନ୍ତ୍ରୀ, ଶକ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour