ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ କଲେ ପ୍ରାର୍ଥନା
ଏମ-ଯୋଗ ଆପ୍ ଘୋଷଣା କରି କହିଲେ ଏହି ଆପ୍ ‘ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ’ ଲକ୍ଷ୍ୟ ହାସଲ କରିବାରେ ହେବ ସହାୟକ
ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ
ସମ୍ମୁଖ ଯୋଦ୍ଧାମାନେ ଯୋଗକୁ ସେମାନଙ୍କର ସୁରକ୍ଷାକବଚ କରିଛନ୍ତି ଏବଂ ସେମାନଙ୍କ ରୋଗୀଙ୍କୁ ମଧ୍ୟ ସହାୟତା କରିଛନ୍ତି : ପ୍ରଧାନମନ୍ତ୍ରୀ
ଭିନ୍ନତାରୁ ଏକତା ଦିଗରେ ନେଇଥାଏ ଯୋଗ। ଯୋଗ ହେଉଛି ଆତ୍ମାନୁଭୂତିର ଏକ ପ୍ରାମାଣିକ ମାର୍ଗ, ଏକତାର ଏକ ଅନୁଭବ : ପ୍ରଧାନମନ୍ତ୍ରୀ
‘ବସୁଧୈବ କୁଟୁମ୍ବକମ୍’ର ମନ୍ତ୍ର ବିଶ୍ୱସ୍ତରରେ ଗ୍ରହଣୀୟ ହେଉଛି : ପ୍ରଧାନମନ୍ତ୍ରୀ
ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଯୋଗ ଏହି କଷ୍ଟକର ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା, ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଗ ପ୍ରତି ବିଶ୍ୱବ୍ୟାପୀ ଉତ୍ସାହ ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମ୍ମୁଖ କରୋନା ଯୋଦ୍ଧାମାନେ କିପରି ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି ଏବଂ ନିଜକୁ ଯୋଗ ମାଧ୍ୟମରେ ଦୃଢ଼ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭୂତାଣୁର ପ୍ରଭାବକୁ ହ୍ରାସ କରିବା ଦିଗରେ ଜନସାଧାରଣ, ଡାକ୍ତର, ନର୍ସମାନେ ଯୋଗକୁ ମାଧ୍ୟମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଆମର ଶ୍ୱସନ ପ୍ରଣାଳୀକୁ ସୁଦୃଢ଼ କରିବାରେ ପ୍ରାଣାୟମ ଓ ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ବ୍ୟାୟାମ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।

ମହାନ ତାମିଲ ସନ୍ଥ ତିରୁଭଲ୍ଲୁଭରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ, ରୋଗର ମୂଳ କାରଣକୁ ଠାବ କରିବାରେ ଯୋଗ ସହାୟତା କରିଥାଏ ଏବଂ ଆରୋଗ୍ୟ ଲାଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ବିଶ୍ୱସ୍ତରରେ ଯୋଗର ଆରୋଗ୍ୟ ଗୁଣ ଉପରେ ଗବେଷଣା କରାଯାଉଛି। ଯୋଗ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ଉପରେ ଅଧ୍ୟୟନ କରାଯାଉଛି ଏବଂ ପିଲାମାନେ ସେମାନଙ୍କର ଅନଲାଇନ୍ ପାଠପଢ଼ା ସମୟରେ ଯୋଗ କରୁଥିବା ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯୋଗ ପିଲାମାନଙ୍କୁ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛି।

ପ୍ରଧାନମନ୍ତ୍ରୀ ଯୋଗର ସାମଗ୍ରିକ ପ୍ରକୃତି ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ ଏହା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ। ଯୋଗ ଆମର ଆନ୍ତରିକ ସାମର୍ଥ୍ୟ ସହିତ ଯୋଡ଼ି ହେବାରେ ସହାୟକ ହୋଇଥାଏ ଏବଂ ଆମକୁ ସମସ୍ତ ପ୍ରକାରର ନକାରାତ୍ମକତା ଠାରୁ ଦୂରେଇ ରଖିଥାଏ। ଯୋଗର ସକାରାତ୍ମକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଭିନ୍ନତାରୁ ଏକତା ଦିଗରେ ଆଗେଇ ନେଇଥାଏ। ଏହା ଆତ୍ମାନୁଭୂତିର ଏକ ପ୍ରମାଣିକ ମାର୍ଗ, ଏକତାର ଏକ ଅନୁଭବ।” ସେ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଏକ ଉକ୍ତି ବେଶ ପ୍ରାସଙ୍ଗିକ : “ସ୍ଵୟଂର ଅର୍ଥ ଈଶ୍ୱର ଏବଂ ଅନ୍ୟମାନଙ୍କ ଠାରୁ ଅଲଗା ହେବା ନୁହେଁ, ବରଂ ଏହା ଯୋଗର ଅସୀମ ଅନୁଭବ, ଏକାତ୍ମର ବିଶାଳତା ମଧ୍ୟରେ ନିହୀତ ରହିଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତ ‘ବସୁଧୈବ କୁଟୁମ୍ବକମ’ ମନ୍ତ୍ର ପାଳନ କରି ଆସିଛି, ଯାହା ଆଜି ସାରା ବିଶ୍ୱରେ ସ୍ଵୀକୃତି ଲାଭ କରିଛି। ଆମେ ସମସ୍ତେ ପରସ୍ପରର ସୁସ୍ଥତା କାମନା କରୁଛୁ। ମାନବତା ବିରୋଧରେ ବିପଦ ସୃଷ୍ଟି ହେଲେ ଯୋଗ ଆମକୁ ସାମଗ୍ରିକ ସ୍ଵାସ୍ଥ୍ୟ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ “ଯୋଗ ଆମକୁ ଆନନ୍ଦପୂର୍ଣ୍ଣ ଜୀବନ ନିର୍ବାହ କରିବାର ମାର୍ଗ ପ୍ରଦର୍ଶିତ କରିଥାଏ। ମୋର ଭରସା ରହିଛି ଯେ ଯୋଗ ଜନମାନସର ସ୍ଵାସ୍ଥ୍ୟ ଲାଗି ରୋଗ ନିରାକରଣ ସହିତ ଜନସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସକାରାତ୍ମକ ଭୂମିକା ନିର୍ବାହ କରିବ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱକୁ ଏମ-ଯୋଗ ଆପ୍ ମିଳିବ। ଏଥିରେ ଯୋଗାଭ୍ୟାସ ଉପରେ ଅନେକ ଭିଡିଓ ରହିଛି, ଯାହା ବହୁ ଭାଷାରେ ଉପଲବ୍ଧ ହେବ। ଏସବୁ ଭିଡିଓ ସାଧାରଣ ଯୋଗ ଅଭ୍ୟାସ ଉପରେ ଆଧାରିତ। ଏହି ପ୍ରୟାସକୁ ଆଧୁନିକ ପ୍ରଯୁକ୍ତି ଏବଂ ପ୍ରାଚୀନ ବିଜ୍ଞାନର ମହାନ ସଂଗମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏମ-ଯୋଗ ଆପ୍ ଦ୍ୱାରା ସାରା ବିଶ୍ୱରେ ଯୋଗର ପ୍ରସାରରେ ସହାୟତା ମିଳିପାରିବ ତଥା ଏହା ମାଧ୍ୟମରେ “ଏକ ବିଶ୍ୱ ଏକ ସ୍ଵାସ୍ଥ୍ୟ’ ପ୍ରୟାସକୁ ମଧ୍ୟ ବଳ ମିଳିବ।

ପ୍ରଧାନମନ୍ତ୍ରୀ ଭଗବତ୍ ଗୀତାର ଉଦାହାରଣ ଦେଇ କହିଥିଲେ ଯେ ଆମ ସମସ୍ତଙ୍କୁ ଯୋଗର ସମ୍ମିଳିତ ଯାତ୍ରାରେ ଆଗେଇବାକୁ ହେବ କାରଣ ଯୋଗ ନିକଟରେ ସମସ୍ତଙ୍କ ପାଇଁ ସମାଧାନର ସୂତ୍ର ରହିଛି। ଯୋଗ ଏହାର ମୂଳ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନିକଟରେ ଯୋଗକୁ ପହଞ୍ଚାଇବାରେ ଯୋଗଦାନ ଦେବା ଯୋଗ ଗୁରୁ ଏବଂ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival