ସେୟାର
 
Comments
After 100 crore vaccine doses, India moving ahead with new enthusiasm & energy: PM Modi
Sardar Patel played key role in uniting the princely states as one nation: PM Modi
PM Modi’s rich tributes to Bhagwaan Birsa Munda; urges youth to read more about tribal community in freedom movement
PM Modi: In 1947-48, when the Universal Declaration of UN Human Rights was being prepared, it was being written - “All Men are Created Equal”. But a delegate from India objected to this and then it was changed to - "All Human Beings are Created Equal"
Our women police personnel are becoming role models for millions of daughters of the country: PM Modi
India is one of the countries in the world, which is preparing digital records of land in the villages with the help of drones: PM Modi
Let us take a pledge that we will not let the momentum of Swachh Bharat Abhiyan go down. Together we will make our country clean: PM Modi

୧୦୦ କୋଟି ଡୋଜ ଟିକାଦାନ ପରେ ଆଜି ଦେଶ ନୂତନ ଉତ୍ସାହନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ

ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର । କୋଟି କୋଟି ନମସ୍କାର । ମୁଁ କୋଟି କୋଟି ନମସ୍କାର କହିବାର କାରଣ ୧୦୦ କୋଟି ପାନ ଟିକାଦାନ ପରେ ଆଜି ଦେଶ ନୂତନ ଉତ୍ସାହ, ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି । ଆମର ଟୀକାକରଣ କାର୍ଯ୍ୟକ୍ରମର ସଫଳତା ଭାରତର ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ସମସ୍ତଙ୍କ ପ୍ରଚେଷ୍ଟାର ମନ୍ତ୍ରଶକ୍ତିକୁ ଦର୍ଶାଉଛି ।

ବନ୍ଧୁଗଣ, ୧୦୦ କୋଟି ପାନ ଟିକାଦାନର ପରିସଂଖ୍ୟାନ ବହୁତ ବଡ, କିନ୍ତୁ ଏହା ସହ ଲକ୍ଷ ଲକ୍ଷ ଛୋଟ ଛୋଟ ପ୍ରେରଣାଦାୟକ ଏବଂ ଗର୍ବିତ କରୁଥିବା ଅନେକ ଅନୁଭୂତି, ଅନେକ ଉଦାହରଣ ଜଡ଼ିତ । ଅନେକ ଲୋକ ମୋତେ ଚିଠି ଲେଖି ପଚାରୁଛନ୍ତି ଯେ ଟିକା ଦେବା ଆରମ୍ଭ ହେବା ସହିତ କେମିତି ଆପଣଙ୍କ ମନରେ ବିଶ୍ୱାସ ଜାତ ହେଲା ଯେ, ଏହି ଅଭିଯାନ ଏତେ ବଡ଼ ସଫଳତା ଲାଭ କରିବ । ମୋ ମନରେ ଦୃଢ଼ ବିଶ୍ୱାସ ଥିଲା କାରଣ ମୁଁ ମୋ ଦେଶର ସାମର୍ଥ୍ୟ, ମୋ ଦେଶର ଲୋକମାନଙ୍କ ବିଷୟରେ ଭଲ ଭାବରେ ଜାଣିଛି । ମୁଁ ଜାଣିଥିଲି ଯେ ଆମର ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଦେଶବାସୀଙ୍କ ଟୀକାକରଣ କାର୍ଯ୍ୟରେ କିଛି ଊଣା ରଖିବେନି । ଆମର ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ ଏବଂ ସଂକଳ୍ପର ସହିତ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି, ସେମାନେ ନୂତନ ଭାବନା ସହ ନିଜର ଦୃଢ଼ ଇଚ୍ଛାଶକ୍ତିରେ ମାନବିକତା ପାଇଁ ସେବାର ଏକ ନୂତନ ମାନଦଣ୍ଡ ସ୍ଥାପନା କରିଛନ୍ତି । ତାଙ୍କ ବିଷୟରେ ଅସଂଖ୍ୟ ଉଦାହରଣ ଅଛି, ଯାହା ଦର୍ଶାଏ ଯେ ସେମାନେ କିପରି ସମସ୍ତ ଆହ୍ୱାନକୁ ଅତିକ୍ରମ କରି ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷାକବଚ ପ୍ରଦାନ କରିଛନ୍ତି । ଆମେ ଅନେକ ଥର ଖବରକାଗଜରେ ପଢ଼ିଛୁ, ବାହାରେ ମଧ୍ୟ ଶୁଣିଛୁ ଏହି ଲୋକମାନେ ଏ କାମ କରିବା ପାଇଁ କେତେ ପରିଶ୍ରମ କରିଛନ୍ତି, ଅନେକ ପ୍ରେରଣାଦାୟକ ଉଦାହରଣ ଆମ ସାମ୍ନାରେ ଅଛି । ଆଜି ମୁଁ ଉତ୍ତରାଖଣ୍ଡର ବାଗେଶ୍ୱରର ଜଣେ ସ୍ୱାସ୍ଥ୍ୟକର୍ମୀ ପୁନମ ନୌଟିଆଲଙ୍କୁ ‘ମନ କି ବାତ୍’ର ଶ୍ରୋତାମାନଙ୍କ ସହ ପରିଚିତ କରାଇବାକୁ ଚାହୁଁଛି । ବନ୍ଧୁଗଣ, ଏହି ବାଗେଶ୍ୱର ସେହି ଉତ୍ତରାଖଣ୍ଡର ଏକ ସ୍ଥାନ, ଯେଉଁ ଉତ୍ତରାଖଣ୍ଡ ଶତକଡ଼ା ୧୦୦ ଭାଗ ପ୍ରଥମ ପାନ ଟିକାକରଣ କାର୍ଯ୍ୟ ପୂରଣ କରିଛି । ଏଥିପାଇଁ ଉତ୍ତରାଖଣ୍ଡ ସରକାର ମଧ୍ୟ ଅଭିନନ୍ଦନର ହକଦାର, କାରଣ ଏହା ଏକ ଦୁର୍ଗମ ଅଂଚଳ । ସେହିଭଳି ହିମାଚଳ ମଧ୍ୟ ଏଭଳି ଅସୁବିଧାରେ ଶତପ୍ରତିଶତ ଟୀକାଦାନ କାର୍ଯ୍ୟ ପୂରଣ କରିଛି । ମୋତେ କୁହାଯାଇଛି ଯେ ପୁନମ ତାଙ୍କ ଅଂଚଳର ଲୋକଙ୍କ ଟୀକାକରଣ ପାଇଁ ଦିନରାତି କାମ କରିଛନ୍ତି ।

ପ୍ରଧାନମନ୍ତ୍ରୀ                     :         ପୁନମ ଜୀ ନମସ୍କାର ।

ପୁନମ ନୌଟିଆଲ୍              :              ସାର୍ ପ୍ରଣାମ ।

ପ୍ରଧାନମନ୍ତ୍ରୀ                     : ପୁନମ ଜୀ, ଦେଶର ଶ୍ରୋତାମାନଙ୍କୁ ନିଜ ବିଷୟରେ କୁହନ୍ତୁ ।

ପୁନମ ନୌଟିଆଲ୍              : ସାର୍ ମୁଁ ପୁନମ୍ ନୌଟିଆଲ୍ । ସାର୍ ମୁଁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାର ଚାନି କୋରାଲୀ କେନ୍ଦ୍ରରେ କାର୍ଯ୍ୟ କରୁଛି । ମୁଁ ଜଣେ ଏଏନ୍ଏମ୍ ସାର୍ ।

ପ୍ରଧାନମନ୍ତ୍ରୀ                     : ପୁନମ ଜୀ, ଏହା ମୋର ସୌଭାଗ୍ୟ ଯେ, ମୁଁ ବାଗେଶ୍ୱର ଆସିବାର ସୁଯୋଗ ପାଇଥିଲି । ଏହା ଏକ ପ୍ରକାର ତୀର୍ଥସ୍ଥଳୀ, ସେଠାରେ ପ୍ରାଚୀନ ମନ୍ଦିର ଇତ୍ୟାଦି ଅଛି । ଶହଶହ ବର୍ଷ ପୂର୍ବେ ଲୋକେ ଏଠାରେ କିପରି କାର୍ଯ୍ୟ କରିଥିବେ! ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି ।

ପୁନମ ନୌଟିଆଲ              :                 ହଁ ସାର୍ ।

ପ୍ରଧାନମନ୍ତ୍ରୀ                     : ପୁନମ ଜୀ, ଆପଣ ଆପଣଙ୍କ ଅଂଚଳର ସମସ୍ତ ଲୋକଙ୍କ ଟୀକାକରଣ କରିସାରିଛନ୍ତି କି ?

ପୁନମ ନୌଟିଆଲ              : ହଁ ସାର୍, ସବୁ ଲୋକଙ୍କର ହୋଇଯାଇଛି ।

ପ୍ରଧାନମନ୍ତ୍ରୀ                     : ଆପଣ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି ?

ପୁନମ ନୌଟିଆଲ              : ହଁ ସାର୍ । ସାର୍, ଯେତେବେଳେ ବର୍ଷା ହେଉଥିଲା, ସେଠି ରାସ୍ତା ଅବରୋଧ ହୋଇଯାଉଥିଲା । ସାର୍, ଆମକୁ ନଦୀ ପାର ହୋଇ ଯିବାକୁ ପଡୁଥିଲା ଏବଂ ସାର୍, ଆମେ NHCVC ଅଧିନରେ ଘରକୁ ଘର ଯାଇଛୁ । ଯେଉଁମାନେ ଟିକାଦାନ କେନ୍ଦ୍ରକୁ ଆସିପାରୁ ନ ଥିଲେ ଯେମିତିକି ବୟସ୍କ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଆମକୁ ସେମାନଙ୍କ ଘରକୁ ଯିବାକୁ ପଡୁଥିଲା ସାର୍ ।

ପ୍ରଧାନମନ୍ତ୍ରୀ                     : କିନ୍ତୁ ସେଠି ପାହାଡ଼ ଉପରେ ଘରଗୁଡ଼ିକ ତ ଦୂରରେ ଦୂରରେ!

ପୁନମ ନୌଟିଆଲ              :                  ଆଜ୍ଞା ।

ପ୍ରଧାନମନ୍ତ୍ରୀ                     : ତେବେ ଗୋଟିଏ ଦିନରେ ଆପଣ କେତେ ବାଟ ଯାଇପାରୁଥିଲେ ?

ପୁନମ ନୌଟିଆଲ              : ସାର୍ ଦିନେ ଦିନେ ୧୦ କିଲୋମିଟର ତ ପୁଣି କେବେ କେବେ ୮ କିଲୋମିଟର ।

ପ୍ରଧାନମନ୍ତ୍ରୀ                     : ଆଚ୍ଛା, ମୁଁ ଜାଣେ । ସମତଳ ଅଂଚଳରେ ରହୁଥିବା ଲୋକମାନେ ୮-୧୦ କିଲୋମିଟର କ’ଣ ବୁଝିପାରିବେନି । ପାହାଡ଼ିଆ ଜାଗାରେ ୮-୧୦ କିଲୋମିଟର ଯିବାରେ ଦିନଟି ଚାଲିଯାଏ ।

ପୁନମ ନୌଟିଆଲ              :                    ହଁ ।

ପ୍ରଧାନମନ୍ତ୍ରୀ                     : କିନ୍ତୁ ଗୋଟିଏ ଦିନରେ ? ଟୀକାକରଣର ସମସ୍ତ ସାମଗ୍ରୀ ବହନ କରିବା ଆଉ ଯିବା ବହୁତ କଠିନ ପରିଶ୍ରମର କାମ । ଆପଣଙ୍କ ସହିତ କେହି ସହାୟକ ଅଛନ୍ତି କି ?

ପୁନମ ନୌଟିଆଲ୍              : ହଁ, ଦଳର ସଦସ୍ୟ, ଆମେ ପାଂଚଜଣ ସାର୍ !

ପ୍ରଧାନମନ୍ତ୍ରୀ                     :                  ଆଚ୍ଛା ।

ପୁନମ ନୌଟିଆଲ୍              : ସେଥିରୁ ଜଣେ ଡାକ୍ତର, ଜଣେ ANM, ଜଣେ ହେଲେ ଫାର୍ମାସିଷ୍ଟ, ଜଣେ ASHA ଏବଂ ଜଣେ DATA ENTRY ଅପରେଟର ।

ପ୍ରଧାନମନ୍ତ୍ରୀ                     : ଆଚ୍ଛା DATA ENTRY କରିବା ପାଇଁ ସେଠି କନେକ୍ଟିଭିଟି ଥିଲା ନା ବାଗେଶ୍ୱର ଆସିବା ପରେ କରିବାକୁ ପଡ଼ୁଥିଲା?

ପୁନମ ନୌଟିଆଲ୍              : ସାର୍, ଗୋଟିଏ ଗୋଟିଏ ଜାଗାରେ ମିଳୁଥିଲା, ବେଳେବେଳେ ବାଗେଶ୍ୱରକୁ ଆସିବା ପରେ କରିବାକୁ ପଡୁଥିଲା ।

ପ୍ରଧାନମନ୍ତ୍ରୀ                     : ଠିକ ଅଛି! ପୁନମ ଜୀ, ମୋତେ କୁହାଯାଇଛି ଯେ ଆପଣ ନିୟମ ବାହାରକୁ ଯାଇ ମଧ୍ୟ ଲୋକଙ୍କ ଟୀକାକରଣ କଲେ । ଏକଥା ଆପଣଙ୍କ ମନକୁ କେମିତି ଆସିଲା?

ପୁନମ ନୌଟିଆଲ୍              : ଆମର ପୁରାଟିମ୍ ସଂକଳ୍ପ କରିଥିଲୁ ଯେ ଜଣେ ବି ବ୍ୟକ୍ତି ଯେମିତି ଟିକାକରଣରୁ ବାଦ୍ ନ ପଡ଼ନ୍ତି । କରୋନା ରୋଗ ଆମ ଦେଶରୁ ଲୋପ ପାଇବା ଉଚିତ୍ । ମୁଁ ଏବଂ ଆଶା ଏକାଠି ମିଶି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ଓ ଗ୍ରାମ ତାଲିକା ପ୍ରସ୍ତୁତ କରିଥିଲୁ, ସେହି ଅନୁଯାୟୀ କେନ୍ଦ୍ରକୁ ଆସିଥିବା ଲୋକଙ୍କୁ କେନ୍ଦ୍ରରେ ରଖାଯାଇଥିଲା । ତା’ପରେ ଆମେ ଘରକୁ ଘର ଗଲୁ । ସାର୍, ତା’ପରେ, ଯେଉଁମାନେ କେନ୍ଦ୍ରକୁ ଆସିପାରି ନ ଥିଲେ, ସେମାନଙ୍କୁ ଟିକା ଦିଆଗଲା ।

ପ୍ରଧାନମନ୍ତ୍ରୀ                     : ଆଚ୍ଛା, ଲୋକଙ୍କୁ ତ ବୁଝାଇବାକୁ ପଡ଼ିଥିବ?

ପୁନମ ନୌଟିଆଲ୍              :    ଆଜ୍ଞା, ବୁଝାଇବାକୁ ପଡ଼ିଥିଲା ।

ପ୍ରଧାନମନ୍ତ୍ରୀ                     : ଟିକା ନେବାକୁ ଏବେ ବି ଲୋକମାନଙ୍କର ଉତ୍ସାହ କେମିତି ଅଛି?

ପୁନମ ନୌଟିଆଲ              : ହଁ, ସାର୍ । ଏବେ ଲୋକମାନେ ବୁଝିସାରିଛନ୍ତି । ପ୍ରଥମରେ ଆମକୁ ବହୁତ ଅସୁବିଧା ହୋଇଥିଲା । ଲୋକଙ୍କୁ ବୁଝାଇବାକୁ ପଡୁଥିଲା ଯେ ଏହି ଟିକା ନିରାପଦ ଏବଂ ଏହା ପ୍ରଭାବଶାଳୀ, ଆମେ ମଧ୍ୟ ନେଇଛୁ, ଆମେ ସମସ୍ତେ ଭଲ ଅଛୁ, ଆପଣଙ୍କ ସାମ୍ନାରେ ରହିଛୁ ଏବଂ ଆମର କର୍ମଚାରୀମାନେ ବି ନେଇସାରିଛନ୍ତି ।

ପ୍ରଧାନମନ୍ତ୍ରୀ                     : ଟିକା ନେବାପରେ କୌଣସି ସ୍ଥାନରେ କାହାର ଅଭିଯୋଗ ଆସିଥିଲା?

ପୁନମ ନୌଟିଆଲ              :              ନା-ନା ସାର୍ ।

ପ୍ରଧାନମନ୍ତ୍ରୀ                     :           କିଛି ହେଲା ନାହିଁ ।

ପୁନମ ନୌଟିଆଲ              :                    ନା ।

ପ୍ରଧାନମନ୍ତ୍ରୀ                     :        ସମସ୍ତେ ସନ୍ତୁଷ୍ଟ ହେଲେ ।

ପୁନମ ନୌଟିଆଲ              :                  ଆଜ୍ଞା ।

ପ୍ରଧାନମନ୍ତ୍ରୀ                     :              ଭଲ ହେଲା ।

ପୁନମ ନୌଟିଆଲ              :                  ଆଜ୍ଞା ।

ପ୍ରଧାନମନ୍ତ୍ରୀ                     : ଯାହାହେଉ, ଆପଣ ବହୁତ ଭଲ କାମ କରିଛନ୍ତି ଏବଂ ମୁଁ ଜାଣେ, ଏହି ସମଗ୍ର ଅଂଚଳରେ, ପାହାଡ଼ ପର୍ବତ ଉପରେ ଚାଲିବା କେତେ କଷ୍ଟକର । ଗୋଟିଏ ପାହାଡ଼ ଉପରେ ଚଢ଼, ତା’ପରେ ତଳକୁ ଯାଅ, ତା’ପରେ ପୁଣି ଗୋଟିଏ ପାହାଡ ଉପରେ ଚଢ଼, ଘର ବି ସବୁ ଦୂରରେ ଦୂରରେ, ତାସତ୍ୱେ ବି ଆପଣ ଏତେ ବଢ଼ିଆ କାମ କରିଛନ୍ତି ।

ପୁନମ ନୌଟିଆଲ              : ଧନ୍ୟବାଦ ସାର୍, ଆପଣଙ୍କ ସହ କଥାହେବା ମୋର ସୌଭାଗ୍ୟ ।

ପ୍ରଧାନମନ୍ତ୍ରୀ                     : ଆପଣଙ୍କ ପରି ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ହେତୁ ଭାରତ ଶହେ କୋଟି ପାନ ଟିକାକରଣର ବିରଳ ମାଇଲଖୁଂଟ ଅତିକ୍ରମ କରିପାରିଛି । ଆଜି ମୁଁ କେବଳ ଆପଣଙ୍କୁ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି, ଯେଉଁମାନେ ‘ସମସ୍ତଙ୍କୁ ଟିକା-ମାଗଣା ଟିକା’ ଅଭିଯାନକୁ ସଫଳ କରିଛନ୍ତି । ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ବହୁତ ବହୁତ ଶୁଭକାମନା ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ଜାଣନ୍ତି ଯେ ଆସନ୍ତା ରବିବାର, ଅକ୍ଟୋବର ୩୧ ତାରିଖ ଦିନ ସର୍ଦ୍ଦାର ପଟେଲଙ୍କର ଜନ୍ମବାର୍ଷିକୀ । ‘ମନ୍ କି ବାତ୍’ର ପ୍ରତ୍ୟେକ ଶ୍ରୋତାଙ୍କ ତରଫରୁ ଏବଂ ମୋ ତରଫରୁ ମୁଁ ଲୌହମାନବଙ୍କୁ ପ୍ରଣାମ କରୁଛି । ବନ୍ଧୁଗଣ, ଅକ୍ଟୋବର ୩୧ ତାରିଖ ଦିନକୁ ଆମେ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରୁ । ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ ଆମେ ଏକତାର ବାର୍ତ୍ତା ଦେଉଥିବା କୌଣସି ନା କୌଣସି କାର୍ଯ୍ୟକଳାପରେ ଯୋଗଦେବା ଆବଶ୍ୟକ । ଆପଣ ଦେଖିଥିବେ, ନିକଟରେ ଗୁଜୁରାଟ ପୁଲିସ କଚ୍ଛର ଲଖପତ ଦୁର୍ଗରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଗୋଟିଏ ବାଇକ୍ ରାଲିର ଆୟୋଜନ କରିଥିଲେ । ଏକତା ଦିବସ ପାଳନ ପାଇଁ ତ୍ରିପୁରା ପୁଲିସ୍ କର୍ମଚାରୀମାନେ ତ୍ରିପୁରାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ବାଇକ୍ ରାଲି କରୁଛନ୍ତି । ଅର୍ଥାତ୍ ଦେଶକୁ ପୂର୍ବରୁ ପଶ୍ଚିମକୁ ସଂଯୋଗ କରୁଛନ୍ତି । ଜମ୍ମୁ କଶ୍ମୀର ପୁଲିସ କର୍ମଚାରୀମାନେ ମଧ୍ୟ ଉରିରୁ ପଠାନକୋଟ ପର୍ଯ୍ୟନ୍ତ ସେହିଭଳି ବାଇକ୍ ରାଲି କରି ଦେଶକୁ ଏକତାର ବାର୍ତ୍ତା ଦେଉଛନ୍ତି । ମୁଁ ଏହି ସମସ୍ତ ଯବାନମାନଙ୍କୁ ସାଲୁ୍ୟଟ କରୁଛି । ମୁଁ ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାର ଅନେକ ଭଉଣୀଙ୍କ ବିଷୟରେ ଅବଗତ ହୋଇଛି । ଏହି ଭଉଣୀମାନେ କଶ୍ମୀରରେ ସେନା ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ତ୍ରିରଂଗା ପତାକା ସିଲେଇ କରିବାର କାମ କରୁଛନ୍ତି । ଏହି କାର୍ଯ୍ୟ ଦେଶପ୍ରେମର ଭାବନାରେ ପରିପୂର୍ଣ୍ଣ । ମୁଁ ଏହି ଭଉଣୀମାନଙ୍କ ଉତ୍ସାହକୁ ପ୍ରଶଂସା କରୁଛି । ଆପଣ ମଧ୍ୟ ଭାରତର ଏକତା ପାଇଁ, ଭାରତର ଶ୍ରେଷ୍ଠତା ପାଇଁ କିଛି ନା କିଛି କରିବା ଉଚିତ । ଦେଖିବେ, ଆପଣଙ୍କ ମନକୁ କେତେ ସନ୍ତୋଷ ମିଳୁଛି ।

ବନ୍ଧୁଗଣ, ସର୍ଦ୍ଦାର ସାହେବ କହୁଥିଲେ – “ଆମେ କେବଳ ଆମର ମିଳିତ ଉଦ୍ୟୋଗ ଦ୍ୱାରା ଦେଶକୁ ନୂତନ ଶିଖରକୁ ନେଇପାରିବା । ଯଦି ଆମ ମଧ୍ୟରେ ଏକତା ନ ରହେ, ତେବେ ଆମେ ନିଜକୁ ନୂଆ ନୂଆ ବିପଦରେ ପକାଇଦେବା ।” ଅର୍ଥାତ୍, ଯଦି ଜାତୀୟ ଏକତା ରହେ, ତାହେଲେ ଉନ୍ନତି ହେବ, ବିକାଶ ହେବ । ସର୍ଦ୍ଦାର ପଟେଲଙ୍କ ଜୀବନରୁ, ତାଙ୍କ ଚିନ୍ତାଧାରାରୁ ଆମେ ବହୁତ କିଛି ଶିଖିପାରିବା । ଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ସର୍ଦ୍ଦାର ସାହେବଙ୍କ ଉପରେ ଏକ ସଚିତ୍ର ଜୀବନୀ ପ୍ରକାଶ କରିଛି । ମୁଁ ଚାହୁଁଛି ଆମର ସମସ୍ତ ଯୁବବନ୍ଧୁ ଏହାକୁ ପଢ଼ନ୍ତୁ । ଏହା ଆପଣଙ୍କୁ ସର୍ଦ୍ଦାର ସାହେବଙ୍କ ବିଷୟରେ ଏକ ଆକର୍ଷଣୀୟ ଢଙ୍ଗରେ ଅନେକ କିଛି ଜାଣିବାର ସୁଯୋଗ ଦେବ ।

ପ୍ରିୟ ଦେଶବାସୀଗଣ, ଜୀବନ ନିରନ୍ତର ଉନ୍ନତି ଚାହେଁ, ବିକାଶ ଚାହେଁ, ଉଚ୍ଚତା ଅତିକ୍ରମ କରିବାକୁ ଚାହେଁ । ବିଜ୍ଞାନ ଅଗ୍ରଗତି କରିପାରେ, ପ୍ରଗତିର ଗତି ଯେତେ ଦ୍ରୁତ ହୋଇପାରେ, ବଡ଼ ବଡ଼ ଘର ହୋଇପାରେ, ତଥାପି ଜୀବନ ଅସମ୍ପୂର୍ଣ୍ଣ ଅନୁଭବ କରେ । କିନ୍ତୁ, ଯେତେବେଳେ ଗୀତ-ସଙ୍ଗୀତ, କଳା, ନାଟ୍ୟ-ନୃତ୍ୟ, ସାହିତ୍ୟ ସେମାନଙ୍କ ସହିତ ଯୋଡ଼ିହୁଏ, ସେତେବେଳେ ସେମାନଙ୍କର ଆଭା ବହୁଗୁଣିତ ହୁଏ, ସେମାନେ ଜୀବନ୍ତ ପ୍ରତୀତ ହୁଅନ୍ତି । ଜୀବନକୁ ଅର୍ଥପୂର୍ଣ୍ଣ କରିବାକୁ ହେଲେ ଏସବୁ ମଧ୍ୟ ଆବଶ୍ୟକ, ସେଥିପାଇଁ କୁହାଯାଏ ଯେ ଏହି ସମସ୍ତ କଳା, ଆମ ଜୀବନରେ ଉତପ୍ରେରକ ଭାବରେ କାର୍ଯ୍ୟ କରେ, ଆମର ଶକ୍ତି ବୃଦ୍ଧି କରେ । ମାନବ ମନର ଅନ୍ତର୍ନିହିତ ପ୍ରାଣର ବିକାଶରେ, ଆମର ଅନ୍ତର୍ନିହିତ ଯାତ୍ରା ପାଇଁ ମାର୍ଗ ପ୍ରସ୍ତୁତ କରିବାରେ, ସଙ୍ଗୀତ ଏବଂ ବିଭିନ୍ନ କଳା ଏକ ବଡ଼ ଭୂମିକା ଗ୍ରହଣ କରେ ଏବଂ ସେମାନଙ୍କର ଏକ ମହାନ୍ ଶକ୍ତି ଅଛି ତାହା ହେଉଛି ଯେ ସମୟ ସେମାନଙ୍କୁ ବାନ୍ଧିପାରିବ ନାହିଁ କିମ୍ବା ସୀମା ମଧ୍ୟ ବାନ୍ଧିପାରିବ ନାହିଁ । ଆଉ ନା ମତାନ୍ତର ବାନ୍ଧିପାରେ । ଅମୃତ ମହୋତ୍ସବରେ ମଧ୍ୟ ନିଜର କଳା, ସଂସ୍କୃତି, ଗୀତ, ସଙ୍ଗୀତର ରଙ୍ଗ ଭରିବା ଆବଶ୍ୟକ । ମୋ ପାଖକୁ ମଧ୍ୟ ଆପଣଙ୍କ ତରଫରୁ ଅମୃତ ମହୋତ୍ସବ ଏବଂ ଗୀତ-ସଙ୍ଗୀତ-କଳାର ଏହି ଶକ୍ତି ସହିତ ଜଡ଼ିତ ଅନେକ ପରାମର୍ଶ ମିଳୁଛି । ଏହି ପରାମର୍ଶଗୁଡ଼ିକ ମୋ ପାଇଁ ବହୁତ ମୂଲ୍ୟବାନ । ମୁଁ ଏହାକୁ ଅଧ୍ୟୟନ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ପଠାଇଥିଲି । ମୁଁ ଖୁସି ଯେ ମନ୍ତ୍ରଣାଳୟ ଏତେ କମ ସମୟ ମଧ୍ୟରେ ଏହି ପରାମର୍ଶଗୁଡ଼ିକୁ ଗୁରୁତ୍ୱ ସହ ଗ୍ରହଣ କରିଛି ଏବଂ ସେଗୁଡ଼ିକ ଉପରେ କାର୍ଯ୍ୟ ମଧ୍ୟ କରିଛି । ଏହି ପରାମର୍ଶ ମଧ୍ୟରୁ ଗୋଟିଏ ହେଉଛି ଦେଶଭକ୍ତି ଗୀତ ସହିତ ଜଡ଼ିତ ଏକ ପ୍ରତିଯୋଗିତା । ସ୍ୱାଧୀନତା ସଂଗ୍ରାମରେ, ବିଭିନ୍ନ ଭାଷାରେ ଦେଶଭକ୍ତି ଗୀତ ଏବଂ ଭଜନ ସମଗ୍ର ଦେଶକୁ ଏକତାର ସୂତ୍ରରେ ବାନ୍ଧି ଦେଇଥିଲା । ବର୍ତ୍ତମାନ ଅମୃତ ମହୋତ୍ସବ ସମୟରେ ଆମର ଯୁବକମାନେ ଏହିଭଳି ଦେଶଭକ୍ତି ଗୀତ ଲେଖି ଏହି ଉତ୍ସବରେ ଅଧିକ ଶକ୍ତି ଭରି ଦେଇପାରିବେ । ଏହି ଦେଶଭକ୍ତି ଗୀତଗୁଡ଼ିକ ମାତୃଭାଷାରେ ହୋଇପାରେ, ଜାତୀୟ ଭାଷାରେ ହୋଇପାରେ ଏବଂ ଇଂରାଜୀରେ ମଧ୍ୟ ଲେଖାଯାଇପାରେ । କିନ୍ତୁ, ଏହା ଆବଶ୍ୟକ ଯେ ଏହି ସୃଷ୍ଟିଗୁଡ଼ିକ ନୂତନ ଭାରତର ନୂତନ ଚିନ୍ତାଧାରାର ହେବା ଉଚିତ ଏବଂ ଦେଶର ବର୍ତ୍ତମାନର ସଫଳତାରୁ ପ୍ରେରଣା ଗ୍ରହଣ କରି ଭବିଷ୍ୟତ ପାଇଁ ଦେଶକୁ ସଂକଳ୍ପ ପ୍ରଦାନକାରୀ ହେଉ । ସଂସ୍କୃତି ମନ୍ତ୍ରଣାଳୟ ତହସିଲ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଏହାସହ ଜଡ଼ିତ ଏକ ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚଳାଇଛି ।

ବନ୍ଧୁଗଣ ‘ମନ୍ କି ବାତ୍’ର ଜଣେ ଶ୍ରୋତା ପରାମର୍ଶ ଦେଇଛନ୍ତି ଯେ ଅମୃତ ମହୋତ୍ସବକୁ ରଙ୍ଗୋଲି ଆଙ୍କିବା କଳା ସହିତ ମଧ୍ୟ ଜଡ଼ିତ କରାଯିବା ଉଚିତ । ଶହ ଶହ ବର୍ଷ ଧରି ବିଭିନ୍ନ ରଙ୍ଗରେ ରଙ୍ଗୋଲି ବା ମୁରୁଜ ମାଧ୍ୟମରେ ପର୍ବରେ ରଙ୍ଗ ଭରିବାର ଆମର ପରମ୍ପରା ରହିଛି । ରଙ୍ଗୋଲିରେ ଦେଶର ବିବିଧତାର ଝଲକ ମଧ୍ୟ ଦେଖିବାକୁ ମିଳେ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ, ବିଭିନ୍ନ ବିଷୟ ଉପରେ ରଙ୍ଗୋଲି ଅଙ୍କାଯାଇଥାଏ । ତେଣୁ ସଂସ୍କୃତି ମନ୍ତ୍ରଣାଳୟ ମଧ୍ୟ ଏହାସହ ଜଡ଼ିତ ଏକ ଜାତୀୟ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛି । ଆପଣ କଳ୍ପନା କରନ୍ତୁ, ଯେତେବେଳେ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଏକ ରଙ୍ଗୋଲି ତିଆରି ହେବ, ଲୋକମାନେ ନିଜ ଦ୍ୱାରରେ, କାନ୍ଥରେ ଏକ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କିବେ, ରଙ୍ଗ ସହିତ ସ୍ୱାଧୀନତାର କୌଣସି ଘଟଣା ଦେଖାଇବେ, ସେତେବେଳ ଅମୃତ ମହୋତ୍ସବର ଗୁରୁତ୍ୱ ଆହୁରି ବଢ଼ିଯିବ ।

ବନ୍ଧୁଗଣ, ଆମର ସଂସ୍କୃତିରେ ନାନାବାୟା ଗୀତର ମଧ୍ୟ ଏକ ପରମ୍ପରା ରହିଛି । ଏଠାରେ ଛୋଟ ପିଲାମାନଙ୍କୁ ନାନାବାୟା ଗୀତ ମାଧ୍ୟମରେ ସଂସ୍କାର ଦିଆଯାଏ, ସେମାନେ ସଂସ୍କୃତି ସହିତ ପରିଚିତ ହୁଅନ୍ତି । ନାନାବାୟା ଗୀତର ମଧ୍ୟ ବିଭିନ୍ନ ପ୍ରକାର ଅଛି । ତେବେ ଆମେ, ଅମୃତ ମହୋତ୍ସବ ସମୟରେ ଏହି କଳାକୁ ପୁନର୍ଜୀବିତ କାହିଁକି ନ କରିବା ଏବଂ ଦେଶପ୍ରେମ ସହ ଜଡ଼ିତ ଏଭଳି କିଛି କବିତା, ଗୀତ କିମ୍ବା ଅନ୍ୟାନ୍ୟ ଲେଖା ଲେଖିବା ଯାହା ପ୍ରତ୍ୟେକ ଘରେ ମାଆମାନେ ନିଜ ଛୋଟ ପିଲାମାନଙ୍କୁ ସହଜରେ ଶୁଣାଇପାରିବେ । ଏହି ନାନାବାୟା ଗୀତରେ ଆଧୁନିକ ଭାରତର କଥା ଅବା ଏକବିଂଶ ଶତାବ୍ଦୀ ଭାରତର ସ୍ୱପ୍ନର ପ୍ରତିଫଳନ ହେଉ । ସମସ୍ତ ଶ୍ରୋତାମାନଙ୍କ ପରାମର୍ଶ କ୍ରମେ ମନ୍ତ୍ରଣାଳୟ ଦ୍ୱାରା ଏହାସହ ଜଡ଼ିତ ଏକ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି ।

ବନ୍ଧୁଗଣ, ଏହି ତିନୋଟି ପ୍ରତିଯୋଗିତା ୩୧ ଅକ୍ଟୋବରରେ ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀରୁ ଆରମ୍ଭ ହେବାକୁ ଯାଉଛି । ଆଗାମୀ ଦିନରେ ସଂସ୍କୃତି ମନ୍ତ୍ରଣାଳୟ ଏହାସହ ଜଡ଼ିତ ସମସ୍ତ ସୂଚନା ଦେବ । ଏହି ସୂଚନା ମନ୍ତ୍ରଣାଳୟର ୱେବସାଇଟରେ ରହିବ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ଦିଆଯିବ । ମୁଁ ଚାହୁଁଛି ଆପଣ ସମସ୍ତେ ଏଥିରେ ଯୋଗ ଦିଅନ୍ତୁ । ଆମର ଯୁବକ-ସାଥୀମାନେ ନିଶ୍ଚିତ ଭାବରେ ସେମାନଙ୍କର କଳା ଏବଂ ପ୍ରତିଭାର ପ୍ରଦର୍ଶନ କରନ୍ତୁ । ଏହାସହିତ ଆପଣଙ୍କ ଅଂଚଳର କଳା ଏବଂ ସଂସ୍କୃତି ମଧ୍ୟ ଦେଶର ପ୍ରତ୍ୟେକ କୋଣରେ ପହଂଚିବ, ଆପଣଙ୍କ କାହାଣୀ ସମଗ୍ର ଦେଶ ଶୁଣିବ ।

ପ୍ରିୟ ଦେଶବାସୀଗଣଅମୃତ ମହୋତ୍ସବ ସମୟରେଆମେ ଦେଶର ସାହସୀ ପୁଅ  ଝିଅମାନଙ୍କୁ ଆମର ମହାନ ପୁଣ୍ୟାତ୍ମାମାନଙ୍କ ସମ୍ପର୍କରେ ସ୍ମରଣ କରାଉଛୁ  ଆସନ୍ତା ମାସନଭେମ୍ବର ୧୫ ତାରିଖରେଆମ ଦେଶର ଏହିଭଳି ଜଣେ ମହାନ ବ୍ୟକ୍ତିସାହସୀ ଯୋଦ୍ଧା ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମବାର୍ଷିକୀ ପାଳନ ହେବାକୁ ଯାଉଛି  ଭଗବାନ ବିର୍ସା ମୁଣ୍ଡା ‘ଧରଣୀ ଆବା’ ନାମରେ ମଧ୍ୟ ଜଣାଶୁଣା  ଏହାର ଅର୍ଥ  ଆପଣ ଜାଣନ୍ତି କି ଏହାର ଅର୍ଥ ପୃଥିବୀର ପିତା  ଭଗବାନ ବିର୍ସା ମୁଣ୍ଡା ନିଜ ସଂସ୍କୃତିଜଙ୍ଗଲଜମିର ସୁରକ୍ଷା ପାଇଁ ଯେଉଁଭଳି ଭାବରେ ଲଢ଼ିଥିଲେତାହା କେବଳ ‘ଧରଣୀ ଆବା’ ହିଁ କରିପାରିଥାନ୍ତେ  ଆମ ସଂସ୍କୃତି ପାଇଁ ଗର୍ବିତ ହେବାକୁ ସେ ଆମକୁ ଶିଖାଇଲେ  ବିଦେଶୀ ସରକାର ତାଙ୍କୁ କେତେ ଧମକ ଦେଇଥିଲେକେତେ ଚାପ ପକାଇଲେକିନ୍ତୁ ସେ ଆଦିବାସୀ ସଂସ୍କୃତି ଛାଡ଼ିଲେ ନାହିଁ  ଯଦି ଆମକୁ ପ୍ରକୃତି ଏବଂ ପରିବେଶକୁ ଭଲ ପାଇବାକୁ ଶିଖିବାର ଅଛିତେବେ ଏଥିପାଇଁ ମଧ୍ୟ ‘ଧରଣୀ ଆବା’ ଭଗବାନ ବିର୍ସା ମୁଣ୍ଡା ଆମପାଇଁ ମହାନ ପ୍ରେରଣା  ବିଦେଶୀ ଶାସନର ସେହି ସମସ୍ତ ନୀତିର ସେ ଦୃଢ଼ ବିରୋଧ କରିଥିଲେଯାହା ପରିବେଶ ପାଇଁ କ୍ଷତିକାରକ ଥିଲା  ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାରେ ଭଗବାନ ବିର୍ସା ମୁଣ୍ଡା ସର୍ବଦା ଆଗରେ ରହୁଥିଲେ  ସାମାଜିକ କୁସଂସ୍କାର ଦୂର କରିବା ପାଇଁ ସେ ସମାଜକୁ ସଚେତନ କରାଇଥିଲେ  ଉଲଗୁଲାନ୍ ବିପ୍ଳବରେ ତାଙ୍କ ନେତୃତ୍ୱକୁ କିଏ ବା ଭୁଲିପାରିବଏହି ଆନ୍ଦୋଳନ ବ୍ରିଟିଶମାନଙ୍କୁ ଥରହର କରିଦେଇଥିଲା  ଯାହାପରେ ବ୍ରିଟିଶମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଉପରେ ଏକ ବଡ଼ ପୁରସ୍କାର ଘୋଷଣା କରିଥିଲେ  ବ୍ରିଟିଶ ସରକାର ତାଙ୍କୁ ଜେଲରେ ରଖିଥିଲେତାଙ୍କୁ ଏତେ ନିର୍ଯାତନା ଦିଆଯାଇଥିଲା ଯେ ୨୫ ବର୍ଷରୁ ମଧ୍ୟ କମ୍ ବୟସରେ ସେ ଆମକୁ ଛାଡ଼ି ଚାଲିଗଲେଅବଶ୍ୟ ଦୈହିକ ରୂପେ 

ଜନସାଧାରଣଙ୍କ ମନରେଭଗବାନ ବିର୍ସା ମୁଣ୍ଡା ସବୁଦିନ ପାଇଁ ରହିଛନ୍ତି  ତାଙ୍କ ଜୀବନ ଲୋକଙ୍କ ପାଇଁ ଏକ ପ୍ରେରଣା ଶକ୍ତି ହୋଇରହିଛି  ଆଜି ମଧ୍ୟ ତାଙ୍କର ସାହସ ଏବଂ ବୀରତ୍ୱରେ ପରିପୂର୍ଣ୍ଣ ଲୋକଗୀତ  କାହାଣୀ ଭାରତର କେନ୍ଦ୍ରୀୟ ଅଂଚଳରେ ବହୁତ ଲୋକପ୍ରିୟ  ମୁଁ ‘ଧରଣୀ ଆବା’ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି ଏବଂ ଯୁବକମାନଙ୍କୁ ତାଙ୍କ ବିଷୟରେ ଅଧିକ ପଢ଼ିବାକୁ ଅନୁରୋଧ କରୁଛି  ଭାରତର ସ୍ୱାଧୀନତା ସଂଗ୍ରାମରେ ଆମ ଆଦିବାସୀ ଗୋଷ୍ଠୀର ଅନନ୍ୟ ଅବଦାନ ବିଷୟରେ ଆପଣ ଯେତେ ଜାଣିବେସେତେ ଗର୍ବ ଅନୁଭବ କରିବେ 

ମୋର ପ୍ରିୟ ଦେଶବାସୀଗଣ, ଆଜି ୨୪ ଅକ୍ଟୋବରରେ ୟୁଏନ୍ ଡେ ଅର୍ଥାତ ‘ଜାତିସଂଘ ଦିବସ’ ପାଳନ କରାଯାଏ । ଏହି ଦିନ ଜାତିସଂଘ ଗଠିତ ହୋଇଥିଲା । ଜାତିସଂଘ ସ୍ଥାପନ ସମୟରୁ ହିଁ ଭାରତ ଏଥିସହ ସମୃକ୍ତ ହୋଇଆସିଛି । ଆପଣ କ’ଣ ଜାଣନ୍ତି ଯେ ଭାରତ ସ୍ୱାଧୀନତା ପୂର୍ବରୁ ୧୯୪୫ରେ ହିଁ ଜାତିସଂଘର ସନନ୍ଦରେ ହସ୍ତାକ୍ଷର କରିଥିଲା । ଜାତିସଂଘ ସହିତ ଜଡ଼ିତ ଏକ ନିଆରା ଦିଗ ହେଉଛି ଜାତିସଂଘର ପ୍ରଭାବ ଓ ତା’ର ଶକ୍ତି ବଢ଼ାଇବାରେ ଭାରତର ନାରୀଶକ୍ତି ବଡ଼ ଭୂମିକା ତୁଲାଇଛି । ୧୯୪୭-୪୮ରେ ଯେତେବେଳେ ଜାତିସଂଘ ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ସେହି ଘୋଷଣାନାମାରେ ଲେଖାଯାଉଥିଲା “ଅଲ୍ ମେନ୍ ଆର୍ କ୍ରିଏଟେଡ ଇକ୍ୱାଲ୍” । କିନ୍ତୁ ଭାରତର ଏକ ପ୍ରତିନିଧି ଦଳ ଏହା ଉପରେ ଆପତି କରିଥିଲେ ଏବଂ ତା’ପରେ ଏହି ସାର୍ବଜନୀନ ଘୋଷଣାନାମାରେ ଲେଖାଗଲା- “ଅଲ୍ ହ୍ୟୁମାନ ବିଙ୍ଗ୍ସ ଆର୍ କ୍ରିଏଟେଡ ଇକ୍ୱାଲ୍” ଅର୍ଥାତ୍ ସୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ସମାନ । ଏହି କଥା ଭାରତର ପୁରାତନ ପରମ୍ପରାରେ ରହିଥିବା ଲିଙ୍ଗ ସମାନତା ଅନୁରୂପ ଥିଲା । କ’ଣ ଆପଣ ଜାଣନ୍ତି ଯେ ଶ୍ରୀମତୀ ହଂସା ମେହେତା ସେହି ପ୍ରତିନିଧି ଦଳରେ ଥିଲେ, ଯାହାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଲା । ସେତେବେଳେ ଅନ୍ୟ ଜଣେ ପ୍ରତିନିଧି ଶ୍ରୀମତୀ ଲକ୍ଷ୍ମୀ ମେନନ ଲିଙ୍ଗ ସମାନତା ପ୍ରସଙ୍ଗରେ ଖୁବ୍ ଦୃଢ଼ଭାବେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । କେବଳ ଏତିକି ନୁହେଁ, ୧୯୫୩ରେ ଶ୍ରୀମତୀ ବିଜୟାଲକ୍ଷ୍ମୀ ପଣ୍ଡିତ ଜାତିସଂଘ ସାଧାରଣ ସଭାର ମଧ୍ୟ ପ୍ରଥମ ମହିଳା ଅଧ୍ୟକ୍ଷା ହୋଇଥିଲେ ।

ବନ୍ଧୁଗଣ, ଆମେ ସେହି ଭୂମିର ଲୋକ, ଯେଉଁମାନେ ବିଶ୍ୱାସ କରନ୍ତି, ଯେଉଁମାନେ ଏହା ପ୍ରାର୍ଥନା କରନ୍ତି:

ଓଁ ଦ୍ୱୌଃ ଶାନ୍ତିରନ୍ତରୀକ୍ଷଁ ଶାନ୍ତିଃ

ପୃଥ୍ୱୀ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିଃ ।

ବନସ୍ପତୟଃ ଶାନ୍ତିର୍ବିଶ୍ୱେ ଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ

ସର୍ବେଶାନ୍ତିଃ ଶାନ୍ତିରେବ ଶାନ୍ତିଃ, ସା ମା ଶାନ୍ତିରେଧି । ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ।

ଭାରତ ସର୍ବଦା ବିଶ୍ୱଶାନ୍ତି ପାଇଁ କାର୍ଯ୍ୟ କରିଛି । ଆମେ ଏଥିରେ ଗର୍ବିତ ଯେ ଭାରତ ୧୯୫୦ ଦଶନ୍ଧିରୁ କ୍ରମାଗତ ଜାତିସଂଘ ଶାନ୍ତି ମିଶନର ଅଂଶ ହୋଇଆସିଛି । ଦାରିଦ୍ର୍ୟ ଉନ୍ମୁଳନ, ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମିକଙ୍କ ସମ୍ବନ୍ଧୀୟ ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟ ଭାରତ ଅଗ୍ରଣୀ ଭୂମିକା ତୁଲାଉଛି । ଏହାବ୍ୟତୀତ ଯୋଗ ଓ ଆୟୁଷକୁ ଲୋକପ୍ରିୟ କରିବାରେ ଭାରତ ଡବ୍ଲୁ୍ୟଏଚ୍ଓ ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି କାମ କରୁଛି । ମାର୍ଚ୍ଚ ୨୦୨୧ରେ ଡବ୍ଲୁ୍ୟଏଚ୍ଓ ଘୋଷଣା କରିଥିଲା ଯେ ଭାରତରେ ପାରମ୍ପରିକ ଚିକିତ୍ସା ପାଇଁ ଏକ ଗ୍ଲୋବାଲ୍ ସେଂଟର୍ ସ୍ଥାପିତ କରାଯିବ ।

ବନ୍ଧୁଗଣ, ଜାତିସଂଘ ସମ୍ପର୍କରେ କଥା ହେବାବେଳେ ଆଜି ମୋର ଅଟଳ ଜୀଙ୍କ କେତେକ ଶବ୍ଦ ମଧ୍ୟ ମନେ ପଡ଼ିଯାଉଛି । ୧୯୭୭ରେ ସେ ଜାତିସଂଘରେ ହିନ୍ଦୀରେ ଉଦବୋଧନ ଦେଇ ଇତିହାସ ସୃଷ୍ଟି କରିଥିଲେ । ଆଜି ମୁଁ ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ ଅଟଳ ଜୀଙ୍କ ସେହି ସମ୍ବୋଧନର ଏକ ଅଂଶ ଶୁଣାଇବାକୁ ଚାହୁଁଛି । ଶୁଣନ୍ତୁ, ଅଟଳ ଜୀଙ୍କ ଓଜସ୍ୱୀ ସ୍ୱର-

“ଏଠାରେ ମୁଁ ରାଷ୍ଟ୍ରର ସତା ଓ ମହତ୍ୱ ସମ୍ପର୍କରେ ଭାବୁନାହିଁ । ସାଧାରଣ ମଣିଷର ପ୍ରତିଷ୍ଠା ଓ ପ୍ରଗତି ମୋ ପାଇଁ ବହୁତ ଅଧିକ ମହତ୍ୱ ରଖେ । ଅନ୍ତତଃ ଆମର ସଫଳତା ଓ ଅସଫଳତାମାନ କେବଳ ଗୋଟିଏ ମାପଦଣ୍ଡରେ ମପାଯିବା ଉଚିତ ଯେ ଆମେ କ’ଣ ସମଗ୍ର ମାନବ ସମାଜ, ବସ୍ତୁତଃ ପ୍ରତ୍ୟେକ ନରନାରୀ ଓ ଶିଶୁଙ୍କ ପାଇଁ ନ୍ୟାୟ ଓ ଗରିମାର ଆଶ୍ୱସ୍ତି ଦେବା ପାଇଁ ଆମେ ପ୍ରଯତ୍ନଶୀଳ” ।

ବନ୍ଧୁଗଣ, ଅଟଳ ଜୀଙ୍କ ଏ କଥା ଆଜି ମଧ୍ୟ ଆମକୁ ଦିଗ ଦେଖାଇଥାଏ । ଏ ଧରିତ୍ରୀକୁ ଏକ ଉତ୍ତମ ଓ ସୁରକ୍ଷିତ ଗ୍ରହ ତିଆରିବାରେ ଭାରତର ଯୋଗଦାନ ସମଗ୍ର ବିଶ୍ୱ ପାଇଁ ବହୁତ ବଡ଼ ପ୍ରେରଣା ।

ମୋର ପ୍ରିୟ ଦେଶବାସୀଗଣ, ଏଇ କିଛି ଦିନ ଆଗରୁ ହିଁ ୨୧ ଅକ୍ଟୋବରରେ ଆମେ ପୁଲିସ ସ୍ମୃତି ଦିବସ ପାଳିଲେ । ପୁଲିସର ଯେଉଁ ବନ୍ଧୁମାନେ ଦେଶସେବାରେ ନିଜର ପ୍ରାଣ ଉତ୍ସର୍ଗ କରିଛନ୍ତି, ଏହି ଦିନ ଆମେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ମନେ ପକାଉ । ମୁଁ ଆଜି ଆମର ଏହି ପୁଲିସକର୍ମୀମାନଙ୍କ ସହ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ମନେ ପକାଇବାକୁ ଚାହୁଁଛି । ପରିବାରର ସହଯୋଗ ଓ ତ୍ୟାଗ ବିନା ପୁଲିସ ଭଳି କଠିନ ସେବା ବହୁତ କଷ୍ଟକର । ପୁଲିସ ସେବା ସହ ସଂପୃକ୍ତ ଆଉ ଗୋଟିଏ କଥା ‘ମନ କୀ ବାତ୍’ର ଶ୍ରୋତାମାନଙ୍କୁ ମୁଁ କହିବାକୁ ଚାହୁଁଛି । ପ୍ରଥମେ ଏହି ଧାରଣା ସୃଷ୍ଟି ହୋଇଥିଲା ଯେ ସେନା ଓ ପୁଲିସ ଭଳି ସେବା କେବଳ ପୁରୁଷଙ୍କ ପାଇଁ ହୋଇଥାଏ । କିନ୍ତୁ ଆଜି ସେପରି ନାହିଁ । ବ୍ୟୁରୋ ଅଫ୍ ପୋଲିସ ରିସର୍ଚ ଆଣ୍ଡ୍ ଡେଭଲପମେଣ୍ଟର ପରିସଂଖ୍ୟାନ ଅନୁସାରେ ବିଗତ କେତେବର୍ଷ ମଧ୍ୟରେ ମହିଳା ପୁଲିସ କର୍ମୀଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି । ୨୦୧୪ରେ ଏହି ସଂଖ୍ୟା ପାଖାପାଖି ୧ ଲକ୍ଷ ୫ ହଜାର ଥିଲାବେଳେ ୨୦୨୦ ସୁଦ୍ଧା ଏଥିରେ ଦୁଇଗୁଣରୁ ବି ଅଧିକ ବୃଦ୍ଧି ଘଟିଥିଲା ଏବଂ ଏହି ସଂଖ୍ୟା ଏବେ ୨ ଲକ୍ଷ ୧୫ ହଜାର ପର୍ଯ୍ୟନ୍ତ ପହଂଚିଯାଇଛି । ଏପରିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ ମଧ୍ୟ ବିଗତ ସାତବର୍ଷରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଇଛି ଏବଂ ମୁଁ କେବଳ ସଂଖ୍ୟାର କଥା କହୁନାହିଁ । ଆଜି ଦେଶର ଝିଅମାନେ କଠିନରୁ କଠିନ ଦାୟିତ୍ୱକୁ ମଧ୍ୟ ପୁରା ଶକ୍ତି ଓ ଉତ୍ସାହର ସହ ତୁଲାଉଛନ୍ତି । ଏହାର ଉଦାହରଣ ହେଉଛି, ଅନେକ ଝିଅ ଏବେ ସବୁଠୁ କଠିନ ଧରାଯାଉଥିବା ତାଲିମ ମଧ୍ୟରୁ ଗୋଟିଏ ସ୍ପେଶାଲାଇଜ୍ଡ ଜଙ୍ଗଲ୍ ୱାର୍ଫେୟାର୍ କମାଣ୍ଡୋସର ତାଲିମ ନେଉଛନ୍ତି । ଏହା ଆମର କୋବ୍ରା ବାଟାଲିୟନର ଅଂଶ ହେବ ।

ବନ୍ଧୁଗଣ, ଆଜି ଆମେ ବିମାନବନ୍ଦର ଯାଉ, ମେଟ୍ରୋ ଷ୍ଟେସନ ଯାଉ ବା ସରକାରୀ ଦପ୍ତରକୁ ଦେଖୁ, ସିଆଇଏସ୍ଏଫର ସାହସୀ ମହିଳାମାନେ ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା କରୁଥିବା ଦେଖାଯାଏ । ଏହାର ସବୁଠୁ ସକାରାତ୍ମକ ପ୍ରଭାବ ଆମର ପୁଲିସ ବଳ ସହ ସମାଜର ମନୋବଳ ଉପରେ ମଧ୍ୟ ପଡ଼ୁଛି । ମହିଳା ପୁଲିସ କର୍ମୀ ରହିବା ଦ୍ୱାରା ଲୋକଙ୍କ ମଧ୍ୟରେ, ବିଶେଷକରି ମହିଳାଙ୍କ ମଧ୍ୟରେ ସହଜରେ ଏକ ବିଶ୍ୱାସ ସୃଷ୍ଟି ହୋଇଥାଏ । ସେମାନେ ତାଙ୍କସହ ସ୍ୱାଭାବିକ ରୂପେ ନିଜର ସଂପୃକ୍ତି ଥିବା ଅନୁଭବ କରିଥାନ୍ତି । ମହିଳାଙ୍କ ସମ୍ବେଦନଶୀଳତା କାରଣରୁ ମଧ୍ୟ ସେମାନଙ୍କ ଉପରେ ଲୋକେ ଅଧିକ ଭରସା କରିଥାନ୍ତି । ଆମର ଏହି ମହିଳା ପୁଲିସକର୍ମୀ ଦେଶର ଆଉ ଲକ୍ଷ ଲକ୍ଷ ଝିଅମାନଙ୍କ ପାଇଁ ମଧ୍ୟ ରୋଲ୍ ମଡେଲ୍ ପାଲଟିଛନ୍ତି । ମୁଁ ମହିଳା ପୁଲିସକର୍ମୀଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ସେମାନେ ସ୍କୁଲ୍ ଖୋଲିବା ପରେ ନିଜ ଅଂଚଳର ସ୍କୁଲଗୁଡ଼ିକୁ ପରିଦର୍ଶନ କରନ୍ତୁ, ସେଠାକାର ଝିଅପିଲାଙ୍କ ସହ କଥା ହୁଅନ୍ତୁ । ମୋର ବିଶ୍ୱାସ ଯେ ଏହି କଥାବାର୍ତ୍ତା ଦ୍ୱାରା ଆମର ନୂଆ ପିଢ଼ିକୁ ଏକ ନୂଆ ଦିଗ ମିଳିବ । ମୁଁ ଆଶା କରୁଛି ଯେ ଭବିଷ୍ୟତରେ ଆହୁରି ମଧ୍ୟ ଅଧିକ ସଂଖ୍ୟାରେ ମହିଳାମାନେ ପୁଲିସ ସେବାରେ ସାମିଲ୍ ହେବେ, ଆମ ଦେଶର ନିଉ ଏଜ୍ ପୋଲିସିଙ୍ଗକୁ ଆଗକୁ ନେବେ ।

ମୋର ପ୍ରିୟ ଦେଶବାସୀଗଣ, ବିଗତ କେତେକ ବର୍ଷରେ ଆମ ଦେଶରେ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ଯେପରି ଦ୍ରୁତଗତିରେ ବଢ଼ୁଛି, ତା’ ଉପରେ ପ୍ରାୟ ମୋତେ ‘ମନ୍ କୀ ବାତ୍’ର ଶ୍ରୋତା ନିଜର ବକ୍ତବ୍ୟ ଲେଖି ପଠାଇଥାନ୍ତି । ଆଜି ମୁଁ ଏପରି ଗୋଟିଏ ବିଷୟର ଆଲୋଚନା ଆପଣଙ୍କ ସହ କରିବାକୁ ଚାହେଁ, ଯାହା ଆମ ଦେଶ, ବିଶେଷ କରି ଆମର ଯୁବବର୍ଗ ଓ ଛୋଟଛୋଟ ପିଲାଙ୍କ କଳ୍ପନାରେ ମଧ୍ୟ ବ୍ୟାପକ ଭାବେ ରହିଛି । ଏହି ବିଷୟଟି ହେଉଛି ଡ୍ରୋନର, ଡ୍ରୋନ୍ ଟେକ୍ନୋଲୋଜିର । କିଛିବର୍ଷ ପୂର୍ବ ପର୍ଯ୍ୟନ୍ତ ଯେତେବେଳେ କେଉଁଠି ମଧ୍ୟ ଡ୍ରୋନ ନାଁ ଶୁଣାଯାଉନଥିଲା ସେତେବେଳେ ଲୋକଙ୍କ ମନରେ ପ୍ରଥମ ଭାବ କ’ଣ ଆସୁଥିଲା? ସେନାର, ଅସ୍ତ୍ରଶସ୍ତ୍ରର, ଯୁଦ୍ଧର । କିନ୍ତୁ ଆଜି ଆମର ଏଇଠି କୌଣସି ବରଯାତ୍ରୀ ରୋଷଣି ବା କାର୍ଯ୍ୟକ୍ରମ ହେଲେ ଆମେ ଡ୍ରୋନରେ ଫଟୋ ଓ ଭିଡିଓ ତିଆରି କରୁଥିବା ଦେଖୁଛୁ । ଡ୍ରୋନର ପରିସର, ତା’ର ଶକ୍ତି କେବଳ ଏତିକି ନୁହେଁ । ଭାରତ, ପୃଥିବୀର ସେହି ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଯିଏ ଡ୍ରୋନ୍ ସାହାଯ୍ୟରେ ଗାଁରେ ଜମବାଡ଼ିର ଡିଜିଟାଲ୍ ରେକର୍ଡ ପ୍ରସ୍ତୁତ କରୁଛି । ଭାରତରେ ପରିବହନ ପାଇଁ ଡ୍ରୋନର ବ୍ୟବହାର ବ୍ୟାପକ ଭାବେ କରାଯାଉଛି । ତାହା ଗାଁରେ ଚାଷବାସ ହେଉ ବା ଘରେ ଜିନିଷ ପହଞ୍ଚାଇବା ପାଇଁ ହେଉ । ଜରୁରୀ ସମୟରେ ସାହାଯ୍ୟ ଯୋଗାଇବାକୁ ହେଉ ବା ଆଇନ ବ୍ୟବସ୍ଥାର ତଦାରଖ ହେଉ । ଆଉ ବେଶି ସମୟ ନାହିଁ ଯେତେବେଳେ ଆମେ ଦେଖିବା ଯେ ଡ୍ରୋନ୍ ଆମର ଏହିସବୁ ଆବଶ୍ୟକତା ପାଇଁ ବ୍ୟବହାର କରାଯିବ । ଏଥିମଧ୍ୟରୁ ଅଧିକାଂଶର ତ ଆରମ୍ଭ ମଧ୍ୟ ହୋଇସାରିଛି । ଯେପରିକି କିଛିଦିନ ପୂର୍ବରୁ ଗୁଜରାଟର ଭାବନଗରରେ ଡ୍ରୋନ୍ ମାଧ୍ୟମରେ କ୍ଷେତରେ ନାନୋ-ୟୁରିଆ ଛିଞ୍ଚାଗଲା । କୋଭିଡ଼ ଟିକାକରଣ ଅଭିଯାନରେ ମଧ୍ୟ ଡ୍ରୋନ୍ ନିଜର ଭୂମିକା ତୁଲାଉଛି । ଏହାର ଏକ ଚିତ୍ର ଆମକୁ ମଣିପୁରରେ ଦେଖିବାକୁ ମିଳିଥିଲା । ସେଠାକାର ଗୋଟିଏ ଦ୍ୱୀପକୁ ଡ୍ରୋନରେ ଟିକା ପହଞ୍ଚାଇ ଦିଆଯାଇଥିଲା । ତେଲେଙ୍ଗାନାରେ ମଧ୍ୟ ଡ୍ରୋନରେ ଟିକା ପରିବହନ କରାଯିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇସାରିଛି । କେବଳ ଏତିକି ନୁହେଁ, ଏବେ ଅନେକ ବଡ଼ ବଡ଼ ଇନ୍ଫ୍ରାଷ୍ଟ୍ରକ୍ଚର୍ ପ୍ରକଳ୍ପର ତଦାରଖ ପାଇଁ ମଧ୍ୟ ଡ୍ରୋନ୍ ବ୍ୟବହାର କରାଯାଉଛି । ମୁଁ ଏପରି ଜଣେ ଯୁବ ଛାତ୍ରଙ୍କ ସମ୍ପର୍କରେ ପଢ଼ିଛି, ଯିଏ ନିଜ ଡ୍ରୋନ୍ ସାହାଯ୍ୟରେ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇଛନ୍ତି ।

ବନ୍ଧୁଗଣ, ପ୍ରଥମେ ଏ କ୍ଷେତ୍ରରେ ଏତେ ନିୟମ, ଆଇନ ଓ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା ଯେ ଡ୍ରୋନର ପ୍ରକୃତ କ୍ଷମତାର ବ୍ୟବହାର ମଧ୍ୟ ସମ୍ଭବ ନ ଥିଲା । ଯେଉଁ ପ୍ରଯୁକ୍ତିକୁ ସୁଯୋଗ ଭାବେ ଦେଖାଯିବାର ଥିଲା, ତାକୁ ସଙ୍କଟ ଭାବେ ଦେଖାଗଲା । ଯଦି ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ ଡ୍ରୋନ୍ ଉଡ଼ାଇବାର ଅଛି ତେବେ ଲାଇସେନ୍ସ ଓ ଅନୁମତି ପାଇଁ ଏତେ ଝାମେଲା ରହିଥିଲା ଯେ ଲୋକେ ଡ୍ରୋନ୍ ନାଁ ଶୁଣିଲେ ହିଁ ମୁହଁ ମୋଡ଼ି ଦେଉଥିଲେ । ଆମେ ସ୍ଥିର କଲୁ ଯେ ଏହି ମନୋବୃତିକୁ ବଦଳାଯାଉ ଏବଂ ନୂଆ ଟ୍ରେଣ୍ଡସକୁ ଆପଣାଯାଉ । ଏଥିପାଇଁ ଚଳିତ ବର୍ଷ ୨୫ ଅଗଷ୍ଟରେ ଦେଶ ଏକ ନୂଆ ଡ୍ରୋନ୍ ନୀତି ନେଇ ଆସିଲା । ଏହି ନୀତି ଡ୍ରୋନ୍ ସହିତ ସଂପୃକ୍ତ ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏଥିରେ ଏବେ ନା ବହୁତ ଗୁଡ଼ାଏ ଫର୍ମର ଚକ୍କରରେ ପଡ଼ିବାର ଅଛି, ନା ଆଗଭଳି ଶୁଳ୍କ ଦେବାକୁ ପଡ଼ିବ । ମୋତେ ଆପଣଙ୍କୁ ଏହା ଜଣାଇ ଖୁସି ଲାଗୁଛି ଯେ ନୂଆ ଡ୍ରୋନ୍ ନୀତି ଆସିବା ପରେ ଅନେକ ଡ୍ରୋନ୍ ଷ୍ଟାର୍ଟ-ଅପରେ ବିଦେଶୀ ଓ ଦେଶୀ ନିବେଶକମାନେ ନିବେଶ କରିଛନ୍ତି । ଅନେକ କମ୍ପାନୀ ମାନୁଫାକ୍ଚରିଂ ୟୁନିଟ୍ ମଧ୍ୟ ବସାଉଛନ୍ତି । ସ୍ଥଳସେନା, ନୌସେନା ଓ ବାୟୁସେନା ଭାରତୀୟ ଡ୍ରୋନ୍ କମ୍ପାନୀଗୁଡ଼ିକୁ ୫୦୦ କୋଟିରୁ ଅଧିକ ଟଙ୍କାର ଅର୍ଡର୍ ମଧ୍ୟ ଦେଇଛି । ଆଉ ଏହା ତ କେବଳ ଆରମ୍ଭ ମାତ୍ର । ଆମକୁ ଏଇଠି ଅଟକିବାର ନାହିଁ । ଆମକୁ ଡ୍ରୋନ୍ ଟେକ୍ନୋଲୋଜିରେ ଅଗ୍ରଣୀ ଦେଶ ହେବାର ଅଛି । ଏଥିପାଇଁ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ମୁଁ ଦେଶର ଯୁବକ ଯୁବତୀମାନଙ୍କୁ ମଧ୍ୟ କହୁଛି ଯେ ଆପଣ ଡ୍ରୋନ୍ ନୀତି ପରେ ଆସିଥିବା ସୁଯୋଗର ଲାଭ ଉଠାଇବା ସମ୍ପର୍କରେ ମଧ୍ୟ ନିଶ୍ଚିତ ଚିନ୍ତା କରନ୍ତୁ, ଆଗେଇ ଆସନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ୟୁପିର ମିରଟରୁ ‘ମନ୍ କୀ ବାତ୍’ର ଜଣେ ଶ୍ରୋତା ଶ୍ରୀମତୀ ପ୍ରଭା ଶୁକ୍ଳା ମୋତେ ସ୍ୱଚ୍ଛତା ସହ ସଂପୃକ୍ତ ଗୋଟିଏ ଚିଠି ପଠାଇଛନ୍ତି । ସେ ଲେଖିଛନ୍ତି ଯେ - “ଭାରତରେ ପର୍ବପର୍ବାଣୀରେ ଆମେମାନେ ସ୍ୱଚ୍ଛତାକୁ ସେଲିବ୍ରେଟ୍ କରିଥାଉ । ଠିକ୍ ସେହିପରି ଯଦି ଆମେ ସ୍ୱଚ୍ଛତାକୁ ପ୍ରତିଦିନର ଅଭ୍ୟାସରେ ପରିଣତ କରୁ ତେବେ ସମଗ୍ର ଦେଶ ସ୍ୱଚ୍ଛ ହୋଇଯିବ ।” ମୋତେ ପ୍ରଭାଜୀଙ୍କ କଥା ବହୁତ ଭଲ ଲାଗିଲା । ପ୍ରକୃତରେ, ଯେଉଁଠି ପରିଷ୍କାର ପରିଚ୍ଛନ୍ନତା ଅଛି, ସେଇଠି ହିଁ ସ୍ୱାସ୍ଥ୍ୟ ଅଛି, ଯେଉଁଠି ସ୍ୱାସ୍ଥ୍ୟ ଅଛି ସେଇଠି ସାମର୍ଥ୍ୟ ଅଛି ଏବଂ ଯେଉଁଠି ସାମର୍ଥ୍ୟ ଅଛି ସେଇଠି ସମୃଦ୍ଧି ରହିଛି । ଏଥିପାଇଁ ତ ଦେଶ ସ୍ୱଚ୍ଛ ଭାରତ ଅଭିଯାନକୁ ଏତେ ଗୁରୁତ୍ୱ ଦେଉଛି ।

ବନ୍ଧୁଗଣ, ରାଂଚି ଉପକଣ୍ଠ ଗୋଟିଏ ଗାଁ ସପାରାମ ନୟା ସରାୟ ବିଷୟରେ ଜାଣି ବହୁତ ଭଲ ଲାଗିଲା । ଏହି ଗାଁରେ ଗୋଟିଏ ପୋଖରୀ ଥିଲା, କିନ୍ତୁ ଲୋକେ ସେହି ପୋଖରୀ ଥିବା ଜାଗାକୁ ଖୋଲା ମଳତ୍ୟାଗ ପାଇଁ ବ୍ୟବହାର କରିବାକୁ ଲାଗିଥିଲେ । ସ୍ୱଚ୍ଛ ଭାରତ ଅଭିଯାନରେ ଯେତେବେଳେ ସମସ୍ତଙ୍କ ଘରେ ଶୌଚାଳୟ ତିଆରି ହେଲା ସେତେବେଳେ ଗ୍ରାମବାସୀ ଭାବିଲେ ଯେ ଗାଁକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସେମାନେ କାହିଁକି ସୁନ୍ଦର ମଧ୍ୟ କରିବେ ନାହିଁ । ଆଉ କ’ଣ ଥିଲା? ସମସ୍ତେ ମିଶି ପୋଖରୀ ଥିବା ଜାଗାଟିକୁ ପାର୍କରେ ପରିଣତ କରିଦେଲେ । ଆଜି ସେହି ଜାଗାଟି ଲୋକଙ୍କ ପାଇଁ, ପିଲାଙ୍କ ପାଇଁ ଏକ ସାର୍ବଜନୀନ ସ୍ଥାନ ହୋଇଯାଇଛି । ଏହାଦ୍ୱାରା ସମଗ୍ର ଗାଁର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ମୁଁ ଆପଣଙ୍କୁ ଛତିଶଗଡ଼ର ଦେଉର ଗାଁର ମହିଳାଙ୍କ ସମ୍ପର୍କରେ ମଧ୍ୟ କହିବାକୁ ଚାହିଁବି । ଏଠାକାର ମହିଳାମାନେ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଚଳାନ୍ତି ଏବଂ ମିଳିମିଶି ଗାଁର ଛକ, ସଡ଼କ, ମନ୍ଦିର ଆଦିକୁ ସଫାସୁତୁରା କରିଥାନ୍ତି ।

ବନ୍ଧୁଗଣ, ୟୁପିର ଗାଜିଆବାଦର ରାମବୀର ତଁୱରଙ୍କୁ ଲୋକେ ‘ପୋଖରୀ ମଣିଷ’ ଭାବେ ଜାଣନ୍ତି । ରାମବୀର ଜୀ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିବା ପରେ ଚାକିରି କରୁଥିଲେ । କିନ୍ତୁ ତାଙ୍କ ମନରେ ସ୍ୱଚ୍ଛତାର ଏପରି ଜ୍ୟୋତି ଜଳିଲା ଯେ ସେ ଚାକିରିବାକିରି ଛାଡ଼ି ପୋଖରୀର ସଫାସୁତୁରାରେ ଲାଗିଗଲେ । ରାମବୀର ଏପର୍ଯ୍ୟନ୍ତ ଅନେକ ପୋଖରୀର ସଫେଇ କରି ସେଗୁଡ଼ିକୁ ପୁନର୍ଜୀବିତ କରିଛନ୍ତି ।

ବନ୍ଧୁଗଣ, ସ୍ୱଚ୍ଛତାର ପ୍ରୟାସ ସେତେବେଳେ ସମ୍ପୂର୍ଣ୍ଣ ସଫଳ ହେବ ଯେତେବେଳେ ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜର ଦାୟିତ୍ୱ ବୋଲି ଭାବିବେ । ଏବେ ଦୀପାବଳିରେ ଆମେ ସମସ୍ତେ ନିଜ ଘରର ସଫାସୁତୁରାରେ ଲାଗିପଡ଼ିବା । କିନ୍ତୁ ଏହି ସମୟରେ ଆମେ ଧ୍ୟାନ ଦେବା ଯେ ଆମ ଘର ସହ ଆମର ଆଖପାଖ ମଧ୍ୟ ସଫା ରହିଛି ନା ନାହିଁ । ଏପରି ହେବା ଆଦୌ ଉଚିତ ନୁହେଁ ଯେ ଆମେ କେବଳ ଆମ ଘର ସଫା କରିବା କିନ୍ତୁ ଆମ ଘରୁ ବାହାରୁଥିବା ମଇଳା ଘର ବାହାରେ ରାସ୍ତା ଉପରେ ଯେମିତି ପହଂଚି ନ ଯାଏ । ଆଉ ହଁ, ମୁଁ ଯେତେବେଳେ ସ୍ୱଚ୍ଛତା କଥା କହେ ତେବେ ଦୟାକରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ରୁ ମୁକ୍ତି କଥା ଆମେ କେବେ ମଧ୍ୟ ଭୁଲିବା ନାହିଁ । ଆସନ୍ତୁ, ଆମେ ସଙ୍କଳ୍ପ ନେବା ଯେ ସ୍ୱଚ୍ଛ ଭାରତ ଅଭିଯାନର ଉତ୍ସାହକୁ କମ୍ ହେବାକୁ ଦେବାନାହିଁ । ଆମେ ସମସ୍ତେ ମିଶି ନିଜ ଦେଶକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ କରିବା ଓ ସ୍ୱଚ୍ଛ ରଖିବା ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବରର ପୁରା ମାସ ହିଁ ପର୍ବପର୍ବାଣୀ ରଂଗରେ ରଂଗାୟିତ ହେଲା ଏବଂ ଆଉ କିଛିଦିନ ପରେ ଦୀପାବଳି ବି ଆସୁଛି । ଦୀପାବଳି ପରେ ଗୋବର୍ଦ୍ଧନ ପୂଜା ଏବଂ ଭାଇ-ଦୁଜ୍, ଏହି ତିନିଟି ପର୍ବ ତ ପାଳନ କରାଯିବ, ପୁଣି ଏହି ସମୟରେ ଛଠ୍ପୂଜା ମଧ୍ୟ ପଡ଼ିବ । ନଭେମ୍ବରରେ ହିଁ ଗୁରୁ ନାନକ ଦେବ ଜୀଙ୍କ ଜୟନ୍ତୀ ମଧ୍ୟ ଅଛି । ଯେହେତୁ ଏତେସବୁ ପର୍ବପର୍ବାଣୀ ଏକାସାଂଗେ ହେବାର ଅଛି ସେଥିପାଇଁ ପ୍ରସ୍ତୁତି ମଧ୍ୟ ବହୁ ଆଗରୁ ଆରମ୍ଭ ହୋଇଥାଏ । ଆପଣମାନେ ମଧ୍ୟ ଏବେଠାରୁ କିଣାକିଣିର ଯୋଜନାରେ ଲାଗିଥିବେ, କିନ୍ତୁ ଆପଣମାନଙ୍କର ମନେଅଛି ତ, କିଣାକିଣି ମାନେ ‘ଭୋକାଲ୍ ଫର୍ ଲୋକାଲ୍’ । ଆପଣ ଲୋକାଲ୍ କିଣିବେ ତ ଆପଣଙ୍କର ପର୍ବପର୍ବାଣୀ ମଧ୍ୟ ଆଲୋକିତ ହେବ ଏବଂ କୌଣସି ଗରିବ ଭାଇଭଉଣୀ, କୌଣସି କାରିଗର, କୌଣସି ବୁଣାକାରଙ୍କ ଘରେ ମଧ୍ୟ ଆଲୋକ ଜଳିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଯେଉଁ ଅଭିଯାନ ଆମେ ସମସ୍ତେ ମିଶି ଆରମ୍ଭ କରିଛୁ, ଏଥର ପର୍ବପର୍ବାଣୀଗୁଡ଼ିକରେ ତାହା ଆହୁରି ମଜଭୁତ ହେବ । ଆପଣ ନିଜ ଜାଗାର ଯେଉଁ ସ୍ଥାନୀୟ ଉତ୍ପାଦ କିଣିଛନ୍ତି, ସେ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର୍ କରନ୍ତୁ । ନିଜର ସାଙ୍ଗସାଥୀଙ୍କୁ ମଧ୍ୟ କହନ୍ତୁ । ଆସନ୍ତା ମାସରେ ଆମେ ପୁଣି ଭେଟ ହେବା, ଏବଂ ପୁଣି ଏପରି ବହୁ ବିଷୟରେ କଥା ହେବା ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Mann KI Baat Quiz
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
 PM Modi Gifted Special Tune By India's 'Whistling Village' in Meghalaya

Media Coverage

PM Modi Gifted Special Tune By India's 'Whistling Village' in Meghalaya
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 1, 2021
December 01, 2021
ସେୟାର
 
Comments

India's economic growth is getting stronger everyday under the decisive leadership of PM Modi.

Citizens gave a big thumbs up to Modi Govt for transforming India.