NCC symbolises leadership, selfless service, hardwork, discipline and nationalism: PM Modi
On 7th December we mark Armed Forces Flag Day. Let us salute the valour of our soldiers & remember their sacrifices: PM Modi
During Mann Ki Baat, PM Modi encourages students to actively take part in Fit India movement
In the country, values of peace, unity and goodwill are paramount: PM Modi
The Ayodhya verdict has proved to be a milestone for our judiciary: PM Modi
Our civilization, culture and languages convey the message of unity in diversity to the whole world: PM Modi
The Constitution of India is one which protects the rights and respects every citizen: Prime Minister

          ମୋର ପ୍ରିୟ ଦେଶବାସୀ, ‘ମନ୍ କୀ ବାତ୍’ରେ ଆପଣ ସଭିଙ୍କୁ ସ୍ୱାଗତ । ଆଜି ମନ୍ କୀ ବାତ ଆରମ୍ଭ ହେଉ ଯୁବଦେଶର ଯୁବବର୍ଗ, ସେହି ଉଦ୍ଦୀପନା, ସେହି ଦେଶଭକ୍ତି, ସେହି ସେବାର ରଙ୍ଗରେ ରଙ୍ଗାୟିତ ନବଯୁବକଙ୍କଠାରୁ । ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନସିସିର ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର କ୍ୟାଡେଟମାନଙ୍କୁ ‘ଏନସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ । ବିଶ୍ୱର ସବୁଠାରୁ ବଡ଼ ସଂଗଠିତ ଯୁବ ସଂଗଠନ  ମଧ୍ୟରୁ ଭାରତର ଏନସିସି ଅନ୍ୟତମ । ଏହା ଏକ ତ୍ରିସେବା ସଂଗଠନ ଯେଉଁଥିରେ ପଦାତିକ ବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ତିନୋଟିଯାକ ରହିଛି । ନେତୃତ୍ୱ, ଦେଶଭକ୍ତି, ସମର୍ପିତ ସେବା, ଶୃଙ୍ଖଳା, କଠିନ ପରିଶ୍ରମ ଏସବୁଗୁଡ଼ିକୁ ନିଜ ଚରିତ୍ରର ଅଂଶ କରିବା, ନିଜ ଅଭ୍ୟାସରେ ପରିଣତ କରିବାର ଏକ ରୋମାଂଚକର ଯାତ୍ରା ହେଉଛି – ଏନସିସି । ଏହି ଯାତ୍ରା ବିଷୟରେ ଆହୁରି କିଛି ଅଧିକ କଥା ହେବାପାଇଁ ଆଜି ଫୋନକଲ୍ ମାଧ୍ୟମରେ କିଛି ଯୁବକ ଯୁବତୀଙ୍କ ସହ କଥାହେବା ଯେଉଁମାନେ ଏନସିସିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ   :       ବନ୍ଧୁଗଣ ଆପଣମାନେ କେମିତି ଅଛନ୍ତି?

ତରନ୍ନୁମ୍ ଖାନ୍ :       ଜୟ ହିନ୍ଦ୍ ମାନ୍ୟବର ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ   :       ଜୟ ହିନ୍ଦ!

ତରନ୍ନୁମ୍ ଖାନ୍ :       ସାର୍ ମୋ ନାଁ ଜୁନିୟର ଅଣ୍ଡର ଅଫିସର ତରନ୍ନୁମ୍ ଖାନ୍

ପ୍ରଧାନମନ୍ତ୍ରୀ   :       ତରନ୍ନୁମ୍! ଆପଣ କେଉଁଠିକାର ବାସିନ୍ଦା?

ତରନ୍ନୁମ୍ ଖାନ୍ :       ସାର୍ ମୁଁ ଦିଲ୍ଲୀର ବାସିନ୍ଦା ।

ପ୍ରଧାନମନ୍ତ୍ରୀ   :       ଆଚ୍ଛା । ତେବେ ଏନସିସିରେ କେତେ ବର୍ଷ ହେଇଗଲାଣି ଆଉ ଆପଣଙ୍କ ଅନୁଭୂତି କ’ଣ?

ତରନ୍ନୁମ୍ ଖାନ୍ :       ସାର୍, ମୁଁ 2017ରେ ଏନସିସିରେ ଭର୍ତ୍ତି ହୋଇଥିଲି ଏବଂ ଏହି ତିନିବର୍ଷ ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ସମୟ ।

ପ୍ରଧାନମନ୍ତ୍ରୀ   :       ବାଃ! ଶୁଣି ବହୁତ ଭଲ ଲାଗିଲା ।

ତରନ୍ନୁମ୍ ଖାନ୍ :       ସାର୍, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର ସବୁଠୁ ଭଲ ଅନୁଭୂତି ହୋଇଥିଲା ‘ଏକ ଭାରତ – ଶ୍ରେଷ୍ଠ ଭାରତ’ କ୍ୟାମ୍ପରେ । ଏହି କ୍ୟାମ୍ପ ଅଗଷ୍ଟରେ ଆୟୋଜିତ ହୋଇଥିଲା ଯେଉଁଥିରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ପିଲାମାନେ ମଧ୍ୟ ଯୋଗଦେଇଥିଲେ । ସେହି କ୍ୟାଡେଟମାନଙ୍କ ସାଙ୍ଗରେ ଆମେ 10 ଦିନ ରହିଥିଲୁ । ଆମେ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଶିକ୍ଷାଗ୍ରହଣ କଲୁ । ଆମେ ଦେଖିଲୁ ସେମାନଙ୍କ ଭାଷା କିଭଳି । ସେମାନଙ୍କ ପରମ୍ପରା, ସେମାନଙ୍କ ସଂସ୍କୃତି ଏଭଳି ଅନେକ ଜିନିଷ ଆମେ ତାଙ୍କଠାରୁ ଶିଖିଲୁ । ଯେମିତି ‘ଭାଇଜୋମ’ର ଅର୍ଥ ହେଉଛି ‘ହେଲୋ’ । ସେହିଭଳି ଆମର ସାଂସ୍କୃତିକ ରାତ୍ରୀ ଆୟୋଜିତ ହୋଇଥିଲା, ସେଥିରେ ସେ ଆମକୁ ତାଙ୍କର ନୃତ୍ୟ ଶିଖାଇଲେ, ଯାହାକୁ ‘ତେହରା’ କୁହାଯାଏ । ଆଉ ସେ ମୋତେ ‘ମେଖେଲା’ ପିନ୍ଧିବା ମଧ୍ୟ ଶିଖାଇଲେ । ମୁଁ ସତ କହୁଛି, ସେଥିରେ ଆମେ ସମସ୍ତେ, ବହୁତ ସୁନ୍ଦର ଦେଖାଯାଉଥିଲୁ । ଦିଲ୍ଲୀୱାଲା ଏବଂ ନାଗାଲାଣ୍ଡର ବନ୍ଧୁମାନେ ବି ଆମେ ସେମାନଙ୍କୁ ଦିଲ୍ଲୀ ଦର୍ଶନ ପାଇଁ ମଧ୍ୟ ନେଇଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଏବଂ ଇଣ୍ଡିଆ ଗେଟ୍ ଦେଖାଇଲୁ । ସେଠାରେ ଆମେ ସେମାଙ୍କୁ ଦିଲ୍ଲୀର ଚାଟ୍ ଖୁଆଇଲୁ, ଭେଲପୁରୀ ବି ଖୁଆଇଲୁ, କିନ୍ତୁ ସେମାନଙ୍କୁ ଟିକେ ରାଗ ଲାଗିଲା କାରଣ ସେମାନେ ଯାହା କହିଲେ ଯେ ସେମାନେ ପ୍ରାୟତଃ ସୁପ୍ ପିଇବା ପସନ୍ଦ କରନ୍ତି, ଟିକିଏ ସିଝା ପରିବା ଖାଆନ୍ତି, ତ ସେମାନଙ୍କୁ ଖାଦ୍ୟ ତ ଏତେ ପସନ୍ଦ ହେଲାନାହିଁ । ତା’ଛଡ଼ା ଆମେ ସେମାନଙ୍କ ସାଙ୍ଗରେ ଅନେକ ଫଟୋ ଉଠାଇଲୁ, ଆଉ ଅନେକ ଅନୁଭୂତି ବାଂଟିଲୁ ।

ପ୍ରଧାନମନ୍ତ୍ରୀ   :       ଆପଣ ସେମାନଙ୍କ ସହ ସମ୍ପର୍କ ରଖିଛନ୍ତି କି?

ତରନ୍ନୁମ୍ ଖାନ୍ :       ଆଜ୍ଞା ହଁ, ଆମ ସମ୍ପର୍କ ସେମାନଙ୍କ ସହ ଏବେ ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀ   :       ହଉ, ଆପଣ ଭଲ କରିଛନ୍ତି ।

ତରନ୍ନୁମ୍ ଖାନ୍ :       ଆଜ୍ଞା ହଁ ।

ପ୍ରଧାନମନ୍ତ୍ରୀ   :       ଆପଣଙ୍କ ସହ ଆଉ କେଉଁମାନେ ଅଛନ୍ତି?

ଶ୍ରୀ ହରି ଜି.ବି. :       ଜୟ ହିନ୍ଦ୍ ସାର୍ ।

ପ୍ରଧାନମନ୍ତ୍ରୀ   :       ଜୟ ହିନ୍ଦ୍ ।

ଶ୍ରୀ ହରି ଜି.ବି. :       ମୁଁ ସିନିୟର ଅଣ୍ଡର ଅଫିସର ଶ୍ରୀ ହରି ଜି.ଭି. କହୁଛି । ମୁଁ ବେଙ୍ଗାଲୁରୁ, କର୍ଣ୍ଣାଟକର ବାସିନ୍ଦା ।

ପ୍ରଧାନମନ୍ତ୍ରୀ   :       ଆପଣ କେଉଁଠି ପଢ଼ୁଛନ୍ତି?

ଶ୍ରୀ ହରି ଜି.ବି. :       ସାର୍ ବେଙ୍ଗାଲୁରୁର କ୍ରିଷ୍ଟୁଜୟନ୍ତୀ କଲେଜରେ ପଢ଼ୁଛି ।

ପ୍ରଧାନମନ୍ତ୍ରୀ   :       ମାନେ ବେଙ୍ଗାଲୁରୁରେ ହିଁ ରହୁଛନ୍ତି?

ଶ୍ରୀ ହରି ଜି.ବି. :       ହଁ ସାର୍,

ପ୍ରଧାନମନ୍ତ୍ରୀ   :       କୁହନ୍ତୁ ।

ଶ୍ରୀ ହରି ଜି.ବି. :       ସାର୍, ମୁଁ ଗତକାଲି ହିଁ ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଭାଗ ନେଇ ସିଙ୍ଗାପୁରରୁ ଫେରିଛି ।

ପ୍ରଧାନମନ୍ତ୍ରୀ   :       ଆରେ ବାଃ!

ଶ୍ରୀ ହରି ଜି.ବି. :       ଆଜ୍ଞା ସାର୍!

ପ୍ରଧାନମନ୍ତ୍ରୀ   :       ତା’ମାନେ ଆପଣ ସେଠାକୁ ଯିବାର ସୁଯୋଗ ପାଇଥିଲେ ।

ଶ୍ରୀ ହରି ଜି.ବି. :       ହଁ ସାର୍ ।

ପ୍ରଧାନମନ୍ତ୍ରୀ   :       ସିଙ୍ଗାପୁରର ଅନୁଭୂତି କିପରି ରହିଲା?

ଶ୍ରୀ ହରି ଜି.ବି. :       ସେଠାରେ ଛଅଟି ଦେଶରୁ ପ୍ରତିନିଧି ଆସିଥିଲେ ଯେଉଁଥିରେ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ସିଙ୍ଗାପୁର, ବ୍ରୁନେଇ, ହଂକଂ ଏବଂ ନେପାଳ ଅନ୍ତର୍ଭୁକ୍ତ । ସେଠାରେ ଆମକୁ ମୁକାବିଲା କୌଶଳ ଏବଂ ଅନ୍ତର୍ଜାତୀୟ ପ୍ରତିରକ୍ଷା ଅଭ୍ୟାସ ସମ୍ପର୍କରେ ଶିକ୍ଷା ଦିଆଗଲା । ସେଠାରେ ଆମର ପ୍ରଦର୍ଶନ ଟିକିଏ ଭିନ୍ନ ଥିଲା ସାର । ସେଠାରେ ଆମକୁ ଜଳ କ୍ରୀଡ଼ା  ଏବଂ ଦୁଃସାହସିକ କ୍ରୀଡ଼ା ଶିଖାଗଲା ଆଉ ୱାଟର ପୋଲୋ ଟୁର୍ଣ୍ଣାମେଂଟରେ ଭାରତୀୟ ଦଳ ବିଜୟ ଲାଭ କଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଆମେ ଖୁବ୍ ଭଲ ପ୍ରଦର୍ଶନ କରିଥିଲୁ । ଆମର ଡ୍ରିଲ ଏବଂ ୱର୍ଡ ଅଫ କମାଣ୍ଡ ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା ସାର୍ ।

ପ୍ରଧାନମନ୍ତ୍ରୀ   :       ହରି ଆପଣମାନେ କେତେ ଜଣ ଥିଲେ?

ଶ୍ରୀ ହରି ଜି.ବି. :       20 ଜଣ ଥିଲୁ ସାର । ଆମେ 10 ଜଣ ଯୁବକ, 10 ଯୁବତୀ ଥିଲୁ ।

ପ୍ରଧାନମନ୍ତ୍ରୀ   :       ଆପଣମାନେ କ’ଣ ଭାରତର ଅଲଗା ଅଲଗା ରାଜ୍ୟରୁ ଯାଇଥିଲେ ।

ଶ୍ରୀ ହରି ଜି.ବି. :       ହଁ ସାର୍ ।

ପ୍ରଧାନମନ୍ତ୍ରୀ   :       ହଉ, ଆପଣଙ୍କର ସମସ୍ତ ବନ୍ଧୁ ଆପଣଙ୍କ ଅନୁଭୂତି ଶୁଣିବା ପାଇଁ ଉତ୍କଣ୍ଠିତ ଥିବେ ଆଉ ମତେ ମଧ୍ୟ ଭଲ ଲାଗିଲା । ଆଉ କିଏ ଅଛି ଆପଣଙ୍କ ସାଙ୍ଗରେ?

ବିନୋଲେ କିସୋ      :       ଜୟ ହିନ୍ଦ୍ ସାର୍!

ପ୍ରଧାନମନ୍ତ୍ରୀ   :       ଜୟ ହିନ୍ଦ୍!

ବିନୋଲେ କିସୋ      :       ମୋ ନାଁ ସିନିୟର ଅଣ୍ଡର ଅଫିସର ବିନୋଲେ କିସୋ । ସାର୍ ମୁଁ ଉତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡର ବାସିନ୍ଦା ।

ପ୍ରଧାନମନ୍ତ୍ରୀ   :       ହଁ, ବିନୋଲେ, ଆପଣଙ୍କ ଅନୁଭୂତି ସମ୍ପର୍କରେ କିଛି କୁହନ୍ତୁ?

ବିନୋଲେ କିସୋ      :       ସାର୍, ମୁଁ ସେଂଟ ଯୋଶେଫ୍ସ କଲେଜ, ଜାଖାମା (ଅଟୋନମସ)ରେ ବି.ଏ. ଇତିହାସ (ଅନର୍ସ)ରେ ପଢ଼ୁଛି । ସାର୍ ମୁଁ 2017ରେ ଏନସିସିରେ ଯୋଗଦେଇଥିଲି ଏବଂ ଏହା ମୋ ଜୀବନର ସବୁଠାରୁ ବଡ଼ ଆଉ ଭଲ ନିଷ୍ପତ୍ତି ଥିଲା ।

ପ୍ରଧାନମନ୍ତ୍ରୀ   :       ଏନସିସି ଯୋଗୁଁ ଭାରତର କେଉଁ କେଉଁ ସ୍ଥାନ ଭ୍ରମଣ କରିବାର ସୁଯୋଗ ମିଳିଛି?

ବିନୋଲେ କିସୋ      :       ସାର୍, ମୁଁ ଏନସିସି ଜଏନ୍ କରି ବହୁତ କିଛି ଶିଖିଛି ଆଉ ମୋତେ ଅନେକ ସୁଯୋଗ ବି ମିଳିଛି । ମୋର ଗୋଟିଏ ଅନଭୂତି ସମ୍ପର୍କରେ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି । ଏ ବର୍ଷ 2019 ଜୁନ୍ ମାସରେ ମୁଁ ଗୋଟିଏ କ୍ୟାମ୍ପରେ ଯୋଗ ଦେଇଥିଲି – କମ୍ବାଇନ୍ଡ ଆନୁଆଲ ଟ୍ରେନିଂ କ୍ୟାମ୍ପ ଯାହା କୋହିମାର ସାଜୋଲି କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପରେ 400 ଜଣ କ୍ୟାଡେଟ ଯୋଗଦେଇଥିଲେ ।

ପ୍ରଧାନମନ୍ତ୍ରୀ   :       ତେବେ ନାଗାଲାଣ୍ଡରେ ଥିବା ଆପଣଙ୍କ ସମସ୍ତ ବନ୍ଧୁ ଜାଣିବାକୁ ଚାହୁଁଥିବେ ଯେ ଭାରତରେ ଆପଣ କେଉଁ କେଉଁ ଜାଗାକୁ ଗଲେ କ’ଣ ସବୁ ଦେଖିଲେ? ଆପଣଙ୍କ ସବୁ ଅନୁଭୂତି ସେମାନଙ୍କୁ ଶୁଣାଉଛନ୍ତି ନା??

ବିନୋଲେ କିସୋ      :       ହଁ ସାର୍ ।

ପ୍ରଧାନମନ୍ତ୍ରୀ   :       ଆଉ କିଏ ଅଛି ଆପଣଙ୍କ ସାଙ୍ଗରେ?

ଅଖିଲ :       ଜୟ ହିନ୍ଦ୍ ସାର୍, ମୋ ନାଁ ଜୁନିୟର ଅଣ୍ଡର ଅଫିସର ଅଖିଲ ।

ପ୍ରଧାନମନ୍ତ୍ରୀ   :       ହଁ ଅଖିଲ, କୁହନ୍ତୁ ।

ଅଖିଲ :       ସାର୍ ମୁଁ ରୋହତକ, ହରିୟାଣାରେ ରହୁଛି ।

ପ୍ରଧାନମନ୍ତ୍ରୀ   :       ହଁ ହଁ …

ଅଖିଲ :       ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଦୟାଲ ସିଂହ କଲେଜର ଫିଜିକ୍ସ ଅନର୍ସ ଛାତ୍ର ।

ପ୍ରଧାନମନ୍ତ୍ରୀ   :       ହଁ ହଁ …

ଅଖିଲ :       ସାର୍, ଏନସିସିରେ ମୋତେ ଶୃଙ୍ଖଳା ସବୁଠୁ ଭଲ ଲାଗିଲା ।

ପ୍ରଧାନମନ୍ତ୍ରୀ   :       ବାଃ …

ଅଖିଲ :       ତାହା ମୋତେ ଆହୁରି ଅଧିକ ଦାୟିତ୍ୱସମ୍ପନ୍ନ ନାଗରିକ କରିଛି । ଏନସିସି କ୍ୟାଡେଟଙ୍କ ଡ୍ରିଲ ଆଉ ୟୁନିଫର୍ମ ମୋତେ ବହୁତ ଭଲ ଲାଗେ ।

ପ୍ରଧାନମନ୍ତ୍ରୀ   :       କେତୋଟି କ୍ୟାମ୍ପରେ ଯୋଗଦେବାକୁ ଆଉ କେଉଁ କେଉଁ ଜାଗାକୁ ଯିବାକୁ ସୁଯୋଗ ମିଳିଛି?

ଅଖିଲ :       ସାର, ମୁଁ 3ଟି କ୍ୟାମ୍ପରେ ଯୋଗଦେଇଛି । ନିକଟ ଅତୀତରେ ମୁଁ ଇଣ୍ଡିଆନ ମିଲିଟାରୀ ଏକାଡେମୀ, ଡେରାଡୁନରେ ଆଟାଚମେଂଟ କ୍ୟାମ୍ପରେ ଅଂଶଗ୍ରହଣ କରିଥିଲି ।

ପ୍ରଧାନମନ୍ତ୍ରୀ   :       କେତେଦିନ ପାଇଁ ଥିଲା କ୍ୟାମ୍ପ?

ଅଖିଲ :       ସାର୍, ଏହି କ୍ୟାମ୍ପ 13 ଦିନ ଧରି ଚାଲିଥିଲା ।

ପ୍ରଧାନମନ୍ତ୍ରୀ   :       ଆଚ୍ଛା ।

ଅଖିଲ :       ସାର୍, ଭାରତୀୟ ସେନାରେ ଜଣେ କିଭଳି ଅଫିସର ହୋଇପାରିବ ସେକଥା ମୁଁ ସେଠାରେ ଖୁବ୍ ନିକଟରୁ ଦେଖିଛି ଏବଂ ଏହା ଦେଖିଲା ପରେ ଭାରତୀୟ ସେନାରେ ଜଣେ ଅଫିସର ହେବାପାଇଁ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ   :       ବାଃ …

ଅଖିଲ :       ଆଉ ସାର୍ ମୁଁ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅଂଶଗ୍ରହଣ କରିଥିଲି ଆଉ ତାହା ମୋର ଏବଂ ମୋ ପରିବାର ପାଇଁ ବଡ଼ ଗର୍ବର ବିଷୟ ଥିଲା ।

ପ୍ରଧାନମନ୍ତ୍ରୀ   :       ସାବାସ୍ …

ଅଖିଲ :       ମୋଠୁ ମୋ ମା’ ଅଧିକ ଖୁସି ଥିଲେ ସାର୍ । ବଡ଼ିସକାଳ 2ଟାରେ ଉଠି ରାଜପଥରେ ଯେତେବେଳେ ଅଭ୍ୟାସ ପାଇଁ ଯାଉଥିଲୁ ସେତେବେଳେ ଆମର ଉତ୍ସାହ ଦେଖିବା ଭଳି ଥିଲା । ସାର୍ ଅନ୍ୟ ବାହିନୀରର ଲୋକେ ଆମକୁ ଏତେ ପ୍ରୋତ୍ସାହିତ କରୁଥିଲେ ଯେ ରାଜପଥରେ ମାର୍ଚ୍ଚ କରିବା ସମୟରେ ଆମର ଲୋମ ଟାଙ୍କୁରିଉଠୁଥିଲା ।

ପ୍ରଧାନମନ୍ତ୍ରୀ   :       ଯାହାହେଉ ଆପଣ ଚାରିଜଣଙ୍କ ସହ କଥାହେବାର ସୁଯୋଗ ମିଳିଲା ତାହା ପୁଣି ଏନସିସି ଦିବସ ଦିନ । ଏହା ମୋ ପାଇଁ ବହୁତ ଖୁସି କଥା କାରଣ ପିଲାଦିନେ ମୁଁ ମଧ୍ୟ ମୋ ଗାଁର ସ୍କୁଲରେ ଏନସିସି କ୍ୟାଡେଟ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲି । ତେଣୁ ମୁଁ ଜାଣିଛି ଏଇ ଶୃଙ୍ଖଳା, ଏଇ ୟୁନିଫର୍ମ ଯୋଗୁଁ ଯେଉଁ ଆତ୍ମବିଶ୍ୱାସ ବୃଦ୍ଧି ହୁଏ, ଏ ସମସ୍ତ କଥା ପିଲାଦିନେ ଜଣେ ଏନସିସି କ୍ୟାଡେଟ୍ ରୂପରେ ଅନୁଭବ କରିବାର ସୁଯୋଗ ମୋତେ ମିଳିଥିଲା ।

ବିନୋଲେ     :       ପ୍ରଧାନମନ୍ତ୍ରୀ ମହୋଦୟ ମୋର ଗୋଟିଏ ପ୍ରଶ୍ନ ରହିଛି ।

ପ୍ରଧାନମନ୍ତ୍ରୀ   :       ହଁ ପଚାରନ୍ତୁ …

ବିନୋଲେ     :       ଆପଣ ମଧ୍ୟ ଏନସିସିର ଏକ ଅଂଶ ଥିଲେ?

ପ୍ରଧାନମନ୍ତ୍ରୀ   :       କିଏ? ବିନୋଲେ କହୁଛନ୍ତି?

ବିନୋଲେ     :       ହଁ ସାର୍, ହଁ ସାର୍ ।

ପ୍ରଧାନମନ୍ତ୍ରୀ   :       ହଁ ବିନୋଲେ କୁହନ୍ତୁ

ବିନୋଲେ     :       କ’ଣ ଆପଣଙ୍କୁ କେବେ ଦଣ୍ଡ ମିଳିଥିଲା?

ପ୍ରଧାନମନ୍ତ୍ରୀ   :       (ହସିକରି) ୟା’ ମାନେ ଆପଣମାନଙ୍କୁ ଦଣ୍ଡ ମିଳୁଛି ।

ବିନୋଲେ     :       ହଁ ସାର୍ ।

ପ୍ରଧାନମନ୍ତ୍ରୀ   :       ନା, ମୋତେ କେବେ ଏମିତି କିଛି ମିଳିନି କାରଣ ମୁଁ ଏକ ପ୍ରକାର ଶୃଙ୍ଖଳାକୁ ମାନି ଚାଲୁଥିଲି । ଅବଶ୍ୟ ଥରେ ଗୋଟିଏ ଭୁଲ ବୁଝାମଣା ହୋଇଥିଲା । ଆମେ ଯେତେବେଳେ କ୍ୟାମ୍ପରେ ଥିଲୁ ସେତେବେଳେ ମୁଁ ଗୋଟିଏ ଗଛ ଉପରେ ଚଢ଼ିଯାଇଥିଲି । ପ୍ରଥମେ ଏମିତି ଲାଗିଲା ଯେ ମୁଁ କିଛି ନିୟମ ଭଙ୍ଗ କରିଛି କିନ୍ତୁ ପରେ ସମସ୍ତେ ଲକ୍ଷ୍ୟ କଲେ ଯେ ଗୁଡ଼ିସୂତାରେ ପକ୍ଷୀଟିଏ ଗୁଡ଼େଇ ହୋଇଯାଇଥିଲା । ତାକୁ ରକ୍ଷା କରିବା ପାଇଁ ମୁଁ ସେଠିକି ଚଢ଼ିଯାଇଥିଲି । ସେ ଯାହାହେଉ, ପ୍ରଥମେ ଭାବିଲି ଯେ ମୋ ଉପରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ ପରେ ମୋତେ ଖୁବ୍ ପ୍ରଶଂସା କରାଗଲା । ତେଣୁ ଏଭଳି ଏକ ଭିନ୍ନ ପ୍ରକାର ଅନୁଭୂତି ମୋର ରହିଛି ।

ତରନ୍ନୁମ୍ ଖାନ୍ :       ଆଜ୍ଞା ସାର୍, ଏକଥା ଜାଣି ଖୁବ୍ ଭଲ ଲାଗିଲା ।

ପ୍ରଧାନମନ୍ତ୍ରୀ   :       ଧନ୍ୟବାଦ ।

ତରନ୍ନୁମ୍ ଖାନ୍ :       ମୁଁ ତରନ୍ନୁମ୍ କହୁଛି …

ପ୍ରଧାନମନ୍ତ୍ରୀ   :       ହଁ ତରନ୍ନୁମ୍, କୁହନ୍ତୁ …

ତରନ୍ନୁମ୍ ଖାନ୍ :       ଯଦି ଅନୁମତି ଦିଅନ୍ତି ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ ।

ପ୍ରଧାନମନ୍ତ୍ରୀ   :       ହଁ … ହଁ … ପଚାରନ୍ତୁ ।

ତରନ୍ନୁମ୍ ଖାନ୍ :       ସାର୍, ଆପଣ ନିଜ ବାର୍ତ୍ତାରେ ଆମକୁ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ନାଗରିକ 3 ବର୍ଷ ମଧ୍ୟରେ 15ଟି ସ୍ଥାନକୁ ଭ୍ରମଣ କରିବା ଉଚିତ । ତେବେ ଆମେ କେଉଁ ଜାଗାକୁ ଯିବା ଉଚିତ? ଆଉ ଆପଣଙ୍କୁ କେଉଁଠିକୁ ଯାଇ ସବୁଠାରୁ ଭଲ ଲାଗିଥିଲା??

ପ୍ରଧାନମନ୍ତ୍ରୀ   :       ଅବଶ୍ୟ ସବୁବେଳେ ମୋତେ ହିମାଳୟ ବହୁତ ଭଲ ଲାଗେ ।

ତରନ୍ନୁମ୍ ଖାନ୍ :       ଆଜ୍ଞା …

ପ୍ରଧାନମନ୍ତ୍ରୀ   :       କିନ୍ତୁ ମୁଁ ଭାରତର ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ଯଦି ଆପଣମାନେ ପ୍ରକୃତିକୁ ଭଲ ପାଉଛନ୍ତି …

ତରନ୍ନୁମ୍ ଖାନ୍ :       ଆଜ୍ଞା …

ପ୍ରଧାନମନ୍ତ୍ରୀ   :       ଘଂଚ ଜଙ୍ଗଲ, ଝରଣା ଭଳି ଯଦି ଗୋଟିଏ ଭିନ୍ନ ପ୍ରକାର ପରିବେଶ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୁଁ ସମସ୍ତଙ୍କୁ କହିବି ଯେ ଉତ୍ତର ପୂର୍ବାଂଚଳ ନିଶ୍ଚୟ ଯାଆନ୍ତୁ!

ତରନ୍ନୁମ୍ ଖାନ୍ :       ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ   :       ଏକଥା ମୁଁ ସବୁବେଳେ କହିଆସୁଛି ଆଉ ଏଇ କାରଣରୁ ଉତର ପୂର୍ବାଂଚଳରେ ପର୍ଯ୍ୟଟନ ମଧ୍ୟ ଖୁବ୍ ବୃଦ୍ଧି ପାଇବ, ଅର୍ଥନୀତିକୁ ବି ବହୁତ ଲାଭ ହେବ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ମଧ୍ୟ ସେଠାରେ ସୁଦୃଢ଼ ହେବ ।

ତରନ୍ନୁମ୍ ଖାନ୍ :       ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ   :       କିନ୍ତୁ ଭାରତର ପ୍ରତ୍ୟେକ ଜାଗାରେ ବହୁତ କିଛି ଦେଖିବାକୁ ରହିଛି, ଶିଖିବାକୁ ରହିଛି ଆଉ ଏକ ପ୍ରକାର ଆତ୍ମାକୁ ନିର୍ମଳ କରିବା ଭଳି ରହିଛି ।

ଶ୍ରୀ ହରି ଜି.ବି. :       ପ୍ରଧାନମନ୍ତ୍ରୀ ଜୀ, ମୁଁ ଶ୍ରୀ ହରି କହୁଛି ।

ପ୍ରଧାନମନ୍ତ୍ରୀ   :       ହଁ ହରି କୁହନ୍ତୁ …

ଶ୍ରୀ ହରି ଜି.ବି. :       ମୁଁ ଆପଣଙ୍କ ନିକଟରୁ ଜାଣିବାକୁ ଚାହୁଁଛି ଯେ ଯଦି ଆପଣ ଜଣେ ରାଜନୀତିଜ୍ଞ ହୋଇନଥାନ୍ତେ ତାହାଲେ ଆପଣ କ’ଣ ହୋଇଥାନ୍ତେ?

ପ୍ରଧାନମନ୍ତ୍ରୀ   :       ଇଏ ତ ବଡ଼ କଠିନ ପ୍ରଶ୍ନ କାରଣ ପ୍ରତି ପିଲାର ଜୀବନରେ ଅନେକ ମୋଡ଼ ଆସେ । କେତେବେଳେ ଏକଥା କରିବାକୁ ଇଚ୍ଛା ହୁଏ ତ କେତେବେଳେ ସେକଥା କରିବାକୁ ଇଚ୍ଛା ହୁଏ । କିନ୍ତୁ ଏକଥା ସତ ଯେ ରାଜନୀତି କ୍ଷେତ୍ରକୁ ଯିବାର ଇଚ୍ଛା ମୋ ମନରେ କେବେବି ନ ଥିଲା, ନା କେବେ ଏ ବିଷୟରେ ଭାବିଥିଲି । କିନ୍ତୁ ଏବେ ଯେହେତୁ ପହଂଚିଯାଇଛି ତେଣୁ କେମିତି ମନପ୍ରାଣ ଦେଇ ଦେଶସେବା କରିହେବ, ସେକଥା ଚିନ୍ତା କରୁଛି । ତେଣୁ ଏବେ ‘ଏଠି ନ ଥିଲେ କେଉଁଠି ଥାଆନ୍ତି’ ଏକଥା ମୋର ଭାବିବା ହିଁ ଉଚିତ ନୁହେଁ । ଏବେ ତ ଯେଉଁଠି ଅଛି ସେଠାରେ ମନପ୍ରାଣ ଦେଇ ଜୀବନ ଜୀଇଁବା ଦରକାର, ମନପ୍ରାଣ ଦେଇ କାମରେ ଲାଗିବା ଏବଂ ଖୁବ୍ ଭଲଭାବରେ ଦେଶପାଇଁ କାମ କରିବା ଉଚିତ । ନା ଦିନ ନା ରାତି କେବଳ ଏହି ଗୋଟିଏ ଉଦ୍ଦେଶ୍ୟ ନେଇ ନିଜକୁ ମୁଁ ଏହି କାର୍ଯ୍ୟରେ ନିୟୋଜିତ କରିଛି ।

ଅଖିଲ :       ପ୍ରଧାନମନ୍ତ୍ରୀ ମହୋଦୟ …

ପ୍ରଧାନମନ୍ତ୍ରୀ   :       କୁହନ୍ତୁ

ଅଖିଲ :       ଆପଣ ଦିନରେ ଏତେ ବ୍ୟସ୍ତ ରହୁଛନ୍ତି । ମୁଁ ଜାଣିବାକୁ ଚାହୁଁଥିଲି ଯେ ଆପଣଙ୍କୁ ଟିଭି ଦେଖିବା, ଚଳଚ୍ଚିତ୍ର ଦେଖିବା ବା ବହି ପଢ଼ିବାର ସମୟ ମିଳେ କି?

ପ୍ରଧାନମନ୍ତ୍ରୀ   :       ଅବଶ୍ୟ ବହି ପଢ଼ିବାରେ ମୋର ବହୁତ ଆଗ୍ରହ ରହୁଥିଲା । ଚଳଚ୍ଚିତ୍ର ଦେଖିବାକୁ କେବେ ଇଚ୍ଛା ବି ହୋଇନାହିଁ ସେଥିରେ ସମୟର କୌଣସି ବାଧ୍ୟବାଧକତା ନାହିଁ ଆଉ ସେହିଭଳି ଟିଭି ଦେଖିପାରିବେ । ଖୁବ୍ କମ୍ ସମୟ । ଆଗରୁ ବେଳେବେଳେ ଡିସକଭରି ଚ୍ୟାନେଲ ଦେଖୁଥିଲି କିଛି ନୂଆ କଥା ଜାଣିବା ପାଇଁ । ଆଉ ବହି ପଢ଼ୁଥିଲି କିନ୍ତୁ ଆଜିକାଲି ତ ପଢ଼ିପାରୁନାହିଁ ଆଉ ପୁଣି ଗୁଗଲ ଯୋଗୁଁ ମଧ୍ୟ ଅଭ୍ୟାସ ଖରାପ ହୋଇଗଲାଣି କାରଣ ଯଦି କିଛି ରେଫରେନ୍ସ ଦରକାର ତାହାଲେ ତୁରନ୍ତ ସର୍ଟକଟ ଧରିନେଉଛୁ । ତେଣୁ ଯେମିତି ସମସ୍ତଙ୍କ ଅଭ୍ୟାସ କିଛି ମାତ୍ରାରେ ଖରାପ ହୋଇଛି ସେମିତି ମୋର ବି ହେଇଛି । ହଉ ବନ୍ଧୁଗଣ, ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା ଆଉ ମୁଁ ଆପଣମାନଙ୍କ ମାଧ୍ୟମରେ ଏନସିସିର ସମସ୍ତ କ୍ୟାଡେଟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ, ଧନ୍ୟବାଦ!

ସମସ୍ତ ଏନସିସି କ୍ୟାଡେଟ    :       ବହୁତ ବହୁତ ଧନ୍ୟବାଦ ସାର, ଧନ୍ୟବାଦ!

ପ୍ରଧାନମନ୍ତ୍ରୀ   : ଧନ୍ୟବାଦ, ଧନ୍ୟବାଦ ।

ସମସ୍ତ ଏନସିସି କ୍ୟାଡେଟ    :       ଜୟ ହିନ୍ଦ୍ ସାର୍ ।

ପ୍ରଧାନମନ୍ତ୍ରୀ   :       ଜୟ ହିନ୍ଦ୍ ।

ସମସ୍ତ ଏନସିସି କ୍ୟାଡେଟ    :       ଜୟ ହିନ୍ଦ୍ ସାର୍ ।

ପ୍ରଧାନମନ୍ତ୍ରୀ   :       ଜୟ ହିନ୍ଦ୍, ଜୟ ହିନ୍ଦ୍ ।

 

          ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଏକଥା ଭୁଲିବା ଉଚିତ ନୁହେଁ ଯେ ଡିସେମ୍ବର 7 ତାରିଖ ଦିନ ସଶସ୍ତ୍ର ସେନା ପତାକା ଦିବସ ପାଳନ କରାଯାଇଥାଏ । ଏହା ସେହି ଦିବସ ଯେଉଁଦିନ ଆମେ ଆମର ବୀରସୈନିକମାନଙ୍କୁ, ସେମାନଙ୍କ ପରାକ୍ରମକୁ, ସେମାନଙ୍କ ବଳିଦାନକୁ ମନେପକାଇବା ସହ କିଛି ଯୋଗଦାନ ମଧ୍ୟ ଦେଇଥାଉ । କେବଳ ସମ୍ମାନ ଭାବନାରେ କାମ ଚଳେନାହିଁ । ସହଭାଗିତା ମଧ୍ୟ ଜରୁରୀ ହୋଇଥାଏ । ତେଣୁ ଡିସେମ୍ବର 7 ତାରିଖ ଦିନ ପ୍ରତ୍ୟେକ ନାଗରିକ ଆଗେଇଆସିବା ଉଚିତ୍ । ପ୍ରତ୍ୟେକଙ୍କ ପାଖରେ ସେଦିନ ସଶସ୍ତ୍ର ସେନାର ପତାକା  ରହିବା ନିହାତି ଦରକାର ଏବଂ ପ୍ରତ୍ୟେକଙ୍କର ଯୋଗଦାନ ମଧ୍ୟ ରହିବା ଦରକାର । ଆସନ୍ତୁ, ଏହି ଅବସରରେ ଆମେ ଆମ ସଶସ୍ତ୍ର ସେନାର ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ସମର୍ପଣ ଭାବ ପ୍ରତି କୃତଜ୍ଞତା ପ୍ରକାଶ କରିବା ଏବଂ ବୀର ସୈନିକମାନଙ୍କୁ ସ୍ମରଣ କରିବା ।

          ମୋର ପ୍ରିୟ ଦେଶବାସୀଗଣ, ଭାରତରେ ଫିଟ ଇଣ୍ଡିଆ ଅଭିଯାନ ସହ ଆପଣମାନେ ନିଶ୍ଚିତ ଭାବେ ପରିଚିତ ହୋଇସାରିଥିବେ । ଫିଟ ଇଣ୍ଡିଆ ସପ୍ତାହର ଆୟୋଜନ କରି ସିବିଏସଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲଗୁଡ଼ିକ ଫିଟ ଇଣ୍ଡିଆ ସପ୍ତାହ ଡିସେମ୍ବର ମାସରେ କେବେବି ପାଳନ କରିପାରନ୍ତି । ଏଥିରେ ଫିଟନେସକୁ ନେଇ ଅନେକ ପ୍ରକାରର ଆୟୋଜନ କରାଯିବ । ଏଥିରେ କୁଇଜ୍, ପ୍ରବନ୍ଧ, ଲିଖନ, ଚିତ୍ରାଙ୍କନ, ପାରମ୍ପରିକ ଏବଂ ସ୍ଥାନୀୟ ଖେଳ, ଯୋଗାସନ, ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ସାମିଲ କରାଯାଇଛି । ଫିଟ ଇଣ୍ଡିଆ ସପ୍ତାହରେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଶିକ୍ଷକ ଏବଂ ପିତାମାତା ମଧ୍ୟ ଭାଗ ନେଇପାରିବେ । କିନ୍ତୁ ଏକଥା ଭୁଲିବେନି ଯେ ଫିଟ ଇଣ୍ଡିଆର ଅର୍ଥ କେବଳ ମାନସିକ ବ୍ୟାୟାମ, କାଗଜ କାମ ବା ଲାପଟପ୍, କମ୍ପ୍ୟୁଟର ବା ମୋବାଇଲ ଫୋନ୍ରେ ଫିଟନେସ ଆପ ଦେଖିବା ନୁହେଁ । ଝାଳ ବୁହାଇବାକୁ ପଡ଼ିବ । ଖାଦ୍ୟପେୟ ଅଭ୍ୟାସ ବଦଳାଇବାକୁ ପଡ଼ିବ । ବ୍ୟାୟାମ ଅଭ୍ୟାସକୁ ବଢ଼ାଇବାକୁ ପଡ଼ିବ । ମୁଁ ଦେଶର ସମସ୍ତ ରାଜ୍ୟର ସ୍କୁଲ ବୋର୍ଡ ଏବଂ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ ପ୍ରତ୍ୟେକ ବିଦ୍ୟାଳୟରେ ଡିସେମ୍ବର ମାସରେ ଫିଟ ଇଣ୍ଡିଆ ସପ୍ତାହ ପାଳନ କରାଯାଉ । ଏହାଦ୍ୱାରା ଫିଟନେସ ଅଭ୍ୟାସ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ସାମିଲ ହୋଇଯିବ । ଫିଟ ଇଣ୍ଡିଆ ମୁଭମେଂଟରେ ଫିଟନେସ୍କୁ ନେଇ ସ୍କୁଲଗୁଡ଼ିକର ରେଙ୍କିଙ୍ଗର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ର‌୍ୟାଙ୍କିଙ୍ଗକୁ ହାସଲ କରିଥିବା ସବୁ ସ୍କୁଲ, ଫିଟ ଇଣ୍ଡିଆ ଲୋଗୋ ଏବଂ ପତାକା ମଧ୍ୟ ବ୍ୟବହାର କରିପାରିବେ । ଫିଟ ଇଣ୍ଡିଆ ପୋର୍ଟାଲକୁ ଯାଇ ସ୍କୁଲ ନିଜକୁ ଫିଟ ଘୋଷିତ କରିପାରିବେ । ଫିଟ ଇଣ୍ଡିଆ ଥ୍ରୀ ଷ୍ଟାର ଏବଂ ଫିଟ ଇଣ୍ଡିଆ ଫାଇଭ ଷ୍ଟାର ରେଟିଂ ମଧ୍ୟ ଦିଆଯିବ । ମୁଁ ଅନୁରୋଧ କରୁଛି ଯେ ସମସ୍ତ ସ୍କୁଲ, ଫିଟ ଇଣ୍ଡିଆରେ ସାମିଲ ହୁଅନ୍ତୁ ଏବଂ ଫିଟ ଇଣ୍ଡିଆ ଆମ ସ୍ୱଭାବରେ ପରିଣତ ହେଉ । ଏକ ଜନଆନ୍ଦୋଳନ ହେଉ । ସଚେତନତା ସୃଷ୍ଟି ହେଉ । ଏଥିପାଇଁ ପ୍ରଚେଷ୍ଟା କରାଯିବା ଉଚିତ ।

          ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶ ଏତେ ବିଶାଳ, ଏତେ ବିବିଧତା-ଭରା ଆଉ ଏତେ ପ୍ରାଚୀନ ଯେ ତା’ର ଅନେକଗୁଡ଼ିଏ କଥା ଆମର ଧ୍ୟାନକୁ ଆସିନଥାଏ । ସେମିତି ହେବା ବି ସ୍ୱାଭାବିକ । ସେଇଭଳି ଗୋଟିଏ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହେଁ । କିଛିଦିନ ତଳେ ମାଇଁ ଗଭରେ ଗୋଟିଏ ମନ୍ତବ୍ୟ ମୋ ଦୃଷ୍ଟିକୁ ଆସିଲା । ଆସାମର ନୌଗାଓଁ ନିବାସୀ ଶ୍ରୀମାନ ରମେଶ ଶର୍ମା ଏହି ମନ୍ତବ୍ୟ ଲେଖିଥିଲେ । ସେ ଲେଖିଥିଲେ ଯେ ବ୍ରହ୍ମପୁତ୍ର ନଦୀରେ ଏକ ଉତ୍ସବ ଚାଲିଥିଲା । ତା’ର ନାମ ହେଲା ବ୍ରହ୍ମପୁତ୍ର ପୁଷ୍କର । ନଭେମ୍ବର 4 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏହି ବ୍ରହ୍ମପୁତ୍ର ପୁଷ୍କରରେ ଭାଗନେବା ପାଇଁ ଦେଶର ବିଭିନ୍ନ ଭାଗରୁ ଲୋକମାନେ ଏକତ୍ରିତ ହୋଇଥିଲେ । ଏକଥା ଶୁଣି ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ହଁ, କଥାଟି ତ ସେଇଭଳି । ଏହା ଏଭଳି ଏକ ମହତ୍ୱପୂର୍ଣ୍ଣ ପର୍ବ ଏବଂ ଆମର ପୂର୍ବଜମାନେ ୟାକୁ ଏଭଳି ଭାବରେ ଗଢ଼ିଛନ୍ତି ଯେ, ଯଦି ପୂରାକଥା ଜାଣିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଦୁର୍ଭାଗ୍ୟର କଥା, ଏହି ଉତ୍ସବର ଯେଉଁଭଳି ବ୍ୟାପକ ପ୍ରଚାର ହେବା ଦରକାର, ଦେଶର କୋଣ ଅନୁକୋଣରେ ଏ ବିଷୟରେ ଯେତିକି ସୂଚନା ଥିବା କଥା ସେତିକି ମାତ୍ରାରେ ପ୍ରଚାର ହୋଇନାହିଁ । ଆଉ ଏକଥା ମଧ୍ୟ ସତ୍ୟ ଯେ ଏହି ଉତ୍ସବ ଏକ ଦେଶ – ଏକ ସନ୍ଦେଶ ଆଉ ଆମେସବୁ ଏକ – ଏହି ଭାବକୁ ଜାଗ୍ରତ କରେ ଏବଂ ଶକ୍ତି ପ୍ରଦାନ କରେ ।

          ରମେଶ ଜୀ, ଆପଣଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଜଣାଉଛି ଯେ ଆପଣ ମନ୍ କି ବାତ୍ ମାଧ୍ୟମରେ ଏହି କଥା ଲୋକମାନଙ୍କ ନିକଟରେ ପହଂଚାଇବାର ପ୍ରୟାସ କରିଛନ୍ତି । ଏତେ ବଡ଼ ଘଟଣାର ପ୍ରଚାର ପ୍ରସାର ବା ଚର୍ଚ୍ଚା ଦେଶରେ ହେଉନଥିବାରୁ ଆପଣ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଆପଣଙ୍କର ବ୍ୟଥା ମୁଁ ଜାଣିପାରୁଛି । ଦେଶର ଅଧିକାଂଶ ଲୋକ ଏ ବିଷୟରେ ଜାଣନ୍ତି ନାହିଁ । ହଁ, ଯଦି କେହି ଏହାକୁ ଅନ୍ତର୍ଜାତୀୟ ନଦୀ ମହୋତ୍ସବ ବୋଲି କହିଦେଇଥାନ୍ତେ, କିଛି ବଡ଼ ଆକର୍ଷଣୀୟ ଶବ୍ଦ ପ୍ରୟୋଗ କରିଥାନ୍ତେ ତା’ହେଲେ ହୁଏତ ଦେଶର କିଛି ଲୋକ ଏ ବିଷୟରେ କିଛି ନା କିଛି ଆଲୋଚନା କରିଥାନ୍ତେ ଏବଂ ପ୍ରଚାର ବି ହୋଇପାରିଥାନ୍ତା ।

          ମୋର ପ୍ରିୟ ଦେଶବାସୀଗଣ, ପୁଷ୍କରମ୍, ପୁଷ୍କରାଲୁ, ପୁଷ୍କରଃ – ଏହି ଶବ୍ଦଗୁଡ଼ିକୁ ଆପଣମାନେ କେବେ ଶୁଣିଛନ୍ତି କି? ଏସବୁ କ’ଣ? ସେ ବିଷୟରେ ଆପଣ କିଛି ଜାଣନ୍ତି କି? ତେବେ ଶୁଣନ୍ତୁ । ଏ ଦେଶର ବାରଟି ଭିନ୍ନ ଭିନ୍ନ ନଦୀକୂଳରେ ଯେଉଁ ଉତ୍ସବ ଆୟୋଜିତ ହୁଏ ସେଗୁଡ଼ିକ ନାମ ମଧ୍ୟ ଭିନ୍ନ । ପ୍ରତ୍ୟେକ ନଦୀକୂଳରେ ପ୍ରତି ବାରବର୍ଷରେ ଥରେ ଏହି ଉତ୍ସବ ପାଳନ କରାଯାଏ । ବାରବର୍ଷ ପରେ ପୁଣି ଥରେ ଉତ୍ସବ ପାଇଁ ସେହି ନଦୀର ପାଳି ପଡ଼ିବ । ଏହିପରି ଦେଶର ବିଭିନ୍ନ କ୍ଷେତ୍ରରେ ବାରଟି ନଦୀକୂଳରେ ପାଳିକରି ଏହି ଉତ୍ସବ ଆୟୋଜନ କରାଯାଏ ଏବଂ ବାରଦିନ ଯାଏ ଏହି ଉତ୍ସବ ଅନୁଷ୍ଠିତ ହୁଏ । କୁମ୍ଭମେଳା ଭଳି ଏ ଉତ୍ସବ ମଧ୍ୟ ରାଷ୍ଟ୍ରୀୟ ଏକତାକୁ ମଜଭୁତ୍ କରେ ଏବଂ ‘ଏକ ଭାରତ – ଶ୍ରେଷ୍ଠ ଭାରତ’ର ସଂଦର୍ଶନ କରାଇଥାଏ । ପୁଷ୍କରମ୍ ଏକ ଏଭଳି ଉତ୍ସବ ଯେଉଁଥିରେ ନଦୀର ମହାତ୍ମ୍ୟ, ନଦୀର ଗୌରବ ଏବଂ ଜୀବନରେ ନଦୀର ମହତ୍ୱକୁ ସହଜ ଭାବରେ ପ୍ରତିପାଦିତ କରେ ।

          ଆମର ପୂର୍ବଜମାନେ ପ୍ରକୃତି, ପରିବେଶ, ଜଳ, ଜମି, ଜଙ୍ଗଲ ଆଦିକୁ ବହୁତ ଗୁରୁତ୍ୱ ଦେଇଆସିଛନ୍ତି । ସେମାନେ ନଦୀଗୁଡ଼ିକର ମହତ୍ୱକୁ ବୁଝିଥିଲେ ଏବଂ ନଦୀ ପ୍ରତି ସମାଜର ସକାରାତ୍ମକ ଭାବ କିପରି ସୃଷ୍ଟି ହେବ, ଏକ ସଂସ୍କାର କେମିତି ସୃଷ୍ଟିହେବ ସେ ଦିଗରେ ପ୍ରୟାସ କରିଥିଲେ । ନଦୀ ସହିତ ସଂସ୍କୃତିର ଧାରା, ସଂସ୍କାରର ଧାରା ତଥା ସମାଜକୁ କିଭଳି ଯୋଡ଼ାଯାଇପାରିବ ସେ ଦିଗରେ ନିରନ୍ତର ପ୍ରୟାସ କରାଗଲା ଏବଂ ଆନନ୍ଦର କଥା ହେଲା ସମାଜ ନଦୀ ସହ ଯୋଡ଼ିହେବା ସଙ୍ଗେ ସଙ୍ଗେ ନିଜ ନିଜ ମଧ୍ୟରେ ବି ସଂଯୋଜିତ ହେଲା । ଗତବର୍ଷ ତାମିଲନାଡୁର ‘ତାମୀର ବର୍ନୀ’ ନଦୀରେ ପୁଷ୍କରମ୍ ହୋଇଥିଲା । ଏ ବର୍ଷ ଏହା ବ୍ରହ୍ମପୁତ୍ର ନଦୀରେ ହେଲା ଏବଂ ଆଗାମୀ ବର୍ଷ ତୁଙ୍ଗଭଦ୍ରା ନଦୀକୂଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆୟୋଜିତ ହେବ । ଆପଣମାନେ ଏହି ବାରଟି ସ୍ଥାନର ଯାତ୍ରା ଗୋଟିଏ ପର୍ଯ୍ୟଟନ ସର୍କିଟ ଭଳି ମଧ୍ୟ କରିପାରିବେ । ମୁଁ ଆସାମର ଲୋକମାନଙ୍କର ଉତ୍ସାହ ଏବଂ ଆତିଥ୍ୟକୁ ପ୍ରଶଂସା କରିବାକୁ ଚାହେଁ – ସେମାନେ ସାରା ଦେଶରୁ ଆସିଥିବା ତୀର୍ଥଯାତ୍ରୀମାନଙ୍କୁ ଅତି ସୁନ୍ଦର ଭାବେ ସକ୍ରାର କଲେ । ଆୟୋଜକମାନେ ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେଇଥିଲେ । ପ୍ଲାଷ୍ଟିକ ମୁକ୍ତ ଅଂଚଳ ସୁନିଶ୍ଚିତ କଲେ । ବିଭିନ୍ନ ସ୍ଥାନରେ ଜୈବ ଶୌଚାଳୟର ସୁବିଧା ମଧ୍ୟ ରଖିଥିଲେ । ମୋର ଆଶା ଯେ ନଦୀଗୁଡ଼ିକ ପ୍ରତି ଏହି ପ୍ରକାର ଭାବ ଜାଗ୍ରତ କରୁଥିବା ହଜାର ହଜାର ବର୍ଷ ପୁରୁଣା ଆମର ଏହି ଉତ୍ସବ ଆମର ଭବିଷ୍ୟତ ବଂଶଧରମାନଙ୍କୁ ମଧ୍ୟ ଏହାସହ ଯୋଡ଼ିବ । ପ୍ରକୃତି, ପରିବେଶ, ପାଣି ଏସବୁ ଆମ ପର୍ଯ୍ୟଟନର ଅଙ୍ଗ ହେବା ସାଥେ ସାଥେ ଆମ ଜୀବନର ମଧ୍ୟ ଅଙ୍ଗ ପାଲଟନ୍ତୁ ।

          ମୋର ପ୍ରିୟ ଦେଶବାସୀଗଣ, ମଧ୍ୟପ୍ରଦେଶର ଝିଅ ଶ୍ୱେତା ନମୋ ଆପରେ ଲେଖିଛନ୍ତି । ସେ ଲେଖିଛନ୍ତି “ସାର୍, ମୁଁ ନବମ ଶ୍ରେଣୀରେ ପଢ଼ୁଛି ଏବଂ ମୋର ବୋର୍ଡ ପରୀକ୍ଷା ପାଇଁ ଆଉ ଗୋଟିଏ ବର୍ଷ ସମୟ ଅଛି । କିନ୍ତୁ ମୁଁ ଛାତ୍ରଛାତ୍ରୀ ଓ ଏକଜାମ ୱାରିଅର୍ସମାନଙ୍କ ସହିତ ଆପଣଙ୍କ କଥାବାର୍ତ୍ତା ନିୟମିତ ଶୁଣେ । ମୁଁ ଆପଣଙ୍କୁ ଏଥିପାଇଁ ଲେଖୁଛି ଯେ ଆଗାମୀ ପରୀକ୍ଷା ଉପରେ ଆଲୋଚନା କେବେ ହେବ, ଆପଣ ଆଜିଯାଏ କହିନାହାଁନ୍ତି । ଦୟାକରି ଆପଣ ଯଥାଶୀଘ୍ର ଏହି କାମ କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଜାନୁୟାରୀ ମାସରେ ହିଁ ଏହି କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ । ବନ୍ଧୁଗଣ, ‘ମନ କୀ ବାତ୍’ ସମ୍ବନ୍ଧରେ ଏହି କଥାଗୁଡ଼ିକ ମୋତେ ବହୁତ ଭଲ ଲାଗେ । ମୋର ଯୁବବନ୍ଧୁମାନେ ଯେମିତି ଅଧିକାର ଆଉ ସ୍ନେହର ସହିତ ମୋ ପାଖରେ ଅଭିଯୋଗ କରନ୍ତି, ଆଦେଶ ଦିଅନ୍ତି, ପରାମର୍ଶ ଦିଅନ୍ତି – ତାହା ଦେଖି ମୋତେ ବହୁତ ଖୁସି ଲାଗେ । ଶ୍ୱେତା ଜୀ, ଆପଣ ଠିକ୍ ସମୟରେ ଏହି ବିଷୟଟି ଉଠାଇଛନ୍ତି । ପରୀକ୍ଷା ଆସୁଛି, ତେଣୁ ପ୍ରତିବର୍ଷ ଭଳି ଆମକୁ ପରୀକ୍ଷା ବିଷୟରେ ଚର୍ଚ୍ଚା କରିବାକୁ ହେବ । ଆପଣ ଠିକ୍ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ଟିକେ ଆଗରୁ ଆୟୋଜନ କରିବାର ଆବଶ୍ୟକତା ଅଛି ।

          ଗତ କାର୍ଯ୍ୟକ୍ରମ ପରେ ଅନେକ ଲୋକ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ନିଜର ପରାମର୍ଶ ଦେଇଛନ୍ତି, କେତେକ ଅଭିଯୋଗ ବି କରିଛନ୍ତି ଯେ ଗତଥର ଡେରିରେ ହୋଇଥିଲା, ପରୀକ୍ଷା ଖୁବ୍ ନିକଟ ହୋଇଯାଇଥିଲା । ଶ୍ୱେତା ଠିକ୍ ପରାମର୍ଶ ଦେଇଛନ୍ତି – ମୁଁ ଏହା ଜାନୁୟାରୀ ମାସରେ କରିବା ଉଚିତ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ମାଇଁ ଗଭ ଟିମ୍ ମିଳିମିଶି ଏହି କାମରେ ଲାଗିଛନ୍ତି । କିନ୍ତୁ ମୁଁ ଚେଷ୍ଟା କରିବି ଯେମିତି ଏଥର ପରୀକ୍ଷା ବିଷୟରେ ଚର୍ଚ୍ଚା ଜାନୁୟାରୀ ଆରମ୍ଭ କିମ୍ବା ମଝିରେ ହୁଏ । ସାରାଦେଶର ଛାତ୍ରଛାତ୍ରୀ ବନ୍ଧୁମାନଙ୍କ ପାଇଁ ଦୁଇଟି ସୁବିଧା ଅଛି । ପ୍ରଥମଟି ହେଲା ସେମାନେ ନିଜ ସ୍କୁଲରୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଆଉ ଦ୍ୱିତୀୟଟି ହେଲା ଦିଲ୍ଲୀ ଆସି ଏଠାକାର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଦିଲ୍ଲୀ କାର୍ଯ୍ୟକ୍ରମ ପାଇଁ ମାଇଁ ଗଭ ମାଧ୍ୟମରେ ସାରାଦେଶରୁ ଛାତ୍ରଛାତ୍ରୀଙ୍କ ଚୟନ କରାଯିବ ।

ସାଥିଗଣ, ଆମ ସମସ୍ତଙ୍କୁ ମିଶି ପରୀକ୍ଷାର ଭୟକୁ ଦୂର କରିବାକୁ ହେବ । ମୋର ଯୁବବନ୍ଧୁମାନେ ପରୀକ୍ଷା ସମୟରେ ହସ ହସ ଦିଶନ୍ତୁ, ପିତାମାତା ଚାପମୁକ୍ତ ହୁଅନ୍ତୁ, ଶିକ୍ଷକମାନେ ଆଶ୍ୱସ୍ତ ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଗତ କେତେବର୍ଷ ହେଲା ଆମେ ମନ୍ କି ବାତ୍ ମାଧ୍ୟମରେ, ଟାଉନ ହଲ ମାଧ୍ୟମରେ କିମ୍ବା ଏକଜାମ ୱାରିଅର୍ସ ବହି ମାଧ୍ୟମରେ ନିୟମିତ ଭାବେ ପରୀକ୍ଷା ଉପରେ ଆଲୋଚନା କରିଆସୁଛୁ । ଏହି ମିଶନକୁ ସାରାଦେଶର ଛାତ୍ରଛାତ୍ରୀ, ପିତାମାତା ଏବଂ ଶିକ୍ଷକମାନେ ଆଗକୁ ବଢ଼ାଇଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ଏବଂ ଆଗାମୀ ପରୀକ୍ଷା ବିଷୟରେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଆମେସବୁ ମିଳିମିଶି ଆୟୋଜନ କରିବା – ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ।

          ବନ୍ଧୁଗଣ, ଗତ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ମୁଁ 2010ରେ ଅଯୋଧ୍ୟା ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିଷୟରେ ଚର୍ଚ୍ଚା କରିଥିଲି । ଆଉ ସେ ସମୟରେ ରାୟ ଆସିବା ଆଗରୁ ଏବଂ ରାୟ ଆସିବା ପରେ ବି ସାରା ଦେଶ କେମିତି ଶାନ୍ତି ଏବଂ ଭ୍ରାତୃଭାବ ପ୍ରଦର୍ଶନ କରିଥିଲା ସେ ବିଷୟରେ କହିଥିଲି । ଏଥର ମଧ୍ୟ ନଭେମ୍ବର 9 ତାରିଖରେ ଯେତେବେଳେ ସୁପ୍ରିମକୋର୍ଟର ରାୟ ଆସିଲା ସେତେବେଳେ 130 କୋଟି ଭାରତୀୟ ପୁଣିଥରେ ସାବ୍ୟସ୍ତ କରିଦେଲେ ଯେ ତାଙ୍କପାଇଁ ଦେଶହିତଠୁ ବଳି ବଡ଼ କିଛିନାହିଁ । ଦେଶରେ ଶାନ୍ତି, ଏକତା ଆଉ ସଦ୍ଭାବନାର ମୂଲ୍ୟ ସବୁଠୁ ଉଚ୍ଚରେ । ରାମମନ୍ଦିର ସମ୍ପର୍କରେ ଯେତେବେଳେ ରାୟ ଆସିଲା, ସେତେବେଳେ ସମଗ୍ର ଦେଶ ଖୋଲା ହୃଦୟରେ ତାକୁ ଗ୍ରହଣ କଲା । ସମ୍ପୂର୍ଣ୍ଣ ସହଜ ଭାବରେ ଏବଂ ଶାନ୍ତିର ସହିତ ତାକୁ ସ୍ୱୀକାର କଲା । ଆଜି ‘ମନ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀମାନଙ୍କୁ ସାଧୁବାଦ ଦେଉଛି, ଧନ୍ୟବାଦ ଜଣାଇବାକୁ ଚାହେଁ । ସେମାନେ ଯେଉଁଭଳି ଧୈର୍ଯ୍ୟ, ସଂଯମ ଏବଂ ପରିପକ୍ୱତାର ପରିଚୟ ଦେଲେ ସେଥିପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ଏକପକ୍ଷରେ, ଦୀର୍ଘ ସମୟ ଧରି ଚାଲିଆସିଥିବା ଏକ ଆଇନଗତ ସଂଘର୍ଷର ଅବସାନ ହୋଇଛି ଏବଂ ଅନ୍ୟପକ୍ଷରେ ନ୍ୟାୟପାଳିକା ପ୍ରତି ଦେଶର ସମ୍ମାନ ଆହୁରି ବଢ଼ିଛି । ବାସ୍ତବରେ ଏହି ରାୟ ଆମର ନ୍ୟାୟପାଳିକା ପାଇଁ ମଧ୍ୟ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି । ସୁପ୍ରିମକୋର୍ଟଙ୍କର ଏହି ଐତିହାସିକ ରାୟ ପରେ, ଏବେ ଦେଶ, ନୂଆ ଆଶା, ନୂଆ ଆକାଂକ୍ଷାର ସହିତ ଏକ ନୂତନ ପଥରେ ଏକ ନୂତନ ଲକ୍ଷ୍ୟ ସହିତ ଆଗେଇଚାଲିଛି । ନ୍ୟୁ ଇଣ୍ଡିଆ, ଏଇ ଭାବନାକୁ ଆପଣେଇ ଶାନ୍ତି, ଏକତା ଏବଂ ସଦ୍ଭାବନାର ସହିତ ଅଗ୍ରଗତି କରୁ ଏହା ମୋର ଏବଂ ଆମ ସମସ୍ତଙ୍କର କାମନା ।

          ମୋର ପ୍ରିୟ ଦେଶବାସୀଗଣ, ଆମର ସଭ୍ୟତା ସଂସ୍କୃତି ଏବଂ ଭାଷାଗୁଡ଼ିକ ସମଗ୍ର ବିଶ୍ୱକୁ ବିବିଧତା ଭିତରେ ଏକତାର ବାର୍ତା ଦେଇଆସିଛି । 130 କୋଟି ଭାରତୀୟଙ୍କର ଏ ଦେଶ ଯେଉଁଠି କୁହାଯାଏ “କୋଷ କୋଷ୍ ପର ପାନି ବଦ୍ଲେ ଚାର୍ କୋଷପର ବାନୀ” ଅର୍ଥାତ୍ ଏକ କୋଶରେ ପାଣି ବଦଳେ ତ ଚାରି କୋଶରେ ଭାଷା ବଦଳିଥାଏ । ଆମ ଭାରତବର୍ଷରେ ଶତାବ୍ଦୀ ଶତାବ୍ଦୀ ଧରି ଶହ ଶହ ଭାଷା ପୁଷ୍ପିତ ଏବଂ ପଲ୍ଲବିତ ହୋଇଛନ୍ତି । ଅବଶ୍ୟ ଆମର ଏଭଳି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ ଯେ କେତେକ ଭାଷା ଆଉ ଉପଭାଷା ନିଶ୍ଚିହ୍ନ ହୋଇଯାଉନି ତ! କିଛିଦିନ ତଳେ ମୁଁ ଉତ୍ତରାଖଣ୍ଡର ଧାରଚୁଲାର କଥା ପଢ଼ିଲି । ମୋତେ ଖୁବ୍ ସନ୍ତୋଷ ଅନୁଭୂତ ହେଲା ଲୋକମାନେ କେମିତି ନିଜ ଭାଷାର ଅଭିବୃଦ୍ଧି ପାଇଁ ଆଗେଇ ଆସନ୍ତି ନୂଆ କିଛି କରନ୍ତି – ଏଇ କଥାରୁ ତା’ର ପ୍ରମାଣ ମିଳେ । ଧାରଚୁଲାର ଖବର ମୋର ଧ୍ୟାନ ଆକର୍ଷଣ କରିବାର କାରଣ ହେଲା କେବେ କେବେ ଯିବା ଆସିବା ବେଳେ ମୁଁ ଧାରଚୁଲାରେ ରହୁଥିଲି । ସେ ପାଖରେ ନେପାଳ ଆଉ ଏ ପାଖରେ କାଲିଗଙ୍ଗା । ତେଣୁ, ଧାରଚୁଲା ଶବ୍ଦ ଶୁଣିବା ମାତ୍ରେ ସେ ଖବର ପ୍ରତି ମୋର ଧ୍ୟାନ ଯିବା ସ୍ୱାଭାବିକ ଥିଲା । ପିଥୌରାଗଡ଼ର ଧାରଚୁଲାରେ ରଙ୍ଗ ସମ୍ପ୍ରଦାୟର ଅନେକ ଲୋକ ରହନ୍ତି । ‘ରଗୋଲୋ’ ହେଉଛି ସେମାନଙ୍କର କଥିତ ଭାଷା । ଏ ଲୋକମାନେ ଏକଥା ଭାବି ଖୁବ୍ ଦୁଃଖୀ ଥିଲେ ଯେ ତାଙ୍କ ଭାଷା କହୁଥିବା ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ କମିଯାଉଛି । ୟା ପରେ ଦିନେ ସେମାନେ ସମସ୍ତେ ତାଙ୍କର ଭାଷାକୁ ବଂଚାଇ ରଖିବାର ସଂକଳ୍ପ ନେଲେ । ଦେଖୁ ଦେଖୁ ରଙ୍ଗ ସମ୍ପ୍ରଦାୟର ଲୋକମାନେ ଏଇ ଅଭିଯାନରେ ଯୋଗଦେବାକୁ ଲାଗିଲେ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏହି ସମ୍ପ୍ରଦାୟର ଲୋକମାନଙ୍କର ସଂଖ୍ୟା କିଛି ହାତଗଣତି ମାତ୍ର ହେବେ । ଅନୁମାନ କଲେ ମୋଟାମୋଟି ଦଶ ହଜାର ହେବ କିନ୍ତୁ ରଙ୍ଗ ଭାଷ୍ୟକୁ ଜୀବିତ ରଖିବା ପାଇଁ ସମସ୍ତେ ଏକତ୍ରିତ ହୋଇଗଲେ । ଚୌରାଅଶୀ ବର୍ଷ ବୟସ୍କ ବୃଦ୍ଧ ଦିୱାନ ସିଂହ ହୁଅନ୍ତୁ କି ବାଇଶ ବର୍ଷର ଯୁବତୀ ବୈଶାଳୀ ଗର୍ବ୍ୟାଲ । ପ୍ରଫେସର ହୁଅନ୍ତୁ କି ବ୍ୟବସାୟୀ, ପ୍ରତ୍ୟେକ ଯଥାସମ୍ଭବ ପ୍ରଚେଷ୍ଟାରେ ଲାଗିପଡ଼ିଲେ । ଏହି ଅଭିଯାନରେ ସୋସିଆଲ ମିଡିଆର ମଧ୍ୟ ପୂର୍ଣ୍ଣ ଉପଯୋଗ କରାଗଲା । ଅନେକ ହ୍ୱାଟ୍ସଆପ ଗ୍ରୁପ ଗଢ଼ାହେଲା । ସେଥିରେ ମଧ୍ୟ ଶହ ଶହ ଲୋକଙ୍କୁ ସାମିଲ କରାଗଲା । ଏହି ଭାଷାର କୌଣସି ଲିପି ନାହିଁ । ଖାଲି କଥାବାର୍ତ୍ତାରେ ହିଁ ଏହି ଭାଷା ପ୍ରଚଳିତ ହୁଏ । ଏମିତିରେ ଲୋକମାନେ କାହାଣୀ, କବିତା ଏବଂ ଗୀତ ଇତ୍ୟାଦି ପୋଷ୍ଟ କରିବାକୁ ଲାଗିଲେ । ପରସ୍ପରର ଭାଷାକୁ ଠିକ୍ କରିଚାଲିଲେ । ହ୍ୱାଟ୍ସଆପ ହିଁ ଏକ ପ୍ରକାରର ଶ୍ରେଣୀଗୃହ ହୋଇଗଲା ଯେଉଁଠି ସମସ୍ତେ ଶିକ୍ଷକ ଏବଂ ସମସ୍ତେ ବି ଛାତ୍ର । ରଙ୍ଗ ସମ୍ପ୍ରଦାୟର ଲୋକମାନେ ଭାଷାକୁ ରକ୍ଷା କରିବାର ଏଇଭଳି ଏକ ପ୍ରୟାସ କରିଚାଲିଛନ୍ତି । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି, ପତ୍ରିକା ପ୍ରକାଶନ ହେଉଛି ଏବଂ ଏଥିରେ ସାମାଜିକ ସଂସ୍ଥାମାନଙ୍କର ସହାୟତା ବି ମିଳୁଛି ।

          ବନ୍ଧୁଗଣ, ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା ମିଳିତ ଜାତିସଂଘ 2019କୁ ଅନ୍ତର୍ଜାତୀୟ ସ୍ୱଦେଶୀ ଭାଷା ବର୍ଷ ଭାବେ ଘୋଷଣା କରିଛି । ଅର୍ଥାତ ଯେଉଁ ଭାଷାଗୁଡ଼ିକ ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛନ୍ତି ସେଗୁଡ଼ିକର ସଂରକ୍ଷଣ ଉପରେ ଜୋର ଦିଆଯାଉଛି । ଦେଢ଼ଶହ ବର୍ଷ ପୂର୍ବେ ଆଧୁନିକ ହିନ୍ଦୀର ଜନକ ଭରତେନ୍ଦୁ ହରିଶ୍ଚନ୍ଦ୍ର ମଧ୍ୟ କହିଥିଲେ ।

“ନିଜ ଭାଷା ଉନ୍ନତି ଅହେ, ସବ୍ ଉନ୍ନତିକୋ ମୂଲ୍,

ବିନ୍ ନିଜ ଭାଷା ଜ୍ଞାନକେ, ମିଟତ୍ ନ, ହିୟ କୋ ସୂଲ୍”

          ଅର୍ଥାତ୍ ମାତୃଭାଷାର ଜ୍ଞାନ ବ୍ୟତୀତ ଉନ୍ନତି ଅସମ୍ଭବ । ଏଇଭଳି ସ୍ଥିତିରେ ରଙ୍ଗ ସମ୍ପ୍ରଦାୟର ଏହି ପଦକ୍ଷେପ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିବ । ଯଦି ଆପଣ ମଧ୍ୟ ଏହି କାହାଣୀ ଦ୍ୱାରା ପ୍ରେରିତ ହୋଇଛନ୍ତି ତେବେ ଆଜିଠାରୁ ହିଁ ନିଜେ ନିଜର ମାତୃଭାଷା ବା ଉପଭାଷା ପ୍ରୟୋଗ କରନ୍ତୁ । ପରିବାର ଏବଂ ସମାଜକୁ ମଧ୍ୟ ପ୍ରେରିତ କରନ୍ତୁ ।

          ଊନବିଂଶ ଶତାବ୍ଦୀର ଶେଷ ଭାଗରେ ମହାକବି ସୁବ୍ରମଣ୍ୟମ୍ ଭାରତୀ ତାମିଲ ଭାଷାରେ ଯାହା କହିଥିଲେ – ତାହା ଆମମାନଙ୍କ ପାଇଁ ମଧ୍ୟ ଖୁବ୍ ପ୍ରେରଣାଦାୟକ । ସୁବ୍ରମଣ୍ୟମ୍ ଭାରତୀ ତାମିଲ ଭାଷାରେ କହିଥିଲେ –

          ମୁପ୍ପଦୁ କୋଡି ମୁଘ୍ ମୁଡୈୟାଳ

          ଉୟିର୍ ମୋଇମ୍ବୁର ଓଂଦ୍ରୁଡୈୟାଳ ।

          ଇୱଳ ସେପ୍ପୁ ମୋଳି ପଧିନେଟ୍ଟୁଡୈୟାଳ

          ଏନିର୍ ସିନ୍ଦନୈ ଓଂନ୍ଦ୍ରୁଡୈୟାଳ ।

          ଏହା ଊନବିଂଶ ଶତାବ୍ଦୀର ଉତରାର୍ଦ୍ଧ କଥା । ସେ ସମୟରେ ସେ କହିଥିଲେ ଯେ, ଭାରତମାତାର 30 କୋଟି ମୁଖମଣ୍ଡଳ ରହିଛି କିନ୍ତୁ ଶରୀର ଏକ । ସେ 18ଟି ଭାଷା କହୁଛନ୍ତି କିନ୍ତୁ ଚିନ୍ତାଧାରା ଏକ ।

          ମୋର ପ୍ରିୟ ଦେଶବାସୀଗଣ, ବେଳେବେଳେ ଜୀବନରେ ଛୋଟ ଛୋଟ କଥାଗୁଡ଼ିକ ମଧ୍ୟ ଆମକୁ ବହୁତ ବଡ଼ ବାର୍ତ୍ତା ଦେଇଯାଆନ୍ତି । ଦେଖନ୍ତୁ ନା, ମିଡିଆରେ ହିଁ ସ୍କୁବା ଡାଇଭର୍ସଙ୍କ ବିଷୟରେ ଗୋଟିଏ କାହାଣୀ ପଢ଼ୁଥିଲି । ଏହା ଏଭଳି ଗୋଟିଏ କାହାଣୀ ଯାହା ପ୍ରତ୍ୟେକ ଭାରତବାସୀଙ୍କୁ ପ୍ରେରଣା ଯୋଗାଇପାରେ । ବିଶାଖାପଟ୍ଟନମରେ ବୁଡ଼ିବାର ପ୍ରଶିକ୍ଷଣ ଦେଉଥିବା ସ୍କୁବା ଡାଇଭର୍ସ ଦିନେ ମାଙ୍ଗାମାରିପେଟା ଉପକୂଳ ଦେଇ ସମୁଦ୍ରରୁ ଫେରୁଥିବା ବେଳେ ସମୁଦ୍ରରେ ଭାସୁଥିବା କିଛି ପ୍ଲାଷ୍ଟିକ ବୋତଲ ଆଉ ପାଉଚ ସଂସ୍ପର୍ଶରେ ଆସିଥିଲେ । ଏସବୁ ସଫା କରୁ କରୁ ତାଙ୍କୁ ସମସ୍ୟାଟି ଗୁରୁତର ଜଣାଗଲା । ଆମ ସମୁଦ୍ରକୁ କିଭଳି ଆବର୍ଜନାରେ ଭରି ଦିଆଯାଉଛି । ବିଗତ ଅନେକ ଦିନରୁ ଏହି ବୁଡାଳୀମାନେ ସମୁଦ୍ରକୂଳରୁ ପ୍ରାୟ 100 ମିଟର ଯାଏ ସମୁଦ୍ର ଭିତରକୁ ଯାଇ ଗଭୀର ଜଳରେ ବୁଡ଼ି ସେଠାରେ ପଡ଼ିଥିବା ବର୍ଜ୍ୟବସ୍ତୁଗୁଡ଼ିକୁ ବାହାରକୁ ଆଣୁଛନ୍ତି । ମୋତେ ସୂଚନା ଦିଆଯାଇଛି ଯେ, 13 ଦିନ ମଧ୍ୟରେ ହିଁ, ଅର୍ଥାତ୍ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ସେମାନେ ପ୍ରାୟ 4000 କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରୁ ବାହାର କରିଛନ୍ତି । ଏହି ସ୍କୁବା ଡାଇଭରମାନଙ୍କର ଛୋଟିଆ ଆରମ୍ଭ ଗୋଟିଏ ବଡ଼ ଅଭିଯାନର ରୂପ ନେବାରେ ଲାଗିଛି । ଏମାନଙ୍କୁ ଏବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମଧ୍ୟ ମିଳିଲାଣି । ଆଖପାଖର ମତ୍ସ୍ୟଜୀବୀମାନେ ମଧ୍ୟ ଏମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇବାକୁ ଲାଗିଲେଣି । ଟିକିଏ ଚିନ୍ତା କରନ୍ତୁ । ଏହି ସ୍କୁବା ଡାଇଭର୍ସଙ୍କଠାରୁ ପ୍ରେରଣା ନେଇ ଯଦି ଆମେ ବି କେବଳ ଆମ ଆଖପାଖ ଅଂଚଳକୁ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତ କରିବାର ସଂକଳ୍ପ ଗ୍ରହଣ କରିବା ତେବେ “ପ୍ଲାଷ୍ଟିକ ମୁକ୍ତ ଭାରତ” ସାରା ବିଶ୍ୱ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିପାରିବେ ।

          ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ପରେ ନଭେମ୍ବର 26 ତାରିଖ । ସାରା ଦେଶ ପାଇଁ ଏହା ଏକ ବିଶେଷ ଦିନ । ଆମ ଗଣତନ୍ତ୍ର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନକୁ ଆମେ ସମ୍ବିଧାନ ଦିବସ ରୂପେ ପାଳନ କରିଥାଉ । ଆଉ ଚଳିତ ବର୍ଷ ସମ୍ବିଧାନ ଦିବସଟି ବିଶେଷ ଗୁରୁତ୍ୱ ବହନ କରୁଛି କାରଣ, ଏ ବର୍ଷ ସମ୍ବିଧାନକୁ ଗ୍ରହଣ କରିବାର 70 ବର୍ଷ ପୂରଣ ହେଉଛି । ଏହି ଅବସରରେ ଏଥର ସଂସଦରେ ବିଶେଷ ଆୟୋଜନ ହେବ ଏବଂ ବର୍ଷତମାମ ସାରା ଦେଶରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆସନ୍ତୁ, ଏହି ଅବସରରେ ଆମେ ସମ୍ବିଧାନ ସଭାର ସମସ୍ତ ସଭ୍ୟଙ୍କୁ ଆଦର ସହ ପ୍ରଣାମ କରିବା, ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଭାରତର ସମ୍ବିଧାନ ଏଭଳି ଯାହା ପ୍ରତ୍ୟେକ ନାଗରିକର ଅଧିକାର ଏବଂ ସମ୍ମାନକୁ ରକ୍ଷା କରିଥାଏ । ଏହା ଆମ ସମ୍ବିଧାନ ନିର୍ମାତାମାନଙ୍କ ଦୂରଦର୍ଶିତା ଯୋଗୁଁ ସୁନିଶ୍ଚିତ ହୋଇପାରିଛି । “ସମ୍ବିଧାନ ଦିବସ” ଆମ ସମ୍ବିଧାନର ଆଦର୍ଶକୁ ବଜାୟ ରଖୁ ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାର ଆମର ପ୍ରତିବଦ୍ଧତାକୁ ଶକ୍ତି ପ୍ରଦାନ କରୁ ଏହାହିଁ ମୋର କାମନା । ଏହି ସ୍ୱପ୍ନ ହିଁ ତ ଆମ ସମ୍ବିଧାନ ନିର୍ମାତାମାନେ ଦେଖିଥିଲେ ।

          ମୋର ପ୍ରିୟ ଦେଶବାସୀଗଣ, ଶୀତଋତୁ ଆରମ୍ଭ ହେବାକୁ ଯାଉଛି, ଟିକିଏ ଟିକିଏ ଥଣ୍ଡା ଏବେ ଅନୁଭୂତ ହେଲାଣି । ହିମାଳୟର କିଛି ଅଂଶ ବରଫାବୃତ ହେବା ଆରମ୍ଭ ହେଲାଣି । କିନ୍ତୁ ଏହା ଫିଟ ଇଣ୍ଡିଆ ଅଭିଯାନର ଋତୁ । ଆପଣ, ଆପଣଙ୍କ ପରିବାର, ଆପଣଙ୍କ ବନ୍ଧୁବାନ୍ଧବ, ଆପଣଙ୍କ ସାଥି ଏହି ସୁଯୋଗକୁ ହାତଛଡ଼ା କରନ୍ତୁନି । ଫିଟ ଇଣ୍ଡିଆ ଅଭିଯାନକୁ ଆଗେଇନେବା ପାଇଁ ଏହି ଋତୁର ଭରପୁର ଲାଭ ଉଠାନ୍ତୁ । ଅନେକ ଅନେକ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India vehicle retail sales seen steady in December as tax cuts spur demand: FADA

Media Coverage

India vehicle retail sales seen steady in December as tax cuts spur demand: FADA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister welcomes Cognizant’s Partnership in Futuristic Sectors
December 09, 2025

Prime Minister Shri Narendra Modi today held a constructive meeting with Mr. Ravi Kumar S, Chief Executive Officer of Cognizant, and Mr. Rajesh Varrier, Chairman & Managing Director.

During the discussions, the Prime Minister welcomed Cognizant’s continued partnership in advancing India’s journey across futuristic sectors. He emphasized that India’s youth, with their strong focus on artificial intelligence and skilling, are setting the tone for a vibrant collaboration that will shape the nation’s technological future.

Responding to a post on X by Cognizant handle, Shri Modi wrote:

“Had a wonderful meeting with Mr. Ravi Kumar S and Mr. Rajesh Varrier. India welcomes Cognizant's continued partnership in futuristic sectors. Our youth's focus on AI and skilling sets the tone for a vibrant collaboration ahead.

@Cognizant

@imravikumars”