ସେୟାର
 
Comments
The kind of restraint being practiced across country during this time is unprecedented, Ganeshotsav too is also being celebrated online: PM
Now is the time for everyone to be vocal for local toys: PM Modi
"Team up for toys", says PM Modi
Today, when the country is aspiring to be self-reliant, then, we have to move forward with full confidence in every field: Prime Minister during Mann Ki Baat
People's participation is very important in the movement of nutrition: Prime Minister Modi
During Mann Ki Baat, PM Modi speaks about Army dogs Sophie and Vida, who were awarded "Commendation Cards" on Independence Day
In the challenging times of Corona, teachers have quickly adapted technology and are guiding their students: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ସାଧାରଣତଃ ଏହି ସମୟରେ ପାର୍ବଣ ଋତୁ ଚାଲିଥାଏ । ସ୍ଥାନେ ସ୍ଥାନେ ମେଳା-ମହୋତ୍ସବ ଚାଲିଥାଏ, ଧାର୍ମିକ ପୂଜା ଆରାଧନା ହେଉଥାଏ । କରୋନାର ଏହି ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ତ ରହିଛି, କିନ୍ତୁ ଆମ ସମସ୍ତଙ୍କ ମନକୁ ଛୁଇଁଗଲା ଭଳି ଶୃଙ୍ଖଳା ଭାବ ମଧ୍ୟ ରହିଛି । ଏକ ପ୍ରକାର କହିବାକୁ ଗଲେ, ନାଗରିକମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ମଧ୍ୟ ରହିଛି । ଲୋକେ ନିଜର ଯତ୍ନ ନେବା ସହ ଅନ୍ୟମାନଙ୍କ ପ୍ରତି ମଧ୍ୟ ଯତ୍ନବାନ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି । ଦେଶରେ ହେଉଥିବା ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ଏଥର ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ । ଗଣେଶୋତ୍ସବ ମଧ୍ୟ କେଉଁଠି ଅନଲାଇନ ପାଳନ କରାଯାଇଛି, ତ କେଉଁଠି ପରିବେଶ ଅନୁକୂଳ (ଇକୋ ଫ୍ରେଣ୍ଡଲି) ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି । ବନ୍ଧୁଗଣ, ସୂକ୍ଷ୍ମତାର ସହ ଅନୁଧ୍ୟାନ କଲେ ଗୋଟିଏ କଥା ଆମ ଦୃଷ୍ଟିକୁ ନିଶ୍ଚୟ ଆସିବ – ତାହାହେଲା ଆମ ପର୍ବପର୍ବାଣୀ ଓ ପରିବେଶ । ଏଇ ଦୁଇଟି ମଧ୍ୟରେ ଖୁବ ଗଭୀର ସମ୍ପର୍କ ରହିଛି । ଏକପକ୍ଷରେ ଆମ ପର୍ବପର୍ବାଣୀ ପଛରେ ପରିବେଶ ଏବଂ ପ୍ରକୃତି ସହିତ ସହାବସ୍ଥାନର ବାର୍ତ୍ତା ରହୁଛି, ଅପରପକ୍ଷରେ ଅନେକ ପର୍ବ ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ହିଁ ପାଳନ କରାଯାଉଛି । ଯେମିତିକି, ବିହାରର ପଶ୍ଚିମ ଚମ୍ପାରଣରେ ଶହ ଶହ ବର୍ଷଧରି ଥାରୁ ଆଦିବାସୀ ସମାଜର ଲୋକମାନେ 60 ଘଣ୍ଟାର ଲକଡାଉନ ବା ସେମାନଙ୍କ ଭାଷାରେ କହିଲେ 60 ଘଣ୍ଟାର ବର୍ନା ପାଳନ କରିଥାନ୍ତି । ପ୍ରକୃତିର ସୁରକ୍ଷା ପାଇଁ ବର୍ନାକୁ ଥାରୁ ସମାଜ ନିଜ ପରମ୍ପରାର ଅଂଶ କରିଦେଇଛନ୍ତି । ଏହି ସମୟରେ ନା କେହି ଗାଁକୁ ଆସନ୍ତି, ଆଉ ନା କେହି ନିଜ ଘରୁ ବାହାରନ୍ତି । ଏହି ସମୟରେ ଲୋକଙ୍କ ଯିବା ଆସିବା ହେଲେ କିମ୍ବା ସେମାନେ ଘରୁ ବାହାରିଲେ ନୂଆ ଗଛଲତାର କ୍ଷତି ହୋଇପାରେ ବୋଲି ସେମାନଙ୍କ ଧାରଣା ରହିଛି । ବର୍ନା ଆରମ୍ଭରେ ଆମର ଏହି ଆଦିବାସୀ ଭାଇ-ଭଉଣୀମାନେ ପୂଜା-ଅର୍ଚ୍ଚନା କରନ୍ତି ଏବଂ ଏହାର ସମାପ୍ତିରେ ଆନନ୍ଦ ଉଲ୍ଲାସ ସହ ଆଦିବାସୀ ପରମ୍ପରାରେ ନାଚ-ଗୀତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ ।

ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ । ଓଣମର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମର ଆନନ୍ଦ ଆପଣ ସବୁଠି ଦେଖିବାକୁ ପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।

ବନ୍ଧୁଗଣ, ଓଣମ୍ ଏକ କୃଷିଭିତ୍ତିକ ପର୍ବ । ଏହା ଆମ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆରମ୍ଭର ସମୟ ହୋଇଥାଏ । ଚାଷୀମାନଙ୍କ ଶକ୍ତିରେ ହିଁ  ଆମ ଜୀବନ ଓ ଆମ ସମାଜ ଚାଲିଥାଏ । ଆମ ପର୍ବପର୍ବାଣି ଚାଷୀମାନଙ୍କ ପରିଶ୍ରମ ଯୋଗୁଁ ହିଁ ରଙ୍ଗୀନ ହୋଇଥାଏ । ଆମର ଅନ୍ନଦାତା, ଚାଷୀମାନଙ୍କ ଜୀବନଦାୟିନୀ ଶକ୍ତିକୁ ବେଦରେ ମଧ୍ୟ ଅତି ଗୁରୁତ୍ୱର ସହ ପ୍ରଣାମ କରାଯାଇଛି । ଋଗବେଦରେ ମନ୍ତ୍ର ରହିଛି –

ଅନ୍ନାନାଂ ପତୟେ ନମଃ, କ୍ଷେତ୍ରାଣାମ୍ ପତୟେ ନମଃ ।

ଅର୍ଥାତ୍, ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ । ଆମର ଚାଷୀମାନେ କରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ନିଜ ଶକ୍ତିକୁ ପ୍ରମାଣିତ କରିଛନ୍ତି । ଆମ ଦେଶରେ ଏଥର ଖରିଫ ଫସଲ ବୁଣା ଗତବର୍ଷ ତୁଳନାରେ ସାତ ପ୍ରତିଶତ ଅଧିକ ହୋଇଛି । ଧାନର ତଳିରୁଆ ଏଥର ପ୍ରାୟ ଦଶ ପ୍ରତିଶତ, ଡାଲିଜାତୀୟ ଫସଲ ପ୍ରାୟ ପାଞ୍ଚ ପ୍ରତିଶତ, ମକା-ବାଜରା- ମାଣ୍ଡିଆ ଆଦି ପ୍ରାୟ ତିନି ପ୍ରତିଶତ, ତୈଳବୀଜ ଜାତୀୟ ଫସଲ ପ୍ରାୟ ତେର ପ୍ରତିଶତ, କପା ପ୍ରାୟ ତିନି ପ୍ରତିଶତ ଅଧିକ ଚାଷ କରାଯାଇଛି । ଏଥିପାଇଁ ମୁଁ ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପରିଶ୍ରମକୁ ପ୍ରଣାମ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, କରୋନାର ଏହି ସମୟରେ ଦେଶ ଅନେକ କ୍ଷେତ୍ରରେ ଏକା ସମୟରେ ସଂଗ୍ରାମ ଚଳାଇଛି । କିନ୍ତୁ ଏଥିସହ, ଅନେକ ଥର ମନରେ ଏହି ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି ଯେ, ଦୀର୍ଘଦିନ ଧରି ଘରେ ରହିବା ଯୋଗୁଁ, ମୋର କୁନି କୁନି ବନ୍ଧୁମାନଙ୍କ ସମୟ କେମିତି କଟୁଥିବ? ତେଣୁ, ମୁଁ ଗାନ୍ଧୀନଗରର ଶିଶୁ ବିଶ୍ୱବିଦ୍ୟାଳୟ (ଚିଲ୍ଡ୍ରେନ ୟୁନିଭରସିଟି), ଯାହା ସମଗ୍ର ବିଶ୍ୱରେ ଏକ ଅଭିନବ ପ୍ରୟୋଗ, ଏହାକୁ ନେଇ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହ ମିଶି – ପିଲାମାନଙ୍କ ପାଇଁ କ’ଣ କରାଯାଇପାରିବ, ସେ ସମ୍ପର୍କରେ ଚିନ୍ତା ଏବଂ ବିଚାର-ଆଲୋଚନା କଲି । ଏହା ମୋ ପାଇଁ ଖୁବ ଆନନ୍ଦଦାୟକ ଥିଲା, ଲାଭଦାୟକ ଥିଲା – କାରଣ ଏହା ମୋତେ କିଛି ନୂଆ କଥା ଜାଣିବା ପାଇଁ, ଶିଖିବା ପାଇଁ ସୁଯୋଗ ପ୍ରଦାନ କଲା ।

ବନ୍ଧୁଗଣ, ଆମର ଆଲୋଚନାର ବିଷୟ ଥିଲା – ଖେଳଣା, ବିଶେଷକରି ଭାରତୀୟ ଖେଳଣା । ଭାରତର ପିଲାମାନଙ୍କୁ ନୂଆ ନୂଆ ଖେଳଣା କେମିତି ମିଳିପାରିବ ସେକଥା ଉପରେ ଆମେ ଆଲୋଚନା କଲୁ । ଭାରତ ଖେଳଣା ପ୍ରସ୍ତୁତିର ଏକ ପ୍ରମୁଖ କେନ୍ଦ୍ର କିଭଳି ହୋଇପାରିବ? ମନର କଥା ଶୁଣୁଥିବା ପିଲାମାନଙ୍କ ପିତାମାତାଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥନା କରୁଛି, କାରଣ, ଏହି ମନର କଥା ଶୁଣିବା ପରେ ଏଥର ନୂଆ ନୂଆ ଖେଳଣା ଆଣିବା ପାଇଁ ବରାଦ ମିଳିବ ।

ବନ୍ଧୁଗଣ, ଖେଳଣା ଏକପ୍ରକାର ଚଂଚଳତା ବୃଦ୍ଧି କରିଥାଏ, ଅପରପକ୍ଷରେ ଏହା ଆମ ଆକାଂକ୍ଷାକୁ ମଧ୍ୟ ନୂତନ ଦିଗ ପ୍ରଦାନ କରିଥାଏ । ଖେଳଣା କେବଳ ମନୋରଞ୍ଜନ କରିନଥାଏ, ଏସବୁ ମନକୁ ସୃଜନଶୀଳ କରିଥାଏ ଆଉ ମନକୁ ନୂତନ ଲକ୍ଷ୍ୟ ବି ପ୍ରଦାନ କରିଥାଏ । ମୁଁ କେଉଁଠି ପଢ଼ିଥିଲି ଯେ – ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଖେଳଣା ସମ୍ପର୍କରେ କହିଥିଲେ ଯେ, ଅଧାଗଢ଼ା ଖେଳଣା ହିଁ ସର୍ବୋକ୍ରୁଷ୍ଟ ଖେଳଣା । ଏମିତି ଖେଳଣା, ଯାହା ଅଧାଗଢ଼ା ହୋଇଥିବ, ଆଉ ପିଲାମାନେ ମିଶି ଖେଳୁଖେଳୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗଢ଼ିଦେବେ । ଗୁରୁଦେବ ଠାକୁର କହିଥିଲେ ଯେ, ସେ ଯେତେବେଳେ ଛୋଟ ଥିଲେ, ସେତେବେଳେ ଘରେ ଉପଲବ୍ଧ ଜିନିଷଗୁଡ଼ିକରେ ହିଁ ନିଜ କଳ୍ପନା ଶକ୍ତିରେ ସାଙ୍ଗମାନଙ୍କ ସହ ମିଶି ନିଜ ଖେଳଣା ଓ ଖେଳ ତିଆରି କରୁଥିଲେ । କିନ୍ତୁ ଦିନେ ଶୈଶବର ସେହି ଆନନ୍ଦଦାୟକ ମୁହୂର୍ତ୍ତରେ ବଡ଼ ଲୋକଙ୍କ ହସ୍ତକ୍ଷେପ ଘଟିଲା । ଘଟଣା ଏହାଥିଲା ଯେ, ତାଙ୍କର ଜଣେ ସାଙ୍ଗ ଗୋଟିଏ ବଡ଼ ଓ ସୁନ୍ଦର ଦେଖାଯାଉଥିବା ବିଦେଶୀ ଖେଳଣା ନେଇଆସିଲା । ଖେଳଣାର ଆକର୍ଷଣ ଯୋଗୁଁ ସବୁ ପିଲାଙ୍କ ମନ ଖେଳ ଉପରୁ ହଟିଯାଇ ସେହି ଖେଳଣା ଉପରକୁ ଗଲା । ଖେଳ ଅପେକ୍ଷା ଖେଳଣାଟି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା । କାଲି ଯାଏଁ ଯେଉଁ ସାଙ୍ଗଟି ସମସ୍ତଙ୍କ ସାଙ୍ଗରେ ମିଶି ଖେଳୁଥିଲା, ସମସ୍ତଙ୍କ ସାଙ୍ଗରେ ମିଶୁଥିଲା, ଏବେ ସେ ସମସ୍ତଙ୍କଠାରୁ ଦୂରେଇଗଲା । କହିବାକୁ ଗଲେ ଅନ୍ୟ ସାଙ୍ଗମାନଙ୍କ ପ୍ରତି ତା’ ମନରେ ଭେଦଭାବର ଭାବନା ସୃଷ୍ଟି ହେଲା । ସେହି ଦାମିକା ଖେଳନାରେ ନା କିଛି କରିବାକୁ ଥିଲା, ନା କିଛି ସେଥିରେ ଶିଖିବାର ଥିଲା । ଅର୍ଥାତ, ଗୋଟିଏ ଆକର୍ଷଣୀୟ ଖେଳଣା ଗୋଟିଏ ଉତ୍କୃଷ୍ଟ ପିଲାଟିର ପ୍ରତିଭାକୁ ଦମନ କଲା, ଲୁଚାଇ ଦେଲା, ପ୍ରତିହତ କରିଦେଲା । ଏହି ଖେଳଣାଟି ଅବଶ୍ୟ ଧନ, ସମ୍ପତ୍ତି, ବଡ଼ପଣିଆ ଦେଖାଇପାରିଲା, କିନ୍ତୁ ସେହି ପିଲାଟିର ସୃଜନଶୀଳତାର ବୃଦ୍ଧି ପାଇଁ ଏହା ପ୍ରତିବନ୍ଧକ ସାଜିଲା । ଖେଳଣାଟି ଆସିଲା ସିନା, କିନ୍ତୁ ଖେଳ ସରିଗଲା ଏବଂ ପିଲାର ଉନ୍ନତି ମଧ୍ୟ କେଉଁଠି ହଜିଗଲା । ତେଣୁ, ଗୁରୁଦେବ କହୁଥିଲେ ଯେ, ଖେଳଣା ଏମିତି ହେବା ଦରକାର, ଯାହା ପିଲାଙ୍କ ଶୈଶବକୁ ବାହାରକୁ ଆଣିପାରିବ, ସେମାନଙ୍କ ସୃଜନଶୀଳତାର ବିକାଶ ଘଟାଇପାରିବ । ପିଲାମାନଙ୍କ ଜୀବନର ଭିନ୍ନ ଭିନ୍ନ ଦିଗ ଉପରେ ଖେଳଣାଗୁଡ଼ିକର ଯେଉଁ ପ୍ରଭାବ ପଡ଼ିଥାଏ, ତାହା ଉପରେ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ଖେଳୁ ଖେଳୁ ଶିଖିବା, ଖେଳଣା ଗଢ଼ା ଶିଖିବା, ଖେଳଣା ତିଆରି ହେଉଥିବା ଜାଗା ପରିଦର୍ଶନ କରିବା, ଏ ସବୁକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି ।

ବନ୍ଧୁଗଣ, ଆମ ଦେଶରେ ସ୍ଥାନୀୟ ଖେଳଣାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ଅନେକ ପ୍ରତିଭାଶାଳୀ ଏବଂ ଦକ୍ଷ କାରିଗର ଅଛନ୍ତି, ଯେଉଁମାନେ ଭଲ ଖେଳଣା ତିଆରି କରିବାରେ ସିଦ୍ଧହସ୍ତ । ଭାରତର କିଛି କ୍ଷେତ୍ର ଟୟ୍ କ୍ଲଷ୍ଟର ଅର୍ଥାତ ଖେଳଣା ତିଆରି କେନ୍ଦ୍ର ରୂପେ ବିକଶିତ ହେବାରେ ଲାଗିଛନ୍ତି । ଯେମିତିକି, କର୍ଣ୍ଣାଟକ ରାମନଗରମର ଚନ୍ନାପାଟଣା, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାର କୋଣ୍ଡାପଲ୍ଲୀ, ତାମିଲନାଡ଼ୁର ତାଂଜୋର, ଆସାମର ଧୁବ୍ରୀ, ଉତ୍ତରପ୍ରଦେଶର ବାରାଣସୀ । ଏମିତି ଅନେକ ଜାଗା ରହିଛି । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ବିଶ୍ୱର ଖେଳଣା ବଜାରରେ 7 ଲକ୍ଷ କୋଟି ଟଙ୍କାରୁ ଅଧିକର କାରବାର ହୁଏ । 7 ଲକ୍ଷ କୋଟିର ଏତେ ବଡ଼ କାରବାର, ଅଥଚ ଭାରତର ଅଂଶ ଏଥିରେ ବହୁତ କମ ରହିଛି । ଏବେ ଆପଣ ଚିନ୍ତା କରନ୍ତୁ ତ, ଯେଉଁ ଦେଶର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି, ଯେଉଁଠି ଏତେ ସବୁ ବିବିଧତା ଭରି ରହିଛି, ଯୁବଶକ୍ତି ରହିଛି, ଖେଳଣା ବଜାରରେ ତାର ଅଂଶ ଏତେ କମ ହେବା କ’ଣ ଆମକୁ ଶୋଭା ପାଇବ? ନାହିଁ ଆଜ୍ଞା, ଏକଥା ଶୁଣି ଆପଣଙ୍କୁ ମଧ୍ୟ ଭଲ ଲାଗିବନି । ଦେଖନ୍ତୁ ବନ୍ଧୁଗଣ, ଖେଳଣା ଉଦ୍ୟୋଗର ଏକ ବିଶାଳ କ୍ଷେତ୍ର ରହିଛି । ଗୃହ ଉଦ୍ୟୋଗ ହେଉ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ହେଉ, ଏମ.ଏସ.ଏମ.ଇ ହେଉ, ଏହାସହିତ ବଡ଼ ଉଦ୍ୟୋଗ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମଧ୍ୟ ଏହାର ପରିସରଭୁକ୍ତ । ଏହାର ଉନ୍ନତି ପାଇଁ ସାରା ଦେଶକୁ ମିଶି ପରିଶ୍ରମ କରିବାକୁ ହେବ । ଏଇ ଯେମିତି, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଶ୍ରୀମାନ ସି.ବି. ରାଜୁ । ଏକଦା ତାଙ୍କ ଗାଁର ଏତି-କୋପକ୍କା ଖେଳଣା ଖୁବ ଚାଲୁଥିଲା । ଏହାର ବିଶେଷତ୍ୱ ଏହାଥିଲା ଯେ, ଏହା କାଠରେ ତିଆରି ହେଉଥିଲା । ଆଉ ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଏଥିରେ କୌଣସି ପ୍ରକାର କୋଣ ବା ଧାର ରହୁ ନଥିଲା । ସବୁଆଡ଼ୁ ଏହା ଗୋଲାକାର ଥିଲା । ତେଣୁ ଛୋଟ ପିଲାଙ୍କୁ ଏହାଦ୍ୱାରା କୌଣସି ପ୍ରକାର ଶାରୀରିକ କ୍ଷତି ହେବାର ସମ୍ଭାବନା ରହୁ ନ ଥିଲା । ସି.ବି. ରାଜୁ ଏତି-କୋପ୍ପକା ଖେଳଣା ପାଇଁ ନିଜ ଗାଁର କାରିଗରମାନଙ୍କ ସହ ମିଶି ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଉନ୍ନତ ମାନର ଏତି-କୋପ୍ପକା ଖେଳଣା ତିଆରି କରି ସି.ବି. ରାଜୁ ନିଜ ଅଂଚଳର ବିଲୁପ୍ତ ଗୌରବକୁ ଫେରାଇ ଆଣିଛନ୍ତି । ଖେଳଣା ଦ୍ୱାରା ଆମେ ଦୁଇଟି କାମ କରିପାରିବା – ଆମ ଗୌରବପୂର୍ଣ୍ଣ ଅତୀତକୁ ନିଜ ଜୀବନକୁ ଫେରାଇ ଆଣିପାରିବା ଏବଂ ନିଜ ପାଇଁ ସୁନେଲି ଭବିଷ୍ୟତଟିଏ ମଧ୍ୟ ଗଢ଼ିପାରିବା । ମୁଁ ଆମର ଷ୍ଟାର୍ଟ-ଅପ୍ ବନ୍ଧୁମାନଙ୍କୁ, ଆମର ନୂଆ ଉଦ୍ୟୋଗୀମାନଙ୍କୁ କହିବାକୁ ଚାହୁଁଛି – ଟିମ୍ ଅପ୍ ଫର୍ ଟଏଜ୍ … ଆସନ୍ତୁ ମିଳିମିଶି ଖେଳଣା ତିଆରି କରିବା । ଏବେ ଆମେ ସମସ୍ତେ ଲୋକାଲ୍ ଖେଳଣା ପାଇଁ ଭୋକାଲ୍ ହେବାର ସମୟ ଆସିଛି । ଆସନ୍ତୁ, ଆମେ ଆମର ଯୁବବନ୍ଧୁମାନଙ୍କ ପାଇଁ କିଛି ନୂତନ ଧରଣର, ଉନ୍ନତ ମାନର ଖେଳଣା ତିଆରି କରିବା । ଖେଳଣା ଏମିତି ହେଉ ଯାହାଦ୍ୱାରା ଶୈଶବ ଫୁଟିଉଠୁ, ହସିଉଠୁ । ଆମେ ଏଭଳି ଖେଳଣା ତିଆରି କରିବା ଯାହା ପରିବେଶ ଅନୁକୂଳ ମଧ୍ୟ ହୋଇଥିବ ।

ବନ୍ଧୁଗଣ, ବର୍ତ୍ତମାନ କମ୍ପ୍ୟୁଟର ଓ ସ୍ମାର୍ଟଫୋନ ଯୁଗରେ କମ୍ପ୍ୟୁଟର ଗେମ୍ସ ମଧ୍ୟ ବହୁଳ ଭାବେ ପ୍ରଚଳିତ ହେଉଛି । ଏଗୁଡ଼ିକ ପିଲାମାନେ ଓ ବଡ଼ମାନେ ମଧ୍ୟ ଖେଳୁଛନ୍ତି । କିନ୍ତୁ, ଏସବୁ ପଛରେ ଯାହା ଥିମ୍ ରହୁଛି, ସେସବୁ ଅଧିକାଂଶ ବିଦେଶୀ । ଆମ ଦେଶରେ ଏତେ ନୂଆ ନୂଆ ଚିନ୍ତାଧାରା ରହିଛି, (ଏତେ ଆଇଡିଆ ରହିଛି, ଏତେ କନସେପ୍ଟ ରହିଛି) ଆମ ଦେଶର ଇତିହାସ ମଧ୍ୟ ଖୁବ ସମୃଦ୍ଧ । ସେସବୁକୁ ନେଇ ଆମେ ଖେଳ ପ୍ରସ୍ତୁତ କରିପାରିବା କି? ଦେଶର ଯୁବ ପ୍ରତିଭାଶାଳୀମାନଙ୍କୁ ମୁଁ ଆମ ଦେଶରେ ଏବଂ ଆମ ଦେଶକୁ ନେଇ ଖେଳ ପ୍ରସ୍ତୁତ କରିବାକୁ ଆହ୍ୱାନ ଜଣାଉଛି । କଥାରେ ମଧ୍ୟ ଅଛି – ଲେଟ୍ ଦି ଗେମ୍ ବିଗିନ୍ – ତାହେଲେ ଆସନ୍ତୁ, ଖେଳ ଆରମ୍ଭ କରିବା !!

ବନ୍ଧୁଗଣ, ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍ ଗେମ୍ସ ହେଉ, ଖେଳଣା କ୍ଷେତ୍ର ହେଉ, ଏସବୁର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, ଏବଂ ଏବେ ଏହା ଗୋଟିଏ ସୁଯୋଗ । ଶହେ ବର୍ଷ ତଳେ ଯେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ ଗାନ୍ଧିଜୀ ଲେଖିଥିଲେ – ଅସହଯୋଗ ଆନ୍ଦୋଳନ, ଦେଶବାସୀଙ୍କ ମଧ୍ୟରେ ଆତ୍ମସମ୍ମାନ ଏବଂ ନିଜର ଶକ୍ତିର ଅନୁଭୂତି କରାଇବାର ଏକ ପ୍ରୟାସ ।

ଆଜି ଯେତେବେଳେ ଆମେ ଦେଶକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରୁଛୁ, ସେତେବେଳେ ଆମକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ହେବ, ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାକୁ ହେବ । ଅସହଯୋଗ ଆନ୍ଦୋଳନ ରୂପେ ଯେଉଁ ବୀଜବପନ ହୋଇଥିଲା, ତାହାକୁ ଏବେ ଆତ୍ମନିର୍ଭର ଭାରତର ବଟବୃକ୍ଷରେ ପରିଣତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ।

ମୋର ପ୍ରିୟ ଦେଶବାସୀଗଣ, ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି । ଯେତେବେଳେ ସମର୍ପଣ ଭାବ ରହିଥାଏ, ସମବେଦନା ଥାଏ ସେତେବେଳେ ଏହି ଶକ୍ତି ଅସୀମ ହୋଇଯାଏ । ଏହି ମାସ ଆରମ୍ଭରେ ଦେଶର ଯୁବବର୍ଗଙ୍କ ପାଇଁ ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜ ନାମରେ ଗୋଟିଏ ପ୍ରତିଯୋଗିତା ରଖାଯାଇଥିଲା । ଏହି ଆତ୍ମନିର୍ଭର ଭାରତ ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜରେ ଆମ ଯୁବବନ୍ଧୁମାନେ ଅତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରାୟଃ 7 ହଜାର ପ୍ରତିଯୋଗୀ ଅଂଶଗ୍ରହଣ କଲେ । ସେଥିରୁ ପାଖାପାଖି ଦୁଇ ତୃତୀୟାଂଶ ଆପ୍ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରର ଯୁବବନ୍ଧୁମାନେ ବିକଶିତ କରିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ, ଦେଶର ଭବିଷ୍ୟତ ପାଇଁ ଏହା ଅତି ଶୁଭ ସଙ୍କେତ । ଆତ୍ମନିର୍ଭର ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜର ଫଳାଫଳ ଦେଖି ଆପଣମାନେ ନିଶ୍ଚୟ ପ୍ରଭାବିତ ହେବେ । ବହୁତ ପରୀକ୍ଷାନିରୀକ୍ଷା ପରେ, ବିଭିନ୍ନ ବର୍ଗରେ ପ୍ରାୟ 24ଟି ଆପକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଆପଣମାନେ ଏସବୁ ଆପ୍ ସମ୍ପର୍କରେ ଜାଣନ୍ତୁ ଏବଂ ଏହା ସହ ସଂଶ୍ଲିଷ୍ଟ ମଧ୍ୟ ହୁଅନ୍ତୁ । ହୁଏତ ଆପଣ ମଧ୍ୟ ଏଭଳି କିଛି ତିଆରି କରିବା ପାଇଁ ପ୍ରେରଣା ପାଇବେ । ଏଥିରୁ ଗୋଟିଏ ଆପ୍ ହେଉଛି – କୁଟୁକୀ କିଡ୍ସ ଲର୍ଣ୍ଣିଂ ଆପ୍ । ଏହା ଛୋଟ ପିଲାଙ୍କ ପାଇଁ ଏଭଳି ଗୋଟିଏ ଇଂଟରଆକ୍ଟିଭ୍ ଆପ୍ ଯେଉଁଥିରେ ଗୀତ ଓ କାହାଣୀ ମାଧ୍ୟମରେ କଥା କଥାରେ ପିଲାମାନେ ଗଣିତ ଓ ବିଜ୍ଞାନର ଅନେକ କଥା ଶିଖିପାରିବେ । ଏଥିରେ କିଛି ଗତିବିଧି ରହିଛି, ଆଉ ଖେଳକୌତୁକ ମଧ୍ୟ ରହିଛି । ସେହିଭଳି ଗୋଟିଏ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଆପ୍ ମଧ୍ୟ ରହିଛି । ଏହାର ନାମ କୂ – କ ଙଙ – କୂ । ଏଥିରେ ଆମେ ଆମ ମାତୃଭାଷାରେ ଟେକ୍ସ୍ଟ, ଅଡିଓ ଏବଂ ଭିଡିଓ ମାଧ୍ୟମରେ ନିଜ କଥା ରଖିପାରିବା, ଭାବ ବିନିମୟ ମଧ୍ୟ କରିପାରିବା । ସେହିଭଳି ଚିଙ୍ଗାରୀ ଆପ୍ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛି । ସେଥିରୁ ଗୋଟିଏ ଆପ୍ ହେଉଛି – ଆସ୍କ ସରକାର । ଏଥିରେ ଚ୍ୟାଟ୍ ବୋଟ୍ ମାଧ୍ୟମରେ ଆପଣ ଭାବ ବିନିମୟ କରିବା ସହ ଯେକୌଣସି ସରକାରୀ ଯୋଜନା ସମ୍ପର୍କରେ ସଠିକ ସୂଚନା ମଧ୍ୟ ପାଇପାରିବେ – ତାହା ପୁଣି ଟେକ୍ସ୍ଟ, ଅଡିଓ ଏବଂ ଭିଡିଓ ଭଳି ତିନୋଟି ମାଧ୍ୟମରେ । ଏହା ଆପଣଙ୍କ ପାଇଁ ଖୁବ ସହାୟକ ହୋଇପାରିବ । ଆଉ ଗୋଟିଏ ଆପ୍ ହେଉଛି – ଷ୍ଟେପ୍ ସେଟ୍ ଗୋ । ଏହା ଫିଟନେସ୍ ଆପ୍ । ଆପଣ କେତେ ବାଟ ଚାଲିଲେ, କେତେ କ୍ୟାଲୋରୀ ଖର୍ଚ୍ଚ କଲେ, ଏହାର ସମ୍ପୂର୍ଣ୍ଣ ହିସାବ ଏହି ଆପ୍ ରଖିପାରୁଛି ଏବଂ ଆପଣଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ମଧ୍ୟ ଦେଉଛି । ମୁଁ ମାତ୍ର ଅଳ୍ପ କିଛି ଉଦାହରଣ ଦେଇଛି । ଆହୁରି ଅନେକ ଆପ୍ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ବିଜନେସ୍ ଆପ୍, ଗେମ୍ସ ଆପ୍, ଯେମିତିକି ‘Is Equal To’, ‘Books & Expense’, ‘Zoho Workplace’, ‘FTC Talent’ । ଏଗୁଡ଼ିକ ବିଷୟରେ ଆପଣ ଇଂଟରନେଟରେ ସର୍ଚ୍ଚ କରନ୍ତୁ, ଆପଣଙ୍କୁ ଅନେକ ସୂଚନା ମିଳିବ । ଆପଣ ମଧ୍ୟ ଆଗେଇ ଆସନ୍ତୁ, କିଛି ନୂଆ କଥା ଚିନ୍ତା କରନ୍ତୁ, କିଛି ନୂଆ କାର୍ଯ୍ୟକାରୀ କରନ୍ତୁ । ଆପଣଙ୍କ ପ୍ରଚେଷ୍ଟାରେ ଆଜିର ଛୋଟ ଛୋଟ ଷ୍ଟାର୍ଟ ଅପ୍ କାଲିକୁ ବଡ଼ ବଡ଼ କମ୍ପାନୀରେ ପରିବର୍ତ୍ତିତ ହେବ ଏବଂ ବିଶ୍ୱ ଦରବାରରେ ଭାରତର ପରିଚୟ ସୃଷ୍ଟି କରିବ । ଆପଣ ଏ କଥା କେବେହେଲେ ଭୁଲନ୍ତୁ ନାହିଁ ଯେ, ଆଜି ଦୁନିଆରେ ଯେଉଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଦେଖାଯାଉଛି, ସେଗୁଡ଼ିକ ଦିନେ ଷ୍ଟାର୍ଟ ଅପ୍ ଆକାରରେ ଆରମ୍ଭ ହୋଇଥିଲା ।

ମୋର ପ୍ରିୟ ଦେଶବାସୀଗଣ, ଆମର ଏଠାକାର ଶିଶୁ, ଆମର ଛାତ୍ରଛାତ୍ରୀ, ନିଜର ସଂପୂର୍ଣ୍ଣ କ୍ଷମତା ଦେଖାଇବା ନିମନ୍ତେ ପୁଷ୍ଟି ଓ ପୋଷଣର ଏକ ବଡ଼ ଭୂମିକା ରହିଛି । ସାରା ଦେଶରେ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବରେ ପାଳନ କରାଯିବ । ଦେଶର ବିକାଶ  ଓ ପୋଷଣ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଆମର ଏଠି ପ୍ରବାଦ ରହିଛି : “ଯଥା ଅନ୍ନମ୍ ତଥା ମନ୍ନମ୍” ଅର୍ଥାତ ଅନ୍ନ ଯେପରି ହୋଇଥାଏ ଆମର ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ସେହିପରି ହୁଏ । ବିଶେଷଜ୍ଞ କହନ୍ତି ଯେ ଶିଶୁ ଗର୍ଭରେ ଥିବାବେଳେ ଓ ଶୈଶବାବସ୍ଥାରେ ଯେତେ ଭଲ ପୁଷ୍ଟି ମିଳିଥାଏ ତା’ର ସେତିକି ମାନସିକ ବିକାଶ ହୁଏ ଓ ସେ ସୁସ୍ଥ ରହେ । ପିଲାଙ୍କର ପୁଷ୍ଟିସାଧନ ପାଇଁ ମାଆକୁ ମଧ୍ୟ ସଂପୂର୍ଣ୍ଣ ପୁଷ୍ଟି ମିଳିବା ଜରୁରୀ । ପୋଷଣର ଅର୍ଥ କେବଳ ଏଇଆ ନୁହେଁ ଯେ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି । ଏହାର ଅର୍ଥ ହେଲା ଆପଣଙ୍କ ଶରୀରକୁ କେତେ ପୁଷ୍ଟିକର ତତ୍ୱ ମିଳୁଛି । ଆପଣଙ୍କୁ ଆଇରନ୍, କ୍ୟାଲ୍ସିଅମ୍ ମିଳୁଛି ନା ନାହିଁ, ସୋଡିଅମ୍ ମିଳୁଛି ନା ନାହିଁ, ଭିଟାମିନ୍ ମିଳୁଛି ନା ନାହିଁ, ଏସବୁ ପୋଷଣର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି ପୋଷଣ ଆନ୍ଦୋଳନରେ ଜନ-ସହଭାଗିତା ବେଶୀ ଜରୁରୀ । ଜନ-ସହଭାଗିତା ହିଁ ଏହାକୁ ସଫଳ କରିବ । ବିଗତ କିଛି ବର୍ଷ ଭିତରେ ଏ କ୍ଷେତ୍ରରେ ଦେଶରେ ବହୁ ପ୍ରୟାସ କରାଯାଇଛି । ବିଶେଷକରି ଆମର ଗାଁଗୁଡ଼ିକରେ ଏହି ଜନ-ସହଭାଗିତାକୁ ଜନ ଆନ୍ଦୋଳନର ରୂପ ଦିଆଯାଉଛି । ପୁଷ୍ଟି ସପ୍ତାହ ହେଉ ବା ପୋଷଣ ମାସ ହେଉ, ଏସବୁ ମାଧ୍ୟମରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯାଉଛି । ଏହାସହ ସ୍କୁଲଗୁଡ଼ିକୁ ଯୋଡ଼ାଯାଉଛି । ପିଲାଙ୍କ ଭିତରେ ସଚେତନତା ବଢ଼ାଇବା ନିମନ୍ତେ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବା ପାଇଁ କ୍ରମାଗତ ଚେଷ୍ଟା ଜାରି ରହିଛି । ଶ୍ରେଣୀରେ ଯେପରି ଜଣେ କ୍ଲାସ୍ ମନିଟର୍ ଥାଏ, ସେହିପରି Nutrition monitor ମଧ୍ୟ ରହୁ, report card ଭଳିò Nutrition card ମଧ୍ୟ ତିଆରି ହେଉ, ଏହିପରି ଆରମ୍ଭ କରାଯାଉଛି । ପୋଷଣ ମାସ ଅବସରରେ ମାଇଗଭରେ ଏକ ଖାଦ୍ୟ ଓ ପୋଷଣ କୁଇଜ ମଧ୍ୟ ଆୟୋଜନ କରାଯିବ ଆଉ ତା’ସହ ଏକ ମିମ୍ ପ୍ରତିଯୋଗିତା ମଧ୍ୟ ହେବ । ଆପଣ ନିଜେ ଏଥିରେ ଭାଗ ନିଅନ୍ତୁ ଓ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରବର୍ତ୍ତାନ୍ତୁ ।

ବନ୍ଧୁଗଣ, ଯଦି ଆପଣ ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ statue of unity ଯିବାକୁ ସୁଯୋଗ ମିଳିଛି ଓ କୋଭିଡ ପରେ ଯେତେବେଳେ ଏହା ଖୋଲିବ ଓ ଆପଣଙ୍କୁ ଯିବାର ଅବସର ମିଳିବ, ତେବେ ସେଠାରେ ଦେଖିବେ ଏକ ନିଆରା ପୋଷଣ ପାର୍କ  ଗଢ଼ାଯାଇଛି । ଖେଳଖେଳରେ ହିଁ ପୋଷଣର ଶିକ୍ଷା ସେଠାରେ ଦେଖିହେବ ।

ବନ୍ଧୁଗଣ, ଭାରତ ଏକ ବିଶାଳ ଦେଶ, ଯେଉଁଠି ଖାଦ୍ୟପାନୀୟର ବହୁତ ବିବିଧତା ରହିଛି । ଆମ ଦେଶରେ ଛଅଟି ଅଲଗା ଅଲଗା ଋତୁ ଆସେ; ସେହି ଅନୁସାରେ ବିଭିନ୍ନ ଅଂଚଳରେ ଅଲଗା ଅଲଗା ଜିନିଷ ମଧ୍ୟ ସୃଷ୍ଟି ହୁଏ । ସେଥିପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ଅଂଚଳର ସ୍ଥାନୀୟ ଭୋଜନ ଓ ସେଠାରେ ଉତ୍ପନ୍ନ ହେଉଥିବା ଋତୁକାଳୀନ ଅନ୍ନ, ଫଳ, ପନିପରିବା ଆଦି ଅନୁସାରେ ଏକ ପୁଷ୍ଟିକର ଖାଦ୍ୟ ତାଲିକା ତିଆରି ହେଉ । ଏଇ ଯେମିତି ମାଣ୍ଡିଆ- ଏହା ଏକ ବହୁତ ଉପଯୋଗୀ ପୁଷ୍ଟିକର ଆହାର । ଏକ “ଭାରତୀୟ କୃଷି କୋଷ’’ ପ୍ରସ୍ତୁତ କରାଯାଉଛି । ଏଥିରେ ପ୍ରତ୍ୟେକ ଜିଲାରେ କି କି ଫସଲ ହେଉଛି, ତା’ର ପୁଷ୍ଟିକାରକ ମୂଲ୍ୟ କେତେ, ତା’ର ସମ୍ପୂର୍ଣ୍ଣ ସୂଚନା ରହିବ । ଏହା ଆପଣମାନଙ୍କୁ ବହୁତ କାମ ଦେବ । ଆସନ୍ତୁ, ଏହି ପୋଷଣ ମାସରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ଓ ସୁସ୍ଥ ରହିବାକୁ ଆମେ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ।

ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଯେତେବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଥିଲୁ, ସେତେବେଳେ ଏକ ରୋଚକ ଖବର ଉପରେ ମୋର ଦୃଷ୍ଟି ପଡ଼ିଲା । ଖବରଟି ଆମର ସୁରକ୍ଷାବଳ ଭିତରେ ଥିବା ଦୁଇଜଣ ବାହାଦୂର ଚରିତ୍ରଙ୍କର । ଜଣେ ହେଉଛନ୍ତି ସୋଫି ଓ ଅନ୍ୟ ଜଣକ ୱିଦା । ସୋଫି ଓ ୱିଦା ଭାରତୀୟ ସେନାର ଶ୍ୱାନ ଓ ସେମାନଙ୍କୁ Chief of Army Staff ‘Commendation Cards’ରେ ସମ୍ମାନିତ କରାଯାଇଛି । ସୋଫି ଓ ୱିଦାଙ୍କୁ ଏହି ସମ୍ମାନ ଏଥିପାଇଁ ମିଳିଛି ଯେ ସେମାନେ ଦେଶର ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟକୁ ଖୁବ୍ ସୁନ୍ଦର ଭାବେ ପାଳନ କରିଛନ୍ତି । ଆମର ସେନାରେ, ଆମର ସୁରକ୍ଷାବଳ ପାଖରେ ଏପରି ବହୁତ ବାହାଦୂର ଶ୍ୱାନ ଅଛନ୍ତି ଯେଉଁମାନେ ଦେଶପାଇଁ ବଂଚନ୍ତି ଓ ଦେଶପାଇଁ ନିଜର ବଳିଦାନ ମଧ୍ୟ ଦିଅନ୍ତି । ଅନେକ ବୋମା ବିସ୍ଫୋରଣକୁ, ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ରୋକିବାରେ ଏପରି ଶ୍ୱାନଗୁଡ଼ିକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । କିଛିଦିନ ପୂର୍ବରୁ ଦେଶର ସୁରକ୍ଷା ପାଇଁ ଏହି ଶ୍ୱାନମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ମିଳିଲା । ଅନେକ କାହାଣୀ ବି ଶୁଣିଲି । ଗୋଟିଏ ଶ୍ୱାନ ବଳରାମ 2006ରେ ଅମରନାଥ ଯାତ୍ରା ରାସ୍ତାରେ ବହୁ ପରିମାଣର ଗୋଳାବାରୁଦ ଖୋଜି ବାହାର କରିଥିଲା । 2002ରେ ଶ୍ୱାନ ‘ଭାବନା’ ଆଇଇଡି ଖୋଜି ବାହାର କରିଥିଲେ । ଆଇଇଡି ଖୋଜିବା ସମୟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଦେଲେ ଓ ‘ଭାବନା’ ଶହୀଦ ହୋଇଗଲା । ଦୁଇତିନି ବର୍ଷ ପୂର୍ବରୁ ଛତିଶଗଡ଼ର ବିଜାପୁରରେ ସିଆର୍ପିଏଫ୍ ସ୍ନିଫର କୁକୁର  ମଧ୍ୟ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିଲା । କିଛିଦିନ ପୂର୍ବରୁ ହିଁ ଆପଣ ଟିଭିରେ ଏକ ବଡ଼ ଭାବୁକ କରିଦେଲା ଭଳି ଦୃଶ୍ୟ ଦେଖିଥିବେ, ଯେଉଁଥିରେ ବିଡ ପୁଲିସ୍ ନିଜର ସାଥୀ ଶ୍ୱାନ ରକିକୁ ସମ୍ପୂର୍ଣ୍ଣ ସମ୍ମାନର ସହ ଅନ୍ତିମ ବିଦାୟ ଦେଇଥିଲେ । ରକି 300ରୁ ଅଧିକ ସମସ୍ୟାର ସମାଧାନରେ ପୁଲିସକୁ ସାହାଯ୍ୟ କରିଥିଲା । ଶ୍ୱାନଙ୍କର ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବହୁତ ବଡ଼ ଭୂମିକା ରହିଥାଏ । ଏନଡିଆରଏଫ  ଭାରତରେ ଏପରି ବହୁତ ଶ୍ୱାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇଛି । କେଉଁଠି ଭୂମିକମ୍ପ ଆସିଲେ, ଘର ଭୁଷୁଡ଼ିପଡ଼ିଲେ ତା’ ଭିତରୁ ଜୀବିତ ଲୋକଙ୍କୁ ଖୋଜି ବାହାର କରିବାରେ ଏହି ଶ୍ୱାନଗୁଡ଼ିକ ଖୁବ୍ କୁଶଳୀ ହୋଇଥାନ୍ତି ।

ବନ୍ଧୁଗଣ, ମୋତେ କୁହାଯାଇଛି ଯେ ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ମଧ୍ୟ ବହୁତ ଭଲ, ବହୁତ ସକ୍ଷମ । ଭାରତୀୟ ପ୍ରଜାତିରେ ମୁଧୋଲ ହାଉଣ୍ଡ୍, ହିମାଚଳି ହାଉଣ୍ଡ୍ ବି ବହୁତ ଭଲ ପ୍ରଜାତି । ରାଜାପଲାୟମ୍, କନ୍ନି, ଚିପ୍ପିପରାଇ ଓ କୋମ୍ବାଇ ମଧ୍ୟ ବହୁତ ଭଲ ଭାରତୀୟ ପ୍ରଜାତିର ଶ୍ୱାନ । ଏଗୁଡ଼ିକର ଲାଳନପାଳନ ଖର୍ଚ୍ଚ ମଧ୍ୟ ବହୁତ କମ୍ ଓ ଏଗୁଡ଼ିକ ଭାରତୀୟ ପରିବେଶରେ ବଢ଼ିଥାନ୍ତି । ଏବେ ଆମର ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟ ଏହି ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକୁ ନିଜର ସୁରକ୍ଷା ଦଳରେ ସାମିଲ୍ କରୁଛନ୍ତି । ବିଗତ ଦିନରେ ସେନା, ସିଆଇଏସ୍ଏଫ୍, ଏନ୍ଏସ୍ଜି ମୁଧୋଲ୍ ହାଉଣ୍ଡ୍ ଶ୍ୱାନଙ୍କୁ ତାଲିମ ଦେଇ dog squadରେ ସାମିଲ୍ କରିଛନ୍ତି, ସିଆର୍ପିଏଫ୍ କୋମ୍ବାଇ ଶ୍ୱାନଙ୍କୁ ସାମିଲ୍ କରିଛି । ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟ ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ଉପରେ ଗବେଷଣା କରୁଛି । ଭାରତୀୟ ପ୍ରଜାତିର ଶ୍ୱାନଙ୍କୁ ଆହୁରି ଭଲ କରାଯିବା ଓ ଉପଯୋଗୀ କରାଯାଇପାରିବା ଏହାର ଉଦ୍ଦେଶ୍ୟ । ଆପଣ ଇଂଟରନେଟରେ ଏଗୁଡ଼ିକର ନାମ ସନ୍ଧାନ କରନ୍ତୁ, ସେମାନଙ୍କ ବିଷୟରେ ଜାଣନ୍ତୁ, ଆପଣ ସେମାନଙ୍କର ସୌନ୍ଦର୍ଯ୍ୟ, ସେମାନଙ୍କର ସ୍ୱଭାବ ଦେଖି ଚକିତ ହୋଇଯିବେ । ଆପଣ ଭବିଷ୍ୟତରେ ଯେତେବେଳେ ବି ଶ୍ୱାନ ପାଳିବା କଥା ଭାବିବେ, ତେବେ ଆପଣ ନିଶ୍ଚିତ ଏସବୁଥିରୁ କୌଣସି ଭାରତୀୟ ଶ୍ୱାନକୁ ଘରକୁ ଆଣିବେ । ଆତ୍ମନିର୍ଭର ଭାରତ ଯେତେବେଳେ ଜନ-ମନର ମନ୍ତ୍ର ହେଉଛି ସେତେବେଳେ କୌଣସି କ୍ଷେତ୍ର ମଧ୍ୟ ସେଥିରୁ କିପରି ପଛରେ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ପାଞ୍ଚ ସେପ୍ଟେମ୍ବରରେ ଆମେ ଶିକ୍ଷକ ଦିବସ ପାଳନ କରିବା । ଆମେମାନେ ଯେତେବେଳେ ନିଜ ଜୀବନର ସଫଳତାକୁ ଦେଖୁ, ନିଜ ଜୀବନଯାତ୍ରାକୁ ଦେଖୁ ସେତେବେଳେ ଆମର କୌଣସି ନା କୌଣସି ଶିକ୍ଷକଙ୍କ ସ୍ମୃତି ମନକୁ ଆସେ । ଦ୍ରୁତ ପରିବର୍ତ୍ତନଶୀଳ ସମୟ ଓ କରୋନା ସଂକଟ କାଳରେ ଆମର ଶିକ୍ଷକମାନଙ୍କ ସାମ୍ନାରେ ମଧ୍ୟ ସମୟ ସହ ବଦଳିବାର ଏକ ଆହ୍ୱାନ ରହିଛି । ମୁଁ ଖୁସି ଯେ ଆମର ଶିକ୍ଷକମାନେ ଏହି ଆହ୍ୱାନକୁ କେବଳ ସ୍ୱୀକାର କରିନାହାନ୍ତି, ବରଂ ସେମାନେ ଏହାକୁ ସୁଯୋଗରେ ପରିଣତ କରିଛନ୍ତି । ପାଠପଢ଼ାରେ କିପରି ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ହୋଇପାରିବ, ନୂଆ ମାଧ୍ୟମକୁ କିପରି ଆପଣାଇହେବ, ଛାତ୍ରଛାତ୍ରୀଙ୍କୁ କିପରି ସାହାଯ୍ୟ କରିହେବ ଏହାକୁ ଆମର ଶିକ୍ଷକମାନେ ସହଜଭାବେ ଆପଣାଇଛନ୍ତି ଓ ସେମାନେ ଛାତଛାତ୍ରୀଙ୍କୁ ମଧ୍ୟ ଶିଖାଇଛନ୍ତି । ଆଜି ଦେଶରେ ସବୁ ସ୍ଥାନରେ କିଛି ନା କିଛି ଉଦ୍ଭାବନ ହେଉଛି । ଶିକ୍ଷକ ଓ ଛାତ୍ର ମିଳିମିଶି କିଛି ନୂଆ କରୁଛନ୍ତି । ମୋର ବିଶ୍ୱାସ ଯେ ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ଜରିଆରେ ଯେପରି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଆମର ଶିକ୍ଷକମାନେ ଏହାର ଲାଭ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।

ବନ୍ଧୁଗଣ, ବିଶେଷକରି ମୋର ଶିକ୍ଷକବନ୍ଧୁମାନେ, 2022 ବର୍ଷରେ ଆମର ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବ । ସ୍ୱାଧୀନତା ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଦେଶରେ ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଇତିହାସ ରହିଛି । ସେହି ସମୟରେ ଦେଶର ଏପରି କୌଣସି ଅଂଚଳ ନ ଥିଲା ଯେଉଁଠି ସ୍ୱାଧୀନତାପ୍ରେମୀମାନେ ନିଜର ପ୍ରାଣ ଉତ୍ସର୍ଗ କରିନଥିଲେ, ନିଜର ସର୍ବସ୍ୱ ତ୍ୟାଗ କରିନଥିଲେ । ଆମର ଆଜିର ପିଢ଼ି, ଆମର ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମର ସେହି ନାୟକମାନଙ୍କ ସହ ପରିଚିତ ହେବା ଅତି ଆବଶ୍ୟକ; ସେମାନେ ସେହିପରି ହିଁ ଅନୁଭବ କରିବା ଜରୁରୀ । ନିଜ ଜିଲାରେ, ନିଜ ଅଂଚଳରେ ସ୍ୱାଧୀନତା ଆନ୍ଦୋଳନ ସମୟରେ କ’ଣ ହୋଇଥିଲା, କିପରି ହୋଇଥିଲା, କିଏ ଶହୀଦ ହୋଇଥିଲା, କିଏ କେତେଦିନ ଦେଶପାଇଁ ଜେଲ୍ରେ ରହିଥିଲା – ଏସବୁ କଥା ଆମ ଛାତ୍ରଛାତ୍ରୀ ଜାଣିଲେ ସେମାନଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ତା’ର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଅନେକ କାମ କରାଯାଇପାରିବ, ଯେଉଁଥିରେ ଆମ ଶିକ୍ଷକମାନଙ୍କର ବଡ଼ ଦାୟିତ୍ୱ ରହିଛି । ଯେପରିକି, ଆପଣ ଯେଉଁ ଜିଲାରେ ରହୁଛନ୍ତି ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ସେହି ସ୍ୱାଧୀନତା ସଂଗ୍ରାମବେଳେ କିଛି ଘଟଣା ଘଟିଥିଲା କି? ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗବେଷଣା କରାଯାଇପାରିବ । ତାକୁ ବିଦ୍ୟାଳୟର ହସ୍ତଲିଖିତ ପତ୍ରିକାରେ ଛପାଯାଇପାରିବ । ଆପଣଙ୍କ ସହରରେ ଯଦି ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କୌଣସି ସ୍ଥାନ ରହିଛି, ତେବେ ଛାତ୍ରଛାତ୍ରୀଙ୍କୁ ସେହି ସ୍ଥାନକୁ ନେଇଯାଇପାରିବେ । କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇପାରିବେ ଯେ ସ୍ୱାଧୀନତାର 75 ବର୍ଷରେ ନିଜ ଅଂଚଳର 75 ଜଣ ସ୍ୱାଧୀନତା ସଂଗ୍ରାମର ନାୟକଙ୍କ ଉପରେ କବିତା ଲେଖିବେ, ନାଟକ ଲେଖିବେ । ଆପଣଙ୍କ ପ୍ରୟାସ ଦେଶର ହଜାର ହଜାର, ଲକ୍ଷ ଲକ୍ଷ ଅନାଲୋଚିତ ନାୟକମାନଙ୍କ ବିଷୟରେ ଆଲୋକପାତ କରିପାରିବ, ଯେଉଁମାନେ ଦେଶପାଇଁ ବଂଚୁଥିଲେ, ଦେଶପାଇଁ ଜୀବନ ଦେଇଥିଲେ, ଯେଉଁମାନଙ୍କ ନାମ ସମୟ ସହ ବିସ୍ମୃତ ହୋଇଯାଇଛି, ସେହି ମହାନ ବ୍ୟକ୍ତିତ୍ୱଙ୍କୁ ଯଦି ଆମେ ସାମ୍ନାକୁ ଆଣିବା, ସ୍ୱାଧୀନତାର 75 ବର୍ଷରେ ସେମାନଙ୍କୁ ମନେପକାଇବା ତେବେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଯେତେବେଳେ 5 ସେପ୍ଟେମ୍ବରରେ ଶିକ୍ଷକ ଦିବସ ପାଳନ କରାଯିବ ସେତେବେଳେ ମୁଁ ମୋର ଶିକ୍ଷକ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଏଥିପାଇଁ ଏକ ପରିବେଶ ତିଆରି କରନ୍ତୁ, ସମସ୍ତଙ୍କୁ ସେଥିରେ ସାମିଲ୍ କରନ୍ତୁ ଏବଂ ସମସ୍ତେ ମିଳିମିଶି ଏକାଠି କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଦେଶ ଆଜି ଯେଉଁ ବିକାଶ ଯାତ୍ରାରେ ଅଗ୍ରସର ହେଉଛି ତା’ର ସଫଳତା ସେତେବେଳେ ହିଁ ସୁଖଦ ହେବ, ଯେତେବେଳେ ପ୍ରତ୍ୟେକ ଦେଶବାସୀ ଏଥିରେ ସାମିଲ୍ ହେବେ, ଏହି ଯାତ୍ରାର ଯାତ୍ରୀ ହେବେ, ଏହି ପଥର ପଥିକ ହେବେ । ସେଥିପାଇଁ ଏହା ଜରୁରୀ ଯେ ପ୍ରତ୍ୟେକ ଦେଶବାସୀ ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ ଏବଂ ଆମେ ମିଳିମିଶି କରୋନାକୁ ସଂପୂର୍ଣ୍ଣ ଭାବେ ପରାଜିତ କରିବା । କରୋନା ସେତେବେଳେ ହାରିବ, ଯେତେବେଳେ ଆପଣ ସୁରକ୍ଷିତ ରହିବେ, ଯେତେବେଳେ ଆପଣ “ଦୁଇ ଗଜ ଦୂରତା, ମାସ୍କ ଜରୁରୀ’’, ଏହି ସଂକଳ୍ପକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ, ଏହି ଶୁଭକାମନା ସହ ଆଗାମୀ ‘ମନ କୀ ବାତ୍’ରେ ପୁଣି ଭେଟିବା ।

ବହୁତ ବହୁତ ଧନ୍ୟବାଦ । ନମସ୍କାର ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
On Mann Ki Baat, PM Modi Hails J&K Brothers Running Vermicomposting Unit In Pulwama

Media Coverage

On Mann Ki Baat, PM Modi Hails J&K Brothers Running Vermicomposting Unit In Pulwama
...

Nm on the go

Always be the first to hear from the PM. Get the App Now!
...
PM to dedicate to the Nation 35 crop varieties with special traits on 28th September
September 27, 2021
ସେୟାର
 
Comments
PM to dedicate the newly constructed campus of National Institute of Biotic Stress Management Raipur to the Nation
PM to also distribute the Green Campus Award to the Agricultural Universities

In an endeavour to create mass awareness for adoption of climate resilient technologies, Prime Minister Shri Narendra Modi will dedicate 35 crop varieties with special traits to the Nation on 28th September at 11 AM via video conferencing, in a pan India programme organised at all ICAR Institutes, State and Central Agricultural Universities and Krishi Vigyan Kendra (KVKs). During the programme, the Prime Minister will also dedicate to the nation the newly constructed campus of National Institute of Biotic Stress Management Raipur.

On the occasion, the Prime Minister will distribute Green Campus Award to Agricultural Universities, as well as interact with farmers who use innovative methods and address the gathering.

Union Minister of Agriculture and Chief Minister Chhattisgarh will be present on the occasion.

About crop varieties with special traits

The crop varieties with special traits have been developed by the Indian Council of Agricultural Research (ICAR) to address the twin challenges of climate change and malnutrition. Thirty-five such crop varieties with special traits like climate resilience and higher nutrient content have been developed in the year 2021. These include a drought tolerant variety of chickpea, wilt and sterility mosaic resistant pigeonpea, early maturing variety of soybean, disease resistant varieties of rice and biofortified varieties of wheat, pearl millet, maize and chickpea, quinoa, buckwheat, winged bean and faba bean.

These special traits crop varieties also include those that address the anti-nutritional factors found in some crops that adversely affect human and animal health. Examples of such varieties include Pusa Double Zero Mustard 33, first Canola quality hybrid RCH 1 with <2% erucic acid and <30 ppm glucosinolates and a soybean variety free from two anti-nutritional factors namely Kunitz trypsin inhibitor and lipoxygenase. Other varieties with special traits have been developed in soybean, sorghum, and baby corn, among others.

About National Institute of Biotic Stress Management

The National Institute of Biotic Stress Management at Raipur has been established to take up the basic and strategic research in biotic stresses, develop human resources and provide policy support. The institute has started PG courses from the academic session 2020-21.

About Green Campus Awards

The Green Campus Awards has been initiated to motivate the State and Central Agricultural Universities to develop or adopt such practices that will render their campuses more green and clean, and motivate students to get involved in ‘Swachh Bharat Mission’, ‘Waste to Wealth Mission’ and community connect as per the National Education Policy-2020.