ଶୁଭାଂଶୁ ସୁରକ୍ଷିତ ଭାବେ ପୃଥିବୀରେ ଅବତରଣ କରିବା ମାତ୍ରେ ଲୋକେ ଖୁସିରେ ଡେଇଁ ପଡ଼ିଥିଲେ। ପ୍ରତ୍ୟେକ ହୃଦୟରେ ଖୁସିର ଲହରୀ ଖେଳିଯାଇଛି । ସମଗ୍ର ଦେଶ ଗର୍ବରେ ଭରି ରହିଥିଲା: ପ୍ରଧାନମନ୍ତ୍ରୀ ମୋଦୀ
ଦେଶରେ ମହାକାଶ ଷ୍ଟାର୍ଟଅପ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପାଞ୍ଚ ବର୍ଷ ତଳେ 50 ରୁ କମ୍ ଷ୍ଟାର୍ଟଅପ୍ ଥିଲା। ଆଜି ମହାକାଶ କ୍ଷେତ୍ରରେ 200 ରୁ ଅଧିକ ଅଛି: ପ୍ରଧାନମନ୍ତ୍ରୀ ମୋଦୀ
ମାତ୍ର 18 ବର୍ଷ ବୟସରେ ଖୁଦିରାମ ବୋଷ ଏଭଳି ସାହସ ଦେଖାଇଥିଲେ ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । ସେହି ଯୁବକଙ୍କ ମୁହଁରେ କୌଣସି ଭୟ ନଥିଲା: ପ୍ରଧାନମନ୍ତ୍ରୀ ମୋଦୀ
ପ୍ରତିବର୍ଷ ଅଗଷ୍ଟ 7 ତାରିଖରେ ଦେଶ 'ଜାତୀୟ ହସ୍ତତନ୍ତ ଦିବସ' ପାଳନ କରିଥାଏ। ଚଳିତ ବର୍ଷ ଅଗଷ୍ଟ 7 ରେ ଜାତୀୟ ହସ୍ତତନ୍ତ ଦିବସର 10 ବର୍ଷ ପୂର୍ତ୍ତି ହେଉଛି: ପ୍ରଧାନମନ୍ତ୍ରୀ ମୋଦୀ
ବର୍ତ୍ତମାନ ଭାରତରେ 3000 ରୁ ଅଧିକ ଟେକ୍ସଟାଇଲ ଷ୍ଟାର୍ଟଅପ୍ ସକ୍ରିୟ ଅଛନ୍ତି। ଅନେକ ଷ୍ଟାର୍ଟଅପ୍ ଭାରତର ହସ୍ତତନ୍ତ ପରିଚୟକୁ ବିଶ୍ୱସ୍ତରରେ ଉନ୍ନତ କରିପାରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ଭାରତ ସରକାର ଚଳିତ ବର୍ଷ ବଜେଟରେ 'ଜ୍ଞାନ ଭାରତ ମିଶନ' ନାମରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଏହି ମିଶନ ଅଧୀନରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜ୍ କରାଯିବ: ପ୍ରଧାନମନ୍ତ୍ରୀ ମୋଦୀ
ବିଗତ 11 ବର୍ଷ ମଧ୍ୟରେ 'ସ୍ୱଚ୍ଛ ଭାରତ ମିଶନ' ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଲୋକମାନେ ଏହାକୁ ନିଜର କର୍ତ୍ତବ୍ୟ ଭାବନ୍ତି ଏବଂ ଏହା ହିଁ ପ୍ରକୃତ ଜନଭାଗିଦାରୀ: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।

ବନ୍ଧୁଗଣ, ଆପଣ INSPIRE-MANAK ଅଭିଯାନର ନାମ ଶୁଣିଥିବେ । ଏହା ପିଲାମାନଙ୍କ ନବୋନ୍ମେଷକୁ ପ୍ରୋତ୍ସାହିତ କରିବାର ଅଭିଯାନ ଅଟେ । ଏଥିରେ ପ୍ରତ୍ୟେକ ସ୍କୁଲରୁ ୫ ଜଣ ପିଲାଙ୍କୁ ବଛାଯାଇଥାଏ । ପ୍ରତ୍ୟେକ ପିଲା ଏକ ନୂଆ ଚିନ୍ତାଧାରା (ଆଇଡିଆ) ନେଇ ଆସିଥାଏ । ଏଥିରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପିଲା ଯୋଡ଼ି ହୋଇ ସାରିଛନ୍ତି ଏବଂ ଚନ୍ଦ୍ରଯାନ-୩ ପରେ ତ ଏମାନଙ୍କ ସଂଖ୍ୟା ଦୁଇଗୁଣା ହୋଇଯାଇଛି । ଦେଶରେ space start-ups ଗୁଡ଼ିକର ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ପାଞ୍ଚବର୍ଷ ପୂର୍ବରୁ ୫୦ରୁ ବି କମ start-ups ଥିଲା । ଆଜି କେବଳ ମହାକାଶ କ୍ଷେତ୍ରରେ ଏହି ସଂଖ୍ୟା ୨୦୦ରୁ ଅଧିକ ହୋଇଗଲାଣି ।

ବନ୍ଧୁଗଣ, ଆସନ୍ତା ମାସ ଅର୍ଥାତ ଅଗଷ୍ଟ ୨୩ ତାରିଖ ଦିନ ହେଉଛି ଜାତୀୟ ମହାକାଶ ଦିବସ (National Space Day) । ଆପଣ ଏହାକୁ କିଭଳି ଭାବେ ପାଳନ କରିବେ, କୌଣସି ନୂଆ କଥା ଚିନ୍ତା କରିଛନ୍ତି କି ? ମୋତେ ନମୋ ଆପରେ ନିଶ୍ଚୟ ମେସେଜ୍ ପଠାଇବେ ।

ବନ୍ଧୁଗଣ, ଏକବିଂଶ ଶତାବ୍ଦୀର ଭାରତରେ ଆଜି ବିଜ୍ଞାନ ଏକ ନୂଆ ଶକ୍ତି ସହ ଅଗ୍ରସର ହେଉଛି । କିଛିଦିନ ପୂର୍ବେ, ଆମ ଛାତ୍ରମାନେ International Chemistry Olympiadରେ ପଦକ ଜିତିଛନ୍ତି । ଦେବେଶ ପଙ୍କଜ୍, ସନ୍ଦିପ କୁଚି, ଦେବଦତ୍ତ ପ୍ରିୟଦର୍ଶୀ ଏବଂ ଉଜ୍ଜ୍ୱଳ କେଶରୀ – ଏହି ଚାରିଜଣ ଭାରତର ନାମ ଗୌରବାନ୍ୱିତ କରିଛନ୍ତି । ଗଣିତର ଦୁନିଆରେ ମଧ୍ୟ ଭାରତ ନିଜର ପରିଚୟକୁ ଆହୁରି ମଜଭୁତ କରିଛି । ଅଷ୍ଟ୍ରେଲିଆରେ ହୋଇଥିବା International Chemistry Olympiadରେ ଆମ ଛାତ୍ରଛାତ୍ରୀମାନେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି ।

ବନ୍ଧୁଗଣ, ଆସନ୍ତା ମାସରେ ମୁମ୍ବାଇରେ Astronomy ଏବଂ Astrophysics Olympiad ହେବାକୁ ଯାଉଛି । ଏଥିରେ ୬୦ରୁ ଅଧିକ ଦେଶର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ବୈଜ୍ଞାନିକମାନେ ମଧ୍ୟ ଯୋଗଦେବେ । ଏହା ଏପର୍ଯ୍ୟନ୍ତର ସର୍ବବୃହତ ଅଲମ୍ପିଆଡ୍ ହେବ । ଦେଖିବାକୁ ଗଲେ, ଭାରତ ବର୍ତ୍ତମାନ ଅଲିମ୍ପିକ୍ ଏବଂ ଅଲମ୍ପିଆଡ୍ ଉଭୟ ପାଇଁ ଆଗକୁ ବଢ଼ୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିବା ଭଳି ଆଉ ଏକ ଖବର ଆସିଛି ୟୁନେସ୍କୋରୁ । ୟୁନେସ୍କୋ ୧୨ଟି ମରହଟ୍ଟା ଦୁର୍ଗକୁ ବିଶ୍ୱ ଐତିହ୍ୟ ସ୍ଥଳୀ ରୂପେ ମାନ୍ୟତା ଦେଇଛି । ୧୧ଟି ଦୁର୍ଗ ମହାରାଷ୍ଟ୍ରରେ, ଗୋଟିଏ ତାମିଲନାଡ଼ୁରେ । ପ୍ରତ୍ୟେକ ଦୁର୍ଗ ସହିତ ଇତିହାସର ଗୋଟିଏ ଗୋଟିଏ ପୃଷ୍ଠା ଜଡ଼ିତ । ପ୍ରତ୍ୟେକ ପଥର ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇରହିଛି । ସଲହେର୍ ଦୁର୍ଗ-ଯେଉଁଠାରେ ମୋଗଲମାନଙ୍କର ପରାଜୟ ହୋଇଥିଲା, ଶିବନେରୀ- ଯେଉଁଠାରେ ଛତ୍ରପତି ଶିବାଜୀ ମହାରାଜ ଜନ୍ମଗ୍ରହଣ କରିଥିଲେ, ଏଭଳି ଦୁର୍ଗ, ଯାହାକୁ ଶତ୍ରୁ ଭେଦ କରିପାରିଲେ ନାହିଁ । ଖାନ୍ଦେରୀ ଦୁର୍ଗ – ସମୁଦ୍ର ମଧ୍ୟରେ ନିର୍ମିତ ଏକ ଅଦ୍ଭୁତ ଦୁର୍ଗ । ଶତ୍ରୁମାନେ ତାଙ୍କୁ ଅଟଳାଇବାକୁ ଚାହୁଁଥିଲେ, କିନ୍ତୁ ଶିବାଜୀ ମହାରାଜ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଲେ । ପ୍ରତାପଗଢ଼ ଦୁର୍ଗ – ଯେଉଁଠାରେ ଅଫଜଲ୍ ଖାନ୍ ଉପରେ ବିଜୟ ପ୍ରାପ୍ତ ହୋଇଥିଲା, ସେହି ଗାଥାର ପ୍ରତିଧ୍ୱନି ଆଜି ବି ଦୁର୍ଗର ପ୍ରାଚୀରରେ ରହିଛି । ବିଜୟ ଦୁର୍ଗ – ଯେଉଁଥିରେ ଗୁପ୍ତ ସୁଡ଼ଙ୍ଗ ଥିଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଦୂରଦୃଷ୍ଟିର ପ୍ରମାଣ ଏହି ଦୁର୍ଗରୁ ହିଁ ମିଳିଥାଏ । ମୁଁ କିଛିବର୍ଷ ପୂର୍ବରୁ ରାଇଗଡ ଗସ୍ତ କରିଥିଲି । ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ସମ୍ମୁଖରେ ପ୍ରଣିପାତ କରିଥିଲି । ଏହି ଅନୁଭୂତି ଆଜୀବନ ମୋ ସହିତ ରହିବ ।

ବନ୍ଧୁଗଣ, ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ଅଦ୍ଭୁତ ଦୁର୍ଗ ଅଛି, ଯେଉଁଗୁଡ଼ିକ ଆକ୍ରମଣ ସହିଛି, ପ୍ରତିକୂଳ ପାଗର ସାମ୍ନା କରିଛି, କିନ୍ତୁ ଆତ୍ମସମ୍ମାନକୁ କେବେବି ନୁଆଁଇବାକୁ ଦେଇନାହିଁ । ରାଜସ୍ଥାନର ଚିତ୍ତୋରଗଡ଼ ଦୁର୍ଗ, କୁମ୍ଭଲଗଢ଼ ଦୁର୍ଗ, ରଣଥମ୍ଭୋର ଦୁର୍ଗ, ଆମେର ଦୁର୍ଗ ... ଜୈସଲମେର ଦୁର୍ଗ ତ ବିଶ୍ୱପ୍ରସିଦ୍ଧ । କର୍ଣ୍ଣାଟକର ଗୁଲବର୍ଗା ଦୁର୍ଗ ମଧ୍ୟ ବହୁତ ବଡ଼ । ଚିତ୍ରଦୁର୍ଗ କିଲ୍ଲାର ବିଶାଳତା ମଧ୍ୟ ଆପଣଙ୍କୁ କୌତୁହଳରେ ଭରିଦେବ, ଯେ ସେ ସମୟରେ ଏହି ଦୁର୍ଗ କିଭଳି ନିର୍ମିତ ହୋଇଥିବ!

ବନ୍ଧୁଗଣ, ଉତ୍ତରପ୍ରଦେଶର ବାନ୍ଦାଠାରେ ରହିଛି କାଲିଂଜର୍ କିଲ୍ଲା । ମହମୁଦ ଗଜନୀ ଅନେକ ଥର ଏହି ଦୁର୍ଗ ଉପରେ ଆକ୍ରମଣ କରିଥିଲା, କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଥିଲା । ବୁନ୍ଦେଲଖଣ୍ଡରେ ଏଭଳି ଅନେକ ଦୁର୍ଗ ରହିଛି – ଗୋଆଲିୟର, ଝାନ୍ସୀ, ଦତିୟା, ଅଜୟଗଢ଼, ଗଢ଼କୁଣ୍ଡାର୍, ଚନ୍ଦେରୀ । ଏହି ଦୁର୍ଗଗୁଡ଼ିକ କେବଳ ଇଟା-ପଥର ନୁହେଁ, ଏଗୁଡ଼ିକ ଆମ ସଂସ୍କୃତିର ପ୍ରତୀକ । ସଂସ୍କାର ଏବଂ ସ୍ୱାଭିମାନ ଆଜି ମଧ୍ୟ ଏହି ଦୁର୍ଗଗୁଡ଼ିକର ସୁଉଚ୍ଚ ପ୍ରାଚୀରରୁ ପ୍ରତୀୟମାନ ହେଉଛି । ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି – ଏହି ଦୁର୍ଗଗୁଡ଼ିକୁ ଭ୍ରମଣ କରନ୍ତୁ, ନିଜ ଇତିହାସକୁ ଜାଣନ୍ତୁ, ଗର୍ବ ଅନୁଭବ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ କଳ୍ପନା କରନ୍ତୁ । ଭୋର ସମୟ, ବିହାରର ମୁଜାଫରପୁର ସହର, ତାରିଖ ହେଉଛି ୧୯୦୮ ମସିହା ଅଗଷ୍ଟ ୧୧ । ପ୍ରତ୍ୟେକ ଗଳି, ପ୍ରତ୍ୟେକ ଛକରେ ସେହି ସମୟରେ ଚଳପ୍ରଚଳ ଅଟକିଯାଇଥିଲା । ଲୋକଙ୍କ ଆଖିରେ ଅଶ୍ରୁ ଭରି ରହିଥିଲା, କିନ୍ତୁ ହୃଦୟରେ ଜଳୁଥିଲା ବହ୍ନି । ଲୋକମାନେ ଜେଲକୁ ଘେରି ରହିଥିଲେ, ଯେଉଁଠାରେ ଜଣେ ୧୮ ବର୍ଷର ଯୁବକ, ଇଂରେଜମାନଙ୍କ ବିରୁଦ୍ଧରେ ନିଜ ଦେଶପ୍ରେମ ପ୍ରକାଶ କରିବାର ମୂଲ୍ୟ ଦେଉଥିଲା । ଜେଲ୍ ଭିତରେ, ଇଂରେଜ ଅଧିକାରୀମାନେ, ଜଣେ ଯୁବକକୁ ଫାଶୀ ଦେବାପାଇଁ ପ୍ରସ୍ତୁତି ଚଳାଇଥିଲେ । ସେହି ଯୁବକର ମୁହଁରେ ଭୟ ନ ଥିଲା, ବରଂ ସେ ଗର୍ବରେ ପରିପୂର୍ଣ୍ଣ ଥିଲା - ସେହି ଗର୍ବ, ଯାହା ଦେଶ ପାଇଁ ପ୍ରାଣ ଦେବାକୁ ଚାହୁଁଥିବା ବ୍ୟକ୍ତି ମଧ୍ୟରେ ଥାଏ । ସେହି ବୀର, ସେହି ସାହସୀ ଯୁବକ ଥିଲେ ଖୁଦିରାମ ବୋଷ । ମାତ୍ର ୧୮ ବର୍ଷ ବୟସରେ ସେ ସେହି ସାହସ ଦେଖାଇଥିଲେ, ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ସେତେବେଳେ ଖବରକାଗଜଗୁ ଡ଼ିକରେ ପ୍ରକାଶ ପାଇଥିଲା – “ଖୁଦିରାମ ବୋଷ ଯେତେବେଳେ ଫାଶୀଖୁଣ୍ଟ ଆଡ଼କୁ ଅଗ୍ରସର ହେଲେ, ତାଙ୍କ ମୁହଁରେ ହସ ଥିଲା” । ଏହିପରି ଅସଂଖ୍ୟ ବଳିଦାନ ପରେ ଶହ ଶହ ବର୍ଷର ତପସ୍ୟା ପରେ ଆମକୁ ସ୍ୱାଧୀନତା ମିଳିଥିଲା । ଦେଶପ୍ରେମୀମାନେ ନିଜ ରକ୍ତରେ ସ୍ୱାଧୀନତା ଆନ୍ଦୋଳନକୁ ସିଞ୍ଚନ କରିଥିଲେ ।

ବନ୍ଧୁଗଣ, ଏଇଥିପାଇଁ ହିଁ ତ ଅଗଷ୍ଟ ମାସ ହେଉଛି କ୍ରାନ୍ତିର ମାସ । ଅଗଷ୍ଟ ୧ ତାରିଖ ହେଉଛି ବାଲ୍ ଗଙ୍ଗାଧର ତିଲକଙ୍କ ପୁଣ୍ୟତିଥି । ଏହି ଅଗଷ୍ଟ ମାସ ୮ ତାରିଖରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତା’ପରେ ଆସେ ଅଗଷ୍ଟ ୧୫, ଆମର ସ୍ୱାଧୀନତା ଦିବସ । ଆମେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଉ, ସେମାନଙ୍କଠାରୁ ପ୍ରେରଣା ପ୍ରାପ୍ତ କରୁ, କିନ୍ତୁ ବନ୍ଧୁଗଣ, ଆମ ସ୍ୱାଧୀନତା ସହିତ ଦେଶ ବିଭାଜନର କଷ୍ଟ ମଧ୍ୟ ଜଡ଼ିତ । ତେଣୁ ଆମେ ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରୁ ।

ମୋର ପ୍ରିୟ ଦେଶବାସୀଗଣ, ୧୯୦୫ ମସିହା ଅଗଷ୍ଟ ୭ ତାରିଖ ଦିନ ଆଉ ଗୋଟିଏ ବିପ୍ଳବ (କ୍ରାନ୍ତି) ଆରମ୍ଭ ହୋଇଥିଲା । ଏହା ସ୍ୱଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ ବିଶେଷକରି ହ୍ୟାଣ୍ଡଲୁମକୁ ଏକ ନୂଆ ଶକ୍ତି ଦେଇଥିଲା । ଏହାର ସ୍ମୃତି ସ୍ୱରୂପ ଦେଶ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ National Handloom Day ପାଳନ କରିଥାଏ । ଚଳିତ ବର୍ଷ ଅଗଷ୍ଟ ୭ ତାରିଖ ଦିନ Handloom Day ପାଳନର ୧୦ ବର୍ଷ ପୂରଣ ହେଉଛି । ସ୍ୱାଧୀନତା ସଂଗ୍ରାମ ସମୟରେ ଯେମିତି ଆମ ଖଦି ସ୍ୱାଧୀନତା ଆନ୍ଦୋଳନକୁ ନୂଆ ଶକ୍ତି ଦେଇଥିଲା, ସେହିପରି ଆଜି ଯେତେବେଳେ ଦେଶ, ବିକଶିତ ଭାରତ ହେବା ଦିଗରେ ଅଗ୍ରସର ହେଉଛି, ସେତେବେଳେ ବୟନ କ୍ଷେତ୍ର ଦେଶର ଶକ୍ତି ପାଲଟୁଛି । ଏହି ୧୦ ବର୍ଷରେ ଦେଶର ବିଭିନ୍ନ ଅଞ୍ଚଳରେ ଏହି କ୍ଷେତ୍ର ସହିତ ଜଡ଼ିତ ଲକ୍ଷ ଲକ୍ଷ ଲୋକ, ସଫଳତାର ଅନେକ ଗାଥା (କାହାଣୀ) ଲେଖିଛନ୍ତି । ମହାରାଷ୍ଟ୍ରର ପୈଠନ୍ ନାମକ ଗାଁର କବିତା ଧବଲେ ପ୍ରଥମେ ଗୋଟିଏ ଛୋଟ ରୁମରେ କାମ କରୁଥିଲେ । ଜାଗା ବି ନ ଥିଲା କି ସୁବିଧା ବି ନ ଥିଲା । ସରକାରଙ୍କଠାରୁ ସାହାଯ୍ୟ ମିଳିଲା । ଏବେ ତାଙ୍କ ପ୍ରତିଭାର ବିକାଶ ହୋଇଛି । ସେ ତିନିଗୁଣ ଅଧିକ ରୋଜଗାର କରୁଛନ୍ତି । ନିଜେ ତିଆରି କରୁଥିବା ପୈଠଣୀ ଶାଢ଼ୀ ବିକ୍ରି କରୁଛନ୍ତି । ଓଡ଼ିଶାର ମୟୂରଭଞ୍ଜରେ ମଧ୍ୟ ସଫଳତାର ଏହିଭଳି ଏକ କାହାଣୀ ରହିଛି । ଏଠାରେ ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନର୍ଜୀବିତ କରିଛନ୍ତି । ଏବେ ଏହି ମହିଳାମାନେ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଏମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି, ନିଜର ପରିଚୟ ମଧ୍ୟ ସୃଷ୍ଟି କରୁଛନ୍ତି । ବିହାର ନାଳନ୍ଦାର ନବୀନ କୁମାରଙ୍କ ଉପଲବଧି ମଧ୍ୟ ପ୍ରେରଣାଦାୟକ । ତାଙ୍କ ପରିବାର ପିଢ଼ି ପିଢ଼ି ଧରି ଏହି କାମ ସହିତ ଜଡ଼ିତ । କିନ୍ତୁ ସବୁଠାରୁ ଭଲ କଥା ହେଉଛି ଯେ, ତାଙ୍କ ପରିବାର ଏବେ ଏହି କ୍ଷେତ୍ରରେ ଆଧୁନିକତାକୁ ମଧ୍ୟ ଆପଣେଇଛନ୍ତି । ଏବେ ତାଙ୍କ ପିଲାମାନେ Handloom Technology ବିଷୟରେ ଶିକ୍ଷା ଗ୍ରହଣ କରୁଛନ୍ତି । ବଡ଼ ବଡ଼ ବ୍ରାଣ୍ଡରେ କାମ କରୁଛନ୍ତି । ଏହି ପରିବର୍ତ୍ତନ କେବଳ ଗୋଟିଏ ପରିବାରକୁ ନୁହେଁ, ଏହା ଆଖପାଖର ଅନେକ ପରିବାରକୁ ଆଗକୁ ବଢ଼ାଉଛି ।

ବନ୍ଧୁଗଣ, ବୟନ ଭାରତର କେବଳ ଗୋଟିଏ କ୍ଷେତ୍ର ନୁହେଁ, ଏହା ଆମ ସାଂସ୍କୃତିକ ବିବିଧତାର ଏକ ଉଦାହରଣ ମଧ୍ୟ ଅଟେ । ଆଜି ବୟନ ଶିଳ୍ପ ଏବଂ ପୋଷାକ ବଜାର ଅତି ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି ଏବଂ ଏହି ବିକାଶର ସବୁଠାରୁ ସୁନ୍ଦର କଥା ହେଉଛି ଯେ ଗାଁର ମହିଳାମାନେ, ସହରର ଡିଜାଇନର୍, ବୟସ୍କ ବୁଣାକାର ଏବଂ ଷ୍ଟାର୍ଟ-ଅପ୍ ଆରମ୍ଭ କରୁଥିବା ଆମ ଯୁବକମାନେ - ସମସ୍ତେ ମିଶି ଏହାକୁ ଆଗକୁ ବଢ଼ାଉଛନ୍ତି । ଆଜି ଭାରତରେ ୩ ହଜାରରୁ ଅଧିକ textile ଷ୍ଟାର୍ଟ-ଅପ୍ ସକ୍ରିୟ ରହିଛି । ଅନେକ ଷ୍ଟାର୍ଟ-ଅପ୍ ଭାରତର ହ୍ୟାଣ୍ଡଲୁମ ପରିଚୟକୁ global height ଦେଇଛନ୍ତି ।

ବନ୍ଧୁଗଣ, ୨୦୪୭ର ବିକଶିତ ଭାରତର ରାସ୍ତା ଆତ୍ମନିର୍ଭରଶୀଳତା ଦେଇ ଗତି କରୁଛି ଏବଂ ଆତ୍ମନିର୍ଭର ଭାରତର ସବୁଠାରୁ ବଡ଼ ଆଧାର ହେଉଛି Vocal for Local । ଯେଉଁ ଜିନିଷଗୁଡ଼ିକ ଭାରତରେ ତିଆରି ହୋଇଛି, ଯାହାକୁ ତିଆରି କରିବାରେ କୌଣସି ଭାରତୀୟର ଝାଳ ବହିଛି, ତାହା ହିଁ କିଣନ୍ତୁ ଏବଂ ତାହା ହିଁ ବିକ୍ରି କରନ୍ତୁ । ଏହା ଆମର ସଂକଳ୍ପ ହେବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଆମର ଲୋକଗୀତ ଏବଂ ପରମ୍ପରାରେ ମିଳିଥାଏ ଏବଂ ଏହାର ଅଂଶ ହେଉଛି ଆମର ଭଜନ  କୀର୍ତ୍ତନ  କିନ୍ତୁ ବନାଗ୍ନି ସମ୍ପର୍କରେ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା କଥା ଆପଣମାନେ କେବେ ଶୁଣିଛନ୍ତି କି ବୋଧହୁଏଆପଣମାନେ ଏକଥାକୁ ବିଶ୍ୱାସ କରି  ପାରନ୍ତିକିନ୍ତୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏକ ଅଦ୍ଭୁତ କାର୍ଯ୍ୟ ଚାଲିଛି  ଏଠାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଏକ ଦଳ ଅଛି  ଭକ୍ତି ସହିତ ଏହି ଦଳ ଆଜି ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପୁଛି  ଏହି ପଦକ୍ଷେପର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ  ଜଙ୍ଗଲ ଏବଂ ପରିବେଶର ସୁରକ୍ଷା ପାଇଁ ସେ ପାରମ୍ପରିକ ଗୀତରେ ନୂଆ ଶବ୍ଦନୂଆ ବାର୍ତ୍ତା ଯୋଡ଼ିଲେ  ତାଙ୍କ ଦଳ ଗାଁ ଗାଁ ବୁଲିଲା  ଜଙ୍ଗଲରେ ଲାଗୁଥିବା ନିଆଁରୁ କେତେ କ୍ଷତି ହୁଏତାହା ସେ ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଇଲେ  ଏହି ଉଦାହରଣ ଆମକୁ  କଥା ମନେପକାଇ ଦିଏ ଯେଆମ ଲୋକ ପରମ୍ପରାଗୁଡ଼ିକ କୌଣସି ପୁରୁଣା ଯୁଗର ଜିନିଷ ନୁହେଁଏଥିରେ ଆଜି ବି ସମାଜକୁ ଦିଗଦର୍ଶନ ଦେବାର ଶକ୍ତି ରହିଛି

ମୋର ପ୍ରିୟ ଦେଶବାସୀଗଣ, ଭାରତର ସଂସ୍କୃତିର ଏକ ବଡ଼ ଆଧାର ହେଉଛି ଆମ ପର୍ବପର୍ବାଣୀ ଏବଂ ପରମ୍ପରା, କିନ୍ତୁ ଆମ ସଂସ୍କୃତିର ଜୀବନୀଶକ୍ତିର ଆଉ ଗୋଟିଏ ଦିଗ ରହିଛି । ଏହା ହେଉଛି, ନିଜର ବର୍ତ୍ତମାନ ଏବଂ ନିଜ ଇତିହାସକୁ ଡକ୍ୟୁମେଣ୍ଟ କରି ରଖିବା । ଆମର ପ୍ରକୃତ ଶକ୍ତି ହେଉଛି ସେହି ଜ୍ଞାନ, ଯାହା ଶହ ଶହ ବର୍ଷ ଧରି ପାଣ୍ଡୁଲିପି ବା ମାନ୍ୟୁସ୍କ୍ରିପ୍ଟ ରୂପରେ ସଂରକ୍ଷିତ ହୋଇ ରହିଛି । ଏହି ପାଣ୍ଡୁଲିପିଗୁଡ଼ିକରେ ବିଜ୍ଞାନ ଅଛି, ଚିକିତ୍ସା ପଦ୍ଧତି ଅଛି, ସଙ୍ଗୀତ ଅଛି, ଦର୍ଶନ ଅଛି, ଏବଂ ସବୁଠାରୁ ବଡ଼ କଥା ହେଉଛି, ସେହି ଚିନ୍ତନ, ଯାହା ମାନବତାର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରେ ।

ବନ୍ଧୁଗଣ, ଏହିପରି ଅସାଧାରଣ ଜ୍ଞାନକୁ, ଏହି ପରମ୍ପରାକୁ ସାଇତି ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଆମ ଦେଶରେ ପ୍ରତ୍ୟେକ କାଳଖଣ୍ଡରେ ଏପରି ଲୋକ ହୋଇଛନ୍ତି, ଯେଉଁମାନେ ଏହାକୁ ନିଜର ସାଧନା କରିନେଇଛନ୍ତି । ସେହିପରି ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ହେଉଛନ୍ତି – ତାମିଲନାଡ଼ୁର ତାଞ୍ଜାଭୁରର ମଣିମାରନ୍ ଜୀ । ତାଙ୍କୁ ଲାଗିଲା ଯେ, ଯଦି ଆଜିର ପିଢ଼ି ତାମିଲ ପାଣ୍ଡୁଲିପି ପଢ଼ିବା ଶିଖିବ ନାହିଁ, ତେବେ ଆଗାମୀ ସମୟରେ ଏହି ଅମୂଲ୍ୟ ଐତିହ୍ୟ ହଜିଯିବ । ସେଥିପାଇଁ ସେ ସନ୍ଧ୍ୟାରେ କ୍ଲାସ୍ ଆରମ୍ଭ କଲେ । ଯେଉଁଠି ଛାତ୍ର, ଚାକିରି କରୁଥିବା ଯୁବକ, ଗବେଷକ – ସମସ୍ତେ ଏଠାକୁ ଆସି ଶିଖିବାକୁ ଲାଗିଲେ । ମଣିମାରନ୍ ଜୀ ଲୋକମାନଙ୍କୁ ଶିଖାଇଲେ ଯେ, ‘tamil suvadiyiyal’ ଅର୍ଥାତ palm leaf manuscripts ପଢ଼ିବା ଓ ବୁଝିବାର ବିଧି କ’ଣ । ଆଜି ଅନେକ ପ୍ରୟାସରେ ଅନେକ ଛାତ୍ର ଏହି ବିଦ୍ୟାରେ ପାରଙ୍ଗମ ହୋଇସାରିଛନ୍ତି । କିଛି ଛାତ୍ର ତ ଏହି ପାଣ୍ଡୁଲିପିଗୁଡ଼ିକର ଆଧାରରେ ପାରମ୍ପରିକ ଔଷଧ ପ୍ରଣାଳୀ ଉପରେ ଗବେଷଣା ମଧ୍ୟ ଆରମ୍ଭ କରିଦେଇଛନ୍ତି । ବନ୍ଧୁଗଣ, ଭାବନ୍ତୁ, ଯଦି ଏଭଳି ପ୍ରୟାସ ଦେଶବ୍ୟାପୀ ହୁଏ, ତେବେ ଆମର ପୁରାତନ ଜ୍ଞାନ କେବଳ କାନ୍ଥରେ ସୀମିତ ହୋଇ ରହିବ ନାହିଁ ବରଂ ଏହା ନୂଆ ପିଢ଼ିର ଚେତନାର ଅଂଶ ହୋଇଯିବ । ଏହି ଚିନ୍ତାଧାରାରୁ ପ୍ରେରିତ ହୋଇ ଭାରତ ସରକାର ଚଳିତ ବର୍ଷର ବଜେଟରେ ଏକ ଐତିହାସିକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି । ‘Gyan Bharatam Mission’ ଅଧୀନରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକୁ Digitise କରାଯିବ । ତା ପରେ ଗୋଟିଏ National Digital Repository ତିଆରି କରାଯିବ, ଯେଉଁଠି ସାରା ବିଶ୍ୱର ବିଦ୍ୟାର୍ଥୀ, ଗବେଷକ, ଭାରତର ଜ୍ଞାନ ପରମ୍ପରା ସହିତ ଯୋଡ଼ି ହୋଇପାରିବେ । ମୋର ମଧ୍ୟ ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଯଦି ଆପଣ ଏଭଳି କୌଣସି ପ୍ରଚେଷ୍ଟାରେ ଜଡ଼ିତ, କିମ୍ବା ଜଡ଼ିତ ହେବାକୁ ଚାହୁଁଛନ୍ତି, ତେବେ My Gov କିମ୍ବା ସଂସ୍କୃତି ମନ୍ତ୍ରଣାଳୟ ସହ ନିଶ୍ଚିତ ଭାବେ ଯୋଗାଯୋଗ କରନ୍ତୁ । କାରଣ, ଏହା କେବଳ ପାଣ୍ଡୁଲିପି ନୁହେଁ, ଏଗୁଡ଼ିକ ଭାରତର ଆତ୍ମାର ସେହି ଅଧ୍ୟାୟ, ଯାହାକୁ ଆମକୁ ଆଗାମୀ ପିଢ଼ିମାନଙ୍କୁ ପଢ଼ାଇବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ଆଖ ପାଖରେ କେତେ ପ୍ରକାରର ପକ୍ଷୀ ଅଛନ୍ତି, ଚଢ଼େଇ ଅଛନ୍ତି ବୋଲି ଆପଣଙ୍କୁ ପ୍ରଶ୍ନ କରାଯାଏ, ତାହେଲେ ଆପଣ କ’ଣ କହିବେ ? ବୋଧହୁଏ, ଏହା ଯେ ମୋତେ ୫-୬ଟି ପକ୍ଷୀ ଦେଖାଯାଆନ୍ତି – କିଛି ଜଣାଶୁଣା ଥାଆନ୍ତି, କିଛି ଅଜଣା । କିନ୍ତୁ, ଏହା ଜାଣିବା ବହୁତ ରୋଚକ ହୋଇଥାଏ ଯେ, ଆମ ଆଖପାଖରେ ପକ୍ଷୀମାନଙ୍କ କେଉଁ କେଉଁ ପ୍ରଜାତି ବାସ କରନ୍ତି । ସମ୍ପ୍ରତି ଏଭଳି ଏକ ଉତ୍କୃଷ୍ଟ ପ୍ରୟାସ ହୋଇଛି, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ । ସାଧାରଣତଃ ଏହି ଅଞ୍ଚଳ ନିଜ Rhinos ବା ଗଣ୍ଡାମାନଙ୍କ ପାଇଁ ପ୍ରସିଦ୍ଧ - କିନ୍ତୁ ଏଥର ଆଲୋଚନାର ବିଷୟ ହୋଇଛି ଏଠାକାର ଘାସ ପଡ଼ିଆ ଏବଂ ସେଥିରେ ରହୁଥିବା ଚଢ଼େଇମାନେ । ଏଠାରେ ପ୍ରଥମ ଥର ପାଇଁ Grassland Bird Census ବା ତୃଣଭୂମି ପକ୍ଷୀଗଣନା ହୋଇଛି । ଆପଣମାନେ ଜାଣି ଖୁସି ହେବେ ଯେ, ଏହି Census ଯୋଗୁଁ ୪୦ରୁ ଅଧିକ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି । ଏଥିରେ ଅନେକ ବିରଳ ପକ୍ଷୀ ମଧ୍ୟ ରହିଛନ୍ତି । ଆପଣ ଭାବୁଥିବେ, ଏତେ ପକ୍ଷୀ କିପରି ଚିହ୍ନଟ ହେଲେ ? ଏଥିରେ ଟେକ୍ନୋଲୋଜି ଚମତ୍କାର କାମ କରି ଦେଖାଇଲା । ଗଣନା କରୁଥିବା ଦଳ ଶବ୍ଦ ରେକର୍ଡ଼ କରିବା ପାଇଁ ଯନ୍ତ୍ର ଲଗାଇଲେ । ତା’ପରେ କମ୍ପ୍ୟୁଟର ଦ୍ୱାରା ସେହି ଶବ୍ଦଗୁଡ଼ିକର ବିଶ୍ଲେଷଣ କରାଗଲା । ଏ.ଆଇ.ର ବ୍ୟବହାର କରାଗଲା । କେବଳ ଶବ୍ଦରୁ ହିଁ ପକ୍ଷୀଙ୍କୁ ଚିହ୍ନଟ କରାଗଲା । ତାହା ପୁଣି ସେମାନଙ୍କୁ ବିଚଳିତ ନକରି । ଭାବନ୍ତୁ ତ! ଟେକ୍ନୋଲଜି ଏବଂ ସମ୍ବେଦନଶୀଳତା ଯେତେବେଳେ ଏକାଠି ହୋଇଯାଏ, ସେତେବେଳେ ପ୍ରକୃତିକୁ ବୁଝିବା କେତେ ସହଜ ହୋଇଯାଏ । ଆମେ ଏଭଳି ପ୍ରଚେଷ୍ଟାଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ, ଯାହା ଫଳରେ ଆମେ ନିଜ ଜୈବବିବିଧତା ସହ ପରିଚିତ ହୋଇପାରିବା ଏବଂ ଆଗାମୀ ପିଢ଼ିକୁ ମଧ୍ୟ ଏହା ସହ ଯୋଡ଼ିପାରିବା ।

ମୋର ପ୍ରିୟ ଦେଶବାସୀଗଣ, ବେଳେବେଳେ ସବୁଠୁ ବଡ଼ ଆଲୋକ ସେହିଠାରୁ ସୃଷ୍ଟି ହୁଏ, ଯେଉଁଠାରେ ଅନ୍ଧାରର ସବୁଠାରୁ ଅଧିକ ରାଜୁତି ଥାଏ । ଏହିଭଳି ଏକ ଉଦାହରଣ ହେଉଛି, ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର । ଦିନ ଥିଲା, ଯେତେବେଳେ ଏହି ଅଞ୍ଚଳ ମାଓବାଦୀ ହିଂସା ପାଇଁ ପରିଚିତ ଥିଲା । ବାସିଆ ବ୍ଲକର ଗାଁଗୁଡ଼ିକ ଜନଶୂନ୍ୟ ହୋଇ ଚାଲିଥିଲା । ଲୋକେ ଭୟରେ ଜୀବନ ବିତାଉଥିଲେ । ରୋଜଗାରର କୌଣସି ସମ୍ଭାବନା ଦେଖାଯାଉ ନଥିଲା । ଜମିଗୁଡ଼ିକ ପଡ଼ିଆ ପଡ଼ିଥିଲା ଏବଂ ଯୁବକମାନେ ପଳାୟନ କରୁଥିଲେ । କିନ୍ତୁ, ତାପରେ ପରିବର୍ତ୍ତନର ଏକ ବହୁତ ଶାନ୍ତ ଏବଂ ଧୈର୍ଯ୍ୟରେ ପରିପୂର୍ଣ୍ଣ ଶୁଭାରମ୍ଭ ହେଲା । ଓମପ୍ରକାଶ ସାହୁ ନାମକ ଜଣେ ଯୁବକ ହିଂସାର ମାର୍ଗ ଛାଡ଼ିଦେଲେ । ସେ ମାଛଚାଷ ଆରମ୍ଭ କଲେ । ତା’ପରେ ନିଜ ଭଳି ଅନେକ ସାଥିଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କଲେ । ତାଙ୍କର ଏହି ପ୍ରଚେଷ୍ଟାର ପ୍ରଭାବ ମଧ୍ୟ ପଡ଼ିଲା । ଯେଉଁମାନେ ପୂର୍ବରୁ ବନ୍ଧୁକ ଧରିଥିଲେ, ସେମାନେ ଏବେ ମାଛଧରା ଜାଲ ଧରିଛନ୍ତି ।

ବନ୍ଧୁଗଣ, ଓମପ୍ରକାଶ ସାହୁଙ୍କର ଆରମ୍ଭ ସହଜ ନ ଥିଲା । ଏହାର ବିରୋଧ ହେଲା, ତାଙ୍କୁ ଧମକ ମିଳିଲା, କିନ୍ତୁ ତାଙ୍କର ସାହସ ଭାଙ୍ଗିଲା ନାହିଁ । ଯେତେବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଆସିଲା, ତାଙ୍କୁ ଏକ ନୂତନ ଶକ୍ତି ମିଳିଲା । ସରକାରଙ୍କଠାରୁ ତାଲିମ ମିଳିଲା, ଜଳାଶୟ ନିର୍ମାଣ ପାଇଁ ସାହାଯ୍ୟ ମିଳିଲା, ଦେଖୁ ଦେଖୁ ଗୁମଲାରେ ମତ୍ସ୍ୟ ବିପ୍ଳବର ସୂତ୍ରପାତ ହୋଇଗଲା । ଆଜି ବାସିଆ ବ୍ଲକର ୧୫୦ରୁ ଅଧିକ ପରିବାର ମାଛଚାଷ ସହ ଯୋଡ଼ି ହୋଇସାରିଛନ୍ତି । ଅନେକେ ତ ଏମିତି ଅଛନ୍ତି, ଯିଏ ଦିନେ ନକ୍ସଲି ସଂଗଠନରେ ଥିଲେ, ଏବେ ସେମାନେ ଗାଁରେ ହିଁ, ସସମ୍ମାନ ଜୀବନଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ଗୁମଲାର ଏହି ଯାତ୍ରା ଆମକୁ ଶିକ୍ଷା ଦେଉଛି ଯେ, ଯଦି ରାସ୍ତା ଠିକ୍ ଥାଏ ଏବଂ ମନରେ ବିଶ୍ୱାସ ରହିଥାଏ, ତାହେଲେ ସର୍ବାଧିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିକାଶର ପ୍ରଦୀପ ପ୍ରଜ୍ଜ୍ୱଳିତ ହୋଇପାରେ ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ଜାଣନ୍ତି କି ? ଅଲିମ୍ପିକ ପରେ ସବୁଠାରୁ ବଡ଼ କ୍ରୀଡ଼ା ଆୟୋଜନ କ’ଣ ? ଏହାର ଉତ୍ତର ହେଉଛି – ‘World Police and Fire Games’ । ସମଗ୍ର ବିଶ୍ୱର ପୋଲିସ କର୍ମୀ, ଅଗ୍ନି ଯୋଦ୍ଧା, ପ୍ରତିରକ୍ଷା ସହ ଜଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରେ ହେଉଥିବା sports tournament (କ୍ରୀଡ଼ା ପ୍ରତିଯୋଗିତା) । ଏଥର ଏହି ଗ୍ଧ tournament ଆମେରିକାରେ ଆୟୋଜିତ ହୋଇଥିଲା ଏବଂ ଭାରତ ଏଥିରେ ଇତିହାସ ସୃଷ୍ଟି କରିଦେଲା । ଭାରତ ପ୍ରାୟ ୬୦୦ ପଦକ ଜିତିଲା । ୭୧ଟି ଦେଶ ମଧ୍ୟରେ ଆମେ ଶୀର୍ଷ ତିନୋଟି ସ୍ଥାନ ମଧ୍ୟରେ ରହିଲୁ । ସେହି ୟୁନିଫର୍ମଧାରୀମାନଙ୍କ ପରିଶ୍ରମ ଫଳପ୍ରଦ ହେଲା, ଯେଉଁମାନେ ଦିନରାତି ଦେଶ ପାଇଁ ଠିଆ ହୁଅନ୍ତି । ଆମର ଏହି ବନ୍ଧୁମାନେ ଏବେ ଖେଳପଡ଼ିଆରେ ମଧ୍ୟ ପତାକା ଉଡ଼ାଉଛନ୍ତି । ମୁଁ ସମସ୍ତ ଖେଳାଳି ଏବଂ କୋଚିଂ ଟିମକୁ ଅଭିନନ୍ଦନ ଜଣାଉଛି । ବାସ୍ତବରେ ଆପଣଙ୍କ ପାଇଁ ଏହା ମଧ୍ୟ ଜାଣିବା ରୋଚକ ହେବ ଯେ, ୨୦୨୯ ମସିହାରେ ଏହି କ୍ରୀଡ଼ା ଭାରତରେ ଆୟୋଜିତ ହେବ । ସାରା ବିଶ୍ୱରୁ ଖେଳାଳିମାନେ ଆମ ଦେଶକୁ ଆସିବେ । ଆମେ ସେମାନଙ୍କୁ ଭାରତର ଆତିଥ୍ୟ ପ୍ରଦର୍ଶନ କରିବା ଏବଂ ନିଜ କ୍ରୀଡ଼ା ସଂସ୍କୃତି ସହ ପରିଚିତ କରାଇବା ।

ବନ୍ଧୁଗଣ, ବିଗତ ଦିନରେ ମୁଁ ଅନେକ ଯୁବ କ୍ରୀଡ଼ାବିତ ଏବଂ ସେମାନଙ୍କ ଅଭିଭାବକମାନଙ୍କ ବାର୍ତ୍ତା ପାଇଛି । ସେଥିରେ “ଖେଲୋ ଭାରତ ନୀତି ୨୦୨୫”କୁ ବହୁତ ପ୍ରଶଂସା କରାଯାଇଛି । ଏହି ନୀତିର ଲକ୍ଷ୍ୟ ସ୍ପଷ୍ଟ । ଭାରତକୁ sporting super power କରିବା । ଗାଁ, ଗରିବ ଏବଂ ଝିଅମାନେ ଏହି ନୀତିର ପ୍ରାଥମିକତା । ସ୍କୁଲ ଏବଂ କଲେଜ୍ ବର୍ତ୍ତମାନ ଖେଳକୁ ଦୈନନ୍ଦିନ ଜୀବନର ଅଂଶ କରିବେ । ଖେଳ ସହ ଜଡ଼ିତ ଷ୍ଟାର୍ଟ-ଅପ୍ସ - ତାହା sports managements ହେଉ କିମ୍ବା manufacturing ସହ ଜଡ଼ିତ ହେଉ, ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରାଯିବ । ଭାବନ୍ତୁ, ଯେତେବେଳେ ଦେଶର ଯୁବକ ନିଜେ ତିଆରି କରିଥିବା racket, bat, ball ସହ ଖେଳିବ ସେତେବେଳେ ଆତ୍ମନିର୍ଭରତା ମିଶନକୁ କେତେ ବଡ଼ ଶକ୍ତି ମିଳିବ! ବନ୍ଧୁଗଣ, ଖେଳ team spirit ସୃଷ୍ଟି କରିଥାଏ । ଏହା ଫିଟନେସ୍, ଆତ୍ମବିଶ୍ୱାସ ଏବଂ ଏକ ମଜଭୁତ ଭାରତ ନିର୍ମାଣର ମାର୍ଗ ଅଟେ। ତେଣୁ, ବହୁତ ଖେଳନ୍ତୁ, ବହୁତ ବିକଶିତ ହୁଅନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, କିଛି ଲୋକଙ୍କୁ ବେଳେ ବେଳେ କୌଣସି କାମ ଅସମ୍ଭବ ଭଳି ଲାଗିଥାଏ । ଲାଗେ, ଏମିତି କ’ଣ ହୋଇପାରିବ ? କିନ୍ତୁ, ସାରା ଦେଶ ଯେବେ ଗୋଟିଏ ଚିନ୍ତାଧାରା ବହନ କରି ଏକାଠି ହୋଇଯାଏ, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ । ସ୍ୱଚ୍ଛ ଭାରତ ମିଶନ୍ ଏହାର ସବୁଠାରୁ ବଡ଼ ଉଦାହରଣ । ଖୁବଶୀଘ୍ର ଏହି ଅଭିଯାନକୁ ୧୧ ବର୍ଷ ପୂରିବ । କିନ୍ତୁ, ଏହାର ଶକ୍ତି ଓ ଏହାର ଆବଶ୍ୟକତା ପୂର୍ବଭଳି ହିଁ ରହିଛି । ଏହି ୧୧ ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ୍ ଏକ ଜନ ଆନ୍ଦୋଳନ ପାଲଟିଯାଇଛି । ଲୋକମାନେ ଏହାକୁ ନିଜର କର୍ତ୍ତବ୍ୟ ବୋଲି ମାନନ୍ତି ଆଉ ଏହାହିଁ ତ ପ୍ରକୃତ ଜନଭାଗୀଦାରୀ ।

ବନ୍ଧୁଗଣ, ପ୍ରତିବର୍ଷ ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣ ଏହି ଭାବନାକୁ ଆହୁରି ବଢ଼ାଇଛି । ଏହି ବର୍ଷ ଦେଶର ୪,୫୦୦ରୁ ଅଧିକ ସହର ଏବଂ ଅଞ୍ଚଳ ଏଥିରେ ଜଡ଼ିତ ହେଲେ । ୧୫ କୋଟିରୁ ଅଧିକ ଲୋକ ଏଥିରେ ଭାଗ ନେଲେ, ଯାହା କୌଣସି ସାଧାରଣ କଥା ନୁହେଁ । ଏହା ସ୍ୱଚ୍ଛ ଭାରତର ସ୍ୱର ।

ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ଆମ ସହର, ଆମ ଅଞ୍ଚଳ ନିଜର ଆବଶ୍ୟକତା ଏବଂ ପରିବେଶ ଅନୁସାରେ ଅଲଗା-ଅଲଗା ଉପାୟରେ କାମ କରୁଛନ୍ତି । ଆଉ ଏହାର ପ୍ରଭାବ କେବଳ ଏହି ସହର ମଧ୍ୟରେ ସୀମିତ ହୋଇ ରହିନାହିଁ । ସାରା ଦେଶ ଏହି ଉପାୟଗୁଡ଼ିକ ଅବଲମ୍ବନ କରୁଛି । ଉତ୍ତରାଖଣ୍ଡରେ କିର୍ତିନଗରର ଲୋକେ ପାହାଡ଼ରେ waste managementର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ମାଙ୍ଗାଲୁରୁରେ ଟେକ୍ନୋଲଜି ସାହାଯ୍ୟରେ organic waste managementର କାମ ଚାଲିଛି । ଅରୁଣାଚଳରେ ଗୋଟିଏ ଛୋଟ ସହର ହେଉଛି ରୋଇଂ । ଦିନ ଥିଲା, ଯେତେବେଳେ ଏଠାରେ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି waste management ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା । ଏଠାକାର ଲୋକମାନେ ଏହାର ଦାୟିତ୍ୱ ନେଲେ । ‘Green Roing Initiative’ ଆରମ୍ଭ ହେଲା ଆଉ ତା’ପରେ ରିସାଇକେଲ୍ ୱେଷ୍ଟରୁ ପୁରା ଗୋଟିଏ ପାର୍କ ତିଆରି କରିଦିଆଗଲା । ସେହିପରି କରାଡ଼ରେ, ବିଜୟୱାଡ଼ାରେ water managementର ଅନେକ ନୂତନ ଉଦାହରଣ ସୃଷ୍ଟି ହୋଇଛି । ଅହମଦାବାଦରେ ରିଭର୍ ଫ୍ରଣ୍ଟ ଉପରେ ସଫେଇ କାର୍ଯ୍ୟ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ବନ୍ଧୁଗଣ, ଭୋପାଲର ଗୋଟିଏ ଟିମର ନାମ ହେଉଛି ସକାରାତ୍ମକ ସୋଚ୍ । ଏଥିରେ ୨୦୦ ମହିଳା ଅଛନ୍ତି । ଏମାନେ କେବଳ ସଫେଇ କରନ୍ତି ନାହିଁ, ଚିନ୍ତାଧାରା ମଧ୍ୟ ବଦଳାନ୍ତି । ଏକାଠି ମିଶି ସହରର ୧୭ଟି ପାର୍କ ସଫା କରିବା, କପଡ଼ା ବ୍ୟାଗ୍ ବାଂଟିବା – ଏମାନଙ୍କ ପ୍ରତ୍ୟେକ ପଦକ୍ଷେପ ଗୋଟିଏ ବାର୍ତ୍ତା । ଏଭଳି ପ୍ରୟାସ ଯୋଗୁଁ ହିଁ ଭୋପାଳ ମଧ୍ୟ ଏବେ ସ୍ୱଚ୍ଛ ସର୍ବେକ୍ଷଣରେ ବହୁତ ଆଗକୁ ଆସିଲାଣି । ଲଖନଉର ଗୋମତି ନଦୀ ଟିମର ଉଲ୍ଲେଖ ମଧ୍ୟ ଜରୁରୀ । ୧୦ ବର୍ଷ ହେଲା ପ୍ରତି ରବିବାର ନ ଥକି, ନ ଅଟକି ଏହି ଟିମର ଲୋକେ ସ୍ୱଚ୍ଛତା କାର୍ଯ୍ୟରେ ଲାଗିଛନ୍ତି । ଛତିଶଗଢ଼ର ବିଲହାର ଉଦାହରଣ ମଧ୍ୟ ଚମକପ୍ରଦ । ଏଠାରେ ମହିଳାମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ତାଲିମ ଦିଆଗଲା, ଆଉ ସେମାନେ ମିଶି ସହରର ଚିତ୍ର ବଦଳାଇଦେଲେ । ଗୋଆର ପାଣାଜୀ ସହରର ଉଦାହରଣ ମଧ୍ୟ ପ୍ରେରଣାଦାୟକ । ସେଠାରେ ବର୍ଜ୍ୟ ପଦାର୍ଥଗୁଡ଼ିକୁ ୧୬ଟି ଶ୍ରେଣୀରେ ପୃଥକ କରାଯାଏ । ଏହାର ନେତୃତ୍ୱ ମଧ୍ୟ ମହିଳାମାନେ କରୁଛନ୍ତି । ପଣଜୀକୁ ତ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଛି । ବନ୍ଧୁଗଣ, ସ୍ୱଚ୍ଛତା କେବଳ ଗୋଟିଏ ସମୟର ବା ଗୋଟିଏ ଦିନର କାମ ନୁହେଁ । ଯେତେବେଳେ ଆମେ ବର୍ଷରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା, ସେତେବେଳେ ହିଁ ଦେଶ ସ୍ୱଚ୍ଛ ରହିପାରିବ ।

ବନ୍ଧୁଗଣ, ଶ୍ରାବଣର ଫୁଆରା ମଧ୍ୟରେ ଦେଶ ପୁଣିଥରେ ପର୍ବପର୍ବାଣୀର ଜାକଜମକରେ ସଜେଇ ହେବାକୁ ଯାଉଛି । ଆଜି ହେଉଛି ହରିଆଲି ତୀଜ୍ ପର୍ବ । ତା ପରେ ନାଗ ପଞ୍ଚମୀ ଓ ରକ୍ଷା ବନ୍ଧନ, ତା’ପରେ ଜନ୍ମାଷ୍ଟମୀ - ଆମ ନଟଖଟିଆ କାହ୍ନାର ଜନ୍ମ ଉତ୍ସବ । ଏହି ସମସ୍ତ ପର୍ବ ଆମ ଭାବାବେଗ ସହ ଜଡ଼ିତ । ଏହା ଆମକୁ ପ୍ରକୃତି ସହ ସଂଯୋଗ ଏବଂ ସନ୍ତୁଳନର ବାର୍ତ୍ତା ଦିଏ । ଆପଣ ସମସ୍ତଙ୍କୁ ଏହି ପବିତ୍ର ପର୍ବଗୁଡ଼ିକର ଅନେକ ଶୁଭେଚ୍ଛା । ମୋର ପ୍ରିୟ ବନ୍ଧୁଗଣ, ନିଜର ଚିନ୍ତାଧାରା ଓ ଅନୁଭୂତି ବାଣ୍ଟୁଥାଆନ୍ତୁ । ଆସନ୍ତା ମାସରେ ପୁଣି ଦେଶବାସୀଙ୍କ କିଛି ନୂଆ ଉପଲବ୍ଧି ଏବଂ ପ୍ରେରଣା ସହିତ ଭେଟିବା । ନିଜର ଯତ୍ନ ନିଅନ୍ତୁ । ବହୁତ ବହୁତ ଧନ୍ୟବାଦ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tariff cut to open door wider for exports, lift rupee, fund inflows: Nirmala Sitharaman

Media Coverage

Tariff cut to open door wider for exports, lift rupee, fund inflows: Nirmala Sitharaman
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Congratulates Newly Sworn-in Chief Minister and Ministers of Manipur
February 04, 2026

The Prime Minister, Shri Narendra Modi, today extended congratulations to Shri Yumnam Khemchand Singh Ji on taking oath as the Chief Minister of Manipur.

The Prime Minister also conveyed his best wishes to Smt. Nemcha Kipgen Ji and Shri Losii Dikho Ji on assuming office as the Deputy Chief Ministers of the state. He further congratulated Shri Konthoujam Govindas Singh Ji and Shri Khuraijam Loken Singh Ji on being sworn in as Ministers in the Manipur Government.

Expressing confidence in the new leadership, Shri Narendra Modi stated that they will work diligently towards furthering development and prosperity for the sisters and brothers of Manipur.

In a post on X, Shri Modi said:

“Congratulations to Shri Yumnam Khemchand Singh Ji on taking oath as the Chief Minister of Manipur.

I would like to congratulate Smt. Nemcha Kipgen Ji and Shri Losii Dikho Ji on taking oath as the Deputy Chief Ministers of the state and Shri Konthoujam Govindas Singh Ji as well as Shri Khuraijam Loken Singh Ji on being sworn in as Ministers in the Manipur Government.

I’m confident they will work diligently towards furthering development and prosperity for my sisters and brothers of Manipur.”