ସହଯୋଗ, ମିଳିତ ପ୍ରୟାସ ଓ ସହଭାଗିତା ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ : ପ୍ରଧାନମନ୍ତ୍ରୀ
ଟେଷ୍ଟ ଟ୍ରାକ୍, ଟ୍ରିଟ୍ ଓ ଟିକା ହେଉଛି ପରିକ୍ଷିତ ଏବଂ ପ୍ରମାଣିତ ରଣନୀତି : ପ୍ରଧାନମନ୍ତ୍ରୀ
ସମ୍ଭାବ୍ୟ ତୃତୀୟ ଲହର ନିରାକରଣ ପାଇଁ ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ନେବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ
ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଥିବା ଭିତ୍ତିଭୂମି ଅଭାବ ଦୂର କରାଯିବା ଉଚିତ୍ : ପ୍ରଧାନମନ୍ତ୍ରୀ
କରୋନା ଏବେ ବି ଯାଇନାହିଁ, ଅନଲକିଂ ପରବର୍ତ୍ତୀ ବ୍ୟବହାର ଚିନ୍ତାର ବିଷୟ : ପ୍ରଧାନମନ୍ତ୍ରୀ
ସମ୍ଭାବ୍ୟ ତୃତୀୟ ଲହର ନିରାକରଣ ପାଇଁ ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ନେବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ

କୋଭିଡ୍‌ ଜନିତ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ଯଥାସମ୍ଭବ ସହାୟତା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଟିକାକରଣର ଅଗ୍ରଗତି ଏବଂ ସେମାନଙ୍କ ରାଜ୍ୟରେ ଭୂତାଣୁ ସଂକ୍ରମଣ ହ୍ରାସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଟିକାକରଣ ରଣନୀତି ସମ୍ପର୍କରେ ମଧ୍ୟ ସେମାନେ ନିଜ ନିଜ ମତାମତ ଦେଇଥିଲେ ।

 

ମୁଖ୍ୟମନ୍ତ୍ରୀମାନେ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଭବିଷ୍ୟତରେ ଯଦି ସଂକ୍ରମଣରେ ସମ୍ଭାବ୍ୟ ବୃଦ୍ଧି ଦେଖାଦିଏ ତାହାର କିପରି ଭାବେ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ମତାମତ ଦେଇଥିଲେ । ସେମାନେ ମଧ୍ୟ ରୋଗୀଙ୍କ ଠାରେ ଦେଖାଦେଉଥିବା କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏପରି ମାମଲାରେ ସହାୟତା ଯୋଗାଇ ଦେବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେମାନେ ଆଶ୍ୱାସନା ଦେଇ କହିଥିଲେ ଯେ ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ଲାଗି ସେମାନେ ଶ୍ରେଷ୍ଠ ପଦକ୍ଷେପ ଗ୍ରହଣ କରୁଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି 6ଟି ରାଜ୍ୟରେ ଜୁଲାଇ ମାସରେ 80 ପ୍ରତିଶତରୁ ଅଧିକ ସଂକ୍ରମଣ ଦେଖାଦେଇଥିଲା । ଆହୁରି ଏସବୁ ମଧ୍ୟରୁ କେତେକ ରାଜ୍ୟରେ ପଜିଟିଭିଟି ହାର ମଧ୍ୟ ଅଧିକ ରହିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଦେଖାଦେଇଥିବା କୋଭିଡ ସଂକ୍ରମଣ ସଂଖ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଧିକ ସଂକ୍ରମଣ ଦେଖାଦେଉଥିବା ଜିଲ୍ଲା ଗୁଡ଼ିକରେ କୋଭିଡ ଉପଯୁକ୍ତ ବ୍ୟବହାର ଏବଂ କଣ୍ଟେନମେଣ୍ଟ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ମଧ୍ୟ ପରାମର୍ଶ ଦେଇଥିଲେ ଯେ ଏହିସବୁ ଜିଲ୍ଲାରେ ଅନଲକ୍‌ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ତଥା ସୁଚିନ୍ତିତ ଭାବେ ହେବା ଉଚିତ୍‌ ।

 

ଉଦଯାପନୀ ବିବୃତି ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ମହାମାରୀ ବିରୋଧୀ ଲଢ଼େଇରେ ସେମାନଙ୍କର ଆପୋସ ସହଯୋଗ ଏବଂ ଶିଖିବାର ଆଗ୍ରହ ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ଏପରି ଏକ ପରିସ୍ଥିତିରେ ଅଛୁ ଯେତେବେଳେ ତୃତୀୟ ଲହରୀ ଆସିବା ନେଇ ଲଗାତାର ଆଶଙ୍କା ବ୍ୟକ୍ତ କରାଯାଉଛି । ବିଶେଷଜ୍ଞମାନେ ହ୍ରାସ ପାଉଥିବା ସଂକ୍ରମଣ ସ୍ଥିତି ନେଇ ସକାରାତ୍ମକ ସଙ୍କେତ ଦେଉଥିବା ସତ୍ତ୍ବେ କେତେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ । ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଆଜି ଯେଉଁସବୁ ରାଜ୍ୟ ବୈଠକରେ ଯୋଗ ଦେଇଛନ୍ତି, ସେସବୁ ରାଜ୍ୟରୁ ଗତ ସପ୍ତାହରେ 80 ପ୍ରତିଶତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ 84 ପ୍ରତିଶତ ମୃତ୍ୟୁ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ ଦ୍ୱିତୀୟ ଲହରୀ ପ୍ରଥମେ ଯେଉଁ ରାଜ୍ୟରୁ ଆରମ୍ଭ ହୋଇଥିଲା ସେଠାରେ ପ୍ରଥମେ ସ୍ଥିତି ସ୍ୱାଭାବିକ ହେବ । କିନ୍ତୁ, କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦ୍ୱିତୀୟ ଲହରୀ ପୂର୍ବରୁ ଜାନୁଆରୀ-ଫେବୃଆରୀରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା ବୋଲି କହି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ଏହି କାରଣରୁ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଯେଉଁସବୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ସେଠାରେ ତୃତୀୟ ଲହରୀକୁ ରୋକିବା ଲାଗି ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ବିଶେଷଜ୍ଞମାନଙ୍କ ମତକୁ ଉଦ୍ଧୃତ କରି କହିଥିଲେ ଯେ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧି ପାଇଲେ, କରୋନା ଭୂତାଣରୁ ମ୍ୟୁଟେସନ ମଧ୍ୟ ବୃଦ୍ଧି ପାଇବ ଏବଂ ନୂଆ ଭାରିଆଣ୍ଟର ବିପଦ ସୃଷ୍ଟି ହେବ । ତେଣୁ, ପ୍ରଧାନମନ୍ତ୍ରୀ କହିଥିଲେ, ଆମକୁ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା (ପରୀକ୍ଷା, ଚିହ୍ନଟ, ଚିକିତ୍ସା ଓ ଟିକାକରଣ) ରଣନୀତିକୁ ନେଇ ଲଗତାର ଭାବେ କାମ କରିବାକୁ ହେବ । ପ୍ରଧାନମନ୍ତ୍ରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବା ଉଚିତ୍‌ । ସବୁ ରାଜ୍ୟରେ ନମୁନା ପରୀକ୍ଷା ବୃଦ୍ଧି କରିବା ଉପରେ ଶ୍ରୀ ମୋଦୀ ଜୋର ଦେଇଥିଲେ । ଅଧିକ ସଂକ୍ରାମକ କ୍ଷେତ୍ରରେ ଟିକାକୁ ଏକ ରଣନୈତିକ ଉପକରଣ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ପ୍ରଭାବୀ ଟିକାକରଣ ଉପରେ ଜୋର ଦେଇଥିଲେ । ଆରଟି-ପିସିଆର ପରୀକ୍ଷା କ୍ଷମତାରେ ସୁଧାର ଆଣିବା ଲାଗି ଚେଷ୍ଟା କରୁଥିବା ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆଇସିୟୁ ଶଯ୍ୟା ଏବଂ ପରୀକ୍ଷା କ୍ଷମତା ଭଳି ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରିବା ଲାଗି ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ନିକଟରେ ଜାରି କରାଯାଇଥିବା 23,00 କୋଟି ଟଙ୍କାର କୋଭିଡ ମୁକାବିଲା ପ୍ୟାକେଜ୍‌ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଚିକିତ୍ସା ଭିତ୍ତିଭୂମିରେ ସୁଧାର ଆଣିବା ନିମନ୍ତେ ଏହି ପାଣ୍ଠିର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ଅଭାବ, ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ, ଦୂର କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆଇଟି ସିଷ୍ଟମ, କଣ୍ଟ୍ରୋଲ ରୁମ ଏବଂ କଲ ସେଣ୍ଟର ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମଧ୍ୟ ସେ କହିଥିଲେ ଯାହାଫଳରେ ନାଗରିକମାନେ ପାରଦର୍ଶୀ ଢଙ୍ଗରେ ସମ୍ବଳ ଓ ତଥ୍ୟ ପାଇପାରିବେ ଏବଂ ରୋଗୀମାନଙ୍କର ସମସ୍ୟା ଦୂର ହୋଇପାରିବ । ଶ୍ରୀ ମୋଦୀ କହିଥିଲେ ଯେ ବୈଠକରେ ଯୋଗ ଦେଇଥିବା ରାଜ୍ୟଗୁଡ଼ଇକୁ 332ଟି ପିଏସଏ ପ୍ଲାଣ୍ଟ ଆବଣ୍ଟନ କରାଯାଇଛି ଏବଂ ସେଥିମଧ୍ୟରୁ 53ଟି କାର୍ଯ୍ୟକ୍ଷମ ହୋଇସାରିଲାଣି । ଏହି ପ୍ଲାଣ୍ଟଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁମାନଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ ଏବଂ ଏ ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।

ୟୁରୋପ, ଆମେରିକା, ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଆମ ପାଇଁ ଓ ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ପୁଣି ଦୋହରାଇଥିଲେ ଯେ କରୋନା ଏବେ ସୁଦ୍ଧା ଦୂରେଇ ଯାଇନାହିଁ ଏବଂ ଲକଡାଉନ ପରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ । ସେ କୋଭିଡ ନିୟମ ମାନିବା ଉପରେ ଜୋର ଦେଇଥିଲେ ଏବଂ ଆଜିର ବୈଠକରେ ଥିବା ଅଧିକାଂଶ ରାଜ୍ୟରେ ଜନସଂଖ୍ୟା ବହୁଳ ମହାନଗର ଥିବା କାରଣରୁ ଭିଡ଼ ଏଡ଼ାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ରାଜନୈତିକ ଦଳ, ସାମାଜିକ ସଂଗଠନ ଏବଂ ଏନଜିଓଗୁଡ଼ିକୁ ସେ ଆହ୍ୱାନ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival