ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩ଟି ସେମିକଣ୍ଡକ୍ଟର ସୁବିଧାର ଶିଳାନ୍ୟାସ
"ଭାରତ ଏକ ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି"
ଜଣେ ଆତ୍ମବିଶ୍ୱାସୀ ଯୁବକ ଦେଶର ଭାଗ୍ୟ ବଦଳାଇ ଦିଅନ୍ତି
ଭାରତର ଦ୍ରୁତ ପ୍ରଗତି ଆମ ଯୁବ ଶକ୍ତିଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରୁଛି
"ଭାରତ ପ୍ରତିଶ୍ରୁତି ଦିଏ, ଭାରତ ଏହାକୁ ପାଳନ କରେ ଏବଂ ଗଣତନ୍ତ୍ର ଏହା ପାଳନ କରେ"
ଚିପ୍ ଉତ୍ପାଦନ ଭାରତକୁ ଆତ୍ମନିର୍ଭରଶୀଳତା ଆଡ଼କୁ, ଆଧୁନିକତା ଆଡକୁ ନେଇଯିବ
"ଚିପ୍ ଉତ୍ପାଦନ ଅସୀମ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛି’
ଭାରତର ଯୁବପିଢ଼ି ସକ୍ଷମ ଏବଂ ସେମାନଙ୍କୁ ସୁଯୋଗ ଦରକାର । ସେମିକଣ୍ଡକ୍ଟର ପଦକ୍ଷେପ ଆଜି ଭାରତ ପାଇଁ ସେହି ସୁଯୋଗ ଆଣିଦେଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜି ଉଦ୍‌ଘାଟିତ ହୋଇଥିବା ସୁବିଧାଗୁଡ଼ିକ ହେଲା- ଗୁଜରାଟର ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସ୍‌ଆଇଆର)ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା, ଆସାମର ମୋରିଗାଓଁରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସ୍‌ଏଟି) ସୁବିଧା ଏବଂ ଗୁଜରାଟର ସାନନ୍ଦ ଠାରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସ୍‌ଏଟି) ସୁବିଧା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଐତିହାସିକ ଅବସର ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଗୁଜରାଟର ଧୋଲେରା ଏବଂ ସାନନ୍ଦ ଏବଂ ଆସାମର ମୋରେଗାଓଁରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ବୃହତ ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଆଜିର ପ୍ରକଳ୍ପଗୁଡ଼ିକ ଭାରତକୁ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ତାଇୱାନର ସେମିକଣ୍ଡକ୍ଟର ଶିଳ୍ପର ଉଦ୍ୟୋଗୀ ମାନଙ୍କର ଭର୍ଚୁଆଲ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଆଜିର ଅବସର ପାଇଁ ଉତ୍ସାହ ପ୍ରକାଶ କରିଥିଲେ ।

 

୬୦,୦୦୦ ରୁ ଅଧିକ କଲେଜ, ବିଶ୍ୱ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଏହି ଅନନ୍ୟ କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆଜିର କାର୍ଯ୍ୟକ୍ରମ ଭାରତର ଭବିଷ୍ୟତର ପ୍ରକୃତ ଅଂଶୀଦାର ହୋଇଥିବାରୁ ଏହାକୁ ଦେଶର ଯୁବବର୍ଗଙ୍କ ସ୍ୱପ୍ନର କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତ କିପରି ଏକ ଦୃଢ଼ ଉପସ୍ଥିତି ପାଇଁ ବହୁମୁଖୀ ଢଙ୍ଗରେ କାର୍ଯ୍ୟ କରୁଛି ତାହା ଯୁବପିଢ଼ି ଦେଖୁଛନ୍ତି । ଜଣେ ଆତ୍ମବିଶ୍ୱାସୀ ଯୁବକ ଦେଶର ଭାଗ୍ୟ ବଦଳାଇ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଏକବିଂଶ ଶତାବ୍ଦୀରେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଇଲେକ୍ଟ୍ରୋନିକ୍ସ ଚିପ୍ସର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେଡ୍ ଇନ୍ ଇଣ୍ଡିଆ ଏବଂ ଡିଜାଇନ୍ ଇନ୍ ଇଣ୍ଡିଆ ଚିପ୍ସ ଭାରତକୁ ଆତ୍ମନିର୍ଭରଶୀଳତା ଏବଂ ଆଧୁନିକୀକରଣ ଦିଗରେ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କାରଣରୁ ପ୍ରଥମ ତିନୋଟି ଶିଳ୍ପ ବିପ୍ଳବରୁ ବଞ୍ଚିତ ହେବା ପରେ ଭାରତ ଏବେ ଚତୁର୍ଥ ଶିଳ୍ପ ବିପ୍ଳବ ଇଣ୍ଡଷ୍ଟ୍ରି ୪.୦ର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଆଗକୁ ବଢ଼ୁଛି । ପ୍ରତି ସେକେଣ୍ଡକୁ ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ସରକାର କେଉଁଭଳି ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ତାହାର ଉଦାହରଣ ଭାବେ ଉପସ୍ଥାପନ କରିଥିଲେ । ସେମିକଣ୍ଡକ୍ଟର କ୍ଷେତ୍ରରେ ହୋଇଥିବା ଅଗ୍ରଗତିର କ୍ରମ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦୁଇ ବର୍ଷ ପୂର୍ବେ ସେମିକଣ୍ଡକ୍ଟର ମିଶନର ଘୋଷଣା ବିଷୟରେ କହିଥିଲେ ଏବଂ କିଛି ମାସ ମଧ୍ୟରେ ପ୍ରଥମ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ଏବଂ ବର୍ତ୍ତମାନ ତିନୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି । "ଭାରତ ପ୍ରତିଶ୍ରୁତି ଦିଏ, ଭାରତ ଏହାକୁ ପାଳନ କରେ ଏବଂ ଗଣତନ୍ତ୍ର ଏହା ପାଳନ କରେ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜି ବିଶ୍ୱର ଅଳ୍ପ କେତୋଟି ଦେଶ ସେମିକଣ୍ଡକ୍ଟର ଉତ୍ପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କରୋନା ଭାଇରସ୍ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବ୍ୟାଘାତ ପରେ ଏକ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆଗ୍ରହୀ ବୋଲି ସେ କହିଥିଲେ ଏବଂ ଦେଶର ବୈଷୟିକ କ୍ଷେତ୍ର, ପରମାଣୁ ଏବଂ ଡିଜିଟାଲ ଶକ୍ତି ଉପରେ ଆଲୋକପାତ କରିଥିଲେ । ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ବାଣିଜ୍ୟିକ ଉତ୍ପାଦନ ନିମନ୍ତେ ଭାରତ କେଉଁ ଭଳି ଭବିଷ୍ୟତ ଯୋଜନା ଗ୍ରହଣ କରିବାକୁ ଯାଉଛି ସେ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, "ସେହି ଦିନ ଦୂର ନୁହେଁ ଯେତେବେଳେ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଆବଶ୍ୟକ ସାମଗ୍ରୀ ଉତ୍ପାଦନରେ ଭାରତ ଏକ ବିଶ୍ୱ ଶକ୍ତିରେ ପରିଣତ ହେବ । ଇଜ୍ ଅଫ୍ ଡୁଇଂ ବିଜନେସ୍ (ବ୍ୟବସାୟରେ ସହଜତା) ଏବଂ ଆଇନ୍‌ର ସରଳୀକରଣକୁ ପ୍ରୋତ୍ସାହିତ କରିବା ବିଷୟରେ ଉଲ୍ଲେଖ କରି ଆଜି ନିଆଯାଇଥିବା ନୀତିଗତ ନିଷ୍ପତ୍ତି ପାଇଁ ଭବିଷ୍ୟତରେ ଭାରତ ଏକ ରଣନୈତିକ ଫାଇଦା ହାସଲ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ୪୦,୦୦୦ ରୁ ଅଧିକ ଅନୁପାଳନ ଉଚ୍ଛେଦ କରାଯାଇଛି ଏବଂ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ପାଇଁ ନିୟମକୁ ମଧ୍ୟ ସରଳୀକରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରତିରକ୍ଷା, ବୀମା ଏବଂ ଟେଲିକମ୍ କ୍ଷେତ୍ରରେ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ପଲିସିକୁ ଉଦାର କରାଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର ଉତ୍ପାଦନ କ୍ଷେତ୍ରରେ ଭାରତର ବୃଦ୍ଧି ପାଉଥିବା ସ୍ଥିତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଯେଉଁଠାରେ ବୃହତ ପରିମାଣର ଇଲେକ୍ଟ୍ରୋନିକ୍ ଏବଂ ଆଇଟି ହାର୍ଡୱେୟାର ଉତ୍ପାଦନ ଏବଂ ଇଲେକ୍ଟ୍ରୋନିକ୍ କ୍ଲଷ୍ଟର ସୃଷ୍ଟି ପାଇଁ ପିଏଲଆଇ ଯୋଜନା ପ୍ରଦାନ କରାଯାଇଛି, ଯାହା ଦ୍ୱାରା ଇଲେକ୍ଟ୍ରୋନିକ୍ ପାରିବେଶିକ ବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ନିର୍ମାତା । ଭାରତର କ୍ୱାଣ୍ଟମ ମିସନ୍‌ର ଆରମ୍ଭ, ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନ୍ୟାସନାଲ୍ ରିସର୍ଚ୍ଚ  ଫାଉଣ୍ଡେସନ୍ ପ୍ରତିଷ୍ଠା ଏବଂ ଭାରତର ଏଆଇ ମିଶନର ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭାରତ ଟେକ୍ନୋଲୋଜି ଗ୍ରହଣ ସହିତ ଟେକ୍ନୋଲୋଜିର ବିକାଶ ଦିଗରେ ଅଗ୍ରସର ହେଉଛି ।

 

ସେମିକଣ୍ଡକ୍ଟରକୁ ନେଇ ଗବେଷଣା ଯୁବପିଢ଼ିଙ୍କୁ ଅଧିକ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଭିନ୍ନ ଶିଳ୍ପରେ ସେମିକଣ୍ଡକ୍ଟରର ବ୍ୟାପକତା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମିକଣ୍ଡକ୍ଟର କେବଳ ଏକ ଶିଳ୍ପ ନୁହେଁ ବରଂ ଏହା ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ ଏକ ଦ୍ୱାର ଉନ୍ମୁକ୍ତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ସ୍ତରରେ ଚିପ୍ ଡିଜାଇନ୍ ଏବଂ ଉତ୍ପାଦନରେ ଭାରତୀୟ ପ୍ରତିଭାଙ୍କ ବିପୁଳ ଉପସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ତେଣୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଦେଶ ଆଜି ଆଗକୁ ବଢ଼ୁଥିବାରୁ ଭାରତର ପ୍ରତିଭା ପାରିବେଶିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମହାକାଶ ହେଉ କି ମ୍ୟାପିଂ କ୍ଷେତ୍ର, ଆଜିର ଯୁବପିଢ଼ି ସେମାନଙ୍କ ପାଇଁ ସୃଷ୍ଟି ହେଉଥିବା ସୁଯୋଗ ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଏବଂ ଯୁବକମାନଙ୍କ ପାଇଁ ଏହି କ୍ଷେତ୍ରଗୁଡ଼ିକ ଉନ୍ମୁକ୍ତ ହେବା ବିଷୟରେ ସେ ଉଲ୍ଲେଖ କରିଥିଲେ । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ ହେବା ପାଇଁ ଅଭୂତପୂର୍ବ ପ୍ରୋତ୍ସାହନକୁ ସେ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ଆଜିର ଅବସର ସେମିକଣ୍ଡକ୍ଟର କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ଆଜିର ପ୍ରକଳ୍ପଗୁଡ଼ିକ ଯୁବବର୍ଗଙ୍କୁ ଅନେକ ଉନ୍ନତ ଜ୍ଞାନକୌଶଳ ସମ୍ବନ୍ଧିତ ନିଯୁକ୍ତି ପ୍ରଦାନ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଲାଲ୍ କିଲ୍ଲାରେ ସେ କହିଥିବା କଥା -  ‘ୟହି ସମୟ ହୈ , ସହି ସମୟ ହୈ’ କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ବିଶ୍ୱାସ ସହିତ ନିଆଯାଇଥିବା ନୀତି ଏବଂ ନିଷ୍ପତ୍ତିଗୁଡ଼ିକ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଥାଏ । ଭାରତ ଏବେ ପୁରୁଣା ଚିନ୍ତାଧାରା ଓ ପୁରୁଣା ଆଭିମୁଖ୍ୟ ଠାରୁ ବହୁ ଆଗରେ ରହିଛି । ଭାରତ ଏବେ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି ଏବଂ ନୀତି ନିର୍ଦ୍ଧାରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ଦର୍ଶାଇଥିଲେ ଯେ ଭାରତର ସେମିକଣ୍ଡକ୍ଟର ସ୍ୱପ୍ନ ପ୍ରଥମେ ୧୯୬୦ ଦଶକରେ କଳ୍ପନା କରାଯାଇଥିଲା , କିନ୍ତୁ ତତ୍କାଳୀନ ସରକାରମାନେ ଇଚ୍ଛାଶକ୍ତିର ଅଭାବ ଏବଂ ସଂକଳ୍ପଗୁଡ଼ିକୁ ସଫଳତାରେ ପରିଣତ କରିବାକୁ ପ୍ରୟାସର ଅଭାବ ଯୋଗୁଁ ତାହା ଉପରେ କାର୍ଯ୍ୟ କରିବାରେ ବିଫଳ ହୋଇଥିଲେ । ଦେଶର ସାମର୍ଥ୍ୟ, ପ୍ରାଥମିକତା ଏବଂ ଭବିଷ୍ୟତର ଆବଶ୍ୟକତାକୁ ବୁଝିବାରେ ପୂର୍ବ ସରକାରମାନେ ଅସମର୍ଥ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ବର୍ତ୍ତମାନ ସରକାରଙ୍କ ଉନ୍ନତ ଚିନ୍ତାଧାରା ଓ ଭବିଷ୍ୟତଭିତ୍ତିକ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିକଶିତ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଭିଳାଷ ସହିତ ସେମିକଣ୍ଡକ୍ଟର ଉତ୍ପାଦନ ବିଷୟରେ ଉଲ୍ଲେଖ କରିଥିଲେ । ଗରିବଙ୍କ ପାଇଁ ପକ୍କା ଘରେ ପୁଞ୍ଜିନିବେଶ ସହ ଗବେଷଣାକୁ ପ୍ରୋତ୍ସାହିତ କରିବା, ବିଶ୍ୱର ସର୍ବବୃହତ ପରିମଳ ଅଭିଯାନ ଚଳାଇବା ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଆଗକୁ ବଢ଼ିବା ଏବଂ ପାଇଁ ଦାରିଦ୍ର‌୍ୟତାରେ ଦ୍ରୁତ ହ୍ରାସ ସହିତ ଆତ୍ମନିର୍ଭର ଭାରତ ଉଦ୍ଦେଶ୍ୟରେ ବିପୁଳ ଭିତ୍ତିଭୂମି ନିବେଶ ମାଧ୍ୟମରେ ସରକାର ଦେଶର ସମସ୍ତ ପ୍ରାଥମିକତାକୁ ଧ୍ୟାନ ଦେଇଛନ୍ତି ବୋଲି ସେ କହିଥିଲେ ।

ଏକବିଂଶ ଶତାବ୍ଦୀର ଭାରତର ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷେତ୍ରର ଝଲକ ପ୍ରଦାନ କରିଥିବା ପୋଖରାନରେ ଗତକାଲି ଭାରତ ଶକ୍ତି ଅଭ୍ୟାସ, ଅଗ୍ନି-୫ ଆକାରରେ ବିଶ୍ୱର ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଥିବା ଭାରତ , ଦୁଇ ଦିନ ତଳେ କୃଷି କ୍ଷେତ୍ରରେ ଡ୍ରୋନ୍ ବିପ୍ଳବ ଆରମ୍ଭ, ଯେଉଁଠାରେ ନମୋ ଡ୍ରୋନ୍ ଦିଦି ଯୋଜନାରେ ମହିଳାଙ୍କୁ ହଜାର ହଜାର ଡ୍ରୋନ୍ ହସ୍ତାନ୍ତର କରାଯାଇଥିଲା, ଗଗନାୟନ ପାଇଁ ଭାରତର ପ୍ରସ୍ତୁତି ଜୋର ଧରିବା ଏବଂ ନିକଟରେ ଉଦଘାଟିତ ଭାରତର ପ୍ରଥମ ଭାରତ ତିଆରି ଫାଷ୍ଟ ବ୍ରିଡର୍ ପରମାଣୁ ରିଏକ୍ଟର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "କେବଳ ୨୦୨୪ରେ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯୋଜନାର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରାଯାଇଛି ।  ଏସବୁ ପ୍ରୟାସ, ଏସବୁ ପ୍ରକଳ୍ପ ଭାରତକୁ ବିକାଶ ଏବଂ ନିଶ୍ଚିତତାର ଲକ୍ଷ୍ୟର ନିକଟତର କରୁଛି ଏବଂ ନିଶ୍ଚିତ ରୂପରେ ଆଜିର ଏହି ତିନୋଟି ପ୍ରକଳ୍ପର ମଧ୍ୟ ଏଥିରେ ଏକ ବଡ଼ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

 

ଆଜିର ଦୁନିଆରେ ଏଆଇର ବ୍ୟବହାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ତାଙ୍କ ଅଭିଭାଷଣକୁ ଅଳ୍ପ ସମୟ ମଧ୍ୟରେ ଏକାଧିକ ଭାଷାରେ ଅନୁବାଦ କରାଯିବାର ଉଦାହରଣ ଦେଇଥିଲେ । ବିଭିନ୍ନ ଭାରତୀୟ ଭାଷାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମଗ୍ର ଦେଶରେ ପ୍ରସାରିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଭାରତର ଯୁବବର୍ଗଙ୍କୁ ପ୍ରଶଂସା କରିଥିଲେ । ଭାରତର ଯୁବପିଢ଼ି ସକ୍ଷମ ଏବଂ ସେମାନଙ୍କୁ ସୁଯୋଗ ଦରକାର । ସେମିକଣ୍ଡକ୍ଟର ପଦକ୍ଷେପ ଆଜି ଭାରତକୁ ସେହି ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆସାମରେ ଆଜି ତିନୋଟି ସେମିକଣ୍ଡକ୍ଟର ସୁବିଧା ମଧ୍ୟରୁ ଗୋଟିଏର ଶିଳାନ୍ୟାସ ହେଉଥିବାରୁ ସେ ଉତ୍ତର - ପୂର୍ବାଞ୍ଚଳରେ ହେଉଥିବା ବିକାଶକୁ ପ୍ରଶଂସା କରିଥିଲେ । ବକ୍ତବ୍ୟ  ଶେଷ କରି ପ୍ରଧାନମନ୍ତ୍ରୀ ଭାରତର ପ୍ରଗତିକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେବା ସହ ମୋଦିଙ୍କ ଗ୍ୟାରେଣ୍ଟି ଆପଣଙ୍କର ଏବଂ ଆପଣଙ୍କ ଭବିଷ୍ୟତ ପାଇଁ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ , ସିଜି ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଆଲ ସଲ୍ୟୁସନ୍ ଲିମିଟେଡର ଅଧ୍ୟକ୍ଷ ଭେଲାୟମ ସୁବିହା, ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସେମିକଣ୍ଡକ୍ଟର ଡିଜାଇନ, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା ଏବଂ ଦେଶର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଦୃଷ୍ଟିକୋଣକୁ ଆଖିରେ  ରଖି ଗୁଜରାଟର ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସଆଇଆର)ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ; ଆସାମର ମୋରିଗାଓଁ ଠାରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା; ଏବଂ ଗୁଜରାଟର ସାନନ୍ଦ ଠାରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଭାରତରେ ସେମିକଣ୍ଡକ୍ଟର ଫ୍ୟାବ୍ ସ୍ଥାପନ ପାଇଁ ସଂଶୋଧିତ ଯୋଜନା ଅଧୀନରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ଟିଇପିଏଲ୍‌) ଦ୍ୱାରା ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସ୍‌ଆଇଆର) ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ପ୍ରତିଷ୍ଠା କରାଯିବ । ସମୁଦାୟ ୯୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହିତ ଏହା ଦେଶର ପ୍ରଥମ ବାଣିଜ୍ୟିକ ସେମିକଣ୍ଡକ୍ଟର ଫ୍ୟାବ୍ ହେବ ।

ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ଟିଇପିଏଲ୍‌) ଦ୍ୱାରା ସେମିକଣ୍ଡକ୍ଟର ଆସେମ୍ବଲିଂ, ଟେଷ୍ଟିଂ, ମାର୍କିଂ ଆଣ୍ଡ ପ୍ୟାକେଜିଂ (ଏଟିଏମପି) ପାଇଁ ସଂଶୋଧିତ ଯୋଜନା ଅଧୀନରେ ଏବଂ ପ୍ରାୟ ୨୭,୦୦୦ କୋଟି ଟଙ୍କା ବିନିଯୋଗରେ ଆସାମର ମୋରିଗାଓଁରେ ଆଉଟସୋର୍ସ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପ୍ରତିଷ୍ଠା କରାଯିବ ।

ସିଜି ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଆଲ ସଲ୍ୟୁସନ୍ ଲିମିଟେଡ ଦ୍ୱାରା ସାନନ୍ଦରେ ସେମିକଣ୍ଡକ୍ଟର ଆସେମ୍ବଲି, ଟେଷ୍ଟିଂ, ମାର୍କିଂ ଆଣ୍ଡ ପ୍ୟାକେଜିଂ (ଏଟିଏମପି) ପାଇଁ ସଂଶୋଧିତ ଯୋଜନା ଅଧୀନରେ ଏବଂ ମୋଟ ୭,୫୦୦ କୋଟି ଟଙ୍କା ବିନିଯୋଗରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସଏଟି) ସୁବିଧା ପ୍ରତିଷ୍ଠା କରାଯିବ ।

 ଏହି ସୁବିଧା ମାଧ୍ୟମରେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ଏବଂ ଭାରତକୁ ଏକ ଦୃଢ଼ ଭିତ୍ତିଭୂମି ମିଳିବ । ଏହି ୟୁନିଟ୍ ଗୁଡ଼ିକ ସେମିକଣ୍ଡକ୍ଟର ଶିଳ୍ପରେ ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ସହ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଆଦି ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବ ।

ଏହି କାର୍ଯ୍ୟକ୍ରମରେ ହଜାର ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମେତ ସେମିକଣ୍ଡକ୍ଟର ଉଦ୍ୟୋଗର ନେତୃତ୍ୱ ସମେତ ବହୁ ସଂଖ୍ୟାରେ ଯୁବବର୍ଗ ଅଂଶଗ୍ରହଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"