ଅଂଶଗ୍ରହଣକାରୀଙ୍କ ଦ୍ୱାରା ଦଶଟି ବିଷୟରେ ଲିଖିତ ଶ୍ରେଷ୍ଠ ପ୍ରବନ୍ଧର ସଂକଳନ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ଭାରତର ଯୁବଶକ୍ତି ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି, ବିକଶିତ ଭାରତ ଯୁବ ନେତା ଆଲୋଚନା ଏକ ପ୍ରେରଣାଦାୟୀ ମଞ୍ଚ ଭାବରେ କାର୍ଯ୍ୟ କରୁଛି ଏବଂ ବିକଶିତ ଭାରତକୁ ଆକାର ଦେବା ପାଇଁ ଆମ ଯୁବବର୍ଗଙ୍କ ଶକ୍ତି ଏବଂ ଉଦ୍ଭାବନ ଭାବନାକୁ ଏକାଠି କରୁଛି: ପ୍ରଧାନମନ୍ତ୍ରୀ
ଯୁବବର୍ଗଙ୍କ ଶକ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ: ପ୍ରଧାନମନ୍ତ୍ରୀ
ଭାରତ ଅନେକ କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲକ୍ଷ୍ୟ ହାସଲ କରୁଛି: ପ୍ରଧାନମନ୍ତ୍ରୀ
ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସାମୂହିକ ପ୍ରୟାସ ଆବଶ୍ୟକ: ପ୍ରଧାନମନ୍ତ୍ରୀ ଭାରତର ଯୁବପିଢ଼ିଙ୍କ ଚିନ୍ତାଧାରାର ପରିସର ଅତୁଳନୀୟ: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ଅର୍ଥନୈତିକ, ରଣନୈତିକ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ସୁଦୃଢ଼ ହେବ: ପ୍ରଧାନମନ୍ତ୍ରୀ
ଭାରତର ଯୁବଶକ୍ତି ନିଶ୍ଚିତ ଭାବେ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ  ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।

ଭାରତ ମଣ୍ଡପରେ ଜି-୨୦ ସମ୍ମିଳନୀକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱନେତାମାନେ ଏହି ସ୍ଥାନରେ ବସି ବିଶ୍ୱର ଭବିଷ୍ୟତ ବିଷୟରେ ଆଲୋଚନା କରୁଥିଲେ ଓ ଏବେ ଏହି ସ୍ଥାନରେ ହିଁ ଭାରତର ଯୁବପିଢ଼ି ଭାରତର ଆଗାମୀ ୨୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। କିଛି ମାସ ତଳେ ନିଜ ବାସଭବନରେ ଯୁବ କ୍ରୀଡ଼ାବିତଙ୍କୁ ଭେଟିବା ସମୟର ଏକ ଘଟଣା କଥା କହି ସେ କହିଥିଲେ ଯେ ଜଣେ ଆଥଲେଟ୍ ମନ୍ତବ୍ୟ ଦେଇଥିଲେ, 'ବିଶ୍ୱ ପାଇଁ ଆପଣ ପ୍ରଧାନମନ୍ତ୍ରୀ ହୋଇପାରନ୍ତି, କିନ୍ତୁ ଆମ ପାଇଁ ଆପଣ ହେଉଛନ୍ତି ‘ପରମ ବନ୍ଧୁ’। ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କ ସହିତ ଥିବା ତାଙ୍କର ବନ୍ଧୁତାର ବନ୍ଧନ ଉପରେ ଆଲୋକପାତ କରି କହିଥିଲେ ଯେ ବନ୍ଧୁତାର ସବୁଠାରୁ ଶକ୍ତିଶାଳୀ ଲିଙ୍କ୍ ହେଉଛି ବିଶ୍ୱାସ। ଏମଓ୍ବାଇ ଭାରତ ( ମୋ ଯୁବା ଭାରତ) ଗଠନ ପାଇଁ ପ୍ରେରଣା ଦେଇଥିବା ଏବଂ ବିକଶିତ ଭାରତ ଯୁବ ନେତା ଆଲୋଚନା ୨୦୨୫ର ଭିତ୍ତି ସ୍ଥାପନ କରିଥିବା ଯୁବବର୍ଗଙ୍କ ଉପରେ ସେ ଅତୁଟ ଆସ୍ଥା ପ୍ରକଟ କରିଥିଲେ। ଭାରତୀୟ ଯୁବକମାନଙ୍କର ସାମର୍ଥ୍ୟ ଖୁବ୍ ଶୀଘ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସମାଲୋଚକଙ୍କ ମନ୍ତବ୍ୟକୁ ଖାରଜ କରି ସେ କହିଥିଲେ ଯେ ଏହି ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଅସମ୍ଭବ ନୁହେଁ । ପ୍ରଗତିର ଚକ୍ରକୁ ତ୍ୱରାନ୍ୱିତ କରୁଥିବା ଲକ୍ଷ ଲକ୍ଷ ଯୁବକଙ୍କ ସାମୂହିକ ପ୍ରୟାସ ଦ୍ୱାରା ଦେଶ ନିଶ୍ଚିତ ଭାବରେ ଏହାର ଲକ୍ଷ୍ୟରେ ପହଞ୍ଚିବ ବୋଲି ସେ କହିଥିଲେ ।

 

“ଇତିହାସ ଆମକୁ ଶିକ୍ଷା ଏବଂ ପ୍ରେରଣା ଦେଇଥାଏ” କହିଥିଲେ ଶ୍ରୀ ମୋଦୀ । ସେ ବିଶ୍ବର ବିଭିନ୍ନ ଦେଶର କେତେକ ଉଦାହରଣ ଦେଇଥିଲେ ଯେଉଁଥିରେ ଦେଶ ଏବଂ ସମୁଦାୟ ବଡ଼ ସ୍ୱପ୍ନ ଏବଂ ସଂକଳ୍ପ ସହିତ ସେମାନଙ୍କର ଲକ୍ଷ୍ୟ ହାସଲ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୩୦ ଦଶକର ଅର୍ଥନୈତିକ ସଙ୍କଟର ଉଦାହରଣ ଦେଇ ସେ କହିଥିଲେ ଯେ ଆମେରିକୀୟମାନେ ଏହି ସଙ୍କଟରୁ ମୁକୁଳିବା ପରେ ‘ନ୍ୟୁ ଡିଲ୍’କୁ ବାଛିଥିଲେ ଏବଂ ସେମାନଙ୍କ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିଲେ। ସେ ସିଙ୍ଗାପୁର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଏକ ମୌଳିକ ଜୀବନ ସଙ୍କଟର ସମ୍ମୁଖୀନ ହୋଇଥିଲା, କିନ୍ତୁ ଶୃଙ୍ଖଳା ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ଏହା ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଏବଂ ବାଣିଜ୍ୟିକ କେନ୍ଦ୍ରରେ ପରିଣତ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ପରେ ଦେଖାଦେଇଥିବା ଖାଦ୍ୟ ସଙ୍କଟରୁ ବାହାରିବା ଭଳି ସମାନ ଉଦାହରଣ ଭାରତ ପାଖରେ ଅଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରି ହାସଲ କରିବା ଅସମ୍ଭବ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସ୍ପଷ୍ଟ ଲକ୍ଷ୍ୟ ବିନା କିଛି ହାସଲ ହୋଇପାରିବ ନାହିଁ ଏବଂ ଆଜିର ଭାରତ ଏହି ମାନସିକତା ସହ କାମ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଗତ ଦଶନ୍ଧିମଧ୍ୟରେ ସଂକଳ୍ପ ମାଧ୍ୟମରେ ଲକ୍ଷ୍ୟ ହାସଲ କରିବାର କିଛି ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଖୋଲା ମଳତ୍ୟାଗରୁ ମୁକ୍ତ ହେବା ପାଇଁ ସଂକଳ୍ପ ନେଇଛି ଏବଂ ୬୦ ମାସ ମଧ୍ୟରେ ୬୦ କୋଟି ନାଗରିକ ଏହି ଲକ୍ଷ୍ୟ ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ପ୍ରାୟ ପ୍ରତ୍ୟେକ ଘରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ଅଛି ଏବଂ ମହିଳାଙ୍କ ରୋଷେଇ ଘରକୁ ଧୂଆଁମୁକ୍ତ କରିବା ପାଇଁ ୧୦୦ ନିୟୁତରୁ ଅଧିକ ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ଭାରତ ବିଭିନ୍ନ କ୍ଷେତ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଶୀଘ୍ର ହାସଲ କରୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ କୋଭିଡ୍-୧୯ ମହାମାରୀ ସମୟରେ ଯେତେବେଳେ ବିଶ୍ୱ ଟିକା ପାଇଁ ସଂଘର୍ଷ କରୁଥିଲା, ସେତେବେଳେ ଭାରତୀୟ ବୈଜ୍ଞାନିକମାନେ ସମୟ ପୂର୍ବରୁ ଏକ ଟିକା ବିକଶିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ସମସ୍ତଙ୍କୁ ଟିକା ଦେବା ପାଇଁ ୩-୪ ବର୍ଷ ଲାଗିବ ବୋଲି ପୂର୍ବାନୁମାନ ସତ୍ତ୍ୱେ ଦେଶ ରେକର୍ଡ ସମୟ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିଥିଲା । ପ୍ରଧାନମନ୍ତ୍ରୀ ସବୁଜ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତ ହେଉଛି ପ୍ରଥମ ଦେଶ ଯିଏ ପ୍ୟାରିସ୍ ଚୁକ୍ତିରେ ନିଜର ପ୍ରତିଶ୍ରୁତି ପୂରଣ କରିଛି, ଯାହା ନିର୍ଦ୍ଧାରିତ ସମୟଠାରୁ ୯ ବର୍ଷ ପୂର୍ବରୁ ହାସଲ ହୋଇଛି । ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକୁ ଭାରତ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ହାସଲ କରିବାକୁ ଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପ୍ରତ୍ୟେକ ସଫଳତା ପ୍ରେରଣା ଭାବରେ କାର୍ଯ୍ୟ କରେ ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟର ନିକଟତର କରାଇଥାଏ ।

 

ଶ୍ରୀ ମୋଦୀ କହିଲେ, "ବଡ଼ ଲକ୍ଷ୍ୟ ହାସଲ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ପ୍ରୟାସ ଆବଶ୍ୟକ । ଜାତୀୟ ଲକ୍ଷ୍ୟ ହାସଲରେ ବିଚାର ବିମର୍ଶ, ଦିଗ ଏବଂ ମାଲିକାନା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକ୍ଷିତ ଭାରତ ଯୁବ ନେତାଙ୍କ ମଧ୍ୟରେ ମତବିନିମୟ ଏହି ପ୍ରକ୍ରିୟାର ଉଦାହରଣ, ଯାହାର ନେତୃତ୍ବ କୁଇଜ୍, ପ୍ରବନ୍ଧ ପ୍ରତିଯୋଗିତା ଏବଂ ଉପସ୍ଥାପନାରେ ଭାଗ ନେଇଥିବା ଯୁବକମାନେ ନେଇଥିଲେ । ଏକ ବିକଶିତ ଭାରତ ଲାଗି ଲକ୍ଷ୍ୟ ରଖିଥିବାରୁ ସେ ଯୁବବର୍ଗଙ୍କୁ ପ୍ରଶଂସା କରିଥିଲେ, ଯାହା ସେ ଉନ୍ମୋଚନ କରିଥିବା ପ୍ରବନ୍ଧ ପୁସ୍ତକ ଏବଂ ସମୀକ୍ଷା କରିଥିବା ଦଶଟି ଉପସ୍ଥାପନାରେ ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯୁବବର୍ଗଙ୍କ ସମାଧାନ ବାସ୍ତବତା ଏବଂ ଅଭିଜ୍ଞତା ଉପରେ ଆଧାରିତ, ଯାହା ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ବିଷୟରେ ସେମାନଙ୍କର ବ୍ୟାପକ ବୁଝାମଣାକୁ ପ୍ରତିଫଳିତ କରେ । ବିଶେଷଜ୍ଞ, ମନ୍ତ୍ରୀ ଓ ନୀତି ନିର୍ଦ୍ଧାରକଙ୍କ ସହ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ ଓ ନିଜର ସୁଚିନ୍ତିତ ମତାମତ ପାଇଁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଯୁବ ନେତା ଆଲୋଚନାର ଚିନ୍ତାଧାରା ଏବଂ ପରାମର୍ଶ ଦେଶର ବିକାଶକୁ ମାର୍ଗଦର୍ଶନ ଦେଉଥିବା ଜାତୀୟ ନୀତିର ଏକ ଅଂଶ ହେବ । ସେ ଯୁବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ଲକ୍ଷ ନୂଆ ଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇବା ସହ ସେମାନଙ୍କ ପରାମର୍ଶର କାର୍ଯ୍ୟକାରିତାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏକ ବିକଶିତ ଭାରତ ପାଇଁ ନିଜର ଦୃଷ୍ଟିକୋଣ ପ୍ରଦାନ କରିବା ସହ ଏହାର ଅର୍ଥନୈତିକ, ରଣନୈତିକ, ସାମାଜିକ ଏବଂ ସାଂସ୍କୃତିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିକଶିତ ଭାରତରେ ଉଭୟ ଅର୍ଥନୀତି ଏବଂ ପରିବେଶର ବିକାଶ ହେବ ଏବଂ ଉତ୍ତମ ଶିକ୍ଷା ଏବଂ ରୋଜଗାର ପାଇଁ ଅନେକ ସୁଯୋଗ ପ୍ରଦାନ କରିବ ।  ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ବିଶ୍ୱର ସର୍ବବୃହତ କୁଶଳୀ ଯୁବ ଶ୍ରମଶକ୍ତି ପାଇବା ପାଇଁ ଭାରତ ପାଖରେ ଏକ ଅତୁଳନୀୟ ସୁଯୋଗ ରହିଛି, ଯାହା କି ଯୁବବର୍ଗଙ୍କ ସ୍ୱପ୍ନ ଲାଗି ଏକ ଖୋଲା ଆକାଶ ପ୍ରଦାନ କରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ନିଷ୍ପତ୍ତି, ପଦକ୍ଷେପ ଓ ନୀତି ଏକ ସମୃଦ୍ଧ ଭାରତର ଲକ୍ଷ୍ୟ ସହିତ ସୁସଙ୍ଗତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଏହି ଦେଶ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ର ହେବ। ଭାରତୀୟ ଯୁବକମାନଙ୍କର ଶକ୍ତିକୁ ବିଶ୍ୱ ସ୍ତରୀୟ କଂପାନିମାନେ ପ୍ରଶଂସା କରୁଛନ୍ତି କାରଣ ସେମାନଙ୍କ ଅବଦାନ ଭାରତର ମୋଟ ଘରୋଇ ଉତ୍ପାଦରେ ବ୍ୟାପକ ବୃଦ୍ଧି ଆଣିପାରିବ ବୋଲି ମୋଦୀ କହିଛନ୍ତି। ମହର୍ଷି ଅରବିନ୍ଦ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏବଂ ହୋମି ଜେ ଭାବା ତିନି ମହାନ ଚିନ୍ତକ ଥିଲେ ଯିଏ କି ଯୁବଶକ୍ତିରେ ବିଶ୍ୱାସ କରୁଥିଲେ । ଭାବାଙ୍କ ବିଷୟରେ ଉଲ୍ଲେଖ କରି ମୋଦୀ କହିଛନ୍ତି ଯେ ଭାରତୀୟ ଯୁବକମାନେ ଏବେ ବିଶ୍ୱର ଅଗ୍ରଣୀ ପ୍ରମୁଖ କମ୍ପାନୀମାନଙ୍କ ନେତୃତ୍ବ ନେଇ ବିଶ୍ୱକୁ ସେମାନଙ୍କର ସାମର୍ଥ୍ୟ ଦେଖାଉଛନ୍ତି । ଆଗାମୀ ୨୫ ବର୍ଷ ପାଇଁ 'ଅମୃତ କାଳ'କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଭରସା ବ୍ୟକ୍ତ କରିଥିଲେ ଯେ ଭାରତର ଯୁବକମାନେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବେ । ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଭାରତ ବିଶ୍ବର ଶ୍ରେଷ୍ଠ ତିନିସ୍ଥାନରେ ରହିବା, ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି, ଡିଜିଟାଲ୍ ଇଣ୍ଡିଆ ବିଶ୍ବସ୍ତରୀୟ ନେତୃତ୍ବ ନେବା ଭଳି ଭାରତୀୟ ଯୁବକମାନଙ୍କ ସଫଳତାର ଉଦାହରଣ ଦେଇ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତୀୟ ଯୁବପିଢ଼ି ଯେତେବେଳେ ଅସମ୍ଭବକୁ ସମ୍ଭବ କରିବେ, ସେତେବେଳେ ବିକଶିତ ଭାରତର ଲକ୍ଷ୍ୟ ନିଶ୍ଚୟ ହାସଲ ହେବ ବୋଲି ସେ କହିଥିଲେ ।

ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ପ୍ରତି ସପ୍ତାହରେ ଏକ ନୂତନ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଦିନ ଏକ ନୂତନ ଆଇଟିଆଇ ଖୋଲୁଛି । ପ୍ରତି ତୃତୀୟ ଦିନରେ ଗୋଟିଏ ଲେଖାଏଁ ଅଟଳ ଟିଙ୍କରିଂ ଲାବୋରେଟୋରୀ ଓ ଦିନକୁ ୨ଟି ନୂଆ କଲେଜ ଖୋଲାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଭାରତରେ ୨୩ଟି ଆଇଆଇଟି ଅଛି ଏବଂ ଗତ ଦଶ ବର୍ଷ ମଧ୍ୟରେ ଆଇଆଇଟି ସଂଖ୍ୟା ୯ରୁ ୨୫କୁ ବୃଦ୍ଧି ପାଇଛି । ସେହିପରି ଆଇଆଇଏମ୍ ସଂଖ୍ୟା ୧୩ରୁ ୨୧କୁ ବୃଦ୍ଧି ପାଇଛି। ଏମ୍ସ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ଓ ଗୁଣବତ୍ତା ଉଭୟ ବୃଦ୍ଧି ପାଉଛି। ୨୦୧୪ରେ କ୍ୟୁଏସ୍ ମାନ୍ୟତାରେ ଉଚ୍ଚଶିକ୍ଷା ଅନୁଷ୍ଠାନ ସଂଖ୍ୟା ୯ଥିବା ବେଳେ ଆଜି ଏହା ୪୬କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକର ବଢୁଥିବା ଶକ୍ତି ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ।

 

୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ ଦୈନିକ ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ନିରନ୍ତର ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।  ବିଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ସମଗ୍ର ଦେଶ ଦାରିଦ୍ର୍ୟମୁକ୍ତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚଳିତ ଦଶନ୍ଧୀ ଶେଷ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ସୃଷ୍ଟି କରିବାକୁ ଭାରତର ଲକ୍ଷ୍ୟ ଏବଂ ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ନିଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ ଲକ୍ଷ୍ୟ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।

ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଭାରତ ଏକ ମହାକାଶ ଶକ୍ତି ଭାବରେ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ୨୦୩୫ ସୁଦ୍ଧା ନିଜର ଏକ ମହାକାଶ ଷ୍ଟେସନ ସ୍ଥାପନ କରିବାକୁ ଯୋଜନା ରହିଛି । ସେ ଚନ୍ଦ୍ରଯାନର ସଫଳତା ଏବଂ ଗଗନଯାନର ପ୍ରସ୍ତୁତି ବିଷୟରେ ଉଲ୍ଲେଖ କରିଥିଲେ, ଯାହାର ଅନ୍ତିମ ଲକ୍ଷ୍ୟ ହେଉଛି ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବା । ଏଭଳି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ହେଲେ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ପାଇଁ ବାଟ ପ୍ରଶସ୍ତ ହେବ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନରେ ଅର୍ଥନୈତିକ ଅଭିବୃଦ୍ଧିର ପ୍ରଭାବ ଉପରେ ବକ୍ତବ୍ୟ ରଖିଥିଲେ । ଅର୍ଥନୀତିର ଅଭିବୃଦ୍ଧି ସହିତ ଜୀବନର ସମସ୍ତ ଦିଗର ସକାରାତ୍ମକ ପ୍ରଭାବ ରହିଛି ବୋଲି ସେ କହିଛନ୍ତି। ଏହି ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଭାରତ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଥିଲା ବୋଲି ସେ କହିଥିଲେ। କିନ୍ତୁ ସେତେବେଳେ ଅର୍ଥନୀତିର ଛୋଟ ଆକାର ହେତୁ କୃଷି ପାଇଁ ମାତ୍ର କିଛି ହଜାର କୋଟିର ବଜେଟ୍ ବ୍ୟବସ୍ଥା ଥିଲା ଏବଂ ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟିରୁ କମ୍ ବ୍ୟବସ୍ଥା ଥିଲା। ସେତେବେଳେ ଅଧିକାଂଶ ଗାଁରେ ଉପଯୁକ୍ତ ରାସ୍ତା ନଥିଲା ଏବଂ ଜାତୀୟ ରାଜପଥ ଓ ରେଳପଥର ଅବସ୍ଥା ଖରାପ ଥିଲା ଏବଂ ପ୍ରାଥମିକ ସୁବିଧାରେ ବିଜୁଳି ଓ ପାଣି ଉପଲବ୍ଧ ନଥିଲା ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ ଯେ ୨ ଟ୍ରିଲିୟନ ଡଲାର ଅର୍ଥନୀତିରେ ପ୍ରବେଶ କରିବା ପରେ ଭାରତର ଭିତ୍ତିଭୂମି ବଜେଟ୍ ଆବଣ୍ଟନ ୨ ଲକ୍ଷ କୋଟି ଟଙ୍କାରୁ କମ୍ ଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଦ୍ରୁତ ଗତିରେ ତିନି ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେଉଥିବା ବେଳେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି, ବନ୍ଦେ ଭାରତ ଭଳି ଆଧୁନିକ ରେଳପଥ ଆସିଛି ଏବଂ ବୁଲେଟ୍ ଟ୍ରେନ୍ ର ସ୍ୱପ୍ନ ସାକାର ହେବାକୁ ଯାଉଛି । ବିଶ୍ୱସ୍ତରରେ ଭାରତ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ କରିଛି । ହଜାର ହଜାର ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଯୋଗାଇ ଦିଆଯାଇଥିବା ବେଳେ ୩ ଲକ୍ଷରୁ ଅଧିକ ଗାଁରେ ରାସ୍ତା ନିର୍ମାଣ କରାଯାଇଛି। ଯୁବକମାନଙ୍କୁ ୨୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ମୁଦ୍ରା ଋଣ ପ୍ରଦାନ କରାଯାଇଛି ଏବଂ ବିଶ୍ୱର ସର୍ବବୃହତ ମାଗଣା ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।  ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ଗରିବଙ୍କ ପାଇଁ ୪ କୋଟି ପକ୍କା ଘର ନିର୍ମାଣ କରାଯାଇଛି। ଅର୍ଥନୀତି ର ଅଭିବୃଦ୍ଧି ସହିତ ବିକାଶମୂଳକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଓ ଏହା ଦ୍ୱାରା ଅଧିକ ସୁଯୋଗ ସୃଷ୍ଟି ହେବା ସହ ପ୍ରତ୍ୟେକ କ୍ଷେତ୍ର ଏବଂ ସାମାଜିକ ଶ୍ରେଣୀରେ ଖର୍ଚ୍ଚ କ୍ଷମତା ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଭାରତ ଏବେ ୪ ଟ୍ରିଲିୟନ୍ ଡଲାର ଅର୍ଥନୀତିର ନିକଟରେ ପହଞ୍ଚିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଭିତ୍ତିଭୂମି ପାଇଁ ବଜେଟ୍ ଆବଣ୍ଟନ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏହି ବ୍ୟବସ୍ଥା ଏକ ଦଶନ୍ଧି ପୂର୍ବର ବ୍ୟବସ୍ଥା ତୁଳନାରେ ପ୍ରାୟ ୬ ଗୁଣ ଅଧିକ। ୨୦୧୪ ର ସମ୍ପୂର୍ଣ୍ଣ ଭିତ୍ତିଭୂମି ବଜେଟ ତୁଳନାରେ ଏବେ ରେଳବାଇ ଉପରେ ଅଧିକ ଖର୍ଚ୍ଚ କରାଯାଉଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ବର୍ଦ୍ଧିତ ବଜେଟ ବ୍ୟବସ୍ଥା ଏକ ପରିବର୍ତ୍ତନଶୀଳ ଭାରତର ଚିତ୍ରରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି, ଯାହାର ଭାରତ ମଣ୍ଡପମ୍ ଏକ ସୁନ୍ଦର ଉଦାହରଣ ।

ଭାରତ ଦ୍ରୁତ ଗତିରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଆଡକୁ ଅଗ୍ରସର ହେଉଛି, ଯାହା ଅଭିବୃଦ୍ଧି ଏବଂ ସୁବିଧାକୁ ବ୍ୟାପକ ଭାବେ ବିସ୍ତାର କରିବ ବୋଲି ମୋଦୀ କହିଛନ୍ତି। ଆଗାମୀ ଦଶନ୍ଧି ଶେଷ ସୁଦ୍ଧା ଭାରତ ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ସେ କହିଛନ୍ତି। ଅର୍ଥନୀତିର ଅଭିବୃଦ୍ଧି ସହିତ ଆସୁଥିବା ଅନେକ ସୁଯୋଗ ବିଷୟରେ ସେ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ ଯୁବପିଢ଼ି ଦେଶର ଇତିହାସରେ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିବେ ଏବଂ ସେମାନେ ଏହି ପରିବର୍ତ୍ତନର ସବୁଠାରୁ ବଡ଼ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ରିସ୍କ ନେବାକୁ ପରାମର୍ଶ ଦେବା ସହ ସେମାନଙ୍କୁ ସୁରକ୍ଷିତ ମାନସିକତାରୁ ବାହାରିବାକୁ କହିଥିଲେ ଏବଂ ଯୁବ ନେତାଙ୍କ ସଂଳାପରେ ଅଂଶଗ୍ରହଣ କରିଥିବା ଲୋକଙ୍କ ଉଦାହରଣ ଦେଇଥିଲେ । ଜୀବନର ଏହି ମନ୍ତ୍ର ଯୁବପିଢ଼ିଙ୍କୁ ସଫଳତାର ନୂଆ ଶିଖରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।

ଭାରତର ଭବିଷ୍ୟତ ଗଠନରେ ବିକଶିତ ଭାରତର ଯୁବ ନେତା ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଯୁବପିଢ଼ି ଯେଉଁ ଶକ୍ତି, ଉତ୍ସାହ ଓ ନିଷ୍ଠାର ସହ ଏହି ସଂକଳ୍ପକୁ ଗ୍ରହଣ କରିଛନ୍ତି ତାହାକୁ ସେ ପ୍ରଶଂସା କରିଥିଲେ। ବିକଶିତ ଭାରତର ଚିନ୍ତାଧାରା ଅମୂଲ୍ୟ, ଉତ୍କୃଷ୍ଟ ଏବଂ ଶ୍ରେଷ୍ଠ ବୋଲି ସେ କହିଥିଲେ। ଏହି ଚିନ୍ତାଧାରାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ସହ ପ୍ରତ୍ୟେକ ଜିଲ୍ଲା, ଗାଁ ଓ ଆଖପାଖର ଯୁବକମାନଙ୍କୁ ଏକ ବିକଶିତ ଭାରତର ଭାବନା ସହ ଯୋଡ଼ିବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ। ନିଜର ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇଥିଲେ ଏବଂ ସମସ୍ତଙ୍କୁ ଏହି ସଂକଳ୍ପରେ ବଞ୍ଚିବା ଏବଂ ସମର୍ପିତ କରିବାକୁ ଉତ୍ସାହିତ କରିଥିଲେ । ଜାତୀୟ ଯୁବ ଦିବସ ଅବସରରେ ସେ ଭାରତର ସମସ୍ତ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ।

 

ଏହି ଅବସରରେ କେନ୍ଦ୍ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭୀୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓ ରକ୍ଷା ଖଡ଼ସେଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ବିକଶିତ ଇଣ୍ଡିଆ ଯୁବ ନେତା ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପାରମ୍ପରିକ ଢଙ୍ଗରେ ଜାତୀୟ ଯୁବ ମହୋତ୍ସବ ଆୟୋଜନ କରିବାର ୨୫ ବର୍ଷର ପରମ୍ପରାକୁ ଭାଙ୍ଗିବା । ସ୍ୱାଧୀନତା ଦିବସ ଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ରାଜନୀତି ସହ ଜଡ଼ିତ ନଥିବା ଏକ ଲକ୍ଷ ଯୁବକଙ୍କୁ ରାଜନୀତିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ଏବଂ ଏକ ବିକଶିତ ଭାରତକୁ ସାକାର କରିବା ପାଇଁ ସେମାନଙ୍କ ଚିନ୍ତାଧାରାକୁ ବାସ୍ତବ ରୂପ ଦେବା ପାଇଁ ଏକ ଜାତୀୟ ମଞ୍ଚ ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଭବିଷ୍ୟତ ନେତାମାନଙ୍କୁ ପ୍ରେରଣା, ପ୍ରୋତ୍ସାହନ ଓ ସଶକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ଉଦ୍ଭାବନଶୀଳ ଯୁବ ନେତାମାନେ ଭାରତର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୦ଟି ବିଷୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କୁ ୧୦ଟି ପାୱାରପଏଣ୍ଟ ଉପସ୍ଥାପନା ଉପସ୍ଥାପନ କରିବେ । ଭାରତର କେତେକ ବୃହତ୍ତମ ଆହ୍ୱାନର ମୁକାବିଲା ପାଇଁ ଯୁବ ନେତାଙ୍କ ଦ୍ୱାରା ପ୍ରସ୍ତାବିତ ଅଭିନବ ଚିନ୍ତାଧାରା ଏବଂ ସମାଧାନକୁ ଏହି ଉପସ୍ଥାପନାରେ ପ୍ରଦର୍ଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ଦଶଟି ବିଷୟବସ୍ତୁ ଉପରେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଲିଖିତ ଶ୍ରେଷ୍ଠ ପ୍ରବନ୍ଧର ସଂକଳନକୁ ଉନ୍ମୋଚନ କରିଥିଲେ । ଏଥିରେ ପ୍ରଯୁକ୍ତିବିଦ୍ୟା, ନିରନ୍ତରତା, ମହିଳା ସଶକ୍ତୀକରଣ, ଉତ୍ପାଦନ ଏବଂ କୃଷି ଭଳି ବିଭିନ୍ନ କ୍ଷେତ୍ରକୁ ଏହି ବିଷୟବସ୍ତୁରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ନିଆରା ପରିବେଶରେ ପ୍ରଧାନମନ୍ତ୍ରୀ ଯୁବ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଏହା ଦ୍ୱାରା ସେମାନେ ନିଜର ଚିନ୍ତାଧାରା, ଅନୁଭୂତି ଓ ଆକାଂକ୍ଷାକୁ ସିଧାସଳଖ ତାଙ୍କ ସହ ବାଣ୍ଟିବାର ସୁଯୋଗ ପାଇଥିଲେ। ଏହି ବ୍ୟକ୍ତିଗତ ବାର୍ତ୍ତାଳାପ ପ୍ରଶାସନ ଏବଂ ଯୁବ ଆକାଂକ୍ଷା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ ଓ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଉଭୟ କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧର ଗଭୀର ଭାବନା ବିକଶିତ କରିବ ।

 

 

ଜାନୁଆରି ୧୧ତାରିଖରୁ ଆରମ୍ଭ ହୋଇଥିବା ଏହି ଆଲୋଚନାରେ ଯୁବ ନେତାମାନେ ପ୍ରତିଯୋଗିତା, କାର୍ଯ୍ୟକ୍ରମ ଓ ସାଂସ୍କୃତିକ ଓ ଧାର୍ମିକ ଉପସ୍ଥାପନାରେ ଅଂଶଗ୍ରହଣ କରିବେ। ଏଥିରେ ପରାମର୍ଶଦାତା ଏବଂ କ୍ଷେତ୍ର ବିଶେଷଜ୍ଞଙ୍କ ନେତୃତ୍ୱରେ ସମାଧାନ ବିଷୟ ଉପରେ ମଧ୍ୟ ଆଲୋଚନା ଅନ୍ତର୍ଭୁକ୍ତ । ଆଧୁନିକ ପ୍ରଗତିର ପ୍ରତୀକ ଭାରତର କଳା ଐତିହ୍ୟକୁ ପ୍ରଦର୍ଶିତ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।

ବିକଶିତ ଭାରତ ଚ୍ୟାଲେଞ୍ଜ ମାଧ୍ୟମରେ ଚୟନ ହୋଇଥିବା ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପରେ ଅଂଶଗ୍ରହଣ ପାଇଁ ତିନି ହଜାର ଉତ୍ସାହୀ ଏବଂ ଉତ୍ସାହିତ ଯୁବକଙ୍କୁ ଚୟନ କରାଯାଇଥିଲା, ଯାହା କି ସବୁଠାରୁ କଠିନ ଭାବରେ ଡିଜାଇନ୍ ହୋଇଥିବା, ସବୁଠାରୁ ଉତ୍ସାହିତ ଏବଂ ଗତିଶୀଳ ଯୁବ ସ୍ୱରଗୁଡ଼ିକୁ ଚିହ୍ନଟ କରିବା ଏବଂ ପ୍ରଦର୍ଶନ କରିବା ପାଇଁ ଏକ ଗୁଣବତ୍ତା ଭିତ୍ତିକ ବହୁସ୍ତରୀୟ ଚୟନ ପ୍ରକ୍ରିୟା କରାଯାଇଥିଲା । ଏଥିରେ ୧୫ରୁ ୨୯ ବର୍ଷ ବୟସର ଅଂଶଗ୍ରହଣକାରୀଙ୍କ ପାଇଁ ତିନୋଟି ପର୍ଯ୍ୟାୟ ରହିଥିଲା। ପ୍ରଥମ ପଦକ୍ଷେପ ଥିଲା ବିକଶିତ ଭାରତ କୁଇଜ୍, ଯାହା ସମସ୍ତ ରାଜ୍ୟର ଯୁବବର୍ଗଙ୍କ ପାଇଁ ୧୨ଟି ଭାଷାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ପ୍ରାୟ ୩୦ ଲକ୍ଷ ଯୁବକ ଅଂଶଗ୍ରହଣ କରିଥିଲେ। କୁଇଜରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବନ୍ଧ ରାଉଣ୍ଡରେ ପହଞ୍ଚିଥିଲେ, ଯେଉଁଥିରେ ସେମାନେ 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ୧୦ଟି ବିଷୟ ଉପରେ ନିଜର ମତ ରଖିଥିଲେ। ଏହି ପର୍ଯ୍ୟାୟରେ ୨ ଲକ୍ଷରୁ ଅଧିକ ପ୍ରବନ୍ଧ ଦାଖଲ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ରାଜ୍ୟ ରାଉଣ୍ଡରେ ବିଷୟ ପିଛା ୨୫ ଜଣ ପ୍ରାର୍ଥୀ କଡ଼ା ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପ୍ରତ୍ୟେକ ରାଜ୍ୟ ପ୍ରତ୍ୟେକ ଟ୍ରାକ୍ ରୁ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଚିହ୍ନଟ କରି ଦିଲ୍ଲୀରେ ଜାତୀୟ ପ୍ରତିଯୋଗିତା ପାଇଁ ଗତିଶୀଳ ଦଳ ଗଠନ କରିଥିଲେ।

 

ରାଜ୍ୟ ଚାମ୍ପିୟନଶିପର ଶ୍ରେଷ୍ଠ ୫୦୦ ଦଳକୁ ପ୍ରତିନିଧିତ୍ୱ କରୁଥିବା ବିକଶିତ ଇଣ୍ଡିଆ ଚ୍ୟାଲେଞ୍ଜ ଟ୍ରାକରେ ୧୫୦୦ ପ୍ରତିଯୋଗୀ; ରାଜ୍ୟସ୍ତରୀୟ ଯୁବ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ଉଦ୍ଭାବନ ସମ୍ପର୍କିତ ପ୍ରଦର୍ଶନୀ ମାଧ୍ୟମରେ ପାରମ୍ପରିକ ଟ୍ରାକ୍ରୁ ୧୦୦୦ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିମନ୍ତ୍ରିତ ୫୦୦ ସଫଳ ପ୍ରତିଯୋଗୀ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”