ପ୍ରଧାନମନ୍ତ୍ରୀ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ ୨୦୨୩-୨୪କୁ କଲେ ଉନ୍ମୋଚନ
ଆମ ସମ୍ବିଧାନ କେବଳ ଏକ ଆଇନ ପୁସ୍ତକ ନୁହେଁ, ଏହା ଏକ ନିରନ୍ତର ପ୍ରବାହିତ, ସଜୀବ ଧାରା : ପ୍ରଧାନମନ୍ତ୍ରୀ
ଆମ ସମ୍ବିଧାନ ହେଉଛି ଆମର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶକ: ପ୍ରଧାନମନ୍ତ୍ରୀ
ଆଜି ପ୍ରତ୍ୟେକ ନାଗରିକଙ୍କର କେବଳ ଗୋଟିଏ ଲକ୍ଷ୍ୟ ରହିଛି, ଗୋଟିଏ ବିକଶିତ ଭାରତ ନିର୍ମାଣ କରିବା: ପ୍ରଧାନମନ୍ତ୍ରୀ
ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ନ୍ୟାୟିକ ସଂହିତା ଲାଗୁ କରାଯାଇଛି, ଦଣ୍ଡ ଆଧାରିତ ବ୍ୟବସ୍ଥା ବର୍ତ୍ତମାନ ନ୍ୟାୟ ଆଧାରିତ ବ୍ୟବସ୍ଥାରେ ପରିବର୍ତ୍ତିତ ହୋଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାସନିକ ଭବନ ଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଶ୍ରୀ ସଞ୍ଜୀବ ଖନ୍ନା, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ବି. ଆର. ଗାଭାଇ ଏବଂ ବିଚାରପତି ଶ୍ରୀ ସୂର୍ଯ୍ୟକାନ୍ତ, ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ଭାରତର ଆଟର୍ଣ୍ଣି ଜେନେରାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ସମ୍ବିଧାନ ଦିବସ ଅବସରରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରତିନିଧି ଏବଂ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ଭାରତୀୟ ସମ୍ବିଧାନର ୭୫ତମ ବର୍ଷ ପୂରଣ ହେବା ଅତ୍ୟନ୍ତ ଗର୍ବର ବିଷୟ। ଏହି ଅବସରରେ ସେ ସମ୍ବିଧାନ ସଭା ଏବଂ ସମ୍ବିଧାନର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେତେବେଳେ ଆମେ ସମ୍ବିଧାନ ଦିବସ ପାଳନ କରୁଛୁ, ସେହିସମୟରେ ଆଜିର ଦିନରେ ଘଟିଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀକୁ ମଧ୍ୟ ଭୁଲି ହେବ ନାହିଁ । ସେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦୀ ଦୋହରାଇଥିଲେ ଯେ ଭାରତର ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତ୍ୟେକ ଆତଙ୍କବାଦୀ ସଙ୍ଗଠନକୁ ଭାରତ ଉପଯୁକ୍ତ ଜବାବ ଦେବ।

ଭାରତର ସମ୍ବିଧାନକୁ ନେଇ ସମ୍ବିଧାନ ସଭାର ବିସ୍ତୃତ ବିତର୍କ ଏବଂ ଆଲୋଚନାକୁ ସ୍ମରଣ କରି ଶ୍ରୀ ମୋଦୀ ବାବାସାହେବ ଆମ୍ବେଦକରଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି କହିଥିଲେ, ‘‘ସମ୍ବିଧାନ କେବଳ ଓକିଲଙ୍କ ଦସ୍ତାବିଜ ନୁହେଁ, ଏହା ଏକ ଭାବନା, ଏହା ସବୁ ଯୁଗରେ ଭାବନା ହୋଇ ରହିବ।’’ ଏହି ଭାବନା ଜରୁରୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ସମ୍ବିଧାନ ନିର୍ମାତାମାନେ ଦେଶ, ସମୟ ଏବଂ ପରିସ୍ଥିତି ଅନୁଯାୟୀ ଉପଯୁକ୍ତ ନିଷ୍ପତ୍ତି ନେଇ ସମ୍ବିଧାନକୁ ବିଭିନ୍ନ ସମୟରେ ବ୍ୟାଖ୍ୟା କରିବାର ସ୍ୱାଧୀନତା ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନ ନିର୍ମାତାମାନେ ଭଲ ଭାବରେ ଜାଣନ୍ତି ଯେ ଭାରତର ସ୍ୱପ୍ନ ଏବଂ ଆକାଂକ୍ଷା ସମୟ ସହିତ ନୂତନ ଉଚ୍ଚତାକୁ ଛୁଇଁବ ଏବଂ ଏହି ଆହ୍ୱାନ ସହିତ ସ୍ୱାଧୀନ ଭାରତର ଲୋକଙ୍କ ଆବଶ୍ୟକତା ମଧ୍ୟ ବିକଶିତ ହେବ । ତେଣୁ ସମ୍ବିଧାନ ନିର୍ମାତାମାନେ ସମ୍ବିଧାନକୁ କେବଳ ଦସ୍ତାବିଜ ଭାବେ ନୁହେଁ, ବରଂ ଏକ ଜୀବନ୍ତ, ନିରନ୍ତର ପ୍ରବାହିତ ଧାରାରେ ପରିଣତ କରିଛନ୍ତି।

 

‘‘ଆମ ସମ୍ବିଧାନ ଆମର ବର୍ତ୍ତମାନ ଏବଂ ଆମର ଭବିଷ୍ୟତ ପାଇଁ ଏକ ମାର୍ଗଦର୍ଶକ’’, ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମ୍ବିଧାନ ଏହାର ଅସ୍ତିତ୍ୱର ଗତ ୭୫ ବର୍ଷ ମଧ୍ୟରେ ଉପୁଜିଥିବା ବିଭିନ୍ନ ଆହ୍ୱାନର ମୁକାବିଲା କରିବା ପାଇଁ ସଠିକ୍ ମାର୍ଗ ଦେଖାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନ ଭାରତୀୟ ଗଣତନ୍ତ୍ର ସମ୍ମୁଖୀନ ହେଉଥିବା ଜରୁରୀକାଳୀନ ପରିସ୍ଥିତିର ବିପଜ୍ଜନକ ସମୟର ମଧ୍ୟ ସମ୍ମୁଖୀନ ହୋଇଥିଲା। ସମ୍ବିଧାନ ଦେଶର ସମସ୍ତ ଆବଶ୍ୟକତା ଏବଂ ଆଶାପୂରଣ କରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ସମ୍ବିଧାନ ଦ୍ୱାରା ଦିଆଯାଇଥିବା କ୍ଷମତା ଦ୍ୱାରା ହିଁ ଡ. ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଆଜି ଜମ୍ମୁ-କଶ୍ମୀରରେ ମଧ୍ୟ ବଳବତ୍ତର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ସମ୍ବିଧାନ ଦିବସ ପାଳନ କରାଯାଇଛି।

ଭାରତ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଆମକୁ ମାର୍ଗଦର୍ଶକ ଭାବରେ ସଠିକ୍ ମାର୍ଗ ଦେଖାଉଛି । ବଡ଼ ସ୍ୱପ୍ନ ଓ ବଡ଼ ସଂକଳ୍ପ ହାସଲ କରିବା ଏବେ ଭାରତ ପାଇଁ ଭବିଷ୍ୟତର ମାର୍ଗ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ପ୍ରତ୍ୟେକ ନାଗରିକଙ୍କ ଲକ୍ଷ୍ୟ ହେଉଛି ଏକ ବିକଶିତ ଭାରତ ଗଠନ କରିବା । ସେ ଆହୁରି ମଧ୍ୟ କହିଥିଲେ ଯେ ବିକଶିତ ଭାରତର ଅର୍ଥ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଣାତ୍ମକ ଜୀବନ ଓ ସମ୍ମାନ ସୁନିଶ୍ଚିତ କରାଯାଇପାରିବ । ଏହା ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାର ଏକ ମହାନ ମାଧ୍ୟମ ଏବଂ ଏହା ସମ୍ବିଧାନର ଭାବନା ବୋଲି ସେ କହିଛନ୍ତି। ତେଣୁ ଗତ କିଛି ବର୍ଷ ମଧ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ଥିବା ୫୩ କୋଟିରୁ ଅଧିକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଭଳି ସାମାଜିକ-ଆର୍ଥିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଜୋର ଦେଇ କହିଥିଲେ, ଗତ ଦଶନ୍ଧି ମଧ୍ୟରେ ୪ କୋଟି ଲୋକଙ୍କୁ ପକ୍କା ଘର, ଘରର ମହିଳାଙ୍କୁ ୧୦ କୋଟି ଗ୍ୟାସ୍ ସିଲିଣ୍ଡର ସଂଯୋଗ ଦିଆଯାଇଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତରେ ମାତ୍ର ୩ କୋଟି ଘରେ ଘରୋଇ ନଳ ସଂଯୋଗ ରହିଥିଲା। ତାଙ୍କ ସରକାର ଗତ ୫-୬ ବର୍ଷ ମଧ୍ୟରେ ୧୨ କୋଟିରୁ ଅଧିକ ଘରୋଇ ଟ୍ୟାପ୍ ଜଳ ସଂଯୋଗ ଦେଇଛନ୍ତି ଯାହା ବିଶେଷ କରି ନାଗରିକ ଏବଂ ମହିଳାଙ୍କ ଜୀବନଧାରଣକୁ ସହଜ କରିଛି । ଏହା ଦ୍ବାରା ସମ୍ବିଧାନର ଭାବନା ସୁଦୃଢ଼ ହୋଇଛି ବୋଲି ସେ ଖୁସି ପ୍ରକାଶ କରି କହିଛନ୍ତି।

 

ଭାରତୀୟ ସମ୍ବିଧାନର ମୂଳ କପିରେ ଭଗବାନ ରାମ, ଦେବୀ ସୀତା, ଭଗବାନ ହନୁମାନ, ଭଗବାନ ବୁଦ୍ଧ, ଭଗବାନ ମହାବୀର ଏବଂ ଗୁରୁ ଗୋବିନ୍ଦ ସିଂହଙ୍କ ଫଟୋ ରହିଛି ବୋଲି ଶ୍ରୀ ମୋଦୀ ତାଙ୍କ ବକ୍ତବ୍ୟରେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସଂସ୍କୃତିର ଏହି ପ୍ରତୀକଗୁଡ଼ିକୁ ସମ୍ବିଧାନରେ ସ୍ଥାନ ଦିଆଯାଇଛି ଯାହା ଦ୍ୱାରା ଏହା ଆମକୁ ସର୍ବଦା ମାନବିକ ମୂଲ୍ୟବୋଧ ପ୍ରତି ସଚେତନ ରଖିବ । ‘‘ମାନବିକ ମୂଲ୍ୟବୋଧ ବର୍ତ୍ତମାନ ଭାରତର ନୀତି ଏବଂ ନିଷ୍ପତ୍ତିର ଆଧାର", ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଭାରତୀୟ ନ୍ୟାୟ ସଂହିତା ଲାଗୁ କରାଯାଇଛି। ସେ କହିଛନ୍ତି ଯେ, ଦଣ୍ଡ ଭିତ୍ତିକ ବ୍ୟବସ୍ଥା ଏବେ ନ୍ୟାୟ ଭିତ୍ତିକ ବ୍ୟବସ୍ଥାରେ ପରିଣତ ହୋଇଛି। ମହିଳାଙ୍କ ରାଜନୈତିକ ଭାଗିଦାରୀ ବୃଦ୍ଧି ପାଇଁ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ତୃତୀୟ ଲିଙ୍ଗର ଲୋକଙ୍କ ପରିଚୟ ଓ ଅଧିକାର ସୁନିଶ୍ଚିତ କରିବା ଏବଂ ଦିବ୍ୟାଙ୍ଗଙ୍କ ଜୀବନଧାରଣକୁ ସହଜ କରିବା ପାଇଁ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

ଆଜି ଭାରତ ନାଗରିକଙ୍କ ସହଜ ଜୀବନଧାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଘର ପାଖରେ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି, ଯାହାର ଲାଭ ଆଜି ପର୍ଯ୍ୟନ୍ତ ପ୍ରାୟ ଦେଢ଼ କୋଟି ବରିଷ୍ଠ ନାଗରିକ ପାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ ପ୍ରତ୍ୟେକ ଗରିବ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରିଛି ଏବଂ ଭାରତ ହେଉଛି ଏପରି ଏକ ଦେଶ ଯିଏ କି ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା । ଭାରତର ହଜାର ହଜାର ଜନ ଔଷଧି କେନ୍ଦ୍ରରେ ଏହି ଔଷଧ ୮୦% ରିହାତିମୂଲ୍ୟରେ ବିକ୍ରି ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।   ଶ୍ରୀ ମୋଦୀ କହିଥିଲେ ଯେ ଅତୀତରେ ୬୦% ରୁ କମ୍ ଟିକାକରଣ ହୋଇଥିବା ବେଳେ ଆଜି ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ଟିକାକରଣ ୧୦୦% ପାଖାପାଖି ପହଞ୍ଚିବା ଖୁସିର ବିଷୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଗମ ଗ୍ରାମଗୁଡ଼ିକର ପିଲାମାନଙ୍କୁ ଆଜି ଟିକା ଦିଆଯାଉଛି। ଏହି ପ୍ରୟାସ ଦ୍ୱାରା ଗରିବ ଓ ମଧ୍ୟବିତ୍ତ ପରିବାରର ସମସ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

 

ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ୧୦୦ରୁ ଅଧିକ ପଛୁଆ ଜିଲ୍ଲା ଚୟନ କରାଯାଇଛି ଏବଂ ପ୍ରତ୍ୟେକ ବିକାଶମୂଳକ ମାନଦଣ୍ଡରେ ଗତିକୁ ତ୍ୱରାନ୍ୱିତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଅନେକ ଆକାଂକ୍ଷୀ ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ବର୍ତ୍ତମାନ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ମଡେଲ ଉପରେ ଆଧାରିତ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ନାଗରିକମାନଙ୍କ ଜୀବନରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ସରକାର କୌଣସି କସରତ ଛାଡ଼ୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ମାଗଣା ବିଦ୍ୟୁତ ଯୋଜନା ମାଧ୍ୟମରେ ୨.୫ କୋଟିରୁ ଅଧିକ ପରିବାରକୁ ବିଜୁଳି ସଂଯୋଗ କରାଯାଇଥିଲା ଯେଉଁଥିରେ କିଛି ବର୍ଷ ପୂର୍ବରୁ ବିଦ୍ୟୁତ ସଂଯୋଗ ନଥିଲା । ୪ଜି ଓ ୫ଜି ଟେକ୍ନୋଲୋଜି ଜରିଆରେ ଲୋକଙ୍କୁ ମୋବାଇଲ୍ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜରେ ଅଣ୍ଡରୱାଟର ଅପ୍ଟିକାଲ ଫାଇବର ସଂଯୋଗ ମାଧ୍ୟମରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ବର୍ତ୍ତମାନ ଉପଲବ୍ଧ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଘର ଡିହ ଏବଂ ଚାଷ ଜମିର ରେକର୍ଡ ସୁନିଶ୍ଚିତ କରିବାରେ ଭାରତ ବିକଶିତ ରାଷ୍ଟ୍ରମାନଙ୍କ ଠାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ୍ ସ୍ୱାମୀତ୍ୱ ଯୋଜନା ଅଧୀନରେ ଗାଁର ଜମି ଓ ଘରର ଡ୍ରୋନ୍ ମ୍ୟାପିଂ ଏବଂ ଏହାର ଆଧାରରେ ଆଇନଗତ ଦସ୍ତାବିଜ ଜାରି କରାଯାଇଛି ।

 

ଆଧୁନିକ ଭିତ୍ତିଭୂମିର ଦ୍ରୁତ ବିକାଶ ଦେଶର ବିକାଶ ପାଇଁ ଏକ ବଡ଼ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପଗୁଡିକ ଠିକ୍ ସମୟରେ ଶେଷ ହେବା ଦ୍ୱାରା ଅର୍ଥ ସଞ୍ଚୟ ସୁନିଶ୍ଚିତ ହେବା ସହ ପ୍ରକଳ୍ପର ଉପଯୋଗିତା ସୁନିଶ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତି ପ୍ଲାଟଫର୍ମ ବ୍ୟବହାର କରି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା କରାଯାଇଛି । ୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ସମୀକ୍ଷା କରାଯାଇଛି ଏବଂ ସେଗୁଡ଼ିକର ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରାଯାଇଛି ବୋଲି  ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଭିତ୍ତିଭୂମି ପ୍ରକଳ୍ପଗୁଡିକ ଠିକ୍ ସମୟରେ ସମ୍ପୂର୍ଣ୍ଣ ହେବା ଲୋକଙ୍କ ଜୀବନ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି । ଏହି ପ୍ରୟାସ ଦେଶର ପ୍ରଗତି କୁ ସୁନିଶ୍ଚିତ କରିବା ସହିତ ସମ୍ବିଧାନର ମୌଳିକ ଭାବନାକୁ ସୁଦୃଢ଼ କରୁଛି ।

 

ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଭାଷଣରୁ କିଛି ଭାଗର ଉଦାହରଣ ଦେଇ କହିଥିଲେ, ‘‘ ଭାରତକୁ ଆଜି ଯାହା ଦରକାର ତାହା ସଚ୍ଚୋଟ ଲୋକଙ୍କ ଏକ ଗୋଷ୍ଠୀ ବ୍ୟତୀତ ଆଉ କିଛି ନୁହେଁ, ଯେଉଁମାନେ ନିଜ ସ୍ୱାର୍ଥ ପରିବର୍ତ୍ତେ ଦେଶର ସ୍ୱାର୍ଥକୁ ଆଗରେ ରଖିବେ’’ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ର ପ୍ରଥମ ଏହି ଭାବନା ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସମ୍ବିଧାନକୁ ବଞ୍ଚାଇ ରଖିବ ।

ପୃଷ୍ଠଭୂମି

ଭାରତୀୟ ସମ୍ବିଧାନ ପ୍ରଣୟନ ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସରରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗଦେଇଥିଲେ। ସୁପ୍ରିମକୋର୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ।

 

Click here to read full text speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Operation Sindoor on, if they fire, we fire': India's big message to Pakistan

Media Coverage

'Operation Sindoor on, if they fire, we fire': India's big message to Pakistan
NM on the go

Nm on the go

Always be the first to hear from the PM. Get the App Now!
...
PM Modi's address to the nation
May 12, 2025
Today, every terrorist knows the consequences of wiping Sindoor from the foreheads of our sisters and daughters: PM
Operation Sindoor is an unwavering pledge for justice: PM
Terrorists dared to wipe the Sindoor from the foreheads of our sisters; that's why India destroyed the very headquarters of terror: PM
Pakistan had prepared to strike at our borders,but India hit them right at their core: PM
Operation Sindoor has redefined the fight against terror, setting a new benchmark, a new normal: PM
This is not an era of war, but it is not an era of terrorism either: PM
Zero tolerance against terrorism is the guarantee of a better world: PM
Any talks with Pakistan will focus on terrorism and PoK: PM

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!