ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ
ପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପ ଉଦଘାଟିତ
ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ
ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ କଲେ ଶୁଭାରମ୍ଭ
ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
‘‘ଆଜି ଦେଶ ନିଜର ଜଣେ ମହାନ ପୁତ୍ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି’’
‘‘ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି’’
‘‘ସବୁ ରାଜ୍ୟର ବିକାଶ ହେଲେ ହିଁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ’’
‘‘ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ନୀତି ପ୍ରଣୟନ କରିଛନ୍ତି, ସେଥିରୁ ଓଡ଼ିଶା ବେଶ୍ ଉପକୃତ ହୋଇଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପକୁ ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଶକ୍ତି ପ୍ରକଳ୍ପ ରହିଛି ଯାହା ଇନ୍ଧନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ସଡ଼କ, ରେଳ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ର ସହ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଇଆଇଏମ୍ ସମ୍ବଲପୁର ମଡେଲ୍ ଓ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର, କାରଣ ଶିକ୍ଷା, ରେଳ, ସଡ଼କ, ବିଜୁଳି ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗରିବ ବର୍ଗ, ଶ୍ରମିକ, କର୍ମଜୀବୀ ଶ୍ରେଣୀ, ବ୍ୟବସାୟୀ ଓ କୃଷକଙ୍କ ସମେତ ଓଡ଼ିଶାର ଲୋକମାନେ ଆଜିର ବିକାଶମୂଳକ ପ୍ରକଳ୍ପର ସୁଫଳ ପାଇବେ। ଏହା ଦ୍ୱାରା ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ହଜାର ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

 

ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ଘୋଷଣା କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବରେ ଶ୍ରୀ ଆଡଭାନୀଙ୍କ ଅତୁଳନୀୟ ଅବଦାନ ତଥା ଜଣେ ବିଶିଷ୍ଟ ଓ ସଚ୍ଚୋଟ ସାଂସଦ ଭାବରେ ଦଶନ୍ଧିର ଅଭିଜ୍ଞତାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ । ଯେଉଁମାନେ ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି ସେମାନଙ୍କୁ ଦେଶ କେବେ ବି ଭୁଲିନଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଶ୍ରୀ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ଏହାର ପ୍ରତୀକ ବୋଲି ସେ କହିଛନ୍ତି । ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଠାରୁ ମିଳିଥିବା ଭଲପାଇବା, ଆଶୀର୍ବାଦ ଏବଂ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଦେଶର ସମସ୍ତ ନାଗରିକଙ୍କ ତରଫରୁ ଶ୍ରୀ ଆଡ଼ଭାନୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଦୀର୍ଘାୟୁ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବିଗତ ଦଶନ୍ଧି ମଧ୍ୟରେ ଆଇଜର୍‌ ବ୍ରହ୍ମପୁର ଓ ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି ଭଳି ଆଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ପରେ ଓଡ଼ିଶାର ଯୁବପିଢ଼ିଙ୍କ ଭାଗ୍ୟ ବଦଳିଛି। ଏବେ ଆଇଆଇଏମ୍ ସମ୍ବଲପୁରକୁ ଆଧୁନିକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା କରାଯିବା ସହ ରାଜ୍ୟର ଭୂମିକା ଆହୁରି ସୁଦୃଢ଼ ହେବାରେ ଲାଗିଛି। ମହାମାରୀ ସମୟରେ ଆଇଆଇଏମ୍ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ)ର ଶିଳାନ୍ୟାସକୁ ସେ ସ୍ମରଣ କରିଥିଲେ ଏବଂ ସମସ୍ତ ବାଧାବିଘ୍ନ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା କାର୍ଯ୍ୟରେ ଜଡ଼ିତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

 

ସବୁ କ୍ଷେତ୍ରରେ ଓଡ଼ିଶାକୁ ସର୍ବାଧିକ ସହାୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ସବୁ ରାଜ୍ୟର ବିକାଶ ହେଲେ ହିଁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ। ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି, ରାଜ୍ୟକୁ ରେଳ ବଜେଟରେ ୧୨ ଗୁଣରୁ ଅଧିକ ଆର୍ଥିକ ପ୍ରୋତ୍ସାହନ ମିଳୁଛି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳରେ ୫୦,୦୦୦ କିଲୋମିଟର ରାସ୍ତା ନିର୍ମାଣ ଏବଂ ୪,୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି । ଆଜି ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏସବୁ ପ୍ରକଳ୍ପ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯାତ୍ରା ଦୂରତା ସହିତ ଆନ୍ତଃରାଜ୍ୟ ଯୋଗାଯୋଗ ସମୟ ହ୍ରାସ କରିବ । ଖଣି, ଶକ୍ତି ଏବଂ ଇସ୍ପାତ ଶିଳ୍ପ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳ ନିଜର ସମ୍ଭାବନା ପାଇଁ ଜଣାଶୁଣା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୂତନ ଯୋଗାଯୋଗ ସୁବିଧା ସମଗ୍ର ଅଞ୍ଚଳରେ ନୂତନ ଶିଳ୍ପ ପାଇଁ ସମ୍ଭାବନା ସୃଷ୍ଟି କରିବ ଏବଂ ଏହା ଦ୍ୱାରା ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସମ୍ବଲପୁର-ତାଳଚେର ରେଳ ସେକ୍ସନର ଦୋହରୀକରଣ ଏବଂ ଝାର-ତରଭାରୁ ସୋନପୁର ପର୍ଯ୍ୟନ୍ତ ନୂତନ ରେଳ ଲାଇନର ଉଦଘାଟନ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ପୁରୀ-ସୋନପୁର ଏକ୍ସପ୍ରେସ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲା ଦେଶର ରେଳ ନେଟୱର୍କରେ ସଂଯୋଗ ହେବା ଫଳରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହଜ ହେବ। ଆଜି ଉଦଘାଟିତ ହୋଇଥିବା ସୁପରକ୍ରିଟିକାଲ ଓ ଅଲଟ୍ରା ସୁପରକ୍ରିଟିକାଲ ଥର୍ମାଲ ପ୍ଲାଣ୍ଟ ଓଡ଼ିଶାର ପ୍ରତ୍ୟେକ ପରିବାର ପାଇଁ ପର୍ଯ୍ୟାପ୍ତ ଓ ସୁଲଭ ବିଜୁଳି ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ଖଣି ନୀତିରେ ପରିବର୍ତ୍ତନ ପରେ ଓଡ଼ିଶାର ଆୟ ୧୦ ଗୁଣ ବୃଦ୍ଧି ପାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନୀତିରୁ ଓଡ଼ିଶା ବ୍ୟାପକ ଭାବେ ଉପକୃତ ହୋଇଛି। ପୂର୍ବରୁ ଖଣିଜ ଉତ୍ପାଦନର ଲାଭ ସେହି ଅଞ୍ଚଳ ଏବଂ ରାଜ୍ୟଗୁଡ଼ିକ ପାଇଁ ମିଳୁନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଗଠନ ସହିତ ଏହି ସମସ୍ୟାର ସମାଧାନ କରାଯାଇଥିଲା ଯାହା ଖଣି ମାଧ୍ୟମରେ ପ୍ରାପ୍ତ ଆୟକୁ ସ୍ଥାନୀୟ ଅଞ୍ଚଳର ବିକାଶରେ ନିବେଶ କରିବା ସୁନିଶ୍ଚିତ କରିଥିଲା । ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୫ ହଜାର କୋଟିରୁ ଅଧିକ ଟଙ୍କା ମିଳିସାରିଛି । ଯେଉଁ ଅଞ୍ଚଳରେ ଖଣି ଖନନ ଚାଲିଛି ସେହି ଅଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ଏହି ଅର୍ଥ ବିନିଯୋଗ ହେଉଛି। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ କେନ୍ଦ୍ର ସରକାର ଏହିପରି ଉତ୍ସର୍ଗୀକୃତ ଭାବନା ସହିତ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବେ।

 

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଓଡ଼ିଶାର ସମ୍ବଲପୁରରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ରକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଥିଲା।

ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ (ଜେଏଚବିଡିପିଏଲ) ପ୍ରକଳ୍ପର ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ (୪୧୨ କିଲୋମିଟର)କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର ‘ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ୍’ (୬୯୨ କିଲୋମିଟର)ର ଶିଳାନ୍ୟାସ କରିଛନ୍ତି। ୨୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ ପ୍ରାକୃତିକ ବାଷ୍ପ ଉପଲବ୍ଧତାରେ ଉନ୍ନତି ଆଣିବ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଥିଲେ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨×୮୦୦ ମେଗାୱାଟ୍) ଏବଂ ଏନ୍ଏସ୍‌ପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍) ଅନ୍ତର୍ଭୁକ୍ତ। ସେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ (୨×୬୬୦ ମେଗାୱାଟ) ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ବିଦ୍ୟୁତ୍‌ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଶସ୍ତାରେ ବିଜୁଳି ଯୋଗାଣରେ ସହାୟତା କରିବ।

ପ୍ରଧାନମନ୍ତ୍ରୀ ୨୭,୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନଏଲସି) ତାଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆତ୍ମନିର୍ଭର ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସୁଦୃଢ଼ କରିବା ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ତଥା ଭରସାଯୋଗ୍ୟ, ସୁଲଭ ଓ ୨୪ ଘଣ୍ଟିଆ ଶକ୍ତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିଥିଲେ, ଯେଉଁଥିରେ ଅନୁଗୁଳ ଜିଲ୍ଲାର ତାଳଚେର କୋଲଫିଲ୍ଡରେ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱରୀ ଫେଜ୍ -୧ ଏବଂ ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲଏସ) ଅନ୍ତର୍ଭୁକ୍ତ । ପାଖାପାଖି ୨୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରୁ ଶୁଖିଲା ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ। ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହା ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏକ ଆଦର୍ଶ ପରିବର୍ତ୍ତନକୁ ଚିହ୍ନିତ କରିବ, ଯାହା ଅଭିନବତା ଏବଂ ସ୍ଥାୟିତ୍ୱକୁ ସୂଚିତ କରିବ । ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ୮୭୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବର ଦ୍ୱିତୀୟ ଟ୍ରାକକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।

 

ପାଖାପାଖି ୨୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ୩ଟି ଜାତୀୟ ରାଜପଥ ସଡ଼କ କ୍ଷେତ୍ର ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୨୧୫ (ନୂତନ ଜାତୀୟ ରାଜପଥ ନଂ ୫୨୦)ର ୪ ଲେନ୍ ବିଶିଷ୍ଟ ରିମୁଳି-କୋଇଡା ସେକ୍ସନ, ଜାତୀୟ ରାଜପଥ ୨୩ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଏଣ୍ଡ ସେକ୍ସନକୁ ୪ ଲେନ୍ କରାଯିବା ପ୍ରକଳ୍ପ ଏବଂ ୨୩ ନମ୍ବର ଜାତୀୟ ରାଜପଥ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବ୍ରାହ୍ମଣୀ ବାଇପାସ୍ ଏଣ୍ଡ ରାଜାମୁଣ୍ଡା ସେକ୍ସନକୁ ୪ ଲେନ୍ କରିବା ଆଦି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ ବୃଦ୍ଧି କରିବା ସହ ଅଞ୍ଚଳର ଆର୍ଥିକ ବିକାଶଦିଗରେ ମଧ୍ୟ ସହାୟକ ହେବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ସେଗୁଡ଼ିକର ଶିଳାନ୍ୟାସ କରିଥିଲେ। ସେ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ, ଯାହାର ସ୍ଥାପତ୍ୟ ଶୈଳୀ ଶୈଳଶ୍ରୀ ପ୍ୟାଲେସ ଦ୍ୱାରା ଅନୁପ୍ରାଣିତ ହେବ । ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ (୧୬୮ କିଲୋମିଟର) ଏବଂ ଝାରସୁଗୁଡ଼ାରୁ ସୋନପୁର ନୂଆ ରେଳ ଲାଇନ (୨୧.୭ କିଲୋମିଟର)କୁ ଲୋକାର୍ପଣ କରି ଏହି ଅଞ୍ଚଳରେ ରେଳ ନେଟୱର୍କ କ୍ଷମତା ବୃଦ୍ଧି କରିଛନ୍ତି । ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଯାହା ଏହି ଅଞ୍ଚଳରେ ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ।

ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିଥିଲେ। ଏହାବ୍ୟତୀତ ସେ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'Team Bharat' At Davos 2025: How India Wants To Project Vision Of Viksit Bharat By 2047

Media Coverage

'Team Bharat' At Davos 2025: How India Wants To Project Vision Of Viksit Bharat By 2047
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 22, 2025
January 22, 2025

Appreciation for PM Modi for Empowering Women Through Opportunities - A Decade of Beti Bachao Beti Padhao

Citizens Appreciate PM Modi’s Effort to bring Growth in all sectors