ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍‌କାଷ୍ଟରେ ଉଦ୍ୟୋଗୀ ଓ ନିବେଶକ ନିଖିଲ କାମାତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପିଲାବେଳର କଥା ପଚରାଗଲା, ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡ଼ନଗରରେ ତାଙ୍କର ପିଲାଦିନ କେମିତି କଟିଥିଲା, ସେ ସଂପର୍କରେ ନିଜ ବାଲ୍ୟଜୀବନର ସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଶିକ୍ଷା ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତା, ପୋଖରୀ, ଡାକ ଘର ଓ ପାଠାଗାର ପରି ଜରୁରୀ ସୁବିଧା ପାଇଁ ବେଶ୍ ପରିଚିତ ଗାଏକଓ୍ୱାଡ୍ ରାଜ୍ୟର ଏହି ସହର ବଡ଼ନଗର। ଗାଏକଓ୍ୱାଡ଼ ସରକାରୀ ପ୍ରାଥମିକ ସ୍କୁଲ ଓ ଭଗବତାଚାର୍ଯ୍ୟ ନାରାୟଣାଚାର୍ଯ୍ୟ ହାଇସ୍କୁଲରେ ପାଠ ପଢ଼ିବା ବେଳର ସ୍ମତି ସବୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ। ବଡ଼ନଗରରେ ବେଶ୍ କିଛି ଦିନ ରହିଥିବା ଚୀନର ଦାର୍ଶନିକ ହୁଏନସାଂଙ୍କ ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମ ସଂପର୍କରେ ଚୀନର ଦୂତାବାସକୁ ସେ ଲେଖିଥିବା ଚିଠି ସଂପର୍କରେ ଏକ ମଜାଦାର କଥା କହିଥିଲେ ମୋଦୀ। ୨୦୧୪ରେ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଜରାଟ ଓ ବଡ଼ ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଅଭିଜ୍ଞତା ବି ବର୍ଣ୍ଣନା କରିଥିଲେ ମୋଦୀଜୀ। କାରଣ ହୁଏନସାଂଙ୍କ ସହିତ ଦୁଇ ରାଷ୍ଟ୍ରନେତାଙ୍କ ସହରର ଐତିହାସିକ ସଂପର୍କ ଦୃଷ୍ଟିରୁ ସି ଜିଙ୍ଗପିନ ଗୁଜରାଟ ଓ ବଡ଼ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କ ଓ ମିଳିତ ଐତିହ୍ୟର ଏହା ଅନନ୍ୟ ଉଦାହରଣ ବୋଲି ମୋଦୀଜୀ କହିଥିଲେ।  

 

ନିଜ ଛାତ୍ର ଜୀବନ ବିଷୟରେ ମୋଦି କହିଥିଲେ ଯେ, ସେ ଏକ ସାଧାରଣ ଛାତ୍ର ଥିଲେ। ସ୍କୁଲରେ ତାଙ୍କର ବିଶେଷ ପରିଚିତି ନ ଥିଲା। ତେବେ ତାଙ୍କର ଶିକ୍ଷକ ବେଲଜୀଭାଇ ଚୌଧରୀ ମୋଦୀଙ୍କ ବହୁତ ସାମର୍ଥ୍ୟ ଥିବାର ଲକ୍ଷ୍ୟ କରିଥିଲେ।  ସେ ନରେନ୍ଦ୍ର ମୋଦୀଙ୍କଠାରୁ ବହୁତ କିଛି ଆଶା କରୁଥିବାର ବାପାଙ୍କୁ ସବୁବେଳେ କହୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବେଲଜୀଭାଇ ଲକ୍ଷ୍ୟ କରିଥିଲେ ଯେ, ମୋଦୀ ତୁରନ୍ତ ସବୁ କଥା ବୁଝି ଯାଉଥିଲେ, କିନ୍ତୁ ତା ପରେ ନିଜ ଖିଆଲି ଦୁନିଆଁରେ ହଜି ଯାଉଥିଲେ। ଶିକ୍ଷକମାନେ ତାଙ୍କୁ ବହୁତ ଭଲ ପାଉଥିଲେ ବୋଲି କହିଛନ୍ତି ମୋଦୀ। କିନ୍ତୁ ତାଙ୍କୁ ପ୍ରତିଯୋଗିତା ବିଲକୁଲ ଭଲ ଲାଗୁନଥିଲା। ସେ କୌଣସିମତେ କମ୍ ପରିଶ୍ରମରେ ପରୀକ୍ଷାରେ କେବଳ ପାସ୍ ହୋଇଯିବାକୁ ଚାହୁଁଥିଲେ ଓ ଅନ୍ୟ ବିଷୟ ପ୍ରତି ଅଧିକ ଆଗ୍ରହୀ ଥିଲେ। ମୋଦି କହିଛନ୍ତି, ତାଙ୍କର ସହଜାତ ଗୁଣ ଥିଲା ନୂଆ ନୂଆ କଥା ସେ ଖୁବ ଶୀଘ୍ର ଶିଖି ଯାଉଥିଲେ ଏବଂ ବିଭିନ୍ନ ପ୍ରକାର କାମରେ ମାତି ଯାଉଥିଲେ।        

 

କେମିତି କମ୍ ବୟସରୁ ସେ ଘର ଛାଡ଼ିଥିଲେ, ପରିବାର ଓ ସାଙ୍ଗସାଥୀଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା, ତାଙ୍କର ସେହି ନିଆରା ଯାତ୍ରା ସଂପ୍ରକରେ ଏହି ପଡ୍‌କାଷ୍ଟରେ କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରେ ପୁରୁଣା ସହପାଠୀଙ୍କୁ ଭେଟିବାକୁ ତାଙ୍କର ଇଚ୍ଛା ହୋଇଥିଲା। ୩୦-୩୫ ଜଣ ସାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସେ ନିମନ୍ତ୍ରଣ କରଥିଲେ। କିନ୍ତୁ ସେହି ସାଙ୍ଗମାନେ ତାଙ୍କୁ ନିଜର ପୁରୁଣା ବନ୍ଧୁ ଭାବେ ଦେଖିବା ବଦଳରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିଥିଲେ ବୋଲି ମୋଦୀ କହିଛନ୍ତି। ତାଙ୍କୁ ପାଠ ପଢ଼ାଇଥିବା ସମସ୍ତ ଶିକ୍ଷକଙ୍କୁ ସମ୍ମାନିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଥିଲା। ୩୦-୩୨ ଶିକ୍ଷକଙ୍କୁ ସମ୍ମାନିତ କରିବାକୁ ସେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସେଇ ଶିକ୍ଷକଙ୍କ ମଧ୍ୟରେ ଥିଲେ ରାସବିହାରୀ ମନିହାର। ରାସବିହାରୀ ମନିହାରଙ୍କୁ ସେତେବେଳେ ୯୩ ବର୍ଷ ବୟସ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବି ଯୋଗ ଦେଇଥିଲେ। ଏହା ସହିତ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ କରିଥିଲେ ଓ ସମସ୍ତଙ୍କୁ             ପରସ୍ପର ସହିତ ପରିଚୟ କରାଇଥିଲେ। ଆରଏସଏସ୍ ରେ ଯୋଗ ଦେବାର ପ୍ରାରମ୍ଭରେ ଯେଉଁମାନେ ତାଙ୍କୁ ଖାଇବାକୁ ଦେଇଥିଲେ, ସେମାନଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରିଥିଲେ ମୋଦୀ। ଏହି ୪ଟି ଘଟଣା ତାଙ୍କ ଜୀବନର ବହୁତ ମୂଲ୍ୟବାନ ଓ ଉଲ୍ଲେଖନୀୟ ଘଟଣା ଥିଲା। ଏହା ଦର୍ଶାଉଛି ଯେ, ମୋଦୀ କେମିତି କୃତଜ୍ଞ ଓ ନିଜର ମୂଳ ସହିତ ସବୁବେଳେ ସେ ଯୋଡ଼ି ହୋଇ ରହିବାକୁ ଚାହାନ୍ତି। 

 

ପ୍ରଧାନମନ୍ତ୍ରୀ କହିଛନ୍ତି, ସେମିତି କିଛି ଆଦର୍ଶକୁ ସେ ଅନୁସରଣ କରୁନଥିଲେ। ବେଶି ମାର୍କ ଆଶା ନ କରି କେମିତି ହେଉ ପରୀକ୍ଷାରେ ପାସ୍ କରିବାକୁ ତାଙ୍କର ଲକ୍ଷ୍ୟ ଥିଲା। ସ୍ୱତଃପ୍ରବୃତ୍ତ ଭାବେ ବିଭିନ୍ନ କାମରେ ଜଡ଼ିତ ହେବା ତାଙ୍କର ସହଜାତ ପ୍ରବୃତ୍ତି ଥିଲା। କିଛି ପ୍ରସ୍ତୁତି ନ କରି ଡ୍ରାମା ପରି ବିଭିନ୍ନ ପ୍ରତିଯୋଗିତାରେ ସେ ଭାଗ ନେଉଥିଲେ। ପିଇଟି ପରମାର୍ ସାର୍ କିପରି ନିୟମିତ ଭାବେ ମାଲଖମ୍ୱ ଓ କୁସ୍ତିର ଅଭ୍ୟାସ କରିବାକୁ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ, ସେ ସଂପର୍କରେ ବି କହିଛନ୍ତି ମୋଦୀ। ବହୁତ ଚେଷ୍ଟା ସତ୍ତ୍ୱେ ସେ ଜଣେ ପେସାଦାର କ୍ରୀଡ଼ାବିତ ହୋଇପାରିନଥିଲେ ଏବଂ ଶେଷରେ ଏସବୁ ଛାଡ଼ି ଦେଇଥିଲେ।  

 

ରାଜନେତା ହେବା ପାଇଁ କେଉଁ ସବୁ ଗୁଣ ଥିବା ଦରକାର ବୋଲି ମୋଦୀଙ୍କୁ ପଚରାଯିବାରୁ ସେ କହିଛନ୍ତି, ରାଜନେତା ହେବା ଓ ଜଣେ ରାଜନୀତିରେ ସଫଳ ହେବା ଦୁଇଟି ଅଲଗା ଅଲଗା କଥା। ସେ କହିଛନ୍ତି, ରାଜନୀତିରେ ସଫଳ ହେବା ପାଇଁ ଅଧ୍ୟବସାୟ, ପ୍ରତିଶ୍ରୃତିବଦ୍ଧତା, ଲୋକଙ୍କ ସୁଖଦୁଃଖ ପ୍ରତି ସହାନୁଭୂତିଶୀଳ ହେବା ନିହାତି ଆବଶ୍ୟକ। ଅନ୍ୟକୁ ଦବାଇ ରଖୁଥିବା ନେତା ଅପେକ୍ଷା ଜଣେ ଭଲ ଦଳୀୟ ଖେଳାଳି ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେ ଦର୍ଶାଇଛନ୍ତି, ରାଜନୀତିକୁ ନ ଆସି ମଧ୍ୟ ବହୁତ ଲୋକ ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଯେଉଁମାନେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ରାଜନେତା ହୋଇଥିଲେ, ସମାଜ ପ୍ରତି ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଥିଲା। ଭଲ ଲୋକମାନେ କୌଣସି ଲକ୍ଷ୍ୟ ନେଇ ନୁହେଁ, ବରଂ ଗୋଟିଏ ମିଶନ ନେଇ ରାଜନୀତିକୁ ଆସିବା ଉଚିତ ବୋଲି ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କର ଉଦାହରଣ ଦେଇ ସେ କହିଛନ୍ତି, ଗାନ୍ଧୀଙ୍କ ଜୀବନ ଓ କର୍ମ ବହୁତ କଥା କହିଥାଏ ଓ ସାରା ଦେଶକୁ ପ୍ରେରଣା ଦେଇଥାଏ। ବାକପଟୁ ଭାଷଣ ଅପେକ୍ଷା ଭାବର ଉତ୍ତମ ଆଦାନପ୍ରଦାନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦୀ। ଅହିଂସା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ବେଳେ ନିଜ କର୍ମ ଓ ପ୍ରତୀକ ଜରିଆରେ ଗାନ୍ଧୀ କେମିତି ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଥିଲେ, ତା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, କେବଳ ପେସାଦାର ଦକ୍ଷତା କି ଓଜସ୍ୱିନୀ ଭାଷଣ ଅପେକ୍ଷା ଉତ୍ସର୍ଗୀକୃତ ଜୀବନ ଓ ଭାବର ଉତ୍ତମ ଆଦାନ ପ୍ରଦାନରୁ ହିଁ ରାଜନୀତିରେ ସଫଳତା ମିଳିଥାଏ।        

 

ଶ୍ରୀ ମୋଦୀ ଦୋହରାଇଛନ୍ତି ଯେ, ୧ ଲକ୍ଷ ଯୁବକ ରାଜନୀତିକୁ ଆସିବାର ଆବଶ୍ୟକତା ଅଛି ଯେଉଁମାନେ କି ଉଚ୍ଚଭିଳାଷ ଅପେକ୍ଷା ଏକ ମିଶନ ନେଇ କାମ କରିବେ। ସେ କହିଛନ୍ତି, ଉଦ୍ୟୋଗୀମାନେ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଥିବା ବେଳେ ରାଜନୀତିରେ ବଳିଦାନ ଦେବାକୁ ପଡ଼େ, ଦେଶକୁ ପ୍ରଥମରେ ରଖିବାକୁ ପଡ଼େ। ସେ ଆଲୋକପାତ କରିଛନ୍ତି ଯେ, ଯେଉଁମାନେ ଦେଶକୁ ପ୍ରାଥମିକତା ଦିଅନ୍ତି, ସେମାନଙ୍କୁ ସମାଜ ଗ୍ରହଣ କରେ ଓ ରାଜନୈତିକ ଜୀବନ ଏତେ ସହଜ ନୁହେଁ। ଅଶୋକ ଭଟ୍ଟଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଶୋକ ଭଟ୍ଟ ଅନେକ ଥର ମନ୍ତ୍ରୀ ହେବା ସତ୍ତ୍ୱେ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ। ଲୋକଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ଆଗେଇ ଆସୁଥିଲେ। ଏପରିକି ରାତି ଅଧରେ ଯେ କେହି ତାଙ୍କୁ ସାହାଯ୍ୟ ମାଗି ପାରୁଥିଲା।  ତାଙ୍କର କିନ୍ତୁ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥିଲା । ଜନସେବା ହିଁ ତାଙ୍କର ଜୀବନ ଥିଲା। ରାଜନୀତିରେ ଉତ୍ସର୍ଗୀକୃତ ମନୋଭାବ ଓ ନିଃସ୍ୱାର୍ଥପରତା କେତେ ଗୁରୁତ୍ୱପୂର୍ଣ୍ଣ, ଏହା ତାର ଉଦାହରଣ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନ ଲଢ଼ିବା ରାଜନୀତି ନୁହେଁ । ରାଜନୀତି ହେଉଛି ସାଧାରଣ ଲୋକଙ୍କ ହୃଦୟ ଜିତିବା ଏଥିପାଇଁ ସାଧାରଣ ଲୋକଙ୍କ ସହିତ ରହିବାକୁ ପଡ଼ିବ ଓ ସେମାନଙ୍କ ଜୀବନ ସହିତ ଯୋଡ଼ି ହୋଇ ରହିବାକୁ ହେବ।     

 

ଜୀବନର ବିଭିନ୍ନ ପରିସ୍ଥିତି ବିଶେଷ କରି କଷ୍ଟକର ପିଲାଦିନ କିପରି ତାଙ୍କ ଜୀବନକୁ ପ୍ରଭାବିତ କରିଛି ବୋଲି ପଚରା ଯିବାରୁ ଶ୍ରୀ ମୋଦୀ କହିଛନ୍ତି, “ମୋର ଜୀବନ ହେଉଛି ମୋର ସବୁଠାରୁ ବଡ଼ ଶିକ୍ଷକ। କଷ୍ଟକର ପିଲା ଦିନ ହେଉଛି ପ୍ରତିକୂଳ ପରିସ୍ଥିତିର ବିଶ୍ୱବିଦ୍ୟାଳୟ।” ସେ କହିଛନ୍ତି, କିପରି ପାଣି ପାଇଁ ତାଙ୍କ ରାଜ୍ୟର ମହିଳାମାନଙ୍କୁ କିଲୋମିଟର କିଲୋମିଟର ଦୂର ଯାଏ ଯିବାକୁ ପଡ଼େ, ତାହା ସେ ଦେଖିଛନ୍ତି। ଲୋକଙ୍କୁ ପାଣି ଯୋଗାଇବାର ପ୍ରେରଣା ସେ ଏଠାରୁ ପାଇଛନ୍ତି। ସେ କହିଛନ୍ତି ଯଦିଓ କୌଣସି ଯୋଜନାକୁ ମୋର ବୋଲି କହନ୍ତି ନାହିଁ, ଯେଉଁ ସ୍ୱପ୍ନରେ ଦେଶର ସ୍ୱାର୍ଥ ସାଧନ ହୁଏ,ତାକୁ ପୂରଣ କରିବାକୁ ସେ ନିଜକୁ ଉତ୍ସର୍ଗ କରି ଦିଅନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଆଦର୍ଶ ଥିଲା-କଠିନ ପରିଶ୍ରମ, କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନଥିଲା ଓ ଜାଣିଶୁଣି ଭୁଲ୍ ନ କରିବା। ସେ ସ୍ୱୀକାର କରିଛନ୍ତି ଯେ, ମଣିଷ ମାତ୍ରକେ ଭୁଲ ହୁଏ। କିନ୍ତୁ ଉତ୍ତମ ମନୋଭାବ ନେଇ ସେ କାମ କରନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ବେଳର ଭାଷଣକୁ ମନେପକାଇ ଶ୍ରୀ ମୋଦୀ କହଛନ୍ତି, ସେ କଠିନ ପରିଶ୍ରମରୁ ହଟିବେ ନାହିଁ, ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୌଣସି କାମ କରିବେ ନାହିଁ, ଜାଣିଶୁଣି ଖରାପ ମନୋଭାବ ନେଇ କୌଣସି କାମ କରିବେ ନାହିଁ। ଏହି ତିନିଟି ନିୟମ ତାଙ୍କ ଜୀବନର ମନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

 

ବିଶ୍ୱାସ ଓ ଆଦର୍ଶର ଗୁରୁତ୍ୱକୁ ନେଇ ମୋଦି କହିଛନ୍ତି, ତାଙ୍କର ମାର୍ଗଦର୍ଶକ ନିୟମ ହେଉଛି “ପ୍ରଥମେ ଦେଶ”। ଏହି ଆଦର୍ଶ ସମସ୍ତ ପାରମ୍ପରିକ ଓ ଆଦର୍ଶଗତ ସୀମାକୁ ଟପି ଥାଏ। ଯଦି ଦେଶର ହିତ ହେଉଥାଏ, କୌଣସି ନୂଆ ଚିନ୍ତାଧାରାକୁ ଆପଣାଇବାରେ ଓ ପୁରୁଣାକୁ ଫିଙ୍ଗି ଦେବାକୁ ଏହା ତାଙ୍କୁ ସାହାଯ୍ୟ କରେ। ସେ କହଛନ୍ତି, ତାଙ୍କର ସାଲିସବିହୀନ ଆଦର୍ଶ ହେଉଛି “ଦେଶ ପ୍ରଥମ”। ଆଦର୍ଶବାଦୀ ଅପେକ୍ଷା ବିଶ୍ୱାସବାଦୀ ହେବା ରାଜନୀତିରେ ଅଧିକ ପ୍ରଭାବୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ମତରେ ଯଦିଓ ଆଦର୍ଶ ରହିବା ଜରୁରୀ ଅଟେ, କିନୁ ଯଥାର୍ଥ ରାଜନୈତିକ ପ୍ରଭାବ ପାଇଁ ବିଶ୍ୱାସବାଦୀ ହେବା ନିହାତି ଗୁରୁତ୍ୱପୂର୍ଣ୍ଣ। ଦେଶର ସ୍ୱାଧୀନତା ସଂଗ୍ରାମର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ଆଦର୍ଶରେ ବିଶ୍ୱାସ କରୁଥିବା ଲୋକଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଦେଶ କେମିତି ସ୍ୱାଧୀନତା ପାଇବ।       

 

ସାଧାରଣ ଜୀବନରେ ଯୁବ ରାଜନେତାମାନେ କିପରି କଟାକ୍ଷ ଓ ସମାଲୋଚନାର ମୁକାବିଲା କରିବା ଉଚିତ ବୋଲି ପଚରା ଯିବାରୁ ଶ୍ରୀ ମୋଦୀ କହିଛନ୍ତି, ଅନ୍ୟକୁ ସାହାଯ୍ୟ କରି ଆନନ୍ଦ ପାଉଥିବା ସମ୍ବେଦନଶୀଳ ବ୍ୟକ୍ତି ରାଜନୀତିକୁ ଆସିବା ଉଚିତ। ତାଙ୍କର ମତ ହେଲା-ଗଣତନ୍ତ୍ରରେ ଉଭୟ ଆରୋପ ପ୍ରତ୍ୟାରୋପ ଗ୍ରହଣ କରିବାକୁ ପଡ଼ିବ। ଯଦି ଜଣେ ଠିକ୍ ଅଛି, କୌଣସି ଭୁଲ କରି ନାହିଁ, ତେବେ ବ୍ୟସ୍ତ ହେବାର କିଛି ନାହିଁ।    

 

ସାମାଜିକ ଗଣମାଧ୍ୟମ ପୂର୍ବର ଓ ପରର ରାଜନୀତି, ନେତାଙ୍କ ଉପରେ ଏହାର ପ୍ରଭାବ ସଂପର୍କରେ ମଧ୍ୟ ଏହି ପଡ୍‌କାଷ୍ଟରେ ନିଜର ମତ ରଖିଥିଲେ ମୋଦୀ। ଯୁବ ନେତାମାନେ କିପରି ସୋସିଆଲ ମିଡିଆ ବ୍ୟବହାର କରିବେ, ସେଥିପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ମୋଦି କହିଥିଲେ, ଟିଭିରେ ବାହାରିଲେ ଓ ସମାଲୋଚନାର ଶରବ୍ୟ ହେଲେ କେମିତି ଲାଗେ ବୋଲି ପିଲାମାନେ ତାଙ୍କୁ ଅନେକ ଥର ପଚାରିଛନ୍ତି। ବାରମ୍ୱାର ଅପମାନ ସତ୍ତ୍ୱେ ଜଣେ ବ୍ୟକ୍ତି କିପରି ସ୍ଥିତପ୍ରଜ୍ଞ ରହିଥିଲେ, ତାର ଏକ ଉଦାହରଣ ଦେଇ ମୋଦି କହିଥିଲେ, ଜଣେ ବ୍ୟକ୍ତି ଯେପର୍ଯ୍ୟନ୍ତ ଜଣେ ସତମାର୍ଗରେ ଅଛି, ତାର ମନ ପୁରା ସ୍ୱଚ୍ଛ ଅଛି, ତେବେ ସମାଲୋଚନାକୁ ଡରିବାର କୌଣସି କାରଣ ନାହିଁ। ତାଙ୍କର ମନୋଭାବ ମଧ୍ୟ ସେପରି ବୋଲି କହିଛନ୍ତି ମୋଦି। ତାଙ୍କର ଫୋକସ୍ କେବଳ କାମରେ ଓ ସବୁବେଳେ ସେ ସତ  ସହିତ ଯୋଡ଼ି ହୋଇ ରହନ୍ତି। ସାଧାରଣ ଜୀବନରେ ସମ୍ବେଦନଶୀଳତାକୁ ଗୁରୁତ୍ୱ ଦେଇ ମୋଦି କହିଛନ୍ତି, ଏହା ବିନା କେହି ବାସ୍ତବରେ ଜନତାଙ୍କ ସେବା କରିପାରିବ ନାହିଁ। ସେ କହିଛନ୍ତି, ସବୁ କ୍ଷେତ୍ର ପରି ରାଜନୀତି ଓ କର୍ମକ୍ଷେତ୍ରରେ ସମାଲୋଚନା ଓ ଅସହମତି ରହିବ।  ଏହାକୁ ଗ୍ରହଣ କରି ସମସ୍ତଙ୍କୁ ଚାଲିବାକୁ ପଡ଼ିବ। ଗଣତନ୍ତ୍ରରେ ସୋସିଆଲ ମିଡିଆ କଣ ପରିବର୍ତ୍ତନ ଆଣିପାରେ, ତାର ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ଆଗରୁ କେବଳ ଅଳ୍ପ କେତେକ ସୂତ୍ରରୁ ସୂଚନା ଆସୁଥିଲା। ଏବେ ବିଭିନ୍ନ ମାର୍ଗ ଜରିଆରେ ଲୋକେ ସବୁ ତଥ୍ୟ ଯାଞ୍ଚ କରିପାରିବେ। ଲୋକତନ୍ତ୍ର ପାଇଁ ସାମାଜିକ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି। ଏହା ଦ୍ୱାରା ଲୋକେ ସତ କଣ ଜାଣିପାରୁଛନ୍ତି ଓ ସୂଚନା ସତ କି ମିଛ ଯାଞ୍ଚ କରିପାରୁଛନ୍ତି।

 

ଆଜିର ଯୁବବର୍ଗ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସୂଚନାକୁ ସକ୍ରିୟ ଭାବେ ଯାଞ୍ଚ କରୁଛନ୍ତି, ବିଶେଷ କରି ମହାକାଶ କ୍ଷେତ୍ରରେ ଏପରି ଯାଞ୍ଚ କରାଯାଉଛି। ଚନ୍ଦ୍ରଯାନର ସଫଳତା ଯୁବବର୍ଗଙ୍କ ମନରେ ଏକ ନୂଆ ଉତ୍ସାହ ଆଣି ଦେଇଛି, ଯେଉଁମାନେ ଗଗନଯାନ ମିଶନକୁ ସଂପର୍କରେ ସବୁ ଜାଣିବାକୁ ଆଗ୍ରହୀ। ସାମାଜିକ ଗଣମାଧ୍ୟମର ଉପଯୋଗିତା ନେଇ “ ନୂଆ ପୀଢ଼ି ପାଇଁ ସାମାଜିକ ଗଣମାଧ୍ୟମ ଏକ ଶକ୍ତିଶାଳୀ ଉପକରଣ” ବୋଲି ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ। ସେ ଯେତେବେଳେ ନୂଆ କରି ରାଜନୀତିକୁ ଆସିଥିଲେ, ସେତେବେଳେ ସୋସିଆଲ ମିଡିଆ ନ ଥିଲେ ମଧ୍ୟ ଭିତ୍ତିହୀନ ଅଭିଯୋଗ ଓ ସମାଲୋଚନା କରାଯିବା ଏକ ସାଧାରଣ କଥା ବୋଲି ମୋଦୀ କହିଛନ୍ତି। ତେବେ ବର୍ତ୍ତମାନ ସତ ପରଖିବାକୁ ଏବେ ଅନେକ ପ୍ଲାଟଫର୍ମ ରହିଛି। ସାମାଜିକ ଗଣମାଧ୍ୟମ ଗଣତନ୍ତ୍ରକୁ ଆହୁରି ମଜଭୁତ କରିପାରିବ ଓ ଯୁବ ପୀଢ଼ି ଏହାକୁ ସମାଜର ଏକ ମୂଲ୍ୟବାନ ସମ୍ୱଳ କରିପାରିବେ ବୋଲି ମୋଦି ଗୁରୁତ୍ୱାରୋପ କରିଛନ୍ତି।      

 

ଚିନ୍ତା ଘାରିବାକୁ ନେଇ ଶ୍ରୀ ମୋଦୀ କହଛନ୍ତି, ସମସ୍ତେ ଚିନ୍ତିତ ହୁଅନ୍ତି। ଏପରିକି ସେ ନିଜେ ବି ଚିନ୍ତିତ ହୁଅନ୍ତି। କିଏ କେମିତି ଏହାର ମୁକାବିଲା କରିବ, ଏହା ସେହି ବ୍ୟକ୍ତିର ଉପରେ ନିର୍ଭର କରେ। ସମସ୍ତେ ନିଜ ନିଜ ଶୈଳୀରେ ଓ ନିଜ କ୍ଷମତା ଅନୁସାରେ ଏହାର ମୁକାବିଲା କରନ୍ତି। ପ୍ରଧାନମନ୍ତ୍ରୀ ନିଜ ବ୍ୟକ୍ତିଗତ ଜୀବନର କଥା ବର୍ଣ୍ଣନା କରି କହିଛନ୍ତି, ୨୦୦୨ ଗୁଜରାଟ ନିର୍ବାଚନ ଓ ଗୋଧ୍ରା ଘଟଣା ବେଳେ କେମିତି ସେ ନିଜ ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିଥିଲେ ଓ କଠିନ ପରିସ୍ଥିତିରେ ନିଜ ଦାୟିତ୍ୱ ସଂପନ୍ନ କରିଥିଲେ। ଏଭଳି ପରିସ୍ଥିତିରେ ସାଧାରଣ ମଣିଷ ପରି ଭାବପ୍ରବଣତାରୁ ଉପରେ ରହି ନିଜର ମିଶନ ପୂରଣ ଉପରେ ଫୋକସ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଅଯଥା ଅଧିକ ଚାପ ନ ନେଇ ପରୀକ୍ଷାକୁ ନିଜର ନିୟମିତ କାମ ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଜୀବନରେ ପରୀକ୍ଷା ଏକ ସ୍ୱାଭାବିକ ଅଂଶ ବୋଲି ଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।       

 

ସବୁଠାରୁ କଠିନ ପରିସ୍ଥିତିରେ ମଧ୍ୟ ଅଧିକ କିଛି ନ ଭାବି ମନକୁ ଭାରାକ୍ରାନ୍ତ ନ କରିବାକୁ ମୋଦୀ ପରାମର୍ଶ ଦେଇଥିଲେ। ଶ୍ରୀ ମୋଦି କହିଥିଲେ, ବର୍ତ୍ତମାନ ସେ ଯେଉଁ ପଦବୀରେ ପହଞ୍ଚିଛନ୍ତି, ସେଥିପାଇଁ ସେ କୌଣସି ପ୍ରକାର ଯୋଜନା କରିନଥିଲେ। କେବଳ ନିଜ ଦାୟିତ୍ୱ ଠିକ୍ ଭାବେ ସଂପାଦନ ଉପରେ ଗୁରୁତ୍ୱ ଦେଉଥିଲେ ବୋଲି ମୋଦି କହିଥିଲେ। ସଫଳତା କିମ୍ୱା ବିଫଳତା ତାଙ୍କୁ କେବେ ବି ଭାରାକ୍ରାନ୍ତ କରିନଥିବା ମୋଦୀ ଗୁରୁତ୍ୱାରୋପ କରିଥିଲେ।   

 

 

ବିଫଳତାରରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବା ଉଚିତ ବୋଲି ପଡ୍‌କାଷ୍ଟରେ କହିଥିଲେ ମୋଦୀ। ଚନ୍ଦ୍ରଯାନ-୨ର ଉଦାହରଣ ଦେଇ ସେ କହିଥିଲେ, ଇସ୍ରୋର ଏହି ମିଶନ ଫେଲ୍ ହେବା ପରେ ସେ ନିଜକୁ ଏଥିପାଇଁ ଦାୟୀ କରିଥିଲେ ଓ ଆଶା ନ ହରାଇବାକୁ ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ରାଜନୀତିରେ ରିସ୍କ ନେବାକୁ ପଡ଼ିବ, ଯୁବ ନେତାଙ୍କୁ ସମର୍ଥନ କରିବା ଓ ଦେଶ ପାଇଁ କାମ କରିବା ଲାଗି ସେମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଜନୀତିର ଶୁଦ୍ଧିକରଣ ପାଇଁ ଏହାକୁ ସମ୍ମାନ ଦେବାକୁ ପଡ଼ିବ ଓ ଭଲ ଲୋକମାନେ ଯେମିତି ରାଜନୀତିକୁ ଆସିବେ, ସେଥିପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଜରୁରୀ ବୋଲି କହିଥିଲେ ମୋଦୀ। ଅନାଗତ ବିଫଳତାର ଭୟକୁ ମନରୁ ଦୂର କରିବାକୁ ପ୍ରଧାନମନ୍ତ୍ରୀ ଯୁବ ନେତାଙ୍କୁ ଆହ୍ୱାନ ଦେଇଥିଲେ। ସେମାନଙ୍କ ହାତରେ ଭାରତର ଭବିଷ୍ୟତ ଥିବା କହିଥିଲେ ମୋଦୀ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ କାମ ନ କରି ଦେଶ ପାଇଁ କାମ କରିବାକୁ ଓ ଗଣତନ୍ତ୍ରର ମର୍ଯ୍ୟାଦା ବଜାୟ ରଖିବାକୁ ସେ ଯୁବ ନେତାଙ୍କୁ ପରାମର୍ଶ ଦେଇଥିଲେ।     

 

ରାଜନୀତି ଖରାପ ବୋଲି ଲୋକଙ୍କ ମନରେ ଯେଉଁ ଧାରଣା ଅଛି, ତାକୁ ନେଇ ଶ୍ରୀ ମୋଦୀ କହିଥିଲେ, କେବଳ ନିର୍ବାଚନ ଜିତିବା ହାରିବା ରାଜନୀତି ନୁହେଁ। ଏହା ହେଉଛି ନୀତି ନିର୍ଦ୍ଧାରଣ, ନିୟମ ଅନୁସାରେ ଶାସନ ପରିଚାଳନା କରିବା । ପରିବର୍ତ୍ତନ ଆଣିବାର ଏହା ଏକ ମାଧ୍ୟମ ବୋଲି ସେ କହିଥିଲେ। କୌଣସି ପରିସ୍ଥିତିକୁ ବଦଳାଇବା ପାଇଁ ଭଲ ନୀତି ନିୟମ ଓ ତାର କାର୍ଯ୍ୟକାରୀତା କେତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ପିଏମ୍ ଜନମନ ଯୋଜନାର ଉଦାହରଣ ଦେଇଥିଲେ ଶ୍ରୀ ମୋଦୀ। ଜନଜାତିଙ୍କ ମଧ୍ୟରେ ଯେଉଁମାନେ ସବୁଠାରୁ ବେଶି ଅବହେଳିତ ଅଛନ୍ତି, ସେମାନଙ୍କର ଉନ୍ନତି ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦିଗଦର୍ଶନରେ ପ୍ରସ୍ତୁତ ହୋଇଛି ଏହି ପିଏମ୍ ଜନମନ ଯୋଜନା। ମୋଦି କହିଥିଲେ, ଯଦିଓ ଏହି ଯୋଜନାରୁ କୌଣସି ରାଜନୈତିକ ଲାଭ ମିଳିବ ନାହିଁ, ତେବେ ଏହା ୨୫୦ଟି ସ୍ଥାନର ୨୫ ଲକ୍ଷ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ। ରାଜନୀତିରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବା ଦ୍ୱାରା ଅନେକ ସକରାତ୍ମକ ପରିବର୍ତ୍ତନ ହୋଇପାରେ ଯାହା ଦ୍ୱାରା ମନକୁ ଆତ୍ମସନ୍ତୋଷ ମିଳିଥାଏ ଓ ପୂର୍ଣ୍ଣତାର ଅନୁଭବ ହୋଇଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ ଶ୍ରୀ ମୋଦୀ।      

 

ଜୀବନରେ ବିଫଳତା ଓ ପ୍ରତିବନ୍ଧକର କେମିତି ଭୂମିକା ରହିଥାଏ, ତାର ଉଦାହରଣରେ ମୋଦୀ ନି ଜୀବନର କଥା କହିଥିଲେ। ମିଲିଟାରି ସ୍କୁଲରେ ପଢ଼ିବାର ତାଙ୍କର ଇଚ୍ଛା ଥିଲା। କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା। ସନ୍ୟାସୀ ହେବାକୁ ମଧ୍ୟ ତାଙ୍କର ଇଚ୍ଛା ଥିଲା। ରାମକୃଷ୍ଣ ମିଶନରେ ଯୋଗ ଦେବାକୁ ପ୍ରୟାସ ସତ୍ତ୍ୱେ ତାଙ୍କର ଏହି ଇଚ୍ଛା ମଧ୍ୟ ପୂରଣ ହୋଇପାରିନଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଫଳତା ହେଉଛି ଜୀବନର ଏକ ଅଙ୍ଗ ଏବଂ ବ୍ୟକ୍ତିଗତ ଉନ୍ନତିରେ ଏହା ବହୁତ ସାହାଯ୍ୟ କରିଥାଏ। ଆରଏସଏସରେ ଥିବା ବେଳର ଏକ ଘଟଣାର ଉଦାହରଣ ଦେଇ ସେ କହିଥିଲେ, କେମିତି ଡ୍ରାଇଭିଂରେ ସେ ଫେଲ୍ ହେବା ପରେ ଶିକ୍ଷା ଲାଭ କରିଥିଲେ। ବିଫଳତାରୁ ଶିଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ, ସେ ସବୁବେଳେ ନିଜର ଆରାମ କ୍ଷେତ୍ରରେ ଜୀବନ ବିତାଇଥାନ୍ତି ଯାହାକି ତାଙ୍କର ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ ଓ ଜୀବନକୁ କେମିତି ଗ୍ରହଣ କରାଯିବ, ତାହା ଶିଖାଇ ଥାଏ। ସେ ବିଶ୍ୱାସ କରନ୍ତି ଯେ, ଆରାମ କ୍ଷେତ୍ରରୁ ବାହାରିବା ପ୍ରଗତି ପାଇଁ ଜରୁରୀ ଅଟେ ଓ ସଫଳତା ପାଇବା ପାଇଁ ରିସ୍କ ନେବାକୁ ପଡ଼ିଥାଏ। ସେ କହିଥିଲେ, ଲକ୍ଷ୍ୟ ହାସଲରେ ପ୍ରତିବନ୍ଧିକ ସାଜିଥାଏ ଆରାମ କ୍ଷେତ୍ର। ଅଭିବୃଦ୍ଧି ଓ ଉନ୍ନତି ପାଇଁ ଆରାମ କ୍ଷେତ୍ରରୁ ବାହାରକୁ ବାହାରିବା ଜରୁରୀ ବୋଲି କହିଥିଲେ ମୋଦି।      

ତାଙ୍କର ରିସ୍କ ନେବାର କ୍ଷମତା ଓ ସମୟ ସହିତ କେମିତି ଏହା ବିକଶିତ ହୋଇଛି, ସେ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯେହେତୁ ସେ କେବେ ବି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଦେଖନ୍ତି ନାହିଁ, ସେଥିପାଇଁ ସେ ବହୁତ ରିସ୍କ ନେଇପାରନ୍ତି। କୌଣସି କୁଣ୍ଠାବୋଧ ନ କରି ନିର୍ଭୟରେ ନିଷ୍ପତ୍ତି ନେବାରେ ଏହି ଗୁଣ ତାଙ୍କୁ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ। ଆତ୍ମସମୀକ୍ଷା କରିବାକୁ ଓ ନିଜ ସହିତ ନିଜକୁ ଯୋଡ଼ିବା ପାଇଁ ନିରୋଳାରେ ସେ ସମୟ ଅତିବାହିତ କରନ୍ତି ବୋଲି କହିଥିଲେ ମୋଦୀ। ଏବେ କିନ୍ତୁ ତାହା ସେ କରିପାରୁ ନାହାନ୍ତି। ଅଶି ଦଶକର ଏକ ଅଭିଜ୍ଞତା ମନେପକାଇ ମୋଦୀ କହିଥିଲେ, ସେ ମରୁଭୂମିରେ ରହୁଥିଲେ ଯେଉଁଠି ତାଙ୍କ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥି। ସେହି ଘଟଣାରୁ ପ୍ରୋତ୍ସାହିତ ହୋଇ ସେ ରାନ୍ ଉତ୍ସବ ଆରମ୍ଭ କରିଥିଲେ। ଏହା ବର୍ତ୍ତମାନ ଏକ ଲୋକପ୍ରିୟ ପର୍ଯ୍ୟଟନ ଘଟଣା ପାଲଟିଛି, ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଭାବେ ବିଶ୍ୱରେ ପରିଚିତ ହୋଇଛି। ଉଭୟ ରାଜନୀତି ଓ ଉଦ୍ୟୋଗରେ ଉନ୍ନତି ଓ ଅଭିବୃଦ୍ଧି ପାଇଁ ଜଣକୁ ନିଜ ଆରାମ କ୍ଷେତ୍ରରୁ ବାହାରକୁ ବାହାରିବାକୁ ପଡ଼ିବ ବୋଲି କହିଥିଲେ ମୋଦୀ। ରିସ୍କ ନେବା ଓ ଚ୍ୟାଲେଞ୍ଜକୁ ମୁହାଁମୁହିଁ ସମ୍ମୁଖୀନ ହେବା ଦ୍ୱାରା ବହୁତ ବଡ଼ ସଫଳତା ମିଳିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।       

 

ବ୍ୟକ୍ତିଗତ ସଂପର୍କ ନେଇ ମୋଦୀ କହିଥିଲେ, ମାଆ ବାପାଙ୍କୁ ହରାଇବା ସବୁଠାରୁ ବଡ଼ ଦୁଃଖ ଥିଲା। ସେ କହିଥିଲେ, ଯେହେତୁ ସେ ଅଳ୍ପ ବୟସରୁ ଘର ଛାଡ଼ିଥିଲେ, ତେଣୁ ପରିବାର ସହିତ ତାଙ୍କର ଏତେଟା ଭାବପ୍ରବଣତା ନ ଥିଲା। କିନ୍ତୁ ୧୦୦ତମ ଜନ୍ମଦିନରେ ମାଆ ତାଙ୍କୁ ଏକ ଅମୂଲ୍ୟ ଉପଦେଶ ଦେଇଥିଲେ। “ବିଜ୍ଞତାର ସହିତ କାମ କର, ପବିତ୍ର ଭାବେ ଜୀବନ ନିର୍ବାହ କର।” ପ୍ରଧାନମନ୍ତ୍ରୀ କହିଥିଲେ, ଯଦିଓ ତାଙ୍କ ମାଆ ସେତେଟା ପାଠଶାଠ ପଢ଼ିନଥିଲେ, ତଥାପି ତାଙ୍କର ବହୁତ ଜ୍ଞାନ ଥିଲା। ଯଦିଓ ମାଆଙ୍କୁ ସବୁବେଳେ ଭେଟି ତାଙ୍କ ସହିତ ସାରଗର୍ଭକ ଆଲୋଚନା କରିପାରୁନଥିଲେ, ତେବେ ଫୋକସ୍ ରହି ସବୁବେଳେ କାମ କରିବାକୁ ମାଆ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମାଆ ବାପାଙ୍କୁ ହରାଇବା ଏକ ଗଭୀର ଧକ୍କା। କିନ୍ତୁ ସେମାନେ ଯେଉଁ ମୂଲ୍ୟବୋଧ ଓ ଜ୍ଞାନ ଦେଇଛନ୍ତି, ତାହା ଚିରଦିନ ପାଇଁ ରହିଥାଏ।   

ରାଜନୀତି ଖରାପ ବୋଲି ଯେଉଁ ଧାରଣା ଅଛି, ତାକୁ ନେଇ ଶ୍ରୀ ମୋଦି କହିଥିଲେ, ରାଜନେତାଙ୍କ କାମ ଯୋଗୁଁ ହିଁ ରାଜନୀତି ଏପରି ବଦନାମ ହୋଇଛି। ଯିଏ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛି, ତା ପାଇଁ ଏବେ ମଧ୍ୟ ରାଜନୀତି ଏକ ଭଲ ବାଟ। ନିଜ ପିଲା ବେଳର ଏକ କଥା ମନେପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ଜଣେ ସ୍ଥାନୀୟ ଡାକ୍ତର ନିର୍ବାଚନ ଲଢ଼ିବା ବେଳେ ବହୁତ କମ୍ ଟଙ୍କା ଖର୍ଚ୍ଚ କରିଥିଲେ। ସତ୍ୟ ଓ ଅଧ୍ୟବସାୟ ପ୍ରତି ଏବେ ମଧ୍ୟ ସମାଜ ସମ୍ମାନ କରେ ବୋଲି ଏହା ପ୍ରମାଣିତ କରୁଛି। ଧୈର୍ଯ୍ୟ ଓ ପ୍ରତିଶ୍ରୁତିବଦ୍ଧତା ରାଜନୀତି ପାଇଁ ନିହାତି ଜରୁରୀ ସେ ଗୁରୁତ୍ୱାରୋପ କରିଛନ୍ତି। କିନ୍ତୁ କେବଳ ନିର୍ବାଚନ ଦୃଷ୍ଟିରୁ ଏହାକୁ ଦେଖିବା ଅନୁଚିତ। ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଥିବା ଗୋଷ୍ଠୀଗତ କାମ ଓ ନୀତି ନିର୍ଦ୍ଧାରଣରେ ସାମିଲ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ମୋଦୀ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳର ଘଟଣା ମନେପକାଇ ଶ୍ରୀ ମୋଦୀ କହିଥିଲେ କେମିତି ଭୂମିକମ୍ପ ପୀଡ଼ିତ ଲୋକଙ୍କ ଥଇଥାନ ପାଇଁ କାମ କରିବାକୁ ସେ ସରକାରୀ ଅଧିକାରୀଙ୍କୁ ଉତ୍ସାହିତ କରୁଥିଲେ ଓ ଅଦରକାରୀ ପୁରୁଣା ନିୟମକୁ ବଦଳାଇ ପ୍ରଭାବୀ ନିଷ୍ପତ୍ତି ନେଉଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଯେଉଁ ଗାଁରୁ ବ୍ୟୁରୋକ୍ରାଟମାନେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ସେହି ଗାଁକୁ ପରିଦର୍ଶନ କରିବାକୁ ସେ ଉତ୍ସାହିତ କରୁଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳର ଜୀବନ ସହିତ ସେମାନେ ଯୋଡ଼ି ହୋଇ ରହୁଥିଲେ ଏବଂ ସେମାନଙ୍କ କାମ କେତେ ପ୍ରଭାବ ପକାଇଛି, ତାହା ଜାଣିପାରୁଥିଲେ। କଡ଼ା ଭାଷାରେ ଗାଳି ନ ଦେଇ ବା ତାଗିଦ ନ କରିବା ବଦଳରେ ପ୍ରୋତ୍ସାହନ ଓ ଦିଗଦର୍ଶନ ଦେଇ ଶାସନ ଚଳାଉଥିଲେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।         

 “ସର୍ବନିମ୍ନ ସରକାର, ସର୍ବାଧିକ ଶାସନ” ର ଚିନ୍ତାଧାରା ଉପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ ଯେ, ଏହାର ଅର୍ଥ ନୁହେଁ ମନ୍ତ୍ରୀ କିମ୍ୱା କର୍ମଚାରୀଙ୍କ ସଂଖ୍ୟା କମ୍ କରିବା। ବରଂ ଏହା ହେଉଛି ପୁରା ପ୍ରକ୍ରିୟାକୁ ସରଳ କରିବା ଓ ବ୍ୟୁରୋକ୍ରାଟିକ୍ ବୋଝକୁ ହ୍ରାସ କରିବା। ନାଗରିକଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ପ୍ରାୟ ୪୦ ହଜାର ନିୟମକୁ ଉଚ୍ଛେଦ କରାଯାଇଛି। ସେ କହିଥିଲେ, ୧୫୦୦ ପୁରୁଣା ଅଦରକାରୀ ଆଇନକୁ ଉଚ୍ଛେଦ କରାଯାଇଛି ଓ ଫୌଜଦାରୀ ଆଇନରେ ସଂସ୍କାର ଅଣାଯାଇଛି। ଶାସନକୁ ସରଳ କରିବା, ଏହାକୁ ଅଧିକ ଦକ୍ଷ କରିବା ତାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ମୋଦୀ କହିବା ସହିତ ବର୍ତ୍ତମାନ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।  

 

ଏହି ଆଲୋଚନାରେ ଭାରତ ଡିଜିଟାଲ ଅଭିଯାନ ଯଥା- ୟୁପିଆଇ, ଇକେଓ୍ୱାଇସି ଓ ଆଧାର କେମିତି ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି ସେ ସଂପର୍କରେ ଆଲୋଚନା କରିଥିଲେ ଶ୍ରୀ ମୋଦୀ। ସେ କହିଥିଲେ ଏହି ସବୁ ଟେକ୍ନୋଲଜି ଦ୍ୱାରା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି। ଏହା ଦ୍ୱାରା ବାଟମାରଣା ହେଉନି, ଦୁର୍ନୀତି କମୁଛି। ୟୁପିଆଇ ଆଜି ବିଶ୍ୱର ନୂଆ ରେକର୍ଡ କରିଛି। ଟେକ୍ନୋଲଜିକୁ କେମତି ଦେଶର ସମସ୍ତ ଲୋକ ବ୍ୟବହାର କରନ୍ତି, ତାହା ଭାରତ ଦେଖାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ତାଇଓ୍ୱାନ ଗସ୍ତର କଥା କହି ସେଠାକାର ନେତାମାନେ ବହୁତ ଉଚ୍ଚ ଶିକ୍ଷିତ ବୋଲି କହିଥିଲେ। ଭାରତର ଯୁବାବର୍ଗ ବି ସେମିତି ସଫଳତା ହାସଲ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଅଛି। ତାଇୱାନର ଜଣେ ଉଦ୍ୟୋଗୀଙ୍କ ସହିତ ହୋଇଥିବା ଆଲୋଚନା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ସେହି ଉଦ୍ୟୋଗପତି ଜଣକ ପୁରୁଣା ଭାରତକୁ ନେଇ ତାଙ୍କର ଭୁଲ ଧାରଣା ଥିଲା। ହୁଏତ ପୁରୁଣା ଭାରତକୁ ସାପ ଧରାଳିଙ୍କ ଦେଶ କୁହାଯାଉଥାଇପାରେ, ତେବେ ଏବେ ଭାରତର ପ୍ରତ୍ୟେକ ପିଲା କମ୍ପ୍ୟୁଟରର ମାଉସ୍ ସହିତ ଖେଳୁଛନ୍ତି ବୋଲି ମଜାରେ କହିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ଭାରତର ଶକ୍ତି ଏବେ ତାର ଟେକ୍ନୋଲଜିରେ ଅଛି। ଏବଂ ସରକାର ସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ପାଣ୍ଠି ଓ କମିଶନ ଗଠନ କରିଛନ୍ତି। ରିସ୍କ ନେବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଫେଲ୍ ହେଲେ ମଧ୍ୟ ସେମାନଙ୍କୁ ସହାୟତା ମିଳିବ।  …

ଭାରତ ପ୍ରତି ବିଶ୍ୱର ମନୋଭାବରେ ପରିବର୍ତ୍ତନ ଆସିଥିବା କତା ପ୍ରଧାନମନ୍ତ୍ରୀ ଆଲୋଚନା କରି ସେ କହିଥିଲେ, ଏହା କେବଳ ତାଙ୍କର ସଫଳତା ନୁହେଁ। ବରଂ ଏହା ହେଉଛି ସବୁ ଭାରତୀୟଙ୍କ ସାମଗ୍ରିକ ପ୍ରଚେଷ୍ଟାର ଫଳ। ବିଦେଶ ଗସ୍ତ କରୁଥିବା ପ୍ରତ୍ୟେକ ଭାରତୀୟ ଦେଶର ରାଷ୍ଟ୍ରଦୂତ ଭାବେ କାମ କରି ଦେଶର ସମ୍ମାନ ବୃଦ୍ଧି କରିଛନ୍ତି। ସେ କହିଥିଲେ, ନୀତି ଆୟୋଗର ଏକ ଲକ୍ଷ୍ୟ ହେଲା ସାରା ବିଶ୍ୱର ଭାରତୀୟଙ୍କୁ ଯୋଡ଼ିବା ଓ ସେମାନଙ୍କ ଶକ୍ତିର ଉପଯୋଗ କରିବା। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ କେମିତି ବହୁତ ଭ୍ରମଣ କରିଥିଲେ ଓ ପ୍ରବାସୀ ଭାରତୀୟଙ୍କ ସାମର୍ଥ୍ୟକୁ ଚିହ୍ନି ପାରିଥିଲେ ତାହା ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ଦ୍ୱାରା ହିଁ ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ହୋଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଅପରାଧ ହାରରେ ହ୍ରାସ, ଉଚ୍ଚ ସ୍ତରର ଶିକ୍ଷା, ଆଇନକୁ ସମ୍ମାନ ଦେଉଥିବା ଭାରତୀୟ ବିଶ୍ୱରେ ଦେଶର ଛବିକୁ ସକରାତ୍ମକ କରିଛନ୍ତି।ସାମଗ୍ରିକ ଶକ୍ତିକୁ ଉପଯୋଗ କରିବା ଦ୍ୱାରା କେମିତି ସକରାତ୍ମକ ଛବି ସୃଷ୍ଟି କରାଯାଏ ଓ କେମିତି ଦୃଢ଼ ନେଟଓ୍ୱର୍କଂ ଓ ସଂପର୍କ ବୃଦ୍ଧି କରାଯାଏ  ଉଦ୍ୟୋଗୀମାନେ ଏଥିରୁ ଶିକ୍ଷା ଲାଭ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

ଉଭୟ ଉଦ୍ୟୋଗ ଓ ରାଜନୀତିରେ ପ୍ରତିଯୋଗିତାର ଗୁରୁତ୍ୱ ଥିବା ଶ୍ରୀ ମୋଦି କହିଥିଲେ। ୨୦୦୫ ଏକ ଘଟଣା ମନେପକାଇ ସେ କହିଥିଲେ ଯେତେବେଳେ ୨୦୦୬ରେ ତାଙ୍କୁ ଭିସା ଦେବାକୁ ମନା କରିଦେଲା, ସେତେବେଳେ ଏହାକୁ ଦେଶର ଓ ଏକ ନିର୍ବାଚିତ ସରକାର ପ୍ରତି ଅପମାନ ବୋଲି ମନେ କରିଥିଲେ। ଏହା ପରେ ସେ ଏପରି ଏକ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, ଯେଉଁଠି ଭାରତ ଭିସା ପାଇଁ ବିଶ୍ୱର ସବୁ ଦେଶ ଧାଡ଼ି ଲଗାଇବେ। ଆଜି ୨୦୨୫ରେ ତାହା ବାସ୍ତବ ହୋଇଛି। ଭାରତର ଯୁବ ବର୍ଗ ଓ ସାଧାରଣ ଲୋକଙ୍କ ଉଚ୍ଚଭିଳାଷର ଉଦାହରଣ ଦେଇ ମୋଦି ତାଙ୍କ କୁଏତ ଗସ୍ତର ଏକ ଘଟଣା କହିଥିଲେ।  ସେଠାରେ କାମ କରୁଥିବା ଜଣେ ଶ୍ରମିକ ତାଙ୍କ ଜିଲ୍ଲାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିବା କଥା କହିଥିଲେ ଶ୍ରୀ ମୋଦି। ଲୋକଙ୍କ ଏପରି ଉଚ୍ଚାଭିଳାଷ ହିଁ ଭାରତକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ। ଦେଶର ପ୍ରଗତି ପାଇଁ ଯୁବବର୍ଗଙ୍କ ଉତ୍ସାହ ଓ ଲକ୍ଷ୍ୟ ଚାବିକାଠି ବୋଲି ସେ ମତ ଦେଇଛନ୍ତି।   

 

ଲଗାତର ଭାବେ ଶାନ୍ତି ସପକ୍ଷରେ ମତ ଦେଇ ସାରା ବିଶ୍ୱରେ ଭାରତ ଯେଉଁ ଭରସା ଓ ବିଶ୍ୱସନୀୟତା ହାସଲ କରିଛି, ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ମତ ଦେଇଥିଲେ, ଭାରତ ନିରପେକ୍ଷା ନୁହେଁ, ବରଂ ଭାରତ ଶାନ୍ତି ସପକ୍ଷରେ ଅଛି। ଏହା ରୁଷିଆ, ଯୁକ୍ରେନ, ଇରାନ, ପାଲେଷ୍ଟାଇନ ଓ ଇସ୍ରାଏଲ ସମେତ ସବୁ ଦେଶକୁ ଜଣାଇ ଦିଆଯାଇଛି। କୋଭିଡ ଓ ଅନ୍ୟ ସଂକଟ ସମୟରେ ଭାରତୀୟ ଓ ପଡ଼ୋଶୀ ଦେଶର ନାଗରିକଙ୍କୁ ଯେମିତି ବିଦେଶରୁ ଅଣାଗଲା, ତା ଉପରେ ଆଲୋକପାତ କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଉଲ୍ଲେଖ କରିଛନ୍ତି, ଆମ ନାଗରିକଙ୍କୁ ଫେରାଇ ଆଣିବାକୁ ରିସ୍କ ନେବା ପାଇଁ ନିଜ ଆଡୁ ଆଗେଇ ଆସିଥିଲେ ଭାରତର ଆକାଶ ବାହିନୀ। ସେ ଆହୁରି କହିଥିଲେ, ନେପାଳରେ ଭୂମିକମ୍ପ ବେଳେ ଯେମିତି ଆମ ନାଗରିକଙ୍କୁ ଉଦ୍ଧାର କରାଯାଇ ଅଣାଯାଇଥିଲା, ତାକୁ ଜଣେ ଡାକ୍ତର ବହୁତ ପ୍ରଶଂସା କରିଥିଲେ। ବିଶ୍ୱସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ସଦିଚ୍ଛା ସୃଷ୍ଟି ହୋଇଥାଏ ଓ ଉପକାର ବଦଳରେ ସେମାନଙ୍କ ତରଫରୁ ମଧ୍ୟ ସାହାଯ୍ୟ ମିଳିଥାଏ। ଇସଲାମ ରାଷ୍ଟ୍ର ହୋଇ ମଧ୍ୟ ଆବୁ ଧାବିରେ ଏକ ମନ୍ଦିର ନିର୍ମାଣ ପାଇଁ ସେଠାକାର ସରକାର ଜମି ପ୍ରଦାନ କରିବା ଘଟଣାରୁ ସ୍ପଷ୍ଟ ହେଉଛି ଅନ୍ତର୍ଜାତୀୟ ସ୍ତରରରେ ଭାରତକୁ କେତେ ସମ୍ମାନ ମିଳୁଛି। ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏହା ଖୁସି କରିଛି। ଶାନ୍ତି ଓ ନିଜ ନାଗରିକଙ୍କୁ ବିଶ୍ୱସ୍ତରରେ ଶ୍ୱରେ ସମର୍ଥନ କରିବାର ଭାରତର ପ୍ରତିବଦ୍ଧତା ଏବେ ବି ରହିଛି ଏବଂ ବୈଶ୍ୱିକ ମଞ୍ଚରରେ ଭାରତର ବିଶ୍ୱସନୀୟତା ବୃଦ୍ଧି ପାଇବାରେ ଲାଗିଛି।

 

ଖାଦ୍ୟ ପାନୀୟକୁ ନେଇ ଶ୍ରୀ ମୋଦୀ କହିଛନ୍ତି, ଖାଇବା ପିଇବାରେ ତାଙ୍କର ସେମିତି କିଛି ପସନ୍ଦ ନାପସନ୍ଦ ନାହିଁ। ଯେଉଁ ଦେଶରେ ଯାହା ଦିଆଯାଏ, ତାହା ସେ ଖାଆନ୍ତି। ଦଳର ସଂଗଠନରେ କାମ କରିବା ବେଳେ ଅନେକ ସମୟରେ ସେ ଦିବଂଗତ ଶ୍ରୀ ଅରୁଣ ଜେଟଲିଙ୍କ ଉପରେ ନିର୍ଭର କରୁଥିଲେ ଯିଏ କି ଜାଣିଥିଲେ କେଉଁଠି କେଉଁ ରେସ୍ତେରାଁରେ ଭଲ ଖାଇବା ମିଳେ ଓ ଭାରତର କେଉଁ ଅଞ୍ଚଳରେ କେଉଁ ସୁସ୍ୱାଦୁ ଖାଦ୍ୟ ମିଳେ।   

 

ସମୟ ସହିତ ତାଙ୍କର ପଦପଦବୀ ବଦଳିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ କେବଳ ପରିସ୍ଥିତି ଓ ତାଙ୍କର ଭୂମିକା ବଦଳିଛି । କିନ୍ତୁ ବ୍ୟକ୍ତି ଭାବେ ସେ ସେମିତି ଅଛନ୍ତି, ତାଙ୍କୁ ଅଲଗା ଅନୁଭବ ହୁଏ ନାହିଁ ଓ ସେ କିଛି ବି ବଦଳି ନାହାନ୍ତି। ପଦପଦବୀ ଓ ଦାୟିତ୍ୱ ତାଙ୍କର ଆଦର୍ଶ ଓ ମୂଲ୍ୟବୋଧକୁ ପ୍ରଭାବିତ କରି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ପ୍ରତିଷ୍ଠାରେ ସେ ପ୍ରଭାବିତ ହୁଅନ୍ତି ନାହିଁ, ମାଟି ସହିତ ସବୁବେଳେ ଯୋଡ଼ି ହୋଇ ରହନ୍ତି  ଓ ସବୁବେଳେ ନମ୍ରତା ବଜାୟ ରଖିବା ସହିତ କାମ ପ୍ରତି ତାଙ୍କର ଅଧ୍ୟବସାୟରେ କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।        

 

ଜନତାଙ୍କୁ ସମ୍ବୋଧନ କରିବା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ନିଜ ଅଭିଜ୍ଞତାର ଏଥିରେ ବହୁତ ବଡ଼ ଭୂମିକା ରହିଛି। ଯେତେବେଳେ ଜଣେ ନିଜ ଅଭିଜ୍ଞତାରୁ କିଛି କହନ୍ତି, ସେତେବେଳେ ତାଙ୍କର କଥା, ଶବ୍ଦ, ବର୍ଣ୍ଣନା ସ୍ୱାଭାବିକ ଭାବେ ପ୍ରଭାବଶାଳୀ ହୋଇଥାଏ। ଗୁଜରାଟୀ ହେବା ସତ୍ତ୍ୱେ ପ୍ରାଞ୍ଜଳ ଭାବେ ହିନ୍ଦୀ କରିବାରେ ତାଙ୍କର ଯେଉଁ ଦକ୍ଷତା ଅଛି, ସେଥିପାଇଁ ପିଲା ବେଳେ ରେଳ ଷ୍ଟେସନରେ ଚା ବିକିବା ଓ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ସହିତ କଥାବାର୍ତ୍ତାରୁ ସମ୍ଭବ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲ। ଗର୍ବ କି ଅହଙ୍କାର ନ କରି ନିଜ ମୂଳ ସହିତ ଯୋଡ଼ି ହୋଇ ରହିବା ଦ୍ୱାରା ଉତ୍ତମ ଭାବେ ଭାବର ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ହୃଦୟରୁ କହିବା ଓ ନିଜ ଅଭିଜ୍ଞତା ବର୍ଣ୍ଣନା କଲେ ଜଣେ ଭଲ ବକ୍ତା ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।     

ଭାରତରେ ଷ୍ଟାର୍ଟ ଅପ୍ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ହେଉଥିବା କହିଥିଲେ ଶ୍ରୀ ମୋଦୀ। ଭାରତର ଯୁବବର୍ଗଙ୍କ ଶକ୍ତି ଉପରେ ଆତ୍ମବିଶ୍ୱାସ ଦେଖାଇ ପ୍ରଥମ ଷ୍ଟାର୍ଟ ଅପ୍ କନଫରେନସର ଏକ ଘଟଣା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, କୋଲକାତାର ଜଣେ ଯୁବତୀ ଷ୍ଟାର୍ଟ ଅପ୍ କୁ ବିଫଳତାର ଏକ ବାଟ ବୋଲି ଧରି ନେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏବେ ଷ୍ଟାର୍ଟ ଅପ୍ କୁ ସମ୍ମାନ ମିଳୁଛି, ଏହାର ବିଶ୍ୱସନୀୟତା ବୃଦ୍ଧି ପାଇଛି। ଭାରତର ଉଦ୍ୟମିତା ବଡ଼ ବଡ଼ ସ୍ୱପ୍ନ ଓ ଉଚ୍ଚଭିଳାଷକୁ ନେଇ ଚାଲିଛି ଏବଂ ବର୍ତ୍ତମାନ ଦେଶର ଯୁବଗୋଷ୍ଠୀ ପାରମ୍ପରିକ ଚାକିରି ବଦଳରେ ନିଜେ କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି।  

 

ଏନଡିଏ ସରକାରର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କାର୍ଯ୍ୟକାଳ ମଧ୍ୟରେ କଣ କଣ ଫରକ ରହିଛି ବୋଲି ପ୍ରଧାନମନ୍ତ୍ରୀ ଭାରତର ବିକାଶକୁ ନେଇ ତାଙ୍କର ପରିବର୍ତ୍ତିତ ଦୂରଦୃଷ୍ଟି ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସେ ଓ ଦେଶର ଜନତା ପରସ୍ପରକୁ ଜାଣିବାକୁ ବୁଝିବାକୁ ଚେଷ୍ଟା କରିଥିଲେ ଏବଂ ସେ ମଧ୍ୟ ଦିଲ୍ଲୀରେ କଣ କେମିତି ହୁଏ, ତାହା ବୁଝିବାକୁ ଚେଷ୍ଟା କରିଥିଲେ। ତାଙ୍କ ସରକାରର ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟକାଳରେ ଅତୀତର କାମକୁ ଦେଖି ସେ ନୂଆ ଲକ୍ଷ୍ୟ ସ୍ଥିର କରୁଥିଲେ। ତେବେ ତୃତୀୟ କାର୍ଯ୍ୟକାଳରେ ତାଙ୍କର ଦୃଷ୍ଟିଭଙ୍ଗୀରେ ରେ ବ୍ୟାପକ ବୃଦ୍ଧି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଥିଲେ, ତାଙ୍କର ସ୍ୱପ୍ନ ଓ ଲକ୍ଷ୍ୟ ବହୁତ ବୃଦ୍ଧି ହୋଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ  

ସେ କହିଥିଲେ, ତୃତୀୟ କାର୍ଯ୍ୟକାଳରେ ତାଙ୍କର ଦୃଷ୍ଟିକୋଣରେ ବ୍ୟାପକ ପରିବର୍ତ୍ତନ ହୋଇଛି। ତାଙ୍କର ଫୋକସ୍ ହେଲା ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ। ପାଇଖାନା, ବିଜୁଳି, ପାନୀୟ ଜଳ  ପରି ମୌଳିକ ସୁବିଧା ପ୍ରତ୍ୟେକ ନାଗରିକଙ୍କୁ ଶତ ପ୍ରତିଶତ ଭାବେ ମିଳିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଏହା କୌଣସି ସୁଖ ସୁବିଧା ନୁହେଁ, ଏସବୁ ହେଉଛି ମୌଳିକ ଆବଶ୍ୟକତା। କୌଣସି ଭେଦଭାବ ନ ରଖି ସମସ୍ତ ଭାରତୀୟ କେମିତି ଉପକୃତ ହେବେ, ତାହା ନିଶ୍ଚିତ କରିବା ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ‘ଉଚ୍ଚଭିଳାଷର ଭାରତ’ ହେଉଛି ତାଙ୍କ ପ୍ରୋତ୍ସାହନ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଭବିଷ୍ୟତ ଉପରେ ତାଙ୍କର ଫୋକସ୍ ଅଛି ଏବଂ ୨୦୪୭ ସୁଦ୍ଧା ଅନେକ କିଛି ହାସଲ କରିବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଲକ୍ଷ୍ୟ ଓ ଦୃଢ଼ ଅଧ୍ୟବସାୟକୁ ଦେଖିଲେ, ତାଙ୍କ ସରକାରର ଏହି ତୃତୀୟ କାର୍ଯ୍ୟକାଳ ବିଗତ ଦୁଇ କାର୍ଯ୍ୟକାଳ ଅପେକ୍ଷା ଭିନ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।  

ପରବର୍ତ୍ତୀ ପୀଢ଼ିର ରାଜନେତାଙ୍କୁ ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଗାମୀ ୨୦ ବର୍ଷକୁ ଦୃଷ୍ଟିରେ ରଖି ସାମର୍ଥ୍ୟ ଥିବା ନେତାଙ୍କ ପ୍ରଶିକ୍ଷଣ ଉପରେ ସେ ଫୋକସ୍ କରିଥିଲେ। ଭବିଷ୍ୟତର ଆହ୍ୱାନର ସମ୍ମୁଖୀନ ହେବା ପାଇଁ ନିଜ ଟିମକୁ କେମିତି ସେ ପ୍ରସ୍ତୁତ କରିଛନ୍ତି, ଏଥିରୁ ତାଙ୍କର ସଫଳତାକୁ ମପାଯିବ। ଭବିଷ୍ୟତରେ ଦୃଢ଼ ଓ ଦକ୍ଷ ନେତୃତ୍ୱ ତିଆରି କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।   

ପ୍ରାର୍ଥୀ ହେବା ଓ ଜଣେ ସଫଳ ରାଜନେତା ହେବା ମଧ୍ୟରେ ବହୁତ ଫରକ ଥିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ପ୍ରାର୍ଥୀ ହେବା ପାଇଁ ସେମିତି ବିଶେଷ କିଛି ଯୋଗ୍ୟତା ଦରକାର ନାହିଁ। କିନ୍ତୁ ଜଣେ ସଫଳ ରାଜନେତା ହେବା ପାଇଁ ଅନେକ ଅସାଧାରଣ ଗୁଣ ଦରକାର। ସେ କହିଥିଲେ, ଜଣେ ରାଜନେତା ସବୁବେଳେ ଜନତାଙ୍କ ନଜରରେ ରହିଥାଏ। ଗୋଟିଏ ଭୁଲ୍ ବର୍ଷ ବର୍ଷର କଠିନ ପରିଶ୍ରମକୁ ବରବାଦ କରିଦେଇପାରେ। ଜଣେ ନେତାକୁ ଦିନ ରାତି ୨୪ ଘଣ୍ଟା ସଚେତନ ଓ ଉତ୍ସର୍ଗୀକୃତ ରହିବାକୁ ପଡ଼ିବ। ଏହା କୌଣସି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟରୁ ମିଳିନଥାଏ। ଜଣେ ସଫଳ ରାଜନେତା ହେବା ପାଇଁ ଅସାଧାରଣ ପ୍ରତିଶ୍ରୁତିବଦ୍ଧତା ଓ ସଚ୍ଚୋଟତା ଦରକାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।  

 

ଆଲୋଚନା ଶେଷରେ ଶ୍ରୀ ମୋଦୀ କହିଛନ୍ତି, ରାଜନୀତି ଓ ନେତୃତ୍ୱ ନେବା ପାଇଁ ଦେଶର ଯୁବବର୍ଗ ଓ ମହିଳାମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ପଞ୍ଚାୟତସ୍ତରରେ ଥିବା ୫୦ ପ୍ରତିଶତ ସଂରକ୍ଷଣର ଲାଭ ଉଠାଇବାକୁ ସେ ଯୁବତୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ପ୍ରସ୍ତାବିତ ୩୩ ପ୍ରତିଶତ ଆସନ ସଂରକ୍ଷଣର ଫାଇଦା ନେଇ ନେତୃତ୍ୱପୂର୍ଣ୍ଣ ଭୂମିକା ଲାଗି ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୋଦୀ । ରାଜନୀତିକୁ ନକରାତ୍ମକ ଭାବେ ନ ଦେଖିବାକୁ ଓ ଦେଶ ପାଇଁ କିଛି କରିବାର ମିଶନ ନେଇ ସାଧାରଣ ଜୀବନରେ ଜଡ଼ିତ ହେବାକୁ ସେ ଆହ୍ୱାନ ଦେଇଛନ୍ତି।  ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି, ଦେଶର ଉନ୍ନତି ପାଇଁ ଏମିତି ନେତା ଦରକାର ଯିଏ ସୃଜନଶୀଳ ହୋଇଥିବ, ସମସ୍ୟାର ସମାଧାନ କରିପାରୁଥିବ ଓ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିପାରୁଥିବ। ସେ କହିଛନ୍ତି, ଆଜିର ଯୁବ ପୀଢ଼ି ୨୦୪୭ ବେଳକୁ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ପ୍ରମୁଖ ପଦପଦବୀରେ ରହିବେ। ମୋଦୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ନିର୍ଦ୍ଦିଷ୍ଟ ପାର୍ଟିରେ ଯୋଗ ଦେବା ପାଇଁ ଯୁବ ଗୋଷ୍ଠୀଙ୍କୁ ସେ କହୁ ନାହାନ୍ତି, ବରଂ ସମସ୍ତ ରାଜନୈତିକ ଦଳରେ ନୂଆ ଦୃଷ୍ଟିଭଙ୍ଗୀ, ନୂଆ ଶକ୍ତି ଆସିବା ଦରକାର। ଦେଶର ଅଭିବୃଦ୍ଧି ଓ ସୁନେଲି ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଯୁବ ନେତାଙ୍କ ଗୁରୁତ୍ୱ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।  

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.