୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧନା ଓ ସାର୍ଟିଫିକେଟ୍ ପ୍ରଦାନ
୨୫୦୦ କୋଟି ଟଙ୍କାର ପାଣ୍ଠି ଜାରି କରିବା ସହ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ବଣ୍ଟନ
ମା' ଭଉଣୀମାନଙ୍କ ଜୀବନକୁ ସହଜ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ
"ମହାରାଷ୍ଟ୍ରର ପରମ୍ପରା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଜଣାଶୁଣା"
ମହାରାଷ୍ଟ୍ରର 'ମାତୃଶକ୍ତି'ରୁ ସମଗ୍ର ଭାରତ ଅନୁପ୍ରାଣିତ ହୋଇଛି
ସମାଜ ଓ ଦେଶର ଭବିଷ୍ୟତ ଗଢ଼ିବାରେ ଭାରତର 'ମାତୃଶକ୍ତି'ର ଅବଦାନ ସବୁବେଳେ ରହିଛି
"ଗୋଟିଏ ଭଉଣୀ ଲକ୍ଷପତି ଦିଦି ହେଲେ ପୂରା ପରିବାରର ଭାଗ୍ୟ ବଦଳିଯାଏ"
"ଆମ ସରକାର ଝିଅମାନଙ୍କ ପାଇଁ ସବୁ କ୍ଷେତ୍ର ଖୋଲୁଛନ୍ତି ଯାହା ଏକଦା ସେମାନଙ୍କ ପାଇଁ ସୀମିତ ଥିଲା
ସରକାର ବଦଳିପାରେ, କିନ୍ତୁ ସମାଜ ଓ ସରକାର ଭାବେ ଆମର ସବୁଠାରୁ ବଡ଼ ଦାୟିତ୍ୱ ମହିଳାଙ୍କ ଜୀବନ ଓ ମର୍ଯ୍ୟାଦା ରକ୍ଷା କରିବା ହେବା ଉଚିତ
ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଅଛନ୍ତି । ଯେପର୍ଯ୍ୟନ୍ତ ଭାରତୀୟ ସମାଜରୁ ଏହି ପାପମାନସିକତା ଦୂର ହୋଇନାହିଁ ସେ ପର୍ଯ୍ୟନ୍ତ ଆମେ ଅଟକି ପାରିବୁ ନାହିଁ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଓଁଠାରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇଥିଲେ । ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳିରେ ନିକଟରେ ଲକ୍ଷପତି ହୋଇଥିବା ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସେ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ମୋଦୀ ୨,୫୦୦ କୋଟି ଟଙ୍କାର ରିଭଲଭିଂ ପାଣ୍ଠି ଜାରି କରିଛନ୍ତି, ଯେଉଁଥିରେ ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଉପକୃତ ହୋଇଛନ୍ତି। ସେ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରିଛନ୍ତି ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ । ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି ଏବଂ ସରକାର ୩ କୋଟି ଲକ୍ଷପତି ଦିଦିଙ୍କୁ ଟାର୍ଗେଟ କରିଛନ୍ତି ।

 

ଏହି ଅବସରରେ ଉପସ୍ଥିତ ଥିବା ମା' ଓ ଭଉଣୀଙ୍କ ପ୍ରବଳ ଭିଡ଼ପ୍ରତି କୃତଜ୍ଞତା ଜ୍ଞାପନ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଆଗକୁ ବଢ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନେପାଳର ତାନାହୁନରେ ଘଟିଥିବା ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଥିଲେ। ସେ ସୂଚନା ଦେଇଛନ୍ତି ଯେ ଦୁର୍ଘଟଣା ଘଟିବା ମାତ୍ରେ କର୍ତ୍ତୃପକ୍ଷ ସେମାନଙ୍କ ନେପାଳୀ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ଏବଂ କେନ୍ଦ୍ରମନ୍ତ୍ରୀ ରକ୍ଷାତାଇ ଖଡ଼ସେଙ୍କୁ ନେପାଳ ପଠାଯାଇଥିଲା। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ମୃତକଙ୍କ ମରଶରୀର ଅଣାଯାଇଛି ଏବଂ ଆହତଙ୍କ ଯତ୍ନ ନିଆଯାଉଛି ବୋଲି ସେ କହିଛନ୍ତି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

 

ଲକ୍ଷପତି ଦିଦି ସମ୍ମିଳନୀର ବିଶାଳ କାର୍ଯ୍ୟକ୍ରମରେ ମା' ଓ ଭଉଣୀଙ୍କ ବିପୁଳ ଜନସମାଗମରେ ଯୋଗ ଦେଇଥିବାରୁ ଖୁସି ବ୍ୟକ୍ତ କରି ଶ୍ରୀ ମୋଦୀ କହିଥିଲେ, ଆଜି ସମଗ୍ର ଭାରତରେ ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୬୦୦୦ କୋଟିରୁ ଅଧିକ ଟଙ୍କାର ପାଣ୍ଠି ବଣ୍ଟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପାଣ୍ଠି ଅନେକ ମହିଳାଙ୍କୁ ' ଲକ୍ଷପତି ଦିଦି'ରେ ପରିଣତ କରିବା ପାଇଁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 

ମହାରାଷ୍ଟ୍ରର ମା' ଓ ଭଉଣୀମାନେ ରାଜ୍ୟର ଗୌରବମୟ ସଂସ୍କୃତି ଓ ପରମ୍ପରାର ଝଲକ ଦେଖନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । "ମହାରାଷ୍ଟ୍ରର ପରମ୍ପରା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଜଣାଶୁଣା", ପ୍ରଧାନମନ୍ତ୍ରୀ କହିଥିଲେ । ନିକଟରେ ପୋଲାଣ୍ଡ ଗସ୍ତ ସମୟରେ ସେ ମହାରାଷ୍ଟ୍ରର ସଂସ୍କୃତିକୁ ଦେଖିଥିବା କଥା ଉଲ୍ଲେଖ କରି କହିଥିଲେ ଯେ ପୋଲାଣ୍ଡ ନାଗରିକଙ୍କ ଦ୍ୱାରା ମହାରାଷ୍ଟ୍ରର ଲୋକମାନେ ଅତ୍ୟନ୍ତ ସମ୍ମାନିତ । ସେ କୋହ୍ଲାପୁର ସ୍ମାରକୀ ବିଷୟରେ କହିଥିଲେ ଯାହା ପୋଲାଣ୍ଡର ଲୋକମାନଙ୍କ ଦ୍ୱାରା କୋହ୍ଲାପୁରବାସୀଙ୍କ ସେବା ଏବଂ ଆତିଥେୟତା ଭାବନାକୁ ସମର୍ପିତ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୁଗକୁ ମନେ ପକାଇ ଯେତେବେଳେ ଶିବାଜୀ ମହାରାଜଙ୍କ ପରମ୍ପରାକୁ ଅନୁସରଣ କରି ପୋଲାଣ୍ଡର ହଜାର ହଜାର ମହିଳା ଓ ଶିଶୁଙ୍କୁ କୋହ୍ଲାପୁରର ରାଜ ପରିବାର ଆଶ୍ରୟ ଦେଇଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଥିଲେ ଯେତେବେଳେ ତାଙ୍କର ବିଦେଶ ଗସ୍ତ ସମୟରେ ତାଙ୍କୁ ଏଭଳି ବୀରତ୍ୱର କାହାଣୀ ବର୍ଣ୍ଣନା କରାଯାଇଥିଲା । ସମାନ ମାର୍ଗଅନୁସରଣ କରି ବିଶ୍ୱରେ ରାଜ୍ୟର ନାମ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ ମହାରାଷ୍ଟ୍ରର ସଂସ୍କୃତି ହେଉଛି ସେହି ଭୂମିର ସାହସୀ ଏବଂ ମହିୟସୀ ମହିଳାମାନଙ୍କର ସୃଷ୍ଟି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ଭାରତ ମହାରାଷ୍ଟ୍ରର 'ମାତୃଶକ୍ତି'ରୁ ପ୍ରେରିତ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଜଳଗାଓଁ ହେଉଛି ବରକାରୀ ପରମ୍ପରାର ଏକ ମନ୍ଦିର । ଏହା ହେଉଛି ମହାନ ସନ୍ଥ ମୁକ୍ତାଇଙ୍କ ମାଟି। ତାଙ୍କ ସଫଳତା ଓ ତପସ୍ୟା ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି ସେ କହିଛନ୍ତି।

ଶ୍ରୀ ମୋଦୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ବହିନାବାଇଙ୍କ କବିତା ସମାଜକୁ ଧାରଣା ବାହାରେ ଚିନ୍ତା କରିବାକୁ ବାଧ୍ୟ କରୁଛି। ମହାରାଷ୍ଟ୍ରର ଯେ କୌଣସି କୋଣ ହେଉ, ଇତିହାସର ଯେ କୌଣସି ଯୁଗ ହେଉ, ମାତୃଶକ୍ତିର ଅବଦାନ ଅତୁଳନୀୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ରର ମାତୃଶକ୍ତି ବିଷୟରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ମାତା ଜିଜାବାଇ ଛତ୍ରପତି ଶିବାଜୀଙ୍କ ଜୀବନକୁ ଏକ ଦିଗ ଦର୍ଶନ ଦେଇଥିବା ବେଳେ ଆଉ ଜଣେ ମରାଠୀ ମହିଳା ସାବିତ୍ରୀବାଇ ଫୁଲେ ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କ କାର୍ଯ୍ୟ ପଛର ଶକ୍ତି ଥିଲେ, ଯେତେବେଳେ ସମାଜରେ ଏହାକୁ ଗୁରୁତ୍ୱ ଦିଆଯାଇନଥିଲା ।

 

ସମାଜ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣରେ ଭାରତର ନାରୀ ଶକ୍ତିସର୍ବଦା ଅବଦାନ ରଖିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆଜି ଯେତେବେଳେ ଭାରତ ବିକଶିତ ହେବା ପାଇଁ ପ୍ରୟାସ କରୁଛି, ସେତେବେଳେ ଆମର ନାରୀ ଶକ୍ତି ପୁଣି ଥରେ ଆଗେଇ ଆସୁଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ମହାରାଷ୍ଟ୍ରର ମହିଳାମାନଙ୍କ ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି ଯେ ମୁଁ ଆପଣ ମାନଙ୍କ ମଧ୍ୟରେ ରାଜମାତା ଜିଜାବାଇ ଏବଂ ସାବିତ୍ରୀବାଇ ଫୁଲେଙ୍କ ଛାପ ଦେଖୁଛି ।

 

୨୦୨୪ ଲୋକସଭା ନିର୍ବାଚନ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ତାଙ୍କ ମହାରାଷ୍ଟ୍ର ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ୧ କୋଟି ଲକ୍ଷପତି ଦିଦି ତିଆରି ହୋଇଥିବା ବେଳେ କେବଳ ଗତ ଦୁଇ ମାସ ମଧ୍ୟରେ ୧୧ ଲକ୍ଷ ନୂଆ ଲଖପତି ଦିଦି ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ମଧ୍ୟ ୧ ଲକ୍ଷ ଲକ୍ଷପତି ଦିଦି ତିଆରି ହୋଇଛି। ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏକାଧିକ ନୂତନ ଯୋଜନା ଏବଂ କାର୍ଯ୍ୟକ୍ରମ ଆରମ୍ଭ କରି ମହାରାଷ୍ଟ୍ରରେ ମହିଳାମାନଙ୍କୁ ସଶକ୍ତ ଏବଂ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମଗ୍ର ଟିମ୍ ଏକାଠି ହୋଇଥିବା ଗୁରୁତ୍ୱାରୋପ କରିଥିଲେ ।

 

ଲକ୍ଷପତି ଦିଦି ଅଭିଯାନ କେବଳ ମା' ଓ ଭଉଣୀଙ୍କ ଆୟ ବଢ଼ାଇବାର ଏକ ଉପାୟ ନୁହେଁ ବରଂ ପରିବାର ଓ ଭବିଷ୍ୟତ ପିଢ଼ିକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ଅଭିଯାନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି। "ଏଠାରେ ଉପସ୍ଥିତ ପ୍ରତ୍ୟେକ ମହିଳା ଜାଣନ୍ତି ଯେ ଯେତେବେଳେ ସେ ଜୀବିକା ନିର୍ବାହ କରିବା ଆରମ୍ଭ କରନ୍ତି ସେତେବେଳେ ସମାଜରେ ତାଙ୍କର ସାମାଜିକ ସ୍ଥିତି ଉନ୍ନତ ହୋଇଥାଏ", ପ୍ରଧାନମନ୍ତ୍ରୀ କହିଥିଲେ ଯେ ରୋଜଗାର ବୃଦ୍ଧି ସହିତ ପରିବାରର କ୍ରୟ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଜଣେ ଭଉଣୀ ଲକ୍ଷପତି ଦିଦି ହେଲେ ପୂରା ପରିବାରର ଭାଗ୍ୟ ବଦଳିଯାଏ ବୋଲି ସେ କହିଛନ୍ତି।

 

ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିବାରେ ମହିଳାଙ୍କ ଅବଦାନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଅତୀତରେ ମହିଳାଙ୍କ ବିକାଶ ପ୍ରତି ଅବହେଳା ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଦେଶର କୋଟି କୋଟି ମହିଳାଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ ଯାହା କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ୟାଙ୍କ ଋଣ ପାଇବାରେ ବଡ଼ ବାଧା ସୃଷ୍ଟି କରିଥିଲା। ତେଣୁ ମୁଁ ମହିଳାଙ୍କ ଉପରେ ବୋଝ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲି ଏବଂ ମୋଦି ସରକାର ଗୋଟିଏ ପରେ ଗୋଟିଏ ମହିଳାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବର୍ତମାନର ସରକାରର ୧୦ ବର୍ଷର ପୂର୍ବ ସରକାର ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ଅତୀତର ଅନ୍ୟ କୌଣସି ସରକାର ତୁଳନାରେ ମହିଳାଙ୍କ ସ୍ୱାର୍ଥ ପାଇଁ ଅଧିକ କାମ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଘରର ମହିଳାଙ୍କ ନାମରେ ଗରିବଙ୍କ ପାଇଁ ଘର ପଞ୍ଜୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ନିର୍ମିତ ୪ କୋଟି ଘର ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି। ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ନିର୍ମାଣ ହେବାକୁ ଥିବା ୩ କୋଟି ଘର ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ପଞ୍ଜୀକୃତ ହେବ ।

 

ବ୍ୟାଙ୍କିଂ କ୍ଷେତ୍ରରେ ହୋଇଥିବା ସଂସ୍କାର ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମଧ୍ୟ ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟ ମହିଳାଙ୍କ ନାମରେ ଖୋଲାଯାଇଥିଲା । ପ୍ରଧାନମନ୍ତ୍ରୀ ମନ୍ତୀ ମୁଦ୍ରା ଯୋଜନାର ପ୍ରାୟ ୭୦ ପ୍ରତିଶତ ହିତାଧିକାରୀ ହେଉଛନ୍ତି ଦେଶର ମା' ଭଉଣୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

 

ଅତୀତରେ ମହିଳାମାନଙ୍କୁ ଋଣ ନଦେବା ପାଇଁ ତାଙ୍କୁ କିପରି ଚେତାବନୀ ଦିଆଯାଇଥିଲା ତାହା ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ମାତୃଶକ୍ତି ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ସେମାନେ ବିନା ବିଫଳରେ ସଚ୍ଚୋଟ ଭାବରେ ଋଣ ଫେରସ୍ତ କରିବେ। ମହିଳାଙ୍କ ପ୍ରତିକ୍ରିୟାରେ ଉତ୍ସାହିତ ହୋଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ପିଏମ ମୁଦ୍ରା ଯୋଜନାର ଋଣ ସୀମାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

 

ରାସ୍ତାକଡ଼ରେ ବିକ୍ରେତାମାନଙ୍କ ପାଇଁ ଆରମ୍ଭ ହୋଇଥିବା ସ୍ୱନିଧି ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱନିଧିରେ ମଧ୍ୟ ବିନା ଗ୍ୟାରେଣ୍ଟିରେ ଋଣ ଦିଆଯାଉଛି, ଯାହାର ସୁଫଳ ମହିଳାଙ୍କ ପାଖରେ ପହଞ୍ଚିଛି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ତଶିଳ୍ପ କରୁଥିବା ବିଶ୍ୱକର୍ମା ପରିବାରର ଅନେକ ମହିଳାଙ୍କୁ ତାଙ୍କ ସରକାର ବିନା ଗ୍ୟାରେଣ୍ଟିରେ ସୁବିଧା ପ୍ରଦାନ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଖୀ ମଣ୍ଡଳୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଗୁରୁତ୍ୱକୁ ପୂର୍ବରୁ ସ୍ୱୀକୃତି ଦିଆଯାଇନଥିଲା ଏବଂ ଆଜି ସେମାନେ ଭାରତର ଅର୍ଥନୀତିରେ ଏକ ବିଶାଳ ଶକ୍ତି ହେବା ରାସ୍ତାରେ ଅଛନ୍ତି । ପ୍ରତ୍ୟେକ ଗାଁ ଓ ଆଦିବାସୀ ଅଂଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି ବୋଲି ସେ ଆଲୋକପାତ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ୧୦ କୋଟି ମହିଳା ଏହି ଅଭିଯାନରେ ସାମିଲ ହୋଇଛନ୍ତି ଏବଂ କମ୍ ସୁଧରେ ଋଣ ପ୍ରଦାନ କରିବା ପାଇଁ ସେମାନଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଏକ ଅଂଶ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ୨୦୧୪ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୫,୦୦୦ କୋଟି ଟଙ୍କାରୁ କମ୍ ମୂଲ୍ୟର ବ୍ୟାଙ୍କ ଋଣ ମଞ୍ଜୁର ହୋଇଥିବା ବେଳେ ଆଜି ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ପ୍ରତ୍ୟକ୍ଷ ସହାୟତା ମଧ୍ୟ ପ୍ରାୟ ୩୦ ଗୁଣ ବୃଦ୍ଧି କରାଯାଇଛି।

 

ମା' ଓ ଭଉଣୀଙ୍କ ଭୂମିକା ସମ୍ପର୍କରେ ଆଜି ବିସ୍ତୃତ ଭାବେ ଆଲୋଚନା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପ୍ରତି ଗାଁରେ ୧ ଲକ୍ଷ ୨୫ ହଜାରରୁ ଅଧିକ ବ୍ୟାଙ୍କ ସଖୀ, ଡ୍ରୋନ୍ ସାହାଯ୍ୟରେ ଆଧୁନିକ ଚାଷରେ ସହଯୋଗ କରିବା ପାଇଁ ମହିଳାମାନେ ଡ୍ରୋନ୍ ପାଇଲଟ୍ ହେବା ଏବଂ ପଶୁସମ୍ପଦ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ୨ ଲକ୍ଷ ପଶୁ ସଖୀଙ୍କୁ ପ୍ରଶିକ୍ଷଣ ଦେବାର ଉଦାହରଣ ଦେଇଥିଲେ। ଆଧୁନିକ କୃଷି ଏବଂ ପ୍ରାକୃତିକ ଚାଷ ପାଇଁ ନାରୀଶକ୍ତିକୁ ନେତୃତ୍ୱ ଦେବା ପାଇଁ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ଦେଶର ପ୍ରତ୍ୟେକ ଗାଁରେ ଏଭଳି ଲକ୍ଷ ଲକ୍ଷ କୃଷି ସଖୀ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନ ଝିଅମାନଙ୍କୁ ନିଯୁକ୍ତି ଦେବ ଏବଂ ସେମାନଙ୍କ ର ଆତ୍ମବିଶ୍ୱାସ ମଧ୍ୟ ବଢ଼ାଇବ । ଝିଅମାନଙ୍କ ଶକ୍ତି କୁ ନେଇ ସମାଜରେ ଏକ ନୂଆ ଚିନ୍ତାଧାରା ସୃଷ୍ଟି ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି।

 

ଗତ ମାସରେ ଗୃହରେ ପାରିତ ହୋଇଥିବା କେନ୍ଦ୍ର ବଜେଟକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମହିଳାଙ୍କ ସହ ଜଡିତ ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । କର୍ମଜୀବୀ ମହିଳା ହଷ୍ଟେଲ ଏବଂ ପିଲାମାନଙ୍କ ପାଇଁ କ୍ରେଚ୍ ସୁବିଧା ଭଳି କାରଖାନା ଓ କାର୍ଯ୍ୟାଳୟରେ କାମ କରୁଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୃଷ୍ଟି କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସେ ଉଲ୍ଲେଖ କରିଥିଲେ। ଏକଦା ମହିଳାମାନଙ୍କ ପାଇଁ ନିଷିଦ୍ଧ ଥିବା ସମସ୍ତ କ୍ଷେତ୍ରକୁ ଖୋଲିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଲଢୁଆ ପାଇଲଟ, ସୈନିକ ସ୍କୁଲ ଏବଂ ଏକାଡେମୀରେ ନାମଲେଖା ଏବଂ ପୋଲିସ ବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ସମେତ ତିନୋଟି ସଶସ୍ତ୍ର ବାହିନୀର ମହିଳା ଅଧିକାରୀଙ୍କ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବହୁ ସଂଖ୍ୟକ ମହିଳା ଗ୍ରାମରେ କୃଷି ଏବଂ ଦୁଗ୍ଧ କ୍ଷେତ୍ରଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ବିପ୍ଳବ ବ୍ୟବସାୟ ପରିଚାଳନା କରୁଛନ୍ତି । ରାଜନୀତିରେ ଝିଅମାନଙ୍କ ର ଭାଗିଦାରୀ ବୃଦ୍ଧି କରିବା ପାଇଁ ସେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ମଧ୍ୟ ସ୍ପର୍ଶ କରିଥିଲେ ।

 

ମହିଳାଙ୍କ ସଶକ୍ତୀକରଣ ସହିତ ସେମାନଙ୍କ ସୁରକ୍ଷା ଦେଶର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ନିର୍ବିଶେଷରେ ମୁଁ ମୋ ଭଉଣୀ ଓ ଝିଅମାନଙ୍କ ଯନ୍ତ୍ରଣା ଓ କ୍ରୋଧକୁ ବୁଝିପାରୁଛି। କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟ ସରକାର ଏବଂ ରାଜନୈତିକ ଦଳମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ମହିଳାଙ୍କ ଉପରେ ଅତ୍ୟାଚାର ଏକ ଅକ୍ଷମୀୟ ପାପ ଏବଂ ଦୋଷୀ ଏବଂ ତାଙ୍କ ସହଯୋଗୀଙ୍କୁ ଛଡ଼ାଯିବା ଉଚିତ ନୁହେଁ ।

 

ଡାକ୍ତରଖାନା ହେଉ କି ସ୍କୁଲ ହେଉ କିମ୍ବା ଅଫିସ ହେଉ କିମ୍ବା ପୋଲିସ ବ୍ୟବସ୍ଥା, ସରକାରୀ ଅନୁଷ୍ଠାନଗୁଡ଼ିକୁ ଉତ୍ତରଦାୟୀ କରାଯିବା ଉଚିତ ଏବଂ ସେମାନଙ୍କର କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ବଦଳିପାରେ, କିନ୍ତୁ ଏକ ସମାଜ ଏବଂ ସରକାର ଭାବରେ ଆମର ସବୁଠାରୁ ବଡ ଦାୟିତ୍ୱ ମହିଳାଙ୍କ ଜୀବନ ଏବଂ ସମ୍ମାନର ସୁରକ୍ଷା କରିବା ହେବା ଉଚିତ ।

 

ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ କଠୋରଦଣ୍ଡ ଦେବା ପାଇଁ ସରକାର ଆଇନକୁ କ୍ରମାଗତ ଭାବେ କଠୋର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅଭିଯୋଗ ପାଇଁ ଏଫଆଇଆର ପୂର୍ବରୁ ଠିକ୍ ସମୟରେ ପଞ୍ଜୀକୃତ ହୋଇନଥିଲା ଏବଂ ମାମଲା ଗୁଡ଼ିକ ଅତ୍ୟନ୍ତ ସମୟସାପେକ୍ଷ ହୋଇଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ରେ ଏଭଳି ପ୍ରତିବନ୍ଧକ ଦୂର କରାଯାଇଛି ଯେଉଁଠାରେ ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଏକ ପୁରା ଅଧ୍ୟାୟ ପ୍ରସ୍ତୁତ କରାଯାଇଛି । ଯଦି ପୀଡ଼ିତା ଥାନାକୁ ଯିବାକୁ ଚାହାଁନ୍ତି ନାହିଁ ତେବେ ଇ-ଏଫଆଇଆର ରୁଜୁ କରିପାରିବେ ଏବଂ ଥାନା ସ୍ତରରେ ଇ-ଏଫଆଇଆରରେ କୌଣସି ପ୍ରକାର ତ୍ରୁଟି ନ କରିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ଦ୍ରୁତ ତଦନ୍ତ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବାରେ ସହାୟକ ହେବ ବୋଲି ସେ କହିଛନ୍ତି। ନୂଆ ଆଇନରେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଓ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଏନଏସ ବିବାହ ର ମିଥ୍ୟା ପ୍ରତିଶ୍ରୁତି ଏବଂ ପ୍ରତାରଣାକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରେ ଯାହା ବିବାହ ନାମରେ ଠକେଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ରୋକିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ରାଜ୍ୟ ସରକାରଙ୍କ ସହ ଅଛନ୍ତି । ଯେପର୍ଯ୍ୟନ୍ତ ଭାରତୀୟ ସମାଜରୁ ଏହି ପାପ ମାନସିକତା ଦୂର ହୋଇନାହିଁ ସେ ପର୍ଯ୍ୟନ୍ତ ଆମେ ଅଟକି ପାରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

 

ପ୍ରଧାନମନ୍ତ୍ରୀ ବିକାଶ ପଥରେ ଭାରତର ଅଗ୍ରଗତିରେ ମହାରାଷ୍ଟ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ମହାରାଷ୍ଟ୍ର ବିକ୍ଷିତ ଭାରତର ଏକ ଉଜ୍ଜ୍ୱଳ ନକ୍ଷେତ୍ର । ମହାରାଷ୍ଟ୍ର ସମଗ୍ର ବିଶ୍ୱର ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏବଂ ରାଜ୍ୟର ଭବିଷ୍ୟତ ଅଧିକରୁ ଅଧିକ ପୁଞ୍ଜିନିବେଶ ଏବଂ ନୂତନ ନିଯୁକ୍ତି ସୁଯୋଗରେ ରହିଛି ବୋଲି ସେ ଆଲୋକପାତ କରିଥିଲେ। ରାଜ୍ୟରେ ଏକ ସ୍ଥିର ସରକାରର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯାହା ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିପାରିବ ଏବଂ ଯୁବକମାନଙ୍କ ଶିକ୍ଷା, ଦକ୍ଷତା ଏବଂ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇପାରିବ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଏକ ସ୍ଥିର ଓ ସମୃଦ୍ଧ ମହାରାଷ୍ଟ୍ର ପାଇଁ ରାଜ୍ୟର ମା' ଓ ଝିଅମାନେ ଏକାଠି ହେବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି ପି ରାଧାକ୍ରିଷ୍ଣନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଶ୍ରୀ ଅଜିତ ପାୱାର ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"