ମହାନ ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ଜଣାଇ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ
ଚୈତନ୍ୟ ମହାପ୍ରଭୁ ଥିଲେ କୃଷ୍ଣଙ୍କ ପ୍ରତି ପ୍ରେମର ପରଶ ମଣି । ସେ ଆଧ୍ୟାତ୍ମିକତା ଓ ଧ୍ୟାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଥିଲେ
ଭକ୍ତି ହେଉଛି ଆମ ଋଷିମୁନି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ମହାନ ଦର୍ଶନ । ଏହା ନିରାଶା ନୁହେଁ ବରଂ ଆଶା ଓ ଆତ୍ମବିଶ୍ୱାସ । ଭକ୍ତି ଭୟ ନୁହେଁ, ଏହା ହେଉଛି ଉତ୍ସାହ
କେବଳ ସ୍ୱାଧୀନତା ଆନ୍ଦୋଳନ ନୁହେଁ, ପ୍ରତ୍ୟେକ ଆହ୍ୱାନପୂର୍ଣ୍ଣ ପର୍ଯ୍ୟାୟରେ ଦେଶକୁ ମାର୍ଗଦର୍ଶନ କରିବାରେ ଆମ ଭକ୍ତି ମାର୍ଗୀ ସନ୍ଥମାନେ ଅସାଧାରଣ ଭୂମିକା ଗ୍ରହଣ କରିଛନ୍ତି
ଆମେ ଦେଶକୁ 'ଦେବ' ଭାବରେ ବିବେଚନା କରୁ ଏବଂ 'ଦେବ ରୁ ଦେଶ' ର ଦୃଷ୍ଟିଭଙ୍ଗୀ ନେଇ ଆଗକୁ ବଢ଼ିଥାଉ
"ଭାରତର ବିବିଧତା ମଧ୍ୟରେ ଏକତାର ମନ୍ତ୍ରରେ ବିଭାଜନ ପାଇଁ କୌଣସି ସ୍ଥାନ ନାହିଁ"
"'ଏକ ଭାରତ ଶ୍ରେଷ୍ଠ ଭାରତ' ହେଉଛି ଭାରତର ଆଧ୍ୟାତ୍ମିକ ବିଶ୍ୱାସ"
"ବଙ୍ଗ ହେଉଛି ଆଧ୍ୟାତ୍ମିକତା ଏବଂ ବୌଦ୍ଧିକତା କ୍ଷେତ୍ରରେ ନିରନ୍ତର ଶକ୍ତିର ଉତ୍ସ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

 

ଆୟୋଜିତ ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏତେ ମହାନ ସନ୍ଥଙ୍କ ଉପସ୍ଥିତିରେ ଭାରତ ମଣ୍ଡପମ୍‌ର ମହିମା ବହୁଗୁଣିତ ହୋଇଛି ଏବଂ ଏହି ସୌଧର ଅବଧାରଣା ଭଗବାନ ବାସବେଶ୍ୱରଙ୍କ 'ଅନୁଭବ ମଣ୍ଡପ' ଉପରେ ଆଧାରିତ । ଏହା ପ୍ରାଚୀନ ଭାରତରେ ଆଧ୍ୟାତ୍ମିକ ଆଲୋଚନାର କେନ୍ଦ୍ର ଥିଲା ବୋଲି ସେ କହିଥିଲେ । "ଅନୁଭବ ମଣ୍ଡପ" ସମାଜ କଲ୍ୟାଣର ବିଶ୍ୱାସ ଏବଂ ସଂକଳ୍ପର ଶକ୍ତିର କେନ୍ଦ୍ର ଥିଲା" ବୋଲି ସେ ମନ୍ତବ୍ୟ ଦେଇଥିଲେ । ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, "ଆଜି ଭାରତ ମଣ୍ଡପମ୍ ଠାରେ ମଧ୍ୟ ସମାନ ଶକ୍ତି ଦେଖିବାକୁ ମିଳିଛି । 

ଭାରତ ମଣ୍ଡପମ୍‌କୁ ଭାରତର ଆଧୁନିକ ସାମର୍ଥ୍ୟ ଏବଂ ପ୍ରାଚୀନ ମୂଳର କେନ୍ଦ୍ରରେ ପରିଣତ କରିବା ଉପରେ ସରକାରଙ୍କ ଗୁରୁତ୍ୱକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏଠାରେ ଶେଷ ହୋଇଥିବା ଜି - ୨୦ ଶିଖର ସମ୍ମିଳନୀକୁ ମନେ ପକାଇଥିଲେ ଯେଉଁଥିରେ ନୂତନ ଭାରତର ଅନେକ ସମ୍ଭାବନାର ଝଲକ ଦେଖିବାକୁ ମିଳିଥିଲା । "ଆଜି, ଏହି ସ୍ଥାନରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଆୟୋଜନ କରାଯାଉଛି" ବୋଲି ଉଲ୍ଳେଖ କରିବା ସହିତ ଶ୍ରୀ ମୋଦୀ କହିଥିଲେ ଯେ , ଏହି ବିକାଶ ଏବଂ ଐତିହ୍ୟର ମିଶ୍ରଣ ନୂତନ ଭାରତର ଏକ ଚିତ୍ର ଉପସ୍ଥାପନ କରୁଛି, ଯେଉଁଠାରେ ଆଧୁନିକତାକୁ ସ୍ୱାଗତ କରାଯାଇଛି ଏବଂ ଏହି ପରିଚୟ ହେଉଛି ଏକ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ଏହି ଭବ୍ୟ ସମାରୋହରେ ସାମିଲ ହୋଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଏହା ସହ ଭଗବାନ କୃଷ୍ଣଙ୍କ ନିକଟରେ ପ୍ରଣାମ କରିଥିଲେ । ସେ ଶ୍ରୀଲ ପ୍ରଭୁପାଦଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସମ୍ମାନରେ ଉନ୍ମୋଚିତ ଡାକ ଟିକଟ ଏବଂ ସ୍ମାରକୀ ମୁଦ୍ରା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିରର ସ୍ଥାପନାର ଶୁଭ ଅବସର ସମୟରେ ଶ୍ରୀଲ ପ୍ରଭୁପାଦ ଜୀ’ଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ଲୋକଙ୍କ ମୁହଁରେ ଫୁଟି ଉଠୁଥିବା ଖୁସିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ବିଶାଳ ଯଜ୍ଞ ସମ୍ପନ୍ନ ହେବାର ଶ୍ରେୟ ସାଧୁସନ୍ଥମାନଙ୍କ ଆଶୀର୍ବାଦକୁ ଦେଇଛନ୍ତି । 

ଭକ୍ତିର ଆନନ୍ଦ ଅନୁଭବ କରିବାର ପରିସ୍ଥିତି ସୃଷ୍ଟି କରିବା ପାଇଁ ଚୈତନ୍ୟ ମହାପ୍ରଭୁଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଚୈତନ୍ୟ ମହାପ୍ରଭୁ ଥିଲେ କୃଷ୍ଣ ପ୍ରେମର ପରଶମଣି । ସେ ଆଧ୍ୟାତ୍ମିକତା ଏବଂ ଧ୍ୟାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ " ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ଚୈତନ୍ୟ ମହାପ୍ରଭୁ ଆନନ୍ଦ ମାଧ୍ୟମରେ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ଅନୁଭୂତିକୁ ମନେ ପକାଇଥିଲେ, ଯେତେବେଳେ ତାଙ୍କ ଜୀବନର ଏକ ପର୍ଯ୍ୟାୟରେ ସେ ଅନୁଭବ କରିଥିଲେ ଯେ ଭକ୍ତିରେ ସମ୍ପୂର୍ଣ୍ଣ ଭାବରେ ନିମଜ୍ଜିତ ହେବା ସତ୍ତ୍ୱେ ଏକ ଶୂନ୍ୟତା ଥିଲା, ଦୂରତା ଥିଲା । ଭଜନ କୀର୍ତ୍ତନର ଆନନ୍ଦ ହିଁ ଗୋଟିଏ ମୁହୂର୍ତ୍ତରେ ପୂର୍ଣ୍ଣ ଭାବରେ ଏଥିରେ ସମର୍ପିତ ହେବା ପାଇଁ ସକ୍ଷମ କରିଥିଲା ବୋଲି ସେ କହିଛନ୍ତି । "ମୁଁ ବ୍ୟକ୍ତିଗତ ଭାବରେ ଚୈତନ୍ୟ ମହାପ୍ରଭୁଙ୍କ ପରମ୍ପରାର ଶକ୍ତିକୁ ଅନୁଭବ କରିଛି", ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । 

 

 ଆଜି ମଧ୍ୟ ସେ କହିଥିଲେ, ' ଯେତେବେଳେ କୀର୍ତ୍ତନ ଚାଲିଥିଲା', ମୁଁ ଜଣେ ଭକ୍ତ ଭାବରେ ତାଳି ବଜାଉଥିଲି, ଜଣେ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଚୈତନ୍ୟ ମହାପ୍ରଭୁ କୃଷ୍ଣ ଲୀଳା ଚରିତ ରଚନା କରିବା ସହିତ ଜୀବନକୁ ବୁଝିବାରେ ଏହାର ମହତ୍ତ୍ୱ ସମ୍ପର୍କରେ ଉଲ୍ଳେଖ କରିଥିଲେ । 

"ଚୈତନ୍ୟ ମହାପ୍ରଭୁଙ୍କ ପରି ବ୍ୟକ୍ତିତ୍ୱ ମାନେ କୌଣସି ନା କୌଣସି ଉପାୟରେ ସମୟ ସହିତ ସେମାନଙ୍କ କାର୍ଯ୍ୟର ପ୍ରଚାରପ୍ରସାର କରନ୍ତି" ବୋଲି ଉଲ୍ଲେଖ କରିବା ସହିତ ଶ୍ରୀଲ ପ୍ରଭୁପାଦ ଜୀ ଏହି ବିଶ୍ୱାସର ଅବତାର ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଶ୍ରୀଲ ପ୍ରଭୁପାଦ ଜୀ’ଙ୍କ ଜୀବନ ଆମକୁ ଧ୍ୟାନ ଦ୍ୱାରା କୌଣସି ଜିନିଷକୁ କିପରି ହାସଲ କରିବାକୁ ହେବ ତାହା ଶିଖାଇଥିଲା ଏବଂ ଏହାର ଅର୍ଥ ସମସ୍ତଙ୍କର କଲ୍ୟାଣ ପର୍ଯ୍ୟନ୍ତ ପଥକୁ ଆଲୋକିତ କରିଥିଲା । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଶ୍ରୀଲ ପ୍ରଭୁପାଦ ଜୀ ୧୦ ବର୍ଷରୁ କମ୍ ବୟସରେ ଗୀତାକୁ ମୁଖସ୍ଥ କରିଥିଲେ ଏବଂ ସଂସ୍କୃତ, ବ୍ୟାକରଣ ଏବଂ ବେଦରେ ଜ୍ଞାନ ମଧ୍ୟ ହାସଲ କରିଥିଲେ । 

ସେ କହିଥିଲେ ଯେ ଶ୍ରୀଲ ପ୍ରଭୁପାଦ ଜୀ ଜ୍ୟୋତିର୍ବିଜ୍ଞାନ ଗଣିତରେ ସୂର୍ଯ୍ୟ ସିଦ୍ଧାନ୍ତ ଗ୍ରନ୍ଥକୁ ବର୍ଣ୍ଣନା କରିଥିଲେ ଏବଂ ସିଦ୍ଧାନ୍ତ ସରସ୍ୱତୀ ଡିଗ୍ରୀ ହାସଲ କରିଥିଲେ । ୨୪ ବର୍ଷ ବୟସରେ ସେ ଏକ ସଂସ୍କୃତ ବିଦ୍ୟାଳୟ ମଧ୍ୟ ଖୋଲିଥିଲେ । ଶ୍ରୀଲ ପ୍ରଭୁପାଦ ଜୀ ୧୦୦ରୁ ଅଧିକ ପୁସ୍ତକ ଓ ପ୍ରବନ୍ଧ ରଚନା କରିଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ଏକ ପ୍ରକାରରେ , ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଶ୍ରୀଲ ପ୍ରଭୁପାଦ ଜୀ ଜ୍ଞାନ ମାର୍ଗ ଏବଂ ଭକ୍ତି ମାର୍ଗ (ଜ୍ଞାନ ଏବଂ ସମର୍ପଣର ମାର୍ଗ) ମଧ୍ୟରେ ଜୀବନ ସହିତ ଏକ ସନ୍ତୁଳନ ସୃଷ୍ଟି କରିଥିଲେ । ସେ କହିଥିଲେ ଯେ ଶ୍ରୀଲ ପ୍ରଭୁପାଦ ସ୍ୱାମୀ ଅହିଂସା ଏବଂ ପ୍ରେମର ମାନବୀୟ ସଂକଳ୍ପର ବୈଷ୍ଣବ ଭାବକୁ ପ୍ରଚାର କରିବା ପାଇଁ କାର୍ଯ୍ୟ କରିଥିଲେ ଯାହାକୁ ଗାନ୍ଧିଜୀ ଜୀବନର ବ୍ରତ କରି ନେଇଥିଲେ । ବୈଷ୍ଣବ ଭାବ ସହ ଗୁଜରାଟର ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗୁଜରାଟରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଓ ଗୁଜରାଟରେ ମୀରା ବାଇଙ୍କର ଈଶ୍ୱରଙ୍କ ଭିତରେ ବିଲୀନ ହୋଇଯିବା ବିଷୟରେ ସେ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା କୃଷ୍ଣ ଓ ଚୈତନ୍ୟ ମହାପ୍ରଭୁଙ୍କ ପରମ୍ପରା ମୋ ଜୀବନର ଏକ ସ୍ୱାଭାବିକ ଅଙ୍ଗ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 

ପ୍ରଧାନମନ୍ତ୍ରୀ ୨୦୧୬ ମସିହାରେ ଗୌଡୀୟ ମିଶନର ଶତବାର୍ଷିକୀ ଅବସରରେ ଭାରତର ଆଧ୍ୟାତ୍ମିକ ଚେତନା ଉପରେ ତାଙ୍କର ବିଚାରକୁ ମନେ ପକାଇଥିଲେ । ସେ ମୂଳର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ , ନିଜ ମୂଳ ଠାରୁ ଦୂରତାର ସବୁଠାରୁ ବଡ଼ ପ୍ରତିଫଳନ ହେଉଛି ନିଜର ସାମର୍ଥ୍ୟ ଓ ଶକ୍ତିକୁ ଭୁଲିଯିବା । ଭକ୍ତିର ଗୌରବମୟ ପରମ୍ପରା ସହିତ ମଧ୍ୟ ଏହା ଘଟିଛି ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ଅନେକ ଲୋକ ଭକ୍ତି, ତର୍କ ଏବଂ ଆଧୁନିକତାକୁ ପରସ୍ପର ବିରୋଧୀ ବୋଲି ବିବେଚନା କରନ୍ତି । ସେ ଜୋର ଦେଇ କହିଥିଲେ ଯେ , "ଭକ୍ତି ହେଉଛି ଆମର ଋଷିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ମହାନ ଦର୍ଶନ । ଏହା ନିରାଶା ନୁହେଁ ବରଂ ଆଶା ଓ ଆତ୍ମବିଶ୍ୱାସ । ଭକ୍ତି ଭୟ ନୁହେଁ, ଉତ୍ସାହ, ଭକ୍ତି ନିରାଶା ନୁହେଁ, ଆଶା ଓ ଆତ୍ମବିଶ୍ୱାସ । ସେ କହିଛନ୍ତି ଯେ ଭକ୍ତି ପରାଜୟ ନୁହେଁ ବରଂ ପ୍ରଭାବର ସଂକଳ୍ପ । ସେ କହିଥିଲେ ଯେ ଭକ୍ତିରେ ନିଜ ଉପରେ ବିଜୟ ହାସଲ କରିବା ଏବଂ ମାନବିକତା ପାଇଁ କାର୍ଯ୍ୟ କରିବା ଅନ୍ତର୍ଭୁକ୍ତ । ଏହି ଭାବନା ଯୋଗୁଁ ଭାରତ ନିଜ ସୀମାକୁ ବ୍ୟାପକ କରିବା ପାଇଁ କେବେ ବି ଅନ୍ୟ ଉପରେ ଆକ୍ରମଣ କରିନାହିଁ ବୋଲି ସେ କହିଛନ୍ତି । ଭକ୍ତିର ମହିମାରେ ଲୋକଙ୍କୁ ପୁନର୍ବାର ପରିଚିତ କରାଇଥିବାରୁ ସେ ସନ୍ଥମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ସ୍ୱାଧୀନତାର ଅମୃତ କାଳରେ ଦେଶ 'ଦାସତ୍ୱର ମାନସିକତାରୁ ମୁକ୍ତି' ର ଶପଥ ନେଇ ସନ୍ଥ ମାନଙ୍କ ସଂକଳ୍ପକୁ ଆଗେଇ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସାଂସ୍କୃତିକ ଏବଂ ସାମାଜିକ ଢାଞ୍ଚାରେ ଆଧ୍ୟାତ୍ମିକ ନେତୃତ୍ୱ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଏହାର ରାଷ୍ଟ୍ରୀୟ ମୂଲ୍ୟବୋଧକୁ ଗଢ଼ି ତୋଳିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କେବଳ ସ୍ୱାଧୀନତା ଆନ୍ଦୋଳନରେ ନୁହେଁ, ପ୍ରତ୍ୟେକ ଆହ୍ୱାନପୂର୍ଣ୍ଣ ପର୍ଯ୍ୟାୟରେ ଦେଶକୁ ମାର୍ଗଦର୍ଶନ କରିବାରେ ଆମ ଭକ୍ତି ମାର୍ଗୀ ସନ୍ଥମାନେ ଅସାଧାରଣ ଭୂମିକା ନିର୍ବାହ କରିଛନ୍ତି । ସମଗ୍ର ଭାରତର ଅସ୍ଥିର ଇତିହାସରେ ବିଶିଷ୍ଟ ସାଧୁ ସନ୍ଥ ଓ ଆଧ୍ୟାତ୍ମିକ ନେତୃତ୍ୱମାନେ କ୍ଷମତା ଅନୁସାରେ ଦେଶକୁ ଦିଗଦର୍ଶନ ପ୍ରଦାନ କରିବା ପାଇଁ ଉଭା ହୋଇଛନ୍ତି । 

କଠିନ ମଧ୍ୟଯୁଗ ସମୟରେ ସନ୍ଥମାନଙ୍କ ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏହି ଶ୍ରଦ୍ଧାଳୁ ସନ୍ଥମାନେ ଆମକୁ ଶିଖାଇଛନ୍ତି ଯେ ପ୍ରକୃତ ସମର୍ପଣ କେବଳ ପରମ ଶକ୍ତି ଆଗରେ ଆତ୍ମସମର୍ପଣ କରିବାରେ ହିଁ ନିହିତ ରହିଛି । ଶହ ଶହ ବର୍ଷର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେମାନେ ଆମର ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷିତ ରଖି ତ୍ୟାଗ ଓ ନିଷ୍ଠାର ଗୁଣକୁ ବଜାୟ ରଖିଥିଲେ । "ସେମାନଙ୍କ ଶିକ୍ଷା ଆମ ଭିତରେ ଏହି ବିଶ୍ୱାସକୁ ପୁନର୍ବାର ଜାଗ୍ରତ କରିଛି ଯେ ଯେତେବେଳେ ସତ୍ୟର ଅନୁସନ୍ଧାନରେ ସବୁକିଛି ତ୍ୟାଗ କରାଯାଏ, ସେତେବେଳେ ମିଥ୍ୟା ନିଶ୍ଚିତ ଭାବରେ ଦୂର ହୋଇଯାଏ ଏବଂ ସତ୍ୟର ବିଜୟ ହୁଏ । ତେଣୁ ସତ୍ୟର ବିଜୟ ଅନିବାର୍ଯ୍ୟ – ସେଥିପାଇଁ ଆମେ 'ସତ୍ୟମେବ ଜୟତେ'" କହିଥାଉ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 

ପ୍ରଧାନମନ୍ତ୍ରୀ ମୋଦୀ ମନେ ପକାଇଥିଲେ ଯେ ସ୍ୱାଧୀନତା ସଂଗ୍ରାମ ସମୟରେ , ସ୍ୱାମୀ ବିବେକାନନ୍ଦ ଏବଂ ଶ୍ରୀଲ ପ୍ରଭୁପାଦଙ୍କ ପରି ଆଧ୍ୟାତ୍ମିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଜନସାଧାରଣଙ୍କ ମଧ୍ୟରେ ଅସୀମ ଶକ୍ତି ସଂଚାର କରିଥିଲେ ଏବଂ ସେମାନଙ୍କୁ ଧାର୍ମିକତା ଆଡକୁ ମାର୍ଗଦର୍ଶନ କରାଇଥିଲେ । ନେତାଜୀ ସୁଭାଷ ଓ ମହାମାନ୍ୟ ମାଲବ୍ୟଙ୍କ ଭଳି ବ୍ୟକ୍ତିତ୍ୱମାନେ ମଧ୍ୟ ଶ୍ରୀଲ ପ୍ରଭୁପଦଙ୍କ ଠାରୁ ମାର୍ଗଦର୍ଶନ ଲୋଡ଼ିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଳିଦାନ ମାଧ୍ୟମରେ ସହନ କରିବା ଏବଂ ଅମର ରହିବାର ଆତ୍ମବିଶ୍ୱାସ ଭକ୍ତି ଯୋଗ ଅଭ୍ୟାସରୁ ମିଳିଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, " ଆଜି, ଏହି ସମାନ ଆତ୍ମବିଶ୍ୱାସ ଏବଂ ନିଷ୍ଠା ସହିତ ଲକ୍ଷ ଲକ୍ଷ ଭାରତୀୟ ଏକ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି, ଯାହା ଆମ ଦେଶ ପାଇଁ ସମୃଦ୍ଧିର ଯୁଗ ଆରମ୍ଭ କରିଛି । ଆମେ ଦେଶକୁ 'ଦେବ' ଭଳି ବିବେଚନା କରିଥାଉ ଏବଂ 'ଦେବ ରୁ ଦେଶ' ର ଦୃଷ୍ଟିଭଙ୍ଗୀ ନେଇ ଆଗକୁ ବଢ଼ିଥାଉ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆମେ ଆମର ଶକ୍ତି ଏବଂ ବିବିଧତାକୁ ଉପଯୋଗ କରିଛୁ ଏବଂ ଦେଶର କୋଣ ଅନୁକୋଣକୁ ପ୍ରଗତିର ଶକ୍ତି କେନ୍ଦ୍ର ପରିଣତ କରିଛୁ । ଯେମିତିକି "ଶ୍ରୀକୃଷ୍ଣ ଆମକୁ ଶିକ୍ଷା ଦେଇଛନ୍ତି ଯେ- 'ମୁଁ ସମସ୍ତ ଜୀବଜନ୍ତୁଙ୍କ ହୃଦୟରେ ରହିଥିବା ଆତ୍ମା' , ତାହା ଆମ ଦେଶର ବିବିଧତା ମଧ୍ୟରେ ଥିବା ଏକତା ଉପରେ ଗୁରୁତ୍ୱାରୋପ କରୁଛି । ବିବିଧତା ମଧ୍ୟରେ ଏକତା ଭାରତୀୟ ମାନସିକତା ସହ ଏତେ ଗଭୀର ଭାବରେ ଜଡ଼ିତ ଯେ ବିଭାଜନର ଧାରଣା ଏହା ଭିତରେ କୌଣସି ସ୍ଥାନ ପାଇନାହିଁ", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 "ବିଶ୍ୱ ପାଇଁ , ଏକ ରାଷ୍ଟ୍ର ଏକ ରାଜନୈତିକ ଆଦର୍ଶର ପ୍ରତିନିଧିତ୍ୱ କରିପାରେ, କିନ୍ତୁ ଭାରତ ପାଇଁ , 'ଏକ ଭାରତ ଶ୍ରେଷ୍ଠ ଭାରତ' ଏକ ଆଧ୍ୟାତ୍ମିକ ବିଶ୍ୱାସ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । 

ଶ୍ରୀଲ ପ୍ରଭୁପାଦଜୀଙ୍କ ଜୀବନକୁ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଉଦାହରଣ ଭାବେ ଦର୍ଶାଇ, ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ସେ ପୁରୀରେ ଜନ୍ମଗ୍ରହଣ କରିଥିଲେ, ଦକ୍ଷିଣର ରାମାନୁଜାଚାର୍ଯ୍ୟ ଜୀ’ଙ୍କ ପରମ୍ପରାରେ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ଚୈତନ୍ୟ ମହାପ୍ରଭୁଙ୍କ ପରମ୍ପରାକୁ ବଜାୟ ରଖିଥିଲେ ଏବଂ ତାଙ୍କ ଆଧ୍ୟାତ୍ମିକ ଯାତ୍ରାର କେନ୍ଦ୍ର ବଙ୍ଗରେ ତାଙ୍କର ମଠ ପ୍ରତିଷ୍ଠା କରିଥିଲେ । "ବଙ୍ଗ ଆଧ୍ୟାତ୍ମିକତା ଏବଂ ବୌଦ୍ଧିକତା କ୍ଷେତ୍ରରେ ନିରନ୍ତର ଶକ୍ତିର ଉତ୍ସ", ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରି କହିଥିଲେ ଯେ , ବଙ୍ଗର ଭୂମି ଦେଶକୁ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ଗୁରୁ ରବୀନ୍ଦ୍ରନାଥ ଟାଗୋର ଏବଂ ରାଜା ରାମମୋହନ ରାୟଙ୍କ ଭଳି ସନ୍ଥମାନଙ୍କୁ ଦେଇଛି । 

 

ଭାରତର ଗତି ଏବଂ ପ୍ରଗତି ବିଷୟରେ ଆଜି ସବୁଠି ଆଲୋଚନା ହେଉଛି ଏବଂ ଏହି ଆଧୁନିକ ଭିତ୍ତିଭୂମି ଏବଂ ହାଇଟେକ୍ ସେବା କ୍ଷେତ୍ରରେ ଆମେ ବିକଶିତ ଦେଶମାନଙ୍କ ସହ ସମକକ୍ଷ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । "ଆମେ ଅନେକ କ୍ଷେତ୍ରରେ ବଡ଼ ଦେଶକୁ ପଛରେ ପକାଇ ଦେଇଛୁ", ବୋଲି ସେ କହିବା ସହ , ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତୀୟ ମାନଙ୍କୁ ନେତୃତ୍ୱ ଭୂମିକାରେ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ବିଶ୍ୱର ପ୍ରତ୍ୟେକ ଘରେ ପହଞ୍ଚୁଛି ଏବଂ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସା ଉପରେ ବିଶ୍ୱାସ ମଧ୍ୟ ବୃଦ୍ଧି ପାଉଛି । ଦୃଷ୍ଟିକୋଣରେ ପରିବର୍ତ୍ତନ ପାଇଁ ଶ୍ରୀ ମୋଦୀ ଭାରତର ଯୁବକ ମାନଙ୍କ ଶକ୍ତିକୁ ଶ୍ରେୟ ଦେଇଛନ୍ତି ଏବଂ ଉଭୟ ଜ୍ଞାନ ଏବଂ ଗବେଷଣାକୁ ଏକାଠି ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ଆମର ନୂଆ ପିଢ଼ି ଏବେ ନିଜ ସଂସ୍କୃତିକୁ ନିଜ ମଥାରେ ଗର୍ବର ସହ ଲଗାଉଛନ୍ତି । ଆଜିର ଯୁବପିଢ଼ି ଉଭୟ ଆଧ୍ୟାତ୍ମିକତା ଓ ଷ୍ଟାର୍ଟଅପ୍‌ର ମହତ୍ତ୍ୱ ବୁଝିଛନ୍ତି ଏବଂ ଉଭୟ କ୍ଷେତ୍ରରେ ସକ୍ଷମ ବୋଲି ସେ କହିଛନ୍ତି । ଏହାର ପରିଣାମ ସ୍ୱରୂପ କାଶୀ ଓ ଅଯୋଧ୍ୟା ଭଳି ତୀର୍ଥଯାତ୍ରାରେ ବହୁ ସଂଖ୍ୟାରେ ଯୁବବର୍ଗଙ୍କୁ ଦେଖିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର ଯୁବପିଢ଼ିଙ୍କ ସଚେତନତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଦେଶ ଚନ୍ଦ୍ରଯାନ ନିର୍ମାଣ କରିବା ଏବଂ ଚନ୍ଦ୍ରଶେଖର ମହାଦେବ ଧାମକୁ ଆଲୋକିତ କରିବା ସ୍ୱାଭାବିକ । ଯେତେବେଳେ ଯୁବପିଢ଼ି ଦେଶର ନେତୃତ୍ୱ ନେଇଥାନ୍ତି, ଚନ୍ଦ୍ରରେ ରୋଭର ଅବତରଣ କରି ପାରିବେ ଏବଂ ଅବତରଣ ସ୍ଥଳର ନାମ 'ଶିବଶକ୍ତି' ରଖି ପରମ୍ପରାକୁ ପରିପୁଷ୍ଟ କରି ପାରିବେ । ଏବେ ଦେଶରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ ଏବଂ ବୃନ୍ଦାବନ, ମଥୁରା ଓ ଅଯୋଧ୍ୟାର ମଧ୍ୟ ପୁନରୁଦ୍ଧାର କରାଯିବ । ନମାମି ଗଙ୍ଗେ ଯୋଜନା ଅଧୀନରେ ପଶ୍ଚିମ ବଙ୍ଗର ମାୟାପୁରରେ ଗଙ୍ଗା ଘାଟ ନିର୍ମାଣ ଆରମ୍ଭ ହୋଇଥିବା ନେଇ ମଧ୍ୟ ସେ ଆନନ୍ଦିତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

 

 

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଅମୃତ କାଳର ୨୫ ବର୍ଷ ପର୍ଯ୍ୟନ୍ତ ବିକାଶ ଏବଂ ଐତିହ୍ୟ ମଧ୍ୟରେ ସମନ୍ୱୟ ଜାରି ରହିବ । ସାଧୁସନ୍ଥ ମାନଙ୍କ ଆଶୀର୍ବାଦରେ ଆମେ ଏକ ବିକଶିତ ଭାରତ ଗଠନ କରିବୁ ଏବଂ ଆମର ଆଧ୍ୟାତ୍ମିକତା ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ପଥ ପ୍ରଶସ୍ତ କରିବ ବୋଲି ଶ୍ରୀ ମୋଦୀ ଶେଷରେ କହିଛନ୍ତି । 

ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଶ୍ରୀମତୀ ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗୌଡୀୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ବୈଷ୍ଣବ ଧର୍ମର ମୌଳିକ ସିଦ୍ଧାନ୍ତକୁ ସଂରକ୍ଷିତ କରିବା ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ଏବଂ ବୈଷ୍ଣବ ଧର୍ମର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବାରେ ଗୌଡୀୟ ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଏହାକୁ ହରେ କୃଷ୍ଣ ଆନ୍ଦୋଳନର କେନ୍ଦ୍ର ବିନ୍ଦୁରେ ପରିଣତ କରିଛି । 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"