Aatmanirbhar Bharat Abhiyan is about giving opportunities to the youth, technocrats: PM Modi
COVID-19 has taught the world that while globalisation is important, self reliance is also equally important: PM
Quality innovation by the country's youth will help build 'Brand India' globally: PM Modi

ଆଇଆଇଟିର ସଦ୍ୟ ସ୍ନାତକ ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନେ ଦେଶର ଆବଶ୍ୟକତାକୁ ଚିହ୍ନଟ କରି ତାହାର ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବଦ୍ୟାର୍ଥୀମାନେ ସାଧାରଣ ମଣିଷର ଆଶା ଆକାଂକ୍ଷାକୁ ଚିହ୍ନଟ କରି ଆତ୍ମନିର୍ଭର ଭାରତ ଗଠନ ପରିପ୍ରେକ୍ଷୀରେ ସେ ଦିଗରେ କାର୍ଯ୍ୟ କରିବା ଉଚିତ । ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ଏହି ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଦୁଇ ହଜାରରୁ ଅଧିକ ଆଇଆଇଟିଆନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଅଭିଯାନ ଏକ ମିଶନ; ଯାହା ଦେଶର ଯୁବ ସମାଜ, ଟେକ୍‌ନୋକ୍ରାଟ ଏବଂ ଉଦ୍ୟୋଗ ଜଗତର ନେତୃମଣ୍ଡଳୀଙ୍କୁ ବ୍ୟାପକ ସୁଯୋଗ ଦେଇଛି । ଆଜି ଦେଶରେ ନୂଆ ବିଚାର ଓ ନବସୃଜନ କାର୍ଯ୍ୟକାରୀ କରିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହାର ସୁଯୋଗ ନେଇ ଟେକ୍‌ନୋକ୍ରାଟମାନେ ସ୍ୱାଧୀନଭାବରେ କାର୍ଯ୍ୟ କରିପାରିବେ ଏବଂ ନିଜର ଔଦ୍ୟୋଗିକ ବିକାଶ ସହିତ ସହଜରେ ବଜାରକୁ ଦଖଲ କରିପାରିବେ । ସେ କହିଛନ୍ତି ଯେ ଆଜିର ଭାରତ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ବା ସୁଲଭ ବ୍ୟବସାୟ କାରବାର ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ । ଏହା ଫଳରେ ଆମ ଯୁବସମାଜ ନବସୃଜନ ଦ୍ୱାରା ଦେଶର କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବେ । ଦେଶ ଆପଣମାନଙ୍କୁ ସହଜ ବ୍ୟବସାୟ ସୁବିଧା (ଇଜ୍‌ ଅଫ୍‌ ବିଜିନେସ୍‌) ଯୋଗାଇ ଦେବ । ତେଣୁ ଆପଣମାନେ ଲୋକଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ କାମ କରି ଚାଲନ୍ତୁ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ବଡ଼ଧରଣର ସଂସ୍କାର ପଛରେ ଏହି ଲୋକ କଲ୍ୟାଣକାରୀ ବିଚାର ନିହିତ ଏବଂ ନିକଟ ଅତୀତରେ ବିଭିନ୍ନ କ୍ଷେତ୍ରରେ ଯାହା କରାଯାଉଛି ତାହା ଲୋକଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ । ଦେଶର ଯେଉଁସବୁ କ୍ଷେତ୍ରରେ ନବସୃଜନ ଓ ନୂତନ ଷ୍ଟାର୍ଟଅପ୍‌ମାନ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ସେ ତାହା ଉଲ୍ଲେଖ କରିବା ସହ କହିଛନ୍ତି ଯେ ସଂସ୍କାର ଯୋଗୁଁ ପ୍ରଥମଥର ପାଇଁ ଭାରତରେ ଏହା ସମ୍ଭବ ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଅନ୍ୟାନ୍ୟ ସେବା ପ୍ରଦାନକାରୀ (ଓଏସ୍‌ପି) ନିର୍ଦେଶାବଳୀକୁ ସରଳ କରାଯାଇଛି ଏବଂ ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ସବୁକୁ ହଟାଇ ଦିଆଯାଇଛି । ଏହାଦ୍ୱାରା ବିପିଓ ଇଣ୍ଡଷ୍ଟ୍ରି ପାଇଁ ଥିବା ଅସୁବିଧା ଦୂର ହୋଇଛି । ସେ କହିଛନ୍ତି ଯେ ବିପିଓ ଇଣ୍ଡଷ୍ଟ୍ରି ପାଇଁ ଥିବା ବ୍ୟାଙ୍କ ଗ୍ୟାରେଣ୍ଟି ଭଳି ବିଭିନ୍ନ ନିୟମକୁ ଉଠାଇ ଦିଆଯାଇଛି । ସେହିଭଳି ଟେକ୍‌ ଇଣ୍ଡଷ୍ଟ୍ରି ପାଇଁ ଯେଉଁ କଟକଣା ଥିଲା ତାହାକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି । ଏହି କ୍ଷେତ୍ରରେ ଘରେ ରହି କାମ କରିବା (ୱାର୍କ ଫ୍ରମ ହୋମ) କିମ୍ବା ଯେକୌଣସି ଯାଗାରେ ରହି କାମ କରିବା କ୍ଷେତ୍ରରେ ଯେଉଁ ପ୍ରତିବନ୍ଧକ ଥିଲା ତାହାକୁ ମଧ୍ୟ ଉଠାଇ ଦିଆଯାଇଛି । ଏହା ଫଳରେ ଭାରତର ଆଇଟି କ୍ଷେତ୍ର ବିଶ୍ୱସ୍ତରରେ ଉତ୍ତମ ପ୍ରତିଯୋଗିତା କରିବାକୁ ସମର୍ଥ ହେବ ଏବଂ ଏହାଦ୍ୱାରା ଯୁବ ପ୍ରତିଭାମାନେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସେହି ଅଳ୍ପ କେତେକ ଦେଶ ମଧ୍ୟରେ ଅନ୍ୟତମ, ଯେଉଁଠି କର୍ପୋରେଟ ଟିକସ ସବୁଠୁ କମ୍‌ । ଷ୍ଟାର୍ଟଅପ୍‌ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ ହେବା ପରଠାରୁ ଭାରତରେ 50 ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଛି । ଏହି କ୍ଷେତ୍ରରେ ଯେଉଁ ସଫଳତା ମିଳିଛି ତାହାର ଏକ ବିବରଣୀ ଦେଇ ସେ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ଫଳରେ ଦେଶରେ ଷ୍ଟାର୍ଟଅପ୍‌ ଉଦ୍ୟୋଗରେ ଅଭୂତପୂର୍ବ ପ୍ରଗତି ଘଟିଛି । ଗତ 5 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ପ୍ୟାଟେଣ୍ଟ ସଂଖ୍ୟା 4 ଗୁଣ ବଢିଛି । ସେହିଭଳି ଟ୍ରେଡମାର୍କରେ ପଞ୍ଜୀକରଣ ସଂଖ୍ୟା 5 ଗୁଣ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି 20ରୁ ଅଧିକ ଭାରତୀୟ ‘ୟୁନିକର୍ଣ୍ଣ’ ଇତିମଧ୍ୟରେ ସ୍ଥାପିତ ହୋଇଛି । ଆଗାମୀ ବର୍ଷେ ଦୁଇବର୍ଷ ମଧ୍ୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ଇନ୍‌କୁ୍ୟବେସନଠାରୁ ଫଣ୍ଡିଙ୍ଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡିକୁ ସରକାର ସାହାଯ୍ୟ ସହାୟତା ଯୋଗାଉଛନ୍ତି । ଷ୍ଟାର୍ଟଅପ୍‌ ପାଣ୍ଠି ଯୋଗାଇ ଦେବାକୁ 10 ହଜାର କୋଟି ଟଙ୍କାର ଏକ କର୍ପସ ପାଣ୍ଠି, ‘ଫଣ୍ଡ ଅଫ୍‌ ଫଣ୍ଡସ୍‌’ଭାବରେ ଗଠିତ ହୋଇଛି । ଏହା ସହିତ 3 ବର୍ଷ ପାଇଁ ଷ୍ଟାର୍ଟଅପ୍‌ଗୁଡିକୁ ଟିକସ ଛାଡ, ଆତ୍ମ ଘୋଷଣାପତ୍ର ଏବଂ ସହଜରେ ଷ୍ଟାର୍ଟଅପ୍‌ ବନ୍ଦ କରିଦେବା ଭଳି ନାନା ପ୍ରକାର ସୁଯୋଗ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ଇନ୍‌ଫ୍ରାଷ୍ଟ୍ରକଚର ପାଇପ ଲାଇନ ଅଧୀନରେ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ନିବେଶର ଯୋଜନା କରାଯାଇଛି । ଏହାଦ୍ୱାରା ସମଗ୍ର ଦେଶରେ ଏକ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା ହୋଇପାରିବ । ଏହା ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ସେ କହିଛନ୍ତି ଯେ ଆଜି ଦେଶ ନୂଆ ରାସ୍ତାରେ କାର୍ଯ୍ୟ କରି ପ୍ରତ୍ୟେକ କ୍ଷେତ୍ରରେ ଥିବା ସୁବିଧା ସୁଯୋଗର ସର୍ବାଧିକ ଲାଭ ଉଠାଇବାକୁ ଉଦ୍ୟମ କରୁଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରେ 4 ସୂତ୍ରୀ ମନ୍ତ୍ର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେହି 4ଟି ସୂତ୍ର ହେଲା (1) ଫୋକ୍‌ସ ଅନ୍‌ କ୍ୱାଲିଟି (ମାନ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବା) ଏବଂ ଏଥିରେ ସାଲିସ ନ କରିବା (2) ସ୍କେଲେବିଲିଟି ବା ମାପନୀୟତାକୁ ନିଶ୍ଚିତ କରିବା ଏବଂ ନିଜର ନବସୃଜନର ବ୍ୟାପକତା ଉପରେ ଦୃଷ୍ଟି ଦେବା (3) ରିଲାଏବିଲିଟି ବା ବିଶ୍ୱସନୀୟତାକୁ ସୁନିଶ୍ଚିତ କରିବା ତଥା ଏଥିପାଇଁ ବଜାରରେ ଦୀର୍ଘମିଆଦି ଆସ୍ଥାଭାବ ସୃଷ୍ଟି କରିବା ଏବଂ (4) ଜୀବନର ଗତି ସର୍ବଦା ଅନିଶ୍ଚିତ ହୋଇଥିବାରୁ ପରିବର୍ତ୍ତନକୁ ଗ୍ରହଣ କରିବା ସହ ନୂଆ ପରିସ୍ଥିତି ସହ ଖାପଖୁଆଇ କାର୍ଯ୍ୟ କରିବା ବା ଆଡେପ୍ଟବିଲିଟିକୁ ଆଦରିବା ।

ସେ କହିଛନ୍ତି ଯେ ଏହି 4 ମୌଳିକ ମନ୍ତ୍ର ଆଧାରରେ କାର୍ଯ୍ୟ କଲେ ଯେ କୌଣସି ଉଦ୍ୟୋଗୀ ନିଜର ପରିଚୟ ସୃଷ୍ଟି କରିପାରିବ ଏବଂ ଏହାଦ୍ୱାରା ଭାରତର ବ୍ରାଣ୍ଡ ଝଟକିବ । ଛାତ୍ରଛାତ୍ରୀମାନେ ଭାରତର ସର୍ବବୃହ୍‌ତ ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ସେମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଶ୍ରୀ ମୋଦୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟ ଓ ପ୍ରଦର୍ଶନ ଭାରତକୁ ବିଶ୍ୱସ୍ତରରେ ପରିଚୟ ପ୍ରଦାନ କରିବ । ଏହାଦ୍ୱାରା ଭାରତୀୟ ଉତ୍ପାଦମାନ ବିଦେଶ ବଜାରରେ ମାନ୍ୟତା ଲାଭ କରିବା ସହ ଏହାର ଚାହିଦା ବଢିବ । ଏହା ଫଳରେ ଏ ଦିଗରେ ଦେଶ ଯେଉଁ ଉଦ୍ୟମ କରୁଛି ସେ କାମ ତ୍ୱରାନ୍ୱିତ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌ ପରବର୍ତ୍ତୀ ବିଶ୍ୱ ଭିନ୍ନ ପ୍ରକାରର ହେବାକୁ ଯାଉଛି ଏବଂ ଏଥିରେ ଟେକ୍‌ନୋଲଜି ଏକ ବଡ ଭୂମିକା ନିର୍ବାହ କରିବ । ସେ କହିଛନ୍ତି ଭର୍ଚୁଆଲ ରିଅଲିଟି କଥା କେବେ କେହି ଚିନ୍ତା କରି ନ ଥିଲେ । ଏବେ କିନ୍ତୁ ଭର୍ଚୁଆଲ ରିଅଲିଟି ଏବଂ ଅଗ୍‌ମେଣ୍ଟେଡ ରିଅଲିଟି, ୱାର୍କିଂ ରିଅଲିଟି (ବାସ୍ତବ କାର୍ଯ୍ୟକାରିତା)ରେ ପରିଣତ ହୋଇଛି । ସେ କହିଛନ୍ତି ଏହି ବ୍ୟାଚର ଛାତ୍ରଛାତ୍ରୀମାନେ କାର୍ଯ୍ୟସ୍ଥଳୀରେ ଯେଉଁ ନୂଆ ନୀତିନିୟମ ଉଦ୍ଭବ ହେବ ତାହାକୁ ଶିଖିବାକୁ ପ୍ରଥମ ସୁଯୋଗ ପାଇବେ । ତେଣୁ ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ଆମକୁ ଯେଉଁ ଶିକ୍ଷା ଦେଇଛି ତାହା ହେଲା ବିଶ୍ୱାୟନ, ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ଆତ୍ମନିର୍ଭରତା ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଛନ୍ତି ନିକଟ ଅତୀତରେ ଆମ ଦେଶ ଦେଖାଇଦେଇଛି ଯେ ଶାସନ କ୍ଷେତ୍ରରେ ବିଶେଷକରି ଗରିବରୁ ଗରିବତମ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଟେକ୍‌ନୋଲଜି କିପରି ସବୁଠୁ ଶକ୍ତିଶାଳୀ ମାଧ୍ୟମ ହୋଇପାରେ । ଏହି ଟେକ୍‌ନୋଲଜି ସହାୟତାରେ ଦରିଦ୍ରତମ ଲୋକଙ୍କ ପାଖରେ ସରକାର କିପରି ସହଜରେ ପହଞ୍ଚିପାରୁଛନ୍ତି ତାହାର ଉଦାହରଣ ଦେଇ ସେ କହିଥିଲେ ଯେ ଶୌଚାଳୟ ନିର୍ମାଣ, ଗ୍ୟାସ ସଂଯୋଗ ସୁବିଧା ପ୍ରଦାନ ଆଦି ସେଥିମଧ୍ୟରୁ କେତୋଟି । ସେ କହିଛନ୍ତି ଯେ ଡିଜିଟାଲ ବ୍ୟବସ୍ଥାରେ ସେବା ପ୍ରଦାନ କାର୍ଯ୍ୟ ଦେଶରେ ଦ୍ରୁତଗତିରେ ଚାଲିଛି । ଏହା ଫଳରେ ସାଧାରଣ ନାଗରିକଙ୍କ ଜୀବନ ସହଜ ଓ ସୁନ୍ଦର ହୋଇଛି । ସେ କହିଛନ୍ତି ଯେ ଟେକ୍ନୋଲଜି ଦ୍ୱାରା ଅନ୍ତିମ ଲକ୍ଷ୍ୟସ୍ଥଳରେ ଦକ୍ଷତାର ସହ ପହଞ୍ଚି ହେଉଛି ଏବଂ ଏଥିରେ ଦୁର୍ନୀତିର ସୁଯୋଗ ଯଥେଷ୍ଟ ହ୍ରାସ ପାଇଛି । ଡିଜିଟାଲ କାରବାର କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଅନେକ ଦେଶଠାରୁ ଆଗରେ ଥିବା ଉଲ୍ଲେଖକରି ସେ କହିଛନ୍ତି ଯେ ବିକଶିତ ରାଷ୍ଟ୍ରମାନେ ମଧ୍ୟ ଏବେ ୟୁପିଆଇ ଭଳି ଭାରତୀୟ ପ୍ଲାଟଫର୍ମକୁ ଆଦରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ସ୍ୱାମୀତ୍ୱ ଯୋଜନାରେ ଟେକ୍‌ନୋଲଜି ଏକ ବଡ଼ ଭୂମିକା ନିର୍ବାହ କରୁଛି ଏବଂ ଏହା ନିକଟରେ ଆରମ୍ଭ ହୋଇଛି । ଏହି ଯୋଜନାରେ ପ୍ରଥମ ଥର ପାଇଁ ଆବାସିକ ଏବଂ ଭୂସମ୍ପତ୍ତି ଆଦିର ମ୍ୟାପିଂ ବା ମାନଚିତ୍ରକରଣ କରାଯାଉଛି । ପୂର୍ବରୁ ଏହି କାମ ମଣିଷ ଦ୍ୱାରା ହେଉଥିଲା; ଯାହା ଫଳରେ ମାନବୀୟ ତ୍ରୁଟିବିଚ୍ୟୁତି ସ୍ୱାଭାବିକଭାବେ ରହୁଥିଲା । ଏବେ ଡ୍ରୋନ ଟେକ୍‌ନୋଲଜିକୁ ବ୍ୟବହାର କରାଯାଇ ମ୍ୟାପିଂ (ମାନଚିତ୍ରକରଣ) କରାଯାଉଛି । ଏହା ଫଳରେ ଗ୍ରାମବାସୀ ସନ୍ତୁଷ୍ଟ ହେଉଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ସାଧାରଣ ଲୋକ ଟେକ୍‌ନୋଲଜି ଉପରେ ଅଧିକ ଭରସା ଓ ବିଶ୍ୱାସ ରଖୁଛନ୍ତି । ବିପର୍ଯ୍ୟୟ ପରବର୍ତ୍ତୀ ପରିଚାଳନା, ଭୂତଳ ଜଳର ସ୍ତରର ସ୍ୱାଭାବିକତା ରକ୍ଷା, ଟେଲି ମେଡିସିନ ଟେକ୍‌ନୋଲଜିର ପ୍ରୟୋଗ, ରିମୋର୍ଟ ସର୍ଜରୀ, ବିଗ୍‌ ଡାଟା ଆନାଲିସିସ ଭଳି କେତେକ ଅତ୍ୟାଧୁନିକ ଟେକ୍ନୋଲଜିର ଉଦାହରଣ ଦେଇ ସେ କହିଛନ୍ତି ଯେ ଭବିଷ୍ୟତରେ ବିଭିନ୍ନ ଆହ୍ୱାନମୂଳକ ପରିସ୍ଥିତିର ମୁକାବିଲା ପାଇଁ ଏସବୁ ଟେକ୍‌ନୋଲଜି ବ୍ୟବହୃତ ହୋଇପାରିବ । ଅପେକ୍ଷାକୃତ କମ୍‌ ବୟସରେ ସବୁଠୁ କଷ୍ଟକର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆଇଆଇଟିର ସ୍ନାତକମାନଙ୍କୁ ସେମାନଙ୍କର ଅସାଧାରଣ ଦକ୍ଷତା ପାଇଁ ଉଚ୍ଚପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ନମନୀୟ ହେବାର ଅର୍ଥ ନୁହେଁ, ଯେ ଜଣେ କୌଣସି ଏକ ସ୍ତରରେ ନିଜର ପରିଚୟକୁ ହରାଇବା । ସେହିଭଳି କୌଣସି ଏକ ଟିମ୍‌ରେ ନିଜକୁ ସାମିଲ କରିବାରେ ଛାତ୍ରଛାତ୍ରୀମାନେ କେବେ କୁଣ୍ଠା ପ୍ରକାଶ କରିବା ଅନୁଚିତ ।  ବିନମ୍ରତାର ଅର୍ଥ  ବାସ୍ତବବାଦୀ ହେବା  । ତେବେ ଏଥିସହିତ ନିଜର ସଫଳତା ଏବଂ ଉପଲବ୍ଧିରେ ଗର୍ବିତ ହେବାରେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଏହି ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଂପୃକ୍ତ ଛାତ୍ରଛାତ୍ରୀ, ସେମାନଙ୍କର ପିତାମାତା, ଗାଇଡ୍‌ ଏବଂ ସେମାନଙ୍କର ଶିକ୍ଷାଦାତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀ ଆଇଆଇଟି ତାହାର ହୀରକ ଜୟନ୍ତୀ ପାଳନ କରୁଥିବାରୁ ଏହି ବୈଷୟିକ ଅନୁଷ୍ଠାନକୁ ମଧ୍ୟ ସେ ଶୁଭେଚ୍ଛା ଜ୍ଞାପନ କରି ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts