ଭାରତର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରିତାରୁ ମିଳୁଥିବା ଶିକ୍ଷାକୁ ନେଇ ଲିଖିତ ରେକର୍ଡ ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୋଗଦାନ କରିବାର ଭାବନା ଜାଗ୍ରତ ହୁଏ ତାହା ପ୍ରେରଣାର ଏକ ବିଶାଳ ଉତ୍ସ ହୋଇଯାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟର ସୁରତରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିବା ସହିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଗତି ଓ ଧାର୍ଯ୍ୟ ସମୟସୀମା  ଅନୁସରଣ ସମେତ ପ୍ରକଳ୍ପର ଅଗ୍ରଗତି ବିଷୟରେ ପଚାରିଥିଲେ। ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପ୍ରକଳ୍ପ କୌଣସି ଅସୁବିଧା ବିନା ସହଜ ଭାବରେ ଆଗକୁ ବଢ଼ୁଛି।
କେରଳର ଜଣେ ଇଞ୍ଜିନିୟର ଗୁଜରାଟର ନବସାରୀରେ ଥିବା ନଏଜ୍ ବ୍ୟାରିଅର୍ କାରଖାନାରେ କାମ କରିବାର ତାଙ୍କର ଅଭିଜ୍ଞତା ବିଷୟରେ କହିଥିଲେ। ସେଠାରେ ରୋବାର୍ କେଜ୍ ୱେଲ୍ଡିଂ ପାଇଁ ରୋବୋଟିକ୍ ୟୁନିଟ୍ ନିୟୋଜିତ କରାଯାଇଛି। ଶ୍ରୀ ମୋଦୀ ତାଙ୍କୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ନିର୍ମାଣର ଅଭିଜ୍ଞତାକୁ ନେଇ ବ୍ୟକ୍ତିଗତ ଭାବରେ କିପରି ଅନୁଭବ କରିଛନ୍ତି ଏବଂ ଏହି ଐତିହାସିକ ସଫଳତା ବିଷୟରେ ସେମାନେ ନିଜ ପରିବାର ସହିତ କ’ଣ ବାଣ୍ଟିଛନ୍ତି ତାହା ପଚାରି ବୁଝିଥିଲେ। ସେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ ନିର୍ମାଣ କାମରେ ଅବଦାନ ଦେବାରେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିବା ସହ ଏହାକୁ ଏକ ‘‘ସ୍ୱପ୍ନ ପ୍ରକଳ୍ପ’’ ଏବଂ ତାଙ୍କ ପରିବାର ପାଇଁ ଏକ ‘‘ଗୌରବ ମୁହୂର୍ତ୍ତ’’ ବୋଲି କହିଥିଲେ ।
ରାଷ୍ଟ୍ର ସେବାର ମନୋଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ,  ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୋଗଦାନ କରିବାର ଭାବନା ଆସିଥାଏ, ଏହା ଏକ ବିଶାଳ ପ୍ରେରଣାର ଉତ୍ସ ହୋଇଯାଏ। ସେ ଭାରତର ମହାକାଶ ଯାତ୍ରା ସହିତ ଏହାକୁ ତୁଳନା କରିଥିଲେ । ସେ କହିଥିଲେ, ଦେଶର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଥିବା ବୈଜ୍ଞାନିକମାନେ କିପରି ଅନୁଭବ କରିଥିବେ ଏବଂ ଆଜି ଶହ ଶହ ଉପଗ୍ରହ ଉତକ୍ଷେପଣ କରାଯାଉଛି।
ଲିଡ୍ ଇଞ୍ଜିନିୟରିଂ ମ୍ୟାନେଜର ଭାବରେ କାର୍ଯ୍ୟରତ ବେଙ୍ଗାଲୁରୁର ଶ୍ରୁତି, କଠିନ  ଡିଜାଇନ୍ ଏବଂ ଇଞ୍ଜିନିୟରିଂ ନିୟନ୍ତ୍ରଣ ପ୍ରକ୍ରିୟା ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକାରିତାର ପ୍ରତ୍ୟେକ ପର୍ଯ୍ୟାୟରେ, ତାଙ୍କ ଦଳ ଭଲ ଏବଂ ମନ୍ଦ ମୂଲ୍ୟାଙ୍କନ କରିବା ସହିତ ସମାଧାନ ଚିହ୍ନଟ କରେ ଏବଂ ତ୍ରୁଟିହୀନ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବିକଳ୍ପ ଅନୁସନ୍ଧାନ କରିଥାଏ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଯଦି ଏଠାରେ ପ୍ରାପ୍ତ ଅଭିଜ୍ଞତାଗୁଡ଼ିକୁ ବ୍ଲୁ ବୁକ୍ ପରି ରେକର୍ଡ ଏବଂ ସଂକଳନ କରାଯାଏ, ତେବେ ଦେଶ ବୁଲେଟ୍ ଟ୍ରେନର ବଡ଼ ପରିମାଣର କାର୍ଯ୍ୟକାରିତା ଦିଗରେ ନିର୍ଣ୍ଣାୟକ ଭାବରେ ଅଗ୍ରସର ହୋଇପାରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତକୁ ବାରମ୍ବାର ପରୀକ୍ଷଣ ଏଡ଼ାଇବା ଉଚିତ ଏବଂ ବର୍ତ୍ତମାନର ମଡେଲଗୁଡ଼ିକରୁ ଶିକ୍ଷାକୁ ପ୍ରମାଣିତ କରିବା ଉଚିତ। ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ, କୌଣସି କାର୍ଯ୍ୟ କାହିଁକି କରାଯାଇଛି ତାହା ସ୍ପଷ୍ଟ ହୋଇପାରିଲେ ଯାଇ ସେହି କାର୍ଯ୍ୟର ଅନୁକରଣ ସଫଳ ହେବ। ଅନ୍ୟଥା ଅନୁକରଣ ଉଦ୍ଦେଶ୍ୟ କିମ୍ବା ଦିଶାହୀନ ହୋଇପାରେ ବୋଲି ସେ ସତର୍କ କରାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ, ଏପରି ରେକର୍ଡ ରଖିବା ଭବିଷ୍ୟତର ଛାତ୍ରଛାତ୍ରୀମାନଙ୍କୁ ଲାଭଦାୟକ କରିପାରିବ ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇପାରିବ। ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ, ଆମେ ଏଠାରେ ଆମର ଜୀବନ ଉତ୍ସର୍ଗ କରିବୁ ଏବଂ ଦେଶ ପାଇଁ କିଛି ମୂଲ୍ୟବାନ ଅଭିଜ୍ଞତା ଛାଡିଯିବୁ।
ଜଣେ କର୍ମଚାରୀ ଏକ କବିତା ମାଧ୍ୟମରେ ହୃଦୟସ୍ପର୍ଶୀ ଶବ୍ଦରେ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ ଏବଂ କୃତଜ୍ଞତାର ସହିତ ପ୍ରତିକ୍ରିୟା ଦେଇଥିଲେ। 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ସୁରଟରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରି ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (ଏମଏଏଚଏସଆର)ର ପ୍ରଗତି ସମୀକ୍ଷା କରିଥିଲେ। ଏହା ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ଯାହା ଦେଶର ହାଇ-ସ୍ପିଡ୍ ସଂଯୋଗୀକରଣ ଯୁଗରେ ପ୍ରବେଶ କରିବାର  ପ୍ରତୀକ।
ଏମଏଏଚଏସଆର ପ୍ରାୟ 508 କିଲୋମିଟର ବ୍ୟାପିଛି, ଯାହା ଗୁଜରାଟ ଏବଂ ଦାଦ୍ରା ଓ ନଗର ହାଭେଲିରେ 352 କିଲୋମିଟର ଏବଂ ମହାରାଷ୍ଟ୍ରରେ 156 କିଲୋମିଟର ବ୍ୟାପିଛି। ଏହି କରିଡର ସାବରମତୀ, ଅହମ୍ମଦାବାଦ, ଆଣନ୍ଦ, ଭଦୋଦରା, ଭରୁଚ, ସୁରଟ, ବିଲିମୋରା, ଭାପି, ବୋଇସର, ଭିରାର, ଥାନେ ଏବଂ ମୁମ୍ବାଇ ସମେତ ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବ, ଯାହା ଭାରତର ପରିବହନ ଭିତ୍ତିଭୂମିରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ।
ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ସମକକ୍ଷ ଉନ୍ନତ ଇଞ୍ଜିନିୟରିଂ କୌଶଳ ସହିତ ନିର୍ମିତ, ଏହି ପ୍ରକଳ୍ପରେ ଭାୟାଡକ୍ଟରେ 465 କିଲୋମିଟର (ରୁଟର ପ୍ରାୟ 85%) ରହିଛି, ଯାହା ସର୍ବନିମ୍ନ ଭୂମି ବିଭ୍ରାଟ ଏବଂ ବର୍ଦ୍ଧିତ ସୁରକ୍ଷା ସୁନିଶ୍ଚିତ କରେ। ଏପର୍ଯ୍ୟନ୍ତ, 326 କିଲୋମିଟର ଭାୟାଡକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ 25 ଟି ନଦୀ ସେତୁ ମଧ୍ୟରୁ 17 ଟି ନିର୍ମାଣ ହୋଇସାରିଛି।
ସମ୍ପୂର୍ଣ୍ଣ ହେବା ପରେ, ବୁଲେଟ୍ ଟ୍ରେନ୍ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ଦୁଇ ଘଣ୍ଟାକୁ ହ୍ରାସ କରିବ। ଏହା ଯାତ୍ରାକୁ ଦ୍ରୁତ, ସହଜ ଏବଂ ଅଧିକ ଆରାମଦାୟକ କରି ଆନ୍ତଃସହର ଯାତାୟାତରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ।  ଏହି ପ୍ରକଳ୍ପ ସମଗ୍ର କରିଡରରେ ବ୍ୟବସାୟ, ପର୍ଯ୍ୟଟନ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ।
ପ୍ରାୟ 47 କିଲୋମିଟର ବ୍ୟାପୀ ସୁରଟ-ବିଲିମୋରା ସେକ୍ସନ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁରଟ ଷ୍ଟେସନର ଡିଜାଇନ୍ ସହରର ବିଶ୍ୱ ପ୍ରସିଦ୍ଧ ହୀରା ଶିଳ୍ପରୁ ପ୍ରେରଣା ନେଇଛି, ଯାହା ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକ୍ଷମତା ଉଭୟକୁ ପ୍ରତିଫଳିତ କରେ। ଷ୍ଟେସନକୁ ଯାତ୍ରୀଙ୍କ ଆରାମ ଉପରେ ଦୃଢ଼ ଧ୍ୟାନ ଦେଇ ଡିଜାଇନ୍ କରାଯାଇଛି, ଯେଉଁଥିରେ ପ୍ରଶସ୍ତ ପ୍ରତୀକ୍ଷା ଲାଉଞ୍ଜ, ବିଶ୍ରାମାଗାର ଏବଂ ଖୁଚୁରା ଦୋକାନ ରହିଛି। ଏହା ସୁରଟ ମେଟ୍ରୋ, ସିଟି ବସ୍ ଏବଂ ଭାରତୀୟ ରେଳ ନେଟୱର୍କ ସହିତ ବାଧାମୁକ୍ତ ବହୁମୁଖୀ ସଂଯୋଗ ମଧ୍ୟ ପ୍ରଦାନ କରିବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi