ଏକ ଉତ୍ତମ ବଜେଟ ଉପସ୍ଥାପନ କରିଥିବାରୁ ଆମ ଦେଶର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଯାଉଛି । ଏହା ଏକ ଏଭଳି ବଜେଟ ଯାହା ଗରିବଙ୍କୁ ସଶକ୍ତ କରିବ, ଭିତ୍ତିଭୂମି ବିକାଶକୁ ଆହୁରି ସୁଦୃଢ଼ କରିବ, ଦ୍ରୁତ ଅଭିବୃଦ୍ଧି ମଧ୍ୟ ଆଣିବ, ପ୍ରତ୍ୟେକଙ୍କୁ ଆଶାର ଅବସର ଦେବ, ଅର୍ଥବ୍ୟବସ୍ଥାକୁ ଏକ ନୂଆ ଶକ୍ତି ପ୍ରଦାନ କରିବ, ନୂତନ ସୁଦୃଢ଼ତା ଦେବ ଏବଂ ବିକାଶକୁ ଆହୁରି ଦ୍ରୁତ କରିବ । ଏହି ବଜେଟରେ ହାଇୱେ ମଧ୍ୟ ନିର୍ମାଣ ହୋଇଛି, ଆଇୱେ ମଧ୍ୟ ବଢ଼ିଛି, ଡାଲିର ଦାମ୍ ଠାରୁ ଆରମ୍ଭ କରି ଡାଟାର ସ୍ପିଡ ପର୍ଯ୍ୟନ୍ତ, ରେଳବାଇର ଆଧୁନିକୀକରଣ ଠାରୁ ଆରମ୍ଭ କରି ସରଳ ଅର୍ଥବ୍ୟବସ୍ଥା ନିର୍ମାଣ କରିବା ଦିଗରେ, ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ, ଉଦ୍ୟୋଗୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ, ବୟନ ଶିଳ୍ପ ଓ ବିନିର୍ମାଣ ଠାରୁ ଆରମ୍ଭ କରି ଟିକସ ରିହାତି ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ସ୍ୱପ୍ନ ପୂରଣ ଲାଗି ନିଆଯାଇଥିବା ଦୃଢ଼ ପଦକ୍ଷେପ ଏହି ବଜେଟରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି । ଏହି ଐତିହାସିକ ବଜେଟ ନିମନ୍ତେ ଅର୍ଥମନ୍ତ୍ରୀଙ୍କ ସହିତ ତାଙ୍କର ସମ୍ପୂର୍ଣ୍ଣ ଟିମ୍ ଅଭିନନ୍ଦନର ଅଧିକାରୀ ।

ଏହି ବଜେଟରେ ଦେଶର ବିକାଶ ନିମନ୍ତେ ଗତ ଅଢ଼େଇ ବର୍ଷ ମଧ୍ୟରେ ଯେଉଁ ପଦକ୍ଷେପ ନିଆଯାଇଛି, ଯେଉଁ ନିଷ୍ପତ୍ତି ଭବିଷ୍ୟତରେ ଆହୁରି ଅଧିକ ମଜଭୂତ ହୋଇ ଆଗକୁ ବଢ଼ିବାର ସଂକଳ୍ପ ସହିତ ଏକ ବହୁତ ମହତ୍ୱପୂର୍ଣ୍ଣ ସୋପାନ । ଏହି ବଜେଟରେ ମୁଁ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିପାରୁଛି, ରେଳବାଇ ବଜେଟ ଏବଂ ସାଧାରଣ ବଜେଟକୁ ମିଶାଇ ଦିଆଯାଇଛି । ଏହାଦ୍ୱାରା ସମ୍ପୂର୍ଣ୍ଣ ପରିବହନ କ୍ଷେତ୍ରରେ ସମନ୍ୱିତ ଯୋଜନା କରିବାର ସୁଯୋଗ ମିଳିପାରିବ ।

ଦେଶରେ ପରିବହନ ସହିତ ଜଡ଼ିତ ଆବଶ୍ୟକତା ପୂରଣ କରିବାରେ ରେଳବାଇ ନିଜର ଯୋଗଦାନ ଏବେ ଆହୁରି ଅଧିକ ଭଲ ଭାବେ କରିପାରିବ । ଏହି ବଜେଟରେ କୃଷି କ୍ଷେତ୍ର, ଗ୍ରାମୀଣ କ୍ଷେତ୍ର, ସାମାଜିକ କଲ୍ୟାଣ, ଭିତ୍ତିଭୂମି ଆଦି ସମସ୍ତ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ନିବେଶ ବୃଦ୍ଧି କରିବା ଏବଂ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବା ଦୃଷ୍ଟିରୁ ସରକାର ଯେଉଁ ପ୍ରତିଶ୍ରୁତିବଦ୍ଧତା ଦେଖାଇଛନ୍ତି ତାହା ଏହି ବଜେଟରେ ସଫା ସଫା ଦୃଷ୍ଟିଗୋଚର ହେଉଛି । ଏହି ଯୋଜନାଗୁଡ଼ିକ ନିମନ୍ତେ ହୋଇଥିବା ଆବଂଟନ ମଧ୍ୟ ଅଧିକ ବଢ଼ାଇ ଦିଆଯାଇଛି, ସରକାରୀ ନିବେଶକୁ ସୁଦୃଢ଼ କରିବା ନିମନ୍ତେ ରାସ୍ତା ଏବଂ ରେଳ କ୍ଷେତ୍ର ନିମନ୍ତେ ମଧ୍ୟ ଆବଂଟନରେ ଅଧିକ ବୃଦ୍ଧି କରାଯାଇଛି । ସରକାରଙ୍କ ଲକ୍ଷ୍ୟ 2022 ସୁଦ୍ଧା ଆମ ଦେଶର କୃଷକଙ୍କ ଆୟ ଦୁଇଗୁଣ କରିବା, ନୀତି ପ୍ରଣୟନ ଦୁଇଗୁଣ କରିବା ଏବଂ ସେହି ଢାଞ୍ଚାରେ ଯୋଜନା ପ୍ରସ୍ତୁତ କରାଯିବା । ବଜେଟରେ ଏଥର ସବୁଠୁ ଅଧିକ ଗୁରୁତ୍ୱ କୃଷକ, ଗ୍ରାମ, ଗରିବ, ଦଳିତ, ପୀଡ଼ିତ, ଶୋଷିତଙ୍କ ପ୍ରତି ଦିଆଯାଇଛି ।

କୃଷି, ପଶୁପାଳନ, ଡାଏରୀ, ମତ୍ସ୍ୟଚାଷ, ଜଳ ବିଭାଜିକା ବିକାଶ, ସ୍ୱଚ୍ଛ ଭାରତ ମିଶନ ଏହି 4ଟି କ୍ଷେତ୍ର ଏପରି ଏକ କ୍ଷେତ୍ର ଯାହା ଗ୍ରାମାଂଚଳର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ମଧ୍ୟ ଆଣିପାରିବ ଏବଂ ଗ୍ରାମୀଣ ଜୀବନ ବଂଚୁଥିବା ଲୋକମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିପାରିବ । ବଜେଟରେ ରୋଜଗାର ବୃଦ୍ଧି ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି । ଚାକିରି ନିମନ୍ତେ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଥିବା କ୍ଷେତ୍ର ଇଲେକ୍ଟ୍ରୋନିକ୍ସ, ବିନିର୍ମାଣ, ବୟନ ଉଦ୍ୟୋଗ ଆଦି କ୍ଷେତ୍ରକୁ ବିଶେଷ ଅର୍ଥରାଶି ପ୍ରଦାନ କରାଯାଇଛି । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ, ସଂଗଠିତ କ୍ଷେତ୍ରକୁ ଆଣିବା ଲାଗି ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୌଶଳ ବିକାଶକୁ ବଜେଟରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଏହା ଆମ ଦେଶର ଯୁବପୀଢ଼ିଙ୍କୁ ଧ୍ୟାନରେ ରଖି କରାଯାଇଛି । ଆଂଚଳିକ ବିବିଧତା ସମ୍ପୂର୍ଣ୍ଣ ଫାଇଦା ଭାରତକୁ ଯେପରି ମିଳିପାରିବ ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରାଯାଇଛି ।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ନିମନ୍ତେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ବ୍ୟୟବରାଦ ଚଳିତ ବର୍ଷ ରେକର୍ଡ ପରିମାଣର କରାଯାଇଛି । ବଜେଟରେ ମହିଳା କଲ୍ୟାଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି, ମହିଳା ଏବଂ ଶିଶୁମାନଙ୍କ ସହିତ ସମ୍ପର୍କିତ ଯୋଜନା ନିମନ୍ତେ ବଜେଟରେ ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ମଧ୍ୟ ବଜେଟରେ ଯଥେଷ୍ଟ ବ୍ୟୟ ବୃଦ୍ଧି କରାଯାଇଛି । ଆର୍ଥିକ ବିକାଶକୁ ଦ୍ରୁତ କରିବା ଏବଂ ରୋଜଗାରର ନୂତନ ସୁଯୋଗ ଦେବା ନିମନ୍ତେ ହାଉସିଂ ଏବଂ ନିର୍ମାଣ କ୍ଷେତ୍ରର ବହୁତ ବଡ଼ ଭୂମିକା ରହିଛି । ଏହି ବଜେଟ ଗ୍ରାମାଂଚଳ ସହିତ ସହରୀ ଇଲାକାରେ ମଧ୍ୟ ଗୃହନିର୍ମାଣ କ୍ଷେତ୍ରକୁ ଶକ୍ତି ପ୍ରଦାନ କରିବ । ରେଳବାଇ ବଜେଟରେ ଗୋଟିଏ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଏବଂ ତାହା ହେଉଛି ରେଳବାଇ ରକ୍ଷା ପାଣ୍ଠି । ଏହି ପାଣ୍ଠି ସହାୟତାରେ ରେଳବାଇ ସୁରକ୍ଷା ଉପରେ ପର୍ଯ୍ୟାପ୍ତ ଧନ-ରାଶି ଖର୍ଚ୍ଚ କରାଯାଇପାରିବ । ବଜେଟରେ ରେଳବାଇ ଏବଂ ସଡ଼କ ଭିତ୍ତିଭୂମି, ପୁଞ୍ଜି ବିନିଯୋଗରେ ଯଥେଷ୍ଟ ଅଧିକ ବୃଦ୍ଧି କରିଦିଆଯାଇଛି ।

ଡିଜିଟାଲ୍ ଅର୍ଥବ୍ୟବସ୍ଥା ନିମନ୍ତେ ଯେଉଁ ବିସ୍ତୃତ ପ୍ୟାକେଜ୍ ଦିଆଯାଇଛି ସେଥିରୁ ଟିକସ ଚୋରିର ସମ୍ଭାବନା କମ୍ ହେବ ଏବଂ ଅର୍ଥ ବ୍ୟବସ୍ଥାରେ କଳାଧନର ପ୍ରବାହ ଉପରେ ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ଡିଜିଟାଲ୍ ଅର୍ଥବ୍ୟବସ୍ଥାକୁ ଏକ ମିଶନ୍ ଭାବେ ଆରମ୍ଭ କରାଯାଇଥିବାରୁ ଆଗାମୀ 2017-18 ବର୍ଷରେ ଏଥିଲାଗି 2 ହଜାର 5 ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆମର ଅର୍ଥମନ୍ତ୍ରୀ ମହୋଦୟ ଟିକସ ପ୍ରଣାଳୀରେ ଯେଉଁ ସଂସ୍କାର ଏବଂ ସଂଶୋଧନ କରିଛନ୍ତି, ତା’ଦ୍ୱାରା ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ମିଳିପାରିବ । ଉଦ୍ୟୋଗ ପ୍ରତିଷ୍ଠା ସମ୍ଭବ ହେବ, ରୋଜଗାର ସୁଯୋଗ ମିଳିବ, ଭେଦ-ଭାବର ଅବସର ଶେଷ ହେବ ଏବଂ ସବୁଠୁ ମହତ୍ୱପୂର୍ଣ୍ଣ ଦିଗ ହେଉଛି ଘରୋଇ ନିବେଶକୁ ପ୍ରୋତ୍ସାହନ ମିଳିବ । ବଜେଟରେ ବ୍ୟକ୍ତିଗତ ଆୟକର କମ୍ କରିବା ଲାଗି ଘୋଷଣା ଦ୍ୱାରା ଦେଶର ମଧ୍ୟବିତ୍ତବର୍ଗକୁ ସବୁଠୁ ଅଧିକ ଫାଇଦା ମିଳିବ, ଯାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । 10 ପ୍ରତିଶତରୁ ସିଧାସଳଖ 5 ପ୍ରତିଶତକୁ ଆୟକର ହ୍ରାସ ଅତ୍ୟନ୍ତ ସାହସିକପୂର୍ଣ୍ଣ ନିଷ୍ପତ୍ତି । ଦେଶର ପ୍ରାୟତଃ ସମସ୍ତ କରଦାତାଙ୍କୁ ଏହାର ବହୁତ ବଡ଼ ଫାଇଦା ମିଳିବ । ଆପଣମାନେ ଦେଖିଥିବେ ବଜେଟରେ କଳାଧନ ଏବଂ ଭ୍ରଷ୍ଟାଚାର ବିରୋଧରେ ମୋର ଲଢ଼େଇ ନିରନ୍ତର ଜାରି ରହିଛି । ରାଜନୈତିକ ପାଣ୍ଠି ଯୋଗାଣର ଚର୍ଚ୍ଚା ଆମ ଦେଶରେ ବହୁତ ହୋଇଥାଏ, ରାଜନୈତିକ ଦଳଗୁଡ଼ିକ ସର୍ବଦା ବିତର୍କ ମଧ୍ୟରେ ରହିଥାନ୍ତି, ନିର୍ବାଚନ ସମୟରେ ପାଣ୍ଠି ଏକତ୍ର କରିବାର ନୂଆ ଯୋଜନା ମଧ୍ୟ ଅର୍ଥମନ୍ତ୍ରୀ ଦେଶର ଆଶାଆକାଂକ୍ଷା ଏବଂ କଳାଧନ ବିରୋଧି ଲଢ଼େଇ ଅନୁରୂପ ପ୍ରସ୍ତୁତ କରିଛନ୍ତି । ଦେଶର ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ଚାକିରିର ନୂତନ ସୁଯୋଗ ସୃଷ୍ଟି କରିବାର ସବୁଠୁ ବଡ଼ ସ୍ରୋତ । ଏହି ଉଦ୍ୟୋଗର ପୁରୁଣା ଦାବି ଯେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ମୁକାବିଲା କରିବାରେ ସେମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଟିକସ କମ୍ କରିଦେବା ଲାଗି ସେମାନେ ଦାବି କରି ଆସୁଥିଲେ । ଲଘୁ ଉଦ୍ୟୋଗ ସଂଖ୍ୟା ଦେଶରେ 90 ପ୍ରତିଶତରୁ ଅଧିକ । ଲଘୁ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ସରକାର ଟିକସ ପରିମାଣକୁ 30 ପ୍ରତିଶତରୁ କମ୍ କରି 25 ପ୍ରତିଶତ କରିଦେଇଛନ୍ତି । ଅର୍ଥାତ୍ ଦେଶର ଉଦ୍ୟୋଗ ଜଗତର 90 ପ୍ରତିଶତରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ । ମୋର ବିଶ୍ୱାସ ଯେ ଏହି ନିଷ୍ପତ୍ତି ଲଘୁ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସମର୍ଥ କରିବ । ଏହି ବଜେଟ ଦେଶର ବିକାଶ ନିମନ୍ତେ ଏକ ମଜଭୂତ ପଦକ୍ଷେପ । ଏହି ବଜେଟ ଦ୍ୱାରା ରୋଜଗାରର ନୂଆ ସୁଯୋଗ ଆଣିବ । ସମ୍ପୂର୍ଣ୍ଣ ଆର୍ଥିକ ବିକାଶ ହୋଇପାରିବ । କୃଷକଙ୍କ ଆୟ ବୃଦ୍ଧି ପାଇବାରେ ଏହା ପରିପୂରକ ହେବ । ନାଗରିକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପ୍ରତି ଧ୍ୟାନ ଦିଆଯାଇ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଏହି ସମସ୍ତ ବିଷୟରେ ଭଲ ସୁଧାର ପ୍ରତି ଧ୍ୟାନ ଦିଆଯାଇଛି । ବିତ୍ତୀୟ ନିଅଂଟ ବୃଦ୍ଧି ନକରି ଦେଶର ମଧ୍ୟମବର୍ଗ ଲୋକମାନଙ୍କ କ୍ରୟଶକ୍ତି ବୃଦ୍ଧି କରିବା ଏବଂ ସେମାନଙ୍କ ହାତକୁ ଅଧିକ ଅର୍ଥ ଯୋଗାଣ କରିବା ପ୍ରତି ମଧ୍ୟ ଏଥିରେ ଧ୍ୟାନ ଦିଆଯାଇଛି । ଏହି ବଜେଟ ଆମ ଦେଶର ବଦଳୁଥିବା ଛବିକୁ ଆହୁରି ଦ୍ରୁତ ଗତିରେ ବଦଳାଇବା ଦିଗରେ ସହାୟକ ହେବ । ଏହି ବଜେଟ ଆମ ସ୍ୱପ୍ନ ସହିତ ଜଡ଼ିତ, ଆମ ସଂକଳ୍ପ ସହିତ ଜଡ଼ିତ ଏବଂ ଏହା ଏକପ୍ରକାର ଆମ ଭବିଷ୍ୟତ । ଆମର ନୂଆ ପୀଢ଼ିର ଏହା ମଧ୍ୟ ଭବିଷ୍ୟତ, ଆମ କୃଷକମାନଙ୍କ ଭବିଷ୍ୟତ ଏବଂ ଯେତେବେଳେ ମୁଁ ଭବିଷ୍ୟତ କଥା କହୁଛି, ଏହାର ଅର୍ଥ ଗୋଟିଏ - ‘ଏଫ୍’ରୁ ଫାର୍ମର୍ସ କୃଷକମାନଙ୍କ ପାଇଁ, ‘ୟୁ’ର ‘ଅନପ୍ରିଭିଲେଜଡ୍’ ବା ଦଳିତ, ପୀଡ଼ିତ, ଶୋଷିତ, ବଂଚିତ, ମହିଳାଙ୍କ ପାଇଁ, ‘ଟି’ରୁ ଟ୍ରାନ୍ସପାରେନ୍ସୀ ପାରଦର୍ଶିତା, ଟେକ୍ନୋଲଜିର ଉନ୍ନତିକରଣ, ଆଧୁନିକ ଭାରତ ନିର୍ମାଣ ସ୍ୱପ୍ନ, ‘ୟୁ’ ରୁ ‘ଅର୍ବାନ୍ ରିଜୁଭେନେସନ୍’ ସହରୀ ବିକାଶ, ‘ଆର୍’ରୁ ‘ରୁରାଲ୍ ଡେଭଲପମେଂଟ’ ଗ୍ରାମୀଣ ବିକାଶ ଏବଂ ‘ଇ’ରୁ ନବଯୁବକମାନଙ୍କ ନିମନ୍ତେ ‘ଏମ୍ପ୍ଲୋଏମେଂଟ’ । ଉଦ୍ୟୋଗ ବିକାଶ ସକାଶେ ଆଗ୍ରହୀ ଲୋକମାନଙ୍କ ନିମନ୍ତେ ଇଂଟର୍ଣ୍ଣସିପ୍, ଏନହାଂସମେଣ୍ଟ ଏବଂ ନୂଆ ରୋଜଗାରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି ବଜେଟରେ ‘ଫ୍ୟୁଚର’ ପ୍ରସ୍ତୁତ କରିଥିବାରୁ ଅର୍ଥମନ୍ତ୍ରୀଙ୍କୁ ମୁଁ ପୁଣିଥରେ ଅଭିନନ୍ଦନ ଜଣାଉଛି । ଦେଶବାସୀଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ଏହି ବଜେଟ୍ ଏକ ବହୁତ ବଡ଼ ସହାୟକ ବ୍ୟବସ୍ଥା ଯାହା ଦେଶକୁ ଆଗକୁ ନେଇପାରିବ । ବିକାଶର ନୂତନ ସୋପାନ ଛୁଇଁବ ଏବଂ ଦେଶରେ ଏକ ନୂଆ ବିଶ୍ୱାସର ପରିବେଶ ସୃଷ୍ଟି କରିବାରେ ଏହି ବଜେଟ ବହୁତ ଉପକାରୀ ସାବ୍ୟସ୍ତ ହୋଇପାରିବ । ଏହା ମୋର ସମ୍ପୂର୍ଣ୍ଣ ବିଶ୍ୱାସ । ପୁଣି ଥରେ ଅର୍ଥମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟ ଏବଂ ଏହାର ସମ୍ପୂର୍ଣ୍ଣ ଟିମକୁ ଅନେକ ଅନେକ ଧନ୍ୟବାଦ ।

The FM has presented an 'Uttam' Budget, devoted to strengthening the hands of the poor: PM @narendramodi #BudgetForBetterIndia

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026