Several people belonging to tribal community have been conferred Padma Awards this year: PM Modi
India is Mother of Democracy and we all must be proud of this: PM Modi
Purple Fest in Goa is a unique attempt towards welfare of Divyangjan: PM Modi
IISc Bengaluru has achieved a major milestone, the institute has got 145 patents in 2022: PM Modi
India at 40th position in the Global Innovation Index today, in 2015 we were at 80th spot: PM Modi
Appropriate disposal of e-waste can strengthen circular economy: PM Modi
Compared to only 26 Ramsar Sites before 2014, India now has 75: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ୨୦୨୩ର ପ୍ରଥମ ‘ମନ୍ କି ବାତ୍’ ହୋଇଥିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ୯୭ତମ ଅଧ୍ୟାୟ । ଆପଣ ସମସ୍ତଙ୍କ ସହିତ ପୁଣିଥରେ କଥା ହୋଇ ମୋତେ ବହୁତ ଖୁସି ଲାଗୁଛି । ପ୍ରତିବର୍ଷ ଜାନୁଆରୀ ମାସଟି ବହୁତ ଘଟଣାବହୁଳ ହୋଇଥାଏ । ଏହି ମାସରେ ୧୪ ଜାନୁଆରୀ ପାଖାପାଖି ଉତ୍ତରରୁ ଦକ୍ଷିଣ ଯାଏଁ ଓ ପୂର୍ବରୁ ପଶ୍ଚିମ ଯାଏଁ ସାରା ଦେଶରେ ଉତ୍ସବର ଯାକଯମକ ଥାଏ। ଏହାପରେ ଦେଶ ନିଜର ଗଣତନ୍ତ୍ର ଉତ୍ସବ ମଧ୍ୟ ପାଳନ କରିଥାଏ। ଏଥର ମଧ୍ୟ ଗଣତନ୍ତ୍ର ଦିବସର ଅନେକ ଉଚ୍ଚପ୍ରଶଂସା ହେଉଛି। ଜୈସଲମେରରୁ ପୁଲକିତ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୬ର ପରେଡ୍ ସମୟରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ଦେଖି ବହୁତ ଭଲ ଲାଗିଲା । କାନପୁରରୁ ଜୟା ଲେଖିଛନ୍ତି ଯେ, ପରେଡରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଭାରତୀୟ ସଂସ୍କୃତିର ବିଭିନ୍ନ ରୂପକୁ ଦେଖି ଆନନ୍ଦ ଅନୁଭବ ହେଲା । ଏହି ପରେଡରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ମହିଳା ଓଟ ସବାର୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମହିଳା ଦଳର ମଧ୍ୟ ଉଚ୍ଚ ପ୍ରଶଂସା ହେଉଛି ।

ବନ୍ଧୁଗଣ, ଦେହରାଦୁନର ବତ୍ସଲ୍ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୫ ତାରିଖକୁ ମୁଁ ସର୍ବଦା ପ୍ରତୀକ୍ଷା କରିଥାଏ, କାରଣ ସେହି ଦିନ ପଦ୍ମ ପୁରସ୍କାର ଘୋଷିତ ହୋଇଥାଏ । ୨୫ ତାରିଖର ସନ୍ଧ୍ୟା କାଳ ହିଁ ମୋର ୨୬ ଜାନୁଆରୀର ଉତ୍ସାହକୁ ଆହୁରି ବଢ଼ାଇ ଦେଇଥାଏ । ତୃଣମୂଳ ସ୍ତରରେ ନିଜ ସମର୍ପଣ ଏବଂ ସେବା ଭାବନା ହେତୁ ଉପଲବ୍ଧି ହାସଲ କରିଥିବା ଲୋକଙ୍କୁ - ପିପୁଲ୍ସ ପଦ୍ମକୁ ନେଇ ମଧ୍ୟ ଅନେକ ଲୋକ ନିଜର ଭାବନାର ପରିପ୍ରକାଶ କରିଛନ୍ତି । ଏଥର ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜନଜାତି ସମୁଦାୟ ଏବଂ ଜନଜାତୀୟ ଜୀବନ ସହ ଜଡ଼ିତ ଲୋକଙ୍କର ପ୍ରତିନିଧିତ୍ୱ ବେଶ ଭଲ ରହିଛି । ଜନଜାତୀୟ ଜୀବନ ସହରର ଧାଁ-ଦୌଡ଼ ଠାରୁ ଭିନ୍ନ ହୋଇଥାଏ । ଏହା ସମ୍ମୁଖରେ ରହିଥିବା ଆହ୍ୱାନ ମଧ୍ୟ ଭିନ୍ନ ଥାଏ । ଏହାସତ୍ୱେ ଜନଜାତୀୟ ସମାଜ, ନିଜର ପରମ୍ପରାଗୁଡ଼ିକୁ ସଂରକ୍ଷିତ ରଖିବା ପାଇଁ ସର୍ବଦା ତତ୍ପର ରହିଥାନ୍ତି । ଜନଜାତୀୟ ସମୁଦାୟ ସହିତ ଯୋଡ଼ିହୋଇଥିବା ବସ୍ତୁଗୁଡ଼ିକର ସଂରକ୍ଷଣ ଏବଂ ସେଗୁଡ଼ିକ ଉପରେ ଗବେଷଣାର ପ୍ରଚେଷ୍ଟା ମଧ୍ୟ ହୋଇଛି । ତଦନୁସାରେ ଟୋଟୋ, ହୋ, କୁଇ, କୁୱି ଓ ମାଣ୍ଡା ଭଳି ଜନଜାତୀୟ ଭାଷାଗୁଡ଼ିକ ଉପରେ କାର୍ଯ୍ୟ କରୁଥିବା ଅନେକ ମହାନୁଭବଙ୍କୁ ପଦ୍ମ ପୁରସ୍କାର ମିଳିଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଧାନିରାମ ଟୋଟୋ, ଜାନୁମ୍ ସିଂ ସୋୟ ଏବଂ ବି. ରାମକୃଷ୍ଣ ରେଡ୍ଡିଙ୍କ ନାମ ସହ ତ ଏବେ ସାରା ଦେଶ ପରିଚିତ ହୋଇସାରିଲାଣି । ସିଦ୍ଧି, ଜାର୍ୱା ଏବଂ ଓଙ୍ଗେ ଭଳି ଆଦିମ ଜନଜାତିଙ୍କ ସହିତ କାମ କରୁଥିବା ଲୋକଙ୍କୁ ମଧ୍ୟ ଏଥର ସମ୍ମାନିତ କରାଯାଇଛି । ଯେମିତିକି – ହୀରାବାଈ ଲୋବି, ରତନ ଚନ୍ଦ୍ର କାର ଏବଂ ଈଶ୍ୱର ଚନ୍ଦ୍ର ବର୍ମା । ଜନଜାତୀୟ ସମୁଦାୟ ଆମ ଭୂମି, ଆମ ପରମ୍ପରାର ଅଭିନ୍ନ ଅଙ୍ଗ ହୋଇ ରହିଆସିଛନ୍ତି । ଦେଶ ଓ ସମାଜର ବିକାଶରେ ସେମାନଙ୍କ ଅବଦାନ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ମାନ ନୂତନ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ । ଚଳିତ ବର୍ଷ ପଦ୍ମ ପୁରସ୍କାରର ଧ୍ୱନି ସେହି ଅଂଚଳମାନଙ୍କରେ ମଧ୍ୟ ଶୁଣାଯାଉଛି, ଯାହା ନକ୍ସଲ ପ୍ରଭାବିତ ଥିଲା । ନିଜର ପ୍ରଚେଷ୍ଟାରେ ନକ୍ସଲ ପ୍ରଭାବିତ ଅଂଚଳରେ ପଥଚ୍ୟୁତ ହୋଇଥିବା ଯୁବକମାନଙ୍କୁ ଠିକ ବାଟ ଦେଖାଇଥିବା ଲୋକଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ କାଁକେରରେ କାଠ ଉପରେ ଖୋଦେଇ କାମ କରୁଥିବା ଅଜୟ କୁମାର ମଣ୍ଡାୱି ଏବଂ ଗଡଚିରୋଲିର ପ୍ରସିଦ୍ଧ ଝାଡ଼ିପଟ୍ଟି ରଙ୍ଗଭୂମି ସହ ଜଡ଼ିତ ପର୍ଶୁରାମ କୋମାଜୀ ଖୁଣେଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି । ସେହିଭଳି ଉତର-ପୂର୍ବାଂଚଳରେ ନିଜ ସଂସ୍କୃତିର ସୁରକ୍ଷାରେ ଲାଗିଥିବା ରାମକୁଈୱାଙ୍ଗ୍ବେ ନିଉମେ, ବିକ୍ରମ ବାହାଦୂର ଜମାତିଆ ଏବଂ କରମା ୱାଙ୍ଗଚୁଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି।

ବନ୍ଧୁଗଣ, ଏଥର ପଦ୍ମ ପୁରସ୍କାରରେ ସମ୍ମାନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏଭଳି ଅନେକ ଲୋକ ସାମିଲ ହୋଇଛନ୍ତି, ଯେଉଁମାନେ ସଙ୍ଗୀତ ଜଗତକୁ ସମୃଦ୍ଧ କରିଛନ୍ତି । ସଙ୍ଗୀତ କାହାକୁ ବା ଭଲ ନ ଲାଗେ? ପ୍ରତ୍ୟେକଙ୍କର ସଙ୍ଗୀତର ପସନ୍ଦ ଅଲଗା ଅଲଗା ଥାଇପାରେ, କିନ୍ତୁ ସଙ୍ଗୀତ ସମସ୍ତଙ୍କ ଜୀବନର ଅଂଶ ହୋଇଥାଏ । ଏଥର ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସେମାନେ ରହିଛନ୍ତି, ଯେଉଁମାନେ, ସନ୍ତୁର୍, ବମହୁମ, ଦ୍ୱିତାରା ଭଳି ଆମ ପାରମ୍ପରିକ ବାଦ୍ୟଯନ୍ତ୍ରର ମୂର୍ଚ୍ଛନାକୁ ପ୍ରସାରିତ କରିବାରେ ସିଦ୍ଧହସ୍ତ । ଗୁଲାମ ମହମ୍ମଦ ଜାସ୍, ମୋଆ ସୁ-ପୋଙ୍ଗ୍, ରି-ସିଂବୋର୍ କୁର୍କା-ଲାଙ୍ଗ୍, ମୁନି ୱେଙ୍କଟପ୍ପା ଏବଂ ମଙ୍ଗଲ୍ କାନ୍ତି ରାୟ ଏଭଳି କେତେ ଯେ ନାଁ ରହିଛି, ଯାହାଙ୍କ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେଉଛି ।

ବନ୍ଧୁଗଣ, ପଦ୍ମ ପୁରସ୍କାର ପାଇଥିବା ଅନେକ ବ୍ୟକ୍ତି, ଆମ ଗହଣରେ ରହିଥିବା ସେହି ସାଥୀ, ଯେଉଁମାନେ ସର୍ବଦା ଦେଶକୁ ସର୍ବୋପରି ରଖିଛନ୍ତି । ରାଷ୍ଟ୍ର ପ୍ରଥମେ - ଏହି ସିଦ୍ଧାନ୍ତ ପ୍ରତି ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ସେମାନେ ସେବା ଭାବନା ସହ ନିଜ କାମରେ ଲାଗି ରହିଲେ ଏବଂ ଏହାପାଇଁ ସେମାନେ କେବେହେଲେ କୌଣସି ପୁରସ୍କାର ଆଶା କରିନାହାନ୍ତି । ସେମାନେ ଯାହାଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କ ମୁଖମଣ୍ଡଳରେ ଝଲସୁଥିବା ସନ୍ତୁଷ୍ଟି ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଏଭଳି ସମର୍ପିତ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରିବା ଦ୍ୱାରା ଆମ ଦେଶବାସୀଙ୍କ ଗୌରବ ବୃଦ୍ଧି ପାଇଛି । ଯଦିଓ ମୁଁ ସମସ୍ତ ପଦ୍ମ ପୁରସ୍କାର ବିଜେତାମାନଙ୍କ ନାମ ଏଠାରେ କହିପାରୁନାହିଁ, କିନ୍ତୁ ପଦ୍ମ ପୁରସ୍କାର ପାଇଥିବା ଏହି ମହାନୁଭାବମାନଙ୍କ ପ୍ରେରଣାଦାୟୀ ଜୀବନ ବିଷୟରେ ବିସ୍ତୃତ ଭାବେ ଜାଣିବା ଏବଂ ଅନ୍ୟମାନଙ୍କୁ ଜଣାଇବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ବନ୍ଧୁଗଣ, ଆଜି ଯେତେବେଳେ ଆମେ ‘ଆଜାଦି କେ ଅମୃତ୍ ମହୋତ୍ସବ’ କାଳରେ ଗଣତନ୍ତ୍ର ଦିବସ ସମ୍ପର୍କରେ ଆଲୋଚନା କରୁଛୁଁ, ସେତେବେଳେ ମୁଁ ଏଠାରେ ଗୋଟିଏ ଚିତାକର୍ଷକ ବହି ବିଷୟରେ ମଧ୍ୟ ଆଲୋଚନା କରିବି । ମାତ୍ର କିଛି ସପ୍ତାହ ପୂର୍ବେ ମୋତେ ମିଳିଥିବା ଏହି ବହିରେ ଗୋଟିଏ ବହୁତ ଆକର୍ଷଣୀୟ ବିଷୟ ଉପରେ ଆଲୋଚନା କରାଯାଇଛି । ଏହି ବହିର ନାଁ ହେଉଛି - ଇଣ୍ଡିଆ-ଦି ମଦର୍ ଅଫ୍ ଡେମୋକ୍ରେସି । ଏଥିରେ ଅନେକ ଭଲ ଭଲ ପ୍ରବନ୍ଧ ରହିଛି । ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଏବଂ ଆମେ ଭାରତୀୟମାନେ ଏ କଥାକୁ ନେଇ ମଧ୍ୟ ଗର୍ବ କରୁ ଯେ, ଆମ ଦେଶ ଗଣତନ୍ତ୍ରର ଜନ୍ମଦାତା ମଧ୍ୟ ଅଟେ । ଗଣତନ୍ତ୍ର ଆମ ରକ୍ତରେ ପ୍ରବାହିତ, ଆମ ସଂସ୍କୃତିରେ ନିହିତ - ଶହ ଶହ ବର୍ଷ ଧରି ଏହା ଆମ କାର୍ଯ୍ୟପ୍ରଣାଳୀର ମଧ୍ୟ ଏକ ଅଭିନ୍ନ ଅଙ୍ଗ ହୋଇ ରହିଆସିଛି । ସ୍ୱଭାବତଃ ଆମେ ଏକ ଗଣତାନ୍ତ୍ରିକ ସମାଜ । ଡ. ଆମ୍ବେଦକର, ବୌଦ୍ଧ ଭିକ୍ଷୁ ସଂଘର ତୁଳନା ଭାରତୀୟ ସଂସଦ ସହିତ କରିଥିଲେ । ସେ ତାହାକୁ ଏଭଳି ଗୋଟିଏ ସଂସ୍ଥା ବୋଲି କହିଥିଲେ, ଯେଉଁଠାରେ ମୋସନ୍ସ, ରିଜୋଲୁ୍ୟସନ୍ସ, କୋରମ୍, ଭୋଟିଂ ଏବଂ ଭୋଟଗଣତି ପାଇଁ ଅନେକ ନିୟମ ଥିଲା । ଭଗବାନ ବୁଦ୍ଧଙ୍କୁ ଏହାର ପ୍ରେରଣା ସେହି ସମୟର ରାଜନୈତିକ ବ୍ୟବସ୍ଥାରୁ ମିଳିଥିବ ବୋଲି ବାବାସାହେବ ମନେକରୁଥିଲେ ।

ତାମିଲନାଡ଼ୁର ଗୋଟିଏ ଛୋଟ ଅଥଚ ଚର୍ଚ୍ଚିତ ଗାଁ ହେଉଛି ଉତିରମେରୁର। ଏଠାକାର ୧୧୦୦ – ୧୨୦୦ ବର୍ଷ ପୁରାତନ ଗୋଟିଏ ଶିଳାଲିପି ସାରା ବିଶ୍ୱକୁ ଆଚମ୍ଭିତ କରୁଛି । ଏହି ଶିଳାଲିପି ଗୋଟିଏ ଛୋଟ ସମ୍ବିଧାନ ସଦୃଶ । ଗ୍ରାମସଭାର ପରିଚାଳନା କିଭଳି ହେବା ଉଚିତ ଏବଂ ଏହାର ସଭ୍ୟମାନଙ୍କ ଚୟନ ପ୍ରକ୍ରିୟା କିଭଳି ହେବା ଉଚିତ, ତାହା ଏଥିରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଆମ ଦେଶର ଇତିହାସରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଆଉ ଗୋଟିଏ ଉଦାହରଣ ରହିଛି - ଦ୍ୱାଦଶ ଶତାବ୍ଦୀର ଭଗବାନ ବସବେଶ୍ୱରଙ୍କ ଅନୁଭବ ମଣ୍ଡପମ୍ । ଏଠାରେ ମୁକ୍ତ ବିତର୍କ ଏବଂ ଆଲୋଚନାକୁ ପ୍ରୋତ୍ସାହିତ କରାଯାଉଥିଲା । ଏ କଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ଏହା ମାଗ୍ନା କାର୍ଟା ଠାରୁ ମଧ୍ୟ ପୂର୍ବ ଘଟଣା । ୱାରଙ୍ଗଲକାକତୀୟ ବଂଶର ରାଜାମାନଙ୍କର ଗଣତାନ୍ତ୍ରିକ ପରମ୍ପରାମାନ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା । ଭକ୍ତି ଆନ୍ଦୋଳନ ପଶ୍ଚିମ ଭାରତରେ ଗଣତନ୍ତ୍ର ସଂସ୍କୃତିକୁ ଆଗେଇ ନେଇଥିଲା । ବହିରେ ଶିଖ୍ ପନ୍ଥର ଗଣତାନ୍ତ୍ରିକ ଭାବନା ଉପରେ ମଧ୍ୟ ଗୋଟିଏ ପ୍ରବନ୍ଧ ରହଛି ଯାହା ଗୁରୁ ନାନକ ଦେବଜୀଙ୍କ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନିଷ୍ପତିଗୁଡ଼ିକ ଉପରେ ଆଲୋକପାତ କରୁଛି । ମଧ୍ୟଭାରତର ଓରାଓଁ ଏବଂ ମୁଣ୍ଡା ଜନଜାତିମାନଙ୍କରେ କମ୍ୟୁନିଟି ଡ୍ରିଭେନ୍ ଓ କନ୍ସେନସସ୍ ଡ୍ରିଭେନ ନିଷ୍ପତ୍ତି ଉପରେ ମଧ୍ୟ ଏହି ବହିରେ ଉପାଦେୟ ତଥ୍ୟ ରହିଛି । ଏହି ବହିଟି ପଢ଼ିବା ପରେ ଆପଣ ଅନୁଭବ କରିବେ ଯେ, କିଭଳି ଦେଶର ପ୍ରତ୍ୟେକ ଭାଗରେ ଶହ ଶହ ବର୍ଷ ଧରି ଗଣତନ୍ତ୍ରର ଭାବନା ପ୍ରବାହିତ ହୋଇଆସିଛି । ମଦର୍ ଅଫ୍ ଡେମୋକ୍ରାସି ରୂପେ ଆମେ ଅନବରତ ଭାବେ ଏହି ବିଷୟ ଉପରେ ଗଭୀର ଭାବେ ଚିନ୍ତା କରିବା ଉଚିତ, ଆଲୋଚନା ମଧ୍ୟ କରିବା ଉଚିତ ଏବଂ ବିଶ୍ୱକୁ ଅବଗତ ମଧ୍ୟ କରାଇବା ଉଚିତ । ଏହାଦ୍ୱାରା ଦେଶରେ ଗଣତନ୍ତ୍ରର ଭାବନା ଆହୁରି ସୁଦୃଢ଼ ହେବ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଯଦି ଆପଣମାନଙ୍କୁ ପଚାରେ ଯେ, ଯୋଗ ଦିବସ ଏବଂ ଆମର ବିଭିନ୍ନ କ୍ଷୁଦ୍ର ଶସ୍ୟ ବା ମିଲେଟ୍ସରେ କ’ଣ ସାଧାରଣ ରହିଛି, ତାହେଲେ ଆପଣ ଭାବିପାରନ୍ତି ଯେ, ଏ ଦୁଇଟାକୁ କ’ଣ ତୁଳନା କରିହେବ? କିନ୍ତୁ ଯଦି ମୁଁ କହେ ଯେ, ଏହି ଦୁଇଟି ମଧ୍ୟରେ ବହୁତ କିଛି ସାଧାରଣ ରହିଛି, ତା’ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ମିଳିତ ଜାତିସଂଘ ଉଭୟ ଆନ୍ତର୍ଜାତିକ ଯୋଗ ଦିବସ ଏବଂ କ୍ଷୁଦ୍ର ଶସ୍ୟ ପାଇଁ ଆନ୍ତର୍ଜାତିକ ବର୍ଷ ପାଳନ କରିବାର ନିଷ୍ପତି ଭାରତର ପ୍ରସ୍ତାବ ପରେ ହିଁ ଗ୍ରହଣ କରିଛି । ଦ୍ୱିତୀୟ କଥା ହେଲା ଯେ, ଯୋଗ ମଧ୍ୟ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଓ ମିଲେଟ୍ସର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ କଥାଟି ଆହୁରି ଗୁରୁତ୍ୱପୂର୍ଣ୍ଣ । ଉଭୟ ଅଭିଯାନରେ ଜନସହଯୋଗିତା ଯୋଗୁଁ ଏକ ପ୍ରକାର ବିପ୍ଳବ ସୃଷ୍ଟି ହୋଇଛି । ଜନସାଧାରଣ ଯେଉଁଭଳି ଭାବେ ବ୍ୟାପକ ସ୍ତରରେ ସକ୍ରିୟ ଅଂଶଗ୍ରହଣ କରି ଯୋଗ ଓ ଫିଟନେସକୁ ନିଜ ଜୀବନର ଅଂଶ କରିଦେଇଛନ୍ତି, ସେହିଭଳି ଭାବେ ମିଲେଟ୍ସକୁ ମଧ୍ୟ ଲୋକେ ବ୍ୟାପକଭାବେ ଆପଣାଇଲେଣି । ଲୋକେ ଏବେ ମିଲେଟ୍ସକୁ ନିଜ ଖାଦ୍ୟରେ ସାମିଲ କଲେଣି । ଏହି ପରିବର୍ତନର ବହୁତ ବଡ଼ ପ୍ରଭାବ ମଧ୍ୟ ଦେଖାଗଲାଣି । ଏହାଦ୍ୱାରା ଏକପକ୍ଷରେ ସେହି କ୍ଷୁଦ୍ରଚାଷୀମାନେ ବହୁତ ଉତ୍ସାହିତ ହୋଇଛନ୍ତି ଯେଉଁମାନେ ପାରମ୍ପରିକ ଭାବେ ମିଲେଟ୍ସ ଚାଷ କରୁଥିଲେ । ବିଶ୍ୱ ଏବେ ସେମାନଙ୍କ ଶସ୍ୟର ମୂଲ୍ୟ ବୁଝିପାରିଥିବାରୁ ସେମାନେ ଏବେ ବହୁତ ଖୁସି । ଅପରପକ୍ଷରେ ଏଫ୍ପିଓ ଏବଂ ଉଦ୍ୟୋଗୀମାନେ ମିଲେଟ୍ସକୁ ବଜାରକୁ ପହଂଚାଇବା ଏବଂ ଏହାକୁ ଜନସାଧାରଣଙ୍କୁ ଉପଲବ୍ଧ କରାଇବାର ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ୍ ଜିଲ୍ଲାର ବାସିନ୍ଦା କେ.ଭି. ରାମା ସୁବ୍ବା ରେଡ୍ଡି ମିଲେଟ୍ସ ସକାଶେ ଗୋଟିଏ ଭଲ ଦରମାର ଚାକିରି ଛାଡ଼ିଦେଲେ । ମା’ଙ୍କ ହାତତିଆରି ମିଲେଟ୍ସର ବ୍ୟଞ୍ଜନଗୁଡ଼ିକର ସ୍ୱାଦ ତାଙ୍କୁ ଏଭଳି ଆକୃଷ୍ଟ କରିଥିଲା ଯେ, ସେ ନିଜ ଗାଁରେ ବାଜରା ପ୍ରକ୍ରିୟାକରଣ ଉଦ୍ୟୋଗ ହିଁ ପ୍ରତିଷ୍ଠା କରିଦେଲେ । ସୁବ୍ବା ରେଡ୍ଡି ଲୋକଙ୍କୁ ବାଜରାର ଲାଭ ସମ୍ପର୍କରେ ମଧ୍ୟ କହୁଛନ୍ତି ଏବଂ ଏହାକୁ ସହଜରେ ଉପଲବ୍ଧ ମଧ୍ୟ କରାଉଛନ୍ତି । ମହାରାଷ୍ଟ୍ରରେ ଅଲିବାଗ ନିକଟରେ କେନାଡ଼ ଗ୍ରାମର ବାସିନ୍ଦା ଶର୍ମିଳା ଅସ୍ୱାଲ ବିଗତ ୨୦ ବର୍ଷରୁ ମିଲେଟ୍ସ ଉତ୍ପାଦନରେ ନିଆରା ଢଙ୍ଗରେ ଯୋଗଦାନ ଦେଇଛନ୍ତି । ସେ ଚାଷୀମାନଙ୍କୁ ସ୍ମାର୍ଟ ଏଗ୍ରିକଲଚର ବିଷୟରେ ତାଲିମ ଦେଉଛନ୍ତି । ତାଙ୍କ ପ୍ରଚେଷ୍ଟା ଦ୍ୱାରା କେବଳ ମିଲେଟ୍ସର ଉତ୍ପାଦନ ବୃଦ୍ଧି ପାଇଛି ତାହା ନୁହେଁ, ବରଂ ଚାଷୀମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି ।

ଯଦି ଆପଣଙ୍କୁ ଛତିଶଗଡ଼ର ରାୟଗଡ଼ ଯିବାର ସୁଯୋଗ ମିଳେ, ତାହେଲେ ସେଠାକାର ମିଲେଟ୍ସ କ୍ୟାଫେକୁ ନିଶ୍ଚୟ ଯିବେ । ମାତ୍ର କିଛି ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ମିଲେଟ୍ସ କ୍ୟାଫେରେ ଚକୁଳି, ଦୋସା, ମୋମୋସ୍, ପିଜ୍ଜା ଏବଂ ମାଂଚୁରିୟାନ୍ ଭଳି ବ୍ୟଞ୍ଜନ ଖୁବ ଲୋକପ୍ରିୟ ହେବାରେ ଲାଗିଛି ।

ଆପଣଙ୍କୁ ଆଉ ଗୋଟିଏ କଥା ପଚାରିବି? ଆପଣମାନେ ଏଣ୍ଟରପ୍ରିନିୟର୍ ଶବ୍ଦଟି ଶୁଣିଥିବେ । କିନ୍ତୁ ଆପଣ କେବେ ମିଲେଟ୍-ପ୍ରେନିୟର୍ସ ଶବ୍ଦଟି ଶୁଣିଛନ୍ତି କି? ଓଡ଼ିଶାର ମିଲେଟ୍-ପ୍ରେନିୟର୍ସ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି । ଆଦିବାସୀ ଜିଲ୍ଲା ସୁନ୍ଦରଗଡ଼ର ପ୍ରାୟଃ ଦେଢ଼ ହଜାର ମହିଳାମାନଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ, ଓଡ଼ିଶା ମିଲେଟ୍ସ ମିଶନ୍ ସହିତ ଜଡ଼ିତ । ଏଠାରେ ମହିଳାମାନେ ମିଲେଟ୍ସରେ କୁକିଜ୍, ରସଗୋଲା, ଗୋଲାପଜାମୁ ଏବଂ କେକ୍ ମଧ୍ୟ ତିଆରି କରୁଛନ୍ତି । ବଜାରରେ ଏହାର ଚାହିଦା ବହୁତ ବଢ଼ୁଥିବାରୁ ମହିଳାମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଚାଲିଛି ।

କର୍ଣ୍ଣାଟକର କଲବୁର୍ଗୀରେ ଅଳନ୍ଦ ଭୁତାଇ ମିଲେଟ୍ସ ଫାର୍ମର୍ସ ପ୍ରୋଡ୍ୟୁସର୍ସ କମ୍ପାନୀ ଗତ ବର୍ଷ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମିଲେଟ୍ସ ରିସର୍ଚ୍ଚ ତତ୍ତ୍ବାବଧାନରେ କାମ ଆରମ୍ଭ କଲା । ଏଠାକାର ଖାଖ୍ରା, ବିସ୍କୁଟ୍ ଏବଂ ଲଡ଼ୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । କର୍ଣ୍ଣାଟକର ହିଁ ବିଦର୍ ଜିଲ୍ଲାରେ ହୋଲ୍ସୁର ମିଲେଟ୍ ପ୍ରଡ୍ୟୁସର କମ୍ପାନୀ ସହିତ ଜଡ଼ିତ ମହିଳାମାନେ ମିଲେଟ୍ସ ଚାଷ ସହିତ ଏହାର ଅଟା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାଦ୍ୱାରା ସେମାନଙ୍କ ଆୟରେ ବହୁତ ବୃଦ୍ଧି ଘଟିଛି । ଜୈବିକ ଚାଷ ସହ ଜଡ଼ିତ ଛତିଶଗଡ଼ର ସନ୍ଦିପ ଶର୍ମାଙ୍କ ଏଫ୍ପିଓ ସହିତ ଏବେ ୧୨ଟି ରାଜ୍ୟର ଚାଷୀ ଯୋଡ଼ିହୋଇଛନ୍ତି । ବିଳାସପୁରର ଏହି ଏଫପିଓ ଆଠ ପ୍ରକାରର ମିଲେଟ୍ସ ଅଟା ଏବଂ ଏହାର ବ୍ୟଞ୍ଜନ ତିଆରି କରୁଛି।

ବନ୍ଧୁଗଣ, ଆଜି ଭାରତର କୋଣ-ଅନୁକୋଣରେ ଜି-୨୦ର ସମ୍ମିଳନୀ କ୍ରମାନ୍ୱୟରେ ଆୟୋଜିତ ହେଉଛି ଏବଂ ଦେଶର ପ୍ରତ୍ୟେକ କୋଣରେ ଯେଉଁଠାରେ ଜି-୨୦ ର ସମ୍ମିଳନୀ ହେଉଛି, ସେଠାରେ ମିଲେଟ୍ସରେ ତିଆରି ପୁଷ୍ଟିକର ଏବଂ ସୁଆଦିଆ ବ୍ୟଞ୍ଜନ ସେଥିରେ ସାମିଲ ହୋଇରହୁଛି । ଏଠାରେ ବାଜରାରେ ତିଆରି ଖେଚୁଡ଼ି, ଚୁଡ଼ା, କ୍ଷୀରି ଏବଂ ରୁଟି ସହିତ ମାଣ୍ଡିଆରେ ତିଆରି କ୍ଷୀରି, ପୁରୀ ଏବଂ ଦୋସା ଭଳି ବ୍ୟଞ୍ଜନ ପରଷାଯାଉଛି । ଜି-୨୦ର ସମସ୍ତ ଆୟୋଜନ ସ୍ଥଳମାନଙ୍କରେ ମିଲେଟ୍ସ ପ୍ରଦର୍ଶନୀରେ ମିଲେଟ୍ସରେ ତିଆରି ହେଲ୍ଥ ଡ୍ରିଙ୍କ୍, ସିରିଆଲ୍ସ ଏବଂ ନୁଡୁଲ୍ସକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ସାରା ବିଶ୍ୱରେ ଏହାର ଲୋକପ୍ରିୟତା ବଢ଼ାଇବା ପାଇଁ ଇଣ୍ଡିଆନ ମିଶନମାନ ମଧ୍ୟ ପ୍ରୟାସ କରୁଛନ୍ତି । ଆପଣମାନେ କଳ୍ପନା କରିପାରନ୍ତି ଯେ, ଦେଶର ଏହି ପ୍ରୟାସ ଏବଂ ବିଶ୍ୱରେ ବୃଦ୍ଧି ପାଉଥିବା ମିଲେଟ୍ସର ଚାହିଦା, ଆମ କ୍ଷୁଦ୍ର ଚାଷୀମାନଙ୍କୁ କେତେ ଶକ୍ତି ପ୍ରଦାନ କରିବ । ଏହା ଦେଖି ମଧ୍ୟ ମୋତେ ଭଲ ଲାଗୁଛି ଯେ, ମିଲେଟ୍ସରେ ଆଜି ଯେତେ ନୂଆ ନୂଆ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଲାଣି, ତାହାକୁ ଯୁବ ପିଢ଼ି ମଧ୍ୟ ପସନ୍ଦ କରୁଛି । ଇଂଟରନ୍ୟାସନାଲ ଇୟର୍ ଅଫ୍ ମିଲେଟ୍ସର ଏଭଳି ଚମକ୍ରାର ପ୍ରାରମ୍ଭ ଏବଂ ଏହାକୁ କ୍ରମାଗତ ଭାବେ ଆଗକୁ ବଢ଼ାଇ ଚାଲିବା ପାଇଁ ମୁଁ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଆପଣଙ୍କୁ କେହି ଟୁରିଷ୍ଟ୍ ହବ୍ ଗୋଆ କଥା କହେ, ତ ଆପଣଙ୍କ ମନରେ କି ଭାବନା ଆସେ? ସ୍ୱାଭାବିକ ଭାବରେ ଗୋଆର ନାମ ଆସିଲେ ହିଁ ସବୁଠୁ ଆଗ ଏଠାକାର ସୁନ୍ଦର ସମୁଦ୍ରତଟ, ବେଳାଭୂମି ଓ ମନପସନ୍ଦର ଖାଦ୍ୟପାନୀୟ ଆଡ଼କୁ ଦୃଷ୍ଟି ଚାଲିଯାଏ । କିନ୍ତୁ ଗୋଆରେ ଏହି ମାସରେ ଏପରି କିଛି ହେଲା, ଯାହା ବହୁତ ଚର୍ଚ୍ଚାରେ ରହିଛି । ଆଜି ‘ମନ୍ କୀ ବାତ୍’ରେ ମୁଁ ଏହାକୁ ଆପଣଙ୍କ ସହ ବାଂଟିବାକୁ ଚାହୁଁଛି । ଗୋଆରେ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ‘ପର୍ପଲ୍ ଫେଷ୍ଟ୍’ । ଏହି ଉତ୍ସବ ୬ରୁ ୮ ଜାନୁଆରୀ ପର୍ଯ୍ୟନ୍ତ ପଣଜୀରେ ଆୟୋଜିତ ହୋଇଥିଲା । ଦିବ୍ୟାଙ୍ଗମାନଙ୍କର କଲ୍ୟାଣକୁ ନେଇ ଏହା ସ୍ୱୟଂ ଏକ ଅନନ୍ୟ ପ୍ରୟାସ ଥିଲା । ପର୍ପଲ୍ ଫେଷ୍ଟ୍ କେତେ ବଡ଼ ସୁଯୋଗ ଥିଲା, ଏହାକୁ ଆପଣ ଏଇଥିରୁ ଅନୁମାନ କରିପାରିବେ ଯେ ଏଥିରେ ୫୦ ହଜାରରୁ ବି ଅଧିକ ଆମର ଭାଇଭଉଣୀ ଯୋଗଦେଇଥିଲେ । ଏଠାକୁ ଆସିଥିବା ଲୋକ ଏହି କଥାକୁ ନେଇ ରୋମାଂଚିତ ଥିଲେ ଯେ ସେମାନେ ଏବେ ‘ମିରାମାର୍ ବିଚ୍’ ବୁଲିବାର ଭରପୁର ଆନନ୍ଦ ନେଇପାରିବେ । ପ୍ରକୃତରେ ‘ମିରାମାର୍ ବିଚ୍’ ଆମର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ପାଇଁ ଗୋଆର ସୁଲଭ ସମୁଦ୍ରତଟ ମଧ୍ୟରୁ ଗୋଟିଏ ହୋଇଗଲା । ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଟେବୁଲ୍ ଟେନିସ ଟୁର୍ଣ୍ଣାମେଣ୍ଟ, ମାରାଥନ ପ୍ରତିଯୋଗିତା ସହିତ ଏକ ଦୃଷ୍ଟିବାଧିତ ଓ ଶ୍ରବଣବାଧିତ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା । ଏଠାରେ ନିଆରା ପକ୍ଷୀ ଦର୍ଶନ କାର୍ଯ୍ୟକ୍ରମ ବ୍ୟତୀତ ଗୋଟିଏ ଚଳଚ୍ଚିତ୍ର ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ଯେପରିକି ଆମର ସମସ୍ତ ଦିବ୍ୟାଙ୍ଗ ଭାଇଭଉଣୀ ଓ ପିଲାଏ ଏହାର ପୂରା ଆନନ୍ଦ ଉଠାଇପାରିବେ । ପର୍ପଲ୍ ଫେଷ୍ଟର ଗୋଟିଏ ସ୍ୱତନ୍ତ୍ର କଥା ହେଲା ଏଥିରେ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଭାଗୀଦାର ହୋଇଥିଲା । ତାଙ୍କ ପକ୍ଷରୁ ଏପରି ଦ୍ରବ୍ୟର ପ୍ରଦର୍ଶନ କରାଯାଇଥିଲା, ଯାହା ଦିବ୍ୟାଙ୍ଗ ଅନୁକୂଳ । ଏହି ଉତ୍ସବରେ ଦିବ୍ୟାଙ୍ଗ କଲ୍ୟାଣ ପ୍ରତି ସଚେତନତା ବୃଦ୍ଧିର ଅନେକ ପ୍ରୟାସ ଦେଖିବାକୁ ମିଳିଥିଲା । ପର୍ପଲ୍ ଫେଷ୍ଟକୁ ସଫଳ କରିବା ପାଇଁ, ମୁଁ, ଏଥିରେ ଭାଗ ନେଇଥିବା ସବୁ ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଏଥିସହ ସେହି ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଅଭିନନ୍ଦନ କରୁଛି, ଯେଉଁମାନେ ଏହାକୁ ଆୟୋଜନ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆମର ‘ଆକ୍ସେସିବୁଲ୍ ଇଣ୍ଡିଆ’ କଳ୍ପନାକୁ ସାକାର କରିବା ଦିଗରେ ଏହିଭଳି ଅଭିଯାନ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଏବେ ‘ମନ୍ କୀ ବାତ୍’ରେ ମୁଁ ଏପରି ଏକ ବିଷୟରେ ଆଲୋଚନା କରିବି, ଯେଉଁଥିରେ ଆପଣଙ୍କୁ ଆନନ୍ଦ ଆସିବ, ଗର୍ବ ମଧ୍ୟ ହେବ ଏବଂ ମନ କହି ଉଠିବ- ବାଃ ଭାଇ ବାଃ! ଦିଲ୍ ଖୁସ୍ ହୋ ଗୟା! ଦେଶର ସବୁଠୁ ପୁରୁଣା ବିଜ୍ଞାନ ସଂସ୍ଥା ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅର୍ଥାତ ଆଇଆଇଏସ୍ ଏକ ଚମକ୍ରାର ଉଦାହରଣ ଉପସ୍ଥାପିତ କରୁଛି । ‘ମନ୍ କୀ ବାତ୍’ରେ ମୁଁ ପୂର୍ବରୁ ଏ ସମ୍ପର୍କରେ ଆଲୋଚନା କରିସାରିଛି ଯେ କିପରି ଏହି ସଂସ୍ଥା ପ୍ରତିଷ୍ଠା ପଛରେ ଭାରତର ଦୁଇ ମହାନ ବ୍ୟକ୍ତି ଜାମସେଦଜୀ ଟାଟା ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ରହିଛି, ତ ଆପଣଙ୍କୁ ଓ ମୋତେ ଖୁସି ଓ ଗର୍ବ ଦେବା ଭଳି କଥା ହେଲା ୨୦୨୨ ବର୍ଷରେ ଏହି ସଂସ୍ଥା ନାଁରେ ମୋଟ ୧୪୫ଟି ପେଟେଣ୍ଟ ଦର୍ଜ ହୋଇଛି । ଏହାର ଅର୍ଥ ହେଲା ପ୍ରତି ୫ ଦିନରେ ୨ଟି ପେଟେଣ୍ଟ। ଏହି ରେକର୍ଡ ସ୍ୱୟଂ ଅଦ୍ୱିତୀୟ। ଏହି ସଫଳତା ପାଇଁ ମୁଁ ଆଇଆଇଏସ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ବନ୍ଧୁଗଣ, ଆଜି ପେଟେଣ୍ଟ ଫାଇଲିଂରେ ଭାରତର ସ୍ଥାନ ସପ୍ତମ ଓ ଟ୍ରେଡମାର୍କରେ ପଞ୍ଚମ। କେବଳ ପେଟେଣ୍ଟ କଥା ଯଦି କହିବା, ତେବେ ଗତ ୫ ବର୍ଷ ମଧ୍ୟରେ ଏଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଗ୍ଲୋବାଲ୍ ଇନ୍ନୋଭେସନ ଇଣ୍ଡେକ୍ସରେ ଭାରତର ରାଙ୍କ‌ରେ ବହୁତ ଉନ୍ନତି ଆସିଛି ଏବଂ ଏବେ ଏହା ୪୦ତମ ସ୍ଥାନରେ ପହଂଚିଛି, ଯେତେବେଳେ କି ୨୦୧୫ରେ ଭାରତ ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସରେ ୮୦ ନମ୍ବରରୁ ବି ପଛରେ ରହିଥିଲା । ଆଉ ଗୋଟିଏ ମଜା କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି । ଭାରତରେ ଗତ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ଦେଶୀ ପେଟେଣ୍ଟ ଫାଇଲିଂ ସଂଖ୍ୟା ବିଦେଶୀ ଫାଇଲିଂ ଠାରୁ ଅଧିକ ହୋଇଥିବା ଦେଖାଯାଇଛି । ଏହା ଭାରତର କ୍ରମବର୍ଦ୍ଧିଷ୍ଣୁ ବୈଜ୍ଞାନିକ ସାମର୍ଥ୍ୟକୁ ମଧ୍ୟ ପ୍ରଦର୍ଶିତ କରିଥାଏ ।

ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଯେ ଏକବିଂଶ ଶତାବ୍ଦୀର ବୈଶ୍ୱିକ ଅର୍ଥନୀତିରେ ଜ୍ଞାନ ହିଁ ସର୍ବୋପରି । ମୋର ବିଶ୍ୱାସ ଯେ ଭାରତର Techadeର ସ୍ୱପ୍ନ ଆମର ଉଦ୍ଭାବକ ଓ ସେମାନଙ୍କ ପେଟେଣ୍ଟର ସାମର୍ଥ୍ୟ ବଳରେ ନିଶ୍ଚୟ ସାକାର ହେବ । ଏଥିରେ ଆମେ ସମସ୍ତେ ନିଜ ଦେଶରେ ପ୍ରସ୍ତୁତ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ସାମଗ୍ରୀର ସଂପୂର୍ଣ୍ଣ ଲାଭ ଉଠାଇପାରିବା ।

ମୋର ପ୍ରିୟ ଦେଶବାସୀଗଣ, ନମୋ ଆପରେ ମୁଁ ତେଲଙ୍ଗାନାର ଇଞ୍ଜିନିୟର ବିଜୟ ଜୀଙ୍କ ଏକ ପୋଷ୍ଟ୍ ଦେଖିଲି । ଏଥିରେ ବିଜୟ ଜି ଇ-ଆବର୍ଜନା ସମ୍ପର୍କରେ ଲେଖିଛନ୍ତି । ବିଜୟ ଜୀ ଚାହାନ୍ତି ଯେ ମୁଁ ‘ମନ୍ କୀ ବାତ୍’ରେ ଏ ସମ୍ପର୍କରେ ଆଲୋଚନା କରିବି । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ମଧ୍ୟ ଆମେ ‘ୱେଷ୍ଟ୍ ଟୁ ୱେଲଥ୍’ ଅର୍ଥାତ ‘ଆବର୍ଜନାରୁ ସୁନା’ ସମ୍ପର୍କରେ ଆଲୋଚନା କରିଛୁ; କିନ୍ତୁ ଆସନ୍ତୁ ଆଜି, ଏହା ସହିତ ସଂପୃକ୍ତ ଇ-ଆବର୍ଜନା ସମ୍ପର୍କରେ ଆଲୋଚନା କରିବା ।

ବନ୍ଧୁଗଣ, ଆଜି ପ୍ରତ୍ୟେକ ଘରେ ମୋବାଇଲ୍ ଫୋନ୍, ଲାପଟପ, ଟାବଲେଟ୍ ଭଳି ଡିଭାଇସ୍ ସାଧାରଣ ହୋଇଯାଇଛି। ସମଗ୍ର ଦେଶରେ ଏଗୁଡ଼ିକର ସଂଖ୍ୟା କୋଟିକୋଟି ହେବ । ଆଜିର ସର୍ବାଧୁନିକ ଡିଭାଇସ୍ ଭବିଷ୍ୟତର ଇ-ଆବର୍ଜନ ପାଲଟିଥାଏ । ଯେତେବେଳେ ମଧ୍ୟ କେହି ନୂଆ ଡିଭାଇସ କିଣେ ବା ନିଜର ପୁରୁଣା ଡିଭାଇସ୍କୁ ବଦଳାଏ, ସେତେବେଳେ ଦୃଷ୍ଟି ଦେବା ଜରୁରୀ ଯେ ତାକୁ ଠିକ୍ଭାବେ ଡିସ୍କାର୍ଡ କରାଯାଇଛି ନା ନାହିଁ । ଯଦି ଇ-ଆବର୍ଜନାକୁ ଠିକଭାବେ ବି ନଷ୍ଟ କରାଯାଇ ନାହିଁ, ତେବେ ଏହା ଆମ ପରିବେଶର ମଧ୍ୟ କ୍ଷତି କରିପାରେ । କିନ୍ତୁ ଯଦି ସାବଧାନତାପୂର୍ବକ ଏପରି କରାଯାଏ, ତେବେ ଏହା ରିସାଇକଲ୍ ଓ ରିୟୁଜର ସର୍କୁଲାର୍ ଇକୋନୋମିର ବହୁତ ବଡ଼ ଶକ୍ତି ହୋଇପାରିବ । ଜାତିସଂଘର ଏକ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରତିବର୍ଷ ୫୦ ନିୟୁତ ଟନ ଇ-ଆବର୍ଜନା ଫିଙ୍ଗାଯାଉଛି । ଆପଣ ଅନୁମାନ କରିପାରିବେ ଯେ ଏହା କେତେ ହୋଇଥିବ? ମାନବ ଇତିହାସରେ ଯେତିକି ବ୍ୟାବସାୟିକ ବିମାନ ତିଆରି ହୋଇଛି, ସେହି ସବୁର ଓଜନକୁ ଯଦି ମିଶାଇ ଦିଆଯାଏ, ତା’ହେଲେ ମଧ୍ୟ ଯେତିକି ଇ-ଆବର୍ଜନା ବାହାରୁଛି, ତା’ ସହ ସମାନ ହେବ ନାହିଁ । ଏହା ଏପରି ଯେ ଯେପରି ପ୍ରତି ସେକେଣ୍ଡରେ ୮୦୦ ଲାପଟପ ଫିଙ୍ଗିଦିଆଯାଉଛି । ଆପଣ ଜାଣି ଚମକି ପଡ଼ିବେ ଯେ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଇ-ଆବର୍ଜନାରୁ ପ୍ରାୟ ୧୭ ପ୍ରକାରର ମୂଲ୍ୟବାନ ଧାତୁ ବାହାର କରାଯାଇପାରିବ । ଏଥିରେ ସୁନା, ରୁପା, ତମ୍ବା ଓ ନିକେଲ୍ ଅନ୍ତର୍ଭୁକ୍ତ। ଏହି କାରଣରୁ ଇ-ଆବର୍ଜନାର ସଦୁପଯୋଗ କରିବା ‘ଆବର୍ଜନାରୁ ସୁନା’ ତିଆରି କରିବାଠୁ କମ୍ ନୁହେଁ । ଆଜି ଏପରି ଷ୍ଟାର୍ଟଅପ୍ସଗୁଡ଼ିକର ଅଭାବ ନାହିଁ, ଯାହା ଏ କ୍ଷେତ୍ରରେ ଅଭିନବ କାର୍ଯ୍ୟ କରୁଛନ୍ତି । ଆଜି, ପ୍ରାୟ ୫୦୦ ଇ-ଆବର୍ଜନା ରିସାଇକ୍ଲର୍ସ୍ ଏହି କ୍ଷେତ୍ର ସହିତ ସଂପୃକ୍ତ ଅଛନ୍ତି ଏବଂ ବହୁତ ନୂଆ ଉଦ୍ୟୋଗୀଙ୍କୁ ମଧ୍ୟ ଏଥିସହ ଯୋଡ଼ାଯାଉଛି । ଏହି କ୍ଷେତ୍ର ହଜାର ହଜାର ଲୋକଙ୍କୁ ସିଧାସଳଖ ରୋଜଗାର ମଧ୍ୟ ଦେଇଛି । ବେଙ୍ଗାଲୁରୁର ଇ-ପରିସରା ଏପରି ଏକ ପ୍ରୟାସରେ ଲାଗିଛି । ଏହା ପ୍ରିଂଟେଡ୍ ସର୍କିଟ୍ ବୋର୍ଡର ମୂଲ୍ୟବାନ ଧାତୁକୁ ଅଲଗା କରିବାର ସ୍ୱଦେଶୀ ପ୍ରଯୁକ୍ତି ବିକଶିତ କରିଛି । ସେହିଭଳି ମୁମ୍ବଇରେ କାର୍ଯ୍ୟ କରୁଥିବା ଇକୋରିକୋ ମୋବାଇଲ୍ ଆପ୍ ସାହାଯ୍ୟରେ ଇ-ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ପ୍ରସ୍ତୁତ କରିଛି । ଉତରାଖଣ୍ଡର ରୁଡ଼କିର ଏଟେରୋ ରିସାଇକ୍ଲିଂ ତ ଏ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଅନେକ ପେଟେଣ୍ଡ୍ ହାସଲ କରିଛି । ଏହା ନିଜର ଇ-ଆବର୍ଜନା ରିସାଇକ୍ଲିଂ ଟେକ୍ନୋଲୋଜି ପ୍ରସ୍ତୁତ କରି ସୁନାମ ଅର୍ଜନ କରିଛି । ଭୋପାଳରେ ମୋବାଇଲ୍ ଆପ୍ ଓ ୱେବ୍ସାଇଟ୍ ‘କବାଡ଼ିବାଲା’ ଜରିଆରେ ଟନଟନ ଇ-ଆବର୍ଜନା ସଂଗ୍ରହ କରାଯାଉଛି । ଏହିଭଳି ଅନେକ ଉଦାହରଣ ରହିଛି । ଏ ସବୁ ଭାରତକୁ ଗ୍ଲୋବାଲ୍ ରିସାଇକ୍ଲିଂ ହବ୍ ନିର୍ମାଣ କରିବାରେ ସାହାଯ୍ୟ କରୁଛନ୍ତି; କିନ୍ତୁ ଏପରି ଉଦ୍ୟମର ସଫଳତା ପାଇଁ ଗୋଟିଏ ଜରୁରୀ ସର୍ତ ମଧ୍ୟ ରହିଛି, ତାହା ହେଲା ଇ-ଆବର୍ଜନାକୁ ବିନଷ୍ଟ କରିବାର ସୁରକ୍ଷିତ ଉପଯୋଗୀ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ବାରମ୍ବାର ସଚେତନ କରିବାକୁ ପଡ଼ିବ । ଇ-ଆବର୍ଜନା କ୍ଷେତ୍ରରେ କାମ କରୁଥିବା ଲୋକେ କହନ୍ତି ଯେ ଏବେ ପ୍ରତିବର୍ଷ କେବଳ ୧୫-୧୭ ପ୍ରତିଶତ ଇ-ଆବର୍ଜନାକୁ ହିଁ ରିସାଇକଲ୍ କରାଯାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତନ ଓ ଜୈବବିବିଧତାର ସଂରକ୍ଷଣ ନେଇ ବହୁତ ଚର୍ଚ୍ଚା ହେଉଛି । ଏ ଦିଗରେ ଭାରତର ଠୋସ୍ ପ୍ରୟାସ ସମ୍ପର୍କରେ ଆମେ କ୍ରମାଗତ ଆଲୋଚନା କରିଆସିଛୁ । ଭାରତ ନିଜର ଆର୍ଦ୍ରଭୂମି ପାଇଁ ଯେଉଁ କାମ କରିଛି, ତାହା ଜାଣି ଆପଣଙ୍କୁ ମଧ୍ୟ ବହୁତ ଭଳ ଲାଗିବ । କେତେକ ଶ୍ରୋତା ଭାବୁଥିବେ ଯେ ଆର୍ଦ୍ରଭୂମି କ’ଣ? ଆର୍ଦ୍ରଭୂମି ସ୍ଥଳ ଅର୍ଥାତ ସେହି ସ୍ଥାନ ଯେଉଁଠି ଫସଫସିଆ ମାଟି ଥିବା ଭୂଇଁରେ ବର୍ଷସାରା ପାଣି ଜମି ରହେ । କିଛି ଦିନ ପରେ, ୨ ଫେବୃଆରୀରେ ହିଁ ବିଶ୍ୱ ଆର୍ଦ୍ରଭୂମି ଦିବସ । ଆମ ଧରିତ୍ରୀର ଅସ୍ତିତ୍ୱ ପାଇଁ ଆର୍ଦ୍ରଭୂମି ବହୁତ ଜରୁରୀ, କାହିଁକିନା ଏହା ଉପରେ ଅନେକ ପକ୍ଷୀ, ଜୀବଜନ୍ତୁ ନିର୍ଭର କରନ୍ତି। ଏହା ଜୈବବିବିଧତାକୁ ସମୃଦ୍ଧ କରିବା ସହ ବନ୍ୟା ନିୟନ୍ତ୍ରଣ ଓ ଭୂତଳ ଜଳ ପୁନର୍ଭରଣା କରିବାକୁ ମଧ୍ୟ ସୁନିଶ୍ଚିତ କରିଥାଏ। ଆପଣମାନଙ୍କ ଭିତରୁ ବହୁତ ଲୋକ ଜାଣିଥିବେ ଯେ ରାମସର ସ୍ଥଳ ଏପରି ଆର୍ଦ୍ରଭୂମି, ଯାହାର ଆନ୍ତର୍ଜାତିକ ଗୁରୁତ୍ୱ ରହିଛି । ଆର୍ଦ୍ରଭୂମି ଯେ କୌଣସି ଦେଶର ହୋଇଥାଉ ନା କାହିଁକି, ସେଥିପାଇଁ ତାକୁ ଅନେକ ମାପଦଣ୍ଡ ପୂରଣ କରିବାକୁ ହୋଇଥାଏ । ତା’ ହେଲେ ହିଁ ତାକୁ ରାମସର୍ ସ୍ଥଳ ଭାବେ ଘୋଷିତ କରାଯାଏ । ରାମସର ସ୍ଥଳରେ ୨୦,୦୦୦ ବା ତା’ଠୁ ଅଧିକ ଜଳପକ୍ଷୀ ରହିବା ବାଂଛନୀୟ । ସ୍ଥାନୀୟ ମତ୍ସ୍ୟ ପ୍ରଜାତି ମଧ୍ୟ ଅଧିକ ସଂଖ୍ୟାରେ ରହିବା ଜରୁରୀ । ସ୍ୱାଧୀନତାର ୭୫ ବର୍ଷରେ, ଅମୃତ ମହୋତ୍ସବ ଅବସରରେ ରାମସର ସ୍ଥଳ ସହିତ ସଂପୃକ୍ତ ଏକ ଭଲ ତଥ୍ୟ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛି । ଆମ ଦେଶରେ ଏବେ ମୋଟ ରାମସର ସ୍ଥଳ ସଂଖ୍ୟା ୭୫ ହୋଇଯାଇଛି, ଯେତେବେଳେ ୨୦୧୪ ପୂର୍ବରୁ ଦେଶରେ ମାତ୍ର ୨୬ ରାମସର ସ୍ଥଳ ରହିଥିଲା । ଏଥିପାଇଁ ସ୍ଥାନୀୟ ଅଧିବାସୀ ଅଭିନନ୍ଦନର ପାତ୍ର ଅଟନ୍ତି, ଯେଉଁମାନେ ଏହି ଜୈବବିବିଧତାକୁ ସଂରକ୍ଷିତ କରି ରଖିଛନ୍ତି । ଏହା ପ୍ରକୃତି ସହିତ ସଦ୍ଭାବପୂର୍ବକ ରହିବାର ଆମର ଯୁଗଯୁଗର ପୁରାତନ ସଂସ୍କୃତି ଓ ପରମ୍ପରାର ମଧ୍ୟ ସମ୍ମାନ । ଭାରତର ଏହି ଆର୍ଦ୍ରଭୂମି ଆମର ପ୍ରାକୃତିକ ସାମର୍ଥ୍ୟର ମଧ୍ୟ ଉଦାହରଣ । ଓଡ଼ିଶାର ଚିଲିକା ହ୍ରଦରୁ ୪୦ରୁ ଅଧିକ ଜଳପକ୍ଷୀ ପ୍ରଜାତିକୁ ଆଶ୍ରୟ ଦେବା ପାଇଁ ଜଣାଶୁଣା । କଇବୁଲ୍-ଲମଜାଓ, ଲୋକଟାକୋ ଜଳାଶୟ ହରିଣଙ୍କ ଏକମାତ୍ର ପ୍ରାକୃତିକ ଆବାସସ୍ଥଳୀ ଧରାଯାଏ । ତାମିଲନାଡୁର ୱେଡନ୍ଥାଙ୍ଗଲକୁ ୨୦୨୨ରେ ରାମସର୍ ସ୍ଥଳ ଘୋଷଣା କରାଯାଇଥିଲା । ଏଠାକାର ପକ୍ଷୀଙ୍କୁ ସୁରକ୍ଷା ଦେବାର ଶ୍ରେୟ ସେଠାକାର ଚାଷୀମାନଙ୍କର । କାଶ୍ମୀରର ପଂଜାଥ ନାଗ ସମ୍ପ୍ରଦାୟ ବାର୍ଷିକ ଫ୍ରୁଟ୍ ବ୍ଲୋସମ୍ ଫେଷ୍ଟିଭାଲ୍ ଅବସରରେ ଗୋଟିଏ ଦିନକୁ ସ୍ୱତନ୍ତ୍ର ଭାବେ ଗାଁର ଝରଣାକୁ ସଫେଇ କରିବା ପାଇଁ ରଖାଯାଏ । ବିଶ୍ୱର ରାମସର ସ୍ଥଳ ମଧ୍ୟରେ ଅଧିକାଂଶ ନିଆରା ସାଂସ୍କୃତିକ ଐତିହ୍ୟ ମଧ୍ୟ ଅଛି। ମଣିପୁରର ଲୋକଟାକୋ ଓ ପବିତ୍ର ହ୍ରଦ ରେଣୁକା ସହିତ ସେଠାକାର ସଂସ୍କୃତିର ଗଭୀର ସମ୍ପର୍କ ରହିଛି । ସେହିଭଳି ସାମ୍ଭାରର ସମ୍ପର୍କ ମାଆ ଦୁର୍ଗାଙ୍କ ଅବତାର ଶାକମ୍ଭରୀ ଦେବୀଙ୍କ ସହିତ ରହିଛି । ଭାରତରେ ଆର୍ଦଭୂମିର ଏହି ବିସ୍ତୃତି ସେହି ଲୋକଙ୍କ କାରଣରୁ ସମ୍ଭବ ହୋଇପାରୁଛି, ଯେଉଁମାନେ ରାମସର ସ୍ଥଳର ଆଖପାଖରେ ରହୁଛନ୍ତି । ମୁଁ, ଏହି ସମସ୍ତ ଲୋକଙ୍କୁ ବହୁତ ପ୍ରଶଂସା କରୁଛି, ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କ ତରଫରୁ ସେମାନଙ୍କୁ ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଏଥର ଆମ ଦେଶରେ, ବିଶେଷ କରି ଉତର ଭାରତରେ, ଖୁବ୍ ଶୀତ ଅନୁଭୂତ ହେଉଛି। ଏହି ଥଣ୍ଡାରେ ଲୋକେ ପାହାଡ ଉପରେ ତୁଷାରପାତର ମଜା ମଧ୍ୟ ନେଉଛନ୍ତି । ଜାମ୍ମୁକାଶ୍ମୀରରୁ କେତେକ ଚିତ୍ର ଆସିଛି, ଯାହା ପୂରା ଦେଶର ମନ ମୋହିନେଇଛି । ସାମାଜିକ ଗଣମାଧ୍ୟମରେ ତ ସମଗ୍ର ପୃଥିବୀର ଲୋକ ଏହି ଚିତ୍ରଗୁଡ଼ିକୁ ପସନ୍ଦ କରୁଛନ୍ତି । ତୁଷାରପାତ କାରଣରୁ ଆମର କାଶ୍ମୀର ଉପତ୍ୟକା ପ୍ରତିବର୍ଷ ଭଳି ଏଥର ମଧ୍ୟ ବହୁତ ସୁନ୍ଦର ହୋଇଯାଇଛି । ବନିହାଲରୁ ବଡ଼ଗାମ ଯାଉଥିବା ଟ୍ରେନର ଭିଡିଓକୁ ମଧ୍ୟ ଲୋକେ ବିଶେଷ କରି ପସନ୍ଦ କରୁଛନ୍ତି। ସୁନ୍ଦର ତୁଷାରପାତ, ଚାରିଆଡ଼େ ଧଳା ଚାଦର ଭଳି ବରଫ । ଲୋକେ କହୁଛନ୍ତି ଯେ ଏହି ଦୃଶ୍ୟ ପରୀରାଇଜର କାହାଣୀ ପରି ମନେହେଉଛି । କେତେକ ଲୋକ କହୁଛନ୍ତି ଯେ ଏହା କୌଣସି ବିଦେଶର ନୁହେଁ, ବରଂ ନିଜ ଦେଶରେ ଥିବା କାଶ୍ମୀରର ଚିତ୍ର ।

ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଲେଖିଛନ୍ତି ଯେ ‘ସ୍ୱର୍ଗ କ’ଣ ଆଉ ଏହାଠୁ ଅଧିକ ସୁନ୍ଦର ହେବ?’ ଏକଥା ପୂରା ସତ, ସେଇଥିପାଇଁ ତ କାଶ୍ମୀରକୁ ଭୂ-ସ୍ୱର୍ଗ କୁହାଯାଏ । ଆପଣ ମଧ୍ୟ ଏହି ଚିତ୍ରଗୁଡ଼ିକୁ ଦେଖି କାଶ୍ମୀର ଭ୍ରମଣରେ ଯିବା ପାଇଁ ନିଶ୍ଚୟ ଭାବୁଥିବେ । ମୁଁ ଚାହିଁବି ଯେ ଆପଣ, ନିଜେ ଯାଆନ୍ତୁ ଓ ନିଜର ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିଅନ୍ତୁ । କାଶ୍ମୀରର ବରଫାବୃତ ପାହାଡ଼, ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆହୁରି ବହୁତ କିଛି ଦେଖିବାକୁ-ଜାଣିବାକୁ ରହିଛି । ଯେପରିକି କାଶ୍ମୀରର ସୟଦାବାଦରେ ଶୀତକାଳୀନ କ୍ରୀଡ଼ା ଆୟୋଜିତ ହୋଇଛି । ଏହି କ୍ରୀଡ଼ାର ମୁଖ୍ୟପ୍ରସଙ୍ଗ ଥିଲା ବରଫ କ୍ରିକେଟ୍ । ଆପଣ ଭାବୁଥିବେ ଯେ ବରଫ କ୍ରିକେଟ୍ ତ ବହୁତ ରୋମାଂଚକ ଖେଳ ହୋଇଥିବ । ଆପଣ ପୂରା ଠିକ୍ ଭାବୁଛନ୍ତି । କାଶ୍ମୀରର ଯୁବକ ବରଫ ଉପରେ କ୍ରିକେଟ ଖେଳକୁ ଆହୁରି ମଧ୍ୟ ଆକର୍ଷଣୀୟ କରିଦିଅନ୍ତି । ଏହା ଜରିଆରେ କାଶ୍ମୀରର ଏପରି ଯୁବ ଖେଳାଳିଙ୍କର ଅନ୍ୱେଷଣ କରାଯାଏ, ଯେଉଁମାନେ ଭବିଷ୍ୟତରେ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇ ଖେଳିପାରିବେ । ଏହା ମଧ୍ୟ ଏକ ପ୍ରକାର ଖେଲୋ ଇଣ୍ଡିଆ ଆନେ୍ଦାଳନର ବିସ୍ତୃତି ଅଟେ । କାଶ୍ମୀରରେ, ଯୁବପିଢ଼ି ମଧ୍ୟରେ ଖେଳକୁ ନେଇ ବହୁତ ଉତ୍ସାହ ବଢ଼ୁଛି । ଆଗାମୀ ସମୟରେ ଏମାନଙ୍କ ମଧ୍ୟରୁ ଅନେକ ଯୁବକଯୁବତୀ ଦେଶପାଇଁ ପଦକ ଜିତିବେ, ତ୍ରିରଙ୍ଗା ଉଡ଼ାଇବେ । ମୋର ଆପଣମାନଙ୍କୁ ପରାମର୍ଶ ରହିବ ଯେ ଆସନ୍ତା ଥର ଯେତେବେଳେ ଆପଣ କାଶ୍ମୀର ଯାତ୍ରାର ଯୋଜନା କରିବେ, ସେତେବେଳେ ଏହିଭଳି ଆୟୋଜନ ଦେଖିବା ପାଇଁ ସମୟ ବାହାର କରିବେ । ଏହି ଅନୁଭବ ଆପଣଙ୍କ ଯାତ୍ରାକୁ ଆହୁରି ସ୍ମରଣୀୟ କରିଦେବ ।

ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଆମର ପ୍ରଚେଷ୍ଟା ନିରନ୍ତର ଜାରି ରହିବା ଉଚିତ । ଗଣତନ୍ତ୍ର ଶକ୍ତିଶାଳୀ ହୁଏ ‘ଜନ-ଭାଗିଦାରୀରେ’, ‘ସମସ୍ତଙ୍କ ପ୍ରୟାସରେ’, ‘ଦେଶ ପ୍ରତି ନିଜନିଜର କର୍ତବ୍ୟ ତୁଲାଇବାରେ’, ଏବଂ ମୁଁ ଖୁସି ଯେ ଆମର ‘ମନ୍ କୀ ବାତ୍’, ଏପରି କର୍ତବ୍ୟନିଷ୍ଠ ସେନାନୀଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ୱର । ଆସନ୍ତା ଥର ପୁଣିଥରେ ଭେଟ ହେବ ଏପରି କର୍ତବ୍ୟନିଷ୍ଠ ଲୋକଙ୍କର ମଜାଦାର ଓ ପ୍ରେରଣାଦାୟକ ଗାଥା ସହିତ । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 44,544 crore capex loans to states so far in FY27

Media Coverage

Centre releases Rs 44,544 crore capex loans to states so far in FY27
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses anguish over the loss of lives due to tunnel collapse in Namchi, Sikkim
July 21, 2026
PM announces ex-gratia from PMNRF

Prime Minister Shri Narendra Modi today expressed anguish over the loss of lives due to the collapse of an under-construction tunnel in Namchi, Sikkim. He extended his deepest condolences to the bereaved families and prayed that those injured recover at the earliest.

The Prime Minister announced that an ex-gratia of Rs. 2 lakh from PMNRF would be given to the next of kin of each deceased. Shri Modi stated that the injured would be given Rs. 50,000.

In a post on X, the Prime Minister shared:

"Anguished by the loss of lives due to the collapse of an under-construction tunnel in Namchi, Sikkim. I extend my deepest condolences to the bereaved families. I pray that those injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"