ସେୟାର
 
Comments
1975 ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ଜୀବନ ଅଧିକାର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଛଡ଼ାଇ ନିଆଯାଇଥିଲା: ପ୍ରଧାନମନ୍ତ୍ରୀ ମୋଦୀ
ଅତ୍ୟାଚାର ସତ୍ତ୍ୱେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଆଦୌ ଦୋହଲି ପାରିଲା ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ
ଗତ କିଛି ବର୍ଷ ମଧ୍ୟରେ ମହାକାଶ କ୍ଷେତ୍ରରେ ଅନେକ ସଂସ୍କାର ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ମହାକାଶ କ୍ଷେତ୍ରରେ ଘରୋଇ କ୍ଷେତ୍ର ପାଇଁ ନୂତନ ସୁଯୋଗକୁ ପ୍ରୋତ୍ସାହିତ କରୁଛି ଆଇଏନ-ଏସପିଏସି: ପ୍ରଧାନମନ୍ତ୍ରୀ ମୋଦୀ
ଉତ୍ତର-ପୂର୍ବରେ ନଦୀକୁ ବଞ୍ଚାଇବା ପାଇଁ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି, ପୁଡୁଚେରୀରେ 'ଜୀବନ ପାଇଁ ପୁନଃବ୍ୟବହାର' ମିଶନକୁ ପ୍ରଶଂସା କରିଛନ୍ତି
ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଆମେ ଜଳ ସଂରକ୍ଷଣ ପାଇଁ ପ୍ରୟାସ କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ମୋଦୀ
ଉଦୟପୁରରେ ସୁଲତାନ କି ବାୱରୀକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ପାଇଁ ମୋତେ ଆପଣ ସମସ୍ତଙ୍କର ଅନେକ ଚିଠି ମିଳିଛି । ସାମାଜିକ ଗଣମାଧ୍ୟମ ଓ ନମୋ ଆପରେ ମଧ୍ୟ ଅନେକ ବାର୍ତା ମିଳିଛି । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । ଏହି କାର୍ଯ୍ୟକ୍ରମରେ ପରସ୍ପରର ପ୍ରେରଣାଦାୟକ ପ୍ରଚେଷ୍ଟା ସମ୍ପର୍କରେ ଆଲୋଚନା କରିବା, ଜନ ଆନ୍ଦୋଳନ ଦ୍ୱାରା ପରିବର୍ତ୍ତନର କଥା ସାରାଦେଶକୁ ଜଣାଇବା ପାଇଁ ଆମ ପ୍ରଚେଷ୍ଟା ରହିଥାଏ । ସେହି ଶୃଙ୍ଖଳାରେ ମୁଁ ଆଜି ଆପଣମାନଙ୍କୁ ଦେଶର ଏଭଳି ଏକ ଜନ ଆନ୍ଦୋଳନ ବିଷୟରେ କହିବାକୁ ଚାହୁଁଛି, ଯାହାର ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ବହୁତ ଗୁରୁତ୍ୱ ରହିଛି । କିନ୍ତୁ ତା’ପୂର୍ବରୁ ମୁଁ ଆଜିର ପିଢ଼ିର ଯୁବକ-ଯୁବତୀ, ୨୪-୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ମୋ ପ୍ରଶ୍ନ ଉପରେ ଆପଣମାନେ ନିଶ୍ଚୟ ଚିନ୍ତା କରିବେ । ଏ କଥା ଆପଣମାନେ ଜାଣିଛନ୍ତି କି, ଯେତେବେଳେ ଆପଣମାନଙ୍କ ବାପା-ମା’ ଆପଣଙ୍କ ବୟସର ଥିଲେ, ସେତେବେଳେ ତାଙ୍କଠାରୁ ବଂଚିବାର ଅଧିକାର ମଧ୍ୟ ଛଡ଼ାଇ ନିଆଯାଇଥିଲା! ଆପଣମାନେ ଭାବୁଥିବେ, ଏହା କ’ଣ କେବେ ସମ୍ଭବ? ଏହା ତ ଅସମ୍ଭବ । କିନ୍ତୁ ମୋର ଯୁବବନ୍ଧୁଗଣ, ଆମ ଦେଶରେ ଥରେ ଏଭଳି ହୋଇଥିଲା । ଏହା ଅନେକ ବର୍ଷ ତଳର, ୧୯୭୫ ମସିହା କଥା । ଜୁନ ମାସର ସମୟ ଥିଲା, ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ସେତେବେଳେ, ଦେଶର ନାଗରିକମାନଙ୍କ ସମସ୍ତ ଅଧିକାର ଛଡ଼ାଇ ନିଆଯାଇଥିଲା। ସମ୍ବିଧାନର ଏକବିଂଶ ଅନୁଚ୍ଛେଦ ଦ୍ୱାରା ପ୍ରଦତ୍ତ ଜୀବନ ଧାରଣ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ମଧ୍ୟ ସେଗୁଡ଼ିକ ମଧ୍ୟରୁ ଗୋଟିଏ ଅଧିକାର ଥିଲା । ସେତେବେଳେ ଭାରତୀୟ ଗଣତନ୍ତ୍ରକୁ ଦଳିଚକଟି ଦେବାର ପ୍ରଚେଷ୍ଟା କରାଯାଇଥିଲା । ଦେଶର ନ୍ୟାୟାଳୟ, ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା, ପ୍ରେସ୍ ସବୁଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା । ସେନ୍ସରଶିପର ଏଭଳି ଅବସ୍ଥା ଥିଲା, ଯେ ବିନା ସ୍ୱୀକୃତିରେ କିଛି ଛାପିବା ମଧ୍ୟ ସମ୍ଭବ ନ ଥିଲା । ମୋର ମନେ ଅଛି, ସେତେବେଳେ ସୁବିଖ୍ୟାତ ଗାୟକ କିଶୋର କୁମାର ସରକାରଙ୍କ ଗୁଣଗାନ କରିବାକୁ ଅରାଜି ହେବାରୁ ତାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ରେଡିଓରୁ ତାଙ୍କ ଏଂଟ୍ରିକୁ ହଟାଇ ଦିଆଯାଇଥିଲା । କିନ୍ତୁ ଅନେକ ଚେଷ୍ଟା, ହଜାର ହଜାର ଗିରଫଦାରୀ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଅତ୍ୟାଚାର ସତ୍ୱେ ଭାରତର ଲୋକଙ୍କର ଗଣତନ୍ତ୍ର ଉପରୁ ବିଶ୍ୱାସ ତୁଟିଲାନି, ତିଳେ ମାତ୍ର ତୁଟିଲାନି । ଆମ ଭାରତୀୟମାନଙ୍କ ମଧ୍ୟରେ ଶହ ଶହ ବର୍ଷ ଧରି ଗଣତନ୍ତ୍ରର ସଂସ୍କାର ରହିଆସିଛି, ଗଣତନ୍ତ୍ରର ଯେଉଁ ଭାବନା ଆମ ଶିରାପ୍ରଶିରାରେ ପ୍ରବାହିତ, ଶେଷରେ ତାହାରି ହିଁ ବିଜୟ ହେଲା । ଭାରତର ଲୋକେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ହିଁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ, ପୁଣିଥରେ ଗଣତନ୍ତ୍ରକୁ ପ୍ରତିଷ୍ଠିତ କଲେ । ଏକଛତ୍ରବାଦୀ ମନୋବୃତି, ଏକଛତ୍ରବାଦୀ ବୃତି-ପ୍ରବୃତିକୁ ଗଣତାନ୍ତ୍ରିକ ପ୍ରଣାଳୀରେ ପରାଜିତ କରିବାର ଏଭଳି ଉଦାହରଣ ସମଗ୍ର ବିଶ୍ୱରେ ମିଳିବା କଷ୍ଟସାଧ୍ୟ । ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶବାସୀଙ୍କ ସଂଘର୍ଷର, ସେ ପରିସ୍ଥିତିର ସାକ୍ଷୀ ହୋଇରହିବାର, ସେଥିରେ ଅଂଶଗ୍ରହଣକାରୀ ହେବାର ସୌଭାଗ୍ୟ ମୋତେ ମଧ୍ୟ ମିଳିଥିଲା - ଗଣତନ୍ତ୍ରର ଜଣେ ସୈନିକ ରୂପେ । ଆଜି ଦେଶ ଯେତେବେଳେ ଏହାର ସ୍ୱାଧୀନତାର ୭୫ ବର୍ଷର ଉତ୍ସବ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଜରୁରୀକାଳୀନ ପରିସ୍ଥିତିର ସେହି ଭୟାବହ ସମୟକୁ ଆମେ କେବେହେଲେ ଭୁଲିବା ଉଚିତ ନୁହେଁ । ଆଗାମୀ ପିଢ଼ି ବି ଏ ସମ୍ପର୍କରେ ଭୁଲିବା ଉଚିତ ନୁହେଁ । ଅମୃତ ମହୋତ୍ସବ କେବଳ ଶହ ଶହ ବର୍ଷର ପରାଧୀନତାରୁ ମୁକ୍ତିର ବିଜୟଗାଥା ନୁହେଁ, ବରଂ ସ୍ୱାଧୀନୋତ୍ତର ଭାରତର ୭୫ ବର୍ଷର ଯାତ୍ରାକୁ ମଧ୍ୟ ବହନ କରୁଛି । ଇତିହାସର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରୁ ଶିକ୍ଷାଲାଭ କରି ଆମେ ଆଗକୁ ବଢ଼ିଚାଲିଛୁ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଭିତରେ ଏଭଳି ହୁଏତ କେହି ନ ଥିବେ, ଯିଏ ନିଜ ଜୀବନରେ ଆକାଶ ସହ ଜଡ଼ିତ କୌଣସି କଳ୍ପନା ନ କରିଥିବେ । ଯୁବବର୍ଗଙ୍କ ପାଇଁ ଆକାଶକୁ ଛୁଇଁବା, ଗୋଟିଏ ସ୍ୱପ୍ନକୁ ବାସ୍ତବ ରୂପ ପ୍ରଦାନ କରିବା ସଦୃଶ । ଆଜି ଆମ ଭାରତ ଯେତେବେଳେ ଏତେଗୁଡ଼ିଏ କ୍ଷେତ୍ରରେ ସଫଳତାର ଆକାଶକୁ ସ୍ପର୍ଶ କରୁଛି, ସେତେବେଳେ ମହାକାଶ ବା ଏଥିରୁ ବାଦ ପଡ଼ିବ କିପରି? ବିଗତ କିଛିବର୍ଷ ଧରି ଆମ ଦେଶରେ ସ୍ପେସ୍ ସେକ୍ଟର୍ ସହ ଜଡ଼ିତ ଅନେକ ବଡ଼ ବଡ଼ କାର୍ଯ୍ୟ ହୋଇଛି । ଦେଶର ଏହି ଉପଲବ୍ଧିଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା, ଇନ୍-ସ୍ପେସ୍ ନାମକ ଏଜେନ୍ସି ନିର୍ମାଣ। ଗୋଟିଏ ଏଭଳି ଏଜେନ୍ସି ଯାହା ମହାକାଶ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ର ପାଇଁ ନୂତନ ସୁଯୋଗକୁ ପ୍ରୋତ୍ସାହିତ କରୁଛି । ଏହି ଅୟମାରମ୍ଭ ଆମ ଦେଶର ଯୁବବର୍ଗଙ୍କୁ ବିଶେଷଭାବେ ଆକର୍ଷିତ କରିିଛି । ଯୁବବର୍ଗର ଅନେକଙ୍କ ଠାରୁ ମୋତେ ଏହାସହିତ ସଂଲଗ୍ନ ବାର୍ତା ମଧ୍ୟ ମିଳିଛି । କିଛିଦିନ ତଳେ, ଯେତେବେଳେ ମୁଁ ଇନ୍-ସ୍ପେସ ମୁଖ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉଦ୍ଦେଶ୍ୟରେ ଯାଇଥିଲି, ସେତେବେଳେ ମୁଁ ଅନେକ ଯୁବ ଷ୍ଟାର୍ଟ-ଅପଙ୍କର ନୂତନ ଚିନ୍ତାଧାରା ଓ ଉତ୍ସାହକୁ ଲକ୍ଷ୍ୟ କଲି । ମୁଁ ସେମାନଙ୍କ ସହିତ ଅନେକ ସମୟ ଧରି କଥାବାର୍ତା ମଧ୍ୟ କଲି । ଏମାନଙ୍କ ବିଷୟରେ ଜାଣିଲେ, ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି । ଏଇ ଯେମିତି, ସ୍ପେସ୍ ଷ୍ଟାର୍ଟ-ଅପ୍ସମାନଙ୍କର ସଂଖ୍ୟା ଓ ଦ୍ରୁତ ଗତି କଥା ଚିନ୍ତା କରନ୍ତୁ । ଆଜିକୁ କିଛିବର୍ଷ ପୂର୍ବ ଯାଏଁ ଆମ ଦେଶରେ ମହାକାଶ କ୍ଷେତ୍ରରେ ଷ୍ଟାର୍ଟ-ଅପ୍ କଥା କେହି ଚିନ୍ତା କରୁନଥିଲେ । ଆଜି ସେମାନଙ୍କ ସଂଖ୍ୟା ଶହେ ଠାରୁ ମଧ୍ୟ ଅଧିକ ହେଲାଣି । ଏହି ଷ୍ଟାର୍ଟ-ଅପ ଗୁଡ଼ିକ ଏଭଳି ନୂଆ ନୂଆ ଚିନ୍ତାଧାରାକୁ ନେଇ କାମ କରୁଛନ୍ତି, ଯାହା ଉପରେ ଆଗରୁ କିଛି ଚିନ୍ତା କରାଯାଉନଥିଲା, କିମ୍ବା ଘରୋଇ କ୍ଷେତ୍ର ପାଇଁ ଏଗୁଡ଼ିକୁ ଅସମ୍ଭବ ବୋଲି ମନେକରାଯାଉଥିଲା । ଉଦାହରଣ ସ୍ୱରୂପ, ଚେନ୍ନାଇ ଓ ହାଇଦ୍ରାବାଦର ଦୁଇଟି ଷ୍ଟାର୍ଟ-ଅପ୍ ହେଉଛନ୍ତି - ଅଗ୍ନିକୁଳ ଏବଂ ସ୍କାଇରୁଟ୍ । ଏହି ଷ୍ଟାର୍ଟ-ଅପ୍ ଏଭଳି ଲଂଚ୍ ଭେଇକିଲ୍ ବିକଶିତ କରୁଛନ୍ତି, ଯାହା ଛୋଟ ପେ-ଲୋଡ ଗୁଡ଼ିକୁ ମହାକାଶକୁ ପ୍ରେରଣ କରିବ । ଏହାଦ୍ୱାରା ସ୍ପେସ୍-ଲଚିଂ ବହୁତ ହ୍ରାସ ପାଇବାର ଅନୁମାନ କରାଯାଏ । ସେହିଭଳି ହାଇଦ୍ରାବାଦର ଆଉ ଗୋଟିଏ ଷ୍ଟାର୍ଟ-ଅପ୍ ଧୃବ ସ୍ପେସ୍, ଉପଗ୍ରହ ମୃତୟନ ଏବଂ ଉପଗ୍ରହଗୁଡ଼ିକ ପାଇଁ ଉଚ୍ଚ-ଗୁଣସମ୍ପନ୍ନ ସୋଲାର୍ ପ୍ୟାନେଲ ଉପରେ କାର୍ଯ୍ୟ କରୁଛି । ମୁଁ ଆଉ ଗୋଟିଏ ସ୍ପେସ୍ ଷ୍ଟାର୍ଟ-ଅପ୍ ଦିଗନ୍ତରାର ତନବୀର ଅହମଦଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲି, ଯିଏ ମହାକାଶର ବର୍ଜ୍ୟବସ୍ତୁକୁ ମ୍ୟାପ କରିବାର ପ୍ରଚେଷ୍ଟା କରୁଛନ୍ତି । ସେ ଏଭଳି ଗୋଟିଏ ଟେକ୍ନୋଲୋଜି ଉପରେ ମଧ୍ୟ କାମ କରନ୍ତୁ, ଯାହାଦ୍ୱାରା ମହାକାଶର ବର୍ଜ୍ୟବସ୍ତୁଗୁଡ଼ିକର ସମାଧାନ ମଧ୍ୟ ମିଳିପାରିବ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଆହ୍ୱାନ କରିଛି । ଦିଗନ୍ତରା ଏବଂ ଧୃବ-ସ୍ପେସ୍ ଉଭୟେ ଜୁନ ୩୦ ତାରିଖ ଦିନ ଇସ୍ରୋର ଲଂଚ ଭେଇକିଲ୍ ମାଧ୍ୟମରେ ନିଜର ପ୍ରଥମ ଲଂଚ ସମ୍ପାଦନ କରିବାକୁ ଯାଉଛନ୍ତି । ସେହିଭଳି, ବେଙ୍ଗାଲୁରୁର ଗୋଟିଏ ସ୍ପେସ୍ ଷ୍ଟାର୍ଟ-ଅପ୍ ଆଷ୍ଟ୍ରୋମର ପ୍ରତିଷ୍ଠାତା ନେହା ମଧ୍ୟ ଗୋଟିଏ ରୋମାଂଚକର ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି । ଏହି ଷ୍ଟାର୍ଟ-ଅପ୍ ଏଭଳି ଫ୍ଲାଟ୍ ଆଂଟିନା ତିଆରି କରୁଛି, ଯାହା କେବଳ ଆକାରରେ ଛୋଟ ତାହା ନୁହେଁ, ବରଂ ଏହାର ମୂଲ୍ୟ ମଧ୍ୟ ବହୁତ କମ୍ । ଏହି ଟେକ୍ନୋଲୋଜିର ଚାହିଦା ସାରା ବିଶ୍ୱରେ ହୋଇପାରେ ।

ଇନ୍-ସ୍ପେସ୍ କାର୍ଯ୍ୟକ୍ରମରେ ମେହେସାଣାର ବିଦ୍ୟାଳୟ ଛାତ୍ରୀ ତନଭି ପଟେଲଙ୍କ ସହ ମଧ୍ୟ ମୋର ସାକ୍ଷାତ ହୋଇଥିଲା । ସେ ଗୋଟିଏ ବହୁତ ଛୋଟ ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି, ଯାହା ଆଗାମୀ କିଛି ମାସ ମଧ୍ୟରେ ମହାକାଶରେ ପ୍ରେରିତ ହେବାକୁ ଯାଉଛି । ତନଭି ମୋତେ ଗୁଜରାଟିରେ ବହୁତ ସହଜ ଢଙ୍ଗରେ ନିଜ କାମ ବିଷୟରେ କହିଥିଲେ । ତନଭିଙ୍କ ଭଳି ଦେଶର ପ୍ରାୟ ୭୫୦ ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀ ଅମୃତ ମହୋତ୍ସବରେ ଏହିଭଳି ୭୫ଟି ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଖୁସିର କଥା ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଦେଶର ଛୋଟ ଛୋଟ ସହରର ବାସିନ୍ଦା ।

ବନ୍ଧୁଗଣ, ଏମାନେ ସେହି ଯୁବବର୍ଗ ଯେଉଁମାନଙ୍କ ମନରେ ଆଜିଠୁ କିଛି ବର୍ଷ ପୂର୍ବେ ସ୍ପେସ୍ ସେକ୍ଟରର ଛବି କୌଣସି ସିକ୍ରେଟ୍ ମିଶନ୍ ଭଳି ଥିଲା । କିନ୍ତୁ ଦେଶ ମହାକାଶ କ୍ଷେତ୍ରରେ ସଂସ୍କାର ଆଣିଲା, ଏବଂ ସେହି ଯୁବବର୍ଗ ଏବେ କୃତ୍ରିମ ଉପଗ୍ରହ ପ୍ରେରଣ କରୁଛନ୍ତି । ଯଦି ଦେଶର ଯୁବବର୍ଗ ଆକାଶକୁ ସ୍ପର୍ଶ କରିବାକୁ ପ୍ରସ୍ତୁତ, ତେବେ ଆମ ଦେଶ କେମିତି ପଛରେ ରହିବ?

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏବେ ଏଭଳି ଗୋଟିଏ ବିଷୟର କଥା ରହିଛି, ଯାହାକୁ ଶୁଣି ଆପଣଙ୍କ ମନ ଖୁସିହେବ ଏବଂ ଆପଣଙ୍କୁ ପ୍ରେରଣା ମଧ୍ୟ ମିଳିବ । ବିଗତ ଦିନରେ ଆମ ଅଲିମ୍ପିକ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ସମ୍ବାଦର ଶୀର୍ଷରେ ଥିଲେ । ଅଲିମ୍ପିକ ପରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ସଫଳତାର ନୂଆ ନୂଆ କିର୍ତୀମାନ ପ୍ରତିଷ୍ଠା କରିଚାଲିଛନ୍ତି । ଫିନଲାଣ୍ଡରେ ନୀରଜ ପାଭୋ ନର୍ମି ଗେମ୍ସରେ ରୌପ୍ୟପଦକ ହାସଲ କଲେ । କେବଳ ସେତିକି ନୁହେଁ, ସେ ନିଜ ଜ୍ୟାଭେଲିନ୍ ଥ୍ରୋ ରେକର୍ଡ଼କୁ ମଧ୍ୟ ଭଙ୍ଗ କଲେ । କୋର୍ଟେନ ଗେମ୍ସରେ ନୀରଜ ପୁଣିଥରେ ସ୍ୱର୍ଣ୍ଣପଦକ ଜିଣି ଦେଶର ଗୌରବ ବୃଦ୍ଧି କଲେ । ଏହି ସ୍ୱର୍ଣ୍ଣପଦକ ସେ ସେଭଳି ପରିସ୍ଥିତିରେ ଜିତିଲେ, ଯେତେବେଳେ ସେଠାକାର ପାଗ ମଧ୍ୟ ଖରାପ ଥିଲା । ଏହି ଉତ୍ସାହ ଆଜିର ଯୁବବର୍ଗଙ୍କ ପରିଚୟ । ଷ୍ଟାର୍ଟ-ଅପ ଠାରୁ ଆରମ୍ଭ କରି ସ୍ପୋର୍ଟସ-ୱାର୍ଲ୍ଡ ଯାଏଁ ଭାରତର ଯୁବବର୍ଗ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରିଚାଲିଛନ୍ତି । ନିକଟ ଅତୀତରେ ଆୟୋଜିତ ହୋଇଥିବା ଖେଲୋ-ଇଣ୍ଡିଆ ୟୁଥ ଗେମ୍ସରେ ମଧ୍ୟ ଆମ ଖେଳାଳିମାନେ ଅନେକ ନୂତନ ରେକର୍ଡ଼ ସୃଷ୍ଟି କଲେ । ଆପଣ ଜାଣି ଖୁସି ହେବେ ଯେ, ଏହି ଖେଳରେ ମୋଟ ୧୨ଟି ରେକର୍ଡ଼ ଭଙ୍ଗ ହୋଇଛି । କେବଳ ସେତିକି ନୁହେଁ, ୧୧ଟି ନୂଆ ରେକର୍ଡ଼ ମହିଳା ଖେଳାଳିମାନେ ସୃଷ୍ଟି କରିଛନ୍ତି । ମଣିପୁରର ଏମ୍. ମାର୍ଟିନା ଦେବୀ ଭାରୋତଳନରେ ୮ଟି ନୂତନ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ସେହିଭଳି ସଂଜନା ସୋନାକ୍ଷୀ ଓ ଭାବନା ମଧ୍ୟ ପୃଥକ ପୃଥକ ରେକର୍ଡ଼ ସୃଷ୍ଟି କରିିଛନ୍ତି । ଏହି କ୍ରୀଡ଼ାବିତମାନେ ସୂଚାଇ ଦେଇଛନ୍ତି ଯେ, ଆଗାମୀ ଦିନମାନଙ୍କରେ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ମାନଙ୍କରେ ଭାରତର ଗୌରବ କେତେ ବୃଦ୍ଧି ପାଇବାକୁ ଯାଉଛି । ମୁଁ ଏହି ସମସ୍ତ କ୍ରୀଡ଼ବିତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ।

ବନ୍ଧୁଗଣ, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଆଉ ଗୋଟିଏ ବିଶେଷ କଥା ରହିଛି । ଯେଉଁମାନେ ଅତି ସାଧାରଣ ପରିବାରରୁ ଆସିଛନ୍ତି, ସେହି କ୍ରୀଡ଼ାବିତମାନେ ନିଜ ଜୀବନରେ ବହୁତ ପରିଶ୍ରମ କରି ସଫଳତାର ଏହି ସ୍ତର ଯାଏ ପହଂଚିଛନ୍ତି । ସେମାନଙ୍କ ସଫଳତାରେ ସେମାନଙ୍କ ପରିବାର ଓ ସେମାନଙ୍କ ପିତା-ମାତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ।

୭୦ କିଲୋମିଟର ସାଇକେଲ ଚାଳନାରେ ସ୍ୱର୍ଣ୍ଣପଦକ ଜିତିଥିବା ଶ୍ରୀନଗରର ଆଦିଲ ଅଲ୍ତାଫ୍ଙ୍କ ବାପା ଦରଜୀ କାମ କରନ୍ତି । କିନ୍ତୁ ସେ ନିଜ ପୁଅର ସ୍ୱପ୍ନକୁ ପୂରଣ କରିବା ପାଇଁ କିଛି ବାକି ରଖିଲେ ନାହିଁ । ଆଜି ଆଦିଲ ନିଜ ପିତା ଏବଂ ସମଗ୍ର ଜାମ୍ମୁ-କାଶ୍ମୀରକୁ ଗୌରବାନ୍ୱିତ କରିଛନ୍ତି । ଭାରୋତଳନରେ ସ୍ୱର୍ଣ୍ଣପଦକ ଜିତିଥିବା ଚେନ୍ନାଇର ଏଲ୍. ଧନୁଷଙ୍କ ପିତା ମଧ୍ୟ ଜଣେ ସାଧାରଣ କାଠମିସ୍ତ୍ରୀ । ସାଙ୍ଗଲିର ଝିଅ କାଜୋଲ୍ ସରଗାରଙ୍କ ବାପା ଚା’ ବିକ୍ରି କରନ୍ତି । କାଜୋଲ ନିଜ ବାପାଙ୍କ କାମରେ ସାହାଯ୍ୟ କରୁଥିଲେ ଓ ଭାରୋତଳନର ଅଭ୍ୟାସ ମଧ୍ୟ କରୁଥିଲେ । ତାଙ୍କର ଓ ତାଙ୍କ ପରିବାରର ପରିଶ୍ରମ ସାର୍ଥକ ହେଲା । କାଜୋଲ ଓ ତାଙ୍କ ପରିବାର ଭାରୋତଳନ କ୍ଷେତ୍ରରେ ଉଚ୍ଚପ୍ରଶଂସିତ ହୋଇଛନ୍ତି । ଠିକ୍ ସେହିଭଳି ଚମତ୍କାର କରି ଦେଖାଇଛନ୍ତି ରୋହତକର ତନୁ । ତନୁଙ୍କ ପିତା ରାଜବୀର ସିଂହ ରୋହତକରେ ଗୋଟିଏ ସ୍କୁଲର ବସ ଚାଳକ । ତନୁ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତି ନିଜର, ନିଜ ପରିବାରର ଓ ନିଜ ପିତାଙ୍କ ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି ।

ବନ୍ଧୁଗଣ, କ୍ରୀଡ଼ାଜଗତରେ ଏବେ ଭାରତୀୟ ଖେଳାଳିଙ୍କର ଆଧିପତ୍ୟ ତ ବଢ଼ୁଛି, ତା'ସହିତ ଭାରତୀୟ କ୍ରୀଡ଼ାର ମଧ୍ୟ ନୂଆ ପରିଚୟ ସୃଷ୍ଟି ହେଉଛି । ଯେପରିକି, ଏଥର ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଅଲିମ୍ପିକରେ ସାମିଲ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ବ୍ୟତୀତ ପାଂଚଟି ସ୍ୱଦେଶୀ କ୍ରୀଡ଼ା ମଧ୍ୟ ସାମିଲ୍ ହୋଇଥିଲା । ଏହି ପାଂଚଟି ଖେଳ ହେଉଛି- ଗତକା, ଥାଙ୍ଗ୍ ତା, ଯୋଗାସନ, କଲିପାୟଟ୍ଟୁ ଏବଂ ମଲ୍ଲଖମ୍ବ ।

ବନ୍ଧୁଗଣ, ଭାରତରେ ଏପରି ଏକ ଖେଳର ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟ ହେବାକୁ ଯାଉଛି, ଯେଉଁ ଖେଳର ଜନ୍ମ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଆମ ଦେଶ ଭାରତରେ ହିଁ ହୋଇଥିଲା । ଏହାହେଉଛି ୨୮ ଜୁଲାଇରୁ ଆରମ୍ଭ ହେଉଥିବା ଚେସ୍ ଅଲିମ୍ପିଆଡ଼ । ଏଥର ଚେସ୍ ଅଲିମ୍ପିଆଡ଼ରେ ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରୁଛନ୍ତି । ଖେଳ ଓ ଫିଟନେସ ସମ୍ପର୍କରେ ଆମର ଆଜିର ଆଲୋଚନା ଆଉ ଗୋଟିଏ ନାମ ବିନା ସଂପୂର୍ଣ୍ଣ ହେବନାହିଁ । ଏହି ନାମ ହେଉଛି ତେଲେଙ୍ଗାନାର ପର୍ବତାରୋହୀ ପୂର୍ଣ୍ଣା ମାଲାୱଥଙ୍କର । ପୂର୍ଣ୍ଣା "ସେଭେନ ସମିଟ୍ସ ଚ୍ୟାଲେଞ୍ଜ୍'କୁ ପୂର୍ଣ୍ଣ କରି ଆଉ ଏକ ସଫଳତାର ବାନା ଉଡ଼ାଇଛନ୍ତି । ସେଭେନ୍ ସମିଟ୍ସ ଚ୍ୟାଲେଞ୍ଜ୍ ଅର୍ଥାତ ପୃଥିବୀର ସବୁଠୁ କଠିନ ଓ ଉଚ୍ଚ ସାତଟି ପାହାଡ଼ ଚଢ଼ିବାର ଆହ୍ୱାନ । ପୂର୍ଣ୍ଣା ନିଜର ଅଦମ୍ୟ ସାହସ ସହିତ ନର୍ଥ ଆମେରିକାର ସବୁଠୁ ଉଚ୍ଚ ଶୃଙ୍ଗ ମାଉଂଟ ଦେନାଲି ଆରୋହଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୂର୍ଣ୍ଣା ଭାରତର ସେହି ଝିଅ ଯିଏ ମାତ୍ର ୧୩ ବର୍ଷ ବୟସରେ ଏଭରେଷ୍ଟ ଶୃଙ୍ଗ ଉପରେ ବିଜୟ ହାସଲ କରି ଅଦ୍ଭୁତ ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

ବନ୍ଧୁଗଣ, ଯେତେବେଳେ ଖେଳ କଥା ହେଉଛି, ତ ଆଜି ମୁଁ ଭାରତର ସର୍ବାଧିିକ ପ୍ରତିଭାଶାଳୀ କ୍ରିକେଟରଙ୍କ ମଧ୍ୟରୁ ଜଣେ ମିତାଲି ରାଜଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ଚାହିଁବି । ସେ ଚଳିତ ମାସରେ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି, ଯାହା ଅନେକ କ୍ରୀଡ଼ାପ୍ରେମୀଙ୍କୁ ଭାବୁକ କରିଦେଇଛି । ମିତାଲି କେବଳ ଜଣେ ଅସାଧାରଣ ଖେଳାଳି ନୁହନ୍ତି, ବରଂ ଅନେକ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ରହିଆସିଛନ୍ତି । ମୁଁ ମିତାଲିଙ୍କୁ ତାଙ୍କର ଭବିଷ୍ୟତ ପାଇଁ ବହୁତ ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ "ମନ୍ କୀ ବାତ'ରେ ୱେଷ୍ଟ୍ ଟୁ ୱେଲଥ ସହିତ ସଂପୃକ୍ତ ସଫଳ ପ୍ରୟାସଗୁଡ଼ିକର ଆଲୋଚନା କରିଆସୁଛୁ । ଏପରି ଏକ ଉଦାହରଣ ହେଉଛି ମିଜୋରାମର ରାଜଧାନୀ ଆଇଜଲର । ଆଇଜଲରେ ଗୋଟିଏ ସୁନ୍ଦର ନଦୀ ଅଛି "ଚିଟେ ଲୁଇ', ଯାହା ବର୍ଷ ବର୍ଷର ଉପେକ୍ଷା କାରଣରୁ ମଇଳା ଓ ଆବର୍ଜନା ଗଦାରେ ପରିଣତ ହୋଇଥିଲା । ବିଗତ କିଛିବର୍ଷ ଧରି ଏହି ନଦୀକୁ ବଂଚାଇବାର ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନୀୟ ସଂଗଠନ, ସ୍ୱେଚ୍ଛାସେବୀ ସଂସ୍ଥା ଓ ସ୍ଥାନୀୟ ଲୋକେ ମିିଳିମିଶି ସେଭ୍ ଚିଟେ ଲୁଇ ଆକ୍ସନ ପ୍ଲାନ୍ ମଧ୍ୟ ଚଳାଉଛନ୍ତି । ନଦୀ ସଫେଇର ଏହି ଅଭିଯାନ ଆବର୍ଜନାରୁ ସମ୍ପତି ସୃଷ୍ଟିର ସୁଯୋଗ ମଧ୍ୟ ତିଆରି କରିଛି । ପ୍ରକୃତରେ, ଏହି ନଦୀରେ ଓ ଏହାର କୂଳରେ ବହୁ ପରିମାଣରେ ପ୍ଲାଷ୍ଟିକ୍ ଓ ପଲିଥିନର ଆବର୍ଜନା ଭର୍ତିହୋଇ ରହିଥିଲା । ନଦୀ ବଂଚାଇବା ପାଇଁ କାମ କରୁଥିବା ସଂସ୍ଥା ଏହି ପଲିଥିନରୁ ସଡ଼କ ତିଆରି କରିବାର ନିଷ୍ପତି ନେଲା, ଅର୍ଥାତ ଯେଉଁ ଆବର୍ଜନା ନଦୀରୁ ବାହାରିଲା, ସେଥିରେ ମିଜୋରାମର ଗୋଟିଏ ଗାଁରେ ରାଜ୍ୟର ପ୍ରଥମ ପ୍ଲାଷ୍ଟିକ୍ ସଡ଼କ ତିଆରି କରାଗଲା, ଅର୍ଥାତ ଏକାସଂଗେ ସ୍ୱଚ୍ଛତା ଏବଂ ବିକାଶ ।

ବନ୍ଧୁଗଣ, ଏପରି ଏକ ପ୍ରୟାସ ପୁଡୁଚେରି ଯୁବକମାନେ ମଧ୍ୟ ନିଜର ସ୍ୱେଚ୍ଛାସେବୀ ସଂସ୍ଥା ଜରିଆରେ ଆରମ୍ଭ କରିଛନ୍ତି । ଏହା ପୁଡୁଚେରି ସମୁଦ୍ରକୂଳରେ ପ୍ରତିଷ୍ଠିତ ହୋଇଛି । ସେଠାକାର ବେଳାଭୂମି ଓ ସାମୁଦ୍ରିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁତ ଲୋକ ଆସନ୍ତି । କିନ୍ତୁ ପୁଡୁଚେରିର ସମୁଦ୍ରତଟରେ ମଧ୍ୟ ପ୍ଲାଷ୍ଟିକର ଆବର୍ଜନା ବଢ଼ିଚାଲିଥିଲା, ତେଣୁ ନିଜର ସମୁଦ୍ର, ବେଳାଭୂମି ଓ ପରିବେଶକୁ ବଂଚାଇବା ପାଇଁ ଏଠାକାର ଲୋକେ "ରିସାଇକ୍ଲିଂ ଫର୍ ଲାଇଫ୍' ଅଭିଯାନ ଆରମ୍ଭ କରିଛନ୍ତି । ଆଜି ପୁଡୁଚେରିର କରାଇକଲରେ ହଜାର ହଜାର କିଲୋ ଆବର୍ଜନା ପ୍ରତିଦିନ ସଂଗ୍ରହ କରାଯାଏ ଏବଂ ସେଗୁଡ଼ିକୁ ପୃଥକ୍ କରାଯାଏ । ସେଥିରୁ ଯେଉଁ ଜୈବିକ ଆବର୍ଜନା ବାହାରେ, ସେଥିରେ ସାର ତିଆରି କରାଯାଏ ଏବଂ ବାକି ଅନ୍ୟ ଜିନିଷକୁ ଅଲଗା କରି ପୁନଃବ୍ୟବହାରଯୋଗ୍ୟ କରାଯାଏ । ଏହିଭଳି ପ୍ରୟାସ ପ୍ରେରଣାଦାୟକ ତ ନିଶ୍ଚୟ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ଭାରତର ଅଭିଯାନକୁ ମଧ୍ୟ ଏହା ଗତିଶୀଳ କରାଇଥାଏ ।

ବନ୍ଧୁଗଣ, ଏବେ ଯେତେବେଳେ ମୁଁ ଆପଣଙ୍କ ସହ କଥା ହେଉଛି, ସେତେବେଳେ, ହିମାଚଳ ପ୍ରଦେଶରେ ମଧ୍ୟ ଏକ ନିଆରା ସାଇକ୍ଲିଂ ରାଲି ଚାଲୁରହିଛି । ମୁଁ ଏହା ସମ୍ପର୍କରେ ମଧ୍ୟ ଆପଣଙ୍କୁ କହିବାକୁ ଚାହୁଁଛି । ସ୍ୱଚ୍ଛତାର ବାର୍ତା ନେଇ ସାଇକେଲ ଚାଳକଙ୍କ ଏକ ଦଳ ଶିମଲାରୁ ମଣ୍ଡି ପର୍ଯ୍ୟନ୍ତ ବାହାରିଛି । ପାହାଡ଼ିଆ ରାସ୍ତାରେ ପ୍ରାୟ ଅଢ଼େଇ ଶହ କିଲୋମିଟର ଦୂର ଏହି ଲୋକେ ସାଇକେଲ ଚଳାଇ ସଂପୂର୍ଣ୍ଣ କରିବେ । ଏହି ଦଳରେ ପିଲା ଓ ବୟସ୍କ ମଧ୍ୟ ଅଛନ୍ତି । ଆମର ପରିବେଶ ସ୍ୱଚ୍ଛ ରହିଲେ, ଆମର ପାହାଡ଼-ନଦୀ, ସମୁଦ୍ର ସ୍ୱଚ୍ଛ ରହିଲେ ଆମର ସ୍ୱାସ୍ଥ୍ୟ ମଧ୍ୟ ଉତମ ହୋଇଯାଏ । ଆପଣ ମୋତେ ଏହିଭଳି ପ୍ରୟାସ ସମ୍ପର୍କରେ ନିଶ୍ଚୟ ଲେଖି ଜଣାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ କ୍ରମାଗତ ମୌସୁମୀ ବିସ୍ତାର ହେବାରେ ଲାଗିଛି । ଅନେକ ରାଜ୍ୟରେ ବର୍ଷା ମଧ୍ୟ ବଢ଼ୁଛି । ବର୍ତମାନ ଜଳ ଓ ଜଳସଂରକ୍ଷଣ ଦିଗରେ ସ୍ୱତନ୍ତ୍ର ପ୍ରୟାସ କରିବାର ସମୟ । ଆମ ଦେଶରେ ତ ଯୁଗଯୁଗ ଧରି ଏହି ଦାୟିତ୍ୱ ସମାଜ ହିଁ ମିଳିମିଶି ଉଠାଇଆସିଛି । ଆପଣଙ୍କର ମନେ ଥିବ, "ମନ୍ କୀ ବାତ'ରେ ଆମେ ଥରେ ପାହାଚ ଥିବା କୂଅ ଅର୍ଥାତ ବାୱଡିର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବାୱଡି ସେହି ବଡ଼ବଡ଼ କୂଅକୁ କୁହାଯାଏ ଯେଉଁଠି ତଳକୁ ଓହ୍ଲାଇବା ପାଇଁ ପାହାଚ ରହିଥାଏ । ରାଜସ୍ଥାନର ଉଦୟପୁରରେ ଏପରି ଶହଶହ ବର୍ଷ ପୁରୁଣା ଏକ ବାୱଡ଼ି ରହିଛି "ସୁଲତାନ କୀ ବାୱଡି' । ଏହାକୁ ରାଓ ସୁଲତାନ ସିଂହ ନିର୍ମାଣ କରାଇଥିଲେ, କିନ୍ତୁ ଉପେକ୍ଷା କାରଣରୁ ଧୀରେ ଧୀରେ ଏହି ଜାଗା ପରିତ୍ୟକ୍ତ ହୋଇଗଲା ଏବଂ ଅଳିଆ ଆବର୍ଜନା ଗଦାରେ ପରିଣତ ହେଲା । ଦିନେ କେତେକ ଯୁବକ ବୁଲୁଥିବାବେଳେ ସେଠାରେ ପହଂଚିଲେ ଏବଂ ତା'ର ସ୍ଥିତିକୁ ଦେଖି ବହୁତ ଦୁଃଖ ପ୍ରକାଶ କଲେ । ସେହି ଯୁବକମାନେ ସେହି ମୁହୂର୍ତରେ ସୁଲତାନ କୀ ବାୱଡିର ଚିତ୍ର ଓ ଭାଗ୍ୟ ବଦଳାଇବା ପାଇଁ ପ୍ରତିଜ୍ଞା କଲେ । ସେମାନେ ଏହି ମିସନର ନାମ ରଖିଲେ "ସୁଲତାନ କୀ ସୁର୍-ତାନ' । ଆପଣ ଭାବୁଥିବେ ଯେ ଏହି ସୁର୍-ତାନ୍ କ'ଣ? ବାସ୍ତବରେ ଏହି ଯୁବକମାନେ କେବଳ ବାୱଡ଼ିର କାୟା ପରିବର୍ତନ କଲେ ନାହିଁ, ବରଂ ସେମାନେ ସଂଗୀତର ସ୍ୱର ଓ ତାଳ ସହିତ ମଧ୍ୟ ଯୋଡ଼ିଦେଲେ । ସୁଲତାନ କୀ ବାୱଡ଼ିର ସଫେଇ ପରେ, ତାକୁ ସଜାଇବା ପରେ, ସେଠାରେ ସ୍ୱର ଓ ସଂଗୀତର କାର୍ଯ୍ୟକ୍ରମ ହୋଇଥାଏ । ଏହି ପରିବର୍ତନର ଏତେ ଚର୍ଚ୍ଚା ହେଉଛି ଯେ ବିଦେଶରୁ ମଧ୍ୟ ଅନେକ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି । ଏହି ସଫଳ ପ୍ରୟାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଅଭିଯାନ ଆରମ୍ଭ କରିଥିବା ଯୁବକମାନେ ଚାର୍ଟାର୍ଡ ଆକାଉଂଟାଂଟ । ସଂଯୋଗରୁ ବର୍ତମାନଠାରୁ କିଛିଦିନ ପରେ, ୧ ଜୁଲାଇରେ ଚାଟାର୍ଡ ଆକାଉଂଟାଂଟ ଦିବସ ଆସୁଛି । ମୁଁ ଦେଶର ସମସ୍ତ ଚାର୍ଟାର୍ଡ ଆକାଉଂଟାଂଟଙ୍କୁ ଆଗୁଆ ଅଭିନନ୍ଦନ ଜଣାଉଛି । ଆମେ ନିଜର ଜଳଉତ୍ସଗୁଡ଼ିକୁ, ସଂଗୀତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ସହିତ ଯୋଡ଼ି ସେଗୁଡ଼ିକ ପ୍ରତି ଏହିପରି ସଚେତନତାର ଭାବ ସୃଷ୍ଟି କରିପାରିବା । ଜଳ ସଂରକ୍ଷଣ ତ ବାସ୍ତବରେ ଜୀବନ ସଂରକ୍ଷଣ । ଆପଣ ଦେଖିଥିବେ, ଆଜିକାଲି ଅନେକ "ନଦୀ ମହୋତ୍ସବ' କରାଯାଉଛି । ଆପଣଙ୍କ ସହରରେ ମଧ୍ୟ ଏହିଭଳି ଯେଉଁ ଜଳଉତ୍ସ ରହିଛି, ସେଠାରେ କିଛି ନା କିଛି ଆୟୋଜନ ନିଶ୍ଚୟ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆମର ଉପନିଷଦର ଏକ ଜୀବନମନ୍ତ୍ର ହେଉଛି- ‘ଚରୈବେତି-ଚରୈବେତି-ଚରୈବେତି'- ଆପଣ ମଧ୍ୟ ଏହି ମନ୍ତ୍ରକୁ ନିଶ୍ଚୟ ଶୁଣିଥିବେ । ଏହାର ଅର୍ଥ ହେଲା ଆଗକୁ ବଢ଼ୁଥାଅ, ଆଗକୁ ବଢ଼ୁଥାଅ । ଏହି ମନ୍ତ୍ର ଆମେ ଦେଶରେ ଏତେ ଲୋକପ୍ରିୟ ଏଥିପାଇଁ ଯେ ସର୍ବଦା ଚାଲୁଥିବା, ଗତିଶୀଳ ରହିବା, ଏହା ଆମ ସ୍ୱଭାବର ଏକ ଅଂଶ । ଏକ ରାଷ୍ଟ୍ର ଭାବରେ, ଆମେ, ହଜାର ହଜାର ବର୍ଷର ବିକାଶ ଯାତ୍ରା କରି ଏଠିକି ପହଂଚିଛୁ । ଏକ ସମାଜ ଭାବେ ଆମେ ସର୍ବଦା ନୂଆ ବିଚାର, ନୂଆ ପରିବର୍ତନକୁ ସ୍ୱୀକାର କରି ଆଗକୁ ବଢ଼ିଚାଲିଛୁ । ଏହା ପଛରେ ଆମର ସାଂସ୍କୃତିକ ଗତିଶୀଳତା ଓ ଯାତ୍ରାର ବହୁତ ବଡ଼ ଯୋଗଦାନ ରହିଛି । ସେଥିପାଇଁ ତ ଆମର ୠଷିମୁନିଗଣ ତୀର୍ଥଯାତ୍ରା ଭଳି ଧାର୍ମିକ ଦାୟିତ୍ୱ ଆମକୁ ସମର୍ପିଥିଲେ । ଭିନ୍ନ ଭିନ୍ନ ତୀର୍ଥଯାତ୍ରା ଉପରେ ତ ଆମେ ସମସ୍ତେ ଜାଣୁ । ଆପଣ ଦେଖିଛନ୍ତି ଯେ ଏଥର ଚାରିଧାମ ଯାତ୍ରାରେ କିପରି ବହୁ ସଂଖ୍ୟାରେ ଭକ୍ତ ସାମିଲ୍ ହୋଇଥିଲେ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ ଯାତ୍ରାରେ ବାହାରନ୍ତି । ଏବେ, ଆଉ କିଛିଦିନ ପରେ ହିଁ ୧ ଜୁଲାଇରେ ଭଗବାନ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ, ପୁରୀର ଏହି ଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ ପରିଚିତ । ଏହି ଅବସରରେ ପୁରୀ ଯିବାର ସୌଭାଗ୍ୟ ପାଇବା ପାଇଁ ପ୍ରତ୍ୟେକ ଲୋକ ଚେଷ୍ଟା କରିଥାନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମଧାମରେ ହୋଇଥାଏ । ଭଗବାନ ଜଗନ୍ନାଥଙ୍କ ଯାତ୍ରା ଆଷାଢ଼ ମାସ ଦ୍ୱିତୀୟାରୁ ଆରମ୍ଭ ହୁଏ । ଆମର ଗ୍ରନ୍ଥରେ "ଆଷାଢ଼ସ୍ୟ ଦ୍ୱିତୀୟ ଦିବସେ... ରଥଯାତ୍ରା', ସଂସ୍କୃତ ଶ୍ଳୋକରେ ଏହିପରି ବର୍ଣ୍ଣନା ମିଳେ । ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ପ୍ରତିବର୍ଷ ଆଷାଢ଼ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ମୁଁ ଗୁଜରାଟରେ ଥିଲି, ତ ମୋତେ ପ୍ରତିବର୍ଷ ଏହି ଯାତ୍ରାରେ ସେବା କରିବାର ସୌଭାଗ୍ୟ ମିଳୁଥିଲା । ଆଷାଢ଼ ଦ୍ୱିତୀୟା, ଯେଉଁ ଯାହାକୁ ଆଷାଢ଼ି ବିଜ୍ ମଧ୍ୟ କହନ୍ତି, ଏହି ଦିନରୁ କଚ୍ଛରେ ନବବର୍ଷ ମଧ୍ୟ ଆରମ୍ଭ ହୋଇଥାଏ । ମୁଁ, ମୋର ସମସ୍ତ କଚ୍ଛି ଭାଇଭଉଣୀମାନଙ୍କୁ ନବବର୍ଷର ଶୁଭକାମନା ଜଣାଉଛି । ମୋ ପାଇଁ ଏଇଥିପାଇଁ ମଧ୍ୟ ଏହିଦିନ ବହୁତ ଗୁରୁତ୍ୱପୂର୍ଣ୍ଣ- ମୋର ମନେପଡ଼ୁଛି, ଆଷାଢ଼ ଦ୍ୱିତୀୟାର ଦିନକ ପୂର୍ବେ, ଅର୍ଥାତ ଆଷାଢ଼ର ପ୍ରଥମ ତିଥିରେ ଆମେ ଗୁଜରାତରେ ଏକ ସଂସ୍କୃତ ଉତ୍ସବ ଆରମ୍ଭ କରିଥିଲୁ, ଯେଉଁଥିରେ ସଂସ୍କୃତ ଭାଷାର ଗୀତ-ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଆୟୋଜନର ନାମ "ଆଷାଢସ୍ୟ ପ୍ରଥମ ଦିବସେ' । ଉତ୍ସବକୁ ଏହି ସ୍ୱତନ୍ତ୍ର ନାମ ଦେବା ପଛରେ ମଧ୍ୟ ଏକ କାରଣ ରହିଛି । ପ୍ରକୃତରେ, ସଂସ୍କୃତର ମହାନ କବି କାଳିଦାସ ଆଷାଢ଼ ମାସରୁ ବର୍ଷା ଆଗମନ ଉପରେ ମେଘଦୂତମ୍ ଲେଖିଥିଲେ । ମେଘଦୂତମର ଏକ ଶ୍ଳୋକ ହେଉଛି- ଆଷାଢସ୍ୟ ପ୍ରଥମ ଦିବସେ ମେଘମ୍ ଆଶ୍ଳିଷ୍ଟ ସାନୁମ୍, ଅର୍ଥାତ ଆଷାଢ଼ର ପ୍ରଥମ ଦିନ ପର୍ବତ ଶିଖରରେ ଗୁଡ଼େଇ ହୋଇରହିଥିବା ମେଘ, ଏହି ଶ୍ଳୋକ ଏ ଆୟୋଜନର ଆଧାର ହୋଇଥିଲା ।

ବନ୍ଧୁଗଣ, ଅହମଦାବାଦ ହେଉ ବା ପୁରୀ, ଭଗବାନ ଜଗନ୍ନାଥ ନିଜର ଏହି ଯାତ୍ରା ଜରିଆରେ ଆମକୁ ଅନେକ ଗଭୀର ମାନବୀୟ ସନ୍ଦେଶ ମଧ୍ୟ ଦିଅନ୍ତି । ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ, କିନ୍ତୁ ତାଙ୍କର ଯାତ୍ରାରେ ଗରିବ, ବଂଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ । ଭଗବାନ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଚାଲିଥାନ୍ତି । ଏପରି ଆମ ଦେଶରେ ଯେତେ ଯାତ୍ରା ହୁଏ, ସବୁଠି ଧନୀଗରିବ, ଉଚ୍ଚନୀଚ ଏପରି କୌଣସି ଭେଦଭାବ ଦୃଷ୍ଟିକୁ ଆସେ ନାହିଁ । ସମସ୍ତ ଭେଦଭାବରୁ ଊର୍ଦ୍ଧ୍ଵକୁ ଉଠି, ଯାତ୍ରା ହିଁ ସର୍ବୋପରି ହୋଇଥାଏ । ଯେପରିକି ମହାରାଷ୍ଟ୍ରର ପଂଢରପୁର ଯାତ୍ରା ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ । ପଂଢରପୁର ଯାତ୍ରାରେ, କେହି ମଧ୍ୟ ନା ବଡ଼ ହୋଇଥାଏ, ନା ଛୋଟ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ସେବକ ହୋଇଥାଏ, ଭଗବାନ ବିଠ୍ଠଲଙ୍କ ସେବକ ହୋଇଥାଏ । ଏବେ ଚାରିଦିନ ପରେ ହିଁ ୩୦ ଜୁନରୁ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ପାଇଁ ଜାମ୍ମୁକାଶ୍ମୀରରେ ପହଂଚିଥାନ୍ତି । ଜାମ୍ମୁକାଶ୍ମୀରର ସ୍ଥାନୀୟ ଲୋକେ ସେତିକି ଶ୍ରଦ୍ଧାର ସହିତ ଏହି ଯାତ୍ରାର ଦାୟିତ୍ୱ ତୁଲାଇଥାନ୍ତି ଏବଂ ତୀର୍ଥଯାତ୍ରୀମାନଙ୍କୁ ସହଯୋଗ କରିଥାନ୍ତି ।

ବନ୍ଧୁଗଣ, ଦକ୍ଷିଣରେ ଏପରି ହିଁ ମହତ୍ୱ ସାବରିମାଳା ଯାତ୍ରାର ରହିଛି । ସାବରିମାଳା ପାହାଡ଼ ଉପରେ ଭଗବାନ ଆୟାପ୍ପାଙ୍କ ଦର୍ଶନ କରିବା ପାଇଁ ଏହି ଯାତ୍ରା ସେହିଦିନଠାରୁ ଚାଲିଆସିଛି, ଯେତେବେଳେ ରାସ୍ତାକୁ ସଂପୂର୍ଣ୍ଣ ଭାବେ ଜଂଗଲ ଘେରି ରହିଥିଲା । ଆଜି ମଧ୍ୟ ଲୋକେ ଯେତେବେଳେ ଏହି ଯାତ୍ରାକୁ ଯାଆନ୍ତି, ସେଥିରୁ ଧାର୍ମିକ ଅନୁଷ୍ଠାନରୁ ନେଇ ରହଣି ବ୍ୟବସ୍ଥା ପର୍ଯ୍ୟନ୍ତ, ଗରିବଙ୍କ ପାଇଁ କେତେ ରୋଜଗାର ସୁଯୋଗ ସୃଷ୍ଟି ହୁଏ, ଅର୍ଥାତ ଏହି ଯାତ୍ରା ପ୍ରତ୍ୟକ୍ଷ ରୂପେ ଆମକୁ ଗରିବମାନଙ୍କର ସେବା କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ ଏବଂ ଗରିବଙ୍କ ପାଇଁ ତାହା ସେତିକି ମଙ୍ଗଳକର ହୋଇଥାଏ । ତେଣୁ ଦେଶ ମଧ୍ୟ, ଏବେ, ଆଧ୍ୟାତ୍ମିକ ଯାତ୍ରାରେ, ଭକ୍ତଙ୍କ ପାଇଁ ସୁବିଧା ବଢ଼ାଇବା ପାଇଁ ଏତେସବୁ ପ୍ରୟାସ କରୁଛି । ଆପଣ ମଧ୍ୟ ଏପରି କୌଣସି ଯାତ୍ରାରେ ଯିବେ ତ ଆପଣଙ୍କୁ ଆଧ୍ୟାତ୍ମ ସହିତ ଏକ ଭାରତ-ଶ୍ରେଷ୍ଠ ଭାରତର ମଧ୍ୟ ଦର୍ଶନ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ସବୁ ସମୟ ପରି ଏଥର ମଧ୍ୟ "ମନ୍ କୀ ବାତ' ଜରିଆରେ ଆପଣମାନଙ୍କ ସହିତ ଯୋଡ଼ିହେବାର ବହୁତ ସୁଖଦ ଅନୁଭବ ହେଲା । ଆମେ ଦେଶବାସୀଙ୍କର ସଫଳତା ଓ ଉପଲବ୍ଧିଗୁଡ଼ିକର ଆଲୋଚନା କଲେ । ଏହିସବୁ ଭିତରେ, ଆମେ କରୋନା ବିରୋଧରେ ସାବଧାନତାକୁ ମଧ୍ୟ ଦୃଷ୍ଟିରେ ରଖିବା । ତେବେ ସନ୍ତୋଷର କଥା ଯେ ଆଜି ଦେଶ ପାଖରେ ଟିକାର ବ୍ୟାପକ ସୁରକ୍ଷାକବଚ ରହିଛି । ଆମେ ୨୦୦ କୋଟି ଟିକା ଡୋଜ୍ ପାଖାପାଖି ପହଂଚିଯାଇଛୁ । ଦେଶରେ ଦ୍ରୁତଗତିରେ ପ୍ରିକସନ୍ ଡୋଜ୍ ମଧ୍ୟ ଦିଆଯାଉଛି । ଯଦି ଆପଣଙ୍କର ଦ୍ୱିତୀୟ ଡୋଜ୍ ଟିକା ପରେ ପ୍ରିକସନ୍ ଡୋଜର ସମୟ ହୋଇଯାଇଛି, ତେବେ ଏହି ତୃତୀୟ ଡୋଜ୍ ନିଶ୍ଚୟ ନିଅନ୍ତୁ । ନିଜ ପରିବାର ଲୋକଙ୍କୁ, ବିଶେଷତଃ ବୟସ୍କମାନଙ୍କୁ ମଧ୍ୟ ପ୍ରିକସନ୍ ଡୋଜ୍ ଟିକା ଦିଅନ୍ତୁ । ଆମକୁ ହାତ ସଫା ରଖିବା ଓ ମାସ୍କ ପିନ୍ଧିବା ଭଳି ଜରୁରୀ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର । ବର୍ଷାଋତୁରେ ଆଖପାଖରେ ଅଳିଆ ଦ୍ୱାରା ହେଉଥିବା ରୋଗଗୁଡ଼ିକ ସମ୍ପର୍କରେ ମଧ୍ୟ ଆମେ ସଚେତନ ରହିବା । ଆପଣମାନେ ସଚେତନ ରହନ୍ତୁ, ସୁସ୍ଥ ରହନ୍ତୁ ଏବଂ ଏପରି ହିଁ ଶକ୍ତି ସହିତ ଆଗକୁ ବଢ଼ିଚାଲନ୍ତୁ । ଆସନ୍ତା ମାସରେ ଆମେ ପୁଣିଥରେ ଭେଟିବା, ସେ ପର୍ଯ୍ୟନ୍ତ ବହୁତ ବହୁତ ଧନ୍ୟବାଦ, ନମସ୍କାର ।

 

 

 

 

 

 

 

Explore More
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ

ଲୋକପ୍ରିୟ ଅଭିଭାଷଣ

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ
PM Narendra Modi continues to be most popular global leader with approval rating of 74%: Survey

Media Coverage

PM Narendra Modi continues to be most popular global leader with approval rating of 74%: Survey
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2022
August 13, 2022
ସେୟାର
 
Comments

Our Prime Minister Narendra Modi continues to be the most popular among global leaders.

Owing to the leadership of PM Modi, India shines bright on multiple fronts today. Citizens show appreciation.