ସେୟାର
 
Comments

୧. ବାଂଲାଦେଶ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାନୁଭବ ଶେଖ ହସିନାଙ୍କ ଆମନ୍ତ୍ରଣ କ୍ରମ ବାଂଲାଦେଶ ସ୍ୱାଧୀନତା ପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ, ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରହେମାନଙ୍କ ଜନ୍ମ ଶତବବାର୍ଷିକୀ ସମାରୋହ ତଥା ଭାରତ ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୫୦ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହା ମାର୍ଚ୍ଚ ୨୬ ଏବଂ ୨୭ ତାରିଖ ଦିନ ବାଂଲାଦେଶ ଗସ୍ତରେ ଯାଇଥିଲେ । ଏହି ଗସ୍ତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଗଢ଼ି ଉଠିଥିବା ସହଭାଗୀତା ତଥା ସମଗ୍ର କ୍ଷେତ୍ରରେ ମୁଣ୍ଡ ଟେକିଥିବା ସୁଦୃଢ଼, ପରିପୁଷ୍ଟ ଦ୍ୱିପାକ୍ଷିକ ସମ୍ପର୍କର ପ୍ରତୀକ ଭାବେ ବିବେଚନା କରାଯାଏ ।

୨.ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି ଗସ୍ତ ଅବସରରେ ବାଂଲାଦେଶର ରାଷ୍ଟ୍ରପତି ମହାମହୀମ ମହମ୍ମଦ ଅବଦୁଲ ହମୀଦଙ୍କୁ ସେ ୨୦୨୧ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ସାକ୍ଷାତ କରିଥିଲେ । ୨୦୨୧ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାତୀୟ ଦିବସ କାର୍ଯ୍ୟକ୍ରମ, ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏବଂ ମୁଜିବ୍‍ ବର୍ଷୋ ପାଳନ ନିମନ୍ତେ ଜାତୀୟ ପରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଏ କେ ଅବଦୁଲ ମୋମେନ୍‍ ଏହି ଅବସରରେ ୨୦୨୧ ମସିହା ମାର୍ଚ୍ଚ ୨୬ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ ।

୩. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଭରସ୍ଥିତ ଜାତୀୟ ସହିଦ ସ୍ମାରକୀ ସ୍ଥଳଠାରେ ବାଂଲାଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ କି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ସେହିଭଳି ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରହେମାନଙ୍କ ଗୋପାଲଗଞ୍ଜ, ଟୁଙ୍ଗିପାଡ଼ାସ୍ଥିତ ବଙ୍ଗବନ୍ଧୁ କବରସ୍ଥଳକୁ ଯାଇ ସେଠାରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଭାରତ- ବାଂଲାଦେଶ ସହଭାଗୀତା

୪.ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ୨୦୨୧ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ସାକ୍ଷାତ ଆଲୋଚନା କରିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ତଥା ଭାତୃତ୍ୱ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବା ଦ୍ୱିପାକ୍ଷିକ ଉତ୍ତମ ସମ୍ପର୍କ ବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରିଥିଲେ ଯାହାକି ସର୍ବବ୍ୟାପୀ ଦ୍ୱିପାକ୍ଷିକ ସମ୍ପର୍କ ଯାହା ସମାନତା, ଆସ୍ଥା ତଥା ବୁଝାମଣା ଉପରେ ଆଧାରିତ । ଏହା ଏବେ ଉଭୟ ପକ୍ଷଙ୍କୁ ରଣନୀତିକ ସହଭାଗୀତା ସ୍ତରରେ ପହଞ୍ଚାଇଛି ।

୫. ବର୍ତ୍ତମାନର କୋଭିଡ଼ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ବାଂଲାଦେଶକୁ ପ୍ରଥମ ବିଦେଶ ଗସ୍ତରେ ଆସି ଏହି ସମାରୋହରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବାଂଲାଦେଶର ମୁକ୍ତି ସଂଗ୍ରାମର ଜଟିଳ ପରିସ୍ଥିତି ବେଳେ ଭାରତ ସରକାର ଏବଂ ଭାରତର ଜନସାଧାରଣ ପୂର୍ଣ୍ଣ ପ୍ରାଣରେ ସେମାନଙ୍କୁ ଯୋଗାଇ ଦେଇଥିବା ଅକୁଣ୍ଠ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ଏହାକୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ବ୍ୟକ୍ତ କରିଥିଲେ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ଏହି ମହାନ ମୁକ୍ତି ସଂଗ୍ରାମର ସ୍ମୃତି ତଥା ଗାଥାକୁ ସଂରକ୍ଷିତ ରଖାଯିବାର ଆବଶ୍ୟକତା ରହିଛି । ୧୯୭୧ ମସିହାର ବାଂଲାଦେଶ ସ୍ୱାଧୀନତ ସଂଗ୍ରାମ ବେଳେ ଭାରତୀୟ ସଶସ୍ତ୍ର ସେନାର ଯେଉଁ ବୀର ସଦସ୍ୟମାନେ ଏହାକୁ ସମର୍ଥନ ପୂର୍ବକ ସେମାନଙ୍କର ପ୍ରାଣବଳି ଦେଇଛନ୍ତି ସେମାନଙ୍କ ସ୍ମୃତିରେ ଆଶୁଗଞ୍ଜ ଠାରେ ଏକ ସ୍ମାରକୀ ନିର୍ମାଣ ପାଇଁ ବାଂଲାଦେଶ ସରକାରଙ୍କ ନିଷ୍ପତି ନିମନ୍ତେ ପ୍ରଧାନମନ୍ତ୍ରୀ ବାଂଲାଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

୬. ମୁଜିବ ବର୍ଷୋ ପାଳନ, ବାଂଲାଦେଶ ସ୍ୱାଧୀନତା ପ୍ରାପ୍ତିର ୫୦ତମ ବର୍ଷ ପୂର୍ତ୍ତି ଏବଂ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ବାଂଲାଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୃଦୟର ସହ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ ବାଂଲାଦେଶର ମାନବୀୟ ବିକାଶ, ଦାରିଦ୍ର‌୍ୟ ଦୂରୀକରଣ, ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମ ଏବଂ ଉଲ୍ଲେଖନୀୟ ଆର୍ଥିକ ପ୍ରଗତି ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ବଳିଷ୍ଠ ନେତୃତ୍ୱରେ ଦେଶ ଏଭଳି ସଫଳତା ହାସଲ କରିଥିବାରୁ ଶ୍ରୀ ମୋଦୀ ତାଙ୍କୁ ବଧେଇ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ମଧ୍ୟ ବିଭିନ୍ନ କ୍ଷେତ୍ରରେ ବାଂଲାଦେଶକୁ ଭାରତର ଦ୍ୱିପାକ୍ଷିକ ସହଯୋଗ ଓ ସହାୟତା ଜାରି ନିମନ୍ତେ ଭାରତକୁ ପ୍ରଶଂସା କରିଛନ୍ତି ।

୭. ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୨୦୧୯ ମସିହା ଅକ୍ଟୋବର ମାସର ନୂଆଦିଲ୍ଲୀ ଗସ୍ତ ଏବଂ ୨୦୨୦ ମସିହା ଡିସେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ଭର୍ଚୁଆଲ ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା ବିଭିନ୍ନ ନିଷ୍ପତ୍ତିର ପ୍ରଗତିରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି । ଉଭୟ ପକ୍ଷ ୨୦୨୦ ମସିହା ସେପ୍ଟେମ୍ବର ମାସରେ ସଫଳତାର ସହ ଅନୁଷ୍ଠିତ ମିଳିତ ପରାମର୍ଶ କମିଶନଙ୍କ ଷଷ୍ଠ ବୈଠକକୁ ସ୍ମରଣ କରିବା ସହିତ ୨୦୨୧ ମସିହା ମାର୍ଚ୍ଚ ୪ ତାରିଖ ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ଢାକା ଗସ୍ତକୁ ସ୍ମରଣ କରିଥିଲେ ।

୮. ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦୁଇ ପକ୍ଷଙ୍କ ମଧ୍ୟରେ ନିୟମିତ ଭାବେ ଉଚ୍ଚସ୍ତରୀୟ ପ୍ରତିନିଧିମାନଙ୍କ ଗସ୍ତ ଜାରି ରହିଥିବାର ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାହା ଦୁଇ ପକ୍ଷଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ସହଯୋଗକୁ ଉତ୍ତମ ରୂପେ ବୁଝିବା ଓ କାର୍ଯ୍ୟକାରୀ କରିବାରେ ସହାୟକ ହୋଇପାରିଛି ବୋଲି ମତ ପୋଷଣ କରିଥିଲେ । ସେହିଭଳି ବିଭିନ୍ନ କ୍ଷେତ୍ରର ଅନୁଷ୍ଠାନିକ ବ୍ୟବସ୍ଥା ମଧ୍ୟରେ ନିୟମିତ ଭାବେ ବୈଠକ ଅନୁଷ୍ଠିତ ହେବା ଯାହାକି ଦ୍ୱିପାକ୍ଷିକ ସମ୍ପର୍କକୁ ଗତି ପ୍ରଦାନ କରିବାରେ ସହାୟକ ହୋଇଛି, ବିଶେଷ କରି କୋଭିଡ଼ ମହାମାରୀ କାଳରେ ଏହା ଅଧିକ ଲାଭପ୍ରଦ ହୋଇପାରିଛି ବୋଲି ମତ ପୋଷଣ କରିବା ସହ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ।

ଐତିହାସିକ ସଂଯୋଗକୁ ମିଳିତ ଭାବେ ପାଳନ

୯.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱର ସହ ଉଲ୍ଲେଖ କରିଥିଲେ ଯେ ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରହେମାନ, ଯିଏକି ଆଧୁନିକ ସମୟର ଜଣେ ସର୍ବଶ୍ରେଷ୍ଠ ନେତା, ତାଙ୍କର ସାହସ ଏବଂ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ବାଂଲାଦେଶର ଜନ୍ମ ନିମନ୍ତେ ତାଙ୍କର ଅଦମନୀୟ ଅବଦାନ ନିମନ୍ତେ ସଦାସର୍ବଦା ସ୍ମରଣୀୟ ହୋଇ ରହିବେ । ଏହି ଅବସରରେ ସମଗ୍ର କ୍ଷେତ୍ରର ଶାନ୍ତି, ନିରାପତ୍ତା ତଥା ବିକାଶ ନିମନ୍ତେ ବଙ୍ଗବନ୍ଧୁଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ । ୨୦୨୦ ମସିହା ନିମନ୍ତେ ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରହେମାନଙ୍କୁ ତାଙ୍କର ଅହିଂସା ମାର୍ଗରେ ତଥା ଅନ୍ୟ ଗାନ୍ଧୀବାଦୀ ଉପାୟ ଜରିଆରେ ବାଂଲାଦେଶର ସାମାଜିକ, ଆର୍ଥିକ ଓ ରାଜନୈତିକ ପରିବର୍ତ୍ତନ ନିମନ୍ତେ ଥିବା ଅବଦାନ ଲାଗି ସମ୍ମାନଜନକ ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରିଥିବାରୁ ଭାରତକୁ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ଧନ୍ୟବାଦ ଜଣାଇଥିଲେ ।

୧୦. ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ମିଳି ଭାବେ ବଙ୍ଗବନ୍ଧୁ- ବାପୁ ଡିଜିଟାଲ ପ୍ରଦର୍ଶନୀକୁ ଢାକାଠାରେ ଉଦ୍ଘାଟନ କରିଥିଲେ ଯାହା ଏହି ମହାନ ନେତା ଦ୍ୱୟଙ୍କ ଜୀବନ ତଥା ଜୀବନଗାଥାକୁ ପ୍ରଦର୍ଶିତ କରୁଛି । ଦୁଇ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧତା ପ୍ରକଟ କରି କହିଥିଲେ ଯେ ଏହି ମହାନ ନେତା ଦ୍ୱୟଙ୍କ କର୍ମ ଓ ଆଦର୍ଶ ବିଶ୍ୱବ୍ୟାପୀ ସମସ୍ତଙ୍କୁ ଏବଂ ବିଶେଶ କରି ଯୁବଗୋଷ୍ଠୀଙ୍କୁ ଦମନ ବିରୋଧରେ ସ୍ୱର ଉତ୍ତୋଳନ ନିମନ୍ତେ ସଦାସର୍ବଦା ଉଦବୁଦ୍ଧ କରିବ ।

୧୧.ଭାରତ- ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ ନିମନ୍ତେ, ଉଭୟ ପକ୍ଷ ନିଜ ନିଜ ପକ୍ଷରୁ ସ୍ମାରକୀ ଡାକଟିକଟ ଜାରି କରିଥିଲେ । ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଡିସେମ୍ବର ୦୬ ତାରିଖ ଦିନକୁ ମୈତ୍ରୀ ଦିବସ ରୂପେ ଉଭୟ ରାଷ୍ଟ୍ର ପାଳନ କରିବ । ୧୯୭୧ ମସିହା ଡିସେମ୍ବର ୦୬ ତାରିଖ ଦିନ ଭାରତ ବାଂଲାଦେଶକୁ ସ୍ୱୀକୃତି ପ୍ରଦାନ କରିଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବଙ୍ଗବନ୍ଧୁ ଚେୟାର ସ୍ଥାପନ ନିମନ୍ତେ ଭାରତ ପକ୍ଷରୁ ଘୋଷଣା କରାଯାଇଛି । ବାଂଲାଦେଶ ସ୍ୱାଧୀନତା ପ୍ରାପ୍ତିର ୫୦ତମ ବାର୍ଷିକୀ ପାଳନ ଅବସରରେ ତଥା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ଅର୍ଦ୍ଧଶତାବ୍ଦୀ ପୂରଣ ଅବସରରେ ଉଭୟ ପକ୍ଷ ମିଳି ଭାବେ ଏହାକୁ ଭିନ୍ନ ଭିନ୍ନ ୧୯ଟି ସ୍ଥାନରେ ମିଳିତ ଭାବେ ପାଳନ କରିବା ନିମନ୍ତେ ସହମତ ପୋଷଣ କରିଛନ୍ତି ।

୧୨. ଉଭୟ ପକ୍ଷ ସନ୍ତୋଷର ସହ ଉଲ୍ଲେଖ କରିଥିଲେ ଯେ ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରହେମାନଙ୍କ ଜୀବନୀ ସମ୍ବଳିତ ବାୟୋପିକ ଚଳଚ୍ଚିତ୍ର ନିର୍ମାଣ କରାଯିବା ଅତ୍ୟନ୍ତ ଆନନ୍ଦର କଥା । ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ନିର୍ଦ୍ଦେଶନାରେ ଏହା ଆରମ୍ଭ ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟରେ ତାହା ସଂପୂର୍ଣ୍ଣ ହେବ । ଉଭୟ ପକ୍ଷ ଯଥା ଶୀଘ୍ର ମୁକ୍ତି ଯୁଦ୍ଧ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

୧୩. ୨୦୨୦ ମସିହାରେ ଭାରତର ଗଣତନ୍ତ୍ର ଦିବସ ପାଳନ ସମାରୋହରେ ବାଂଲାଦେଶର ତିନି ବାହିନୀର ଏକ ୧୨୨ଜଣିଆ ଦଳ ଯୋଗ ଦେଇଥିବା ଘଟଣାକୁ ଉଭଭ ପକ୍ଷ ଖୁସିର ସହ ଉଲ୍ଲେଖ କରିଥିଲେ ।

୧୪. ୨୦୨୨ ମସିହାରେ ଭାରତ ବାଂଲାଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ନିମନ୍ତେ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମନ୍ତ୍ରଣ ଜଣାଇଛନ୍ତି ।

୧୫. ଉଭୟ ପକ୍ଷ ଭାରତୀୟ ନୌସେନା ଜାହାଜ ସୁମେଧା ଏବଂ କୁଲିଶ ୨୦୨୧ ମସିହା ମାର୍ଚ୍ଚ ୦୮- ୧୦ ତାରିଖ ଦିନ ମୋଙ୍ଗଲା ବନ୍ଦର ଗସ୍ତ କରିଥିବାରୁ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବିଶେଷ ଅବସରରେ ବାଂଲାଦେଶର ଆମନ୍ତ୍ରଣ କ୍ରମେ ଭାରତୀୟ ନୌସେନା ଜାହାଜ ଏହି ଯାତ୍ରା ସଂପାଦନ କରିଥିଲା । ଯେକୌଣସି ଭାରତୀୟ ନୌସେନା ଜାହାଜର ଏହା ପ୍ରଥମ ମୋଙ୍ଗଲା ବନ୍ଦର ଗସ୍ତ । ଏଭଳି ମିଳିତ ଉତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ବାଂଲାଦେଶ ନୌସେନା ଜାହାଜ ବିଶାଖାପାଟଣା ବନ୍ଦରକୁ ଆସିବାର କାର୍ଯ୍ୟକ୍ରମ ରହିଛି ।

୧୬. ଭାରତରେ ଉଚ୍ଚଶିକ୍ଷା/ ପାଠ୍ୟକ୍ରମ ଲାଭ ନିମନ୍ତେ ବାଂଲାଦେଶୀ ଛାତ୍ରଛାତ୍ରମୀନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୦୦୦ଟି ସୁବର୍ଣ୍ଣ ଜୟନ୍ତୀ ମେଧାବୃତ୍ତି ଘୋଷଣା ନିଷ୍ପତ୍ତିକୁ ବାଂଲାଦେଶ ପକ୍ଷରୁ ସ୍ୱାଗତ କରାଯାଇଛି ।

୧୭.ଭାରତ- ବାଂଲାଦେଶ ସୀମାନ୍ତରେ ଅବସ୍ଥିତ ମୁଜିବ ନଗର ଠାରୁ ନଦିଆ ସଡ଼କକୁ “ସ୍ୱାଧୀନତା ସଡ଼କ” ନାମରେ ନାମିତ କରିବା ସକାଶେ ବାଂଲାଦେଶ ସରକାରଙ୍କ ପ୍ରସ୍ତାବକୁ ଭାରତ ସରକାର ବିଚାର କରି ଦେଖୁଥିବାରୁ ଏଥିପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ବାଂଲାଦେଶର ମୁକ୍ତି ଯୁଦ୍ଧ ବେଳେ ଏହି ଐତିହାସିକ ସଡକକୁ ବିଶେଷ ଭାବେ ଉପଯୋଗ କରାଯାଇଥିବାରୁ ଏହାର ଐତିହାସିକ ମହତ୍ତ୍ୱ ରହିଛି । ଉଭୟ ପକ୍ଷ ମିଳିତ ଉତ୍ସବ ପାଳନର ଅଂଶ ବିଶେଷ ସ୍ୱରୂପ ଏହି ସଡ଼କ ଖୁବ୍‍ ଶୀଘ୍ର ଉନ୍ମୋଚନ କରାଯିବ ବୋଲି ଉଭୟ ପକ୍ଷ ଆଶା ବ୍ୟକ୍ତ କରିଛନ୍ତି ।

ଜଳ ସଂପଦ କ୍ଷେତ୍ରରେ ସହଯୋଗ

୧୮.ପୂର୍ବ ଆଲୋଚନାକୁ ସ୍ମରଣ କରାଇ, ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ତୀସ୍ତା ନଦୀର ଜଳ ବଣ୍ଟନ ସକାଶେ ଅନ୍ତରୀଣ ରାଜିନାମା ସ୍ୱାକ୍ଷର ନିମନ୍ତେ ବାଂଲାଦେଶର ଅନୁରୋଧକୁ ଦୋହରାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ତୀସ୍ତା ନଦୀର ଅବବାହିକାରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶା ଅପନୋଦନ ଏବଂ ସେମାନଙ୍କ ଜୀବନଜୀବିକାର ସୁରକ୍ଷା ନିମନ୍ତେ ବାଂଲାଦେଲ ତୀସ୍ତା ନଦୀର ଜଳର ଉପଯୁକ୍ତ ଭାଗ ପାଇବା ଆବଶ୍ୟକ ଏବଂ ଏ ସଂପର୍କରେ ୨୦୧୧ ମସିହା ଜାନୁଆରୀ ମାସରେ ଉଭୟ ସରକାରଙ୍କ ସହମତି କ୍ରମେ ଚିଠା ରାଜିନାମା ପ୍ରସ୍ତୁତ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ ଦୋହରାଇଥିଲେ ଯେ ଭାରତ ଏହି ରାଜିନାମାକୁ ସାକାର କରିବା ନିମନ୍ତେ ନିଷ୍ଠାର ସହ ପ୍ରତିବଦ୍ଧ ଏବଂ ଏ ଦିଗରେ ପ୍ରୟାସ ଜାରି ରଖିଛି ତଥା ସଂପୃକ୍ତ ହିତଧାରକ ପକ୍ଷଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି । ଭାରତୀୟ ପକ୍ଷ ଅନୁରୋଧ କରିଥିଲେ ଯେ ଫେନୀ ନଦୀର ଜଳ ବଣ୍ଟନ ସଂକ୍ରାନ୍ତ ମଧ୍ୟବର୍ତ୍ତୀ ରାଜିନାମା ଚିଠା ଯଥା ଶୀଘ୍ର ଚୂଡ଼ାନ୍ତ କରାଯିବା ଆବଶ୍ୟକ ଏବଂ ସେଥିନେଇ ୨୦୧୧ ମସିହା ଠାରୁ ଉଭୟ ପକ୍ଷ ସହମତ ପ୍ରକଟ କରିଥିଲେ ସୁଦ୍ଧା ତାହା ଏବେସୁଦ୍ଧା ବାଂଲାଦେଶ ସରକାରଙ୍କ ନିକଟରେ ପଡ଼ିରହିଛି ।

୧୯. ଉଭୟ ପକ୍ଷ ସେମାନଙ୍କର ଜଳ ସଂପଦ ମନ୍ତ୍ରଣାଳୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ଅନ୍ୟ ଛଅଟି ନଦୀ, ଯଥା- ମନୁ, ମୁହୁରୀ, ଖୋୱାଇ, ଗୁମତୀ, ଧର୍ଲା ଏବଂ ଦୁଧକୁମାର ଯାହାକି ଉଭୟ ଦେଶ ମଧ୍ୟରେ ପ୍ରବାହିତ ହେଉଛି ସେସବୁର ଜଳ ବଣ୍ଟନ ସଂକ୍ରାନ୍ତ ମଧ୍ୟବର୍ତ୍ତୀ ଚିଠା ଯଥାଶୀଘ୍ର ପ୍ରସ୍ତୁତ କରାଯିବା ଆବଶ୍ୟକ ।

୨୦. ବାଂଲାଦେଶ ପକ୍ଷ ଭାରତ ନିକଟରେ ଗୁରୁତ୍ୱର ସହ ଉପସ୍ଥାପନ କରିଥିଲେ ଯେ ଉପର ସୁରମା କୁଶିୟାରା ଜଳସେଚନ ପ୍ରକଳ୍ପ ନିମନ୍ତେ କୁଶିୟାରା ନଦୀର ଜଳ ପ୍ରବାହ ସକାଶେ ରାହିମପୁରା ଖାଲର ଅବଶିଷ୍ଟ ଅଂଶ ଖୋଦନ ନିମନ୍ତେ ଭାରତ ଯଥାଶୀଘ୍ର ଅନୁମତି ପ୍ରଦାନ କରିବାର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପର ବାଂଲାଦେଶର ଖାଦ୍ୟ ନିରାପତ୍ତା ସହିତ ପ୍ରତ୍ୟକ୍ଷ ସଂପର୍କ ରହିଛି ବୋଲି ବାଂଲାଦେଶ ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତ ଠାରୁ ଯଥାଶୀଘ୍ର ଅନୁମତି ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଥିଲା । ଏ ସଂକ୍ରାନ୍ତ ପ୍ରସ୍ତାବିତ ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଅଛି ଯଦ୍ୱାରା କୁଶିୟାରା ନଦୀର ଜଳକୁ ଉଭୟ ପକ୍ଷଙ୍କ ଦ୍ୱାରା ଉପଯୋଗ କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ସ୍ୱାକ୍ଷରିତ ହେବାକୁ ଥିବା ରାଜିନାମା ଏବେସୁଦ୍ଧା ପଡ଼ିରହିଛି । ଭାରତ ପକ୍ଷରୁ ସୂଚୀତ କରାଯାଇଥିଲା ଯେ ପ୍ରସ୍ତାବିତ ବୁଝାମଣା ପତ୍ର ଭାରତ ସରକାରଙ୍କ ଦ୍ୱାରା ତର୍ଜମା କରି ଦେଖାଯାଉଛି ଏବଂ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି ।

୨୧. ଫେନୀ ନଦୀର ୧.୨୮ କ୍ୟୁସେକ୍‍ ଜଳ ଆହରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୨୦୧୯ ମସିହା ଅକ୍ଟୋବର ମାସରେ ଭାରତ ଗସ୍ତବେଳେ ହୋଇଥିବା ବୁଝାମଣା ପତ୍ର ସଂପର୍କରେ ଭାରତ ପକ୍ଷରୁ ଉଲ୍ଲେଖ କରାଯାଇଥିଲା । ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା ଯେ ଏହି ବୁଝାମଣା ପତ୍ରର ସର୍ତ୍ତାବଳୀକୁ ବାଂଲାଦେଶ ଯଥାଶୀଘ୍ର କାର୍ଯ୍ୟକାରୀ କରୁ ।

୨୨. ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଗଙ୍ଗା- ପଦ୍ମା ବ୍ୟାରେଜ ସଂପର୍କୀତ ସମ୍ଭାବ୍ୟତା ଅଧ୍ୟୟନକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ମିଳିତ ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଗଙ୍ଗା ନଦୀର ଜଳ ଯାହାକି ବାଂଲାଦେଶ ପାଉଛି ତାହାର ସର୍ବାଧିକ ଉପଯୋଗ ନିମନ୍ତେ ଥିବା ବିକଳ୍ପ ବ୍ୟବସ୍ଥା ଗଙ୍ଗା ଜଳ ଆବଣ୍ଟନ ରାଜିନାମା, ୧୯୯୬ ଅନୁସାରେ ବାଂଲାଦେଶ ସରକାର କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।

୨୩. ଉଭୟ ନେତା ସ୍ମରଣ କରାଇଥିଲେ ଯେ ମିଳିତ ନଦୀ କମିଶନଙ୍କ ସକାରାତ୍ମକ ଅବଦାନ ରହିଛି ଏବଂ ନିକଟରେ ଉଭୟ ଦେଶର ଜଳ ସଂପଦ ମନ୍ତ୍ରଣାଳୟର ସଚିବ ସ୍ତରୀୟ କଥାବାର୍ତ୍ତାରେ ଉଭୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ବାଣିଜ୍ୟ ବିକାଶ

୨୪. ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସକାଶେ, ଦୁଇ ଦେଶର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଅଣ- ମୂଲ୍ୟ ପ୍ରତିବନ୍ଧକକୁ ହଟାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବାଂଲାଦେଶ ପକ୍ଷରୁ ଅନୁରୋଧ କରାଯାଇଥିଲା ଯେ ଭାରତର ବହିଶୁଳକ ବିଭାଗ ପକ୍ଷରୁ ବାଂଲାଦେଶ ପାଇଁ ନୂତନ ଭାବେ ଗ୍ରହଣ କରାଯାଇଥିବା ମୂଳ ଉତ୍ସରୁ ତନଖି ସାର୍ଟିଫିକେଟ୍‍ ନୀତି ହଟାଇ ନିଆଯିବା ଆବଶ୍ୟକ । ଭାରତ ପକ୍ଷରୁ ସୂଚୀତ କରାଯାଇଥିଲା ଯେ ନୂତନ ବହିଶୁଳକ ନିୟମ ଅନୁସାରେ ଥିବା ବ୍ୟବସ୍ଥା ଅନୁସାରେ, ଏହି ନିୟମର ବ୍ୟବସ୍ଥା ତଥା ମୂଳ ଉତ୍ସ ବାଣିଜ୍ୟ ରାଜିନାମା ମଧ୍ୟରେ ଯଦି କୌଣସି ବିବାଦ ଉତ୍ପନ୍ନ ହୁଏ ତେବେ ସେହି କ୍ଷେତ୍ରରେ ବାଣିଜ୍ୟ ରାଜିନାମାର ମୂଳ ନିୟମ ହିଁ ବଳବତ୍ତର ରହିବ । ଅଧିକନ୍ତୁ, ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସାର ନିମନ୍ତେ, ଉଭୟ ନେତା ବାଣିଜ୍ୟ ନୀତି, ନିୟମାବଳୀ ଓ ବିଧିର ଆକଳନୀୟତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

୨୫. ଉଭୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ଯେ ଭୂ ବହିଶୁଳକ ଷ୍ଟେସନ (ଏଲସିଏସ)/ ଭୂ ବନ୍ଦର ସଂସାଧନ ଓ ବ୍ୟବସ୍ଥାର ଜରୁରୀ ଉନ୍ନତିକରଣ କରାଯିବା ଆବଶ୍ୟକ ଏବଂ ତାହା ଏଭଳି ସମନ୍ୱିତ ଭାବେ କରାଯିବା ଉଚିତ ଯଦ୍ୱାରା ଉଭୟ ଦେଶର ବାଣିଜ୍ୟ କାରବାରକୁ ତାହା ସୁବିଧା ପହଞ୍ଚାଇପାରିବ ।

୨୬. ଭାରତ ପକ୍ଷରୁ ଗୁରୁତ୍ୱର ସହ ଅନୁରୋଧ କରାଯାଇଥିଲା ଯେ ଅନ୍ତତଃ ପକ୍ଷେ ଭାରତର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ସହିତ ସଂଲଗ୍ନ (ଯେଉଁଠାରେ ସମ୍ଭବ) ଗୋଟିଏ ପ୍ରମୁଖ ବନ୍ଦରରେ କୌଣସି ପ୍ରତିବନ୍ଧକ ବିନା କିମ୍ବା କୌଣସି ପ୍ରତିକୂଳ ପ୍ରତିବନ୍ଧକ ସହିତ ରଖାଯିବା ଆବ୍ୟାକ ଯଦ୍ୱାରା ବଜାର ପହଞ୍ଚ ସହଜସାଧ୍ୟ ହୋଇପାରିବ ଏବଂ ତାହା ଆଇସିପି ଅଗରତାଲା- ଆଖଉରା ଠାରୁ ଆରମ୍ଭ ହୋଇଥିବା ଆବଶ୍ୟକ ।

୨୭. ଉଭୟ ଦେଶର ପ୍ରଧାନମନ୍ତ୍ରୀ ମାନ ସମୀକରଣର ଗୁରୁତ୍ୱ ଏବଂ ପାରସ୍ପରିକ ରାଜିନାମା ସ୍ୱୀକୃତିକରଣ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସଂପ୍ରସାରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସହମତ ପ୍ରକାଶ ପାଇଥିଲ ଯେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାରର ସୁଗମତା ମନୋଭାବ ପୋଷଣ କରାଯିବ । ଏହି ପରିପ୍ରେକ୍ଷୀରେ ବାଂଲାଦେଶ ମାନ ଓ ପରୀକ୍ଷଣ ପ୍ରତିଷ୍ଠାନ (ବିଏସଟିଆଇ) ଏବଂ ଭାରତୀୟ ମାନ ନିର୍ଦ୍ଧାରଣ ବ୍ୟୁରୋ (ବିଆଇଏସ) ପାରସ୍ପରିକ ସହଯୋଗ ଭିତ୍ତିରେ ଟେଷ୍ଟି ଏବଂ ପରୀକ୍ଷାଗାର ବ୍ୟବସ୍ଥା ବିକାଶ ଦିଗରେ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟ କରିବେ ।

୨୮. ଆଗାମୀ ଦିନରେ ଏଲଡିସି ସ୍ଥିତିରୁ ଉନ୍ନୀତ ହେବାକୁ ଥିବାରୁ ବାଂଲାଦେଶକୁ ଭାରତ ପକ୍ଷର ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ କାରବାର ସଂପର୍କ ବୃଦ୍ଧିର ପର୍ଯ୍ୟାପ୍ତ ସାମର୍ଥ୍ୟ ଥିବାକୁ ସ୍ୱୀକାର ପୂର୍ବକ ଉଭୟ ପକ୍ଷ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା (ସିଇପିଏ) ସ୍ୱାକ୍ଷର ନିମନ୍ତେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଥବଲେ ।

୨୯. ବାଂଲାଦେଶର ଅର୍ଥନୀତିରେ ଝୋଟ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଉଲ୍ଲେଖ କରି ବାଂଲାଦେଶ ସରକାର ଏହି କ୍ଷେତ୍ରରେ ବାଂଲାଦେଶରେ ଝୋଟକଳମାନଙ୍କରେ ଭାରତୀୟ ପୁଂଜି ନିବେଶ ନିମନ୍ତେ ଆହ୍ୱାନ ଜଣାଇଥିଲେ । ସରକାରୀ – ଘରୋଇ ସହଭାଗୀତା ଏହାର ଏକ ଅଂଶବିଶେଷ ଯାହାକୁକି ସରକାର ପୁନଃରୁତ୍ଥାନ କରିଛନ୍ତି ଏବଂ ଆଧୁନିକୀକରଣ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଝୋଟ ଶିଳ୍ପ କ୍ଷେତ୍ରରେ ଉତ୍ପାଦିତ ଦ୍ରବ୍ୟକୁ ଅଧିକ ମୂଲ୍ୟଯୁକ୍ତ କରିବା ଏବଂ ବିବିଧ ଝୋଟ ଉତ୍ପାଦ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ, ବାଂଲାଦେଶ ପକ୍ଷ ଏହି କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ଅଧିକ ବାସ୍ତବଧର୍ମୀ ସହଯୋଗ କାମନା କରିଥିଲେ । ତେଣୁ ୨୦୧୭ ମସିହା ଠାରୁ ବାଂଲାଦେଶରେ ଉତ୍ପାଦିତ ଝୋଟ ସାମଗ୍ରୀ ଉପରେ ଯେଉଁ ଅଧିକ ବହିଶୁଳକ ବସାଯାଇଛି ତାହାକୁ ହଟାଇ ନେବାକୁ ପ୍ରସ୍ତାବ ଦିଆଯାଇଥିଲା । ଭାରତ ଝୋଟ ଶିଳ୍ପ କ୍ଷେତ୍ରରେ ସହଯୋଗ ପ୍ରସ୍ତାବକୁ ସ୍ୱାଗତ କରିଥିଲା । ଝୋଟ ଉପରେ ମହଜୁଦ ନିରୋଧୀ ଶୁଳ୍କ ପ୍ରସଙ୍ଗରେ ବିଚାର କରି ଦେଖାଯିବ ବୋଲି ଭାରତ ପକ୍ଷରୁ ସୂଚୀତ କରାଯାଇଥିଲା ।

୩୦.ଭାରତୀର ପକ୍ଷ ବାଂଲାଦେଶକୁ ଅନୁରୋଧ କରିଥିଲେ ଯେ ବାଂଲାଦେଶ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ପକ୍ଷରୁ ବାହାରୁଥିବା ଟେଣ୍ଡରରେ ଭାରତୀୟ କମ୍ପାନୀମାନଙ୍କ ଅଂଶଗ୍ରହଣକୁ ନେଇ ବର୍ତ୍ତମାନ ପ୍ରଚଳିତ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇ ନିଆଯିବା ଆବଶ୍ୟକ । ଏହି ପ୍ରକ୍ରିୟାରେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ରାଷ୍ଟ୍ର ସଂପର୍କୀତ ବାଧକ ନାହିଁ ବୋଲି ବାଂଲାଦେଶ ସରକାର ସୂଚୀତ କରିଥିଲେ ।

୩୧. ଉଭୟ ଦେଶର ପ୍ରଧାନମନ୍ତ୍ରୀ ଦୁଇ ଦେଶର ସହମତି କ୍ରମେ ନୂତନ ଭାବେ ସୀମା ହାଟ ଖୋଲ ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ଏବଂ ଆଶା ପୋଷଣ କରିଥିଲେ ଯେ ଉଭୟ ରାଷ୍ଟ୍ରର ସୀମାବର୍ତ୍ତୀ ଦୁର୍ଗମ ଏବଂ ଅପହଞ୍ଚ କ୍ଷେତ୍ରରେ ବସବାସ କରୁଥିବା ଲୋକମାନଙ୍କ ଆର୍ଥିକ ବିକାଶ ଦିଗରେ ଏହି ହାଟ ବିଶେଷ ଭାବେ ସହାୟକ ହୋଇପାରିବ ।

ବିଜୁଳି ଓ ଶକ୍ତି କ୍ଷେତ୍ରରେ ବିକାଶ ସହଭାଗୀତା ଏବଂ ସହଯୋଗ

 

୩୨.ଉଭୟ ପକ୍ଷ ଉଚ୍ଚ ସ୍ତରୀୟ ମନିଟରିଂ କମିଟିର ପ୍ରଥମ ବୈଠକ ସଂପର୍କରେ ଉଲ୍ଲେଖ କରିଥିଲେ ଏବଂ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରକଳ୍ପମାନଙ୍କୁ ଋଣ ଯୋଗାଣ ସଂପର୍କୀତ ସୁପାରିଶ ନିମନ୍ତେ ଯଥାଶୀଘ୍ର ଏହି କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।

୩୩. ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ବିଜୁଳି ଏବଂ ଶକ୍ତି କ୍ଷେତ୍ରରେ ବ୍ୟାପକ ସହଯୋଗ ସଂପର୍କରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏଥି ମଧ୍ୟରେ ଘରୋଇ କ୍ଷେତ୍ରଙ୍କ ମଧ୍ୟରେ ସହଯୋଗ ସାମିଲ । ସେହିଭଳି ଉପ କ୍ଷେତ୍ରୀୟ ସହଯୋଗ ଯେଉଁଥିରେ ନେପାଳ ଓ ଭୁଟାନ ମଧ୍ୟ ସାମିଲ ତାହାକୁ ସୁଦୃଢ଼ କରିବା ଏବଂ ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଭାରତୀୟ ପକ୍ଷ ଗୁରୁତ୍ୱ ଆରୋପ କରିଥିଲେ ଯେ ବିଜୁଳି ସରବରାହ କ୍ଷେତ୍ରରେ ସୀମାପାର ନିୟନ୍ତ୍ରଣ ଏବଂ ତତ୍‍ସଂକ୍ରାନ୍ତ ଗାଇଡ଼ଲାଇନ ଚୂଡ଼ାନ୍ତକରଣ ଦ୍ୱାରା ଉପ କ୍ଷେତ୍ରୀୟ ସହଯୋଗ ବୃଦ୍ଧି ପାଇବ । କଟିହାର- ପୋରବନ୍ଦର- ବୋରନଗର ସୀମାପାର ବିଦ୍ୟୁତ୍‍ ସରବରାହ ଆନ୍ତଃସଂଯୋଗ ସମ୍ପର୍କୀତ ଯୋଜନା ପ୍ରବର୍ତ୍ତନ ସଂକ୍ରାନ୍ତ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପର ତୁରନ୍ତ ଚୂଡ଼ାନ୍ତକରଣ ନିମନ୍ତେ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । ଉଭୟ ପକ୍ଷ ଏହି ପରିପ୍ରେକ୍ଷୀରେ ଏକ ଅନୁଧ୍ୟାନକାରୀ ଗୋଷ୍ଠୀ ଗଠନକୁ ସ୍ୱାଗତ କରିଥିଲେ । ଉଭୟ ପକ୍ଷ ଭାରତ- ବାଂଲାଦେଶ ବନ୍ଧୁତ୍ୱପୂର୍ଣ୍ଣ ପାଇପଲାଇନ ଯୋଜନା ପ୍ରବର୍ତ୍ତନ ଏବଂ ମୈତ୍ରୀ ସୁପର ଥର୍ମାଲ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟର ପ୍ରଗତିର ସମୀକ୍ଷା କରିଥିଲେ ଏବଂ ଏହି ପ୍ରକଳ୍ପମାନ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା ପ୍ରକଟ କରିଥିଲେ ।

୩୪. ୨୦୨୧ ମସିହା ଡିସେମ୍ବର ମାସରେ ସ୍ୱାକ୍ଷରିତ ହାଇଡ୍ରୋ କାର୍ବନ କ୍ଷେତ୍ରରେ ସହଯୋଗ ବୁଝାମଣା ସଂପର୍କରେ ଉଭୟ ପକ୍ଷ ଅବତାରଣା କରିଥିଲେ । ଉଭୟ ନେତା ମତ ପୋଷଣ କରିଥିଲେ ଯେ ଯଥା ଶୀଘ୍ର ସଂପୃକ୍ତ କର୍ତ୍ତୃପକ୍ଷ ଏହାକୁ ପ୍ରବର୍ତ୍ତନ କରିବା ଦିଗରେ ଆନୁଷ୍ଠାନିକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ଏହା ଏଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ କରିବ ବୋଲି ସେମାନେ ମତ ପୋଷଣ କରିଥିଲେ ।

 

ସମୃଦ୍ଧି ପାଇଁ ସହଯୋଗ

 

୩୫. କ୍ଷେତ୍ରୀୟ ଅର୍ଥନୈତିକ ସମନ୍ୱୟ ନିମନ୍ତେ ସଂଯୋଗୀକରଣକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଆରୋପ କରି ଉଭୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ସମସ୍ତ ପକ୍ଷ ଉପକୃତ ହୋଇପାରିବେ । ୧୯୬୫ ପୂର୍ବର ରେଳ ସଂଯୋଗକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ପ୍ରୟାସ ନିମନ୍ତେ ଭାରତ କୃତଜ୍ଞତା ବ୍ୟକ୍ତ କରିଥିଲା ତଥା ରେଳ, ସଡ଼କ ଏବଂ ଜଳପଥ ମାଧ୍ୟମରେ ଅନେକ ସଂଯୋଗୀକରଣ ପ୍ରୟାସକୁ ବାଂଲାଦେଶ ସମର୍ଥନ ଜଣାଇଥିବାରୁ ଏହାକୁ ଭାରତ ପ୍ରଶଂସା କରିଛି । ଅନୁରୂପ ମନୋଭାବ ପୋଷଣ ସ୍ୱରୂପ, ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଭାରତ- ମ୍ୟାଁମାର- ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପ ପ୍ରୟାସରେ ସହଭାଗୀ ହେବାକୁ ବାଂଲାଦେଶ ତା’ର ଆଗ୍ରହ ପ୍ରକଟ କରିଥିଲା । ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତମ ସଂଯୋଗୀକରଣ ଏବଂ ଯାତ୍ରୀ ଚଳାଚଳ ଓ ମାଲ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ନିମନ୍ତେ ଉଭୟ ନେତା ଯଥା ଶୀଘ୍ର ଏକ ବିବିଆଇଏନ ମୋଟର ଯାନ ରାଜିନାମା କାର୍ଯ୍ୟକାରୀ କରିବା ନିମନ୍ତେ ସହମତ ପୋଷଣ କରିଛନ୍ତି । ବାଂଲାଦେଶ, ଭାରତ ଏବଂ ନେପାଳ ମଧ୍ୟରେ ତୁରନ୍ତ ଏକ ସକ୍ଷମ ବୁଝାମଣା ପତ୍ର ସ୍ୱାକ୍ଷର ପାଇଁ ସେମାନେ ଆଗ୍ରହ ପ୍ରକଟ କରିଛନ୍ତି । ଏହା ଦ୍ୱାରା ସଂପୃକ୍ତ ରାଜ୍ୟମାନଙ୍କ ମଧ୍ୟରେ ଯାତ୍ରୀ ଏବଂ ମାଲ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇପାରିବ ଏବଂ ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥା ଜରିଆରେ ଭୁଟାନକୁ ମଧ୍ୟ ମାଲ ପରିବହନ କରାଯାଇପାରିବ ।

୩୬.ବାଂଲାଦେଶ ପକ୍ଷରୁ ନୂତନ ସଂଯୋଗ ପଥ ଖୋଲିବା ପ୍ରସ୍ତାବକୁ ଅନୁକୂଳ ମନୋଭାବ ସହ ବିଚାର କରିବା ସକାଶେ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଥିଲା । ଏହା ଦ୍ୱାରା ଭଦ୍ରପୁର- ବୈରାଗୀ ଗାଲଗାଲିଆ, ବିରାଟନଗର- ଯୋଗମଣି ଏବଂ ବୀରଗଞ୍ଜ- ରକ୍ସୁଲ ମଧ୍ୟରେ ଅତିରିକ୍ତ ଭୂ ବନ୍ଦର ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଗଲେ ବାଂଲାବନ୍ଧୁ- ଫୁଲବାରି ଏବଂ ବିରୋଲ- ରାଧିକାପୁର ମଧ୍ୟରେ ସଡ଼କ ପଥରେ ବିକଳ୍ପ ପଥ ଭାବେ ସଂଯୋଗ ସ୍ଥାପନ ହୋଇପାରିବ । ସେହିଭଳି ବିରୋଲ- ରାଧିକାପୁର ଏବଂ ରୋହନପୁର- ସିଂହାବାଦ ରେଳ- ଇଣ୍ଟରଚେଞ୍ଜ୍‍ କାର୍ଯ୍ୟକାରୀ କରାଗଲେ ତାହା ବିରାଟନଗର- ଯୋଗମଣି ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ, ତେଣୁ ଏହି ପ୍ରସ୍ତାବକୁ ବିଚାର କରିବା ନିମନ୍ତେ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଥିଲା । ଏହା ଦ୍ୱାରା ବାଂଲାଦେଶରୁ ନେପାଳକୁ ମାଲ ଓ ଯାତ୍ରୀ ପରିବହନରେ ଦୂରତା ତଥା ପରିବହନ ମୂଲ୍ୟ ହ୍ରାସ ଘଟିପାରିବ । ବାଂଲାଦେଶ ପକ୍ଷରୁ ନୂତନ ଭାବେ ଉଦ୍ଘାଟିତ ଚିଲାହାଟୀ- ହଳଦୀବାଡ଼ି ମାର୍ଗ ମଧ୍ୟଦେଇ ଭୁଟାନକୁ ରେଳ ସଂଯୋଗ ନିମନ୍ତେ ବାଂଲାଦେଶ ପକ୍ଷରୁ ଭାରତ ଠାରୁ ଅନୁମତି ଲୋଡ଼ାଯାଇଥିଲା । ଏହା ଭୁଟାନକୁ ରେଳ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଗମ କରିପାରିବ । ଭାରତ ପକ୍ଷରୁ ବାଂଲାଦେଶକୁ ଅନୁରୋଧ କରାଯାଇଥିଲା ଯେ ଗୁଆହାଟୀ ଏବଂ ଚଟ୍ଟଗ୍ରାମ ମଧ୍ୟରେ ସଂଯୋଗୀକରଣ ବ୍ୟବସ୍ଥା ସ୍ଥାପନରେ ବାଂଲାଦେଶ ସରକାର ସହଯୋଗ କରନ୍ତୁ । ସେହିଭଳି ମେଘାଳୟର ମହେନ୍ଦ୍ରଗଞ୍ଜ ଠାରୁ ପଶ୍ଚିମ ବଙ୍ଗର ହିଲି ପର୍ଯ୍ୟନ୍ତ ସଂଯୋଗୀକରଣ କାର୍ଯ୍ୟକ୍ରମରେ ବାଂଲାଦେଶର ସହଯୋଗ ପାଇଁ ଅନୁରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତ ତା’ର ବିସ୍ତୃତ ପ୍ରସ୍ତାବ ପ୍ରଦାନ କରିବାକୁ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଥିଲା ।

୩୭. ସଂଯୋଗୀକରଣର ଲାଭ ଏବଂ ଭାରତୀୟ ସାମଗ୍ରୀର କୋଲକାତା ଠାରୁ ଚଟ୍ଟଗ୍ରାମ ଦେଇ ଅଗରତାଲାକୁ ପରୀକ୍ଷାମୂଳକ ପ୍ରେରଣ କରାଯିବା ଏପରେ ଗୁରୁତ୍ୱ ଆରୋପ କରି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ ଏସଂକ୍ରାନ୍ତ ରାଜିନାମାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ଭାରତରୁ ଓ ଭାରତକୁ ସାମଗ୍ରୀ ପରିବହନ ନିମନ୍ତେ ଚଟ୍ଟଗ୍ରାମ ଏବଂ ମୋଙ୍ଗଲା ବନ୍ଦରକୁ ବ୍ୟବହାର କରାଯିବା ତଥା ଏଥିରେ ସୁଲଭ ମୂଲ୍ୟର ତଥା ନିୟନ୍ତ୍ରଣ ଶୃଙ୍ଖଳା ଆଧାରରେ ମାଲ ପରିବହନ ପାଇଁ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

୩୮.ମୁନସୀଗଞ୍ଜ ଏବଂ ପାନଗାଓଁରୁ ଆଭ୍ୟନ୍ତରୀଣ ଜଳପଥ ଦେଇ ମାଲ ପରିବହନ ଓ ବାଣିଜ୍ୟ କାରବାର ପାଇଁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । ଆଶୁଗଞ୍ଜ କଣ୍ଟେନର ଟର୍ମିନାଲ ଦ୍ୱିପାକ୍ଷିକ ପ୍ରକଳ୍ପର ବିକାଶ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବାଂଲାଦେଶ କର୍ତ୍ତୃପକ୍ଷ ତାଙ୍କର ସୀମିତ ଭିତ୍ତିଭୂମି ସଂପର୍କରେ ଭାରତକୁ ଅବଗତ କରାଇଥିଲେ ଓ ଏହି ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଏବେ ଯୋଜନା କରାଯାଉଛି ବୋଲି ସୂଚୀତ କରିଥିଲେ ।

୩୯. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଫେନୀ ନଦୀ ଉପରେ ଉଦ୍ଘାଟିତ ମୈତ୍ରୀ ସେତୁ ସଂପର୍କରେ ସ୍ମରଣ କରାଇବା ସହ ଏହି ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ପ୍ରକଳ୍ପରେ ବାଂଲାଦେଶର ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ଯେ ଫେନୀ ସେତୁ ଉଦ୍ଘାଟିତ ହେବା ଏହି କ୍ଷେତ୍ର, ବିଶେଷ କରି ଭାରତର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ସଂଯୋଗୀକରଣ ଏବଂ ଆର୍ଥିକ ସମାଯୋଜନ ନିମନ୍ତେ ବାଂଲାଦେଶ ସରକାଙ୍କ ନିରବଚ୍ଛିନ୍ନ ପ୍ରତିବଦ୍ଧତା ଓ ସହଯୋଗର ନମୁନା । ଉଭୟ ପକ୍ଷ ଏହି ନୂତନ ସେତୁର ସାମର୍ଥ୍ୟକୁ ପୂର୍ଣ୍ଣ ମାତ୍ରାରେ ବାଣିଜ୍ୟ ଏବଂ ଭ୍ରମଣ ଭିତ୍ତିଭୂମି ଦିଗରେ ଉପଯୋଗ କରିବା ନିମନ୍ତେ ସେମାନଙ୍କର ସହମତ ବ୍ୟକ୍ତ କରିଥିଲେ ।

୪୦. ଚଟ୍ଟଗ୍ରାମ ଏବଂ ସିଲହେଟ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉତ୍ତର ପୂର୍ବାଞ୍ଚଳ ଭାରତର ଲୋକମାନଙ୍କ ଦ୍ୱାରା ବ୍ୟବହାର ନିମନ୍ତେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ତ୍ରିପୁରାର ଲୋକମାନେ ଏହି ବିମାନବନ୍ଦରର ସୁବିଧା ନେଇପାରିବେ । ବାଂଲାଦେଶ ପକ୍ଷରୁ ସୂଚୀତ କରାଯାଇଥିଲା ଯେ ସେଦାପୁର ବିମାନବନ୍ଦରକୁ ମଧ୍ୟ ଏକ ଆଞ୍ଚଳିକ ବିମାନ ବନ୍ଦର ଭାବେ ବିକଶିତ କରାଯାଉଛି ଯାହାକି ଏହି କ୍ଷେତ୍ରର ଲୋକମାନଙ୍କ ଉପଯୋଗ ନିମନ୍ତେ ବିଶେଷ ଭାବେ ସହାୟକ ହୋଇପାରିବ ।

୪୧.ଉଭୟ ଦେଶରେ ଏବେ କୋଭିଡ଼ ପ୍ରତିଷେଧକ ଟିକାଦାନ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରାଯାଉଛି । ତେଣୁ ଉଭୟ ପକ୍ଷ ସହମତରେ ପହଞ୍ôଚଛନ୍ତି ଯେ ଦୁଇ ଦେଶ ମଧ୍ୟରେ ପୁଣିଥରେ ନିୟମିତ ଭାବେ ବିମାନ ଯାତ୍ରା ଆରମ୍ଭ କରାଯିବା ଏବଂ ଭୂବନ୍ଦର ବାଟ ଦେଇ ଯାତାୟାତ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଇନେବା ନିମନ୍ତେ ଯଥାଶୀଘ୍ର ଉପାୟ ସ୍ଥିର କରାଯିବ ଏବଂ ଉଭୟ ଦେଶ ମଧ୍ୟରେ ଖୁବ୍‍ ଶୀଘ୍ର ବସ୍‍ ଏବଂ ଟ୍ରେନ୍‍ ଚଳାଚଳ ଆରମ୍ଭ କରାରିବ । ତେବେ କୋଭିଡ଼ ମହାମାରୀ ସଂକ୍ରମଣର ଅବସ୍ଥାକୁ ଦେଖି ଏଭଳି ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଭୟ ପକ୍ଷ ମତ ପୋଷଣ କରିଥିଲେ । ଖୁବ୍‍ ଶୀଘ୍ର ପୂର୍ଣ୍ଣ ମାତ୍ରାରେ ଯାତ୍ରୀ ପରିବହନ ସେମା ଆରମ୍ଭ ହେବ ବୋଲି ଭାରତ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଥିଲା ।

୪୨.ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଶିକ୍ଷା କ୍ଷେତ୍ରରେ ସହଯୋଗ କାର୍ଯ୍ୟକ୍ରମକୁ ସ୍ୱୀକାର ପୂର୍ବକ ଏହାକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରିବା ନିମନ୍ତେ ଉଭୟ ପ୍ରଧାନମନ୍ତ୍ରୀ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଥିଲେ ଯାହାକି ଉଭୟ ଦେଶ ପାଇଁ ଉପକାରସିଦ୍ଧ ହୋଇପାରିବ । ଏହି ପରିପ୍ରେକ୍ଷୀରେ, ସେମାନେ ଦୁଇ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ସହଯୋଗ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ । ଉଭୟ ନେତା ନିଜ ନିଜ ଦେଶର ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଦେଇଥିଲେ ଯେ ପାରସ୍ପରିକ ଶିକ୍ଷାଗତ ଯୋଗ୍ୟତାକୁ ସ୍ୱୀକାର କରିବା ଦିଗରେ ଖୁବ୍‍ ଶୀଘ୍ର ବୁଝାମଣା ପତ୍ର ସ୍ୱାକ୍ଷରର ବ୍ୟବସ୍ଥା କରାଯାଉ । ବାଂଲାଦେଶ ପକ୍ଷ ମତ୍ସ୍ୟଚାଷ, କୃଷି, ବିପର୍ଯ୍ୟୟ ପରିଚାଳନା, ଏସଏମଇ ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ ଆଗ୍ରହୀ ଭାରତୀୟ ଯୁବକଯୁବତୀମାନଙ୍କୁ ସ୍ୱଳ୍ପକାଳୀନ ପାରସ୍ପରିକ ଆଦାନପ୍ରଦାନ କାର୍ଯ୍ୟକ୍ରମ ନିମନ୍ତେ ଆଗ୍ରହୀ । ଉଭୟ ପକ୍ଷ ନିୟମିତ ଭାବେ ସଂସ୍କୃତି, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି, ଯୁବ ଓ କ୍ରୀଡ଼ା ତଥା ଗଣମାଧ୍ୟମ କ୍ଷେତ୍ରରେ ଏଭଳି ଆଦାନ ପ୍ରଦାନ କାର୍ଯ୍ୟକ୍ରମକୁ ଜାରି ରଖିବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

 

ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ

 

୪୩. ଉଭୟ ପକ୍ଷ ମତ ବିନିମୟ କରି ନିଜ ନିଜ ଦେଶର କୋଭିଡ଼ ୧୯ ମହାମାରୀ ସଂପର୍କୀତ ସ୍ଥିତି ସଂପର୍କରେ ସୂଚୀତ କରିଥିଲେ ଏବଂ ଏଭଳି ସଂକଟ ସ୍ଥିତିରେ ଉଭୟ ରାଷ୍ଟ୍ର ମଧ୍ୟରେ ଦୀର୍ଘସ୍ଥାୟୀ ଭାବେ ଯେଉଁଭଳି ସହଯୋଗର ବାତାବରଣ ଜାରି ରହିଛି ସେଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଭାରତରେ ପ୍ରସ୍ତୁତ ଅକ୍ସଫୋର୍ଡ଼ ଆସ୍ତ୍ରା ଜେନେକା କୋଭିସିଲ୍ଡ ଟିକାର ୩.୨ ନିୟୁତ ଡୋଜ୍‍ ବାଂଲାଦେଶକୁ ଯୋଗାଇ ଦେଇଥିବାରୁ ବାଂଲାଦେଶ ପକ୍ଷରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ପ୍ରଥମ କିସ୍ତିରେ ଏଭଳି ଜୀବନ ରକ୍ଷକାରୀ ୫ ଲକ୍ଷ ଡୋଜ୍‍ ଟିକା ଯୋଗାଇ ଦେଇଥିବାରୁ ଭାରତର ପ୍ରୟାସକୁ ବାଂଲାଦେଶ ପକ୍ଷରୁ ପ୍ରଶଂସା କରାଯାଇଥିଲା । ଭାରତୀୟ ସେରମ ଇନଷ୍ଟିଚୁଟ୍‍ ଦ୍ୱାରା ପ୍ରସ୍ତୁତ ଅବଶିଷ୍ଟ ଟିକାକୁ ନିୟମିତ ସମୟ ବ୍ୟବଧାନରେ ବାଂଲାଦେଶକୁ ଯୋଗାଇ ଦେବା ନିମନ୍ତେ ଭାରତକୁ ବାଂଲାଦେଶ ପକ୍ଷରୁ ଅନୁରୋଧ କରାଯାଇଥିଲା । ଘରୋଇ ଆବଶ୍ୟକତା ଏବଂ ଅନ୍ତରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପୂରଣ କରିବା ସହ ଭାରତ ବାଂଲାଦେଶକୁ ଏ ଦିଗରେ ପୂର୍ଣ୍ଣ ସହଯୋଗ କରିବ ବୋଲି ଭାରତ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ।

୪୪. ଉଭୟ ଦେଶର ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ପୃଷ୍ଠଭୂମିରେ ଘନିଷ୍ଠ ସହଯୋଗର ଗୁରୁତ୍ୱକୁ ସ୍ୱୀକାର କରିଥିଲେ । ଜନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏଭଳି ସ୍ୱାସ୍ଥ୍ୟସେବା ତଥା ଗବେଷଣା ଏକାନ୍ତ ଜରୁରି ବୋଲି ସେମାନେ ସ୍ୱୀକାର କରିଥିଲେ । ଏହି ପରିପ୍ରେକ୍ଷୀରେ ତାଲିମ, ଦକ୍ଷତା ବୃଦ୍ଧି ଏବଂ ପ୍ରଯୁକ୍ତି ହସ୍ତାନ୍ତରର ଅଧିକ ଆବଶ୍ୟକତା ଓ ପାରସ୍ପରିକ ସହଯୋଗ ନିମନ୍ତେ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଛି । ବାଂଲାଦେଶ ପକ୍ଷରୁ ଗୁରୁତ୍ୱର ସହ ଦର୍ଶଯାଇଥିଲା ଯେ ଜୈବନିରାପତ୍ତା ସହଯୋଗ ଏଭଳି ଏକ କ୍ଷେତ୍ର ଯାହା କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ମିଳିତ ଭାବେ ଅନୁସନ୍ଧାନ କରିବା ଉଚିତ ।ବର୍ତ୍ତମାନର ସ୍ଥିତି ପ୍ରମାଣିତ କରିଛି ଯେ ଉପଯୁକ୍ତ ଜୈବନିରାବତ୍ତା ବ୍ୟବସ୍ଥା ବିନା, ଆର୍ଥିକ ସ୍ଥିତି ସଦାବେଳେ ବିପଦପୂର୍ଣ୍ଣ ହୋଇପଡ଼ିବ । ଉଭୟ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଏବଂ ଲୋକ- ଲୋକ ସଂପର୍କ ରହିଥିବାରୁ ଏଭଳି ନିରାପତ୍ତା ଏକାନ୍ତ ଜରୁରି । ଉଭୟ ପ୍ରଧାନମନ୍ତ୍ରୀ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଏବଂ ବାଂଲାଦେଶ ମେଡ଼ିକାଲ ଗବେଷଣା ପରିଷଦ ମଧ୍ୟରେ ବିବିଧ ବ୍ୟବସ୍ଥା ଜରିଆରେ ସକ୍ରିୟ ଭାବେ ସହଯୋଗ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

 

ସୀମା ପରିଚାଳନା ଏବଂ ନିରାପତ୍ତା ସହଯୋଗ

 

୪୫.ଉଭୟ ନେତା ଗୁରୁତ୍ୱ ଆରୋପ କରି ଦର୍ଶାଇଥବଲେ ଯେ ସଫଳ ସୀମା ପରିଚାଳନା ଦ୍ୱାରା ସୀମା କ୍ଷେତ୍ରକୁ ଶାନ୍ତି, ସ୍ଥିରତା ଏବଂ ଅପରାଧମୁକ୍ତ କରାଯାଇପାରିଛି । ଉଭୟ ପକ୍ଷ ସହମତ ହୋଇଥିଲେ ଯେ ସୀମାନ୍ତରେ ହେଉଥିବା ଯେକୌଣସି ମୃତ୍ୟୁ ଘଟଣା ଉଭୟ ରାଷ୍ଟ୍ର ପାଇଁ ଉଦ୍‍ବେଗର କାରଣ ଏବଂ ସେମାନେ ନିଜ ନିଜ ସୀମା ସୁରକ୍ଷା ବଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଜନ ଭିତ୍ତିକ କାର୍ଯ୍ୟକ୍ରମକୁ ବୃଦ୍ଧି କରନ୍ତୁ ଯଦ୍ୱାରା ସୀମା ନିରପତ୍ତା ସୁନିଶ୍ଚିତ ହୋଇପାରିବ ଏବଂ ତାହା ସାଧାରଣ ଜନତାଙ୍କ ମୃତ୍ୟୁ ସଂଖ୍ୟାକୁ ଶୂନକୁ ଆଣି ପାରିବ । ବାଂଲାଦେଶ ପକ୍ଷରୁ ଅନୁରୋଧକୁ ଦୋହରା ଯାଇଥିଲା ଯେ ରାଜସାହି ଜିଲ୍ଲା ନିକଟରେ ପଦ୍ମା ନଦୀରେ ନଦୀ ବାଟ ଦେଇ ୧.୩ କିଲୋମିଟର କ୍ଷେତ୍ରକୁ ମାନବିକତା ଦୃଷ୍ଟିକୋଣରୁ ‘ଇନୋସେଣ୍ଟନ ପାସେଜ’ ଭାବେ ସ୍ୱୀକୃତ କରାଯାଉ । ବାଂଲାଦେଶର ଏହି ଅନୁରୋଧକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ଭାରତ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ଅସମାପ୍ତ ରହିଥିବା ଅନ୍ତରାଷ୍ଟ୍ରୀୟ ସୀମା କ୍ଷେତ୍ରରେ ଯଥାଶୀଘ୍ର ତାରବାଡ଼ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବା ନିମନ୍ତେ ଭାରତ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ତ୍ରିପୁରା (ଭାରତ)- ବାଂଲାଦେଶ ସେକ୍ଟରରେ ନିର୍ମାଣ କରାଯିବ । ବାଂଲାଦେଶ ପକ୍ଷରୁ ଏହି ବିଷୟକୁ ବିଚାର କରି ଦେଖାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ।

୪୬. ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ସହଯୋଗରେ ଗଭୀର ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ବାରମ୍ବାର ବିନିମୟ ତଥା ତାଲିମ ଓ ଦକ୍ଷତା ବୃଦ୍ଧି ଭଳି କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି । ପ୍ରତିରକ୍ଷା ଜନିତ ଋଣ ଯୋଗାଣକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା ।

୪୭. ଉଭୟ ପକ୍ଷ ବିପର୍ଯ୍ୟୟ ପରିଚାଳନା, ସହନଶୀଳତା ଓ ପ୍ରଶମନ ସଂପର୍କୀତ ବୁଝାମଣା ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଏହା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିଗରେ ଆନୁଷ୍ଠାନିକ ସହଯୋଗ ବୃଦ୍ଧି ପାଇବ ।

୪୮. ଆତଙ୍କବାଦ ବିଶ୍ୱ ଶାନ୍ତି ଓ ନିରାପତ୍ତା ନିମନ୍ତେ ଏକ ବିପଦ ବୋଲି ସ୍ୱୀକାର ପୂର୍ବକ ଉଭୟ ପକ୍ଷ ଆତଙ୍କବାଦର ସକଳ ପ୍ରକାର କାୟା ଓ ସ୍ୱରୂପର ମୂଳୋତ୍ପାଟନ ନିମନ୍ତେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ସଂପର୍କୀତ ପ୍ରସଙ୍ଗରେ ବାଂଲାଦେଶ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହଯୋଗ ନିମନ୍ତେ ବାଂଲାଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ ।

 

ସହଯୋଗର ନୂତନ କ୍ଷେତ୍ର

 

୪୯.ବାଂଲାଦେଶ ତା’ର ପ୍ରଥମ କୃତ୍ରିମ ଉପଗ୍ରହ, ବଙ୍ଗବନ୍ଧୁ ଉପଗ୍ରହ (ବିଏସ-୧) ୨୦୧୭ ମସିହାରେ ମହାକାଶକୁ ପ୍ରେରଣ କରିଥିବା ଘଟଣାକୁ ସ୍ମରଣ କରି, ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ସୂଚାଇଥିଲେ ଯେ ବାଂଲାଦେଶ ଖୁବ୍‍ ଶୀଘ୍ର ତା’ର ଦ୍ୱିତୀୟ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ, ଉଭୟ ପ୍ରଧାନମନ୍ତ୍ରୀ ମହାକାଶ ଏବଂ ଉପଗ୍ରହ ଗବେଷଣା କ୍ଷେତ୍ରରେ ଅଧିକ ସହଯୋଗ ଏବଂ ପ୍ରଯୁକ୍ତି ହସ୍ତାନ୍ତର ନିମନ୍ତେ ଉଭୟ ପ୍ରଧାନମନ୍ତ୍ରୀ ସହମତ ପ୍ରକଟ କରିଥିଲେ ।

୫୦. ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ନୂତନ ତଥା ଆତ୍ମପ୍ରକାଶ କରୁଥିବା କ୍ଷେତ୍ରର ସାମର୍ଥ୍ୟକୁ ସ୍ୱୀକାର କରିଥବଲେ ଏବଂ ନିଜ ନିଜ ଦେଶର ସଂପୃକ୍ତ ପ୍ରାଧିକରଣମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ଅତ୍ୟାଧୁନିକ ବିଜ୍ଞାନ, କୃତ୍ରିମ ପ୍ରଜ୍ଞା, ଆଣବିକ ପ୍ରଯୁକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ, ବିଗ୍‍ ଡାଟା ଓ ପ୍ରଯୁକ୍ତି ଉପଯୋଗକ୍ଷମ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା କ୍ଷେତ୍ର ଆଦିକୁ ତୁରନ୍ତ ଚିହ୍ନଟ କରାଯିବା ଆବଶ୍ୟକ । ଉଭୟ ଦେଶ ମଧ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଆଦାନ ପ୍ରଦାନକୁ ସୁଯୋଗ ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ୫୦ ଜଣ ଯୁବ ଉଦ୍ଦ୍ୟୋଗୀଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ ଏବଂ ନିବେଶକାରୀ ପୁଂଜିପତିମାନଙ୍କୁ ସେମାନଙ୍କର ନୂତନ ଚିନ୍ତାଧାରା ସଂପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ ।

୫୧. ଗସ୍ତର ଅଂଶବିଶେଷ ସ୍ୱରୂପ, ୨୦୨୧ ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯଶୋର ସ୍ଥିତ ଯଶୋରେଶ୍ୱରୀ ଦେବୀ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଗୋପାଲ ସ୍ଥିତ ଓରାଖଣ୍ଡି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ସେଠାକାର ଧର୍ମୀୟ ସଦ୍ଭାବନାକୁ ଭୂୟସୀ ପ୍ରଶଂସା କରିଥିଲେ ।

 

ମ୍ୟାଁମାରର ରାଖିନେ କ୍ଷେତ୍ରରୁ ବଳପୂର୍ବକ ବିତାଡ଼ିତ ଲୋକ

 

୫୨.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମ୍ୟାଁମରର ରାଖିନେ କ୍ଷେତ୍ରରୁ ବଳପୂର୍ବକ ବିତାଡ଼ିତ ହୋଇ ଆସିଥିବା ପ୍ରାୟ ୧.୧ ନିୟୁତ ଲୋକଙ୍କୁ ଆଶ୍ରୟ ପ୍ରଦାନ ଓ ସେମାନଙ୍କୁ ସକଳ ପ୍ରକାର ମାନବୀୟ ସହାୟତା ଯୋଗାଇ ଦେଇଥିବାର ବାଂଲାଦେଶ ସରକାରଙ୍କ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ଏହି ଶରଣାର୍ଥୀମାନଙ୍କର ନିଜ ଦେଶକୁ ନିରାପଦ, ତୁରନ୍ତ ଏବଂ ସ୍ଥାୟୀ ପ୍ରତ୍ୟାବର୍ତ୍ତନ ଏବଂ ସେହି କ୍ଷେତ୍ରରେ ଅଧିକ ନିରାପତ୍ତା ଯୋଗାଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ଭାରତକୁ ଅନୁରୋଧ କରିଥିଲେ ଯେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ସ୍ୱରୂପ, ଉଦ୍‍ବାସ୍ତୁ ହୋଇଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କର ମ୍ୟାଁମାରକୁ ଯଥାଶୀଘ୍ର ପ୍ରତ୍ୟାବର୍ତ୍ତନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଏହି ପରିପ୍ରେକ୍ଷୀରେ ଭାରତ ବାଂଲାଦେଶକୁ ତା’ର ସମର୍ଥନ ଅବ୍ୟାହତ ରଖିବ ବୋଲି ଭାରତ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ।

 

କ୍ଷେତ୍ରୀୟ ତଥା ବିଶ୍ୱ ସ୍ତରରେ ସହଭାଗୀତା

 

୫୩. ଉଭୟ ରାଷ୍ଟ୍ର ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷିୟ ସଂଗଠନରେ ସମାନ ଉଦ୍ଦେଶ୍ୟ ଥିବା ପ୍ରସଙ୍ଗ ଉପରେ ମିଳିତ ଭାବେ ସେମାନଙ୍କର କାର୍ଯ୍ୟ ଜାରି ରଖିବା ନିମନ୍ତେ ସହମତ ପୋଷଣ କରିଥିଲେ ।

୫୪. ଉଭୟ ନେତା ସାର୍କ ଏବଂ ବିମଷ୍ଟେକ୍‍ ଭଳି କ୍ଷେତ୍ରୀୟ ସଂଗଠନଙ୍କ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ସେହିସବୁ ସଂଗଠନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅଛି ବୋଲି ସ୍ୱୀକାର କରିଥିଲେ । ବିଶେଷ କରି କୋଭିଡ଼ ୧୯ ପରବର୍ତ୍ତୀ ପରିସ୍ଥିତିରେ ସେମାନଙ୍କର ଭୂମିକା ଅତ୍ୟାବଶ୍ୟକ ବୋଲି ସେମାନେ ମତପୋଷଣ କରିଥିଲେ । ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ୨୦୨୦ ମସିହା ମାର୍ଚ୍ଚ ମାସରେ ଏକ ଭିଡିଓ କନଫରେନ୍ସିଂ ବୈଠକ ଡକାଇଥିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏକ ସାର୍କ ଜରୁରି କାର୍ଯ୍ୟାନୁଷ୍ଠାନ ପାଣ୍ଠି ଗଠନ କରିବା ଯାହାକି ଦକ୍ଷିଣ ଏସିଆ କ୍ଷେତ୍ରରେ ବୈଶ୍ୱିକ ମହାମାରୀ କାଳରେ ଏଭଳି ବିପଦକୁ ସାମୂହିକ ଭାବେ ମୁକାବିଲା କରିବାରେ ସହାୟକ ହୋଇପାରିବ, ସେଥିପାଇଁ ସାଧୁବାଦ ଜ୍ଞାପନ କରିଥିଲେ ।

୫୫.ଉଭୟ ନେତା କ୍ଷେତ୍ରୀୟ ଏବଂ ଉପ କ୍ଷେତ୍ରୀୟ ମଞ୍ଚରେ ଅଗ୍ରାଧିକାର ଭିତ୍ତିରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସହମତ ପୋଷଣ କରିଥିଲେ । ଏହି ଲକ୍ଷ୍ୟ ହାସଲ ନିମନ୍ତେ, ସେମାନେ ସହମତ ପ୍ରକଟ କରିଥିଲେ ଯେ ବିମଷ୍ଟେକକୁ ଅଧିକ ସକ୍ରିୟ ସଂଗଠନରେ ପରିଣତ କରାଯିବ ଯଦ୍ଦାରା ଆନ୍ତଃ କ୍ଷେତ୍ରୀୟ ସହଯୋଗର ଲକ୍ଷ୍ୟ ହାସଲ କରାଯିବା ସହିତ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସାମୂହିକ ସମୃଦ୍ଧି ହାସଲ କରାଯାଇପାରିବ ।

୫୬.ବାଂଲାଦେଶ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ଯେ ୨୦୨୧ ମସିହା ଅକ୍ଟୋବର ମାସରୁ ପ୍ରଥମ ଥର ପାଇଁ ଆଇଓଆରଏର ଅଧ୍ୟକ୍ଷ ପଦ ବାଂଲାଦେଶ ଗ୍ରହଣ କରିବ । ସେଥିପାଇଁ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ନିରପତ୍ତା ଓ ସୁରକ୍ଷା ବଜାୟ ରଖିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ସକାଶେ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଥିଲା । ଏଥିପାଇଁ ବାଂଲାଦେଶକୁ ଅଭିନନ୍ଦନ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସହଯୋଗ ସୁନିଶ୍ଚିତ ଭାବେ ମିଳିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

୫୭.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ୨୦୨୩ ମସିହା ଠାରୁ ଦକ୍ଷିଣ ଏସୀୟ କ୍ଷେତ୍ରୀୟ କାର୍ଯ୍ୟାଳୟରେ ନିର୍ଦ୍ଦେଶକ ପଦରେ ବାଂଲାଦେଶର ପ୍ରାର୍ଥୀତ୍ୱକୁ ଭାରତ ସରକାର ନିର୍ଦ୍ଦିଷ୍ଟ ଭାବେ ସମର୍ଥନ କରିବା ଲାଗି ଦେଇଥିବା ପ୍ରତିଶ୍ରତି ନିମନ୍ତେ ବାଂଲାଦେଶ ପକ୍ଷରୁ ଭାରତକୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

୫୮. ଭାରତୀୟ ପକ୍ଷ ଆଶା ପୋଷଣ କରିଥିଲେ ଯେ ବାଂଲାଦେଶ ମିଳିତ ବିପର୍ଯ୍ୟୟ ସହନଶୀଳ ସଂସାଧନ (ସିଡ଼ିଆରଆଇ)ରେ ଯୋଗ ଦେବ ଯାହାକି ବାଂଲାଦେଶକୁ ରିସ୍କ୍‍ ପରିଚାଳନା ସଂସାଧନ ସଂପର୍କୀତ ନିଜସ୍ୱ ଅନୁଭୂତି ବାଣ୍ଟିବା ସହିତ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସହିତ ଏହାର ମାନ, ଆର୍ଥିକ ବ୍ୟବସ୍ଥା ତଥା ରିକଭରୀ ବ୍ୟବସ୍ଥାରେ ସହଭାଗୀ ହୋଇପାରିବ ।

୫୯. ନବ ବିକାଶ ବ୍ୟାଙ୍କ (ନିଉ ଡେଭଲପମେଣ୍ଟ ବ୍ୟାଙ୍କ)ରେ ଯୋଗଦେବାକୁ ବାଂଲାଦେଶର ନିଷ୍ପତ୍ତିକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି ।

 

ଦ୍ୱିପାକ୍ଷିକ ନଥି ସ୍ୱାକ୍ଷର ଏବଂ ପ୍ରକଳ୍ପର ଶୁଭାରମ୍ଭ

୬୦.ଏହି ଗସ୍ତ ଅବସରରେ ନିମ୍ନଲିଖିତ ଦ୍ୱିପାକ୍ଷିକ ନଥି ସ୍ୱାକ୍ଷରିତ ତଥା ହସ୍ତାନ୍ତରଣ ହୋଇଥିଲା:

i. ବିପର୍ଯ୍ୟୟ ପରିଚାଳନା, ସହନଶୀଳତା ଏବଂ ନିରାକରଣ କ୍ଷେତ୍ରରେ ସହଯୋଗ ନିମନ୍ତେ ବୁଝାମଣା ପତ୍ର

ii.ବାଂଲାଦେଶ ଜାତୀୟ କ୍ୟାଡେଟ୍‍ କୋର (ବିଏନସିସି) ଏବଂ ନ୍ୟାସନାଲ କ୍ୟାଡେଟ୍‍ କୋର (ଆଇଏନସିସି) ମଧ୍ୟରେ ବୁଝାମଣା ପତ୍ର

iii. ବାଂଲାଦେଶ ଓ ଭାରତ ମଧ୍ୟରେ ବାଣିଜ୍ୟ ରିମେଡିଆଲ ବ୍ୟବସ୍ଥା କ୍ଷେତ୍ରରେ ଏକ ସହଯୋଗ ଢାଞ୍ଚା ଗଠନ ସଂକ୍ରାନ୍ତ ବୁଝାମଣା ପତ୍ର

iv. ବାଂଲାଦେଶ- ଭାରତ ଡିଜିଟାଲ ସେବା ଏବଂ ନିଯୁକ୍ତି ତାଲିମ (ବିଡ଼ିଏସଇଟି) କେନ୍ଦ୍ର ମଧ୍ୟରେ ଆଇସିଟି ଉପକରଣ ଯୋଗାଣ, କୋର୍ସୱେର୍‍ ଏବଂ ରେଫରେନ୍ସ ପୁସ୍ତକ ଓ ତାଲିମ ଯୋଗାଣ ସଂପର୍କୀତ ତ୍ରିପକ୍ଷିୟ ବୁଝାମଣା ପତ୍ର

v. ରାଜାସାହି କଲେଜ ଫିଲ୍ଡ ଏବଂ ପାଶ୍ୱର୍ବର୍ତ୍ତୀ କ୍ଷେତ୍ରରେ କ୍ରୀଡ଼ା ସୁବିଧା ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ତ୍ରିପକ୍ଷିୟ ବୁଝାମଣା ପତ୍ର

୬୧. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉତ୍ସାବାନୁଷ୍ଠାନ କାର୍ଯ୍ୟକ୍ରମରେ, ନିମ୍ନଲିଖିତ କାର୍ଯ୍ୟର ଉଭୟ ପ୍ରଧାନମନ୍ତ୍ରୀ ଘୋଷଣା/ ଉନ୍ମୋଚନ/ ଶୁଭାରମ୍ଭ କରିଥିଲେ:

i. ଭାରତ- ବାଂଲାଦେଶ ବନ୍ଧୁତ୍ୱପୂର୍ଣ୍ଣ ଡାକଟିକଟ ଉନ୍ମୋଚନ, ଯାହାକି ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବର୍ଷ ପୂର୍ତ୍ତି ଅବସରରେ କରାଯାଇଥିଲା

ii. ଭାରତୀୟ ସଶସ୍ତ୍ର ସୈନିକ ଯେଉଁମାନେ ୧୯୭୧ ମସିହାର ମୁକ୍ତି ଯୁଦ୍ଧ ସମୟରେ ପ୍ରାଣବଳି ଦେଇଥିଲେ ସେହି ସହିଦମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ବ୍ରହ୍ମବାରିଆ, ଆଶୁଗଞ୍ଜ ଠାରେ ଏକ ସ୍ମାରକୀ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ

iii. ରୁପୁର ଶକ୍ତି ସ୍ଥାନାନ୍ତରୀକରଣ ପ୍ରକଳ୍ପର ପାଞ୍ଚଟି ପ୍ୟାକେଜ୍‍ (ଅମୀନ ବଜାର- କାଲିଆକୋଇର, ରୁପ୍ପୁର- ଢାକା, ରୁପ୍ପୁର- ଗୋପାଲଗଞ୍ଜ, ରୁପ୍ପୁର- ଧାମରାଇ, ରୁପ୍ପୁର- ବୋଗ୍ରା) ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

iv. ତିନିଗୋଟି ସୀମାନ୍ତ ହାଟର ଶୁଭାରମ୍ଭ - ନାଳିକଟା (ଭାରତ) – ସଇଦାବାଦ (ବାଂଲାଦେଶ); ରିଙ୍ଗକୁ (ଭାରତ) – ବାଗାନ ବାରି (ବାଂଲାଦେଶ) ଏବଂ ଭୋଲାଗଞ୍ଜ (ଭାରତ) – ଭୋଲାଗଞ୍ଜ (ବାଂଲାଦେଶ)

v.. କୁଠିବାରି ଠାରେ ରବୀନ୍ଦ୍ର ଭବନ ସୁବିଧାର ଶୁଭାରମ୍ଭ

vi. ଢ଼ାକା- ନିଉ ଜଳପାଇଗୁଡ଼ି- ଢ଼ାକା ମାର୍ଗରେ ଚିଲାହାଟି- ହଳଦୀବାରି ରେଳ ଲିଙ୍କ୍‍ ମଧ୍ୟଦେଇ ‘ମୈତ୍ରୀ ଏକ୍ସପ୍ରେସ୍‍’- ପାସେଞ୍ଜର ଟ୍ରେନ ସେବାର ଶୁଭାରମ୍ଭ

vii. ମୁଜିବନଗର ଏବଂ ନଦିଆ ମଧ୍ୟରେ ଐତିହାସିକ ସଡ଼କ ମଧ୍ୟରେ ଯୋଗାଯୋଗ ସ୍ଥାପନ ଏବଂ ଏହାକୁ ‘ସ୍ୱାଧୀନତା ସଡ଼କ’ ନାମରେ ନାମିତ କରାଯିବା ନିମନ୍ତେ ଘୋଷଣା

୬୨. ଚଳିତ ବାଂଲାଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ପକ୍ଷରୁ ତାଙ୍କୁ ଓ ତାଙ୍କର ପ୍ରତିନିଧି ମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଭବ୍ୟ ସମ୍ବର୍ଦ୍ଧନା ଓ ଉଷ୍ମ ଆତିଥ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
All citizens will get digital health ID: PM Modi

Media Coverage

All citizens will get digital health ID: PM Modi
...

Nm on the go

Always be the first to hear from the PM. Get the App Now!
...
PM expresses happiness over Shri S. Selvaganabathy for being elected to Rajya Sabha
September 28, 2021
ସେୟାର
 
Comments

The Prime Minister, Shri Narendra Modi has expressed happiness over Shri S. Selvaganabathy for being elected to the Rajya Sabha from Puducherry.

In a tweet, the Prime Minister said;

"It is a matter of immense pride for every BJP Karyakarta that our Party has got it’s first ever Rajya Sabha MP from Puducherry in Shri S. Selvaganabathy Ji. The trust placed in us by the people of Puducherry is humbling. We will keep working for Puducherry’s progress."