ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ର ରାଷ୍ଟ୍ରପତି ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 15 ଜୁଲାଇ 2023ରେ ଆବୁଧାବି ଠାରେ ପରସ୍ପରକୁ ସାକ୍ଷାତ କରିଛନ୍ତି ।

ବିଗତ ଆଠ ବର୍ଷ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟମ ୟୁଏଇ ଗସ୍ତ ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜୁନ 2022ରେ ଶେଷ ଥର ପାଇଁ ୟୁଏଇ ଗସ୍ତ କରିଥିଲେ। ଏହି ସମୟରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ୟୁଏଇ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

2015ରେ ପ୍ରଧାନମନ୍ତ୍ରୀ ମୋଦୀ ବିଗତ 34 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁଏଇ ଗସ୍ତ କରିଥିଲେ। ଏହାପରେ 2016ରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଭାରତ ଗସ୍ତରେ ଆସିଥିଲେ । ଏହାପରେ 2017ରେ ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକନ୍ତୁ, 2017ରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଭାରତ ଗସ୍ତ ସମୟରେ ଭାରତ-ୟୁଏଇ ସମ୍ପର୍କ ଔପଚାରିକ ଭାବେ ବିସ୍ତୃତ ରଣନୀତିକ ଭାଗିଦାରୀକୁ ଉନ୍ନୀତ ହୋଇଥିଲା।

 

ୟୁଏଇ-ଭାରତ ସମ୍ପର୍କ ସବୁ ଦିଗରୁ ଅଭୂତପୂର୍ବ ପ୍ରଗତି ହାସଲ କରିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । 2022ରେ ଭାରତ-ୟୁଏଇ ବାଣିଜ୍ୟ କାରବାର 85 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ୟୁଏଇ 2022-23ରେ ଭାରତର ତୃତୀୟ-ସର୍ବବୃହତ ବ୍ୟବସାୟ ସହଯୋଗୀ ଏବଂ ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନି ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଥିଲା। ଅନ୍ୟପଟେ ଭାରତ ହେଉଛି ୟୁଏଇର ଦ୍ୱିତୀୟ ସର୍ବବୃହତ ବ୍ୟବସାୟିକ ସହଯୋଗୀ। ଭାରତ ହେଉଛି ପ୍ରଥମ ଦେଶ ଯାହା ସହିତ ୟୁଏଇ ଫେବୃଆରୀ 2022 ବିସ୍ତୃତ ଆର୍ଥିକ ସହଭାଗିତା ରାଜିନାମା (ସିଇପିଏ) ସ୍ୱାକ୍ଷର କରିଥିଲା । 1 ମେ 2022ରେ ସିଇପିଏ କାର୍ଯ୍ୟକାରୀ ହେବା ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପ୍ରାୟ 15% ବୃଦ୍ଧି ପାଇଛି ।

2023ରେ ଭାରତ ଜି-20 ଅଧ୍ୟକ୍ଷତା ଏବଂ ୟୁଏଇ କପ୍‌ 28 ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ଦ୍ୱାରା ବିଶ୍ୱସ୍ତରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରାଯିବାକୁ ଦୁଇ ନେତା ସନ୍ତୋଷର ସହିତ ଉଲ୍ଲେଖ କରିଥିଲେ । ଜାନୁଆରୀ 2023ରେ ଭାରତ ଦ୍ୱାରା ଭଏସ୍‌ ଅଫ୍‌ ଗ୍ଲୋବାଲ୍‌ ସାଉଥ୍‌ ଶିଖର ସମ୍ମିଳନୀ ଆୟୋଜନ କରାଯିବାକୁ ୟୁଏଇ ପକ୍ଷ ପ୍ରଶଂସା କରିଥିଲା। କପ୍‌ 28ରେ ଗ୍ଲୋବାଲ୍‌ ସାଉଥ୍‌ ରାଷ୍ଟ୍ରମାନଙ୍କର ହିତକୁ ସୁରକ୍ଷା ଦେବା ଏବଂ କପ୍‌ 28କୁ ‘‘କପ୍‌ ଅଫ୍‌ ଆକ୍ସନ୍‌’’ରେ ପରିଣତ କରିବା କ୍ଷେତ୍ରରେ ୟୁଏଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଭାରତୀୟ ପକ୍ଷ ପ୍ରଶଂସା କରିଥିଲା। ଆଇ2ୟୁ2 ଏବଂ ୟୁଏଇ - ଫ୍ରାନ୍ସ - ଭାରତ ତ୍ରିପାକ୍ଷିକ ସହଯୋଗ ପ୍ରୟାସ ଭଳି ବହୁପକ୍ଷୀୟ ମଞ୍ଚରେ ଅଧିକ ସହଯୋଗ ନେଇ ଉଭୟ ପକ୍ଷ ଆଗ୍ରହୀ ରହିଛନ୍ତି । ଏପରି ମଞ୍ଚ ଉଭୟ ଦେଶକୁ ସେମାନଙ୍କର ସହଭାଗିତାକୁ ଏକ ନୂତନ ଉଚ୍ଚତାକୁ ନେଇ ଯିବା ଲାଗି ବ୍ୟାପକ ସୁଯୋଗ ଯୋଗାଇ ଦେଉଥିବା ସେମାନେ କହିଥିଲେ ।

ଆଜି, ଆବୁଧାବି ଠାରେ, ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିମ୍ନ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଛି : 

1. ସମ୍ପୃକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦ୍ୱାରା ସୀମାପାର୍‌ ଅର୍ଥ କାରବାର ପାଇଁ ସ୍ଥାନୀୟ ମୁଦ୍ରା (ଭାରତୀୟ ଟଙ୍କା- ଆରବ ଏମିରେଟ୍ସ ଦିରାମ) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

2. ସମ୍ପୃକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦ୍ୱାରା ଆନ୍ତଃସଂଯୁକ୍ତ ଅର୍ଥପଇଠ ଏବଂ ମେସେଜିଂ ପ୍ରଣାଳୀ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

3. ଆବୁଧାବି ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ଦିଲ୍ଲୀର ଏକ ଶାଖା ପ୍ରତିଷ୍ଠା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷର।

ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବାବଦରେ ଅର୍ଥ ପରିଶୋଧ କରିବା ଲାଗି ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରା ପରିଶୋଧ ପ୍ରଣାଳୀ ବିକଶିତ କରାଯିବା ଉଭୟ ପକ୍ଷ ମଧ୍ୟରେ ଆପୋସ ବିଶ୍ୱାସକୁ ପ୍ରକଟ କରୁଛି ବୋଲି ନେତାମାନେ ଆଲୋଚନା କରିଥିଲେ । ଅଧିକନ୍ତୁ, ଏହା ଦୁଇ ଦେଶର ସୁଦୃଢ଼ ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରିଥାଏ ଏବଂ ୟୁଏଇ ଓ ଭାରତ ମଧ୍ୟରେ ରହିଥିବା ଆର୍ଥିକ ସମ୍ପର୍କକୁ ବଢ଼ାଇଥାଏ। ୟୁଏଇ ଓ ଭାରତ ମଧ୍ୟରେ ସୀମାପାର ଅର୍ଥ କାରବାରକୁ ଅଧିକ କୁଶଳତା ପୂର୍ବକ ସମ୍ପାଦନ କରିବା ଲାଗି ନିଜର ତ୍ୱରିତ ଅର୍ଥପଇଠ ପ୍ରଣାଳୀ ମଧ୍ୟରେ ଏକୀକରଣକୁ ସକ୍ଷମ କରି ଅର୍ଥପଇଠ ପ୍ରଣାଳୀ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ନେଇ ନେତାମାନେ ଆଗ୍ରହ ପ୍ରକଟ କରିଥିଲେ। ଏପରି ସହଯୋଗରେ ଜାତୀୟ କାର୍ଡ ପରିବର୍ତ୍ତନ ବ୍ୟବସ୍ଥାକୁ ପରସ୍ପର ସହ ଯୋଡ଼ିବା ଜରିଆରେ ଘରୋଇ କାର୍ଡ ଯୋଜନାକୁ ଆପୋସ ସ୍ୱୀକୃତି ମଧ୍ୟ ସାମିଲ ରହିବ । ଏହି ପ୍ରଣାଳୀଗୁଡ଼ିକ ପରସ୍ପର ସହ ଏକୀକୃତ ହେବା ଫଳରେ ଦୁଇ ଦେଶର ନାଗରିକ ଓ ବାସିନ୍ଦାମାନଙ୍କୁ ବିଭିନ୍ନ ଅର୍ଥପଇଠ ସେବାର ଉପଯୋଗ ସୁବିଧା ମିଳିପାରିବ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ସଂକଳ୍ପକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ନିବେଶର ଦ୍ୱିପକ୍ଷିକ ଉଚ୍ଚସ୍ତରୀୟ ମିଳିତ କାର୍ଯ୍ୟବଳର ପ୍ରୟାସକୁ ପ୍ରଶଂସା କରିଥିଲେ। ସେମାନେ ସ୍ୱୀକାର କରିଥିଲେ ଯେ, ୟୁଏଇ 2022-23ରେ ଭାରତରେ ଚତୁର୍ଥ ସର୍ବବୃହତ ନିବେଶକରେ ପରିଣତ ହୋଇଛି । ଅନ୍ୟପକ୍ଷରେ 2021-22ରେ ଏହା ଭାରତର ସପ୍ତମ ସର୍ବବୃହତ ନିବେଶକ ଥିଲା। ଆସନ୍ତା କିଛି ମାସ ମଧ୍ୟରେ ଗୁଜରାଟ ଇଣ୍ଟରନେସନାଲ ଫାଇନାନ୍ସ ଟେକ୍‌ - ସିଟି (ଗିଫ୍ଟ ସିଟି) ଠାରେ ନିଜର ଉପସ୍ଥିତି ପ୍ରତିଷ୍ଠା କରିବା ଲାଗି ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ)ର ଯୋଜନାକୁ ସେମାନେ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ, ଗିଫ୍ଟ ସିଟୀ ହେଉଛି ଗୁଜରାଟରେ ଏକ ଆର୍ଥିକ ମୁକ୍ତ କ୍ଷେତ୍ର। ଏହାଦ୍ୱାରା ଭାରତରେ ନିବେଶ କରିବା ଲାଗି ୟୁଏଇକୁ ଅଧିକ ସୁବିଧା ସୁଯୋଗ ମିଳିପାରିବ।

ଆଇଆଇଟି ଦିଲ୍ଲୀ-ଆବୁ ଧାବି ପ୍ରତିଷ୍ଠା କରିବା ନିମନ୍ତେ ଭାରତର ଶିକ୍ଷା ମନ୍ତ୍ରଣାଳୟ, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି ଦିଲ୍ଲୀ) ଏବଂ ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ରାଜିନାମାର ଗୁରୁତ୍ୱ ସମ୍ପର୍କରେ ନେତାମାନେ ଆଲୋଚନା କରିଥିଲେ । ଗତ ବର୍ଷ ଫେବୃଆରୀ ମାସରେ ଦୁଇ ନେତାଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ ଅବସରରେ ୟୁଏଇ ଠାରେ ଏକ ଆଇଆଇ ପ୍ରତିଷ୍ଠା କରିବା ନେଇ ସହମତି ପ୍ରକାଶ ପାଇଥିଲା। ଏହି ଦୃଷ୍ଟିକୋଣକୁ ସାକାର କରିବା ଲାଗି ଉଭୟ ପକ୍ଷ ବିଗତ ଦୁଇ ବର୍ଷ ମଧ୍ୟରେ ବ୍ୟାପକ ପ୍ରୟାସ କରିଛନ୍ତି । ଆଇଆଇଟି ଦିଲ୍ଲୀ-ଆବୁଧାବି ଇନ୍ଧନ କ୍ଷେତ୍ରରେ ପରିବର୍ତ୍ତନ ଓ ସ୍ଥିରତା ସହ ଜଡ଼ିତ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରି ଜାନୁଆରୀ 2024 ସୁଦ୍ଧା ନିଜର କାମ ଆରମ୍ଭ କରି ଦେବା ନେଇ ଦୁଇ ନେତା ସମର୍ଥନ ଓ ଅନୁମୋଦନ ବ୍ୟକ୍ତ କରିଥିଲେ। ଦୀର୍ଘସ୍ଥାୟୀ ଊର୍ଜା, ଜଳବାୟୁ ସମ୍ବନ୍ଧୀୟ ଅଧ୍ୟୟନ, କମ୍ପ୍ୟୁଟିଂ ଓ ଡେଟା ବିଜ୍ଞାନ କ୍ଷେତ୍ରରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ବ୍ୟତୀତ ସେପ୍ଟେମବର 2024 ଠାରୁ ଏଠାରେ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡି ସ୍ତରୀୟ ପାଠକ୍ରମ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।

 

ଉଭୟ ନେତା ଊର୍ଜା - ତୈଳ ଓ ବାଷ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଆଗକୁ ବଢ଼ାଇବା ନେଇ ସଂକଳ୍ପ ନେଇଥିଲେ । ଉଭୟ ପକ୍ଷ ସବୁଜ ହାଇଡ୍ରୋଜେନ, ସୌର ଶକ୍ତି ଏବଂ ଗ୍ରୀଡ୍‌ ସଂଯୋଗ କ୍ଷେତ୍ରରେ ଆପୋସ ସହଯୋଗକୁ ଆହୁରି ଆଗକୁ ବଢ଼ାଇବେ । ଉଭୟ ପକ୍ଷ ଭାରତର ରଣନୀତିକ ପେଟ୍ରୋଲିୟମ ରିଜର୍ଭ କାର୍ଯ୍ୟକ୍ରମ ସମେତ ବିସ୍ତୃତ ଊର୍ଜା ଶ୍ରେଣୀରେ ନିବେଶ ବଢ଼ାଇବାକୁ ନେଇ ସହମତି ପ୍ରକାଶ କରିଥିଲେ।

ଦୁଇ ନେତା, ବିଶେଷ କରି ଭାରତ ଜି 20 ଅଧ୍ୟକ୍ଷତା ଏବଂ ୟୁଏଇର କପ୍‌ 20 ଅଧ୍ୟକ୍ଷତା ଅବସରରେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସ୍ୱୀକାର କରିଥିଲେ। ସେମାନେ କପ୍‌ 28କୁ ସମସ୍ତଙ୍କ ପାଇଁ ସଫଳ କରିବା ଲାଗି ମିଳିମିଶି କାମ କରିବା ନେଇ ସଂକଳ୍ପ ନେଇଥିଲେ।

ଖାଦ୍ୟ ସୁରକ୍ଷାର ଗୁରୁତ୍ୱକୁ ହୃଦୟଙ୍ଗମ କରି, ଉଭୟ ନେତା ଖାଦ୍ୟ ଯୋଗାଣ ଶୃଙ୍ଖଳାର ବିଶ୍ୱସନୀୟତା ଓ ସୁଦୃଢ଼ତାକୁ ପ୍ରୋତ୍ସାହନ ଦେବା ଏବଂ ଭାରତରେ ଖାଦ୍ୟ କରିଡର ପ୍ରକଳ୍ପ ସମେତ ଖାଦ୍ୟ ଓ କୃଷି ବ୍ୟବସାୟର ବିସ୍ତାର କରିବା ନେଇ ନିଜର ସଂକଳ୍ପକୁ ଦୋହରାଇଥିଲେ। ୟୁଏଇ ପକ୍ଷ ଏହି କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାକାର କରିବା ଲାଗି ବିଭିନ୍ନ ଭାରତୀୟ ଅଂଶୀଦାରଙ୍କ ସହିତ ନିଜର ବିଚାରବିମର୍ଶକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବ ।

ଦୁଇ ନେତା ସ୍ୱାସ୍ଥ୍ୟ କ୍ଷେତ୍ରର ମହତ୍ୱ ଏବଂ ଦ୍ୱିପାକ୍ଷିକ ଓ ତୃତୀୟ ଦେଶରେ ଜାରି ରହିଥିବା ସ୍ୱାସ୍ଥ୍ୟ ସହଯୋଗକୁ ସକ୍ରିୟ କରିବା ତଥା ଏଥିରେ ଆହୁରି ବିବିଧତା ଆଣିବା ସହିତ ସହଯୋଗର ପରିଧିକୁ ବଢ଼ାଇବା ଉପରେ ଆଲୋକପାତ କରିଥିଲେ । ଟିକା ଏବଂ ଔଷଧର ବିଶ୍ୱ ସ୍ୱାସ୍ଥ୍ୟ ଯୋଗାଣ ଶୃଙ୍ଖଳରେ ଏକ ବିଶ୍ୱସନୀୟ ବିକଳ୍ପ ଭାବେ ଉଭା ହେବା ନିମନ୍ତେ ଦୁଇ ଦେଶର କ୍ଷମତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୟୁଏଇ ଓ ଭାରତରେ ବର୍ଦ୍ଧିତ ସ୍ୱାସ୍ଥ୍ୟ ସହ ଜଡ଼ିତ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ଅବସରକୁ ନେଇ ମଧ୍ୟ ଆଲୋଚନା କରିଥିଲେ।

ଦୁଇ ନେତା କହିଥିଲେ ଯେ, ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ଆପୋସ ସମ୍ପର୍କ ଭାରତ ଏବଂ ୟୁଏଇର ଐତିହାସିକ ସମ୍ପର୍କର ସବୁଠୁ ମଜବୁତ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଅନ୍ୟତମ । ବହୁ ସଂଖ୍ୟାରେ ଭାରତୀୟ ପ୍ରବାସୀ ୟୁଏଇ ସମାଜ ଏବଂ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରୁଛନ୍ତି ।

ଦୁଇ ନେତା ଭାରତ, ୟୁଏଇ ଏବଂ ସହଯୋଗୀ ପଡ଼ୋଶୀଙ୍କ ମଧ୍ୟରେ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି କ୍ଷେତ୍ରୀୟ ସାମୁଦ୍ରିକ ସୁରକ୍ଷା ଓ ଯୋଗାଯୋଗକୁ ମଜବୁତ କରିବା ନିମନ୍ତେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ସହମତି ବ୍ୟକ୍ତ କରିଥିଲେ। ସେମାନେ ପ୍ରତିରକ୍ଷା ବିନିମୟ, ଅଭିଜ୍ଞତା ଆଦାନପ୍ରଦାନ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣରେ ସୁଧାର କରିବାକୁ ନେଇ ମଧ୍ୟ ସହମତ ହୋଇଥିଲେ ।

ଦୁଇ ନେତା କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ଉଭୟ ସ୍ତରରେ ସମସ୍ତ ରୂପରେ ସୀମାପାର ଆତଙ୍କବାଦ ସମେତ ଉଗ୍ରବାଦ ଓ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଲାଗି ନିଜର ମିଳିତ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଦୁଇ ନେତା ଆତଙ୍କବାଦ, ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ଉଗ୍ରବାଦ ବିରୋଧୀ ଲଢ଼େଇରେ ନିଜର ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ପ୍ରଗାଢ଼ କରିବା ନେଇ ସହମତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ଲୋକମାନଙ୍କ ମଧ୍ୟରେ ଶାନ୍ତି, ସଂଯମ, ସହାବସ୍ଥାନ ଓ ସହିଷ୍ଣୁତାର ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦେଇଥିଲେ ତଥା ସମସ୍ତ ପ୍ରକାରର ଉଗ୍ରବାଦ, ଘୃଣା ସୃଷ୍ଟିକାରୀ ଭାଷଣ, ଭେଦଭାବ ଓ ଉତ୍ତେଜନାକୁ ଅସ୍ୱୀକାର କରିବାର ଆବଶ୍ୟକତା ଉପରେ ବଳ ଦେଇଥିଲେ ।

ଉଭୟ ନେତା ବହୁପକ୍ଷବାଦର ମହତ୍ୱ ଉପରେ ବଳ ଦେଇଥିଲେ ଏବଂ ନ୍ୟାୟପୂର୍ଣ୍ଣ, ନିୟମ-ଆଧାରିତ ବୈଶ୍ୱିକ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲାଗି ସାମୂହିକ ପ୍ରୟାସ ନିମନ୍ତେ ଆହ୍ୱାନ କରିଥିଲେ। ଦୁଇ ନେତା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ସମନ୍ୱୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ, ବିଶେଷ କରି 2022ରେ ଯେତେବେଳେ ଦୁଇ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ପରିଷଦର ନିର୍ବାଚିତ ସଦସ୍ୟ ରୂପରେ ୟୁଏଇର କାର୍ଯ୍ୟକାଳ ସମୟରେ ୟୁଏଇର ଉପଲବ୍ଧିକୁ ପ୍ରଶଂସା କରିଥିଲେ । ୟୁଏଇ ସଂଶୋଧିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବି ପ୍ରତି ନିଜର ସମର୍ଥନ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରତିନିଧି ମଣ୍ଡଳୀକୁ ମିଳିଥିବା ହାର୍ଦ୍ଦିକ ଆତିଥେୟ ପାଇଁ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ 9-10 ସେପ୍ଟେମ୍ବର 2023ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-20 ନେତାମାନଙ୍କର ଶିଖର ସମ୍ମିଳନୀରେ ମହାମହିମ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଅଂଶଗ୍ରହଣକୁ ଆଗ୍ରହର ସହିତ ଅପେକ୍ଷା କରି ରହିଥିବା କହିଥିଲେ ।

ଉଭୟ ନେତା ବ୍ୟାପକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା, ସହଯୋଗର ପ୍ରଗତିଶୀଳ କ୍ଷେତ୍ରକୁ ଅନୁସନ୍ଧାନ କରିବା ଏବଂ କ୍ଷେତ୍ରୀୟ ଓ ବ୍ୟାପକ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"