ନମୋ ବୁଦ୍ଧାୟ!

ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୁର ଦେଉବାଜୀ,

ଆଦରଣୀୟ ଶୀମତୀ ଆରଜୁ ଦେଉବାଜୀ,

ଏହି ସଭାରେ ଉପସ୍ଥିତ ନେପାଳ ସରକାରଙ୍କ ମନ୍ତ୍ରୀଗଣ,

ବିପୁଳ ସଂଖ୍ୟାରେ ଏଠାରେ ଉପସ୍ଥିତ ଥିବା ବୌଦ୍ଧ ଭିକ୍ଷୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଗଣ, ବିଭିନ୍ନ ଦେଶରୁ ଏଠାକୁ ଆଗମନ କରିଥିବା ଗଣ୍ୟମାନ୍ୟ ଅତିଥିଗଣ,

ଦେବୀ ଏବଂ ସଜ୍ଜନମଣ୍ଡଳୀ!

ବୁଦ୍ଧ ଜୟନ୍ତୀକୋ ପାବନ ଅବସର-ମା, ୟସ ସଭା-ମା ଉପସ୍ଥିତ, ୟହାଁ ହରୁ ସବୈ-ଲାଇ, ସମ୍ପୂର୍ଣ୍ଣ ନେପାଳବାସୀ-ହରୁଲାଇ, ର ବିଶ୍ୱକା ସବୈ ଶ୍ରଦ୍ଧାଳୁ-ଜନ- ଲାଇ, ଲୁମ୍ବିନୀକୋ ପବିତ୍ର ଭୂମିବାଟ, ବୁଦ୍ଧ ପୂର୍ଣ୍ଣିମାକୋ ଧରୈ ଶୁଭକାମନା!

ମୋତେ ପୂର୍ବରୁ ମଧ୍ୟ ବୈଶାଖ ପୂର୍ଣ୍ଣିମା ଦିନ ଭଗବାନ ବୁଦ୍ଧଙ୍କ ଜୀବନ ସହିତ ସଂଶ୍ଳିଷ୍ଟ ଦିବ୍ୟସ୍ଥଳୀମାନଙ୍କରେ, ଏହା ସହିତ ଜଡ଼ିତ ଆୟୋଜନରେ ସାମିଲ ହେବାର ଅବସର ମିଳିଛି । ଏବଂ ଆଜି, ଭାରତର ବନ୍ଧୁ ରାଷ୍ଟ୍ର ନେପାଳରେ ଭଗବାନ ବୁଦ୍ଧଙ୍କ ପବିତ୍ର ଜନ୍ମସ୍ଥଳୀ ଲୁମ୍ବିନୀକୁ ଆସିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

କିଛି ସମୟ ପୂର୍ବରୁ ମାୟାଦେବୀ ମନ୍ଦିରରେ ଦର୍ଶନ କରିବାର ଯେଉଁ ସୁଯୋଗ ମୋତେ ପ୍ରାପ୍ତ ହୋଇଛି, ତାହା ମଧ୍ୟ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ସେହି ସ୍ଥାନ ଯେଉଁଠାରେ ସ୍ୱୟଂ ଭଗବାନ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ, ସେଠାକାର ଶକ୍ତି, ସେଠାକାର ଚେତନା, ତାହା ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଅନୁଭବ । ଏକଥା ଦେଖି ମଧ୍ୟ ମୁଁ ଖୁବ୍‌ ଆନନ୍ଦିତ ଯେ ଏହି ସ୍ଥାନ ନିମନ୍ତେ ୨୦୧୪ ମସିହାରେ ମୁଁ ମହାବୋଧି ବୃକ୍ଷର ଯେଉଁ ଚାରା ପ୍ରଦାନ କରିଥିଲି, ତାହା ଏବେ ବିକଶିତ ହୋଇ ଏକ ବୃକ୍ଷରେ ପରିଣତ ହୋଇଛି ।

ସାଥୀଗଣ,

ପଶୁପତିନାଥଜୀ ହୋଇଥାନ୍ତୁ, ମୁକ୍ତିନାଥଜୀ ହୋଇଥାନ୍ତୁ, ଜନକପୁରଧାମ ହୋଇଥାଉ କିମ୍ବା ଲୁମ୍ବିନୀ, ମୁଁ ଯେତେବେଳେ ବି ନେପାଳ ଆସିଛି, ନିଜର ଆଧ୍ୟାତ୍ମିକ ଆଶୀର୍ବାଦରେ ଏହିସବୁ ସ୍ଥାନ ଓ ଦେବାଦେବୀ ମୋତେ କୃତାର୍ଥ କରିଛନ୍ତି ।

ସାଥୀଗଣ,

ଜନକପୁରରେ ମୁଁ କହିଥିଲି ଯେ ‘ନେପାଳ ବିନା ଆମର ରାମ ମଧ୍ୟ ଅସଂପୂଣ୍ଣ’ । ମୁଁ ଜାଣିଛି ଯେ ଆଜି ଯେତେବେଳେ ଭାରତରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି, ସେତେବେଳେ ନେପାଳର ଲୋକମାନେ ମଧ୍ୟ ମନରେ ସେତିକି ଆନନ୍ଦ ଅନୁଭବ କରୁଛନ୍ତି ।

ସାଥୀଗଣ,

ନେପାଳ ଅର୍ଥାତ୍‌, ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ- ସାଗରମଥାର ଦେଶ!

ନେପାଳ ଅର୍ଥାତ୍‌, ବିଶ୍ୱରେ ନିଜର ପବିତ୍ର ତୀର୍ଥ, ମନ୍ଦିର ଓ ମନ୍ଦିର ମାଧ୍ୟମରେ ପରିଚିତ କରିଥିବା ଦେଶ!

ନେପାଳ ଅର୍ଥାତ୍‌, ବିଶ୍ୱର ପ୍ରାଚୀନ ସଭ୍ୟତା ସଂସ୍କୃତିକୁ ସାଇତିକରି ରଖିଥିବା ଦେଶ!

ନେପାଳ ଆଉଁଦା,ମଲାଇ କୁନୈ ରାଜନୈତିକ ଭବଣ ଭନ୍ଦା, ଅଲଗ ଏଉଟା ଛୁଟୈ ଆଧ୍ୟାତ୍ମିକ ଅନୁଭୂତି ହୁଁଛ ।

ଭାରତ ଏବଂ ଭାରତବାସୀ ହଜାର ହଜାର ବର୍ଷ ଧରି ନେପାଳକୁ ଏହି ଦୃଷ୍ଟି ଏବଂ ଆସ୍ଥାର ସହିତ ଦେଖି ଆସୁଛନ୍ତି । ମୋର ବିଶ୍ୱାସ ଯେ ଏବେ କିଛିଦିନ ପୂର୍ବେ ଯେତେବେଳେ ଶେର ବାହାଦୂର ଦେଉବାଜୀ, ଶ୍ରୀମତୀ ଆରଜୁ ଦେଉବାଜୀ ଭାରତ ଗସ୍ତରେ ଯାଇଥିଲେ ଏବଂ ଏବେ ଏବେ ଦେଉବାଜୀ ବନାରସ ସଂପର୍କରେ ଯାହାକିଛି ବର୍ଣ୍ଣନା କରୁଥିଲେ, କାଶୀ ବିଶ୍ୱନାଥ ଧାମ ଯାତ୍ରା ସଂପର୍କରେ ଆପଣମାନଙ୍କୁ ଅବଗତ କରାଉଥିଲେ, ତାଙ୍କ ମନରେ ଭାରତ ସଂପର୍କରେ ଏଭଳି ଧାରଣା ସୃଷ୍ଟି ହେବା ଅତି ସ୍ୱାଭାବିକ କଥା ।

ସାଥୀଗଣ,

ଏଭଳି ମହାନ ଐତିହ୍ୟ, ଏଭଳି ଭବ୍ୟ ସଂସ୍କୃତି, ଏଭଳି ବିଶାଳ ଆସ୍ଥା ଏବଂ ପ୍ରେମ, ଏହା ହେଉଛି ଆମର ସବୁଠାରୁ ବଡ଼ ପୁଂଜି । ଏହି ପୁଂଜିକୁ ଆମେ ଯେତିକି ସମୃଦ୍ଧ କରିବା, ଆମେ ସେତିକି ପ୍ରଭାବୀ ଢଙ୍ଗରେ ପରସ୍ପର ସହିତ ମିଳିମିଶି ବିଶ୍ୱବ୍ୟାପୀ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ପହଞ୍ଚାଇପାରିବା । ବିଶ୍ୱକୁ ସମୁଚିତ ମାର୍ଗ ପ୍ରଦର୍ଶନ କରିପାରିବା । ଆଜି ଯେଉଁଭଳି ଭାବେ ବୈଶ୍ୱିକ ପରିସ୍ଥିତିସବୁ ସୃଷ୍ଟି ହେବାରେ ଲାଗିଛି, ସେଥିରେ ଭାରତ ଏବଂ ନେପାଳ ମଧ୍ୟରେ ନିରନ୍ତର ଜାରି ରହିଥିବା ବନ୍ଧୁତା, ଆମର ଘନିଷ୍ଠତା, ସଂପୂର୍ଣ୍ଣ ମାନବ ସମାଜର ହିତ ପାଇଁ କାର୍ଯ୍ୟ କରିବ । ଏଥିରେ ଭଗବାନ ବୁଦ୍ଧଙ୍କ ପ୍ରତି ଆମ ଦୁଇ ରାଷ୍ଟ୍ରର ଆସ୍ଥା, ସମସ୍ତଙ୍କ ପ୍ରତି ଅସୀମ ଶ୍ରଦ୍ଧା ଆମକୁ ଏକତା ସୂତ୍ରରେ ଯୋଡ଼ି ରଖିଛି, ଗୋଟିଏ ପରିବାରର ସଦସ୍ୟରେ ପରିଣତ କରିଛି ।

ଭାଇ ଓ ଭଉଣୀଗଣ,

ବୁଦ୍ଧ ହେଉଛନ୍ତି ସାମୂହିକ ବୋଧର ଧରାବତରଣ । ବୁଦ୍ଧ ବୋଧଶକ୍ତି, ଏବଂ ବୁଦ୍ଧ ହେଉଛନ୍ତି ଶୋଧ ଶକ୍ତି । ବୁଦ୍ଧ ବିଚାରଧାରା ଏବଂ ବୁଦ୍ଧ ହେଉଛନ୍ତି ସଂସ୍କାରବୋଧ । ବୁଦ୍ଧ ଏଇଥିପାଇଁ ସ୍ୱତନ୍ତ୍ର କାରଣ ସେ କେବଳ ମାନବ ସମାଜକୁ କିଛି ଉପଦେଶ ଦେଇନଥିଲେ, ଅପରନ୍ତୁ ମାନବ ସମାଜକୁ ଜ୍ଞାନର ଅନୁଭୂତି ପ୍ରଦାନ କରିଥିଲେ । ସେ ମହାନ ବୈଭବଶାଳୀ ରାଜ୍ୟଏବଂ ଚରମ ସୁଖଶାନ୍ତିକୁ ତ୍ୟାଗ କରିବାର ସାହସ ମନରେ କୁଳାଇ ପାରିଥିଲେ । ନିଶ୍ଚିତ ଭାବେ ତାଙ୍କର ଜନ୍ମ କୌଣସି ସାଧାରଣ ବାଳକ ଭାବେ ହୋଇନଥିଲା । କିନ୍ତୁ ସେ ଆମମାନଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି କରିଥିଲେ ଯେ ପ୍ରାପ୍ତି ଠାରୁ ଅଧିକ ମହତ୍ୱ ତ୍ୟାଗରେ ରହିଛି । ତ୍ୟାଗ ଦ୍ୱାରା ହିଁ ପ୍ରାପ୍ତି ପୂର୍ଣ୍ଣତା ଲାଭ କରିଥାଏ । ସେଇଥିପାଇଁ, ସେ ବଣଜଙ୍ଗଲରେ ବିଚରଣ କରି, ତପସ୍ୟା କରି, ଜୀବନର ଚରମ ସତ୍ୟର ସନ୍ଧାନ କରିଥିଲେ । ସେହି ଆତ୍ମଶୁଦ୍ଧି ଲାଭ ପରେ ଯେତେବେଳେ ସେ ଜ୍ଞାନର ଶିଖର ସ୍ତରରେ ପହଂଚିଥିଲେ, ସେତେବେଳେ ସେ କୌଣସି ଚମତ୍କାରିତା ଦେଖାଇ ଜନସମାଜର କଲ୍ୟାଣ ସାଧନ କରିବାର ଦାବି କରିନଥିଲେ । ଭଗବାନ ବୁଦ୍ଧ ସ୍ୱୟଂ ଆମକୁ ସେହି ମାର୍ଗ ପ୍ରଦର୍ଶନ କରିଥିଲେ ଯାହା ମାଧ୍ୟମରେ ସେ ନିଜେ ଜୀବନ ବଂଚିଥିଲେ । ସେ ଆମକୁ ଏହି ମନ୍ତ୍ର ଦେଇଥିଲେ – ‘ଅପ୍ପ ଦୀପୌ ଭବ ବିକ୍ଷେ’ ।

“ପରୀକ୍ଷ୍ୟ ବିକ୍ଷବୋ, ଗ୍ରାହ୍ୟମ୍‌ ମଦ୍‌ବଚୋ, ନ ତୁ ଗୌରବାତ୍‌”

ଅର୍ଥାତ୍‌ ନିଜର ଦୀପ ସ୍ୱୟଂ ହୁଅ । ମୋର ବଚନକୁ ସୁଦ୍ଧା ମୋ ପ୍ରତି ଥିବା ଆଦର ଯୋଗୁ ଗ୍ରହଣ କରନାହିଁ  ବରଂ ଏହାର ପରୀକ୍ଷଣ କରି ଏହାକୁ ଆହରଣ କର ।

ସାଥୀଗଣ,

ଭଗବାନ ବୁଦ୍ଧଙ୍କ ସହିତ ଜଡ଼ିତ ଆଉ ଗୋଟିଏ ପ୍ରସଙ୍ଗ ମଧ୍ୟ ରହିଛି ଯାହା  ସଂପର୍କରେ ମୁଁ ଆଜି ଅବଶ୍ୟ ଅବତାରଣା କରିବାକୁ ଚାହିଁବି । ବୈଶାଖ ପୂର୍ଣ୍ଣିମା ଦିନ ଲୁମ୍ବିନୀରେ ସିଦ୍ଧାର୍ଥ ରୂପରେ ବୁଦ୍ଧ ଜନ୍ମଲାଭ କରିଥିଲେ । ସେହି ଦିନ ବୋଧଗୟାଠାରେ ସେ ବୁଦ୍ଧତ୍ୱ ପ୍ରାପ୍ତ ହୋଇ ଭଗବାନ ବୁଦ୍ଧରେ ପରିଣତ ହୋଇଥିଲେ ଏବଂ ସେହି ଦିନ କୁଶୀନଗରଠାରେ ତାଙ୍କର ମହାପରିନିର୍ବାଣ ଘଟିଥିଲା । ଗୋଟିଏ ତିଥି, ସେହି ବୈଶାଖ ପୂର୍ଣ୍ଣିମା ଦିନ ଭଗବାନ ବୁଦ୍ଧଙ୍କ ଜୀବନ ଯାତ୍ରାର ଏଭଳି ଘଟଣାକୁ ଆମେ କେବଳ ଏକ ସଂଯୋଗ ବୋଲି କଦାପି ଭାବିପାରିବା ନାହିଁ । ଏହା ସାମାନ୍ୟ ସଂଯୋଗ ନଥିଲା । ଏଥିରେ ବୁଦ୍ଧତ୍ୱର ସେହି ଦାର୍ଶନିକ ବାର୍ତ୍ତା ମଧ୍ୟ ନିହିତ ରହିଛି ଯେଉଁଥିରେ ଜୀବନ, ଜ୍ଞାନ ଏବଂ ନିର୍ବାଣ, ତିନୋଟି ବିନ୍ଦୁ ଏକତ୍ର ରହିଛି । ତିନିହେଁ ଏକତ୍ର ଭାବେ ଯୋଡ଼ିହୋଇ ରହିଛନ୍ତି । ଏହା ହେଉଛି ମାନବ ଜୀବନର ପୂର୍ଣ୍ଣତା ଏବଂ ସମ୍ଭବତଃ ଏଇଥିପାଇଁ ଭଗବାନ ବୁଦ୍ଧ ପୂର୍ଣ୍ଣିମାର ଏହି ପବିତ୍ର ତିଥିକୁ ଚୟନ କରିଥିଲେ । ଯେତେବେଳେ ଆମେ ଆମର ମାନବୀୟ ଜୀବନକୁ ଏହି ପୂର୍ଣ୍ଣତା ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିବା, ସେତେବେଳେ ବିଭାଜନ ଏବଂ ଭେଦଭାବ ସକାଶେ ଆମ ହୃଦୟରେ ଆଉ କୌଣସି ସ୍ଥାନ ରହିବନାହିଁ । ସେତେବେଳେ ଆମେ ସ୍ୱୟଂ ‘ବସୁଧୈବ କୁଟୁମ୍ବକମ୍‌’ର ଏହି ଭାବନାରେ ଜୀବନ ବଂଚିବାରେ ଲାଗିବା ଏବଂ ‘ସର୍ବେ ଭବତୁ ସୁଖିନଃ’ ଠାରୁ ନେଇ ‘ଭବତୁ ସର୍ବ ମଙ୍ଗଳମ୍‌’ ଭିତରେ ବୁଦ୍ଧଙ୍କ ଉପଦେଶ ପର୍ଯ୍ୟନ୍ତ ଝଲକ ଆମକୁ ଦୃଶ୍ୟ ହେବ । ସେଇଥିପାଇଁ ଭୌଗୋଳିକ ସୀମାରେଖାରୁ ଉପରକୁ ଉଠି ପ୍ରତ୍ୟେକଙ୍କ ହୃଦୟରେ ଥିବା ବୁଦ୍ଧତ୍ୱକୁ ଜାଗରିତ କରିବାକୁ ପଡ଼ିବ, ସମସ୍ତଙ୍କ ନିକଟରେ ବୁଦ୍ଧତ୍ୱ ପହଞ୍ଚାଇବାକୁ ହେବ ।

ସାଥୀଗଣ,

ଭଗବାନ ବୁଦ୍ଧଙ୍କ ସହିତ ମୋର ଆଉ ଗୋଟିଏ ସମ୍ବନ୍ଧ ରହିଛି ଯାହା ଏକ ସଂଯୋଗ ଏବଂ ବେଶ୍‌ ସୁଖଦ ମଧ୍ୟ । ଯେଉଁ ସ୍ଥାନରେ ମୁଁ ଜନ୍ମଲାଭ କରିଥିଲି, ଗୁଜରାଟର ବଡ଼ନଗର, ସେଠାରେ ଶହ ଶହ ବର୍ଷ ପୂର୍ବରୁ ବୌଦ୍ଧ ଶିକ୍ଷାର ଏକ ବିରାଟ କେନ୍ଦ୍ର ଧିଲା । ଆଜି ସୁଦ୍ଧା ସେଠାରେ ପ୍ରାଚୀନ ଅବଶେଷମାନ ମିଳିବାରେ ଲାଗିଛି ଏବଂ ଏହାର ସଂରକ୍ଷଣ କାମ ଜାରି ରହିଛି । ଆମେ ତ ଜାଣୁ ଯେ ଭାରତର ଅନେକ ନଗର ଏଭଳି ଅଛି, ଅନେକ ସହର, ଅନେକ ସ୍ଥାନ ଅଛି ଯାହାର ଲୋକମାନେ ଗର୍ବର ସହିତ ସେହି ସ୍ଥାନକୁ ସେ  ରାଜ୍ୟର କାଶୀ ବୋଲି ବିବେଚନା କରନ୍ତି । ଭାରତର ଏହି ବିଶେଷତା ରହିଆସିଛି ଏବଂ ସେଇଥିପାଇଁ କାଶୀ ନିକଟବର୍ତ୍ତୀ ସାରନାଥ ସହିତ ମୋର ଆତ୍ମୀୟତା ସଂପର୍କରେ ଆପଣମାନେ ସଭିଏଁ ଅବଗତ ଅଛନ୍ତି । ଭାରତରେ ସାରନାଥ, ବୋଧଗୟା ଏବଂ କୁଶୀନଗର ଠାରୁ ନେଇ ନେପାଳରେ ଲୁମ୍ବିନୀ ପର୍ଯ୍ୟନ୍ତ ଏହି ପବିତ୍ର ସ୍ଥାନ ଆମର ମହାନ ଐତିହ୍ୟ ଏବଂ ମହାନ ମୂଲ୍ୟବୋଧର ପ୍ରତୀକ । ଆମମାନଙ୍କୁ ଏହି ବୈଭବକୁ ସହିତ ମିଳିମିଶି ସୁରକ୍ଷିତ ଏବଂ ବିକଶିତ କରିବାକୁ ପଡ଼ିବ, ଆଗକୁ ଆହୁରି ସମୃଦ୍ଧ କରିବାକୁ ହେବ । ଏବେ ଆମେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏଠାରେ ଭାରତ ଆନ୍ତର୍ଜାତିକ ବୌଦ୍ଧ ସସ୍କୃତି ଓ ଐତିହ୍ୟ କେନ୍ଦ୍ରର ଶିଳାନ୍ୟାସ କରିଛୁ । ଏହାର ନିର୍ମାଣ ଭାରତ ଅନ୍ତରାଷ୍ଟ୍ରୀୟ ବୌଦ୍ଧ ମହାସଂଘ ଦ୍ୱାର ସଂପାଦିତ ହେବ । ଆମ ସହଯୋଗରେ ଏହି ଦଶକରେ ପୁରାତନ ସ୍ୱପ୍ନକୁ ସାକାର କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ଦେଉବାଜୀଙ୍କର ବିଶେଷ ଯୋଗଦାନ ରହିଛି । ଲୁମ୍ବିନି ଡେଭଲପମେଣ୍ଟ ଟ୍ରଷ୍ଟ୍ର ଅଧ୍ୟକ୍ଷ ହିସାବରେ ସେ ଆନ୍ତର୍ଜାତିକ ବୌଦ୍ଧ ମହାସଂଘକୁ ଏଥିପାଇଁ ଭୂମି ପ୍ରଦାନ କରିବାର ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏବେ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାରେ ସୁଦ୍ଧା ତାଙ୍କର ପୂର୍ଣ୍ଣ ସହଯୋଗ ଆମକୁ ମିଳିପାରୁଛି । ଏଥିପାଇଁ ଆମେ ସଭିଏଁ ହୃଦୟର ସହିତ ତାଙ୍କ ନିକଟରେ କୃତଜ୍ଞ । ମୁଁ ଅତ୍ୟନ୍ତ ଖୁସି ଯେ ନେପାଳ ସରକାର, ବୁଦ୍ଧ ସର୍କିଟ ଏବଂ ଲୁମ୍ବିନୀର ବିକାଶ ନିମନ୍ତେ ସକଳ ପ୍ରକାର ପ୍ରୟାସରେ ସହଯୋଗ ଯୋଗାଇ ଆସୁଛନ୍ତି । ବିକାଶର ସମସ୍ତ ସମ୍ଭାବନାକୁ ମଧ୍ୟ ସାକାର କରିବାରେ ନିୟୋଜିତ ଅଛନ୍ତି । ନେପାଳରେ ଲୁମ୍ବିନୀ ସଂଗ୍ରହାଳୟ ନିର୍ମାଣ ମଧ୍ୟ ଦୁଇ ଦେଶର ଘନିଷ୍ଠ ସହଯୋଗର ଏକ ବଳିଷ୍ଠ ଉଦାହରଣରେ ପରିଣତ ହୋଇଛି । ଏବଂ ଆଜି ଆମେ ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟରେ ଡକ୍ଟର ବାବାସାହେବ ଆମ୍ବେଦକର ଚେୟାର ଫର୍‌ ବୁଦ୍ଧିଷ୍ଟ ଷ୍ଟଡିଜ୍‌ ସ୍ଥାପନ କରିବାର ସିଦ୍ଧାନ୍ତ ଗ୍ରହଣ କରିଛୁ ।

ସାଥୀଗଣ,

ଭାରତ ଏବଂ ନେପାଳର ଅନେକ ତୀର୍ଥସ୍ଥଳୀ ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା, ସଂସ୍କୃତି ଏବଂ ଜ୍ଞାନର ବିଶାଳ ପରମ୍ପରାକୁ ଗତି ପ୍ରଦାନ କରିଆସିଛି । ଆଜି ସୁଦ୍ଧା ଏହିସବୁ ତୀର୍ଥସ୍ଥଳୀକୁ ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତିବର୍ଷ ଆକର୍ଷିତ ହୋଇ ଆସୁଛନ୍ତି । ଆମକୁ ଭବିଷ୍ୟତରେ ନିଜର ଏହି ପ୍ରୟାସକୁ ଆହୁରି ଗତି ପ୍ରଦାନ କରିବାକୁ ପଡ଼ିବ । ଆମ ଦୁଇ ଦେଶର ସରକାର ଭୈରହବା ଏବଂ ସୋନୌଲୀରେ ସମନ୍ୱିତ ଚେକ୍‌ ପୋଷ୍ଟ୍‌ ସ୍ଥାପନ କରିବା ନିମନ୍ତେ ସିଦ୍ଧାନ୍ତ କରିଛନ୍ତି । ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ଏହି ପୋଷ୍ଟଗୁଡ଼ିକ ନିର୍ମିତ ହେବା ପରେ ସୀମାରେ ଲୋକମାନଙ୍କ ଆତଯାତ ନିମନ୍ତେ ଆହୁରି ଅଧିକ ସୁବିଧା ଉପଲବ୍ଧ ହୋଇପାରିବ । ଭାରତକୁ ଆସୁଥିବା ଆନ୍ତର୍ଜାତିକ ପର୍ଯ୍ୟଟକ ଅଧିକ ସହଜରେ ନେପାଳ ଭ୍ରମଣରେ ଆସିପାରିବେ । ଏହା ସହିତ, ଏଭଳି ଚେକ୍‌ ପୋଷ୍ଟ ସ୍ଥାପନ ଦ୍ୱାରା ବ୍ୟାପାର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ମଧ୍ୟ ଗତି ମିଳିପାରିବ । ଭାରତ ଏବଂ ନେପାଳ, ଉଭୟ ଦେଶ ମଧ୍ୟରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଏଭଳି ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଆମର ଏହି ପ୍ରୟାସର ଲାଭ ଉଭୟ ଦେଶର ନାଗରିକମାନଙ୍କୁ ମିଳିପାରିବ ।

ସାଥୀଗଣ,

ଭାରତର ନେପାଳ- ବିଚ କୋ ସମ୍ବନ୍ଧ, ହିମାଳ ସସ୍ତୈ ଅଟଳ ଛ, ର ହିମାଳ ଜତ୍ତିକୈ ପୁରାନୋ ଛ ।

ଆମକୁ ନିଜର ଏହି ସ୍ୱାଭାବିକ ଏବଂ ନୈସର୍ଗିକ ମାର୍ଗକୁ ହିମାଳୟ ଭଳି ନୂଆ ଉଚ୍ଚତା ଦେବାକୁ ପଡ଼ିବ । ଖାଦ୍ୟପେୟ, ଗୀତ- ସଙ୍ଗୀତ, ପର୍ବପର୍ବାଣୀ, ମେଳା ମଉଚ୍ଛବ ଏବଂ ରୀତିନୀତିଠାରୁ ନେଇ ପାରିବାରିକ ସମ୍ବନ୍ଧ ପର୍ଯ୍ୟନ୍ତ ଯେଉଁ ନିବିଡ଼ତା ଆମମାନଙ୍କ ଭିତରେ ଦୀର୍ଘ ବର୍ଷ ଧରି ରହିଆସିଛି, ଏବେ ତାହାକୁ ବିଜ୍ଞାନ, ପ୍ରଯୁକ୍ତି ଏବଂ ଇନଫ୍ରାଷ୍ଟକଚର ଭଳି ନୂଆ ନୂଆ କ୍ଷେତ୍ର ସହିତ ସଂଯୋଗ କରିବାକୁ ପଡ଼ିବ । ମୁଁ ଏକଥା ଜାଣି ସନ୍ତୋଷ ବ୍ୟକ୍ତ କରୁଛି ଯେ ଏହି ଦିଗରେ ଭାରତ, ନେପାଳ ସହିତ କାନ୍ଧକୁ କାନ୍ଧ ମିଳାଇ କାମ କରିଚାଲିଛି । ଲୁମ୍ବିନୀ ବୁଦ୍ଧିଷ୍ଟ ୟୁନିଭର୍ସିଟି, କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ଏବଂ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ସହିତ ଭାରତର ସହଯୋଗ ଏବଂ ପ୍ରୟାସକୁ ଏହାର ଏକ ବଡ଼ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । ମୁଁ ଏହି କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗକୁ ବିସ୍ତାର କରିବା ନିମନ୍ତେ ଆହୁରି ଅନେକ ବଡ଼ ବଡ଼ ସମ୍ଭାବନା ଥିବାର ଲକ୍ଷ୍ୟ କରିପାରୁଛି । ଆମେମାନେ ଏହିସବୁ ସମ୍ଭାବନାଗୁଡ଼ିକୁ ଏବଂ ଭାରତ- ନେପାଳ ସ୍ୱପ୍ନକୁ ସାଥିରେ ନେଇ ଅବଶ୍ୟ ସାକାର କରିବା । ଆମର ସକ୍ଷମ ଯୁବଗୋଷ୍ଠୀ ସଫଳତାର ଶିଖର ଦିଗରେ ଅଗ୍ରସର ହୋଇ ସମଗ୍ର ବିଶ୍ୱରେ ବୁଦ୍ଧଙ୍କ ବାଣୀର ସନ୍ଦେଶବାହକ ହେବେ ।

ସାଥୀଗଣ,

ଭଗବାନ ବୁଦ୍ଧଙ୍କ ମୁଖ ନିସୃତ ବାଣୀ ହେଲା – ସୁପ୍ପବୁଦ୍ଧଂ ପବୁଜ୍ଝନ୍ତି, ସଦା ଗୋତମ-ସାମକା ୟେସଂ ଦିବା ଚ ରତ୍ତୋ ଚ, ଭାବନାୟେ ତୋ ମନୋ । । ଅର୍ଥାତ୍‌, ଯେଉଁ ବ୍ୟକ୍ତି ସଦାସର୍ବଦା ମୈତ୍ରୀ ଭାବନାର ସହ, ସଦ୍ଭାବନାରେ ଲିପ୍ତ ରହିଥାଏ, ଗୌତମଙ୍କର ସେହି ଅନୁଗାମୀ ସଦାସର୍ବଦା ଜାଗ୍ରତ ରହିଥାଏ । ଏହାର ତାତ୍ପର୍ଯ୍ୟ ହେଲା, ସେହି ବ୍ୟକ୍ତି ହିଁ ବୁଦ୍ଧଙ୍କର ବାସ୍ତବିକ ଅନୁଯାୟୀ ଅଟନ୍ତି । ଏହି ଭାବନାକୁ ନେଇ ଆଜି ଆମେ ସମଗ୍ର ମାନବ ସମାଜ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଏହି ଭାବନାକୁ ନେଇ ଆମକୁ ସଂସାରରେ ମୈତ୍ରୀ ଭାବକୁ ମଜଭୁତ କରିବାକୁ ହେବ ।

ଭାରତର ନେପାଳ- ବିଚ- କୋ ମିତ୍ରତାଲେ, ଯଓ ମାନବୀୟ ସଂକଳ୍ପ ଲାଇ ପୁରା ଗର୍ନ ଯସୈ ଗରୀ ମିଲେର କାମ, ଗରିରହନେ କୁରାମା, ମଲାଇ ପୂର୍ଣ୍ଣ ବିଶ୍ୱାସ ଛ ।

ଏହି ଭାବନାର ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ବୈଶାଖ ପୂର୍ଣ୍ଣିମାର ଅନେକ ଅନେକ ଶୁଭକାମନା ।

ନମୋ ବୁଦ୍ଧାୟ!

ନମୋ ବୁଦ୍ଧାୟ!

ନମୋ ବୁଦ୍ଧାୟ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action