ଭାରତକୁ ବିଶ୍ୱର ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ‘ହବ୍’ କରିବାକୁ ୨,୩୦,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଗାଇଦେବେ ସରକାର
ସେମିକଣ୍ଡକ୍ଟରର ବିକାଶ ଏବଂ ଡିସ୍ପ୍ଲେ ସାମଗ୍ରୀ ଉତ୍ସାଦନ ପାଇଁ ଭାରତରେ ବ୍ୟୟ ହେବ ୭୬୦୦୦ କୋଟି ଟଙ୍କା (୧୦ ବିଲିୟନ୍ ଆମେରିକୀୟ ଡଲାର)
ଦେଶରେ ଗଠିତ ହେବ ସେମିକଣ୍ଡକ୍ଟର ମିଶନ

ଆତ୍ମନିର୍ଭର ଭାରତ ନିର୍ମାଣ ଅଭିଯାନର ଅଂଶସ୍ୱରୂପ ଦେଶରେ ସେମିକଣ୍ଡକ୍ଟରର ବିକାଶ ସହିତ ଡିସ୍ପ୍ଲେ ଭଳି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ବଢ଼ାଇ ଏଥିରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନରେ ଭାରତକୁ ବିଶ୍ୱର ଉତ୍ପାଦନ ହବ୍ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ କରିଛି ।

 

କ୍ୟାବିନେଟର ଅନୁମୋଦିତ ପ୍ରସ୍ତାବ ଅନୁସାରେ ଏହି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ୨,୩୦,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ସଂପୃକ୍ତ ଉତ୍ପାଦକଙ୍କୁ ଯୋଗାଇଦେବେ । ଏଥିପାଇଁ ୭୬,୦୦୦ କୋଟି ଟଙ୍କା ବା ପ୍ରାୟ ୧୦ ବିଲିୟନ ଡଲାର ଆମେରିକୀୟ ମୁଦ୍ରା ବ୍ୟୟ କରାଯାଇ ଆବଶ୍ୟକ ପରିବେଶ ସୃଷ୍ଟି କରାଯିବ । ସେମିକଣ୍ଡକ୍ଟରର ମାନ ବୃଦ୍ଧି ସହିତ ଏହାର ଉତ୍ପାଦନ ବଢ଼ାଇବା ପାଇଁ ଦେଶରେ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିବାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି ।

 

ଏହି ପ୍ରସ୍ତାବ ଅନୁମୋଦନର ଲକ୍ଷ୍ୟ ହେଲା ଭାରତରେ ଉନ୍ନତମାନ ଅଧିକ କାଳ ତିଷ୍ଠୁଥିବା ସେମିକଣ୍ଡକ୍ଟର ତଥା ବିଭିନ୍ନ ପ୍ରକାରର ଡିସ୍ପ୍ଲେ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ବୃଦ୍ଧି କରି ଏହାକୁ ଏକ ଆନ୍ତର୍ଜାତିକ ହବ୍‌ରେ ପରିଣତ କରିବା । ଏଥିପାଇଁ ଉତ୍ତମ ଉତ୍ପାଦନ ପରିବେଶ ସୃଷ୍ଟି କରିବାକୁ ସରକାର ଉତ୍ପାଦକ ଓ ନିବେଶକମାନଙ୍କୁ ବିଶ୍ୱସ୍ତରୀୟ ପ୍ରୋତ୍ସାହନ ତଥା ସୁବିଧା ସୁଯୋଗ ଯୋଗାଇଦେବେ । ଏସବୁ ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହିତ ଆର୍ଥିକ ଦୃଷ୍ଟିରୁ ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ପ୍ରଦାନ କରିବାକୁ ସରକାର ସେମିକଣ୍ଡକ୍ଟର ଅଭିଯାନ ମଧ୍ୟ ଆରମ୍ଭ କରିବେ । କେବଳ ଉତ୍ପାଦନ ନୁହେଁ ଏସବୁ ସାମଗ୍ରୀର ଡିଜାଇନ ମଧ୍ୟ ଭାରତରେ ତିଆରି କରାଯାଇ ନୂଆ ଯୁଗର ଆବଶ୍ୟକତାକୁ ପୂରଣ କରାଯିବ ।

 

ଉଦ୍ୟୋଗ ୪.୦ ଯୋଜନାରେ ସରକାର ଯେଉଁ ଡିଜିଟାଲ ଟ୍ରାନ୍ସଫରମେସନ ଲକ୍ଷ୍ୟ ରଖିଛନ୍ତି ସେହି ପର୍ଯ୍ୟାୟର ଶିଳ୍ପାୟନରେ ଉତ୍ତମମାନର ସେମିକଣ୍ଡକ୍ଟର ଓ ଆଧୁନିକ ଇଲେକଟ୍ରୋନିକ୍ସ ସାମଗ୍ରୀର ଗୁରୁତ୍ୱ ବହୁ ଅଧିକ । ସେମିକଣ୍ଟକ୍ଟର ଓ ଡିସ୍ପ୍ଲେ ସାମଗ୍ରୀର ନିର୍ମାଣ ଅତ୍ୟନ୍ତ ଜଟିଳ ତଥା ଏହା ଏକ ପ୍ରଯୁକ୍ତିସଘନ କ୍ଷେତ୍ର । ଏଥିପାଇଁ ବିପୁଳ ପୁଂଜିନିବେଶର ଆବଶ୍ୟକତା ରହିଥିବାବେଳେ ଉତ୍ପାଦନ ପାଇଁ ଅଧିକ ସମୟ ଲାଗିଥାଏ । ଏହି ଉଦ୍ୟୋଗରେ ମଧ୍ୟ କ୍ଷତିର ଆଶଙ୍କା ଅଧିକ । ଏହାକୁ ସାମଗ୍ରୀର ଟେକ୍ନୋଲୋଜି ଅତି ଶୀଘ୍ର ବଦଳୁଥିବାରୁ ସମୟ ସହିତ ତାଳ ଦେଇ ଆଗେଇବାକୁ ପଡିଥାଏ । ତେଣୁ ପୁଂଜିନିବେଶ କରିବାମାତ୍ରେ ଶୀଘ୍ର ଉତ୍ପାଦନ ଓ ଲାଭ ଏହି କ୍ଷେତ୍ରରୁ ମିଳିନଥାଏ । ସେଥିପାଇଁ ଏହି ଉଦ୍ଦେଶ୍ୟରେ ନିରନ୍ତର ପୁଂଜିନିବେଶର ଆବଶ୍ୟକତା ରହିଛି ।

 

ତଥାପି ସରକାର ଏହି ଉଦ୍ୟୋଗ ପାଇଁ ବିପୁଳ ପ୍ରୋତ୍ସାହନ ରାଶି ଓ ନିବେଶର ବ୍ୟବସ୍ଥା କରିଥିବାରୁ ଏହାର ଲକ୍ଷ୍ୟ ପୂରଣ ସହଜ ହେବ । ଏହା ବ୍ୟତୀତ ସରକାର ଏଥିପାଇଁ ମଧ୍ୟ ପୁଂଜି ଓ ପ୍ରଯୁକ୍ତି ସହାୟତା ଯୋଗାଇବେ । ଏସବୁ ପଦକ୍ଷେପ ଫଳରେ ଦେଶ ସେମିକଣ୍ଡକ୍ଟର, ଡିସ୍ପ୍ଲେ ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହିତ ଭାରତ ଏହାର ଏକ ଆନ୍ତର୍ଜାତିକ ଉତ୍ପାଦନ ହବ୍ ପାଲଟିବ ବୋଲି ଆଶା କରାଯାଉଛି । ବୈଷୟିକ ସହଯୋଗ ପାଇଁ ମଧ୍ୟ ସରକାର ଆଗ୍ରହୀ କଂପାନୀ ସମୂହଙ୍କୁ ସୁବିଧା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ।

 

ସିଲିକନ୍ ସେମିକଣ୍ଡକ୍ଟର ଫ୍ୟାବ୍ସ, ଡିସ୍ପ୍ଲେ ଫ୍ୟାବ୍ସ, କଂପାଉଣ୍ଡ ସେମିକଣ୍ଡକ୍ଟର/ସିଲିକନ ଫଟୋନିକ୍ସ/ସେନ୍ସର/ଏମ୍ଇଏମ୍ଏସ୍ ସେମିକଣ୍ଡକ୍ଟର ଫ୍ୟାବ୍ସ ଜି (ଏଟିଏମପି/ଓଏସଟି) ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଆଦି ତିଆରି କରୁଥିବା କଂପାନୀ ଏବଂ କନେସାଟିୟମଗୁଡ଼ିକୁ ସରକାର ଏ ଦିଗରେ ଆକର୍ଷଣୀୟ ପ୍ରୋତ୍ସାହନ ରାଶି ଯୋଗାଇବେ ।

 

ସରକାର ଏ କ୍ଷେତ୍ରରେ ଯେଉଁସବୁ ପ୍ରୋତ୍ସାହନ ଯୋଗାଇବେ ତାହା ନିମ୍ନରେ ପ୍ରଦାନ କରାଯାଇଛି ।

ସେମିକଣ୍ଡକ୍ଟର ଫ୍ୟାବ୍ସ ଓ ଡିସ୍ପ୍ଲେ ଫ୍ୟାବ୍ସ : ଏହି ଦୁଇ କ୍ଷେତ୍ରରେ ଭାରତରେ ଉଦ୍ୟୋଗ ସ୍ଥାପନ କଲେ ସଂପୃକ୍ତ ଉଦ୍ୟୋଗପତିଙ୍କୁ ପ୍ରକଳ୍ପ ମୂଲ୍ୟର ୫୦ ଟଙ୍କା ଯାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଯେଉଁ ଆବେଦନକାରୀଙ୍କ ପାଖରେ ଏଥିପାଇଁ ଟେକ୍ନୋଲୋଜି ଓ ସାମର୍ଥ୍ୟ ଥିବ ସେମାନଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ । ଭାରତ ସରକାର ଏଥିପାଇଁ  ରାଜ୍ୟ ସରକାରଙ୍କ ସହ  ନିବିଡ଼ ସଂପର୍କ ରଖି କାର୍ଯ୍ୟ କରିବେ । ଆଗ୍ରହୀ ଉଦ୍ୟୋକ୍ତାଙ୍କୁ ହାଇଟେକ୍ କ୍ଲଷ୍ଟରମାନ ସୃଷ୍ଟିକରି ଜମି, ଜଳ, ଉନ୍ନତମାନର ବିଜୁଳି, ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ, ଗବେଷଣା ସୁବିଧା ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦିଆଯିବ । ପ୍ରତ୍ୟେକ ଯୋଗ୍ୟ ଆବେଦନକାରୀଙ୍କୁ ଦେଶରେ ଅତିକମରେ ଦୁଇଟି ଲେଖାଏଁ ସଂପୂର୍ଣ୍ଣ ନୂଆ ସେମିକଣ୍ଡକ୍ଟର ଓ ଡିସ୍ପ୍ଲେ ଫ୍ୟାବ୍ସ ନିର୍ମାଣ କରିବାକୁ ଅନୁମତି ଦିଆଯିବ ।

 

ସେମିକଣ୍ଡକ୍ଟର ଲ୍ୟାବ : କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସେମିକଣ୍ଡକ୍ଟର ଲାବରେଟରୀର ଆଧୁନିକୀକରଣ ଓ ବ୍ୟାବସାୟୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିବ । ଏହି କାର୍ଯ୍ୟରେ ଯୋଗ୍ୟ ଅଂଶୀଦାର ବାଛିବାକୁ ମଧ୍ୟ ମନ୍ତ୍ରଣାଳୟକୁ କ୍ଷମତା ପ୍ରଦାନ କରାଯାଇଛି ।

 

କଂପାଉଣ୍ଡ ସେମିକଣ୍ଡକ୍ଟର/ସିଲିକନ ଫଟୋନିକ୍ସ/ସେନ୍ସର ଫ୍ୟାବ୍ସ ଓ ସେମିକଣ୍ଡକ୍ଟର ଏଟିଏମ୍ପି/ଓଏସ୍ଏଟି ୟୁନିଟ୍ :  ଏ କ୍ଷେତ୍ରରେ ସରକାରୀ ଅନୁମୋଦନ ପାଇଥିବା   ୟୁନିଟ୍ ବା ଉଦ୍ୟୋଗଗୁଡ଼ିକୁ ସରକାର ପୁଂଜିଗତ ବ୍ୟୟ (କ୍ୟାପିଟାଲ ଏକ୍ସପେଣ୍ଡିଚର)ର ୩୦ ଶତାଂଶ ପର୍ଯ୍ୟନ୍ତ ଅର୍ଥ ପ୍ରୋତ୍ସାହନ ଆକାରରେ ଯୋଗାଇ ଦେବେ । ଏହି ଯୋଜନାରେ ଦେଶରେ ଅତିକମ୍ରେ ୧୫ଟି କମ୍ପାଉଣ୍ଡ ସେମିକଣ୍ଡକ୍ଟର ଓ ସେମିକଣ୍ଡକ୍ଟର ଫ୍ୟାବ୍ସଜି ୟୁନିଟ ସ୍ଥାନପ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

 

ସେମିକଣ୍ଡକ୍ଟର ଡିଜାଇନ୍ କଂପାନୀ : ଡିଜାଇନ୍ ଭିତ୍ତିକ ପ୍ରୋତ୍ସାହନ (ଡିଏଲ୍ଆର) ଯୋଜନାରେ  ସେମିକଣ୍ଡକ୍ଟର ଡିଜାଇନ କଂପାନୀଗୁଡ଼ିକୁ ଯଥାଯଥ ଖର୍ଚ୍ଚର ୫୦ ଶତାଂଶ ପର୍ଯ୍ୟନ୍ତ ଅର୍ଥ ସହାୟତା ମିଳିବ । ଏହାଛଡ଼ା ସାମଗ୍ରୀ ବିକି୍ର କ୍ଷେତ୍ରରେ ନିଟ୍ ବିକି୍ର ଉପରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ୬ ରୁ ୪ ଶତାଂଶ ଯାଏ ପ୍ରୋତ୍ସାହନ ଅର୍ଥ ସରକାର ଯୋଗାଇଦେବେ । ଏ କ୍ଷେତ୍ରରେ ୧୦୦ଟି ଘରୋଇ କମ୍ପାନୀକୁ ଇଣ୍ଟିଗ୍ରେଟେଡ୍ ସର୍କିଟ୍, ଚିପ୍‌ସେଟସ, ଏସ୍ଓସିଏସ୍ ଓ ଅନ୍ୟାନ୍ୟ ସେମିକଣ୍ଡକ୍ଟର କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଯେଉଁ ୨୦ଟି ଏଭଳି କଂପାନୀ ୧୫୮୦ କୋଟି ଟଙ୍କାରୁ ଅଧିକ କାରବାର କରିବେ ସେମାନଙ୍କ ପାଇଁ ମଧ୍ୟ ପ୍ରଡକ୍ଟ ଡିଜାଇନରେ ପ୍ରୋତ୍ସାହନ ଯୋଗାଣର ବ୍ୟବସ୍ଥା ହୋଇଛି ।

 

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ :  ସେମିକଣ୍ଡକ୍ଟର ଓ ଡିସ୍ପ୍ଲେ ଆଦି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ଦେଶରେ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସ୍ୱତନ୍ତ୍ର ଭାବେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସ୍ଏମ୍) ଗଠନ କରାଯିବ । ସଂପୃକ୍ତ କ୍ଷେତ୍ରର ବିଶ୍ୱସ୍ତରୀୟ ବିଶେଷଜ୍ଞ ଓ ଉଦ୍ୟୋଗସମୂହ ଏହାର ନେତୃତ୍ୱ ନେବେ । ଏହି ମିଶନ ଏ କ୍ଷେତ୍ରରେ ନୋଡାଲ ଏଜେନ୍ସି ଭାବେ କାମ କରିବ ।

 

ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ କ୍ଷେତ୍ରପାଇଁ ବିତ୍ତୀୟ ସହାୟତା ବ୍ୟବସ୍ଥା : ଏହି ଦୁଇ କ୍ଷେତ୍ରପାଇଁ ସରକାର ଆର୍ଥôକ ସହାୟତା ଓ ସମର୍ଥନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଉଦ୍ୟୋଗ ପାଇଁ ୭୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଯାହାର ପରିମାଣ ଆମେରିକୀୟ ମୁଦ୍ରାରେ ୧୦ ବିଲିୟନ ଡଲାର । ଯୋଗାଣ ବ୍ୟବସ୍ଥାର ପ୍ରତ୍ୟେକ ଅଂଶ ନିମନ୍ତେ ସରକାର ଆର୍ଥିକ ସମର୍ଥନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିରେ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ, ସବ୍ଆସେମ୍ବ୍ଲି ଓ ଫିନିସଗୁଡ୍ସ ଅନ୍ତର୍ଭୁକ୍ତ । ବୃହତ୍ ଇଲେକଟ୍ରୋନିକ୍ସ ଉଦ୍ୟୋଗ ପାଇଁ ପିଏଲ୍ଆର ଯୋଜନାରେ ୫୫,୩୯୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଣର ବ୍ୟବସ୍ଥା କରାଯାଇଛି । ଏସିସି ବ୍ୟାଟେରୀ, ଅଟୋ କଂପୋନେଟ୍, ଟେଲିକମ୍ ଓ ନେଟ୍ୱାର୍କିଂ ସାମଗ୍ରୀ, ସୋଲାର ପିଭି ମଡ୍ୟୁଲ୍ସ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କ୍ଷେତ୍ରରେ ୯୮ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପିଏଲ୍ଆର ଯୋଜନାରେ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ।

 

ଭାରତ ସରକାର ମୋଟାମୋଟି ଭାବେ ଦେଶରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉଦ୍ୟୋଗର ବିକାଶ ପାଇଁ ୨୩୦,୦୦୦ କୋଟି ଟଙ୍କାର ସହାୟତା ରାଶି ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି ।

ବର୍ତ୍ତମାନର ବିଶ୍ୱ ଓ ଆଞ୍ଚଳିକ ରାଜନୀତି ପରିପ୍ରେକ୍ଷୀରେ ଦେଶର ସୂଚନା ଭିତ୍ତିଭୂମିର ସ୍ୱାଧୀନତା ଓ ଆତ୍ମନିର୍ଭରଶୀଳତା ବିଶେଷ ଗୁରୁତ୍ୱ ରଖେ । ଏଥିପାଇଁ ସେମିକଣ୍ଡକ୍ଟର, ଚିପ୍ସ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଗୁରୁତ୍ୱ ଅଧିକ ।  ଏ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆଗ୍ରହୀ । ଭାରତକୁ ଏସବୁ ସାମଗ୍ରୀର ଏକ ବୈଶ୍ୱିକ ହବରେ ପରିଣତ କରି ସରକାର ଏହାର ଆର୍ଥିକ ଲାଭ ଉଠାଇବାକୁ ଚାହୁଛନ୍ତି । ଏହା ମଧ୍ୟ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ।  ଭାରତ ମଧ୍ୟ ଆନ୍ତର୍ଜାତିକ ଯୋଗାଣ ବ୍ୟବସ୍ଥାରେ ସାମିଲ ହୋଇ ଏ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ନେବ ।

୨୦୨୫ ସୁଦ୍ଧା ଏକ ଟ୍ରିଲିୟନ୍ ଡିଜିଟାଲ ଅର୍ଥନୀତି ସହିତ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବାକୁ ଭାରତ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ଏହା ପୂରଣ କରିବାରେ  ବିଶେଷ ସହାୟକ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From strategic partnership upgrade to defence roadmap: Key outcomes of PM Modi–Meloni meeting in Rome

Media Coverage

From strategic partnership upgrade to defence roadmap: Key outcomes of PM Modi–Meloni meeting in Rome
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 21, 2026
May 21, 2026

Appreciation by Citizens on Leadership That Delivers: PM Modi's Journey of Development, Diplomacy & Farmer-First Progress