#MannKiBaat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଜ୍ଞାନ ଓ ଗୁରୁ ଅତୁଳନୀୟ, ଅମୂଲ୍ୟ । ମା’ଙ୍କ ବ୍ୟତୀତ ଶିକ୍ଷକମାନେ ହିଁ ପିଲାମାନଙ୍କ ଚିନ୍ତାଧାରାକୁ ଠିକ୍ ଦିଗଦର୍ଶନ ଦେବାର ଦାୟିତ୍ୱ ତୁଲାଇଥାନ୍ତି ଏବଂ ଯାହାର ସର୍ବାଧିକ ପ୍ରଭାବ ଜୀବନ ସାରା ଦେଖିବାକୁ ମିଳିଥାଏ :#MannKiBaat ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
କେରଳରେ ପ୍ରବଳ ବନ୍ୟା ସାଧାରଣ ଜୀବନକୁ ଅତି ମାତ୍ରାରେ ପ୍ରଭାବିତ କରିଛି । ଆଜି ଏହି ପ୍ରତିକୂଳ ପରିସ୍ଥିତିରେ ସାରା ଦେଶ କେରଳ ପଛରେ ରହିଛି :#MannKiBaat ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଯେଉଁ ଦୁର୍ଦ୍ଦଶା ଛାଡ଼ିଯାଇଥାଏ ତାହା ତ ଦୁର୍ଭାଗ୍ୟପୂର୍ଣ୍ଣ କିନ୍ତୁ ଏଭଳି ସମୟରେ ଆମକୁ ମାନବିକତା ମଧ୍ୟ ଦେଖିବାକୁ ମିଳେ :#MannKiBaat ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
ଆମ ସଶସ୍ତ୍ର ବାହିନୀର ଯବାନମାନେ କେରଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ନାୟକ । ସେମାନେ ବନ୍ୟାଂଚଳରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାରେ କିଛି ଊଣା ରଖିନାହାନ୍ତି : #MannKiBaat ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
NDRFର କ୍ଷମତା ସେମାନଙ୍କ ପ୍ରତିବଦ୍ଧତା ଏବଂ ତୁରନ୍ତ ନିଷ୍ପତି ଗ୍ରହଣ କରି ପରିସ୍ଥିତିକୁ ସମ୍ଭାଳିବାର ପ୍ରଚେଷ୍ଟା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି : #MannKiBaat ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
ଅଗଷ୍ଟ 16 ତାରିଖ ଦିନ ଦେଶ ଦୁନିଆର ଲୋକ ଅଟଳଜୀଙ୍କ ପରଲୋକ ଖବର ଶୁଣି ଶୋକଗ୍ରସ୍ତ ହୋଇଯାଇଥିଲେ । ସେ ଜଣେ ରାଷ୍ଟ୍ରନେତା ଥିଲେ ଯିଏ 14 ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିସାରିଥିଲେ :#MannKiBaat ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଅଟଳଜୀଙ୍କ ପାଇଁ ଯେଉଁ ସ୍ନେହ, ଶ୍ରଦ୍ଧା ଏବଂ ଶୋକର ଭାବ ସମଗ୍ର ଦେଶରେ ଦେଖାଯାଇଥିଲା ତାହା ତାଙ୍କର ବିଶାଳ ବ୍ୟକ୍ତିତ୍ୱକୁ ଦର୍ଶାଏ :#MannKiBaat ପ୍ରଧାନମନ୍ତ୍ରୀ ମୋଦୀ
ଦେଶ ଅଟଳଜୀଙ୍କୁ ଉତ୍ତମ ସାଂସଦ, ସମ୍ବେଦନଶୀଳ ଲେଖକ, ଶ୍ରେଷ୍ଠ ବକ୍ତା, ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରୂପେ ସର୍ବଦା ସ୍ମରଣ କରିବ :#MannKiBaat ପ୍ରଧାନମନ୍ତ୍ରୀ ମୋଦୀ
ସୁଶାସନ ଅର୍ଥାତ Good Governance କୁ ମୁଖ୍ୟ ଧାରାକୁ ଆଣିବା ପାଇଁ ଏହି ଦେଶ ସର୍ବଦା ଅଟଳଜୀଙ୍କଠାରେ ଋଣୀ ହୋଇ ରହିବ : #MannKiBaat ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଅଟଲଜୀ ଜଣେ ସଚ୍ଚା ଦେଶଭକ୍ତ ଥିଲେ : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
‘ଆଉ ଏକ ସ୍ୱାଧୀନତା’କୁ ଅଟଲଜୀଙ୍କ ଶାସନ କାଳରେ ଭାରତୀୟ ପତାକା ସଂହିତା (Indian Flag Code) କରାଗଲା ଏବଂ 2002ରେ ଏହାକୁ ଆଇନସମ୍ମତ କରିଦିଆଗଲା :#MannKiBaat ରେ ପ୍ରଧାନମନ୍ତ୍ରୀ
ସଂସଦର ଏହି ମୌସୁମୀ ଅଧିବେଶନ ସାମାଜିକ ନ୍ୟାୟ ଓ ଯୁବକମାନଙ୍କର କଲ୍ୟାଣକାରୀ ଅଧିବେଶନ ଭାବରେ ସର୍ବଦା ସ୍ମରଣୀୟ ହୋଇରହିବ :#MannKiBaat ରେ ପ୍ରଧାନମନ୍ତ୍ରୀ
ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିମାନଙ୍କର ଅଧିକାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସଂଶୋଧନ ବିଲ୍ କୁ ପାସ କରିବାର କାର୍ଯ୍ୟ ମୌସୁମୀ ଅଧିବେଶନରେ ହେଲା: #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ
ଭାରତର ଖେଳାଳିମାନେ ବିଶେଷତଃ ବନ୍ଧୁକଚାଳନା ଓ କୁସ୍ତିରେ ତ ଉତ୍କୃଷ୍ଟ ପ୍ରଦର୍ଶନ କରୁଅଛନ୍ତି କିନ୍ତୁ ଆମ ଖେଳାଳିମାନେ ସେହି ଖେଳଗୁଡ଼ିକରେ ମଧ୍ୟ ପଦକ ଜିତୁଛନ୍ତି, ଯେଉଁ ଖେଳଗୁଡ଼ିକରେ ପୂର୍ବରୁ ଆମର ପ୍ରଦର୍ଶନ ସେତେ ଭଲ ନ ଥିଲା : #MannKiBaat ରେ ପ୍ରଧାନମନ୍ତ୍ରୀ
ଦେଶ ପାଇଁ ପଦକ ବିଜେତାମାନଙ୍କ ମଧ୍ୟରେ ବହୁସଂଖ୍ୟାରେ ଆମ ବାଳିକାମାନେ ସାମିଲ ଅଛନ୍ତି ଏବଂ ଏହା ଏକ ସକାରାତ୍ମକ ସଂକେତ ଏବଂ ଏହା ମଧ୍ୟ ଏକ ଶୁଭସଂକେତ ଯେ ଯେଉଁ ଖେଳାଳିମାନେ ପଦକ ଜିତିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ସାହି-ବସ୍ତି ଓ ଗାଁର ବାସିନ୍ଦା : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ
ମୁଁ ଦେଶର ସମସ୍ତ ନାଗରିକମାନଙ୍କୁ ନିବେଦନ କରୁଛି ଯେ ସେମାନେ ନିଶ୍ଚିତ ଭାବେ ଖେଳନ୍ତୁ ଏବଂ ନିଜର ଫିଟନେସ ପ୍ରତି ଧ୍ୟାନ ରଖନ୍ତୁ କାରଣ ସୁସ୍ଥ ଭାରତ ହିଁ ଏକ ପୂର୍ଣ୍ଣାଙ୍ଗ ଏବଂ ସମୃଦ୍ଧ ଭାରତ ନିର୍ମାଣ କରିପାରିବ :#MannKiBaat ରେ ପ୍ରଧାନମନ୍ତ୍ରୀ
" ଭାରତରେ ଏଭଳି ଇଞ୍ଜିନିୟର ଜନ୍ମ ନେଇଥିଲେ ଯେଉଁମାନେ ଅକଳ୍ପନୀୟକୁ କଳ୍ପନୀୟ କରି ଦେଖାଇଛନ୍ତି ଏବଂ ଇଞ୍ଜିନିୟରିଂ ଜଗତରେ ଚମତ୍କାର ଉଦାହରଣ ପ୍ରସ୍ତୁତ କରିଛନ୍ତି :#MannKiBaat ରେ ପ୍ରଧାନମନ୍ତ୍ରୀ "

•     ବନ୍ୟା ବିଭୀଷିକାରୁ ବାହାରି କେରଳ ପୁଣି ଠିଆହେବ

•     ପ୍ରଭାବିତଙ୍କ ପଛରେ 125 କୋଟି ଭାରତୀୟ

•     ରାଜନୈତିକ ସଂସ୍କୃତିରେ ସଂସ୍କାର ଆଣିଥିଲେ ବାଜପେୟୀ

•     ଓବିସି ଆୟୋଗ ଗଠନ ଏକ ମାଇଲଖୁଣ୍ଟ

•     ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ଲାଗି ସରକାର ପ୍ରତିବଦ୍ଧ

•     ଫଳପ୍ରଦ ମୌସୁମୀ ଅଧୀବେଶନ ଲାଗି ସବୁ ସାଂସଦଙ୍କୁ ଶ୍ରେୟ ଦେଲେ ପ୍ରଧାନମନ୍ତ୍ରୀ

•     ପ୍ରାଚୀନ ଭାରତଭୂମି ଥିଲା ଚମତ୍କାର ସ୍ଥାପତ୍ୟଇଞ୍ଜିନିୟରିଂର ପ୍ରୟୋଗଶାଳା

 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସମଗ୍ର ଦେଶ ରକ୍ଷାବନ୍ଧନର ପର୍ବ ପାଳନ କରୁଛି । ସମସ୍ତ ଦେଶବାସୀଙ୍କୁ ଏହି ପବିତ୍ର ପର୍ବ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା । ରକ୍ଷାବନ୍ଧନର ପର୍ବ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ । ଏହି ପର୍ବ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ମଧ୍ୟ ଗୋଟିଏ ବଡ଼ ଉଦାହରଣ ରୂପେ ରହିଆସିଛି । ଦେଶର ଇତିହାସରେ ଏଭଳି ଅନେକ କାହାଣୀ ରହିଛି,ଯେଉଁଥିରେ ଗୋଟିଏ ରକ୍ଷାସୂତ୍ର ଦୁଇଟି ଭିନ୍ନ ଭିନ୍ନ ରାଜ୍ୟ ବା ଧର୍ମର ଲୋକଙ୍କୁ, ଗୋଟିଏ ବିଶ୍ୱାସର ଡୋରିରେ ବାନ୍ଧି ଦେଇଛି । ମାତ୍ର କିଛିଦିନ ପରେ,ଜନ୍ମାଷ୍ଟମୀ ପର୍ବ ମଧ୍ୟ ପଡ଼ିବ । ସମଗ୍ର ବାତାବରଣ “ହାଥି, ଘୋଡ଼ା ପାଲ୍କି – ଜୟ କହ୍ନୈୟା ଲାଲକି”, “ଗୋବିନ୍ଦା ଗୋବିନ୍ଦା” ଜୟଧ୍ୱନିରେ ପ୍ରକମ୍ପିତ ହେବ । ଭଗବାନ ଶ୍ରୀକୃଷ୍ଣଙ୍କ ରଙ୍ଗରେ ରଙ୍ଗାୟିତ ହୋଇ ନାଚିବାର ଆନନ୍ଦ କିଛି ନିଆରା । ଦେଶର ଅନେକ ଭାଗରେ ଏବଂ ବିଶେଷକରି ମହାରାଷ୍ଟ୍ରରେ ଆମର ଯୁବବନ୍ଧୁମାନେ “ଦହି-ହାଣ୍ଡି” ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବେ । ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ।

ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାରଃ । ଅହମ୍ ଚିନ୍ମୟୀବେଙ୍ଗାଲୁରୁ ନଗରେ ବିଜୟଭାରତୀ ବିଦ୍ୟାଳୟେ ଦଶମ କକ୍ଷ୍ୟାୟାମ୍ ପଠାମି । ମହୋଦୟ,ଅଦ୍ୟ ସଂସ୍କୃତ ଦିନମସ୍ତି । ସଂସ୍କୃତଂ ଭାଷାଂ ସରଲାଇତି ସର୍ବେ ବଦନ୍ତି । ସଂସ୍କୃତଂ ଭାଷା ବୟମତ୍ର ବହଃ ବହଃ ଅତ୍ରଃ ସମ୍ଭାଷଣମପି କୁର୍ମଃ । ଅତଃ ସଂସ୍କୃତସ୍ୟ ମହତ୍ୱ ବିଷୟେ ଭବତଃ ଗହଃ ଅଭିପ୍ରାୟଃ ଇତି କୃପୟା ବଦନ୍ତୁ ।

ଭଗିନୀ ଚିନ୍ମୟୀ, ଭବତି ସଂସ୍କୃତ ପ୍ରଶ୍ନଂ ପୃଷ୍ଟବତୀ । ବହୁତମମ୍, ବହୁତମମ୍ … ଅହଂ ଭବତ୍ୟାଃ ଅଭିନନ୍ଦନଂ କରୋମି । ସଂସ୍କୃତ ସପ୍ତାହ ନିମିତଂ ଦେଶବାସିନାଂ ସର୍ବେଷାଂ କୃତେ ମମ ହାର୍ଦ୍ଦିକ ଶୁଭକାମନାଃ ।

ଚିନ୍ମୟୀ ଏ ବିଷୟ ଉତ୍ଥାପନ କରିଥିବାରୁ ମୁଁ ତାଙ୍କ ପ୍ରତି ବହୁତ କୃତଜ୍ଞତା ଜଣାଉଛି । ବନ୍ଧୁଗଣ, ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ପର୍ବ ବ୍ୟତୀତ ସଂସ୍କୃତ ଦିବସ ମଧ୍ୟ ପାଳନ କରାଯାଇଥାଏ । ଯେଉଁମାନେ ଏହି ମହାନ ସଂସ୍କୃତିକୁ ସୁରକ୍ଷିତ ରଖିବା, ଏହାକୁ ଆହୁରି ସୁନ୍ଦର କରିବା ଏବଂ ଜନସାଧାରଣଙ୍କ ନିକଟକୁ ପହଂଚାଇବାରେ ଲାଗିଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ପ୍ରତ୍ୟେକ ଭାଷାର ନିଜସ୍ୱ ମହାତ୍ମ୍ୟ ରହିଛି । ଏକଥାକୁ ନେଇ ଭାରତ ଗର୍ବ କରେ ଯେ,ତାମିଲ ଭାଷା ବିଶ୍ୱର ସର୍ବପୁରାତନ ଭାଷା । ତାଛଡ଼ା ଆମେ ସମସ୍ତ ଭାରତୀୟ ଏକଥାକୁ ନେଇ ମଧ୍ୟ ଗର୍ବ କରୁ ଯେ, ବୈଦିକ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂସ୍କୃତ ଭାଷା ମଧ୍ୟ ଜ୍ଞାନର ପ୍ରଚାର ପ୍ରସାରରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି ।

ଜୀବନର ପ୍ରତ୍ୟେକ କ୍ଷେତ୍ର ସହ ଜଡ଼ିତ ଜ୍ଞାନର ଭଣ୍ଡାର ସଂସ୍କୃତ ଭାଷା ଓ ଏହାର ସାହିତ୍ୟରେ ରହିଛି । ବିଜ୍ଞାନ ହେଉ ବା ତନ୍ତ୍ରଜ୍ଞାନ ହେଉ, କୃଷି ହେଉ ବା ସ୍ୱାସ୍ଥ୍ୟ ହେଉ, ଜ୍ୟୋତିର୍ବିଜ୍ଞାନ ହେଉ ବା ସ୍ଥାପତ୍ୟ ହେଉ, ଗଣିତ ହେଉ ବା ମେନେଜମେଂଟ ହେଉ, ଅର୍ଥଶାସ୍ତ୍ର କଥା ହେଉ କି ପରିବେଶ କଥା ହେଉ । କୁହାଯାଏ ଯେ, ବିଶ୍ୱ ଉତ୍ତାପନ(Global Warming)ର ଆହ୍ୱାନର ମୁକାବିଲା କରିବାର ମନ୍ତ୍ର ଆମ ବେଦମାନଙ୍କରେ ସୁବିସ୍ତୃତ ଭାବେ ଲେଖାହୋଇ ରହିଛି । ଆପଣମାନେ ଜାଣି ଖୁସିହେବେ ଯେ, କର୍ଣ୍ଣାଟକ ରାଜ୍ୟର ଶିବମୋଗା ଜିଲ୍ଲାର ମଟ୍ଟୁରଗାଁର ଲୋକମାନେ ଆଜି ମଧ୍ୟ କଥାବାର୍ତ୍ତା ପାଇଁ ସଂସ୍କୃତ ଭାଷା ହିଁ ବ୍ୟବହାର କରୁଛନ୍ତି ।

ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ସଂସ୍କୃତ ଏପରି ଏକ ଭାଷା, ଯେଉଁଥିରେ ଅସଂଖ୍ୟ ଶବ୍ଦର ସୃଷ୍ଟି ସମ୍ଭବ । ଦୁଇ ହଜାର ଧାତୁ । ଦୁଇଶହ ପ୍ରତ୍ୟୟ ଅର୍ଥାତ୍ ପଶ୍ଚାତ-ସଂଯୋଗ(Suffix), 22 ଉପସର୍ଗ ଅର୍ଥାତ୍ ପୂର୍ବ-ସଂଯୋଗ (Prefix) ଏବଂ ସମାସ ଦ୍ୱାରା ଅସଂଖ୍ୟ ଶବ୍ଦର ସୃଜନ ସମ୍ଭବପର;ଫଳରେ ଯେକୌଣସି ସୂକ୍ଷ୍ମ ଭାବନା କିମ୍ବା ବିଷୟକୁ ନିର୍ଭୁଲ ଭାବେ ବର୍ଣ୍ଣନା କରାଯାଇପାରେ । ସଂସ୍କୃତ ଭାଷାର ଗୋଟିଏ ବିଶେଷତ୍ୱ ମଧ୍ୟ ରହିଛି । ଆଜି ମଧ୍ୟ ଆମେ ନିଜ କଥାର ଗୁରୁତ୍ୱ ବୃଦ୍ଧି ପାଇଁ ଇଂରାଜୀ ଭାଷାର ପ୍ରବାଦ ବା ଆପ୍ତବାକ୍ୟଗୁଡ଼ିକୁ ବ୍ୟବହାର କରିଥାଉ ତ କେତେବେଳେ ଶେର୍-ଶାୟରୀ ବ୍ୟବହାର କରୁ । କିନ୍ତୁ ଯେଉଁମାନେ ସଂସ୍କୃତ ନୀତିବାଣୀ ସହ ପରିଚିତ, ସେମାନେ ଜାଣନ୍ତି ଯେ, ସଂସ୍କୃତ ନୀତିବାଣୀ ମାଧ୍ୟମରେ ଅତି କମ୍ ଶବ୍ଦରେ ସଠିକ୍ କଥା କହିହୁଏ । ଆଉ ପୁଣି ଆମ ମାଟି ଆମ ପରମ୍ପରା ସହ ଜଡ଼ିତ ହୋଇଥିବାରୁ ଏହାକୁ ବୁଝିବା ମଧ୍ୟ ସହଜ ହୋଇଥାଏ । ଯେମିତିକି ଜୀବନରେ ଗୁରୁଙ୍କ ମହତ୍ୱକୁ ବୁଝାଇବା ପାଇଁ କୁହାଯାଇଛି ଯେ –

ଏକମପି ଅକ୍ଷରମସ୍ତୁଗୁରୁଃ ଶିଷ୍ୟଂ ପ୍ରବୋଧୟେତ୍ ।

ପୃଥିବ୍ୟାଂ ନାସ୍ତି ତଦ୍ ଦ୍ରବ୍ୟମ୍ଯଦ୍ ଦତ୍ୱା ହ୍ୟନୃଣୀ ଭବେତ୍ । ।

ଅର୍ଥାତ୍ କୌଣସି ଗୁରୁ ନିଜ ଶିଷ୍ୟକୁ ଗୋଟିଏ ଅକ୍ଷରର ଜ୍ଞାନ ଦେଲେ ମଧ୍ୟ, ସମଗ୍ର ପୃଥିବୀରେ ଏଭଳି କୌଣସି ବସ୍ତୁ ବା ଧନ ନାହିଁ ଯେଉଁଥିରେ ଶିଷ୍ୟ ନିଜର ସେହି ଗୁରୁଙ୍କ ଋଣ ପରିଶୋଧ କରିପାରିବ । ଆଗାମୀ ଗୁରୁଦିବସକୁ ଆମେ ଏହି ଭାବନା ସହ ପାଳନ କରିବା । ଜ୍ଞାନ ଓ ଗୁରୁ ଅତୁଳନୀୟ, ଅମୂଲ୍ୟ । ମା’ଙ୍କ ବ୍ୟତୀତ ଶିକ୍ଷକମାନେ ହିଁ ପିଲାମାନଙ୍କ ଚିନ୍ତାଧାରାକୁ ଠିକ୍ ଦିଗଦର୍ଶନ ଦେବାର ଦାୟିତ୍ୱ ତୁଲାଇଥାନ୍ତି ଏବଂ ଯାହାର ସର୍ବାଧିକ ପ୍ରଭାବ ଜୀବନ ସାରା ଦେଖିବାକୁ ମିଳିଥାଏ । ଗୁରୁଦିବସ ଅବସରରେ ଆମେ ସର୍ବଦା ମହାନ ଚିନ୍ତାନାୟକ ଏବଂ ଦେଶର ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ସ୍ମରଣ କରିଥାଉଁ । ତାଙ୍କ ଜନ୍ମଦିନକୁ ହିଁ ସମଗ୍ର ଦେଶ ଗୁରୁଦିବସ ଭାବେ ପାଳନ କରିଥାଏ । ମୁଁ ଦେଶର ସମସ୍ତ ଶିକ୍ଷକମାନଙ୍କୁ ଆଗାମୀ ଗୁରୁଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି । ଏହା ସଙ୍ଗେ ସଙ୍ଗେ ବିଜ୍ଞାନ, ଶିକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରତି ଆପଣମାନଙ୍କ ସମର୍ପଣ ଭାବ ପାଇଁ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । ମୋର ପ୍ରିୟ ଦେଶବାସୀଗଣ, କଠିନ ପରିଶ୍ରମ କରୁଥିବା ଆମ ଚାଷୀଭାଇମାନଙ୍କ ପାଇଁ ମୌସୁମୀ ନୂଆ ଆଶା ନେଇ ଆସିଥାଏ । ଭୀଷଣ ଗରମରେ ଜଳିପୋଡ଼ି ଯାଉଥିବା ଗଛପତ୍ର, ଶୁଷ୍କ ଜଳାଶୟଗୁଡ଼ିକୁ ଗ୍ରୀଷ୍ମରୁ ରକ୍ଷା କରିଥାଏ । କିନ୍ତୁ ବେଳେବେଳେ ଏହା ଅତିବୃଷ୍ଟି ଏବଂ ବିନାଶକାରୀ ବନ୍ୟାର କାରଣ ମଧ୍ୟ ହୋଇଥାଏ । ଏବେ ପ୍ରକୃତିର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ, କେତେକ ସ୍ଥାନରେ ଅନ୍ୟ ସ୍ଥାନ ତୁଳନାରେ ଅଧିକ ବୃଷ୍ଟିପାତ ହୋଇଛି । ଏବେ ଆମେ ସମସ୍ତେ ଦେଖିଛୁ ଯେ, କେରଳରେ ପ୍ରବଳ ବନ୍ୟା ସାଧାରଣ ଜୀବନକୁ ଅତି ମାତ୍ରାରେ ପ୍ରଭାବିତ କରିଛି । ଆଜି ଏହି ପ୍ରତିକୂଳ ପରିସ୍ଥିତିରେ ସାରା ଦେଶ କେରଳ ପଛରେ ରହିଛି । ଯେଉଁ ପରିବାରଗୁଡ଼ିକ ନିଜ ବନ୍ଧୁ, ଆତ୍ମୀୟସ୍ୱଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ଆମେ ସମବେଦନା ଜଣାଉଛୁ । ଯେଉଁ ଜୀବନହାନି ହୋଇଛି, ତାହାର ଭରଣା ତ ହୋଇପାରିବନି, କିନ୍ତୁ ମୁଁ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏହି ଦୁଃଖଦ ସମୟରେ 125 କୋଟି ଭାରତୀୟ ଆପଣମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । ରାଜ୍ୟର ଲୋକମାନଙ୍କ ଉତ୍ସାହ ଏବଂ ଅଦମ୍ୟ ସାହସ ବଳରେ କେରଳ ଖୁବଶୀଘ୍ର ପୁଣିଥରେ ଠିଆ ହୋଇଯିବ ବୋଲି ମୋର ବିଶ୍ୱାସ ।

ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଯେଉଁ ଦୁର୍ଦ୍ଦଶା ଛାଡ଼ିଯାଇଥାଏ ତାହା ତ ଦୁର୍ଭାଗ୍ୟପୂର୍ଣ୍ଣ କିନ୍ତୁ ଏଭଳି ସମୟରେ ଆମକୁ ମାନବିକତା ମଧ୍ୟ ଦେଖିବାକୁ ମିଳେ । କଚ୍ଛରୁ କାମରୂପ ଏବଂ କାଶ୍ମୀରଠାରୁ କନ୍ୟାକୁମାରୀ ଯାଏ ପ୍ରତ୍ୟେକେ ନିଜ ନିଜ ସ୍ତରରେ କିଛି ନା କିଛି କରୁଛନ୍ତି ଯାହାଫଳରେ ବିପର୍ଯ୍ୟୟଗ୍ରସ୍ତ ଅଂଚଳରେ, ତାହା କେରଳ ହେଉ କିମ୍ବା ଭାରତର ଅନ୍ୟ କୌଣସି ଜିଲ୍ଲା କିମ୍ବା ଅଂଚଳ ହେଉ, ସେଠାରେ ଜୀବନଯାତ୍ରା ପୁଣିଥରେ ସ୍ୱାଭାବିକ ହୋଇପାରିବ । ସବୁ ବୟସର ଏବଂ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକ ନିଜର ଯୋଗଦାନ ଦେଉଛନ୍ତି । କେରଳର ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା କମ୍ ହେଉ, ସେମାନଙ୍କ ଦୁଃଖକୁ ଆମେ କିଭଳି ବାଂଟିପାରିବା ଏକଥା ସୁନିଶ୍ଚିତ କରିବାରେ ସମସ୍ତେ ଲାଗିଛନ୍ତି । ଆମେ ସମସ୍ତେ ଜାଣିଛୁ ଯେ, ଆମ ସଶସ୍ତ୍ର ବାହିନୀର ଯବାନମାନେ କେରଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ନାୟକ । ସେମାନେ ବନ୍ୟାଂଚଳରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାରେ କିଛି ଊଣା ରଖିନାହାନ୍ତି । ବିମାନ ବାହିନୀ ହେଉ, ନୌସେନା ହେଉ, ସ୍ଥଳସେନା ହେଉ, ସୀମା ସୁରକ୍ଷା ବଳ, ସିଆଇଏସଏଫ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ – ପ୍ରତ୍ୟେକେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି । ମୁଁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(NDRF)ର ଦୁଃସାହାସିକ ଯବାନମାନଙ୍କ କଠିନ ପରିଶ୍ରମ ସମ୍ପର୍କରେ ମଧ୍ୟ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହୁଁଛି । ସଙ୍କଟର ଏହି ମୁହୂର୍ତ୍ତରେ ସେମାନେ ଖୁବ୍ ଉତ୍ତମ କାର୍ଯ୍ୟ କରିଛନ୍ତି । NDRFର କ୍ଷମତା ସେମାନଙ୍କ ପ୍ରତିବଦ୍ଧତା ଏବଂ ତୁରନ୍ତ ନିଷ୍ପତି ଗ୍ରହଣ କରି ପରିସ୍ଥିତିକୁ ସମ୍ଭାଳିବାର ପ୍ରଚେଷ୍ଟା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଗତକାଲି ଓଣମ୍ ପର୍ବ ଥିଲା । ଆମେ ପ୍ରାର୍ଥନା କରିବା ଯେ, ଓଣମ୍ ପର୍ବ ଦେଶକୁ ଏବଂ ବିଶେଷକରି କେରଳକୁ ଶକ୍ତି ପ୍ରଦାନ କରୁ ଯାହାଫଳରେ ସେମାନେ ଏହି ବିପର୍ଯ୍ୟୟରୁ ଶୀଘ୍ରାତିଶୀଘ୍ର ମୁକ୍ତି ପାଆନ୍ତୁ ଏବଂ କେରଳର ବିକାଶ ଯାତ୍ରା ଅଧିକ ଗତିଶୀଳ ହେଉ । ପୁଣିଥରେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ କେରଳ ଏବଂ ଦେଶର ଅନ୍ୟ ବିପର୍ଯ୍ୟୟଗ୍ରସ୍ତ ଅଂଚଳବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏହି ସଂକଟ ସମୟରେ ସାରା ଦେଶ ସେମାନଙ୍କ ସହ ରହିଛି ।

ମୋର ପ୍ରିୟ ଦେଶବାସୀଗଣ, ଏଥର ମୁଁ ମନ୍ କି ବାତ୍ ପାଇଁ ଆସିଥିବା ମତାମତଗୁଡ଼ିକ ଦେଖୁଥିଲି । ସେଥିରେ ସାରା ଦେଶରୁ ଅଧିକାଂଶ ଲୋକ ଯେଉଁ ବିଷୟରେ ସବୁଠାରୁ ଅଧିକ ଲେଖିଛନ୍ତି ସେ ବିଷୟଟି ହେଲା – ଆମ ସମସ୍ତଙ୍କ ପ୍ରିୟ ଅଟଳ ବିହାରୀ ବାଜପେୟୀଜୀ । ଗାଜିଆବାଦରୁ କିର୍ତ୍ତୀ, ସୋନିପତ୍ ରୁ ସ୍ୱାତି ବତ୍ସ, କେରଳରୁ ଭାଇ ପ୍ରବୀଣ, ପଶ୍ଚିମବଙ୍ଗରୁ ଡ. ସ୍ୱପନ ବାନାର୍ଜୀ, ବିହାରର କଟିହାରରୁ ଅଖିଳେଶ ପାଣ୍ଡେ ଏଭଳି ଅସଂଖ୍ୟ ଲୋକ ନରେନ୍ଦ୍ର ମୋଦୀ ମୋବାଇଲ ଆପ୍ ଓ ମାଇ-ଗଭରେ ଲେଖି ମୋତେ ଅଟଳଜୀଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ କହିବା ପାଇଁ ଅନୁରୋଧ କରିଛନ୍ତି । ଅଗଷ୍ଟ 16 ତାରିଖ ଦିନ ଦେଶ ଦୁନିଆର ଲୋକ ଅଟଳଜୀଙ୍କ ପରଲୋକ ଖବର ଶୁଣି ଶୋକଗ୍ରସ୍ତ ହୋଇଯାଇଥିଲେ । ସେ ଜଣେ ରାଷ୍ଟ୍ରନେତା ଥିଲେ ଯିଏ 14 ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିସାରିଥିଲେ । କହିବାକୁ ଗଲେ, ବିଗତ 10 ବର୍ଷ ଧରି ସେ ସକ୍ରିୟ ରାଜନୀତିଠାରୁ ବହୁତ ଦୂରେଇ ଯାଇଥିଲେ । କୌଣସି ଖବରରେ ଦେଖାଯାଉନଥିଲେ କି ସାର୍ବଜନିକ ରୂପରେ ମଧ୍ୟ ଦେଖାଯାଉନଥିଲେ । 10 ବର୍ଷର ସମୟ ଖୁବ୍ ଅଧିକ । କିନ୍ତୁ ଅଗଷ୍ଟ 16 ତାରିଖ ପରେ ଦେଶ ଆଉ ଦୁନିଆ ଦେଖିଲା ଯେ, ଭାରତର ସାଧାରଣ ମଣିଷ ମନରେ ଏହି 10 ବର୍ଷର ସମୟ ମୁହୂର୍ତ୍ତକର ବ୍ୟବଧାନ ମଧ୍ୟ ସୃଷ୍ଟି କରିପାରିନଥିଲା । ଅଟଳଜୀଙ୍କ ପାଇଁ ଯେଉଁ ସ୍ନେହ, ଶ୍ରଦ୍ଧା ଏବଂ ଶୋକର ଭାବ ସମଗ୍ର ଦେଶରେ ଦେଖାଯାଇଥିଲା ତାହା ତାଙ୍କର ବିଶାଳ ବ୍ୟକ୍ତିତ୍ୱକୁ ଦର୍ଶାଏ । ବିଗତ କିଛିଦିନ ଧରି ଅଟଳଜୀଙ୍କ ଜୀବନର ଉତ୍ତମରୁ ଉତ୍ତମ ଦିଗ ଦେଶବାସୀଙ୍କ ସମ୍ମୁଖକୁ ଆସିସାରିଛି । ଲୋକେ ତାଙ୍କୁ ଉତ୍ତମ ସାଂସଦ, ସମ୍ବେଦନଶୀଳ ଲେଖକ, ଶ୍ରେଷ୍ଠ ବକ୍ତା, ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରୂପେ ସ୍ମରଣ କଲେ ଏବଂ କରୁଛନ୍ତି । ସୁଶାସନ ଅର୍ଥାତ Good Governance କୁ ମୁଖ୍ୟ ଧାରାକୁ ଆଣିବା ପାଇଁ ଏହି ଦେଶ ସର୍ବଦା ଅଟଳଜୀଙ୍କଠାରେ ଋଣୀ ହୋଇରହିବ । କିନ୍ତୁ ମୁଁ ଆଜି ଅଟଳଜୀଙ୍କର ବିଶାଳ ବ୍ୟକ୍ତିତ୍ୱର ଗୋଟିଏ ମାତ୍ର ଦିଗକୁ ସ୍ପର୍ଶ କରିବାକୁ ଚାହୁଁଛି । ଅଟଳଜୀ ଭାରତକୁ ଯେଉଁ ରାଜନୈତିକ ସଂସ୍କୃତି ଦେଲେ, ଏହି ସଂସ୍କୃତିରେ ଯେଉଁ ପରିବର୍ତ୍ତନ କରିବାର ପ୍ରଚେଷ୍ଟା କଲେ, ଏହାକୁ ବ୍ୟବସ୍ଥାର ଢାଂଚାରେ ପକାଇବାର ଯେଉଁ ପ୍ରଚେଷ୍ଟା କଲେ ତାହାଫଳରେ ଭାରତର ବହୁତ ଲାଭ ହୋଇଛି ଏବଂ ଆଗାମୀ ଦିନରେ ଆହୁରି ମଧ୍ୟ ଲାଭହେବ ଏହା ସୁନିଶ୍ଚିତ । ଭାରତ ସର୍ବଦା 91ତମ ସଂଶୋଧନ ଅଧିନିୟମ 2003 ପାଇଁ ଅଟଳଜୀଙ୍କ ନିକଟରେ କୃତଜ୍ଞ ରହିବ । ଏହି ପରିବର୍ତ୍ତନ ଦ୍ୱାରା ଭାରତର ରାଜନୀତିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଲା ।

ପ୍ରଥମତଃ ରାଜ୍ୟଗୁଡ଼ିକରେ ମନ୍ତ୍ରୀମଣ୍ଡଳର ଆକାର ବିଧାନସଭାର ସମୁଦାୟ ସିଟ/ଆସନ ସଂଖ୍ୟାର ଶତକଡ଼ା 15 ଭାଗ ପର୍ଯ୍ୟନ୍ତ ସୀମିତ କରାଗଲା ।

ଦ୍ୱିତୀୟତଃ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ନିର୍ଦ୍ଧାରିତ ସୀମା ଏକ ତୃତୀୟାଂଶରୁ ବୃଦ୍ଧି କରାଯାଇ ଦୁଇ ତୃତୀୟାଂଶ କରିଦିଆଗଲା । ଏଥିସହିତ ଦଳବଦଳକାରୀଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ମଧ୍ୟ ନିର୍ଦ୍ଧାରିତ କରାଗଲା ।

କିଛି ବର୍ଷ ପର୍ଯ୍ୟନ୍ତ ଭାରତରେ ବଡ଼ ଧରଣର ମନ୍ତ୍ରୀମଣ୍ଡଳ ଗଠନ କରିବାର ରାଜନୈତିକ ସଂସ୍କୃତି ଦ୍ୱାରା ବୃହତ ମନ୍ତ୍ରୀମଣ୍ଡଳ ଗଠନ କାର୍ଯ୍ୟ ବଂଟନ ନିମନ୍ତେ ଉଦ୍ଦିଷ୍ଟ ନ ହୋଇ ରାଜନେତାମାନଙ୍କୁ ଖୁସି କରାଇବା ପାଇଁ ହେଉଥିଲା । ଅଟଲଜୀ ଏହି ପରମ୍ପରାକୁ ପରିବର୍ତ୍ତିତ କଲେ । ତାଙ୍କର ଏହି ପଦକ୍ଷେପ ଦ୍ୱାରା ଅର୍ଥ ଓ ସମ୍ବଳର ସଂଚୟ ହୋଇପାରିଲା । ଏଥିସହିତ କାର୍ଯ୍ୟଦକ୍ଷତାରେ ମଧ୍ୟ ବୃଦ୍ଧି ଘଟିଲା । ଅଟଲଜୀ ଏପରି ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଥିଲେ ଯିଏକି ପରିସ୍ଥିତିକୁ ପରିବର୍ତ୍ତନ କଲେ ଏବଂ ଏହାଦ୍ୱାରା ଆମ ରାଜନୈତିକ ସଂସ୍କୃତିରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି ହେଲା । ଅଟଲଜୀ ଜଣେ ସଚ୍ଚା ଦେଶଭକ୍ତ ଥିଲେ । ତାଙ୍କ ଶାସନ କାଳରେ ହିଁ ବଜେଟ୍ ଉପସ୍ଥାପିତ କରିବା ସମୟର ପରିବର୍ତ୍ତନ ହେଲା । ଏହାପୂର୍ବରୁ ଇଂରେଜମାନଙ୍କ ପରମ୍ପରା ଅନୁସାରେ ସନ୍ଧ୍ୟା 5ଟାରେ ବଜେଟ୍ ଉପସ୍ଥାପିତ କରାଯାଉଥିଲା କାରଣ ସେହି ସମୟରେ ଲଣ୍ଡନରେ ପାର୍ଲିଆମେଂଟ ଆରମ୍ଭ ହେବାର ସମୟ ଥିଲା । 2001 ମସିହାରେ ଅଟଲଜୀ ବଜେଟ ଉପସ୍ଥାପିତ କରିବାର ସମୟ ସନ୍ଧ୍ୟା 5ଟାକୁ ପରିବର୍ତ୍ତିତ କରି ସକାଳ 11ଟା କଲେ । ‘ଆଉ ଏକ ସ୍ୱାଧୀନତା’କୁ ଅଟଲଜୀଙ୍କ ଶାସନ କାଳରେ ଭାରତୀୟ ପତାକା ସଂହିତା (Indian Flag Code) କରାଗଲା ଏବଂ 2002ରେ ଏହାକୁ ଆଇନସମ୍ମତ କରିଦିଆଗଲା । ଏହି କୋଡରେ ଏପରି କେତେକ ନିୟମ ରଖାଗଲା ଯଦ୍ୱାରା ସର୍ବସାଧାରଣ ସ୍ଥାନଗୁଡ଼ିକରେ ତ୍ରିରଙ୍ଗା ଉଡ଼ାଇବା ସମ୍ଭବ ହୋଇପାରିଲା । ଏହାଦ୍ୱାରା ଅଧିକରୁ ଅଧିକ ଭାରତୀୟମାନଙ୍କୁ ନିଜ ରାଷ୍ଟ୍ରଧ୍ୱଜ ଉଡ଼ାଇବାର ସୁଯୋଗ ମିଳିପାରିଲା । ଏପରି ଭାବରେ ସେ ଆମର ପ୍ରାଣପ୍ରିୟ ତ୍ରିରଙ୍ଗାକୁ ସର୍ବସାଧାରଣଙ୍କ ନିକଟକୁ ଆଣିଲେ । ଆପଣମାନେ ଦେଖିଲେ, ଅଟଲଜୀ କିପରି ଭାବରେ ଆମ ଦେଶରେ ନିର୍ବାଚନ ପ୍ରକ୍ରିୟା ହେଉ କି ଲୋକପ୍ରତିନିଧିମାନଙ୍କ ସମ୍ପର୍କରେ ଲୋକମାନଙ୍କର ବିକୃତ ଧାରଣା ହେଉ, ନିଜର ସାହସିକ ପଦକ୍ଷେପ ଦ୍ୱାରା ସେଥିରେ ମୌଳିକ ପରିବର୍ତ୍ତନ ଆଣିଲେ । ଏହିପରି ଆଜିକାଲି ଆପଣମାନେ ଦେଖୁଛନ୍ତି ଯେ ଦେଶରେ ଏକସଂଗରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ନିର୍ବାଚନ କରାଇବା ପ୍ରସଙ୍ଗରେ ଆଲୋଚନା ଆଗକୁ ବଢ଼ିବାରେ ଲାଗିଛି । ଏହି ପ୍ରସଙ୍ଗର ଉଭୟ ସପକ୍ଷରେ ଓ ବିପକ୍ଷରେ ଲୋକମାନେ ନିଜ ନିଜର ମତ ପ୍ରଦାନ କରୁଛନ୍ତି । ଏହା ଭଲକଥା ତଥା ଗଣତନ୍ତ୍ର ନିମନ୍ତେ ଏକ ଶୁଭସଂକେତ । ମୁଁ ନିଶ୍ଚିତ ଭାବେ କହିବି ଯେ ସୁସ୍ଥ ଓ ଉତ୍ତମ ଗଣତନ୍ତ୍ର ନିମନ୍ତେ ଭଲ ପରମ୍ପରା ବିକଶିତ କରିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଶତତ ପ୍ରୟାସ କରିବା, ଆଲୋଚନାକୁ ଖୋଲାମନରେ ଆଗେଇନେବା – ଏସବୁ ମଧ୍ୟ ଅଟଲଜୀଙ୍କ ପାଇଁ ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ତାଙ୍କର ସମୃଦ୍ଧ ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ସଂକଳ୍ପକୁ ପୁନର୍ବାର ଉଚ୍ଚାରଣ କରି ମୁଁ ଆମ ସମସ୍ତଙ୍କ ତରଫରୁ ଅଟଲଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ସଂସଦ ସମ୍ପର୍କରେ ଯେତେବେଳେ ବି ଆଲୋଚନା ହେଉଛି, ପ୍ରାୟତଃ ବାଧା, ହୋ-ହଲ୍ଲା ଓ ଅବରୋଧ ବିଷୟରେ ହିଁ ହେଉଛି । ଯଦି କିଛି ଭଲ ହେଉଛି, ତା’ର ଆଲୋଚନା ସେତେ ମାତ୍ରାରେ ହେଉନାହିଁ । କିଛିଦିନ ପୂର୍ବେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଆପଣମାନଙ୍କୁ ଏହା ଜାଣି ଖୁସିଲାଗିବ ଯେ ଲୋକସଭାର କାର୍ଯ୍ୟଦକ୍ଷତା 118 ପ୍ରତିଶତ ଓ ରାଜ୍ୟସଭାର କାର୍ଯ୍ୟଦକ୍ଷତା 74 ପ୍ରତିଶତ ରହିଲା । ଦଳ ସ୍ୱାର୍ଥରୁ ଉର୍ଦ୍ଧ୍ଵକୁ ଉଠି ସମସ୍ତ ସାଂସଦ ମୌସୁମୀ ଅଧିବେଶନକୁ ଅଧିକରୁ ଅଧିକ ଉପଯୋଗୀ କରିବାର ପ୍ରୟାସ କଲେ, ଯାହାର ପରିଣାମ ସ୍ୱରୂପ ଲୋକସଭାରେ 21ଟି ବିଲ୍ ଓ ରାଜ୍ୟସଭାରେ 14ଟି ବିଲ୍ ପାସ କରାଯାଇପାରିଲା । ସଂସଦର ଏହି ମୌସୁମୀ ଅଧିବେଶନ ସାମାଜିକ ନ୍ୟାୟ ଓ ଯୁବକମାନଙ୍କର କଲ୍ୟାଣକାରୀ ଅଧିବେଶନ ଭାବରେ ସର୍ବଦା ସ୍ମରଣୀୟ ହୋଇରହିବ । ଏହି ଅଧିବେଶନରେ ଯୁବବର୍ଗ ଓ ଅନୁନ୍ନତ ସମୁଦାୟ ନିମନ୍ତେ ଲାଭ ପ୍ରଦାନକାରୀ କେତେକ ମହତ୍ୱପୂର୍ଣ୍ଣ ବିଲ୍ ପାସ କରାଗଲା । ଆପଣ ସମସ୍ତଙ୍କୁ ଜଣାଥିବ ଯେ କେତେ ଦଶନ୍ଧିରୁ ତଫସିଲଜାତି/ଉପଜାତି ଆୟୋଗ ପରି ଓବିସି ଆୟୋଗ ଗଠନ କରିବାର ଦାବି ହୋଇଆସୁଛି । ଅନୁନ୍ନତ ସମୁଦାୟର ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ଆମ ଦେଶ ଏଥର ଓବିସି ଆୟୋଗ ଗଠନ କରିବାର ସଂକଳ୍ପକୁ ସାକାର କଲା ଏବଂ ତାହାକୁ ଏକ ସାମ୍ବିଧାନିକ ଅଧିକାର ମଧ୍ୟ ପ୍ରଦାନ କଲା । ଏହି ପଦକ୍ଷେପ ସାମାଜିକ ନ୍ୟାୟର ଉଦ୍ଦେଶ୍ୟକୁ ସାର୍ଥକ କରିବାରେ ସମର୍ଥ ହେବ । ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିମାନଙ୍କର ଅଧିକାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ସଂଶୋଧନ ବିଲ୍ କୁ ପାସ କରିବାର କାର୍ଯ୍ୟ ଏହି ଅଧିବେଶନରେ ହେଲା । ଏହି ଆଇନ SC ଓ ST ସମୁଦାୟମାନଙ୍କର ହିତକୁ ଆହୁରି ଅଧିକ ସୁରକ୍ଷିତ କରିପାରିବ । ଏଥିସହିତ ଏହା ଅପରାଧିମାନଙ୍କୁ ଅତ୍ୟାଚାର କରିବାରୁ ନିବୃତ କରିବ ତଥା ଦଳିତ ସମୁଦାୟମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ । ଦେଶର ନାରୀଶକ୍ତି ବିରୁଦ୍ଧରେ କୌଣସି ପ୍ରକାରର ଅନ୍ୟାୟକୁ କୌଣସି ସଭ୍ୟସମାଜ ସହ୍ୟ କରିପାରେ ନାହିଁ । ବଳାତ୍କାର ଅପରାଧୀମାନଙ୍କୁ ଦେଶ ସହିବାକୁ ପ୍ରସ୍ତୁତ ନୁହେଁ । ଏଥିପାଇଁ ସଂସଦ ଅପରାଧିକ ଆଇନ ସଂଶୋଧନ ବିଲ୍ କୁ ପାସକରି କଠୋରତମ ଦଣ୍ଡ ବିଧାନର ବ୍ୟବସ୍ଥା କରିଛି । ଦୁଷ୍କର୍ମର ଅପରାଧୀମାନଙ୍କୁ ଅତିକମରେ 10 ବର୍ଷର ଦଣ୍ଡ ବ୍ୟବସ୍ଥା ହେବ ଏବଂ 12 ବର୍ଷରୁ କମ୍ ବୟସର ବାଳିକାମାନଙ୍କୁ ବଳାତ୍କାର କରାଗଲେ ଫାଶୀ ଦଣ୍ଡ ମିଳିବ । କିଛିଦିନ ପୂର୍ବେ ଆପଣମାନେ ଖବରକାଗଜରେ ପଢ଼ିଥିବେ ଯେ ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ନ୍ୟାୟାଳୟ କେବଳ ଦୁଇମାସର ଶୁଣାଣି ପରେ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଦୁଇ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶର କଟନୀର ଏକ ନ୍ୟାୟାଳୟ ମାତ୍ର ପାଂଚଦିନର ଶୁଣାଣି ପରେ ଅପରାଧୀମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ରାଜସ୍ଥାନରେ ମଧ୍ୟ ସେଠାକାର ନ୍ୟାୟାଳୟଗୁଡ଼ିକ ଏହିପରି ତ୍ୱରିତ ନିର୍ଣ୍ଣୟ ଶୁଣାଇଅଛନ୍ତି । ଏହି ଆଇନ ମହିଳା ଓ ବାଳିକାମାନଙ୍କ ବିରୁଦ୍ଧରେ ଅପରାଧଜନିତ କାର୍ଯ୍ୟକଳାପକୁ ବନ୍ଦ କରିବାରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ । ସାମାଜିକ ପରିବର୍ତ୍ତନ ବିନା ଆର୍ଥିକ ବିକାଶ ଅସମ୍ପୂର୍ଣ୍ଣ । ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍ କରିଦିଆଗଲା । ଯଦ୍ୟପି ଏହି ଅଧିବେଶନ କାଳରେ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ସମ୍ଭବ ହୋଇପାରିନାହିଁ । ମୁଁ ମୁସଲମାନ୍ ମହିଳାମାନଙ୍କୁ ବିଶ୍ୱାସ ଦେଉଛି ଯେ ସମଗ୍ର ଦେଶ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସମସ୍ତ ଶକ୍ତି ସହ ଦଣ୍ଡାୟମାନ । ଯେତେବେଳେ ଆମେମାନେ ଦେଶ ହିତରେ ଆଗକୁ ବଢ଼ୁଛୁ, ଗରିବ, ଅନୁନ୍ନତ, ଶୋଷିତ ଏବଂ ବଂଚିତମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରେ । ମୌସୁମୀ ଅଧିବେଶନରେ ଏଥର ସମସ୍ତେ ମିଳିମିଶି ଗୋଟିଏ ଆଦର୍ଶ ଉପସ୍ଥାପିତ କରିଛନ୍ତି । ମୁଁ ଦେଶର ସମସ୍ତ ସାଂସଦମାନଙ୍କୁ ସାର୍ବଜନିକ ଭାବେ ନିଜ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।

ମୋର ପ୍ରିୟ ଦେଶବାସୀଗଣ ଆଜିକାଲି କୋଟି କୋଟି ଦେଶବାସୀଙ୍କର ଧ୍ୟାନ ଜାକର୍ତ୍ତାରେ ହେଉଥିବା ଏସୀୟ କ୍ରୀଡ଼ା ଉପରେ କେନ୍ଦ୍ରିତ ଅଛି । ପ୍ରତିଦିନ ସକାଳେ ଲୋକମାନେ ସର୍ବପ୍ରଥମେ ଖବରକାଗଜଗୁଡ଼ିକରେ, ଦୂରଦର୍ଶନରେ, ସମ୍ବାଦଗୁଡ଼ିକରେ ଓ ସାମାଜିକ ଗଣମାଧ୍ୟମ ଉପରେ ଦୃଷ୍ଟିପାତ କରୁଛନ୍ତି ଏବଂ ଦେଖୁଛନ୍ତି ଯେ କେଉଁ ଭାରତୀୟ ଖେଳାଳି ପଦକ ଜିତିଛନ୍ତି । ଏସୀୟ କ୍ରୀଡ଼ା ଏବେ ମଧ୍ୟ ଚାଲୁଛି । ମୁଁ ଦେଶ ପାଇଁ ପଦକ ଜିତିଥିବା ସମସ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛି । ସେହି ଖେଳାଳିମାନଙ୍କୁ ମଧ୍ୟ ମୋର ବହୁତ ବହୁତ ଶୁଭେଚ୍ଛା, ଯେଉଁମାନଙ୍କର ପ୍ରତିଯୋଗିତା ଆଗକୁ ହେବାର ଅଛି । ଭାରତର ଖେଳାଳିମାନେ ବିଶେଷତଃ ବନ୍ଧୁକଚାଳନା ଓ କୁସ୍ତିରେ ତ ଉତ୍କୃଷ୍ଟ ପ୍ରଦର୍ଶନ କରୁଅଛନ୍ତି କିନ୍ତୁ ଆମ ଖେଳାଳିମାନେ ସେହି ଖେଳଗୁଡ଼ିକରେ ମଧ୍ୟ ପଦକ ଜିତୁଛନ୍ତି, ଯେଉଁ ଖେଳଗୁଡ଼ିକରେ ପୂର୍ବରୁ ଆମର ପ୍ରଦର୍ଶନ ସେତେ ଭଲ ନ ଥିଲା, ଯେପରିକି ଉସୁ ଓ ନୌଚାଳନା । ଏହା କେବଳ ପଦକ ନୁହେଁ, ଭାରତୀୟ ଖେଳ ଓ ଖେଳାଳିମାନଙ୍କର ଆକାଶକୁ ସ୍ପର୍ଶ କରିବାର ସାହସ ଓ ସ୍ୱପ୍ନର ପ୍ରମାଣ । ଦେଶ ପାଇଁ ପଦକ ବିଜେତାମାନଙ୍କ ମଧ୍ୟରେ ବହୁସଂଖ୍ୟାରେ ଆମ ବାଳିକାମାନେ ସାମିଲ ଅଛନ୍ତି ଏବଂ ଏହା ଏକ ସକାରାତ୍ମକ ସଂକେତ । ଏପରିକି ପଦକ ବିଜେତା ଯୁବ ଖେଳାଳିମାନଙ୍କ ମଧ୍ୟରେ 15-16 ବର୍ଷୀୟ ଯୁବକ ଯୁବତୀ ମଧ୍ୟ ଅଛନ୍ତି । ଏହା ମଧ୍ୟ ଏକ ଶୁଭସଂକେତ ଯେ ଯେଉଁ ଖେଳାଳିମାନେ ପଦକ ଜିତିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ସାହି-ବସ୍ତି ଓ ଗାଁର ବାସିନ୍ଦା । ଏମାନେ ହିଁ କଠୋର ପରିଶ୍ରମ ଦ୍ୱାରା ଏହି ସଫଳତା ପ୍ରାପ୍ତ କରିଛନ୍ତି ।

ଅଗଷ୍ଟ 29 ତାରିଖରେ ଆମେମାନେ ଜାତୀୟ ଖେଳ ଦିବସ ପାଳନ କରିବା । ଏ ଉପଲକ୍ଷେ ମୁଁ ସମସ୍ତ ଖେଳପ୍ରେମୀ ଭାଇ ଭଉଣୀମାନଙ୍କୁ ଶୁଭକାମନା ଜଣାଉଛି । ତା’ ସଙ୍ଗେ ସଙ୍ଗେ ମୁଁ ମହାନ୍ ଖେଳାଳି ହକିର ଯାଦୁକର ଶ୍ରୀ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୁଁ ଦେଶର ସମସ୍ତ ନାଗରିକମାନଙ୍କୁ ନିବେଦନ କରୁଛି ଯେ ସେମାନେ ନିଶ୍ଚିତ ଭାବେ ଖେଳନ୍ତୁ ଏବଂ ନିଜର ଫିଟନେସ ପ୍ରତି ଧ୍ୟାନ ରଖନ୍ତୁ କାରଣ ସୁସ୍ଥ ଭାରତ ହିଁ ଏକ ପୂର୍ଣ୍ଣାଙ୍ଗ ଏବଂ ସମୃଦ୍ଧ ଭାରତ ନିର୍ମାଣ କରିପାରିବ । ଯେତେବେଳେ ଭାରତ ଫିଟ୍ ହେବ ସେତେବେଳେ ଭାରତର ଉଜ୍ଜ୍ୱଳ ଭବିଷ୍ୟ ନିର୍ମାଣ ହୋଇପାରିବ । ମୁଁ ପୁଣିଥରେ ଏସୀୟ କ୍ରୀଡାର ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଅନ୍ୟ ସମସ୍ତ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରିବାର ଶୁଭକାମନା ଜଣାଉଛି । ସମସ୍ତଙ୍କୁ ଜାତୀୟ ଖେଳଦିବସର ଅନେକ ଅନେକ ଶୁଭେଚ୍ଛା ।

“ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର । ମୁଁ କାନପୁରରୁ ଭାବନା ତ୍ରିପାଠୀ କହୁଛି । ମୁଁ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ପ୍ରଧାନମନ୍ତ୍ରୀ ମହୋଦୟ ଗତ ମନ କି ବାତ୍ ରେ ଆପଣ କଲେଜ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୋଇଥିଲେ – ଆଉ ତା’ ପୂର୍ବରୁ ଆପଣ ଡାକ୍ତର ଆଉ ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କ ସହ କଥା ହୋଇଥିଲେ । ମୋର ଆପଣଙ୍କୁ ନିବେଦନ – ଆସନ୍ତା ସେପ୍ଟେମ୍ବର 15 ତାରିଖ ଇଞ୍ଜିନିୟର୍ସ ଦିବସ ଉପଲକ୍ଷେ ଆପଣ ଯଦି ଆମଭଳି ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୁଅନ୍ତେ ତେବେ ଆମମାନଙ୍କର ମନୋବଳ ବୃଦ୍ଧି ହୁଅନ୍ତା । ଫଳରେ ଆମେମାନେ ବହୁତ ଖୁସି ହୁଅନ୍ତୁ ଏବଂ ଆଗାମୀ ଦିନରେ ଦେଶ ପାଇଁ କିଛି କରିବାର ପ୍ରୋତ୍ସାହନ ମିଳନ୍ତା । ଧନ୍ୟବାଦ ।”

ନମସ୍କାର ଭାବନାଜୀ, ମୁଁ ଆପଣଙ୍କ ଭାବନାକୁ ସମ୍ମାନ ଜଣାଉଛି । ଆମେ ସମସ୍ତେ ଇଟା ଓ ପଥରରେ ଘର ବା ଅଟ୍ଟାଳିକା ନିର୍ମାଣ ହେବାର ଦେଖିଛେ । କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି ଆଜିକୁ ବାରଶହ ବର୍ଷ ପୂର୍ବେ ଗୋଟିଏ ବିଶାଳ ପାହାଡ଼ ଯାହାକି ଗୋଟିଏ ପଥରର ପାହାଡ଼ ଥିଲା, ତାକୁ କାଟି ଗୋଟିଏ ଉତ୍କୃଷ୍ଟ, ବିଶାଳ ଏବଂ ଅଦ୍ଭୁତ ମନ୍ଦିରରେ ପରିଣତ କରିଦିଆଯାଇଥିଲା । ହୁଏତ ଏଭଳି କଳ୍ପନା କରାଯିବା ଅସମ୍ଭବ ଲାଗୁଥିବ – କିନ୍ତୁ ଏଭଳି ହୋଇଥିଲା । ଆଉ ସେଇ ମନ୍ଦିରଟି ହେଲା ମହାରାଷ୍ଟ୍ରର ଏଲୋରାରେ ଥିବା କୈଳାସନାଥ ମନ୍ଦିର । ଯଦି ଆପଣଙ୍କୁ କେହି କହେ ଯେ ପ୍ରାୟ ହଜାରେ ବର୍ଷ ପୂର୍ବେ ଗ୍ରାନାଇଟ ବା କଳାମୁଗୁନୀ ପଥରରେ 60 ମିଟର ଲମ୍ବ ଏକ ସ୍ତମ୍ଭ ନିର୍ମାଣ କରାଗଲା ଆଉ ତା’ର ଅଗ୍ରଭାଗରେ ପ୍ରାୟ 80 ଟନ୍ ଓଜନର ଗୋଟିଏ ଗ୍ରାନାଇଟ୍ ଶିଳାଖଣ୍ଡକୁ ସ୍ଥାପିତ କରିଦିଆଗଲା । ଆପଣ ବିଶ୍ୱାସ କରିବେ କି? କିନ୍ତୁ ତାମିଲନାଡୁ ଅନ୍ତର୍ଗତ ତାଞ୍ଜାଭୁର୍ ବୃହଦେଶ୍ୱର ମନ୍ଦିର ହେଉଛି ସେହି ସ୍ଥାନ ଯେଉଁଠି ସ୍ଥାପତ୍ୟ ଓ ଇଞ୍ଜିନିୟରିଂର ଏହି ଅବିଶ୍ୱସନୀୟ କାର୍ଯ୍ୟକୁ ଆମେ ଦେଖିପାରିବା । ଗୁଜରାଟର ପାଟଣରେ ଏକାଦଶ ଶତାବ୍ଦୀରେ ନିର୍ମିତ ‘ରାନୀ କି ବାବ୍’କୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟଚକିତ ହେବ । ଆମ ଦେଶ ଭାରତଭୂମି ସ୍ଥାପତ୍ୟ ଓ ଇଞ୍ଜିନିୟରିଂର ପ୍ରୟୋଗଶାଳା ଥିଲା । ଭାରତରେ ଏଭଳି ଇଞ୍ଜିନିୟର ଜନ୍ମ ନେଇଥିଲେ ଯେଉଁମାନେ ଅକଳ୍ପନୀୟକୁ କଳ୍ପନୀୟ କରି ଦେଖାଇଛନ୍ତି ଏବଂ ଇଞ୍ଜିନିୟରିଂ ଜଗତରେ ଚମତ୍କାର ଉଦାହରଣ ପ୍ରସ୍ତୁତ କରିଛନ୍ତି । ଆମର ମହାନ୍ ଅଭିଯାନ୍ତ୍ରିକ ପରମ୍ପରାରେ ଆମକୁ ଜଣେ ଏଭଳି ରତ୍ନ ମିଳିଥିଲେ – ଯାହାର କାର୍ଯ୍ୟ ଆଜି ମଧ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । ସେ ହେଉଛନ୍ତି ଭାରତରତ୍ନ ଡଃ. ଏମ୍. ବିଶ୍ୱେଶ୍ୱରାୟା । କାବେରୀ ନଦୀ ଉପରେ ତାଙ୍କଦ୍ୱାରା ନିର୍ମାଣ କରାଯାଇଥିବା କୃଷ୍ଣରାଜସାଗର ନଦୀବନ୍ଧ ଯୋଜନା ଦ୍ୱାରା ଆଜି ମଧ୍ୟ ଲକ୍ଷ ଲକ୍ଷ କୃଷକ ଓ ଜନସାଧାରଣ ଲାଭାନ୍ୱିତ ହେଉଛନ୍ତି । ସେ ଅଂଚଳରେ ତ ସେ ଜଣେ ପୂଜନୀୟ ବ୍ୟକ୍ତିତ୍ୱ – ଦେଶର ଅନ୍ୟ ସ୍ଥାନରେ ମଧ୍ୟ ତାଙ୍କୁ ଖୁବ୍ ସମ୍ମାନ ଏବଂ ଆତ୍ମୀୟତାର ସହିତ ସ୍ମରଣ କରାଯାଏ । ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ସେପ୍ଟେମ୍ବର 15 ତାରିଖକୁ ଇଞ୍ଜିନିୟର ଦିବସ ଭାବରେ ପାଳନ କରାଯାଉଛି । ତାଙ୍କର ପଦାଙ୍କ ଅନୁସରଣ କରି ଆମ ଦେଶର ଇଞ୍ଜିନିୟରମାନେ ଆଜି ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମୁଁ ଆଜି ଯେତେବେଳେ ଇଞ୍ଜିନିୟରିଂ ଦୁନିଆର ଚମତ୍କାରିତା ବିଷୟରେ ଆଲୋଚନା କରୁଛି – ସେତେବେଳେ ଗୁଜରାଟର କଚ୍ଛ ଅଂଚଳରେ 2001ରେ ଘଟିଥିବା ଭୂମିକମ୍ପ ସମୟର ଗୋଟିଏ ଘଟଣା ମନେ ପଡ଼ିଯାଉଛି । ସେତେବେଳେ ମୁଁ ଜଣେ ସ୍ୱେଚ୍ଛାସେବକ ଭାବରେ କାମ କରୁଥିଲି ଏବଂ ମତେ ଗୋଟିଏ ଗାଁକୁ ଯିବାର ସୁଯୋଗ ମିଳିଲା । ସେହି ଗାଁର ଜଣେ ଶହେ ବର୍ଷରୁ ଅଧିକ ବୟସର ମା’ ସହିତ ମୋର ଦେଖା ହୋଇଥିଲା । ସେ ଆମମାନଙ୍କୁ ଦେଖି ଉପହାସ କଲାଭଳି ଲାଗୁଥିଲା ଏବଂ ସେ କହୁଥିଲେ – ଦେଖ, ଏ ହେଲା ମୋ ଘର – କଚ୍ଛରେ ଏଭଳି ଘରକୁ ଭୂଙ୍ଗା କହନ୍ତି । ଆଉ ମୋର ଏଇ ଘରଖଣ୍ଡିକ ତିନି ତିନିଟା ଭୂମିକମ୍ପ ଭୋଗ କରିସାରିଲାଣି । ମୁଁ ନିଜେ ତିନିଟି ଭୂମିକମ୍ପ ଦେଖିସାରିଛି ଆଉ ଏଇଘରେ ଥାଇକରି ହିଁ ଦେଖିଛି । ଏ ଘରର କୌଣସି କ୍ଷତି ହୋଇଥିବା ଆପଣ ପାଇବେନି । ଆମର ପୂର୍ବଜମାନେ ଏଠାକାର ପ୍ରକୃତି ଏବଂ ପରିବେଶ ଅନୁସାରେ ଏ ଘର ତିଆରି କରିଥିଲେ । ଏକଥା ସେ ଅତ୍ୟନ୍ତ ଗର୍ବର ସହିତ କହୁଥିଲେ । ତାଙ୍କ କଥାଶୁଣି ମୋ ମନରେ ଭାବନା ଆସିଲା ଯେ ଶହ ଶହ ବର୍ଷ ପୂର୍ବେ ଆମର ସେ ସମୟର ଇଞ୍ଜିନିୟରମାନେ ସ୍ଥାନୀୟ ପରିସ୍ଥିତି ଅନୁସାରେ କିଭଳି ନିର୍ମାଣ କାର୍ଯ୍ୟ କରିଥିଲେ ଯାହାଦ୍ୱାରା ଜନସାଧାରଣ ସୁରକ୍ଷିତ ରହିପାରୁଥିଲେ । ଆଜି ଯେତେବେଳେ ଆମେ ଇଞ୍ଜିନିୟର ଦିବସ ପାଳନ କରୁଛୁ – ସେତେବେଳେ ଆମକୁ ଭବିଷ୍ୟତକୁ ଧ୍ୟାନରେ ରଖିବା ଉଚିତ । ସ୍ଥାନେ ସ୍ଥାନେ କର୍ମଶାଳା କରାଯିବା ଉଚିତ । ପରିବର୍ତ୍ତିତ ଯୁଗ ଅନୁସାରେ ଆମକୁ କ’ଣ ନୂଆ କଥା ଶିଖିବାକୁ ହେବ, ଶିଖାଇବାକୁ ହେବ ସେଥିପ୍ରତି ଧ୍ୟାନଦେବା ଦରକାର । ବିପର୍ଯ୍ୟୟ ପରିଚାଳନା ଆଜିକାଲି ଗୋଟିଏ ବଡ଼ କାମ ହେଲାଣି । ପ୍ରାକୃତିକ ବିପର୍ଯ୍ୟୟ ସହିତ ଆଜି ସାରା ବିଶ୍ୱ ମୁକାବିଲା କରୁଛି । ଏଭଳି ସ୍ଥିତିରେ ଢାଂଚା ଇଞ୍ଜିନିୟରିଂ(Structural Engineering)ର ନୂଆ ରୂପ କିଭଳି ହେବା ଉଚିତ? ତା’ର ପାଠ୍ୟକ୍ରମ କ’ଣ ହେବ? ବିଦ୍ୟାର୍ଥୀକୁ କ’ଣ ଶିକ୍ଷା ଦିଆଯିବ? ନିର୍ମାଣ ପରିବେଶ ଅନୁକୂଳ କିପରି ହେବ । ସ୍ଥାନୀୟ ସାମଗ୍ରୀକୁ ମୂଲ୍ୟଯୁକ୍ତ କରି କେମିତି ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇହେବ? ଆମର ପ୍ରାଥମିକତା କେମିତି ବର୍ଜ୍ୟମୁକ୍ତ ହୋଇପାରିବ? ଇଞ୍ଜିନିୟର୍ସ ଦିବସ ପାଳନ କଲାବେଳେ ଏହିଭଳି ଅନେକ ପ୍ରଶ୍ନ ବିଷୟରେ ଆମକୁ ବିଚାର କରିବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଉତ୍ସବର ପରିବେଶ ଆସୁଛି ଏବଂ ତା ସଙ୍ଗେ ସଙ୍ଗେ ଦିପାବଳୀର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ‘ମନ କି ବାତ୍’ରେ ସାକ୍ଷାତ ହେଉଥିବ – ମନର କଥା କହୁଥିବା ଏବଂ ମନ ଦେଇ ଦେଶକୁ ଆଗେଇନେବାର କାମ କରୁଥିବା । ଏହି ଭାବନା ସହିତ ଆପଣମାନଙ୍କ ବହୁତ ବହୁତ ଶୁଭକାମନା । ଧନ୍ୟବାଦ ପୁଣି ସାକ୍ଷାତ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.