ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 1, 2019ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଅଧ୍ୟକ୍ଷତା କରିବେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର 1 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କ ଦ୍ୱାରା ଦୁଇ ଦିନିଆ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୁଷ୍ମାନ ଭାରତର ଏକ ନୂଆ ମୋବାଇଲ ଆପ ଉନ୍ମୋଚନ କରାଯିବ । ସେ ମଧ୍ୟ ‘ଆୟୁଷ୍ମାନ ଭାରତ ଷ୍ଟାର୍ଟ ଅପ ଗ୍ରାଣ୍ଡ ଚ୍ୟାଲେଞ୍ଜ’ର ଶୁଭାରମ୍ଭ କରିବେ ଏବଂ ଏହି ଅବସରରେ ଏକ ସ୍ମାରକୀ ଡାକ ଟିକେଟ ଜାରି କରିବେ ।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନାର ବଛା ବଛା ହିତାଧିକାରୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଗତ 1 ବର୍ଷ ମଧ୍ୟରେ ପିଏମ-ଜେଏୱାଇ ଯୋଜନାର ଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିବେ ।
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କୁ ଏକତ୍ର କରିବା ଲାଗି ମଂଚ ଯୋଗାଇଦେବା ସହିତ ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ଯୋଜନାର ଉନ୍ନତିକରଣ ପାଇଁ ମାର୍ଗ ବାହାର କରିବା ଉଦ୍ଦେଶ୍ୟରେ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆରୋଗ୍ୟ ମନ୍ଥନର ଗୁରୁତ୍ୱପୂର୍ଣ୍ଣ ସୁପାରିସଗୁଡ଼ିକ ଏହି ଅବସରରେ ଉପସ୍ଥାପନ କରାଯିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସେପ୍ଟେମ୍ବର 23, 2018ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।