ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସି ଗଭର୍ଣ୍ଣର ମିଷ୍ଟର ଫିଲିପ ଡି. ମର୍ଫିଙ୍କ ପ୍ରଥମ ଔପଚାରିକ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ତାଙ୍କୁ ସ୍ୱାଗତ କରିଥିଲେ । ଦିଲ୍ଲୀ ବ୍ୟତୀତ ଗଭର୍ଣ୍ଣର ମର୍ଫି ଆଗ୍ରା, ମୁମ୍ବାଇ, ହାଇଦ୍ରାବାଦ ଓ ଅହମ୍ମଦାବାଦ ଗସ୍ତ କରିବେ ।
ନ୍ୟୁ ଜର୍ସି ଓ ଭାରତ ମଧ୍ୟରେ ବ୍ୟବସାୟିକ ଓ ଜନ ସମ୍ପର୍କକୁ ନିବିଡ କରିବା ପାଇଁ ଗଭର୍ଣ୍ଣରଙ୍କ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଏବଂ ଭାରତର ରାଜ୍ୟମାନଙ୍କ ସହ ନ୍ୟୁ ଜର୍ସିର ଉତ୍ତମ ସହଯୋଗ ନେଇ ଭାରତ ସରକାର ସହଯୋଗ କରିବେ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ ।
ଭାରତ ସହ ତାଙ୍କ ରାଜ୍ୟର ସମ୍ପର୍କ ବୃଦ୍ଧି କରିବା ନେଇ ତାଙ୍କ ପ୍ରାଧାନ୍ୟତା ସମ୍ପର୍କରେ ଗଭର୍ଣ୍ଣର ମର୍ଫି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଥିଲେ ଓ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବଳିଷ୍ଠ ଭାଗିଦାରୀତା ପାଇଁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଭାରତ ଓ ନ୍ୟୁ ଜର୍ସି ମଧ୍ୟରେ ଥିବା ସାମଞ୍ଜସ୍ୟ ସମ୍ବନ୍ଧରେ ଉଲ୍ଲେଖ କରି ସେ କହିଲେ ଯେ ଭାରତକୁ ଆସିବା ପରଠାରୁ ସେ ବିବିଧତାର ଉତ୍ସବ ପାଳନ ଏବଂ ବହୁମତକୁ ସମ୍ମାନ ପ୍ରଦାନ କରାଯିବାର ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିଲେ ଯେ ଭାରତ-ଆମେରିକା ଜନସଂଖ୍ୟାର ସର୍ବାଧିକ ଘନତ୍ୱ ଥିବା ନ୍ୟୁ ଜର୍ସି ଭାରତ ପାଇଁ ବାଣିଜ୍ୟ ଓ ନିବେଶର ସବୁଠାରୁ ବଡ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି । ଷ୍ଟେମ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସହଯୋଗର ଗୁରୁତ୍ୱ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ ।
ନ୍ୟୁ ଜର୍ସିରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟଙ୍କ ଉନ୍ନତି ନେଇ ଗଭର୍ଣ୍ଣରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତ ଓ ଆମେରିକା ମଧ୍ୟରେ ସେମାନେ ଏକ ସେତୁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।