ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

April 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।

ଡା. କେ. କସ୍ତୁରୀରଙ୍ଗନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

April 25th, 02:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ବୈଜ୍ଞାନିକ ତଥା ଶୈକ୍ଷଣିକ ଜଗତର ମହତ୍ୱପୂର୍ଣ୍ଣ ବ୍ୟକ୍ତିିତ୍ୱ ଡା. କେ.କସ୍ତୁରୀରଙ୍ଗନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡା.କେ. କସ୍ତୁରୀରଙ୍ଗନ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ରେ ବହୁତ କର୍ମଠତାର ସହ କାମ କରିଛନ୍ତି ଏବଂ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ନୂତନ ଶୀର୍ଷତାରେ ପହଞ୍ଚାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ପ୍ରସ୍ତୁତ କରିବା ଏବଂ ଶିକ୍ଷାକୁ ବ୍ୟାପକ ଏବଂ ଭବିଷ୍ୟୋନ୍ମୁଖୀ କରିବା ଦିଗରେ ପ୍ରୟାସ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ । ସେ ଅନେକ ଯୁବ ବୈଜ୍ଞାନିକ ଏବଂ ଗବେଷକଙ୍କ ପାଇଁ ମଧ୍ୟ ମାର୍ଗ ଦର୍ଶକ ଥିଲେ ।